Categories
ଜାତୀୟ ଖବର ରାଜ୍ୟ ଖବର

ଆଜିଠାରୁ ଭୁବନେଶ୍ବରରେ ସ୍ପେସ୍ ଅନ୍ ହୁଇଲ ପ୍ରଦର୍ଶନୀର ଶୁଭାରମ୍ଭ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଇସ୍ରୋର ୩ ଦିନିଆ ସ୍ପେସ୍ ଅନ୍ ହୁଇଲ୍ ପ୍ରଦର୍ଶନୀ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ), ମହାକାଶ ପ୍ରୟୋଗ କେନ୍ଦ୍ର, ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀ କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୩ , ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ। ଏଥିର ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଦ୍ୟା, ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଓ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଉଦଘାଟକ ଭାବେ ଯୋଗଦାନ କରିବେ ।

ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା,  ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟୀ ମେୟର ଶ୍ରୀମତୀ ମଂଜୁଲତା କଂଅର, ଜିଲ୍ଲାପାଳ, ଖୋର୍ଦ୍ଧା କେ. ସୁଦର୍ଶନ ଚକ୍ରବର୍ତ୍ତୀ, ମୁଖ୍ୟ ବକ୍ତାଭାବେ ଇସ୍ରୋର ଗ୍ରୁପ୍ ଡାଇରେକ୍ଟର (ଆର.ପି.ସି.ଜି) ଡଃ. ପାରୁଲ ପଟେଲ ଯୋଗଦେବାକୁଥିବା ବେଳେ ଓଡିଶା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗର ବରିଷ୍ଠ ବୈଜ୍ଞାନିକ ଶ୍ରୀ ଲକ୍ଷ୍ମୀ ନାରାୟଣ ପାଢୀ ଅତିଥି ଭାବେ ଉପସ୍ଥିତ ରହିବେ।

ଏହି ପ୍ରଦର୍ଶନୀ ପରିପ୍ରେକ୍ଷୀରେ କ୍ୟାପିଟାଲ ହାଇ ସ୍କୁଲ, ୟୁନିଟ୍-୩ ଠାରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏହି ପ୍ରଦର୍ଶନୀ ଫେବୃୟାରୀ ୧୨ରୁ ୧୪ ତାରିଖ ପର‌୍ୟ୍ୟନ୍ତ ଚାଲିବ । ପ୍ରଦର୍ଶନୀ ୧୨ ଓ ୧୩ ତାରିଖରେ ପ୍ରତ୍ୟହ ସକାଳ ୯ ରୁ ଅପରାହ୍ଣ ୫ଟା ଓ ୧୪ତାରିଖରେ ମଧ୍ୟାହ୍ନ ୧୨ ଟା ପର‌୍ୟ୍ୟନ୍ତ ଖୋଲା ରହିବ କ୍ଷ ୧୨ ଓ ୧୩ ତାରିଖ ଅପରାହ୍ଣ ୪ ଟାରୁ ସଂଧ୍ୟା ୬ ଟା ପର‌୍ୟ୍ୟନ୍ତ ଏହି ପ୍ରଦର୍ଶନୀକୁ ସାଧାରଣ ଦର୍ଶକମାନେ ମଧ୍ୟ ଦେଖିପାରିବେ ।

ପ୍ରକାଶ ଥାଉକି , ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ମହାକାଶ ଓ ମହାକାଶ ବିଜ୍ଞାନ ସମ୍ପକିତ ସୂଚନା ପ୍ରଦାନ ଓ ଜ୍ଞାନ ଆହରଣ କରାଇବା, ୫୦ବର୍ଷ ଧରି ଭାରତୀୟ ମହାକାଶ ବିଜ୍ଞାନର ସଫଳତାକୁ ଲୋକଲୋଚନକୁ ଆଣିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ କ୍ଷ ମହାକାଶ ଗବେଷଣାର ଇତିହାସ,ମହାକାଶକୁ ଯାତ୍ରା, ଉପଗ୍ରହକୁ ସଂସ୍ଥାପିତ କରୁଥିବା ଯାନ, ପାରସ୍ପରିକ ଆଲୋଚନା, ମଡେଲ ଏବଂ ବିଶେଷଜ୍ଞଙ୍କ ସହିତ ଆଲୋଚନା, ବିଷୟଭିତ୍ତିକ ଆଲୋଚନା, ଭିଡିଓ ଚିତ୍ର ଆଦି ଏହି ପ୍ରଦର୍ଶନୀ ଦିନମାନଙ୍କରେ ପ୍ରଦର୍ଶିତ ହେବ ।ପ୍ରଦର୍ଶନୀକୁ ପ୍ରତିଦିନ ପ୍ରାୟ ୧୪୦୦ ଛାତ୍ର ଛାତ୍ରୀ ବିଭିନ୍ନ ପର‌୍ୟ୍ୟାୟରେ ବୁଲି ଦେଖିବା ସହ ସମ୍ପର୍କିତ ଉପରୋକ୍ତ ବିଭିନ୍ନ କାର‌୍ୟ୍ୟକ୍ରମରେ ସାମିଲ ହେବେ କ୍ଷ ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଇଁ ଏହି ସୁଯୋଗ ରହିଛି।

Categories
ଜାତୀୟ ଖବର ବିଶେଷ ଖବର

ଇସ୍ରୋର ବଡ ସଫଳତା, ଉତକ୍ଷେପଣ କଲା କ୍ଷୁଦ୍ର ସାଟେଲାଇଟ SSLV-D2

ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ISRO ଆଜି ଏକ ନୂଆ ରେକର୍ଡ କରିଛି। ପ୍ରଥମ ଥର ପାଇଁ ଇସ୍ରୋ ଏକ କ୍ଷୁଦ୍ର ସାଟେଲାଇଟ ଉତକ୍ଷେପଣ କରି ଏହି ରେକର୍ଡ କରିଛି। ଆଜି ସକାଳେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରୁ କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ SSLV-D2 ର ଉଡ଼ାଣ ସଫଳତାର ସହିତ କରିଛି।

ଆଜି ସକାଳ 9.18 ରେ ଏହି ଉତକ୍ଷେପଣ ହୋଇଥିଲା। SSLV-D2 ସଫଳତାର ସହିତ ତାହାର ଉଦ୍ଦିଷ୍ଟ କକ୍ଷପଥରେ ତିନୋଟି ସାଟାଲାଇଟ ରଖିଥିଲା। ସେଗୁଡିକ ହେଲା ଆର୍ଥ ଅବଜରଭେସନ୍ ସାଟେଲାଇଟ୍, ଜାନୁସ୍ -1 ଏବଂ ଚେନ୍ନାଇ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍ପେସ୍ କିଡ୍ସର ଆଜାଡିସାଟ -2 ରେ ସଫଳତାର ସହିତ ରଖିଥିଲା।

120 ମିଟର ଓଜନ ବିଶିଷ୍ଟ 34 ମିଟର ଉଚ୍ଚର SSLV-D2 ସତୀଶ ଧାୱନ ସ୍ପେସ୍ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ଉଡାଣ କରିଥିଲା। କଠିନ ଇନ୍ଧନ ଦ୍ୱାରା ଚାଳିତ ତିନୋଟି ପର୍ଯ୍ୟାୟ SSLV-D2 ରେ ଉପଗ୍ରହର ସଠିକ୍ ଇଞ୍ଜେକ୍ସନ୍ ପାଇଁ ତରଳ ଇନ୍ଧନ ଦ୍ୱାରା ଚାଳିତ ଏକ ବେଗ ଟ୍ରିମିଂ ମଡ୍ୟୁଲ୍ ମଧ୍ୟ ଅଛି।

ISRO ରେ ବୈଜ୍ଞାନିକ ଏବଂ ଅତିଥୀଗଣ ଏକତ୍ରିତ ହୋଇ ଏହି ଉଡାଣକୁ ଉପଭୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମହାକାଶ ଜଗତରେ ଇତିହାସ ସୃଷ୍ଟି କଲା ଭାରତ, ଉତକ୍ଷେପଣ ହେଲା ଦେଶର ପ୍ରଥମ ପ୍ରାଇଭେଟ ରକେଟ୍

