Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜନତା କର୍ଫ୍ୟୁ, କରୋନା ସଂକ୍ରମଣ କୁ ରୋକିବା ଲାଗି ଗୋଟିଏ ଦିନ ଯଥେଷ୍ଟ ନୁହେଁ!!

କେଦାର ମିଶ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆଜି ଦିନ ସାତ ଟାରୁ ରାତି ନଅ ଟା ପର୍ୟନ୍ତ ସ୍ଵେଚ୍ଛାରେ ପୂରା ଦେଶ ନିଜକୁ ଘର ଭିତରେ ବନ୍ଦୀ କରି ରଖିବ ବୋଲି ଆମେ ଆଶା କରୁଛୁ। ପ୍ରଧାନମନ୍ତ୍ରୀ ଏହାକୁ “ଜନତା କର୍ଫ୍ୟୁ” ବୋଲି କହିଛନ୍ତି। ଯଦିଓ କର୍ଫ୍ୟୁ ସହିତ ସାମରିକ ଶାସନ ଓ ପୋଲିସ ବଳର ସମ୍ପର୍କ ରହିଛି, ତେଣୁ ସେମିତି ଏକ ଶବ୍ଦକୁ ଗଣତାନ୍ତ୍ରିକ ଶାସନର ମୁଖିଆ ବ୍ୟବହାର ନ କଲେ ଭଲ। ତେବେ ସାରା ଦେଶରେ ଗୋଟିଏ ଦିନ ସ୍ଵେଚ୍ଛା ସଙ୍ଗରୋଧ ହୁଏତ କରୋନା ସଂକ୍ରମଣର ଯେଉଁ ଧାରା ଚାଲିଛି, ତାକୁ କିଛିଟା ଅଙ୍କୁଶ ଲଗାଇପାରେ। ତେବେ ଗୋଟିଏ ଦିନ ଏଥିଲାଗି ଯଥେଷ୍ଟ ନୁହେଁ। ଆମେ ଓଡିଶାରେ ଗତ ସପ୍ତାହେ ହେଲା ପ୍ରାୟ କଟକଣା ଭିତରେ ରହିଛୁ। ରହିବାକୁ ଆମ ପାଇଁ ଅପରିହାର୍ୟ। ଗତ ସପ୍ତାହ ସାରା ଓଡିଶା ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ରହିଛି ଓ ଅତିକମରେ ଏପ୍ରିଲ ୧୫ ପର୍ୟନ୍ତ ଆମେ ସେମିତି ରହିବାର ମାନସିକ ପ୍ରସ୍ତୁତିରେ ଅଛୁ। ତେଣୁ ଆମ ଲାଗି ଗୋଟିଏ ଦିନ ସେହି ଦୀର୍ଘ ସଙ୍ଗରୋଧର ଏକ ଅଂଶବିଶେଷ ମାତ୍ର।

ଚୀନ ଏବଂ ଇଟାଲିରେ କରୋନାର ଯେଉଁ ପ୍ରକୋପ ସେଥିରୁ ଆମର ଜାଣୁ ଯେ, ଏହା ଚାରୋଟି ସ୍ତର ଦେଇ ସଂକ୍ରମିତ ହେଉଛି। ପ୍ରଥମେ ଏହା କରୋନା ସଂକ୍ରମିତ ଭିନ୍ନ ଏକ ଦେଶରୁ ଉଡାଜାହାଜ ବା ଜଳ ଜାହାଜ ମାଧ୍ୟମର ଆସି ପହଞ୍ଚିଥାଏ। ଦ୍ଵିତୀୟ ସ୍ତରରେ ଏହା ସ୍ଥାନୀୟ ଅଞ୍ଚଳରେ, ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ସଂକ୍ରମିତ ହୋଇଥାଏ। ଭାରତରେ ବର୍ତ୍ତମାନ ସେହି ସ୍ତରର ସଂକ୍ରମଣ ଦେଖିବାକୁ ମିଳୁଛି। ଗତକାଲି ଦିନ ସାଢେ ୩ଟା ସୁଦ୍ଧା ୨୯୨ ଜଣ କରୋନା ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରା ଯାଇସାରିଛି। ସେମାନଙ୍କ ଭିତରୁ ୨୨ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣ ମୃତ୍ୟୁ ବରଣ କରିଛନ୍ତି। ଦ୍ଵିତୀୟ ସ୍ତରରୁ ତୃତୀୟ ସ୍ତର କୁ ପହଞ୍ଚିବା ପରେ ଏହା ଗୋଷ୍ଠୀକୁ ସଂକ୍ରମିତ ହେବା ଆରମ୍ଭ କରିଥାଏ। ପ୍ରଥମ ଓ ଦ୍ଵିତୀୟ ସ୍ତରରେ ଏହା କାହା ମାଧ୍ୟମରେ ସଂକ୍ରମିତ ହେଉଚ୍ଛି, ତାହା ଜାଣିବା ସମ୍ଭବ। ହେଲେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲେ ଏହାର ମୂଳ ଖୋଜିବା ସମ୍ଭବ ହୁଏନାହିଁ। ଶେଷ ସ୍ତରରେ ଏହା ମହାମାରୀର ସ୍ୱରୂପ ଗ୍ରହଣ କରିଥାଏ। ଚୀନ, ଇଟାଲୀ,ସ୍ପେନ, ଇଂଲାଣ୍ଡ, ଦକ୍ଷିଣ କୋରିଆ, ଇରାନ, ଜର୍ମାନୀ ପ୍ରଭୃତି ଦେଶରେ କୋଭିଡ- ୧୯ ଚତୁର୍ଥ ସ୍ତରରେ ପହଞ୍ଚିଥିବା ବେଳେ ଭାରତର ଦ୍ଵିତୀୟ ସ୍ତର ଅତ୍ୟନ୍ତ ଜଟିଳ ସ୍ଥିତିରେ ରହିଛି।

ଗତକାଲି ପ୍ରଥମଥର ଲାଗି ୮ ଜଣ ଟ୍ରେନଯାତ୍ରୀଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି ଓ ପୁନେରେ ଏମିତି ଜଣେ ରୋଗୀଙ୍କ ପରିଚୟ ମିଳିଛି ଯିଏ ବିଦେଶ ଯାଇନଥିଲେ ବା ବିଦେଶ ସହ ତାଙ୍କର ସମ୍ପର୍କ ନଥିଲା। ଏହା ଗୋଷ୍ଠୀ ସଂକ୍ରମଣର ଆରମ୍ଭ ବୋଲି ଆମେ କହିପାରିବା। ତେଣୁ ଆଜିର ଦିନ ସଂପୂର୍ଣ୍ଣ ବନ୍ଦ ରହିବା ନିହାତି ଯେତିକି ଜରୁରୀ, ଆଗାମୀ ସପ୍ତାହରେ ମଧ୍ୟ ଏ ପ୍ରକାର ସଙ୍ଗରୋଧ ଅବ୍ୟାହତ ରହିବା ତାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ।

ଭାରତ ସରକାର ହୁଅନ୍ତୁ ବା ରାଜ୍ୟ ସରକାର, ସେମାନେ ଲୋକଙ୍କ ସ୍ଵାସ୍ଥ୍ୟକୁ ସୁରକ୍ଷିତ ରଖିବା ଲାଗି ଯେଉଁ ପଦକ୍ଷେପ ନେଉଛନ୍ତି, ସେଥିରେ କୌଣସି ପ୍ରକାର ଅସହଯୋଗ କରିବାକୁ  ଲୋକେ ମଧ୍ୟ ଚାହୁଁନାହାନ୍ତି। ତେବେ ସ୍ଥାନୀୟ ସଂକ୍ରମଣ ସମୟରେ ଭାରତ ସରକାର ଯେଉଁ ପ୍ରକାର ସ୍ପଷ୍ଟ କଟକଣା ରଖିବା କଥା, ସେଥିରେ ବିଳମ୍ବ ହୋଇଛି। ଆଜି ରାଷ୍ଟ୍ରପତି ଭବନ ଓ ସଂସଦରେ କରୋନା ସଂକ୍ରମଣ ର ଭୟ ଦେଖା ଦେଇଛି। ଲକ୍ଷ୍ନୌ ସହରରେ ଗାୟିକା କନିକା କପୁରଙ୍କ ସହିତ ଏକ ଭୋଜିରେ ବହୁ ସାଂସଦ ଓ ମନ୍ତ୍ରୀ ଯୋଗ ଦେଇଥିଲେ। ଇତି ମଧ୍ୟରେ କନିକାଙ୍କ ଶରୀରରେ କୋଭିଡ-୧୯ ଭୂତାଣୁ ଚିହ୍ନଟ ହୋଇଛି। କନିକାଙ୍କ ସହିତ ଥିବା ମନ୍ତ୍ରୀ ଓ ସାଂସଦ ଇତି ମଧ୍ୟରେ ସଂସଦ ଓ ରାଷ୍ଟ୍ରପତି ଭବନକୁ ଆସିଛନ୍ତି। ଏ ପ୍ରକାର ବିପଦକୁ ଏଡାଇବା ଲାଗି ପ୍ରଥମରୁ ସଂସଦ ବନ୍ଦ ରଖିବା ସହିତ ସରକାରୀ ସଭା ଓ ସମିତି ବନ୍ଦ ରଖିବାକୁ ପ୍ରସ୍ତାବ ଦିଆ ଯାଉଥିଲା। ଏ ପ୍ରକାର ପ୍ରସ୍ତାବ ମାନିବାରେ ଭାରତ ସରକାର ଯଥେଷ୍ଟ ବିଳମ୍ବ କରିଛନ୍ତି।

ବିଳମ୍ବରେ ହେଲେ ମଧ୍ୟ ଉତ୍ତର ପ୍ରଦେଶ ସରକାରଙ୍କର ନିଦ ଭାଙ୍ଗିଛି ଓ ଆଦିତ୍ୟନାଥ ସରକାର ସବୁ ପ୍ରକାର ଧାର୍ମିକ ଉତ୍ସବକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିନ ମଜୁରିଆଙ୍କୁ ଆର୍ଥିକ ସହାୟତା ଦେବାଲାଗି ମଧ୍ୟ ଉତ୍ତର ପ୍ରଦେଶ ସରକାର ବ୍ୟବସ୍ଥା କରିଛନ୍ତି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ଦିଲ୍ଲୀ ସରକାର ୮.୫ ଲକ୍ଷ ଲୋକଙ୍କୁ ୪-୫୦୦୦ ଟଙ୍କାର ପେନସନ ତଥା ୭୨ ଲକ୍ଷ ଲୋକଙ୍କୁ ମାଗଣା ରାସନ(ଅତିରିକ୍ତ ୫୦%) ଦେବାକୁ ମଧ୍ୟ ଘୋଷଣା କରିଛନ୍ତି। ଓଡିଶା ସରକାର ଏ କ୍ଷେତ୍ରରେ କିଛି ପଦକ୍ଷେପ ନେବା ନିତାନ୍ତ ଜରୁରୀ। ଉଠାଦୋକାନୀ, ଦିନ ମଜୁରିଆ ଏବଂ ନିର୍ମାଣ ଶ୍ରମିକଙ୍କ ସହାୟତା ଦେବା ଲାଗି ସରକାରୀ ଉଦ୍ୟମର ଆବଶ୍ୟକତା ରହିଛି।

କରୋନା ମୁକାବିଲା କ୍ଷେତ୍ରରେ କେରଳ ସରକାର ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି। କରୋନା ମୁକାବିଲା ଲାଗି ଶାସକ ଓ ବିରୋଧୀ ଦଳ ଏକାଠି ମିଶି ରଣନୀତି ପ୍ରସ୍ତୁତ କରୁଛନ୍ତି ଓ ମିଳିତ ଭାବରେ ସବୁ ରାଜନୈତିକ ଦଳ ଲୋକଙ୍କ ପାଖକୁ ସତର୍କ ରହିବାର ବାର୍ତ୍ତା ପହଞ୍ଚାଉଛନ୍ତି।

Categories
ବିଶେଷ ଖବର

ଦୁର୍ନୀତି ହଟୁଛି ଯଦି ବ୍ୟାଙ୍କ ଠକେଇ ବଢୁଛି କେମିତି? 

କେଦାର ମିଶ୍ର 

ନିକଟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ସମ୍ପର୍କରେ ସତର୍କ ଦୃଷ୍ଟି ରଖୁଥିବା ସଂସ୍ଥା ଟ୍ରାଂସପେରେନ୍ସି ଇଣ୍ଟରନେସନାଲ ଏକ ରିପୋର୍ଟ ଜାରି କରି କହିଛନ୍ତି ଯେ ଦେଶର ୫୧% ଲୋକ ଆଜି ମଧ୍ୟ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ଦେବାକୁ ବାଧ୍ୟ ହେଉଛନ୍ତି। ଯଦିଓ ୨୦୧୮ ତୁଳନାରେ ଲାଞ୍ଚର ମାତ୍ରା ସାମାନ୍ୟ କମିଛି, ତଥାପି ୫୧% କିଛି କମ ସଂଖ୍ୟା ନୁହେଁ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଗୁଡିକରେ ଦୁର୍ନୀତି ଯଥା ପୂର୍ବମ ତଥା ପରଂ ରହିଛି। ଏହି ରିପୋର୍ଟରେ ଦିଲ୍ଲୀ, ଓଡିଶା, ଗୁଜରାଟ, କେରଳ, ଗୋଆ ଓ ହରିଆଣା ଭଳି ରାଜ୍ୟରେ ଲାଞ୍ଚ କାରବାର କମିଥିବା ବେଳେ ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ,ଝାଡଖଣ୍ଡ ଓ ପଞ୍ଜାବ ଭଳି ରାଜ୍ୟରେ ଦୁର୍ନୀତି ବଢିଛି। ମୋଟାମୋଟି ଦେଶରେ ଦୁର୍ନୀତିର ଧାରା ୨୦୧୪ ପୂର୍ବରୁ ଯାହାଥିଲା, ଆଜି ବି ତାହା ରହିଛି।

ସମାନ ଦୁର୍ନୀତି ଓ ଭ୍ରଷ୍ଟାଚାରର ଅଭିଯୋଗ ସତ୍ତ୍ୱେ ମୋଦୀ ସରକାର ନିଜକୁ ଦୁର୍ନୀତିମୁକ୍ତ ବୋଲି ଏକ ବିଜ୍ଞାପନ ବ୍ୟବସ୍ଥା କରୁଛନ୍ତି। ଦୁର୍ନୀତି ବିରୋଧୀ ସଂଶୋଧନ ଆଇନ-୨୦୧୮ ପରେ ଏହାର ସାମାନ୍ୟ ପ୍ରଭାବ ଲୋକଙ୍କ ଉପରେ ପଡିନାହିଁ। ଉପର ସ୍ତରରେ ଦୁର୍ନୀତିକୁ ନେଇ ଏକ ପ୍ରକାର ଚଳେଇ ନେବାର ବାତାବରଣ ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟରେ ବିଧାୟକଙ୍କ ଘୋଡା ବେପାର ଫଳରେ ଉଲଗ୍ନ ଚେହେରା ଆମକୁ ଆଉ ଆଗପରି ବ୍ୟତିବ୍ୟସ୍ତ କରୁନାହିଁ। କର୍ଣ୍ଣାଟକରେ ଜଣେ ବିଧାୟକ ଦଳ ବଦଳ କଲାପରେ ତାଙ୍କ ସମ୍ପତ୍ତି ୧୮୦ ଗୁଣ ବଢିଗଲା। ଏହାକୁ ଆଜି ଆଉ ଦୁର୍ନୀତି କୁହାଯାଉନି।  ଏତେ ସବୁ ଭ୍ରଷ୍ଟାଚାରର ପ୍ରମାଣ ସତ୍ତ୍ୱେ ମୋଦୀ ସରକାର ନିଜକୁ ସ୍ବଚ୍ଛ ବୋଲି କହି ହେବାରେ ସଫଳ ହୋଇଛନ୍ତି।

ଏକ ଦୁର୍ନୀତିମୁକ୍ତ ବ୍ୟବସ୍ଥାର ହାସ୍ୟାସ୍ପଦ ଚେହେରା ଆଉ ଏକ ତଥ୍ୟରୁ ଆମେ ପାଇପାରିବା। ନିକଟରେ ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ଗତ ଏପ୍ରିଲ ରୁ ନଭେମ୍ବର ପର୍ୟନ୍ତ ପ୍ରାୟ ୨୪,୭୫୭ କୋଟି ଟଙ୍କାର ହେରାଫେରି ହୋଇଛି। ଏହି ବ୍ୟାପକ ବ୍ୟାଙ୍କ ଠକେଇକୁ ସବୁଠୁ ବଡ କର୍ପୋରେଟ ହେରାଫେରି ବୋଲି କୁହାଯାଉଛି। ଏହି ରିପୋର୍ଟ କେବଳ ୧୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ହେରଫେର କଥା କହିଛି। ୮ ମାସ ରେ ଏତେ ପରିମାଣର ଟଙ୍କା କର୍ପୋରେଟ ଗୁଡିକ କେବଳ ଗୋଟିଏ ବ୍ୟାଙ୍କରୁ ଖାଇଯାଇଛନ୍ତି। ଅନ୍ୟ ବ୍ୟାଙ୍କ ଗୁଡିକର ଅବସ୍ଥା ମଧ୍ୟ ପାଖାପାଖି ସେଇଆ। ବିନା ଭୟ ଓ ଦ୍ଵିଧାରେ ବ୍ୟାଙ୍କ ଗୁଡିକରେ ରହିଥିବା ଲୋକଙ୍କ ଟଙ୍କା ଖାଇ ଯାଉଥିବା ଶିଲ୍ପପତି ଓ ବ୍ୟବସାୟୀଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବାରେ ସରକାରଙ୍କର ବିଶେଷ ଆଗ୍ରହ ନାହିଁ।କର୍ପୋରେଟ ଠକ ଓ ଦଲାଲମାନେ ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଚଳୁ କରି ରାତାରାତି ଫେରାର ହୋଇ ଯାଉଥିବା ବେଳେ ଏ ପ୍ରସଙ୍ଗରେ ସାଧାରଣ ଲୋକ ବିଶେଷ କିଛି ଜାଣିବାର ସୁଯୋଗ ନାହିଁ।

ଷ୍ଟେଟ ବ୍ୟାଙ୍କର ଏହି ଉଦବେଗଜନକ ରିପୋର୍ଟ ସମ୍ପର୍କରେ ଅର୍ଥନୀତି ଓ ବାଣିଜ୍ୟ ସମ୍ପର୍କିତ ଖବର କାଗଜ ଗୁଡିକ କିଛି ଲେଖିଥିବା ବେଳେ ସାଧାରଣ ଖବର କାଗଜ ଏହାକୁ ବିଶେଷ ଗୁରୁତ୍ଵ ଦେଇ ନାହାନ୍ତି। ଟେଲିଭିଜନରେ ଏହାକୁ ନେଇ କୌଣସି ଆଲୋଚନା ହୋଇନାହିଁ। ବାସ୍ତବରେ ବୁଝି ହେଉନାହିଁ ଯେ କର୍ପୋରେଟ ଘୋଟାଲା ସମ୍ପର୍କିତ ଏତେ ବଡ ଖବରକୁ ଚାପି ଦେବାର କାରଣ କଣ? ମାତ୍ର ୮ ମାସରେ କେବଳ ଗୋଟିଏ ବ୍ୟାଙ୍କରେ ୨୪,୭୫୭ କୋଟି ଟଙ୍କା ଖାଇ ଯାଇଥିବା କର୍ପୋରେଟ ଗୁଡିକୁ ସୁରକ୍ଷା ଦେଉଛି କିଏ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ଭାଷାରେ, ଏହି ଦୁର୍ନୀତିଖୋରଙ୍କୁ ଚାରାପାଣି ଖୁଆଉଛି କିଏ? ଆମେ ଜାଣିଛୁ, ଏହି ପ୍ରଶ୍ନର ଉତ୍ତର ମିଳିବ ନାହିଁ।

ବିଭିନ୍ନ ବ୍ୟାଙ୍କରେ ଉଚ୍ଚ ପଦବୀରେ ଥିବା କର୍ମକର୍ତ୍ତାମାନେ ଅବସର ପରେ କର୍ପୋରେଟ ଗୁଡିକରେ ମୋଟା ଅଙ୍କର ଦରମା ପାଇ ଥଇଥାନ ହେଉଛନ୍ତି। ଏହାର ବଡ ଉଦାହରଣ ହେଉଛନ୍ତି ପୂର୍ବତନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ଅରୁନ୍ଧତୀ ଭଟ୍ଟାଚାର୍ୟ। ଚାକିରିରୁ ଅବସର ନେବା ପରେ ଶ୍ରୀମତୀ ଭଟ୍ଟାଚାର୍ୟ ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ କମ୍ପାନୀରେ ନିର୍ଦ୍ଦେଶକ ପଦ ପାଇଛନ୍ତି। ଏମିତି ଅନେକ ବ୍ୟାଙ୍କର ବଡ ବାବୁ ଅଛନ୍ତି, ଯେଉଁମାନେ କର୍ପୋରେଟଙ୍କୁ ସାହାଯ୍ୟ କରି ବ୍ୟାଙ୍କକୁ ଖୋଳ କରିଦିଅନ୍ତି। ସେ ସମ୍ପର୍କରେ ଆମର କୌଣସି ଠୋସ ନୀତି ମଧ୍ୟ ନାହିଁ। ଯଦି କୌଣସି ବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀ ଅବସର ପରେ କର୍ପୋରେଟ ଚାକିରିରେ ଯୋଗ ଦିଅନ୍ତି, ତେବେ ସେ ପୂର୍ବରୁ ଦେଇଥିବା ଋଣ ଓ ଋଣ ଖିଲାପି ସମ୍ପର୍କରେ ବ୍ୟାପକ ତଦନ୍ତ ହେବା ଉଚିତ।

ବ୍ୟାଙ୍କ ଠକେଇ ର ଏହି ନୂଆ ଯୁଗ କୁ ଆମେ ମୋଦୀଙ୍କ ନୂଆ ଭାରତର ନୂଆ ନୈତିକତା ବୋଲି ଗ୍ରହଣ କରିନେବା ନା ଏହା ବିରୋଧରେ କିଛି କହିବା?

Categories
ବିଶେଷ ଖବର

ପିଆଜ ଦର ବଢୁଛି କାହିଁକି ଓ କାହା ପାଇଁ, କାହାକୁ ଜଣା ନାହିଁ!! 

କେଦାର ମିଶ୍ର 

ଆମେ ଗୋଟେ ଅଦ୍ଭୁତ ସମୟରେ ବଞ୍ଚୁଛୁ। ଆମ ପାଖରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ନାହିଁ। ତାର ଏକ ଛୋଟିଆ ଉଦାହରଣ ହେଉଛି, ଦେଶସାରା ବଢି ଚାଲିଥିବା ନିଆଁଲଗା ପିଆଜ ଦର। ଆଜିର ତାରିଖରେ ଭୁବନେଶ୍ବରରେ ପିଆଜ ଦର କିଲୋ ପିଛା ୯୦ ରୁ ୧୦୦ ଟଙ୍କା। ଏହା କେବଳ ଓଡିଶାରେ ସୀମିତ ନୁହେଁ। ସାରା ଦେଶରେ ପିଆଜ ଦର କିଲୋ ପିଛା ୯୦ ରୁ ୧୦୦ ଭିତରେ ରହିଛି। ତେବେ ଏହାକୁ ନେଇ କୌଣସି ରାଜନୈତିକ ପ୍ରତିକ୍ରିୟା ଦେଖିବାକୁ ମିଲୁନି କାହିଁକି? ସଂସଦର ଅଧିବେଶନ ଚାଲିଛି। ପିଆଜର ଏହି ଅହେତୁକ ଦରବୃଦ୍ଧିକୁ ନେଇ ସଂସଦରେ ଆଲୋଚନା ହେଲାଣି କି? ଗୋଡସେ ଭଳି ଅପରାଧୀକୁ ନେଇ ଦୁଇ ଦିନ ଚର୍ଚ୍ଚା କରୁଥିବା ଆମର ସାଂସଦ, ପ୍ରତ୍ୟେକ ସାଧାରଣ ଲୋକକୁ କନ୍ଦାଉଥିବା ପିଆଜ ଦର ବିଷୟରେ ଆଲୋଚନା କରୁନି କାହିଁକି? କୌଣସି ବି ରାଜନୈତିକ ଦଳ ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଳାଇବାର କେହି ଦେଖିଛନ୍ତି କି? କଣ ପାଇଁ ଏହାକୁ ଆମେ ଏତେ ସହଜରେ ଗ୍ରହଣ କରି ନେଇଛୁ? ପିଆଜ ଦର ବଢୁଥିବାରୁ ଏହା ପିଆଜ ଚାଷୀଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆନୁଛି କି? ମୁଁ ଯଦି କିଲେ ପିଆଜକୁ ୧୦୦ ଟଙ୍କାରେ କିଣୁଛି, ତାର ୭୦-୮୦ ଟଙ୍କା ଚାଷୀ ପାଉଛି କି? ଯଦି ଚାଷୀ ପାଖକୁ ସେ ପଇସା ଯାଆନ୍ତା, ତାହେଲେ ଖାଉଟି ପଇସା ଦେବାର ଲାଭ ଅଛି ବୋଲି କହିହେବ। ତାହା ବି ହେଉନାହିଁ। ପିଆଜ ଦର କାହିଁକି ବଢୁଛି, ସେ ସମ୍ପର୍କରେ କେନ୍ଦ୍ର ସରକାର ବା ରାଜ୍ୟ ସରକାର, କେହି କିଛି କହୁନାହାନ୍ତି। କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କର କୌଣସି ବକ୍ତବ୍ୟ ଏ ପ୍ରସଙ୍ଗରେ ଶୁଣିବାକୁ ମିଳୁନାହିଁ। ପ୍ରଧାନମନ୍ତ୍ରୀ ତ ବଡ ଲୋକ, ସେ ପିଆଜ ଭଳି ଛୋଟ କଥାରେ ମୁଣ୍ଡ କାଇଁ ପୁରାଇବେ!

ସାଧାରଣ ନାଗରିକ ଭାବରେ ଆସନ୍ତୁ, ଆମେ ଏହାର କାରଣ ଖୋଜିବା। ଅର୍ଥନୀତି ଓ ବଜାରର ଏକ ସାଧାରଣ ନିୟମ ହେଉଛି, ଯଦି ଖାଉଟିର ଦାବି ତୁଳନାରେ ଉତ୍ପାଦନ କମ ହୁଏ, ତାହେଲେ ଦର ବୃଦ୍ଧି ସ୍ଵାଭାବିକ। ଯେତିକି ପିଆଜ ଆମେ ଦରକାର କରୁଛୁ, ତାଠୁ ପିଆଜ ଉତ୍ପାଦନ ଯଦି କମ ହେଉଛି, ତାହେଲେ ଦର ବଢିବାର କାରଣ ବୁଝିହେବ। ହେଲେ ସରକାରୀ ତଥ୍ୟ କହୁଛି, ଆମର ଚାହିଦା ଠାରୁ ପିଆଜ ଉତ୍ପାଦନର ମାତ୍ରା ଢେର ଅଧିକ। ଇକୋନମିକ ଟାଇମ୍ସର ଏକ ରିପୋର୍ଟ ମୁତାବକ ଦେଶରେ ୨୦୧୮-୧୯ ବର୍ଷରେ ପିଆଜ ଉତ୍ପାଦନ ୨୩.୫ ନିୟୁତ ଟନ ହୋଇଥିବା ବେଳେ ଦେଶର ଚାହିଦା ହେଉଛି ୧୬ ନିୟୁତ ଟନ। ଅର୍ଥାତ ଆମ ଚାହିଦା ଠାରୁ ଆମେ ୭.୫ ନିୟୁତ ଟନ ଅଧିକ ଉତ୍ପାଦନ କରୁଛୁ। ବଳକା ପିଆଜକୁ ରପ୍ତାନି କରି ୨୦୧୮ରେ ୩୫୧୬ କୋଟି ଓ ଚଳିତ ବର୍ଷ ଜୁନ ସୁଦ୍ଧା ୧୮୪୦ କୋଟି ଟଙ୍କାର ଆୟ ହୋଇଛି। ତା ସତ୍ତ୍ୱେ ଘରୋଇ ବଜାରରେ ପିଆଜ ଦର ଏତେ ଅଧିକ ହେବାର କାରଣ କଣ? ଯେ କୌଣସି ଅର୍ଥଶାସ୍ତ୍ରୀ ବା ବଜାର ବିଶେଷଜ୍ଞ ଏହି ତଥ୍ୟକୁ ଦେଖି ମୂର୍ଚ୍ଛା ହୋଇପଡିବେ। ୭.୫ ନିୟୁତ ଟନ ବଳକା ପିଆଜ ଉତ୍ପାଦନ କରୁଥିବା ଦେଶରେ ପିଆଜ ସବୁଠୁ ଶସ୍ତା ହେବା କଥା। ଏହାର ବିପରୀତରେ ସବୁଠୁ ମହଙ୍ଗା ପିଆଜ କାହିଁକି?

