Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀ ଇସଲାମାବାଦ ସହ କାମ କରିବାକୁ ଚାହୁଁଛି: ଶୋଏବ ଅଖତର

ଲାହୋର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗିରହିଥିବାବେଳେ ପୂର୍ବତନ କ୍ରିକେଟର ଶୋଏବ ଅଖତର ବିଶ୍ବାସ କରୁଛନ୍ତି ଯେ ଭାରତର ପ୍ରଗତି ପଥ ପାକିସ୍ତାନ ଦେଇ ଗତି କରୁଛି ଏବଂ ସେଥିପାଇଁ ନୂଆଦିଲ୍ଲୀ ଇସଲାମାବାଦ ସହ କାମ କରିବାକୁ ଚାହୁଁଛି।

ଅବସର ପରେ ଭାରତରେ ଖେଳ ସମୀକ୍ଷକ ଭାବରେ କାର୍ଯ୍ୟ କରିଥିବା ଅଖତର ମଧ୍ୟ ବିଶ୍ୱାସ କରନ୍ତି ଯେ ଭାରତୀୟ ନାଗରିକମାନେ ପାକିସ୍ତାନ ସହିତ କୌଣସି ଶତ୍ରୁତା କିମ୍ବା ଯୁଦ୍ଧ ଚାହୁଁ ନାହାଁନ୍ତି। “ଭାରତ ଏକ ଉତ୍ତମ ସ୍ଥାନ, ଲୋକମାନେ ମଧ୍ୟ ବହୁତ ଭଲ। କିନ୍ତୁ, ଭାରତର ଗଣମାଧ୍ୟମ ଏହାକୁ ଏପରି ଉପସ୍ଥାପନ କରନ୍ତି, ଅନୁଭବ ହୁଏ ଯେମିତି କି, ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆସନ୍ତାକାଲି ଯୁଦ୍ଧ ହେବ। ପାକିସ୍ତାନୀ ଟିଭି ସୋ ସମୟରେ ଶୋଏବ ଏହା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ସମଗ୍ର ଭାରତରେ ଭ୍ରମଣ କରିଛି, ଦେଶକୁ ଅତି ନିକଟରୁ ଦେଖିଛି, ମୁଁ ଆଜି କହିପାରେ, ଭାରତ ପାକିସ୍ତାନ ସହ କାମ କରିବାକୁ ଚାହୁଁଛି। ଭାରତର ପ୍ରଗତି ପଥ ପାକିସ୍ତାନ ଦେଇ ଗତି କରୁଛି, ଏହା ମୁଁ ନିଶ୍ଚିତ। “ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାଭାଇରସ୍ ମହାମାରୀ ଯୋଗୁଁ ଭାରତ ବହୁ କ୍ଷତି ସହିବ। ବର୍ତ୍ତମାନ ସୁଦ୍ଧା ଭାରତରେ ଦୁଇଜଣ କରୋନାଭାଇରସ୍ ଆକ୍ରାନ୍ତରେ ପ୍ରାଣ ହରାଇଥିବା ବେଳେ ୧୧୦ ଜଣ କରୋନାଭାଇରସ୍ ଭୂତାଣୁରେ ଆକ୍ରାନ୍ତ ଅଛନ୍ତି।

ପାକିସ୍ତାନର ପୂର୍ବତନ ସ୍ପିଡଷ୍ଟର ପୂର୍ବରୁ କରୋନାଭାଇରସ ମଣିଷକୁ ସଂକ୍ରମିତ କରିବା ପାଇଁ ଚୀନ୍ କୁ ଦାୟୀ କରିଥିଲା। ସେ ଚୀନ ଲୋକଙ୍କୁ ଏକ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି, ‘ମୁଁ ବୁଝିପାରୁ ନାହିଁ ଯେ ଆପଣ କିପରି ବାଦୁଡି, କୁକୁର ଏବଂ ବିଲେଇମାନଙ୍କୁ ଖାଇପାରିବେ। ଯାହାଫଳରେ ପୃଥିବୀସାରା କରୋନା ଭୂତାଣୁ ବିସ୍ତାର ହୋଇଛି। ବର୍ତ୍ତମାନ ଏଥିପାଇଁ ସମଗ୍ର ବିଶ୍ୱ ବିପଦରେ ପଡିଛି। ପର୍ଯ୍ୟଟନ, ଶିଳ୍ପ, ଅର୍ଥନୀତି ପ୍ରଭାବିତ ହୋଇଛି ଏବଂ ସମଗ୍ର ବିଶ୍ୱ ତାଲା ପଡିବାକୁ ଯାଉଛି। ମୁଁ ଚୀନ୍ ଲୋକଙ୍କ ବିରୋଧୀ ନୁହେଁ କିନ୍ତୁ ପଶୁମାନଙ୍କୁ ଏପରି ମାରି ଖାଉଥିବାରୁ ମୁଁ ବିରୋଧ କରୁଛି। ମୁଁ ବୁଝିପାରୁଛି ଏହା ହୁଏତ ଆପଣଙ୍କର ସଂସ୍କୃତି ହୋଇପାରେ କିନ୍ତୁ ଏହା ବର୍ତ୍ତମାନ ଆପଣଙ୍କ ପାଇଁ ଲାଭଦାୟକ ନୁହେଁ, ଏହା ମାନବିକତାକୁ ହତ୍ୟା କରୁଛି। ସେଠାରେ କିଛି ନିୟମ ରହିବା ଆବଶ୍ୟକ।

ଚୀନ୍‌ର ୱୁହାନ୍‌ ସହରରୁ ଉତ୍ପନ୍ନ କରୋନାଭାଇରସ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ରୁ ଅଧିକ ଦେଶରେ ବ୍ୟାପିଛି, ଯେଉଁଥିରେ ୧,୭୦,୦୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇ ୬,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। (ଏଜେନ୍ସି)