ନୂଆଦିଲ୍ଲୀ: ISRO ଏବଂ ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ସ୍କାଇରୁଟ୍ ବେସରକାରୀ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି। ଦେଶର ପ୍ରଥମ ଘରୋଇ କ୍ଷେତ୍ରରେ ମିଶନ ସଫଳତାର ସହ ଉତକ୍ଷେପଣ ହୋଇଛି। ସ୍କାଏରୁଟ୍ ଏରୋସ୍ପେସ୍ ଦ୍ୱାରା ନିର୍ମିତ ବିକ୍ରମ ଏସ୍ ରକେଟ୍ ଦ୍ୱାରା ଏହି ମିଶନ୍ ଉତକ୍ଷେପଣ କରାଯାଇଛି। ଏହି ମିଶନରେ ତିନୋଟି ପେଲୋଡ୍ ଥିଲା ଏବଂ ଏହା ସବ ଅର୍ବିଟାଲ ମିଶନ ଥିଲା। ଅର୍ଥାତ୍ ଭୂପୃଷ୍ଠରୁ ୧୦୧ କିଲୋମିଟର ଦୂରରେ ପହଞ୍ଚିବା ପରେ ମିଶନ ସମୁଦ୍ରରେ ପଡିଥିଲା। ସମଗ୍ର ମିଶନର ଅବଧି ମାତ୍ର ୩୦୦ ସେକେଣ୍ଡ ଥିଲା।

Categories
ଆଜିର ଖବର ଜାତୀୟ ଖବର

ପ୍ରେରଣ ହେବାର କିଛି ସମୟ ପରେ SSLV ସହିତ କଟିଲା ସମ୍ପର୍କ, ଜାଣନ୍ତୁ କ’ଣ କହିଲା ଇସ୍ରୋ

ନୂଆଦିଲ୍ଲୀ: ସ୍ପେସ୍ ଏଜେନ୍ସିର ପ୍ରଥମ କ୍ଷୁଦ୍ର ଉପଗ୍ରହ ପ୍ରକ୍ଷେପଣ ଯାନ (SSLV) ଟର୍ମିନାଲ୍ ପର୍ଯ୍ୟାୟରେ ଏକ ‘ଡାଟା ଲସ୍’ ର ଶିକାର ହୋଇଛି ଏବଂ ତାହା ସହିତ ସମ୍ପର୍କ କଟିଯାଇଛି। ଏହି ସୂଚନା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ସଭାପତି ଏସ୍ ସୋମନାଥ ପ୍ରଦାନ କରିଛନ୍ତି। ଅବଶ୍ୟ, ଅବଶିଷ୍ଟ ତିନିଟି ପର୍ଯ୍ୟାୟ ଆଶା ଅନୁଯାୟୀ ଅନୁରୂପ ପ୍ରଦର୍ଶନ କରିଛି ଏବଂ ପ୍ରକ୍ଷେପଣ ଯାନ ଓ ଉପଗ୍ରହର ସ୍ଥିତି ଜାଣିବା ପାଇଁ ସ୍ପେସ୍ ଏଜେନ୍ସି ତଥ୍ୟ ବିଶ୍ଳେଷଣ କରୁଛି ବୋଲି ସେ କହିଛନ୍ତି। ମହାକାଶରେ ଏକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଏବଂ ଛାତ୍ରମାନଙ୍କ ଦ୍ୱାରା ବିକଶିତ ଉପଗ୍ରହକୁ SSLV-D1 / EOS-02 ବହନ କରିଛି।

ପ୍ରେରଣ ହେବାର କିଛି ମିନିଟ ପରେ ଶ୍ରୀହରିକୋଟାସ୍ଥିତ ମିଶନ ନିୟନ୍ତ୍ରଣ କେନ୍ଦ୍ରରେ ସୋମନାଥ କହିଛନ୍ତିଯେ, ସମସ୍ତ ପର୍ଯ୍ୟାୟ ଆଶାନୁରୂପ ପ୍ରଦର୍ଶନ କରିଥିଲା। ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ନିଜ ନିଜର କାର୍ଯ୍ୟ କରିଛି କିନ୍ତୁ ଟର୍ମିନାଲ୍ ପର୍ଯ୍ୟାୟରେ କିଛି ତଥ୍ୟ ହ୍ରାସ ହୋଇଥିଲା ଏବଂ ଆମେ ତଥ୍ୟ ବିଶ୍ଳେଷଣ କରୁଛୁ। ଆମେ ଶୀଘ୍ର ପ୍ରେରଣ ଯାନର କାର୍ଯ୍ୟଦକ୍ଷତା ଏବଂ ଉପଗ୍ରହର ସ୍ଥିତି ବିଷୟରେ ସୂଚନା ଦେବୁ। ଦୟାକରି ଅପେକ୍ଷା କରନ୍ତୁ। ଆମେ ଶୀଘ୍ର ଆପଣଙ୍କୁ ସମ୍ପୂର୍ଣ୍ଣ ବିବରଣୀ ଦେବୁ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଜି ମହାକାଶକୁ କ୍ଷୁଦ୍ର ସାଟେଲାଇଟ ଯାନ SSLV-D1କୁ ପ୍ରେରଣ କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ଏହାର କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ SSLV-D1 ମହାକାଶକୁ ପ୍ରେରଣ କରିଛି। ଏହା ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରେ ଥିବା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସକାଳ 9:18 ରେ ଉତକ୍ଷେପଣ କରାଯାଇଥିଲା।

SSLV-D1 ରକେଟରେ ସ୍ପେସ୍ କିଡଜ୍ ଇଣ୍ଡିଆର ଛାତ୍ର ଦଳ ଦ୍ୱାରା ବିକଶିତ କରାଯାଇଛି। ଏହା ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ EOS-02 ଏବଂ ଅନ୍ୟ ଏକ ଛୋଟ ଉପଗ୍ରହ ‘ଆଜାଦି-ସାଟ’ ବହନ କରିଥିଲା। 75 ଟି ଭାର ଧାରଣ କରିଥିବା ଆଜାଦିସାଟ୍ ’ଭାରତର 75 ଟି ଗ୍ରାମୀଣ ସରକାରୀ ବିଦ୍ୟାଳୟର 750 ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମାଣ କରାଯାଇଛି।

ବୈଜ୍ଞାନିକତା ସ୍ୱଭାବକୁ ଉତ୍ସାହିତ କରିବା ଏବଂ ଯୁବକ ଯୁବତୀଙ୍କ ପାଇଁ ସ୍ପେସ୍ ଗବେଷଣାକୁ ସେମାନଙ୍କ ବୃତ୍ତି ଭାବରେ ବାଛିବା ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ 75 ତମ ସ୍ବାଧୀନତା ଦିବସ ଉତ୍ସବ ପାଇଁ ଏହି ପ୍ରକଳ୍ପ ସ୍ୱତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି।

ଶ୍ରୀହାରିକୋଟା ଠାରେ ଲଞ୍ଚ ହେବା ପରେ ISRO ର ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି ଯେ, SSLV – D1 ମିଶନର ତିନୋଟି ପର୍ଯ୍ୟାୟ ସମାପ୍ତ ହୋଇଛି। ସେ କହିଛନ୍ତି, SSLV-D1 ସମସ୍ତ ପର୍ଯ୍ୟାୟରେ ଆଶା କରାଯାଉଥିବା ପରି ପ୍ରଦର୍ଶନ କରିଥିଲା। ସେ କହିଛନ୍ତି ଯେ ମିଶନର ଟର୍ମିନାଲ ପର୍ଯ୍ୟାୟରେ କିଛି ଡାଟା ହ୍ରାସ ଘଟୁଛି ଏବଂ ଏକ ସ୍ଥିର କକ୍ଷପଥ ହାସଲ କରିବା ସହିତ ମିଶନର ଅନ୍ତିମ ଫଳାଫଳ ଶେଷ କରିବାକୁ ସେମାନେ ଏହା ଉପରେ ନଜର ରଖିଛନ୍ତି।

