Categories
ଆଜିର ଖବର

ମୋଦି ସରକାରଙ୍କ କ୍ୟାବିନେଟ୍‌ ବୈଠକ : ଏନ୍‌ପିଆରକୁ ମଞ୍ଜୁରୀ

ନୂଆଦିଲ୍ଲୀ,24/12 : ନୂଆଦିଲ୍ଲୀରେ ମୋଦି ସରକାରଙ୍କ ପକ୍ଷରୁ ଏକ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏନ୍‌ପିଆରକୁ ମଞ୍ଜୁରୀ ମିଳିଛି । ଦେଶରେ ସିଏଏ ଏବଂ ଏନ୍‌ଆରସିକୁ ନେଇ ବିରୋଧ ଏବଂ ଆନ୍ଦୋଳନ ଲାଗି ରହିଥିବା ବେଳେ ଏହା ମଧ୍ୟରେ ସରକାର ଏନ୍‌ପିଆରକୁ ମଞ୍ଜୁରୀ ଦେଇଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜନଗଣନା(ଏନ୍‌ପିଆର) ନିମନ୍ତେ ସରକାର 8700 କୋଟିର ବଜେଟ୍‌ ନିର୍ଦ୍ଧାରଣ କରାଯାଇଛି । ମୋଦିଙ୍କ ବ୍ୟତିତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଉପସ୍ଥିତ ଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ସିଏଏ ଏବଂ ଏନ୍‌ଆରସିକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ମୋଦୀ : ଓଓ୍ବେସୀ

ହାଇଦ୍ରାବାଦ,24/12 : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି)କୁ ନେଇ ମୋଦି ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ କହିଛନ୍ତି । ହାଇଦ୍ରାବାଦରେ ଓଓ୍ବେସୀ ଏକ ସମାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ଏହା ଗୃହମନ୍ତ୍ରୀ ଅମିତ ଶାହା ମିଛ କହୁଛନ୍ତି କିମ୍ବା ମୋଦି ଜନସାଧାରଣଙ୍କ ସହିତ ଛଳନା କରୁଛନ୍ତି ଏହା ମୁଁ ଜାଣିବାକୁ ଚାହୁଁଛି ବୋଲି ଓଓ୍ବେସୀ କହିଛନ୍ତି । ରାମଲୀଲା ମୈଦାନରେ ନିଜର ଅଭିଭାଷଣରେ ମୋଦି କହିଥିଲେ କି ସିଏଏ ଏବଂ ଏନ୍‌ଆରସି ଦେଶର ମୁସଲିମ୍‌ଙ୍କ ପାଇଁ ଲାଗୁ କରାଯିବ ନାହିଁ । ସିଏଏକୁ ନେଇ ବିଜେପି ଦେଶବାସୀଙ୍କୁ ଅନ୍ଧାରରେ ରଖିଥିବା ବେଳେ ଏନ୍‌ଆରସି ଲାଗୁ କରିବାକୁ ଚେଷ୍ଟା କରୁଥିବା ବେଳେ ମୋଦୀଙ୍କ ଏହି ମନ୍ତବ୍ୟ କିଛି ବୁଝା ପଡୁନାହିଁ । ଏନ୍‌ଆରସି ଲାଗୁ କରାଗଲେ ସମଗ୍ର ଦେଶରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ଓଓ୍ବେସୀ କହିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ନାଗରିକତା ସଂଶୋଧନ ଆଇନ ବିରୋଧରେ ରାଜଘାଟଠାରେ କଂଗ୍ରେସର ‘ସତ୍ୟାଗ୍ରହ’

ନୂଆଦିଲ୍ଲୀ, 23/12: ନାଗରିକତା ସଂଶୋଧନ ଆଇନ ବିରୋଧରେ ଆଜି କଂଗ୍ରେସ ଦଳ ତରଫରୁ ରାଜଘାଟ ଠାରେ ସତ୍ୟାଗ୍ରହ ଅନୁଷ୍ଠିତ ହେଉଛି। ସତ୍ୟାଗ୍ରହରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି, ମହାସଚିବ ପ୍ରିୟଙ୍କା ଗାନ୍ଧି ଓ କାର୍ଯ୍ୟସମିତିର ସଦସ୍ୟ ସହିତ ଦଳର ଶୀର୍ଷ ନେତାମାନେ ସାମିଲ୍‌ ରହିଛନ୍ତି। ଏହି ଅବସରରେ ସୋନିଆ ଗାନ୍ଧି, ମନମୋହନ ସିଂ ଓ ରାହୁଲ୍‌ ଗାନ୍ଧି ସମ୍ବିଧାନର ପ୍ରସ୍ତାବନା ମଧ୍ୟ ପଢିଛନ୍ତି।

କଂଗ୍ରେସ ନାଗରିକତା ସଂଶୋଧନ ଆଇନକୁ ଅସାମ୍ବିଧାନିକ କହି ଖୋଲାଖୋଲି ଏହାର ବିରୋଧ କରୁଛି। ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଶନିବାର ଦିନ ଏନେଇ ଏକ ବୟାନ ଜାରି ନୂତନ ନାଗରିକତା ଆଇନ ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ (ଏନ୍‌ଆରସି) ସମ୍ବିଧାନର ମୂଳ ଆତ୍ମା ବିରେଧରେ କଡା ଟକ୍କର ଦେବା ସହିତ ସାଧାରଣ ଜନତାର ସ୍ବରକୁ ଚପାଇବା ପାଇଁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।  ପ୍ରିୟଙ୍କା ସିଏଏ ଓ ଏନ୍‌ଆରସି ନାମରେ ଗରିବ ଲୋକଙ୍କୁ ଶିକାର କରାଯାଉଛି ବୋଲି ଅଭିଯୋଗ ମଧ୍ୟ କରିଥିଲେ । କଂଗ୍ରେସ ସଙ୍ଗଠନର ମହାସଚିବ ବେଣୁଗୋପାଲ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ଯୁବ ଓ ଛାତ୍ରଙ୍କ ବିରୋଧରେ ବଳ ପ୍ରୟୋଗ କରୁଛି, ଯାହାର ପରିଣାମ ସ୍ବରୂପ ପରିସ୍ଥିତି ବେଶ୍‌ ଉତ୍ତେଜନାମୟ ହେଉଛି।  (ଏଜେନ୍ସି)

Categories
ଆଜିର ଖବର

18ଟି ବିମାନର ଯାତ୍ରା ଋଦ୍ଦ କଲା ଗୋ ଏୟାର

ମୁମ୍ବାଇ, 23/12 : ଦେଶର ପ୍ରମୁଖ ବିମାନ ଚଳାଚଳ କମ୍ପାନୀ ଗୋ ଏୟାର ପକ୍ଷରୁ ସୋମବାର ଦିନ 18ଟି ବିମାନ ଚଳାଚଳ ଋଦ୍ଦ କରାଯାଇଛି । ଦେଶର ପ୍ରମୁଖ ସ୍ଥାନ ଗୁଡିକୁ ଥିବା ନିଜର ବିମାନ ଚଳାଚଳ ବନ୍ଦ ରଖିଛି ଗୋ ଏୟାର । ଦେଶର ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ଗୋଆ, ବେଙ୍ଗାଲୁରୁ, ଦିଲ୍ଲୀ, ଶ୍ରୀନଗର ଏବଂ ପାଟନାକୁ ଚାଲିବାକୁ ଥିବା 18ଟି ବିମାନ ଚଳାଚଳ ବନ୍ଦ ରଖାଯାଇଛି । ନାଗରିକତ୍ବ ସଂଶୋଧନ ବିଲ୍‌କୁ ନେଇ ଚାଲିଥିବା ଆନ୍ଦୋଳନ ଏବଂ କିଛି ଏନ୍‌-320 ନିଓ ଏୟାରକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ସମସ୍ତ ବିମାନ ଚଳାଚଳ ବନ୍ଦ ରଖାଯାଇଥିବା ନେଇ ଗୋ ଏୟାର ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ବିମାନ ଚଳାଚଳ ବନ୍ଦ ରଖାଯିବ ବୋଲି ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର

ମମତା ସରକାରଙ୍କୁ ସିଏଏ ଝଟକା, ବିଜ୍ଞାପନ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଲିକତା, 23/12:  ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀଙ୍କୁ ଜୋରଦାର ଝଟକା ଲାଗିଛି। ସିଏଏକୁ ବିରୋଧ କରି ଲଗାଯାଇଥିବା ସମସ୍ତ ବିଜ୍ଞାପନ ହଟାଇବାକୁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ୱେବସାଇଟ୍ ଏବଂ ଅନ୍ୟ ସ୍ଥାନରୁ ସିଏଏକୁ ବିରୋଧ କରି ଲଗାଯାଇଥିବା ସମସ୍ତ ବିଜ୍ଞାପନ ହଟାଇବାକୁ ହାଇକୋର୍ଟରେ ୬ଟି ଜନହିତ ଯାଚିକା ଦାୟର କରାଯାଇଥିଲା। ଏହା ଉପରେ ଶୁଣାଣି କରି ଏବେ ହାଇକୋର୍ଟ ବିଜ୍ଞାପନ ହଟାଇବାକୁ ମମତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  କିଛି ଦିନ ହେବ ପଶ୍ଚିମବଙ୍ଗରେ ନାଗରିକତା ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି ।  ପଶ୍ଚିମବଙ୍ଗର କିଛି ଜିଲ୍ଲାରେ ସରକାରୀ ସମ୍ପତ୍ତି ନଷ୍ଟ ହେବା ସହିତ ବହୁ ଜାଗାରେ ଭଙ୍ଗାରୁଜା ହୋଇଛି । (ଏଜେନ୍ସି)

Categories
ଆଜିର ଖବର

ଝାରଖଣ୍ଡ ପରସ୍ଥିତି ସିଏଏ ଏବଂ ଧାରା 370 ଉଚ୍ଛେଦର ପ୍ରତିଫଳନ : କଂଗ୍ରେସ

ନୂଆଦିଲ୍ଲୀ,23/12 : ଝାରଖଣ୍ଡରେ ବିଜେପିର ଅପ୍ରତ୍ୟାଶିତ ପରାଜୟ ପରସ୍ଥିତି ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଧାରା 370 ଉଚ୍ଛେଦ ଏବଂ ସିଏଏର ପ୍ରଣୟନ କାରଣରୁ ବିଜେପି ପରାଜୟର ଦ୍ବାରଦେଶରେ ପହଞ୍ଚିଛି ବୋଲି କଂଗ୍ରେସ ସମ୍ପାଦକ ପ୍ରଣବ ଝା ପ୍ରକାଶ କରିଛନ୍ତି । 81 ଆସନ ବିଶିଷ୍ଟ ଝାରଖଣ୍ଡରେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟ 40 ଆସନରେ ଅଗ୍ରଣୀ ହାସଲ କରିଥିବା ବେଳେ ସରକାର ଗଠନର ସମ୍ଭାବନା ସ୍ପଷ୍ଟ ହୋଇଛି । ଧାରା 380 ଉଚ୍ଛେଦ, ନାଗରିକତ୍ବ ସଂଶୋଧନ ଆଇନ, ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟାକୁ ନେଇ ଜନସାଧାରଣ ରଘୁବର ଦାସଙ୍କ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କଂଗ୍ରେସ ସଚିବ ପ୍ରଣବ ଝା ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର 30ରୁ ଡିସେମ୍ବର 20 ମଧ୍ୟରେ 5ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀକୁ ଆକ୍ରମଣ କରିବେ ମୋଦି : ଗୋପାଳ ସିଂ ଚାଓ୍ବଲା

