Categories
ବିଶେଷ ଖବର

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡିଶା କଂଗ୍ରେସ ବିଧାୟକ ଦଳ ଯଦି ଭାଙ୍ଗିଯାଏ, ବିଶେଷ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ!!

ସମୀକ୍ଷା ବ୍ୟୁରୋ

ଏବେ ଏବେ ଗୋଟେ ଖବର ଉଡିବୁଲୁଛି ଯେ ଓଡିଶା ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ପାଞ୍ଚଜଣ ସଦସ୍ୟ ଅନ୍ୟ ଦଳକୁ ଚାଲି ଯାଇପାରନ୍ତି। ଓଡିଶା ବିଧାନସଭା ନିର୍ବାଚନ ଇତିହାସରେ ୨୦୧୯ ହେଉଛି କଂଗ୍ରେସର ସବୁଠୁ ଖରାପ ପ୍ରଦର୍ଶନ। ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ରାଜ୍ୟର ଶାସନ ସମ୍ଭାଳିଥିବା କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିବା ଓ ୧୪୭ ଟି ଆସନରୁ ୧୦୦ରୁ ଅଧିକ ଆସନରେ କଂଗ୍ରେସ ପ୍ରାର୍ଥୀମାନେ ତୃତୀୟ ସ୍ଥାନରେ ରହିବା କିମ୍ବା ଅମାନତ ହରାଇବା ଭଳି ଅବସ୍ଥା କେବେ ସୃଷ୍ଟି ହୋଇନଥିଲା। ବିଧାନସଭାରେ ମାତ୍ର ୯ ଟି ଆସନରେ କଂଗ୍ରେସ ଜିତିଥିବା ବେଳେ ବର୍ତ୍ତମାନ ସେଥିରୁ ପାଞ୍ଚଜଣ ବିଧାୟକ ବିଜେଡିରେ ମିଶିଯିବାକୁ ଉଦ୍ୟମ କରୁଛନ୍ତି ବୋଲି ଖବର ଆସୁଛି।ବିଧାନସଭାରେ ବିଜେଡ଼ିର ଦୁଇ ତୃତୀୟାଂଶରୁ ଅଧିକ ସଦସ୍ୟ ଅଛନ୍ତି। ତା ସତ୍ତ୍ୱେ ମଧ୍ୟ ରାଜ୍ୟସଭାର ସବୁ ଆସନ ଜିଣିବାକୁ ହେଲେ ବିଜେଡ଼ିକୁ କିଛି କଂଗ୍ରେସ ବିଧାୟକଙ୍କ ସମର୍ଥନ ଲୋଡା। ସେହିପରି ବିଜେପି ମଧ୍ୟ କଂଗ୍ରେସ ବିଧାୟକଙ୍କ ଉପରେ ଆଖି ରଖିଛି। ଯଦି କିଛି କଂଗ୍ରେସ ବିଧାୟକ ବିଜେପିରେ ମିଶିଯାଆନ୍ତି, ତାହେଲେ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ମିଳିଯିବ।

ବର୍ତ୍ତମାନ ବିଜେଡ଼ିର ଚାରିଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ସଦସ୍ୟଥିବା ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ସ୍ଥାନ ପୂରଣ ଲାଗି ଯଥାଶୀଘ୍ର ନିର୍ବାଚନ ହେବାକୁ ଯାଉଛି। ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଜଣ ରାଜ୍ୟସଭା ସଦସ୍ୟଙ୍କୁ ସହଜରେ ନିର୍ବାଚିତ କରିପାରିବ। ଚତୁର୍ଥ ସଦସ୍ୟ ନିର୍ବାଚିତ କରାଇବାକୁ ହେଲେ ବିଜେଡ଼ିକୁ ଆଉ ୮ ଜଣ ବାହାର ସଦସ୍ୟଙ୍କ ସମର୍ଥନ ନିହାତି ଜରୁରୀ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୯ଜଣ, ସିପିଆଇଏମ ଓ ସ୍ଵାଧୀନର ଜଣେ ଲେଖାଏଁ ସଦସ୍ୟ ନିର୍ଣ୍ଣାୟକ ଭୂମିକା ନେବେ। ତେବେ କଂଗ୍ରେସ ବିଧାୟକ ଦଳକୁ ଭାଙ୍ଗି ସବୁଦିନ ଲାଗି ନିଜର ପକ୍ଷ ମଜବୁତ କରିବାକୁ ଏବେ ବିଜେଡି ଓ ବିଜେପି ଉଦ୍ୟମ ଆରମ୍ଭ କରିଛନ୍ତି।

କଂଗ୍ରେସକୁ ବିଭିନ୍ନ ରାଜ୍ୟରେ ଭାଙ୍ଗିବା ଲାଗି ବିଜେପି ତରଫରୁ ଗତ କିଛି ମାସ ହେଲା ଉଦ୍ୟମ ଜାରି ରହିଛି। ଗୋଆ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରେ ଅନେକ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଉଛନ୍ତି। ପଶ୍ଚିମବଙ୍ଗରେ କିଛି ତୃଣମୂଳ ଓ ବାମପନ୍ଥୀ ବିଧାୟକଙ୍କୁ ବିଜେପି ନିଜ ଶିବିରକୁ ଆଣିପାରିଛି। ତେଲେଙ୍ଗାନାରେ ୧୨ ଜଣ କଂଗ୍ରେସ ବିଧାୟକ ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଯୋଗ ଦେଇଛନ୍ତି। ସାରା ଦେଶରେ କଂଗ୍ରେସ ବିଧାୟକଙ୍କ ଦଳ ଡିଆଁ ଚାଲିଥିବା ବେଳେ ଏହାର ପ୍ରଭାବ ଓଡିଶା ଉପରେ ମଧ୍ୟ ପଡିବ। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବାପରେ ଏବେ ଜାତୀୟ ସ୍ତରରେ କଂଗ୍ରେସ ଏକ ପ୍ରକାର ଦିଶାଶୂନ୍ୟ ଅବସ୍ଥାରେ ପହଞ୍ଚିଛି। ଏପରିକି ଦଳ ସରକାର ଥିବା ପଞ୍ଜାବ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାୟକମାନେ ସ୍ଥାନୀୟ ନେତୃତ୍ଵ ବିରୋଧରେ ମେଳି ବାନ୍ଧି ବିଜେପିର ଏଜେଣ୍ଡାକୁ ଆଗକୁ ବଢାଉଛନ୍ତି।

ଓଡିଶାରେ ନବ ନିର୍ବାଚିତ କଂଗ୍ରେସ ବିଧାୟକମାନଙ୍କୁ ବାନ୍ଧି ରଖିବାରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି କେତେଦୂର ସକ୍ଷମ ହେବେ, ତାହା ସମୟ କହିବ। ତେବେ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସ ନିଜ ଛୋଟିଆ ବିଧାୟକ ଦଳକୁ ଯେ ବଞ୍ଚାଇ ପାରିବ ସେ ଭରସା ଆଉ ନାହିଁ। ଉଭୟ ବିଜେଡି ଓ ବିଜେପି ଶିବିରରୁ ଏମାନଙ୍କୁ ନିଜ ପକ୍ଷକୁ ଟାଣିବା ଲାଗି ସୁଚିନ୍ତିତ ରଣନୀତି ରହିଛି। ଟଙ୍କା ଥଳି ସହିତ ପଦବୀର ପ୍ରଲୋଭନ ରହିଛି। କଂଗ୍ରେସ ଭିତରେ ରହି ମାଟି କାମୁଡି ପଡି ରହିବା ଅପେକ୍ଷା ମଉକା ଦେଖି ଚଉକା ମାରିବାକୁ କିଛି କଂଗ୍ରେସ ବିଧାୟକ ଚାହୁଁଛନ୍ତି। କଂଗ୍ରେସରେ ରହିଲେ ନିଜର ରାଜନୈତିକ ଭବିଷ୍ୟତ ଅନ୍ଧାର ବୋଲି ଏବେ ଏକ ସ୍ପଷ୍ଟ ଧାରଣା କଂଗ୍ରେସ ନେତାମାନଙ୍କର ହେଲାଣି। ଗୋଷ୍ଠୀ କନ୍ଦଳ ଓ ଗୋଡ ଟଣାଟଣି ରାଜନୀତି ରୁ କଂଗ୍ରେସକୁ ମୁକ୍ତି ମିଳୁନାହିଁ। କେନ୍ଦ୍ର ଓ ରାଜ୍ୟରେ କ୍ଷମତାଠୁ ଦୀର୍ଘ ବର୍ଷ ଦୂରରେ ରହି କଂଗ୍ରେସର ମନୋବଳ ଭାଙ୍ଗି ଯାଇଛି। କ୍ଷମତା ଲାଗି ଛଟପଟ ଅନେକ କଂଗ୍ରେସ ବିଧାୟକ ଏବେ ଆଉ ଦଳରେ ରହି ନିଜର ଶକ୍ତି ଓ ସାମର୍ଥ୍ୟ ଅପଚୟ କରିବାକୁ ଚାହୁଁନାହାନ୍ତି।

ସେହି ଦୃଷ୍ଟିରୁ ଆସନ୍ତା ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ଦଳରେ ବିଭାଜନ ଲାଗି ଉଦ୍ୟମ ସଫଳ ହେବାର ଢେର ସମ୍ଭାବନା ରହିଛି।

Categories
ବିଶେଷ ଖବର

ବିଜେଡ଼ି ଓ ବିଜେପି- ବାପ ପୁଅ ରାଜନୀତିର ମହାନ ରାଜନୈତିକ ଟେଲି ଧାରାବାହିକ

କେଦାର ମିଶ୍ର

 ପୁଅ କହୁଛନ୍ତି- ବାପା ବିଜେପି ରେ ଖୁସି ନାହାନ୍ତି।

ମିଡ଼ିଆ ଅନୁମାନ କରୁଛି- ବାପା ବୋଧହୁଏ ବିଜେପି ଛାଡ଼ି ନିଜର ପୁରୁଣା ଦଳ ବିଜେଡ଼ି କୁ ଫେରିବେ।

ଏପଟେ ବାପା କହିଛନ୍ତି- ମୋତେ ତ ବିଜେଡ଼ି ତଡିଦେବାରୁ ବିଜେପି ସମ୍ମାନ ର ସହ କୋଳେଇ ନେଇଛନ୍ତି। ମୁଁ ବିଜେଡ଼ି କୁ କାଇଁ ଫେରିବି।

ଏକଥା ଯେ କହୁଛି, ସେ ମୋ ପୁଅ ନୁହଁ, ସେ ବିଜେଡି ର ଜଣେ ବିଧାୟକ।

ଏ ସବୁ କୌଣସି ପାରିବାରିକ ଟିଭି ସିରିଆଲ ର ଡାଇଲଗ ଭଳି ଶୁଭୁନାଇ କି? ଦାମ ବାବୁ ଯେତେବେଳେ ବିଜେପି ରେ ଯୋଗ ଦେଲେ ସେତେବେଳେ ସମବେତ ବିଜେପି କର୍ମୀଙ୍କୁ ପଚାରିଥିଲେ- ଆପଣମାନେ ଖୁସି ତ! ତେବେ ସେ ନିଜେ ଆଜି ଖୁସି ନାହାନ୍ତି ବୋଲି ତାଙ୍କ ପୁଅ କହୁଛନ୍ତି କାହିଁକି? ନିର୍ବାଚନ ପୂର୍ବରୁ ଦାମ ବାବୁ ନିଜକୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ଉପସ୍ଥାପନ କରିବାକୁ ଯାଇ ଲୋକହସା ହୋଇ ସାରିଛନ୍ତି। ଲୁଣିପାଣି ରେ ପଦ୍ମ ଫୁଟିବ ବୋଲି ସେ ଯେଉଁ ଦମ୍ଭ ଦେଖାଉଥିଲେ, ତାହା ବି ଆଜି ଭାଙ୍ଗି ସାରିଛି। ନିଜେ ଦାମ ବାବୁ ଶୋଚନୀୟ ଭାବରେ, ତୃତୀୟ ସ୍ଥାନ ରେ ରହି ପରାସ୍ତ ହୋଇଛନ୍ତି। ତେବେ ପରାଜୟ ପରେ ମଧ୍ୟ ଦାମଙ୍କ ତୁଣ୍ଡରେ ଲଗାମ ଲାଗିନାଇଁ। ଅବଶ୍ୟ ଦାମଙ୍କର ଏକମାତ୍ର ସମ୍ପତ୍ତି ହେଉଛି ତାଙ୍କ ତୁଣ୍ଡ ଖଣ୍ଡକ। କଥା କହିବାରେ ତାଙ୍କ ପରି ଦ୍ଵିତୀୟ ନେତା ଓଡିଶାରେ ନାହାନ୍ତି।

ତେବେ କଥା କହି ଗଣମାଧ୍ୟମର କ୍ୟାମେରା ଆଗରେ ନିଜର ଛବି ଜମେଇ ଦେବାର କଳା ଦାମ ବାବୁ ଜାଣନ୍ତି। ସେଇ କଳାରେ ତାଙ୍କର ସଫଳତା ଓ ସିଦ୍ଧି। ହେଲେ ତାଙ୍କ ନିଜ ଗାଁ ଓ ନିର୍ବାଚନ ମଣ୍ଡଳୀ ଲୋକେ ତାଙ୍କ କଥା ଉପରେ ଆସ୍ଥା ରଖିଲେ ନାଇଁ। ଏତେ ବଡ ନେତା, ଯିଏ ନିଜକୁ ବିଜୁ ବାବୁଙ୍କ ଯୋଗ୍ୟ ଉତ୍ତରାଧିକାରୀ ବୋଲି ଭାବୁଥିଲେ, ସେ ଏମିତି ଶୋଚନୀୟ ଭାବେ ହାରିଲେ କାହିଁକି? ଅବଶ୍ୟ କେହି କେହି କହିଲେ, ପୁଅ ସମ୍ବିତ ରାଉତରାୟ ବିଜେଡି ଟିକଟ ପାଇଲା ପରେ ଦାମ ବାବୁ ଆଉ ନିଜର ଟାଣପଣ ଦେଖେଇଲେ ନାହିଁ। ଶୁଣାଗଲା ଯେ ଦାମ ବାବୁ କୁଆଡେ ପାରାଦୀପର ପୁରୁଣା ବିଜେଡି କର୍ମୀଙ୍କୁ ଡାକି କହିଲେ- ମୋ ପୁଅ ତମକୁ ଲାଗିଲା। ଏ କଥା କେତେ ସତ କେତେ ମିଛ ଆମକୁ ଜଣାନାଇଁ। ହେଲେ ପାରାଦୀପରେ ବିଜେଡି ପ୍ରାର୍ଥୀ ଭାବରେ ସମ୍ବିତ ବିଜୟ ଓ ଏରସମାରେ ଦାମୋଦରଙ୍କ ଶୋଚନୀୟ ପରାଜୟ ଅନେକଟା କାହାଣୀ କହୁଛି।

ନିର୍ବାଚନ ପରେ ଏବେ ହଠାତ ବାପା ଖୁସି ନାହାନ୍ତି ଓ ବିଜେଡି ସୁପ୍ରିମୋ ଚାହିଁଲେ ସେ ଦଳକୁ ଫେରି ପାରିବେ ବୋଲି ସମ୍ବିତ ରାଉତରାୟ କହିବା ପଛରେ ଇଙ୍ଗିତ ଅତ୍ୟନ୍ତ ସ୍ପଷ୍ଟ। ଦାମ ବାବୁ ବିଜେପିର ଉପାଦାନ ନୁହନ୍ତି। ବିଜେପିର ନିୟମ ଓ ଶୃଙ୍ଖଳା ଭିତରେ ବନ୍ଧା ହୋଇ ସେ ରହିପାରିବେ ନାଇଁ। ନିର୍ବାଚନ ପରେ ବିଜେପି ପାଇଁ ତାଙ୍କର ଆଉ ବିଶେଷ ଆବଶ୍ୟକତା ମଧ୍ୟ ନାଇଁ। ବିଜେପିରେ ନିଶିବା ଆଗରୁ ସେ ଓଡିଶାର ଆନ୍ନା ହଜାରେ ହୋଇ ଦୁର୍ନୀତି ବିରୋଧୀ ଆନ୍ଦୋଳନ କରିବେ ବୋଲି ଯାହା କହିଥିଲେ, ତାହା ମଧ୍ୟ ପାଣିର ଗାର ବୋଲି ଲୋକ ଜାଣି ଗଲେଣି। ଅଗତ୍ୟା ରାଜନୀତିରେ ବଞ୍ଚିବାକୁ ହେଲେ ଘରବାହୁଡା ହିଁ ଏକମାତ୍ର ବାଟ! ସେଥିଲାଗି ବାପ ଓ ପୁଅ ହଠାତ ଗଣମାଧ୍ୟମ ଆଗରେ ନିଜର ଭାବପ୍ରବଣ ଡାଇଲଗ ମାରିବା ଆରମ୍ଭ କରିଛନ୍ତି।

ତେବେ ଦାମଙ୍କ ଘରବାହୁଡା ନାଟକରେ, ଘରର ସେଟିଂ ଠିକ ଅଛି ତ! ବିଜେପିରେ ଯେମିତି ତାଙ୍କର କାମ ସରିଯାଇଛି, ବିଜେଡିରେ ମଧ୍ୟ ସେ କେବଳ ବୋଝ ହୋଇ ରହିଥିଲେ। ସରକାରରେ ଥିବାବେଳେ ଓ ସରକାରରୁ ଗଲାପରେ ସେ ବିଜେଡ଼ିର ସବୁଠୁ ବଡ ବିପଦ ହୋଇ କାମ କରିଛନ୍ତି। ବିଜେଡି ଛାଡିଥିବା କୌଣସି ନେତା ଦାମଙ୍କ ପରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବ୍ୟକ୍ତିଗତ ସ୍ତରର ଆକ୍ଷେପ କରିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅତ୍ୟନ୍ତ କଟୁ ସମାଲୋଚନା କଲାପରେ ମଧ୍ୟ ଦାମଙ୍କ ପୁଅକୁ ଟିକଟ ଦେଇ ଓ ଦାମଙ୍କ ପତ୍ନୀଙ୍କ ମୃତ୍ୟୁପରେ ତାଙ୍କ ଘରେ ପହଞ୍ଚି ନବୀନ ବାବୁ ବହୁତ ବଡ ହୋଇଗଲେ। ଦାମ ବାବୁ ନବୀନଙ୍କ ବିରୋଧରେ କହିବା ଲାଗି ଆଉ ବିଶେଷ କିଛି ରହିଲା ନାଇଁ। ତେବେ ସେଇ କଥାରୁ ଦାମଙ୍କ ବିଜେଡି ଘର ବାହୁଡା ସହଜ ହେବ ବୋଲି ଭାବିବା ନିର୍ବୋଧତା ହେବ। ବିଜେଡ଼ିରୁ ବିଦା ହେବା ପରେ ଆଉ ଥରେ କେହି ଫେରି ନାହାନ୍ତି। ଏକମାତ୍ର ବ୍ୟତିକ୍ରମ ହେଉଛନ୍ତି ପ୍ରଫୁଲ୍ଲ ଘଡେଇ। ପ୍ରଫୁଲ୍ଲ ବାବୁ ବିଜେଡ଼ିରୁ ନିଲମ୍ବିତ ହେବାର ବହୁ ବର୍ଷ ପରେ ମଧ୍ୟ ବିଜେଡି ବିରୋଧରେ ବା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଶବ୍ଦଟିଏ ମଧ୍ୟ ଉଚ୍ଚାରଣ କରିନାହାନ୍ତି। ସେଥିଲାଗି ଘଡାଇଙ୍କୁ ଗତ ନିର୍ବାଚନ ପୂର୍ବରୁ ପୁଣି ଥରେ ଦଳକୁ ଫେରାଇ ଅଣା ଯାଇଥିଲା। ଦାମଙ୍କ କ୍ଷେତ୍ରରେ ତାହା ଘଟିବାର ସମ୍ଭାବନା କ୍ଷୀଣ। ପିତା ଓ ପୁତ୍ରଙ୍କ ଏ ଧାରାବାହିକ ଭାବପ୍ରବଣ ନାଟକ, ବିଜେଡି ଶିବିରରେ ବିଶେଷ କିଛି ଆଗ୍ରହ ସୃଷ୍ଟି କରୁଥିବାର ଦେଖିବାକୁ ମିଳୁନାଇଁ।