ବର୍ଷା ସହିତ ମେଘୁଆ ଆକାଶ ମଧ୍ୟରେ ଏହି ରକେଟ୍ ମହାକାଶକୁ ପ୍ରେରଣ କରାଯାଇଥିଲା। ଗର୍ଜ୍ଜନ କରି ଯେତେବେେଳେ ଏହା ଆକାଶ ଉପରକୁ ଉଠିଥିଲା ସେତେବେଳେ ଏହା ସହିତ ଜଡିତ ପ୍ରତିଟି ଅଧିକାରୀ ତାଳିମାରି ସ୍ବାଗତ କରିଥିଲେ। ଏହି ରକେଟର ଉଚ୍ଚତା 34 ମିଟର ଏବଂ ଓଜନ ପ୍ରାୟ 120 ଟନ୍। ସର୍ବାଧିକ ପରିବହନ କ୍ଷମତା 500 କିଲୋଗ୍ରାମ।

Categories
ଜାତୀୟ ଖବର ବିଶେଷ ଖବର

ଫେଲ ମାରିଲା ଇସ୍ରୋର EOS-3 ଉତକ୍ଷେପଣ, ଏହା କଣ କରି ଥାଆନ୍ତା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଜି ଭୋରରୁ ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ISRO ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ EOS-3 ଉତକ୍ଷେପଣ ଫେଲ ମାରିଛି। ଉତକ୍ଷେପଣ ହେବାର କିଛି ସମୟ ପୂର୍ବରୁ ଏହି ମିଶନ ଫେଲ ମାରିଛି। ରକେଟର କ୍ରାୟୋଜେନିକ୍ ଇଂଜିନରେ କେତେକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ମିଶନ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ବୋଲି ଘୋଷଣା କରାଯାଇଛି।

SRO ତାହାର EOS-03 ଉତକ୍ଷେପଣ କରିବାରେ ବିଫଳ

51.70 ମିଟର ଲମ୍ବା ରକେଟ୍ GSLV0F10 / EOS-3 ଅବଗଣନା ଶେଷ ପରେ ସଫଳତାର ସହିତ 05.43 ରେ ଲଞ୍ଚ କରାଯାଇଥିଲା। ସାଧାରଣତଃ ଲିଫ୍ଟ-ଅଫ୍ ପୂର୍ବରୁ, ଲଞ୍ଚ୍ ପ୍ରାଧିକରଣ ବୋର୍ଡ ଲିଫ୍ଟ-ଅଫ୍ ପାଇଁ ଡେକ୍ ସଫା କରିଥାଏ। ଯୋଜନା ଅନୁଯାୟୀ ତାହା ମଧ୍ୟ ଶେଷ ହୋଇଥିଲା। ରକେଟ ଉତକ୍ଷେପଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସବୁକିଛି ସ୍ୱାଭାବିକ ଥିଲା। ହେଲେ ହଠାତ କିଛି ମିନିଟ୍ ପରେ ସେଥିରେ ସମସ୍ୟା ଦେଖାଦେଲା। ଫଳରେ ବୈଜ୍ଞାନିକମାନେ ନିଜ ମଧ୍ୟରେ ଆଲୋଚନା କଲେ।

ଏହା ପରେ ମିଶନ୍ କଣ୍ଟ୍ରୋଲ୍ ସେଣ୍ଟରରେ ରେଞ୍ଜ୍ ଅପରେସନ୍ସ ନିର୍ଦ୍ଦେଶକ ଏହି ଉତକ୍ଷେପଣ କରାଯିବ ନାହିଁ ବୋଲି ଘୋଷଣା କରାଗଲା। କେତେକ ସମସ୍ୟା ଯୋଗୁଁ ମିଶନ ସମ୍ପୂର୍ଣ୍ଣ ରୂପେ ସମ୍ପନ୍ନ ହୋଇପାରି ନାହିଁ ବୋଲି ଘୋଷଣା କରାଗଲା।

 ISRO ର ବିବୃତ୍ତି

ISRO ର ଅଫିସିଆଲ୍ ଟ୍ୱିଟ୍ କରି କହିଛି ଯେ GSLV-F10 ଲଞ୍ଚ ଆଜି ନିର୍ଦ୍ଧାରିତ ଭାରତୀୟ ସମୟ 05 ଟା 43 ମିନଟରେ ହୋଇଥିଲା। । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟର ପ୍ରଦର୍ଶନ ସ୍ୱାଭାବିକ ଥିଲା । ହେଲେ କେତେକ ବୈଷୟିକ ଅସାମଞ୍ଜସ୍ୟ କାରଣରୁ କ୍ରିଏଜେନିକ୍ ଉପର ଷ୍ଟେଜ୍ କାର୍ଯ୍ୟକ୍ଷମ ହେଲା ନାହିଁ। ଉଦ୍ଦେଶ୍ୟ ଅନୁଯାୟୀ ଏହି ମିଶନ ପୂରଣ ହୋଇପାରିବ ନାହିଁ।

ଏହି ଉପଗ୍ରହ EOS-03 ର କଣ କାର୍ଯ୍ୟ ଥିଲା

ଏହି ଉପଗ୍ରହର ନାମ ହେଉଛି ପୃଥିବୀ ଅବଜରଭେସନ୍ ସାଟେଲାଇଟ୍ ବା EOS। ଏହାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହା ଏକ ବୃହତ ଅଞ୍ଚଳର ରିଅଲ୍ ଟାଇମ୍ ଚିତ୍ର ପ୍ରତି ମୂହୁର୍ତ୍ତରେ ପଠାଇପାରିବ। ଏପରିକି କୌଣସି ଏକ ସ୍ଥାନ ସଂପର୍କରେ ଗଭୀରଭାବେ ଶୀଘ୍ର ମନିଟରିଂ କରିବାରେ ସାହାଯ୍ୟ କରିପାରିବ ।

ସେହିପରି ପ୍ରାକୃତିକ ବିପର୍ଯ୍ୟୟ ତଥା ଯେକୈଣସି ଦୁର୍ଘଟଣା ସଂପର୍କରେ ସାଟାଲାଇଟ ତଥ୍ୟ ଜାଣିବାରେ ଏହି ଉପଗ୍ରହ ସାହାର୍ଯ୍ୟ କରିପାରିଥାଆନ୍ତା। ଏହି ଉପଗ୍ରହକୁ କୃଷି, ବନ ବିଭାଗ, ଜଳଉତ୍ସ ସମେତ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ତେବେ ସବୁଠାରୁ ବଡ କଥା ଥିଲା ଏହି ସାଟାଲାଇଟ ମାଧ୍ୟମରେ ବିପର୍ଯ୍ୟୟ ଚେତାବନୀ, ସାଇକ୍ଲୋଥନ୍ ମନିଟରିଂ, କିମ୍ବା ବଜ୍ରପାତର ଆଗୁଆ ସୂଚନା ହାସଲ ହୋଇପାରି ଥାଆନ୍ତା।

ଏହି GSLV ରକେଟରେ ପ୍ରଥମ ଥର ପାଇଁ 4 ମିଟର ବ୍ୟାସ ବିଶିଷ୍ଟ ଓଗିଭ ଆକୃତିର ପେଲୋଡ୍ ଫାଇରିଂ ପ୍ରେରଣ କରାଯାଉଥିଲା। ଏହା ହେଉଛି ଜିଏସଏଲଭିର 14ତମ ଉଡାଣ।