ନୂଆଦିଲ୍ଲୀ, 23/12 : ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀକୁ ଆକ୍ରମଣ କରିବେ ବୋଲି ପ୍ରୋ ଖଲିସ୍ତାନୀ ନେତା ଗୋପାଳ ସିଂ ଚାଓ୍ବଲା କହିଛନ୍ତି । ପ୍ରୋ ଖଲିସ୍ତାନୀ ନେତା ନାଗରିକତା ସଂଶୋଧନକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ସିଏଏ ଦ୍ବାରା ମୁସ୍‌ଲିମ୍‌ ସମ୍ପ୍ରଦାୟକୁ ମୋଦି ସରକାର ଟାର୍ଗେଟ କରିଛନ୍ତି । ଯଦି ଭାରତୀୟ ମାନେ ଏହା ବିରୋଧରେ ସ୍ବର ଉତ୍ତୋଳନ ନ କରନ୍ତି ତେବେ ଧୀରେ ଧୀରେ ମୋଦି ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ୍‌ କରିବେ । ଭାରତରେ ବର୍ତ୍ତମାନ ରହିଥିବା ସମସ୍ୟା ଆରଏସ୍‌ଏସ୍‌ କାରଣରୁ ଆସିଛି । ଆରଏସ୍‌ଏସ୍‌ ମୁଖ୍ୟ ଏମ ଏସ୍‌ ଗୋଓ୍ବାଲକରଙ୍କ ଲିଖିତ ପୁସ୍ତକ ‘ବଞ୍ଚ ଅଫ୍‌ ଥଟ୍‌ସ’ ଆଧାରରେ ମୋଦି ଭାରତ ଗଠନ କରିବାକୁ ଯାଉଛନ୍ତି । ଏହି ପୁସ୍ତକ ଅନୁଯାୟୀ ଭାରତ କେବଳ ହିନ୍ଦୁଙ୍କର, ତେଣୁ ମୋଦି ମୁସ୍‌ଲିମ୍‌ ମାନଙ୍କ ଅଧିକାର କ୍ଷୁର୍ଣ୍ଣ କରିବାର ଘୃଣ୍ୟ ପ୍ରୟାସ କରୁଛନ୍ତି । ଭାରତରେ 30 କୋଟି ମୁସ୍‌ଲିମ୍‌ ରହିଥିବା ବେଳେ ଏହି ଆଇନ ବିରୋଧରେ ପ୍ରତିବାଦ କରିବା ଆବଶ୍ୟକ ବୋଲି ଚାଓ୍ବଲା ମତ ଦେଇଛନ୍ତି । (ଏଜେନ୍ସୀ)

Categories
ଆଞ୍ଚଳିକ

ନାଗରିକତ୍ବ ସଂଶୋଧନ ଆଇନର ସମର୍ଥନରେ ବାଣପୁରରେ ଏବିଭିପିର ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭା

ସମୀକ୍ଷା ବ୍ୟୁରୋ
ବାଣପୁର, ୨୨/୧୨: ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶରେ ଏକ ପ୍ରକାର ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଏହି ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ଦେଶର ବିଭିନ୍ନ ପ୍ରାନ୍ତରୁ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡିଛି। ଅନେକ ସ୍ଥାନରେ ବିଲ୍‌ ବିରୋଧରେ ହିଂସାକାଣ୍ଡ ଘଟିଥିବା ବେଳେ କିଛି ସ୍ଥାନରେ ବିଲ୍‌ ସପକ୍ଷରେ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଏହି ପରୀପ୍ରେକ୍ଷୀରେ ଆଜି ବାଣପୁରରେ ସିଏଏ ସମର୍ଥନରେ ଏକ ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି।

ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରି ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏବିଭିପିର ଶତାଧିକ ସଦସ୍ୟ ସ୍ଥାନୀୟ ଦକ୍ଷେଶ୍ୱର ମନ୍ଦିର ସମ୍ମୁଖରୁ ଢୋଲ, ବାଜା, ଫଗୁ, ତ୍ରିରଙ୍ଗା ପତାକା ଓ ପ୍ଲାକାର୍ଡ଼ ସହ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ପଲଟନ ପଡ଼ିଆଠାରେ ଶୋଭାଯାତ୍ରା ଶେଷ ହୋଇଥିଲା। ଶୋଭାଯାତ୍ରା ଶେଷରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।

ପଲଟନ ପଡିଆରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ କର୍ମୀମାନେ ସିଏଏ ଆଇନ ସମ୍ପର୍କରେ ସାଧାରଣ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା। ପଡୋଶୀ ଦେଶରେ ନିର୍ଯ୍ୟାତିତ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ପାଇଁ ଏହି ଆଇନ କରାଯାଇଛି। ମାତ୍ର କିଛି ରାଜନୈତିକ ଦଳ ଏହାର ଭୁଲ ସଂଜ୍ଞା ବାହାରକରି ବିରୋଧ କରିବାସହ ଦେଶର ବିଭିନ୍ନ ସ୍ଥାନରେ ହିଂସା ଘଟାଉଛନ୍ତି ବୋଲି ଏବିଭିପି ପକ୍ଷରୁ କୁହାଯାଇଥିଲା। ଏବିଭିପି ଏପରି ହିଂସାର ଦୃଢ ବିରୋଧ ଓ ନିନ୍ଦା କରୁଛି ବୋଲି ଏବିଭିପିର ରାଜ୍ୟ ଏସ.ଏଫ.ଡି ଯୁଗ୍ମ ସଂଯୋଜକ ସୀତାରାମ ଅଗ୍ରୱାଲ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇଥିଲେ। ନଗର ସମ୍ପାଦକ ବିକାଶ ସେଠି, ସହସଂପାଦକ ସନ୍ତୋଷ ପ୍ରଧାନ, ମହେଶିଷ ଲେଙ୍କା, ପ୍ରିୟାଂଶୁ ପ୍ରଧାନ, ସୌରଭ ମହାପାତ୍ର, କୀର୍ତ୍ତିରଞ୍ଜନ ଖୁଣ୍ଟିଆ, ଗଣେଶ, ଅଜୟ, ହିମାଂଶୁ, ଶିବ, ଆଦିତ୍ୟ, ସିଦ୍ଧାର୍ଥ ପ୍ରମୁଖ ଏହି ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭାରେ ସହଯୋଗ କରିବା ସହ ଏକ ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

Categories
ଆଜିର ଖବର

ଧନ୍ୟବାଦ ରାଲିରେ ସିଏଏ ବିରୋଧୀଙ୍କୁ ମୋଦିଙ୍କ ଆକ୍ରମଣ

ନୂଆଦିଲ୍ଲୀ, 22/12 : ରାମଲୀଳା ମୈଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ସିଏଏ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତା ମାତ୍ର ବିରୋଧୀ ଦଳ ଲୋକଙ୍କୁ ଅନ୍ଧାରରେ ରଖି ସିଏଏକୁ ନେଇ ଅରାଜକତା ବଢାଉଛନ୍ତି ବୋଲି ମୋଦି କହିଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରି ଉସୁକାଇଲା ଭଳି କଥା କୁହାଗଲା ଏବଂ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାଗଲା। ସାମାଜିକ ଗଣମାଧ୍ୟମରେ ନିଆଁ ଲାଗାଇବାକୁ ଚେଷ୍ଟା କରାଯାଉଛି । ମିଥ୍ୟା ତଥ୍ୟ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରି ସିଏଏ ବିରୋଧରେ ହିଂସା ପ୍ରଦର୍ଶନ କରାଯାଉଛି ।  ଏହାପରେ ମୋଦି ଦିଲ୍ଲୀର 11.5 ଲକ୍ଷ ଲୋକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଲୋକଙ୍କ ଜୀବନରେ ଏକ ନୂତନ ସୂର୍ଯ୍ୟ ଉଦୟ ହୋଇଛି । ନିଜର ବାସସ୍ଥଳୀ ହରାଇବାର ଆଶଙ୍କା ସମ୍ପୂର୍ଣ୍ଣ ଭାବେ ଦୂର ହୋଇଛି ବୋଲି ମୋଦି କହିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ରାମଲୀଲା ମୈଦାନରେ ଧନ୍ୟବାଦ ରାଲି କରିବେ ମୋଦି

ନୂଆଦିଲ୍ଲୀ, 22/12 : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲୀଲା ମୈଦାନରେ ଧନ୍ୟବାଦ ରାଲିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏହି ରାଲି ଜରିଆରେ ମୋଦି ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। 8 ଉଚ୍ଚ ଏବଂ 80 ଫୁଟ ଲମ୍ୱା ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କୁ ସମ୍ୱୋଧିତ କରିବେ। ଦିଲ୍ଲୀର ଅନଧିକୃତ କଲୋନୀକୁ ଅଧିକୃତ କରାଯଉଥିବାରୁ ଏହି ଧନ୍ୟବାଦ ରାଲି ଅନୁଷ୍ଠିତ ହେଉଛି। ଏହି ଅବସରରେ 11.5 ଲକ୍ଷ ଲୋକଙ୍କୁ ଧନ୍ୟବାଦ ହସ୍ତାକ୍ଷର ପତ୍ର ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ଏହା ସହିତ ସାଧାରଣ ଲୋକଙ୍କୁ ସିଏଏ ଏବଂ ଏନ୍‌ଆର୍‌ସି ସମ୍ପର୍କରେ ଅବଗତ କରାଇବେ ମୋଦି  (ଏଜେନ୍ସୀ)

Categories
ବିଶେଷ ଖବର

ନାଗରିକ ହେବାକୁ ହେଲେ ଆଉ କେତେ ପ୍ରମାଣପତ୍ର ଦରକାର ହୋ ସରକାର !!