Categories
ବିଶେଷ ଖବର

ସନ୍ଥ ଓ ମହାପୁରୁଷ ତିଆରି କରିବାର କୃତ୍ରିମ ରାଜନୈତିକ ଉପାୟ- ପ୍ରସଙ୍ଗ ପ୍ରତାପ ଷଡଙ୍ଗୀ

କେଦାର ମିଶ୍ର

ସେ ଯେ ଆଜି ରାଜନୀତିକୁ ଆସିଲେ, ସେୟା ନୁହଁ। ଗତ କୋଡିଏ ବର୍ଷ ଧରି ଓଡିଶାର ରାଜନୈତିକ ଜୀବନରେ ତାଙ୍କର ଚଳ ପ୍ରଚଳ ରହିଛି। ତାଙ୍କୁ ଅନେକ ସମୟରେ ଜଣେ ଉଗ୍ରବାଦୀ ଧାର୍ମିକ ନେତା ଭାବରେ ଆମେ ଟେଲିଭିଜନ ପରଦାରେ ଯୁକ୍ତି ତର୍କ କରୁଥିବାର ଦେଖିଛୁ। ଭୋପାଳରୁ ଜିତିଥିବା ଲୋକସଭା ସାଂସଦ ପ୍ରଜ୍ଞା ସିଂ କହିବାର ବହୁ ଆଗରୁ, ସେ ଗାନ୍ଧୀଙ୍କ ହତ୍ୟାକାରୀକୁ ଜଣେ ଦେଶଭକ୍ତ ବୋଲି କହିବାର ଆମେ ଶୁଣିଛୁ। ବ୍ୟକ୍ତିଗତ ଭାବରେ ତାଙ୍କ ସହିତ ଅନେକ ଟିଭି ବିତର୍କରେ ମୁଁ ତାଙ୍କର ପ୍ରତିପକ୍ଷ ହୋଇ ଛିଡା ହୋଇଛି। ସାଧାସିଧା ଲାଗୁଥିବା ଏ ବ୍ୟକ୍ତି ଜଣକ ୨୦ ବର୍ଷ ଧରି ଆମ ରାଜନୀତିରେ ଥିଲେ ବି, କାଇଁ ତାଙ୍କୁ ତ କେବେ ଆମେ ସନ୍ଥ କି ମହାପୁରୁଷ ବୋଲି କହୁନଥିଲୁ। ଏପରିକି ଏଥର ନିର୍ବାଚନ ଲଢିବା ବେଳେ ମଧ୍ୟ ସେ ଅନ୍ୟ ସାଧାରଣ ବିଜେପି ପ୍ରାର୍ଥୀଙ୍କ ପରି ଥିଲେ। ହଠାତ ତାଙ୍କୁ ସନ୍ଥ ଓ ମହାପୁରୁଷ କରିଦେବାର କାରଣ କଣ? ରାତାରାତି ଲମ୍ବା ଦାଢି ପରି ଏବେ ପ୍ରତାପ ଷଡଙ୍ଗୀ ନାମକ ଜଣେ ମହାପୁରୁଷଙ୍କ ଆବିର୍ଭାବ ହେବାର ପୃଷ୍ଠଭୂମିଟି ସତରେ କଣ?

ମୁଁ ଜାଣେ, ଏ କଥା ଭକ୍ତଙ୍କୁ ବହୁତ ବାଧିବ। ସେମାନେ ଯେଉଁ ମହାପୁରୁଷ ନିର୍ମାଣର କଳା କୌଶଳ ପ୍ରୟୋଗ କରୁଛନ୍ତି, ସେଥିରେ ଯୁକ୍ତି, ତଥ୍ୟ ଓ ପ୍ରମାଣ ସବୁଠୁ ବଡ ଶତ୍ରୁ। ତେଣୁ ସେମାନେ ଚିତ୍କାର କରିବେ ଓ ଗାଳି ଦେବେ, ସେକଥା ଆମକୁ ଜଣା ଅଛି। ହେଲେ ଆମକୁ ସତ କହିବାକୁ ଓ ଶୁଣିବାକୁ ପଡିବ। ବିଧାୟକ, ସାଂସଦ ଓ ମନ୍ତ୍ରୀ ହେବା ଆଗରୁ ପ୍ରତାପ ଷଡଙ୍ଗୀ ସଙ୍ଘ ପରିବାରର ସଂଗଠନ ବଜରଙ୍ଗ ଦଳର ରାଜ୍ୟ ମୁଖିଆ ଥିଲେ। ତାଙ୍କ ନେତୃତ୍ଵରେ ଓଡିଶାର ସବୁଠୁ ହିଂସ୍ର ଓ ଅମାନବୀୟ ଦୁଇଟି ଘଟଣାକୁ ଆମେ ଅଣଦେଖା କରି ପାରିବା ନାହିଁ। ୨୨, ଜାନୁଆରୀ, ୧୯୯୯ ମସିହାରେ ମୟୂରଭଞ୍ଜ ଜିଲ୍ଲାର ମନୋହରପୁର ଗାଁରେ ଅଷ୍ଟ୍ରେଲିଆ ର ଡାକ୍ତର ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁ ପୁତ୍ର ଫିଲିପ ଓ ତିମୋଥିଙ୍କୁ ଜିଅନ୍ତା ପୋଡି ମାରି ଦିଆ ଗଲା। ଏହି ଘଟଣାରେ ସଂପୃକ୍ତ ଥିବା ଦାରା ସିଂ ସୁପ୍ରିମ କୋର୍ଟଙ୍କ ଦ୍ଵାରା ଆଜୀବନ କାରାଦଣ୍ଡ ପାଇ ସାରିଛି। ତେବେ ୧୯୯୯ ଓ ୨୦୦୦ ମସିହାରେ ଦାରା ସିଂର ସବୁଠୁ ବଡ ସମର୍ଥକ ଥିଲେ ତତ୍କାଳୀନ ବଜରଙ୍ଗ ଦଳର ମୁଖିଆ ପ୍ରତାପ ଷଡଙ୍ଗୀ। ଜଣେ ହତ୍ୟାକାରୀ ଯିଏ  ତିନୋଟି ପ୍ରାଣକୁ ଜିଅନ୍ତା ପୋଡି ମାରି ଦେଇପାରେ, ତା ସପକ୍ଷରେ ଯୁକ୍ତି କରୁଥିବା ଲୋକ ମହାପୁରୁଷ ହେବା ଆମ ସମୟର ସବୁଠୁ ବଡ ବିଡମ୍ବନା।

ଦ୍ଵିତୀୟ ଘଟଣାଟି ଆହୁରି ଚିନ୍ତାଜନକ। ୧୬, ଡିସେମ୍ବର, ୨୦୦୧ ରେ ବିଶ୍ଵ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ଓ ଦୁର୍ଗା ବାହିନୀର ସଦସ୍ୟମାନେ ଓଡିଶା ବିଧାନସଭା ଭିତରକୁ ଧସେଇ ପଶି ସବୁକିଛି ଭାଙ୍ଗିରୁଜି ପକାଇଥିଲେ। ବିଧାନସଭା ଚାଲୁଥିବା ବେଳେ ଏ ପ୍ରକାର ଆକ୍ରମଣ ଭାରତୀୟ ଗଣତନ୍ତ୍ର ଉପରେ ସବୁଠୁ ବଡ ଦେଶୀ ଆକ୍ରମଣ ଥିଲା। ସେହି ଘଟଣାରେ ଓଡିଶା ପୋଲିସ ତତ୍କାଳୀନ ବଜରଙ୍ଗ ଦଳର ମୁଖିଆ ତଥା ଆଜିର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଗିରଫ କରିଥିଲା। ପ୍ରତାପ ବାବୁ ଏ ଆକ୍ରମଣକୁ କେବେ ନିନ୍ଦା କରିବାର ଆମେ ଶୁଣିନାହୁଁ।

ତେବେ ପ୍ରତାପ ଷଡଙ୍ଗୀ ଗୋଟେ ସରଳ ଜୀବନ ବଞ୍ଚନ୍ତି, ଏ କଥା ସ୍ଵୀକାର କରିବାକୁ ଅବଶ୍ୟ ପଡିବ। ସେ ତାଙ୍କ ଗାଁ ଗୋପୀନାଥପୁରରେ କେମିତି ରହନ୍ତି ମୁଁ ଦେଖିନାହିଁ, ହେଲେ ଅଧିକାଂଶ ସମୟ ସେ ଭୁବନେଶ୍ବରର ବିଧାୟକ କଲୋନୀର ଏକ ସରକାରୀ ଘରେ ସେ ରହୁଥିବା ମୁଁ ଜାଣେ। ରବୀନ୍ଦ୍ର ମଣ୍ଡପରୁ ତାଙ୍କ ସରକାରୀ ଘର ଯାଏ ସେ ଚାଲି ଚାଲି ଯାଉଥିବାର ଦୃଶ୍ୟ ଅନେକଙ୍କ ଆଖିରେ ପଡିଥିବ। ଏହା ଛଡା ତାଙ୍କର ନିର୍ବାଚନୀ ପ୍ରଚାରରେ ଆଡମ୍ବର ନ ଥାଏ ବୋଲି ଯେଉଁମାନେ କହୁଛନ୍ତି, ସେମାନେ ମିଛ ଇ କହୁଛନ୍ତି। ଗତ ଦୁଇଟି ଯାକ ନିର୍ବାଚନରେ ବାଲେଶ୍ବରରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ସେ ବେଶ ଭଲ ପ୍ରଚାର କରିଛନ୍ତି। ତାଙ୍କ ବିପକ୍ଷରେ ଯଦିଓ ଦୁଇଜଣ ଧନୀ ପ୍ରାର୍ଥୀ ଥିଲେ, ପ୍ରତାପଙ୍କ ପ୍ରଚାରରେ କିନ୍ତୁ ସେମିତି କିଛି ଅଭାବ ନଥିଲା। ସେ ସାଇକଲରେ ନିର୍ବାଚନ ପ୍ରଚାର କରୁଥିବା କଥା ଟି ନିହାତି ଗାଲୁଗପ।

ସରଳ ଜୀବନର ମହତ୍ତ୍ଵ ଉଚ୍ଚ ଚିନ୍ତନରୁ ଆସିଥାଏ। ହିଂସା ଓ ହତ୍ୟାର ରାଜନୀତିକୁ ସମର୍ଥନ କରି ସରଳ ଜୀବନକୁ ମହାପୁରୁଷ ସୁଲଭ କହିବା ହାସ୍ୟାସ୍ପଦ ନୁହେଁ କି? ପ୍ରତାପ ଷଡଙ୍ଗୀ କେବଳ ଦାରା ସିଂ ସପକ୍ଷରେ ଠିଆ ହୋଇ ନାହାନ୍ତି, ସେ ଅନେକ ବିତର୍କରେ ନାଥୁରାମ ଗଡସେକୁ ଦେଶ ଭକ୍ତ ଓ କର୍ଣ୍ଣୀ ସେନାର ହିଂସାକୁ ଜାତୀୟତାବାଦ ବୋଲି ସମର୍ଥନ ଦେଇଛନ୍ତି। ରାଜନୀତିରେ ଉଗ୍ର ଜାତୀୟତାବାଦର କଥା କହି ହିଂସା ଏକ ଆବଶ୍ୟକୀୟ ମାଧ୍ୟମ ବୋଲି ସେ କହି ଆସୁଛନ୍ତି। ରାଜନୈତିକ ହିଂସାର ସମର୍ଥକ ହେବା କୌଣସି ସନ୍ଥର ଲକ୍ଷଣ କଦାପି ନୁହେଁ।

ପ୍ରତାପ ଷଡଙ୍ଗୀ ଜଣେ ଉଗ୍ର ହିନ୍ଦୁତ୍ଵବାଦୀ ନେତା। ତାଙ୍କ ବ୍ୟକ୍ତିତ୍ବର ଭଲ ଦିଗଟି ହେଲା ସେ ତାଙ୍କ ଦଳର ଅନ୍ୟ ନେତାଙ୍କ ପରି ବିଳାସପୂର୍ଣ୍ଣ ଜୀବନ ବଞ୍ଚୁ ନାହାନ୍ତି। ତାଙ୍କର ସରଳ ଓ ନିରାଡମ୍ବର ଜୀବନ ରହିଛି। ହେଲେ ରାଜନେତିରେ ହିଂସା ଓ ଉଗ୍ରବାଦର ସମର୍ଥନ ତାଙ୍କର ବ୍ୟକ୍ତିଗତ ସରଳତାକୁ ସବୁବେଳେ ସନ୍ଦେହ ଘେରରେ ରଖିଥିବ। ସୋସିଆଲ ମିଡିଆରେ ଚାଳ ଛପର ଘର ଓ ସାଇକଲ ଦେଖି କାହାକୁ ସନ୍ଥ ଓ ମହାପୁରୁଷ ବୋଲି ଘୋଷଣା କରିବା ପୂର୍ବରୁ ତାଙ୍କର ରାଜନୈତିକ ଅତୀତ ବିଷୟରେ ଜାଣିବା ନିହାତି ଜରୁରୀ।

Categories
ବିଶେଷ ଖବର

ନିର୍ବାଚନ ପ୍ରକ୍ରିୟା ସନ୍ଦେହ ଓ ଅବିଶ୍ବାସର ଉର୍ଦ୍ଧ୍ଵରେ ନ ରହିଲେ ଗଣତନ୍ତ୍ର ଅନ୍ଧକାରଆଡକୁ ଚାଲିଯିବ ନିଶ୍ଚୟ

କେଦାର ମିଶ୍ର

ଯେତେବେଳେ ପରାଜୟ ନିଶ୍ଚିତ ବୋଲି ଜଣାପଡେ, ସେତେବେଳେ ରାଜନୈତିକ ଦଳଗୁଡିକ ଭୋଟିଂ ମେସିନ ଓ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥାନ୍ତି- ଏହା ହେଉଛି ଆମ ଗଣମାଧ୍ୟମର ଏକ ସୁଚିନ୍ତିତ ସିଦ୍ଧାନ୍ତ। ନିଜ ପରାଜୟକୁ ସ୍ଵୀକାର କରିବା ପରିବର୍ତ୍ତେ ଭୋଟିଂ ମେସିନ କୁ ଦୋଷ ନଦେବାକୁ ଉପଦେଶ ଓ ପରାମର୍ଶ ମଧ୍ୟ  ଦିଆଯାଏ। ତେବେ ବିରୋଧୀ କଣ ସତରେ ଔଷଧ ରାଗରେ ତାଟିଆ କାମୁଡିବା ନ୍ୟାୟରେ କେବଳ ଭୋଟିଂ ମେସିନ ଓ ନିର୍ବାଚନ କମିଶନକୁ ଦୋଷ ଦେଉଛନ୍ତି। ଆଜି ଯେତେବେଳେ ଦେଶର ସବୁ ଗଣମାଧ୍ୟମ ଘୋଷଣା କରିସାରିଛନ୍ତି ଯେ, ନରେନ୍ଦ୍ର ମୋଦୀ ବିପୁଳ ଆସନ ପାଇ ଜୟଯୁକ୍ତ ହୋଇସାରିଛନ୍ତି, ସେତେବେଳେ ବିରୋଧୀ ହାରି ସାରିଛନ୍ତି ଓ ହାରିବାର ପ୍ରତିକ୍ରିୟାରେ ଭୋଟିଂ ମେସିନ ଉପରେ ରାଗ ଅଜାଡୁଛନ୍ତି ବୋଲି ମାନିନେବା ଛଡା ଆଉ ବା ବାଟ କଣ ଅଛି? ୨୩ ତାରିଖ ଫଳାଫଳ ଘୋଷଣା ହେବା ପୂର୍ବରୁ ବିଜେପିରେ ଭୋଜିଭାତ ଆରମ୍ଭ ହୋଇଗଲାଣି। କଂଗ୍ରେସ ଶିବିର ନୀରବ। ତୃତୀୟ ସାମ୍ମୁଖ୍ୟ ଏବେ ହଜିଯାଇଛି। ଏବେ ଲାଗୁଛି, ଆଉ ୨୩ ରେ ଫଳ ଘୋଷଣା କରିବାର ଆବଶ୍ୟକତା କଣ? ଏକଜିଟ ପୋଲ କହିଛି, ମୋଦୀ ଜିତିଛନ୍ତି ମାନେ, ସେ ଜିତିଛନ୍ତି। ଶୁଣିବାକୁ ମିଳୁଛି, ମଇ ୨୬ ରେ କୁଆଡେ ନରେନ୍ଦ୍ର ମୋଦୀ ନିଜର “ମନ କି ବାତ” କହିବେ ଓ ୨୮ ତାରିଖରେ ଶପଥ ନେବେ। ଫଳ ବାହାରିବା ପୂର୍ବରୁ ଫଳ ପ୍ରଘଟ ହୋଇ ସାରିଛି।

ଜଣେ ନାଗରିକ ଭାବରେ ଏହା ହିଁ ଆମ ଲାଗି ଚିନ୍ତାର ବିଷୟ। ଶାସନରେ ଥିବା ଦଳ ଯେତେବେଳେ ଫଳ ବାହାରିବା ଆଗରୁ ଫଳ ଜାଣିଯିବାର ସୂଚନା ଦିଏ, ସେଠି ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ଉଠିବା ସ୍ଵାଭାବିକ। ଯଦି ନିର୍ବାଚନ ପ୍ରକ୍ରିୟା ଏତେ ଗୋପନୀୟ, ତେବେ ଶାସକ ଦଳ ହଠାତ ଏକ୍ଜିଟ ପୋଲ କୁ ନେଇ ଏତେ ଉଲ୍ଲସିତ କେମିତି? ତା ସହିତ ଆଉ ଗୋଟେ କଥା ମଧ୍ୟ କହିବା ଉଚିତ, ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଜିତିବା ପରେ ମଧ୍ୟ କଂଗ୍ରେସ ଭୋଟିଂ ମେସିନ ଓ ନିର୍ବାଚନ କମିଶନଙ୍କ ପକ୍ଷପାତିତା ଉପରେ ପ୍ରଶ୍ନ ଉଠାଇଛି। ଚଳିତ ନିର୍ବାଚନ ତାରିଖ ଘୋଷଣାରେ ଅହେତୁକ ବିଳମ୍ବ କରିବାଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ ସେନାବାହିନୀର ନିର୍ବାଚନୀ ବ୍ୟବହାର କରିବା ଉପରେ କମିଶନଙ୍କ ନୀରବତା, ଅନେକଙ୍କୁ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏପରିକି ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ପ୍ରତିବାଦ ଓ ଭିନ୍ନମତକୁ କମିଶନ ରେକର୍ଡ କରିନାହାନ୍ତି।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ପରେ ପ୍ରଧାନମନ୍ତ୍ରୀ ଉପଗ୍ରହ ନଷ୍ଟ କରିପାରୁଥିବା କ୍ଷେପଣାସ୍ତ ର ପ୍ରୟୋଗ କୁ ନେଇ ନିଜର ପ୍ରଥମ ନାଟକ ଆରମ୍ଭ କଲେ। ପାଞ୍ଚ ବର୍ଷ ଭିତରେ ଆମର ବୈଜ୍ଞାନିକ ସଫଳତା ବିଷୟରେ କହିବାକୁ ନିର୍ବାଚନ ସମୟରେ ହିଁ ପ୍ରଧାନମନ୍ତ୍ରୀଙ୍କୁ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବାକୁ ସୁଯୋଗ ଦେଲା। ମାଗଣାରେ ଓ ଲୋକଙ୍କ ଖର୍ଚ୍ଚ ରେ ମୋଦୀ ନିଜ ଦଳର ପ୍ରଚାର କଲେ। ସେଇଠୁ ନିର୍ବାଚନ କମିଶନଙ୍କ ଧୃତରାଷ୍ଟ୍ର ଭୂମିକା ଆମେ ଦେଖି ଆସୁଛୁ। ଖୋଦ ପ୍ରଧାନମନ୍ତ୍ରୀ ବାରମ୍ବାର ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଥିବା ବେଳେ ତାଙ୍କୁ ନିର୍ବାଚନ କମିଶନ ହାତ ଯୋଡି ବସି ରହିଲେ। ଏହାର ପରିଣତିରେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ରର ନିର୍ବାଚନ ପ୍ରକ୍ରିୟା ସନ୍ଦେହ ଘେରକୁ ଚାଲିଆସିଲା।

