Categories
ଭିଡ଼ିଓ

ଏନ୍ଆରସିକୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ

Categories
ଆଜିର ଖବର

ଏନ୍‌ଆରସିକୁ ସମର୍ଥନ କରୁନି ବିଜେଡି : ନବୀନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,18/12 : ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି)କୁ ନେଇ ନିଜର ପକ୍ଷ ରଖିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳ ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଦଳ ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରୁଛି ମାତ୍ର ଏନ୍‌ଆରସିକୁ ଦଳ ସମର୍ଥନ କରୁନାହିଁ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ବିଜେଡି ନିଜର ସମର୍ଥନ ଜାହିର କରିଛି । ଏହି ଆଇନ ଦେଶର ସଂହିତା ପ୍ରତି କୌଣସି ବିପଦ ସୃଷ୍ଟି କରୁନାହିଁ ତେଣୁ ଦଳ ଏହି ଆଇନ ପ୍ରତି ନିଜର ସମର୍ଥନ ଜାହିର କରିଛି ବିଜେଡି । ମାତ୍ର ଏନ୍‌ଆରସିକୁ ନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ନିଜର ଆଭିମୁଖ୍ୟ ଦଳ ସ୍ପଷ୍ଟ କରିଛି ବୋଲି ନବୀନ କହିଛନ୍ତି ।

Categories
ଆଜିର ଖବର

ନାଗରିକ ସଂଶୋଧନ ଆଇନକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଜବାବତଲବ : ଜାନୁୟାରୀରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,18/12: ନାଗରିକ ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଠାର ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ । ବୁଧବାର ଏହି ଆଇନ ବିରୋଧରେ ଆଗତ 48ଟି ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ଆଇନ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେ, ଜଷ୍ଟିସ୍‌ ବି ଆର ଗଭାଇ ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରିଥିଲେ । ଆଇନ ପୂର୍ବବତ ଲାଗୁ ରହିବା ସହିତ ଜାନୁୟାରୀ 22 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ସଂସଦର ଉଭୟ ଗୃହରେ ପାରିତ ହେବା ପରେ 12 ତାରିଖରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍‌ ଆଇନରେ ପରିଣତ ହୋଇଥିଲା । ବିଲ୍‌କୁ ଦେଶର ସମସ୍ତ ଭାଗରୁ ବିରୋଧ କରାଯିବା ସହିତ 48ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ନାଗରିକତ୍ବ ସଂଶୋଧନ ଆଇନ ପରିବର୍ତ୍ତନର ପ୍ରଶ୍ନ ଉଠୁନି : ଶାହା

ନୂଆଦିଲ୍ଲୀ, 18/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶ ଜଳୁଥିବା ବେଳେ ଏହି ଆଇନ ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା ମତ ଦେଇଛନ୍ତି । କୌଣସି ବି ପରସ୍ଥିତିରେ ଏହି ଆଇନରେ ପରିବର୍ତ୍ତନ କରାଯିବ ନାହିଁ ବୋଲି ଇଣ୍ଡିଆନ ଇକୋନୋମୀ ଫୋରମରେ ଯୋଗ ଦେଇ ଶାହା କହିଛନ୍ତି । ଏନ୍‌ଆରସି ଲାଗୁ କରାଯିବା ଯୋଜନା ରାଜୀବ ଗାନ୍ଧୀଙ୍କର ରହିଥିଲା । ଏହା ସହିତ ବିଶ୍ବର ସମସ୍ତ ରାଷ୍ଟ୍ର ନିଜର ନାଗରିକ ପଞ୍ଜୀକରଣ କରାଇଥିବା ବେଳେ ଭାରତ ମଧ୍ୟ କରିବା ଉଚିତ୍‌ ବୋଲି ଶାହା ମତ ଦେଇଛନ୍ତି । ଏହା ସହିତ ଏନ୍‌ଆରସି ବା ସିଏଏ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ବା ଦେଶବାସୀଙ୍କ ପାଇଁ କୌଣସି ସମସ୍ୟକା ସୃଷ୍ଟି କରିବ ନାହିଁ ବୋଲି ଶାହା ମତ ଦେଇଥିଲେ । ଦେଶରେ ସଂଖ୍ୟାଧିକ ବିଶ୍ବବିଦ୍ୟାଳୟ ରହିଥିଲେ ମଧ୍ୟ କେବଳ ହାତଗଣତି କିଛି ବିଶ୍ବବିଦ୍ୟାଳୟଙ୍କୁ ଏହି ଆଇନକୁ ନେଇ କାହିଁକି ସମସ୍ୟା ହେଉଛି ବୋଲି ମଧ୍ୟ ଶାହା ପ୍ରଶ୍ନ କରିଥିଲେ । ଦେଶର ସମସ୍ତ ରାଜ୍ୟରେ ଏହା ଲାଗୁ କରାଯିବା ନେଇ ମଧ୍ୟ ଶାହା ଦୃଢୋକ୍ତି ପ୍ରକାଶ କରିଥିଲେ । (ଏଜେନ୍ସୀ)

Categories
ବିଶେଷ ଖବର

ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଏବେ ପଶ୍ଚାତ୍ତାପ କରୁଛି କି ବିଜୁ ଜନତା ଦଳ?

