କେଦାର ମିଶ୍ର
ବିଜେପିର ରାଜନୀତି, କେବେହେଲେ ସକାରାତ୍ମକ ବା ଗଠନମୂଳକ ରାଜନୀତି ନଥିଲା। ବିଜେପି ଓ ଏହାର ପ୍ରାକ୍ତନ ଅବତାର ଜନସଙ୍ଘ ସବୁବେଳେ ବିଭାଜନର ରାଜନୀତିରେ ବିଶ୍ଵାସ କରି ଆସିଛନ୍ତି। ଯଦିଓ ରାଜନୀତିରେ ବିଭାଜନ ବା ସୋସିଆଲ ଇଞ୍ଜିନିୟରିଂର ଏକ ଭିନ୍ନ ଭୂମିକା ସବୁବେଳେ ରହି ଆସିଛି, ବିଜେପି ରାଜନୀତିରେ ଏହା ଧାର୍ମିକ ବିଭେଦ ସୃଷ୍ଟି କରି ଏକ ଭୟଙ୍କର ସାମାଜିକ ବିଦ୍ଵେଷ ସୃଷ୍ଟି କରିବାର ଅନେକ ଉଦାହରଣ ରହିଛି। କ୍ଷମତା ଦଖଲ କରିବାକୁ ଭାରତ ଭିତରେ ପାକିସ୍ତାନକୁ କେନ୍ଦ୍ର କରି ଏକ ଅଦ୍ଭୁତ ରାଜନୀତି ବିଜେପି ଓ ଏହାର ସମର୍ଥକମାନେ ତିଆରି କରିବାରେ ସଫଳ ହୋଇଛନ୍ତି। ନିଜର ରାଜନୈତିକ ବିରୋଧୀଙ୍କୁ ପାକିସ୍ତାନର ସମର୍ଥକ ବୋଲି କହିବାର ଏକ ନାଟକୀୟ ସୂତ୍ର ବିଜେପି ପାଖରେ ରହିଛି। ଏହା ରାଜନୀତିରୁ ଆସି ଏବେ ପ୍ରଶାସନକୁ ମଧ୍ୟ ଗିଳିବା ଆରମ୍ଭ କଲାଣି। ନାଗରିକ ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଉତ୍ତର ପ୍ରଦେଶ ପୋଲିସ “ପାକିସ୍ତାନ ଚାଲିଯାଅ’’ ବୋଲି କହୁଥିବାର ଦେଖିବା ପରେ ଏ ବିଷ ଯେ କେତେ ଭୟାନକ ସ୍ତରରେ ପହଞ୍ଚିଲାଣି ତାହା ବୁଝି ହେଉଛି।
ଏବେ ସବୁ କଥାରେ ପାକିସ୍ତାନକୁ ନେଇ ଆମର ଚର୍ଚ୍ଚା ଆରମ୍ଭ ହେଉଛି ଏବଂ ସେଥିରେ ଶେଷ ମଧ୍ୟ ହେଉଛି। ପାକିସ୍ତାନ ସହିତ ଯଦିଓ ଆମର କୂଟନୈତିକ ସମ୍ପର୍କ ଅବ୍ୟାହତ ରହିଛି ତଥାପି ରାଜନୀତିରେ ଆମକୁ ଏମିତି ଦେଖା ଯାଉଛି, ସତେକି ଆମେ ପାକିସ୍ତାନର ଛାଇ ମାଡିବାକୁ ମଧ୍ୟ ପ୍ରସ୍ତୁତ ନୋହୁ। ଏବେ ପାକିସ୍ତାନ ସହିତ ବାଂଲାଦେଶକୁ ମଧ୍ୟ ବିଜେପି ନିଜର ନୂଆ ଶତ୍ରୁ ତାଲିକାରେ ରଖିବା ଆରମ୍ଭ କରିଛି। ନୂଆ ନାଗରିକତା ଆଇନ ଆସିବା ପରେ, ଏବେ ଭାରତର ଆଭ୍ୟନ୍ତରୀଣ ରାଜନୀତିରେ ବାଂଲାଦେଶ ବିରୋଧରେ ସର୍ବାଧିକ ବୟାନବାଜି ଦେଖିବାକୁ ମିଳୁଛି। ଆଜିର ସମୟରେ ବାଂଲାଦେଶ ବିରୋଧୀ ମନ୍ତବ୍ୟ ଦେବାର ନେତୃତ୍ଵ ଖୋଦ ଗୃହମନ୍ତ୍ରୀ ଅମିତ ଶାହ ନେଉଛନ୍ତି।
