Categories
ବିଶେଷ ଖବର

ନବୀନ ପଟ୍ଟନାୟକ, ରିମୋଟ କଣ୍ଟ୍ରୋଲ ଓ ବିଜେପି –କଂଗ୍ରେସର ନବୀନ (ଅ)ପ୍ରେମ

କେଦାର ମିଶ୍ର

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଭୁବନେଶ୍ବରରେ କହିଲେ, “ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରିମୋଟ କଣ୍ଟ୍ରୋଲ ଦ୍ଵାରା ନିୟନ୍ତ୍ରିତ ହେଉଛନ୍ତି। ଦିଲ୍ଲୀ ରୁ ଥାଇ ନରେନ୍ଦ୍ର ମୋଦୀ ନବୀନ ପଟ୍ଟନାୟକଙ୍କୁ ଉଠ ବସ କରୁଛନ୍ତି।“ ତା ପର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, କଂଗ୍ରେସ ଓ ବିଜୁ ଜନତା ଦଳ ମିଶିକି ବୈଜୟନ୍ତ ପଣ୍ଡା ଓ ଜାଗି ପଣ୍ଡାଙ୍କ ଓ ଟିଭିକୁ ହଇରାଣ କରୁଛନ୍ତି। ତାର ଠିକ ଦୁଇଦିନ ପରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ସାଲେପୁର ଠାରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ କହିଲେ, “ବିଜୁ ଜନତା ଦଳ ଓ କଂଗ୍ରେସ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇ ପାରୁଷ।   ଉଭୟ ବିଜେପି ଓ କଂଗ୍ରେସ ନବୀନଙ୍କୁ ଅନ୍ୟ ର ରିମୋଟ କଣ୍ଟ୍ରୋଲ ଦ୍ଵାରା ପରିଚାଳିତ ବୋଲି କହୁଥିବା ବେଳେ, ନବୀନ ସେ ସବୁର ପ୍ରତିକ୍ରିୟାରେ ଏକ ରହସ୍ୟମୟ ହସ ହସି, ସେ ସବୁ “ବକୱାସ’’ ବୋଲି କହିଛନ୍ତି। ତେବେ ସତ କଣ, ବକୱାସ କଣ, ସେ କଥା ଜାଣିବାର କୌଣସି ଉପାୟ ଆମର ନାହିଁ।

ତେବେ ଏ ପ୍ରସଙ୍ଗର ଗୋଟେ ସରଳ ଓ ମଜାଦାର ବିଶ୍ଳେଷଣ ରଖିଛନ୍ତି ଆମ ସମୟର ଜଣେ ବରିଷ୍ଠ ସାମ୍ବାଦିକ ପ୍ରିୟ ରଞ୍ଜନ ସାହୁ । “ନବୀନଙ୍କ ଉପରେ ଉଭୟ କଂଗ୍ରେସ ଓ ବିଜେପିର ଅଭିଯୋଗର ସତ୍ୟଟି ହେଉଛି “ଶୋଲେ’’ ସିନେମାର ସେ ମୁଦ୍ରା ପରି ଯାହାର ଉଭୟ ପକ୍ଷରେ ମୁଣ୍ଡଟି ରହିଥିଲା। ଅର୍ଥାତ ଯେଉଁପଟୁ ଦେଖିଲେ ବି ଲାଭ କେବଳ ନବୀନଙ୍କର।“ ନବୀନ କଂଗ୍ରେସ କିମ୍ବା ବିଜେପିର ନିକଟତର ବୋଲି କହିବା ଯେତିକି ସହଜ, ଏହାର ବାସ୍ତବତା ଜାଣିବା ସେତିକି କାଠିକର। ନବୀନ ରାଜନୀତିରେ ଯଥେଷ୍ଟ ଭାବିଚିନ୍ତି ନିଜର ଗୋଟି ଚାଳନା କରନ୍ତି। ସାଂସଦ ଭିତରେ ସେ କେତେବେଳେ ମୋଦୀଙ୍କ ପକ୍ଷରେ ଓ ପୁଣି କେତେବେଳେ ରାହୁଲଙ୍କ ପକ୍ଷରେ ଛିଡା ହୋଇଛନ୍ତି ତାର ଆକଳନ ସହଜ ନୁହେଁ। ସେ ରାଷ୍ଟ୍ରପତି ନିର୍ବାଚନରେ ମୋଦୀଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ବେଳେ ଉପ ରାଷ୍ଟ୍ରପତି  ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ବିମୁଦ୍ରାକରଣ ଓ ଜିଏସଟି ପ୍ରସଙ୍ଗରେ ମୋଦୀ ସରକାରକୁ ସମର୍ଥନ ଦେଇଥିଲେ ମଧ୍ୟ ସ୍ଥାନୀୟ ସ୍ତରରେ ଏହାକୁ ବିରୋଧ ମଧ୍ୟ କରିଥିଲେ। ତେଣୁ ସମର୍ଥନ ଓ ବିରୋଧର ଏକ ଚତୁର ସମନ୍ଵୟ ନବୀନ ତାଙ୍କ ରାଜନୀତିରେ ପ୍ରଦର୍ଶନ କରି ଆସୁଛନ୍ତି।

ତେବେ ବାସ୍ତବ ସତ୍ୟଟି ହେଉଛି ନବୀନ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରଖିବାକୁ ବାଧ୍ୟ। ଓଡିଶା ରାଜନୀତିରେ ବିଜେଡି ର ଗ୍ରହଣୀୟତା ବଜାୟ ଥିବା ପର୍ୟନ୍ତ ନବୀନଙ୍କୁ ସାଙ୍ଗ ଖୋଜିବାର କୌଣସି ଆବଶ୍ୟକତା ନାହିଁ। ୨୦୦୯ ନିର୍ବାଚନରେ ବିଜେପିର ହାତ ଛାଡି ସେ ପ୍ରମାଣିତ କରିଦେଲେ ଯେ ଏକାକୀ ନିର୍ବାଚନ ଲଢି ସଫଳତା ହାସଲ କରିବାର କରିସ୍ମା ତାଙ୍କ ପାଖରେ ରହିଛି। ଆଜିର ନିର୍ବାଚନ ପୃଷ୍ଠଭୂମିରେ ପୁଣିଥରେ ବିଜେଡି ସରକାର ଗଢିବ ବୋଲି ପୂର୍ଣ୍ଣ ଆତ୍ମବିଶ୍ଵାସ ନବୀନଙ୍କର ରହିଛି। ତେଣୁ ସେ ଅନ୍ୟ କେଉଁ ଦଳ ପ୍ରତି ନିଜର ଆସକ୍ତି ଦେଖାଇବାର କୌଣସି କାରଣ ନାହିଁ। ଅପର ପକ୍ଷରେ କିନ୍ତୁ ନବୀନଙ୍କ ସମର୍ଥନର ମୂଲ୍ୟ ବଢି ଚାଲିଛି। ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, କେନ୍ଦ୍ରରେ ଏକ ଝୁଲା ସରକାରର ସମ୍ଭାବନା ସେତିକି ସ୍ପଷ୍ଟ ଦିଶୁଛି। ଝୁଲା ସରକାର ର ସମ୍ଭାବନା ନବୀନଙ୍କୁ ଜାତୀୟ ରାଜନୀତିରେ ଅଧିକ ପ୍ରଭାବଶାଳୀ କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।

ଉଭୟ କଂଗ୍ରେସ ଓ ବିଜେପି ଲାଗି ନବୀନଙ୍କର ଶତୃତା ବର୍ତ୍ତମାନ ସ୍ଥିତିରେ ମହଙ୍ଗା ସାବ୍ୟସ୍ତ ହେବ। କେନ୍ଦ୍ରରେ ସରକାର ଗଢିବା ଲାଗି ନବୀନଙ୍କୁ ନିଜ ନିଜ ପକ୍ଷରେ ରଖିବାକୁ ବିଜେପି ଓ କଂଗ୍ରେସର ନେତୃତ୍ୱ ଚେଷ୍ଟା କରୁଛନ୍ତି। ଅମିତ ଶାହ ନବୀନଙ୍କ ବିରୋଧରେ ଗର୍ଜୁଥିବା ବେଳେ ପ୍ରଧାନମନ୍ତ୍ରୀ ନବୀନଙ୍କ ପ୍ରତି ବେଶ ଶ୍ରଦ୍ଧାଶୀଳ। ବିଜେପି ଭିତରେ ନିତିନ ଗଦକାରୀ, ଅରୁଣ ଜେଟଲି ଓ ସୁଷମା ସ୍ବରାଜଙ୍କ ସହ ନବୀନଙ୍କ ଘନିଷ୍ଠତା ରହିଛି।   ସେହିପରି ରାହୁଲ ଗାନ୍ଧୀ ନବୀନଙ୍କ ପ୍ରତି କଡା ଆଭିମୁଖ୍ୟ ଦେଖାଉଥିବା ବେଳେ କମଳନାଥଙ୍କ ପରି ନବୀନଙ୍କ ଘନିଷ୍ଠ ବନ୍ଧୁ ତାଙ୍କ ସହ ଭିତିରି ଯୋଗାଯୋଗରେ ଅଛନ୍ତି। ଉଭୟ କଂଗ୍ରେସ ଓ ବିଜେପି ଶିବିର ବିଜେଡି ଶିବିରରେ ନିଜର ସଦଭାବନା ବାର୍ତ୍ତା ବିଭିନ୍ନ ଉପାୟରେ ପହଞ୍ଚାଇ ଚାଲିଛନ୍ତି।

ତେବେ ନିର୍ବାଚନକୁ ଆଖି ଆଗରେ ରଖି ବାକ୍ୟ ବାଣ ମରା ଚାଲିଛି। ଲୋକଙ୍କୁ ଦେଖେଇବାର ଚେଷ୍ଟା କରାଯାଉଛି ଯେ ନବୀନ ୟାଙ୍କ ସହ ଅଛନ୍ତି ବା ତାଙ୍କ ସହ ଅଛନ୍ତି। ଅସଲ କଥାଟି ହେଉଛି ନବୀନ ନିଜ ଶିବିରରେ ରୁହନ୍ତୁ ବୋଲି ଉଭୟ କଂଗ୍ରେସ ଓ ବିଜେପି ଜାଗର ଜାଳି ଅପେକ୍ଷା କରିଛନ୍ତି। ନବୀନ କିନ୍ତୁ ନିଜ ପତା ସହଜରେ ଖୋଲୁନାହାନ୍ତି। ତାଙ୍କର ସମଦୂରତା ନାମକ ଅସ୍ତ୍ର ଟି ଏବେବି ଭଲ କାମରେ ଲାଗୁଛି।

Categories
ବିଶେଷ ଖବର ବ୍ୟକ୍ତିତ୍ୱ

ଶାନ୍ତିର ସହିଦ ; ୩୦, ଜାନୁଆରୀ, ୧୯୪୮, ମହାତ୍ମା ଗାନ୍ଧୀଙ୍କ ଅନ୍ତିମ ଦିନ

କେଦାର ମିଶ୍ର

‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା ଓ ମୁଁ ଭୋ ଭୋ କାନ୍ଦି ପକାଇଲି।‘’ ଯେ ଥିଲା ବୃଜକୃଷ୍ଣ ଚାନ୍ଦିବାଲାଙ୍କ ସ୍ମୃତିକଥା। ୩୦, ଜାନୁଆରୀ, ୧୯୪୮ ସନ୍ଧ୍ୟାରେ ବାପୁଙ୍କୁ ଗୁଳି କରି ହତ୍ୟା କରିବାପରେ ତାଙ୍କର ମୃତ ଶରୀରକୁ ଗାଧେଇ ନୂଆ ଲୁଗା ପିନ୍ଧେଇବାର ଦାୟିତ୍ଵ ବୃଜଲାଲ ନିର୍ବାହ କରିଥିଲେ। ଭାରତ ସ୍ଵାଧୀନତା ପାଇବାର ମାତ୍ର ପାଞ୍ଚ ମାସ ପନ୍ଦର ଦିନ ପରେ ଗାନ୍ଧୀଙ୍କ ହତ୍ୟା ସାରା ଦେଶ ପାଇଁ ଏକ ବିଶାଳ ଧକ୍କା ଥିଲା। ସେଇ ସନ୍ଧ୍ୟାରେ ସେତେବଳର ବଡଲାଟ ଲର୍ଡ ମାଉଣ୍ଟବ୍ୟାଟେନ କହିଥିଲେ, “ଆଜି କେବଳ ଭାରତ ନୁହଁ, ପୂରା ପୃଥିବୀ ଆଜି ଶୋକାକୁଳ।“ ବାପୁଙ୍କ ସହିଦ ହେବାର ପୀଡା ବିଷୟରେ ଶତୃ ଦେଶ ପାକିସ୍ତାନର ଖବର କାଗକ ‘ପାକିସ୍ତାନ ଟାଇମ୍ସ’ ର ସମ୍ପାଦକୀୟ ଲେଖିଥିଲା-  ଅବିଭକ୍ତ ଭାରତର ହିନ୍ଦୁ ଓ ମୁସଲମାନ ନିଜ ରକ୍ତକୁ ଏକାକାର କରି ସ୍ଵାଧୀନତା ହାସଲ ଲାଗି ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ ଖିଲାଫତ ଆନ୍ଦୋଳନରେ ଏକାଠି ଲଢେଇ କରିଥିଲେ। ଆମେ ଆଶା କରିବା ଯେ ବାପୁଙ୍କ ଲାଗି ଆମର ଲୁହ ଆମକୁ ପୁଣିଥରେ ଭାରତ ଓ ପାକିସ୍ତାନର ଶାନ୍ତପୂର୍ଣ୍ଣ ସ୍ଵାଧୀନତା ଲାଗି ଏକତ୍ରିତ କରିବ।“(ପାକିସ୍ତାନ ଟାଇମ୍ସ, ୩୧, ଜାନୁଆରୀ, ୧୯୪୮)

ବାପୁଙ୍କ ବ୍ୟସ୍ତ ବହୁଳ ଜୀବନ ଭିତରେ ତାଙ୍କର ଅନ୍ତିମ ଦିନଟି ଐତିହାସିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ୭୯ ବର୍ଷ ବୟସର ପାକଳ ଶରୀରରେ ସେ ଛଅ ଦିନ ବ୍ୟାପୀ ଅନଶନରେ ବସିଥିଲେ। ନାଥୁରାମ ଗଡସେ ତାଙ୍କୁ ହତ୍ୟା କରିବାର ୧୨ ଦିନ ଆଗରୁ ଜାନୁଆରୀ ୧୩ ରୁ ୧୮ ତାରିଖ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ସୌହାର୍ଦ୍ଦ୍ୟ ଫେରାଇ ଆଣିବାକୁ ସେ ଅନଶନରେ ବସିଥିଲେ। ବାପୁଙ୍କ ଅନଶନର ପ୍ରଭାବ ଲୋକଙ୍କ ଉପରେ ପଡିଥିଲା ଓ ଦିଲ୍ଲୀରେ ହିଂସା ତଥା ରକ୍ତପାତ କମିଆସିଥିଲା। ବାପୁ ଦିଲ୍ଲୀରୁ ଫେବ୍ରୁଆରି ୨ ତାରିଖରେ ନିଜ ଆଶ୍ରମ ସେବାଗ୍ରାମ କୁ ଫେରିବାକୁ ଯୋଜନା କରୁଥିଲେ। ସେବାଗ୍ରାମରୁ ସେ ପୂର୍ବ ପଞ୍ଜାବ ଓ ପାକିସ୍ତାନ ଯାଇ ଶାନ୍ତି ଓ ସଂହତି ର ବାର୍ତ୍ତା ପାହଞ୍ଚାଇବାକୁ ଚାହୁଁ ଥିଲେ।

୩୦ ଜାନୁଆରୀ, ୧୯୪୮, ବିରଳା ଭବନର ସକାଳ।  ୩.୩୦ ରେ ବାପୁ ନିଦରୁ ଉଠିଥିଲେ। ନିତ୍ୟକର୍ମ ସାରି ସେ ସକାଳର ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ସକାଳ ସାତଟାରେ ତାଙ୍କୁ ଜଣେ ଆମେରିକୀୟ ସମାଜସେବୀଙ୍କୁ ଭେଟିବାର ଥିଲା। ତା ପୂର୍ବରୁ ସେ ନିଜର ବଙ୍ଗାଳୀ ଶିକ୍ଷା ଅଭ୍ୟାସ କରିଥିଲେ। ସିଝା ପରିବା,  ଛେଳି କ୍ଷୀର ଓ କମଳା ରସ ପିଇଥିଲେ। ସାମାନ୍ୟ ବିଶ୍ରାମ ପରେ ସେ କଂଗ୍ରେସର ଭବିଷ୍ୟତ କଣ ହେବା ଉଚିତ ତାକୁ ନେଇ ପୂର୍ବରୁ ଲେଖିଥିବା ଚିଠାକୁ ସାମାନ୍ୟ ପରିବର୍ତ୍ତନ କରିଥିଲେ। (କଂଗ୍ରେସ କ୍ଷମତାରେ ନରହି ଲୋକ ସେବକର ଭୂମିକା ନେଉଆ ବୋଲି ସେ ଏକ ପ୍ରସ୍ତାବ ରଖୁଥିଲେ) ସେଦିନ ଦିଲ୍ଲୀର ମୁସଲମାନ ନେତାମାନେ ତାଙ୍କୁ ସାକ୍ଷାତ କରି ଶାନ୍ତି ଓ ସହାବସ୍ଥାନ ଲାଗି ପୁଣିଥରେ ପ୍ରତିଶ୍ରୁତି ଦେଇଥିଲେ। ସେଦିନ ବାପୁଙ୍କ ଦିବଙ୍ଗତ ସେକ୍ରେଟାରୀ ମହାଦେବ ଦେସାଇଙ୍କ ଜୀବନୀ ଲେଖା ବିଷୟରେ ଗୁଜରାଟର ଶାନ୍ତିକୁମାର ମୋରାରଜି ଙ୍କ କଥାବାର୍ତ୍ତା କରିଥିଲେ। ସେଦିନ ଦିପହର ସାରା ବହୁ ଲୋକ ବାପୁଙ୍କ ସହ ସାକ୍ଷାତ କରିଥିଲେ। ସେମାନଙ୍କ ଭିତରେ ଥିଲେ ବିଶିଷ୍ଟ ଐତିହାସିକ ରାଧାକୁମୁଦ ମୁଖାର୍ଜୀ।

ସାଢେ ଚାରି ଟା ବେଳକୁ ବାପୁଙ୍କୁ ଦେଖା କରିବାକୁ ଆସିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ସେଦିନ ପ୍ରାର୍ଥନାସଭା ପରେ ନେହେରୁ ମଧ୍ୟ ବାପୁଙ୍କୁ ଦେଖା କରିବାର ଥିଲା। ବାପୁ ଓ ପଟେଲଙ୍କ ଭିତରେ କଥାବାର୍ତ୍ତା ବେଶ ଅଧିକ ସମୟ ଚାଲିଥିଲା।  ୫.୧୫ ବେଳକୁ ଆଭା ଓ ମନୁଙ୍କୁ ସାଙ୍ଗରେ ନେଇ ବାପୁ ପ୍ରାର୍ଥନାସଭାକୁ ବାହାରିଲେ। ଆଉ ସେଇଠାରେ ହିଁ ନାଥୁରାମ ଗଡସେ ତାଙ୍କ ଛାତିରେ ତିନୋଟି ଗୁଳି ଦାଗିଥିଲା। ପ୍ରଥମ ଗୁଳି ଛାତିରେ ଓ ବାକି ଦୁଇଟି ଗୁଳି ବାପୁଙ୍କ ପେଟରେ ବାଜିଥିଲା। ହେ ରାମ କହି, ବାପୁ ସେଇଠି ଟଳି ପଡିଥିଲେ।

ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ସଙ୍ଘର୍ଷ କରୁ କରୁ ମହାତ୍ମା ଗାନ୍ଧୀଙ୍କୁ ପ୍ରାଣ ବଳି ଦେବାକୁ ପଡିଥିଲା। ତେବେ ବାପୁଙ୍କ ରକ୍ତ ଏ ଦେଶର ଶାନ୍ତି ଓ ସଂହତି ଅଧିକ ମଜବୁତ କରିଥିଲା। ଯେଉଁମାନେ ଭାବିଥିଲେ ଧର୍ମ ଆଧାରରେ ଏ ଦେଶକୁ ଘୃଣାର ସାମ୍ରାଜ୍ୟ କରିବେ ସେମାନଙ୍କୁ ଏ ଦେଶର ଜନ ସାଧାରଣ ବାପୁଙ୍କ ହତ୍ୟାକାରୀ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ। ବାପୁଙ୍କ ଶବ ଶୋଭାଯାତ୍ରାରେ ସତେକି ପୂରା ଭାରତ ଉଠି ଆସିଥିଲା। ଏକ ପୋଲିସ ରିପୋର୍ଟ ଅନୁଯାୟୀ ସେଦିନର ଶବ ଶୋଭାଯାତ୍ରାରେ ପାଖାପାଖି ୧୫ ଲକ୍ଷ ଲୋକ ଯୋଗଦାନ କରିଥିଲେ। ଗଣମାଧ୍ୟମର ସବୁଠୁ ମନ୍ଥର ସମୟରେ ଏତେ ଲୋକଙ୍କର ସମାଗମ ଆଜି ବି ଦିଲ୍ଲୀର ରେକର୍ଡ। ବାପୁଙ୍କ ପ୍ରତି ଭଲପାଇବା ସେଦିନ ରାଜରାସ୍ତାରେ ଅଜାଡି ହୋଇ ପଡିଥିଲା। ସାରା ପୃଥିବୀ ଅଶ୍ରୁ ସଜଳ ନୟନରେ ଏ ଗତ ଶତାବ୍ଦୀର ସର୍ବଶ୍ରେଷ୍ଠ ଜନନାୟକଙ୍କୁ ସମ୍ମାନ ଜଣାଇଥିଲା। ଶାନ୍ତି, ଅହିଂସା ଓ ସୌହାର୍ଦ୍ଦ୍ୟର ସହିଦ ଭାବରେ ବାପୁ ଆମର ଆଲୋକ ବର୍ତ୍ତିକା ହୋଇ ରହିଗଲେ। ସେଇ ୩୦ ଜାନୁଆରୀ ସନ୍ଧ୍ୟାରେ ପଣ୍ଡିତ ନେହେରୁ ତାଙ୍କର ପ୍ରସିଦ୍ଧ ଭାଷଣରେ କହିଥିଲେ- ଆମ ଜୀବନରୁ ଆଲୁଅ ଲିଭିଗଲା। ନା, ସେ ଆଲୁଅ ଆଜି ବି ଦେଦୀପ୍ୟମାନ ଓ ସେ ଆଲୁଅ ଆମ ଜୀବନରେ ଆହୁରି ହଜାର ବର୍ଷ ଯାଏ ଦେଦୀପ୍ୟମାନ ରହିବ।