Categories
ଆଜିର ଖବର ଜାତୀୟ ଖବର

ଆନ୍ଧ୍ର ଶ୍ରୀହରିକୋଟାରେ ଇତିହାସ ରଚିଲା ଇସ୍ରୋ : ପିଏସ୍‌ଏଲ୍‌ଭି ସି49’ର ସଫଳ ଉତ୍‌କ୍ଷେପଣ

ନୂଆଦିଲ୍ଲୀ : ଆନ୍ଧ୍ର ଶ୍ରୀହରିକୋଟାରେ ଇତିହାସ ରଚିଲା ଇସ୍ରୋ । ଶନିବାର ଦିନ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) 10ଟି କୃତ୍ରିମ ଉପଗ୍ରହ ସହ ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’ (ପିଏସ୍‌ଏଲ୍‌ଭି) ଉତ୍‌କ୍ଷେପଣ କରିଛି। ପିଏସ୍‌ଏଲ୍‌ଭିସି 49 ରକେଟରେ 10ଟି ଉପଗ୍ରହକୁ ଉତ୍‌କ୍ଷେପଣ କରାଯାଇଛି । ଭାରତର ଇଓଏସ୍‌ -01 ସହ ବିଦେଶର 9ଟି ଉପଗ୍ରହର ଉତ୍‌କ୍ଷେପଣ ହୋଇଛି । ଅପରାହ୍ଣ 3.12 ମିନିଟ୍‌ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଥିବା ‘ସତୀଶ ଧାୱନ୍‌ ମହାକାଶ କେନ୍ଦ୍ର’ରୁ ‘ପିଏସ୍‌ଏଲ୍‌ଭି ସି-49’ ଏହି 10ଟି ସାଟେଲାଇଟ୍‌ ସହ ମହାକାଶକୁ ଉ‌ତ୍‌କ୍ଷେପଣ କରାଯାଇଥିଲା। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବୈଷୟିକ ତ୍ରୁଟି କାରଣରୁ ଜିସାଟ୍‌-1ର ଉତ୍‌କ୍ଷେପଣ ସ୍ଥଗିତ

ବେଙ୍ଗାଲୁରୁ : ବୈଷୟିକ ତ୍ରୁଟି କାରଣରୁ ଇସ୍ରୋ ପକ୍ଷରୁ ଏହାର ନୂତନ ସ୍ୟାଟେଲାଇଟ୍‌ ଉତ୍‌କ୍ଷେପଣକୁ ସ୍ଥଗିତ କରାଯାଇଛି । ଇସ୍ରୋର ଜିଓ ଇମେଜିଂ ସ୍ୟାଟେଲାଇଟ୍‌ ଜିସାଟ୍‌-1ର ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ 5 ତାରିଖ ସନ୍ଧ୍ୟାରେ ଏହି ସ୍ୟାଟେଲାଇଟ୍‌ର ଉତ୍‌କ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ବୁଧବାର ଏହାକୁ ସ୍ଥଗିତ ରଖିବା ପାଇଁ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି । ଖୁବ୍‌ଶୀଘ୍ର ନୂତନ ଉତ୍‌କ୍ଷେପଣ ତାରିଖ ଘୋଷଣା କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । 2268 କିଗ୍ରାର ଏହି ଉପଗ୍ରହଟି କୃଷି, ବନ୍ୟବିଭାଗ, ଖଣି, ବିପର୍ଯ୍ୟୟ ଚେତାବନୀ, ବରଫ ସ୍ତର ଏବଂ ସମୁଦ୍ରପତନ ନିର୍ଣ୍ଣୟରେ ବ୍ୟବହୃତ ହେବ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ବୀର ସୁରେନ୍ଦ୍ର ସାଏ ମହାକାଶ ନବୋନ୍ମେଷ କେନ୍ଦ୍ରର ଛାତ୍ରଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ

ସମୀକ୍ଷା ବ୍ୟୁରୋ

ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ମହାକାଶ ନବୋନ୍ମେଷ କେନ୍ଦ୍ରର ଛାତ୍ରଛାତ୍ରୀ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରି ସେମାନଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ଉପଗ୍ରହ ଉତ୍‌କ୍ଷେପଣ ଯାନ ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର ଏବଂ ଛାତ୍ର ମାନଙ୍କ ଅବଦାନରେ ଏହା ଆହୁରି ଆଗକୁ ବଢିବ ବୋଲି ଜିତେନ୍ଦ୍ର ସିଂ ପ୍ରକାଶ କରିଥିଲେ ।
ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ଦ୍ବାରା ମହାକାଶ ଉତ୍‌କ୍ଷେପଣ ଯାନ (ଏସ୍‌ଏଲ୍‌ଭି) ନିର୍ମାଣ କରାଯାଇଥିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ । ଛାତ୍ର ମାନଙ୍କୁ ଇସ୍ରୋ ସହିତ ନିୟମିତ ସମ୍ପର୍କରେ ରହିବା ପାଇଁ କେନ୍ଦ୍ରମନ୍ତ୍ରୀ କହିବା ସହିତ ସେମାନଙ୍କର ଏହି ପ୍ରୟାସ ପାଇଁ 50 ଲକ୍ଷ ଟଙ୍କା ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରିଥିଲେ । ଏହା ସହିତ ଛାତ୍ର ଗୋଷ୍ଠୀ ଇସ୍ରୋ ଅଧ୍ୟକ୍ଷ କେ ଶିବନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ଛାତ୍ରଗୋଷ୍ଠୀ ଶବ୍ଦସୃଷ୍ଟିକାରୀ ସ୍ବଦେଶୀ ରକେଟ୍‌ ନିର୍ମାଣ ପାଇଁ ଲିମ୍‌କା ବୁକ୍‌ ଅଫ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ମନୁଷ୍ୟ ପୂର୍ବରୁ ମହାକାଶକୁ ରୋବୋଟ୍‌ ପଠାଇବ ଇସ୍ରୋ

ନୂଆଦିଲ୍ଲୀ : 2022ରେ ଇସ୍ରୋର ମାନବ ମିଶନ ପୂର୍ବରୁ ଇସ୍ରୋ ଏକ ରୋବୋଟ୍‌ ପଠାଇବାକୁ ଯାଉଛି । ଏହି ମିଶନ ପୂର୍ବରୁ 2020 ମସିହାର ଶେଷ ଭାଗକୁ ଏହି ମିଶନ ଲଞ୍ଚ ହେବାକୁ ଯାଉଛି । 2022 ମିଶନରେ ଭାରତ ପକ୍ଷରୁ ତିନିଜଣ ମାନବଙ୍କୁ ପଠାଯିବ । ବୁଧବାର ଇସ୍ରୋ ମୁଖ୍ୟ କେ ଶିବନ ରୋବୋଟ ପଠାଯିବା ସୂଚନା ସ୍ପଷ୍ଟ କରିଛନ୍ତି । ବୁଧବାର ଇସ୍ରୋ ପକ୍ଷରୁ ଏହି ରୋବୋଟ୍‌ର ଏକ ଫଟୋ ଜାରି କରାଯାଇଛି । ମାନବ ଜୀବନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତେଣୁ ମାନବ ପ୍ରେରଣ ପୂର୍ବରୁ ଏକ ରୋବୋଟ୍‌ ପଠାଇ ଏହାକୁ ଫେରାଇ ଆଣିବା ପାଇଁ ଇସ୍ରୋ ପକ୍ଷରୁ ଏହି ମିଶନ କରାଯାଇଛି । ଏହି ରୋବୋଟ୍‌ ଜଣେ ମହିଳା ହ୍ୟୁମାନଏଡ୍‌ । ଦୁଇଟି ଭାଷାରେ କଥାବାର୍ତ୍ତା କରିବାର କ୍ଷମତା ରଖୁଥିବା ଏହି ହ୍ୟୁମାନଏଡ୍‌କୁ ଡିସେମ୍ବର 2020 ସୁଦ୍ଧା ମହାକାଶକୁ ପଠାଯିବ । ଏହି ରୋବୋଟ୍‌ର ନାମ ବ୍ୟୋମ ମିତ୍ର ରଖାଯାଇଛି । ମାନବ ଜୀବନ ଅତ୍ୟନ୍ତ ମୂଲ୍ୟବାନ, ତେଣୁ ମାନବ ପ୍ରେରଣ ପୂର୍ବରୁ ପ୍ରଥମେ ଏକ ରୋବୋଟ୍‌ ପଠାଇ ମହାକାଶର ଅଭିଜ୍ଞତା ହାସଲ କରିବା ପାଇଁ ଏହି ପ୍ରୟାସ ବୋଲି ଇସ୍ରୋ ମୁଖ୍ୟ କେ ଶିବନ୍‌ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜିସାଟ୍‌-30ର ସଫଳ ଉତ୍‌କ୍ଷେପଣ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ତରଫରୁ ଦେଶର ସବୁଠାରୁ ଶକ୍ତିଶାଳୀ ସଂଚାର ଉପଗ୍ରହ ଜିସାଟ୍‌-30 ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଫ୍ରେଞ୍ଚ ଗୁଏନାର କୋରୋଉ ଲଞ୍ଚପ୍ୟାଡରୁ ୟୁରୋପିଆନ ହେଭି ରକେଟ ଏରିୟନ-5 ଦ୍ୱାରା ଏହାକୁ ଶୁକ୍ରବାର ଭାରତୀୟ ସମୟ ରାତି ୨ଟା ୩୫ ମିନିଟରେ ଉତ୍‌କ୍ଷେପଣ କରାଯାଇଛି। ଇସ୍ରୋ ତରଫରୁ ଚଳିତ ବର୍ଷର ଏହା ହେଉଛି ପ୍ରଥମ ମିଶନ । ଏହି ଉପଗ୍ରହ ଉତ୍‌କ୍ଷେପଣ ହେବା ପରେ ଦେଶରେ ସଞ୍ଚାର ତଥା ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ ହେବ। ଏହା ସାହାଯ୍ୟରେ ନୂଆ ଇଣ୍ଟରନେଟ ଟେକ୍ନୋଲୋଜି ଆସିବ ଓ ସାରା ଦେଶରେ ମୋବାଇଲ ନେଟୱର୍କ ଉପଲବ୍ଧ ହେବ। ଏହା ସହିତ ଇଣ୍ଟରନେଟ ସ୍ପିଡ ମଧ୍ୟ ବଢିବ। ସାଟେଲାଇଟ୍‌- ‘ଜିସାଟ୍‌30’ ଦ୍ୱାରା ତ୍ୱରିତ ବେଗରେ ଟେଲିଭିଜନ୍‌ ପ୍ରସାରଣ, ସାଟେଲାଇଟ୍‌ ଭିତ୍ତିକ ଖବର ସଂଗ୍ରହ ଏବଂ  ପାଣିପାଗ ସୂଚନା ଆଦି କାର୍ଯ୍ୟରେ ବହୁତ ସହାୟକ ହେବ । (ଏଜେନ୍ସି)