କେଦାର ମିଶ୍ର

ସଂସଦରେ ବିଜେପିର ଯେଉଁ ସହଯୋଗୀ ଦଳଗୁଡିକ ନାଗରିକତା ସଂଶୋଧନ ବିଲ ସପକ୍ଷରେ ଭୋଟ ଦେଇଥିଲେ, ସେଥିରୁ ଅଧିକାଂଶ ଏବେ ନିଜ ନିଜର ମତ ବଦଳାଇବା ଆରମ୍ଭ କଲେଣି। ପ୍ରଥମେ ବିଜେପିର ଅନ୍ୟତମ ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳ ଏହି ଆଇନରେ ନିର୍ୟାତିତ ମୁସଲମାନଙ୍କୁ ମଧ୍ୟ ନାଗରିକତାର ଅଧିକାର ଦିଆ ଯାଉ ବୋଲି ଦାବି କରିଛି। ଆସାମରେ ବିଜେପିର ସହଯୋଗୀ ରହିଥିବା ଆସାମ ଗଣ ପରିଷଦ ସଂସଦରେ ଏହି ବିଲକୁ ସମର୍ଥନ କରିବା ନିଜର ସବୁଠୁ ବଡ ଭୁଲ ଥିଲା ବୋଲି ସ୍ଵୀକାର କରିବା ସହିତ, ଏହି ଆଇନ ବିରୋଧରେ ଏବେ ସୁପ୍ରିମ କୋର୍ଟରେ ଯାଚିକା ଦାଖଲ କରିବ ବୋଲି କହିଛି। ନୀତିଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ଏହି ଆଇନକୁ ସମର୍ଥନ କରିଥିଲେ ମଧ୍ୟ ଏହାକୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଦଳର ଦୁଇ ବରିଷ୍ଠ ନେତା ପ୍ରଶାନ୍ତ କିଶୋର ଓ ପବନ କୁମାର ବର୍ମା ଏହି ଆଇନ ଅସାମ୍ବିଧାନିକ ବୋଲି ଖୋଲାଖୋଲି କହିଛନ୍ତି। ଏପରିକି ବିଜେପି ଏହି ପ୍ରସଙ୍ଗରେ ଏତେ ଅଧିକ ପ୍ରତିରୋଧ ହେବ ବୋଲି ଆଶା କରୁନଥିଲା ବୋଲି ଶୁଣାଯାଉଛି।

ଏହି ବିଲକୁ ଆଇନରେ ପରିଣତ କରାଇବାରେ ଓଡିଶାର ବିଜୁ ଜନତା ଦଳର ସମର୍ଥନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ନବୀନ ପଟ୍ଟନାୟକଙ୍କ ସମର୍ଥନ ଫଳରେ ଏହି ବିଲ ସହଜରେ ଆଇନରେ ପରିଣତ ହୋଇ ପାରିଲା ବୋଲି ଜାତୀୟ ସ୍ତରରେ ଏକ ବାର୍ତ୍ତା ପ୍ରଚାରିତ ହେଲା। ଏହା ବିଜେଡି ଓ ନବୀନ ପଟ୍ଟନାୟକଙ୍କର ଧର୍ମ ନିରପେକ୍ଷ ଭାବମୂର୍ତ୍ତିକୁ ପ୍ରଭାବିତ କରିଛି ବୋଲି ଦଳ ଏବେ ଅନୁଭବ କରୁଛି। ଜାତୀୟ ସ୍ତରରେ ବିଜେଡ଼ିକୁ ଏଠି ଲାଗି ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟରେ ବିଜେଡି ଏ ପ୍ରସଙ୍ଗରେ ବିତର୍କକୁ ଆଡେଇ ଯାଉଥିଲେ ମଧ୍ୟ, ଏହା ଦଳର ଭାବମୂର୍ତ୍ତିକୁ ଅସୁବିଧାରେ ପକାଇଛି। ଗତ ପାଞ୍ଚୋଟି ଯାକ ନିର୍ବାଚନରେ ରାଜ୍ୟର ସଂଖ୍ୟାଲଘୁ ଭୋଟର ନବୀନ ପଟ୍ଟନାୟକଙ୍କ ଉପରେ ଆଖି ବୁଜି ବିଶ୍ଵାସ ପୋଷଣ କରି ଆସିଛନ୍ତି। ଭଦ୍ରଖ, କେନ୍ଦ୍ରାପଡା, ସମ୍ବଲପୁର ଭଳି ଅଞ୍ଚଳରେ ମୁସଲମାନ ଭୋଟର ବିଜେଡି ପ୍ରତି ସବୁବେଳେ ଅନୁରକ୍ତ ରହି ଆସିଛନ୍ତି।

ନାଗରିକତା ସଂଶୋଧନ ଆଇନରେ ମୁସଲମାନଙ୍କ ପ୍ରତି ବାଛ ବିଚାର କରା ଯାଇଥିବାରୁ ଓ ଏହାକୁ ବିଜେଡି ସମର୍ଥନ କରିଥିବାରୁ ରାଜ୍ୟର ସଙ୍ଖ୍ୟାଲଘୁ ଭୋଟର ଆଶଙ୍କିତ ହୋଇ ପଡିଛନ୍ତି। ଏହି ଅଳ୍ପ ସଂଖ୍ୟକ ଭୋଟରଙ୍କୁ ସନ୍ତୁଷ୍ଟ କରିବା ଲାଗି ଏବେ ନବୀନ ବାବୁ ସେମାନଙ୍କର କେତେଜଣ ବରିଷ୍ଠ ନେତାଙ୍କୁ ଭେଟିଥିଲେ ଓ ରାଜ୍ୟରେ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରାଇ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜାତୀୟ ନାଗରିକ ପଞ୍ଜୀକରଣ ତ ଦୂରର କଥା, ନୂଆ ଭାବେ ସଂଶୋଧିତ ନାଗରିକ ଆଇନରେ ସମ୍ବିଧାନ ପ୍ରଦତ୍ତ ସମାନତାର ଅଧିକାରକୁ କ୍ଷୁଣ୍ଣ କରାଯାଇଛି। ଧର୍ମକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏକ ଆଇନକୁ ବିଜେଡି ସମର୍ଥନ କରିବା କଥାଟିକୁ ଓଡିଶାର ସଂଖ୍ୟାଲଘୁ ସଂପ୍ରଦାୟ କେବଳ ନୁହନ୍ତି, ଗଣତନ୍ତ୍ର ଓ ଧର୍ମ ନିରପେକ୍ଷତାରେ ବିଶ୍ଵାସୀ ବିଜେଡ଼ିର ଏକ ବଡ ସମର୍ଥକ ଗୋଷ୍ଠୀ ବିଶ୍ଵା କରି ପାରୁନାହାନ୍ତି। ବିଜେପି ପ୍ରତି ବିଜେଡ଼ିର ଏହି ଅହେତୁକ ସମର୍ଥନ ବିଜେଡ଼ିର ବଡ କ୍ଷତି କରୁଛି ବୋଲି ଦଳ ଅନୁଭବ କରୁଛି।

