Categories
ଆଜିର ଖବର ରାଜ୍ୟ ଖବର

ଏମ୍‌ସ ଭୁବନେଶ୍ୱର କାଏଜ୍‌ମା-୨୦୨୪କୁ ଉଦ୍‌ଘାଟନ କଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର: କୋଭିଡ୍‌ ମହାମାରୀ ସମୟରେ ଏମ୍‌ସ ଭୁବନେଶ୍ୱର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ଏହି ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନର ଅବଦାନ ଅନସ୍ବୀକାର୍ଯ୍ୟ। ବିକଶିତ ଭାରତର ପ୍ରକୃତ ଭାବନା ପୂରଣ କରିବାରେ ଦେଶର ଯୁବଗୋଷ୍ଠୀ ସମ୍ମୁଖଭାଗରେ ରହିଛନ୍ତି। ଏଥିସହ ଷ୍ଟାର୍ଟ ଅପ୍ ଇଣ୍ଡିଆ, ଖେଲୋ ଇଣ୍ଡିଆ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ଅନ୍ୟାନ୍ୟ ଯୁବକେନ୍ଦ୍ରିକ କାର୍ଯ୍ୟକ୍ରମରେ ଦେଶର ଯୁବଗୋଷ୍ଠୀଙ୍କ ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ ଥିବା ଏମ୍‌ସ ଭୁବନେଶ୍ବର ଛାତ୍ର ସଂସଦ ପକ୍ଷରୁ ଆୟୋଜିତ କାଏଜ୍‌ମା-୨୦୨୪ ଉତ୍ସବକୁ ଉଦ୍‌ଘାଟନ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଏପରି ମତବ୍ୟକ୍ତ କରିଛନ୍ତି।

ଏହି ଜାତୀୟ ଅନୁଷ୍ଠାନକୁ ପ୍ରଥମ ଗସ୍ତବେଳେ ରାଜ୍ୟପାଳ ରଘୁବର ଦାସ ଏମ୍‌ସ ଭୁବନେଶ୍ୱରକୁ ଦେଶର ସର୍ବୋଚ୍ଚ ଚିକିତ୍ସା ପ୍ରତିଷ୍ଠାନ ହେବାକୁ ଶୁଭେଚ୍ଛା ପ୍ରଦାନ କରିଥିଲେ। କାଏଜ୍‌ମା ଭଳି ମେଗା କାର୍ଯ୍ୟକ୍ରମରେ କ୍ରୀଡ଼ା, ସଂସ୍କୃତି ଏବଂ ସାହିତ୍ୟକୁ ଅନ୍ତର୍ଭୁକ୍ତ କରିଥିବାରୁ ରାଜ୍ୟପାଳ ଖୁସି ବ୍ୟକ୍ତ କରିବା ସହିତ ଏମ୍‌ସ ଭୁବନେଶ୍ବରର ଛାତ୍ର ସଂସଦକୁ ପ୍ରଶଂସା କରିଥିଲେ। ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମର ବ୍ୟାପକତାକୁ ପ୍ରମାଣ କରିବା ସହିତ ଏକ ନିଆରା ଅନୁଭବ ଆଣିଦେବ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ।

ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମାନନୀୟ ରାଜ୍ୟପାଳଙ୍କୁ ସ୍ବାଗତ କରିବା ସହିତ ଏହି ଜାତୀୟ ପ୍ରତିଷ୍ଠାନର ସଫଳତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେହିପରି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ଉତ୍ସବକୁ ସ୍ବାଗତ କରି ସଫଳତା କାମନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡିନ୍ ଡ. ପି ଆର୍‌ ମହାପାତ୍ର, ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ରେଜିଷ୍ଟ୍ରାର୍‌ ଡ. ଦେବପ୍ରିୟ ବନ୍ଦ୍ୟୋପାଧ୍ୟାୟ, ଡିଡିଏ ରଶ୍ମି ରଂଜନ ସେଠୀ, ଏମ୍‌ସ ଛାତ୍ର ସଂସଦ ସଭାପତି ଦିବ୍ୟଜ୍ୟୋତି ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।