ଏକ୍ଜିଟ ପୋଲ ଘୋଷଣା ହେବା ପରେ ପରେ ହଠାତ ଅନେକ ଗୁଡିଏ ଭୋଟିଂ ମେସିନ ରାସ୍ତା ଘାଟରେ ବୁହା ହେଉଥିବାର ଦେଖିବାକୁ ମିଳିଲା। ଏହାର ସ୍ପଷ୍ଟୀକରଣ ଦେଇ କମିଶନ କହିଲେ, ସେ ସବୁ ଅବ୍ୟବହୃତ ମେସିନ। ତେବେ ଅବ୍ୟବହୃତ ମେସିନ କୁ କେମିତି ରଖାଯିବ ଓ ତାର ପରିବହନ କେମିତି କରାଯିବ, ତାହାର ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ସଶସ୍ତ୍ର ପୋଲିସର ଷ୍ଟ୍ରଙ୍ଗ ରୁମରେ ଅବ୍ୟବହୃତ ମେସିନ ରହିବା କଥା। ବେସରକାରୀ ଗାଡିରେ ଏ ସବୁ ମେସିନ ହଠାତ ଆବିର୍ଭୂତ ହେଲେ କାହିଁକି? ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ, ମୋଦୀ ଯେହେତୁ ଜିତି ସାରିଛନ୍ତି, ଆଉ କାହାକୁ କିଛି ପ୍ରଶ୍ନ କରିବା ଆଉ ସମ୍ଭବ ନୁହେଁ। ବିଜେପିର ମୁଖପାତ୍ର ଅର୍ଣ୍ଣବ ଗୋସ୍ଵାମୀଙ୍କ “ରିପବ୍ଲିକ” ଚାନେଲ ଏବେ କହିଲାଣି, ସାରା ଭାରତ କୁଆଡେ ନିର୍ବାଚନ କମିଶନଙ୍କ ସାଙ୍ଗରେ ଠିଆ ହୋଇଛି। ତେବେ ଭାରତ କହିଲେ, ଭାରତରେ ବିରୋଧୀ ଦଳ ବି ଅଛନ୍ତି, ଏ କଥା ଭକ୍ତମାନଙ୍କୁ ଆଉ ବୁଝାଇ ହେବନାହିଁ।

ପୃଥିବୀର ସବୁଠୁ ଉନ୍ନତ ଦେଶ ଆମେରିକା ସମେତ ୟୁରୋପରେ ମଧ୍ୟ ବାଲାଟ କାଗଜରେ ଆଜି ମଧ୍ୟ ଭୋଟଦାନ ହେଉଛି। କେବଳ ଭାରତ ନିଜକୁ ଅତ୍ୟନ୍ତ ଚତୁର ଓ  କୁଶଳୀ ଭାବି ଆମ ନିର୍ବାଚନର ସବୁଠୁ ମୁଖ୍ୟ ବ୍ୟବସ୍ଥାକୁ ଭୟଙ୍କର ଅବିଶ୍ଵାସ ଓ ସନ୍ଦେହ ଘେରରେ ରଖିଛି। ଏଠି କହିରଖିବା ଉଚିତ ହେବ ଯେ, ବର୍ଷ ବର୍ଷ ଧରି ଭୋଟିଂ ମେସିନ ଉପରେ ଯେଉଁ ସନ୍ଦେହର କଳା ବାଦଲ ରହିଛି, ତାହାର ପ୍ରତିକ୍ରିୟା ଆଦୌ ଶୁଭଂକର ହେବନାହିଁ। ପ୍ରତ୍ୟେକ ନିର୍ବାଚିତ ସରକାର ସନ୍ଦେହ ଓ ଅବିଶ୍ବାସର ଘେରରେ ରହିବେ। ତୁରନ୍ତ ଯଦି ଏହାର ସମାଧାନ ସୂତ୍ର ନ ବାହାରେ, ଗୋଟେ ସମୟରେ ଏହା ଆମର ଗଣତନ୍ତ୍ର ପାଇଁ ସବୁଠୁ ବଡ ବିପଦ ହୋଇ ଠିଆ ହେବ।

ଭୋଟ ଗଣତିର ଆଗୁଆ ସୂଚନା ପାଇଁ ଲଗ ଅନ କରନ୍ତୁ   https://thesamikhsya.com , ଆସନ୍ତାକାଲି ସକାଳ 8 ଟାରୁ

 

Categories
ବିଶେଷ ଖବର

ଭାରତର ସବୁଠୁ ଦ୍ରୁତ ଧାବିକା ଦୁତୀ ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆମର ଏତେ ମୁଣ୍ଡ ବିନ୍ଧୁଛି କାହିଁକି ?

କେଦାର ମିଶ୍ର

ଦୁତୀ ଚାନ୍ଦଙ୍କ ସହିତ ଆମର ପରିଚୟ କଣ? ଜଣେ ନିହାତି ସାଧାରଣ ପରିବାରର ଝିଅ ଯେତେବେଳେ ପୃଥିବୀର ବହୁ ଆଥଲେଟିକ୍ସ ମିଟରେ ଭାରତ ଲାଗି ପଦକ ଜିତିଛନ୍ତି, ସେଥିରେ ଆମେ ଗର୍ବିତ ହୋଇଛୁ। ତାଙ୍କର ପ୍ରତିଭା ଆମକୁ ଗୌରବ ଆଣି ଦେଇଛି। ବିଭିନ୍ନ ପ୍ରକାର ସଂଘର୍ଷ ଦେଇ ଦୁତୀଙ୍କ ଜୀବନ ଗତିଶୀଳ ହୋଇଛି। କ୍ରୀଡା ଜଗତର ବହୁ ଉଦ୍ଭଟ ରାଜନୀତିର ଶିକାର ହେବାପରେ ମଧ୍ୟ ଦୁତୀ ନିଜର ସାଧନା ଜାରି ରଖିଛନ୍ତି। ୨୦୧୩ ରୁ ୧୯ ମାତ୍ର ୬ ବର୍ଷର ଆଥଲେଟିକ ଜୀବନରେ ବହୁ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ଦୁତୀ ଦେଶ ଲାଗି ପଦକ ଜିଣିଛନ୍ତି। ତେଣୁ ତାଙ୍କ ସହିତ ଜେନ ସାଧାରଣ ଓଡିଆ ଭାବରେ ଆମର ସମ୍ପର୍କ ହେଉଛି ଗୌରବବୋଧର। ଦୁତୀଙ୍କ ବ୍ୟକ୍ତିଗତ ଜୀବନ ଅପେକ୍ଷା ତାଙ୍କର ପ୍ରତିଭା କୁ ଆମେ ବେଶୀ ଜାଣିଛୁ। ବାସ୍ତବରେ ଆମ ଲାଗି ତାହା ହିଁ ଗୁରୁତ୍ୱପୂର୍ଣ୍ଣ।

ତେବେ କ୍ରୀଡା ଜଗତରେ ତାଙ୍କର ସଫଳତା ସହିତ କିଛି ବିବାଦ ଓ ବିସମ୍ବାଦ ମଧ୍ୟ ଚର୍ଚ୍ଚାରେ ରହିଛି। ହାଇପର ଆଣ୍ଡ୍ରୋଜେନିଜମ ବା ଲିଙ୍ଗଗତ ପ୍ରଶ୍ନକୁ ନେଇ ଏକଦା ରାଜ୍ୟ ଗୋଷ୍ଠୀ କ୍ରୀଡାରୁ ଦୁତୀଙ୍କୁ ବାଦ ଦିଆ ଯାଇଥିଲା। ଏ କ୍ଷେତ୍ରରେ ଦୁତୀଙ୍କର ସଂଘର୍ଷ ଓ କ୍ରୀଡାବିତ ଭାବରେ ବିଜର ଅଧିକାର ଫେରି ପାଇବା ଲାଗି ତାଙ୍କର ଲଢେଇ ଏକ ଉଦାହରଣ ପାଲଟିଥିଲା। ବିଭିନ୍ନ କ୍ଷେତ୍ରରେ ସଙ୍ଗର୍ଷ କରି ଦୁତୀ ପୁଣିଥରେ ଟ୍ରାକ କୁ ଫେରିଥିଲେ ଓ ଅଲିମ୍ପିକ ଖେଳିବାର ସୁଯୋଗ ପାଇଥିଲେ। ନିଜର ଗତ ୬ ବର୍ଷର ସଙ୍ଘର୍ଷପୂର୍ଣ୍ଣ ଜୀବନରେ ଦୁତୀ ଜାକର୍ତ୍ତା ରେ ଅନୁଷ୍ଠିତ ୨୦୧୮ ଏସିଆଡ ଗେମ୍ସ ରେ ଦୁଇଟି ରୌପ୍ୟ ପଦକ, ଏସିଆନ ଚମ୍ପିୟାନସିପ, ଭୁବନେଶ୍ୱର, ୨୦୧୭ରେ ଦୁଇଟି କାଂସ୍ୟ ପଦକ,  ଏସିଆନ ଚମ୍ପିୟାନସିପ, ଦୋହା, ୨୦୧୯ରେ କାଂସ୍ୟ ପଦକ, ଏସିଆନ ଜୁନିଅର ଆଠଲେଟିକସ ଚମ୍ପିୟାନସିପ, ତାଇପେଇରେ ଦୁଇଟି ସ୍ଵର୍ଣ୍ଣ ପଦକ ପାଇଛନ୍ତି। ଦୁତୀଙ୍କ ପରିଚୟ ଲାଗି ଏହା ହିଁ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ।

ତେବେ ଗତ କିଛିଦିନ ହେଲା ଦୁତୀ ଚାନ୍ଦଙ୍କୁ ନେଇ ଆମର ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଗୋଟେ ଅବାଞ୍ଛିତ ଚର୍ଚ୍ଚା ବଢି ଚାଲିଛି। ଇଣ୍ଡିଆନ ଏକ୍ସପ୍ରେସ ଖବର କାଗଜକୁ ଏକ ସାକ୍ଷତକାର ଦେଇ ଦୁତୀ କହିଥିଲେ ଯେ ସେ ସମଲିଙ୍ଗି ବିବାହ କରିବାକୁ ଚାହୁଁଛନ୍ତି। ସେପ୍ଟେମ୍ବର ୨୦୧୮ରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ଭାରତୀୟ ପିଙ୍ଗଳ କୋଡର ଦଫା ୩୭୭ କୁ ଅସାମ୍ବିଧାନିକ ଘୋଷଣା କଲାପରେ ଜଣେ ଭାରତୀୟ ନାଗରିକ ଭାବରେ ଦୁତୀ ନିଜର ନିଷ୍ପତ୍ତି ନେବା ଲାଗି ସ୍ଵାଧୀନ। ସେ କାହାକୁ ବିବାହ କରିବେ ବା କାହା ସଙ୍ଗେ ରହିବେ ସେଟା ତାଙ୍କର ବ୍ୟକ୍ତିଗତ ବ୍ୟାପାର। ସେଥିରେ ଆମର, ଗଣମାଧ୍ୟମ ବା ତଥାକଥିତ ସମାଜର କିଛି କହିବାର ନାହିଁ। ଏ ସମ୍ପର୍କିତ ରାୟ ଲେଖିଲା ବେଳେ ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ଜଷ୍ଟିସ ଖାଂବାଲିକର ବିଶିଷ୍ଟ ଜର୍ମାନ ଦାର୍ଶନିକ ଓ କବି ଗେଟେଙ୍କ ଉକ୍ତି ଉଦ୍ଧାର କରି ଲେଖିଥିଲେ- “I am what I am, so take me as I am” । ନାଗରିକକୁ ନିଜର ଯୌନ ଜୀବନ ବାଛିବାର ସ୍ଵାଧୀନତା ମିଳିଛି। ତେଣୁ ଦୁତୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଯେଉଁ ପ୍ରକାର ଅପଚର୍ଚ୍ଚା ବର୍ତ୍ତମାନ ଗଣମାଧ୍ୟମରେ ଚାଲିଛି, ଏହା କେବଳ ଅରୁଚିକର ନୁହେଁ, ମାନବ ଅଧିକାରର ବିରୋଧୀ ମଧ୍ୟ।

ସମଲିଙ୍ଗି ବିବାହକୁ ହୁଏତ ଦୁତୀଙ୍କ ରକ୍ଷଣଶୀଳ ପରିବାର ଗ୍ରହଣ କରୁନଥିବେ। ପରିବାର ଭିତରେ ଏମିତି ନୈତିକ ପ୍ରସଙ୍ଗକୁ ନେଇ ବହୁ ବାଦ ବିବାଦ ହୋଇଥାଏ। ଏଥିରେ ଦୁତୀଙ୍କ ମା ଓ ଭଉଣୀ ହୁଏତ ଆହତ ହୋଇଛନ୍ତି। ତେବେ ଏହା ଦୁତୀଙ୍କ ପାରିବାରିକ ସମସ୍ୟା ଓ ସମୟକ୍ରମେ ଏହାର ସମାଧାନ ପରିବାର ଭିତରେ ହିଁ ହେବ। ସେଥିରେ ଆମର ମୁଣ୍ଡ ବିନ୍ଧୁଛି କାହିଁକି? ଦୁତୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏତେ ଖବର ଓ ସ୍ଵତନ୍ତ୍ର ପ୍ୟାକେଜର ମାନେ କଣ? ପାରିବାରିକ କଳହକୁ ଗୋଟେ ପ୍ରକାର ନାଟକ ଭଳି ପରିବେଷଣ କରି ଆମେ ଦୁତୀଙ୍କ ମର୍ଯାଦାର ସହିତ ବଞ୍ଚିବାର ଅଧିକାରକୁ କ୍ଷୁଣ୍ଣ କରୁନାହୁଁ କି? ଗୋଟେ ପକ୍ଷରେ ଦୁତୀଙ୍କ ପାରିବାରିକ ଜୀବନକୁ ନେଇ ରୋଚକ ଖବର ମୁଖ୍ୟଧାରାର ଗଣମାଧ୍ୟମରେ ଚାଲିଥିବା ବେଳେ ସୋସିଆଲ ମିଡିଆରେ ଦୁତୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ଦିଆ ଚାଲିଛି।

ବ୍ୟକ୍ତଗତ ଜୀବନର ସ୍ଵାଧୀନତା ଲାଗି ଯେଉଁ ସମାଜ ସମ୍ମାନଜନକ ପରିବେଶ ସୃଷ୍ଟି କରିପାରେ ନାହିଁ, ସେ ସମାଜ କେବେହେଲେ ମାନବୀୟ ହୋଇ ପାରିବ ନାହିଁ। ଯେଉଁ ମହାପୁରୁଷମାନେ ଦୁତୀଙ୍କୁ ମନ ଇଚ୍ଛା ସୋସିଆଲ ମିଡିଆରେ ଗାଳି କରୁଛନ୍ତି, ସେମାନେ ଆଜି  ବି ବୋଧହୁଏ  ମଧ୍ୟଯୁଗରେ ବସବାସ କରୁଛନ୍ତି। କେହି କେହି ତ ଦୁତୀଙ୍କୁ ସରକାର ଦେଇଥିବା ପୁରଷ୍କାର ରାଶି ଫେରାଇ ଆଣିବାକୁ ଦାବି କଲେଣି। ଦୁତୀଙ୍କୁ ତାଙ୍କ ପ୍ରତିଭା ଲାଗି ପୁରଷ୍କାର ମିଳିଛି। ତାଙ୍କ ବ୍ୟକ୍ତିଗତ ଜୀବନ ଦେଖି ଯଦି କାହାର ମୁଣ୍ଡ ବିନ୍ଧୁଛି, ସେ ଆରମରେ ଔଷଧ ଖାଇ ଘରେ ରୁହନ୍ତୁ। ଅଯଥା ବ୍ୟକ୍ତିଗତ ଚର୍ଚ୍ଚାରୁ ଓ ଜଣେ ପ୍ରତିଭାମୟୀ କ୍ରୀଡାବିତଙ୍କ ବ୍ୟକ୍ତିଗତ ସ୍ଵାଧୀନତା ଅପହରଣ କରିବାର ଷଡଯନ୍ତ୍ରରୁ ବିରତ ରହିବା ଗଣମାଧ୍ୟମର କର୍ତ୍ତବ୍ୟ ହେବା ଉଚିତ।

Categories
ବିଶେଷ ଖବର ମତାମତ

ରଖ ହୋ ତମର ଡିଜିଟାଲ ଇଣ୍ଡିଆ, ମୋର ପୁରୁଣା କାଗଜର ଭାରତ ମୋ ପାଖରେ ଥାଉ

କେଦାର ମିଶ୍ର

ମାତ୍ର ଦେଢ ଘଣ୍ଟାର ବାତ୍ୟା ପରେ –

ଟେଲିଫୋନ ସବୁ ଅଚଳ।

ଇଣ୍ଟରନେଟ ସାତ ସ୍ଵପ୍ନ।

ଡ଼େବିଟ କାର୍ଡ/କ୍ରେଡିଟ କାର୍ଡ ଅଛି, ହେଲେ ପାଣି ଗିଲାସେ କିଣିବା ସମ୍ଭବ ନୁହେଁ। ତମରଓଲା, ଉବର, ଗୁଗୁଲ ମ୍ୟାପ, ଜମାଟୋ , ସ୍ଵୀଗୀ ସବୁ ସବୁ ମିଛ। ଦେଢ ଘଣ୍ଟାର ପବନ ପରେ ମୁଁ ଗୋଟେ କଥା ବୁଝି ଯାଇଛି, ଯଦି ତମ ପାଖରେ କାଗଜ ନାଇଁ ତମର ଅସ୍ତିତ୍ଵ ଇ ନାଇଁ। ବାତ୍ୟା ପବନରେ କୁଆଡେ ଗୋଟେ ଛିଣ୍ଡା ଡାଳ ପଡି ପଡି ରହିଛି ଡିଜିଟାଲ ଇଣ୍ଡିଆ ର ସ୍ଵପ୍ନ। ଏଟିଏମ ରେ ପଇସା ନାଇଁ, ବୁଝା ପଡୁଛି।ବିନା ବିଜୁଳିରେ ମେସିନ କାମ ନ କରିବା ସ୍ଵାଭାବିକ। ହେଲେ ବ୍ୟାଙ୍କରେ ବି ପଇସା ମିଳୁନି କାରଣ ଲିଙ୍କ ନାଇଁ। ଗୋଟେ ନଗଦ ବିହୀନ ଅର୍ଥନୀତିର କଥା କହୁଥିବା କୁହାଳିଆ ଅର୍ଥନୀତିଜ୍ଞମାନେ ଏବେ ଭୁବନେଶ୍ଵର ଓ ପୁରୀ ଆସି ନିଜ ସ୍ଵପ୍ନର ସତ୍ୟତା ବିଷୟରେ ଥରେ ଭାବିବା ଉଚିତ। ବାତ୍ୟାରେ ବାଏଁ ବାଏଁ ଉଡିଯାଉଥିବା ମୋବାଇଲ ଟାୱାର କୁ ଭରସା କରି ଆମର ଭାଗ୍ୟ ନିୟନ୍ତ୍ରଣ କରିବାର ପାଗଳାମୀ ଯୋଗୁଁ ଆଜି ଲକ୍ଷ ଲକ୍ଷ ଲୋକ ହାତରେ ପଇସା ଥାଇ ହୀନସ୍ତା ହେଉଛନ୍ତି।