ଏହି ଆଇନକୁ ଏବେ ସାରା ଦେଶରେ ଯେଉଁ ପ୍ରକାର ବିରୋଧ କରାଯାଉଛି, ସେମିତି ହେବ ବୋଲି ବିଜେଡି ନେତୃତ୍ଵ ଚିନ୍ତା କରି ନଥିଲେ। ପୂର୍ବରୁ ଅନେକ ଅପ୍ରିୟ ପଦକ୍ଷେପ ନେଇ ଲୋକମତକୁ ନିଜ ସପକ୍ଷରେ ରଖିବାକୁ ବିଜେପି ସମର୍ଥ ହେଉଥିଲା। ବିମୁଦ୍ରାକରଣ ଭଳି ଲୋକଙ୍କ ଜୀବନ ଓ ଜୀବିକାକୁ ଧ୍ଵଂସ କରି ପକାଇଥିବା ଏକ ପଦକ୍ଷେପକୁ ମଧ୍ୟ ଲୋକେ ବିରୋଧ କରି ନଥିଲେ। ତେବେ ନାଗରିକତା ସଂଶୋଧନ ଆଇନ ଆସିବା ଫଳରେ ସାରା ଦେଶରେ ଏହାକୁ ନେଇ ଜନମତ ପ୍ରବଳ ହେବା ଆରମ୍ଭ କରିଛି।

ଏହି ଆଇନ ବିରୋଧରେ ହେଉଥିବା ଆନ୍ଦୋଳନକୁ ଚପାଇଦେବାକୁ ବିଜେପି ସରକାରର ଆକ୍ରାମକ ବ୍ୟବହାର ବିଜେଡ଼ିକୁ ଅଡୁଆରେ ପକାଇଛି। ଏହି ଆଇନ ର ବିରୋଧ କରୁଥିବା ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭାଷା ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛି। ଓଡିଶାରେ ବିଜେଡି ଏ ପ୍ରକାର ରାଜନୀତି କେବେ ମଧ୍ୟ କରିନାହିଁ। ବିରୋଧୀ ରାଜନୀତିକୁ ରାଜ୍ୟ ବିରୋଧୀ ବୋଲି କହିବାର ଉଦାହରଣ ନବୀନଙ୍କ ପାଖରେ ନାହିଁ। ନବୀନଙ୍କ ରାଜନୀତିର ଠିକ ବିପରୀତ ରାଜନୀତି କରୁଥିବା ବିଜେପି ପ୍ରତି ଦଳର ସମର୍ଥନ ଏହାର ନେତା ଓ କ୍ୟାଡରଙ୍କୁ ମଧ୍ୟ ଅସୁବିଧାରେ ପକାଇଛି। ଛାତ୍ର ଓ ସାଧାରଣ ନାଗରିକଙ୍କ ଉପରେ ପୋଲିସ ଜୁଲମକୁ ବିଜେଡି ସମର୍ଥନ କରିବା ମଧ୍ୟ ସମ୍ଭବ ନୁହେଁ।

ଅମିତ ଶାହ ଅତ୍ୟନ୍ତ ଚତୁରତାର ସହ ବିଜେଡ଼ିର ସମର୍ଥନ ହାସଲ କରିବା ସହିତ, ଏହି ଦଳର ଏକ ବଡ ଭୋଟ ଆଧାରକୁ ଦୋହଲାଇ ଦେଇଛନ୍ତି। ସଂଖ୍ୟାଲଘୁ ଭୋଟ ପୂରା ମାତ୍ରାରେ ବିଜେଡି ପାଖକୁ ଆଗକୁ ଯେମିତି ନ ଯାଏ ସେ ବ୍ୟବସ୍ଥା ଅମିତ ଶାହ କରିଛନ୍ତି। ବିଜେଡି ଏକଥା ବୁଝି ମଧ୍ୟ ନ ବୁଝି ପାରିବାର ଛଳନା କରିବାକୁ ଏବେ ବାଧ୍ୟ।

Categories
ଆଜିର ଖବର

ମୁଁ ଷ୍ଟୁଡେଣ୍ଟସ୍‌ଙ୍କ ସହ ରହିଛି, କିନ୍ତୁ ସରକାର ଆଇନକୁ ନେଇ ପ୍ରଥମେ ସ୍ପଷ୍ଟତା ଆଣିବା ଦରକାର : ଆୟୁଷ୍ମାନ ଖୁରାନା