ଆସାମ ଏବଂ ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ବାଂଲାଦେଶରୁ ଯେଉଁ ଅନୁପ୍ରବେଶକାରୀ ରହୁଛନ୍ତି, ସେମାନଙ୍କୁ ଧର୍ମ ଆଧାରରେ ନାଗରିକତା ଦେବାକୁ ବିଜେପି ସରକାର ଚାହୁଁଛନ୍ତି। ଏହାକୁ ଉତ୍ତର ପୂର୍ବରେ କଡା ବିରୋଧ କରାଯାଉଛି। ଧର୍ମ ଓ ଜାତି ଆଧାରରେ କୌଣସି ଅନୁପ୍ରବେଶକାରୀଙ୍କୁ ଆସାମରେ ରହିବାର ସୁଯୋଗ ଦିଆଯିବ ନାହିଁ ବୋଲି ଆନ୍ଦୋଳନ ଚାଲିଛି। ଉତ୍ତର ପୂର୍ବରେ ବାଂଲାଦେଶ ବିରୋଧୀ ମତ ପ୍ରବଳ ରହିଛି। ପ୍ରାରମ୍ଭିକ ଭାବରେ ଯେତେବେଳେ ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ଆସାମରେ ଆନ୍ଦୋଳନ ବ୍ୟାପକ ହେଲା, ସେତେବେଳେ ଭାରତ ଗସ୍ତରେ ଆସିବାକୁ ଥିବା ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ତାଙ୍କର ଗସ୍ତ ବାତିଲ କରିଥିଲେ।
ବାଂଲାଦେଶର ସରକାର ଏ ବିଷୟରେ ମପାଚୁପା ପ୍ରତିକ୍ରିୟା ରଖୁଥିଲେ ମଧ୍ୟ ସେଠିକାର ରାଜନୀତିରେ ଭାରତରେ ଚାଲିଥିବା ବାଂଲାଦେଶ ବିରୋଧୀ ମତକୁ ନେଇ ଉତ୍ତେଜନା ଆରମ୍ଭ ହୋଇଛି। ରୋହିଙ୍ଗିୟା ଅନୁପ୍ରବେଶକାରୀ ଏବଂ ଆସାମ ଜାତୀୟ ନାଗରିକତା ପଞ୍ଜିକରଣ ରେକର୍ଡ ପରେ ବାଦ ପଡିଥିବା ୧୯ ଲକ୍ଷ ଲୋକଙ୍କୁ ସିଧା ସିଧା ବାଂଲାଦେଶୀ ବୋଲି କୁହାଯାଉଥିବାରୁ, ବାଂଲାଦେଶ ଏହାକୁ ନାପସନ୍ଦ କରୁଛି। ସେହିପରି ପାକିସ୍ତାନ ସହିତ ବାଂଲାଦେଶକୁ ତୁଳନା କରିବା ଓ ବିଜେପି ବାଂଲାଦେଶୀ ମୁସଲମାନଙ୍କୁ ମଧ୍ୟ ଆତଙ୍କବାଦୀ ବୋଲି ଅପପ୍ରଚାର କରିବାର ପ୍ରଭାବ ଉଭୟ ଦେଶର ବନ୍ଧୁତାକୁ ପ୍ରଭାବିତ କରୁଛି।
ବାଂଲାଦେଶ ଗଠନରେ ଭାରତର ବହୁତ ବଡ ଅବଦାନ ରହିଥିବାରୁ ଉଭୟ ଦେଶ ମଧ୍ୟରେ ସବୁବେଳେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଆସିଥିଲା। ନିଜର ସାମ୍ପ୍ରଦାୟିକ ରାଜନୀତିକୁ ତେଜେଇ ରଖିବା ପାଇଁ ବିଜେପି ଏବେ ପାକିସ୍ତାନ ସହିତ ବାଂଲାଦେଶକୁ ମଧ୍ୟ ଗୋଟିଏ ବନ୍ଧନୀରେ ରଖୁଛି। ପୂର୍ବ ପାକିସ୍ତାନ ବା ଆଜିର ବାଂଲାଦେଶକୁ ସଂଖ୍ୟାଲଘୁ ବିରୋଧୀ ବୋଲି ବିଜେପି ତରଫରୁ ବାରମ୍ବାର ପ୍ରଚାର କରାଯାଉଛି।