ଉଲ୍ଲେଖଯୋଗ୍ୟଯେ ଏମ୍‌ସ ଭୁବନେଶ୍ୱର ଛାତ୍ର ସଂସଦ ପକ୍ଷରୁ ଆୟୋଜିତ କାଏଜ୍‌ମା, ପୂର୍ବ ଭାରତର ଏକ ବୃହତ୍‌ କଲେଜ ଫେଷ୍ଟ ଭାବେ ପରିଚୟ ହାସଲ କରିଛି। ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ଏକାଡେମିକ୍‌ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାଂସ୍କୃତିକ, ସାହିତ୍ୟିକ, କ୍ରୀଡ଼ା, ଏବଂ ମନୋରଂଜନ ଭିତ୍ତିକ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ।

ଏଥିସହିତ କାଏଜ୍‌ମା-୨୦୨୪ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନର ଅବସର ରଖିଛି। ଚଳିତ ମାସ ୨୯ ତାରିଖ(ଗୁରୁବାର) ସନ୍ଧ୍ୟାକୁ ପ୍ରସିଦ୍ଧ ହାସ୍ୟ କଳାକାର ତଥା ୟୁଟ୍ୟୁବ୍‌ ତାରକା ଅଭିମନ୍ୟୁ ଉପମନ୍ୟୁ ତାଙ୍କ ବ୍ୟଙ୍ଗ ମାଧ୍ୟମରେ ଉପସ୍ଥିତ ଦର୍ଶକଙ୍କୁ ମଉଜ କରିବେ। ସେହିପରି ବଲିଉଡ୍‌ର ଲୋକପ୍ରିୟ ପ୍ଲେବ୍ୟାକ୍‌ ସିଙ୍ଗର୍‌ ମୋହିତ ଚୌହାନ୍ୟ ଆସନ୍ତା ମାସ ୨ ତାରିଖ(ଶନିବାର) ସନ୍ଧ୍ୟାକୁ ତାଙ୍କ ସୁଲଳିତ କଣ୍ଠସ୍ବର ମାଧ୍ୟମରେ ଝୁମାଇବାର କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଛି। ସେହିପରି ଆହୁରି ଅନେକ ଖ୍ୟାତିସମ୍ପନ୍ନ ଡିଜେ କଳାକାରଙ୍କ ପ୍ରଦର୍ଶନ ମଧ୍ୟ ରହିଥିବା ସଭାପତି ଦିବ୍ୟଜ୍ୟୋତି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ହୋମିଓପାଥି ସନ୍ଦର୍ଭରେ ହେବ ଉଚ୍ଚତର ଗବେଷଣା: ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର: ବର୍ତ୍ତମାନ ପ୍ରଚଳିତ ଚିକିତ୍ସାସେବାରେ ଅତ୍ୟାଧୁନିକ ଔଷଧ ଏବଂ ପ୍ରାଚୀନ କାଳରୁ ଚଳିଆସୁଥିବା ହୋମିଓପାଥିର ସମନ୍ବୟ ସ୍ବାସ୍ଥ୍ୟସେବାରେ ବ୍ୟାପକ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଛି। ତେବେ ଏହି କ୍ଷେତ୍ରରେ ଉଚ୍ଚତର ଗବେଷଣା ଏବଂ ପ୍ରମାଣଭିତ୍ତିକ ବୈଜ୍ଞାନିକ ଚିକିତ୍ସାପ୍ରଣାଳୀ ବ୍ୟବସ୍ଥା ପ୍ରବର୍ତ୍ତନ ସମୟର ବଡ଼ ଆହ୍ବାନ। ଏହି ଆହ୍ବାନକୁ ସାକାର ରୂପ ଦେବାକୁ ଆଗେଇ ଆସିଛନ୍ତି ଦୁଇ ଜାତୀୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ(ସିସିଆରଏଚ୍)।