ନୂଆଦିଲ୍ଲୀ, 17/12: ଦିଲ୍ଲୀ ଜାମିଆ ବିଶ୍ବଦ୍ୟାଳୟରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ ପ୍ରଦର୍ଶନକୁ ନେଇ ହୋଇଥିବା ହିଂସା ଘଟଣାକୁ ନେଇ ଏବେ ସାରା ଦେଶ ସରଗରମ। ଏହି ଘଟଣାକୁ ନେଇ ଦେଶର ଅନେକ ବିଶ୍ବବିଦ୍ୟାଳୟ ମଧ୍ୟ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହାକୁ ନେଇ ଅଭିନେତା ଆୟୁଷ୍ମାନ ଖୁରାନା କହିଛନ୍ତି ଯେ, ମୁଁ ଜଣେ ଛାତ୍ର ରହିଆସିଛି, ଦେଶର ଭବିଷ୍ୟ ନୁହେଁ, ବର୍ତ୍ତମାନ ବି ଛାତ୍ରଙ୍କ ହାତରେ ରହିଛି। ସେମାନେ ବୁଝି ବିଚାରି କିଛି କହିବାକୁ ଚାହାଁନ୍ତି। କିନ୍ତୁ ଏହା ହେଉଛି ଗାନ୍ଧିଙ୍କ ଦେଶ । ଆମକୁ ସ୍ବାଧୀନ ଭାବେ ଅଭିବ୍ୟକ୍ତି କରିବାର ସ୍ବାଧୀନତା ରହିଛି।

ଆୟୁଷ୍ମାନ ଆହୁରି ମଧ୍ୟ କହିଛନ୍ତି ଯେ, ଏ ସରକାରର ଦାୟିତ୍ବ ହେଉଛି, ଯେଉଁ ବିଲ୍‌ ଆଣୁଛନ୍ତି, ତାହାକୁ ନେଇ ପ୍ରଥମେ ଛାତ୍ର ଓ ତାଙ୍କ ଭିତରେ ରହିଥିବା ଦ୍ବନ୍ଦ୍ବକୁ ଦୂର କରନ୍ତୁ। ଯଦି ଅଳ୍ପସଂଖ୍ୟକ ଛାତ୍ର ସମୁଦାୟ ଏହି ବିଲ୍‌କୁ ନେଇ ଅସୁରକ୍ଷିତ ରହୁଛନ୍ତି, ତେବେ ସରକାର ପ୍ରଥମେ ସେହି କାରଣ ସମ୍ପର୍କରେ ଜାଣି ସେମାନଙ୍କର ଦ୍ବନ୍ଦ୍ବକୁ ଦୂର କରନ୍ତୁ।

ସୂଚନାଯୋଗ୍ୟ ଆୟୁଷ୍ମାନ ଜାମିଆ ବିଶ୍ବବିଦ୍ୟାଳୟର ଘଟଣାକୁ ନେଇ ଟୁଇଟ୍‌ କରିଥିଲେ। ଏହି ଟୁଇଟ୍‌କୁ ନେଇ ତାଙ୍କୁ ଉଭୟ ନକାରାତ୍ମକ ଓ ସକାରାତ୍ମକ କମେଣ୍ଟ ମିଳିଥିଲା। ସେ ଟୁଇଟ୍‌ରେ କହିଥିଲେ ଯେ, ଏବେ ଦେଶର ଷ୍ଟୁଡେଣ୍ଟସ୍‌ ଯେଉଁପରି ଅବସ୍ଥାରେ ରହିଛନ୍ତି, ତାକୁ ନେଇ ମୁଁ ବହୁତ ଦୁଃଖୀ ରହିଛି। ମୁଁ ଏହାର ନିନ୍ଦା କରୁଛି। ଆମ ସମସ୍ତଙ୍କୁ ବିରୋଧ ପ୍ରଦର୍ଶନ କରିବା ଦରକାର। ଆମକୁ ଆମର ସ୍ବାଧୀନ ଭାବେ ଅଭିବ୍ୟକ୍ତି କରିବାର ଅଧିକାର ରହିଛି। କିନ୍ତୁ ଆମେ ହିଂସା ବିରୋଧୀ ପ୍ରଦର୍ଶନ କରିବା ଉଚିତ୍‌ ନୁହେଁ। ଏମିତି କିଛି କରନ୍ତୁ ନାହିଁ, ଯାହା ଆମ ଦେଶର ସମ୍ପତ୍ତିକୁ ନଷ୍ଟ କରିବ। ଏହା ହେଉଛି ଗାନ୍ଧିଙ୍କ ଦେଶ। ଅହିଂସା ଉପାୟରେ ବିରୋଧ ପ୍ରଦର୍ଶନ କରିବା ଆବଶ୍ୟକ। ଲୋକତନ୍ତ୍ର ଉପରେ ଭରସା ରଖିବା ଆବଶ୍ୟକ। (ଏଜେନ୍ସି)

Categories
ଆଜିର ଖବର

ଦେଶରେ ନିଆଁ ଜଳୁଛି, କିନ୍ତୁ ଏମାନେ ପୋଷାକକୁ ଦେଖୁଛନ୍ତି : ମମତା ବାନାର୍ଜୀ

କଲିକତା, 17/12: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ମମତା କହିଛନ୍ତି ଯେ, ସାରା ଦେଶ ଜଳୁଛି, ସେମାନଙ୍କୁ ପୋଷାକ ଦେଖୁଛନ୍ତ। ରବିବାର ଝାରଖଣ୍ଡରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନକୁ ମମତା ସମାଲୋଚନା କରିଛନ୍ତି। ମମତା କହିଛନ୍ତି ଯେ, ଆପଣ ପୋଷାକରୁ କେମିତି କାହାର ପରିଚୟ କରିପାରିବେ । ଟୋପି ପିନ୍ଧିବା ଅର୍ଥ ନୁହେଁ ଯେ ସେ ମୁସଲମାନ । ଏହି ଅବସରରେ ମମତା ପ୍ରଶ୍ନ କରିଛନ୍ତି ଯେ, ମୋ ପୋଷାକରୁ କ’ଣ ଆପଣ କହିପାରିବେ ମୁଁ କିଏ ବୋଲି ?