କେଦାର ମିଶ୍ର

ଗୋଟେ ସମୟରେ ଟି.ଏନ.ଶେଷାନ ସାହେବ ଆସି କହିଲେ, କେବଳ ଭୋଟର ତାଲିକାରେ ନାଁ ରହିଲେ ତମେ ନାଗରିକ ହେବା ଯଥେଷ୍ଟ ନୁହେଁ। ତମକୁ ଗୋଟେ ଭୋଟର ପରିଚୟ ପତ୍ର ତିଆରି କରିବାକୁ ପଡିବ। ଆମେ ବାଧ୍ୟ ନାଗରିକ ମାନେ ଧାଡି ବାନ୍ଧି ଫୋଟୋ ଉଠାଇଲୁ। ଆମକୁ ଗୋଟେ ଗୋଟେ ପରିଚୟପତ୍ର ଦିଆଗଲା। ଆମେ ଭାବିଲୁ, ଏଣିକି ଆମର ଦୁଃଖ ଗଲା। ଆମର ଫୋଟୋ ସଂଲଗ୍ନ ପରିଚୟପତ୍ର ଦେଖି ଆଉ କେହି ଆମକୁ ପାକିସ୍ତାନୀ କି ବାଂଲାଦେଶୀ ବୋଲି କହିପାରିବେ ନାହିଁ। ତାର କିଛି ବର୍ଷ ପରେ ନନ୍ଦନ ନିଲେକ୍କେନୀ ନାମକ ଜଣେ କରିତକର୍ମା ବ୍ୟବସାୟୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ବୁଝାଇଦେଲେ, ଆଜ୍ଞା, ଭୋଟର ପରିଚୟପତ୍ର ଯଥେଷ୍ଟ ନୁହେଁ। ଏ ଦେଶରେ ଜନ୍ମ ହେଉଥିବା ଛୁଆଠୁ ମରିବାକୁ ଯାଉଥିବା ବୁଧ ପର୍ୟନ୍ତ, ସମସ୍ତଙ୍କର ଆଙ୍ଗୁଠି ଚିହ୍ନ, ଆଖିଡୋଳା ତଥା ଆହୁରି ଅନେକ ବ୍ୟକ୍ତିଗତ ତଥ୍ୟ ସରକାରଙ୍କ ପାଖରେ ରହିବା ଦରକାର। ସେଠୁ ଆରମ୍ଭ ହେଲା ଆଧାରକାର୍ଡ। ସେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ଜଣେ ବଡ ନେତା ଆମକୁ କହିଲେ, ଆଧାର କାର୍ଡ ଗୋଟେ ଶୋଷଣକାରୀ ବ୍ୟବସ୍ଥା। ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଠୁଳ କରିବା ସରକାରଙ୍କ କାମ ନୁହେଁ। ହେଲେ ସେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହବା ପରେ ଆମକୁ ବାଧ୍ୟ କଲେ ଆଧାର କାର୍ଡକୁ ବ୍ୟାଙ୍କ ଓ ଟେଲିଫୋନ ସହ ସଂଯୋଗ କରିବା ପାଇଁ। ସବୁ ନାଗରିକ ପୁଣି ଧାଡିରେ ଠିଆ ହେଲେ। ନିଜକୁ ଏକ ଏକ ନମ୍ବରରେ ରୂପାନ୍ତରିତ କଲେ।

ତାରି ଭିତରେ ପୁଣି କୁହାଗଲା, କେୱାଇସି ବା ନୋ ୟୋର କଷ୍ଟମର ବ୍ୟବସ୍ଥାରେ, ବ୍ୟାଙ୍କରେ ଧାଡି ବାନ୍ଧି ଠିଆ ହୁଅ।ରନ୍ଧନ ଗ୍ୟାସ ଦୋକାନ ଆଗରେ ଠିଆ ହୁଅ। ଆୟକର କମିଶନଙ୍କ ଆଗରେ ଠିଆ ହୁଅ। ସବୁଠୁ ଶେଷରେ କୁହାଗଲା, ତମ ପାଖରେ ଯାହା ପଇସା ଅଛି, ସବୁକିଛି କେବଳ ରଦ୍ଦି କାଗଜ, ଏବେ ନୂଆ ଟଙ୍କା ନେଇ ଜାତୀୟତାର ପ୍ରମାଣ ଦିଅ। ଏତେ  ସବୁ ଭିତରେ ଆମେ କେହି କେହି ପାସପୋର୍ଟ ବି ତିଆରି କରିଛୁ। ଏତେ ସବୁ ସତ୍ତ୍ୱେ ପୁଣି ଆଜି କୁହାଯାଉଛି, ନା- ସେସବୁ ଚଳିବ ନାହିଁ, ଏବେ ତମର ନାଗରିକତାକୁ ନେଇ ଆଉ ଥରେ ପ୍ରମାଣ ଦେଖାଅ। ବେଚାରା ବାଧ୍ୟ ଏବେ କରିବ କଣ?

ତାରି ଭିତରେ ପୁଣି ଧର୍ମ ପଶିଛି। ଏବେ ନାଗରିକ ହେବାକୁ ହେଲେ ଧର୍ମର ପ୍ରମାଣ ଏକ ପ୍ରାଥମିକ ଆବଶ୍ୟକତା ହେଲାଣି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଲେଣି, କେୱାଇସି ଫର୍ମରେ ଧର୍ମ କଥା ଉଲ୍ଲେଖ କର। ଭାରତ ମାଟିରେ ଜନ୍ମ ନେଇଥିବା ଓ ଆଇନକୁ ମାନି ଚାଲିବାର ପରିଣତି ହେଉଛି, ଏ ଦେଶର ସରକାରମାନଙ୍କ ଆଗରେ ନିଜକୁ ଗୁଲାମ କରି ରଖିବା। ଯେଉଁ ମାନେ ଆମ ଭୋଟ ପାଇ ସରକାର ଗଢିଲେ, ସେମାନେ ଆମକୁ ପରୀକ୍ଷାଗାରର ମୂଷା କି ବେଙ୍ଗ ବୋଲି ଭାବିଲେ। ନିଜ ନିଜର ରାଜନୈତିକ ରୁଟି ସେକିବାକୁ ଓ ନିଜର ଏକ ସୁରକ୍ଷିତ ଭୋଟ ବ୍ୟାଙ୍କ ତିଆରି କରିବାକୁ ଏବେ ନାଗରିକଙ୍କୁ ନେତାମାନେ ନିଜ ଇଚ୍ଛାରେ ଚଳାଇବାକୁ ଚେଷ୍ଟା କରୁଛନ୍ତି।

ହଠାତ ଭାରତରେ ନାଗରିକତା ଏକ ବଡ ପ୍ରସଙ୍ଗ ପାଲଟିଗଲା କେମିତି? ଆଜି ହଠାତ ସାରା ଦେଶର ଜନ ସାଧାରଣ ନିଜକୁ ଭାରତର ବାସିନ୍ଦା ବୋଲି ପ୍ରମାଣିତ କରିବେ କାହିଁକି? ଭୋଟର ପରିଚୟପତ୍ର, ପାସପୋର୍ଟ, ଆଧାର କାର୍ଡ, କିଛି ବି ଆଗକୁ ନାଗରିକ ପରିଚୟପତ୍ର ଭାବେ ବିବେଚିତ ହେବନାହିଁ। ଆପଣଙ୍କୁ ଅମିତ ଶାହଙ୍କ ନୂଆ ନାଗରିକତା ରେଜିଷ୍ଟରରେ ନାମ ଲେଖାଇବାକୁ ପଡିବ।

ଯଦି ଆପଣ ଭୂମିହୀନ, ଅପାଠୁଆ, ଯାଯାବର କିମ୍ବା ନାସ୍ତିକ ତାହେଲେ, ଆପଣ ଭାରତର ନାଗରିକ ହେବାର ସୁଯୋଗରୁ ବଞ୍ଚିତ ହୋଇ ପାରନ୍ତି। ଏବେ ଅମିତ ଶାହଙ୍କ ଭକ୍ତମାନେ କହୁଛନ୍ତି, ଆପଣ ଯଦି ନାଗରିକ ପ୍ରମାଣ ଦେବାକୁ ଡରୁଛନ୍ତି କାହିଁକି? ଆମର ପ୍ରଶ୍ନ, ମୋର ନାଗରିକତା ବିଷୟରେ ପ୍ରମାଣପତ୍ର ଦେବାକୁ ଆପଣ କିଏ? ଯିଏ ଏ ମାଟିରେ ଜନ୍ମ ନେଇଛି, ପୁରୁଷ ପୁରୁଷ ଧରି ଏ ମାଟିକୁ ଭଲ ପାଇଛି, ତାକୁ ବାରମ୍ବାର ଧାଡିରେ ଠିଆ କରାଇ ପ୍ରମାଣ ମାଗିବାକୁ ସରକାରର ନୈତିକ ଅଧିକାର ରହିଛି କି?

ଗଣତାନ୍ତ୍ରିକ ରାଷ୍ଟ୍ରରେ ସ୍ଵାଧୀନ ନାଗରିକ ସରକାରଙ୍କର ପ୍ରଜା ନୁହେଁ। ଯଦି ନାଗରିକର ମର୍ୟାଦା ସହିତ ସରକାର ବାରମ୍ବାର ଖେଳ ଖେଳିବେ ତାହେଲେ, ନାଗରିକ ପ୍ରତିବାଦ କରିବାକୁ ବାଧ୍ୟ ହେବ ଓ ଆଜି ତାହା ହିଁ ଘଟୁଛି।

 

 

Categories
ଆଜିର ଖବର

ସଂଖ୍ୟାଗରିଷ୍ଠ ଧୈର୍ଯ୍ୟ ହରାଇଲେ ଗୋଧ୍ରା ପରି ପରସ୍ଥିତି ସୃଷ୍ଟି ହୁଏ : ସି ଟି ରବି

ବେଙ୍ଗାଲୁରୁ,21/12 : ବେଙ୍ଗାଲୁରୁର ଜନୈକ ବିଜେପି ମନ୍ତ୍ରୀ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କର୍ଣ୍ଣାଟକର ବିଜେପି ମନ୍ତ୍ରୀ ସି ଟି ରବି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯେତେବେଳେ ଦେଶରେ ସଂଖ୍ୟାଗରିଷ୍ଠ ନିଜର ଧୈର୍ଯ୍ୟ ହରାଇଥାନ୍ତି ଦେଶରେ ଗୋଧ୍ରା ପରି ପରସ୍ଥିତି ସୃଷ୍ଟି ହୋଇଥାଏ । କଂଗ୍ରେସ ବିଧାୟକ ୟୁଟି ଖାଦେରଙ୍କ ମନ୍ତବ୍ୟର ଜବାବ ଦେବାକୁ ଯାଇ ରବି ଏହି ମନ୍ତବ୍ୟ ଦେଇଛନ୍ତି । କର୍ଣ୍ଣାଟକରେ ସିଏଏ ଲାଗୁ କରାଗଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ଏହାର ଜବାବ ଦେବେ ବୋଲି ଖାଦେର କହିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏହି ଆଇନ ଲାଗୁ କଲେ କର୍ଣ୍ଣାଟକକୁ ଭସ୍ମ କରି ଦିଆଯିବ ବୋଲି ଖାଦେର ମତ ଦେଇଥିଲେ । ଏହାପରେ ରବି କହିଛନ୍ତି, ଏପରି ଲୋକ ମାନେ ଟ୍ରେନ୍‌ରେ ନିଆଁ ଲଗାଇ କରସେବକ ମାନଙ୍କୁ ହତ୍ୟା କରିବା ପରେ ହିଁ ଗୁଜରାଟ ଦଙ୍ଗା ଆରମ୍ଭ ହୋଇଥିଲା । କର୍ଣ୍ଣାଟକର ବିଭିନ୍ନ ପ୍ରାନ୍ତରେ ଧାରା 144 ଜାରି କରାଯାଇଥିବାରୁ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପାଙ୍କୁ ସମାଲୋଚନା କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ନାଗରିକତା କାନୁନ୍‌ ବିରୋଧରେ ପ୍ରଦର୍ଶନ : ଦଶହଜାରରୁ ଅଧିକ ଲୋକଙ୍କ ଉପରେ ମାମଲା ରୁଜୁ