ହୋମିଓପାଥି ଏବଂ ଆଧୁନିକ ଔଷଧର ଯୁଗୋପଯୋଗୀ ସମ୍ମୀଶ୍ରଣ ଏବଂ ଏହି ସନ୍ଦର୍ଭରେ ଉଚ୍ଚତର ଗବେଷଣା ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ଗତକାଲି ବୁଝାମଣାପତ୍ର(ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି।

ଏହି କ୍ଷେତ୍ରରେ ଉଚ୍ଚତର ଏବଂ ବ୍ୟାପକ ଗବେଷଣାର ପଥ ଉନ୍ମୁକ୍ତ କରିବାର ଯଥେଷ୍ଟ ଆଶା ରହିଛି। ଏପରିକି ହୋମିଓପାଥିର ଉପଯୁକ୍ତ ଉପଯୋଗ ସ୍ୱାସ୍ଥ୍ୟ ସେବାରେ ଆଧୁନିକ ଔଷଧର ଅତ୍ୟଧିକ ବ୍ୟବହାରକୁ ହ୍ରାସ କରିବା ନେଇ ବିଶ୍ବାସ ଜନ୍ମିଛି।

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକରୁଥିବା ସ୍ବୟଂଶାସିତ ପ୍ରତିଷ୍ଠାନ ସିସିଆରଏଚ୍ ଏବଂ ଏମ୍ସ ଭୁବନେଶ୍ୱର ମିଳିତ ଭାବେ ଏମ୍ସରେ ଏକୀକୃତ ଚିକିତ୍ସା ବିଭାଗ ପ୍ରତିଷ୍ଠାର ପ୍ରକ୍ରିୟା ଆରମ୍ଭ ହୋଇଛି। ହୋମିଓପାଥିର ବୈଜ୍ଞାନିକ ପ୍ରାମାଣିକତା, ଅନୁସନ୍ଧାନ ଏବଂ ଆଧୁନିକ ଚିକିତ୍ସା ପଦ୍ଧତିରେ ଏହି ପ୍ରାଚୀନ ଔଷଧୀର ପ୍ରୟୋଗ ନେଇ ଏହି ବୁଝାମଣାରେ ବିଶେଷ ବ୍ୟବସ୍ଥା ରହିଥିବା ସୂଚନା ପ୍ରଦାନ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ହୋମିଓପାଥି ଚିକିତ୍ସା ନିମନ୍ତେ ପ୍ରମାଣଭିତ୍ତିକ ବ୍ୟବସ୍ଥିତ ଚିକିତ୍ସା ପଦ୍ଧତି ସୃଷ୍ଟି, ବିଭିନ୍ନ ରୋଗ ଉପଶମ କ୍ଷେତ୍ରରେ ଏହାର ପ୍ରୟୋଗଭିତ୍ତିକ କାର୍ଯ୍ୟଧାରା ସମ୍ପର୍କରେ ମଧ୍ୟ ଦୁଇ ଜାତୀୟ ଅନୁଷ୍ଠାନ ଗବେଷଣା କରିବେ ବୋଲି ପ୍ରକାଶ କରିଛନ୍ତି ଡ. ବିଶ୍ବାସ।