ଆଜି ଗୋଟେ ରିପୋର୍ଟ ପଢୁଥିଲି। ଆସନ୍ତା ମଇ ୧୩ ତାରିଖ ସୁଦ୍ଧା ପୁରୀରେ ବ୍ୟାଙ୍କ ବ୍ୟବସ୍ଥା ସ୍ଵାଭାବିକ ହେବ। ୩ ରୁ ୧୩, ଦଶ ଦିନ ବ୍ୟାପୀ ଲୋକେ କରିବେ କଣ? ବାସ୍ତବତା ହେଉଛି, ଲୋକେ ହାତରେ ପଇସା ଥାଇ ଭିକାରି ହୋଇ ଯାଇଛନ୍ତି। ଡିଜିଟାଲ ଇଣ୍ଡିଆର ଏହା ବୋଧେ ସବୁଠୁ ବଡ ସଫଳତା। ନାଗରିକକୁ ଆର୍ଥିକ ଭାବରେ ପରାଧୀନ କରିବାର ଏହା ସବୁଠୁ ସଫଳ ଷଡଯନ୍ତ୍ର। ଏକଥା କହିଲା ବେଳେ ଡିଜିଟାଲ ଇଣ୍ଡିଆର ସୁବିଧାକୁ ମୁଁ ଅସ୍ଵୀକାର କରୁନି। ବ୍ୟାଙ୍କ ଓ ଯୋଗାଯୋଗ ବ୍ୟବସ୍ଥାରେ ବହୁତ ବଡ ପରିବର୍ତ୍ତନ ଆସିଛି, ଏ କଥା ମଧ୍ୟ ଠିକ। ହେଲେ ପ୍ରାକୃତିକ ବିପର୍ଯୟ ବେଳେ ମଣିଷ ଯେତେବେଳେ ସବୁଠୁ ବେଶୀ ଅସହାୟ ସେତେବେଳେ ଡିଜିଟାଇଜେସନ ଆମର କି କାମରେ ଲାଗୁଛି? ଯଦି ମୋ ତଣ୍ଟି ଶୁଖି ଯାଉଛି, ଯଦି ମୋ ପାଖରେ କାର୍ଡ ଅଛି, ଯଦି ଦୋକାନରେ ପାଣି ବୋତଲ ଅଛି, ମୁଁ ତାକୁ କିଣିବାରେ ସମର୍ଥ ନୁହେଁ କାହିଁକି? ବିଜୁଳି ନାଇଁ ତ ନେଟ କାମ କରୁନି। ନେଟ ନାଇଁ ତ ଲିଙ୍କ କାମ କରୁନି। ମୁଁ ପାଣି ଦେଖି ଦେଖି ଶୋଷରେ ମରୁଛି।

ଆଜି ସବୁଠୁ ବଡ ଚିନ୍ତାର ବିଷୟ ହେଉଛି, ବନ୍ୟା, ବାତ୍ୟା ଓ ଭୂମିକମ୍ପ ପରବର୍ତ୍ତୀ ସ୍ଥିତିରେ ଆମର ଅର୍ଥନୈତିକ ପରିଚାଳନାର ବିକଳ୍ପ କଣ? ପୂରା ଡିଜିଟାଲ ବ୍ୟବସ୍ଥା ଉପରେ ଜୀବନ ନିର୍ଭରଶୀଳ ହୋଇ ପାରିବ କି? ଆମକୁ କେଉଁଠି ନା କେଉଁଠି ଏକ ପାରମ୍ପାରିକ ବ୍ୟବସ୍ଥାକୁ ସକ୍ରିୟ କରି ରଖିବା ଜରୁରୀ। ବ୍ୟାଙ୍କ ବ୍ୟବସ୍ଥାରୁ ଲେଜର ବ୍ୟବସ୍ଥା ଉଠିଗଲା ପରେ ବିନା ଲିଙ୍କରେ ଗ୍ରାହକ ଆଉ ପଇସା ପାଇବନି। ଏହା ଏକ ପ୍ରକାର ସମ୍ବିଧାନ ବିରୋଧୀ ବ୍ୟବସ୍ଥା। କୌଣସି ବ୍ୟବସ୍ଥା ଜରିଆରେ ନାଗରିକର ଆର୍ଥିକ ସ୍ଵାଧୀନତା ଅପହରଣ କରାଯାଇପାରିବ ନାଇଁ।

Categories
ବିଶେଷ ଖବର

ବାତ୍ୟାର ପାଞ୍ଚ ଦିନ ପରେ, ଆଜି ବି ଅଧା ଓଡିଶା ଅନ୍ଧାରରେ, ପାଣି ବିନା ଲକ୍ଷ ଲକ୍ଷ ଜୀବନ ଡହକ ବିକଳ

କେଦାର ମିଶ୍ର

ପ୍ରଳୟଙ୍କର ବାତ୍ୟା ଫନି ମାତ୍ର ଚାରି ଘଣ୍ଟା ଭିତରେ ଓଡିଶାର ମେରୁଦଣ୍ଡକୁ ଦୋହଲାଇ ଦେଇ ଚାଲି ଯାଇଛି। କଟକ, ପୁରୀ, ଭୁବନେଶ୍ୱର ଓ ଖୁର୍ଦ୍ଧା ସହର ସମେତ ୧୨ ଜିଲ୍ଲାର ଜଣ ଜୀବନ ବିପର୍ଯସ୍ତ ହୋଇ ପଡିଛି।ପୁରୀ, କଟକ ଓ ଭୁବନେଶ୍ୱର ଏକ ପ୍ରକାର ଭୁତ ସହର ପାଲଟି ଯାଇଛି। ଜୀବନ ବଞ୍ଚି ଯାଇଛି, ହେଲେ ବାତ୍ୟା ପରବର୍ତ୍ତୀ ଜୀବନ ଏବେ ଦୁର୍ବିସହ ହୋଇ ପଡିଲାଣି। ପିଇବା ପାଣି ଓ ନିତ୍ୟ ବ୍ୟବହାର୍ଯ୍ୟ ପାଣି ପାଇଁ ଲୋକେ ଏବେ ଡହକ ବିକଳ ହେଉଛନ୍ତି। ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ଭୁବନେଶ୍ଵର ଗତ ପାଞ୍ଚ ଦିନ ଭିତରେ ନିଜ ସହରରେ ବିଜୁଳି ବଲ୍ବ ଟିଏ ଜଳାଇବାକୁ ସମର୍ଥ ହୋଇ ପାରିନାହିଁ। ବାତ୍ୟା ପୂର୍ବବର୍ତ୍ତୀ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଯୋଗୁଁ, ସରକାର ପ୍ରଶଂସା ପାଉଛନ୍ତି, ହେଲେ ବାତ୍ୟା ପରବର୍ତ୍ତୀ ସଙ୍କଟର ମୁକାବିଲା କରିବାରେ ରାଜ୍ୟ ସରକାର ଶିଥିଳ ହୋଇ ପଡିଛନ୍ତି ବୋଲି ଏବେ ଅଭିଯୋଗ ଆସୁଛି। ଫନି କୁ ଯଦିଓ ୧୯୯୯ ମହାବାତ୍ୟା ସହିତ ତୁଳନା କରା ଯାଇପାରିବ ନାହିଁ, ତେବେ ଏହା ଓଡିଶାର ପ୍ରମୁଖ ସହରୀ ଜୀବନକୁ ପ୍ରଚଣ୍ଡ ଭାବରେ ପ୍ରଭାବିତ କରିଛି। ଗୋଟିଏ ବାତ୍ୟାରେ ଆମର ସ୍ମାର୍ଟ ସିଟି ଓ ଡିଜିଟାଲ ଇଣ୍ଡିଆର ସବୁ ସଫଳତା ଧୋଇ ହୋଇ ଯାଇଛି। ଭିତ୍ତିଭୂମିର ବିକାଶ କରିଦେଲେ ଖାଲି ହୁଏନାହିଁ, ତାକୁ ବଞ୍ଚାଇ ରଖିପାରିବାର କଳା କୌଶଳ ଯେ ଆମ ପାଖରେ ନାହିଁ, ସେ କଥା ଆଜି ପ୍ରମାଣିତ ହୋଇ ଯାଇଛି। ଭୂତଳ କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ କାମ ଆମର ଚାଲିଛି ଯେ ଚାଲିଛି। ପୁରୀ ଓ ବ୍ବୁବନେଶ୍ବରରେ ଭୂତଳ କେବୁଲ କାମ କାହିଁକି ଅଧାରେ ପଡି ରହିଛି, ଏହାର ଉତ୍ତର କିଏ ଦେବ?

ତେବେ ରାଜନୈତିକ ଓ ପ୍ରଶାସନିକ ପ୍ରଶ୍ନ ଅପେକ୍ଷା ଆଜି ଆମକୁ ତୁରନ୍ତ ଏ ସଙ୍କଟରୁ ମୁକ୍ତି ମିଳିବାର ବାଟ ଦରକାର। ସାଧାରଣ ଜୀବନର କ୍ଷୟକ୍ଷତି ସହିତ ସରକାରୀ କ୍ଷତିର ଆକଳନ ଏଯାଏ ସମ୍ଭବ ହୋଇନାହିଁ। ୫୭୮୬ପ୍ରାଥମିକ ବିଦ୍ୟାଳୟ, ୧୮୦ ହାଇସ୍କୁଲ, ୧୦୩୧ ସ୍ୱାସ୍ଥ୍ୟ କେନ୍ଦ୍ରଓ ୫୫୯୬ କିଲୋମିଟର ରାସ୍ତା କ୍ଷତି ହୋଇଥିବାର ପ୍ରାଥମିକ ସରକାରୀ ଆକଳନ ହୋଇଛି।

ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବିଦ୍ୟୁତ ବିଭାଗ। ପାଣି, ଯୋଗାଯୋଗ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ବ୍ୟବସାୟ ସବୁକିଛି ବିଦ୍ୟୁତ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ଅଥଚ ଆମ ପାଖରେ କୌଣସି ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ନାହିଁ। ୧୯୯୯ ମହାବାତ୍ୟା ର ଦୀର୍ଘ କାଳୀନ  ଅତ୍ୟାଚାର ପରେ ମଧ୍ୟ ଭୁବନେଶ୍ବରର ମୁଖ୍ୟ ଅଞ୍ଚଳକୁ ଚାରି ଦିନରେ ବିଦ୍ୟୁତ ସଂଯୋଗ ସମ୍ଭବ ହୋଇଥିଲା। ଅଥଚ ଆଜି ପାଞ୍ଚ ଦିନ ହେଲାଣି, ଆମର ରାସ୍ତା ସଫା ଓ ଗଛ କଟା କାମ ଚାଲିଛି। ସଚିବାଳୟ, ବିଧାୟକ କଲୋନୀ, ମୁଖ୍ୟ ୯ଟି ଯାକ ୟୁନିଟରେ ଏବେବି ସଫେଇ କାମ ସରିନି। ୭୨ ଘଣ୍ଟା ଭିତରେ ଅତି କାମରେ ୨୫ % ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହୋଇଯିବ ବୋଲି ଶକ୍ତି ବିଭାଗ ଯାହା ସୂଚନା ଦେଇଥିଲେ, ତାହା ସଫଳ ହୋଇନାହିଁ। ଆଜି ପଞ୍ଚମ ଦିନରେ ମଧ୍ୟ ଅବସ୍ଥା ଯାହା ଥିଲା ସେୟା ରହିଛି।

ଶକ୍ତି ବିଭାଗର କ୍ଷୟ କ୍ଷତିର ମାତ୍ରା ଦେଖି କାହାକୁ ଦୋଷ ଦେବା ସମ୍ଭବ ହେଉନାହିଁ। ହେଲେ ଲୋକଙ୍କ ଜୀବନ ଧାରଣର ମୌଳିକ ଆବଶ୍ୟକତା ପୂରଣ ହେବ କେମିତି? ସରକାରଙ୍କୁ ତାଙ୍କର ସତର୍କତା ଓ ପ୍ରାଣ ବଞ୍ଚାଇବାରେ ସଫଳତା ପାଇଁ ଯେତେ ପ୍ରଶଂସା କଲେ ବି କମ ହେବ। ଏହା ସହିତ ବିଦ୍ୟୁତ ଓ ଜଳ ଯୋଗାଣ କ୍ଷେତ୍ରରେ ସରକାରୀ ତତ୍ପରତା ରେ ଲୋକ ଖୁସି ନାହାନ୍ତି। ବାତ୍ୟା ପୂର୍ବର ସତର୍କତା ଓ ସୁରକ୍ଷା ବ୍ୟବସ୍ଥାରେ ସରକାରୀ ତତ୍ପରତାକୁ ପ୍ରଶଂସା ମିଳୁଥିବା ବେଳେ ବାତ୍ୟା ପରବର୍ତ୍ତୀ ସ୍ଥିତି ବିଷୟରେ ସରକାର ଓ ରାଜନୈତିକ ଦଳ ଗୁଡିକ ଏକ ପ୍ରକାର ଉଦାସୀନ ଥିଲାଭଳି ମନେ ହେଉଛନ୍ତି। ନିର୍ବାଚନ ସରି ଯାଇଥିବାରୁ ଲୋକଙ୍କ ପ୍ରସଙ୍ଗ ପ୍ରତି କେହି ବି ବିଶେଷ ଆଗ୍ରହ ଦେଖାଉନାହାନ୍ତି ବୋଲି ଏବେ ଚର୍ଚ୍ଚା ଚାଲିଛି।

ବିଦ୍ୟୁତ ବିଭାଗର ୧୯ ଟି ୧୩୨ କେଭି ଟାୱାର, ୨ ଟି ୪୦୦ କେଭି ଟାୱାର, ୨୦୦ ଟି ୩୩/୧୧ କେଭି ଖୁଣ୍ଟ, ୧୦,୦୦୦ ଟ୍ରାନ୍ସଫର୍ମର ଓ ଲକ୍ଷାଧିକ ଖୁଣ୍ଟ ଉପୁଡି ପଡିଛି। ଏତେ ସଂଖ୍ୟକ ଭିତ୍ତିଭୂମିର ମରାମତି ବା ପୁନର୍ନିମାଣ କାମ ଲାଗି ସମୟ ନିଶ୍ଚୟ ଲାଗିବ। ତେବେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଅଟକାଇ ମଧ୍ୟ ରଖାଯାଇପାରିବ ନାହିଁ। ଲୋକଙ୍କ ଅବସ୍ଥା ଯାହା ସେଥିରେ କିଛି ଠୋସ ପଦକ୍ଷେପ ଯଥାଶୀଘ୍ର ନେବାର ଆବଶ୍ୟକତା ରହିଛି। ଯଦି ଆସନ୍ତା ୨୪ଘଣ୍ଟା ଭିତରେ କିଛି ଆଖି ଦୃଶିଆ ସଫଳତା ବିଦ୍ୟୁତ ବିଭାଗ ନ ପାଏ, ତେବେ ଏହା ପରିସ୍ଥିତିକୁ ଅଧିକ ଅସମ୍ଭାଳ କରିବ ଓ ଲୋକଙ୍କ କ୍ରୋଧକୁ ସାମ୍ନା କରିବା ଲାଗି ସରକାର ବାଧ୍ୟ ହେବେ।ସେସୁ, ଓଡିଶା ଏକ ଟୁଇଟ ମାଧ୍ୟମରେ ଜଣାଇଛନ୍ତି ଯେ ଆଜି ଭୁବନେଶ୍ବରର ୟୁନିଟ ୩,୪, ୬,ସତ୍ୟ ନଗର, ଏୟାର ପୋର୍ଟ ଓ ଶୈଳଶ୍ରୀ ବିହାର ଅଞ୍ଚଳରେ ବିଦ୍ୟୁତ ସଂଯୋଗ ହୋଇଯିବ।

Categories
ବିଶେଷ ଖବର ମତାମତ

“ଫନି” ଆସୁଛି ତ ଆସୁ, ହେଲେ ତାକୁ ନେଇ ଆମ ସାମ୍ବାଦିକମାନେ ଆତଙ୍କର ମହାନାଟକ ରଚନା ନ କରନ୍ତୁ !