Categories
ବିଶେଷ ଖବର ସଂସ୍କୃତି

ଓଡିଶା, ଇସ୍ଲାମ୍ ଓ ସମନ୍ବୟର ସଂସ୍କୃତି; ଦଶଟି ମୌଳିକ ତଥ୍ୟ

କେଦାର ମିଶ୍ର

“କହେ ସାଲବେଗ ହୀନ ଜାତିରେ ମୁଁ ଯବନ, ଶ୍ରୀ ରଂଗା ଚରଣ ବିନୁ ନ  ଜାଣଇ ଆନ”- ଓଡିଶାର ଘରେ ଘରେ ପରିଚିତ ଯବନ କବି ସାଲାବେଗଂକ ଏହି ଭାବପ୍ରବଣ ସ୍ବୀକାରୋକ୍ତି ଓଡିଶାର ସାଂସ୍କୃତିକ ଜୀବନରେ ନୂଆ ଏକ ଜୀବନବୋଧ ଓ ଚେତନା ଉଦ୍ରେକ କରିଥିଲା। ଧର୍ମ ସହିତ ମାନବୀୟ ମୂଲ୍ୟ ର ସହବନ୍ଧନ ସବୁବେଳେ ନୂତନ ସାଂସ୍କୃତିକ ଚେତନା ଜାଗ୍ରତ କରିଥାଏ।ରାଜନୈତିକ ପୃଷ୍ଠଭୂମି ରେ ହୁଏତ ଯବନମାନେ ଆକ୍ରମଣକାରୀ ବା ହିନ୍ଦୁ ବିରୋଧୀ, ହେଲେ ସାଂସ୍କୃତିକ ଜୀବନରେ ସେମାନଂକ ଅବଦାନକୁ ଓଡିଶାର ଲୋକେ ଅନାୟାସରେ ଆପଣାର କରିଛନ୍ତି। ଇସ୍ଲାମ ର ପ୍ରଭାବରେ ଓଡିଶାର ଚଳଣୀ ଓ ଜୀବନଧାରରେ ଅନେକ ନୂଆ ଉପାଦାନ ଯୋଡି ହୋଇଯାଇଛି। ସେସବୁକୁ ଆଜି ଆଉ ଆମ ଜୀବନରୁ ଅଲଗା କରିହେବନାହିଁ।ଯେମିତି ସାଲାବେଗଂକୁ ବାଦ ଦେଇ ଓଡିଆ ସାହିତ୍ୟର ଭକ୍ତି ଧାରାକୁ ଆକଳନ କରିହେବ ନାହିଁ, ସେମିତି କଟକର କଦମ୍ ରସୁଲ୍ କିମ୍ବା ଏରସମା କି କାଇପଦର ରେ ରହିଥିବା ସୁଫୀ ଫକୀର ମାନଂକ ଦରଘା ରୁ ହିନ୍ଦୁ ଭକ୍ତ ମାନଂକୁ ଅଲଗା କରିହେବ ନାହିଁ।୪୦୦ ବର୍ଷ ଧରି ଓଡିଶା ସହ ଇସ୍ଲାମ୍ ର ଗଭୀର ସମ୍ପର୍କ ରହିଥିଲେ ମଧ୍ୟ, ଓଡିଶାରେ ମୁସ୍ଲିମଂକ ସଂଖ୍ୟା ମାତ୍ର ୨.୧୭%। ତେବେ ଆମର ଧର୍ମ,ସଂସ୍କୃତି,ଖାଦ୍ୟ,ପୋଷାକ,ପ୍ରଦର୍ଶନକାରୀ କଳା ଓ ସଂଗୀତ ରେ ଇସ୍ଲାମ ର ପ୍ରଭାବ ରହିଛି । ଓଡିଶାରେ ହିନ୍ଦୁ ଓ ଇସ୍ଲାମ୍ ସଂସ୍କୃତିର ସମନ୍ବୟ ସମ୍ପର୍କରେ ଦଶଟି ମୌଳିକ ତଥ୍ୟ-

୧. ୧୫୬୮ ରେ ଆଫଗାନ୍ ଶାସକ ସୁଲେମାନ୍ କରାନୀ ସୂର୍ୟ ବଂଶର ରାଜା ମୁକୁନ୍ଦ ଦେବଂକୁ ପରାସ୍ତ କଲାପରେ ଓଡିଶାର ଉପକୂଳ ଅଂଚଳ ଆଫଗାନ ଶାସନାଧୀନ ରହିଲା।ପ୍ରଶାସନିକ ଭାବରେ ଆଫଗାନ୍ ଶାସିତ ଅଂଚଳକୁ ମୋଗଲବନ୍ଦୀ ବୋଲି କୁହାଗଲା ।ଆଫଗାନଂକ ପରେ ୧୫୯୧ ରେ ମୋଗଲ୍ ମାନେ ଓଡିଶା ଅଧିକାର କଲେ।ମୋଗଲବନ୍ଦୀ ଅଂଚଳ ଇସ୍ଲାମ ଶାସନାଧୀନ ରହିଥିବାବେଳେ ଓଡିଶାର ଦକ୍ଷିଣ ଓ  ପଶ୍ଚିମ ଭାଗରେ ଇସ୍ଲାମ ପ୍ରଶାସନର କୌଣସି ପ୍ରଭାବ ନଥିଲା।

୨. ଇସ୍ଲାମ ସହିତ ଆମର ଖାଦ୍ୟ ଓ ପୋଷାକ କ୍ଷେତ୍ରରେ ଅନେକ ନୂଆ  ପ୍ରୟୋଗ ଦେଖିବାକୁ ମିଳିଲା।ଅଚକନ, ସଲବାର୍, ଶାଲ୍, ରୁମାଲ୍, ପାଇଜାମା ଇତ୍ୟାଦି ଆମ ଚଳଣୀ ଭିତରକୁ ଆସିଲା। ଧୋତି ଓ ଗାମୁଛାରେ ଗଂଜୀ ଓ ଜାମା ଯୋଡା ହେଲା। ପଗଡି ବଦଳରେ ଟୋପି ଆସିଲା।ଏପରିକି ଶ୍ରୀଜଗନ୍ନାଥ ସଂସ୍କୃତିରେ ତାମଯାନ ଭଳି ଶବ୍ଦର ବ୍ୟବହାର ଦେଖିବାକୁ ମିଳିଲା।

୩. ଖାଦ୍ୟ ପାନୀୟ କ୍ଷେତ୍ରରେ ମଧ୍ୟ ଇସ୍ଲାମର ପ୍ରଛନ୍ନ ପ୍ରଭାବ ରହିଲା।ନୂଆ ଫଳ ଭାବରେ ବାଦାମ, ପିସ୍ତା, ଡାଳିମ୍ବ, ଅଂଗୁର, ସେଓ, ନାସପାତି ଇତ୍ୟାଦି ଆମ ଜୀବନକୁ ଆସିଲା। ରୋଷେଇ ଘରେ ପକବାନ୍ ଭଳି ଶବ୍ଦର ବ୍ୟବହାର ହେଲା। ପଲାଉ, ବିରିୟାନି,ରୋଟି, ଜିଲାବୀ, ହାଲୁଆ ଇତ୍ୟାଦି ରେ ଓଡିଆଂକ ରୁଚି ଆସିଲା। ଅନେକ ମସଲା ଜାତୀୟ ପଦାର୍ଥ ଯଥା- ଜାଫରାନ, ଜର୍ଦା ଇତ୍ୟାଦି ମଧ୍ୟ ଇସ୍ଲାମର ପ୍ରଭାବରୁ ଆମ ଜୀବନରେ ପ୍ରବେଶ କଲା।

୪. ମନ୍ଦିର ସ୍ଥାପତ୍ୟର ଉତ୍କର୍ଷ ଭୂମି ଓଡିଶାରେ ୧୬୦୦ ରୁ ୧୮୦୦ ଭିତରେ ଅନେକ ମସଜିଦ୍, ଦରଘା ଓ ମଜାର ଇତ୍ୟାଦି ଗଢି ଉଠିଲା । ୧୬ଶ  ଶତାବ୍ଦୀରେ କଟକର ଜାମା ମସଜିଦ୍,ଫତେ ଖାନ୍ ରେହେମାନ୍ ମସଜିଦ୍ ଓ କଦମ୍ ରସୁଲ୍ ଗଢି ଉଠିଲା । କଦମ୍ ରସୁଲ୍ ରେ ମହାପୁରୁଷ ମହମ୍ମଦଂକ ପବିତ୍ର ପାଦ ଚିହ୍ନ ଉଭୟ ହିନ୍ଦୁ ଓ ମୁସଲମାନଂକ ଦ୍ବାରା ପୂଜା ପାଇଥାନ୍ତି।

୫. ସୁଫୀ ସଂସ୍କୃତି ଓଡିଶାରେ ନିଜର ପ୍ରଭାବ ବିସ୍ତାର କରିବା ସହିତ ଏହା ଉଭୟ ହିନ୍ଦୁ ଓ ମୁସଲମାନଂକୁ ଭକ୍ତି ମାର୍ଗରେ ଅନୁପ୍ରେରିତ କରିଥିଲା। ସୁଫୀ ସନ୍ଥ ଓ ପୀର ମାନନ୍କର ଅନେକ ଦରଘା ଓ ମଜାରରେ ହିନ୍ଦୁ ମାନେ ମନସ୍କାମନା ପୂରଣ ଲାଗି ମଥା ଟେକିଥାଆନ୍ତି।

୬. ଓଡିଶାର କେତୋଟି ପ୍ରସିଦ୍ଧ ପୀର ପୀଠ ହେଉଛି ବାଲେଶ୍ବରର ଭୁଜାଖିଆ ପୀର,କଟକର କଦମ୍- ଇ- ରସୁଲ୍, ସମ୍ବଲପୁରର ନୁର୍ ବିବି ମଜାର, ସୋନପୁର୍ ଜିଲା ତରଭାରେ ରହିଥିବା ଅବଦୁଲ୍ ଶକୁର୍ ଦରଘା, ଅସ୍ତରଂଗର ଜହାନିଆ ପୀର, କାଇପଦରର ବୋଖାରୀ ବାବା ଇତ୍ୟାଦି ବେଶ୍ ପ୍ରସିଦ୍ଧ।

୭. ମହରମ୍ କୁ ହିନ୍ଦୁ ଓ ଇସ୍ଲାମ୍ ର ମିଳନ ପର୍ବ ଭାବରେ ଓଡିଶାର ବିଭିନ୍ନ ପ୍ରାନ୍ତରେ ପାଳନ କରାଯାଇଥାଏ। ବହୁ ହିନ୍ଦୁ ମହରମରେ ତାଜିଆ ଶୋଭାଯାତ୍ରାରେ ସାମିଲ୍ ହୁଅନ୍ତି । ଅନେକ ହିନ୍ଦୁ ନିଜେ ତାଜିଆ ବାହାର ମଧ୍ୟ କରନ୍ତି।

୮. ଇସ୍ଲାମ୍ ଓ ହିନ୍ଦୁ ଆଧ୍ୟାତ୍ମିକ ଚେତନାର ସବୁଠୁ ବଡ ମିଳନ ମଂଚ ହେଉଛି ସତ୍ୟନାରାୟଣ ପାଲା ବା ସତ୍ୟପୀର ପାଲା। ସତ୍ୟପୀର ହେଉଛନ୍ତି ହିନ୍ଦୁଂକ ଲାଗି ସତ୍ୟନାରାୟଣ ଓ ମୁସଲମାନଂକ ଲାଗି ପୀର। ଓଡିଶାରେ ସତ୍ୟପୀର ପାଲା ବିନା କୌଣସି ଶୁଭ କାର୍ୟ ସମ୍ପନ୍ନ ହୁଏନାହିଁ। ପାଲାରେ ହିନ୍ଦୁ ଓ ଇସ୍ଲାମର ମାନବୀୟ ଆଅଧ୍ୟାତ୍ମିକତା ଏକୀଭୁତ ହୋଇଯାଏ।

୯. ଭଦ୍ରଖରେ ଆଉ ଜଣେ ବୈଷ୍ଣବ ବଂଶୀ ବଲ୍ଲଭ ଗୋସ୍ବାମୀ “ମୋଗଲ୍ ତାମଶା” ର ସୂତ୍ରଧର। ହିନ୍ଦୁ ଓ ମୁସଲମାନ୍ ସାମ୍ପ୍ରଦାୟିକ ସହଯୋଗର ଏହା ଏକ ସୁନ୍ଦର ତାମଶା।

୧୦. ଓଡିଶାର ବହୁ ଗାଁ ରେ ହିନ୍ଦୁ ମୁଖିଆ ବା ଗୌନ୍ତିଆ ମାନେ ରଥଯାତ୍ରାରେ ଛେରା ପହଁରା କରିବାର ନଜିର୍ ରହିଛି। ସମ୍ବଲପୁର୍ ଜିଲାର ରେମୁଣା ଗାଁ ର ଗୌନ୍ତିଆ ମହମ୍ମଦ୍ ଜମିଉଲ୍ଲା ଓ ତାଂକର ପୁର୍ବ ପୁରୁଷ ଅନେକ ପିଢି ଧରି ଛେରା ପହଁରା କରି ଆସୁଛନ୍ତି।

Categories
ବିଶେଷ ଖବର

ପଶ୍ଚିମ ଓଡିଶାରେ ବିଜେଡି ସଂଗଠନ, ନବ ଦାସ ପରବର୍ତ୍ତୀ ରାଜନୈତିକ ସମୀକରଣ

ସମୀକ୍ଷା ବ୍ୟୁରୋ

ଝାରସୁଗୁଡାରୁ କଂଗ୍ରେସ ଟିକଟରେ ଗତ ତିନୋଟି ଯାକ ବିଧାନସଭା ନିର୍ବାଚନ ଜିଣିଥିବା ନବ ଦାସ ଆସନ୍ତା ନିର୍ବାଚନର ଠିକ ଅବ୍ୟବହିତ ପୂର୍ବରୁ ଶାସକ ବିଜେଡି ରେ ଯୋଗଦାନ କରିବା ଓଡିଶାର ରାଜନୈତିକ ସମୀକରଣକୁ ଓଲଟ ପାଲଟ କରିଦେଇଛି। ପଶ୍ଚିମ ଓଡିଶାର ଦଶଟି ଜିଲ୍ଲା ସୁନ୍ଦରଗଡ, ଝାରସଉଗୁଡା, ଦେବଗଡ, ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୋନପୁର, ନୂଆପଡା, କଳାହାଣ୍ଡି ଓ ବୌଦ ତଥା ଅନୁଗୁଳ ଜିଲାର ଆଠମଲ୍ଲିକ ଅଞ୍ଚଳରେ ବିଜୁ ଜନତା ଦଳର ସଂଗଠନ ଏହା ଦ୍ଵାରା ନୂଆ ଶକ୍ତି ପାଇବ ବୋଲି ଆମେ କହିପାରିବା କି? ଏହି ଦଶଟି ଜିଲାରେ ବିଧାନସଭା ଆସନ ସଂଖ୍ୟା ମାତ୍ର ୩୬। ତେଣୁ ବିଧାନସଭା ନିର୍ବାଚନରେ ପଶ୍ଚିମ ଓଡିଶାରୁ ଆମେ ୭୦ ଟି ଆସନ ଜିତିବୁ ବୋଲି ଯେତେବେଳେ ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ ଦାବି କରନ୍ତି, ସେତେବେଳେ ଆମକୁ ପୁଣିଥରେ ଗଣିତ ବହିର ମିଶାଣ ଫେଡାଣ ପାଠ ପଢିବାକୁ ବାଧ୍ୟ ହେଉ। ୩୬ ଟି ଆସନ ଭିତରୁ ୨୧ ଟି ଆସନରେ ବିଜେଡି, ୭ ଟି ଆସନରେ ବିଜେପି ଓ ୮ ଟି ଆସନରେ ରେ କଂଗ୍ରେସ ଜିତିଛନ୍ତି।

୨୦୦୯ ଓ ୨୦୧୪ ନିର୍ବାଚନ ଆଧାରରେ ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସଂଗଠନ ଅତ୍ୟନ୍ତ ଦୁର୍ବଳ ବୋଲି କୁହାଯାଇ ପାରିବ ନାହିଁ। ତେବେ ଦକ୍ଷିଣ ଓ ଉପକୂଳ ଓଡିଶା ତୁଳନାରେ ପଶ୍ଚିମାଞ୍ଚଳରେ ବିଜେଡ଼ିର ସ୍ଥିତି ସାମାନ୍ୟ କମ। ତେବେ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବରଗଡ, ଦେବଗଡ ଇତ୍ୟାଦି ଜିଲା ପରିଷଦ ଗଢିବାରେ ଭାରତୀୟ ଜନତା ପାର୍ଟିକୁ ସଫଳତା ମିଳିଥିଲା। ହୁଏତ ସେଇ ଆଧାରରେ ପଶ୍ଚିମ ଓଡ଼ିଶାକୁ ବିଜେପିର ଦୁର୍ଗ ବୋଲି କେହି କେହି କହୁଥାଇ ପାରନ୍ତି। କିନ୍ତୁ ବିଜେପୁର ବିଧାନସଭା ଉପନିର୍ବାଚନ ପରେ ଏ ସ୍ଥିତି ପୂରାପୂରି ବଦଳି ଯାଇଛି। ପଶ୍ଚିମ ଓଡିଶା ଉପରେ ଏବେ ଉଭୟ ବିଜେପି ଓ ବିଜେଡି ନିଜର ଶକ୍ତି କେନ୍ଦ୍ରୀଭୂତ କରିଥିବା ବେଳେ ଏକଦା କଂଗ୍ରେସର ଭାତହାଣ୍ଡି କୁହାଯାଉଥିବା ପଶ୍ଚିମ ଓଡିଶାରେ ଏହି ଦଳର ଅସ୍ତିତ୍ଵ ଏବେ ପ୍ରଶ୍ନବାଚୀ ହୋଇପଡିଛି।

ପଶ୍ଚିମ ଓଡିଶାର ୩୬ ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଝାରସୁଗୁଡା ଜିଲ୍ଲା ର ପ୍ରଭାବ ପଡିବ କି? ନବ ଦାସ ବିଜେଡି ରେ ମିଶିଲା ପରେ ପଶ୍ଚିମ ଓଡିଶା ପାଇଁ ବିଜେଡ଼ିର ପଥ ନିଷ୍କଣ୍ଟକ ହୋଇ ଗଲା କି? ନବ ଦାସ ପୂରା ପଶ୍ଚିମ ଓଡିଶାରେ ପ୍ରଭାବ ବିସ୍ତାର କରି ପାରିଲା ଭଳି ନେତା କି? ଏ ସବୁ ପ୍ରଶ୍ନର ଏକ ମାତ୍ର ଉତ୍ତର ହେବ, ନା। ନବ ଦାସଙ୍କ ପ୍ରଭାବ ଓ ପତିଆରା କେବଳ ଝାରସୁଗୁଡା ଜିଲ୍ଲା ରେ ସୀମିତ। ଅତି ବେଶୀ ରେ ସେ ଅବିଭକ୍ତ ସମ୍ବଲପୁର ଜିଲାର କିଛି ଅଂଶକୁ ପ୍ରଭାବିତ କରି ପାରିବେ। ୨୦୧୪ ନିର୍ବାଚନ ସମୟରେ ବ୍ରଜରାଜନଗରରୁ କଂଗ୍ରେସ ଟିକଟରେ ଅନୁପ ସାଏ ବିଜେଡି ରେ ଯୋଗ ଦେଇ ସେ ବର୍ଷ ବିଜେପିର ରାଧାରଣୀ ପଣ୍ଡାଙ୍କ ଠାରୁ ପରାସ୍ତ ହୋଇଥିଲେ। ଅନେକ ସମୟରେ ଦଳ ବଦଳକାରୀଙ୍କୁ ଭୋଟର ମାନେ ସନ୍ଦେହ କରିଥାନ୍ତି। ତେଣୁ ବିଜେଡିରେ ନବାଙ୍କ ଯାତ୍ରା ଯେ ସୁଗମ ହେବ ସେ କଥା କୁହାଯାଇପାରିବ ନାହିଁ।  ତେବେ ଝାରସୁଗୁଡା ଜିଲାର ଦୁଇଟି ଯାକ ଆସନ ବିଜେଡି ହାତରେ ନଥିଲା। ସେଥିଲାଗି ବୋଧେ ବିଜେଡି ଜିଲ୍ଲାରେ ନିଜର ଶକ୍ତି ବୃଦ୍ଧି ପାଇଁ ନବଙ୍କୁ ନିଜ ଆଡକୁ ଆଣିଛି। ନବ ଦାସ ଓ ଯୋଗେଶ ସିଂ କଂଗ୍ରେସ ଛାଡି ବିଜେପିକୁ ଆସିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଠିକ ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ବିଜେପୁରର କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ବିଜେଡିରେ ଯୋଗଦାନ। ବରଗଡ ଜିଲ୍ଲାରେ ପ୍ରଣୟ ସାହୁଙ୍କର ଭଲ ସଂଗଠନ ରହିଛି।

ଅନ୍ୟ ଏକ ଉଡା ଖବର ଅନୁସାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପରିବାର ବିଜେଡି ପ୍ରତି ଅଧିକ ଶ୍ରଦ୍ଧାଶୀଳ ହେଉଛନ୍ତି। ତାହା ଯଦି ସତ୍ୟ ପ୍ରମାଣିତ ହୁଏ ତା ହେଲେ କଂଗ୍ରେସ ପଶ୍ଚିମ ଓଡିଶାରେ ନିଜର ସତ୍ତା ହରାଇବ ଓ ସେଠି ତ୍ରିମୂଖୀ ପ୍ରତିଯୋଗିତା ଦ୍ଵିମୁଖୀ ରେ ରୂପାନ୍ତରିତ ହେବ। ଆସ୍ତେ ଆସ୍ତେ କଂଗ୍ରେସ ନିଜର ସତ୍ତା ହରାଇବା ଭଳି ସ୍ଥିତି ସୃଷ୍ଟି ହେଉଥିବାରୁ ଆସନ୍ତା ନିର୍ବାଚନରେ ବିଜେପି ବନାମ ବିଜେପି ଭିତରେ ସିଧାସଳଖ ଯୁଦ୍ଧର ଆଶା କରାଯାଇପାରେ। ପଶ୍ଚିମ ଓଡିଶାରେ ବିଜେପିର ସ୍ଥିତି ଆଜି ୨୦୧୭ ଭଳି ଆଉ ନାହିଁ। ନରେନ୍ଦ୍ର ମୋଦୀଙ୍କୁ ନେଇ ୨୦୧୪-୧୭ ଭିତରେ ଯେଉଁ ଉତ୍ସାହ ଏହି ସବୁ ଅଞ୍ଚଳରେ ଥିଲା, ତାହା ଏବେ ମଉଳି ଗଲାଣି। ତେଣୁ ପଶ୍ଚିମ ଓଡିଶା ବାଟ ଦେଇ ଓଡିଶାର କ୍ଷମତା ଦାଖଲ କରିବା ପାଇଁ ବିଜେପିର ଯୋଜନା ଏତେ ସହଜ ନୁହେଁ।

ମୋଟାମୋଟି ପଶ୍ଚିମ ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ  କଡା ମୁକାବିଲା ରହିବ। କଂଗ୍ରେସ ଗତଥର ତୁଳନାରେ ଏଥର ଯଦି ବହୁତ କମ ସଫଳତା ପାଏ ତାହେଲେ ସେଥିରେ ଆଶ୍ଚର୍ୟ ହେବାର କିଛି ନାହିଁ।

 

Categories
ବିଶେଷ ଖବର

କଂଗ୍ରେସରେ ପ୍ରିୟାଙ୍କା ଯୁଗ; କଣ ହେବ ଭାରତୀୟ ରାଜନୀତିରେ ପ୍ରିୟାଙ୍କା ଗାନ୍ଧୀଙ୍କ ଭବିଷ୍ୟତ ଭୂମିକା !