ଏମ୍ସ ଭୁବନେଶ୍ୱର ଭଳି ଜନାଦୃତ ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ସହିତ ହୋମିଓପାଥି ସମ୍ପର୍କରେ ଅଧିକ ଗବେଷଣା ନିମନ୍ତେ ହୋଇଥିବା ବୁଝାମଣାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ସିସିଆରଏଚ୍ର ମହାନିର୍ଦ୍ଦେଶକ (ଡିଜି) ଡ. ସୁଭାଷ କୌଶିକ। ଏକାଧିକ ରୋଗର ଉପଚାର କରିବାରେ ହୋମିଓପାଥିର ବୈଜ୍ଞାନିକ ପ୍ରମାଣ ରହିଛି। ବିଶେଷ ପାର୍ଶ୍ବପ୍ରତିକ୍ରିୟା ପ୍ରକାଶ ପାଉନଥିବା ଏବଂ ସାଧାରଣ ଲୋକଙ୍କୁ ସୁହାଉଥିବା ହୋମିଓପାଥି ଚିକିତ୍ସା ବ୍ୟବସ୍ଥା ବର୍ତ୍ତମାନର ଆଧୁନିକ ଚିକିତ୍ସାପ୍ରଣାଳୀ ସହିତ ଏକୀକୃତ ହେଲେ ବ୍ୟାପକ ସମ୍ଭାବନା ସୃଷ୍ଟି କରିବ। ଭାରତ ସରକାରଙ୍କ “ଗୋଟିଏ ରାଷ୍ଟ୍ର, ଗୋଟିଏ ସ୍ୱାସ୍ଥ୍ୟ”ର ଅବଧାରଣାକୁ ଦୃଷ୍ଟିରେ ରଖି ହୋଇଥିବା ଏହି ବୁଝାମଣା ନିଶ୍ଚିତ ଭାବରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ବୃଦ୍ଧି କରିବ ଏବଂ ଜନସାଧାରଣଙ୍କ ପାଇଁ ଲାଭଦାୟକ ହେବ ବୋଲି ଡ. କୌଶିକ୍ ଆଶାବ୍ୟକ୍ତ କରିଛନ୍ତି।
କୋଭିଡ୍ ମହାମାରୀ ସମୟରେ ହୋମିଓପାଥିର ଆଦର ବେଶ ବୃଦ୍ଧି ପାଇଥିଲା। ଡେଙ୍ଗୁ, ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ, କୋଭିଡ୍ ପରବର୍ତ୍ତୀ ଜଟିଳ ସମସ୍ୟା, କର୍କଟ ଚିକିତ୍ସା, ବିଭିନ୍ନ ମାନସିକ ରୋଗ ସହିତ ଏକାଧିକ ରୋଗର ଚିକିତ୍ସାରେ ହୋମିଓପାଥିର ପ୍ରୟୋଗ ସୁଫଳ ଆଣିଥିବା ବିଭିନ୍ନ ସମୟରେ ହୋଇଥିବା ପ୍ରୟୋଗାତ୍ମକ ଚିକିତ୍ସାପଦ୍ଧତିରୁ ପ୍ରମାଣିତ ହୋଇଛି।

ଦୁଇ ଅନୁଷ୍ଠାନର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅବସରରେ ଏମ୍ସ ଭୁବନେଶ୍ୱର ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ୍(ଗବେଷଣା) ଡ. ସତ୍ୟଜିତ ମିଶ୍ର, ବରିଷ୍ଠ ମେଡିକାଲ୍ ଅଫିସର (ଆୟୁଷ ବିଭାଗ) ଡ. ପ୍ରଶାନ୍ତ କୁମାର ସାହୁ, ଡ. ଶୁଭାଷୀଶ ସରକାର, ଡ. ଆସିଫ ସର୍ଦ୍ଦାର, ଡ. ଅଜିତ କୁମାର ପ୍ରଧାନ, ସନ୍ତୋଷ କୁମାର ସାହୁଙ୍କ ସମେତ ସିସିଆରଏଚ୍ରୁ ଡ. ଦେବଦତ୍ତ ନାୟକ, ଡ. ଉମାକାନ୍ତ ପୃଷ୍ଟି, ଡ. କରନ୍ପ୍ରୀତ ନହର୍ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟଯେ ଏମ୍ସରେ ଥିବା ଏକ ଉତ୍ସର୍ଗୀକୃତ ଆୟୂଷ ବିଭାଗ ଅଧିନରେ ହୋମିଓପାଥି, ଆୟୁର୍ବେଦ ଏବଂ ଯୋଗ ଆଦି ମାଧ୍ୟମରେ ଚିକିତ୍ସା ସେବା ପ୍ରଦାନ କରାଯାଉଛି।