ଦର ବୃଦ୍ଧିର ଗୋଟେ କାରଣ କୁହାଯାଉଛି, ତାହେଲା ଦେଶର ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ଅସମୟ ବର୍ଷା। ଏଥିପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶ୍ଵାନ ବଡ ନିରୀହ ଭାବରେ କହିଛନ୍ତି, ପ୍ରକୃତି ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ। ଠିକ କଥା, ଅସମୟ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି। ହେଲେ ଏହା ଏକ ସାଧାରଣ ଘଟନା। ଆଗରୁ ସତର୍କତାମୂଳକ ଭାବରେ ପିଆଜ ମହଜୁଦ ରଖିବା କଥା। ସରକାରୀ ତଥ୍ୟ ତ କହୁଛି, ପିଆଜ ମହଜୁଦ ଅଛି। ତଥାପି ଦର ବଢୁଛି କେମିତି? ପାଶ୍ୱାନ ସାହେବ ଏହାର ଉତ୍ତର ଦେବାକୁ ଚାହୁଁ ନାହାନ୍ତି। ଗତ ସେପ୍ଟେମ୍ବର ମାସରେ ପିଆଜର ରପ୍ତାନି ଉପରେ ସରକାର କଟକଣା ଲାଗୁ କରିଥିଲେ। ତଥାପି ପରିସ୍ଥିତିରେ ସୁଧାର ଆସୁନାହିଁ। ପରିସ୍ଥିତି ସମ୍ଭାଳିବାକୁ ଏବେ ଇଜିପ୍ଟରୁ ୬୦୯୦ ଟନ ପିଆଜ ଆମଦାନୀ କରାଯାଉଛି। ଯଦି ପିଆଜ ମହଜୁଦ ଅଛି, ତାହେଲେ ଆମଦାନୀ ର ଆବଶ୍ୟକତା କଣ? ଏଠି କେହି ନା କେହି ତ ମିଛ କହୁଛି।

ପିଆଜ ର କଳା ବଜାର ପାଇଁ ବେଆଇନ ଭାବରେ ବ୍ୟବସାୟୀମାନେ ଏହାର ଯୋଗାଣକୁ ବ୍ୟାହତ କରୁଥିବାର ଅଭିଯୋଗ ଆସୁଛି। ସରକାରୀ ନିୟମ ଅନୁଯାୟୀ ଜଣେ ଖୁଚୁରା ପିଆଜ ବ୍ୟବସାୟୀ ୧୦୦ କୁଇଣ୍ଟାଲ ଓ ହୋଲସେଲର ୫୦୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ। ପିଆଜ ଗୋଦାମ ତଥା ବ୍ୟବସାୟୀଙ୍କ ଉପରେ ଚଢାଉ କରି ଏହି ନିୟମକୁ କଡାକଡି ଲାଗୁ କରିବାର ଦାୟିତ୍ଵ ରାଜ୍ୟ ସରକାରଙ୍କର ରହିଛି। ଓଡିଶାରେ ଏଥିପାଇଁ ଯୋଗାଣ ବିଭାଗ କିଛି କରୁଛନ୍ତି ନା କେବଳ ହାତକୁ ହାତ ବାନ୍ଧି ବସିଛନ୍ତି ତାହା ମଧ୍ୟ ଏକ ବଡ ପ୍ରଶ୍ନ।

ନଭେମ୍ବର ପ୍ରଥମ ସପ୍ତାହରେ ମହାରାଷ୍ଟ୍ର ଅହମଦନଗର ର ଜଣେ ପିଆଜ ଚାଷୀ କାନ୍ଦି କାନ୍ଦି କହୁଥିଲେ, ସେ ପିଆଜ କିଲୋ ମାତ୍ର ୮ ଟଙ୍କାରେ ବିକ୍ରି କରୁଛନ୍ତି। ଶ୍ରମିକଙ୍କୁ ମୂଲ ଦେବାଲାଗି ତାଙ୍କର ସାମର୍ଥ୍ୟ ନାହିଁ। ହେଲେ ଖାଉଟି ଶହେ ଟଙ୍କାରେ ପିଆଜ କିଣି ଖାଉଛି। ଚାଷୀର ୮ ଟଙ୍କା ଓ ଖାଉଟିର ୧୦୦ ଟଙ୍କା ଭିତରେ ଯେଉଁ ୯୨ ଟଙ୍କାର ମୁନାଫା, ତାକୁ ଖାଉଛି କିଏ? ଏ ପ୍ରଶ୍ନ ବା ପଚାରିବ କିଏ? ସରକାରକୁ ପ୍ରଶ୍ନ ପଚାରିବା ଯେହେତୁ ଦେଶଦ୍ରୋହ, ତେଣୁ ଏ ପ୍ରଶ୍ନ ନିଜେ ନିଜକୁ ହିଁ ପଚରାଯାଉ!!

Categories
ବିଶେଷ ଖବର

ପିଆଜ କିଲୋ ସତୁରୀ ହେଉ କି ସାତ ଶହ, ଆମେ ଭାଇ ସରକାର ବିରୋଧରେ କିଛି କହିବୁ ନାହିଁ!!  

କେଦାର ମିଶ୍ର 

ପିଆଜ କିଲୋ ସତୁରୀ ଟଙ୍କା ହେଉ କି ସାତ ଶହ ଏ ବିଷୟରେ କିଛି କହିଲେ ମାନେ, ବିଜେପି ଭକ୍ତମାନେ ଆପଣଙ୍କ ତଣ୍ଟି କୁ ମାଡିବସିବେ। ଆପଣଙ୍କୁ କହିବେ- କୋଢିଆମାନେ, ଚାଷ କରୁନ! ମୋଦୀ କଣ ଏଠି ଆଳୁ ପିଆଜ ଦର ବୁଝିବାକୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି! ଭକ୍ତଙ୍କ ଭୟରେ ଆପଣ ପ୍ରତିବାଦ କରିବାକୁ ସାହସ ବି କରି ପାରିବେ ନାହିଁ।  ଆମର ମନେ ଅଛି, ଗତ ତିନି ମାସ ଭିତରେ  ପିଆଜ ଦର ଲେଖାଲେଖି କରି ଆମେ କେମିତି ସରକାରୀ ଭକ୍ତ ଓ ନରେନ୍ଦ୍ର ମୋଦୀଙ୍କ ବିଶାଳ ଟ୍ରୋଲ ବାହିନୀ ପାଖରୁ ଗାଳି ଖାଉଛୁ। ଆମକୁ କୁହା ହୋଇଥିଲା- କଣ, କଂଗ୍ରେସ ବେଳେ ପିଆଜ ଦର ବଢୁ ନଥିଲା କି? କଂଗ୍ରେସ ବେଳେ ତମେ ସବୁ କେଉଁଠି ଶୋଇଥିଲ? ଆମର ସୈନିକ ସୀମାନ୍ତରେ ଗୁଳି ଖାଇ ମରୁଛନ୍ତି ଆଉ ତମେ ପିଆଜ କିଲୋ ସତୁରୀ ଟଙ୍କା ଦେଇ କିଣିପାରୁନ! ଭକ୍ତ ଓ ଟ୍ରୋଲ ମାନଙ୍କର ଏସବୁ ପ୍ରଶ୍ନ ବହୁ ପୁରୁଣା। ସେମାନେ ଜାଣନ୍ତି ନାହିଁ ଯେ ଦରଦାମ ବଢିଲେ, ଲୋକଙ୍କର ହା ହୁତାଶ କେମିତି ଆସେ। ଜଣେ ସାଧାରଣ ଶ୍ରମିକ ବା କୃଷକର  ଅଧା ଦିନର ମଜୁରି ଯଦି କିଲେ ପିଆଜରେ ସରିଯାଏ, ତାହେଲେ ସେ ବଞ୍ଚିବ କେମିତି- ଏ ପ୍ରକାର ସମ୍ବେଦନା ଆମ ସମୟରେ ଆଉ ଦେଖିବାକୁ ମିଳୁନାହିଁ।

କଂଗ୍ରେସ ସମୟରେ ଯେତେବେଳେ ବି ଦରଦାମ ବଢିଛି, ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି। ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଗୋଟେ ସମୟରେ ଅଟଳ ବିହାରୀ ସରକାର ପିଆଜ ଦର ଲାଗି ହାରିଥିଲା। ମନମୋହନ ସିଂ ଲୋକଙ୍କ ଆସ୍ଥା ହରାଇବା ପଛରେ ମୁଦ୍ରାସ୍ଫୀତି ଏକ ବଡ କାରଣ ଥିଲା। କଂଗ୍ରେସ ସରକାର ସମୟରେ ପିଆଜ ଦର ଟଙ୍କାଟେ ବଢିଗଲେ ବିଜେପି ସଂସଦରୁ ସଡକ ହୁଲସ୍ତୁଲ କରି ପକାଉଥିଲା। ବିଜେପି ନେତା ଓ ଲୋକ ପ୍ରତିନିଧିମାନେ ପିଆଜ ଓ ଟମାଟୋ ମାଳ ବେକରେ ପକାଇ ଧାରଣାରେ ବସଥିଲେ। ହେଲେ ଆଜି ଦରବୃଦ୍ଧି ବିରୋଧରେ ପଦେ କହିବାକୁ ସାଧାରଣ ଜନତାର ଏତେ ଭୟ କାହିଁକି? ଲୋକଙ୍କ ଭିତରେ ପ୍ରତିବାଦ ମରିଯାଇଛି କାହିଁକି? ଦେଶର ସବୁ ପ୍ରସଙ୍ଗ ଓ ସଙ୍କଟକୁ ଆଜି କଂଗ୍ରେସ ବନାମ ବିଜେପି କରି ଭାଗ କରିଦିଆଯାଇଛି। ସରକାର ବିରୋଧରେ ଯେ କହିଲା ସେ କଂଗ୍ରେସର ଚାମଚା, ନଚେତ ଦେଶଦ୍ରୋହୀ। ତେଣୁ ଆଜି ଦରଦାମ ବଢିଲେ କାହାର କିଛି କହିବାର ନାହିଁ।

ଗତ ତିନିମାସ ଧରି ଅନିୟନ୍ତ୍ରିତ ଭାବରେ ପିଆଜ, ଡାଲି, ଖାଇବା ତେଲ ଇତ୍ୟାଦିର ଦର ବଢିଛି। ଏପଟେ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହରାକୁ ଚାଲି ଯାଉଛି। ଅର୍ଥନୀତିର ସାଧାରଣ ନିୟମ ହେଉଛି, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି ମାନେ, ଦର ଦାମ ବଢିବା କଥା ନୁହଁ। ତାହେଲ ବଢୁଛି କେମିତି? ଏହାର ଉତ୍ତର ହେବ, ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଯାଇ ଚାଷୀକୁ ସରକାର ଉଚିତ ମୂଲ୍ୟ ଦେଉ ନାହାନ୍ତି। ଅପରପକ୍ଷେ ପିଆଜର ଦଲାଲି ଓ କଳାବଜାରକୁ ନିୟନ୍ତ୍ରଣ କରାଯାଉନି। ପିଆଜର ଆବଶ୍ୟକତା ତୁଳନାରେ ବଜାରରେ କମ ଉତ୍ପାଦନ ଥିବାରୁ ଏହାର ଲାଭ ବ୍ୟବସାୟୀ ଉଠାଉଛି। ଚାଷୀ ବେଚାରା ଯେଉଁ କ୍ଷତିରେ ଥିଲା, ସେଇ କ୍ଷତିରେ ଆଜି ମଧ୍ୟ ରହିଛି। ସରକାର ମାସମାସ ଧରି କଳାବଜାରୀଙ୍କ ପେଟ ପୋଷି ଚାଲିଛନ୍ତି। ଏକଥା କହିଲେ, ଭକ୍ତଙ୍କ ମୁଣ୍ଡରେ ପିତ୍ତ ଚଢିଯିବ। ଦେଶର ଅର୍ଥନୀତି ଏମିତି ଗୋଟେ ଭୟଙ୍କର ସ୍ଥିତିରେ ପହଞ୍ଚିଛି, ଯେଉଁଠି କେତେବେଳେ କିଛି ବି ଘଟିପାରେ।

ଆମ ସରକାର ଅର୍ଥନୀତିକୁ ମଧ୍ୟ ନିଜର ଟ୍ରୋଲ ଜରିଆରେ ଚଳାଇବାକୁ ଚାହୁଁଛନ୍ତି। ଯାହାର ପରିଣତି ସ୍ଵରୂପ ଆମର ସାମାଜିକ ଓ ଅର୍ଥନୈତିକ ଜୀବନ ଘୋର ସଙ୍କଟ ଆଡକୁ ଗତି କରୁଛି। ଆଗରୁ ପିଆଜ ଦର ଅତି ବେଶୀରେ ମାସେ ବଢୁଥିଲା ଓ ନୂଆ ପିଆଜ ବଜାରକୁ ଆସିବା ପରେ ଦର ନିୟନ୍ତ୍ରଣକୁ ଚାଲି ଆସୁଥିଲା। ପ୍ରାୟ ତିନିମାସ ଧରି ଚଢା ଦରରେ ପିଆଜ ବିକ୍ରି ହେବା ଓ ଏହାର ଲାଭ, ଚାଷୀଙ୍କୁ ନ ମିଳିବା, ମୋଦୀ ସରକାରର ଅପାରଗତାକୁ ସୂଚେଇ ଦେଉଛି। ହେଲେ ଏକଥା ଯିଏ କହିବ, ସେ ଦେଶଦ୍ରୋହୀ ବୋଲାଇବ କିମ୍ବା ପାକିସ୍ତାନ ପଳା ବୋଲି ନୋଟିସ ପାଇବ!!

ତେଣୁ ଆମେ କହୁଛୁ- ପିଆଜ  କିଲୋ ସତୁରୀ ଟଙ୍କା ହେଉ କି ସାତଶହ , ଆମେ ଭାଇ ସରକାର ବିରୋଧରେ କିଛି ବି କହିବୁ ନାହିଁ।

 

Categories
ବିଶେଷ ଖବର

ସାଲବେଗ ଓ ଅମିର ଖୁସ୍ରୋଙ୍କର ଦେଶରେ ଫିରୋଜ ଖାଁଙ୍କୁ ସଂସ୍କୃତ ପଢାଇବା ମନା!! 

କେଦାର ମିଶ୍ର 

କେତେ ହଜାର ଥର ଆମେ ବୋଲିଥିବୁ- କହେ ସାଲବେଗ ହୀନ ଜାତିରେ ଯବନ। ଜାତିରେ ଯବନ ସାଲବେଗଙ୍କ ଓଡିଆ ରଚନାରେ ଭାବ ଓ ଭକ୍ତିର ସବୁଠୁ ମାର୍ମିକ ଅନୁଭବ ପାଇଥିବା ଜଣେ ଭାରତୀୟ ଭାବରେ ମୋତେ ଯେତେବେଳେ ଖବର ମିଳେ ଯେ, ବାରାଣସି ହିନ୍ଦୁ ବିଶ୍ଵ ବିଦ୍ୟାଳୟରେ ଫିରୋଜ ଖାଁ ନାମକ ଜଣେ ମେଧାବୀ ସଂସ୍କୃତ ବିଦ୍ଵାନ ପାଠ ପଢାଇପାରିବେ ନାହିଁ ବୋଲି ଆନ୍ଦୋଳନ ହେଉଛି, ସେତେବେଳେ ମୋତେ ଲାଗିଲା, ମୁଁ ଯେଉଁ ଭାରତରେ ଜନ୍ମ ହୋଇଛି, ଇଏ ସେଇ ଭାରତ ନୁହେଁ। ମୋର ଭାରତ ହେଉଛି ଯବନ ସାଲବେଗ ଓ ହରି ଦାସଙ୍କର ଭାରତ। ମୋର ଭାରତ ହେଉଛି କାଳିଦାସ ଓ ଅମିର ଖୁସ୍ରୋଙ୍କର ଭାରତ। ମୋର ଭାରତରେ ସଂସ୍କୃତ ଯେତିକି ଦେବତାମାନଙ୍କର ଭାଷା, ସେତିକି ପରିମାଣରେ ଜନଗଣଙ୍କର ମଧ୍ୟ ଭାଷା। ସଂସ୍କୃତ ଭାଷା କେବଳ ହିନ୍ଦୁ ଧର୍ମର (ତାହା ପୁଣି କେବଳ ବ୍ରାହ୍ମଣଙ୍କର) ଭାଷା ବୋଲି ଯିଏ କହୁଛି, ନା ସେ ସଂସ୍କୃତ ସାହିତ୍ୟର ଇତିହାସ ପଢିଛି, ନା ଇତିହାସ ସମ୍ପର୍କରେ ତାର ସାଧାରଣ ଜ୍ଞାନ ରହିଛି। ସଂସ୍କୃତ ରେ ଅନେକ ଧାର୍ମିକ ଗ୍ରନ୍ଥ ରହିଛି, ତେବେ ସଂସ୍କୃତର ମୂଳ ସୌନ୍ଦର୍ୟ ଧର୍ମ ନୁହେଁ, ସାହିତ୍ୟ। ସାହିତ୍ୟର ମୌଳିକ ମାନବୀୟ ଆବେଦନ ଯୋଗୁଁ ସଂସ୍କୃତ ହଜାର ହଜାର ବର୍ଷ ଧରି ବଞ୍ଚିଛି। ଆଜି ଲୋକମୁଖରେ ସଂସ୍କୃତ ନାହିଁ, ଏହା କେବଳ ସାହିତ୍ୟ ଓ ସଂସ୍କୃତିର ଭାଷା। ଏହାକୁ ଧାର୍ମିକ ସଙ୍କୀର୍ଣ୍ଣତା ଭିତରେ ଦେଖିବା ସବୁଠୁ ବଡ ସଂସ୍କୃତ ବିରୋଧୀ ଅପରାଧ।

ତେବେ ସଂସ୍କୃତ ଏକ ଭାଷା ଭାବରେ ବହୁ ମୁସଲମାନ ଶାସକଙ୍କର ପ୍ରୋତ୍ସାହନ ପାଇଥିଲା ଓ ଶହ ଶହ ବର୍ଷ ଧରି ଅନେକ ମୁସଲମାନ ବିଦ୍ଵାନ ସଂସ୍କୃତ ଅଧ୍ୟୟନ କରିଥିଲେ। ସଂସ୍କୃତରୁ ପାର୍ସି ଓ ଆରବିକ ଭାଷାକୁ ଅନୁବାଦର ପ୍ରାୟ ୭୦୦ ବର୍ଷର ଏକ ବିରାଟ ପରମ୍ପରା ଆମର ରହିଥିଲା। ସଂସ୍କୃତକୁ ଧର୍ମର ଗଣ୍ଡିରେ ଦେଖିବାକୁ ଚାହୁଁଥିବା ଲୋକଙ୍କୁ ସେଇ ସଂସ୍କୃତରେ କୁହାଯାଏ- କୂପ ମଣ୍ଡୁକ ବା କୂଅ ର ବେଙ୍ଗ। ସେଇ କୂଅ ବେଙ୍ଗଙ୍କ ପାଇଁ କିଛି ତଥ୍ୟ ଆମେ ରଖିବାକୁ ଚାହୁଁଛୁ-

* ହାଜି ଇବ୍ରାହିମ ସରହିନ୍ଦ ପ୍ରଥମେ ଅଥର୍ବ ବେଦକୁ ପାର୍ସି ଭାଷାରେ ଅନୁବାଦ କରିଥିଲେ।

*ମୌଳାନା ଅବଦୁର କାଦିର ବଦାୟୁନି ଓ ଥାନେଶ୍ବର ର ସୁଲତାନ ଶେଖଙ୍କ ତତ୍ତ୍ଵାବଧାନରେ ମହାଭାରତର ପାର୍ସି ଅନୁବାଦ ପ୍ରସ୍ତୁତ ହୋଇଥିଲା।

* ଆକବରଙ୍କ ଦରବାରରେ ଅଲ ବିରୁଣୀ ରାମାୟଣର ପାର୍ସି ଅନୁବାଦ ଉପସ୍ଥାପନ କରିଥିଲେ।

* ଭାସ୍କରାଚାର୍ୟଙ୍କ ପ୍ରସିଦ୍ଧ “ବୀଜ ଗଣିତ” ଓ ତାଙ୍କ ବୋହୁଙ୍କ ଦ୍ଵାରା ରଚିତ ଲୀଳାବତୀ ସୂତ୍ରକୁ ମୁସଲମାନ ବିଦ୍ଵାନ ଶେଖ ମହମ୍ମଦ ଫଇଜି ପାର୍ସିରେ ଅନୁବାଦ କରିଥିଲେ।

* ଆଉରେଙ୍ଗଜେବଙ୍କ ହତଭାଗ୍ୟ ବଡ ଭାଇ ଦାରା ଶିକୋ ଉପନିଷଦ ଗୁଡିକର ପାର୍ସି ଅନୁବାଦ କରିବା ସହିତ ବେଦାନ୍ତ ଓ ସୁଫି ଦର୍ଶନର ତୁଳନାତ୍ମକ ଅଧ୍ୟୟନ କରିଥିଲେ।

ଏମିତି ଅସଂଖ୍ୟ ଉଦାହରଣ ଦେଇ ହେବ ଯେଉଁଥିରେ ମୁସଲମାନ ବିଦ୍ବାନମାନଙ୍କର ସଂସ୍କୃତ ଭାଷାକୁ ରହିଥିବା ଅବଦାନ ସ୍ପଷ୍ଟ ଜଣା ପଡିବ। ୟୁରୋପୀୟ ପଣ୍ଡିତ ମାକ୍ସମୂଲର  ଓ ସାର ଉଇଲିୟମ ଜୋନ୍ସ ପାର୍ସି ଭାଷା ମାଧ୍ୟମରେ ହିଁ ସଂସ୍କୃତକୁ ଜାଣିବାର ସୁଯୋଗ ପାଇଥିଲେ। ଶହ ଶହ ବର୍ଷ ଧରି ମୁସଲମାନ ଜୀବନବୋଧ ସହିତ ଜଡିତ ଥିବା ସଂସ୍କୃତକୁ ଜଣେ ମୁସଲମାନ ପଢାଇ ପାରିବେ ନାହିଁ ବୋଲି ଆନ୍ଦୋଳନ କରିବା, ଆମ ସମୟର ବୌଦ୍ଧିକ ଅନ୍ଧତ୍ଵର ଲକ୍ଷଣ ମାତ୍ର।

ଫିରୋଜ ଖାଁ ଓ ତାଙ୍କ ବାପା ରମଜାନ ଖାଁ, ଉଭୟେ ସଂସ୍କୃତର ଛାତ୍ର। ପ୍ରଫେସର ହେବା ଲାଗି ସର୍ବୋଚ୍ଚ ଯୋଗ୍ୟତା ଫିରୋଜଙ୍କ ପାଖରେ ରହିଛି। ସେ ଦେଶର ସବୁଠୁ ବଡ ସଂସ୍କୃତ ଗବେଷଣା ପ୍ରତିଷ୍ଠାନରୁ ପିଏଚଡି ହାସଲ କରିଛନ୍ତି। ତା ସତ୍ତ୍ୱେ ସେ ପାଠ ପଢାଇ ପାରିବେ ନାହିଁ ବୋଲି ଆନ୍ଦୋଳନ କରିବାର ଅର୍ଥ କଣ? କେବଳ ଧର୍ମ ଆଧାରର ଜଣେ ବ୍ୟକ୍ତିଙ୍କୁ ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ କରିବାକୁ ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ପୋଲିସ ଉଠାଇ ନେବାର ସାହସ କରୁନାହିଁ କାହିଁକି? ଜବାହାର ଲାଲ ନେହେରୁ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ନ୍ୟାଯ୍ୟ ଦାବି ପାଇଁ ଆନ୍ଦୋଳନ କରୁଥିବା ବେଳେ ତାଙ୍କ ଉପରେ ଲାଠି ମାଡ ହେଉଛି। ଅଥଚ ଏକ ଭାରତୀୟ ଜୀବନ ଓ ସଂସ୍କୃତି ବିରୋଧରେ ମିଛ ନାଟକ କରୁଥିବା ଛାତ୍ରଙ୍କ ଉପରେ  କାର୍ୟାନୁଷ୍ଠାନ ହେଉନାହିଁ। ଫିରୋଜ ଖାଁ ସଂସ୍କୃତ ପଢିବା ଓ ପଢାଇବା, ଭାରତୀୟ ସାଂସ୍କୃତିକ ଜୀବନରେ ଏକ ମହାନ ଘଟଣା। ଏହା ଗୌରବର ବିଷୟ। ତାକୁ ଅଯଥା ବିବାଦ ଭିତରକୁ ଟାଣି କିଛି ଲୋକ ଆମ ସଂସ୍କୃତିକୁ ନିନ୍ଦିତ ଓ ଅପମାନିତ କରୁଛନ୍ତି। ସବୁଠୁ ବଡ କଥା ହେଲା, ଏହି କୂପ ମଣ୍ଡୁକ ମାନେ ସଂସ୍କୃତ ଭାଷାର ହିଁ ସବୁଠୁ ବଡ କ୍ଷତି କରୁଛନ୍ତି।

Categories
ବିଶେଷ ଖବର

ଘୃଣା, ବିଭାଜନ ଓ ଧର୍ଷଣର ପାଗଳ ସମର୍ଥକମାନେ ଟେଲିଭିଜନରୁ ବିଦା ନହେଲେ ଦେଶର ଭବିଷ୍ୟତ ନଷ୍ଟ ହେବାକୁ ବାଧ୍ୟ

କେଦାର ମିଶ୍ର

ମୌତ କେ ବଦଲେ ମୌତ, ବଲାତ୍କାର କେ ବଦଲେ ବଲାତ୍କାର…….ଗୋଟେ ରକ୍ତମୁଖା ପାଗଳ ପରି ଏମିତି ଭାଷାରେ ଚିତ୍କାର କରୁଥିବା ଲୋକ ଜଣକ କୌଣସି ପାଗଳଖାନାରେ ନାହିଁ। ହତ୍ୟା ଓ ଧର୍ଷଣକୁ ଦେଶପ୍ରେମର ଉତ୍ସାହ ବାକ୍ୟ ବୋଲି ବିଚାର କରୁଥିବା ଏ ବ୍ୟକ୍ତି ଜଣକ ଆମର ଜାତୀୟ ଟେଲିଭିଜନରେ ଜଣେ ମାନ୍ୟବର ବିଶେଷଜ୍ଞ ହୋଇ ବସିଛନ୍ତି। ସେ ପୁଣି ଏମିତି ସେମିତି ବିଶେଷଜ୍ଞ ନୁହଁ, ପ୍ରତିରକ୍ଷା ବିଶେଷଜ୍ଞ। ସବୁଠୁ ବଡ ଦୁର୍ଭାଗ୍ୟର ବିଷୟ ହେଉଛି, ଏ ଭଦ୍ରବ୍ୟକ୍ତି ଭାରତୀୟ ସେନାବାହିନୀର ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ। ନାମ ଅବସରପ୍ରାପ୍ତ ମେଜର ଜେନେରାଲ ଏସ.କେ.ସିହ୍ନା। ଟିଭି9-ଭାରତବର୍ଷ ନାମକ ଏକ ହିନ୍ଦୀ ଖବର ଚାନେଲରେ ଏ ମହାଶୟ କାଶ୍ମୀର ସମ୍ପର୍କରେ ଆଲୋଚନା ବେଳେ ସ୍ପଷ୍ଟ ଭାବରେ କହିଲେ ଯେ, କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ଲାଗି ଆମକୁ ହତ୍ୟା ବଦଳରେ ହତ୍ୟା ଓ ଧର୍ଷଣ ବଦଳରେ ଧର୍ଷଣ କରିବାକୁ ପଡିବ। ଏ ପ୍ରକାର ରକ୍ତପିପାଶୁ ପାଗଳାମୀକୁ ସେହି ଟିଭି ଷ୍ଟୂଡିଓରେ ଉପସ୍ଥିତ ଥିବା କିଛି ଲୋକ ସମର୍ଥନ କରି ତାଳି ମାରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

ଗଣତାନ୍ତ୍ରିକ ସମ୍ବିଧାନକୁ ମାନି ଚାଲୁଥିବା ଏକ ଦେଶ ଓ ଆଇନର ଶାସନ ବ୍ୟବସ୍ଥାରେ ଏ ପ୍ରକାର କଥା କହି ଜଣେ ସହଜରେ ଖସି ଯାଇପାରିବ କି? ଏକ ନିର୍ଦ୍ଦିଷ୍ଟ ରାଜ୍ୟର ଲୋକଙ୍କୁ ହତ୍ୟା ଓ ଧର୍ଷଣ କରାଯାଉ ବୋଲି ଗଣମାଧ୍ୟମରେ କହିବା କଣ ଏକ ସାଧାରଣ ଘଟଣା? ଏକଥା ଯଦି କୌଣସି କାଶ୍ମୀରବାସୀ ବା ସଂଖ୍ୟାଲଘୁ ବର୍ଗର ଲୋକ କହିବେ, ତାକୁ କଣ ଆମର ଆଇନ ବ୍ୟବସ୍ଥା ଛାଡି ଦେବ?ତେବେ ଏସ.କେ.ସିହ୍ନା ମହାଶୟ ଖସିଗଲେ କେମିତି? ଖାଲି ଗୋଟିଏ ଟିଭିରେ ନୁହଁ, ଅନେକ ଟେଲିଭିଜନ ଚାନେଲରେ ସେ ଏ ପ୍ରକାର ଉନ୍ମାଦ ବ୍ୟବହାର ପ୍ରଦର୍ଶନ କରି ଆସୁଛନ୍ତି। ହିଂସା ଓ ଧର୍ଷଣ ସପକ୍ଷରେ ମତ ରଖି ଆସୁଛନ୍ତି। ତା ସତ୍ତ୍ୱେ ତାଙ୍କ ବିରୋଧରେ ଆଇନଗତ କାର୍ୟାନୁଷ୍ଠାନ ଶୂନ କାହିଁକି? କଣ ସେ ଶାସକ ବିଜେପି ଦଳର ସଦସ୍ୟ ବୋଲି ନା ତାଙ୍କ ବିଚାର ସହିତ ବିଜେପିର ପିତୃ ସଂଗଠନ ଆରଏସଏସର ବିଚାର ସମାନ ବୋଲି?