କେଦାର ମିଶ୍ର

ପ୍ରିୟାଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ଦଳର ସାଧାରଣ ସମ୍ପାଦକ ନିଯୁକ୍ତ ହେବା, ଗୋଟେ ବଡ ଖବର କି? ପ୍ରିୟାଙ୍କା ଆସିଲା ପରେ କଂଗ୍ରେସର ଆଭ୍ୟନ୍ତରୀଣ ମହଲରୁ ଖୁସିର ବାର୍ତ୍ତା ଆସିବା ସ୍ଵାଭାବିକ, ତେବେ ଏହାକୁ ନେଇ ବିଜେପି ଶିବିର ଯେଉଁ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ତାହା ଅତ୍ୟନ୍ତ ଆମୋଦଦାୟକ। ବିଜେପି ରାହୁଲ ଗାନ୍ଧୀ ଓ ପ୍ରିୟାଙ୍କା ଗାନ୍ଧୀଙ୍କୁ କେବଳ ବଂଶବାଦର ଲାଭାର୍ଥୀ ଓ ସେମାନଙ୍କର ରାଜନୈତିକଭବିଷ୍ୟତ ନାହିଁ ବୋଲି ବାରମ୍ବାର କହି ଆସୁଛି। ହେଲେ ରାହୁଲଙ୍କ ପ୍ରତ୍ୟେକ କଥାକୁ ବିଜେପି ଯେତେ ଆକ୍ରାମକ ଢଙ୍ଗରେ ପ୍ରତିହତ କରିବାକୁ ଚେଷ୍ଟା କରୁଛି, ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ ରାହୁଲଙ୍କୁ ନେଇ ବିଜେପିର ଭୟ ବଢି ବଢି ଚାଲିଛି। ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ବିଜୟ, ରାହୁଲ ଗାନ୍ଧୀଙ୍କୁ ଗୋଟେ ପ୍ରକାର ନୈତିକ ସାହସ ପ୍ରଦାନ କରିଛି। ଆଜି କଂଗ୍ରେସ ଭିତରେ ରାହୁଲଙ୍କ ନେତୃତ୍ବକୁ ନେଇ ଆଉ କୌଣସି ପ୍ରକାର ଆଶଙ୍କା ନାହିଁ। ସେମିତି ଏକ ସମୟରେ ପ୍ରିୟାଙ୍କା ଗାନ୍ଧୀ ସକ୍ରିୟ ରାଜନୀତିକୁ ଆସିବା, ଭାରତୀୟ ରାଜନୀତିରେ ଅନେକ କିଛି ପରିବର୍ତ୍ତନର ସୂଚନା ଦେଉଛି।

ପ୍ରିୟାଙ୍କା ଆସିଲା ପରେ କଂଗ୍ରେସ ଭିତରେ ଅଧିକ ଉତ୍ସାହ ଆସିବ, ତାର ପ୍ରଥମ କାରଣ ହେଉଛି, ପ୍ରିୟାଙ୍କା ରାହୁଲଙ୍କଠାରୁ କଥା କହିବାରେ ଅଧିକ ସ୍ପ୍ପଷ୍ଟ। ସେ ପୂର୍ବରୁ ରାଏବରେଲି ଓ ଆମେଥିରେ ନିର୍ବାଚନ ପ୍ରଚାର କରିବା ସମୟରେ ଯେଉଁ ଭାଷାରେ କଥାବାର୍ତ୍ତା କରୁଥିଲେ, ତାର ପ୍ରଭାବ ଯଥେଷ୍ଟ ରହିଥିଲା। ତେଣୁ ନିର୍ବାଚନ ସମୟରେ କଂଗ୍ରେସ ପାଇଁ ଏକ ପ୍ରଭାବଶାଳୀ ବକ୍ତା ମିଳିଗଲେ। ଦ୍ବିତୀୟରେ ପାରିବାରିକ ରାଜନୀତିକୁ ଭାରତୀୟ ଗଣମାଧ୍ୟମ ଯେତେ ନିନ୍ଦା କରୁଥିଲେ ମଧ୍ୟ, ଅସଲ କ୍ଷେତ୍ରରେ ରାଜନୈତିକ ପରିବାର ଓ ତାଙ୍କ ଉତ୍ତର ଦାୟାଦଙ୍କ ପ୍ରତି ଆମର ଆକର୍ଷଣ ପ୍ରବଳ। ବର୍ତ୍ତମାନ ପରିସ୍ଥିତିରେ ପ୍ରିୟାଙ୍କା ଯାହା କହିବେ ତାହା ସ୍ଵାଭାବିକ ଭାବରେ ମୁଖ୍ୟ ଖବର ପାଲଟିଯିବ। ତୃତୀୟ ଏବଂ ସବୁଠୁ ପ୍ରଭାବଶାଳୀ କାରଣ ହେଉଛି, ରାହୁଲଙ୍କୁ ସମାଲୋଚନା କରିବାକୁ ଯାଇ ବିଜେପି ନେତାମାନେ ଯେଉଁ ଭାଷାର ପ୍ରୟୋଗ କରୁଥିଲେ, ପ୍ରିୟାଙ୍କାଙ୍କୁ ସେ ଭାଷାରେ ସମାଲୋଚନା କରିପାରିବେ ନାହିଁ।

ଏଇ ସବୁ ସାଧାରଣ କାରଣ ବ୍ୟତୀତ, ଉତ୍ତର ଭାରତ, ବିଶେଷ ଭାବରେ ଉତ୍ତର ପ୍ରଦେଶ ନିର୍ବାଚନରେ ପ୍ରିୟାଙ୍କାଙ୍କ ଉପସ୍ଥିତିର ଏକ ଭିନ୍ନ ପ୍ରଭାବ ପଡିବାକୁ ଯାଉଛି। ଏହାର ଅର୍ଥ ଏୟା ନୁହଁ ଯେ ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରେ କଂଗ୍ରେସର କିଛି ଗୋଟାଏ ଯାଦୁକରୀ ଫଳାଫଳ ହେବ। ପ୍ରିୟାଙ୍କା ଗାନ୍ଧୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ଵ ଦେଇ ରାହୁଲ ବିଜେପି ପାଇଁ ଏକ ବଡ ସଙ୍କେତ ଦେଇଛନ୍ତି। ବହୁଜନ ସମାଜବାଦୀ  ପାର୍ଟି ଓ ସମାଜବାଦୀ ପାର୍ଟି ଭିତରେ ଯେଉଁ ନିର୍ବାଚନ ବୁଝାମଣା ହୋଇଛି, ସେଥିରେ କଂଗ୍ରେସ ପ୍ରତିବନ୍ଧକ ନସାଜି, ବିଜେପିକୁ ହରାଇବା ପାଇଁ ଏକ ସତର୍କ ରଣନୀତି ର ପ୍ରୟୋଗ କରାଯିବ। କଂଗ୍ରେସ ହାତରେ ଆଜି ମଧ୍ୟ ଉତ୍ତର ପ୍ରଦେଶର ଉଚ୍ଚ ବର୍ଗ ଓ ମୁସଲମାନ ଭୋଟ କିଛିକାଂଶରେ ରହିଛି। ଏହି ଭୋଟ ବିଭାଜନ ଅଖିଳେଶ-ମାୟାବତୀ ମେଣ୍ଟକୁ ବେଶ ସୁହାଇବ ଓ ଅନେକାଂଶରେ ଏହା ବିଜେପି କୁ ଶକ୍ତ ଧକ୍କା ଦେବାରେ ସହାୟକ ହୋଇପାରେ। ତେଣୁ ଉତ୍ତରପ୍ରଦେଶ ରାଜନୀତିରେ ପ୍ରିୟାଙ୍କାଙ୍କ ଉପସ୍ଥିତି କଂଗ୍ରେସର ଲାଭ ପାଇଁ ଯେତିକି ନୁହେଁ, ବରଂ ବିଜେପିର କ୍ଷତି ପାଇଁ ସେତିକି ଚର୍ଚ୍ଚା ରେ ରହିବ।

ଯଦି କଂଗ୍ରେସ, ବିଏସପି ଓ ଏସପି ମେଣ୍ଟ ହୁଏ ତାହେଲେ ଉତ୍ତର ପ୍ରଦେଶରେ ବିଜେପି ପାଞ୍ଚଟି ମାତ୍ର ଆସନ ପାଇବ ବୋଲି ଏବେ ଇଣ୍ଡିଆ ଟୁଡେ ସର୍ଭେ ରୁ ଜଣା ପଡୁଛି। ଯଦି ଏ ପ୍ରକାର ଆକଳନ ସତ ହୁଏ ତାହେଲେ ବିଜେପି ଏବେ ନିଜ ସ୍ଥିତି ଓ କ୍ଷମତା ହରାଇବା ଅବସ୍ଥାକୁ ଆସିଯିବ। ଦିଲ୍ଲୀ କ୍ଷମତା ପାଇଁ ଉତ୍ତର ପ୍ରଦେଶ ହେଉଛି ଏକମାତ୍ର ବାଟ। ତେଣୁ ଉତ୍ତର ପ୍ରଦେଶରେ ଗଡ ରକ୍ଷା କରିବା ବିଜେପି ପାଇଁ ସବୁଠୁ ବଡ ଆହ୍ଵାନ। ଶେଠୀ ପାଇଁ କଂଗ୍ରେସ ନିଜର ସବୁଠୁ ଟ୍ରମ୍ଫ କାର୍ଡକୁ ଉତ୍ତର ପ୍ରଦେଶରେ ବ୍ୟବହାର କରିଛି। ଅବଧାରଣାର ଯୁଦ୍ଧରେ ବିଜେପିକୁ ପଛକୁ ଠେଲିବା ପାଇଁ ପ୍ରିୟାଙ୍କାଙ୍କ ଉପସ୍ଥିତି ହିଁ ଯଥେଷ୍ଟ। ଏବେ ବିଜେପିର ରକ୍ଷଣଶୀଳ ଓ ରୁଢିବାଦୀ  ନେତାମାନେ ପ୍ରିୟାଙ୍କାଙ୍କୁ ଆକ୍ରମଣ କରିବେ ଓ କଂଗ୍ରେସ ଲାଗି ତାହା ଏକ ବଡ ସୁଯୋଗ ପାଲଟିବ।

ପ୍ରିୟାଙ୍କା ସକ୍ରିୟ ରାଜନୀତିକୁ ଆସିବାର ବହୁମୂଖୀ ପ୍ରଭାବ ରହିଛି। ଏହାକୁ କେବଳ ଗାନ୍ଧୀ ପରିବାର, ବଂଶବାଦ ପରି କେତୋଟି ପାରମ୍ପରିକ ଶବ୍ଦରେ ସୀମିତ କରିଦେଲେ ହେବନାହିଁ।

Categories
ବିଶେଷ ଖବର

ଶ୍ରୀକାନ୍ତ ଜେନାଙ୍କ ମୁହଁରେ ବିଜେପିର ଭାଷା, ହେଲେ ଶ୍ରୀକାନ୍ତ ଗେରୁଆ ଶିବିରରେ ମଧ୍ୟ ଅସ୍ପୃଶ୍ୟ !

କେଦାର ମିଶ୍ର

ହଠାତ୍ ଓଡିଶାର ବିଜେପି ନେତାମାନଙ୍କୁ ଜଣେ ବିଚିତ୍ର ସମର୍ଥକ ମିଳିଯାଇଛନ୍ତି। ଇଚ୍ଛାକୃତ ହେଉ ବା ଅନିଚ୍ଛାକୃତ ଭାବରେ ଓଡିଶା ବିଜେପିର ନେତାମାନେ ଏଇ ଦୁଇ ତିନି ଦିନ ହେଲାଣି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଭୂରି ଭୂରି ପ୍ରଶଂସା କରୁଛନ୍ତି। ଶ୍ରୀକାନ୍ତ ବାବୁ ବିଜେପିର ବିଚାର କିମ୍ବା ସଂଗଠନ ସହିତ ତାଙ୍କ ୪୫ ବର୍ଷର ଦୀର୍ଘ ରାଜନୈତିକ ଜୀବନରେ କେବେବି ପାଖାପାଖି ନଥିଲେ। ପୁରୁଣା ଜନତାଦଳର ନେତା ଭାବରେ ସେ ପ୍ରାଥମିକ ଭାବରେ ଅଣ କଂଗ୍ରେସ ଓ ପରବର୍ତ୍ତୀ ସମୟରେ କଂଗ୍ରେସର ନେତା ସାଜିଛନ୍ତି। ୧୯୭୭ ରେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହେବା ପରଠୁ ଶ୍ରୀକାନ୍ତଙ୍କ ରାଜନୀତିରେ ବହୁ ଚଢା ଉତ୍ତୁରା ହୋଇଛି। ତେବେ ରାଜନେତା ଭାବରେ ଓଡିଶାବାସୀ ଶ୍ରୀକାନ୍ତ ଜେନାଙ୍କ ତିନୋଟି ଚେହେରା ଦେଖିଛନ୍ତି। ତାଙ୍କର ପ୍ରଥମ ଓ ସବୁଠୁ ସଫଳ ରାଜନୈତିକ ଚେହେରା ହେଉଛି ୧୯୭୭ ରୁ ୧୯୮୯ ଯାଏଁ ଓଡିଶା ବିଧାନସଭାର ସଦସ୍ୟ ଭାବରେ ତାଙ୍କର ସ୍ପଷ୍ଟ କଂଗ୍ରେସ ବିରୋଧୀ ଆଭିମୁଖ୍ୟ, ବିଶେଷ କରି ୧୯୮୦ ରୁ ୧୯୮୯ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ଵ ସମୟରେ ଯେଉଁ ଅଳ୍ପ କେତେଜଣ ବିରୋଧୀ ଦଳ ବିଧାୟକ ସରକାରକୁ ବିଧାନସଭା ଭିତରେ ପାଣି ପିଆଉଥିଲେ, ସେମାନଙ୍କ ଭିତରେ ଶ୍ରୀକାନ୍ତ ଥିଲେ ଅନ୍ୟତମ। ଏହି ସମୟରେ ସେ ଥିଲେ ବିଜୁ ପଟ୍ଟନାୟକଙ୍କର ଏକାନ୍ତ ଅନୁଗତ ଓ ଜନତା ଦଳ ଭିତରେ ବିଜୁ ବାବୁଙ୍କ ପରେ ଯେଉଁ ଚାରିଜଣ (ଶ୍ରୀକାନ୍ତ ଜେନା, ଅଶୋକ ଦାସ, ବିଜୟ ମହାପାତ୍ର ଓ ନଳିନୀକାନ୍ତ ମହାନ୍ତି) ଶକ୍ତିଶାଳୀ ଥିଲେ ତାଙ୍କ ଭିତରେ ସେ ଅନ୍ୟତମ।  ଲୋକେ ତାଙ୍କୁ ବିଜୁ ପଟ୍ଟନାୟକଙ୍କ ସହ ଏମିତି ଯୋଡି ଭାବରେ ଦେଖିଥିଲେ ଯେ, ପରବର୍ତ୍ତୀ ସମୟରେ ବିଜୁ ବାବୁଙ୍କଠୁ ଶ୍ରୀକାନ୍ତ ଅଲଗା ହେବାଟାକୁ କେହି ଆଜି ପର୍ୟନ୍ତ ଗ୍ରହଣ କରିପାରିନାହାନ୍ତି।

ଶ୍ରୀକାନ୍ତଙ୍କ ଦ୍ଵିତୀୟ ଚର୍ଚ୍ଚିତ ଚେହେରା ହେଉଛି ୧୯୯୦ ରୁ ୨୦୦୦,ଲୋକସଭାର ସଦସ୍ୟ ଓ କେନ୍ଦ୍ରମନ୍ତ୍ରୀ ଭାବରେ ତାଙ୍କର କକାକାଳ। ବିଶ୍ଵନାଥ ପ୍ରତାପ ସିଂ, ଦେବେଗୌଡା ଓ ଗୁଜରାଲ ମନ୍ତ୍ରୀମଣ୍ଡଳରେ ସେ ସଦସ୍ୟ ରହିଛନ୍ତି। ବିଜୁ ବାବୁ ଏଇ ସମୟରେ ଶ୍ରୀକାନ୍ତଙ୍କ ପାଇଁ ଆଉ ନେତା ହୋଇ ରହିନାହାନ୍ତି। ସତ ହେଉ କି ମିଛ, ଓଡିଶାର ଜଣ ସାଧାରଣ ବିଶ୍ଵାସ କରିଛନ୍ତି ଯେ, ବିଜୁ ବାବୁଙ୍କ ପ୍ରତି ଶ୍ରୀକାନ୍ତ ବିଶ୍ଵାସଘାତକତା କରିଛନ୍ତି। ୧୯୯୬ ରେ ଶ୍ରୀକାନ୍ତଙ୍କ ଚକ୍ରାନ୍ତ ଯୋଗୁଁ ବିଜୁ ବାବୁ ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ ବୋଲି ଏକ ଧାରଣା ଲୋକଙ୍କ ମନରେ ସୃଷ୍ଟି ହୋଇଛି। ସେହି ଧାରଣା ଫଳରେ ଶ୍ରୀକାନ୍ତ ବିଜୁଙ୍କ “ଅବୁଝା ପୁଅ” ତାଲିକାରୁ “ଚକ୍ରାନ୍ତକାରୀ” ସ୍ତରକୁ ଖସି ଆସିଛନ୍ତି।

ତାଙ୍କ ରାଜନୀତିର ତୃତୀୟ ଚେହେରାଟି ତାଙ୍କ ବ୍ୟକ୍ତିତ୍ବକୁ ଆହୁରି ମଳିନ କରିଛି। ଅଣ କଂଗ୍ରେସ ରାଜନୀତିରୁ ସେ କଂଗ୍ରେସକୁ ଆସିଛନ୍ତି। ମନମୋହନ ସିଂ ସରକାରରେ ମନ୍ତ୍ରୀ ହୋଇଛନ୍ତି, ହେଲେ କଂଗ୍ରେସ ଭିତରେ ତାଙ୍କୁ ସବୁବେଳେ ସନ୍ଦେହ କରାଯାଇଛି। ଗତ ୧୮ ବର୍ଷ ଧରି ସେ କଂଗ୍ରେସ ରାଜନୀତିରେ ରହିଥିଲେ ହେଁ, କଂଗ୍ରେସ ତାଙ୍କୁ ନିଜର ନେତା ଭାବରେ ଗ୍ରହଣ କରିପାରି ନାହିଁ। କଂଗ୍ରେସ ବିରୋଧରେ ଥିବା ବେଳେ ସେ ଜାନକୀ ପଟ୍ଟନାୟକଙ୍କ ଘୋର ବିରୋଧୀ ଥିଲେ, କଂଗ୍ରେସ କୁ ଆସିବା ପରେ ମଧ୍ୟ ସେ ଜାନକୀ ପଟ୍ଟନାୟକଙ୍କ ପରିବାର ବିରୋଧରେ ରହିଲେ।

ମୋଟାମୋଟି କହିବାକୁ ଗଲେ, ଶ୍ରୀକାନ୍ତ ବାବୁ ସବୁବେଳେ ରାଜନୀତିରେ ଏକୁଟିଆ ଏବଂ ଗୋଠ  ଖଣ୍ଡିଆ। ଶ୍ରୀକାନ୍ତଙ୍କୁ ସହଜରେ ବିଶ୍ଵାସ କରାଯାଇପାରିବ ନାହିଁ ବୋଲି କଂଗ୍ରେସ ନେତୃତ୍ୱ ସବୁବେଳେ ତାଙ୍କୁ ଗୋଟେ ଅଲଗା ଶିବିର କରି ରଖିଥିଲା। ଶେଷରେ ସେ କଂଗ୍ରେସରୁ ବିଦା  ହୋଇଛନ୍ତି। କଂଗ୍ରେସରୁ ବିଦା ହେଲା ପରେ ସେ ତାଙ୍କର ପୁରୁଣା ପଟ୍ଟନାୟକ ବିରୋଧୀ ଆଳାପ ଆରମ୍ଭ କରିଛନ୍ତି। ବାସ୍ତବରେ ସେ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି, ସେସବୁ ରାଜନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଶ୍ରୀକାନ୍ତଙ୍କ ବ୍ୟକ୍ତିତ୍ବ ଆଉ ଗ୍ରହଣୀୟ ହୋଇ ରହିନାହିଁ। ଖଣି ଦୁର୍ନୀତି, ପଛୁଆ ବର୍ଗ ସଂରକ୍ଷଣ ଭଳି ବହୁ ପ୍ରସଙ୍ଗରେ ସେ ଯାହା କହୁଛନ୍ତି, ସେସବୁର ବୃହତ୍ତର ରାଜନୈତିକ ପ୍ରଭାବ ଅଛି, ହେଲେ ଶ୍ରୀକାନ୍ତ ନିଜେ ଆଉ ଓଡିଶା ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିନାହାନ୍ତି।

ଆଜି ସେ ଯେତେବେଳେ ବିଜେଡି ଓ କଂଗ୍ରେସ ବିରୋଧରେ କହୁଛନ୍ତି, ସ୍ଵାଭାବିକ ଭାବରେ ତାଙ୍କୁ ବିଜେପି ପରୋକ୍ଷ ସମର୍ଥନ ଦେଉଛି। ତେବେ ବିଜେପି ଭିତରେ ଶ୍ରୀକାନ୍ତଙ୍କ ପାଇଁ ଜାଗା ଅଛି କି? ଏହାର ଉତ୍ତର ଏୟା ହେବ ଯେ, ଶ୍ରୀକାନ୍ତଙ୍କୁ ଦଳ ଭିତରକୁ ଆଣିବାର ଅର୍ଥ ହେଉଛି, ଦଳ ଭିତରେ ଚକ୍ରାନ୍ତର ଆବାହନ। ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଶ୍ରୀକାନ୍ତଙ୍କୁସାଙ୍ଗରେ ନେବାର କୌଣସି ସମ୍ଭାବନା ନାହିଁ। ଏବେ କିଛିଦିନ ଗଣମାଧ୍ୟମରେ ବୟାନବାଜି ପରେ ଶ୍ରୀକାନ୍ତ ପୁଣି ନିଜର ରଣନୀତି ବଦଳାଇବେ। ସେ ରାଜନୀତିରେ ଆଜି ମଧ୍ୟ ପ୍ରଚ୍ଛଦପଟରୁ ରହି ଗୋଟି ଚାଳନାରେ ନିପୁଣ। ତାଙ୍କ ଗୋଟି ଚାଳନା କ୍ଷମତା ବ୍ୟତୀତ  ଓଡିଶା ରାଜନୀତିରେ ତାଙ୍କର ଅଧିକ କିଛି ପ୍ରଭାବ ନାହିଁ। କିନ୍ତୁ ରାଜନୀତିରେ ଚତୁରତା ଓ ଚକ୍ରାନ୍ତର ନିଜସ୍ଵ ଭୂମିକା ଅବଶ୍ୟ ରହିଛି!