ସୂଚନାଯୋଗ୍ୟ, ରବିବାର ଝାରଖଣ୍ଡରେ ଏକ ନିର୍ବାଚନୀ ରାଲିରେ ମୋଦି ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ କରୁଥିବା ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲ ଯେ, ହିଂସା ଉସୁକାଉଥିବା ଲୋକର ପରିଚୟ ତା’ ପୋଷାକରୁ ଜଣାପଡିଥାଏ। କଂଗ୍ରେସ ଓ ତାଙ୍କ ସାଥୀମାନେ ଏହାକୁ ନେଇ ଏକ ବିରାଟ ତୁଫାନ ସୃଷ୍ଟି କରିଛନ୍ତି। ଏହାକୁ ନେଇ ଦେଶ ସାରା ନିଆଁ ଲଗାଉଛନ୍ତି। ଏପରି ଲୋକଙ୍କ ପରିଚୟ ତାଙ୍କ ପୋଷାକରୁ ମିଳିଯାଉଛି। ଆଜି  ମମତା କଲିକତାର ଯାଧପୁରଠାରୁ ଏକ ଜାଦୁ ବାବୁ ବଜାର ପର୍ଯ୍ୟନ୍ତ ସିଏବିକୁ ନେଇ ଏକ ବିରୋଧୀ ରାଲି ବାହାର କରିଥିଲେ। ଏହି ରାଲିରେ ସାଂସଦ ମିମି ଚକ୍ରବର୍ତ୍ତୀ, ନୁସରତ୍‌ ଜହାଁ ପ୍ରମୁଖ ସାମିଲ୍‌ ରହିଥିଲେ। ମମତା ଏହି ଅବସରରେ  ନୋ କେବ୍‌, ନୋ ଏନ୍‌ଆରସି ଇନ୍‌ ବଙ୍ଗାଲ ବୋଲି  ନାରା ଦେଇଥିଲେ।   (ଏଜେନ୍ସି)

Categories
ଆଜିର ଖବର

ଛାତ୍ର ଆନ୍ଦୋଳନକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସୋନିଆ : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,17/12 : ଛାତ୍ର ଆନ୍ଦୋଳନକୁ ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଭିଯୋଗ କରିଛନ୍ତି । ନିଜର ରାଜନୈତିକ ଫାଇଦା ପାଇଁ ସୋନିଆ ଏପରି ନାଟକ କରୁଛନ୍ତି ବୋଲି ସୀତାରମଣ କହିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ସୋନିଆ ରାଜନୈତିକ ଫାଇଦା ପାଇଁ ଏହି ଆନ୍ଦୋଳନକୁ ବଢାଇବାର ଚେଷ୍ଟା କରୁଛନ୍ତି । ଏହି ଆଇନକୁ ବିରୋଧ କରୁଥିବା କଂଗ୍ରେସ ନେତା ମନେ ରଖିବା ଉଚିତ୍‌ ଏହି ବିଲ୍‌କୁ ସଂସଦର ଉଭୟ ଗୃହରେ ପାରିତ କରାଯାଇଛି ।(ଏଜେନ୍ସୀ)

Categories
ଆଜିର ଖବର

ନାଗରିକତ୍ବ ସଂଶୋଧନ ଆଇନ ଉପରେ ଆଲୋଚନା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ ଶାହାଙ୍କ ଆମନ୍ତ୍ରଣ

ନୂଆଦିଲ୍ଲୀ,15/12: ନାଗରିକତ୍ବ ବିଲ୍‌ ସଂଶୋଧନ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ କାରଣରୁ ଆଲୋଚନା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ଡିସେମ୍ବର 25 ପରେ ମେଘାଳୟ ମୁଖ୍ୟମନ୍ତ୍ର କନରାଡ ସାଙ୍ଗମାଙ୍କୁ ଆଲୋଚନା ପାଇଁ ଅମିତ ଶାହା ଆମନ୍ତ୍ରଣ କରିଛନ୍ତି । ଶୁକ୍ରବାର ମେଘାଳୟ ମୁଖ୍ୟମନ୍ତ୍ରୀ ଶାହାଙ୍କୁ ଏହି ବିଲ୍‌ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ଏହି ଆଇନ୍‌କୁ ନେଇ ଦେଶରେ ଅବସ୍ଥାନ କରୁଥିବା ମୁସଲିମ୍‌ଙ୍କୁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଗୃହମନ୍ତ୍ରୀ କହିବା ସହିତ ଡିସେମ୍ବର 25 ପରେ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡିଛି । ଏହା ସହିତ ଶାହା କଂଗ୍ରେସ ଆନ୍ଦୋଳନକୁ ବଢାଉଛି ବୋଲି ମତ ଦେଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ବିକ୍ଷୋଭ ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ : ଜାଣନ୍ତୁ ଟ୍ରେନ୍‌ ବାତିଲ୍‌ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା

ଭୁବନେଶ୍ବର, ୧୪/୧୨:

ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର-ପୂର୍ବ ରାଜ୍ୟରେ ବିରୋଧ ଲାଗି ରହିଥିବାବେଳେ ଏହା ଟ୍ରେନ୍‌ ଚଳାଚଳକୁ ପ୍ରଭାବିତ କରିଛି। ଓଡ଼ିଶାକୁ ଓ ଓଡ଼ିଶା ମଧ୍ୟ ଦେଇ ଯାତ୍ରା କରୁଥିବା  ଟ୍ରେନ୍‌ଗୁଡ଼ିକ ମଧ୍ୟରେ ଅଧିକାଂଶ ଟ୍ରେନ୍‌ ପ୍ରଭାବିତ ହୋଇଛନ୍ତି। ପଶ୍ଚିମ ବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋରୀଗ୍ରାମ, ବଙ୍କ୍ରା ନୟାଵାଜ ଓ ନଳପୁର ଷ୍ଟେସନ ମାନଙ୍କଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁଁ ଓଡିଶାକୁ ଓ ଓଡିଶା ମଧ୍ୟଦେଇ ଯାତ୍ରା କରୁଥିବା ଟ୍ରେନ ନିମ୍ନ ଅନୁଯାଇ ପ୍ରଭାବିତ ହୋଇଛି ।

ଆଜି ହାଓଡ଼ାରୁ ବାତିଲ ହୋଇଥିବା ଟ୍ରେନ   –

୧. ୨୦୮୮୯ ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ

୨. ୨୨୮୭୭ ହାଓଡ଼ା-ଏର୍ଣ୍ଣାକୁଲମ ଅନ୍ତଦ୍ୱୟ ଏକ୍ସପ୍ରେସ

୩. ୧୨୮୪୧ ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ

୪. ୧୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ

୫. ୧୮୬୪୫ ହାଓଡ଼ା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ

୬. ୧୨୮୪୭ ହାଓଡ଼ା-ପୁନେ ଦୁରନ୍ତ ଏକ୍ସପ୍ରେସ

୭. ୧୨୮୬୦ ହାଓଡ଼ା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ

ସଂଲଗ୍ନ ଟ୍ରେନ ବାତିଲ ଯୋଗୁଁ ପୁରୀରୁ ବାତିଲ ହେଉଥିବା ଟ୍ରେନ –

୧.  ୨୨୮୯୦ ପୁରୀ-ଦିଘା ଏକ୍ସପ୍ରେସ ଆଜି ପୁରୀ ଠାରୁ

୨.  ୫୮୦୦୨ ପୁରୀ-ସଂତ୍ରାଗାଛି ପାସେଞ୍ଜର ଆସନ୍ତା କଲି ପୁରୀରୁ

୩. ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଆସନ୍ତା କଲି ପୁରୀରୁ

ଆଂଶିକ ବାତିଲ ହେଉଥିବା ଟ୍ରେନ –

ଆଜି ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଖଡ଼ଗପୁରରୁ ଫେରିବ ଓ ଖଡ଼ଗ୍ପୁର ଓ ହାଓଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ  ।

ଆଜି ଭୁବନେଶ୍ୱରରୁ ଛାଡିଥିବା ଜନ ଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ମେଛେଦIଠାରୁ ଫେରିବ ଓ ମେଛେଦI ଓ ହାଓଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ  ।

ମଧ୍ୟବର୍ତ୍ତୀ ଷ୍ଟେସନ ମାନଙ୍କରେ ନିୟନ୍ତ୍ରିତ ହୋଇଥିବା ଟ୍ରେନ :

୧. ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ ପାନ୍ସକୁରା ଠାରେ

୨. ଯଶୋବନ୍ତପୁର-ହାଓଡ଼ା ଦୁରନ୍ତ ଏକ୍ସପ୍ରେସ ଭଦ୍ରକ ଠାରେ

୩. ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡ଼ ଠାରେ

୪. ପୁରୀ-ହାଓଡ଼ା ଧଉଳି ଏକ୍ସପ୍ରେସ କଟକ ଠାରେ

(ଏଜେନ୍ସି)

Categories
ଆଜିର ଖବର

ନାଗରିକତ୍ବ ସଂଶୋଧନ ଆଇନ୍‌କୁ ବିରୋଧ : ମୁର୍ଶିଦାବାଦ ରେଳ ଷ୍ଟେସନରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ

କଲିକତା,14/12: ନାଗରିକତ୍ବ ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଲାଗି ରହିଥିବା ଆନ୍ଦୋଳନ ଉତ୍ତର ପୂର୍ବ ଭାରତ ପରେ ବର୍ତ୍ତମାନ କଲିକତାରେ ଆରମ୍ଭ ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆନ୍ଦୋଳନ ଡାକରା ଦେବା ପରେ ପଶ୍ଚିମବଙ୍ଗରେ ଆନ୍ଦୋଳନ ଜାରି ରହିଛି । ହଜାର ହଜାର ଲୋକ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ମୁର୍ଶିଦାବାଦର ବେଲଡାଙ୍ଗ ରେଳ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ପରେ କଲିକତାରୁ ବିଭିନ୍ନ ସ୍ଥାନକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିବା ଜଣାପଡିଛି । ଆନ୍ଦୋଳନକାରୀ ମାନେ ଆରପିଏଫ୍‌ ସୁରକ୍ଷାବଳଙ୍କୁ ଆକ୍ରମଣ କରିଥିବା ବେଳେ ଜଣେ ଟ୍ରେନ୍‌ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି । (ଏଜେନ୍ସୀ)

Categories
ବିଶେଷ ଖବର

ଉତ୍ତର ପୂର୍ବ ରାଜ୍ୟ ଗୁଡିକର ରାଜପଥରେ ପ୍ରତିବାଦ କରି ଗୁଳି ଖାଉଥିବା ଲୋକେ କଣ ପାକିସ୍ତାନୀ?