ଏସ.କେ.ସିହ୍ନା କେବଳ ଜଣେ ନୁହନ୍ତି, ଏମିତି ଆହୁରି ଅନେକ ପ୍ରତିରକ୍ଷା ବିଶେଷଜ୍ଞ ଓ ବିଚାରକ ଆମର ଟେଲିଭିଜନ ପରଦାରେ ଆସୁଛନ୍ତି, ଯାହାଙ୍କର ପ୍ରତିଭା ହେଉଛି ବଡ ପାଟିରେ ପାଗଳ କରି ଚିତ୍କାର କରିପାରିବାର ଦକ୍ଷତା।ଏମାନେ ଗଳା ଫଟେଇ ସମାଜରେ ବିଷମଞ୍ଜି ବୁଣିବାକୁ ଆସନ୍ତି। ଏମିତି ଆଉ ଜଣେ ପ୍ରତିରକ୍ଷା ବିଶେଷଜ୍ଞ ହେଉଛନ୍ତି ଅବସରପ୍ରାପ୍ତ ମେଜର ଜେନେରାଲ ଜି.ଡି.ବକ୍ସି।ୟାଙ୍କର ଗଳାଫଟା ଚିତ୍କାରରେ ଘୃଣା ଓ ବିଷଭର୍ତ୍ତି। ଅଥଚ ଆମେ ଦେଖି ଆସିଥିଲୁ, ଯେଉଁମାନେ ସେନାବାହିନୀରେ କାମ କରନ୍ତି, ସେମାନଙ୍କ ବ୍ୟବହାର ସବୁଠୁ ମାର୍ଜିତ ଓ ଶ୍ରୁଙ୍ଖଳିତ। ଏ ଅଦ୍ଭୁତ ବ୍ୟକ୍ତିତ୍ବମାନେ ସତରେ କଣ ଆମ ସେନାବାହିନୀର ଦାୟିତ୍ଵବାନ ଅଧିକାରୀ ଥିଲେ?

ୟେ ତ ଗଲା ମୁଦ୍ରାର ଗୋଟିଏ ପାଖ। ଆର ପାଖରେ ରହିଛି ଆମର ମହାନ ଗଣମାଧ୍ୟମ। ଖବରକୁ ମହାନାଟକ ର ରୂପ ଦେବାକୁ ଆମେ ଯେତେ ପ୍ରକାର ଉତ୍ତେଜନା ଓ ଘୃଣାର ପ୍ରୟୋଗ କରିବାକୁ ପଛଘୁଞ୍ଚା ଦେଉନୁ। ଯେମିତି ଓଡିଆ ଯାତ୍ରା ନାଟକରେ ଖଳନାୟକର କାଟତି ବେଶୀ ସେମିତି ଆମ ଟେଲିଭିଜନ ଚାନେଲ ଗୁଡିକରେ ହାଉପାଟିଆଙ୍କର ପ୍ରବଳ ପ୍ରୟୋଜନ। ସେମାନେ ନହେଲେ ଟିଭିର ବିତର୍କ ଫିକା ଲାଗେ। ତେଣୁ ଜାଣିଶୁଣି, ଏ ପ୍ରକାର ଚରିତ୍ରମାନଙ୍କୁ ଆମର ଟେଲିଭିଜନ ଚାନେଲମାନେ ଅଧିକ ଗୁରୁତ୍ଵ ଦିଅନ୍ତି। ସେମାନଙ୍କର ଘୃଣା ଓ ଉତ୍ତେଜନାରେ ଆମର ବେପାର ଚାଲେ। ସେମାନଙ୍କ ସହିତ ତାଳ ଦେଇ ଆମର “ଆଙ୍କର” ମାନେ ବି କମ ନାଟକବାଜି କରନ୍ତି ନାଇଁ। ଅର୍ଣ୍ଣବ ଗୋସ୍ଵାମୀ କିମ୍ବା ଅମିଶ ଦେବଗନ ଭଳି ବ୍ୟକ୍ତି ଯେତେବେଳେ ନିଜକୁ ସାମ୍ବାଦିକ ବୋଲି ଉପସ୍ଥାପନ କରନ୍ତି ସେଠି, ସାମ୍ବାଦିକତା ଅପମାନିତ ହୁଏ। ତେବେ ଉଣା ଅଧିକ ପ୍ରାୟ ସବୁ ଟେଲିଭିଜନ ଚାନେଲରେ ଏବେ ଘୃଣାର ଖେଳ ଚାଲିଛି ଓ ଏହାକୁ ଅଟକାଇବା ଲାଗି କୌଣସି ଆନ୍ତରିକତା କାହା ପାଖରେ ନାହିଁ। ଅତି ସରଳ ଭାଷାରେ କହିଲେ ଆମର ଟେଲିଭିଜନ ଚାନେଲ ଗୁଡିକ କ୍ରମେ କ୍ରମେ ଘୃଣା ଓ ଅସହିଷ୍ଣୁତାର ପରୀକ୍ଷାଗାର ପାଲଟି ଯାଉଛନ୍ତି।

ଏହାର ପରିଣତି ତାହେଲେ କଣ ହେବ?ଏହି ବିଷାକ୍ତ ଭୂମିରୁ ଏକ ବିଭାଜିତ, ଘୃଣା ଜର୍ଜରିତ ଓ ହିଂସ୍ର ସମାଜ ଗଢିବା ଛଡା ଆମକୁ ଅଧିକ କିଛି ମିଳିବାର ନାଇଁ। ଦୁର୍ଭାଗ୍ୟକ୍ରମେ, ଆମେ ସେମିତି ଏକ ସମାଜରେ ପ୍ରାୟତଃ ରୂପାନ୍ତରିତ ହୋଇ ସାରିଛେ ଓ ସେଥିଲାଗି ଆମର ସାମ୍ବାଦିକତାକୁ ଆମର ଭବିଷ୍ୟତ ପିଢୀ ନିଶ୍ଚୟ ଘୃଣା କରିବେ।

Categories
ବିଶେଷ ଖବର

ଆଉ କେତେ ପାକିସ୍ତାନ, କେତେ ଆଉ ଚିତ୍କାର କରିବ ଟିଭିସ୍ତାନ!! 

କେଦାର ମିଶ୍ର 

ୟା ଭିତରେ କିଛି ମଜାକଥା ଘଟିଛି। ଦେଶର ସବୁଠୁ ଅଧିକ ଲୋକ ଦେଖୁଥିବା ହିନ୍ଦୀ ଟେଲିଭିଜନ ଚ୍ୟାନେଲ “ଆଜତକ” ର ଏକ ଲାଇଭ ଶୋରେ ଭାଗ ନେଇ ବିଖ୍ୟାତ ବ୍ୟଙ୍ଗକାର ବରୁଣ ଗ୍ରୋଭର ସିଧା ସିଧା ଟେଲିଭିଜନ କାର୍ୟକ୍ରମର ଦେବାଳିଆପଣ ଉପରେ ପ୍ରଶ୍ନ ପଚାରିଛନ୍ତି। “ଅଫିସିଆଲ ପିଙ୍ଗ ହ୍ୟୁମାନ” ନାମକ ଏକ ୟୁଟ୍ୟୁବ ଚାନେଲ ପ୍ରକାଶ କରିଥିବା ଏକ ରିପୋର୍ଟରୁ କିଛି ଚମତ୍କାର ଉଦାହରଣ ଆମକୁ ମଧ୍ୟ ମିଳିଯିବ। ଆମର ଟେଲିଭିଜନ ଚାନେଲ ଗୁଡିକ କେମିତି ଅଧିକରୁ ଅଧିକ ପାକିସ୍ତାନ କୈନ୍ଦ୍ରିକ ହୋଇ ପଡ଼ୁଛନ୍ତି ଓ କ୍ରମଶଃ ପାକିସ୍ତାନ କେମିତି ଆମର ଗଣ ମାନସିକତାକୁ କବଳିତ କରୁଛି, ତାର ପ୍ରକୃଷ୍ଟ ଉଦାହରଣ ଏଥିରୁ ମିଳିଯିବ। ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଦେଶର ପ୍ରମୁଖ ଚାରୋଟି ହିନ୍ଦୀ ଚାନେଲ କରିଥିବା ସ୍ଵତନ୍ତ୍ର ବିତର୍କ କାର୍ଯ୍ୟକ୍ରମର ତର୍ଜମା କରି କୁହାଯାଇଛି ଯେ, ୨୦୦ ବିତର୍କରୁ ୭୯ଟିରେ ପାକିସ୍ତାନ ବିରୋଧରେ ଆଲୋଚନା ହୋଇଛି।

ଅର୍ଥାତ ଆମ ଦେଶର ଗଣମାଧ୍ୟମ ଲାଗି ସବୁଠୁ ବଡ ଚର୍ଚ୍ଚାର ପ୍ରସଙ୍ଗ ହେଉଛି ପାକିସ୍ତାନ। ଭାରତରେ ପାକିସ୍ତାନକୁ ଚର୍ଚ୍ଚାର ପ୍ରସଙ୍ଗ କରିବା ପଛରେ ଉଦ୍ଦେଶ୍ୟ ଅତ୍ୟନ୍ତ ସ୍ପଷ୍ଟ। ଗୋଟେ ପକ୍ଷରେ ସାଉଦି ଆରବ ଭଳି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ସହିତ ମିତ୍ରତାର ମନ୍ତ୍ର ଜପୁଥିବା ବେଳେ ଅନ୍ୟ ପକ୍ଷରେ ପାକିସ୍ତାନ ବିରୋଧରେ ଚିତ୍କାର କରି ଆମେ ଆମ ନିଜର ସମୟ ଓ ସମ୍ବଳ ନଷ୍ଟ କରି ଚାଲିଛୁ। ପାକିସ୍ତାନ ପରେ ଗଣମାଧ୍ୟମର ସବୁଠୁ ଚର୍ଚ୍ଚାର ପ୍ରସଙ୍ଗ ହେଉଛି-ବିରୋଧୀ ଦଳ ପ୍ରତି ଆକ୍ରମଣ। ୨୦୦ ବିତର୍କରୁ ୬୬ ଟିରେ ବିରୋଧୀ ଦଳ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ନିନ୍ଦା କରି ବିତର୍କ ରଖାଯାଇଛି। ସରକାର ଓ ସରକାରୀ ଦଳର ପିତୃ ସଙ୍ଗଠନ  ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଙ୍ଘର ପ୍ରଶଂସାରେ ୩୬ ଓ ରାମ ମନ୍ଦିର ବିଷୟରେ ୧୪ ଟି ବିତର୍କ ରହିଛି।

ଦେଶର ଅର୍ଥନୈତିକ ଅବସ୍ଥାକୁ ନେଇ ୨୦୦ ରୁ ଗୋଟିଏ ବିତର୍କ ମଧ୍ୟ ହୋଇନାହିଁ। କ୍ଷୁଧାର ସୂଚକାଙ୍କରେ ଭାରତର ସ୍ଥାନ ଅତି ଖରାପ ଥିବାବେଳେ, ଏହାକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ଦେଶର ରାଜଧାନୀ ଦିଲ୍ଲୀ ଆଜି ବିଷ ବଳୟରେ ପରିଣତ ହୋଇ ସାରିଛି, ହେଲେ ଏହାକୁ ନେଇ କୌଣସି ବିତର୍କ ଟିଭିରେ ଶୁଣିବାକୁ ମିଳିନଥିଲା। ଦେଶରେ ବେକାରି ସମସ୍ୟା ସବୁଠୁ ଉତ୍କଟ ସ୍ଥିତିରେ ପହଞ୍ଚିଥିବା ବେଳେ, ଏହାର କୌଣସି ଆଲୋଚନା ଟିଭିରେ ହୋଇନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ଗରିବୀ, ବେକାରୀ ଭଳି ପ୍ରସଙ୍ଗ ଟିଭି ବିତର୍କରେ ଜାଗା ପାଉନାହିଁ। ଏହି ତଥ୍ୟ ମୂଳତଃ ଦେଶର ଚାରୋଟି ପ୍ରମୁଖ ହିନ୍ଦୀ ଚାନେଲ ଆଜତକ, ଏବିପି, ଇଣ୍ଡିଆ ଟିଭି ଓ ନ୍ୟୁଜ-୧୮ ରୁ ନିଆଯାଇଛି। ଏମାନଙ୍କ ପାକିସ୍ତାନ ପ୍ରତି ଏତେ ଆକର୍ଷଣର କାରଣ ବୁଝି ହେଉଛି। ବର୍ତ୍ତମାନ ସମୟରେ ଦେଶର ମୌଳିକ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ପାକିସ୍ତାନ ଏକ ସହଜିଆ ବାଟ।

ଜାତୀୟ ଟେଲିଭିଜନର ଦେଖାଦେଖି ଆମ ଓଡିଆ ଚାନେଲ ଗୁଡିକ ମଧ୍ୟ ସେଇ ପାକିସ୍ତାନ ପାକିସ୍ତାନ ଘୋଷି ହେଉଛନ୍ତି। ରାଜ୍ୟର ୮ ଟି ପ୍ରମୁଖ ଟିଭି ଚାନେଲ-ଓଟିଭି, ନ୍ୟୁଜ-୭, କନକ ଟିଭି, କଳିଙ୍ଗ ଟିଭି, ଜି-ଓଡିଶା, ନ୍ୟୁଜ-୧୮, ନକ୍ଷତ୍ର ଟିଭି ଓ ଏମବିସି ଟିଭିରେ ପାକିସ୍ତାନ ଛାଇ ହୋଇ ରହିଛି। ଭାରତର ବିରୋଧୀ ଦଳ ସରକାରୀ ଦଳ ବିରୋଧରେ କରୁଥିବା ଅଭିଯୋଗକୁ ନେଇ ଚୁପ ରହୁଥିବା ଆମ ଟିଭି ଚାନେଲ ଗୁଡିକ ପାକିସ୍ତାନ ବିରୋଧୀ ଦଳର ଆନ୍ଦୋଳନକୁ ନେଇ ବେଶ ଉତ୍ସାହିତ। ଓଡିଆରେ ଚିତ୍କାର କରି ଆମର ଆଙ୍କର ମାନେ ଏମିତି କହୁଛନ୍ତି, ଯେମିତି ଭୁବନେଶ୍ବରରୁ ସେମାନଙ୍କ ସ୍ଵର ଇସ୍ଲାମାବାଦରେ ପହଞ୍ଚିବ ଓ ସେମାନଙ୍କ ଧମକ ଶୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୂର୍ଚ୍ଛା ହୋଇ ପଡିବେ। ପ୍ରତିଦିନ ଓଡିଆ ଚାନେଲ ଗୁଡିକରେ ପାକିସ୍ତାନକୁ ନେଇ ଚର୍ଚ୍ଚା ହେଉଛି ବା ସ୍ଵତନ୍ତ୍ର କାର୍ୟକ୍ରମ ପ୍ରସ୍ତୁତ ହେଉଛି।ତେବେ ଏ ସବୁ କାର୍ୟକ୍ରମର ଉଦ୍ଦେଶ୍ୟ କଣ?

ରାଜ୍ୟ ବା ଦେଶର ମୌଳିକ ସମସ୍ୟା ତୁଳନାରେ ପଡୋଶୀ ସହିତ କଳହକୁ ଅଧିକ ଗୁରୁତ୍ଵ ଦେବା ହୁଏତ ଶାସକ ଦଳର ଏଜେଣ୍ଡା ହୋଇପାରେ। ସେଥିରେ ଗଣମାଧ୍ୟମ ଶାସକ ଦଳର ସବୁଠୁ ବଡ ସହାୟକ ହେବାର କାରଣ କଣ? କେଉଁଠି ନା କେଉଁଠି ଆମର ଗଣମାଧ୍ୟମ ନିଜ ଭିତରର ଆତ୍ମ ବିଶ୍ଵାସ ହରାଇ ବସିଛି। ନିଜର ମେରୁଦଣ୍ଡ ଅପେକ୍ଷା ଶାସକ ଦଳର ମେରୁଦଣ୍ଡ ଉପରେ ଭରା ଦେଇ ଏହା ଉପରକୁ ଉଠିବାକୁ ଚାହୁଁଛି। ତେଣୁ ଶାସକର ଆଦର୍ଶ ଓ ଶାସକର ଲକ୍ଷ୍ୟ ପୂରଣ, ଏ ଦୁଇଟି ଏବେ ଗଣମାଧ୍ୟମର ସଂକଳ୍ପ।

ସେ ହିନ୍ଦୀ ହେଉ ବା ଓଡିଆ, ସେ ଇଂରାଜୀ ହେଉ ବା କୋଙ୍କଣୀ, ସବୁ ଭାରତୀୟ ଭାଷାରେ ଗଣମାଧ୍ୟମ ଏବେ ଶାସକ ଦଳର “ଚୁଙ୍ଗା” ହେବାକୁ ଚାହୁଁଛନ୍ତି। ବର୍ତ୍ତମାନର ଶାସକ ଦଳ ଯେହେତୁ ସଂଘ ର ନିୟନ୍ତ୍ରଣରେ ରହିଛି, ତେଣୁ ଆପେ ଆପେ ପୁରା ଟିଭି ଜଗତ ସଂଘର ବିଚାରକୁ ନିଜର ବ୍ରତ ଭାବରେ ଗ୍ରହଣ କରି ନେଇଛି। ଏକଦା ଷାଠିଏ ଦଶକରେ ଆରଏସଏସର ପ୍ରେସ ବିଜ୍ଞପ୍ତି ଛାପିବାକୁ କୌଣସି ଗଣମାଧ୍ୟମ ଚାହୁଁ ନଥିଲେ। ଆଜି ଆରଏସଏସ ର ବିଚାର ଗଣମାଧ୍ୟମର ଜୀବନ ପାଲଟି ଯାଇଛି। ସେଇ ବିଚାରରେ ଦେଶ ଅପେକ୍ଷା, ଦେଶର ତଥାକଥିତ ଶତ୍ରୁକୁ ନେଇ ଅଧିକ ଚର୍ଚ୍ଚା କରିବାକୁ ଆମେ ବାଧ୍ୟ।

Categories
ବିଶେଷ ଖବର

ଓଡିଶା ଟେଲିଭିଜନ ଜଗତର ଦେବାଳିଆ ଚିନ୍ତା- ଗୋଟେ ପାଗଳ ଓ ମିଛୁଆ ବାବାଜୀ ପାଇଁ ଏତେ ଉତ୍ସାହ କାହିଁକି?

କେଦାର ମିଶ୍ର

ଓଡିଶା ଗଣମାଧ୍ୟମରେ  ଅନ୍ତତଃ ଏ ପ୍ରକାର ଭୟଙ୍କର ରୋଗ ଏଯାଏ ଗ୍ରାସି ନଥିଲା। ଜାତୀୟ ଗଣମାଧ୍ୟମରେ ପାଖଣ୍ଡି ବାବା ଓ ମାତାମାନଙ୍କର ପ୍ରବଳ ପ୍ରଭାବ ରହିଥିବା ବେଳେ, ଓଡିଶାରେ କେବଳ ପ୍ରବଚନ ଓ ଧର୍ମ ମାମଲାରେ ଏମାନେ ସୀମିତ ରହୁଥିଲେ। ତେବେ ଗତ ଦୁଇଦିନ ହେଲା ହଠାତ ଓଡିଶାର କିଛି ପ୍ରମୁଖ  ଟେଲିଭିଜନ ଚାନେଲ ଗୁଡିକ ଏ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଜାତୀୟ ଗଣମାଧ୍ୟମରେ ନିଜର ପାଖଣ୍ଡି ଚରିତ୍ର ଓ ଦୁର୍ବ୍ୟବହାର ପାଇଁ ପ୍ରସିଦ୍ଧ କେହି ଜଣେ ଓମ ବାବା ବିଷୟରେ ନିରନ୍ତର ଖବର ଓ ସ୍ଵତନ୍ତ୍ର ଆଲୋଚନା ଚାଲିଛି।  ଏହାର କାରଣ କଣ? ଏକଥା ଠିକ ଯେ, ଏହି ତଥାକଥିତ ବାବାଜିକୁ ଆମର ସାମ୍ବାଦିକମାନେ କଠିନ ପ୍ରଶ୍ନ ସବୁ ପଚାରୁଛନ୍ତି।

ହେଲେ ଏ ଲୋକ ତ ପ୍ରଶ୍ନର ଉତ୍ତର ଦେବାକୁ ଆସିନାହିଁ। ଗୁଡାଏ ମିଛ ଓ ବାଜେ କଥା ଗପି ସେ ଲୋକଙ୍କୁ ଭୁତାଇବାକୁ ଚାହୁଁଛି। ସେ ଲୋକ ଇତିହାସ ବା ଧର୍ମ ବିଷୟରେ କିଛି ଜାଣେନାହିଁ, ଏକଥା ଅତ୍ୟନ୍ତ ସ୍ପଷ୍ଟ। ବ୍ୟକ୍ତି ଭାବରେ ସେ ଅତ୍ୟନ୍ତ ଅଭଦ୍ର ଓ ସାମାନ୍ୟ ଶାଳୀନତା ସେ ଲୋକର ଆଚରଣରେ ନାହିଁ, ଏକଥା ମଧ୍ୟ ସ୍ପଷ୍ଟ। ତଥାପି ସେ ଲୋକର ଏତେ ଚର୍ଚ୍ଚା ଓ ଆଲୋଚନା କାହିଁକି? ତାକୁ ଟିଭି ଷ୍ଟୂଡିଓକୁ ଡାକି ସ୍ଵତନ୍ତ୍ର ଆଲୋଚନା କରିବାର ମାନେ କଣ? ସେ ନିଜର ଭାଣ୍ଡାମି ବିକିବାକୁ ଆସିଛି ଓ ତାର ବ୍ୟବସାୟରେ ଓଡିଶାର ପ୍ରମୁଖ ଟେଲିଭିଜନ ଚାନେଲଗୁଡିକ ସହାୟତା କରୁଛନ୍ତି କି?

ସେ ଯେଉଁ ସ୍ତରର କଥା କହୁଛି, ତାହା କୌଣସି ପାଗଳ ଠାରୁ କମ ନୁହେଁ। ଦେଶର ବଡ ବଡ ରାଜନେତାଙ୍କୁ ସେ ଭେଟୁଛି। ଖୋଦ ଓଡିଶାର ରାଜ୍ୟପାଳ ମହୋଦୟ  ମଧ୍ୟ ଏ ଲୋକକୁ ଭେଟିଛନ୍ତି ବୋଲି ଶୁଣାଯାଉଛି। ଯେ କୌଣସି ପାଗଳ, ଭାଣ୍ଡ ବା ଅଭଦ୍ର ଲୋକ ଆମର ରାଜଭବନ ବା ଟିଭି ଷ୍ଟୂଡିଓରେ ପହଞ୍ଚି ଯାଇପାରିବ, ଏକଥା ଓମ ବାବାଜୀ ପ୍ରମାଣିତ କରି ଦେଇଛି।

ଏ ବାବାଜୀ ଓଡିଶା ଆସିଛି, କୁଆଡେ ଦ୍ଵିତୀୟ କୋଣାର୍କ ମନ୍ଦିର ଗଢିବ। ଏକ ଓ ଅଦ୍ଵିତୀୟ କୋଣାର୍କ ଗଢିବା ଲାଗି ଚିନ୍ତା କରିବା ଆଗରୁ, ନା ସେ ଏହାର ଇତିହାସ ଜାଣିଛି, ନା ଏ ସମ୍ପର୍କରେ ତାର ସାଧାରଣ ଧାରଣା ଅଛି। ପଣ୍ଡିତ ନେହେରୁଙ୍କୁ ଗାଳି କରିବା, ଗାନ୍ଧୀ ପରିବାର ବିରୋଧରେ ବିଷ ଓଗାଳିବା କାରଣରୁ କିଛି ଲୋକଙ୍କୁ ୟା କଥା ଭାରି ଭଲ ଲାଗୁଛି। କୋଣାର୍କ ସହିତ ପଣ୍ଡିତ ନେହେରୁଙ୍କ ନାମକୁ ଅକାରଣରେ ଯୋଡି ଗାଳି କଲାବେଳେ ଏ ଲୋକ ମୁହଁରେ କଳା ବୋଳା ହେବା ଉଚିତ। ତାହା ନକରି ଆମେ ଏ ଲୋକର ମିଛକୁ ବହୁ ଲୋକଙ୍କ ପାଖରେ ପହଞ୍ଚାଇ ଚାଲିଛୁ। ଗଣମାଧ୍ୟମରେ ଏହା ଆମେ ଜାଣି ଜାଣି କରୁଛୁ ନା ଏହା ପଛରେ ଆମର ଅଜ୍ଞାନତା ଅଛି, ନା ଆମର ଚରିତ୍ର ମଧ୍ୟ ସେଇ ଢାଞ୍ଚାରେ ପଡିଗଲାଣି, ତାହା ଚିନ୍ତାର ବିଷୟ?

ଜଣେ କେହି ଆସି କେଉଁଠି ବି ପଣ୍ଡିତ ନେହେରୁଙ୍କୁ ବା ତାଙ୍କ ପରିବାରକୁ ଗାଳି କରି ପାରିବ ଓ ତାକୁ ଆମେ ବିନା ଦ୍ଵିଧାରେ ଦେଖାଇ ଚାଲିବୁ- ଏହା କଣ ଆମର ନୈତିକତା? ଏ ଯେଉଁ ବାବାଜୀ, ୟାଙ୍କର ପରିଚୟ କଣ? ନିଜକୁ ଖୋଲାଖୋଲି ହିଂସାବାଦୀ ବୋଲି କହୁଥିବା ଏ ଲୋକ ଜେଲରେ ରହିବା ଉଚିତ। ଏହା ପୂର୍ବରୁ କୌଣସି ଏକ ହିନ୍ଦୀ ଚାନେଲରେ ଇଏ ଜଣେ ଭଦ୍ର ମହିଳାଙ୍କୁ କ୍ୟାମେରା ଆଗରେ ମାଡ ମାରିଥିବାର ଦୃଶ୍ୟ ମଧ୍ୟ ଆମେ ଦେଖିଛୁ। ସେହି ଘଟଣା ପରେ ମଧ୍ୟ ଏହି ଲୋକର ପ୍ରଚାର କରିବା ପାଇଁ ଆମ ବିବେକ ଆମକୁ ବାଧା ଦେଉନି କାହିଁକି? ଜଣେ ଲୋକ କହୁଛି ସେ ସଲମାନ ଖାନଙ୍କୁ ବାଡେଇଛି, ସେ ଶାକାହାରୀ ଅଣ୍ଡା ଓ କୁକୁଡା ମାଂସ ଖାଇଛି, ସେ ସୋନିଆ ଓ ରାଜୀବ ଗାନ୍ଧୀଙ୍କ ବାହାଘର କରାଇଛି, ସେ ଐଶ୍ବର୍ୟା ରାୟଙ୍କ ଧରମ ବୋପା…ଏମିତି ଅଜସ୍ର ଗାଲୁ ମାରୁଥିବା ଏ ପାଗଳର ପ୍ରଳାପକୁ ଆମକୁ ଶୁଣିବାକୁ ବାଧ୍ୟ କରାଯାଉଛି। ହିନ୍ଦୁ ରାଷ୍ଟ୍ର କରିବା ଲାଗି ହିଂସା ଓ ହତ୍ୟା କରିବାର ଧମକ ମଧ୍ୟ ଏ ଲୋକ ଦେଉଛି।

ସମସ୍ୟା ହେଉଛି, ସେ ଯାହା କହୁଛି ତାକୁ ଲକ୍ଷାଧିକ ଲୋକ ଦେଖୁଛନ୍ତି। ଆଉ ଗଣମାଧ୍ୟମର ଯୁକ୍ତି ହେଲା, ଲୋକ ଦେଖୁଛନ୍ତି ବୋଲି ସେମାନେ ଦେଖାଇବାକୁ ବାଧ୍ୟ ହେଉଛନ୍ତି। ଇଣ୍ଟେରନେଟରେ ସର୍ବାଧିକ ହିଟ ପର୍ଣ୍ଣୋଗ୍ରାଫିରେ ଆସିଥାଏ। ଗଣମାଧ୍ୟମ ନିଜର ଟିଆରପି ବଢାଇବାକୁ ପର୍ଣ୍ଣୋଗ୍ରାଫି ଦେଖାଇବ କି? ଓମ ବାବା ଭଳି ଲୋକଙ୍କ ପ୍ରଚାର ପର୍ଣ୍ଣୋଗ୍ରାଫି ଠାରୁ ମଧ୍ୟ ନିକୃଷ୍ଟ ଓ ଅନୈତିକ। ସେ ଲୋକ ଏ ପ୍ରକାର ପ୍ରଚାର ଚାହୁଁଛି ଓ ଆମେ ବିନା କାରଣରେ ତାକୁ ସେ ପ୍ରଚାରର ସୁଯୋଗ ଦେଇ ଚାଲିଛୁ। ମୁଁ ତ ବୁଝି ପାରୁନି ଜଣେ ହିଂସ୍ର ପାଗଳର ସାକ୍ଷାତ୍କାର ନେବାକୁ ଆମ ଓଡିଆ ଗଣମାଧ୍ୟମର ଉତ୍ସୁକତା ପଛରେ କି ବ୍ୟାପାର ରହିଛି?

 

Categories
ବିଶେଷ ଖବର

ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ପଛରେ ଜୟ ଶାହାଙ୍କୁ ବିସିସିଆଇ ସମ୍ପାଦକ କରିବାର ପରୋକ୍ଷ ଉଦ୍ଦେଶ୍ୟ ରହିଥିଲା କି?

