Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଭାଙ୍ଗୁଛି କଂଗ୍ରେସ, ବିଜେଡ଼ିରେ ଯୋଗ ଦେଲେ ଅନୁଗୁଳ ଜିଲ୍ଲା ସଭାପତି ବିପ୍ଲବ ଜେନା

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ତଥା ୨୦୧୯ ଅନୁଗୁଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିପ୍ଲବ ଜେନା ଓ ତାଙ୍କର ହଜାରରୁ ଉର୍ଦ୍ଧ୍ୱ ସମର୍ଥକ ଆଜି ଶଙ୍ଖଭବନ ଠାରେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ବିପ୍ଲବ ଜେନାଙ୍କୁ ଉପଢୌକନ ଦେଇ ଶ୍ରୀ ଦାସ ଓ ଶ୍ରୀ ସିଂଦଳକୁ ସ୍ୱାଗତ କରିଥିଲେ। ଏହି ଅବସରରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ବିପ୍ଲବ ଜେନାଙ୍କ ଯୋଗଦାନ ଫଳରେ ଅନୁଗୁଳ ଜିଲ୍ଲାରେ ବିଜେଡି ଆହୁରି ମଜଭୁତ ହେବା ସହ ସମସ୍ତେ ଏକତ୍ରିତ ହୋଇ ଆଗାମୀ ଦିନରେ କାମ କରିବାକୁ ଆହ୍ୱାନ ଦେଇଥିଲେ।

ବିଜେଡ଼ିରେ ସାମିଲ୍‌ ହୋଇଥିବା ବିପ୍ଲବ ଜେନା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଯେଉଁମାନେ ଆଜି ମୋ ସହ ଦଳରେ ଯୋଗ ଦେଉଛନ୍ତି, ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ନୀତି ଆଦର୍ଶ ଓ ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି ବୋଲି କହିଛନ୍ତି।

ଦଳକୁ କୌଣସି ପଦପଦବୀ କିମ୍ବା ଉଦ୍ଦେଶ୍ୟ ନେଇ ଆସି ନାହିଁ। ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେବେ ତାହାକୁ ମୁଁ ନିଷ୍ଠାର ସହ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ଏହି ମିଶ୍ରଣ ପର୍ବରେ ଅନୁଗୁଳ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ଏବଂ ଅନୁଗୁଳ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ ସଭାପତି ତପସ୍ୱିନୀ ବିଶ୍ୱାଳ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାପୁନ କୁମାର ଦେହୁରୀ, ପୂର୍ବତନ କଂଗ୍ରେସ ଜିଲ୍ଲା କମିଟି ଉପସଭାପତି ବାପୁଜୀ ପ୍ରଧାନ, ଅନୁଗୁଳ ବିଧାନସଭା ଯୁବ କଂଗ୍ରେସ ସଭାପତି ରାକେଶ କୁମାର ସାହୁ, ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଅନ୍ନଦା ସାହୁ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାସଭାପତି ସୋସିଆଲ ମିଡିଆ ଆଲୋକ ଦାସ ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।