ପ୍ରୟାଗରାଜ, 21/12: ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରୟାଗରାଜରେ ଗତ ଦୁଇ ଦିନ ଧରି ଚାଲିଥିବା ପ୍ରଦର୍ଶନରେ ଦଶହଜାରରୁ ଅଧିକ ପ୍ରଦର୍ଶନକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ସମସ୍ତଙ୍କ ବିରୁଦ୍ଧରେ ସହରର ଛଅଟି ପୋଲିସ୍‌ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ଦଶହଜାର ଅଜ୍ଞାତ ପ୍ରଦର୍ଶନକାରୀଙ୍କୁ ସହିତ ପାଖାପାଖି ଦେଢଶହ ଜଣାଶୁଣା ଲୋକଙ୍କ ନାମ ମଧ୍ୟ ସାମିଲ୍‌ ରହିଛି। ଏହି ପ୍ରଦର୍ଶନରେ ସାମିଲ୍‌ ରହିଥିବା ପ୍ରଦର୍ଶନକାରୀଙ୍କ ଚିହ୍ନଟ  ଭିଡିଓ ଫୁଟେଜ୍‌, ମିଡିଆ ରିପୋର୍ଟସ୍‌ ଓ ସିସିଟିଭି ଭିଜୁଆଲର ଆଧାରରେ କରାଯାଇ ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ କରାଯିବ। ଏମିତିକି ନିୟମ ଭାଙ୍ଗି ସଡକ ଉପରେ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି । ତେବେ ମାମଲା ରୁଜୁ ହେବା ପରେ ଆଜି ପ୍ରୟାଗରାଜରେ କିଛି ମାତ୍ରାରେ ଶାନ୍ତିର ପରିସ୍ଥିତି ରହିଥିବାବେଳେ କିଛି ହିଂସକ ପ୍ରଦର୍ଶନ ହୋଇନାହିଁ।

ପୁଲିସ୍‌ ଓ ପ୍ରଶାସନର ସମସ୍ତ ବଡ଼ ବଡ଼ ଅଧିକାରୀମାନେ ଲଗାତାର ଗସ୍ତ କରି ଏହି ଘଟଣାର ସମ୍ପର୍କରେ ଅବଗତ ହେବା ସହିତ ରାସ୍ତା ଉଫରେ ବ୍ୟାରିକେଡ୍‌ ଓ କଡ଼ା ଟ୍ରାଫିକ୍‌ ବ୍ୟବସ୍ଥା ଲାଗୁ କରିଛନ୍ତି।  ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ୍‌ ଓ ପିଏସି ସହିତ ଅର୍ଦ୍ଧସାମରିକ ବଳକୁ ମଧ୍ୟ ନିୟୋଜିତ କରାଯାଇଛି। ଆଜି ବି ପ୍ରୟାଗରାଜରେ ଇଣ୍ଟରନେଟ୍‌ ସେବା ବନ୍ଦ କରହିଛି। ମାମଲା ରୁଜୁ କରାଯାଇ କିଛି ଲୋକଙ୍କୁ ଗିରଫ କରାଯାଇଥିବାବେଳେ ଆଉ କିଛିକୁ ଅଟକ ରଖାଯାଇଛି। (ଏଜେନ୍ସି)

Categories
ଆଜିର ଖବର

ସିଏଏ ହିଂସା ଯୋଗୁଁ ଉତ୍ତରପ୍ରଦେଶର ସମସ୍ତ ସ୍କୁଲ-କଲେଜ ବନ୍ଦ

ଲକ୍ଷ୍ନୌ, 21 /12: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଭାରତରେ ଉତ୍ତେଜନା ଲାଗି ରହିଛି । ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶରେ ହିଂସା ଉଗ୍ର ରୂପ ନେଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ହିଂସାକୁ ନେଇ ଏଯାଏଁ 11ଜଣଙ୍କର ମୃତ୍ୟୁ ଘଟିଛି। ମାତ୍ର ହିଂସା ଯୋଗୁଁ ସମସ୍ତଙ୍କର ମୃତ୍ୟୁ ଘଟିନାହିଁ ବୋଲି ପୋଲିସ କହିଛି।  ରାଜ୍ୟ ସରକାର ପରିସ୍ଥିତି ବିଶୃଙ୍ଖଳା ଥିବାରୁ ଶନିବାର ସମସ୍ତ ସ୍କୁଲ-କଲେଜକୁ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶରେ ଗୁରୁବାର ପରେ ଶୁକ୍ରବାର କିଛି ଜିଲ୍ଲାରେ ହିଂସା ଅଧିକ ଦେଖିବାକୁ ମିଳିଥିଲା। ପ୍ରଦର୍ଶନକାରୀଙ୍କ ମାତ୍ରା ଅଧିକ ହେବାରୁ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ପ୍ରଶାସନକୁ ଅନେକ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ ରଖିବାକୁ ପଡ଼ିଥିଲା। ଏଥିସହିତ ରାଜ୍ୟର ସମସ୍ତ ସ୍କୁଲ-କଲେଜକୁ ଶନିବାର ବନ୍ଦ ରଖିବା ପାଇଁ ଘୋଷଣା କରିବାକୁ ପଡ଼ିଥିଲା। ଉତ୍ତର ପ୍ରଦେଶରେ ଶନିବାର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହା ପୂର୍ବରୁ ଗୁରୁବାର ଓ ଶୁକ୍ରବାର ମଧ୍ୟ ସମସ୍ତ ସ୍କୁଲ-କଲେଜ ବନ୍ଦ ଥିଲା। (ଏଜେନ୍ସି)

Categories
ବିଶେଷ ଖବର

ଜାଣନ୍ତୁ ସିଏଏ-ଏନ୍‌ଆରସି ମଧ୍ୟରେ ଅନ୍ତର, କ’ଣ ଏହା ମୁସଲମାନ ବିରୋଧୀ? ଏନେଇ ରହିଥିବା କଠିନ ପ୍ରଶ୍ନର ଉତ୍ତର ରଖିଲେ ସରକାର

ସମୀକ୍ଷା ବ୍ୟୁରୋ

ଦେଶରେ ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧରେ ସାଧାରଣ ଜନତାଠାରୁ ଆରମ୍ଭ କରି ବିରୋଧୀ ଦଳମାନେ ସମେସ୍ତ ସଡକ ଉପରକୁ ଓହ୍ଲାଇଛନ୍ତି। ରାଜଧାନୀ ଦିଲ୍ଲୀ ପରେ ଉତ୍ତରପ୍ରଦେଶର ଅନେକ ସହରରେ ମଧ୍ୟ ଏହି ହିଂସ୍ରକ ପ୍ରଦର୍ଶନ ଜାରି ରହିଛି। ସରକାରଙ୍କ ଦ୍ବାରା ଅଣାଯାଇଥିବା ଏହି ନୂତନ ଆଇନ୍‌ ସମ୍ବିଧାନ ବିରୋଧୀ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏହି ସମସ୍ତ ବିରୋଧ ମଧ୍ୟରେ ମୋଦି ସରକାର ଏବେ ଏହି କାନୁନ୍‌ ସମ୍ପର୍କରେ କିଛି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ସମେତ ପୂରା ସରକାର ଉପରେ ବିରୋଧୀଙ୍କ ଉପରେ ଏହି ଅଭିଯୋଗ କରିଛନ୍ତି ଯେ, ଆଇନକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଦ୍ବନ୍ଦ୍ବ ଉପୁଜାଇବା ସହିତ ସଂଖ୍ୟାଲଘୁଙ୍କ ମନରେ ଏହି ଆଇନ ନେଇ ବିଦ୍ରୋହ ସୃଷ୍ଟି କରୁଛନ୍ତି।

ଏହି ସମସ୍ତ ଘଟଣାକ୍ରମ ମଧ୍ୟରେ ଉଠୁଥିବା ଅନେକଗୁଡ଼ିଏ ପ୍ରଶ୍ନର କିଛି ଉତ୍ତର ରଖିଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ତରଫରୁ ଏଇ ନୂତନ ଆଇନ ନେଇ ସର୍ବମୋଟ ୧୩ ଟି ଉତ୍ତର ଆସିଛି। ଏହା ସହିତ ମୋଦି ସରକାର ସମସ୍ତ ଗଣମାଧ୍ୟମକୁ ସିଏଏ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବା ପାଇଁ ବିଜ୍ଞାପନ ମଧ୍ୟ ଦେଇଛନ୍ତି।

ଏହି ସମସ୍ତ ଉତ୍ତର ନାଗରିକତା ସଂଶୋଧନ ଆଇନ ଓ ନ୍ୟାସନାଲ୍‌ ରେଜିଷ୍ଟର ଅଫ୍‌ ସିଟିଜେନ୍‌ ଅନ୍ତଗର୍ତ। ଏହି ଆଇନ ଲାଗୁ ହେବା ପରେ ଦେଶରେ କ’ଣ ପ୍ରଭାବ ପଡ଼ିବ, କ’ଣ ଏହି ନିୟମ ଅନୁସାରେ ମୁସଲମାନଙ୍କୁ ଡରିବାର ଆବଶ୍ୟକତା ରହିଛି କି? ଏନ୍‌ଆରସିରେ ନାଗରିକତା ପ୍ରମାଣ ଦେବା ପାଇଁ କ’ଣ କ’ଣ ଦସ୍ତାବିଜ୍‌ ବା ପ୍ରମାଣପତ୍ରର ଆବଶ୍ୟକତା ରହିଛି? ଏହି ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ସରକାର।

ପ୍ରଶ୍ନ ୧ – କ’ଣ ସିଏଏ ଭିତରେ ଏନ୍‌ଆରସି ଅନ୍ତର୍ଗତ?

ଉତ୍ତର – ଏପରି କଦାପି ନୁହେଁ। ସିଏଏ  ଓ ଏନ୍‌ଆରସି ଦୁହେଁ ଭିନ୍ନ ଓ ଅଲଗା ପ୍ରକ୍ରିୟା। ସିଏଏ ସଂସଦରେ ପାରିଦ ହେବା ପରେ ସାରା ଦେଶରେ ଲାଗୁ ହୋଇସାରିଛି, କିନ୍ତୁ ଏନଆରସିର ନିୟମ ଓ ପ୍ରକ୍ରିୟା ନିର୍ଦ୍ଦିଷ୍ଟ ହେବାକୁ ବାକି ରହିଛି। ଆସାମରେ ଯେଉଁ ଏନ୍‌ଆରସି ପ୍ରକ୍ରିୟା ଚାଲୁ ରହିଛି, ତାହା ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ଆସାମ ଚୁକ୍ତି ଅନୁଯାୟୀ କରାଯାଉଛି।

ପ୍ରଶ୍ନ ୨ – କ’ଣ ଭାରତୀୟ ମୁସଲମାନଙ୍କୁ ସିଏଏ ଓ ଏନ୍‌ଆରସିକୁ ନେଇ ବ୍ୟସ୍ତ ହେବାର ଆବଶ୍ୟକତା ରହିଛି?

ଉତ୍ତର – କୌଣସି ଧର୍ମର ଭାରତୀୟ ନାଗରିକଙ୍କୁ ଏହି ନୂତନ ନିୟମ ‘ସିଏଏ’ ବା ‘ଏନ୍‌ଆରସି’କୁ ନେଇ ବ୍ୟସ୍ତ ବିବ୍ରତ ହେବାର କିଛି କାରଣ ନାହିଁ।

ପ୍ରଶ୍ନ ୩ – କ’ଣ ଏନ୍‌ଆରସି କେବଳ ମୁସଲମାନ୍‌ଙ୍କ ପାଇଁ ଲାଗୁ?