Categories
ଆଜିର ଖବର

ସାଟେଲାଇଟ୍‌ ଇମେଜିଂ ଉପଗ୍ରହ ରିସାଟ୍‌-2ବିଆର1ର ସଫଳ ଉତ୍‌କ୍ଷେପଣ

ଶ୍ରୀହରିକୋଟା,11/12 : ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ)କୁ ଆଉ ଏକ ସଫଳତା ମିଳିଛି । ସାଟେଲାଇଟ ଇମେଜିଂ ଉପଗ୍ରହ ରିସାଟ୍‌-2ବିଆର1 ସହିତ ଅନ୍ୟ 9ଟି ବିଦେଶୀ ଉପଗ୍ରହର ଉତ୍‌କ୍ଷେପଣ କରିଛି ଇସ୍ରୋ । ରିସାଟ୍‌-2ବିଆର1ର ଓଜନ 628 କିଗ୍ରା ରହିଥିବା ବେଳେ ଭୂପୃଷ୍ଠରୁ ଏହା 576 କିମି ଉଚ୍ଚ 37 ଡିଗ୍ରୀରେ ଅବସ୍ଥାନ କରିବ । ପିଏସ୍‌ଏଲ୍‌ଭି-ସି48 ଜରିଆରେ ଏହି ଉତ୍‌କ୍ଷେପଣ ହୋଇଥିଲା । ଏହା ପିଏସ୍‌ଏଲ୍‌ଭିର 50 ତମ ଉତ୍‌କ୍ଷେପଣ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ପିଏସ୍‌ଏଲ୍‌ଭି ଜରିଆରେ ଚନ୍ଦ୍ରାୟନ-2ର ଉତ୍‌କ୍ଷେପଣ କରାଯାଇଥିଲା । ରିସାଟ୍‌-2ବିଆର1 ସହିତ 9ଟି ବିଦେଶୀ ଉପଗ୍ରହ ମଧ୍ୟ ଉତ୍‌କ୍ଷେପଣ କରାଯାଇଛି । ଏହା ମଧ୍ୟରେ ଆମେରିକାର 6ଟି ଉପଗ୍ରହ ରହିଥିବା ବେଳେ ଇସ୍ରାଏଲ, ଇଟାଲୀ ଏବଂ ଜାପାନର ଗୋଟିଏ ଲେଖାଏଁ ଉପଗ୍ରହ ରହିଛି । (ଏଜେନ୍ସୀ)

Categories
ଆଜିର ଖବର

14ଟି ଉପଗ୍ରହ ସହିତ କାର୍ଟୋସାଟ୍‌-3ର ଉତ୍‌କ୍ଷେପଣ

ଶ୍ରୀହରିକୋଟା,27/11 : ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ(ଇସ୍ରୋ) 14ଟି ଉପଗ୍ରହ ଲଞ୍ଚ କରିଛି । ନଭେମ୍ବର 27 ତାରିଖ ବୁଧବାର 9.28 ମିନିଟ୍‌ରେ ଇସ୍ରୋ ପକ୍ଷରୁ ଏହି ଲଞ୍ଚ କରାଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ରରୁ ଆସନ୍ତା ନଭେମ୍ବର 27 ତାରିଖ ସକାଳ 9.28 ମିନିଟ୍‌ରେ ଏହି ଉତ୍‌କ୍ଷେପଣ ଅନୁଷ୍ଠିତ ହେବ । ଇସ୍ରୋ ପକ୍ଷରୁ ପିଏସ୍‌ଏଲ୍‌ଏଭି-ଏକ୍ସଏଲ୍‌ ସହିତ 14ଟି ଉପଗ୍ରହ ପଠାଯାଇଛି । 1625 କିଗ୍ରା ଓଜନର କାର୍ଟୋସାଟ୍‌-3 ସହିତ 13ଟି ଆମେରିକୀୟ ନାନୋ ଉପଗ୍ରହ ପଠାଇଛି ଇସ୍ରୋ । ଏହି ମିଶନ ସହିତ ପ୍ରଥମ ମହାକାଶ ବିଜ୍ଞାନ ସଂସ୍ଥାନ ଭାବରେ 300 ବିଦେଶୀ ଉପଗ୍ରହ ଉତ୍‌କ୍ଷେପଣର ସଫଳତା ହାସଲ କରିଛି ଇସ୍ରୋ । ଏଜେନ୍ସୀ

Categories
ଆଜିର ଖବର

27 ମିନିଟରେ 14ଟି ସାଟେଲାଇଟ୍‌ ଲଞ୍ଚ କରିବ ଇସ୍ରୋ

ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ(ଇସ୍ରୋ) 27 ମିନିଟ୍‌ରେ 14ଟି ଉପଗ୍ରହ ଲଞ୍ଚ କରିବାକୁ ଯାଉଛି । ଆସନ୍ତା ନଭେମ୍ବର 27 ତାରିଖରେ ଇସ୍ରୋ ପକ୍ଷରୁ ଏହି ଲଞ୍ଚ କରାଯିବ ବୋଲି ଜଣାପଡିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ରରୁ ଆସନ୍ତା ନଭେମ୍ବର 27 ତାରିଖ ସକାଳ 9.28 ମିନିଟ୍‌ରେ ଏହି ଉତ୍‌କ୍ଷେପଣ ଅନୁଷ୍ଠିତ ହେବ । ଇସ୍ରୋ ପକ୍ଷରୁ ପିଏସ୍‌ଏଲ୍‌ଏଭି-ଏକ୍ସଏଲ୍‌ ସହିତ 14ଟି ଉପଗ୍ରହ ପଠାଯାଉଛି । 1625 କିଗ୍ରା ଓଜନର କାର୍ଟୋସାଟ୍‌-3 ସହିତ 13ଟି ଆମେରିକୀୟ ନାନୋ ଉପଗ୍ରହ ମଧ୍ୟ ପଠାଇବ ଇସ୍ରୋ ।