Categories
ବିଶେଷ ଖବର

ଓଡିଶା ପ୍ରାକ ନିର୍ବାଚନୀ ସମୀକ୍ଷା ; ବିରୋଧୀଙ୍କ ଭଙ୍ଗା ଘର ଓ ବିଜେଡ଼ିର ଅଭେଦ୍ୟ ଦୁର୍ଗ

କେଦାର ମିଶ୍ର

– ଶୁଣା ଯାଉଛି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଯୋଗାଯୋଗରେ ଅଛନ୍ତି। ଆସନ୍ତା ୩୧ ଜାନୁଆରୀ କେଜ୍ରିୱାଲଙ୍କ ଓଡିଶା ଗସ୍ତ ସମୟରେ ହୁଏତ କିଛି ଗୋଟେ ନୂଆ ଘଟିପାରେ!

– ଶୁଣା ଯାଉଛି, ନବ ଦାସ ଓ ଯୋଗେଶ ସିଂଙ୍କ ପରେ ଆହୁରି ଚାରି ଜଣ କଂଗ୍ରେସ ବିଧାୟକ ଦଳ ଛାଡିବା ଲାଗି ନିଷ୍ପତ୍ତି ନେଇ ସାରିଛନ୍ତି।

– ଶୁଣା ଯାଉଛି, ପୁରୁଣା କଂଗ୍ରେସ ନେତାଏ ଦଳ ଛାଡିଲା ପରେ ତାଙ୍କ ସ୍ଥାନରେ ପୁରୁଣା ବିଜେଡି ନେତାଏ ଅକ୍ତିଆର କରିବେ। ଅର୍ଥାତ ଦଳ ଛେଉଣ୍ଡ ହୋଇ ବୁଲୁଥିବା ବିଜେଡ଼ିର ପୁରୁଣା ନେତାମାନେ କଂଗ୍ରେସ ଶିବିରରେ ଯୋଗଦେବେ।

ଏଇ ତିନୋଟି ଯାକ ଶୁଣାକଥା କୁ ଆମେ ଖବର ବୋଲି ଭାବି ପାରିବା କି? ଅନେକ ସମୟରେ ରାଜନୀତିରେ ଶୁଣାକଥା ଇ ପରବର୍ତ୍ତୀ ସମୟରେ ପକ୍କା ଖବର ପାଲଟିଥାଏ। ତେବେ ଉପରେ ଦିଆ ଯାଇଥିବା ଶୁଣାକଥା ଗୁଡିକ ଯେଉଁ ମହଲରୁ ଶୁଣା ଯାଇଛି, ସେଠି ଏ ସବୁ କଥାର ଆପାତତଃ ପ୍ରାମାଣିକତା ରହିଛି। ଶ୍ରୀକାନ୍ତ ଜେନା ଆମ ଆଦମୀ ପାର୍ଟିକୁ ଆସିବେ କି ନା, ସେକଥା ଯଦିଓ ଏବେ କୁହା ଯାଇପାରିବ ନାହିଁ, କିନ୍ତୁ ସେ କେଜ୍ରିୱାଲଙ୍କ ସହ ଯୋଗାଯୋଗରେ ଥିବା ନିହାତି ସତ। ସେହିପରି କଂଗ୍ରେସରେ ଏବେ ବିଧାୟକଦଳ ଉଜୁଡିଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳର ଅର୍ଦ୍ଧାଧିକ ବିଧାୟକ ଏବେ ଆଉ କଂଗ୍ରେସରେ ରହିବାକୁ ଚାହାନ୍ତି ନାହିଁ।

ତେଣୁ କଂଗ୍ରେସକୁ ଏ ବିଷମ ପରିସ୍ଥିତିରୁ ରକ୍ଷା କରିବା ଲାଗି ପ୍ରଦେଶ କଂଗ୍ରେସ ସଭାପତି ଏବେ ବିଜେଡ଼ିରୁ ବିତାଡିତ/ବହିଷ୍କୃତ ନେତାମାନଙ୍କୁ ଦଳ ଭିତରକୁ ଆଣିବା ଲାଗି ଅଣ୍ଟା ଭିଡିଛନ୍ତି। ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ପଂଚାନନ କାନୁନଗୋ ଓ ବ୍ରଜ କିଶୋର ତ୍ରିପାଠୀଙ୍କୁ କଂଗ୍ରେସରେ ସାମିଲ ହେବାକୁ ପ୍ରବର୍ତ୍ତାଇବାରେ ନିରଞ୍ଜନ ଲାଗି ପଡିଛନ୍ତି। ତେବେ ନିର୍ବାଚନ ର ଅବ୍ୟବହିତ ପୂର୍ବରୁ ଏ ନେତା ମାନେ କଂଗ୍ରେସକୁ ଯଦି ଆସନ୍ତି, ତାହେଲେ କଂଗ୍ରେସର ଶକ୍ତି ବୃଦ୍ଧି ହେବ କି?

ବିଜେପିରୁ ମୋହ ଭଙ୍ଗ ହେବାପରେ ବୈଜୟନ୍ତ ଏବେ କଂଗ୍ରେସ ସହିତ ହାତ ମିଳାଇଥିବାର ସୂଚନା ମିଳିଛି। ବୈଜୟନ୍ତଙ୍କ ସମେତ ବାକି ସବୁ ନେତା ଜୀବନ ତମାମ କଂଗ୍ରେସ ବିରୋଧରେ କହିଛନ୍ତି ଓ କାମ କରିଛନ୍ତି। ଏବେ ସେମାନେ ଯଦି କଂଗ୍ରେସକୁ ଆସନ୍ତି ପୁରୁଣା କଂଗ୍ରେସ କର୍ମୀମାନେ ତାଙ୍କୁ କେମିତି ଗ୍ରହଣ କରିବେ, ସେ ଏକ ବିରାଟ ପ୍ରଶ୍ନବାଚୀ। ତେବେ  ବୈଜୟନ୍ତଙ୍କୁ ଆଣିବା ପଛରେ କଂଗ୍ରେସର ସବୁଠୁ ବଡ ଲୋଭ ହେଉଛି ଓ ଟିଭି । ବୈଜୟନ୍ତ ଯଦି ଆସନ୍ତି ତାହେଲେ ଏକ ବଡ ଗଣମାଧ୍ୟମର ସମର୍ଥନ ଆପେ ଆପେ କଂଗ୍ରେସକୁ ଚାଲି ଆସିବ ବୋଲି ହୁଏତ ଦଲ ଭାବୁଥାଇ ପାରେ। ହେଲେ ବିଚାରରେ ଓ ସଂଯୋଗରେ ବୈଜୟନ୍ତ ସଂଘ ପରିବାରର ସବୁଠୁ ନିକଟବର୍ତ୍ତୀ ଲୋକ। ସେ କଂଗ୍ରେସ ଭିତରେ ନିଜକୁ କେମିତି ଖାପ ଖୁଆଇବେ ତାହା ଦେଖିବା, ବେଶ ମଜାଳିଆ ହେବ!

ତେବେ ଏତେସବୁ କଥା ଭିତରେ ଆଉ କିଛି ଶୁଣା କଥା ବି ରହିଛି-

  • ଯେମିତି, ଏୟା ବି ହୋଇପାରେ ଯେ ବୈଜୟନ୍ତ, ଦାମୋଦର, ବିଜୟ ଓଗେର ଓଡିଶା ଜନତା ଦଳ ନାମରେ ଗୋଟେ ନୂଆ ଦଳ ଗଢିପାରନ୍ତି ଓ ଏ ଦଳ କଂଗ୍ରେସ ସହିତ ଆସନ ବୁଝାମଣା କରିପାରେ!
  • ଯେମିତି ଅଣ ବିଜେପି ଓ ଅଣ ବିଜେଡି ଦଳଙ୍କର ଏକ ମେଣ୍ଟ କଂଗ୍ରେସ ନେତୃତ୍ଵରେ ହେବ ଓ ଏମାନେ ବିଜେଡି-ବିଜେପି ବୁଝାମଣା ପ୍ରସଙ୍ଗ ଉଠାଇ ଲାଭ ପାଇବାର ଉଦ୍ୟମ କରିବେ!
  • ଯେମିତି, ୧୦୦ ଓ ୪୭ ର ଏକ ଭାଗମାପ କଥା ମଧ୍ୟ ଉଠିପାରେ। କଂଗ୍ରେସ ୧୦୦ ଟି ଆସନରେ ଲଢି ବାକି ୪୭ ଟି ଆସନ ସହଯୋଗୀ ମାନଙ୍କୁ ଛାଡି ଦେଇପାରେ।

ଏତେ ସବୁ ଶୁଣାକଥା ଭିତରେ ଓଡିଶା ରାଜନୀତିର ମରମକଥା କିନ୍ତୁ ଅଲଗା। ଏବେବି ବିରୋଧୀ ଦଳ ଗୁଡିକ ନିଜର ଘର ସଜାଡିବାରେ ବ୍ୟସ୍ତ ଥିବାବେଳେ ବିଜେଡି ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଲାଣି। ଫେବୃଆରି ୧୫ ତାରିଖ ପୂର୍ବରୁ ସରକାରୀ ସ୍ତରରେ ବିଜେଡି ନିଜର ପ୍ରଚାର ଅବ୍ୟାହତ ରଖିବା। ନିର୍ବାଚନ ଲାଗି ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଅଧିକରୁ ଅଧିକ ଲୋଭନୀୟ ଯୋଜନା ସରକାରୀ ସ୍ତରରେ ଘୋଷଣା କରାଯିବ। ନିର୍ବାଚନ ତାରିଖ ଘୋଷଣା ପରେ କେବଳ ଔପଚାରିକ ଦଳୀୟ ପ୍ରଚାର ବାକିଥିବ।

ବିଜେଡ଼ିର ଏହି ପ୍ରସ୍ତୁତିକୁ ରୋକିବା ଲାଗି ବିରୋଧୀ ଦଳ ଗୁଡିକର ସାମର୍ଥ୍ୟ ଅପେକ୍ଷା ସେମାନଙ୍କ ଦୁର୍ବଳତା ଏବେ ଅଧିକ ଦୃଶ୍ୟମାନ ହେଉଛି। ଏଯାବତ ବିଜେପି ରାଜ୍ୟ ଶାଖା ଶକ୍ତିଶାଳୀ ଲାଗୁଥିବାବେଳେ ହଠାତ ବିଜେପି ଭିତରେ ଏବେ ଅସନ୍ତୋଷ ବାରି ହୋଇ ପଡୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଏବେ ଖୋଲାଖୋଲି ବିଦ୍ରୋହ ଦେଖା ଦେଲାଣି। ଉଭୟ କଂଗ୍ରେସ ଓ ବିଜେପି ନିଜ ଭଙ୍ଗାଘର ଗଢିବାରେ ଲାଗିଥିବା ସମୟରେ ବିଜୁ ଜନତା ଦଳ ନିଜର ଦୂର୍ଗ ଗଢି ସାରିଛି ବୋଲି, ଆମେ କହିପାରିବା।

Categories
ବିଶେଷ ଖବର

ମୋଦୀଙ୍କ ସବୁଜ ପତାକା କାହା ପାଇଁ, ପେସେଞ୍ଜର ଟ୍ରେନ ନା ନବୀନ ପଟ୍ଟନାୟକଙ୍କ ପାଇଁ ??

କେଦାର ମିଶ୍ର

ନରେନ୍ଦ୍ର ମୋଦୀ ବୋଧହୁଏ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଶହେ ମିଟରର ବ୍ରିଜ ହେଉ ବା ପେସେଞ୍ଜର ଟ୍ରେନ, କିଛି ବି ଉଦଘାଟନ କରିବା ଲାଗି ସବୁ ମୂହୁର୍ତ୍ତରେ ସେ ପ୍ରସ୍ତୁତ। ଏପରିକି ଗୋଟେ ପେସେଞ୍ଜର ଟ୍ରେନର ଲୋକାର୍ପଣକୁ ମଧ୍ୟ ସେ ତାଙ୍କ ସରକାରର କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିପାରନ୍ତି। ଗତ କାଲି ବାରିପଦାରେ ସେୟା ହେଲା ମଧ୍ୟ। ଗୋଟେ ସମାନ ପ୍ରକଳ୍ପକୁ ବିଭିନ୍ନ ସ୍ତରରେ ଶୁଭ ଦେବା, ଭୂମିପୂଜନ କରିବା ଭଳି କାମ କେବଳ ମୋଦୀ ସରକାରରେ ହିଁ ସମ୍ଭବ। ସେଦିନ ଜାମସେଦପୁରରୁ ବାଦାମପାହାଡ ପାସେଞ୍ଜର ଟ୍ରେନର ଶୁଭ ଉଦଘାଟନ ପ୍ରଧାନମନ୍ତ୍ରୀ କଲେ।  ଟ୍ରେନ ଜାମସେଦପୁରରେ ଆଉ ପ୍ରଧାନମନ୍ତ୍ରୀ ବାରିପଦାରେ। ବାରିପଦାରେ ସବୁଜ ପତାକା ହଲେଇ ପ୍ରଧାନମନ୍ତ୍ରୀ ଆତ୍ମତୃପ୍ତି ପାଇଥିବେ ନିଶ୍ଚୟ। କିନ୍ତୁ ସେ ସବୁଜ ପତାକା ଟ୍ରେନ ପାଇଁ ନା ଆଉ କାହା ପାଇଁ, ସେ ପ୍ରଶ୍ନ ଏବେ ଓଡିଶା ରାଜନୀତିର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

ମୋଦୀ ଗତ ଡିସେମ୍ବର ୨୪ ତାରିଖ ଦିନ ଖୁର୍ଦ୍ଧା ସଭାରେ ଯାହା କହିଥିଲେ, ବାରିପଦା ସଭାରେ ମଧ୍ୟ ଆପାତତଃ ସେୟା କହିବେ ବୋଲି ଆମେ ଭବିଷ୍ୟବାଣୀ କରିଥିଲୁ। ଏବେ ସେୟା ହିଁ ହୋଇଛି। ଖୁର୍ଦ୍ଧା ତୁଳନାରେ ବାରିପଦା ସଭାରେ ଓଡିଶା ସରକାରଙ୍କ ପ୍ରତି ମୋଦୀଙ୍କ ଆଭିମୁଖ୍ୟ ଅଧିକ ନରମ ଥିଲା। କଂଗ୍ରେସ ପ୍ରତି ଅତ୍ୟନ୍ତ କଡା (ପ୍ରଧାନମନ୍ତ୍ରୀ ଭାବରେ ଏକପ୍ରକାର ଅଶୋଭନୀୟ) ଭାଷା ପ୍ରୟୋଗ କରିଥିବା ମୋଦୀ ନବୀନ ପଟ୍ଟନାୟକଙ୍କ ନାଁ ମଧ୍ୟ ଉଚ୍ଚାରଣ କରିନଥିଲେ। ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ, ନବୀନ ଏବେ ମୋଦୀଙ୍କ ଭବିଷ୍ୟତ ପାଇଁ ସବୁଠୁ ବଡ ଆବଶ୍ୟକତା ପାଲଟିଛନ୍ତି।

କଂଗ୍ରେସର ରାଫାଲେ ଆକ୍ରମଣ ଯୋଗୁଁ ମୋଦୀ ଯେ ବିଚଳିତ ହୋଇ ପଡିଛନ୍ତି, ତାହାର ଝଲକ ବାରିପଦା ସଭାରେ ଗତ କାଲି ଦେଖିବାକୁ ମିଳିଥିଲା। କଂଗ୍ରେସକୁ ଆକ୍ରମଣ କରିବାରେ ହୁଏତ କିଛି ଅସୁବିଧା ନାହିଁ, କିନ୍ତୁ ଏହି ଆକ୍ରମଣ ଯେ ଆତ୍ମରକ୍ଷାର ବାଟ, ସେକଥା ମୋଦୀଙ୍କ ଭାଷଣରୁ ବାରି ହୋଇ ପଡୁଥିଲା। ମହିଳା ଶକ୍ତିକୁ ପ୍ରଶଂସା କରିବାକୁ ଯାଇ ଗୋଟେ ସାଧାରଣ ସଭାରେ ନିର୍ମଲା ସୀତାରମଣଙ୍କୁ ପ୍ରଶଂସା କରିବା ମୋଦୀଙ୍କ ଅସହାୟତାକୁ ଧାରା ପକେଇ ଦେଇଛି। ଆଜି ପର୍ୟନ୍ତ ସବୁ କଥାରେ ”ମୁଁ, ମୋର ଓ ମୋଦୀର” ବୋଲି କହୁଥିବା ନରେନ୍ଦ୍ର ମୋଦୀ ହଠାତ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଶଂସା କରିବା ପଛରେ ସେ ଭୟ ହିଁ କାମ କରୁଛି।

ତେବେ ସବୁଠୁ ବଡ କଥା ହେଲା, ରାଜ୍ୟ ସରକାର ବିରୋଧରେ ଚୁପ ରହିବା ପାଇଁ ମୋଦୀ ବାଧ୍ୟ ହୋଇଛନ୍ତି କି? ୨୦୧୯ ନିର୍ବାଚନରେ ସହଯୋଗୀ ଖୋଜିବାର ଉଦ୍ୟମର ଏହା ଅଂଶ ବିଶେଷ ମାତ୍ର। ଏବେ ମୋଦୀ ନବୀନଙ୍କୁ ସବୁଜ ସଙ୍କେତ ଦେଇ ସାରିଛନ୍ତି। ଏହାପରେ ଓଡିଶା ବିଜେପିର ଆକ୍ରମଣ ଫସର ଫାଟିବା ଅବସ୍ଥାକୁ ଆସିଯାଇଛି। ବିଜେପି ଓ ବିଜେଡି ଭିତରେ ଭିତିରି ବୁଝାମଣା ର ଚର୍ଚ୍ଚା ବିଜେପିକୁ ବଡ ଅକଳିଆ ଅବସ୍ଥାରେ ପକାଇଛି। ପୂର୍ବୋଦୟ ବାହାନାରେ ବିଜେପି ଏବେ ତେଲେଙ୍ଗାନା, ଓଡିଶା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀମାନଙ୍କର ଶରଣାପନ୍ନ ହୋଇଛି। ୨୦୧୯ ନିର୍ବାଚନରେ ନବୀନଙ୍କୁ କୌଣସି ପ୍ରକାରେ ହାତଛଡା କରିବାକୁ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଚାହୁଁନାହିଁ।

ତେଣୁ ଆଜି ମୋଦୀ ନବୀନଙ୍କୁ ବନ୍ଧୁତ୍ଵର ସବୁଜ ପତାକା ପ୍ରଦର୍ଶନ କରି ଫେରି ଯାଇଛନ୍ତି ବୋଲି କହିବାରେ କୌଣସି ଅସୁବିଧା ନାହିଁ।

Categories
ବିଶେଷ ଖବର

ବାରିପଦାରେ ମୋଦୀ କଣ କହିବେ? ରାଜ୍ୟ ସରକାର ବିରୋଧରେ ନ କହିବା ଏବେ ମୋଦୀ ରଣନୀତିର ସବୁଠୁ ବଡ ଆବଶ୍ୟକତା କି??