କେଦାର ମିଶ୍ର

ମାନ୍ୟବର ସୁପ୍ରିମ କୋର୍ଟଙ୍କୁ ଧନ୍ୟବାଦ! ପରିଶେଷରେ ଭାରତୀୟ କ୍ରିକେଟ ବୋର୍ଡ ବିଜେପିର ପାରିବାରିକ ସମ୍ପତ୍ତି ପାଲଟିଗଲା।

ଭାରତର ମାନ୍ୟବର ସୁପ୍ରିମ କୋର୍ଟ ଏକଦା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ରାଜନୈତିକ ଲୋକଙ୍କଠାରୁ ମୁକ୍ତ କରିବା ପାଇଁ ଓ କ୍ରିକେଟ ପ୍ରଶାସନରେ ଖେଳାଳୀମାନଙ୍କର ଭୂମିକାକୁ ବ୍ୟାପକ କରିବା ପାଇଁ ଏକ ଦୀର୍ଘସ୍ଥାୟୀ ସମାଧାନର ବାଟ ବାହାର କରିଥିଲେ। ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଆର.ଏମ.ଲୋଧାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପୁନର୍ଗଠନ ସହିତ ଏହାର ସମ୍ବିଧାନ ସଂଶୋଧନ ଲାଗି ବ୍ୟାପକ ବନ୍ଦୋବସ୍ତ ହୋଇଥିଲା। ଜଷ୍ଟିସ ଲୋଧା ବାରମ୍ବାର କ୍ରିକେଟକୁ ରାଜନୈତିକ ନେତାଙ୍କ କବଳରୁ ମୁକ୍ତ ରଖିବା ପାଇଁ ଯୁକ୍ତି କରୁଥିଲେ। ଏକଦା ଜାତୀୟ କ୍ରିକେଟ ବୋର୍ଡ ଓ ରାଜ୍ୟ ବୋର୍ଡ ଗୁଡିକରେ ରାଜନୈତିକ ଦଳମାନଙ୍କର ପ୍ରଭାବ ରହୁଥିବାରୁ ଏହାକୁ କ୍ରୀଡା ବିକାଶର ଏକ ସଂଗଠନ କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ ଚାହୁଁଥିଲେ। ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ପରେ ଶରଦ ପାୱାର, ସ୍ଵର୍ଗତ ଅରୁଣ ଜେଟଲି, ଲାଲୁ ଯାଦବଙ୍କ ପରି ନେତା ଆଉ କ୍ରିକେଟ ବୋର୍ଡକୁ ଆସି ପାରିବେ ନାହିଁ ବୋଲି କୁହାଗଲା।

ବିସିସିଆଇର ସମ୍ବିଧାନ ସଂଶୋଧନ ଓ ନୂଆ କମିଟି ଗଠନ ହେବା ଯାଏ ସୁପ୍ରିମ କୋର୍ଟ ଜଣେ ସ୍ଵତନ୍ତ୍ର ପ୍ରଶାସକଙ୍କୁ ଏଥିପାଇଁ ପାଇଁ ନିଯୁକ୍ତି ଦେଇଥିଲେ। ଏହି ଦାୟିତ୍ଵ ,ମିଳିଥିଲା ପୂର୍ବତନ ସିଏଜି ବିନୋଦ ରାୟଙ୍କୁ । ଇଏ ହେଉଛନ୍ତି ସେଇ ବିନୋଦ ରାୟ ଯିଏ ମନମୋହନ ସିଂ ସରକାରଙ୍କ ବିରୋଧରେ ଦୁର୍ନୀତିର ଏକ କାଳ୍ପନିକ ଅଙ୍କ ତିଆରି କରିଥିଲେ। କଂଗ୍ରେସ ସରକାରକୁ ବଦନାମ କରିଥିବାରୁ ମୋଦୀ ସରକାରରେ ତାଙ୍କୁ ବହୁ ଓଜନଦାର ପଦ ପଦବୀ ମିଳିଛି। ଗତ କିଛି ବର୍ଷ ଭିତରେ ବିସିସିଆଇ ର ମୁଖିଆ ଭାବରେ ସେ ଅପରିମିତ କ୍ଷମତା ବ୍ୟବହାର କରିଛନ୍ତି। ଭାରତୀୟ କ୍ରିକେଟରେ ସଂସ୍କାର ଆଣିବାକୁ ତାଙ୍କୁ ଯେଉଁ ଦାୟିତ୍ଵ ଦିଆ ଯାଇଥିଲା, ସେଥିରେ ସେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି!

ଯଦିଓ ବିସିସିଆଇ ସଭାପତି ଭାବରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିର୍ବାଚିତ ହୋଇଛନ୍ତି, ହେଲେ ସମ୍ପାଦକ ଭାବରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ଓ କୋଷାଧ୍ୟକ୍ଷ ଭାବରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୂମଲ ବିନା ପ୍ରତିଯୋଗିତାରେ ନିର୍ବାଚିତ ହୋଇଛନ୍ତି। ରାଜନୈତିକ ଚାପରୁ ବିସିସିଆଇ କୁ ମୁକ୍ତ କରିବାକୁ ଯାଇ ଏହାକୁ ବିଜେପି ରାଜନୀତିର ପାରିବାରିକ ସମ୍ପତ୍ତି ଭାବରେ ଟେକି ଦିଆ ଯାଇଛି।

ଏ ପ୍ରସଙ୍ଗରେ ଏବେ ହଠାତ ଗୋଟେ କଥା ମନକୁ ଆସୁଛି। ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନର ଅଳ୍ପ କେଇ ଦିନ ଆଗରୁ ହଠାତ ଏହି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଉଥିବା ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଏକ ପୁରୁଣା କେସରେ  ଗିରଫ କରିଥିଲା। ସେତେବେଳେ ଏହାର ରହସ୍ୟ ବୁଝି ହେଉନଥିଲା। ଏବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ବିସିସିଆଇ ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ, ଏହା ପଛରେ ରହିଥିବା ସମ୍ଭାବ୍ୟ ଉଦ୍ଦେଶ୍ୟ ଏବେ ସ୍ପଷ୍ଟ ହେବା ଆରମ୍ଭ କରିଛି। ଜୟ ଶାହାଙ୍କୁ ସମ୍ପାଦକ କରିବା ଲାଗି କି ପ୍ରକାର ଉଦ୍ୟମ ହୋଇଥିଲା, ସେ କଥା ଏବେ ବୁଝିବାରେ ଆଉ ବିଶେଷ ଅସୁବିଧା ହେବାର ନାହିଁ।

ଏକଦା କଂଗ୍ରେସର ପରିବାରବାଦକୁ ନେଇ ଭାରତର ରାଜନୀତି ପଡୁଥିଲା ଓ ଉଠୁଥିଲା। ଆଜି ପରିବାରବାଦ କଥା ଉଠାଇବାକୁ ଆମର ଗଣମାଧ୍ୟମ ଛାନିଆ ହୋଇ ପଡୁଛି। ଦେଶର ଗୃହମନ୍ତ୍ରୀଙ୍କ ପୁଅ ଓ ଅର୍ଥମନ୍ତ୍ରୀଙ୍କ ଭାଇ ସବୁଠୁ ଧନୀ କ୍ରୀଡା ଅନୁଷ୍ଠାନର ସମ୍ପାଦକ ତଥା କୋଷାଧ୍ୟକ୍ଷ ହେବା ପଛରେ କି ପ୍ରକାର ଗୋଟି ଚାଳନା ହୋଇଛି, ତାହା ଆଶୀର୍ବାଦ ବେହେରା ଘଟଣାରୁ ସ୍ପଷ୍ଟ ହୋଇଯିବ। ଓଡିଶା କ୍ରିକେଟ ଆସୋସିଏସନ ସହିତ ବୃଜେଶ ପଟେଲ ଗୋଷ୍ଠୀର ସୁସମ୍ପର୍କକୁ ଭାଙ୍ଗିବା ଲାଗି ଏକ ବଡ ଷଡଯନ୍ତ୍ର ରଚନା କରାଯାଇଥିଲା, ଯେଉଁ ବିଷୟରେ ଗଣମାଧ୍ୟମ ଚିନ୍ତା କରିବାର ସୁଯୋଗ ମଧ୍ୟ ପାଇନଥିଲା।

ତେବେ ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ସୁପ୍ରିମ କୋର୍ଟ ବିସିସିଆଇରେ ଯେଉଁ ସଂସ୍କାର କଥା କହିଥିଲେ, ତାହା ଆଜି ଏକ ହାସ୍ୟାସ୍ପଦ ବ୍ୟବସ୍ଥାରେ ପରିଣତ ହୋଇଛି। ରାଜନୈତିକ ନେତାଙ୍କ ପରିବାର ହାତକୁ ବିସିସିଆଇର ମାଲିକାନା ଆପେ ଆପେ ପୁଣିଥରେ ଚାଲି ଯାଇଛି।

Categories
ବିଶେଷ ଖବର

ସୁପ୍ରିମ କୋର୍ଟ ସରକାରଙ୍କ ଇଚ୍ଛା ଆଗରେ ନିଜକୁ ଅସହାୟ ମନେ କରୁଛନ୍ତି କି ? ଆମେ ନୀରବରେ ଆଉ ଏକ ଇମର୍ଜେନ୍ସି ରେ ପ୍ରବେଶ କରିନାହୁଁ ତ !

କେଦାର ମିଶ୍ର

ଯେତେବେଳେ ଦେଶର ଅନ୍ୟତମ ସର୍ବ ପୁରାତନ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଇସ୍ତଫା ଦେବାକୁ ବାଧ୍ୟ ହେଉଛନ୍ତି, ସେଠି ଆମେ ଇମର୍ଜେନ୍ସି ବା ଜରୁରୀକାଳୀନ ପରିସ୍ଥିତିର ପାଦଶବ୍ଦ ଶୁଣିପାରୁନୁ କେମିତି? ଏଠି ସୂଚନା ଦେବା ଉଚିତ ହେବ ଯେ, ମାଡ୍ରାସ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଶ୍ରୀମତୀ ବିଜୟା କେ ତାହିଲରମାନୀଙ୍କୁ ମାନ୍ୟବର ସୁପ୍ରିମ କୋର୍ଟର କଲେଜିୟମ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ବଦଳି କରିଛନ୍ତି। ଏହା ପୂର୍ବରୁ ଜଷ୍ଟିସ ତାହିଲରମାନୀ ଦେଶର ଦୁଇ ପୁରୁଣା ଓ ବୃହତ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ଵ ତୁଲାଇଛନ୍ତି। ସେ ୨୦୧୫ ରୁ ୨୦୧୮, ତିନିବର୍ଷ ଭିତରେ ତିନିଥର ବମ୍ବେ ହାଇକୋର୍ଟର କାର୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ଵ ନିର୍ବାହ କରିବା ପରେ ୧୨, ଅଗଷ୍ଟ ୨୦୧୮ରେ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ମାଡ୍ରାସ ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ହେଉଛି ୭୫। ଏତେ ବଡ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ମାତ୍ର ତିନି ଜଣ ବିଚାରପତି ଥିବା ମେଘାଳୟ ହାଇକୋର୍ଟକୁ ବଦଳି କରାଯିବାର କାରଣ କଣ?

ଏହା ଏକପ୍ରକାର ଅପମାନଜନକ ବଦଳି ବା ପ୍ରଶାସନିକ ଭାଷାରେ ଦଣ୍ଡମୂଳକ ବଦଳି(ପନିସମେଣ୍ଟ ଟ୍ରାନ୍ସଫର)। ଜଷ୍ଟିସ ତାହିଲରମାନୀଙ୍କ ନାଁରେ ସେମିତି କିଛି ଅଭିଯୋଗ ରହିଥିଲା କି? ଉଭୟ ବମ୍ବେ ଓ ମାଡ୍ରାସ ହାଇକୋର୍ଟ ର ବାର ଏସୋସିଏସନ ଏହି ଘଟଣାରେ ବିସ୍ମିତ। ତେବେ ଜଷ୍ଟିସ ତାହିଲରମାନୀଙ୍କର ଏକ ନିର୍ଦ୍ଦିଷ୍ଟ ରାୟକୁ ନେଇ କେନ୍ଦ୍ର ସରକାର ଖୁସି ନହେବା ସ୍ଵାଭାବିକ। ୨୦୦୨ ଗୁଜରାଟ ଦଙ୍ଗା ସମୟରେ ଘଟିଥିବା ବିଲକିସ ବାନୋ ଧର୍ଷଣ ମାମଲାର ବିଚାର କରି ଦୋଷୀମାନଙ୍କୁ କଡା ଦଣ୍ଡ ବିଧାନ କରିବାରେ ଜଷ୍ଟିସ ତାହିଲରମାନୀ ନ୍ୟାୟ ସଙ୍ଗତ ଭୂମିକା ନିର୍ବାହ କରିଥିଲେ। ଏହି ଘଟଣାରେ ନିଜର ସରକାରୀ ଦାୟିତ୍ଵ ତୁଲାଇବାରେ ବିଫଳ ହୋଇଥିବା ପାଞ୍ଚଜଣ ପୋଲିସ ଅଧିକାରୀ ଓ ୨ ଜଣ ଡାକ୍ତରଙ୍କୁ ସେ ଦଣ୍ଡିତ କରିଥିଲେ। ଅନ୍ୟ ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ପରବର୍ତ୍ତୀ ସମୟରେ ସୁପ୍ରିମ କୋର୍ଟ ବିଲକିସ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କେବଳ ବିଲକିସ ବାନୋ ରାୟ ପାଇଁ ଜଷ୍ଟିସ ତାହିଲରମାନୀଙ୍କୁ ଅପମାନିତ କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। ସୁପ୍ରିମ କୋର୍ଟର ପାଞ୍ଚଜଣ ସର୍ବ ବରିଷ୍ଠ ବିଚାରପତି ଏହି ମାମଲାରେ ସରକାରଙ୍କ ଇଚ୍ଛାକୁ କାର୍ୟକାରୀ କରୁଛନ୍ତି ବୋଲି ଏକ ବାର୍ତ୍ତା ଏବେ ଲୋକଙ୍କ ପାଖକୁ ଯାଉଛି। ଏହିପରି ସମାନ ଘଟଣାରେ ଗୁଜରାଟ ହାଇକୋର୍ଟର ପୂର୍ବତନ କାର୍ୟକାରୀ ମୁଖ୍ୟ ବିଚାରପତି ତଥା ବର୍ତ୍ତମାନ ବମ୍ବେ ହାଇକୋର୍ଟର ବରିଷ୍ଠ ବିଚାରପତି ରହିଥିବା ଜଷ୍ଟିସ ଆକିଲ କୁରେସୀଙ୍କ ପଦୋନ୍ନତିଙ୍କୁ ମଧ୍ୟ କେନ୍ଦ୍ର ସରକାର ସ୍ଵୀକୃତି ଦେଉନାହାନ୍ତି। ଗୁଜରାଟ ଦଙ୍ଗା ସମୟରେ ଯେଉଁ ବିଚାରପତିମାନେ ତତ୍କାଳୀନ ଗୁଜରାଟ ସରକାର ବିରୋଧରେ ନ୍ୟାୟସଙ୍ଗତ ରାୟ ଦେଇଥିଲେ, ସେମାନଙ୍କୁ ବାଛି ବାଛି ଅପମାନିତ କରାଯାଉଥିବାର ସ୍ପଷ୍ଟ ଧାରା ଏବେ ଦେଖିବାକୁ ମିଳୁଛି।

ଏଠି ସୂଚେଇ ଦିଆଯାଇପାରେ ଯେ ୧୯୭୦ ମସିହାରେ ବ୍ୟାଙ୍କ ଜାତୀୟକରଣ ମାମଲାରେ ସୁପ୍ରିମ କୋର୍ଟର ୧୧ଜଣିଆଁ ଖଣ୍ଡପୀଠ ଇନ୍ଦିରା ଗାନ୍ଧୀ ସରକାର ବିରୋଧରେ ରାୟ ଦେଇଥିଲେ। ଏହି ମାମଲାରେ ୧୦ ଜଣ ବିଚାରପତି ସରକାର ବିରୋଧରେ ମତ ରଖିଥିବା ବେଳେ ମାତ୍ର ଜେନ ବିଚାରପତି ସରକାରଙ୍କ ସପକ୍ଷରେ ମତ ରଖିଥିଲେ। ଦୁର୍ଭାଗ୍ୟକ୍ରମେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୩ରେ ତିନିଜଣ ସୁପ୍ରିମ କୋର୍ଟର ବରିଷ୍ଠ ବିଚାରପତିଙ୍କୁ ଉପେକ୍ଷା କରି ସରକାର ସପକ୍ଷରେ ରାୟ ଦେଇଥିବା ଜଷ୍ଟିସ ଏ.ଏନ.ରାୟଙ୍କୁ ମୁଖ୍ୟ ବିଚାରପତି କରିଥିଲେ। ଏହାର ପ୍ରତିବାଦରେ ସେତେବେଳେ ତିନିଜଣ ବରିଷ୍ଠ ବିଚାରପତି ଜଷ୍ଟିସ ଜେ.ଏମ.ଶେଲଟ, ଜଷ୍ଟିସ କେ.ଏସ.ହେଗଡେ ଓ ଜଷ୍ଟିସ ଏ.ଏନ. ଗ୍ରୋଭର ଇସ୍ତଫା ଦେଇଥିଲେ। ଏହା ଇନ୍ଦିରା ଗାନ୍ଧୀଙ୍କ ଜରୁରୀ କାଳୀନ ପରିସ୍ଥିତି ଜାରି କରିବାର ଏକ ପ୍ରମୁଖ ପୃଷ୍ଠଭୂମି ଥିଲା। ପରେ ୧୯୭୬ ରେ ଜଷ୍ଟିସ ହଂସରାଜ ଖାନ୍ନାଙ୍କୁ ଉପେକ୍ଷା କରି ଜଷ୍ଟିସ ଏମ.ଏଚ, ବେଗଙ୍କୁ ମୁଖ୍ୟ ବିଚାରପତି କରାଗଲା।

୧୯୭୦ ରୁ ୧୯୭୬ ଭିତରେ ନ୍ୟାୟପାଳିକା ଉପରେ କେନ୍ଦ୍ର ସରକାରଙ୍କର ଯେଉଁ ଅନୈତିକ ପ୍ରଭାବ ରହିଥିଲା, ତାହାର ପରିଣତିରେ ଆମେ କଳଙ୍କିତ ଜରୁରୀ କାଳୀନ ସ୍ଥିତିର ସାମ୍ନା କରିଥିଲୁ। ଆଜି ପାଖାପାଖି ଠିକ ସେହି ଅବସ୍ଥାରେ ଆମେ ଆସି ପହଞ୍ଚିଛୁ। ଏବେ ମାନ୍ୟବର ସୁପ୍ରିମ କୋର୍ଟ ସରକାରଙ୍କର ସବୁକଥାରେ ହଁ ଭରୁଥିବା ଏକ ଅନୁଷ୍ଠାନରେ ପରିଣତ ହୋଇଛନ୍ତି। ନବେ ଦଶକରୁ ୨୦୧୪ ପର୍ୟନ୍ତ ଯେଉଁ ସକ୍ରିୟ ନ୍ୟାୟପାଳିକା ଆମେ ଦେଖିଥିଲୁ, ତାହା ଏବେ ସରକାରୀ ଇଚ୍ଛା ଆଗରେ ନିଜକୁ ସମର୍ପଣ କରି ଦେଇଥିବା ଏକ ଅନୁଷ୍ଠାନରେ ପରିଣତ ହେଉଛି।

ତେବେ ଏଥିପାଇଁ କେବଳ କେନ୍ଦ୍ର ସରକାରଙ୍କୁ ଦୋଷ ଦେଲେ ହେବନାହିଁ। ମାନ୍ୟବର ସୁପ୍ରିମ କୋର୍ଟ ନିଜେ ନ ଚାହିଁଲେ ଏହି ମହାନ ଅନୁଷ୍ଠାନର ଗରିମାକୁ ଅନ୍ୟ କେହି କ୍ଷୁଣ୍ଣ କରିପାରିବେ ନାହିଁ। ଭାରତର ସର୍ବମାନ୍ୟ ଶ୍ରେଷ୍ଠ ସମ୍ବିଧାନବିତ ଫଲି ନରିମାନଙ୍କ ଭାଷାରେ – the citadel never falls except from within.

Categories
ବିଶେଷ ଖବର ମତାମତ

ପୁରୀରେ ମଠ ଉଚ୍ଛେଦ ପ୍ରସଙ୍ଗ, ଐତିହ୍ୟ ସଂରକ୍ଷଣ ପରିବର୍ତ୍ତେ ଏହା ଏବେ ସାମ୍ପ୍ରଦାୟିକ ରାଜନୀତିର ଅଂଶ ହେବା ଆରମ୍ଭ କରିଛି

କେଦାର ମିଶ୍ର

ଯେତେବେଳେ ପୁରୀ ମନ୍ଦିରର ମେଘନାଦ ପାଚେରି ଠାରୁ ୭୫ ମିଟର ଭିତରେ ରହିଥିବା ମଠ ଓ ଘର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ ଏହା ଐତିହ୍ୟର ସୁରକ୍ଷା ଦୃଷ୍ଟିରୁ ଅନାବଶ୍ୟକ ବୋଲି ଆମେ କହିଥିଲୁ। ମନ୍ଦିର ସହିତ ମଠ ଗୁଡିକର ନିବିଡ ସମ୍ପର୍କ ରହିଥିବାରୁ ମଠ ଭାଙ୍ଗିବା ଏକ ଅନାବଶ୍ୟକ ପଦକ୍ଷେପ ବୋଲି ଆମେ ଆଜି ମଧ୍ୟ ମତ ରଖୁଛୁ। ହେଲେ ମଠ ଗୁଡିକ ବ୍ୟବସାୟିକ ପ୍ରତିଷ୍ଠାନ ରୂପେ ବ୍ୟବସାୟ କରିବା କଥାକୁ ଆମେ ସମର୍ଥନ କରୁନାହୁଁ। ପୁରୀ ସିଂହଦ୍ଵାରକୁ ଲାଗି ରହିଥିବା ରାମାନୁଜ ସଂପ୍ରଦାୟର ପ୍ରସିଦ୍ଧ ଏମାର ମଠ ଭାଙ୍ଗିବା ପ୍ରକ୍ରିୟା ଅତ୍ୟନ୍ତ ଦୁଃଖଦାୟକ ଥିଲା। ଏହି ମଠ ସହିତ ଓଡିଶା ଇତିହାସର ବହୁ ଅମ୍ଳାନ ସ୍ମୃତି ଜଡିତ ରହିଥିଲା। ମଠ ଭାଙ୍ଗିବା ସହିତ ସେ ସ୍ମୃତି ମଧ୍ୟ ବିଲୟ ହୋଇଗଲା। ଏପରିକି ଓଡିଶାର ସର୍ବ ପ୍ରାଚୀନ ଲାଇବ୍ରେରୀ ରଘୁନନ୍ଦନ ପାଠାଗାର ମଧ୍ୟ ମାଟିରେ ମିଶିଗଲା। ଯଦିଓ ରଘୁନନ୍ଦନ ପାଠାଗାର ନିର୍ମାଣ ଲାଗି ରାଜ୍ୟ ସରକାର ତିନି କୋଟି ଟଙ୍କା ମଞ୍ଜୁର କରିଛନ୍ତି, ତଥାପି ବିକଳ୍ପ ବ୍ୟବସ୍ଥା ନକରି ଏହାକୁ ଭାଙ୍ଗିବା ଆଦୌ ଉଚିତ ହୋଇନାହିଁ । ତେବେ ସରକାରଙ୍କ ମଠ ଭଙ୍ଗା ନିଷ୍ପତ୍ତିକୁ ପୁରୀବାସୀଙ୍କର ନୀରବ ସମର୍ଥନ ମିଳିଛି। ପ୍ରଥମ ପର୍ୟାୟର ଉଚ୍ଛେଦ ପ୍ରକ୍ରିୟାକୁ କେହି ବିରୋଧ କରିବାର ଦେଖା ଯାଇନଥିଲା। ତେବେ ଉଚ୍ଛେଦ ପ୍ରକ୍ରିୟା ସରି ଆସିଲା ବେଳକୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି।

ଗତ ୪୮ ଘଣ୍ଟା ଭିତରେ ମଠ ଭଙ୍ଗା ରାଜନୀତିକୁ ସାମ୍ପ୍ରଦାୟିକ ରଙ୍ଗ ଦେବା ଲାଗି ବିଜେପି ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ପୁରୀର ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରଥମରୁ ଉଚ୍ଛେଦ ପ୍ରକ୍ରିୟାକୁ ଆଦୌ ବିରୋଧ କରିନଥିଲେ। ଏପରିକି ପୁରୀ ବିଜେପି କର୍ମକର୍ତ୍ତା, ରାଜ୍ୟ ବିଜେପି, ସଂଘ ପରିବାର ପ୍ରମୁଖ ଏ ପ୍ରସଙ୍ଗରେ ପୂରା ଚୁପ ହୋଇ ବସିଥିଲେ। ଗତ ସୋମବାର ପରଠୁ ବିଜେପି ଏହି ଘଟଣାରେ ରାଜନୀତି ପୂରେଇବା ଆରମ୍ଭ କରିଛି। ପ୍ରଥମେ ପୁରୀ ଶଙ୍କରାଚାର୍ୟ ଏହାକୁ ବିରୋଧ କରିବା ପରେ  ପୁରୀ ବିଧାୟକ ସାମ୍ବାଦିକ ସମ୍ମିଳନୀ ଡାକି ନିଜର ବିରୋଧ ପ୍ରଦର୍ଶନ କଲେ। ତାଙ୍କ ପରେ ବିଭିନ୍ନ ମଠର ମହନ୍ତ ଓ ସାଧୁ ମିଶି ତୀବ୍ର ବିରୋଧ ଆରମ୍ଭ କଲେ।

ଏଠି ପ୍ରଶ୍ନ ଉଠୁଛି, ଏମାର ମଠ ଭାଙ୍ଗିଲା ବେଳେ ଏମାନେ ସମସ୍ତେ ନୀରବ ଥିଲେ କାହିଁକି? ଆରମ୍ଭରୁ ବିଜେପି ନେତା ବିଜୟ ମହାପାତ୍ରଙ୍କର ଏ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ନଥିବା ବେଳେ, ହଠାତ ତାଙ୍କୁ ଶ୍ରୀକ୍ଷେତ୍ର ପାଞ୍ଚ ପ୍ଲାଟୁନ ପୋଲିସ ଓ ୨୨ ବୁଲାଡୋଜର ର କୁରୁକ୍ଷେତ୍ର ଭଳି ଲାଗିଲା କାହିଁକି? ଏମାନେ ସମସ୍ତେ ଏମାର ମଠ ଭାଙ୍ଗିଲା ପରେ ସଚେତନ ହେବାର କାରଣ କଣ? ମଠ ଭାଙ୍ଗିବାକୁ ନେଇ ପୁରୀ ଲୋକଙ୍କର ଓ ଅନେକାଂଶରେ ରାଜ୍ୟବାସୀଙ୍କ ସମର୍ଥନ ରହିଛି ବୋଲି ଭାବି ବିଜେପି ଚୁପ ରହିଥିଲା। ସମୟକ୍ରମେ ଏହାର ଐତିହ୍ୟ ଓ ଆଧ୍ୟାତ୍ମିକ ସଂସ୍କୃତି ନଷ୍ଟ ହେଉଥିବାର ଦେଖି ଯେଉଁ କିଛି ପ୍ରତିକ୍ରିୟା ଆସିଲା, ସେଥିରୁ ଫାଇଦା ଉଠାଇବାକୁ ବିଜେପି ଏବେ ତତ୍ପର ହୋଇ ଉଠିଛି।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗସ୍ତରେ ଯିବାର ସମ୍ଭାବନା ରହିଛି। ପୁରୀରେ ଧର୍ମେନ୍ଦ୍ର କଣ କହୁଛନ୍ତି ଓ ତାଙ୍କ ଆଭିମୁଖ୍ୟ କଣ ରହୁଛି, ତାରି ଉପରେ ସମସ୍ତଙ୍କ ନଜର ରହିବ। ବିଭିନ୍ନ ଟେଲିଭିଜନ ଚାନେଲରେ ମତ ରଖିଲା ବେଳେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ସମର୍ଥନ ଦେଉଥିବାର ସ୍ପଷ୍ଟ ଜଣାପଡୁଛି। ତେବେ ରାଜନୈତିକ ବାଧ୍ୟ ବାଧକତା କାରଣରୁ ଓ ଗୋଳିଆ ପାଣିରୁ ଫାଇଦା ଉଠାଇବାର ପ୍ରବୃତ୍ତିରୁ ବିଜେପିର ରଣନୀତି ପୁରୀରେ ବଦଳିପାରେ।

ଇତି ମଧ୍ୟରେ ବିଜେପିର ପୋଷ୍ୟ ଚାନେଲ ଭାବରେ ପରିଚିତ ଦୁଇଟି ଇଂରାଜୀ ଟେଲିଭିଜନ ଚାନେଲରେ ମଠ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ହୋ ହଲ୍ଲା ଆରମ୍ଭ ହେଲାଣି। ସେହି ଦୃଷ୍ଟିରୁ ସ୍ପଷ୍ଟ ଅନୁମାନ କରାଯାଇ ପାରେ ଯେ ବିଜେପି ଆଗାମୀ ଦିନରେ ପୁରୀ ମଇଦାନକୁ ରାଜନୀତି ଓ ସାମ୍ପ୍ରଦାୟିକତାର ପ୍ରୟୋଗଶାଳା କରିବାର ସମ୍ଭାବନା ଅଧିକ। ରାଜ୍ୟ ସରକାର ଏହି ସମ୍ଭାବନା ପ୍ରତି ଅବଗତ ରହିଥିବେ ବୋଲି ହୁଏତ ଆଶା କରାଯାଇ ପାରେ। ମଠ ଉଚ୍ଛେଦ ପ୍ରକ୍ରିୟାରେ ମହନ୍ତ ଓ ମଠାଧୀଶମାନଙ୍କ ସହିତ ସ୍ପଷ୍ଟ ଆଲୋଚନା କରିବାରେ ଜିଲା ପ୍ରଶାସନ ବୋଧହୁଏ ବିଳମ୍ବ କରିଛି। ସେହିପରି ବାସଗୃହ ଓ ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ କରିବା ଆଗରୁ ଜନ ଶୁଣାଣୀ ଏକ ସାମ୍ବିଧାନିକ ବ୍ୟବସ୍ଥା। ଜିଲ୍ଲା ପ୍ରଶାସନ ତାହା କରି ନାହାନ୍ତି।

ବିଜେପିର ତତ୍ପରତା ଓ ସମ୍ପ୍ରଦାୟିକ ଶକ୍ତିମାନଙ୍କର ସମ୍ପୃକ୍ତି ମଠ ଉଚ୍ଛେଦ ପ୍ରକ୍ରିୟାକୁ ରାଜନୈତିକ ରଣକ୍ଷେତ୍ର କରିବାର ସମ୍ଭାବନା, ଏବେ ରାଜ୍ୟ ସରକାରଙ୍କ ଲାଗି ସବୁଠୁ ବଡ ମୁଣ୍ଡବିନ୍ଧାର କାରଣ ହୋଇପାରେ।

 

ପଢିଲେ ଜାଣିବେ-ଦାମୋଦର ରାଉତଙ୍କୁ ଓଡିଶା ବିଜେପି ଗୁରୁତ୍ଵ ଦେବାର କୌଣସି ରାଜନୈତିକ ଆବଶ୍ୟକତା ରହିଛି କି?