Categories
ବିଶେଷ ଖବର

ଚନ୍ଦ୍ରୟାନ-୨ ମହାକାଶ ଯାନର ସଫଳ ଉତକ୍ଷେପଣ, ସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ କରିବ ଅବତରଣ

ସମୀକ୍ଷା ବ୍ୟୁରୋ     

୨୦ ଘଣ୍ଟାର ଅବଗଣନା ପରେ ଅପରାହ୍ଣ ୨ଟା ୪୩ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର (ଏସଡିଏସସି ଏସଏଚଏଆର)ରୁ ଜିଏସଏଲଭି ଏମକେ ଥ୍ରୀ-ଏମ ୱାନ ଯାନକୁ ଉତକ୍ଷେପଣ କରାଯାଇଛି। ଦୁଇଟି ଏସ ୨୦୦ କଠିନ ଷ୍ଟ୍ରାପ-ଅନ ମୋଟର ଜରିଆରେ ଏହି ଉତକ୍ଷେପଣ କରାଯାଇଛି । ମହାକାଶ ଯାନ ଉତକ୍ଷେପଣର ସମସ୍ତ କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେରେ ହୋଇଥିଲା ।

ଭୂପୃଷ୍ଠରୁ ଉତକ୍ଷେପଣ ହେବାର ୧୬ ମିନିଟ ୧୪ ସେକେଣ୍ଡ ପରେ ଉତକ୍ଷେପଣ ଯାନ ଚନ୍ଦ୍ରୟାନ-୨ ମହାକାଶ ଯାନକୁ ଅଣ୍ଡାକୃତି ପୃଥିବୀର କକ୍ଷପଥରେ ସଫଳତାପୂର୍ବକ ଅଲଗା କରି ଅବସ୍ଥାପିତ କରାଯାଇଛି । ଉତକ୍ଷେପଣ ଯାନ ଠାରୁ ମହାକାଶ ଯାନ ଅଲଗା ହେବା ସଙ୍ଗେ ସଙ୍ଗେ ମହାକାଶ ଯାନର ସୌର ଶୃଙ୍ଖଳା ସ୍ୱୟଂକ୍ରିୟ ଭାବେ କାର୍ଯ୍ୟକ୍ଷମ ହୋଇଯାଇଥିଲା । ଏଥିସହିତ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ତୁରନ୍ତ ମହାକାଶ ଯାନ ଉପରେ ନିୟନ୍ତ୍ରଣ ସ୍ଥାପିତ କରିଥିଲା ।

ଏହି ଆହ୍ୱାନପୂର୍ଣ୍ଣ ଅଭିଯାନରେ ନିୟୋଜିତ ଉତକ୍ଷେପଣ ଯାନ ଏବଂ ଉପଗ୍ରହ ଦଳକୁ ଇସ୍ରୋ ଅଧ୍ୟକ୍ଷ ଡ. କେ ସିବନ ଅଭିନନ୍ଦନ ଜଣାଇଛନ୍ତି । “ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ । ମୁଁ ଅତ୍ୟନ୍ତ ଆନନ୍ଦର ସହ ଏହା ଘୋଷଣା କରୁଛି ଯେ ଜିଏସଏଲଭି ଏମକେ ଥ୍ରୀ-ଏମ ୱାନ ସଫଳତାପୂର୍ବକ ଚନ୍ଦ୍ରୟାନ-୨କୁ ଆଶାଠାରୁ ୬ହଜାର କିମି ଅଧିକ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରିପାରିଛି ।”

“ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବା ଏବଂ ଅନାବିଷ୍କୃତ ତଥ୍ୟକୁ ଆବିଷ୍କାର କରିବା ଲାଗି ବୈଜ୍ଞାନିକ ଗବେଷଣା କରିବା ଉଦ୍ଦେଶ୍ୟରେ ଆଜି ଚନ୍ଦ୍ର ଅଭିମୁଖେ ଭାରତର ଐତିହାସିକ ଯାତ୍ରା ଆରମ୍ଭ ହୋଇଛି । ଜୁଲାଇ ୧୫, ୨୦୧୯ରେ ଇସ୍ରୋ ବୁଦ୍ଧିମତାର ସହିତ ବୈଷୟିକ ତ୍ରୁଟିକୁ ଠାବ କରିବାରେ ସଫଳ ହୋଇଥିଲା । ଇସ୍ରୋର ବୈଜ୍ଞାନିକମାନେ ଏହା ଉପରେ କାର୍ଯ୍ୟ କରିଥିଲେ ଏବଂ ମାତ୍ର ୨୪ ଘଂଟା ମଧ୍ୟରେ ତ୍ରୁଟିକୁ ସଜାଡ଼ିବାରେ ସଫଳ ହୋଇଥିଲେ । ପରବର୍ତୀ ଦେଢ଼ ଦିନ ପର୍ଯ୍ୟନ୍ତ ଆବଶ୍ୟକ ପରୀକ୍ଷା କରାଯାଇ ତ୍ରୁଟି ସଂଶୋଧନ ଠିକ୍ ହୋଇଛି କି ନାହିଁ ଦେଖାଯାଇଥିଲା । ଆଜି ଇସ୍ରୋ ଚମକ୍ରାର ପ୍ରତ୍ୟାବର୍ତନ କରିଛି,” ବୋଲି ଡ. ଶିବନ କହିଛନ୍ତି ।

ଆଗାମୀ ଦିନରେ, ଚନ୍ଦ୍ରଯାନ-୨ ନିଜସ୍ୱ ସଂଚାଳନ ବ୍ୟବସ୍ଥାକୁ ଉପଯୋଗ କରି ଏକାଧିକ କକ୍ଷ ପରିକ୍ରମା କୌଶଳ କାର୍ଯ୍ୟକାରୀ କରିବ । ଏହା ମହାକାଶ ଯାନର କକ୍ଷକୁ ପର୍ଯ୍ୟାୟକ୍ରମେ ଊଦ୍ଧ୍ୱର୍ଗାମୀ କରିବ ଏବଂ ଏହାକୁ ଚନ୍ଦ୍ରମା ପାଶ୍ୱର୍ବର୍ତୀ କ୍ଷେତ୍ରକୁ ଯାତ୍ରା ଲାଗି ସଠିକ ପଥରେ ଅବସ୍ଥାପିତ କରିବ ।

ଜିଏସଏଲଭି ଏମକେ ଥ୍ରୀ ହେଉଛି ଇସ୍ରୋ ଦ୍ୱାରା ବିକଶିତ ଏକ ତିନି ପର୍ଯ୍ୟାୟ ବିଶିଷ୍ଟ ଉତକ୍ଷେପଣ ଯାନ । ଏହାର ଦୁଇଟି କଠିନ ଷ୍ଟ୍ରାପ ଅନ୍ ରହିଛି, ଏଥିରେ ଗୋଟିଏ ମୂଳ ଲିକୁଇଡ ବୁଷ୍ଟର ଏବଂ ଆଉ ଏକ ଏକ କ୍ରାୟୋଜେନିକ ବାହ୍ୟ ଆବରଣ ରହିଛି । ୪ ଟନ ଓଜନ ବିଶିଷ୍ଟ ଉପଗ୍ରହକୁ  ଭୂସମାନ୍ତର ସ୍ଥାନାନ୍ତର କକ୍ଷପଥ (ଜିଟିଓ)ରେ ସ୍ଥାପିତ କରିବା କିମ୍ବା ୧୦ ଟନ ବିଶିଷ୍ଟ ଉପଗ୍ରହକୁ ନିମ୍ନ ପୃଥିବୀ କକ୍ଷପଥ (ଏଲଇଓ)ରେ ଅବସ୍ଥାପିତ କରିବା ଲାଗି ଏହି ଯାନକୁ ଡିଜାଇନ କରାଯାଇଛି ।