ଉତ୍ତର – ବିଲ୍‌କୁଲ୍‌ ନୁହେଁ। ଏହାର କୌଣସି ଧର୍ମ ସହିତ କିଛି ବି ସମ୍ପର୍କ ନାହିଁ। ଏହା ସମସ୍ତ ଭାରତୀୟଙ୍କ ପାଇଁ। ଏହା କେବଳ ଭାରତୀୟଙ୍କ ପାଇଁ ଏକ ରେଜଷ୍ଟିର, ଯେଉଁଥିରେ ଦେଶର ସମସ୍ତ ନାଗରିକଙ୍କ ନାମ ରହିବ ।

ପ୍ରଶ୍ନ ୪ – କ’ଣ ଏନ୍‌ଆରସି କେବଳ ଧାର୍ମିକ ଆଧାର ଅନୁଯାୟୀ ଲୋକଙ୍କୁ ବାହାର କରାଯିବ?

ଉତ୍ତର –  ନା। ଏନ୍‌ଆରସିରେ କୌଣସି ଧର୍ମକୁ ଆଧାର ରୂପେ ନିଆଯାଇନାହିଁ। ଯେବେ ଏନଆରସି ଲାଗୁ କରାଯିବ, ତେବେ ଏହା ନାହିଁ କୌଣସି ଧର୍ମର ଆଧାର ଉପରେ ଲାଗୁ କରାଯିବ ନାହିଁ କେୌଣସି ଧର୍ମକୁ ଆଧାର କରାଯିବ। ଏପରିକି ଯଦି କିଏ କୌଣସି ବିଶେଷ ଧର୍ମକୁ ମାନୁଛନ୍ତି, ତେବେ ବି ସେମାନଙ୍କୁ ଏହି ନିୟମ ଆଧାରରେ ବାହାର କରାଯିବ ନାହିଁ।

ପ୍ରଶ୍ନ ୫ – କ’ଣ ଏନ୍‌ଆରସି ଜରିଆରେ ମୁସଲମାନଙ୍କୁ ଭାରତୀୟ ହେବାର ପ୍ରମାଣପତ୍ର ମଗାଯିବ?

ଉତ୍ତର – ସର୍ବପ୍ରଥେମ ଆପଣଙ୍କୁ ଏହା ଜାଣିବା ଦରକାର ଯେ, ରାଷ୍ଟ୍ରୀୟ ସ୍ତରରେ ଏନ୍‌ଆରସି ପରି କେୌଣସି ଔପଚାରିକ ଆରମ୍ଭ ହୋଇନାହିଁ। ସରକାର ଏହା ଉପରେ କୌଣସି ଔପଚାରିକ ଘୋଷଣା କରିନାହାନ୍ତି ଓ ଏହା ସମ୍ବନ୍ଧୀୟ କୌଣସି ନିୟମ ମଧ୍ୟ ପ୍ରସ୍ତୁତ କରିନାହାନ୍ତି। ଭବିଷ୍ୟତରେ ଯଦି ଏହାକୁ ଲାଗୁ କରାଯିବ, ତେବେ ଏଥିରେ  କୌଣସି ଭାରତୀୟଙ୍କୁ ପ୍ରମାଣପତ୍ର ମଗାଯିବ ନାହିଁ।

ଏନ୍‌ଆରସି ଏକ ପ୍ରକାର ଆଧାରକାର୍ଡ ରୂପେ ଦ୍ବିତୀୟ ପ୍ରମାଣପତ୍ର ପରି କାର୍ଯ୍ୟ କରିବ। ନାଗରିକତା ରେଜଷ୍ଟାରରେ ନିଜର ନାମ ପଞ୍ଜିକରଣ କରିବା  ପାଇଁ କୌଣସି ପ୍ରମାଣପତ୍ର ଦେଇପାରିବେ, ଯେପରିକି ଆପଣ ମତଦାନ କାର୍ଡ କିମ୍ବା ଆଧାର କାର୍ଡ ଦେଇପାରିବେ।

ପ୍ରଶ୍ନ ୬ – ନାଗରିକତା କିପରି ଦିଆଯିବ ? କ’ଣ ଏହି ପ୍ରକ୍ରିୟା ସରକାରଙ୍କ ହାତରେ ରହିବ?

ଉତ୍ତର – ନାଗରିକତା ନିୟମ ୨୦୦୯ ଆଧାରରେ ଯେକୌଣସି ବ୍ୟକ୍ତି ନାଗରିକତାକୁ ଦିଆଯାଇପାରିବ। ଏହି ନିୟମ ନାଗରିକତା ଆଇନ, ୧୯୫୫ ଆଧାରରେ ନିର୍ମିତ। ଏହି ନିୟମ ସାର୍ବଜନିକ ରୂପରେ ସମସ୍ତଙ୍କ ସାମ୍ନାରେ ରହିଛି। ଯେକୌଣସି ବ୍ୟକ୍ତି ଭାରତୀୟ ନାଗରିକ ହେବା ପାଇଁ ପାଞ୍ଚଟି ପ୍ରକାର ରହିଛି –

କ) ଜନ୍ମ ଆଧାରରେ ନାଗରିକତା

ଖ) ବଂଶ ଆଧାରରେ ନାଗରିକତା

ଗ) ପଞ୍ଜିକରଣ ଆଧାରରେ ନାଗରିକତା

ଘ) ଦେଶୀୟକରଣ ଆଧାରରେ ନାଗରିକତା

ଙ) ଭୂମି ବିସ୍ତାର ଆଧାରରେ ନାଗରିକତା

ପ୍ରଶ୍ନ ୭.  ଯଦି କେବେ ଏନ୍‌ଆରସି ଲାଗୁ ହେବ, ତେବେ କ’ଣ ଭାରତୀୟ ନାଗରିକତ୍ବ ପ୍ରମାଣ କରିବା ପାଇଁ ନିଜ ପିତାମାତାଙ୍କ ଜନ୍ମ ବିବରଣୀ ଦେବାକୁ ବାଧ୍ୟ ହେବେ?

ଉତ୍ତର – ଆପଣଙ୍କୁ ଆପଣଙ୍କ ଜନ୍ମ ବିବରଣୀ ଯେମିତିକି ଜନ୍ମ ତାରିଖ, ମାସ, ବର୍ଷ ଓ ସ୍ଥାନ ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ। ଯଦି ଆପଣଙ୍କ ପାଖରେ ଆପଣଙ୍କ ଜନ୍ମ ବିବରଣୀ ଉପଲବ୍ଧ ନାହିଁ ତେବେ ଆପଣଙ୍କ ମାତା ପିତାଙ୍କ ଜନ୍ମ ବିବରଣୀ ଦେବାକୁ ପଡ଼ିବ। କିନ୍ତୁ ମାତାପିତାଙ୍କ ଦ୍ବାରା ପ୍ରସ୍ତୁତ କରିଥିବା ପ୍ରମାଣପତ୍ର ଯୋଗ୍ୟ ହେବ ନାହିଁ। ଜନ୍ମ ତାରିଖ ଓ ଜନ୍ମସ୍ଥାନ ସମ୍ବନ୍ଧୀୟ କେୌଣସି ପ୍ରମାଣପତ୍ର ଆପଣଙ୍କୁ ନାଗରିକତ୍ବର ପ୍ରମାଣପତ୍ର ଦେବାକୁ ପଡ଼ିବ। କିନ୍ତୁ ଏଥିନିମେନ୍ତ କେୌଣସି ପ୍ରମାଣପତ୍ରର ନିର୍ଣ୍ଣୟ ହୋଇନାହିଁ। ଏଥିପାଇଁ ଭୋଟର କାର୍ଡ, ପାସପୋର୍ଟ, ଆଧାର, ଲାଇସେନ୍ସ, ବୀମାର ପେପର୍‌, ଜନ୍ମ ପ୍ରମାଣପତ୍ର, ସ୍କୁଲ ସାର୍ଟିଫିକେଟ୍‌, ଘରର କାଗଜପତ୍ର ଅବା କୌଣସି ସରକାରୀ ଅଧିକାରୀଙ୍କ ଦ୍ବାରା କିଛି ପ୍ରମାଣପତ୍ରକୁ ସାମିଲ୍‌ କରିବାର ସମ୍ଭାବନା ରହିଛି। ଏହି ପ୍ରମାଣପତ୍ରର ସୂଚୀ ଆହୁରି ଦୀର୍ଘ ହେବାର ସମ୍ଭାବନା ରହିଛି, କାରଣ ଭାରତୀୟ ନାଗରିକଙ୍କୁ ଯେପରି କୌଣସି ପ୍ରକାରର ଅସୁବିଧା ନହେବେ, ସେପରି କିଛି ପ୍ରମାଣପତ୍ର ଏଥିରେ ରଖିବାର ସମ୍ଭାବନା ରଖାଯାଇଛି।

ପ୍ରଶ୍ନ ୮ – ଯଦି ଏନ୍‌ଆରସି ଲାଗୁ ହେବ, ତେବେ କ’ଣ ୧୯୭୧ ପୂର୍ବରୁ ବଂଶାବଳୀର ପ୍ରମାଣ ଦେବାକୁ କ’ଣ ବାଧ୍ୟ?

ଉତ୍ତର – ଏପରି ନୁହେଁ। ୧୯୭୧ପୂର୍ବରୁ ବଂଶାବଳୀ ପାଇଁ ଆପଣଙ୍କ ପାଖରେ କୌଣସି ପ୍ରକାରର ପ୍ରମାଣପତ୍ର ତଥା ମାତାପିତା ତଥା ପୂର୍ବଜଙ୍କ ଜନ୍ମପ୍ରମାଣପତ୍ର ପରି କିଛି ପ୍ରମାଣପତ୍ର ପ୍ରସ୍ତୁତ କରିବାର ଆବଶ୍ୟକତା ନାହିଁ। ଏହା କେବଳ ଆସାମ ଏନ୍‌ଆରସି ପାଇଁ ମାନ୍ୟ ଅଟେ, ପୁନଶ୍ଚ ଏହା ‘ଆସାମଚୁକ୍ତି’ ଓ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଆଧାର ଉପରେ ଆଧାରିତ। ଦେଶର ଅନ୍ୟ ସମସ୍ତ ଅଞ୍ଚଳ ପାଇଁ। ଏହା ଜାତୀୟ ନାଗରିକ ଅଧିକାର ନିୟମ ୨୦୦୩ ଆଧାରରେ ଏନ୍‌ଆରସିର ପ୍ରକ୍ରିୟା ପୂରାପୂରି ଭିନ୍ନ ଅଟେ।

ପ୍ରଶ୍ନ ୯ – ଯଦି ଆସାମରେ ଏହା ଏତେ ସହଜରେ ନାଗରିକ ଚିହ୍ନଟ କରିପାରିବ, ତେବେ ଆସାମରେ ୧୯ ଲକ୍ଷ ଲୋକ ଏନ୍‌ଆରସିରେ ବାହାର କେମିତି ହେଲେ?

ଉତ୍ତର – ଆସାମର ସମସ୍ୟାକୁ ପୂରା ଦେଶରେ ଯୋଡ଼ିବା ଠିକ୍‌ ନୁହେଁ। କାରଣ ସେଠାରେ ଅନୁପ୍ରବେଶକାରୀଙ୍କ ସମସ୍ୟା ଦୀର୍ଘଦିନରୁ ଚାଲିଆସିଛି। ଏହାର ବିରୋଧ ସେଠାରେ ୬ ବର୍ଷ ହେବ ଚାଲୁଛି। ଏହି ଅନୁପ୍ରବେଶକାରୀଙ୍କ ପାଇଁ ରାଜୀବ ଗାନ୍ଧି ସରକାରଙ୍କୁ ମଧ୍ୟ ଏକ ସମଝୋତା (ଚୁକ୍ତି)  କରିବାକୁ ପଡ଼ିଥିଲା। ଏପରିକି ସେଠାରେ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପାଇଁ ୨୫ ମାର୍ଚ, ୧୯୭୧କୁ  କଟ୍‌ ଅଫ୍‌ ଡେଟ୍‌ ରଖାଯାଇଛି, ଯାହା ଆଧାରରେ ଏନ୍‌ଆରସି ହୋଇଛି।

ପ୍ରଶ୍ନ ୧୦ – କ’ଣ ଏନ୍‌ଆରସି ପାଇଁ ପୁରୁଣା ପ୍ରମାଣପତ୍ର ମଗାଯିବ, ଯାହାକୁ ପ୍ରସ୍ତୁତ କରିବା କାଠିକର ପାଠ?