କେଦାର ମିଶ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କର ବିରୋଧୀଙ୍କୁ ଚୁପ କରାଇଦେବାର ଏକ ପରିଚିତ କୌଶଳ ରହିଛି। ସରକାରକୁ ଯିଏ ବିରୋଧ କଲା, ସେ ପାକିସ୍ତାନର ଭାଷା କହୁଛି ବୋଲି କହି ଚୁପ କରାଇ ଦେବାରେ ଦୁଇ ବଡ ନେତା ସଫଳ ହେଉଛନ୍ତି। ବିରୋଧୀ ନେତାମାନେ ନିଜକୁ ପାକିସ୍ତାନୀ ହେବାର ଭୟରୁ ରକ୍ଷା ପାଇବା ଲାଗି ଅନେକ ସମୟରେ ନୀରବ ରହୁଛନ୍ତି। ବିମୂଦ୍ରାକରଣକୁ ଆପଣ ବିରୋଧ କଲେ,ଆପଣ କଳାଧନର ଓ ପାକିସ୍ତାନ ପ୍ରାୟୋଜିତ ସନ୍ତ୍ରାସବାଦର ସମର୍ଥକ। କାଶ୍ମୀର ଲୋକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରିବାର ବିରୋଧରେ ଠିଆ ହେଲେ, ଆପଣ ପାକିସ୍ତାନ ପ୍ରେମୀ। ପୋଲିସ ର ବେଆଇନ ଗୁଳିଚାଳନାର ବିରୋଧ କଲେ ମଧ୍ୟ ଆପଣ ପାକିସ୍ତାନ ସମର୍ଥକ। ଖୋଦ ପ୍ରଧାନମନ୍ତ୍ରୀ ନିଜ ଦଳର ସଂସଦୀୟ ବୈଠକରେ କହିଲେ, ଯେଉଁମାନେ ନାଗରିକ ସଂଶୋଧନ ବିଲକୁ ବିରୋଧ କରୁଛନ୍ତି, ସେମାନେ ପାକିସ୍ତାନ ବିଚାରର ସମର୍ଥକ। ଏହା ବୋଧହୁଏ ସଂସଦୀୟ ଇତିହାସରେ ଏକ ବିରଳ ଇତିହାସ। ରାଜନୈତିକ ପ୍ରତିପକ୍ଷକୁ ଶତ୍ରୁ ସମର୍ଥକ ବୋଲି କହିବା ସବୁଠୁ ନିକୃଷ୍ଟ ରାଜନୀତି ଓ ଦୁର୍ଭାଗ୍ୟର କଥା ହେଉଛି ଏ ପ୍ରକାର ରାଜନୀତି ପ୍ରତି ଆମ ଦେଶରେ ଆକର୍ଷଣ ବଢୁଛି।

ସଂସଦରେ ନାଗରିକତା ସଂଶୋଧନ ଆଇନର ଆଲୋଚନା ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦେଖି ବିଲକୁଲ ମାନେ ହେଉନଥିଲା ଯେ, ସେ ସଂସଦୀୟ ପରମ୍ପରାର ଅନୁକୂଳ ବିତର୍କ କରୁଛନ୍ତି। ସତେକି କଂଗ୍ରେସ ବିରୋଧରେ ଯୁଦ୍ଧ କରିବାକୁ ସେ ସେନାପତି ହୋଇ ସେଠି ଛିଡା ହୋଇଥିଲେ। ଅଥଚ ସରକାରୀ ଦଳର ପ୍ରତିନିଧି ଭାବରେ ସଂସଦର ଗରିମା ରକ୍ଷା କରିବା ଏବଂ ବିରୋଧୀ ଦଳର ସମାଲୋଚନାକୁ ସାମ୍ନା କରିବା ତାଙ୍କର ସାମ୍ବିଧାନିକ ଦାୟିତ୍ଵ। ତେବେ ସଂସଦରେ ବିରୋଧୀ ଦଳକୁ ଚୁପ କରାଇଦେବା ହୁଏତ ସହଜ। ଏପରିକି ବିଲ ପାସ କରାଇବାକୁ ବିଭିନ୍ନ ଦଳ ସହିତ “ଡିଲ” କରିବା ମଧ୍ୟ ସହଜ। ହେଲେ ଲୋକଙ୍କୁ କିଣିବା ବା ଲୋକଙ୍କ ସହ “ଡିଲ” କରିବା ଏତେ ସହଜ ନୁହେଁ। ଆଜି ସାରା ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଯେଉଁ ଭୟଙ୍କର ପ୍ରତିବାଦର ନିଆଁ ଜଳୁଛି, ସେଥିଲାଗି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ କାହାକୁ ଦାୟୀ କରିବେ?

