Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହରିଡାପଦର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ନିର୍ମମ ହତ୍ୟା

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଆସିକା କୋଟିନଡା ଥାନା ଅନ୍ତର୍ଗତ ହରିଡାପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହରିଡାପଦର ଗାଁର ଜଣେ ଯୁବକ ସୁରେଶ ଡାକୁଆ ଓ ତାର ବାପା ଉଭୟ ମିଶି ଜଣେ ହରିଜନ ଯୁବକ ସଞ୍ଜୟ ନାୟକକୁ ନିର୍ମମ ହତ୍ୟା କରିଥିବା ଅଭିଯୋଗ ଥାନାରେ ହୋଇଛି। ମୃତ ବ୍ୟକ୍ତିର ଭଉଣି ଆସିକା ନିକଟସ୍ଥ କୋଟିନଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରବିବାର ଦିନ ପ୍ରାୟ ୧୧ଟା ବେଳେ ଗ୍ରାମର ବଡସାହିରେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଖବର ପାଇ ଆସିକା ପୋଲିସ ଏସଡିପିଓ ଉମାଶଙ୍କର ସିଂ, କୋଟିନଡା ଥାନା ଅଧିକାରୀ କୃଷ୍ଣ ସିଂ ସମେତ ପୋଲିସ ବାହିନୀ ଗାଁରେ ପହଁଚି ଥିଲେ। ମୃତ ଶବକୁ ଜବତ କରି ପୋଲିସ ଆସିକା ସବଡିଭିଜନ ମେଡିକାଲକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛନ୍ତି। ଏହି ଘଟଣା ବିରୋଧରେ ଥାନାରେ ଲିଖୀତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ହରିଡାପଦର ଗାଁରେ ସବର୍ଣ୍ଣ ଓ ଅସବର୍ଣ୍ଣ ବିବାଦ ଦିର୍ଘ ଦିନ ଧରି ଲାଗି ରହିଥିଲା। ଏହି ବିବାଦ ଯୋଗୁଁ ସବୁବେଳେ ହରିଡାପଦର ଗାଁରେ ଗଣ୍ଡଗୋଳ ହେଉଥିଲା। ହରିଜନ ଗ୍ରାମର ଲୋକ ସ୍ଥାନୀୟ ପ୍ରଶାସନର ଅନୁମତିରେ ଏକ ଏସଏଚଜି ଗ୍ରୁପ ଜରିଆରେ ଗାଁ ବନ୍ଧରେ ମାଛ ଛାଷ ପାଇଁ ଅନୁମତି ପାଇଥିଲେ। କିନ୍ତୁ ଗାଁର ଜଣେ ବଳଶାଳୀ ଯୁବକ ଯିଏ ବିଜେଡିର ଯୁବ ନେତା ସୁରେଶ ଡାକୁଆ ସବୁବେଳେ ବିରୋଧ କରି ଆସୁଥିଲେ। ଏନେଇ ହରିଡାପଦର ଗାଁରେ ହରିଜନ ଲୋକଙ୍କୁ ନିଆପାଣି ବାସନ୍ଦ କରାଯାଇଥିଲା। ସେହି ଦିନ ଠାରୁ ହରିଡାପଦର ଗାଁରେ ବିବାଦ ଲାଗି ରହିଥିଲା। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଉପସ୍ତିତିରେ ମଧ୍ୟ ଏହାର ସମାଧାନ ହୋଇଥିଲା। ତଥାପି ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠି ମଧ୍ୟରେ ବିବାଦ ଲାଗି ରହିଥିଲା।

ଏହି ବିବାଦ ଯୋଗୁଁ ଆଜି ଯୁବକକୁ ନିର୍ମମ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ସେପଟେ ସାହି ବାସିନ୍ଦା ପକ୍ଷରୁ ପୋଲିସ ପ୍ରଶାସନର ଅବହେଳା ଯୋଗୁଁ ଆଜି ଗୋଟିଏ ଜୀବନ ଚାଲି ଗଲା ବୋଲି କୁହାଯାଇଛି।