ଉତ୍ତର – ଚିହ୍ନଟ ପାଇଁ ବହୁତ ସାମାନ୍ୟ ପ୍ରମାଣପତ୍ର ଆବଶ୍ୟକ। ରାଷ୍ଟ୍ରୀୟ ସ୍ତରରେ ଏନ୍‌ଆରସିର ଘୋଷଣା ହେବା ସହିତ ଏଥିପାଇଁ ସରକାର ନିୟମ ଓ ନିର୍ଦ୍ଦେଶ ମଧ୍ୟ ପ୍ରସ୍ତୁତ କରିବେ । ଯାହା ଆଧାରରେ ଆପଣମାନେ ସହଜରେ ପ୍ରମାଣପତ୍ର ଦେଇପାରିବେ।

ପ୍ରଶ୍ନ ୧୧- ଯଦି କୌଣସି ବ୍ୟକ୍ତି ଅଶିକ୍ଷିତ ଅର୍ଥାତ୍‌ ଲେଖା ପଢା ଜାଣିନାହାନ୍ତି, ସେମାନେ କିପରି ଭାବରେ ନିଜକୁ ପ୍ରମାଣିତ କରିବେ ?

ଉତ୍ତର –ଏହି ମାମଲାରେ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରମାଣ ରୂପେ ଅନୁମତି ଦେବେ। ଏତଦ୍‌ବ୍ୟତୀତ ଅନ୍ୟ ପ୍ରମାଣପତ୍ର ଓ କମ୍ୟୁନିଟି ଭେରିଫିକେସନ୍‌ ଆଦିର ଅନୁମତି ଦିଆଯିବ। ଏକ ଉଚିତ ପ୍ରକ୍ରିୟାର ପାଳନ କରାଯିବ। କେୌଣସି ଭାରତୀୟ ନାଗରିକକୁ କୌଣସି ପ୍ରକାରର ଅସୁବିଧାରେ ପକାଇ ଦିଆଯିବ ନାହିଁ।

ପ୍ରଶ୍ନ ୧୨– ଭାରତରେ ଏକ ବଡ଼ ଅଂଶର ଏପରି ଲୋକ ରହିଛି, ଯେଉଁମାନଙ୍କ ପାଖରେ ଘର ନାହିଁ, ଗରିବ ଶ୍ରେଣୀର ଓ ପାଠ-ଶାଠ ମଧ୍ୟ ପଢିନାହାନ୍ତି, ଏପରିକି ସେମାନଙ୍କ ପାଖରେ ନିଜର ପ୍ରମାଣପତ୍ର କିଛି ନାହିଁ, ସେମାନଙ୍କ ପାଇଁ କ’ଣ କରାଯିବ?

ଉତ୍ତର–ଏହା ଭାବିବା ଠିକ୍‌ ନୁହେଁ। ଏପରି ଲୋକ କୌଣସି ନା କୌଣସି ଆଧାରରେ ଭୋଟ ଦେଉଛନ୍ତି ଓ ସରକାର ଏମାନଙ୍କୁ କିଛି କଲ୍ୟାଣକାରୀ ଯୋଜନାର ଲାଭ ମଧ୍ୟ ଦେଉଛନ୍ତି। ଏହି ଆଧାରରେ ଏମାନଙ୍କୁ ପ୍ରମାଣିତ କରାଯିବ।

ପ୍ରଶ୍ନ ୧୩ – କ’ଣ ଏନ୍‌ଆରସି କୌଣସି ତୃତୀୟ ଲିଙ୍ଗ, ନାସ୍ତିକ, ଆଦିବାସୀ, ଦଳିତ, ମହିଳା ଓ ଭୂମିହୀନଙ୍କୁ ଲୋକଙ୍କୁ ବାହାର କରିବ, ଯାହା ପାଖରେ କିଛି ପ୍ରମାଣପତ୍ର ନାହିଁ।

ଉତ୍ତର – ନା। ଏନ୍‌ଆରସି ଯେବେ ଲାଗୁ ହେବ, ତେବେ ଉପରୋକ୍ତ କୌଣସି ବି ବର୍ଗଙ୍କୁ ପ୍ରଭାବିତ କରିବ ନାହିଁ।

ନିଜକୁ ଭ୍ରମରେ ପକାନ୍ତୁନି, ଭୁଲ୍‌ ସୂଚନାର ଶିକାର ହୁଅନ୍ତୁନି, ନାଗରିକତା ସଂଶୋଧନ ଆଇନର ତଥ୍ୟକୁ ଠିକ୍‌ ରୂପେ ବୁଝନ୍ତୁ।

ନିଜ ସ୍ବାର୍ଥ ପାଇଁ ନିଜେ ଏହି ନିୟମକୁ ପଢନ୍ତୁ। କୌଣସି ଭ୍ରମାତ୍ମକ ଖବରକୁ ବିଶ୍ବାସକୁ ନିଅନ୍ତୁ ନାହିଁ। ଏହି ମାମଲାରେ ନିଜ ରାୟ ରଖନ୍ତୁ ବୋଲି ସରକାରଙ୍କ ଦ୍ବାରା ଏକ ବିଜ୍ଞାପନ ଦିଆଯାଇଛି।

ସୂଚନାଯୋଗ୍ୟ. କେନ୍ଦ୍ର ସରକାର ଦ୍ବାରା ଅଣାଯାଇଥିବା ଏହି ନୂତନ ଆଇନ ଆଧାରରେ ଆଫଗାନିସ୍ଥାନ, ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଶିଖ୍‌, ଜୈନ୍‌, ବୌଦ୍ଧ, ଈଶାଇ, ଫାର୍ସୀ ଆଦି ସମୁଦାୟଙ୍କ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ଦିଆଯିବ। ଏତଦ୍‌ବ୍ୟତୀତ ନାଗରିକତା ମିଳିବାର ରଖାଯାଇଥିବା ସମୟସୀମା ୧୧ ବର୍ଷରୁ ହ୍ରାସ କରାଯାଇ ୬ ବର୍ଷକୁ କରିଦିଆଯାଇଛି। ଏହାକୁ ନେଇ ବିରୋଧୀମାନେ ସମ୍ବିଧାନର ଆର୍ଟିକିଲ୍‌ ୧୪ର ବିରୁଦ୍ଧାଚରଣ କରୁଛି ବୋଲି ଅଭିଯୋଗ କରିଛନ୍ତି।

Categories
ବିଶେଷ ଖବର

ଏ ନିଆଁ ଲଗାଇଛି ଯିଏ, ତାକୁ ଲିଭାଇବାର ଦାୟିତ୍ଵ ମଧ୍ୟ ସେ ନେବା ଉଚିତ!!

କେଦାର ମିଶ୍ର

ଯେତେବେଳେ ଦେଶର ଅର୍ଥନୈତିକ ଅବସ୍ଥାକୁ ନେଇ ସରକାର ସବୁଠୁ ବେଶି ଚିନ୍ତା କରିବାର ଆବଶ୍ୟକତା ଥିଲା, ସେତେବେଳେ ପୂରା ଦେଶର ମୁଣ୍ଡରେ ଅର୍ଥନୀତିକୁ ବାହାର କରି ଧର୍ମକୁ ପୂରେଇ ଦିଆଗଲାଦେଶରେ ଅନୁପ୍ରବେଶକାରୀଙ୍କୁ ସବୁଠୁ ବଡ ସମସ୍ୟା ଭାବରେ ଉପସ୍ଥାପନ କରାଯିବା ଓ ଧର୍ମ ଆଧାରରେ ଅନୁପ୍ରବେଶକାରୀଙ୍କୁ ନାଗରିକର ସ୍ଵୀକୃତି ଦେବା ଲାଗି ମୋଦୀ ସରକାର ହଠାତ ତତ୍ପର ହୋଇ ଉଠିବାର କାରଣ ଅବଶ୍ୟ ଅତ୍ୟନ୍ତ ସ୍ପଷ୍ଟଏହାକୁ ନେଇ ଦେଶର ସଙ୍ଖ୍ୟାଲଘୁଙ୍କ ମନରେ ଆଶଙ୍କା ସୃଷ୍ଟି ହେବ ଓ ଏହା ଦେଶର ଧର୍ମ ନିରପେକ୍ଷ ଆଦର୍ଶର ପରିପନ୍ଥୀ ବୋଲି ମୋଦୀ ସରକାର ଭଲ ଭାବରେ ଜାଣିଥିଲେଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିବିଧ ପ୍ରତିକ୍ରିୟା ପ୍ରକାଶ ପାଇବ ବୋଲି ମଧ୍ୟ ସ୍ପଷ୍ଟ ଜଣାଥିଲାହୁଏତ ପ୍ରତିକ୍ରିୟା ଏତେ ବ୍ୟାପକ ବା ଉଗ୍ର ହେବା କଥା ସରକାର ଭାବି ନଥିବେ। ହେଲେ ଆରମ୍ଭରୁ ଏହାକୁ ନେଇ ଅସନ୍ତୋଷର ବାତାବରଣ ଆସିବ ଓ ତାହା ଆସୁ ବୋଲି ମୋଦୀ ସରକାର ଚାହିଁଛନ୍ତିଅର୍ଥନୀତି ତୁଳନାରେ ସାମ୍ପ୍ରଦାୟିକତାର ବିତର୍କକୁ ଜାଣିଶୁଣି ଲୋକଙ୍କ ଉପରେ ସରକାର ଲଦି ଦେଇଛନ୍ତି

ପ୍ରଥମରୁ ଏହାକୁ ନେଇ ମତ ପାର୍ଥକ୍ୟ ରହିବ ଓ ସୋସିଆଲ ମିଡିଆରେ ଏହାକୁ ନେଇ କିଛିଟା ରୋଚକ ବିତର୍କରେ କଥା ସରିଯିବ ବୋଲି ସରକାରଙ୍କ ଚିନ୍ତା ଥିଲାହିନ୍ଦୁ ବନାମ ମୁସଲମାନ ବିବାଦରେ ସରକାରଙ୍କର ମୂଳ ବିଫଳତାକୁ ନେଇ ଆଉ ପ୍ରଶ୍ନ ଯେମିତି ନଉଠେ ସରକାର ସେ ବ୍ୟବସ୍ଥା କରିବାକୁ ନାଗରିକତା ସଂଶୋଧନ ଆଇନ କୁ ହଠାତ ଆଣିଥିଲେତେବେ ଏ ବିଲ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଯେଉଁ ନିଆଁ ଲାଗିଛି, ସେଥିରେ ପୂରା ଦେଶର ସାମାଜିକ ସଂହତି ଓ ଅର୍ଥନୈତିକ ସ୍ଥିତି ଦୋହଲି ଯାଇଛିଗୋଟିଏ ପରେ ଗୋଟିଏ ରାଜ୍ୟକୁ ଏହି ଆଂଦୋଳନର ନିଆଁ ମାଡି ଚାଲିଛିଏହି ଆଇନ ବିରୋଧରେ ସ୍ଵତଃସ୍ଫୂର୍ତ୍ତ ବିରୋଧ ବଢି ଚାଲିଛି