କେଦାର ମିଶ୍ର

ପ୍ରଧାନମନ୍ତ୍ରୀ ଗୋଟେ ସଭାରେ କଣ କହିବେ, ତାର ରାଜନୈତିକ ଗୁରୁତ୍ଵ ସବୁବେଳେ ଅଧିକ। ତାହା ପୁଣି ଯଦି ନିର୍ବାଚନ ସମୟ ହୋଇଥାଏ, ତାହେଲେ ପ୍ରଧାନମନ୍ତ୍ରୀଙ୍କ କଥାକୁ ଅଧିକ ମନ ଦେଇ ଶୁଣିବାକୁ ହୁଏ। ତାଙ୍କ କଥା ଭିତରୁ ଅନେକ କଥା ଖୋଜିବାକୁ ପଡେ। ତେବେ ନରେନ୍ଦ୍ର ମୋଦୀ ଆଜି ବାରିପଦାରେ କଣ କହିବେ, ତାକୁ ନେଇ ସତରେ ଆମ ମନରେ କିଛି ଉତ୍ସାହ ଅଛି କି? ମାତ୍ର ୧୪ ଦିନ ତଳେ ପ୍ରଧାନମନ୍ତ୍ରୀ ଖୁର୍ଦ୍ଧା ଓ ଭୁବନେଶ୍ବରରେ ଦୁଇଟି ସଭାରେ ଭାଷଣ ଦେଇ ଯାଇଛନ୍ତି। ଆଜି ବାରିପଦା ଆସିବେ ଓ ଆଉ କିଛି ଦିନ ପରେ ବଲାଙ୍ଗୀର କୁ ମଧ୍ୟ ଆସିବେ। ସେ ଦେଶର ପ୍ରଧାନମନ୍ତ୍ରୀ, ତେଣୁ ରାଜ୍ୟକୁ ଯେତେ ଆସିବେ ସେତେ ଭଲ। ତେବେ ତାଙ୍କ ଆସିବାରେ ବା ତାଙ୍କ କହିବାରେ ରାଜ୍ୟର ରାଜନୀତିରେ କିଛି ପ୍ରଭାବ ପଡୁଛି କି ନାହିଁ, ସେ କଥାର ଆକଳନ କରିବା ଆଜି ଜରୁରୀ।

୨୦୧୪-୧୫ ବେଳକୁ ମୋଦୀ ଯେଉଁଠି ଯାହା କହୁଥିଲେ, ତାହା ପଥରର ଗାର ବୋଲି ଲୋକ ଭାବୁଥିଲେ। ତାଙ୍କୁ ସମାଲୋଚନା କରିବାକୁ ଆଗ ପଛ ଅନେକ କଥା ବିଚାରିବାକୁ ପଡୁଥିଲା। ସାଧାରଣ ଲୋକଙ୍କ ଭିତରେ ମୋଦୀ ଗୋଟେ ପ୍ରକାର ଦେବଦୂତ ଥିଲେ। ଆଜି କିନ୍ତୁ ମୋଦୀ ବିରୋଧୀଙ୍କ ସଂଖ୍ୟା ଅଚାନକ ବଢିଯାଇଛି। ଯଦିଓ ତାଙ୍କର ଭକ୍ତ ଏବେବି ଅଛନ୍ତି, ସେମାନେ ଏବେ ପ୍ରାୟ କୋଣଠେସା। ସେମାନଙ୍କ ସଂଖ୍ୟା ବିଜେପିର ଟ୍ରୋଲ ଆର୍ମୀ ଓ ସୋସିଆଲ ମିଡିଆ ପ୍ରଭାଗରେ ଇ ସୀମିତ। ସାଧାରଣରେ ମୋଦୀ କୁହୁକ ଭାଙ୍ଗୁଛି ଓ ସେ ଭାଙ୍ଗିବାର ଲକ୍ଷଣ ଗତ ଡିସେମ୍ବର ମାସରେ ପାଞ୍ଚୋଟି ରାଜ୍ୟ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ହୋଇଯାଇଛି। ସେହି ପୃଷ୍ଠଭୂମିରେ ମୋଦୀ ବାରିପଦା ସଭାରେ କଣ କହିବେ ଓ ତାଙ୍କ କହିବାର ରାଜନୈତିକ ପ୍ରଭାବ କଣ ରହିବ, ସେ ସମ୍ପର୍କରେ ଗୋଟେ ଆନୁମାନିକ ରଚନା ଲେଖା ଯାଇପାରେ।

ମୋଦୀ ଖୁର୍ଦ୍ଧା ସଭାରେ ରାଜ୍ୟ ସରକାରଙ୍କ ପ୍ରତି ନରମ ଥିଲେ, କିନ୍ତୁ ବାରିପଦା ସଭାରେ ସେ ଟିକେ ଗରମ ହୋଇପାରନ୍ତି। କାରଣ, ପଞ୍ଚାୟତ  ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେପିର ପ୍ରଦର୍ଶନ ବେଶ ଭଲ ଥିଲା। ବିଜେପିର ସାଙ୍ଗଠନିକ ସ୍ଥିତି ଏବେ ମୟୂରଭଞ୍ଜ ଜିଲ୍ଲାରେ ଭଲ ରହିଛି। ତେଣୁ, କର୍ମୀଙ୍କୁ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଟିକେ ଆକ୍ରାମକ ହୋଇପାରନ୍ତି। ତେବେ ତାଙ୍କ ଆକ୍ରମଣର ମୂଳ ବିନ୍ଦୁ କଣ ରହିବ? ନବୀନ ସରକାର କୃଷି ଋଣ ଛାଡ କରନ୍ତୁ ବୋଲି ମୋଦୀ ଓଡିଶା ବିଜେପିର ଦାବୀକୁ ଦୋହରାଇବେ କି? ଏହାର ଉତ୍ତର ହେଉଛି, ସ୍ପଷ୍ଟ ଭାବରେ ନା। କାରଣ ନୂଆ ବର୍ଷ ଦିନ ମୋଦୀ ଏଏନଆଇ କୁ ସାକ୍ଷାତ୍କାର ଦେଇ ସ୍ପଷ୍ଟ ଭାବରେ କୃଷିଋଣ ଛାଡ ବିରୋଧରେ କହିଛନ୍ତି। ତା ସହିତ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରେ ଓଡିଶା ସରକାରଙ୍କ “କାଳିଆ’ ଯୋଜନାର ଆଭିମୁଖ୍ୟ ହିଁ ପ୍ରତିଫଳିତ।

ସେହିପରି ନବୀନ ସରକାରକୁ ପିସି ସରକାର ବୋଲି ଆଗରୁ ଥରେ ପ୍ରଧାନମନ୍ତ୍ରୀ କହିଥିଲେ। ଚିଟଫଣ୍ଡ  ଦୁର୍ନୀତି କଥା ମଧ୍ୟ ପ୍ରଧାନମନ୍ତ୍ରୀ ଉଠାଇଥିଲେ। ତେବେ ଏ ପ୍ରସଙ୍ଗରେ ଲୋକ ପଚାରିବେ, କେନ୍ଦ୍ର ସରକାରଙ୍କ ସିବିଆଇ ତାହେଲେ କରୁଛି କଣ? ଚିଟ ଫଣ୍ଡ ଦୁର୍ନୀତିର ତଦନ୍ତ କେଉଁ କାଳରୁ ଶୀତଳ ଭଣ୍ଡାରରେ ପଡି ରହିଛି। ନିର୍ବାଚନ ଆଗରୁ ସେ ନଥି ଫିଟିଲେ ଫଳ ଓଲଟା ହୋଇପାରେ। ତେଣୁ ପ୍ରଧାନମନ୍ତ୍ରୀ ଦୁର୍ନୀତି ବିରୋଧରେ ଯାହା କହିବେ, ତାହାର କୌଣସି ବିଶେଷ ଆଧାର ନାହିଁ।

ତେବେ ପ୍ରଧାନମନ୍ତ୍ରୀ କଣ କହିବେ ବୋଲି ଭାବିଲା ବେଳକୁ, ଆମକୁ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ  ଚେହେରା ଦିଶି ଯାଉଛି। କେସିଆର ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀଙ୍କୁ ଭେଟି ସାରିବା ପରେ ମୋଦୀଙ୍କୁ ଭେଟି କି ବାର୍ତ୍ତା ଦେଇଛନ୍ତି କେଜାଣି, ପ୍ରଧାନମନ୍ତ୍ରୀ ଏବେ କେସିଆରଙ୍କୁ ଉଚ୍ଛ୍ଵସିତ ପ୍ରଶଂସା କରୁଛନ୍ତି। ଏହାର ଅର୍ଥ ହେଉଛି, କେସିଆର ମୋଦୀଙ୍କ ଦୂତ ଭାବରେ ଓଡିଶା ଆସିଥିଲେ। ତେଣୁ ରାଜନୈତିକ ବାଧ୍ୟବାଧକତା କାରଣରୁ ମୋଦୀ  ନବୀନ ସରକାରକୁ ସମାଲୋଚନା କଲେ ମଧ୍ୟ, ୨୦୧୯ମଇ ମାସ ବେଳକୁ ତାଙ୍କର ଆଖି ନିବଦ୍ଧ ରହିଥିବ। ଯେତେ ବାହାସ୍ଫୋଟ ମାରିଲେ ମଧ୍ୟ ବିଜେପି ନେତୃତ୍ୱ ଭଲ ଭାବରେ ଜାଣନ୍ତି ଯେ ଏହି ନିର୍ବାଚନରେ ନିଜ ଦମ୍ଭରେ ସରକାର ଗଢିବାର ସ୍ଥିତି ବିଜେପିର ନାହିଁ। ତେଣୁ ନବୀନଙ୍କ ନିର୍ବାଚନ ପରବର୍ତ୍ତୀ ସମର୍ଥନ ଲାଗି ବାଟ ଖୋଲା ରଖିବାକୁ ବିଜେପି ଏକ ପ୍ରକାର ବାଧ୍ୟ।

ଆପାତତଃ, ବାରିପଦାରେ ଖୁର୍ଦ୍ଧାର ପୁନରାବୃତ୍ତି ହିଁ ହେବ।

Categories
ବିଶେଷ ଖବର

ସାକ୍ଷାତକାର ବି କେବଳ ଭକ୍ତ ସାମ୍ବାଦିକଙ୍କ ସହ, ସେଥିରେ ଗଣତନ୍ତ୍ର ସୁଦୃଢ ହେବ କେମିତି ଶ୍ରୀମାନ ପ୍ରଧାନମନ୍ତ୍ରୀଜୀ??

କେଦାର ମିଶ୍ର

ନୂଆ ବର୍ଷ ସନ୍ଧ୍ୟାରେ ଖବର ସରବରାହ ସଂସ୍ଥା ଏଏନଆଇ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ସାକ୍ଷାତକାର ପ୍ରଚାର କରିବା ବୋଲି ସୂଚନା ଦେଲା, ସେତେବେଳେ ଏକଥା ସ୍ପଷ୍ଟ ହୋଇଯାଇଥିଲା ଯେ ଏହି ସାକ୍ଷାତକାର ପୁଣି ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ହେବାକୁ ଯାଉଛି। କାରଣ ଅତ୍ୟନ୍ତ ସ୍ପଷ୍ଟ। ଏଏନଆଇର ସମ୍ପାଦିକା ସ୍ମିତା ପ୍ରକାଶ ପ୍ରଧାନମନ୍ତ୍ରୀଙ୍କର ଜଣେ ପୁରୁଣା ସ୍ତାବକ ଓ ସେ କୌଣସି ପ୍ରକାର କଡା ପ୍ରଶ୍ନ ପଚାରିବାକୁ ସମର୍ଥ ହେବେନାହିଁ ବୋଲି ସମସ୍ତଙ୍କୁ ଜଣାଥିଲା। ତଥାପି ପ୍ରଧାନମନ୍ତ୍ରୀ ଭାବରେ ମୋଦୀଙ୍କ ନୂଆବର୍ଷ ସାକ୍ଷାତକାରକୁ ଆମେ ଅପେକ୍ଷା କଲୁ ଓ ୯୫ ମିନିଟ ବ୍ୟାପୀ ତାକୁ ଶୁଣିଲୁ ମଧ୍ୟ। ପ୍ରଧାନମନ୍ତ୍ରୀ ଭାବରେ ପାଞ୍ଚ ବର୍ଷ ପୂରଣ କରିବାକୁ ଯାଉଥିବା ଜଣେ ତୁଙ୍ଗ ନେତା ଆଜି ମଧ୍ୟ ଅନ୍ୟକୁ ଗାଳି ଦେଇ ନିଜର ସିଂହାସନ ବଞ୍ଚାଇବାକୁ ଚାହୁଁଛନ୍ତି। କଂଗ୍ରେସ ଓ ବିରୋଧୀ ରାଜନୀତିକୁ ଗାଳି ଦେଇ ପ୍ରଧାନମନ୍ତ୍ରୀ ଯେ ୨୦୧୯ ନିର୍ବାଚନକୁ ସାମ୍ନା କରିବାକୁ ଯାଉଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଆପାତତଃ ପ୍ରଧାନମନ୍ତ୍ରୀଙ୍କ କଥାରେ କୌଣସି ନୂଆ କଥା ନଥିଲା। ସେ ନିଜ ଭାଷଣର ପୁନରାବୃତ୍ତି ହିଁ କରିଥିଲେ। ଆତ୍ମା ପ୍ରଶସ୍ତି ଓ ବିରୋଧୀ ନିନ୍ଦା ଛଡା ଏ ଭାଷଣରେ ଅଧିକ କିଛି ଥିଲା ଭଳି ମାନେ ହେଲାନାହିଁ। ପ୍ରଧାନମନ୍ତ୍ରୀ କୃଷି ଋଣ ଛାଡକୁ ବିରୋଧ କରିଛନ୍ତି। କାହିଁକି, ସେକଥା ବୁଝା ପଡୁନାହିଁ। ନିଜେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବୁଲି ବୁଲି କୃଷି ଋଣ ଛାଡ କରିବାକୁ ଘୋଷଣା କରିଥିଲେ। ସାକ୍ଷାତକାର କରୁଥିବା ସାମ୍ବାଦିକ ଜଣକ ଏ ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କୁ ପଚାରିବା ଉଚିତ ହୋଇଥାନ୍ତା। ତେବେ କ୍ଷମତାରେ ବଡ ମୁଣ୍ଡଙ୍କୁ ପ୍ରଶ୍ନ ପଚାରିବାକୁ କଲିଜା ଥିବା ଦରକାର। ସେ କଲିଜା ଏଏନଆଇର ଯେ ନାହିଁ, ଏକଥା ବୁଝା ପଡୁଛି।

ନିଜକୁ ପୀଡିତ ଭାବରେ ଉପସ୍ଥାପିତ କରିବାକୁ ପ୍ରଧାନମନ୍ତ୍ରୀ ଭଲ ପାଆନ୍ତି। ତାଙ୍କୁ ଲାଗେ, ସମସ୍ତେ ତାଙ୍କୁ ସମାଲୋଚନା କରୁଛନ୍ତି, ଅଥଚ, ତାଙ୍କ ନିଜ ରାଜନୀତି ହେଉଛି ଗାଳି ଓ ଘୃଣାର ରାଜନୀତି। ଆଜିର ସାକ୍ଷାତକାରରେ କଂଗ୍ରେସ ପ୍ରତି ପୁଣି ଥରେ ଗୁଡାଏ ବିଷ ଉଦଗାର ହୋଇଛି। ୨୦୧୪ ନିର୍ବାଚନରେ କଂଗ୍ରେସ କୁ ଆଲୋଚନା କରିବାର କିଛି କାରଣ ଥିଲା। ହେଲେ ଆଜି ବି କଂଗ୍ରେସ ବିରୋଧରେ ଖୋଦ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର ଅର୍ଥ ହେଉଛି, ମୋଦୀ ଏବେ କଂଗ୍ରେସକୁ ଡରିବା ଆରମ୍ଭ କରିଛନ୍ତି।

ମୋଦୀ ତେଲେଙ୍ଗାନାରେ ମେଣ୍ଟ ବିଫଳ ହୋଇଛି ବୋଲି କହିଛନ୍ତି। ତେଲେଙ୍ଗାନାରେ କେଉଁ ମେଣ୍ଟ ଓ କାହା ମେଣ୍ଟ କଥା ସେ କହୁଛନ୍ତି? ତେଲୁଗୁ ଦେଶମ ଓ କଂଗ୍ରେସର ମେଣ୍ଟ ବିରୋଧରେ ତେଲେଙ୍ଗାନା ରାଷ୍ଟ୍ର ସମିତି ଜିତିଲା। ବିଜେପି ସେଠି ମାତ୍ର ଗୋଟିଏ ଆସନ ପାଇଲା। ଚନ୍ଦ୍ରଶେଖର ରାଓଙ୍କ ସଫଳତା ବିଜେପିର ସଫଳତା ବୋଲି ମୋଦୀ କହିବାର ମାନେ କଣ? ପରୋକ୍ଷରେ ୨୦୧୯ ପାଇଁ ଏହା ଟିଆରଏସ, ବିଜେଡି ଓ ଟିଏମସି କୁ ଖୋଲା ଆମନ୍ତ୍ରଣ ନୁହେଁ ତ?

ପ୍ରଧାନମନ୍ତ୍ରୀ ନିଜେ ଏ ସାକ୍ଷାତକାର ପ୍ରସଙ୍ଗରେ ୪୦ ଟି ଟୁଇଟ କରିଛନ୍ତି। ୪୦ ଟୁଇଟ ରୁ ମାତ୍ର ଦୁଇଟି ଟୁଇଟ ରେ ସେ ନିଜ ସରକାରର ସଫଳତା କଥା କହିଛନ୍ତି। କଣ ସେ ସଫଳତା, ଦେଖାଯାଉ। ମୁଦ୍ରାସ୍ଫୀତି ସବୁଠୁ କମ। ଦେଶରେ ନୂଆ କିଛି ଆଇଆଇଟି ଓ ଆଇଆଇଏମ ଖୋଲା ହୋଇଛି। ଉତ୍ତମ ଓ ସହଜ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦିଆ ଯାଇଛି ଏବଂ ଉଡାଜାହାଜରେ ଉଡିବା ଶସ୍ତା ହୋଇଛି। ବିକାଶ କହିଲେ ଏତିକି ମାତ୍ର! ମୁଦ୍ରାସ୍ଫୀତି କମ ରହିଛି ହେଲେ, ଦରଦାମ କମୁନାହିଁ, ଏହାର କାରଣ କେବଳ ପ୍ରଧାନମନ୍ତ୍ରୀଙ୍କୁ ଜଣା! ଆଇଆଇଟି ଓ ଆଇଆଇଏମ ସବୁ ସରକାର ଖୋଲି ଚାଲିଛନ୍ତି, ନୂଆ କଣ? ଆୟୁଷ୍ମାନ ଭାରତ କେବଳ କାଗଜ କଲମରେ ଚାଲିଛି। ଆଉ ଉଡାଜାହାଜରେ ଉଡିବା ଲାଗି ଏ ଦେଶର ୯୯% ଲୋକଙ୍କ ସମ୍ବଳ ନାଇଁ। ଏଥିରୁ ବୁଝା ପଡୁଛି, ପ୍ରଧାନମନ୍ତ୍ରୀ କାହାର ବିକାଶ କରିଛନ୍ତି।

ନିର୍ବାଚନ ଆଗରୁ ଏବେବି ବିଜେପି ରାମ ମନ୍ଦିର, ତିନି ତଲାକ, କଂଗ୍ରେସ ବିରୋଧ ଭଳି ପୁରୁଣା ପ୍ରସଙ୍ଗରେ ରହିଛି। ସରକାର ସଫଳତା ଓ ବିକାଶର ଅନୁଭବ ବିଷୟରେ ପ୍ରଧାନମନ୍ତ୍ରୀଙ୍କର କିଛି କହିବାର ନାହିଁ। ପ୍ରଧାନମନ୍ତ୍ରୀଙ୍କ ପାଖରେ ଗାନ୍ଧୀ ପରିବାର ଓ ମନମୋହନ ସିଂଙ୍କୁ ଗାଳି କରିବା ଛଡା, ଦେଶକୁ ବାର୍ତ୍ତା ଦେବା ପାଇଁ ଆଉ ଅଧିକ କିଛି ନାହିଁ।

ଶେଷରେ ଆମେ କହିବୁ ଯେ, ପ୍ରଧାନମନ୍ତ୍ରୀ କେବେ ଏକ ସାମ୍ବାଦିକ ସମ୍ମିଳନୀ ଡାକିବେ? ପ୍ରାୟୋଜିତ ପ୍ରଶ୍ନର ଉତ୍ତର ନଦେଇ ଖୋଲାଖୋଲି ସାମ୍ବାଦିକଙ୍କୁ ସାମ୍ନା ନ କଲା ଯାଏ ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ପ୍ରତି ଅନୁରକ୍ତ ବୋଲି ପ୍ରମାଣିତ ହୋଇପାରିବେ ନାହିଁ।

Categories
ବିଶେଷ ଖବର ମତାମତ

ଶ୍ରୀମନ୍ଦିରର ଅରାଜକତା, ରାଜନୀତି ବା ପ୍ରଶାସନ ର ସମସ୍ୟା ନୁହେଁ, ଏହା ମନ୍ଦିର ପରିଚାଳନାରେ ରହିଥିବା ଐତିହାସିକ ଭୁଲର ପ୍ରତିଫଳନ

କେଦାର ମିଶ୍ର

ଦ୍ଵାରଫିଟା ଓ ଦୈନିକ ମଙ୍ଗଳ ଆଳତି ପ୍ରତ୍ୟହ ଊଷାକାଳ ଅର୍ଥାତ ଭୋର ୫ ଘଟିକା ବା ତତ ପୂର୍ବରୁ ହେବାର ନିୟମକେବଳ ଦଶହରା ପର ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ୟନ୍ତ, ଧନୁ ସଙ୍କ୍ରାନ୍ତିଠାରୁ ମକର ସଙ୍କ୍ରାନ୍ତି ପର୍ୟନ୍ତ ଓ ବିଶେଷ ନୀତି ଦିନ ମାନଙ୍କରେ ରାତ୍ର ପ୍ରହରେ ଥାଉଁ ହେବାର ନିୟମ ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁସାରେ ଏହା ହେଉଛି ମଙ୍ଗଳ ଆଳତିର ବିଧାନ। ଯଦି ଜଗନ୍ନାଥ ମନ୍ଦିରର ନୀତିକାନ୍ତି କୁ ଆମ ଧାର୍ମିକ ପରମ୍ପରାର ଅପରିହାର୍ୟ ଅଙ୍ଗ ବୋଲି ଆମେ ଭାବୁଛୁ, ତେବେ କୌଣସି ପରିସ୍ଥିତିରେ ମଧ୍ୟ ଏହି ପରମ୍ପରା ବଦଳିବା ଉଚିତ ନୁହେଁ। କିନ୍ତୁ ଗତକାଲି ଡିସେମ୍ବର ୨୮ ତାରିଖ ଦିନ ପୂରାଦିନ ମନ୍ଦିରର ଦ୍ଵାରଫିଟା କିମ୍ବା ମଙ୍ଗଳ ଆଳତି ହେଲାନାହିଁ। ବେଳେ ବେଳେ ଅପରିହାର୍ୟ କାରଣରୁ ମନ୍ଦିର ନୀତିରେ ବିଳମ୍ବ ଘଟେ, ହେଲେ ଆଜିର ବିଳମ୍ବ ପଛରେ ସେମିତି କିଛି ବିଶେଷ କାରଣ ଥିଲା କି?