ଚନ୍ଦ୍ରୟାନ-୨ ହେଉଛି ଚନ୍ଦ୍ର ଅଭିମୁଖେ ଭାରତର ଦ୍ୱିତୀୟ ଅଭିଯାନ । ଏଥିରେ ରହିଛି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରିକ୍ରମଣ ଯାନ ବା ଅର୍ବିଟର (କକ୍ଷପଥରେ ପରିକ୍ରମା କରୁଥିବା ମହାକାଶଯାନ), ବିକ୍ରମ ନାମକ ଲ୍ୟାଣ୍ଡର (ଯାହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ) ଏବଂ ପ୍ରଜ୍ଞାନ ନାମକ ରୋଭର (ମାନବବିହୀନ ମହାକାଶଯାନ ଯାହା ଚନ୍ଦ୍ରପୃଷ୍ଠକୁ ଅନୁଧ୍ୟାନ କରିବ) । ଲ୍ୟାଣ୍ଡର ବିକ୍ରମ ଭିତରେ ପ୍ରଜ୍ଞା ରୋଭରକୁ ସ୍ଥାନିତ କରାଯାଇଛି ।

ଚନ୍ଦ୍ରପୃଷ୍ଠରେ ସ୍ଥିର ଭାବେ ଅବତରଣ କରିବା ଏବଂ ପରିଭ୍ରମଣ କରିବା ସମେତ ସର୍ବାଧୁନିକ ଚନ୍ଦ୍ର ଅଭିଯାନ କ୍ଷମତା ହାସଲ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ବିକଶିତ କରିବା ଓ ପ୍ରଦର୍ଶନ କରିବା ଚନ୍ଦ୍ରୟାନ-୨ ଅଭିଯାନର ଉଦ୍ଦେଶ୍ୟ । ବିଜ୍ଞାନ ଦୃଷ୍ଟିରୁ ଦେଖିଲେ, ଚନ୍ଦ୍ରର ସ୍ଥଳଭାଗ ଅଧ୍ୟୟନ, ଖଣିଜବିଜ୍ଞାନ, ଚନ୍ଦ୍ରପୃଷ୍ଠର ରାସାୟନିକ ଢାଂଚା, ଥର୍ମୋ-ଭୌତିକ ବିଶେଷତ୍ୱ ଏବଂ ଜଳବାୟୁ ଅନୁଧ୍ୟାନ କରିବା ଏହି ଅଭିଯାନର ଉଦ୍ଦେଶ୍ୟ, ଯାହା ଚନ୍ଦ୍ରର ଉତ୍ପତି ଏବଂ କ୍ରମବିକାଶ ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିବ ।

ପୃଥିବୀର କକ୍ଷପଥ ଛାଡ଼ି ଚନ୍ଦ୍ରର ପ୍ରଭାବ କ୍ଷେତ୍ରରେ ପ୍ରବେଶ କରିବା ପରେ ଚନ୍ଦ୍ରୟାନ-୨ର ନିଜସ୍ୱ ସଂଚାଳକ ପ୍ରଣାଳୀ ମହାକାଶ ଯାନର ଗତିକୁ ହ୍ରାସ କରିଦେବ । ଫଳରେ ଏହା ଚନ୍ଦ୍ରର ପ୍ରାରମ୍ଭିକ କକ୍ଷପଥ ଅବସ୍ଥାପିତ ହୋଇପାରିବ । ପରେ କେତେକ ପରିକ୍ରମା ପର୍ଯ୍ୟାୟ ପରେ ଚନ୍ଦ୍ରୟାନ-୨ର ପରିକ୍ରମଣ ଯାନ ଚନ୍ଦ୍ରର କକ୍ଷ ଚାରିପାଖେ ଚନ୍ଦ୍ରପୃଷ୍ଠ ଠାରୁ ୧୦୦ କିମି ଉଚ୍ଚତାରେ ଘୂରିବୁଲିବ ।

ଧୀରେ ଧୀରେ କକ୍ଷ ଠାରୁ ପରିକ୍ରମଣ ଯାନ ଠାରୁ ଲ୍ୟାଣ୍ଡର ଅଲଗା ହୋଇଯିବ ଏବଂ ଏହା ଚନ୍ଦ୍ରର ୧୦୦ କିମି ଗୁଣା ୩୦ କିମି କକ୍ଷପଥରେ ପ୍ରବେଶ କରିବ। ପରେ ଏହା ସ୍ଥିର ଭାବେ ସେପ୍ଟେମ୍ବର ୭, ୨୦୧୯ ବେଳକୁ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧ କ୍ଷେତ୍ରରେ ଅବତରଣ କରିବା ଲାଗି ପରିକ୍ରମା କରିବ ।

ଏହାପରେ ଲ୍ୟାଣ୍ଡର ଠାରୁ ରୋଭର ଅଲଗା ହୋଇ ଗୋଟିଏ ଚନ୍ଦ୍ର ଦିବସ, ଯାହା ପୃଥବୀରେ ୧୪ ଦିନ ସହ ସମାନ, ଅବଧି ଲାଗି ଚନ୍ଦ୍ର ପୃଷ୍ଠରେ ପରିଭ୍ରମଣ କରିବ ଏବଂ ପରୀକ୍ଷଣ କରିବ। ଲ୍ୟାଣ୍ଡରର ଅଭିଯାନ ଅବଧି ମଧ୍ୟ ଗୋଟିଏ ଚନ୍ଦ୍ର ଦିବସର । ତେବେ ଗୋଟିଏ ବର୍ଷ ଲାଗି ଅର୍ବିଟରର ଅଭିଯାନ ଜାରି ରହିବ।

ଅର୍ବିଟରର ଓଜନ ୨,୩୬୯ କିଗ୍ରା ହୋଇଥିବା ବେଳେ ଲ୍ୟାଣ୍ଡରର ଓଜନ ୧,୪୭୭ କିଗ୍ରା ଏବଂ ରୋଭରର ଓଜନ ୨୬ କିଗ୍ରା । ଏହି ରୋଭର ୫୦୦ ମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ଏବଂ ନିଜସ୍ୱ ସୌର ପ୍ୟାନେଲ ଜରିଆରେ ବିଦ୍ୟୁତ ଶକ୍ତି ସଂଗ୍ରହ କରି ଏହା କାର୍ଯ୍ୟ କରିପାରିବ ।

ଚନ୍ଦ୍ରର ଉତ୍ପତି ଏବଂ କ୍ରମବିକାଶ ସମ୍ପର୍କରେ ବୁଝିବା ଲାଗି ଚନ୍ଦ୍ରୟାନ-୨ରେ ବିଭିନ୍ନ ବିଜ୍ଞାନ ପେଲୋଡ ବ୍ୟବସ୍ଥା କରାଯାଇଛି । ଅର୍ବିଟରରେ ୮ଟି ପେଲୋଡ, ଲ୍ୟାଣ୍ଡରରେ ୩ଟି ଓ ରୋଭରରେ ୨ଟି ପେଲୋଡ୍ ରହିଛି । ଲ୍ୟାଣ୍ଡରରେ ସାମିଲ ପରୋକ୍ଷ ପରୀକ୍ଷଣ ବ୍ୟତୀତ ଅର୍ବିଟର ୧୦୦ କିମି ଦୂର କକ୍ଷପଥରେ ଚନ୍ଦ୍ରର ରିମୋର୍ଟ ସେନ୍ସିଂ ଅନୁଧ୍ୟାନ କରିବ । ଅନ୍ୟପକ୍ଷେ ଲ୍ୟାଣ୍ଡର ଏବଂ ରୋଭର ପେଲୋଡ ଚନ୍ଦ୍ରପୃଷ୍ଠରେ ଅବତରଣ କରି ଗୁରୁତ୍ୱପୂର୍ଣ୍ଣ ଅନୁଧ୍ୟାନ କରିପାରିବେ ।