ପରିସ୍ଥିତି ଏମିତି ହୋଇଛି ଯେ ଏବେ ସଂଖ୍ୟାଧିକ ରାଜ୍ୟରେ ଇଣ୍ଟରନେଟ କାଟି ଦିଆ ଯାଉଛି, କର୍ଫ୍ଯୁ ଲାଗୁ ହେଉଛି, ପୋଲିସର ଗୁଳି ଓ ଲାଠି ଚାଳନା ହେଉଛି, ଅନେକ ଲୋକ ପୁଲିସ ଗୁଳିରେ ପ୍ରାଣ ହରାଉଛନ୍ତି ଓ ବ୍ୟାପକ ଧନ ଜୀବନ ବିପର୍ୟସ୍ତ ହେଉଛିଆରମ୍ଭରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହାକୁ କେବଳ ବିରୋଧୀଙ୍କ ନ୍ୟସ୍ତସ୍ଵାର୍ଥ ବୋଲି କହି ଆଡେଇଯିବାର ଉଦ୍ୟମ କରୁଥିଲେହେଲେ ଗତକାଲି ଦିଲ୍ଲୀ, ବାଙ୍ଗାଲୋର, ମାଙ୍ଗାଲୋର ଓ ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଯେଉଁ ପ୍ରକାର ପ୍ରତିରୋଧର ଚିତ୍ର ଆସିଲା, ତାହା ସରକାରଙ୍କ ନିଦ ହଜାଇ ଦେବାକୁ ବାଧ୍ୟ।କେତେକ ଜାଗାରେ ପ୍ରତିରୋଧ ହିଂସ୍ର ହେଉଥିବାବେଳେ ଅନେକାଂସ୍ଥାନରେ ଏହା ସତ୍ୟାଗ୍ରହର ରୂପ ନେଉଛି। ଦେଶର ଖ୍ୟାତନାମା ବୁଦ୍ଧିଜୀବୀ ଓ ଲେଖକ ଏହି ଆନ୍ଦୋଳନ ଓ ସତ୍ୟାଗ୍ରହର ନେତୃତ୍ଵ ନେଉଛନ୍ତିବିଜେପିର ଟ୍ରୋଲ ବାହିନୀ ଏବଂ ପୁଲିସର ଲାଠି ଗୁଳିକୁ ବେଖାତିର କରି ଏ ଆନ୍ଦୋଳନ ତୀବ୍ର ହେଉଛି। ଗତକାଲି ପୋଲିସ ଗୁଳିରେ କିଛି ଲୋକ ପ୍ରାଣ ହରାଇଥିବା ବେଳେ ଆଉ କେତେକ ସ୍ଥାନରେ ସତ୍ୟାଗ୍ରହିମାନେ ପୋଲିସକୁ ଗୋଲାପ ଫୁଲ ଦେଇ ସତ୍କାର କରିଛନ୍ତି। ତାରି ଭିତରେ ଦେଶର ଜଣାଶୁଣା ଲେଖକ ତଥା ଐତିହାସିକ ରାମଚନ୍ଦ୍ର ଗୁହାଙ୍କୁ ପୋଲିସ ଅପବ୍ୟବହାର କରିବାର ଦୃଶ୍ୟ ନିଆଁରେ ଘିଅ ଢାଳିଛି।

ଆଜି କୌଣସି ରାଜନୈତିକ ଦଳ ବା ଗୋଷ୍ଠୀ ହାତରେ ଏହି ଆନ୍ଦୋଳନ ଆଉ ନାହଁଆପେ ଆପେ ଏ ଆନ୍ଦୋଳନ ଲୋକଙ୍କ ହାତକୁ ଚାଲି ଆସିଛିୟୁପିଏ ସରକାର ଅମଳରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ଲୋକଙ୍କର ଯେଉଁ ପ୍ରକାର ଅଂଶିଦାରିତା ଦେଖିବାକୁ ମିଳିଥିଲା, ଏହି ଆନ୍ଦୋଳନ ଏବେ ସେ ଦିଗକୁ ଗତି କରୁଛିଏତେ ବ୍ୟାପକ ପ୍ରତରୋଧ ଓ ଜଣ ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ସରକାର କଣ କରିବେ, ତାହା ଏବେ ସବୁଠୁ ଚିନ୍ତାର ବିଷୟ

ମୋଦୀ ସରକାର ନିଜ ନିଷ୍ପତ୍ତି ଯେ ବଦଳାଇବେ, ଏ ବିଶ୍ଵାସ କାହାର ନାହଁ। ତେଣୁ ଆଗାମୀ ଦିନରେ ପୋଲିସ ଲଗାଇ ଲୋକଙ୍କ ଉପରେ ଅଧିକ ଜୁଲମ କରାଯାଇପାରେ କିମ୍ବା ଅଧିକ ଆକ୍ରାମକ ଭାବେ ଏହାକୁ ରାଜନୈତିକ ସ୍ତରରେ ବିଜେପି ମୁକାବିଲା କରିପାରେତେବେ ମାତ୍ରାଧିକ ବଳ ପ୍ରୟୋଗ କରି ସରକାର ଯଦି ଜୁଲମ ଓ ଦମନ ଚଳାଇ ରଖନ୍ତି ତାହେଲେ, ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ଉଗ୍ର ହେବ

ଆଜି ସରକାରଙ୍କର ପ୍ରଥମ ଦାୟିତ୍ଵ ହେବା ଉଚିତ, କେମିତି ଏ ନିଆଁ ପ୍ରଶମିତ ହେବ। ଦେଶର ଅର୍ଥନୀତିକୁ ଏ ପ୍ରକାର ଜନ ପ୍ରତିରୋଧ ଅଧିକ ପ୍ରଭାବିତ କରିବସରକାର ନିଜେ ଏ ନିଆଁ ଲଗାଇଛନ୍ତି, ତେଣୁ ଏ ନିଆଁ କୁ ପ୍ରଶମିତ କରିବାର ଦାୟିତ୍ଵ ମଧ୍ୟ ସରକାରଙ୍କର।          

 

Categories
ଭିଡ଼ିଓ

ସିଏଏ ବିରୋଧରେ ବଲିଉଡ୍‌ ସେଲିବ୍ରିଟିଙ୍କ ସହ ଆଲିଆ Alia posts Preamble solidarity towards students

Categories
ଆଜିର ଖବର

ଦିଲ୍ଲୀରେ ଫୋନ୍‌ ସେବା ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,19/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ନୂଆଦିଲ୍ଲୀରେ ଆନ୍ଦୋଳନ ପରେ ସରକାରଙ୍କ ପକ୍ଷରୁ ଟେଲିଫୋନ ସେବା ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ଟେଲିକମ୍‌ କମ୍ପାନୀକୁ ସରକାରଙ୍କ ପକ୍ଷରୁ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଅଞ୍ଚଳରେ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ଅଚଳ ହୋଇଯାଇଛି । ଲାଲକିଲ୍ଲା, ସୀଲମପୁରା ଏବଂ ବ୍ରିଜପୁରୀ ଅଞ୍ଚଳରେ ପ୍ରାରମ୍ଭିକ ଭାବରେ ଇଣ୍ଟରନେଟ ସେବା ଅଚଳ କରାଯାଇଛି । ଟେଲିକମ୍‌ କମ୍ପାନୀ ଏୟାର ଟେଲ ପକ୍ଷରୁ ଏନେଇ ଏକ ଟ୍ବିଟ୍‌ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ଡିଲିଟ୍‌ କରାଯାଇଥିଲା । ହିଂସା ଅଧିକ ଅଞ୍ଚଳକୁ ବ୍ୟାପିଲେ ଅନ୍ୟ ଅଞ୍ଚଳରେ ମଧ୍ୟ ସେବା ବନ୍ଦ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ ବିରୋଧ : ଦିଲ୍ଲୀର 14ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ

ନୂଆଦିଲ୍ଲୀ, 19/12 : ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ ନେଇ ନୂଆଦିଲ୍ଲୀରେ ଆନ୍ଦୋଳନ ଚାଲିଥିବା ବେଳେ ମେଟ୍ରୋ ସେବା ବ୍ୟାହତ ହୋଇଛି । ଏହି ଆନ୍ଦୋଳନ ଫଳରେ ଦିଲ୍ଲୀର 14ଟି ମେଟ୍ରୋ ଷ୍ଟେସନ୍‌ରେ ସେବା ବନ୍ଦ ରଖାଯାଇଛି । ଲାଲ କିଲ୍ଲାରେ ଧାରା 144 ଲାଗୁ କରାଯିବା ପରେ ଡିଏମ୍‌ଆର୍‌ସି କର୍ତ୍ତୃପକ୍ଷ ଲାଲ କିଲ୍ଲା, ଜାମା ମସଜିଦ୍‌, ଚାନ୍ଦନୀ ଚୌକ୍‌, ବିଶ୍ବବିଦ୍ୟାଳୟ, ଜାମିଆ ମାଲିଆ ଇସଲାମିଆ, ଜସୋଲା ବିହାର, ଶାହିନ୍‌ ବିହାର ଏବଂ ମୁନିର୍କା ମେଟ୍ରୋ ଷ୍ଟେସନ୍‌ ବନ୍ଦ ରହିଛି । ଗତକାଲି ଠାରୁ 6ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ ରହିଛି । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟରେ 59ଟି ମାମଲା ଦାୟର କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ସିଏଏ ଆନ୍ଦୋଳନ : ମହାରାଷ୍ଟ୍ରରେ ଶାନ୍ତି ବଜାୟ ରଖିବାକୁ ଉଦ୍ଧବଙ୍କ ନିବେଦନ

ମୁମ୍ବାଇ,19/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ ମହାରାଷ୍ଟ୍ରରେ ଶାନ୍ତି ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ନିବେଦନ କରିଛନ୍ତି । ଏହି ଆଇନକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ବିଭିନ୍ନ ମୁସଲିମ୍‌ ସମ୍ପ୍ରଦାୟର ମୁଖ୍ୟଙ୍କ ସହିତ ଉଦ୍ଧବ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ସହିତ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ । ବିଭିନ୍ନ ବିରୋଧୀ ଦଳର ନେତା ରାଷ୍ଟ୍ରପତିଙ୍କୁ ଭେଟି ସିଏଏ ପ୍ରତ୍ୟାହାର ପାଇଁ ଅନୁରୋଧ କରିବା ପରେ ଉଦ୍ଧବ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହିତ ଜାମିଆ ବିଶ୍ବ ବିଦ୍ୟାଳୟରେ ଆକ୍ରମଣକୁ ଉଦ୍ଧବ ନିନ୍ଦା କରିଥିଲେ । (ଏଜେନ୍ସୀ)

Categories
ବିଶେଷ ଖବର

ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ରେକର୍ଡର କୌଣସି ସମ୍ପର୍କ ନାହିଁ କି?