କେହିଜଣେ ଭିତରଚ୍ଚୁ  ସେବକଙ୍କ ସହିତ ପୂର୍ବ ଦିନ ମନ୍ଦିର ପୋଲିସର ଧସ୍ତାଧସ୍ତି ହୋଇଥିଲା। ଏହାକୁ ନେଇ ପୋଲିସ ଏବଂ ସେବକ ଉଭୟ ପକ୍ଷ ଥାନାରେ ଏତଲା ଦେଇଛନ୍ତି। କଥାଟି ସେଇଠି ସରିଯିବା କଥା। ମନ୍ଦିର ଭିତରେ ସିସି ଟିଭି କ୍ୟାମେରା ଲାଗିଛି। ସେଥିରୁ ଯିଏ ଦୋଷ କରିଥିବେ ତାଙ୍କୁ ଦଣ୍ଡିତ କରା ଯାଇପାରିବ। ପୋଲିସ ତଦନ୍ତକୁ ଅପେକ୍ଷା ନ କରି ସେବକ ମାନେ ଗୋଟିଏ ଦିନ ଶ୍ରୀମନ୍ଦିରର ସେବା ପୂଜା କୁ ଠପ କରିଦେଲେ। ଏହା କଣ ସେବାୟତ ପରମ୍ପରା?ପୁରୀ ମନ୍ଦିର ସେବାୟତମାନେ ଅନେକ ସମୟରେ ଅଭିଯୋଗ କରି ଆସୁଛନ୍ତି ଯେ, ତାଙ୍କୁ ଗଣମାଧ୍ୟମରେ ଆକାରଣରେ ନିନ୍ଦିତ କରାଯାଉଛି। ତେବେ ଆଜି ମନ୍ଦିରରେ ଯାହା ଘଟିଲା ତାକୁ କେଉଁ ଓଡିଆ ବା ବରଦାସ୍ତ କରିବ?

ନିତାନ୍ତ ବ୍ୟକ୍ତିଗତ କାରଣରୁ ମନ୍ଦିରର ଦ୍ଵାରଫିଟା ଓ ମଙ୍ଗଳ ଆଳତି କୁ ୧୨ ଘଣ୍ଟା ବିଳମ୍ବିତ କରିବା, କେବଳ ପରମ୍ପରା ବିରୋଧୀ ନୁହେଁ, ଏହା ଏକ ଅପରାଧ। ମନ୍ଦିର ସେବାୟତ ନିଜକୁ ଭଗବାନଙ୍କଠାରୁ ମଧ୍ୟ ବଡ ବୋଲି ଭାବୁଛନ୍ତି। ସେମାନଙ୍କର ଆଚାର, ବ୍ୟବହାର ଓ କଥାବାର୍ତ୍ତା ଅନେକ ସମୟରେ ଅପରାଧୀଙ୍କ ସ୍ତରକୁ ଖସି ଆସୁଛି। ଯାହା ଫଳରେ ଓଡିଶାର ସାଧାରଣ ଜନତାଙ୍କ ଆକ୍ଷିରେ ପୁରୀ ସେବାୟତ ଏକ ପ୍ରକାର ଖଳ ନାୟକ ଭୂମିକାନେଇ ସାରିଲେଣି।

ପ୍ରତ୍ୟେକଟି ବିଭ୍ରାଟ ପରେ ମନ୍ଦିର ପରିଚାଳନା ସୁରୁଖୁରୁରେ ଚାଲିବ ବୋଲି କହୁଥିବା ସେବାୟତ ମାନେ ଛୋଟ ଛୋଟ କଥାକୁ ନେଇ ମାରିବା ମରିବା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି। ମନ୍ଦିର ଭିତରେ ଏକ ପ୍ରକାର ଅରାଜକତା ଚାଲିଛି। ସୁପ୍ରିମ କୋର୍ଟ ଓ ସରକାରଙ୍କ ନିର୍ଦ୍ଦେଶକୁ କାହାର ଖାତିର ନାଇଁ। ଗଣମାଧ୍ୟମ ଏଥିରେ ରୋଚକ କାହାଣୀ ତିଆରି କରୁଛି। ଧାର୍ମିକ ଭାବାବେଗକୁ ଅରାଜକତାରେ ରୂପାନ୍ତରିତ କରିବା ଲାଗି ସବୁ ପ୍ରକାର ଉଦ୍ୟମ ଚାଲିଛି। ତେବେ ଏଥିରେ କୌଣସି ରାଜନୈତିକ ଦଳ ବା ସରକାରର କ୍ଷତି ହେଉନାହିଁ। ଯାହା କ୍ଷତି ହେଉଛି, ତାହା କେବଳ ଆମ ଓଡିଶାର ଅସ୍ମିତାର। ଆମର ଆଧ୍ୟାତ୍ମିକତାର ମୂଳ ପୀଠଟି କେବଳ ବିଶୃଙ୍ଖଳା ଓ ଅରାଜକତାର ପ୍ରାଣକେନ୍ଦ୍ର ବୋଲି ଏକ ବାର୍ତ୍ତା ବିଶ୍ଵବାସୀଙ୍କ ପାଖକୁ ଯାଉଛି।

ରାଜନୀତି ବା ଗୋଷ୍ଠୀ ବିବାଦ ସୃଷ୍ଟି କରିବାକୁ ପୁରୀ ମନ୍ଦିର ଏକ ସହଜ ମାଧ୍ୟମ ବୋଲି ସମସ୍ତେ ଭାବି ନେଇଛନ୍ତି। ବୋଧେ ପୃଥିବୀର ଅନ୍ୟ କୌଣସି ଧର୍ମକ୍ଷେତ୍ରକୁ ନେଇ ଏତେ ପ୍ରକାର ରାଜନୀତି ବା ଏତେ ରକମର ନାଟକବାଜି ହେଉନଥିବ। କାରଣ ଥାଉ ବା ନଥାଉ, ମନ୍ଦିରରେ ନୀତି କାନ୍ତି ବନ୍ଦ କରିବାର ଅଧିକାର କାହାର ନାହିଁ। ଶ୍ରୀଜଗନ୍ନାଥଙ୍କୁ ଚଳନ୍ତି ବିଗ୍ରହ ବୋଲି ଆମେ ମନେକରୁ। ତାଙ୍କର ସେବାପୂଜାରେ ଏ ପ୍ରକାର ବିଭ୍ରାଟ ପାଇଁ, ଆଉ କାହାକୁ ନୁହଁ, କେବଳ ସେବାୟତମାନଙ୍କୁ ହିଁ ଉତ୍ତର ଦେବାକୁ ପଡିବ। ଜିଲ୍ଲାପାଳ ବା ପ୍ରଶାସକ ମନ୍ଦିର ପୂଜା କରିବାକୁ ଯିବେନାହିଁ।

ଦ୍ଵାରଫିଟା ଓ ମଙ୍ଗଳ ଆଳତି ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ସ୍ଵତ୍ତ୍ଵଲିପି ଅନୁସାରେଯେଉଁ ମାନେ ଏଥିଲାଗି ଅଧିକୃତ ସେମାନେ ଆଜିର ବିଭ୍ରାଟ ପାଇଁ ଅଭିଯୁକ୍ତ ହେବା ନିହାତି ଜରୁରୀ। ଝଗଡା ହେଉ କି ଅସନ୍ତୋଷ, ଏମିତି କୌଣସି କାରଣ ନାହିଁ, ଯାହାକୁ ନେଇ ମନ୍ଦିରର ନୀତିକାନ୍ତିକୁ ବନ୍ଦ କରିହେବ। ଏହି ଅପରାଧ ଲାଗି ଦାୟୀ ସବୁ ସେବାୟତଙ୍କୁ ସେବା ନିବୃତ୍ତ କରିବା ନିହାତି ଜରୁରୀ। ସେବାୟତ ମାନେ ମନ୍ଦିର ପ୍ରଶାସନକୁ ନିଜ ଇଛାର ତାସଘର ବନାଇପାରିବେ ନାହିଁ।

Categories
ବିଶେଷ ଖବର

ପ୍ରଥମ ଓଡିଆ ସମ୍ବାଦପତ୍ର ଉତ୍କଳ ଦୀପିକା, ଯାହାର ଐତିହ୍ୟ କୁ ଆମେ ଅଯୋଗ୍ୟମାନେ ଧରି ରଖି ପାରିଲେ ନାହିଁ

   କେଦାର ମିଶ୍ର

ସମ୍ବାଦପତ୍ର ଓ ଗଣମାଧ୍ୟମ ଶିଳ୍ପର ଚରମ ପ୍ରଗତି ସମୟରେ ଏହାର ଇତିହାସ ଯଦି  ପଢାଯାଏ, ଆମକୁ ଚକିତ ହେବାକୁ ପଡିବ । ବିକାଶର କୌଣସି ସମ୍ଭାବନା ନଥିବା ସମୟରେ ନୁଆ ଇତିହାସ ତିଆରି କରିବାର ସାହସ ମଣିଷ ଜାତି ସଂଚୟ କରିଥାଏ, ସେଥିଲାଗି ସବୁ ବଡ ସଫଳତା ର ଆରମ୍ଭ ସବୁଠୁ ଭୟଂକର ବିଫଳତା ରୁ ଇ ଆରମ୍ଭ ହୋଇଥାଏ ।  ଯେଉଁ ସମୟରେ ଓଡିଶାର ରାଜନୈତିକ ଅସ୍ତିତ୍ବ ନାହିଁ, ଭାଷା ଓ ସଂସ୍କୃତିର ସ୍ବୀକୃତି ନାହିଁ ଓ ଅର୍ଥନୈତିକ ମେରୁଦଣ୍ଡ ଏକପ୍ରକାର ଶକ୍ତିହୀନ, ସେତେବେଳେ ଓଡିଆ ମାନେ ପ୍ରଥମ କରି ଗୋଟେ ସମ୍ବାଦପତ୍ର ପ୍ରତିଷ୍ଠା କରିବାର ସ୍ବପ୍ନ ଦେଖୁଛନ୍ତି ଓ ସଫଳ ହେଉଛନ୍ତି। ୧୮୬୬ ମସିହାର କରାଳ ନ’ ଅଂକ ଦୁର୍ଭିକ୍ଷ ର ହାହାକାର ଭିତରୁ ଓଡିଶାର ପ୍ରଥମ ସମ୍ବାଦ ଓ ସମ୍ବାଦପତ୍ର ଜନ୍ମ ନେଉଛି।ଯଦିଓ ୧୮୫୬ ମସିହାରେ ଖ୍ରୀଷ୍ଟିଆନ ପାଦ୍ରୀ ଉଇଲିୟମ୍ ଲେସୀ ସାହେବଂକ ସମ୍ପାଦନା ରେ ପ୍ରଥମ ଓଡିଆ ସମାଚାର ପତ୍ର “ପ୍ରବୋଧ ଚନ୍ଦ୍ରିକା” ପ୍ରକାଶିତ ହୋଇଛି , ତଥାପି ତାକୁ ପୂର୍ଣ୍ଣାଙ୍ଗ ଓଡିଆ ସମ୍ବାଦପତ୍ର ବୋଲି କୁହାଯାଇ ପାରିବ ନାହିଁ  । ପ୍ରଥମ ପୂର୍ଣ୍ଣାଙ୍ଗ ଓଡିଆ ସମ୍ବାଦପତ୍ର ରୂପେ ୧୧,  ଅଗଷ୍ଟ ୧୮୬୬ ଦିନ ପ୍ରଥମ ସାପ୍ତାହିକ ଓଡିଆ ସମ୍ବାଦପତ୍ର “ଉତ୍କଳ ଦୀପିକା” ପ୍ରକାଶ  ପାଇଥିଲା ।ଓଡିଶାର ପରିଚୟ ଓ ଓଡିଆ ଜାତିର ଅସ୍ତିତ୍ବରେ ଦୀପିକା ନୁଆ ପ୍ରାଣ ସଂଚାର କରିଥିଲା  ।୧୮୬୬ ରୁ୨୦୧୮, ଶହେ ବାବନ ବର୍ଷ ଭିତରେ ଦୀପିକା ଆଜି କେବଳ ସ୍ମୃତି। ଓଡିଆ ଗଣମାଧ୍ୟମର ପ୍ରଥମ ସମ୍ପତ୍ତିକୁ ଆମେ ସାଇତି ରଖିଲୁ ନାହିଁ କି ତାକୁ ବଞ୍ଚେଇ ରଖିବାର ସାହସ ଆମର ଆସିଲା ନାହିଁ ।ଓଡିଶାର ଏହି ଐତିହାସିକ ଖବରକାଗଜ ସମ୍ପର୍କରେ କେତୋଟି ପ୍ରମୁଖ ତଥ୍ୟର ଆଲୋଚନା କରାଯାଉ  –

. “କଟକସ୍ଥ ସାହାଯ୍ୟ କୁମେଟୀ” ଶୀର୍ଷକରେ ୧୧, ଅଗଷ୍ଟ ,୧୮୬୬ ତାରିଖ ଦିନ “ଉତ୍କଳ ଦୀପକା” ନାମକ ଖବର କାଗଜର ପ୍ରଥମ ପୃଷ୍ଠାର ପ୍ରଥମ ସମ୍ବାଦ ପ୍ରକାଶ ପାଇଲା । ଛାପା ଅକ୍ଷରରେ ଓଡିଆ ସମ୍ବାଦ ପଢିବାର ସେ ଥିଲା ଐତିହାସିକ ଦିନ। ଖବର ଟି ଥିଲା ଏମିତି- ‘ ସହର ମଝିରେ ଯେତେ ଅରକ୍ଷିତ ପିଲା ସରକାରୀ ସଡକ ଉପରେ ବୁଲୁଥିବାର ଦେଖାଯିବେ ସେମାନଂକୁ ସାହାଯ୍ୟ ମହକୁମାରୁ ନିଯୁକ୍ତ ଥିବା ଓଭରସିୟର ଆପଣା ଜିମା ନେଇ ତାହାଁକର ଭରଣପୋଷଣ ଆଦି କରିବ।……….”

.  ଦୁର୍ଭିକ୍ଷ, ଅନ୍ନ ର ଅଭାବ ଓ ଏ ପ୍ରକାର ମାନବୀୟ ସଂକଟକୁ ମୁକାବିଲା କରିବାରେ ସରକାର ତଥା ଧନୀ ଓଡିଆ ମାନେ ବିଫଳ ହେଉଥିବାର ସ୍ପଷ୍ଟ ଚିତ୍ର ଦୀପିକାରେ ପ୍ରକାଶ ପାଇଛି। ଦୀପିକାର ପ୍ରଥମ ପ୍ରକାଶକ ଓ ସମ୍ପାଦକ ଗୌରୀଶଙ୍କର ରାୟ ବୃତ୍ତିରେ ବ୍ରିଟିଶ୍ ସରକାରର କର୍ମଚାରୀ ହୋଇଥିଲେ ମଧ୍ୟ ସରକାରକୁ କଟୁ ସମାଲୋଚନା କରାଯାଇଛି ।

. ନୁଆ କରି ଓଡିଶାରେ ଗଢି ଉଠୁଥିବା ମୁଦ୍ରଣ ଶିଳ୍ପ ର ବିକାଶ ପାଇଁ ୧୮୬୪ ମସିହାରେ କଟକର ଦରଘା ବଜାରରେ କଟକ ପ୍ରିଣ୍ଟିଙ୍ଗ କମ୍ପାନୀ ନାମକ ଏକ କମ୍ପାନୀ ଗଠିତ ହୋଇଛି । ଏହାର ନିର୍ଦ୍ଦେଶକ ଭାବରେ ବିଚିତ୍ରାନନ୍ଦ ଦାସ,ଲକ୍ଷ୍ମୀ ନାରାୟଣ ଚୌଧୁରୀ, ମଧୁସୁଦନ ଦାସ,ବିହାରିଲାଲ ପଣ୍ଡିତ,ଗୋପୀମୋହନ ସେନ,ବନମାଳୀ ସିଂ ପ୍ରମୁଖ ରହିଥିବା ବେଳେ ଏହାର ସମ୍ପାଦକ ଭାବରେ ଗୌରୀଶଙ୍କର ଶଂକର ରାୟ ଦାୟିତ୍ବ ନିର୍ବାହ କରିଛନ୍ତି ।

. ଗୌରୀଶଙ୍କର ରାୟ (୧୩,୦୭, ୧୮୩୮-୦୭,୦୩, ୧୯୧୭ ), ଉତ୍କଳ ଦୀପିକା ର ପ୍ରତିଷ୍ଠାତା ସମ୍ପାଦକ ।ତାଂକ ନେତୃତ୍ବରେ ଦୀପିକା ନିରନ୍ତର ପ୍ରକାଶ ପାଇଛି । ୧୮୬୬ ରୁ ୧୯୧୫ , ଦୀର୍ଘ ୪୯ ବର୍ଷ ଧରି ଦୀପିକାର ପରିଚାଳନା ଓ ସମ୍ପାଦନା ଦାୟିତ୍ବ ସେ ତୁଲାଇଥିଲେ।

. ମୃତ୍ୟୁ ର ଦୁଇ ବର୍ଷ ଆଗରୁ ଗୌରୀଶଙ୍କର ତାଂକର ଉତ୍ତରାଧିକାରୀ ଭାବରେ ସୁଦାମ ଚରଣ ନାୟକଂକୁ ସମ୍ପାଦକ ଦାୟିତ୍ବ ସମର୍ପି ଦେଇଥିଲେ। ଗୌରୀଶଙ୍କର ଜୀବିତ ଥିବାବେଳେ ଦୀପିକା ବନ୍ଦ ହୋଇନାହିଁ , ବରଂ ଏହା ଓଡିଆ ଭାଷା, ସଂସ୍କୃତି, ରାଜନୀତି, ଅର୍ଥନୀତି ଓ ସାମାଜିକ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରୁଛି ।

. ଗୌରୀଶଙ୍କର ମୃତ୍ୟୁବରଣ କରିବାର ମାତ୍ର ୧୭ ବର୍ଷ ପରେ କଟକ ପ୍ରିଣ୍ଟିଙ୍ଗ କମ୍ପାନୀ ଭାଂଗି ଗଲା ଓ ସବୁଦିନ ପାଇଁ ଓଡିଶାର ଗୌରବମୟ ଇତିହାସ ନିର୍ମାଣ କରିଥିବା ସମ୍ବାଦପତ୍ର ଦୀପିକା ସବୁଦିନ ଲାଗି ବନ୍ଦ ହୋଇଗଲା ।ସ୍ବତନ୍ତ୍ର ଓଡିଶା ଗଠନରେ ଅଗ୍ରଣୀ ଭୂମିକା ନେଇଥିବା ଦୀପିକା ରେ ସ୍ବତନ୍ତ୍ର ଓଡିଶା ଗଠନର ଖବର ପ୍ରକାଶ ପାଇ ପାରିଲା ନାହିଁ ।

. ଦୀପିକା ର ସମ୍ପାଦକୀୟ ମାନଦଣ୍ଡ ଓଡିଶାର ଗଣମାଧ୍ୟମର ଇତିହାସରେ ବିରଳ । ସବୁ ପ୍ରକାର ପକ୍ଷ ରଖିବାର ସୁଯୋଗ ଓ ସବୁ ମତକୁ ସମାନ ଭାବରେ ସମ୍ମାନ ଦେବାର ନୀତି ଦୀପିକାର ରହିଥିଲା । ଏହାର ସମ୍ପାଦକ ଭାବରେ ଗୌରୀଶଙ୍କର ଥିଲେ ଯୋଗଜନ୍ମା।ତାଂକ ପରେ ସୁଦାମ ଚରଣ ନାୟକ, ଭିକାରୀ ପଟନାୟକ ଓ ନୀଳମଣି  ବିଦ୍ୟାରତ୍ନ ପ୍ରମୁଖ ସମ୍ପାଦକ ଭାବରେ ନିଜ ସିଦ୍ଧିର ସ୍ବାକ୍ଷର ଛାଡି ଯାଇଛନ୍ତି।

. ଦୀପିକା ର ସମ୍ବାଦ ପରିବେଷଣ ଶୈଳୀ ରେ ବ୍ୟାପକ  ପରିବର୍ତନ ଆସିଛି ।୧୮୬୬ ବେଳର ଦୀପିକାର ଭାଷାରେ ଯେଉଁ ସାଧୁ ଓ ଜଟିଳ ଭାଷାର ବ୍ୟବହାର ଥିଲା ତାହା ସମୟକ୍ରମେ ଯୁକ୍ତିନିଷ୍ଠ ଓ ପ୍ରାସଂଗିକ ହୋଇଛି । ତେବେ ତେରଛା ସମାଲୋଚନା କରିବାର ଏକ ସୁନ୍ଦର ଶୈଳୀ ଦୀପିକାରେ ରହିଥିଲା, ଯାହାକି ଆଜିର ସମ୍ବାଦପତ୍ର ଗୁଡିକରେ ଏକ ପ୍ରକାର ଦେଖିବାକୁ ମିଳିନାହିଁ  ।

. ସମାଜ ସଂସ୍କାର ଓ ଲୋକ ବିକାଶ ର କଥା ଦୀପିକାରେ ପ୍ରମୁଖ ସ୍ଥାନ ପାଉଥିଲା। ସ୍ବାଧିନତା ଆନ୍ଦୋଳନ ପ୍ରତି ଦୀପିକାର ଆଗ୍ରହ ବିଶେଷ ନଥିବା ଏହାର ଏକ ବଡ ଦୁର୍ବଳତା । ଓଡିଆ ଜାତୀୟତା ଉପରେ ସର୍ବାଧିକ ଗୁରୁତ୍ବ ଦେଉଥିବା ଦୀପିକା ସ୍ବାଧିନତା ଆନ୍ଦୋଳନ ପ୍ରତି ପ୍ରାୟ ଉଦାସୀନ ରହି ଆସିଥିଲା ।