Categories
ବିଶେଷ ଖବର

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ପ୍ରତିକ୍ରିୟା: କରତର କାଠ ପ୍ରେମ ବ୍ୟତୀତ ଅଧିକ କିଛି ନୁହେଁ

କେଦାର ମିଶ୍ର

ଜାମ୍ମୁ-କାଶ୍ମୀରରେ ଭାରତ ସରକାର ଯଦି କିଛି ଭୁଲ କରନ୍ତି, ତାର ପ୍ରତିରୋଧ ଆମେ ଭାରତୀୟମାନେ କରିବୁ, ହେଲେ ଏଥିରେ ପାକିସ୍ତାନର କୌଣସି ଭୂମିକାକୁ ବରଦାସ୍ତ କରିବୁ ନାହିଁ। କାଶ୍ମୀର ପ୍ରସଙ୍ଗରେ ସବୁ ଭାରତୀୟ ସରକାରକୁ ସମର୍ଥନ କରିନାହାନ୍ତି ବା ସବୁ ଦେଶବାସୀ ଅର୍ଣ୍ଣବ ଗୋସ୍ଵାମୀଙ୍କ ଭଳି ପାଗଳ ପରି ଚିତ୍କାର କରୁନାହାନ୍ତି ଯେ, କିଲ ଦେମ ଇନ ଥାଇଜେଣ୍ଡ୍ସ। ନା, ଆଜି ମଧ୍ୟ କାଶ୍ମୀରର ଗଣତାନ୍ତ୍ରିକ ଅଧିକାର ଓ ମାନବିକ ଅଧିକାର ଲାଗି ଲକ୍ଷ ଲକ୍ଷ ଭାରତୀୟ ଚିନ୍ତିତ ଓ ସେମାନେ ରାସ୍ତାରେ ପ୍ରତିବାଦ କରୁଛନ୍ତି। ଏହି ପ୍ରସଙ୍ଗରେ ପାକିସ୍ତାନର ପ୍ରତିକ୍ରିୟା ଅତ୍ୟନ୍ତ ପିଲାଳିଆ, ଭୟାଳୁ ଓ ମୂର୍ଖତାପୂର୍ଣ । ଏହାକୁ କରତର କାଠ ପ୍ରେମ ବୋଲି କୁହାଯାଇପାରେ, ଯିଏ କି ବାରମ୍ବାର କାଟିବା ଓ ରକ୍ତାକ୍ତ କରିବା ଛଡା ଅଧିକ କିଛି କରିପାରିବ ନାହିଁ।  ୧୯୪୭ ରୁ ପାକିସ୍ତାନ ଗଠନ ହେବା ଦିନଠୁ ଏହା କାଶ୍ମୀରର ସବୁଠୁ ବଡ ଶତ୍ରୁ। ୧୯୪୭ ଅକ୍ଟୋବରରେ କାଶ୍ମୀର କୁ ଦୁଇ ଖଣ୍ଡ କରିଥିବା ପାକିସ୍ତାନ, କାଶ୍ମୀରର ସବୁଠୁ ବଡ ବିପଦ। ଭାରତୀୟ ନେତୃତ୍ଵ କାଶ୍ମୀରକୁ ନିଜ ସଂସ୍କୃତି ଓ ଜୀବନବୋଧର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରିଥିବା ବେଳେ ପାକିସ୍ତାନ ବାରମ୍ବାର କାଶ୍ମୀରର ଆତ୍ମା ଉପରେ ପ୍ରହାର କରିଛି। ନରସଂହାର, ରକ୍ତପାତ, ବିଭାଜନ, ବିଭ୍ରାନ୍ତି ଓ ବିଶ୍ଵାସଘାତକତା ବ୍ୟତୀତ ପାକିସ୍ତାନ କାଶ୍ମୀରକୁ ଅଧିକ କିଛି ଦେଇନାହିଁ। ସନ୍ତ୍ରାସବାଦର ଭୟଙ୍କର ଜାଲରେ କାଶ୍ମୀରକୁ ଦୀର୍ଘ ବର୍ଷ ଧରି ବ୍ୟବହାର କରିଥିବା ପାକିସ୍ତାନକୁ କାଶ୍ମୀରର ସଂଖ୍ୟାଧିକ ଜନସାଧାରଣ କେବେହେଲେ ବିଶ୍ବାସକୁ ନେଇ ନାହାନ୍ତି।

ତେଣୁ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରତିକ୍ରିୟାର କୌଣସି ମୂଲ୍ୟ ନାହିଁ। ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଭାରତରେ ଏବେ ମଧ୍ୟ ଅନେକ ବିତର୍କ ଓ ସମୀକ୍ଷା ର ବାଟ ଅଛି। ସୁପ୍ରିମ କୋର୍ଟରେ ଏହାକୁ ନେଇ ଶୁଣାଣି ହେବ ଓ ଦେଶରେ ଏହାକୁ ନେଇ ଗଣତାନ୍ତ୍ରିକ ବାଦ ପ୍ରତିବାଦ ଜାରି ରହିବ। କାଶ୍ମୀର ଭାରତର ବୈଧାନିକ, ସାଂସ୍କୃତିକ ଓ ସାମାଜିକ ଜୀବନରେ ଅଭିନ୍ନ ଅଙ୍ଗ ହୋଇ ରହିଛି, ଏବଂ ରହିଥିବ। ଏହାକୁ ନେଇ ପାକସ୍ତାନରେ ଭାରତର ରାଷ୍ଟ୍ରଦୂତଙ୍କୁ ବିଦା କରିବା, କୂଟନୈତିକ ସମ୍ପର୍କ ଛିନ୍ନ କରିବା ଓ ଆକାଶପଥକୁ ବନ୍ଦ କାଲେ, ଏହାର କିଛି ପ୍ରଭାବ ଭାରତ ଉପରେ ପଡିବାର ନାଇଁ। ଅର୍ଥନୈତିକ ବା ରାଜନୈତିକ ଦୃଷ୍ଟିରୁ ପାକିସ୍ତାନ ଭାରତ ପାଇଁ ବିଶେଷ ଗୁରୁତ୍ଵ ବହନ କରେନାହିଁ। ତେଣୁ ପାକିସ୍ତାନ ଯେତେ ପ୍ରତିକ୍ରିୟା ପ୍ରକାଶ କରିବା ତାହା ଭାରତ ପାଇଁ ଏକ ଶୁଭ ସଙ୍କେତ ବୋଲି ବରଂ କୁହାଯାଇପାରେ।

ତେବେ ବର୍ତ୍ତମାନ ସ୍ଥିତିରେ ପାକିସ୍ତାନର ପ୍ରତିକ୍ରିୟା ଅପେକ୍ଷା ଆନ୍ତର୍ଜାତିକ ଗଣମାଧ୍ୟମ, ଜାତିସଂଘ, ଆମେରିକା ଓ ଇସ୍ଲାମିକ ରାଷ୍ଟ୍ର ଗୁଡିକର ପ୍ରତିକ୍ରିୟା ଉପରେ ସବୁଠୁ ଅଧିକ ନଜର ରଖିବାକୁ ପଡିବ। ଦୀର୍ଘ ଦିନ ଧରି କାଶ୍ମୀରରେ ଯଦି ଅସ୍ଵାଭାବିକ ପରିସ୍ଥିତି ଲାଗିରହେ, ତାହେଲେ ଏହାକୁ ଆନ୍ତର୍ଜାତିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯିବ। ଇତିମଧ୍ୟରେ ୱାଶିଂଟନ ପୋଷ୍ଟ ଓ ଦି ଗାର୍ଡିଏନ ଭଳି ବଡ ଖବରକାଗଜରେ କାଶ୍ମୀର ପ୍ରସଙ୍ଗକୁ ନେଇ ସମାଲୋଚନା ଆରମ୍ଭ ହେଲାଣି। ଆମେରିକାର ବୈଦେଶିକ ବ୍ୟାପାର ବିଭାଗର ପ୍ରାରମ୍ଭିକ ପ୍ରତିକ୍ରିୟା ମଧ୍ୟ ଉତ୍ସାହଜନକ ନୁହେଁ।  ତେଣୁ ଏ ସମ୍ପର୍କରେ ଅଧିକ ଛାତି ବାଡଉଥିବା ସରକାର, କୂଟନୈତିକ ସ୍ତରରେ ଏହାର ମୁକାବିଲା କେମିତି କରିବେ ସେକଥା ଭାବିବା ଦରକାର।

ପାକିସ୍ତାନକୁ ଅଣଦେଖା କରିବାର ବେଳ ଏବେ ଆସିଛି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ପକ୍ଷଭୁକ୍ତ କରିବାର ଆବଶ୍ୟକତା ହୁଏତ ନାହିଁ। ହେଲେ ସେଥିଲାଗି କାଶ୍ମୀରରେ ସ୍ଵାଭାବିକ ସ୍ଥିତି ଆସିବା ଜରୁରୀ। ମୁଖ୍ୟଧାରାର କାଶ୍ମିରୀ ରାଜନେତାମାନଙ୍କୁ ଯେଉଁ ପ୍ରକାର ଭାବରେ ସରକାରୀ ଓ ବେସରକାରୀ ସ୍ତରରେ ନିନ୍ଦିତ କରାଯାଉଛି, ଏହା ପରିସ୍ଥିତିକୁ ଅଧିକ ଜଟିଳ କରିବ। କାଶ୍ମୀରର ରାଜନୈତିକ ଦଳ ଓ ନେତାମାନେ ସମସ୍ତେ ରାକ୍ଷସ ବୋଲି କହିବାର ଏକ ବିଚିତ୍ର ଗୁଜବ ତନ୍ତ୍ର ଏବେ ଭାରତରେ ମାଡିଚାଲିଛି। ଏହା ବଦଳିବା ଦରକାର। କାଶ୍ମୀର ଲାଗି ଏବେ ସବୁଠୁ ବଡ ଆବଶ୍ୟକତା ହେଉଛି, ସେଠି ଜନଜୀବନ ତୁରନ୍ତ ସ୍ଵାଭାବିକ ହେବା ଜରୁରୀ ତଥା ସରକାରଙ୍କ ଘୋଷଣା ସପକ୍ଷରେ ବା ବିପକ୍ଷରେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ କଥା କହିବାର ଅଧିକାର କାଶ୍ମୀରବାସୀଙ୍କୁ ମିଳିବା ଆବଶ୍ୟକ।

Categories
ବିଶେଷ ଖବର

ଓଡିଶା ରାଜନୀତିର ଭବିଷ୍ୟତ ; ବିଜେପିର “ସର୍ବଦଳ ଗିଳା” ଲାଳସାରୁ ନିଜକୁ ବଞ୍ଚାଇ ପାରିବ କି ବିଜୁ ଜନତା ଦଳ?

କେଦାର ମିଶ୍ର 

କିଛିଦିନ ତଳେ ବିଶିଷ୍ଟ ସାମ୍ବାଦିକ ଶବା ନକଭି ଭାରତୀୟ ରାଜନୀତିର ଭବିଷ୍ୟତ ବିଷୟରେ ଏକ ଆଲେଖ୍ୟ ପ୍ରସ୍ତୁତ କରିଥିଲେ। ଶବାଙ୍କ ଆକଳନ ଅନୁସାରେ ଆଗାମୀ ପାଞ୍ଚ ବର୍ଷ ଭିତରେ ଭାରତର ପ୍ରାୟ ସବୁ ଆଞ୍ଚଳିକ ଦଳ ବିଜେପିରେ ମିଶିଯିବାକୁ ଏକ ପ୍ରକାର ବାଧ୍ୟ ହେବେ। ଦିଲ୍ଲୀରେ ରହୁଥିବା ସାମ୍ବାଦିକମାନେ ଅନେକ ସମୟରେ ଏମିତି ଭବିଷ୍ୟବାଣୀ ସବୁ କରିଥାନ୍ତି। ସେଥିରୁ କିଛିଟା ସତ ହୁଏ ଆଉ କିଛିଟା କଲ୍ପନା ବୋଲି ପ୍ରମାଣିତ ହୁଏ। ଭାରତୀୟ ରାଜନୀତିରେ ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ତିରିଶ ବର୍ଷ କଂଗ୍ରେସ ନାମରେ ହିଁ ରହିଥିଲା। କଂଗ୍ରେସର ବିରୋଧୀ ଥିବା କମ୍ୟୁନିଷ୍ଟ, ସୋସିଆଲିଷ୍ଟ, ଜନସଙ୍ଘ, ସ୍ଵତନ୍ତ୍ର ପାର୍ଟି ଓ ଦ୍ରାବିଡ ମୁନ୍ନେତ୍ରା କାଡାକାମ ନିଜ ନିଜ ପରିସରରେ ଅତ୍ୟନ୍ତ ସୀମିତ ହୋଇ ରହିଥିଲେ। ଷାଠିଏ ଦଶକରେ ପ୍ରଥମେ କେରଳରେ ଓ ପରବର୍ତ୍ତୀ ଦଶକରେ ପଶ୍ଚିମ ବଙ୍ଗରେ କମ୍ୟୁନିଷ୍ଟ ଶାସନ ଆସିଥିଲା। ତାମିଲନାଡୁରେ ଦ୍ରାବିଡ ରାଜନୀତିର ଅଭ୍ୟୁଦୟ ପରେ କଂଗ୍ରେସ ସେଠାରେ କ୍ରମଶଃ ଦୁର୍ବଳ ହୋଇ ଅତି ଗୁରୁତ୍ଵହୀନ ସ୍ଥାନକୁ ଖସି ଆସିଲା। ତେବେ ଉତ୍ତର ଭାରତରେ ସୋସିଆଲିଷ୍ଟ ଓ କେବେ କେବେ ସ୍ଵତନ୍ତ୍ର ପାର୍ଟି କଂଗ୍ରେସକୁ କିଛିଟା ବିରୋଧ କରୁଥିଲେ।

୧୯୭୫ର ଜରୁରୀକାଳୀନ ପରିସ୍ଥିତି ପରେ ଅଣକଂଗ୍ରେସ ରାଜନୀତିରେ ଏକ ନୂଆ ମୋଡ ଆସିଲା ଓ ସବୁ କଂଗ୍ରେସ ବିରୋଧୀ ଶକ୍ତିଙ୍କୁ ନେଇ ୧୯୭୭ରେ ଦେଶର ପ୍ରଥମ ଅଣ କଂଗ୍ରେସ ସରକାର ଗଠିତ ହେଲା। ୧୯୭୫ ରୁ କଂଗ୍ରେସ ବିରୋଧୀ ଶକ୍ତିମାନେ ନିଜର ସାମର୍ଥ୍ୟ ବଢାଇବାର ଅଭିଯାନ ଆରମ୍ଭ କରିଥିଲେ ଓ ତାର ପରିଣତି ସ୍ୱରୂପ ୪୪ ବର୍ଷ ପରେ ଆଜି କଂଗ୍ରେସ ନିଜର ଅସ୍ତିତ୍ଵ ବଞ୍ଚାଇବାକୁ ସଂଘର୍ଷ କରୁଛି। ଅଣ କଂଗ୍ରେସ ରାଜନୀତିର ଆଉ ଏକ ଦାର୍ଶନିକ ପୃଷ୍ଠଭୂମି ମଧ୍ୟ ରହିଛି। ଧର୍ମନିରପେକ୍ଷ ଓ ସମାଜବାଦୀ ଚରିତ୍ର ବହନ କରୁଥିବା ବିରୋଧୀ ଶକ୍ତି ଗୁଡିକ ଆସ୍ତେ ଆସ୍ତେ ଦୁର୍ବଳ ହେଉଥିବାବେଳେ ହିନ୍ଦୁତ୍ଵ ରାଜନୀତିର ଶକ୍ତି ବୃଦ୍ଧି ଘଟିଛି। ପଚାଶରୁ ସତୁରୀ ଦଶକ ପର୍ୟନ୍ତ କଂଗ୍ରେସର ଯେଉଁ ସର୍ବଗ୍ରାସି ଚରିତ୍ର ରହିଥିଲା, ତାହା ଆଜିର ଶାସକ ଦଳ ବିଜେପିକୁ ସଂକ୍ରମିତ ହୋଇଛି। ଏବେ ବିଜେପି ଦେହରେ ଜନସଙ୍ଘ ବା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପରିଚୟ ରଖିଥିଲେ ମଧ୍ୟ, ଏହାର ମାନସିକ କଂଗ୍ରେସୀକରଣ ହୋଇସାରିଛି। ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଯେଉଁ ଏକଛତ୍ରବାଦୀ ଚରିତ୍ର ରହିଥିଲା, ତାହା ଆଜି ନରେନ୍ଦ୍ର ମୋଦୀଙ୍କ ବିଜେପିକୁ ମାଡିସାରିଛି।

ନବେ ଦଶକରେ କଂଗ୍ରେସର ବର୍ଚ୍ଚସ୍ଵ ଭାଙ୍ଗିବାକୁ ଯାଇ ବିଭିନ୍ନ ରାଜ୍ୟଗୁଡିକରେ ଆଞ୍ଚଳିକ ଦଳଗୁଡିକ ନିଜର ପ୍ରାଧାନ୍ୟ ବିସ୍ତାର କାଲେ। ଆନ୍ଧ୍ରପ୍ରଦେଶରେ ସିନେ ତାରକା ଏନ.ଟି.ରାମାରାଓଙ୍କ ସଫଳତାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି, ବିହାରରେ ରାଷ୍ଟ୍ରୀୟ ଜନତା ଦଳ ଓ ସଂଯୁକ୍ତ ଜନତା ଦଳ,ତାମିଲନାଡୁରେ ଏଆଇଡିଏମକେ ଓ ଡିଏମକେ, ଆନ୍ଧ୍ରରେ ତେଲୁଗୁ ଦେଶମ ଓ ୱାଇଏସଆର, କର୍ଣ୍ଣାଟକରେ ଧର୍ମନିରପେକ୍ଷ ଜନତାଦଳ, ମହାରାଷ୍ଟ୍ରରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି, ପଶ୍ଚିମବଙ୍ଗରେ ତୃଣମୂଳ ଓ ଓଡିଶାରେ ବିଜୁ ଜନତା ଦଳର ସଫଳ ନେତୃତ୍ଵ ପ୍ରତିଷ୍ଠା କରିଥିଲା। ଅଶି ରୁ ୨୦୧୪ ପର୍ୟନ୍ତ ଆଞ୍ଚଳିକ ଦଳମାନେ ଜାତୀୟ ରାଜନୀତିର ମୁଖ୍ୟ ନିର୍ଣ୍ଣାୟକ ଭୂମିକା ନେଉଥିଲେ। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ଲୋକସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଢିଲା ପରେ ଏହା ଗୋଟିଏ ପରେ ଗୋଟିଏ ଆଞ୍ଚଳିକ ଦଳକୁ ଖତମ କରିଦେବାର ସୁଚିନ୍ତିତ ରଣ କୌଶଳ ଆରମ୍ଭ କରି ସେଥିରୁ ଅନେକଙ୍କୁ ମାଟିରେ ମିଶାଇ ସାରିଥିବା ବେଳେ ଆଉ କିଛି ଏବେ ବିଜେପିର ଳୋଲୁପ ନଜରରେ ରହିଛନ୍ତି। ସେଥିରୁ ଓଡିଶାରେ ବିଜୁ ଜନତା ଦଳ ଅନ୍ୟତମ ବୋଲି କୁହାଯାଉଛି।

ଗତ ଦୁଇଟି ନିର୍ବାଚନରେ ଯେଉଁ ଦୁଇ ତିନିଟି ଆଞ୍ଚଳିକ ଶକ୍ତିକୁ ସାମ୍ନା କରିବାରେ ବିଜେପି ଅସମର୍ଥ ହୋଇଛି ସେଥିରୁ ବିଜୁ ଜନତା ଦଳ ଅନ୍ୟତମ। ଓଡିଶାରେ ନବୀନ ପଟ୍ଟନାୟକଙ୍କୁ ମାତ ଦେବାକୁ ଗତ ୬ ବର୍ଷ ଧରି ପ୍ରବଳ ଉଦ୍ୟମ କରିଆସୁଥିବା ବିଜେପି ଏବେ ବିଜେଡି ସହିତ ସନ୍ଧି କରିବା ଆରମ୍ଭ କରିଛି। ଏହାର କାରଣ କଣ? ବିଜେଡ଼ିକୁ ବିଜେପିର ସହଯୋଗ ପଛରେ ତଥାକଥିତ ସହଯୋଗୀ ସଙ୍ଘୀୟ ବିଚାର ରହିଛି ନା ଏହା ବିଜେପିର “ସର୍ବଦଳ ଗିଳା” ଅଭିଯାନର ଏକ ଅଂଶ ବିଶେଷ ତାକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ନବୀନ ଥିବା ଯାଏ ଓଡିଶାରେ ବିଜେପିର ଭବିଷ୍ୟତ ଉଜ୍ଜଳ ନୁହେଁ, ଏକଥା ଗତ ଦୁଇଟି ନିର୍ବାଚନରେ ପ୍ରମାଣିତ ହୋଇସାରିଛି।ବିଧାନସଭାରେ ବିଜେଡ଼ିର ପ୍ରଚଣ୍ଡ ବହୁମତ ରହିଥିବାରୁ କିଣାବିକା ଓ ଭଙ୍ଗାଗଢା ରାଜନୀତି କରିବା ଭଳି ଅନୁକୂଳ ସ୍ଥିତି ବିଜେପି ପାଖରେ ନାହିଁ। ଅଗତ୍ୟା ବିଜେଡି ସହିତ ସନ୍ଧି କରି ବିଜେଡ଼ିକୁ ଅକ୍ତିଆର କରିବାର ଏକ ଦୂରଗାମୀ ଲକ୍ଷ୍ୟ ବିଜେପି ପାଖରେ ରହିଛି।

ବିଜେଡି ଭିତରେ ନବୀନଙ୍କ ପରବର୍ତ୍ତୀ ନେତୃତ୍ଵ ପ୍ରସଙ୍ଗରେ କୌଣସି ସ୍ପଷ୍ଟ ଯୋଜନା ନାହିଁ। ତେଣୁ ତାକୁ ବିଜେପି ଏକ ସୁଯୋଗ ବୋଲି ଭାବୁଛି। ନବୀନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସଭାପତି ଅମିତ ଶାହ ଗୋଟେ କଥା ସ୍ପଷ୍ଟ କରିଦେଇଛନ୍ତି ଯେ ନିକଟ ଭବିଷ୍ୟତରେ ବିଜେପି-ବିଜେଡି ଭିତରେ ବିଶେଷ ବିରୋଧର ସମ୍ଭାବନା ନାହିଁ। କିନ୍ତୁ ଗୋଟିଏ ପରେ ଗୋଟିଏ ସରକାର ଭାଙ୍ଗୁଥିବା ଓ ବିରୋଧୀ ଦଳଙ୍କର ଘର ଉଜାଡିଦେବାରେ ଦକ୍ଷତା ହାସଲ କରିଥିବା ବିଜେପି ର ବିଜେଡି ପ୍ରତି ଏ ଯେଉଁ ଅଭିନବ ପ୍ରେମ ଏଥିରେ ମା ର ମମତା ଅଛି ନା ପୁତନା ର ବିଷ ଭରି ରହିଛି, ତାହା ସମୟକ୍ରମେ ସ୍ପଷ୍ଟ ହୋଇଯିବ।

Categories
ବିଶେଷ ଖବର

ଓଡ଼ିଶାର ଖବରକାଗଜକୁ ନେଇ  ଅପ୍ରିୟ ସତ କହିବାରେ କିଛି ଅସୁବିଧା ଅଛି କି??

କେଦାର ମିଶ୍ର

ସମଗ୍ର ଗଣମାଧ୍ୟମ କ୍ଷମତା ଓ ପୁଞ୍ଜିର ଦାସତ୍ୱ ସ୍ୱୀକାର କରିନେଇଛନ୍ତି – ସୁତରାଂ ସେମାନଙ୍କଠୁ କୌଣସି ସାମାଜିକ ପ୍ରତିବଦ୍ଧତା ଆଶା କରିବା ବୃଥା ବୋଲି ଆମେ ମାନିନେବା କି? ସମାଜର ଶେଷଧାଡ଼ିରେ ଠିଆ ହୋଇଥିବା ଶୋଷିତମାନଙ୍କର ବ୍ୟଥା – ବେଦନା ଲେଖିବା ପାଇଁ ସାମ୍ବାଦିକଙ୍କର ସମୟ ନାହିଁ। ଏହା ହିଁ ଆଜିର ବିଡ଼ମ୍ବିତ ସତ୍ୟ କି? ବିଜ୍ଞାପନ ଦେଉଥିବା ଓ ହୱାଲା ମାଧ୍ୟମରେ କମ୍ପାନୀକୁ ମାଲାମାଲ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନର ମୁଖପତ୍ର ଭାବରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବିବେକକୁ ବନ୍ଧା ପକାଇବା କେତେଦୂର ଯଥାର୍ଥ? ଏହାର ବିକଳ୍ପ କିଛି ନାହିଁ କି? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଆଜି ଅପରିହାର୍ଯ୍ୟ ହୋଇପଡ଼ିଛି। ଗଣତନ୍ତ୍ରର ସୁରକ୍ଷା ପାଇଁ ଚିନ୍ତିତ ପ୍ରତ୍ୟେକ ସଚେତନ ନାଗରିକ ପାଇଁ ଏଇ ପ୍ରଶ୍ନସବୁ ଆଜି ସବୁଠୁ ଗୁରୁତ୍ବପୂର୍ଣ୍ଣ । ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ବିଫଳତାକୁ ସାମ୍ନା କରିବା ପାଇଁ ଗଣମାଧ୍ୟମ ଏକମାତ୍ର ସଫଳ ବିକଳ୍ପ। ଏହି ଅନ୍ତିମ ଆଶାଟି ଯଦି ନିଜତ୍ୱ ହରାଇ ବସେ, ସେଠି ଗଣତନ୍ତ୍ରର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ଲାଗିବ ନିଶ୍ଚୟ। ଆଜିର ପରିପ୍ରେକ୍ଷୀରେ ଏହା ହିଁ ଘଟିଛି ଓଡ଼ିଶାରେ।

ବିଧାନପାଳିକା ଓ କାର୍ଯ୍ୟପାଳିକାର ମଙ୍ଗୁଆଳମାନଙ୍କ ହାତରେ ଗଣମାଧ୍ୟମ ନିଜକୁ ବନ୍ଧା ପକାଇଦେଇଛି। ଓଡ଼ିଶା ରାଜନୀତିର ପ୍ରମୁଖ ଗଦିମାନ ଆବୋରି ବସିଥିବା ନେତାଙ୍କ ମର୍ଜି ମୁତାବକ ଆମେ ସାମ୍ବାଦିକମାନେ କଲମ ଚାଳନା କରୁଛୁ। କୌଣସି ନା କୌଣସି ରାଜନୈତିକ ଗୋଷ୍ଠୀର ସ୍ୱାର୍ଥରକ୍ଷା ପାଇଁ ଗଣମାଧ୍ୟମ ନିଜର ସାଧନ ଓ ସମ୍ବଳର ବିନିଯୋଗ କରିଚାଲିଛି। ଉଦାହରଣ ଆଦୌ ବିରଳ ନୁହେଁ। କୌଣସି ନା କୌଣସି ରାଜନୈତିକ ମଂଚରେ ବା ଦଳରେ  ଆମେ ଆମ ରାଜ୍ୟର ଅଗ୍ରଣୀ ସମ୍ପାଦକମାନଙ୍କୁ ନିଶ୍ଚୟ ଦେଖୁଛୁ। ନିରପେକ୍ଷ ସମ୍ବାଦ ପରିବେଷଣ ପାଇଁ ଲୋକଙ୍କ ପାଖରୁ ପ୍ରତି ସକାଳେ ଟଙ୍କା ଆଦାୟ କରୁଥିବା ଆମ ସମ୍ବାଦପତ୍ର ଓ ଚ୍ୟାନେଲମାନେ ‘ନିରପେକ୍ଷତା’କୁ  ଏକ ଅନ୍ଧବିଶ୍ୱାସ ବୋଲି କହିବାକୁ ଲଜ୍ଜିତ ହେଉନାହାନ୍ତି। କିଛି ବର୍ଷ  ତଳେ ଓଡ଼ିଶାର ଜଣେ ପ୍ରଖ୍ୟାତ ସମ୍ପାଦକଙ୍କ ଶ୍ରୀମୁଖରୁ ଆମେ ଏଇ ବାର୍ତ୍ତା ପାଇଥିଲୁ ଯେ, ‘ଖବର କାଗଜ ବ୍ୟବସାୟରେ ଲାଭର ଗୁରୁତ୍ୱ ସବୁଠୁ ବେଶୀ। ନିରପେକ୍ଷ ସମ୍ବାଦ ଆଦର୍ଶବାଦର ମୁଖା ପିନ୍ଧିଥିବା ଛଳନା ମାତ୍ର।’ ତେବେ ଏହା ହିଁ ଆଜିର ବାସ୍ତବତା ଓ ସତ୍ୟ।

ଗଣମାନସ ଓ ଗଣମାଧ୍ୟମର ଆଦର୍ଶ

ନିଜର ବିଚାର  ଆଦର୍ଶ ପାଇଁ ସମ୍ବାଦପତ୍ରକୁ ଏକ ମିଶନ ଭାବରେ ଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ ଏବଂ ତାଙ୍କରି ଅନୁସରଣରେ ଓଡ଼ିଶାର ଗୋପବନ୍ଧୁ ଦାସ। ‘ଇଣ୍ଡିଆନ୍ ଓପିନିଅନ୍’ ପ୍ରକାଶ କରିବାକୁ ଯାଇ ଗାନ୍ଧିଜୀ ବ୍ୟକ୍ତିଗତ ଭାବରେ ୨୬,୦୦୦ଟଙ୍କା କ୍ଷତିଭରଣ କରିଥିଲେ। ନିଜ ବିଚାର ଓ ଆଦର୍ଶର ପ୍ରଚାର ଲାଗି ବିଜ୍ଞାପନକୁ ପୁରାପୁରି ନିଷିଦ୍ଧ କରାଗଲା ଗୋଟେ ସମୟରେ। ଗାନ୍ଧୀ ଭଲଭାବରେ ଜାଣିଥିଲେ ବିଜ୍ଞାପନ ଛାପିବାର ଅର୍ଥ ସତ୍ୟ ଓ ସ୍ୱାଧୀନତାକୁ ବଳି ପକେଇବା। ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋପବନ୍ଧୁଙ୍କ ‘ସମାଜ’ ମଧ୍ୟ ଏହି ଆଦର୍ଶକୁ ପାଥେୟ କରି ପ୍ରତିଷ୍ଠା ଲାଭ କରିଥିଲା।

ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା ଓ ସଂସ୍କୃତିର ନବଜାଗରଣ ପାଇଁ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ଜନ୍ମଲାଭ କରିଥିଲା। ତେବେ ଏଇଠି ମଧ୍ୟ ଆରମ୍ଭ ହୋଇଥିଲା ବିଜ୍ଞାପନ ସଂସ୍କୃତିର ଦୁରାରମ୍ଭ ଏବଂ ଧନୀକ ଗୋଷ୍ଠୀର ପ୍ରଶଂସା ପାଇଁ କାର୍ଯ୍ୟ କରିବାର ଦୁରାଗ୍ରହ। ଲୋକ ଜୀବନର ସମସ୍ୟା ଅପେକ୍ଷା ସମାଜବାଦୀ ଶାସକଙ୍କ ସୁଦୃଷ୍ଟି ଲାଭର ଆଙ୍କାକ୍ଷା କେତେକାଂଶରେ ‘ଦୀପିକା’ ପୃଷ୍ଠାରେ ଦେଖିବାକୁ ମିଳିଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ‘ସମ୍ବାଦପତ୍ର’ ଥିଲା ସାମ୍ରାଜ୍ୟବାଦର ସୁଫଳ, ତେଣୁ ସାମ୍ରାଜ୍ୟବାଦ ପ୍ରତି ଏକ ପ୍ରକାର ସ୍ୱାଭାବିକ କୃତଜ୍ଞତା, ‘ଦୀପିକା’ ସମେତ ସମକାଳୀନ ଅନ୍ୟାନ୍ୟ ଭାରତୀୟ  ଖବର କାଗଜରେ ଦୃଷ୍ଟିଗୋଚର ହୋଇଥାଏ। ଅନ୍ୟଦିଗରେ ଓଡ଼ିଶା ଗଠନର ସଂକଳ୍ପ, ଭାଷା-ସଂସ୍କୃତିର ପୁନର୍ଜାଗରଣ ଏବଂ ଜାତୀୟ ଜୀବନକୁ ଉଦବୁଦ୍ଧ କରିବାର ଦାୟିତ୍ୱ ଏମାନେ ବହନ କରିଥିଲେ। ‘ଉତ୍କଳ ଦୀପିକା’ର ପ୍ରକାଶକ ଓ ସମ୍ପାଦକ ଥିଲେ ଉପନିବେଶବାଦୀ ସରକାରଙ୍କ ରାଜ କର୍ମଚାରୀ। ତଥାପି ବେଳେବେଳେ ସେମାନେ ଯେଉଁ ସାହସ ଓ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ ତାର କୌଣସି ତୁଳନା ନାହିଁ।୧୮୬୬ ର ଭୟଂକର  ଦୁର୍ଭିକ୍ଷର ଗର୍ଭରୁ ଦୀପିକାର ଜନ୍ମ, ତେଣୁ ସ୍ବାଭାବିକ ଭାବରେ ଏଥିରେ ଭୋକ ଓ ବିଶ୍ବାସର ଭାଷା ସବୁଠୁ ବେଶୀ ପ୍ରତିଫଳିତ। ଅନେକ ସମୟରେ ବ୍ରିଟିଶ୍ ରାଜ୍ ର କଟୁ ସମାଲୋଚନା କଲାବେଳେ ଦୀପିକାର ସମ୍ପାଦକ ଓ ସାମ୍ବାଦିକମାନେ ଟିକେ ବି ପଛଘୁଞ୍ଚା ଦେଇ ନାହାନ୍ତି। ଦୀପିକାର ପୃଷ୍ଠଭୂମିରୁ  ଆମର ଗଣମାଧ୍ୟମ କିଛି ବି ଶିକ୍ଷାଲାଭ କରିନାହିଁ, ଏକଥା ନିରାଟ ସତ୍ୟ।

ଆଜି ଯେତେବେଳେ ଓଡ଼ିଆ ସମ୍ବାଦପତ୍ରର ମାଲିକ/ସମ୍ପାଦକମାନେ ଛୋଟ ଛୋଟ ରାଜନୈତିକ ସ୍ୱାର୍ଥ ପାଇଁ ସାମ୍ବାଦିକତାର ପବିତ୍ର କର୍ତ୍ତବ୍ୟକୁ ବନ୍ଧା ପକାନ୍ତି, ସେଠି ପ୍ରତିବାଦ କରିବାପାଇଁ କୌଣସି ବିକଳ୍ପ ସ୍ୱର କ୍ଷୀଣ ଭାବରେ ନ ଶୁଭିବା, ଓଡ଼ିଆ ଜାତିର ସବୁଠୁ ବଡ଼ ଦୁର୍ଭାଗ୍ୟ। ଗତ କୋଡ଼ିଏବର୍ଷ ଭିତରେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜନ ଆନ୍ଦୋଳନ ଗଢ଼ିଉଠିଛି – ତା’ର ସବିଶେଷ ବିବରଣୀ କୌଣସି ସମ୍ବାଦପତ୍ରରେ ମିଳିବ ନାହିଁ। ବାଲିଆପାଳର କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ, ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ, ଗୋପାଳପୁର ଟାଟା ବିରୋଧୀ ଆନ୍ଦୋଳନ, ଲାଞ୍ଜିଗଡ଼, କାଶୀପୁର, କଳିଙ୍ଗନଗର ଏସବୁର ଇତିହାସ ଲେଖିବା ପାଇଁ ସମ୍ବାଦପତ୍ରର ପୃଷ୍ଠା ଖୋଜିଲେ ଆମେ ଖୁବ୍ ବେଶି ସଫଳତା ପାଇବା ନାହିଁ। କାଁ ଭାଁ ଛୋଟ ଛୋଟ ଖବରକୁ ବାଦ୍ ଦେଲେ ଜନତାର ଆନ୍ଦୋଳନ ଏବଂ ପ୍ରତିରୋଧକୁ ଗଣମାଧ୍ୟମ ବିଶେଷ ଗୁରୁତ୍ୱ ଦେଇନାହିଁ। ପ୍ରମାଣ ଦେବା ନିରର୍ଥକ । ଓଡ଼ିଶାର ସମ୍ବାଦପତ୍ର ମାଲିକ ବା ସମ୍ପାଦକ ଯେଉଁ ଦଳର ସମର୍ଥକ, ସେହି ଦଳର ମୁଖପତ୍ର ପରି ସମ୍ପୃକ୍ତ ସମ୍ବାଦପତ୍ର କାମ କରିଛି। ନିର୍ବାଚନ ଲଢ଼ୁଥିବା ସମ୍ପାଦକଙ୍କ ପ୍ରଚାର ପତ୍ର ହୋଇ ଅଥିବା ବ୍ୟବସାୟ କରୁଥିବା ମାଲିକଙ୍କ କଳାବଜାର ଲୁଚାଇର କମ୍ବଳ ହୋଇ,ଗଣମାଧ୍ୟମ ଆମ ରାଜ୍ୟରେ ବଞ୍ଚି ରହିଛି।

ସମ୍ବାଦିକର ଅଧର୍ମ

ଓଡ଼ିଶାରେ ପେଶାଦାର ସାମ୍ବାଦିକତାକୁ ମୂଳରୁ ଉଧେଇବାକୁ ଦିଆଗଲା ନାହିଁ। ରାଜନୀତିର ପ୍ରତିପତ୍ତି ଓ ପତିଆରା ଭୋଗ କରୁଥିବା କେତୋଟି ନିର୍ଦ୍ଦିଷ୍ଟ ପରିବାର ବଂଶାନୁକ୍ରମେ ସମ୍ପାଦକ ହେବାର ଯୋଗ୍ୟତା ପାଇଲେ। ଗଣମାଧ୍ୟମ ସଂସ୍ଥା ପାରିବାରିକ ଥଇଥାନ କେନ୍ଦ୍ର ପାଲଟିଲା। ଫଳରେ ପେଶାଦାର ମନୋଭାବ ନେଇ ଖୁବ୍ କମ୍ ସାମ୍ବାଦିକ ବୃତ୍ତିରେ ପ୍ରବେଶ କଲେ। ଓଡ଼ିଶାର ପ୍ରତ୍ୟେକ ସାମ୍ବାଦିକ ଆଜୀବନ ପାରିବାରିକ ଶାସନର ବୋଝ ମୁଣ୍ଡେଇ ଚାଲିଲେ। ସେମାନଙ୍କର ବୃତ୍ତିଗତ ଅଭିଳାଷ, ଚାକିରୀର ସ୍ଥାୟିତ୍ୱ, ଆର୍ଥିକ – ସାମାଜିକ ସୁରକ୍ଷା, ସଂସ୍ଥାର ଲାଭାଂଶରେ ଅଧିକାର ଇତ୍ୟାଦି ଆଦୌ ରହିଲା ନାହିଁ। ଗୋତି ଶ୍ରମିକ ପରି ସମ୍ପାଦକ/ସାମ୍ବାଦିକଙ୍କୁ ବ୍ୟବହାର ପ୍ରଦର୍ଶନ କଲେ। ଆମ୍ଭ ଜାଣିବାରେ ଓଡ଼ିଆ ସମ୍ବାଦପତ୍ରରେ କାର୍ଯ୍ୟ କରୁଥିବା ନବେ ଭାଗରୁ ଅଧିକ କର୍ମଚାରୀ ଆର୍ଥିକ ଓ ମାନସିକ ଶୋଷଣର ଶିକାର ହୋଇଥାନ୍ତି। ରାଜ୍ୟରେ ଅବଶ୍ୟ ସାମ୍ବାଦିକ ସଂଘର ଅଭାବ ନାହିଁ । ଆଜିପର୍ଯ୍ୟନ୍ତ ସାମ୍ବାଦିକତାକୁ ଏକ ସ୍ଥାୟୀ ବୃତ୍ତି ଭାବରେ ଗ୍ରହଣ କରିନେବାର ପରିବେଶ ସାମ୍ବାଦିକ ସଂଘମାନେ ତିଆରି କରିପାରିନାହାନ୍ତି -ଏହା ସେମାନଙ୍କର ଚରମ ବିଫଳତା। ରାଜ୍ୟର ସତର୍କ ପ୍ରହରୀ ଭାବରେ ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକମାନଙ୍କ ପେଟ ଶୁଖିଲା, ଜିଭ ସ୍ଥାଣୁ, କଲମ ଅଚଳ ଓ ମନୋବଳ ଦୁର୍ବଳ। ଏମିତି ଏକ ପରିସ୍ଥିତିରେ ସମ୍ବାଦପତ୍ରଠାରୁ ଆମେ କ’ଣ ବା ଆଶା କରିବା।

ଏକଥା ସତ ଯେ, ଜାତୀୟ ସ୍ତରରେ ସମ୍ବାଦପତ୍ରର ଅବକ୍ଷୟ ଘଟିଛି। କର୍ପୋରେଟ ନିୟନ୍ତ୍ରଣରେ ଗଣମାଧ୍ୟମ ପରିଚାଳିତ ହେଉଛି। ତେବେ ଆଦର୍ଶ ଓ ବିକଳ୍ପ ବିଚାରର କିଛି କିଛି ବାଟ ଏବେ ମଧ୍ୟ ଖୋଲାରହିଛି। ପେଶାଦାର ପ୍ରତିଯୋଗିତାର ପରିଣାମସ୍ୱରୂପ ପ୍ରକୃତ ସତ୍ୟ ଓ ତଥ୍ୟ ଲୋକଲୋଚନକୁ ଆସିପାରୁଛି। ଓଡ଼ିଶାରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଏଠି ସମ୍ବାଦପତ୍ରରେ ପେଶାଦାର ପ୍ରତିଯୋଗିତା ଅପେକ୍ଷା ବ୍ୟକ୍ତିଗତ ଅସହିଷ୍ଣୁଭାବର ପ୍ରତିଫଳନ ଯଥେଷ୍ଟ ଅଧିକ। ଆକ୍ଷେପ, ପ୍ରତିଆକ୍ଷେପ, ଉଦ୍ଦେଶ୍ୟମୂଳକ ସମ୍ବାଦ ପରିବେଷଣ, ପରସ୍ପରକୁ ନୀଚ କରି ଦେଖାଇବାର ବାଲ୍ୟ ଚପଳତା, ନିଜକୁ ମହାପୁରୁଷ ଭାବରେ ପ୍ରଚାରିତ କରିବାର ନିର୍ଲଜ ଅଭିପ୍ରାୟ ଏବଂ ସର୍ବୋପରି କାଗଜର ପ୍ରତ୍ୟେକ ଇଞ୍ଚକୁ ଚଢ଼ାଦାମରେ ବିକିବାର ବଜାରୀ ମାନସିକତା – ଆମ ସମ୍ବାଦପତ୍ରମାନଙ୍କର କେତୋଟି ବିଶେଷ ଗୁଣ। ଏକନମ୍ବର ହେବାର ପ୍ରୟାସରେ ଆମେ ସାମ୍ବାଦିକତାର ଗୌରବ ଓ ସ୍ୱାଭିମାନକୁ ବଳି ପକେଇଛୁ। ସମ୍ବାଦପତ୍ରର ଧର୍ମକୁ ଆମରି ହାତରେ ହାଣ ଖୁଆଇବାକୁ ଆମର ମହାମାନ୍ୟ ମାଲିକ/ ସମ୍ବାଦକମାନେ ପ୍ରତିଜ୍ଞାବଦ୍ଧ।

ସମ୍ବାଦପତ୍ର ରାଜନୈତିକ ଆଦର୍ଶକୁ ବରଣ କରିବା ଅସମୀଚୀନ ନୁହେଁ। ହେଲେ ରାଜନୈତିକ ଫାଇଦା ହାସଲ ପାଇଁ ସମ୍ବାଦପତ୍ରର ବ୍ୟବହାର ଗଣତନ୍ତ୍ରର ସବୁଠୁ ବଡ଼ ଅପରାଧ। ସେ ଦୃଷ୍ଟିରୁ ଆମର ସାମ୍ବାଦିକମାନେ ନିଜର ମୂଲ୍ୟାୟନ କରନ୍ତୁ।

 

Categories
ବିଶେଷ ଖବର ମତାମତ

ଅବସରପ୍ରାପ୍ତ ଡାକ୍ତରମାନଙ୍କ କାନ୍ଧରେ ଆମର ସ୍ବାସ୍ଥ୍ୟସେବା କେତେଦିନ ଚାଲିପାରିବ?

କେଦାର ମିଶ୍ର

ଓଡିଶାର ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ନେବା ପରେ ଶ୍ରୀ ନବ କିଶୋର ଦାସ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ପ୍ରୟାସ କରୁଛନ୍ତି, ସେଥିଲାଗି ତାଙ୍କୁ ପ୍ରଶଂସା କରିବାକୁ ପଡିବ। ତେବେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କଥା କହିବା ପୂର୍ବରୁ ବାସ୍ତବ ସମସ୍ୟାଗୁଡ଼ିକର ଚିହ୍ନଟ ଜରୁରୀ। ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠୁ ଆରମ୍ଭ କରି ମେଡିକାଲ କଲେଜ ପର୍ୟନ୍ତ ସବୁଠି ଡାକ୍ତରଖାନା ଅଛି, ହେଲେ ଡାକ୍ତର ନାହାନ୍ତି। ଏହି ସମସ୍ୟାର ସମାଧାନ ଲାଗି ଅବସରପ୍ରାପ୍ତ ଡାକ୍ତରମାନଙ୍କୁ ଠିକା ଭିତ୍ତିରେ ପୁନଃନିଯୁକ୍ତି ଦିଆଯିବ ଓ ସେମାନଙ୍କ କାମ କରିବାର ସମୟସୀମାକୁ ୭୦ ବର୍ଷ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହା ହୁଏତ ଡାକ୍ତର ସମସ୍ୟାକୁ କିଛିଟା ହାଲୁକା କରିବ, ଏହା କିନ୍ତୁ ସମାଧାନ ନୁହେଁ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅତିକମରେ ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା ବୋଲି କହିଛନ୍ତି। ଏହି ଲକ୍ଷ୍ୟ ପୂରଣରେ ଭାରତ ସରକାର ମଧ୍ୟ ସମର୍ଥ ହେଉନାହାନ୍ତି। ଏବେ ଜାତୀୟ ସ୍ତରରେ ୧୫୯୭ ଲୋକରେ ଜଣେ ଡାକ୍ତର ରହିଛନ୍ତି। ସେହି ତୁଳନାରେ ରାଜ୍ୟର ସ୍ଥିତି ଅତ୍ୟନ୍ତ ଖରାପ । ଆମର ପ୍ରତି ୨୭୪୯ ଜଣଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି। ଗ୍ରାମୀଣ ଓ ସହରୀ ଭେଦରେ ଏ ସଂଖ୍ୟା ଆହୁରି ଚିନ୍ତାର ବିଷୟ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଲକ୍ଷ୍ୟ ପୂରଣ ତ ଦୂରର କଥା ଜାତୀୟ ହାର ସହ ସମାନ ହେବାକୁ ଆମକୁ ବହୁତ ସମୟ ଲାଗିବ।

ଅତିକମରେ ରାଜ୍ୟ ପାଇଁ  ୧୦,୦୦୦ ଡାକ୍ତରଙ୍କ ନୂଆ ନିଯୁକ୍ତିର ଆବଶ୍ୟକତା ରହିଛି। ତେବେ ଏତେ ସଂଖ୍ୟକ ଡାକ୍ତର ଆସିବେ କୋଉଠୁ? ଆମର ସବୁ ମେଡିକାଲ କଲେଜରୁ ବାହାରୁଥିବା ଡାକ୍ତରଙ୍କ ସଂଖ୍ୟା ୯୦୦ ରୁ ୧୦୦୦ ଭିତରେ ସୀମିତ । ତାଙ୍କ ଭିତରୁ ଅନେକ ଡାକ୍ତର ବାହାର ରାଜ୍ୟକୁ କିମ୍ବା ବିଦେଶକୁ ପଳାଉଛନ୍ତି। ରାଜ୍ୟ ସରକାରଙ୍କ ଚାକିରିରେ ଥିବା ତିନିଶହରୁ ଅଧିକ ଡାକ୍ତର ପ୍ରତିବର୍ଷ ଅବସର ନେଉଛନ୍ତି। ସେହି ସବୁ ହିସାବକୁ ନେଇ ଦେଖିଲେ ହାରାହାରି ୫୦୦ ନୂଆ ଡାକ୍ତର ଆମର ବ୍ୟବସ୍ଥା ଭିତରକୁ ଆସିପାରୁଛନ୍ତି। ଏହା ରାଜ୍ୟର ଆବଶ୍ୟକତା ପୂରଣ ଲାଗି ଯଥେଷ୍ଟ ନୁହେଁ।

ସରକାରୀ ଡାକ୍ତରକ୍ଷାନ ଗୁଡିକରେ କେବଳ ଡାକ୍ତର ସମସ୍ୟା ଯେ ରହିଛି, ତାହା ନୁହେଁ। ଅନେକ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ଡାକ୍ତରଖାନା ଲାଗି ଘର ଅଛି, ହେଲେ ଛାତରୁ ପାଣି ଗଳୁଛି। ଅନେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ରହିବା ଲାଗି ରହିବା ଯୋଗ୍ୟ ଘରନାହିଁ। ରାଜ୍ୟର ଅଧାରୁ ଅଧିକ ସ୍ୱାସ୍ଥ୍ୟ କେନ୍ଦ୍ର ଜଣେ ଡାକ୍ତର ଓ ଜଣେ ପିଅନରେ ଚାଲୁଛି। ବିଭିନ୍ନ ନୂଆ ଯନ୍ତ୍ରପାତି ଚଳାଇବାକୁ ଟେକନିସିଆନ ନାହାନ୍ତି କିମ୍ବା ପାରା ମେଡିକାଲ କର୍ମଚାରୀ ମଧ୍ୟ ନାହାନ୍ତି। ସେମାନଙ୍କ ଅଭାବ ପୂରଣ କରିବା ଲାଗି ରାଜ୍ୟ ସରକାରଙ୍କ ନୀତି କଣ? ଜିଲା ସ୍ତରୀୟ ଡାକ୍ତରଖାନା ଗୁଡିକରେ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ସର୍ବାଧିକ ସୁବିଧା ଜିଲା ସ୍ତରରେ ହିଁ ମିଳବା କଥା। ତେବେ ଜିଲା ଡାକ୍ତରଖାନା ଗୁଡିକ ସୁରକ୍ଷିତ ଅବସ୍ଥାରେ ଅଛନ୍ତି ତ! ନୂଆ ଖୋଲାଯାଉଥିବା ମେଡିକାଲ କଲେଜ ଗୁଡିକର ସ୍ଥିତି ମଧ୍ୟ ଅତ୍ୟନ୍ତ ସଙ୍ଗୀନ। ସେଠି ଆବଶ୍ୟକୀୟ ପ୍ରଫେସର ନାହାନ୍ତି କିମ୍ବା ଭିତ୍ତିଭୂମି ର ସୁବିଧା ମଧ୍ୟ ନାହିଁ। କୋରାପୁଟ, ବାରିପଦା ଓ ବଲାଙ୍ଗୀର ମେଡିକାଲ କଲେଜର ଅନେକ ସମସ୍ୟା ରହିଛି, ଯାହାକି ନୂଆ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି କୁ ନିହାତି ଆସିବା ଜରୁରୀ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜର ଅବସ୍ଥାକୁ ସୁଧାରିବା ତାଙ୍କ ଲାଗି ସବୁଠୁ ବଡ ଆହ୍ଵାନ। ବୁର୍ଲା ଓ ବ୍ରହ୍ମପୁରର ଦୁଇଟି ଯାକ ମେଡିକାଲ କଲେଜର ଅବସ୍ଥା ଓ ଭିତ୍ତିଭୂମି ଆଦୌ ଭଲ ନାହିଁ। ତେବେ ଏ ରିପୋର୍ଟ ଲେଖା ହେବା ବେଳକୁ ଗୋଟେ ଭଲ ଖବର ହେଉଛି, ବୁର୍ଲା, ବାରିପଦା ଓ କୋରାପୁଟ କଲେଜ ପାଇଁ ୧୦୦ ଟି ନୂଆ ଆସନ ବଢିଛି। ଏହା ଭବିଷ୍ୟତରେ ନୂଆ ଡାକ୍ତର ତିଆରି କ୍ଷେତ୍ରରେ ସହାୟକ ହେବ। ନୂଆ ଡାକ୍ତର ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସରକାରଙ୍କୁ ନିଜର ନୀତି ଓ ଦୃଷ୍ଟିକୋଣ ବଦଳାଇବାକୁ ପଡିବ। ଠିକା ଭିତ୍ତିକ ଡାକ୍ତର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଶେଷ ସହାୟକ ହେବେନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀ ଅବସରପ୍ରାପ୍ତ ଡାକ୍ତରଙ୍କ କାର୍ୟକାଳ ବଢାଇବାର ଯେଉଁ ପ୍ରସ୍ତାବ ରଖିଛନ୍ତି, ସେଥିରେ ଡାକ୍ତରଖାନାର ମୌଳିକ ସମସ୍ୟା ସୁଧୁରିବ ନାହିଁ। ଠିକାରେ କାମ କରୁଥିବା ଏହି ଡାକ୍ତରମାନେ ସର୍ଜରୀ କିମ୍ବା ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବାରେ ସହଯୋଗ କରିପାରିବେ ନାହିଁ। କେବଳ ଆଉଟ ଡୋର ସେବାରେ ଏମାନଙ୍କର ବିଶେଷ ଭୂମିକା ରହିବ।

ରାଜ୍ୟର ସ୍ଵାସ୍ଥ୍ୟନୀତି ପ୍ରଣୟନ ବେଳେ  ମନ୍ତ୍ରୀ ଓ ତାଙ୍କର ବିଭାଗ ବିଭିନ୍ନ ପେଷାଦାର ସଂଗଠନ ଓ ନାଗରିକ ସଂଗଠନଗୁଡିକର ପରାମର୍ଶ ନେବା ଜରୁରୀ। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ସମ୍ପର୍କରେ ନିଜର ଦୁଆର ଖୋଲା ରଖିବେ ବୋଲି ଆଶା କରାଯାଏ।

 

Categories
ବିଶେଷ ଖବର

ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥାକୁ ବିଜେଡ଼ିର ସମର୍ଥନ, ଭବିଷ୍ୟତ ଲାଗି ଏକ ମାରାତ୍ମକ ଭୁଲ

କେଦାର ମିଶ୍ର

ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ର ସମ୍ପର୍କ ଟେଲିଭିଜନ ପରଦାରେ ଯେତେ ତିକ୍ତ ଜଣାପଡୁଥାଏ, ବାସ୍ତବ କ୍ଷେତ୍ରରେ ଏ ଦୁଇ ଦଳର ସମ୍ପର୍କ ମାତ୍ରାଧିକ ମଧୁର। ୨୦୧୪ ରୁ ଆଜି ପର୍ଯ୍ୟନ୍ତ ସଂସଦ ଭିତରେ ବିଜେଡି ବିଜେପିକୁ ନିଜର ଆନ୍ତରିକ ସମର୍ଥନ ଦେଇ ଆସିଛି। ବିଜେପି ସରକାରର ଦୁଇଟି ପ୍ରମୁଖ ଜନବିରୋଧୀ ନୀତି- ବିମୁଦ୍ରାକରଣ ଓ ପରିବର୍ତ୍ତିତ ଭୂମି ଅଧିଗ୍ରହଣ ବିଲ ସପକ୍ଷରେ ବିଜେଡି ଠିଆ ହୋଇଛି। ତେବେ ୨୦୧୯ ନିର୍ବାଚନ ବିଜେଡି ମୁଖ୍ୟତଃ ବିଜେପି ବିରୋଧରେ ହିଁ ଜିତିଛି। ୨୦୧୭ ପଞ୍ଚାଯତ ନିର୍ବାଚନ ପରଠାରୁ ବିଜେପି ଓ ବିଜେଡି ଭିତରେ ସମ୍ପର୍କ ଅତି ତିକ୍ତ ଅବସ୍ଥାକୁ ଚାଲି ଆସିଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳକୁ ବିଜେଡି ର ଏକନମ୍ବର ଶତ୍ରୁ ଭାବରେ ବିଜେପି ଉଭା ହେଲା। ନିର୍ବାଚନ ସମୟରେ ବିଜେପି ସଭାପତି ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅତ୍ୟନ୍ତ ଆକ୍ରାମକ ଭାଷାର ବ୍ୟବହାର କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ବିଜେପି ବିରୋଧରେ ନିଜର ସ୍ପଷ୍ଟ ମତ ରଖିଥିଲେ। ତେବେ ନିର୍ବାଚନ ପରେ ପରେ, ନବୀନ ବାବୁଙ୍କ ପ୍ରତି ବିଜେପିର ପ୍ରେମ ଉଛୁଳିବା ଆରମ୍ଭ କରିଥିଲା ଓ ଏହାର ପ୍ରତି ଜବାବରେ ନବୀନ ବାବୁ ବିଜେପି ପ୍ରତି ନିଜର ଅକୁଣ୍ଠ ସମର୍ଥନ ଜାହିର କରୁଛନ୍ତି।

ବିଜେଡି ବିଜେପି ପ୍ରତି ନିଜର ସମର୍ଥନ ଦେବାବେଳେ ଏକଥା ଭଲ ଭାବରେ ଜାଣେ ଯେ, ଆଗାମୀ ଦିନରେ ବିଜେପି ଓଡିଶାରେ ନରମ ଆଭିମୁଖ୍ୟ ଗ୍ରହଣ କରିବ ନାହିଁ। କେବଳ ସାମୟିକ ଭାବରେ ଏ ପ୍ରେମ ଦିଆନିଆ ଚାଲିବ ଓ ଆବଶ୍ୟକତା ଅନୁଯାୟୀ ଉଭୟ ଦଳ ପରଷ୍ପରକୁ ସହଯୋଗ କରିବେ। ତେବେ ବିଜେପିର ଦୀର୍ଘସ୍ଥାୟୀ ଯୋଜନା ହେବ, ବିଜେଡ଼ିର ବିନାଶ। ଓଡିଶାରେ କ୍ଷମତା ଦଖଲ କରିବାକୁ ହେଲେ ବିଜେଡ଼ିକୁ  ଦୁର୍ବଳ କରିବା ବିଜେପିର ପ୍ରାଥମିକ ଲକ୍ଷ୍ୟ। ବିଜେପି ସେ ଲକ୍ଷ୍ୟରୁ ଅଲଗା ହେବନାହିଁ। ସେହି ପୃଷ୍ଟଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଏକ ଦେଶ- ଏକ ନିର୍ବାଚନ” ପ୍ରତି ବିଜେଡ଼ିର ସମର୍ଥନ କୁ ଆଲୋଚନା କରିବାକୁ ପଡିବ।