ଗ୍ରାଉଣ୍ଡ ବ୍ୟବସ୍ଥାରେ ଚନ୍ଦ୍ରୟାନ-୨ର ତୃତୀୟ ଗୁରୁତ୍ୱପୂର୍ଣ୍ଣ ଉପଦାନ ରହିଛି । ଏହା ମହାକାଶଯାନରୁ ସ୍ୱାସ୍ଥ୍ୟ ସୂଚନା ଏବଂ ବୈଜ୍ଞାନିକ ତଥ୍ୟ ଗ୍ରହଣ କରିବାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବ । ଏହା ମଧ୍ୟ ମହାକାଶଯାନକୁ ରେଡିଓ କମାଣ୍ଡ ପ୍ରେରଣ କରିବ । ଚନ୍ଦ୍ରୟାନ-୨ର ଗ୍ରାଉଣ୍ଡ ବ୍ୟବସ୍ଥାରେ ଭାରତୀୟ ଦୀପ ମହାକାଶ ନେଟୱାର୍କ, ମହାକାଶଯାନ ନିୟନ୍ତ୍ରଣ କେନ୍ଦ୍ର ଏବଂ ଭାରତୀୟ ମହାକାଶ ବିଜ୍ଞାନ ତଥ୍ୟ କେନ୍ଦ୍ର ରହିଛି ।

ଏହି ଆହ୍ୱାନପୂର୍ଣ୍ଣ ଅଭିଯାନରେ ଆଜି ଚନ୍ଦ୍ରୟାନ-୨ର ସଫଳ ଉତକ୍ଷେପଣ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ଶ୍ରୀହରିକୋଟାର ଦର୍ଶକ ଗ୍ୟାଲେରୀରୁ ୭୫୦୦ ଜଣ ପରିଦର୍ଶକ ଏହାର ଉତକ୍ଷେପଣ ସିଧାସଳଖ ଦେଖିପାରିଥିଲେ ।

Categories
ଆଜିର ଖବର

ଜୁଲାଇ ୯-୧୬ ମଧ୍ୟରେ ଚନ୍ଦ୍ରଯାନ-୨ ଅଭିଯାନ

ଆସନ୍ତା ଜୁଲାଇ ୯ରୁ ୧୬ ତାରିଖ ମଧ୍ୟରେ ଇସ୍ରୋ ଚନ୍ଦ୍ରକୁ ଏହାର ଦ୍ୱିତୀୟ ଅଭିଯାନ ଚନ୍ଦ୍ରଯାନ-୨ ପଠାଇବ। ଏହା ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରରେ ଅବତରଣ କରିବ। ଏଥିପାଇଁ ଜିଏସଏଲଭି-ମାର୍କ-୩ କୁ ମନୋନୀତ କରାଯାଇଛି। ଏହା ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨ ଅଭିଯାନରେ ମହାକାଶକୁ ଯାତ୍ରା କରିବ। ଇସ୍ରୋ ପକ୍ଷରୁ କୁହାଯାଇଛି, ଚନ୍ଦ୍ରକୁ ଏହି ମିଶନରେ ତିନୋଟି ମଡ୍ୟୁଲ୍‍ ରହିଛି। ସେଗୁଡିକ ହେଉଛି – ଅର୍‍ବିଟର୍‍, ଲ୍ୟାଣ୍ଡର୍‍-ବିକ୍ରମ ଓ ରୋଭର୍‍-ପ୍ରଜ୍ଞାନ। ସେଗୁଡ଼ିକ ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ ହୋଇସାରିଛି। ମଡ୍ୟୁଲ୍‍ ଗୁଡ଼ିକ ଇସ୍ରୋର ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା କରାଯାଇ ସାରିଛି। ଖୁବ୍‍ ଶୀଘ୍ର ସେଗୁଡ଼ିକୁ ବେଙ୍ଗାଲୁରୁରୁ ଶ୍ରୀହରିକୋଟାକୁ ସ୍ଥାନାନ୍ତରିତ କରାଯିବ। ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧକୁ ଏକ ରୋଭର ପଠାଇ ଭାରତ ବିଶ୍ୱର ଏକମାତ୍ର ଦେଶ ଭାବେ ଇତିହାସ ସୃଷ୍ଟି କରିବାକୁ ଯାଉଛି।

Categories
ଆଜିର ଖବର

ଏମିସାଟ୍‌ ସହିତ ୨୮ ଉପଗ୍ରହ ଉତ୍‌କ୍ଷେପଣ କଲା ଭାରତ

ପୁଣି ଥରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଦେଶର ସଦ୍ୟତମ ପର୍ଯ୍ୟବେକ୍ଷଣ ଉପଗ୍ରହ ଏମିସାଟ୍‍କୁ ଇସ୍ରୋ ସୋମବାର ମହାକାଶକୁ ପଠାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‍ ମହାକାଶ କେନ୍ଦ୍ରରୁ ଠିକ୍‌ ସକାଳ ୯ଟା ୨୭ ମିନିଟ୍‍ରେ ବିଦେଶର ୨୮ଟି ଉପଗ୍ରହ ସହିତ ଏମିସାଟ୍‍କୁ ପିଏସଏଲଭି-ସି୪୫ ମହାକାଶ ଯାନରେ ଉତକ୍ଷେପଣ କରାଯାଇଥିଲା। ଇସ୍ରୋ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଂଟରରୁ ଉତକ୍ଷେପଣ ହୋଇଛି ଇଲୋକ୍ଟ୍ରୋନିକ୍ସ ଇଂଟିଲିଜେନ୍ସ ଉପଗ୍ରହ ଏମିସାଟ। ଶତ୍ରୁପକ୍ଷ ଉପରେ ନଜର ରଖିବ ଏମିସାଟ୍। ଇସ୍ରୋ ଓ ଡିଆରଡିଓ ମିଳିତ ଭାବେ ଏହି ଉପଗ୍ରହକୁ ତିଆରି କରିଛନ୍ତି। ଏହାଦ୍ୱାରା ସୀମାରେ ପାକିସ୍ତାନ ଦ୍ୱାରା ଇଲେକ୍ଟ୍ରୋନିକ ଓ ମାନବିକ ଗତିବିଧି ଉପରେ ନଜର ରଖିବ। ଅର୍ଥାତ ସୀମାରେ ରାଡାର ଓ ସେନସର ଉପରେ ଏହି ଉପଗ୍ରହ ନଜର ରଖିବ। ଏମିସାଟ ମହାକାଶରେ ଶତ୍ରୁପକ୍ଷର ରାଡାର ଉପରେ ତୀକ୍ଷ୍ଣ ନଜର ରଖିବ। ଏମିସାଟ୍‌ ସହିତ ପିଏସ୍‌ଏଲଭି ରକେଟ ବିଦେଶର ୨୮ଟି ଉପଗ୍ରହକୁ ମହାକାଶ ନେଇ ଯାଇଛି। ମହାକାଶର ୩ଟି ଭିନ୍ନ ଭିନ୍ନ କକ୍ଷପଥରେ ଉପଗ୍ରହଗୁଡ଼ିକୁ ସ୍ଥାପନ କରିବ। ରକେଟ ପ୍ରଥମେ ୪୩୬ କିଲୋଗ୍ରାମ ଓଜନର ଏମିସାଟକୁ ୭୪୯ କିଲୋମିଟର ଦୂରତାରେ ଥିବା କକ୍ଷପଥରେ ସ୍ଥାପନ କରିବ। ଏହା ପରେ ୨୮ଟି ଉପଗ୍ରହକୁ ୫୦୪ କିଲୋମିଟର ଉଚ୍ଚ କକ୍ଷପଥରେ ସ୍ଥାପନ କରିବ। ବିଦେଶର ୨୮ଟି ଉପଗ୍ରହ ମଧ୍ୟରୁ ଆମେରିକାର ୨୪ଟି, ଲିଥୁଆନିଆର ୨ଟି ଏବଂ ସ୍ପେନ ଓ ସ୍ବିଜରଲାଣ୍ଡର ଗୋଟିଏ ଲେଖାଏ ଉପଗ୍ରହ ରହିଛି। ତେବେ ପ୍ରଥମ ଥର ପାଇଁ ସାଟେଲାଇଟ ଉତ୍‌କ୍ଷେପଣ ସମୟରେ ସାଧାରଣ​‌ ଲୋକଙ୍କୁ ଦେଖିବାର ସୁଯୋଗ ମିଳିଥିଲା। ପାଖାପାଖି ୧ ହଜାର ଲୋକ ସୋମବାର ଏମିସାଟ୍‌ ଲଞ୍ଚ କରାଯିବାର ଦୃଶ୍ୟ ଦେଖିଥିଲେ।