. ଦୀପିକାର ବିଜ୍ଞାପନ ନୀତି ଥିଲା ବେଶ୍ ରୋଚକ । ବଭିନ୍ନ ଆୟୁର୍ବେଦିକ ଔଷଧ ର ବିଜ୍ଞାପନ ସହିତ ନୁଆ ବହିର ବିଜ୍ଞାପନ ଓ ସୂଚନା ଏଥିରେ ନିୟମିତ ପ୍ରକାଶ ପାଉଥିଲା। ୬ ଜାନୁଆରୀ ୧୯୦୬ ରେ ପ୍ରକାଶିତ w Major & Co ର Electro Salsa ଏକ ଅଧ ପୃଷ୍ଠା ର ବିଜ୍ଞାପନ ବାହାରିଥିଲା ଯାହାକୁ ଦେବଗଡ, ରେଢାଖୋଲ ଓ ଖଲିକୋଟ୍ ରାଜା ପ୍ରୋତ୍ସାହିତ କରିଥିଲେ ।

ଆମ ସମ୍ବାଦପତ୍ର ଇତିହାସର ଏହି ସର୍ବଶ୍ରେଷ୍ଠ ଐତିହ୍ୟ କୁ ଆମେ ବଂଚାଇ ରଖିପାରିଲେ ନାହିଁ, ତାହା ଆମର ଦୁର୍ଭାଗ୍ୟ ।

Categories
ବିଶେଷ ଖବର

ନବୀନ ପଟ୍ଟନାୟକଙ୍କ ରାଜ୍ୟ ପାଇଁ ଆର୍ଥିକ ସ୍ଵାୟତ୍ତତାର ଦାବୀ କେନ୍ଦ୍ରର ଦାଦାଗିରି ବିରୋଧରେ ଏକ ବୃହତ୍ତର ରାଜନୈତିକ ଅସ୍ତ୍ର

କେଦାର ମିଶ୍ର

“ବିଜୁ ବାବୁ ଠିକ କହିଥିଲେ। ମୋତେ ଆର୍ଥିକ ସ୍ଵାୟତ୍ତତା ଦିଅ । ମୁଁ ଓଡ଼ିଶାକୁ ଦକ୍ଷିଣ ଏସିଆର ଏକ ଆଗୁଆ ରାଜ୍ୟ କରି ଗଢି ତୋଳିବି। ବିଜୁ ବାବୁଙ୍କ ସହ ମୁଁ ଏକମତ। ମୋତେ ଆର୍ଥିକ ସ୍ଵାୟତ୍ତତା ଦିଅ। ମୋର ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦରକାର ନାହିଁ, ମୋର କେନ୍ଦ୍ରୀୟ ପାଣ୍ଠି, ଅନୁଦାନ କିଛି ଦରକାର ନାହିଁ। ମୋର ଆର୍ଥିକ ସ୍ଵାୟତ୍ତତା ଦରକାର। ଓଡିଶାର ଟଙ୍କାରେ ମୁଁ ଓଡିଶାବାସୀଙ୍କର  ଉନ୍ନତି କରିବି।“

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ଏକଥା କହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୋଧହୁଏ ଗତ ଦଶ ବର୍ଷ ଭିତରେ ନବୀନ ବାବୁ ଦେଇଥିବା ବକ୍ତବ୍ୟ ଗୁଡିକ ମଧ୍ୟରେ ଏହା ସବୁଠୁ ଶକ୍ତିଶାଳୀ ଓ ବର୍ତ୍ତମାନ ର ରାଜନୈତିକ ପରିସ୍ଥିତିରେ ସବୁଠୁ ବେଶୀ ପ୍ରାସଙ୍ଗିକ। ମୋଦୀ ସରକାର ଅମଳରେ ରାଜ୍ୟ ଓ କେନ୍ଦ୍ର ଗୁଡିକ ମଧ୍ୟରେ ବଢିଚାଲିଥିବା ଦୂରତ୍ଵ କାରଣରୁ ଅଣ ବିଜେପି ମୁଖ୍ୟମନ୍ତ୍ରୀମାନେ ଏପ୍ରକାର ଦାବୀ କୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା କିଛି ଦିନ ତଳେ ଏ ପ୍ରସଙ୍ଗ ଉଠାଇଥିଲେ। ଦକ୍ଷିଣ ଭାରତର ମୁଖ୍ୟମନ୍ତ୍ରୀମାନେ ଏ ପ୍ରସଙ୍ଗକୁ ନେଇ ମିଳିତ ଭାବରେ ଏକ ଚାପ ଗୋଷ୍ଠୀ ଗଠନ କରିଛନ୍ତି। ଯେଉଁ ରାଜ୍ୟ ଗୁଡିକ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଉପାୟରେ ସର୍ବାଧିକ ଟିକସ ଓ ଖଣିଜ ରୟାଲିଟି ଦେଉଛନ୍ତି, ସେମାନେ ସ୍ଵାଭାବିକ ଭାବରେ କେନ୍ଦ୍ର ସରକାରଙ୍କଠାରୁ ଅଧିକ ଲାଭାଂଶ ଚାହିଁବେ। ଏ କ୍ଷେତ୍ରରେ ସମ୍ବଳର ଯଥାର୍ଥ ଆବଣ୍ଟନ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦିଷ୍ଟ ନୀତି ନାହିଁ। ପୂର୍ବରୁ ଯୋଜନା କମିଶନ ଏ ବିଷୟରେ ରାଜ୍ୟ ଗୁଡିକ ସହିତ ବ୍ୟାପକ ପରାମର୍ଶ କରୁଥିଲେ। ଅର୍ଥ କମିଶନ ଓ ଯୋଜନା କମିଶନ ସହିତ ରାଜ୍ୟ ସରକାର ଗୁଡିକର ନିୟମିତ ସମ୍ପର୍କ କାରଣରୁ ଅନେକ ସମସ୍ୟାର ସହଜ ସମାଧାନ ବାହାରି ପାରୁଥିଲା।

ମୋଦୀ ସରକାର ଆସିଲା ପରେ ସଙ୍ଘୀୟ ଢାଞ୍ଚାକୁ ଉପେକ୍ଷ କରି ଯୋଜନା କମିଶନକୁ ଭାଙ୍ଗିଦେଲେ ଓ ଏହାକୁ ନୀତି ଆୟୋଗ ଭାବରେ କେବଳ ଏକ ଉପଦେଷ୍ଟା ଭୂମିକାରେ ସୀମିତ ରଖିଲେ। ଏବେ କେନ୍ଦ୍ର ଓ ରାଜ୍ୟ ଭିତରେ ସମ୍ବଳ ଆବଣ୍ଟନ ର ଦାୟିତ୍ଵ ସିଧା ସଳଖ କେନ୍ଦ୍ର ଅର୍ଥ ବିଭାଗକୁ ଚାଲିଗଲା। ଯୋଜନା କମିଶନ ଯେଉଁ ପେଷାଦାର ମନୋଭାବ ନେଇ କାମ କରୁଥିଲେ, ତାହା ଅର୍ଥ ମନ୍ତ୍ରଣାଳୟ ବା ନୀତି ଆୟୋଗ ଦ୍ଵାରା ଆଉ ସମ୍ଭବ ହେଲାନାହିଁ। ରାଜନୈତିକ ସ୍ବାର୍ଥକୁ କେନ୍ଦ୍ରରେ ରଖି ଅର୍ଥ ବିଭାଗ ରାଜ୍ୟ ଗୁଡିକ ଉପରେ ନିଜର ଦାଦାଗିରି ଦେଖାଇଲେ। ଯାହାର ପରିଣତି ସ୍ଵରୂପ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କଲେ।  ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଏ ପ୍ରସଙ୍ଗରେ ନିଜର ଅସହଜତା ପ୍ରକାଶ କରିଛନ୍ତି।

ଓଡିଶା ମୁଖ୍ୟମନ୍ତ୍ରୀ ଗତ କିଛି ବର୍ଷ ଧରି ରାଜ୍ୟକୁ ସ୍ଵତନ୍ତ୍ର ପାହ୍ୟା ଦେବାକୁ ଦାବି କରି ଆସୁଥିଲେ। ଗତ କାଲି ପ୍ରଥମଥର ପାଇଁ ନବୀନଙ୍କ ସ୍ଵରରେ କିଛିଟା ବିଦ୍ରୋହର ଆଭାସ ଦେଖିବାକୁ ମିଳିଛି। ଖଣି ନିଲାମିରୁ ଓଡିଶା ସତୁରୀ ହଜାର କୋଟି ଟଙ୍କା ପାଇବା ବୋଲି କୁହା ଯାଉଥିଲା। ହେଲେ ଗତ ତିନି ବର୍ଷରେ ରାଜ୍ୟ ମାତ୍ର ୩୭୦ କୋଟି ଟଙ୍କା ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରଶ୍ନର ଉତ୍ତର କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ। ଖଣି ନିଲାମିରୁ ମିଳିଥିବା ଅର୍ଥରେ ରାଜ୍ୟ ଗୁଡିକର ବିକାଶ ପାଇଁ ପ୍ରଚୁର ଅର୍ଥ ଆସିବା ବୋଲି ସେତେବେଳେ କୁହାଯାଇଥିଲା। ସେ ଅର୍ଥ ଗଲା କୁଆଡେ?

ରାଜ୍ୟର ଆର୍ଥିକ ସ୍ଵାୟତ୍ତତାକୁ ନେଇ ବୃହତ୍ତର ବିତର୍କର ଆବଶ୍ୟକତା ଥିବାବେଳେ ଆମର ଗଣମାଧ୍ୟମ ଚିରାଚରିତ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବାଦୀପାଲା ଦେଖାଉଛନ୍ତି। ମୂଳ ପ୍ରସଙ୍ଗ ଉପରେ ଆଲୋଚନା ନକରି ଅଯଥା ନାଟକବାଜିରେ ରାଜ୍ୟର ମଙ୍ଗଳ ହେବାର ନାହିଁ। ସ୍ଵତନ୍ତ୍ର ରାଜ୍ୟ ପାହ୍ୟାରୁ ଆର୍ଥିକ ସ୍ଵାୟତ୍ତତାର ଦାବୀ ବିଜେଡି ରଣନୀତିରେ ବ୍ୟାପକ ପରିବର୍ତ୍ତନ ଆସିଥିବାର ସୂଚନା ଦେଉଛି। ନବୀନ ପଟ୍ଟନାୟକ ରାଜ୍ୟର ଆର୍ଥିକ ସ୍ଵାୟତ୍ତତା ପ୍ରସଙ୍ଗ ଉଠାଇ ସବୁ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଚିମୁଟି ଦେଇଛନ୍ତି। ସଙ୍ଘୀୟ ଢାଞ୍ଚାରେ କେନ୍ଦ୍ର ସରକାରର ସୀମାକୁ ନେଇ ଏଇଠୁ ବ୍ୟାପକ ବିତର୍କ ଆରମ୍ଭ ହେବ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଉଠାଇବା ପଛରେ ମଧ୍ୟ ନବୀନ ବାବୁଙ୍କର ଭିନ୍ନ ଉଦ୍ଦେଶ୍ୟ ରହିଛି। ଏହି ପ୍ରସଙ୍ଗକୁ ଆଳ କରି ଆଞ୍ଚଳିକ ଦଳ ଗୁଡିକ ନିଜର ରାଷ୍ଟ୍ରୀୟ ଏଜେଣ୍ଡା ପ୍ରସ୍ତୁତ କରିପାରନ୍ତି। ପ୍ରସ୍ତାବିତ ସଙ୍ଘୀୟ ସାମ୍ମୁଖ୍ୟ ଏହି ଦାବି ଉପରେ ଗଠିତ ହୋଇପାରେ। ନବୀନ ବିଜେଡି ପ୍ରତିଷ୍ଠା ଦିବସରେ ବିଜୁ ବାବୁଙ୍କର ଏହି ପୁରୁଣା ଦାବୀ କଥା ଉଠାଇ ପୁଣିଥରେ କେନ୍ଦ୍ର ସରକାରକୁ କାଠଗଡାରେ ଠିଆ କରାଇବାରେ ସଫଳ ହୋଇଛନ୍ତି

Categories
ବିଶେଷ ଖବର

ଅଟୋ ପାଇଲଟ ମୋଡରେ ବିରୋଧୀ, ବୈଜୟନ୍ତ ମାନିଲେ, ନବୀନ ଆଜି ମଧ୍ୟ ଅଜେୟ!!

କେଦାର ମିଶ୍ର

ବୈଜୟନ୍ତ ପଣ୍ଡା କେଉଁ ଦଳକୁ ଯିବେ ତାକୁ ନେଇ ଚର୍ଚ୍ଚା କରିବାକୁ ଏବେ ଆଉ ଗଣମାଧ୍ୟମର ଆଗ୍ରହ ନାହିଁ। ବୈଚାରିକ ଦୃଷ୍ଟିରୁ ବିଜେପି ତାଙ୍କ ଲାଗି ହୁଏତ ସ୍ଵାଭାବିକ ପସନ୍ଦ ହୋଇଥାନ୍ତା, ହେଲେ ବିଜେପି ନେତୃତ୍ୱ ତାଙ୍କୁ ଡାକିବାକୁ କୁନ୍ଥ କୁନ୍ଥ ହେଉଛନ୍ତି। ଡିସେମ୍ବର ୨୪ ରେ ବୈଜୟନ୍ତ ଖୁର୍ଦ୍ଧା ଠାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେବେ ବୋଲି ଏକ ଖବର ଶୁଣିବାକୁ ମିଳୁଥିଲା, ଯାହାକୁ ରାଜ୍ୟ ବିଜେପି ସଭାପତି ଖଣ୍ଡନ କରିଥିଲେ। ପ୍ରଧାନମନ୍ତ୍ରୀ ଆସିଲେ ଓ ଗଲେ, କିନ୍ତୁ ବୈଜୟନ୍ତଙ୍କ ଲାଗି ବିଜେପିର କବାଟ ସେମିତି ପୂର୍ବ ପରି ବନ୍ଦ ରହିଲା। ଇତି ମଧ୍ୟରେ ବୈଜୟନ୍ତ ନିଜର ଲେଖା ମାଧ୍ୟମରେ ଓ ସୋସିଆଲ ମିଡିଆ ଜରିଆରେ ବିଜେପିର ସବୁ ନୀତିକୁ ସମର୍ଥନ କରି ଚାଲିଛନ୍ତି। ଏପରିକି ରିଜର୍ଭ ବ୍ୟାଙ୍କର ସ୍ଵାଧୀନତା ସଙ୍କୁଚିତ କରିବାରେ ସରକାରୀ ପକ୍ଷକୁ ବୈଜୟନ୍ତ ସମର୍ଥନ କରି ଏକ ସ୍ତମ୍ଭ ରଚନା କରିଛନ୍ତି। ତଥାପି କେଉଁ ଅଜ୍ଞାତ କାରଣରୁ କେଜାଣି ବୈଜୟନ୍ତଙ୍କଠାରୁ ବିଜେପି ସତର୍କ ଦୂରତା ଅବଲମ୍ବନ କରୁଛି।

ତେବେ ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଖୁର୍ଦ୍ଧା ଭାଷଣରେ ନବୀନ ଓ ବିଜେଡି ସରକାର ପ୍ରତି ନରମ ଆଭିମୁଖ୍ୟ ପ୍ରଦର୍ଶନ କରିବା ପରେ ବୈଜୟନ୍ତଙ୍କର ବୋଧେ ବିଜେପି ପ୍ରତି ମୋହଭଙ୍ଗ ଘଟିଛି। ୨୪ ତାରିଖ ସନ୍ଧ୍ୟାରେ ସି-ଭୋଟର ସଂସ୍ଥା ତରଫରୁ କରାଯାଇଥିବା ଜନମତ ସର୍ବେକ୍ଷଣରେ ଲୋକସଭା ନିର୍ବାଚନରେ ଓଡିଶାରୁ ବିଜେପି ୧୫ ଟି ଆସନ ପାଇବା ବୋଲି କୁହାଯାଇଥିଲା। ସ୍ଵାଭାବିକ ଭାବରେ ଏହି ଖବର କୁ କେହି ବିଶ୍ବାସକୁ ନେଇନଥିଲେ। ଛୋଟ ଛୋଟ ନବୀନ ବିରୋଧୀ ଖବର କୁ ବଡ କରି ଦେଖାଉଥିବା ବୈଜୟନ୍ତଙ୍କ ଓଟିଭି, ଏହି ସର୍ବେକ୍ଷଣକୁ ଏକପ୍ରକାର ଆଡେଇ ଯାଇଥିଲା। ତେବେ ଏହି ଖବରର ପ୍ରତିକ୍ରିୟାରେ ବୈଜୟନ୍ତ ଏକ ପିନଡ ଟୁଇଟ କରିଥିଲେ, ଯାହାକି ଏବେ ସବୁଠୁ ଚର୍ଚ୍ଚାର ବିଷୟ ହୋଇଛି।

ଏବିପି ନ୍ୟୁଜର ଟୁଇଟ ଥିଲା, “ମୋଦୀ କୁହୁକକୁ ଆଶ୍ରା କରି ୨୦୧୯ ଲୋକସଭା ନିର୍ବାଚନରେ ଓଡିଶାରେ ବିଜେପି ବେଶ ଲାଭ ପାଇବାକୁ ଯାଉଛି- ଏବିପି ସର୍ବେକ୍ଷଣ”। ଏହାର ଉତ୍ତରରେ ବୈଜୟନ୍ତ ଲେଖିଥିଲେ- “ଏହା ଏକ ଅହଙ୍କାରୀ କଳନା, ସତରେ ଏମିତି ହେବ କି? ଯଦି ବା ସେମିତି କିଛି ସମ୍ଭାବନା ଅଛି ତାହା ଅଟୋ ପାଇଲଟ ମୋଡରେ ସମ୍ଭବ ହେବନାହିଁ। ସରକାର ବିରୋଧରେ ଲଢିବାକୁ ବିରୋଧିର ଶକ୍ତ କଲିଜା ଥିବା ଜରୁରୀ। ଓଡିଶାରେ ଖାଲି ଦୁର୍ନୀତି ହେଉଛି ଓ ଅପରାଧ ବଢିଛି ବୋଲି କହିଲେ ହେବନାହିଁ, ସେଥିଲାଗି କାମ କରିବାକୁ ପଡିବ। “

ଏହି ଟୁଇଟକୁ ସ୍ଵତନ୍ତ୍ର ଭାବରେ ପିନ କରି ରଖିବା ପଛରେ ବୈଜୟନ୍ତଙ୍କ ରାଜନୈତିକ ଉଦ୍ଦେଶ୍ୟ ଅତ୍ୟନ୍ତ ସ୍ପଷ୍ଟ। ସେ ସିଧା ସିଧା ଓଡିଶାରେ ବିଜେପିର ବିଜୟ ସମ୍ଭାବନାକୁ ଅମୂଳକ ବୋଲି କହୁଛନ୍ତି। ତା ସହିତ ନବୀନଙ୍କ ବିରୋଧରେ ଲଢିବାକୁ ବିଜେପିର କଲିଜା ନାହିଁ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ନବୀନଙ୍କ ଲୋକପ୍ରିୟତା ବିଷୟରେ ବୈଜୟନ୍ତଙ୍କ ଆକଳନ ବାସ୍ତବ ତଥ୍ୟ ଉପରେ ହିଁ ପର୍ଯବସିତ। ତେବେ ହଠାତ ବୈଜୟନ୍ତଙ୍କ ଏ ପ୍ରକାର ପଟ୍ଟ ପରିବର୍ତ୍ତନର କାରଣ କଣ? ବିଜେପି ଓ କଂଗ୍ରେସର ନବୀନ ବିରୋଧୀ ଆଭିମୁଖ୍ୟରେ ଶିଥିଳତା ତାଙ୍କୁ ବ୍ୟଥିତ କରିଛି କି? ବିଭିନ୍ନ ବାଟ ଦେଇ ବିଜେପିରେ ପ୍ରବେଶ କରିବାକୁ ଚେଷ୍ଟା କରି ବିଫଳ ହେବାପରେ ବୈଜୟନ୍ତ ଏବେ ବିଜେପି ଉପରେ ଅଲଗା ପ୍ରକାର ଚାପ ପ୍ରୟୋଗ କରିବାର ଚେଷ୍ଟା କରୁଛନ୍ତି କି?