ଏକ ଦେଶ- ଏକ ନିର୍ବାଚନ ଆମ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ ଓ ଏହାକୁ ସମର୍ଥନ କଲାବେଳେ ବିଜେଡି ନିଜର ସଙ୍ଘୀୟ ଦାୟିତ୍ଵ ପ୍ରତି ସଚେତନ ଥିବା ପରି ଲାଗୁନାହିଁ। ଯେହେତୁ ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେଉଛି, ସେଥିଲାଗି ଏ ବ୍ୟବସ୍ଥା ପ୍ରତି ଆମର ସ୍ଵାଭାବିକ ସମର୍ଥନ ରହିଛି ବୋଲି ବିଜେଡି କହୁଛି। ହେଲେ ସଙ୍ଘୀୟ ବ୍ୟବସ୍ଥାରେ ବିଧାନସଭା ଭାଙ୍ଗିବାର ଅଧିକାର କେବଳ ବିଧାନସଭାର ରହିଛି। ପାଞ୍ଚ ବର୍ଷ ପୂରିବା ଆଗରୁ କୌଣସି ବିଧାନସଭାକୁ ଭାଙ୍ଗିବା ଲାଗି ସମ୍ବିଧାନ ସଂଶୋଧନ ପ୍ରସ୍ତାବ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ ଓ ମାନ୍ୟବର ସୁପ୍ରିମ କୋର୍ଟଙ୍କ ପ୍ରସିଦ୍ଧ କେଶବାନନ୍ଦ ଭାରତୀ ବନାମ ଭାରତ ସରକାର ରାୟ ଅନୁସାରେ ଏହା ଗ୍ରହଣୀୟ ନୁହେଁ। ପାଞ୍ଚ ବର୍ଷ ପୂର୍ବରୁ ଯଦି ସରକାର ଭାଙ୍ଗିଯାଏ ତାହେଲେ, ବାକି ଥିବା ସମୟ ଲାଗି ନିର୍ବାଚନ ମଧ୍ୟ ଏକ ପିଲାଳିଆ ବ୍ୟବସ୍ଥା।

ବିଜେଡି ମୁଖ୍ୟତଃ ଏକ ଆଞ୍ଚଳିକ ଦଳ ଓ ସଙ୍ଘୀୟ ବ୍ୟବସ୍ଥାର ସୁରକ୍ଷା ଲାଗି ଏହାର ଗୁରୁ ଦାୟିତ୍ଵ ରହିଛି। ସେହି ଦାୟିତ୍ଵ ପ୍ରତି ଆଖି ବୁଜି ଦେଇ ଏକ ସମ୍ବିଧାନ ଓ ଗଣତନ୍ତ୍ର ବିରୋଧୀ ବ୍ୟବସ୍ଥାକୁ ବିଜେଡ଼ିର ସମର୍ଥନ, ଏହି ଦଳର ମୌଳିକ ଆଦର୍ଶ ବିରୋଧରେ ଯାଉଛି। ନିର୍ବାଚନ ସମୟରେ ଅର୍ଥନୈତିକ ସ୍ଵାୟତ୍ତତାର ପ୍ରସଙ୍ଗ ଉଠାଉଥିବା ମୁଖ୍ୟମନ୍ତ୍ରୀ ଏବେ ବିଜେପିର କେନ୍ଦ୍ରୀୟ ବର୍ଚ୍ଚସ୍ଵବାଦକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବାକୁ ହେଲେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମର  ଆବଶ୍ୟକତା ରହିଛି। ସବୁ ରାଜନୈତିକ ଦଳ ଓ ସବୁ ବିଧାନସଭାର ସହମତି ଏଥିଲାଗି ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ପ୍ରମୁଖ ଜାତୀୟ ଦଳ ଗୁଡିକ ବିରୋଧ କରୁଥିବାବେଳେ କେବଳ ବିଜେଡି ଉପରେ ପଡି ଏହି ବ୍ୟବସ୍ଥାକୁ ସମର୍ଥନ କରୁଛି।

ଆଞ୍ଚଳିକ ଅସ୍ମିତା ଓ ଆଞ୍ଚଳିକ ଦଳମାନଙ୍କ ବିରୋଧରେ ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥା ଯେ ଏକ ସୁଚିନ୍ତିତ ଷଡଯନ୍ତ୍ର, ଏକଥା ବିଜେଡି ବୁଝୁନାହିଁ ନା ବୁଝି ମଧ୍ୟ ଅବୁଝା ହେବାର ନାଟକ କରୁଛି, ତାହା ସମୟକ୍ରମେ ସ୍ପଷ୍ଟ ହେବ। ଏହି ପ୍ରସଙ୍ଗରେ ବିଜେଡି ଯଦି ବିଜେପିର ଗୋଡାଣିଆଁ ହେବାର ପ୍ରବୃତ୍ତି ନ ଛାଡେ, ତାହେଲେ ଭବିଷ୍ୟତରେ ଏହା ବିଜେଡି ଭିତରେ ଅସ୍ତିତ୍ଵ ସଙ୍କଟ ସୃଷ୍ଟି କରିବ। ବିରୋଧ କରି ବିଜେଡ଼ିକୁ ଧ୍ଵଂସ କରିବାରେ ବିଜେପି ସମର୍ଥ ହୋଇନାହିଁ, ହେଲେ ସମର୍ଥନ ଦେବା ଆଳରେ ହେଉ ବା ସହଯୋଗୀ ସଙ୍ଘୀୟ ବ୍ୟବସ୍ଥା ନାଁରେ ବିଜେଡ଼ିକୁ ଖତମ କରିବାର ରଣନୀତି ବିଜେପିର ପ୍ରଚ୍ଛନ୍ନ ଭାବରେ ରହିଛି।

Categories
ବିଶେଷ ଖବର

ଲୋକସଭାର ପ୍ରଥମ ଅଧିବେଶନ-ଲୋକତନ୍ତ୍ରର ମନ୍ଦିରରେ ଜୟ ଶ୍ରୀରାମ,ଜୟ ମା କାଳୀ ଓ ଆଲ୍ଲା ହୁ ଆକବର

କେଦାର ମିଶ୍ର 

ଲୋକସଭା ରେ କୀର୍ତ୍ତନ ହୁଏନାହିଁ କି ନମାଜ ପାଠ ହୁଏନାହିଁ। ତଥାପି ଆମର ସାଂସଦମାନେ ଶପଥ ଗ୍ରହଣ କଲାବେଳେ “ଜୟ ଶ୍ରୀରାମ”, “ଜୟ ମା କାଳୀ”, “ଆଲ୍ଲା ହୁ ଆକବର” ଧ୍ବନୀ ଦେବାର ମାନେ କଣ? ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ଦେଶର ସମ୍ବିଧାନ ଅନୁସାରେ ସମସ୍ତଙ୍କ ପାଇଁ ନ୍ୟାୟ କରିବାକୁ ଶପଥ ନେଉଥିବା ମାନ୍ୟବର ଲୋକସଭା ସଦସ୍ୟମାନେ ପରଷ୍ପରର ଧର୍ମକୁ ନେଇ ଲୋକସଭାରେ ଯେଉଁ ପ୍ରକାର ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ବୋଧହୁଏ ଆମ ଲୋକତନ୍ତ୍ର ଲାଗି ସବୁଠୁ ଲଜ୍ଯାକର ଦୃଶ୍ୟ ହୋଇ ରହିବ। ଦ୍ଵିତୀୟ ଥର ଜିତିବା ପରେ ଭାରତୀୟ ଜନତା ପାର୍ଟି ଖୋଲାଖୋଲି ନିଜର ସାମ୍ପ୍ରଦାୟିକ ଚରିତ୍ରକୁ ଏଥର ସଂସଦ ଭିତରେ ଜାହିର କରୁଛି। ବିରୋଧୀ ଦଳର ସଦସ୍ୟ ଓ ସଂଖ୍ୟାଲଘୁ ବର୍ଗର ନିର୍ବାଚିତ ସଦସ୍ୟମାନଙ୍କୁ ଅତି ନିକୃଷ୍ଟ ଭାବରେ ଅପମାନିତ କରାଯାଉଛି।ବିରୋଧୀଙ୍କୁ ଚିଡାଇବା ଲାଗି “ଜୟ ଶ୍ରୀରାମ” ନାରା ଲଗାଯାଉଛି।  “ଜୟ ଶ୍ରୀରାମ” ଆଜି ଆଉ ଏକ ଧାର୍ମିକ ଧ୍ୱନି ହୋଇ ରହିନାହିଁ। ରାଜନୈତିକ ପ୍ରତିଯୋଗୀଙ୍କୁ ଅପମାନିତ କରିବାଲାଗି ବିଜେପି ସଦସ୍ୟମାନେ “ଜୟ ଶ୍ରୀରାମ” ଧ୍ବନିର ଦୁର୍ବ୍ୟବହାର କରୁଛନ୍ତି। ପ୍ରଥମତଃ ସମ୍ବିଧାନର ଶପଥ ନେଉଥିବା ଆମର ଲୋକପ୍ରତିନିଧି ମାନେ ନିଜର ଧାର୍ମିକ ପରିଚୟକୁ ସଂସଦ ଗୃହ ବାହାରେ ଛାଡି ଆସିବା କଥା। ସମ୍ବିଧାନ ଓ ଆଇନର ଶାସନରେ ଆପଣ ସାରା ଭାରତର ପ୍ରତିନିଧି। ଗଣତନ୍ତ୍ରର ଏଇ ସାଧାରଣ ଶିଷ୍ଟାଚାର ବୋଧହୁଏ ଶାସକ ଦଳଠାରୁ ଆଶା କରିବା ବୃଥା!

ଶପଥ ଗ୍ରହଣ ସମୟରେ ବିଜେପି ସଦସ୍ୟମାନେ ଉଦ୍ଦେଶ୍ୟମୂଳକ ଭାବରେ ବିରୋଧୀଙ୍କୁ ଅପମାନିତ କରୁଥିବାର ଦୃଶ୍ୟ, ଆମର ଗଣତନ୍ତ୍ର ଲାଗି ଏକ ଭୟଙ୍କର କଳାଦିନର ସଙ୍କେତ ଦେଉଛି। ପ୍ରଧାନମନ୍ତ୍ରୀ ସମ୍ବିଧାନ ଆଗରେ ମୁଣ୍ଡିଆ ମାରୁଥିବାବେଳେ ତାଙ୍କ ଦଳର ପ୍ରତିନିଧିମାନେ ସମ୍ବିଧାନ ଦ୍ଵାରା ପ୍ରତିଷ୍ଠିତ ଆମର ସଂସଦୀୟ ପରମ୍ପରାକୁ ପଦାଘାତ କରୁଛନ୍ତି। ସଂସଦର ଅନ୍ୟତମ ବରିଷ୍ଠ ସଦସ୍ୟା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଶପଥ ଗ୍ରହଣ କରିବା ସମୟରେ ଶାସକ ଦଳର ଆଚରଣ ଅତ୍ୟନ୍ତ ଲଜ୍ଜାଜନକ ରହିଥିଲା। ଲୋକସଭାର  ଶପଥ ଗ୍ରହଣ ଉତ୍ସବ ଏକ ସୌହାର୍ଦ୍ଦ୍ୟ ଓ ସଦ୍ଭାବନାମୂଳକ ପରିବେଶରେ ଯଦି ହୋଇ ପାରୁନାହିଁ, ତାହେଲେ ଆଗାମୀ ଦିନରେ ଲୋକସଭା କେମିତି ଚାଲିବ, ତାର ସ୍ପଷ୍ଟ ସଙ୍କେତ ଏଥିରୁ ମିଳିଯାଉଛି।

ଏହି ପୃଷ୍ଠଭୂମିରେ ଆଜି ଆମଲାଗି ସବୁଠୁ ଚିନ୍ତାର ବିଷୟ ହେଉଛି, ଧାର୍ମିକତାର ଆଧାରରେ ଆମେ ସତରେ ବିଭାଜିତ ହୋଇ ସାରିଛୁ କି? ଦେଶର ଶାସକ ଦଳ ନିଜକୁ ହିନ୍ଦୁ ମାନଙ୍କର ପ୍ରତିନିଧି ବୋଲି ଖୋଲାଖୋଲି ଘୋଷଣା କରିବା ଓ ବିରୋଧୀଙ୍କୁ ସଙ୍ଖ୍ୟାଲଘୁଙ୍କ ସମର୍ଥକ ବୋଲି କହିବାର ପ୍ରକ୍ରିୟାରୁ ଏକଥା ତ ସ୍ପଷ୍ଟ ହୋଇ ଯାଉଛି। ଲୋକସଭା ଭିତରେ ତୃଣମୂଳ ଓ ବିଜେପି ମଧ୍ୟରେ ଯେଉଁ ଯୁଦ୍ଧ ଦେଖିବାକୁ ମିଳିଥିଲା, ସେଥିରେ ହିନ୍ଦୁ ଧର୍ମ ଭିତରେ ମଧ୍ୟ ବିଭାଜନର ଏକ ଭୟଙ୍କର ଆଭାସ ମିଳୁଥିଲା। ବିଜେପିର “ଜୟ ଶ୍ରୀରାମ” ନାରା କୁ ଖର୍ବ କରିବାକୁ ତୃଣମୂଳ ସଦସ୍ୟମାନେ “ଜୟ ମା କାଳୀ” ନାରା ଦେଇଥିଲେ। ଇତିହାସରେ ଏକଦା ଶୈବ ଓ ବୈଷ୍ଣବମାନଙ୍କ ଭିତରେ ଯେଉଁ ରକ୍ତାକ୍ତ ସଂଘର୍ଷ ଘଟିଥିଲା, ତାହାର ପୁରାବୃତ୍ତିର ଏ ସୂଚନା ନୁହେଁ ତ!

ଆମେ ଯେଉଁମାନେ ୧୯୮୯ ମସିହାରୁ ଲୋକସଭା ବିତର୍କ ଓ ଲୋକସଭାର କାର୍ୟକ୍ରମ ଦେଖି ଆସୁଛୁ, ଆମ ଲାଗି ଏହି ଲୋକସଭାର ପ୍ରଥମ ଅଧିବେଶନ ସବୁଠୁ ବେଶୀ ଅପମାନଜନକ ଓ ଚିନ୍ତାଜନକ। ଧାର୍ମିକ ଉନ୍ମାଦର ଏତେ ବେଶୀ ଭୟଙ୍କର ପ୍ରଦର୍ଶନ କେବେ ବି କୌଣସି ଲୋକସଭାରେ ଦେଖିବାକୁ ମିଳିନଥିଲା। ଧାର୍ମିକ ପରିଚୟ ଆଧାରରେ ସଭ୍ୟମାନେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିବାରେ, ସାମାନ୍ୟତମ ଲଜା ଅନୁଭବ କରୁନାହାନ୍ତି। ଆମ ଲୋକ ପ୍ରତିନିଧିଙ୍କ ଆଚରଣରୁ ଯାହା ମନେହେଉଛି, ଆମେ ବୋଧହୁଏ ଏକ ଭୟଙ୍କର ସାଂସ୍କୃତିକ ବିଭାଜନ ଆଡକୁ ମୁହାଁଉଛୁ। ଭାରତୀୟ ନାଗରିକ ଓ ସମ୍ବିଧାନର ଅନୁରକ୍ତ ପ୍ରତିନିଧି ଅପେକ୍ଷା ନିଜ ନିଜର ଧାର୍ମିକ ପରିଚୟକୁ ନେଇ ସଭ୍ୟମାନେ ଅତ୍ୟନ୍ତ ନିକୃଷ୍ଟ ଆଚରଣ ପ୍ରଦର୍ଶନ କରୁଛନ୍ତି। ଶାସକ ଦଳର ପ୍ରରୋଚନାରେ ଏବେ ଲୋକସଭା ଧର୍ମସଭା ପରି ଲାଗୁଛି। ଏକବିଂଶ ଶତାବ୍ଦୀରେ ପୃଥିବୀର ସର୍ବ ବୃହତ ଗାଣତାନ୍ତ୍ରିକ ରାଷ୍ଟ୍ର ଧାର୍ମିକ ଉନ୍ମାଦନାର ରାଷ୍ଟ୍ର ପରି ଦୃଶ୍ୟମାନ ହେବା, ଗଭୀର କ୍ଷୋଭ ଓ ଚିନ୍ତାର ବିଷୟ।

Categories
ବିଶେଷ ଖବର ସଂସ୍କୃତି

ସ୍ନାନ ପୂର୍ଣ୍ଣମୀ ପରେ ଅଣସର, ଅନବସର ଓ ପଟି ଦିଅଁ ; କେତୋଟି ମରମ କଥା

କେଦାର ମିଶ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକ ଜୀବନର ମହାଦେବତା । ତାଂକର ପୂଜା ବିଧାନ ଓ ଉପଚାରରେ ଲୋକ ଜୀବନର ପ୍ରଭାବ ପ୍ରଛନ୍ନ ଭାବେ ଦେଖିବାକୁ ମିଳେ। ସ୍ନାନ ପୂର୍ଣିମା ପରେ ମହାପ୍ରଭୁଂକ ଶ୍ରୀଅଂଗ ରେ ବାଧା ହୁଏ।ଲୋକାଚାର ରେ ଏହି ସମୟରେ ମହାପ୍ରଭୁଙ୍କୁ ଜ୍ବର ହୁଏ।ଓଡିଶାର ଜନଜୀବନରେ ଏହା ଅଣସର ସମୟ। ଗ୍ରୀଷ୍ମ ପରେ ବର୍ଷା ଆସୁଥିବାରୁ ପ୍ରଚଣ୍ଡ ଗୁଳୁଗୁଳିର ସମୟ। ସ୍ନାନ ମଣ୍ଡପରୁ ମହାସ୍ନାନ ସାରି ହାତୀ ବେଶରେ ଦର୍ଶନ ଦେବା ପରେ ଚତୁର୍ଦ୍ଧା ମୂର୍ତ୍ତି ଆଉ ରତ୍ନ ସିଂହାସନକୁ ନ ଫେରି ଅଣସର ଘର କୁ ବିଜେ କରନ୍ତି । ଅଣସର ବିଧି ପ୍ରାୟ ଗୋପନ। ଶ୍ରୀମନ୍ଦିରର ମୂଳ ସେବକ ଦଇତା ଓ ପତି ସେବକ ମାନେ ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଂକ ଶ୍ରୀଅଂଗ ଫିଟା ଓ ନବ ଯୌବନ ଲାଗି କରାଇଥାନ୍ତି  ।ଅଣସର ସମୟରେ ଖାଲି ଥିବା ରତ୍ନ ସିଂହାସନରେ ପଟି ଦିଅ ଓ ଦଶାବତାର ଠାକୁର ପୂଜା ପାଆନ୍ତି।ମନ୍ଦିର ବେଢା ଭିତରେ ଚାଲିଥିବା ଏହି ରହସ୍ୟମୟ ନୀତି ସମ୍ପର୍କରେ ଶ୍ରୀମନ୍ଦିର ସ୍ବତ୍ବଲିପି ଯେଉଁ ବର୍ଣ୍ଣନା କରିଛି, ତହିଁରୁ କେତୋଟି ପ୍ରମୁଖ କଥା ଜାଣିବା ଆସନ୍ତୁ-

୧. ଜୈଷ୍ଠ ପୂର୍ଣିମା ରାତିରୁ ଆଷାଢ଼ ଅମାବାସ୍ୟା ରାତି ଯାଏ ଅଣସର ବିଧାନ ଚାଲେ। ସ୍ନାନ ମଣ୍ଡପରୁ ଠାକୁରମାନେ ଅଣସର ଘରକୁ ଆସିଲା ପରେ  ଶ୍ରୀଜଗନ୍ନାଥଂକ ହୀରା ଚିତା, ଶ୍ରୀବଳଭଦ୍ରଂକ ନୀଳା ଚିତା ଓ ମା ସୁଭଦ୍ରାଂକ ମାଣିକ୍ୟ ଚିତାକୁ ଓହ୍ଲାଇ ଦିଆଯାଏ। କୋଠ ସୁଆଁସିଆ ମାନେ ଗୋଟେ ଦୁଆର ଅଳ୍ପ ଖୋଲା ରଖି ଅଣସର ପିଢ ଚାରିପଟେ ବାଉଁଶ ତାଟି ବେଢେଇ ଦିଅନ୍ତି । ସେଠି ପତି ଓ ଦଇତା ସେବକ ମାନେ ପନ୍ଦରଦିନ ବ୍ୟାପୀ ଅଣସର ଉପଚାର କରନ୍ତି ।

୨. ଏପଟେ ଖାଲି ଥିବା ରତ୍ନ ସିଂହାସନକୁ  ଚିତ୍ରକର ସେବାୟତଂକ ଘରୁ ପଟି ରେ ଅଂକା ଚିତ୍ରପଟ ଠାକୁରଂକୁ ବିଜେ କରାଯାଏ  ।ବଳଭଦ୍ରଂକ ପୀଠରେ ବାସୁଦେବ, ସୁଭଦ୍ରାଂକ ପୀଠରେ ଭୁବନେଶ୍ବରୀ ଓ ଜଗନ୍ନାଥଙ୍କ ପୀଠରେ ନାରାୟଣ ଚିତ୍ରପଟ ରୂପେ ବିରାଜମାନ ହୁଅନ୍ତି। ତାଂକ ସହ ରତ୍ନ ସିଂହାସନରେ ଦଶାବତାର ଠାକୁର ରୂପେ ଦୋଳଗୋବିନ୍ଦ, ରାମ, ନୃସିଂହ, ଲକ୍ଷ୍ମୀ,ସରସ୍ବତୀ, କୃଷ୍ଣ ଓ ମଦନ ମୋହନ ପୂଜିତ ହୁଅନ୍ତି ।

୩. ଅଣସର ଘରକୁ ଦଇତା ଓ ପତି ସେବକଂକ ବ୍ୟତୀତ ଅନ୍ୟ କେହି ପ୍ରବେଶ କରି ପାରିବେ ନାହିଁ । ଏହି ସମୟରେ ପଣା ଓ ଚକଟା ଭୋଗ କରାଯାଏ  । କେବଳ ଧଳା ଫୁଲ ଛଡା ଅନ୍ୟକିଛି ଲାଗି କରାଯାଏ ନାହିଁ । ଚକଟା ଭୋଗରେ ଧୁଆ ମୁଗ ଓ ପଣସ ଲାଗି ହୁଏ ।

୪. ଆଷାଢ କୃଷ୍ଣ ପଂଚମୀ ତିଥିରେ ଫୁଲରୀ ଲାଗି ହୁଏ । ୧୫ ସେର ରାଶି ତେଲରେ ଚୁଆ, କର୍ପୁର ଗୋଳେଇ ଔଷଧି ରୂପେ ଫୁଲରୀ ଲାଗି ହୁଏ। ଓଡିଆ ମଠ ଓ ମନ୍ଦିର ପ୍ରଶାସନ ତେଲ ଯୋଗାଉଥିବା ବେଳେ ଭଣ୍ଡାର ମେକାପ ଚୁଆ କର୍ପୂର ଇତ୍ୟାଦି ଦିଅନ୍ତି।

୫. ଦଶମୀ  ତିଥିରେ ଅଣସର ଚକା ଉପରେ ଠାକୁର ମାନେ ବିଜେ କରନ୍ତି। ତିନୋଟି କାଠ ଚକା ଦଇତା ମାନେ ଅଣସର ପୀଠ କୁ ଆଣି ତା ଉପରେ ମୂର୍ତ୍ତି ମାନଂକୁ ବସାଯାଏ  । ଏହା ଚକା ଦଶମୀ ବା ଅଣସର ଚକା ବିଜେ ନାମରେ ବିଖ୍ୟାତ ।

୬. ଏକାଦଶୀ ଦିନ ୧୫ ସେର ଚନ୍ଦନ କାଠ ଘୋରା ହୋଇ ଘଟୁଆରୀମାନେ ପ୍ରସ୍ତୁତ କରନ୍ତି ।ଏହି ଚନ୍ଦନ କାଠ ରାଘବଦାସ ମଠ ଓ ମନ୍ଦିର ପ୍ରଶାସନ ଯୋଗାନ୍ତି ।ଚାରି ଦିନ ଧରି ଘଟୁଆରୀ ମାନେ ଚନ୍ଦନ ଘୋରୀ ରଖିଥାନ୍ତି। ଏକାଦଶୀ ଦିନ ଏହା ମନ୍ଦିରକୁ ଆସେ। ଚନ୍ଦନରେ କର୍ପୂର ଓ କେଶର ବଟା ହୋଇ ଗୋଳା ଯାଏ । ଶ୍ରୀଅଂଗରେ ଏହି ଚନ୍ଦନ ଲାଗି ପରେ ରାଘବଦାସ ମଠ ଖଇ,କୋରା,କଦଳୀ,ପଣସ ଓ ଆମ୍ବ ଭୋଗ ଲାଗି କରାନ୍ତି ।

୭. ଅଣସର ଦ୍ବାଦଶୀ ରେ ରାଜଭୋଗ ହୁଏ। ଗଜପତିଂକ କୁଟୁମ୍ବରେ ଯେତିକି ଲୋକ ସେତିକିଟି ରୂପା ଥାଳି ମନ୍ଦିରକୁ ଆସେ।ସେଥିରେ ମହାପ୍ରଭୁଂକ ଚନ୍ଦନ ଓ ପାଟ ଡୋର ନେଇ ଦଇତା ସେବକ ମାନେ ଗଜପତିଂକ ପ୍ରାସାଦକୁ ଯାନ୍ତି। ଏହାକୁ ରାଜଭୋଗ ଦ୍ବାଦଶୀ କୁହାଯାଏ।

୮. ଅଣସର ତ୍ରୟୋଦଶୀ  ଦିନ ଖଡୀ ଓ ଖଳି ଲାଗି ହୁଏ। ବର୍ଷେ ବ୍ୟବଧାନରେ ଏହା ଜଗନ୍ନାଥ ଓ ବଳଭଦ୍ର ଲାଗି ହୁଅନ୍ତି। ତେବେ ଦେବୀ ସୁଭଦ୍ରାଂକ ଅଂଗରେ ଏହା ପ୍ରତି ବର୍ଷ ଲାଗି ହୁଏ ।ଏହାକୁ ଶ୍ରୀ ପୟର ପୂଜା  ବୋଲି ମଧ୍ୟ କୁହନ୍ତି।ଦୁଇ ମହଣ ଗହମ ଚୁରା ହୋଇ ଖଳି ପ୍ରସାଦ ତିଆରି ହୁଏ ।

୯. ଆଷାଢ ଚତୁର୍ଦ୍ଦଶୀ ରାତ୍ରରେ ଚତୁର୍ଦ୍ଧା ମୂର୍ତ୍ତି ନବ ଯୌବନ ବେଶ ଧାରଣ କରି ନେତ୍ରୋତ୍ସବ ଲାଗି ବିଜେ ହୁଅନ୍ତି  । ଗତ ପନ୍ଦର ଦିନ ଧରି ରତ୍ନ ସିଂହାସନରେ ପୂଜା ପାଉଥିବା ପଟି ଦିଅ ଓ ଦଶାବତାର ଠାକୁର ମାନେ ନିଜ ନିଜ ସ୍ଥାନ କୁ ବାହୁଡି ଆସନ୍ତି। ରଥଯାତ୍ରା ପୂର୍ବ ରୁ ଅଣସର ପରେ ଏହାକୁ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ବୋଲି କୁହାଯାଏ ।

୧୦. ପ୍ରତିବର୍ଷ ଅଣସର ୧୫ ଦିନ ଲାଗି ହେଉଥିବା ବେଳେ ନବ କଳେବର ବିଧାନ ସମୟରେ ଏହା ୪୫ ଦିନ ବ୍ୟାପୀ ହୋଇଥାଏ । ଏହି ଅବସରରେ ନୁଆ ଦାରୁବିଗ୍ରହ ଅଣସର ଘରେ ନିର୍ମିତ ହୁଅନ୍ତି ଓ ପୁରୁଣା ବିଗ୍ରହ୍ଂକୁ ପାତାଳୀ କରାଯାଏ । ଏହା ପ୍ରତି ୧୪ ବା ୧୯ ବର୍ଷରେ ଥରେ ଅନୁଷ୍ଠିତ ହୁଏ।

Categories
ବିଶେଷ ଖବର

ସଂଗଠନ ବା ସରକାର ନୁହେଁ, ବରଂ ବିଜେଡି ପାଇଁ ସବୁଠୁ ବଡ ସମସ୍ୟା ହେଉଛନ୍ତି ବିଜେଡ଼ିର ନେତା

କେଦାର ମିଶ୍ର

ନବୀନ ପଟ୍ଟନାୟକ ସରକାର ପାଞ୍ଚଥର ଲୋକଙ୍କ ଦ୍ଵାରା  ନିର୍ବାଚିତ ହେବା ପଛରେ ଗୋଟେ ବଡ କାରଣ ହେଉଛି, ଗତ ୨୦ ବର୍ଷ ଭିତରେ ସରକାର ବିରୋଧରେ ବଡ ଦୁର୍ନୀତି ବା ଭ୍ରଷ୍ଟାଚାରର ଅଭିଯୋଗ ଆସିନାହିଁ। ତେବେ ଏହାର ଅର୍ଥ କଣ ଓଡିଶାରେ ଏକ ଦୁର୍ନୀତିମୁକ୍ତ ସରକାର ଚାଲିଛି? ଏ ପ୍ରମାଣପତ୍ର ଦେବା ମଧ୍ୟ ସହଜ ନୁହେଁ। ଗତ ୨୦ ବର୍ଷ ଭିତରେ ବିଭିନ୍ନ ପର୍ଯ୍ୟାୟରେ ସରକାରରେ ଥିବା ଲୋକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ଖୋଦ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଦୁର୍ନୀତି ଅଭିଯୋଗରେ ନିଜର ମନ୍ତ୍ରୀମାନଙ୍କୁ ବିଦା କରିଛନ୍ତି। ତେବେ ସରକାରରେ ଥିବା ଲୋକ ଦୁର୍ନୀତି କରିବା ଓ ସରକାର ଦୁର୍ନୀତିଗ୍ରସ୍ତ ହେବା ଦୁଇଟି ଅଲଗା ଜିନିଷ ବୋଲି ଲୋକେ ବିଶ୍ଵାସ କରିଛନ୍ତି। କୌଣସି ଭ୍ରଷ୍ଟାଚାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆଙ୍ଗୁଠି ଉଠି ପାରିନାହିଁ। ଚିଟ ଫଣ୍ଡ ଓ ଖଣି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟକୁ ଯୋଡିବାର ପ୍ରୟାସ ଯଦିଓ ହୋଇଛି, ସେଥିରେ କୌଣସି ତଦନ୍ତକାରୀ ସଂସ୍ଥା ସଫଳ ହୋଇନାହାନ୍ତି। ବିରୋଧୀ ଦଳ ମଧ୍ୟ ନବୀନଙ୍କୁ ଭ୍ରଷ୍ଟାଚାରୀ ବୋଲି କହିବାର ସାହସ ଏଯାଏ ଦେଖାଇ ପାରିନାହାନ୍ତି। ଯାହା ଫଳରେ ନବୀନ ନିରନ୍ତର ନିଜର ନିର୍ମଳ ଭାବମୂର୍ତ୍ତି ବଜାୟ ରଖିଛନ୍ତି।