କେଦାର ମିଶ୍ର

ଇଂରାଜୀରେ ଗୋଟେ ପଦ ଅଛି- ଡ଼ିଜାଷ୍ଟର ଟୁରିଜମ ବା ବିପର୍ୟୟ ପର୍ୟଟନ। କୌଣସି ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ବା ମହାମାରୀ ଭଳି ସ୍ଥିତି ଆସିଲେ ଉକ୍ତ ଘଟନା ପ୍ରତି ସଂବେଦନଶୀଳ ହେବା ପରିବର୍ତ୍ତେ ଏହାକୁ ଖବର ର ଏକ ନାଟକୀୟ ପ୍ୟାକେଜ ଭାବରେ ବ୍ୟବହାର କରିବାର ଚଳଣି ଆମ ସମୟରେ ଗଣମାଧ୍ୟମରେ ବେଶ ପରିଚିତ। ଆମ ସାମ୍ବାଦିକମାନେ ପ୍ରାକୃତିକ ବିପର୍ୟୟ ସମୟରେ ଘଟୁଥିବା ମାନବୀୟ ସଙ୍କଟ ଅପେକ୍ଷା ଏହାର ରାଜନୈତିକ ଦିଗ ପ୍ରତି ଟିକେ ଅଧିକ ଆଗ୍ରହୀ। ଯେ କୌଣସି ବାତ୍ୟାର ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କୁ ଦେଖିଲେ ଆମର ମନେହେବ, ସତେକି ସେ ଜଣେ ଦୁଃସାହସୀ ଖେଳାଳୀ। ଅବଶ୍ୟ ଏଥିରେ ବିଲକୁଲ ଦ୍ଵିମତ ହେବାର ନାହିଁ ଯେ, ୨୦୦ ବା ୩୦୦ ମିଟର ପବନ ଆଗରେ କ୍ୟାମେରା ଧରି ଠିଆ ହେବା କିଛି କମ ସାହସର କଥା ନୁହଁ। ଅନେକ ସମୟରେ ଆମର ଗଣମାଧ୍ୟମ ଏ ପ୍ରକାର ଗ୍ରାଉଣ୍ଡ ଜିରୋ ରିପୋର୍ଟ ମାଧ୍ୟମରେ ଲୋକଙ୍କୁ ବଡ ସାହାଯ୍ୟ ମଧ୍ୟ ଦେଇଛନ୍ତି। ତେବେ ରିପୋର୍ଟିଂ ଓ ନାଟକୀୟତା ଭିତରେ ଗୋଟେ ମୌଳିକ ପାର୍ଥକ୍ୟ ରହିଛି ବୋଲି ଆମର ସାମ୍ବାଦିକ ବନ୍ଧୁମାନେ ଭୁଲି ଯାଆନ୍ତି।

ଏକଥା କହିଲା ବେଳେ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ, ଗତ ଦୁଇଦିନ ଭିତରେ ହଠାତ ଆଳୁର ଦର କିଲୋ ପିଛା ତିନି ଟଙ୍କା ବଢି ଯାଇଛି, ତାର ଏକମାତ୍ର କାରଣ ହେଉଛି, ସମ୍ଭାବ୍ୟ ବାତ୍ୟା “ଫନି”। ଶୁଣାଯାଉଛି, ଭୀଷଣରୁ ଭୀଷଣ ବାତ୍ୟାର ରୂପ ନେଇ ବାତ୍ୟା “ଫନି” ସ୍ଥଳଭାଗକୁ ଅଗ୍ରସର ହେଉଛି। ପ୍ରଥମେ ଏହା ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳରେ ପଡିବ ବୋଲି ଆଶା କରାଯାଉଥିଲା। ପରେ କୁହାଗଲା, ଏହା ଓଡିଶା ଉପକୂଳରେ ସାତପଡା ଓ ବାଲେଶ୍ଵର ମଝିରେ ସ୍ଥଳଭାଗ ସ୍ପର୍ଶ କରିପାରେ। ଶେଷ ଖବର ମୁତାବକ ଏହା ପୁରୀର କୃଷ୍ଣ ପ୍ରସାଦରେ ସ୍ଥଳଭାଗ ଛୁଇଁ ପାରେ। ତେବେ ବାତ୍ୟା “ମାଡି ଆସୁଛି” ବୋଲି ଏକ ପ୍ରକାର ଆତଙ୍କ ଏବେ ଆମ ଲୋକଙ୍କୁ ଘାରିଛି। ଲୋକଙ୍କୁ ବାତ୍ୟା ସମ୍ପର୍କରେ ସୂଚନା ଦେବାକୁ ଯାଇ ଆମେ ଯେଉଁ ଭାଷାର ପ୍ରୟୋଗ କରୁ, ତାହା ଅନେକାଂଶରେ ଲୋକଙ୍କୁ ଆତଙ୍କିତ ଓ ଆବଶ୍ୟକତାଠାରୁ ଅଧିକ ଭୟାଳୁ କରିଦିଏ।

ବାତ୍ୟା ସମୟରେ ସଜାଗ, ସତର୍କ ଓ ନିର୍ଭୟ ରହିବା ସବୁଠୁ ବଡ ଆବଶ୍ୟକତା। ତେବେ ଆମର ଗଣମାଧ୍ୟମର ଭାଷାରେ ଏତେ ଅଧିକ ନାଟକୀୟତା ଥାଏ ଯେ, ଟିଭି ଦେଖି ବା ଖବର କାଗଜ ପଢି ହଠାତ ଆମେ କୁଇଣ୍ଟାଲେ ଆଳୁ ବା ମହଣେ ଚୂଡା କିଣିବାକୁ ବାହାରିପଡୁ। ଅନେକ ସମୟରେ କଳାବଜାରୀ ଓ ଲାଭଖୋର ବେପାରୀ ଏହାର ଫାଇଦା ଉଠାନ୍ତି। ମୋର ଏବେବି ମନେ ଅଛି, ଫାଇଲିନ ବାତ୍ୟା ସମୟରେ ମହମବତୀ ଗୋଟାକୁ ପଚିଶ ଟଙ୍କାରେ ବିକ୍ରି ହେଲା। ଗଣମାଧ୍ୟମର ଚର୍ଚ୍ଚା ଶୁଣି ଲୋକ ଛାନିଆ ହୋଇପଡିଲେ। ଏଠି ଗଣମାଧ୍ୟମକୁ ଭାବିବାକୁ ପଡିବ ଯେ, ଲୋକଙ୍କୁ ଛାନିଆ କରିବା ଅପେକ୍ଷା ସେମାନଙ୍କୁ ସତର୍କ କରିବା ଆମର କାମ। ସତର୍କ କରିବାକୁ ଯାଇ ଆମେ ଅଧିକ ନାଟକ କାଲେ, ତାର ପ୍ରଭାବ ଗୋଟେ ବଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ।

ଫାଇଲିନ, ହୁଡହୁଡ ଓ ତିତିଲି ବାତ୍ୟାରୁ ଆମେ ଅନେକ କଥା ଶିଖିବା କଥା, ହେଲେ ଆଜି ବି ଆମେ ପ୍ରତ୍ୟେକ ବାତ୍ୟାର ସମାନ ଆକଳନ କରୁଛୁ। ଗତ ତିନୋଟି ଯାକ ବାତ୍ୟାରେ ବାତ୍ୟା ପତ୍ତନ ଅଞ୍ଚଳ ତୁଳନାରେ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ଭୟଙ୍କର କ୍ଷତି କରୁଛି। ଆମର ଫୋକସ ବାତ୍ୟା ସମୟ ଅପେକ୍ଷା ବାତ୍ୟା ପରବର୍ତ୍ତୀ ସ୍ଥିତି ଉପରେ ଅଧିକ କେନ୍ଦ୍ରୀଭୂତ ହେବା ଏବେ ଜରୁରୀ ହୋଇ ପଡିଛି। ବାତ୍ୟା ପରବର୍ତ୍ତୀ ଅଚାନକ ବନ୍ୟା ଓ ଭୂ ସ୍ଖଳନ ବିଷୟକୁ ଆମେ ଗୁରୁତ୍ଵ ଦେଇ ବିଚାର କରୁନାହୁଁ। ଏ ପ୍ରସଙ୍ଗରେ ଗଣମାଧ୍ୟମ ଅଧିକ ସଚେତନତା ସୃଷ୍ଟି କରିବା ଜରୁରୀ।

କେବଳ ପବନର ବେଗ ଓ ସରକାରୀ ପ୍ରସ୍ତୁତି କଥା ନକହି, ଆଭ୍ୟନ୍ତରୀଣ ଅଞ୍ଚଳର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଆଲୋଚିତ ହେବା ଜରୁରୀ। ରକ୍ଷା ହୋଇଛି, ଇତି ମଧ୍ୟରେ ଓଡିଶାରେ ନିର୍ବାଚନ ସଋ ଯାଇଛି। ନଚେତ ଏହାକୁ ନେଇ ରାଜନୈତିକ ପବନର ବେଗ ବାତ୍ୟାର ବେଗଠୁ ବଳି ଯାଇଥାନ୍ତା। ଏବେ ଅନ୍ତତଃ ସେ ଆଶଙ୍କା ଆଉ ନାହିଁ। ୧୯୯୯ ପରଠୁ ବିପର୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ପ୍ରସ୍ତୁତିରେ ବ୍ୟାପକ ପରିବର୍ତ୍ତନ ଆସିଛି। ଆମର ବିପର୍ୟୟ ପରିଚାଳନା ବ୍ୟବସ୍ଥା ସବୁଠୁ ଭଲ ସ୍ଥିତିରେ ରହିଛି। ତଥାପି ତିତିଲି ବାତ୍ୟା ପରେ କନ୍ଧମାଳ, ଗଜପତି ଓ ରାୟଗଡା ଜିଲାର ପାହାଡୀ ଅଞ୍ଚଳରେ ଯେଉଁ ଧାନ ଜୀବନ କ୍ଷୟ ହେଲା, ତାକୁ ରୋକିବା ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ହେବା ନିତାନ୍ତ ଜରୁରୀ।

ଆମେ ଆଶା କରିବା, ଭୟଙ୍କର ଓ  ଆତଙ୍କପ୍ରଦ ଖବର ତିଆରି କରିବା ଅପେକ୍ଷା ଆମର ସାମ୍ବାଦିକମାନେ ଏହି ବନ୍ୟାରେ ଆମର ସହଯୋଗୀ ଭାବରେ ଆମ ସହିତ ରହିବେ!

(ମୋବାଇଲରେ ସଂକ୍ଷିପ୍ତ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍, ଏହାପରେ ସ୍କ୍ରିନକୁ ଘଷିଘଷି ପଢିଚାଲନ୍ତୁ ଖବର)

Categories
ବିଶେଷ ଖବର

ବିଜେଡି ଓଡିଶାରେ ନିର୍ବାଚନ ଜିଣି ସାରିଛି , ଚତୁର୍ଥ ପର୍ଯ୍ୟାୟ ଏବେ କେବଳ ଅତିରିକ୍ତ ବୋନସ ମାତ୍ର !

ସମୀକ୍ଷା ବ୍ୟୁରୋ

ଗତ ୨୩ ଏପ୍ରିଲରେ ଓଡିଶାର ୬ ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ନିର୍ବାଚନ ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡାରେ ଏକ ନିର୍ବାଚନ ସଭାରେ ସମ୍ବୋଧିତ କରି କହିଥିଲେ ଯେ, ନବୀନ ବାବୁକା ଓଡିଶା ସେ ଜାନା ତୟ ହୈ- ଅର୍ଥାତ ଓଡିଶା ଶାସନରୁ ନବୀନ ପଟ୍ଟନାୟକଙ୍କ ବିଦାୟ ଏଥର ନିଧାର୍ଯ୍ୟ। ଯେତେବେଳେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ବଡ ଇଜ୍ଜତଦାର ଢଙ୍ଗରେ ଏ କଥା କହୁଥିଲେ, ସେତେବେଳେ ଓଡିଶାର ଜନ ସାଧାରଣ ଓଡିଶା ଶାସନର ଭବିଷ୍ୟତ ବିଷୟରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇସାରିଥିଲେ। ୧୦୫ଟି ବିଧାନସଭା ପାଇଁ ଅନୁଷ୍ଠିତ ହୋଇସାରିଥିବା ନିର୍ବାଚନରେ ୧୯ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳ କୁ ପୁଣି ଥରେ ବହୁମତ ମିଳିସାରିଛି ବୋଲି ବିଭିନ୍ନ ସୂତ୍ରରୁ ଜଣା ପଡୁଛି। ଗତ ମାସେ ଧରି ଆମର କ୍ଷେତ୍ର ଅଧ୍ୟୟନ, ବିଭିନ୍ନ ସାମ୍ବାଦିକ ଓ ସମାଜସେବୀଙ୍କ ସୂଚନା ତଥା କେତୋଟି ଗୋପନୀୟ ସୂତ୍ରରୁ ଯାହା ଜଣା ପଡୁଛି, ପ୍ରଥମ ତିନୋଟି ପର୍ୟାୟରେ ବିଜେଡି ସରକାର ଗଢିବା ଲାଗି ଆବଶ୍ୟକ ହେଉଥିବା ୭୪ ସଂଖ୍ୟା ଟପି ସାରିଛି। ଚତୁର୍ଥ ପର୍ଯ୍ୟାୟରେ ଆଉ ଯେତିକି ଆସନ ମିଳିବ ତାହା ବିଜେଡି ପାଇଁ କେବଳ ଅତିରିକ୍ତ ବୋନସ ବୋଲି କୁହା ଯାଇପାରେ।

ଏକଥା କହିଲା ବେଳେ ଅନ୍ୟ ଦଳର ସମର୍ଥକ ଓ ଭକ୍ତଙ୍କର ସ୍ଵାଭାବିକ ପ୍ରତିକ୍ରିୟା କଣ ହେବ ଆମେ ଜାଣୁ। କିନ୍ତୁ ସତ୍ୟ କୁ ଅଣଦେଖା  କରି ସାମ୍ବାଦିକତା କରିବା  ଆମର ଧର୍ମ ନୁହେଁ। ଏହି ନିର୍ବାଚନ ସ୍ଥିତାବସ୍ଥା ସପକ୍ଷରେ ଏକ ନିର୍ବାଚନ, ଏହି ସତ୍ୟ କୁ ଆମକୁ ସ୍ଵୀକାର କରିବାକୁ ପଡିବ। ଏକଥା ସର୍ବ ସାଧାରଣରେ ଲେଖିଲା ବେଳେ ଆମେ ଏଥି ପ୍ରତି ମଧ୍ୟ ସତର୍କ ଯେ, ନିର୍ବାଚନ ସମ୍ପର୍କିତ କୌଣସି ବି ଭବିଷ୍ୟତବାଣୀ ୧୦୦% ସତ୍ୟ ହୋଇ ନପାରେ। ତଥାପି ଆମେ ଆମ ସୂତ୍ରକୁ ନେଇ ବେଶ ବିଶ୍ଵସ୍ତ ତଥା ଆଶ୍ଵସ୍ତ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଜେଡି କୁ ୪୫ ରୁ ୫୦ ଆସନ ମିଳିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଏହା ୨୫-୨୮ ଆସନ ହାସଲ କରିବାରେ ସମର୍ଥ ହୋଇଛି। ବିଜେପି ଓ କଂଗ୍ରେସ ଭିତରେ ଦ୍ଵିତୀୟ ସ୍ଥାନ ଲାଗି କଡା ମୁକାବିଲା ଅଛି। ତେବେ କଂଗ୍ରେସ ଓ ବିଜେପି ବିଜେଡ଼ିର ପାଖାପାଖି ହୋଇ ପାରିବେ ବୋଲି ଆଶା କରା ଯାଉନାହିଁ।

ଆଉ ଗୋଟେ କଥା ଏଥି ସ୍ପଷ୍ଟ କରିଦେବା ଠିକ ହେବ। ଏଥର ଓଡିଶାରେ ବିଜେପିର ଭୋଟ ହାର ଅତି କମରେ ୭ ରୁ ୧୦ % ବଢିପାରେ। ତେବେ ଏହି ଅଭିବୃଦ୍ଧି ଆସନ ଜିଣିବାରେ ସହାୟକ ହେବନାହିଁ। କଂଗ୍ରେସ ଆଜି ମଧ୍ୟ ନିଜର ୧୫% ଭୋଟ ଆଧାରକୁ ଅକ୍ଷୁଣ୍ଣ ରଖିଛି। ତାହା ହିଁ ବିଜପି ଲାଗି ଚିନ୍ତାର କାରଣ। ଏ ପର୍ୟନ୍ତ ବିଜେଡ଼ିର ଭୋଟ ଆଧାର ଉପରେ ବିଜେପି ହାତ ମାରି ପାରିନାହିଁ। ଯାହାର ପରିଣତି ସ୍ଵରୂପ ପ୍ରଥମ ଦୁଇଟି ପର୍ୟାୟରେ ବିଜେଡି ଅନେକ ବିଧାନସଭା ଆସନ ପୋଛି ନେଇଛି। ଏପରିକି କଳାହାଣ୍ଡି ଓ ନବରଂଗପୁର ଲୋକସଭା କ୍ଷେତ୍ର, ଯେଉଁଠି ବିଜେପି ଓ କଂଗ୍ରେସର ସ୍ଥିତି ନିର୍ବାଚନ ପୂର୍ବରୁ ବେଶ ସୁଦୃଢ ଲାଗୁଥିଲା, ସେଠାରେ ମଧ୍ୟ ବିଜେଡ଼ିର ପ୍ରଦର୍ଶନ ଯଥେଷ୍ଟ ଭଲ ହୋଇଛି ବୋଲି ରିପୋର୍ଟ ମିଳୁଛି। କଳାହାଣ୍ଡିରେ ୫ ଟି ଆସନ ବିଜେଡ଼ିକୁ ଓ ଗୋଟିଏ ଲେଖାଏଁ ଆସନ କଂଗ୍ରେସ ଓ ବିଜେପି ହାତକୁ ଯାଇଛି ବୋଲି ଅନୁମାନ କରାଯାଉଛି। ନବରଙ୍ଗପୁରରେ ମଧ୍ୟ ସ୍ଥିତି ଆପାତତଃ ସମାନ ରହିଛି। ମାଲକାନଗିରିରେ ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ମୁକାବିଲା ଥିବା ବେଳେ ନବରଙ୍ଗପୁର ବିଧାନସଭା ଆସନ କଂଗ୍ରେସ ପାଇଛି ବୋଲି କୁହା ଯାଉଛି। ବାକି ସବୁ ଆସନରେ ବିଜେଡ଼ିର ପ୍ରଦର୍ଶନ ଭଲ ରହିଛି।

ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ଭଲ ହୋଇଥିବାର ରିପୋର୍ଟ ଆସୁଛି। ବଲାଙ୍ଗିରର ଲୋଇସିଂହା ଓ ପାଟଣାଗଡ ଆସନ ବିଜେପି ପାଉଛି ବୋଲି ସୂଚନା ମିଳୁଥିବା ବେଳେ କଣ୍ଟାବାଞ୍ଜିରେ ପୁରୁଖା କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଅଗ୍ରଣୀ ରହିଛନ୍ତି।

ଆମେ କେବଳ କେତୋଟି ନିର୍ଦ୍ଦିଷ୍ଟ କ୍ଷେତ୍ର ବିଷୟରେ ଏଠାରେ ସୂଚନା ଦେଇ ମଇ ୨୩ ର ଫଳାଫଳ ବିଷୟରେ ଏକ ସଙ୍କେତ ପ୍ରଦାନ କରୁଛୁ। ଆମର ପାଠକ ଆସନ୍ତା ୨୩ ତାରିଖରେ ଆମର ଅନୁମାନ ଓ ସତ୍ୟତାର ଏକ ତୁଳନା କରିବାର ସୁଯୋଗ ନିଶ୍ଚୟ ପାଇବେ। ଆମର ଅନୁମାନ କୁ ନେଇ ଆପଣଙ୍କର ତାଳି ଓ ଗାଳି, ଉଭୟକୁ ଆମର ସ୍ବାଗତ।

( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ହାରଜିତର ବିଚିତ୍ର ଗଣିତ

କେଦାର ମିଶ୍ର

ଓଡିଶାରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ତଥା ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟର ମାନେ ନିଜର ମନପସନ୍ଦ ପ୍ରତିନିଧି ବାଛି ସାରିଛନ୍ତି। ଏବେ ପରୀକ୍ଷା ସରିଛି, ମଇ ୨୩ ତାରିଖରେ ଫଳ ବାହାରିବ। ତେବେ ନିର୍ବାଚନ ପରେ ପରେ ରାଜନୈତିକ ଦଳ ଗୁଡିକ ନିଜ ନିଜର ସଫଳତାର କାହାଣୀ କହିବା ଆରମ୍ଭ କରନ୍ତି। ପ୍ରଥମ ପର୍ଯ୍ୟାୟର ଫଳାଫଳ ବିଜେଡି, କଂଗ୍ରେସ ଓ ବିଜେଡି ନିଜ ନିଜ ପକ୍ଷରେ ଘୋଷଣା କରି ସାରିଛନ୍ତି। ବିଜୁ ଜନତା ଦଳ ୪ ଟି ଯାକ ଲୋକସଭା ଓ ୨୫ ଟି ବିଧାନସଭା ଆସନ ଜିଣିବ ବୋଲି କହିଛି। କଂଗ୍ରେସ ତିନୋଟି ଲୋକସଭା ଓ ୨୦ ବିଧାନସଭାର ଆକଳନ ନିଜ ପକ୍ଷରେ ରଖିଛି। ସବୁଠୁ ବିଚିତ୍ର ଗଣିତ ରଖିଛି ଭାରତୀୟ ଜନତା ପାର୍ଟି। ଦଳର ଉପ ସଭାପତି  ସମୀର ମହାନ୍ତି କହିଛନ୍ତି, ଲୋକସଭାର ଚାରୋଟି ଯାକ ଆସନ ଆମେ ଜିତିବୁ ଓ ବିଧାନସଭାରେ ପ୍ରାୟ ଅଧା ଆସନ ଜିଣିବୁ। ତା ଅର୍ଥ ହେଉଛି ବିଧାନସଭାରେ ବିଜେପି ୨୮ ରୁ ୧୪/୧୫ ଆସନ ଆଶା କରୁଛି। ଏଥିରୁ ଆମେ ବୁଝିବା ଉଚିତ ହେବ ଯେ ବିଜେପି ଏବେ ଆଉ ନିଜର ମିଶନ ୧୨୦+ କୁ ଭୁଲି ଯାଇଛି ? ସେହିପରି ବିଧାନସଭା ଆସନରେ ହାରିଲେ ଲୋକସଭାରେ ଜିତିବାର ସମ୍ଭାବନା ବହୁତ କମ ଥାଏ ବୋଲି ବିଜେପି ଜାଣିଥିବ ନିଶ୍ଚୟ!