ପ୍ରଶ୍ନ ଅନେକ, ଏହାର ଉତ୍ତର ମଧ୍ୟ ବହୁମୂଖୀ। ତେବେ ସବୁ ପ୍ରକାର ପରୀକ୍ଷା ନିରୀକ୍ଷା ପରେ ବୈଜୟନ୍ତ ପୁଣି ଥରେ ବିଜେଡି କୁ ଫେରି ଆସିବାକୁ ବ୍ୟାକୁଳ ବୋଲି ତାଙ୍କର ଜଣେ ପୁରୁଣା ସହଯୋଗୀ କହିଛନ୍ତି। ହେଲେ ତାଙ୍କୁ ବିଜେଡି ନେତୃତ୍ୱ ପୁଣିଥରେ ଗ୍ରହଣ କରିବ ତ? ୟା ପୂର୍ବରୁ ଲୋକସଭା ନିର୍ବାଚନ ଲଢିବାର ସମ୍ଭାବନା ବିଷୟରେ ମଧ୍ୟ ବୈଜୟନ୍ତ ଗୋଲ ମୋଲ ଉତ୍ତର ରଖିଥିଲେ। ସେ ହୁଏତ ପରିବର୍ତ୍ତିତ ପରିସ୍ଥିତିରେ କିଛି ସମୟ ଚୁପ ରହି ୨୦୧୯ ନିର୍ବାଚନ ପରେ ନିଜର ଗତିପଥ ବଦଳାଇ ପାରନ୍ତି।

ତେବେ ବାକି ଯାହା ହେଉନା କାହିଁକି, ବୈଜୟନ୍ତ ପରିଶେଷରେ ନବୀନକୁ ଅଜେୟ ନେତା ବୋଲି ମାନିବା, ଏବେ ବିଜେଡି କୁ ଆଶ୍ଚର୍ୟ କରିଛି।

Categories
ବିଶେଷ ଖବର ମତାମତ

ବେଚାରା ସାମ୍ବାଦିକ !! ତା’ର ଘର ନାହିଁ କି ଘାଟ ନାହିଁ

କେଦାର ମିଶ୍ର

ଅସୁରକ୍ଷିତ ଓ ଅରକ୍ଷିତ ଜୀବ ମାନଂକର ଏକ ତାଲିକା ଯଦି ତିଆରି କରାଯାଏ ସେହି ତାଲିକାରେ ଆଉ କିଏ ରହୁ କି ନ ରହୁ ସାମ୍ବାଦିକ ନାମକ  ପ୍ରାଣୀଟି ନିଶ୍ଚୟ ରହିବ! ପାଠକେ ହୁଏତ ଏ କଥା କୁ ବିଶ୍ବାସ କରି ନ ପାରନ୍ତି! ଏବେ ମଧ୍ୟ ଆପଣ ମାନେ ପାଠ ବହିରେ ପଢିଥିବା “ଅସୀ ଠାରୁ  ମସୀ ବଳିୟାନ” କିମ୍ବା “ସାମ୍ବାଦିକ ହେଉଛି ସମାଜର ଜାଗ୍ରତ ପ୍ରହରୀ” ଭଳି ବାକ୍ୟ କୁ ବିଶ୍ବାସ କରୁଥାଇ ପାରନ୍ତି ।  ସମ୍ବିଧାନ ର ଚତୁର୍ଥ ସ୍ତମ୍ଭ ଭାବରେ ଗଣମାଧ୍ୟମ ଅତ୍ୟନ୍ତ ପ୍ରଭାବଶାଳୀ ଓ ଏହାର କର୍ମକର୍ତ୍ତା ମାନେ ଗଣତନ୍ତ୍ରରେ ଆଗୁଆ ନାଗରିକ ବୋଲି ମଧ୍ୟ କେହି କେହି କହିପାରନ୍ତି।  ଅନ୍ୟ ଏକ ଚିନ୍ତନ ଅନୁସାରେ ଗଣତନ୍ତ୍ର ର ବାକି ତିନୋଟି ସ୍ତମ୍ଭ , ଯଥା-ବିଧାନପାଳିକା, କାର୍ୟପାଳିକା ଓ ନ୍ୟାୟପାଳିକା ର ଅବକ୍ଷୟ ସହିତ ତାଳ ଦେଇ ଗଣମାଧ୍ୟମ ମଧ୍ୟ ନିମ୍ନଗାମୀ  । ତେବେ ଅସଲ କଥା ଟି ହେଉଛି ସାମ୍ବାଦିକ ବେଚାରା ଗଣମାଧ୍ୟମର ଅଂଶ ବିଶେଷ ସିନା, ଏହାର ମାଲିକାନା ତା’ ପାଖରେ ନାହିଁ । ସେ ବେଚାରା କେବଳ ଦରମାଖିଆ ଚାକର । ସେ ଭିତରୁ ନବେ ଭାଗ ସାମ୍ବାଦିକ ଗୋତି ଶ୍ରମିକ ଜାତୀୟ . ସେମାନଂକୁ ସାମ୍ବାଦିକର ପରିଚୟ ପତ୍ର ଟିଏ କେବଳ ମିଳେ- ଆଉ କିଛି ମିଳେ ନାହିଁ । ସତୁରୀ ଦଶକରେ ଓଡିଶାର ଜଣେ ବିଶିଷ୍ଟ ଜନନେତା ଓ ଖବର କାଗଜ ସମ୍ପାଦକଂକୁ ତାଂକର ଅଧସ୍ତନ ସାମ୍ବାଦିକ କିଛି ମାସିକ ଭାତିଆ ମାଗିବାରୁ ମାନ୍ୟବର ସମ୍ପାଦକ ରହସ୍ୟମୟ ହସ ହସି କହିଥିଲେ- ହଇହୋ !! ପରିଚୟ ପତ୍ର ର ଭାତ ହାଣ୍ଡି ଟି ତମକୁ ଦେଇଛୁ ପରା, ପୁଣି ଭାତିଆ ଦେବୁ କିଆଁ !! କହିବା ବାହୁଲ୍ୟ, ସମ୍ପାଦକ ସିଧା ସିଧା କହିଲେ ଯେ ତମେ ନିଜେ ନିଜର ଜୀବନ ଜୀବିକା କଥା ବୁଝ ଓ ସେଥିରେ ସାମ୍ବାଦିକ ପରିଚୟର ଦୁରୁପଯୋଗ କଲେ ଆମ୍ଭର କିଛି କହିବାର ନାହିଁ  ।

ତେବେ ସତୁରୀ ଦଶକ ଓ ଆଜିର ତାରିଖ ଭିତରେ ବହୁତ୍ ବଡ ଫରକ ଆସିଛି।   ଗଣମାଧ୍ୟମର ଚେହେରା ଓ ଚରିତ୍ର ଇତି ମଧ୍ୟରେ ଆମୂଳଚୁଳ ବଦଳି ଯାଇଛି ।  ସମ୍ବାଦପତ୍ର, ଆକାଶବାଣୀ ଓ ଦୂରଦର୍ଶନ ର ସୀମିତ ପରିସର ରୁ ୨୪ * ୭ ଟେଲିଭିଜନ ଚାନେଲ୍, ପୋର୍ଟାଲ୍ , ସୋସିଆଲ୍ ମିଡିଆ ଓ ମୋବାଇଲ୍ ଖବର ର ବ୍ୟାପକ କ୍ଷେତ୍ର ରେ ଏବେ ଗଣମାଧ୍ୟମ ରେ ଚରମ ବିଷ୍ଫୋରକ  ଅବସ୍ଥା ଆସି ପହଂଚିଛି। ଆଜିର ତାରିଖରେ ଖବର କେବଳ ବିକ୍ରୀଯୋଗ୍ୟ  ସାମଗ୍ରୀ ନୁହଁ ଏହା ମନୋରଂଜନ ର ମାଧ୍ୟମ ମଧ୍ୟ। ଖବର ପ୍ରସ୍ତୁତି, ପ୍ରସାରଣ ଓ  ବିତରଣ ସହିତ ବହୁ ପରିମାଣରେ ଅର୍ଥର ଆବଶ୍ୟକତା ପଡୁଥିବାରୁ ତାକୁ ଚଲାଇରଖିବାର ସାହସ ସାମ୍ବାଦିକ ପାଖରେ ନାହିଁ । ତେଣୁ ସମ୍ବାଦ ଶିଳ୍ପ ର ମାଲିକାନା ଆପେ ଆପେ ପଇସାବାଲାଂକ ହାତକୁ ଚାଲି ଯାଉଛି।  କହିବାରେ ଦ୍ବିଧା ନାହିଁ, ଏବେ ଗଣମାଧ୍ୟମ ଜନମତକୁ ପ୍ରଭାବିତ କରିପାରୁଥିବା ଏକ ବ୍ୟବସାୟ ଯାହାର ମାଲିକାନା ଓ ପରିଚାଳନାରେ ସାମ୍ବାଦିକର କୌଣସି ବିଶେଷ ଭୂମିକା ନାହିଁ  ।

ଗଣମାଧ୍ୟମର ଯେଉଁ ଚେହେରା ଆମକୁ ଦିଶୁଛି, ସେଥିରେ ହୁଏତ ସାମ୍ବାଦିକକୁ ଆମେ ଦେଖୁଛୁ। ଭଲ ଲାଗିଲେ ତାକୁ ପ୍ରଶଂସା କରୁଛୁ, ଖରାପ ଲାଗିଲେ ଗାଳି ବି  କରୁଛୁ । ତେବେ ଟେଲିଭିଜନ ପରଦାରେ ଯିଏ ଚିତ୍କାର କରୁଛି ଅବା ଖବର କାଗଜରେ  ଯୋଉ ସବୁ କଡା ଖବର ଲେଖୁଛି, ସେ କେବଳ ମୁଖା ମାତ୍ର। ତା’ ପଛରେ ମାଲିକର ଛାଟ ଆମକୁ ଦେଖାଯାଉ ନାହିଁ । ମାଲିକ ହେଉଛି ସବୁକିଛି। ସାମ୍ବାଦିକତା ଏବେ କର୍ପୋରଟ୍  ମାଲିକାନା ର ସଖୀ କଣ୍ଢେଇ ମାତ୍ର ! ଗୋଟେ ପକ୍ଷରେ ଅମ୍ବାନୀ, ଅଦାନୀ, ଜିନ୍ଦଲ ମାନଂକର ସ୍ବାର୍ଥ ଓ ଅପର ପକ୍ଷରେ ରାଜନୀତିର ବିଷ ବଳୟ  । କ୍ଷମତା ରେ ଥିବା ସବୁ ଶାସକ ଚାହାଁନ୍ତି, ଗଣମାଧ୍ୟମ ତାଂକର ଗୁଲାମ ହୋଇ ରହୁ । ଏବେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ରୀ, ଏପରିକି ଛୋଟିଆ କୁଜିନେତା ମଧ୍ୟ ସାମ୍ବାଦିକକୁ କିଣି ନେବାକୁ ତତ୍ପର। ଏ ଦେଶର ବଡ ଗଣମାଧ୍ୟମ ସବୁର ମାଲିକାନା କର୍ପୋରଟ୍  ଓ ବଡ ବଡ ରାଜନେତାଂକ ହାତରେ ଥିବାବେଳେ ମଧ୍ୟମ ଧରଣର ବା ଛୋଟିଆ ସଂସ୍ଥା ସବୁ ଖୁଚୁରା ନେତାଂକ ହାତରେ । ତେଣୁ ସ୍ବାଧିନ ସାମ୍ବାଦିକତା ବୋଲି ଯାହା କୁହାଯାଉଛି ତାହା କେବଳ ଭ୍ରମ !

ସାମ୍ବାଦିକଂକ ଉପରେ ଅଂକୁଶ ଲଗେଇବାକୁ ଏବେ ନୁଆ ନୁଆ ତରିକା ମିଳିଯାଇଛି। ବୋଲ ମାନୁ ନଥିବା ସାମ୍ବାଦିକକୁ ଆଗେ ନିର୍ଭୀକ ବୋଲି କୁହାଯାଉଥିଲା । ସାମ୍ବାଦିକ ମାନେ ସ୍ବାଭାବିକ ଭାବରେ ଶାସନ କ୍ଷମତାରେ ଥିବା ଲୋକଂକ ବିରୋଧୀ ବୋଲି ଜନମତ ରହିଥିଲା।ଏବେ କିନ୍ତୁ ପରିସ୍ଥିତି ଅଲଗା । ଆପଣ ଯଦି ସରକାରଂକ ସପକ୍ଷରେ ଲେଖୁନାହାନ୍ତି , ଆପଣ “ଗଣିକା ସାମ୍ବାଦିକ” ବା “ପ୍ରେଷ୍ଟିଚ୍ୟୁଟ “। ପ୍ରତିଦିନ ସରକାର ଓ ସରକାରୀ ଦଳ ର ମୁଖପାତ୍ରମାନେ ନିଜକୁ ସୁପର୍ ଏଡିଟର୍ ଭାବେ ଉପସ୍ଥାପନ କରି ଆସୁଛନ୍ତି। ଏବେ କୁହାଯାଉଛି ମନ୍ତ୍ରୀ ଓ ଅମଲା ମାନେ ଯାହା ନିର୍ଦ୍ଦେଶ ଦେବେ ତାକୁ କାର୍ୟକାରୀ କରିବା ସମ୍ବାଦିକ ର କାମ। ଅନେକାଂଶରେ ସାମ୍ବାଦିକ ଏବେ ଷ୍ଟେନୋଗ୍ରାଫର୍ ଅଥବା ପୋଷ୍ଟ୍ ମ୍ୟାନ୍ । ସେ ବଡ ମାଲିକର ଇଛା ଓ ସ୍ବାର୍ଥକୁ ନେଇ ଚଳିବାକୁ ବାଧ୍ୟ।ଏକଦା ଜାତୀୟ ସ୍ତରର ଖବର କାଗଜ ଗୁଡିକ ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଓ ମାପଦଣ୍ଡ ରଖି କାମ କରୁଥିଲେ । ଟାଇମସ୍ ଅଫ ଇଣ୍ଡିଆ ଅବା ହିନ୍ଦୁସ୍ତାନ୍ ଟାଇମସ୍ ଭଳି କାଗଜର ଚରିତ୍ର ଟିକେ ଅଲଗା ବୋଲି କୁହାଯାଉଥିଲା । ତେବେ ଆଜି ସେ ସ୍ଥିତି ନାହିଁ । ଏହି ସବୁ ଖବର କାଗଜର ସାମ୍ବାଦିକ ମାନେ ଅନେକାଂଶରେ ଅସହାୟ ଓ ଅସୁରକ୍ଷିତ। କିଛି ନିର୍ଦ୍ଦିଷ୍ଟ ରାଜନେତା ଏବେ ସବୁ ଗଣମାଧ୍ୟମର ଡୋର ନିଜ ହାତରେ ଧରି ବୁଲୁଛନ୍ତି ।

(ଏଠାରେ ଦିଆଯାଇଥିବା କାର୍ଟୁନ ଟି ପ୍ରସିଦ୍ଧ କାର୍ଟୁନିଷ୍ଟ ଆର॰କେ॰ ଲକ୍ଷ୍ମଣ ଙ୍କର ଗଣମାଧ୍ୟମ ସ୍ଵାଧୀନତା ଉପରେ ଏକ କିମ୍ବଦନ୍ତୀ ପର୍ଯାୟର)

Categories
ବିଶେଷ ଖବର ମତାମତ

ପ୍ରିୟ ଜଷ୍ଟିସ କାଟଜୁ! ଆପଣଙ୍କ ଲାଗି ଜେଲଖାନା ନୁହଁ, ବରଂ ଗୋଟେ ଭଲ ଡାକ୍ତରଖାନାର ଆବଶ୍ୟକତା ରହିଛି!!

କେଦାର ମିଶ୍ର

ଜଷ୍ଟିସ ମାର୍କଣ୍ଡେୟ କାଟଜୁ, ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଓ ପ୍ରେସ କାଉନସିଲ ଅଫ ଇଣ୍ଡିଆ ର ପୂର୍ବତନ ଅଧ୍ୟକ୍ଷ। ବିଚାରପତି ଥିବା ସମୟରେ ନିଜ ରାୟକୁ ନେଇ ସେ ଯେତିକି ଚର୍ଚ୍ଚିତ ନଥିଲେ, ପଦବୀରୁ ଅବସର ନେବାପରେ ଟୁଇଟରରେ ନିଜର ବାଚାଳାମୀ କାରଣରୁ ଆଜିକାଲି ବେଶୀ ଚର୍ଚ୍ଚିତ। ଓଡିଆରେ ଆମର ସେ ପ୍ରସିଦ୍ଧ କଥା- ଦେଉଳ ତୋଳିଲେ ନାଁ, ଆଉ ବାଟରେ ଝାଡା ଫେରିଲେ ବି ନାଁ। ଜଷ୍ଟିସ କାଟଜୁ ଦ୍ଵିତୀୟ କାମଟି କରି ବେଶୀ ବେଶୀ ଚର୍ଚ୍ଚାରେ ରହିବାକୁ ଇଚ୍ଛୁକ। କେତେବେଳେ ବିଭିନ୍ନ ରାଜ୍ୟର ସଂସ୍କୃତି ବିଷୟରେ କଦର୍ୟ ମନ୍ତବ୍ୟ ଦେଲେଣି ତ ପୁଣି କେବେ ମହାତ୍ମା ଗାନ୍ଧୀ ଓ ନେତାଜୀ ସୁଭାଷ ବୋଷଙ୍କ ବ୍ୟକ୍ତିତ୍ବ ବିଷୟରେ କଟୁ କଥା କହିଲେଣି। କେତେବେଳେ ନିଜକୁ ଧର୍ମନିରପେକ୍ଷ ବୁଦ୍ଧିଜୀବୀ ବୋଲି କହୁଛନ୍ତି ତ ଠିକ ତା ପରେ ପରେ ସଂଖ୍ୟାଲଘୁଙ୍କ ଉପରେ ନିକୃଷ୍ଟ ମତ ପୋଷଣ କଲେଣି। ମୋଟାମୋଟି କହିବାକୁ ଗଲେ ଜଷ୍ଟିସ କାଟଜୁଙ୍କ ମତାମତ ଦେଖିଲେ ତାଙ୍କର ମାନସିକ ଭାରସାମ୍ୟକୁ ନେଇ ସନ୍ଦେହ ଆସିବା ସ୍ଵାଭାବିକ ।

ଓଡିଶା ସମ୍ପର୍କରେ କିଛିମାସ ତଳେ ସେ କିଛି ଅରୁଚିକର ମନ୍ତବ୍ୟ ରଖିଥିଲେ। ତାକୁ ନେଇ ଓଡିଶାର ସାଧାରଣ ଜନତା ଅତ୍ୟନ୍ତ ଭଦ୍ର କିନ୍ତୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କିଛି ଓଡିଆ ଯୁବକ ଜଷ୍ଟିସ କାଟଜୁଙ୍କ ଘରକୁ ଗୋଟେ ଫୁଲ ତୋଡା ପଠାଇ ସେଥିରେ ଲେଖିଥିଲେ- Dear Justice Katju, get well soon. ଏହି ଘଟଣା ପରେ ବିଚାରପତିଙ୍କ ବିଚାର ବିଭ୍ରାଟ ଓ ବାଚାଳାମୀ ବନ୍ଦ ହୋଇଯିବା କଥା। କିନ୍ତୁ କାଟଜୁଙ୍କ ବାଚାଳ ମସ୍ତିସ୍କରେ ଅନ୍ୟ ସହ କଣ୍ଟା ବାଡରେ ଲୁଗା ପକେଇ କଳି କରିବାର ଏକ ପୋକ ଅଛି। ସେ ପୋକ କାମୁଡିଲେ ଏ ମହାଶୟ ଆକାରଣରେ ଅନ୍ୟମାନଙ୍କ ସହ ଝଗଡା କରନ୍ତି।

ତାଙ୍କୁ କହ୍ନେୟା କୁମାର ର ଭାଷଣ ଶୁଣିଲେ ଚିଡ ଚିଡ ଲାଗେ। ଯୋଗେନ୍ଦ୍ର ଯାଦବଙ୍କ ଦାଢି ତାଙ୍କୁ ଭଲ ଲାଗେନାହିଁ। ସେପରି ଓଡିଆଙ୍କ ନାଁ ଶୁଣିଲେ ତାଙ୍କର ମୁଣ୍ଡରେ ପୋକ କାମୁଡେ। କିଛିଦିନ ତଳେ ଅଭିଜିତ ଆୟାର ମିତ୍ର ନାମକ ଉଦଭ୍ରାନ୍ତ ବାଳକ ଜଣକ ଯେତେବେଳେ ଓଡ଼ିଶାକୁ ନେଇ କିଛି ଅଭଦ୍ର ଓ ଉତ୍ତେଜନା ସୃଷ୍ଟିକାରୀ କଥା କହିଲା, ଓଡିଶା ପୋଲିସ ତାଙ୍କୁ ଗିରଫ କଲେ। ସର୍ବ ସାଧାରଣରେ ଅଶ୍ଳୀଳ ଭାଷା କହିବା ଓ ଗୋଟେ ରାଜ୍ୟର ଲୋକଙ୍କୁ ଅଭଦ୍ର ବ୍ୟବହାର କରିବା, ବାକ ସ୍ଵାଧୀନତାର ଅଂଶ ବୋଲି ଆମ ଦେଶର ବହୁ ବୁଦ୍ଧିଜୀବୀ ହଠାତ ଯୁକ୍ତି କରନ୍ତି। ସେ ଯାହାବି ହେଉ ୪୨ ଦିନ ଜେଲରେ ରହିବା ପରେ ଓ ସର୍ବ ସାଧାରଣରେ କ୍ଷମା ପ୍ରାର୍ଥନା କରିବାପରେ ଅଭିଜିତଙ୍କ ଉପରୁ ସବୁ ମକଦ୍ଦମା ଉଠେଇ ଦେବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଅଭିଜିତ ଜେଲରୁ ମୁକୁଳିବା ପରେ ଜଷ୍ଟିସ କାଟଜୁ ମୁଁ ଓଡିଆଙ୍କୁ ଅପମାନିତ କରି ଜେଲ ଯିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଆମ ଓଡିଆରେ ଗୋଟେ କଥା ଅଛି- ବୃଦ୍ଧ ବାଳୁତ କଥାକୁ ମନରେ ନ ଧର। ଜଷ୍ଟିସ କାଟଜୂ ସେଇ ବୃଦ୍ଧ ବାଳୁତ ଶ୍ରେଣୀର। ତାଙ୍କୁ ନେଇ ବା ତାଙ୍କ ଟୁଇଟକୁ ନେଇ ବିଚଳିତ ହେବାର କୌଣସି କାରଣ ନାଇଁ। ହଁ, ସେ ଯଦି ଅଭିଜିତ ପରି ଅଶ୍ଳୀଳ ଭାଷାର ପ୍ରୟୋଗ କରନ୍ତି କିମ୍ବା ଘୃଣା ସୃଷ୍ଟିକାରୀ ଭାଷଣ ଦିଅନ୍ତି, ତାହେଲେ ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ୟାନୁଷ୍ଠାନ ହେବା ଉଚିତ। ନଚେତ ଏ ବାଚାଳ ଟୁଇଟ କୁ ନେଇ କିଛି କହିବା ବାଚାଳତା ଇ ହେବ।

ତେବେ ବାଚାଳ କାଟଜୁଙ୍କ କିଛି ଓଡିଆ ପ୍ରଶଂସକ ମଧ୍ୟ ଅଛନ୍ତି। ତାଙ୍କ ଟୁଇଟ କୁ ଲାଇକ କରିଥିବା ଲୋକଙ୍କ ଭିତରେ ଆମର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ଜାଗି ମଙ୍ଗତ ପଣ୍ଡା ରହିଛନ୍ତି। କିଛି ସାମ୍ବାଦିକ ମଧ୍ୟ କାଟଜୁଙ୍କୁ ବାଃ ବାଃ କରିଛନ୍ତି। ଏମାନେ ଭାବୁଥିବେ, ବୋଧେ ଜେଲ ଦଣ୍ଡ ଦେଇ ଓଡିଶା ସରକାର ଏମାନଙ୍କୁ ସେଲିବ୍ରିଟି ହେବାର ସୁଯୋଗ ଦେବେ। ବାସ୍ତବରେ ଏମାନଙ୍କୁ ଜେଲଖାନା ଅପେକ୍ଷା ଡାକ୍ତରଖାନା ର ଆବଶ୍ୟକତା ବେଶୀ । ମନୋ ଚିକିତ୍ସା ସଠିକ ସମୟରେ ନହେଲେ, କିଛି ଲୋକ ପାଗଳ ହୋଇ ରାସ୍ତାରେ ବୁଲିବାର ସମ୍ଭାବନା ରହିଥାଏ। ଆମେ ପ୍ରାର୍ଥନା କରିବୁ ଜଷ୍ଟିସ କାଟଜୁଙ୍କ କ୍ଷେତ୍ରରେ ସେମିତି କିଛି ନ ଘଟୁ!!