କେଦାର ମିଶ୍ର

ଗତକାଲି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ସଂସଦରେ ତାଙ୍କ ଦଳ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଭୋଟ ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଜାତୀୟ ନାଗରିକ ରେକର୍ଡ ବା ଏନଆରସିକୁ ସମର୍ଥନ କରିବ ନାହିଁ। ନବୀନ ବାବୁଙ୍କ ମତରେ ନାଗରିକତା ସଂଶୋଧନ ଆଇନରେ ଭାରତର କୌଣସି ନାଗରିକ ପ୍ରଭାବିତ ହେବେନାହିଁ, କାରଣ ଏହା କେବଳ ବିଦେଶୀଙ୍କ ପାଇଁ ଲାଗୁ ହେବ ବୋଲି ବ୍ୟବସ୍ଥା ରହିଛି। ଆପାତତଃ ନବୀନ ବାବୁ ଠିକ କହୁଛନ୍ତି। ନାଗରିକ ସଂଶୋଧନ ଆଇନର କୌଣସି ପ୍ରଭାବ ଭାରତୀୟ ନାଗରିକଙ୍କ ଉପରେ ପଡିବ ନାହିଁ। ତେବେ ଏହି ଆଇନକୁ ବିରୋଧ କରିବାର କାରଣ ଆଦୌ ସ୍ଵଦେଶୀ ବା ବିଦେଶୀ ନୁହେଁ, ବରଂ ଏହି ଆଇନକୁ ବିରୋଧ କରିବାର ଏକମାତ୍ର କାରଣ ହେଉଛି, ଏହା ନାଗରିକତାର ବିଚାର ପାଇଁ ଧର୍ମକୁ ଏକ ଯୋଗ୍ୟତା ଭାବେ ଗ୍ରହଣ କରିଛି। ଜଣେ ବିଦେଶୀ ଭାରତର ନାଗରିକତା ଗ୍ରହଣ କରିବାର ଏକମାତ୍ର ଯୋଗ୍ୟତା ହେଉଛି, ସେ ଆମର ସମ୍ବିଧାନକୁ ମାନିବା ସହିତ ଆମର ସାର୍ବଭୌମତ୍ଵକୁ ଅନ୍ତଃକରଣରେ ସ୍ଵୀକାର କରିବ। ଭାରତ ପ୍ରତି ସେ ନିଜର ନିଷ୍ଠା ଓ ପ୍ରେମ ପ୍ରମାଣିତ କରିଥିବ । ଏହା ବ୍ୟତୀତ ଅନ୍ୟ କୌଣସି ଯୋଗ୍ୟତା ନାଗରିକତା କ୍ଷେତ୍ରରେ ବିବେଚିତ ହେବା ଆମ ସମ୍ବିଧାନର ବିରୋଧାଚରଣ କରୁଛି ଓ କରିବ।

ସମ୍ବିଧାନର ଧାରା ୧୪ ଓ ୧୫ ଅନୁଯାୟୀ ସମାନତାର ଅଧିକାର ନାଗରିକତା କ୍ଷେତ୍ରରେ ସବୁଠୁ ଅପରିହାର୍ୟ ଉପାଦାନ। ଯେଉଁ ମାନଙ୍କୁ ନୂଆ ନାଗରିକତା ଦେବାର କଥା ଉଠିବ ସେଥିରେ ଧାରା ୧୪ ଓ ୧୫ ପ୍ରଯୁଜ୍ୟ ନୁହେଁ ବୋଲି ବିଜେପି ଯୁକ୍ତି କରୁଛି। ଏହି ଯୁକ୍ତି ପଛରେ ସବୁଠୁ ବଡ ଷଡଯନ୍ତ୍ର ରହିଛି। ବିଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ଦେବା ପ୍ରସଙ୍ଗରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନକୁ ଗୋଟେ ଭିନ୍ନ ୟୁନିଟ ଭାବରେ ଗ୍ରହଣ କରିବାର କାରଣ କଣ? ବିଜେପିର ଯୁକ୍ତି ହେଲା ଏହି ତିନୋଟି ଦେଶ ମୁସଲମାନ ସଂଖ୍ୟାଗରିଷ୍ଠ ଦେଶ ହୋଇଥିବାରୁ ଏ ନିୟମ ଜରୁରୀ। ତେବେ ଆରବ ରାଜ୍ୟ ବା ଇଣ୍ଡୋନେସିଆ ବା ମାଲେସିୟା ଭଳି ଦେଶ କ୍ଷେତ୍ରରେ ଏହା ଲାଗୁ ହେବନାହିଁ କାହିଁକି? କାଲି ଇଣ୍ଡୋନେସିଆ ବା ମାଲେସିଆରେ ରହୁଥିବା ହିନ୍ଦୁ, ବୌଦ୍ଧ, ପାର୍ସି, ଶିଖ, ଜୈନ ବା ଖ୍ରୀଷ୍ଟିୟାନ ନିର୍ୟାତିତ ହୋଇ ଭାରତକୁ ଶରଣ ମାଗିଲେ ଆଉ ଗୋଟେ ଅଲଗା ନିୟମ ତିଆରି ହେବ କି? ଆମର ଅନ୍ୟ ତିନି ପଡୋଶୀ ମିଆଁମାର, ନେପାଳ ଓ ଶ୍ରୀଲଙ୍କାରେ ପାଇଁ ଏ ଆଇନ ଲାଗୁ ହେବନାହିଁ କାହିଁକି? ତିନୋଟି ନିର୍ଦ୍ଦିଷ୍ଟ ମୁସଲମାନ ବହୁଳ ଦେଶରୁ କେବଳ ଅଣ ମୁସଲମାନଙ୍କୁ ନାଗରିକତା ଦେବାର ସର୍ତ୍ତ ରଖିବା ଫଳରେ ଏହି ଆଇନ ଯେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଉଦ୍ଦେଶ୍ୟ କରି ତିଆରି ହୋଇଛି, ତାହା ଅତ୍ୟନ୍ତ ସ୍ପଷ୍ଟ। ଭାରତର ସମ୍ବିଧାନ ଧାର୍ମିକ ଉଦ୍ଦେଶ୍ୟ ରାଖୀ ତିଆରି ହୋଇଥିବା ଆଇନକୁ ସବୁବେଳେ ଅସ୍ଵୀକାର କରେ। ତେଣୁ ସମ୍ବିଧାନ ଆଧାରରେ ଏ ଆଇନକୁ ବିରୋଧ କରିବା ପ୍ରତ୍ୟେକ ଭାରତୀୟର ପ୍ରଥମ କର୍ତ୍ତବ୍ୟ।

ପୁନଶ୍ଚ ଏହି ଆଇନ ସହିତ ଜାତୀୟ ନାଗରିକ ରେକର୍ଡର କୌଣସି ସମ୍ପର୍କ ନାହିଁ ବୋଲି ଯେଉଁମାନେ କହୁଛନ୍ତି, ସେମାନେ ଭ୍ରମରେ ଅଛନ୍ତି। ଏହି ଆଇନ ଜନ୍ମ ନେଇଛି ଆସାମରେ ଜାତୀୟ ନାଗରିକ ରେକର୍ଡ ତିଆରି କରିବାର ନିର୍ବୋଧତାରୁ। ଆସାମରେ କୋଟି କୋଟି ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି ବୋଲି ବିଜେପି ଓ ସଂଘ ପରିବାର ଯେଉଁ ପ୍ରଚାର କରୁଥିଲେ, ତାର ଅସଲ ମୁଖା ଆସାମ ଏନଆରସି ତଥ୍ୟ ଖୋଲି ଦେଇଥିଲା। ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରି ଆସାମରେ ଯେଉଁ ରେକର୍ଡ ପ୍ରସ୍ତୁତ କରାଗଲା ସେଥିରୁ ମାତ୍ର ୧୯ ଲକ୍ଷ ଲୋକ ନିଜର ନାଗରିକତା ପ୍ରମାଣିତ କରି ପାରିନାହାନ୍ତି। ବିଜେପିର ମୁଣ୍ଡ ବିନ୍ଧା ସେତେବେଳେ ଅଧିକ ବଢିଗଲା, ଯେତେବେଳେ ଜଣାପଡିଲା ଯେ ୧୯ ଲକ୍ଷ ଅନୁପ୍ରବେଶକାରୀଙ୍କ ଭିତରୁ ପ୍ରାୟ ୧୩ ଲକ୍ଷ ହିନ୍ଦୁ ବା ଅଣମୁସଲମାନ ରହିଛନ୍ତି। ସେମାନଙ୍କୁ ନାଗରିକତା ଦେବାର ଅଭିସନ୍ଧିରୁ ଏହି ବିଲ କୁ ଆଇନରେ ପରିଣତ କରିବାର ଯୋଜନା ଆରମ୍ଭ ହୋଇଥିଲା।

ସାରା ଦେଶ ଏହି ଆଇନକୁ ସାମ୍ବିଧାନିକ ଦୃଷ୍ଟିରୁ ବିରୋଧ କରୁଥିବା ବେଳେ ଆସାମ ଓ ଉତ୍ତର ପୂର୍ବ ରାଜ୍ୟ ଗୁଡିକ କୌଣସି ଅନୁପ୍ରବେଶକାରୀଙ୍କୁ ନାଗରିକତା ନ ଦେବାକୁ ଦାବି କରୁଛନ୍ତି। ତେଣୁ ଜାତୀୟ ନାଗରିକତା ରେକର୍ଡ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି କହିବାର ଅର୍ଥ ହେଉଛି ନିଜକୁ ନିଜେ ପ୍ରବଞ୍ଚନା ଦେବା।

ଅମିତ ଶାହ ଅନେକ ଥର ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକ ରେକର୍ଡକୁ ଏକାଠି ଦେଖିବାର କଥା କହିଛନ୍ତି। ହଠାତ ଭାରତକୁ ଅନୁପ୍ରବେଶକାରୀଙ୍କର ଏକ ଦେଶ ବୋଲି କହିବାର ଏକ ଷଡଯନ୍ତ୍ର ଏବେ ଆରମ୍ଭ ହୋଇଛି। ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରତ୍ୟେକ ନାଗରିକଙ୍କୁ ସନ୍ଦେହ କରାଯାଉ ବୋଲି ବିଜେପି ଓ ସଂଘ ପରିବାର ଚାହୁଁଛନ୍ତି। ବିଜେପିର ଏହି ଷଡଯନ୍ତ୍ର ପଛରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବୈଚାରିକ ଆଧାର ରହିଛି। ସେ ସମ୍ପର୍କରେ ନବୀନ ପଟ୍ଟନାୟକ ବା ବିଜୁ ଜନତା ଦଳ ଯଦି ଜାଣି ନାହାନ୍ତି, ତାହେଲେ ସେମାନେ ଇତିହାସ-ଅନ୍ଧ ବୋଲି ଆମକୁ ଭାବିନେବାକୁ ପଡିବ।

ନାଗରିକତା ସଂଶୋଧନ ଆଇନ ସହିତ ଜାତୀୟ ନାଗରିକ ରେକର୍ଡର ଗଭୀର ସମ୍ପର୍କ ରହିଛି। ଗୋଟାଏ କୁ ସମର୍ଥନ କରି ଆରଟିକୁ ବିରୋଧ କରିବାର ଅର୍ଥ ହେଉଛି, ଦେଶର ସମ୍ବିଧାନ ତିଆରି କରିଥିବା ମୌଳିକ ଧର୍ମନିରପେକ୍ଷ ଆଧାରକୁ ଦୋହଲାଇ ଦେବା।