ନିର୍ବାଚନ ପରେ ହାର ଜିତ କୁ ନେଇ ରାଜନୈତିକ ଦଳମାନେ ଯେଉଁ ଆକଳନ ପ୍ରସ୍ତୁତ କରିଥାନ୍ତି, ତାହା ଉପରେ କେହି ବିଶ୍ଵାସ କରନ୍ତି ନାଇଁ। ଚାରୋଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ବିଭିନ୍ନ ଦଳର ଆକଳନ ପରବର୍ତ୍ତୀ ପର୍ଯ୍ୟାୟଗୁଡିକ ଉପରେ ବେଶ ପ୍ରଭାବ ପକାଇବ। ହାର ଜିତ ର ସତ୍ୟତା ଅପେକ୍ଷା ତାକୁ ନେଇ କଲ୍ପନା ଜଳ୍ପନା ଗୋଟେ ବଡ ଭୂମିକା ନେଇଥାଏ। ପ୍ରଥମ ପର୍ଯ୍ୟାୟର ମାନସିକ ଚାପ ଦ୍ଵିତୀୟ ପର୍ଯ୍ୟାୟକୁ ସମ୍ପ୍ରସାରିତ ହୋଇଥାଏ। ତେଣୁ ବିଜୟର ଅଙ୍କ ପ୍ରସ୍ତୁତ କଲାବେଳେ ରାଜନୈତିକ ଦଳ ଗୁଡିକ ନିଜ ଅଙ୍କକୁ ସଠିକ ଭାବରେ ପରଖିନେବା ଉଚିତ। ରାଜନୈତିକ ଦଳ ଗୁଡିକ ଯାହା ଆକଳନ କରନ୍ତି, ତାର ସତ୍ୟାସତ୍ୟ ଜାଣିବାକୁ ଆମେ ସାମ୍ବାଦିକମାନେ ଆହୁରି ଅନ୍ୟାନ୍ୟ ସୂତ୍ର ଉପରେ ଭରସା ରଖିଥାଉ। ଯଦିଓ ଫଳ ବାହାରିବା ପର୍ୟନ୍ତ କୌଣସି ବି ଭବିଷ୍ୟତବାଣୀ କରିବା ଠିକ ନୁହଁ, ତଥାପି ଏ ସମ୍ପର୍କରେ ଏକ ମୋଟାମୋଟି ଧାରଣା ଆମକୁ ମିଳିସାରିଛି।

ବିଭିନ୍ନ ଦଳର ନିଜସ୍ଵ ଘୋଷଣା, ସେମାନଙ୍କ କହିବାରେ ରହିଥିବା ଆତ୍ମବିଶ୍ଵାସ ଓ ଅନ୍ୟାନ୍ୟ ସୂତ୍ରର ସୂଚନାକୁ ମିଶେଇ ଆମେ ଭବିଷ୍ୟତର ଏକ ସଙ୍କେତ ପାଇ ଯାଇପାରିବା। ଏଠି ଗୋଟେ କାଳ୍ପନିକ ସ୍ଥିତି କଥା ବିଚାର କରନ୍ତୁ- ଯଦି ବିଜେପି ଚାରୋଟି ଲୋକସଭା ଆସନରେ ଜିତିବାର ଆତ୍ମବିଶ୍ଵାସ ରଖିଥାନ୍ତା, ତାହେଲେ ଦଳର ସୋସିଆଲ ମିଡିଆ ଓ ଟ୍ରୋଲ ଆଉ କାହାକୁ ବସେଇ ଉଠେଇ ଦିଅନ୍ତେ ନାହିଁ। ପ୍ରଥମ ପର୍ୟାୟ ଭୋଟ ଗ୍ରହଣ ପରେ ବିଜେପି ଅଧିକ କିଛି ଲୋକସଭା ଆସନ ପାଇବ ବୋଲି ଭାବୁଛି। ବିଧାନସଭାରେ ବିଜେପିର ବିଜୟକୁ ନେଇ ଦଳର ଦମ୍ଭ ସେତେ ବେଶୀ ଦିଶୁନାହିଁ।“ ରାଜ୍ୟରେ ଶଙ୍ଖ ଓ କେନ୍ଦ୍ରରେ ପଦ୍ମ” ବୋଲି କେତୋଟି ସ୍ଥାନରେ ଯେଉଁ ଜନରବ ଶୁଣାଯାଉଛି, ତାହା ବିଜେପିକୁ ବିଧାନସଭା କ୍ଷେତ୍ରରେ ଏକ ପ୍ରକାର ସଚେତନ କରି ଦେଇଛି। ସେଥିଲାଗି ବୋଧେ ବିଜେପି କହୁଛି ସେମାନେ ୨୮ ରୁ ୧୪ ବିଧାନସଭା ଆସନ ପାଇ ପାରନ୍ତି।

ଅପର ପକ୍ଷରେ ବିଜେଡି ନିଜ ଆକଳନକୁ ନେଇ ଅଧିକ ଆକ୍ରାମକ ଲାଗୁଛି। ପାରମ୍ପାରିକ ଭାବରେ ଏହି ଚାରୋଟି ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ହେବା କଥା। କିନ୍ତୁ କୋରାପୁଟ, ବ୍ରହ୍ମପୁର ଓ କଳାହାଣ୍ଡି ତିନୋଟି ଯାକ ଆସନରେ ଏବେ କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଥିବାର ସୂଚନା ମିଳୁଛି। କେବଳ ନବରଙ୍ଗପୁର ଆସନରେ ଏହାର ପ୍ରାର୍ଥୀ ପ୍ରଦୀପ ମାଝୀ କିଛିଟା ସମ୍ଭାବନା ବଜାୟ ରଖିଛନ୍ତି। କଳାହାଣ୍ଡିରେ ବିଜେପି ଓ ବିଜେଡି ମଧ୍ୟରେ କଡା ମୁକାବିଲାର ସଙ୍କେତ ରହିଛି। କଳାହାଣ୍ଡିର ବିଧାନସଭା ଆସନ ଗୁଡିକର ସ୍ଥିତି ଏତେ ବିଭାଜିତ ଯେ ସେଥିରେ ଯିଏ ବି ବିଜୟୀ ହେବ ତାଙ୍କର ଭୋଟ ବ୍ୟବଧାନ କମ ରହିବା ସ୍ଵାଭାବିକ।

ଗତ ନିର୍ବାଚନ ପରି ଏଥର ମଧ୍ୟ ମହିଳା ଭୋଟର ବହୁ ସଂଖ୍ୟାରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଅଧକ ସଂଖ୍ୟକ ଭୋଟଦାନ ହେବା ଓ ମହିଳା ଭୋଟର ଅଧିକ ଆସିବା, ବିଜେଡି କୁ ସୁହାଇପାରେ। ତେଣୁ ଦଳ ତରଫରୁ ୨୮ ରୁ ୨୫ ର ଦାବୀ ପ୍ରସ୍ତୁତ କରାଯାଉଛି। ତେବେ ଗତ ଥର ବିଜେଡି ଏ ସବୁ କ୍ଷେତ୍ରରେ ଯେତିକି ଆସନ ପାଇଥିଲା, ଏଥର ମଧ୍ୟ ସ୍ଥିତାବସ୍ଥା ବଜାୟ ରହିପାରେ। ତେବେ ଲୋକସଭା ଆସନରେ କଳାହାଣ୍ଡି ଓ ନବରଙ୍ଗପୁର ବିଜେଡି ଲାଗି ସହଜ ମନେ ହେଉନାହିଁ।

 

Categories
ବିଶେଷ ଖବର ସଂସ୍କୃତି

ସୂକ୍ଷ୍ମ ସୂତାର ବର୍ଣ୍ଣିଳ କବିତା ; ବାଂଧ କଳା ଓ ସମ୍ବଲପୁରୀ ହସ୍ତତନ୍ତର ଗାଥା

କେଦାର ମିଶ୍ର 

ଓଡିଶାର ଅନନ୍ୟ ଶିଳ୍ପ ଓ କଳା ପରମ୍ପରାରେ ହସ୍ତତନ୍ତ ର ପ୍ରମୁଖ ଭୂମିକା ରହିଛି।  ସୂତା ଓ ସିଲକ୍ ରେ ପ୍ରସ୍ତୁତ ହସ୍ତତନ୍ତର ବହୁ ଡିଜାଇନ୍ ପୃଥବୀ ସାରା ଓଡିଶାର ପରିଚୟକୁ ମହିମାମଣ୍ଡିତ କରିଛି।  ଶହ ଶହ ବର୍ଷ ଧରି ଓଡିଶାର ହାତ ବୁଣା ଲୁଗା ଦେଶ ବିଦେଶରେ ଆଦର ଲାଭ କରିଛି।  ସମ୍ବଲପୁର୍, ସୋନପୁର୍, ବୌଦ, ତିଗିରିଆ ଇତ୍ୟାଦି ସ୍ଥାନରେ ବୁଣା ଯାଉଥିବା ହସ୍ତତନ୍ତ ଲୂଗା ର ନିଜସ୍ବ ଶୈଳୀ ଓ ସ୍ଵାତନ୍ତ୍ର୍ୟ ରହିଛି।  ତେବେ ସୋନପୁର୍, ବରଗଡ  ଓ ବୌଦ ଜିଲ୍ଲା ର  ବୁଣାକାର ମାନେ ଏକ ସ୍ବତନ୍ତ୍ର ଶୈଳୀ ରେ  ବୁଣୁଥିବା ବାଂଧ ଲୁଗାର କଲାତ୍ମକତା , କାରିଗରୀ ଓ ସୌନ୍ଦର୍ୟ ସବୁଠୁ ଅଲଗା।  ଏହି ବିରଳ ବାଂଧ କଳା ସମ୍ପର୍କରେ ଆସନ୍ତୁ କଥା ହେବା-

# ବାଂଧ ଶବ୍ଦର ମୂଳ ଅର୍ଥ ହେଉଛି ବାନ୍ଧିବା।  ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରେ ଏହି ବୟନ କୌଶଳ କୁ ଟାଏ ଆଣ୍ଡ୍ ଡାଏ ବୋଲି କୁହାଯାଇଥାଏ ।  ଇଣ୍ଡୋନେସିଆ ରେ ଏହାକୁ ଇକକତ୍ ବୋଲି ମଧ୍ୟ କୁହାଯାଏ।  ଭାରତର ଓଡିଶା ସମେତ ଗୁଜରାଟ୍, ଛତିଶଗଡ, ଆନ୍ଧ୍ର ଓ ତାମିଲନାଡୁ ଇତ୍ୟାଦି ରାଜ୍ୟର ବୁଣାକାର ମାନେ ଏହି କଳା କୌଶଳ ଅବଲମ୍ବନ କରିଥାନ୍ତି।

# ବାଂଧ କଳା ରେ ବସ୍ତ୍ର ବୟନ ର ବହୁ ପୁର୍ବରୁ ସୂତା ରେ ଗଣ୍ଠି ପକେଇ ଆବଶ୍ୟକୀୟ ଡିଜାଇନ୍ ପ୍ରସ୍ତୁତ କରାଯାଇଥାଏ।  ଅନ୍ୟ ବୟନ କଳାରେ ତନ୍ତ ଉପରେ କିମ୍ବା ବସ୍ତ୍ର ପ୍ରସ୍ତୁତି ପରେ ଡିଜାଇନ୍ କରାଯାଇଥାଏ।  ପ୍ରିଣ୍ଟ୍, କଢେଇ କିମ୍ବା ବୁଣେଇ କୌଶଳ ଠାରୁ ବାଂଧ କଳା ନିତାନ୍ତ ଅଲଗା।  ଏଥିରେ ସୁତାର ଗଣ୍ଠି  ଓ ଖୋଲା ଅଂଶ ଭିତରେ ସମନ୍ବୟ ରଖି ରଂଗ ରେ ସୁତା କୁ ବୁଡା ଯାଏ. ବାନ୍ଧିବା (tye) ଓ ରଂଗ କରିବା (dye) ର ଏହି ସୁକ୍ଷ୍ମ କଳା କୌଶଳ ଓଡିଶାର ବୁଣାକାର ମାନଂକ ହାତରେ ବିକଶିତ ହୋଇଛି।

# ପୁରୁଷାନୁକ୍ରମେ  ପଶ୍ଚିମ ଓଡିଶାର କେତେକ ବୁଣାକାର ଜାତି ଏହି କଳା କୌଶଳକୁ ବଂଚାଇ ରଖିଛନ୍ତି।  ପୁରା ପରିବାର  ବାଂଧ ନିର୍ମାଣ, ରଂଗ ତିଆରି, ରଂଗ ପ୍ରୟୋଗ, ବନ୍ଧ ଖୋଲା ଓ ବୁଣା କାମରେ ନିୟୋଜିତ ରୁହନ୍ତି।  ପାରମ୍ପାରିକ ଡିଜାଇନ୍ ଯଥା – ମାଚ୍ଛ, ଗଚ୍ଛ,ଲତା, ପତ୍ର, ଲକ୍ଷ୍ମୀ ପାଦ, ଝୋଟି , ହଂସ, କୁମ୍ଭ, ଗଜ, ସିଂହ, ମୟୂର, ପଦ୍ମ, ତ୍ରିଭୁଜ, ଚୌକ ଇତ୍ୟାଦି ର ଚିତ୍ର କୁ ସୁତାର ଗଣ୍ଠି ରେ ଆଙ୍କିବାକୁ ପଡେ।  ଏହା ହିଁ ବାଂଧ କଳାର ସବୁଠୁ ବଡ ଆକର୍ଷଣ।

# ଅନେକ ସମୟରେ ପ୍ରାକୃତିକ ପଦାର୍ଥ ଯଥା ଗଛର ଛେଲି, ପତ୍ର, ପଥର, ଅଂଗାର, ହରିତାଳ, ଗୁଗୁଳ ଇତ୍ୟାଦି ର ମିଶ୍ରଣରେ ପ୍ରାକୃତିକ ରଂଗ ପ୍ରସ୍ତୁତ କରାଯାଇଥାଏ।  ତେବେ ବର୍ତ୍ତମାନ ସମୟରେ ରାସାୟନିକ ରଂଗର ପ୍ରୟୋଗ ମଧ୍ୟ କରାଯାଉଛି।  ରଂଗ ଓ ବନ୍ଧର ଭାଗମାପ ତଥା ଏକ ଅମୂର୍ତ୍ତ କାନଭାସ୍(abstract space) ରେ ଚିତ୍ର ନିର୍ମାଣ କରିବାର ଜଟିଳ ଓ ସୂକ୍ଷ୍ମ କାର୍ୟଟି ବାଂଧ ଶିଳ୍ପୀ କରିଥାଏ।

# ଐତିହାସିକ ଦୃଷ୍ଟିରୁ ଓଡିଶାରେ ବାଂଧ କଳାର ଉତ୍ପତ୍ତି ସମ୍ପର୍କରେ କୌଣସି ତଥ୍ୟ ମିଳେ ନାହିଁ।  ଶହ ଶହ ବର୍ଷ ଧରି କୌଳିକ ବୃତ୍ତି ଭାବରେ ଓ ବଂଶାନୁକ୍ରମିକ କଳା ଭାବରେ ଏହାକୁ ବୁଣାକାର ମାନେ ଗତିଶୀଳ କରିଚାଲିଛନ୍ତି।  ପୁରୁଣା ରେକର୍ଡ଼ ଅନୁଯାୟୀ ବିଦେଶରେ ବାଂଧ ଶାଢୀ ର ପ୍ରଦର୍ଶନୀ  ୧୬୬ ବର୍ଷ ଆଗରୁ ଅନୁଷ୍ଠିତ ହୋଇଥିଲା।  ୧୮୫୦ ମସିହାରେ ଲଣ୍ଡନ ସ୍ଥିତ ଭିକଟୋରିଆ- ଆଲବର୍ଟ୍ ସଂଗ୍ରହାଳୟ ରେ ସମ୍ବଲପୁରୀ ବାଂଧ ଶାଢୀ ର ପ୍ରଦର୍ଶନୀ ହୋଇଥିଲା।  ଏହି ସଂଗ୍ରହାଳୟ ସମେତ ପ୍ୟାରିସ୍ ରେ ମଧ୍ୟ ଏହି ସମୟ ରେ ସମ୍ବଲପୁରୀ ବାଂଧ ଶାଢୀ ପ୍ରଦର୍ଶନ କରାଯାଇଥିଲା।

# ଅଶୀ ଦଶକରେ ଓଡିଶାର ହସ୍ତତନ୍ତ ଓ ବାଂଧ ଶାଢୀ କୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ  ଭୂମିକା  ଅବିସ୍ମରଣୀୟ । ସେ ଥିଲେ ସେ ସମୟରେ  ବାଂଧ ଶାଢିର ଏକପ୍ରକାର ବ୍ରାଣ୍ଡ୍  ଆମ୍ବାସାଡର।

# ସ୍ବାଧିନତା ପରେ ଏହି କଳା ର ବିକାଶ ଲାଗି ସମବାୟ ସମିତି ଜରିଆରେ ସରକାରୀ ପ୍ରୋତ୍ସାହନ ଦିଆଗଲା।  ତେବେ ଏହି ସୂକ୍ଷ୍ମ ଓ ଅନନ୍ୟ କଳାର ବଜାର ସୃଷ୍ଟି କରିବାରେ ଏଯାବତ୍ କୌଣସି ଠୋସ୍ ଉଦ୍ୟମ କରାଯାଇନାହିଁ।  ବାଂଧ ର ପାରମ୍ପାରିକ ଡିଜାଇନ୍ ସବୁ ଆସ୍ତେ ଆସ୍ତେ ଲିଭିଯିବାକୁ ବସିଲାଣି।  ଏହାର ସଂରକ୍ଷଣ ପାଇଁ କୌଣସି ସରକାରୀ ଯୋଜନା ନାହିଁ ।

#  ବାଂଧ କଳାର ବିକାଶ ଓ ବଜାର ସୃଷ୍ଟି କ୍ଷେତ୍ରରେ ବରପାଲି, ବରଗଡ ଓ ସୋନପୁରର କେତେଜଣ ସୃଜନଶୀଳ ଶିଳ୍ପୀ ନିଜର ପ୍ରଚୁର ଅବଦାନ ଦେଇ ଯାଇଛନ୍ତି।  ଷାଠିଏ ଓ ସତୁରୀ ଦଶକରେ କୃତାର୍ଥ ଆଚାର୍ୟ ସମ୍ବଲପୁରୀ ବାଂଧ କଳାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ।  ତାଂକ ସହିତ ହସ୍ତତନ୍ତ  ଡିଜାଇନ୍ ପ୍ରସ୍ତୁତି କ୍ଷେତ୍ରରେ ଯଦୁନାଥ ସୂପକାର୍ ଅନେକ ଅଭିନବ ପ୍ରୟୋଗ କରିଥିଲେ।  ଉଭୟ ଶ୍ରୀ ଆଚାର୍ୟ ଓ ଶ୍ରୀ ସୂପକାରଂକୁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା.