ବାଂଲାଦେଶରେ ହିନ୍ଦୁମାନଙ୍କୁ ନିର୍ୟାତିତ ଓ ବିତାଡିତ କରାଯାଉଥିବାରୁ ନାଗରିକତା ସଂଶୋଧନ ଆଇନ ଭାରତ ଆଣିବାକୁ ବାଧ୍ୟ ହୋଇଛି ବୋଲି ଯାହା କୁହାଯାଉଛି, ସେଥିରେ ବାଂଲାଦେଶର ଭାବମୂର୍ତ୍ତି କ୍ଷୁଣ୍ଣ ହେଉଥିବାର ଅଭିଯୋଗ ଆସୁଛି।
ଅପର ପକ୍ଷରେ ପାକିସ୍ତାନ ନିଜକୁ ଏକ ଇସ୍ଲାମିକ ରାଷ୍ଟ୍ର ଭାବରେ ଘୋଷଣା କରିଥିବା ବେଳେ ବାଂଲାଦେଶ ନିଜକୁ “ସମାଜବାଦୀ –ଧର୍ମ ନିରପଏଖ-ଗଣତାନ୍ତ୍ରିକ” ରାଷ୍ଟ୍ର ବୋଲି ସାମ୍ବିଧାନିକ ଭାବେ ଗ୍ରହଣ କରିଛି। ସେହି ହିସାବରେ ଦେଖିଲେ, ବାଂଲାଦେଶକୁ ବାରମ୍ବାର ସମାଲୋଚନା କରିବା ବିଜେପି ର ଅପରିଣାମଦର୍ଶୀ ରାଜନୀତି କଥା ପ୍ରମାଣିତ କରୁଛି।
ଭାରତ ଓ ବାଂଲାଦେଶ ମଧ୍ୟରେ ରହିଥିବା ବନ୍ଧୁତାକୁ ବଜାୟ ରଖିବା ଭାରତର ପ୍ରଥମ ଆବଶ୍ୟକତା ହେବା ଉଚିତ। ନାଗରିକତା ସଂଶୋଧନ ଆଇନ ଏହି ବନ୍ଧୁତା ଆଗରେ ଏକ ବଡ ସନ୍ଦେହ ଠିଆ କରିଛି। ଇତି ମଧ୍ୟରେ ବଂଗୋପ ସାଗର ତଥା ଭାରତ ମହାସାଗର ଅଞ୍ଚଳରେ ନିଜର ପତିଆରା ବଢାଇବାକୁ ଚୀନ ଆମର ପଡୋଶୀ ଦେଶ ଶ୍ରୀଲଙ୍କା ଓ ବାଂଲାଦେଶରେ ପ୍ରଚୁର ପୁଞ୍ଜି ଲଗାଉଛି। ଭାରତର ବାଂଲାଦେଶ ବିରୋଧୀ ମନୋଭାବ ଏହି ଦେଶରେ ଚୀନର ପତିଆରା ବଢାଇବ ବୋଲି ଆମ ନେତୃତ୍ଵ ବୁଝି ପାରୁନାହାନ୍ତି କି?
ପଡୋଶୀ ଦେଶ ଗୁଡିକ ସହିତ ଶାନ୍ତି ଓ ସଦଭାବନା ଦେଶର ଅର୍ଥନୈତିକ ବିକାଶ ଲାଗି ଅତ୍ୟନ୍ତ ଜରୁରୀ। ହେଲେ ନିଜର ରାଜନୈତିକ ସ୍ଵାର୍ଥ ଲାଗି ଓ ଅହଙ୍କାରର ରାଜନୀତିକୁ ଗୌରବମଣ୍ଡିତ କରିବାର ବେକାର ଲକ୍ଷ୍ୟରେ ଶାସକ ବିଜେପି ନିରନ୍ତର ଶତ୍ରୁତାର ବାତାବରଣକୁ ବଞ୍ଚାଇ ରଖିବାକୁ ଚାହୁଁଛି। ଏଥିରେ ଦେଶର କ୍ଷତି ହିଁ ସର୍ବାଧିକ, ଏକଥା ବିଜେପି ବୁଝିବାକୁ ଚାହୁଁନାହିଁ।