କାଶ୍ମୀରକୁ ସଂପୂର୍ଣ୍ଣ ଭାବରେ ବିଚ୍ଛିନ୍ନ କରି ସେଠାରୁ ଧାରା ୩୭୦ ଉଚ୍ଛେଦ କଲାବେଳେ, କାଶ୍ମୀରବାସୀଙ୍କ କଥା ଶୁଣାଗଲା ନାହିଁ କିମ୍ବା କାଶ୍ମୀରବାସୀଙ୍କ କଥା କାହାକୁ ଶୁଣାଇ ଦିଆଗଲା ନାହିଁ। ଏବେ ସେହି ସମାନ ମଡେଲ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଦେଖିବାକୁ ମିଳୁଛି। ଆସାମ, ତ୍ରିପୁରା ଓ ମେଘାଳୟ ସଂପୂର୍ଣ୍ଣ ଭାବରେ ଇଣ୍ଟରନେଟ ସେବାରୁ ବିଚ୍ଛିନ୍ନ ହୋଇଛନ୍ତି। ଆସାମରେ ପୋଲିସ ଗୁଳିରେ ଦୁଇଜଣ ଲୋକ ପ୍ରାଣ ହରାଇଲେଣି। କରଫ୍ୟୁ ସତ୍ତ୍ୱେ ହଜାର ହଜାର ଲୋକ ନିଜ ଜୀବନକୁ ପାଣି ଛଡାଇ ଏହି ବିଲ ବିରୋଧରେ ଆଜି ଆନ୍ଦୋଳନ କରୁଛନ୍ତି। ଗୌହାଟି, ଦିବ୍ରୁଗଡ, ଶିଲଂ, ଅଗରତାଲା ଭଳି ଉତ୍ତରପୂର୍ବ ରାଜ୍ୟର ପ୍ରମୁଖ ସହର ଗୁଡିକ ଅଶାନ୍ତ ହୋଇ ପଡିଛି। ଉତ୍ତର ପୂର୍ବରୁ ଏହି ଆନ୍ଦୋଳନ ଏବେ ବିହାର, ପଶ୍ଚିମ ବଙ୍ଗ ଓ ଦିଲ୍ଲୀକୁ ମଧ୍ୟ ବ୍ୟାପିଛି।

ତେବେ ପ୍ରଧାନମନ୍ତ୍ରୀ କଣ ଏମାନଙ୍କୁ ସମସ୍ତଙ୍କୁ ପାକିସ୍ତାନର ସମର୍ଥକ ବୋଲି କହିବେ? ଯେ କୌଣସି ଆଇନ ତିଆରି କଲାବେଳେ ଏହା ଦ୍ଵାରା ପ୍ରଭାବିତ ହେଉଥିବା ଲୋକଙ୍କ ସହ ବ୍ୟାପକ ବିଚାର ବିମର୍ଶ କରିବା ଏକ ଗଣତାନ୍ତ୍ରିକ ସରକାରର ପ୍ରଧାନ ଦାୟିତ୍ଵ। ମୋଦୀ ସରକାର ଏହାର ବିପରୀତ ଆଚରଣ କରୁଛନ୍ତି। ଲୋକଙ୍କ ସହ ପରାମର୍ଶ କରି ଆଇନ ତିଆରି କରିବା ପରିବର୍ତ୍ତେ ନିଜ ଆଇନକୁ ଲୋକଙ୍କ ଉପରେ ଲଦି ଦିଆଯାଉଛି। ଉଦ୍ଦେଶ୍ୟମୂଳକ ଭାବରେ କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରିବା ପାଇଁ ସରକାର କାମ କରୁଥିବା ଭଳି ମନେ ହେଉଛି।

ନାଗରିକତା ସଂଶୋଧନ ବିଲକୁ ଉତ୍ତର ପୂର୍ବ ରାଜ୍ୟ ଗୁଡିକର ସମର୍ଥନ ମୂଳରୁ ନଥିଲା। ଏହା ବିରୋଧରେ ଉତ୍ତର ପୂର୍ବ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀମାନେ ନିଜର ସ୍ପଷ୍ଟ ମତ ରଖିଥିଲେ। ଏହି ସବୁ ରାଜ୍ୟର ବିଜେପି ସଂଗଠନ ମଧ୍ୟ ଏହି ବିଲ ଆଦୌ ଗ୍ରହଣୀୟ ହୋଇ ନପାରେ ବୋଲି କହିଥିଲେ। ତା ସତ୍ତ୍ୱେ ଏହାକୁ ଜିଦଖୋର ମନୋବୃତ୍ତି ନେଇ ଗୃହୀତ କରାଇବା ପଛରେ ଏକ ଭିନ୍ନ ଉଦ୍ଦେଶ୍ୟ ରହିଥିଲା।

ଏହି ବିଲ ବିରୋଧରେ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ହିଂସ୍ର ପ୍ରତିବାଦ ହେବ ବୋଲି ଜାଣି ମଧ୍ୟ ଏହି ବିଲ କୁ ଗୃହୀତ କରାଇନେବାର ଜିଦ ପଛରେ ମୋଦୀ ଏବଂ ଶାହାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା, ଭାରତର ନାଗରିକ ଆଇନକୁ ସଂଶୋଧନ କରି ଦେଶର ମୁସଲମାନଙ୍କୁ ନୀଚା ଦେଖାଇବା। ଏଠି ଅନ୍ୟ ସବୁ ଧର୍ମର ଲୋକଙ୍କୁ ସ୍ଵାଗତ କରାଯିବ, ହେଲେ ମୁସଲମାନମାନେ ଆମର ଅବାଞ୍ଛିତ ବୋଲି ଏକ ବାର୍ତ୍ତା ଦେବାକୁ ବିଜେପି ଚାହୁଁଥିଲା। ସେହି ବାର୍ତ୍ତା ଦେବାକୁ ହେଲେ ଉତ୍ତର ପୂର୍ବ ରାଜ୍ୟରେ କିଛିଟା ଅଶାନ୍ତି ଗ୍ରହଣୀୟ ବୋଲି ବିଜେପି ମନସ୍ଥିର କରି ସାରିଥିଲା।

କେବଳ ହିନ୍ଦୁ ବନାମ ମୁସଲମାନ ବିତର୍କକୁ ବଞ୍ଚାଇ ରଖିବାକୁ କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟର ଜନ ସାଧାରଣଙ୍କ ଉପରେ ଏ ପ୍ରକାର ଦମନମୂଳକ ଆଇନ ଲଦି ଦିଆ ଯାଉଥିବା, ଦିନକୁ ଦିନ ସ୍ପଷ୍ଟ ହୋଇଯାଉଛି।