# ପରବର୍ତୀ ସମୟରେ ବୁଣାକାର ଶିଳ୍ପୀ ଭାବରେ ମୋହନ ମେହେର, ପଦ୍ମଶ୍ରୀ କୁଂଜବିହାରୀ ମେହେର , ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ପଦ୍ମଶ୍ରୀ କୈଳାସ ମେହେର ପ୍ରମୁଖ ବାଂଧ କଳାରେ ଅନେକ ନୂତନ ପ୍ରୟୋଗ ମାନ କରିଛନ୍ତି।  ସୋନପୁରର ପ୍ରଖ୍ୟାତ ବାଂଧ  ଶିଳ୍ପୀ ସ୍ବର୍ଗତ ମୋହନ ମେହେର ସଂଗୀତ, ସାହିତ୍ୟ ଓ ବାଂଧ କଳାର ଅପୂର୍ବ ସମନ୍ବୟ ସୃଷ୍ଟି କରି ବହୁ ନୂତନ ବାଂଧ ତିଆରି କରି ଯାଇଛନ୍ତି।  ଚତୁର୍ଭୁଜ ମେହେର ଜଣେ ଅପୂର୍ବ କୁଶଳୀ ବୁଣାକାର ଓ ବାଂଧ ର  ବଜାର କୁ ସମ୍ପ୍ରସାରିତ କରିବାରେ ଜଣେ ଅଗ୍ରଣୀ ସାରଥୀ।

# ଓଡିଶାରେ ପ୍ରାୟ ଅଢେଇ ଲକ୍ଷ ବୁଣାକାର ରହିଛନ୍ତି ଓ ସେମାନଂକ ଭିତରୁ ଅଳ୍ପ କେତେଜଣ ବାଂଧ କଳା ଲାଗି ଉତ୍ସାହୀ।   ବାଂଧ ଲାଗି ପ୍ରଚୁର ପରିଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡୁଥିବାବେଳେ ଏହାର ବଜାର ମୂଲ୍ୟ ସେତେ ବେଶୀ ନୁହଁ।  ତେଣୁ ଅଧିକରୁ ଅଧିକ ବୁଣାକାର ସିଲକ୍ ଓ ବମକାଇ କାମରେ ମନ ଦେଉଛନ୍ତି।  ପୁରୁଣା କାରିଗରୀ ର ଶକଟାପର ଏବେ ଆଉ ଦେଖିବାକୁ ମିଳୁନାହିଁ. ସେହିପରି ଦୋ ମୁହିଁ ( ଦୁଇ ଆନଚଲ୍ ଥିବା ଶାଢୀ) ମଧ୍ୟ ଏବେ ପ୍ରାୟ ବିରଳ।

Categories
ବିଶେଷ ଖବର

ଷୋଡଶ ଲୋକସଭାର ଶେଷ ଦିନ, ମୁଲାୟମଙ୍କ ମୋଦୀ କୀର୍ତ୍ତନ ଓ ରାଫାଲେ ଅଡିଟ ପ୍ରସଙ୍ଗ

କେଦାର ମିଶ୍ର

ଷୋଡଶ ଲୋକସଭାର କାର୍ୟକାଳ ଗତକାଲି ସରିଛି। ୧୯୮୪ ପରଠୁ ଏହି ଲୋକସଭାରେ ପ୍ରଥମଥର ଲାଗି ଶାସକ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠ ହୋଇଥିଲା। ମଇ ୨୦୧୪ ରେ ଷୋଡଶ ଲୋକସଭା ଗଠିତ ହେଲାବେଳକୁ ଏଥିରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ସଂଖ୍ୟା ଥିଲା ୨୮୨। ତିରିଶ ବର୍ଷ ପରେ ପ୍ରଥମଥର ଲାଗି ବିଜେପି ଲୋକସଭାରେ ନିଜ ଶକ୍ତି ମୁତାବକ ସରକାର ଗଠନ କରିବାର ସୁଯୋଗ ପାଇଥିଲା। ତେବେ ଲୋକସଭାର ଶେଷ ଦିନ ବେଳକୁ ଏହି ସଂଖ୍ୟା ୨୬୮ କୁ ଖସି ଆସିଥିଲା। ସେହିପରି ଇତିହାସରେ ସବୁଠୁ କମ ସଂଖ୍ୟକ କଂଗ୍ରେସ ଦଳର ସଦସ୍ୟ ଲୋକସଭାକୁ ନିର୍ବାଚିତ ହୋଇ ଆସିଥିଲେ। ଲୋକସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ଥିଲା ମାତ୍ର ୪୫। ହେଲେ ବିରୋଧୀ ଦଳ ଭାବରେ କଂଗ୍ରେସ ନିଜର ଅଳ୍ପ ସଦସ୍ୟଙ୍କୁ ନେଇ ସରକାରକୁ ଘେରିବାରେ ବେଶ ସଫଳ ହୋଇଥିଲା। ଲୋକସଭାର ନେତା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତ୍ର ମାତ୍ର ୨୧ ଟି ବିତର୍କରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ନରେନ୍ଦ୍ର ମୋଦୀଙ୍କ ସଂସଦ ଉପସ୍ଥିତି ହାର ଯଥେଷ୍ଟ କମ ଥିଲା।

ଏଥର ଲୋକସଭାରେ ୧୪୬ ଜଣ କୃଷିଜୀବି, ୫୪ ଜଣ ଓକିଲ, ତିନି ଜଣ ଶିକ୍ଷକ, ୮୯ ଜଣ ସମାଜସେବୀ, ୭୨ ଜଣ ବ୍ୟବସାୟୀ, ୩୮ ଜଣ ରାଜନୈତିକ କର୍ମୀ, ୨୭ ଜଣ ଡାକ୍ତର, ୯ ଜଣ କଳାକାର, ୫ ଜଣ ସାମ୍ବାଦିକ, ୫ ଜଣ ଶିଲ୍ପପତି, ଦୁଇ ଜଣ ସୈନିକ ଲୋକ ସଭାକୁ ନିର୍ବାଚିତ ହୋଇ ଆସିଥିଲେ। ତେବେ ଲୋକସଭା ର ୱେବ ସାଇଟ ଅନୁଯାୟୀ ସମାଜ ସେବୀ ଓ ରାଜନେତା ଦୁଇଟି ଅଲଗା ବୃତ୍ତି ମାନେ ହେଉଛି। ସେହିପରି ସମାଜ ସେବା ଏକ ବୃତ୍ତି କି ନୁହଁ, ତାହା ମଧ୍ୟ ଏକ ପ୍ରଶ୍ନବାଚୀ। ଏଥର ଲୋକସଭାରେ ୪୫୭ (୮୭.୫୫%) ପୁରୁଷ ସଦସ୍ୟ ଥିବା ବେଳେ ମହିଳା ସଦସ୍ୟଙ୍କ ସଂଖ୍ୟା ଥିଲା ୬୫(୧୨.୪୫%) । ଏଥର ଲୋକସଭାରେ ୭୫% ସଦସ୍ୟ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ଏଥର ଲୋକସଭାରେ ବେଶ ସରଗରମ ଆଲୋଚନା ହୋଇଥିବାବେଳେ ବଜେଟ ଅଧିବେଶନର ଅନ୍ତିମ ଦିନ ବେଶ ରୋଚକ ଥିଲା। ସେଦିନ ଲୋକସଭାର ବାଚସ୍ପତିଙ୍କୁ ଧନ୍ୟବାଦ ଦେବା ଅବସରରେ କହିଥିଲେ ଯେ, ମୁଁ ସବୁ ସଦସ୍ୟ ପୁଣିଥରେ ନିର୍ବାଚିତ ହୋଇ ଆସନ୍ତୁ ବୋଲି କାମନା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ମୂଲାୟମଙ୍କ ଏ ବକ୍ତବ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି। ଯଦିଓ ସୌଜନ୍ୟତା ଦୃଷ୍ଟିରୁ ଏ ପ୍ରକାର ବକ୍ତବ୍ୟ ଅସଙ୍ଗତ ନୁହେଁ, କିନ୍ତୁ ଆଜିର ରାଜନୈତିକ ପରିସ୍ଥିତିରେ ଏହି ବକ୍ତବ୍ୟର ଅଲଗା ଅର୍ଥ ରହିଛି। ଉତ୍ତର ପ୍ରଦେଶ ରାଜନୀତିରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମହାମେଣ୍ଟ ବିଜେପିକୁ ପରାସ୍ତ କରିବାର ଯୋଜନା କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ମୁଲାୟାମଙ୍କ  ଶୁଭକାମନା ଗୋଟେ ଅଲଗା ସଙ୍କେତ ଦେଉଛି।

ତେବେ ଲୋକସଭାର ଅନ୍ତିମ ଦିବସରେ ସବୁଠୁ ଚର୍ଚ୍ଚାର ବିଷୟ ଥିଲା ରାଫାଲେ ପ୍ରସଙ୍ଗରେ ମହାଲେଖା ନିୟନ୍ତ୍ରକ ବା ସିଏଜିଙ୍କ ରିପୋର୍ଟ। ସଂସଦରେ ଉପସ୍ଥାପିତ ଏ ରିପୋର୍ଟ ଆପାତତଃ ମୋଦୀ ସରକାରକୁ ରାଫାଲେ ମାମଲାରେ କ୍ଳିନ ଚିଟ ଦେଲାପରି ଲାଗୁଥିଲେ ହେଁ, ରିପୋର୍ଟରେ ଅନେକ କଥା ରହିଛି ଯାହାକି ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯଥେଷ୍ଟ।

ତେବେ ଆଜିଠୁ ଷୋଡଶ ଲୋକସଭାର କାର୍ୟକାଳ ପୂରିଲା। ସପ୍ତଦଶ ଲୋକସଭା ପାଇଁ ଏବେ କୌଣସି ସମୟରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ତେବେ ବହୁ ଦୃଷ୍ଟିରୁ ଭାରତର ରାଜନୀତିରେ ଷୋଡଶ ଲୋକସଭାର ଭୂମିକା ଐତିହାସିକ ହୋଇ ରହିବ।

Categories
ବିଶେଷ ଖବର

ଓଡିଶାରେ ବିଜେପି ଓ କଂଗ୍ରେସର ମୁଖ୍ୟ ପ୍ରତିଦ୍ଵନ୍ଦୀ ହେଉଛନ୍ତି କେହି ଜଣେ ସରୋଜ ସାହୁ, ସେ କିଏ କି ?

କେଦାର ମିଶ୍ର

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଗତ ମାସେ ଭିତରେ ତାଙ୍କର ପ୍ରତ୍ୟେକ ବକ୍ତବ୍ୟରେ ଗୋଟିଏ ନାଁ କହୁଛନ୍ତି- ସରୋଜ ସାହୁ ।

ବିଜେପିର ସାମ୍ବାଦିକ ସମ୍ମିଳନୀ ଓ ବିଜେପି ପ୍ରବକ୍ତାମାନଙ୍କ ଟେଲିଭିଜନ ଆଲୋଚନାରେ ସେଇ ନାଁଟି ବାରମ୍ବାର ଆସୁଛି- ସରୋଜ ସାହୁ।

ଏପରିକି କଂଗ୍ରେସରେ ନୂଆ କରି ଯୋଗଦେଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ମଧ୍ୟ ସେ ନାଁ କହିଲେ- ସରୋଜ ସାହୁ।

ଲାଗୁଛି, ସତେ ଯେମିତି ୨୦୧୯ ସାଧାରଣ ନିର୍ବାଚନରେ ସରୋଜ ସାହୁ ବନାମ ବିଜେପି ଓ କଂଗ୍ରେସର ପ୍ରତିଦ୍ଵନ୍ଦୀତା ହେବାକୁ ଯାଉଛି। ତେବେ ତିନିମାସ ଆଗରୁ ସ୍ଥିତି ଟିକେ ଅଲଗା ଥିଲା। ସବୁ ଟିଭି ଚାନେଲ ଓ ସବୁ ବିରୋଧୀ ରାଜନେତା ଆଉ ଗୋଟେ ନାଁ ନେଉଥିଲେ- ପାଣ୍ଡିଆନ। ଏବେ ହଠାତ ପାଣ୍ଡିଆନ ବାବୁଙ୍କ ନାଁର ଚର୍ଚ୍ଚା ଟିକେ କମିଯାଇଛି। ଏବେ ବିଜେଡ଼ିର ସର୍ବଶକ୍ତିମାନ ଓ ସର୍ବ ବିଦ୍ୟମାନ ନେତା ହେଉଛନ୍ତି ସରୋଜ ସାହୁ। କେନ୍ଦ୍ର ମନ୍ତ୍ରୀଙ୍କଠୁ ଆରମ୍ଭ କରି ବଡ ବଡ ପ୍ରବକ୍ତା ତାଙ୍କ ବିରୋଧରେ ଯେତେବେଳେ କହୁଛନ୍ତି, ସେ ନିଶ୍ଚୟ ଜଣେ ବଡ ନେତା ହୋଇଥିବେ ନିଶ୍ଚୟ!!

ତେବେ ବିଜୁ ଜନତା ଦଳ ଭିତରେ ସରୋଜ ସାହୁଙ୍କ ସ୍ଥିତି କଣ, ସେକଥା  କାହାକୁ ଜଣାନାହିଁ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବାସିକ ଦପ୍ତରର ଜଣେ କର୍ମଚାରୀ। ବଡ ଅଧିକାରୀ ମଧ୍ୟ ନୁହନ୍ତି। ତଥାପି ତାଙ୍କ ବିରୋଧରେ ଏତେ ବଡ ବଡ ନେତା କହିବାର କାରଣ କଣ? ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିବାକୁ ଯାଇ ବିରୋଧୀ ଦଳ ଗୁଡିକ ତାଙ୍କ କର୍ମଚାରୀଙ୍କ ବିରୋଧରେ ଯୁଦ୍ଧ ଡାକରା ଦେବାର କାରଣ କଣ ହୋଇପାରେ? ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟରେ ଅନେକ କର୍ମଚାରୀ ଅଛନ୍ତି। ସେମାନେ ସମସ୍ତେ କଣ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି?

ତେବେ ଜଦି ବା କିଛି କ୍ଷଣ ପାଇଁ ମାନିନେବା ଯେ ସରୋଜ ସାହୁ ନବୀନ ନିବାସର କର୍ମଚାରୀ ହୋଇଥିବାରୁ, ସେ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ହୋଇଥାଇ ପାରନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ପାଖଲୋକ ସରୋଜ ସାହୁଙ୍କର ଅପରାଧ କଣ?  ତାଙ୍କ ବିଷୟରେ ଜାଣିବାକୁ କେନ୍ଦ୍ରମନ୍ତ୍ରୀ ସ୍ତରରେ ଏତେ ଉତ୍ସୁକତା କାହିଁକି? ଏପ୍ରକାର ଉତ୍ସୁକତାର କାରଣ ହେଉଛି, ୨୨, ନଭେମ୍ବର,୨୦୧୪, ଅର୍ଥାତ ଆଜକୁ ପ୍ରାୟ ସାଢେ ଚାରି ବର୍ଷ ତଳେ ସରୋଜ ସାହୁଙ୍କୁ ସିବିଆଇର ଭୁବନେଶ୍ୱର କାର୍ୟାଳୟକୁ ଡାକି ଚିଟଫଣ୍ଡ ମାମଲାରେ ପଚରାଉଚୁରା କରାଯାଇଥିଲା। ସେତେବେଳେ ଏହି ସମ୍ବାଦ ବେଶ ହଇଚଇ ସୃଷ୍ଟି କରିଥିଲା ଓ ସିବିଆଇ ନବୀନ ନିବାସର ଦୁଆରରେ ପହଞ୍ଚି ଯାଇଛି ବୋଲି ସେତେବେଳେ କୁହାଗଲା। ସରୋଜ ସାହୁଙ୍କୁ ସି-ଶୋର ଚିଟ ଫଣ୍ଡ ମାମଲା ରେ ପ୍ରାୟ ଦେଢ ଘଣ୍ଟା ଧରି ପଚରା ଉଚୁରା କରାଯାଇଥିଲା। ବାସ, କଥାଟି ସେତିକି ମାତ୍ର। ସରୋଜ ସାହୁ ସେଇ ନଭେମ୍ବର ୨୨, ୨୦୧୪ ରେ ସିବିଆଇ ଆଗରେ ଯାହା କହିଥିଲେ, ତା ପରଠୁ ସେ ବିଷୟରେ ଅଧିକ କିଛି କାର୍ୟାନୁଷ୍ଠାନ ହୋଇନାହିଁ।

ତେବେ ହଠାତ ଆଜି ସିବିଆଇ ଓ ସରୋଜ ସାହୁଙ୍କ କଥା ଉଠିବାର ମାନେ କଣ? ଯଦି  ସରୋଜ ସାହୁ ଚିଟ ଫଣ୍ଡ ମାମଲାରେ ସଂପୃକ୍ତ ଥିଲେ, ତାଙ୍କୁ ତ ଗିରଫ କରିବା କଥା। କାଇଁ, ସାଢେ ଚାରି ବର୍ଷ ଭିତରେ ସେକଥା ତ ହେଲାନାହିଁ। ଜଣେ ବ୍ୟକ୍ତିଙ୍କୁ ସିବିଆଇ ଜେରା କରିଦେଲେ ସେ କଣ ଅପରାଧୀ ହୋଇଯାଏ କି? ସିବିଆଇ ୨୦୧୪/୧୫ ରେ ବହୁ ନେତା, ଅଭିନେତା, ସାମ୍ବାଦିକ,ବ୍ୟବସାୟୀ, ପୋଲିସ ଅଧିକାରୀ, ପ୍ରଶାସକ ପ୍ରମୁଖଙ୍କୁ ଡାକି ପଚରା ଉଚୁରା କରିଥିଲା। ଯେଉଁମାନେ ସିବିଆଇ ଅଫିସ ଗଲେ ସେମାନେ ସମସ୍ତେ ଅପରାଧି କି? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତାଙ୍କ କଥାରୁ ତ ସେୟା ମନେ ହେଉଛି। ଗୋଟେ ସମୟରେ ସିବିଆଇ ଅଧିକାରୀମାନେ ଆଜିର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ତଦନ୍ତ କରୁଥିଲେ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ତଦନ୍ତକାରୀ ଦଳ ଗୁଜରାଟ ଦଙ୍ଗାରେ ମୋଦୀଙ୍କ ସଂପୃକ୍ତି ବିଷୟରେ ତଦନ୍ତ କରିଥିଲେ। ସେଇ ଦୃଷ୍ଟିରୁ ମୋଦୀଙ୍କୁ ଆମେ ଅପରାଧୀ ବୋଲି କହିପାରିବା କି? ବିଜେପିର ଜାତୀୟ ସଭାପତି ସିବିଆଇ ଦ୍ଵାରା ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ, ତେଣୁ ତାଙ୍କୁ ଅପରାଧୀ ବୋଲି କହିବା ଠିକ ହେବ କି?

ସରୋଜ ସାହୁଙ୍କୁ ସାଢେ ଚାରି ବର୍ଷ ତଳେ ପଚରା ଉଚୁରା ପାଇଁ ଡକା ଯିବା ଯଦି ରାଜନୈତିକ ପ୍ରସଙ୍ଗ ହୁଏ, ତାହେଲେ ସରୋଜ ସାହୁ ଜଣେ ବଡ ରାଜନୈତିକ ହେଭିୱେଟ ହୋଇଯିବା କଥା। ତାଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ବାରମ୍ବାର କହୁଥିବାରୁ, ସେ ବୋଧେ ଧର୍ମେନ୍ଦ୍ରଙ୍କ ବିରୋଧରେ ଲଢିବାକୁ ସବୁଠୁ ଯୋଗ୍ୟ ପ୍ରାର୍ଥୀ!!