ନବୀନ ସରକାରରେ ଅତି କମରେ ଦୁଇ ଡଜନ ମନ୍ତ୍ରୀ ଥିଲେ ବା ଅଛନ୍ତି, ଯେଉଁ ମାନଙ୍କ ନାଁରେ ଭ୍ରଷ୍ଟାଚାରର ଆରୋପ ଆସିଛି। ଯେଉଁଠି ଆରୋପ, ଅଭିଯୋଗ ବା ସନ୍ଦେହ ଆସିଛି, ସେଠି ଅଭିଯୁକ୍ତଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବିଦା କରା ଯାଇଛି। ନବୀନଙ୍କ ନେତୃତ୍ଵରେ  ବିଜୁ ଜନତା ଦଳର ସରକାର ସବୁବେଳେ ଦୁର୍ନୀତି ଆରୋପକୁ ବ୍ୟକ୍ତିଗତ ବୋଲି ପ୍ରମାଣିତ କରିବାରେ ସଫଳ ହୋଇଛି। ଡାଲି ଦୁର୍ନୀତିରେ ପ୍ରମିଳା ମଲ୍ଲିକଙ୍କ ଠୁ ଆରମ୍ଭ କରି ବେବିନା ମାମଲାରେ ପ୍ରଦୀପ ମହାରଥିଙ୍କ ଦାୟିତ୍ଵହୀନ ମନ୍ତବ୍ୟ ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ନିଜର ଭୁଲ ଲାଗି ନେତାମାନଙ୍କୁ ବ୍ୟକ୍ତିଗତ ସ୍ତରରେ ନିନ୍ଦିତ ବା ଦଣ୍ଡିତ କରାଯାଇଛି। ସରକାର ଉପରେ ସେଥିପାଇଁ କୌଣସି କଳଙ୍କ ଏ ଯାଏଁ ଲାଗି ପାରିନାହିଁ।

ଚିଟ ଫଣ୍ଡ ମାମଲାରେ ବିଜେଡ଼ିର ଏକ ବଡ ନେତୃ ମଣ୍ଡଳୀ ସମ୍ପୃକ୍ତ ଥିବା ଯୋଗୁଁ ବିଭିନ୍ନ ସମୟରେ ବିଜେଡ଼ିର କିଛି ସାଂସଦ ଓ ବିଧାୟକ ଗିରଫ ହୋଇଥିଲେ ଓ ଆଉ କିଛିଙ୍କୁ  ସିବିଆଇ ଜେରା କରିଥିଲା। ଏହା ବୋଧହୁଏ ନବୀନ ବାବୁଙ୍କ ଲାଗି ସବୁଠୁ ବଡ ଆହ୍ଵାନ ଥିଲା। ଏପରିକି ନବୀନ ନିବାସର ଜଣେ କର୍ମଚାରୀଙ୍କୁ ଏଥିପାଇଁ ଜେରା କରାଯାଇଥିଲା। ତେବେ ଏହି ଆହ୍ଵାନକୁ ବିଜେଡି ସଫଳତାର ସହ ମୁକାବିଲା କରିଥିବା ବେଳେ ବିରୋଧୀ ଏହି ପ୍ରସଙ୍ଗରେ ସରକାରକୁ ୨୦୧୪ ଓ ୨୦୧୯ ନିର୍ବାଚନରେ ଘେରିବାରେ ବିଫଳ ହୋଇଛନ୍ତି। ଗତ ୨୦ ବର୍ଷ ଭିତରେ ଅନେକ କଥା ଘଟିଛି, ଯେଉଁଥିରେ ନବୀନ ସରକାରକୁ ଜନତାଙ୍କ କାଠଗଡାକୁ ଟଣା ଯାଇପାରିଥାନ୍ତା। ରାଇଘର ଓ କଳିଙ୍ଗ ନଗର ପୋଲିସ ଗୁଳିକାଣ୍ଡ, କନ୍ଧମାଳ ଓ ଭଦ୍ରଖ ଦଙ୍ଗା, ଡାଲି ଯୋଗାଣ ଦୁର୍ନୀତି, ଚିଟ ଫଣ୍ଡ କେଳେଙ୍କାରି, କଟକ ଓ ଭୁବନେଶ୍ବରରେ ଜମି ତଥା ଗୃହ ଆବଣ୍ଟନ ଦୁର୍ନୀତି, ଖଣି ଦୁର୍ନୀତି, ରାୟଗଡାରେ ଇତିଶ୍ରୀ ହତ୍ୟା ମାମଲାରେ ତତ୍କାଳୀନ ବିଜେଡି ସାଂସଦ ଜୟରାମ ପାଙ୍ଗିଙ୍କ ସମ୍ପୃକ୍ତି, ବେବିନା ହତ୍ୟା ମାମଲାରେ ମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ନାଁ ଆସିବା ଇତ୍ୟାଦି ବହୁ ଘଟଣାକୁ ବିରୋଧୀ ବଡ ରାଜନୈତିକ ପ୍ରସଙ୍ଗ ଭାବରେ ଲୋକଙ୍କ ପାଖକୁ ନେଇ ପାରିନାହାନ୍ତି।

ପାଞ୍ଚଥର ଲୋକଙ୍କ ଦ୍ଵାରା ନିର୍ବାଚିତ ହେବା ପରେ ନବୀନ ସରକାରର ଆତ୍ମବିଶ୍ଵାସ ଯଥେଷ୍ଟ ବଢିଛି। ଆଜି ସରକାର ବା ବିଜେଡି ସଙ୍ଗଠନ କୁ ଲୋକେ ବିଶ୍ବାସକୁ ନେଉଛନ୍ତି। ହେଲେ ଆଜି ମଧ୍ୟ ବିଜେଡ଼ିର ନେତାମାନେ ବିଜେଡି ଲାଗି ସବୁଠୁ ବଡ ଅଡୁଆ ସୃଷ୍ଟି କରୁଛନ୍ତି। ସରକାର ଗଠନର ପ୍ରଥମ ପନ୍ଦର ଦିନ ଭିତରେ ପାଟଣାଗଡ ବିଧାୟକ ସରୋଜ ମେହେର ଓ କେନ୍ଦ୍ରାପଡା ଲୋକସଭା ସଦସ୍ୟ ଅନୁଭବ ମହାନ୍ତିଙ୍କ ପାଇଁ ବିଜେଡି ଗଣମାଧ୍ୟମରେ ବିତର୍କ ଭିତରକୁ ଟାଣି ହୋଇ ଆସିଛି। ଲୋକ ପ୍ରତିନିଧିମାନଙ୍କ ସାଧାରଣ ଜୀବନରେ ଆଚରଣକୁ ନେଇ ପ୍ରଶ୍ନ ଯେମିତି ନ ଉଠେ ସେଥିପ୍ରତି ବିଜେଡି ସତର୍କ ନ ରହିଲେ, ଆଗକୁ ଏହା ବିଜେଡ଼ିର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇବ। ଯଦିଓ ଅନୁଭବ ମହାନ୍ତିଙ୍କ ବ୍ୟକ୍ତିଗତ ବ୍ୟବହାର ଅତ୍ୟନ୍ତ ମାର୍ଜିତ, ତଥାପି ତାଙ୍କ ଭାଇମାନଙ୍କ ନାଁ ରେ କିଛି କିଛି ସ୍ଥାନୀୟ ଅଭିଯୋଗ ରହିଛି। ସରୋଜ ମେହେରଙ୍କ କ୍ଷେତ୍ରରେ ମଧ୍ୟ ବିଜେଡ଼ିକୁ କିଛିଟା କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ। ବଲାଙ୍ଗୀର ଜିଲାରେ ଏହାକୁ ନେଇ ଆଦିବାସୀଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି।

ଏକ ବେଦାଗ ସରକାର ଗଢିବା ହୁଏତ ସହଜ, ହେଲେ ଦଳ ଭିତରେ ଥିବା ବିଭିନ୍ନ ପରସ୍ପର ବିରୋଧୀ ତତ୍ତ୍ଵଙ୍କୁ ନିୟନ୍ତ୍ରଣ କରିବା ବଡ କଠିନ ବ୍ୟାପାର। ରାଜନୈତିକ ଦଳ ଭାବରେ ବିଜେଡି ଏ ପ୍ରକାର “ନୁଇସେନ୍ସ” ମାନଙ୍କୁ କେମିତି ପରିଚାଳିତ କରୁଛି, ତାରି ଉପରେ ଦଳ ଓ ଦଳ ମୁଖିଆଙ୍କ ଭାବମୂର୍ତ୍ତି ନିର୍ଭର କରିବ।

Categories
ବିଶେଷ ଖବର ମତାମତ

ସାରା ଦେଶରେ ମମତା ବାନାର୍ଜୀଙ୍କ ବିରୋଧରେ ଘୃଣା ଏବଂ ବିରୋଧର ସ୍ଵର ସୃଷ୍ଟି କରୁଛି କିଏ ଓ କାହିଁକି?

କେଦାର ମିଶ୍ର

ହଠାତ ସାରାଦେଶକୁ ଜଣେ ଖଳନାୟିକା ମିଳିଯାଇଛନ୍ତି। ସାହିତ୍ୟରେ ଗୋଟେ ଅଘୋଷିତ ନିୟମ ରହିଛି। ଯଦି ଆପଣ ଜଣେ ମହାନାୟକକୁ ତିଆରି କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଜଣେ ଖଳ ନାୟକ ତିଆରି କରିବାକୁ ପଡିବ। ଯେମିତି ରାମଙ୍କ ପାଇଁ ରାବଣ, କୃଷ୍ଣଙ୍କ ପାଇଁ କଂସ ବା ପ୍ରହଲ୍ଲାଦ ପାଇଁ ହିରଣ୍ୟ କଶିପୁ। ନାୟକ ନିର୍ମାଣର ରାଜନୈତିକ ପରମ୍ପରାରେ ଯିଏ ମହାନାୟକ ବା ସୁପର ହିରୋ ହେବ, ତାର ଭକ୍ତମାନେ ତାର ପ୍ରତିପକ୍ଷକୁ ଖଳନାୟକ ଭାବରେ ବେଶୀ ବେଶୀ ଉପସ୍ଥାପନ କରିବେ। ୨୦୧୪ ନିର୍ବାଚନ ପୂର୍ବରୁ ଭାରତର ରାଜନୀତିରେ ନରେନ୍ଦ୍ର ମୋଦୀଙ୍କୁ ସୁପର ହିରୋ କରିବାକୁ ଯାଇ ବିଭିନ୍ନ ସମୟରେ ତାଙ୍କର ବିରୋଧୀଙ୍କୁ ଖଳନାୟକ ଭାବରେ ଯୋଜନାବଦ୍ଧ ଭାବରେ ନୀଚା ଦେଖାଇବାର ଉଦ୍ୟମ ହୋଇଛି। ଏହି ଉଦ୍ୟମରେ ଭାରତର ତଥାକଥିତ ମୁଖ୍ୟଧାରାର ଗଣମାଧ୍ୟମ ସରକାରୀ ଦଳର ବଚସ୍କର ହୋଇ କାମ କରିଛନ୍ତି। ପ୍ରଥମେ ଗାନ୍ଧୀ ପରିବାର, ତା ପରେ ଅରବିନ୍ଦ କେଜ୍ରିୱାଲ, ଲାଲୁ ଯାଦବ, ମାୟାବତୀ, ଅଖିଲେଶ ଯାଦବ ଇତ୍ୟାଦି ସେଇ ତାଲିକାରେ ଆସିଛନ୍ତି। ମଝିରେ ନୀତିଶ କୁମାର ମୋଦୀ ବିରୋଧୀ ବଡ ଖଳନାୟକ ଥିଲେ। ସେ ଗୋଷ୍ଠୀ ବଦଳାଇ ମୋଦୀ ସମର୍ଥକ ହେବା ପରେ ଏବେ ହଠାତ ଧର୍ମରାଜ ଯୁଧିଷ୍ଠିର ପାଲଟି ଯାଇଛନ୍ତି। ନିର୍ବାଚନ ସମୟରେ ମୋଦୀ ଭକ୍ତଙ୍କ ଲାଗି ନବୀନ ପଟ୍ଟନାୟକ ମଧ୍ୟ କିଛି କମ ଖଳନାୟକ ନଥିଲେ,  ଏବେ ସେ ଟିକେ ଟିକେ ନାୟକ ମନେ ହେଲେଣି।

ଏଇ ସବୁ ଖଳନାୟକ ପରିବର୍ତ୍ତନ ଭିତରେ ହଠାତ ସାରା ଦେଶର ଘୃଣା, ବିତୃଷ୍ଣା ଓ ଗାଳି ର କେନ୍ଦ୍ରରେ ରହିଛନ୍ତି ପଶ୍ଚିମ ବଂଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ପ୍ରତିଦିନ ଜାତୀୟ ଗଣମାଧ୍ୟମରେ ମମତା ବାନାର୍ଜୀଙ୍କ ବିରୋଧରେ ମାଳ ମାଳ ଲେଖା ଓ ଦୃଶ୍ୟ। କୋଲକାତାର ଏକ ଡାକ୍ତରଖାନାରେ ଘଟିଥିବା ମାଡପିଟ ଘଟଣାକୁ ନେଇ ସାରା ଦେଶର ଡାକ୍ତର ଏବେ ମମତା ବାନାର୍ଜୀଙ୍କୁ ଗାଳି କରୁଛନ୍ତି। ଏହା ପୂର୍ବରୁ କେଉଁ ରାଜ୍ୟରେ ଘଟିଥିବା ଏମିତି ଘଟଣାର ପ୍ରତିବାଦ ଜାତୀୟ ସ୍ତରରେ ଘଟିଥିଲା କି? ମମତାଙ୍କୁ ବଦରାଗୀ, ବାଦାମିଜାଜି, ହିଂସ୍ର ଓ ପ୍ରତିଶୋଧ ପରାୟଣ ବୋଲି କୁହା ଯାଉଛି। ଅବଶ୍ୟ ସେଥିଲାଗି ମମତା ନିଜେ ମଧ୍ୟ କିଛିଟା ଦାୟୀ। ମମତା ଯେଉଁ ରାଜନୈତିକ ପୃଷ୍ଠଭୂମିରୁ ଆସିଛନ୍ତି,ସେଥିରେ କୋଳାହଳ ଓ ହୋ ହଲ୍ଲା ର ଭୂମିକା ବେଶୀ। ବାମପନ୍ଥୀ ସରକାରକୁ ହଟାଇବା ଲାଗି ମମତା ଗୋଟେ ସମୟରେ ଉଗ୍ର ଭାବପ୍ରବଣତାର ରାଜନୀତି ଆରମ୍ଭ କରିଥିଲେ। ସେଇ ଉଗ୍ର ରାଜନୀତି ରେ ହିଂସା ଓ ଗୁଣ୍ଡାମି ସ୍ଵାଭାବିକ ଭାବରେ ଅନୁପ୍ରବେଶ କରିଛି।

ପଶ୍ଚିମ ବଙ୍ଗ ରାଜନୀତିରେ ବାମପନ୍ଥୀଙ୍କର ମୂଳପୋଛ ହେବାର ସ୍ଥିତି ଆଜି ଆସିଛି ଓ ତାହାର ସିଧା ଲାଭ ଉଠାଉଛି ବିଜେପି। ଏବେ ପଶ୍ଚିମବଙ୍ଗରେ ବିଜେପି ଉଗ୍ର ଭାବ ପ୍ରବଣତା ଓ ଗୁଜବ ରଟନାର ଭୟଙ୍କର ଜାଲ ବିଛାଇଛି। ସବୁ ତୃଣମୂଳ ବିରୋଧୀ ଭୋଟକୁ ଏକାଠି କରିବାକୁ ଯାଇ ଏବେ ମମତାଙ୍କ ବିରୋଧରେ ତୀବ୍ର ଘୃଣା ଓ ବିଦ୍ଵେଷର ବାତାବରଣ ତିଆରି କରାଯାଉଛି। ଅତ୍ୟନ୍ତ ଚତୁରତାର ସହିତ ମମତା ବାନାର୍ଜୀଙ୍କ ବ୍ୟକ୍ତିତ୍ବକୁ ଖର୍ବ କରାଯାଉଛି। ତାଙ୍କୁ ହିନ୍ଦୁ ବିରୋଧୀ, ପାକିସ୍ତାନ ସମର୍ଥକ, ଧର୍ମଦ୍ରୋହୀ, ଦେଶଦ୍ରୋହୀ ଭଳି ବିଭିନ୍ନ ବିଶେଷଣରେ ସମ୍ବୋଧିତ କରାଯାଉଛି। ଉତ୍ତର ପ୍ରଦେଶରେ ଯେଉଁ ପ୍ରକାର ଜଙ୍ଗଲ ରାଜ ଚାଲିଛି, ସେ ବିଷୟରେ ଜାତୀୟ ଗଣମାଧ୍ୟମରେ କୌଣସି ଚର୍ଚ୍ଚା ନାହିଁ, ଅଥଚ ପଶ୍ଚିମ ବଂଗର ଛୋଟ ରୁ ଛୋଟ ଘଟନା ମଧ୍ୟ ଏବେ ଜାତୀୟ ପ୍ରସଙ୍ଗ ପାଲଟି ଯାଉଛି। କୋଲକାତା ସହରର କେହି ୱାର୍ଡ ମେମ୍ବର ବିଜେପିରେ ଯୋଗ ଦେଲେ ତାକୁ ଜାତୀୟ ଖବର ବୋଲି କୁହାଯାଉଛି। ସବୁ ରାଜନୈତିକ ହିଂସାକାଣ୍ଡକୁ ବଢେଇ ଚଢେଇ ଏମିତି କୁହାଯାଉଛି, ସତେକି ପଶ୍ଚିମବଙ୍ଗରେ ଏବେ ଜମିଦାରୀ ଶାସନ ଚାଲିଛି!!

ଏସବୁ ପ୍ରଚାରସର୍ବସ୍ଵ ରାଜନୀତିର ଏକମାତ୍ର ଲକ୍ଷ୍ୟ ହେଲା ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସେଠାରେ ବିଜେପି ଶାସନର ପ୍ରତିଷ୍ଠା। ଲୋକସଭା ନିର୍ବାଚନରେ ବିଜେପି ଯେଉଁ ସଫଳତା ପାଇଛି, ତାକୁ ୨୦୨୧ ଯାଏଁ ପ୍ରଲମ୍ବିତ କରି ରଖିବାକୁ ହେଲେ ମମତାଙ୍କ ଉପରେ ରାଜନୈତିକ ଚାପ ବଜାୟ ରଖିବାକୁ ପଡିବ। ମମତାଙ୍କ ସ୍ଵଭାବରେ ଯେହେତୁ ପ୍ରତିକ୍ରିୟାଶୀଳତା ରହିଛି, ତାଙ୍କୁ ଉତ୍ତେଜିତ ବା ଭାବ ପ୍ରବନା କରାଇବା ସହଜ। ତୃଣମୂଳ ଭିତରେ ଯେଉଁ ହିଂସ୍ର ଶକ୍ତି ରହିଛନ୍ତି, ତାଙ୍କ ଉପରେ ମମତାଙ୍କର ନିୟନ୍ତ୍ରଣ ମଧ୍ୟ କମି ଆସୁଛି। ତେଣୁ ଆସନ୍ତା ବର୍ଷେ ଭିତରେ ମମତାଙ୍କ ଉପରେ ବିଜେପି ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରିବ।  ଏହାର ମୁକାବିଲା କରିବାକୁ ମମତା ଯଦି ମୁହାଁମୁହିଁ ହୁଅନ୍ତି, ତାହେଲେ ବିଜେପି ତାଙ୍କୁ ବାରମ୍ବାର ଅଡୁଆରେ ପକାଇବ। ବିଜେପିର ରଣନୀତିକୁ ସାମ୍ନା କରିବାକୁ ଥଣ୍ଡା ମୁଣ୍ଡ ଓ ଚତୁର ରଣନୀତିର ଆବଶ୍ୟକତା ରହିଛି।

Categories
ବିଶେଷ ଖବର ମତାମତ

ଚିଟଫଣ୍ଡ କେଳେଙ୍କାରିରେ ସାଧାରଣ ନିର୍ବାଚନ ପୂର୍ବର ସିବିଆଇ ନୋଟିସ ଗଲା କୁଆଡେ?

କେଦାର ମିଶ୍ର

ଆଜିକାଲି ବିଜେପି ଭକ୍ତମାନଙ୍କର ଗୋଟେ ନୂଆ ରୋଗ ବାହାରିଛି। ଯଦି ଆପଣ ବିଜେପି ରାଜନୀତି ବିଷୟରେ କିଛି ଲେଖିବେ, ଭକ୍ତମାନେ ତୁରନ୍ତ ପ୍ରଶ୍ନ କରୁଛନ୍ତି- ତମେ ଚିଟ ଫଣ୍ଡ ସ୍କାମ କିମ୍ବା ଖଣି ଦୁର୍ନୀତି ବିଷୟରେ କିଛି ଲେଖୁ ନ  କାହିଁକି? ଭକ୍ତମାନେ ଜାଣନ୍ତି ନାହିଁ ଯେ, ୨୦୧୨ ରୁ ୨୦୧୯ ଭିତରେ ଚିଟ ଫଣ୍ଡ ସ୍କାମ, କଟକ –ଭୁବନେଶ୍ଵର ଜମି ଆବଣ୍ଟନ ସ୍କାମ,ଖଣି ଦୁର୍ନୀତି ସମ୍ପର୍କରେ ଏମ.ବି. ଶାହ କମିଶନଙ୍କ ରିପୋର୍ଟ, ତତ୍କାଳୀନ ଏଜି ଅମର ପଟ୍ଟନାୟକ ଦେଇଥିବା ଜମି ଦୁର୍ନୀତି ରିପୋର୍ଟ ଉପରେ ଅନ୍ତତଃ ମୁଁ ପଚାଶରୁ ଅଧିକ ଲେଖା ଲେଖିଥିବି। ଭକ୍ତମାନେ ଚାହିଁଲେ ସେଥିରୁ ଅନେକ ଲେଖା ଏବେ ମଧ୍ୟ ମୋ ଫେସବୁକ ଟାଇମଲାଇନରେ ପଢିପାରିବେ। ତେବେ ଭକ୍ତମାନେ କଣ ପଢିପାରନ୍ତି!!  ନା, ସେମାନେ କେବଳ ଗାଳି କରିବା ଓ ହୋ ହୋ ହେବା ଛଡା ଅଧିକ କିଛି ଜାଣନ୍ତି ନାହିଁ। ତେଣୁ ଭକ୍ତଙ୍କ ଅବଗତି ନିମନ୍ତେ ଆମେ ଆଜି ପୁଣିଥରେ ଚିଟଫଣ୍ଡ କେଳେଙ୍କାରି ବିଷୟରେ ଚର୍ଚ୍ଚା କରିବା। ଏହି ଚର୍ଚ୍ଚା ର ପୃଷ୍ଠଭୂମିରେ ୧୩, ମାର୍ଚ୍ଚ, ୨୦୧୫ରେ ଦୈନିକ “ସଂଚାର” ରେ ପ୍ରକାଶିତ  ମୋର ଏକ ଲେଖା ରହିଛି, ଯାହାର ଶୀର୍ଷକ ଥିଲା- “ନବୀନ ଓ ନରେନ୍ଦ୍ର ମୋଦୀ ଗୋପନ ଅଭିସାର”।

୮ ମାର୍ଚ୍ଚ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ପରେ ଓଡିଶାରେ ଚିଟ ଫଣ୍ଡ ଦୁର୍ନୀତି ତଦନ୍ତ କରୁଥିବା ସିବିଆଇ ଏକ ପ୍ରକାର ଅଥର୍ବ ହୋଇ ବସି ରହିଲା। ଏକଥା କାହାର ମନେ ଅଛି ନା ନାହିଁ। ୨୦୧୫ ରୁ ୨୦୧୯ ଯାଏଁ ପ୍ରଧାନମନ୍ତ୍ରୀ, ସିବିଆଇ ଓ ବିଜେପି ଏ ପ୍ରସଙ୍ଗରେ ଚୁପ ମାରି ବସିବା ପରେ ହଠାତ ନିର୍ବାଚନ ପୂର୍ବରୁ ବିଜେଡ଼ି ନେତାଙ୍କର ଚିଟ ଫଣ୍ଡ କେଳେଙ୍କାରି ପ୍ରସଙ୍ଗ ଉଠିଲା। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କର ସୋସିଆଲ ମିଡିଆର ସିପାହୀମାନେ ନିର୍ବାଚନ ସମୟରେ ଖାଲି ଚିଟ ଫଣ୍ଡ ଦୁର୍ନୀତି କଥା କହିଲେ। ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ପୋଷା ଶୁଆ ସିବିଆଇ ହଠାତ ଟୁଇଟ କରି ଜଣାଇଲା ଯେ, ସିବିଆଇ କୁଆଡେ ବିଜେଡ଼ିର ଦୁଇଜଣ ବରିଷ୍ଠ ନେତାଙ୍କୁ ଚିଟ ଫଣ୍ଡ ମାମଲାରେ ନୋଟିସ କରିଛି। ଯେଉଁମାନଙ୍କ ନାଁରେ ନୋଟିସ ହୋଇଥିବାର ଶୁଣାଗଲା, ସେମାନେ କହିଲେ – କାଇଁ ସେମିତି କିଛି ନୋଟିସ ଆସିନାହିଁ ତ!

ତେବେ ସେ ଆସିନଥିବା ନୋଟିସକୁ ନେଇ ଆମର ଗଣମାଧ୍ୟମ ପଡିଲା ଆଉ ଉଠିଲା। କେନ୍ଦ୍ରମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ କହିଲେ- ଯେ ଚୋର ସେ ନିଶ୍ଚୟ ବନ୍ଧା ହେବ। ଏମିତି କଥା କଥାରେ ନିର୍ବାଚନ ଆସିଲା ଓ ସରିଗଲା। ନବୀନ ବାବୁ ଇତିହାସ ସୃଷ୍ଟି କରି ପଞ୍ଚମଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିରଙ୍କୁଶ ଜନ ସମର୍ଥନ ପାଇଲେ। ଏବେ ପୁଣିଥରେ ମୋଦୀ-ନବୀନ ସାକ୍ଷାତ ଘଟିଲାଣି। ଉଭୟଙ୍କ ଭେଟଘାଟ ବେଳର ଚେହେରା ଦେଖି ମନେହେଉଛି, ବନ୍ଧୁତା ଏବେ ବଡ ନିବିଡ। ତେବେ ଏଇ ନିବିଡ ସମ୍ପର୍କ ଭିତରେ ଆମକୁ କାଇଁ ପଚରା ଯାଉଛି ଯେ,ଚିଟଫଣ୍ଡ କେଲେଙ୍କାରି କଥା ଆମେ କାଇଁ ଲେଖୁନୁ ବୋଲି। ଭାଇ! ଆମେ ତ ଲେଖି ଲେଖି ଥକା ହୋଇ ବସିଛୁ। ଆପଣମାନେ ଟିକେ ଆପଣଙ୍କ ଭଗବାନ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଟିକେ ପଚାରନ୍ତେନି, ଆଜ୍ଞା! ଚିଟଫଣ୍ଡ ଘୋଟାଲାବାଜମାନଙ୍କୁ ଦାନାପାଣି ଦେଉଛି କିଏ? କେହି ଜଣେ ସିବିଆଇ କୁ ପଚାରିବା ଉଚିତ ନୁହଁ କି, ଆଚ୍ଛା, ସେ ଯେଉଁ ନୋଟିସ ପଠେଇଥିଲ, ସେଟା କଣ ମାଟି ଖାଇଗଲା ନା ତାକୁ ଆକାଶ ଗିଳିଦେଲା? ଧର୍ମେନ୍ଦ୍ର ବାବୁ ଯେଉଁ ମାନଙ୍କୁ ଚୋରା ବୋଲି କହୁଥିଲେ, ସେମାନଙ୍କ ଭିତରୁ ଜଣେ ଅଧେ ନୂଆ ନବୀନ ସରକାରରେ ମନ୍ତ୍ରୀ ହେଲେଣି। ସେମାନଙ୍କ ବିରୋଧରେ ସାମାନ୍ୟ ପ୍ରେସ ରିଲିଜ ଟିଏ ବିଜେପି ଦେଇଛି କି?

ନିରାଟ ସତକଥା ହେଉଛି, ଚିଟଫଣ୍ଡ କେଳେଙ୍କାରୀର ତଦନ୍ତ ସିବିଆଇ ସଠିକ ଢଙ୍ଗରେ କରିନାହିଁ। ଏହାକୁ ମୋଦୀ ସରକାର ନିଜର ପ୍ରତିପକ୍ଷଙ୍କୁ ସାବାଡ କରିବା ଅଥବା ପ୍ରଲୋଭିତ କରିବା ପାଇଁ ବ୍ୟବହାର କରିଛନ୍ତି। ଏହି ବିରାଟ ଦୁର୍ନୀତି ପଛରେ ରହିଥିବା ରାଜନୈତିକ ପୃଷ୍ଠପୋଷକତାର ପର୍ଦ୍ଦାଫାସ ଆଉ କେବେବି ହୋଇ ପାରିବ ନାହିଁ। ରାଜନୈତିକ ସୁଆଙ୍ଗ କଳା ଭଳି ମଝିରେ ମଝିରେ ସିବିଆଇ ଏମିତି କିଛି ଗୋଟେ ନୋଟିସ ପଠେଇ ବା ଜେରା କରିବାକୁ ଡାକିଦେଇ, ଘଟଣାଟିକୁ ବଞ୍ଚାଇ ରଖିଥିବ।

ଏଥିରୁ ଅଧିକ କିଛି ଘଟିନାହିଁ, କି ଆଗକୁ ଅଧିକ କିଛି ଘଟିବାର ନାହିଁ !!