ସମୁଦାୟ ଘଟଣାକ୍ରମକୁ ବିଶ୍ଳେଷଣ କଲେ ଗୋଟିଏ କଥା ସ୍ପଷ୍ଟ ଦିଶୁଛି ଯେ, ଚେସ ଖେଳରେ ରାଜାକୁ ବାନ୍ଧିବାକୁ ଯାଇ ପିଆଦାକୁ ବ୍ୟବହାର କରିବାର ପୁରୁଣା ଖେଳ ବିରୋଧୀ ଖେଳୁଛନ୍ତି।  ହେଲେ ପିଆଦାକୁ ବ୍ୟବହାର କରିବାକୁ ଯାଇ କେତେବେଳେ ସେମାନେ ଯେ ତାକୁ ଇ ରାଜା ବୋଲି ଭାବି ତା ପଛରେ ଗୋଡାଇ ବାଜି ହାରି ସାରିଲେଣି, ସେକଥା ତାଙ୍କର ଆଉ ମନେ ନାହିଁ। ଏଠି ନବୀନ ବାବୁଙ୍କ ବିରୋଧରେ ଲଢିବାକୁ ଅଣ୍ଟା ଭିଡିଥିବା ବିରୋଧୀ ତାଙ୍କ କାର୍ୟାଳୟର ଛୋଟ ଛୋଟ ଅଧିକାରୀଙ୍କ ପଛରେ ହାସ୍ୟାସ୍ପଦ ଭାବରେ ଗୋଡାଗୋଡି ହେଉଛନ୍ତି। ସେଥିରେ ଅସଲ ଲୋକ ନବୀନଙ୍କୁ ମଜା ଦେଖିବାର ଓ ମଝିରେ ମଝିରେ ବିଦ୍ରୁପମିଶା ହସ ହସିବାର ଚମତ୍କାର ସୁଯୋଗ, ବିରୋଧୀ ହିଁ ସୃଷ୍ଟି କରିଛନ୍ତି!!

 

Categories
ବିଶେଷ ଖବର ସିନେମା

ନୀଳମାଧବ ପଣ୍ଡାଙ୍କ “କଡବି ହାୱା”- ସିନେମା ଭିତରେ ଭାରତୀୟ କୃଷକ ଜୀବନର ସଂଘର୍ଷ ଗାଥା

କେଦାର ମିଶ୍ର

ସେ ଅନ୍ଧ ବୁଢାଲୋକଟିର ଆଖିରେ ଆପଣ ଏମିତି ଗୋଟେ ଅସହାୟତା ଦେଖିବେ, ଯେଉଁଠି ଶହ ଶହ ଚାଷୀଙ୍କ ଆତ୍ମହତ୍ୟା ପରର ଶବ ଝୁଲୁଛି ଯେମିତି। ଆଉ ସେ ଅନ୍ଧ ବୁଢାଲୋକଟି ଭାରତୀୟ ଚାଷୀମାନଙ୍କର ଗୋଟେ ମେଟାଫର ହୋଇ ଠିଆ ହେଉଛି। ମଧ୍ୟପ୍ରଦେଶର ଚମ୍ବଲ ଉପତ୍ୟକା ଓ ସେ ଉପତ୍ୟକାରେ ଶୁଖିଲା ବବୁଲଭର୍ତ୍ତି ଶୁଖିଲା ମାଟି। ସେଇଠି ଗୋଟେ ବୁଢା ଅନ୍ଧଚାଷୀର ସଂଘର୍ଷ। ଏ ସଂଘର୍ଷରେ କେବଳ ଗୋଟିଏ ଲକ୍ଷ ହେଉଛି, ନିଜ ପୁଅକୁ ଆତ୍ମହତ୍ୟା କରିବାକୁ ନଦେବା। ଋଣ ଭାରରେ ଗାଁର ଗୋଟିଏ ପରେ ଗୋଟିଏ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ବୁଢା ଚାଷୀଟି ନିଜ ପୁଅର ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛି। ଗାଁର ପବନ ଖାଲି ଶୁଖିଲା ନୁହଁ, ସେ ବିଷାକ୍ତ ମଧ୍ୟ। ଗାଁ ର ପବନକୁ ବୁଢାଲୋକଟି ଠିକ ଜାଣେ। ସେ ପବନରୁ ବାରିପାରେ ନିଜ ପୃଥିବୀର ହାଲଚାଲ। ସେ ପବନକୁ ଯେତିକି ଚିହ୍ନେ, ତାଠୁ ଅଧିକ ଚିହ୍ନେ ସରକାର ଓ ସରକାରୀ ବ୍ୟବସ୍ଥାକୁ।

ଏଠି ଏ ବୁଢା ଚାଷୀର ସଂଘର୍ଷ ଦୁଇଟି ସ୍ତରରେ। ଗୋଟିଏ ସ୍ତରରେ ସେ ସଂଘର୍ଷ କରୁଛି ପ୍ରକୃତି ସହିତ। ପ୍ରକୃତି ବଦଲୁଛି। ପାଣିପାଗର ଧାରା ଅଲଗା ହୋଇଯାଉଛି। ମଣିଷ ଓ ପ୍ରକୃତି ଭିତରେ ଚାଲିଆସିଥିବା ଚିରନ୍ତନ ସଂଘର୍ଷକୁ ଗୋଟିଏ ସ୍ତରରେ ମୁକାବିଲା କରିବାକୁ ମଣିଷ ନିଜର ଶକ୍ତି ତିଆରି କରିଛି। ଏ ବୁଢା ଚାଷୀଟି ଦୁନିଆଁଙ୍କୁ ଦେଖି ନପାରିଲେ ବି ଦୁନିଆଁକୁ ଚିହ୍ନେ। ତେଣୁ ସେ ସଂଘର୍ଷରେ ସେ ସହଜ। ଆର ସ୍ତରର ସଂଘର୍ଷ ହେଉଛି ସରକାର ଓ ସରକାରୀ ବ୍ୟବସ୍ଥା ସହିତ। ବ୍ୟାଙ୍କ ଋଣ ଓ ତାକୁ ନେଇ ଶୁଝି ନପାରିବାର ଅସହାୟତା ସହିତ। ଗୋଟେ ସରକାରୀ ଅଫିସର ଅଚିହ୍ନା କ୍ରୁରତା ସହିତ। ବୁଢା ଚାଷୀଟି ହୁଏତ ପ୍ରକୃତି କବଳରୁ ନିଜ ପରିବାରକୁ ବଞ୍ଚାଇଦେବ। ହେଲେ ସରକାରୀ ଋଣ ପଞ୍ଝାରୁ ନିଜ ପୁଅକୁ ବଞ୍ଚାଇବ କେମିତି? ଗାଁରୁ ଗୋଟିଏ ପରେ ଗୋଟିଏ ଯୁବକ ଚାଷୀଙ୍କ ଆତ୍ମହତ୍ୟାର ଖବର ଭିତରେ ନିଜ ପୁଅକୁ ସେ କେମିତି ସୁରକ୍ଷିତ ରଖିପାରିବ।

ସରକାରୀ ଋଣ ଯନ୍ତା ସହିତ ସ୍ଥାନୀୟ ସାମାଜିକ ଓ ଅର୍ଥନୈତିକ ଶୋଷଣର ବି ଗୋଟେ ସ୍ତର ଅଛି। ବିଶ୍ଵାସ କରନ୍ତୁ, ମୁଁ କୌଣସି ଖବର କାଗଜର ରିପୋର୍ଟ ଲେଖୁନାହିଁ, ମୁଁ ଗୋଟେ ସିନେମାର କାହାଣୀ କହୁଛି। ନଭେମ୍ବର ୨୦୧୭ରେ ମୁକ୍ତିଲାଭ କରିଥିବା ନୀଳମାଧବ ପଣ୍ଡାଙ୍କ ସିନେମା “କଡବି ହାୱା” ର କାହାଣୀ କଥା ମୁଁ କହୁଛି। ସତ କହିବାକୁ ଗଲେ “କଡବି ହାୱା” ଗୋଟେ ସିନେମା ନୁହଁ, ଏହା ଆମ ସମୟର ମଧ୍ୟବିତ୍ତମାନେ ଦେଖିବାକୁ ଚାହୁଁ ନଥିବା ଅସଲ ଭାରତର ବାସ୍ତବ ସାମାଜିକ ଚିତ୍ର। ଶହେ କି ହଜାରେ ନୁହଁ, ଲକ୍ଷେ ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ଗୋଟେ ଦେଶରେ ସେମାନଙ୍କ କାହାଣୀ କହିବାକୁ ଜଣେ କେହି ସାହସ କରିଛି, ସେଇଟା ଇ ବଡକଥା। ଆଉ କାହାଣୀ କେବଳ କୁହା ହୋଇନି, କାହାଣୀ ଭିତରେ ସିନେମା ନିର୍ମାଣର କଳା ଓ କାରିଗରୀକୁ ସବୁଠୁ ଚମତ୍କାର ଭାବରେ ପ୍ରଦର୍ଶିତ କରାଯାଇଛି। ଦୃଶ୍ୟମ ଫିଲ୍ମ୍ସ ଓ ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ଏ ସିନେମା ଆମ ସମୟର ଅନ୍ୟତମ ମାଇଲଖୁଣ୍ଟ ହୋଇ ରହିବ।  

ସଞ୍ଜୟ ମିଶ୍ର ଏଇ ସିନେମାରେ ବୁଢା ଓ ଅନ୍ଧ ଚାଷୀର ଭୂମିକାରେ ନିଜ ଜୀବନର ସର୍ବଶ୍ରେଷ୍ଠ ଅଭିନୟ ପ୍ରଦର୍ଶନ କରିଛନ୍ତି। ବୋଧହୁଏ, ଗତ ପଚିଶ ବର୍ଷ ଭିତରେ ଯେତେ ହିନ୍ଦୀ ସିନେମା ତିଆରି ହୋଇଛି, ଅଭିନୟ ଦୃଷ୍ଟିରୁ “କଡବି ହାୱା’ ର ପାଖାପାଖି  କେହି ଠିଆ ହୋଇପାରିବେ ନାଇଁ। ଏ ସିନେମାର ମଞ୍ଜା ହେଉଛି, ଏହାର ଅଭିନୟ। ସଞ୍ଜୟ ମିଶ୍ର, ରଣବୀର ଶେରୋୟ ଓ ତିଳୋତ୍ତମା ସୋମଙ୍କ ଅଭିନୟରେ ଖାଲି ଯେ ନିଖୁଣତା ଅଛି ତା ନୁହେଁ, ସେମାନଙ୍କ ଅଭିନୟରେ ଜୀବନ ଅଛି। ଆମ ସମୟର ସବୁଠୁ ବଡ ଟ୍ରାଜେଡିକୁ ଏ ସିନେମା ସବୁଠୁ ସୁନ୍ଦର ଭାବରେ ଉପସ୍ଥାପିତ କରିପାରୁଛି।

ନୀଳମାଧବ ପଣ୍ଡା, ଓଡିଆ ଲୋକ, ହେଲେ ସିନେମା କରନ୍ତି ହିନ୍ଦୀରେ। ଆଇ ଆମ କାଲାମ, ଜଲପରୀ, ବବଲୁ ହାପି ହୈ, କୌନ କିତନେ ପାନି ମେ, ହାଲକା ଭଳି ବହୁତ ଚର୍ଚ୍ଚିତ ସିନେମା କରିଥିବା ନୀଳମାଧବଙ୍କ ସବୁ ହିନ୍ଦୀ ସିନେମାରେ କେଉଁଠି ନା କେଉଁଠି ଓଡିଶାର ଚିତ୍ର ଥାଏ। ‘କଡବି ହାୱା’ ରେ ବି ଓଡିଶା ଅଛି। ବ୍ୟାଙ୍କ କର୍ମଚାରୀ ଭୂମିକାରେ ରଣବୀର ଶେରୋୟ ଜଣେ ଓଡିଆ ଭାବରେ ଅଭିନୟ କରିଛନ୍ତି। ବୁନ୍ଦେଲାଖଣ୍ଡର ମରୁଡି ସହିତ ଓଡିଶାର ମାହାବାତ୍ୟା ଭିତରେ ଗୋଟେ ଯୋଗସୂତ୍ର ରହିଛି ଏ ସିନେମାରେ।‘ ଆଇ ଆମ କାଲାମ ‘ ପାଇଁ ନୀଳମାଧବଙ୍କୁ ସବୁଠୁ ବେଶୀ ପ୍ରଶଂସା ମିଳିଛି। ମୋ ମତରେ କିନ୍ତୁ “କଡବି ହାୱା’ ଗତ ପଚାଶ ବର୍ଷର ଭାରତୀୟ ସିନେମାରେ ଅନ୍ୟତମ ଶ୍ରେଷ୍ଠ ସିନେମା ହୋଇ ରହିବ। ବଲିଉଡର ଚକମକ ଆଲୁଅ ଓ ତାରକା ଗହଳିରେ ଏ ସିନେମା ଗୋଟେ ବ୍ୟତିକ୍ରମ। ଏହା ଏକ ପରିପୂର୍ଣ୍ଣ ସିନେମା ଯାହାକୁ ଦେଖି ସାରିଲା ପରେ ଆପଣ ହୁଏତ କାନ୍ଦି ପାରନ୍ତି, ଚିତ୍କାର କରିପାରନ୍ତି କିମ୍ବା ବିଦ୍ରୋହୀ ମଧ୍ୟ ହୋଇପାରନ୍ତି। ଏ ସିନେମା ଆପଣଙ୍କୁ ଆପଣଙ୍କ ସମୟ ଓ ସମାଜ ବିଷୟରେ ଏମିତି କିଛି ଛବି ଦେଖାଇବ, ଯାହା ଆପଣଙ୍କ ଭିତରର ଜଡତାକୁ ଭାଙ୍ଗି ଦେଇପାରେ।

ସିନେମାଟିକୁ ଯଦି ଦେଖିନାହାନ୍ତି, ତେବେ ଆପଣ ଏବେ ଏହାକୁ ଦେଖିପାରିବେ ଜୀ 5 ଇଣ୍ଡିଆ ଚାନେଲରେ ।

Categories
ବିଶେଷ ଖବର ମତାମତ

ନରେନ୍ଦ୍ର ମୋଦୀ ବନାମ ଚନ୍ଦ୍ରବାବୁ ନାଇଡୁ; ବିଶ୍ଵାସଘାତକ ପତି ଓ ବିଶ୍ଵାସଘାତକ ଜୋଇଁଙ୍କ କାହାଣୀ

କେଦାର ମିଶ୍ର

ଏ ବାବୁ ତାଙ୍କ ଶ୍ଵଶୁରଙ୍କ ସହିତ ବିଶ୍ଵାସଘାତକତା କରିଥିଲେ ଓ ତାଙ୍କୁ ପିଠିରେ ଛୁରି ମାରିଥିଲେ। ଏ ବାବୁ ମୋଠୁ ବିଶ୍ଵାସଘାତକତାରେ ବେଶ ବରିଷ୍ଠ। – ଏହା କୌଣସି ନାଟକର ସଂଳାପ ନୁହେଁ। ଏ ଦେଶର ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ବିଷୟରେ ଏମିତି କିଛି ବକ୍ତବ୍ୟ ରଖିଛନ୍ତି।

ତାହାର ଉତ୍ତରରେ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି-  ଯେଉଁ ଲୋକ ତିନ ତଲାକକୁ ନେଇ ଭାଷଣ ଦେଉଛି, ସେ ଲୋକ ନିଜ ସ୍ତ୍ରୀ କୁ ଛାଡପତ୍ର ନଦେଇ ଅଲଗା ରହୁଛି। ଯଶୋଦା ବେନଙ୍କ ବିଷୟରେ ମୋଦୀ କଣ କହିବେ?

ଯଦି ଦେଶର ପ୍ରଧାନମନ୍ତ୍ରୀ ଓ ଗୋଟେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭିତରେ ବିତର୍କର ସ୍ତର ହେଉଛି ଏୟା, ସେଥିରେ ରାଜନୀତିରେ ମର୍ଯାଦା ବୋଲି ସତରେ କିଛି ଅଛି ନା ନାହିଁ,  ସେ ପ୍ରଶ୍ନ ପଚାରିବାକୁ ପଡିବ। ଦେଶର ସାମ୍ବିଧାନିକ ପଦ ପଦବୀରେ ଥିବା ନେତା ରାସ୍ତାଘାଟର ଗୁଣ୍ଡାଙ୍କ ଭଳି ଯଦି ଗାଳିଗୁଲଜ କରନ୍ତି, ତାହେଲେ ସାଧାରଣ କର୍ମୀଙ୍କଠାରୁ ଆମେ ଆଉ କଣ ଆଶା କରିବା। ଯେତେବେଳେ ଫେସବୁକ ବା ଟୁଇଟରରେ ବିଭିନ୍ନ ଦଳର କର୍ମୀମାନେ ନିମ୍ନସ୍ତରର ବିତର୍କ କରନ୍ତି ଆମେ ସେମାନଙ୍କୁ ଟ୍ରୋଲ ବୋଲି କହି ଆଡେଇ ଯାଇଥାଉ, ହେଲେ ପ୍ରଧାନମନ୍ତ୍ରୀ ଯଦି ଟ୍ରୋଲ ଠୁ ତଳକୁ ଖସି ଯାନ୍ତି, ସେଠି କାହାକୁ ଦୋଷ ଦେବା?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହାଙ୍କୁ ଆଜି ବିଶ୍ଵାସଘାତକ ବୋଲି କହୁଛନ୍ତି ସେଇ ଚନ୍ଦ୍ରବାବୁ ନାଇଡ଼ୁ ତାଙ୍କ ସରକାରର ସହଯୋଗୀ ଥିଲେ। ୨୦୧୪ ରୁ ୨୦୧୮, ଚାରି ବର୍ଷ ଧରି ନାଇଡୁଙ୍କ ତେଲୁଗୁ ଦେଶମା ପାର୍ଟି ଏନଡିଏ ର ସହଯୋଗୀ ଥିଲା ଓ ବିଭିନ୍ନ ସମୟରେ ନାଇଡୁଙ୍କୁ ମୋଦୀ ଉଚ୍ଛ୍ଵସିତ ପ୍ରଶଂସା ମଧ୍ୟ କରିଛନ୍ତି। ସହଯୋଗୀ ଥିବାବେଳେ ଯାହାଙ୍କୁ ଆପଣ ପ୍ରଶଂସାରେ ପୋତି ପକାଉଥିଲେ, ସେ ହଠାତ ଏତେ ଗନ୍ଧାଇଲେ କାହିଁକି? ଚନ୍ଦ୍ରବାବୁ ନାଇଡ଼ୁ ତାଙ୍କ ଶ୍ଵଶୁର ଏନ.ଟି.ରାମାରାଓଙ୍କ ସହ ବିଶ୍ଵାସଘାତକତା କରିଥିଲେ ଯଦି ଏକଥା କଣ ୨୦୧୪ ରେ ମୋଦୀ ଜାଣିନଥିଲେ? ଆଜି ଯାହାଙ୍କର ବିଶ୍ଵାସଘାତକତା କୁ ନେଇ ସର୍ବ ସାଧାରଣରେ ନିନ୍ଦା ଗାନ କରୁଛନ୍ତି, ସେ ଲୋକ ସହିତ ଏତେ ଘନିଷ୍ଠ ମିତ୍ରତା ଥିଲା କେମିତି? ତାପରେ ଚନ୍ଦ୍ରବାବୁ ନାଇଡୁ ବାଜପାୟୀଙ୍କ ସମୟରୁ  ଏନଡିଏର ସହଯୋଗୀ ରହିଆସିଛନ୍ତି। ସେତେବେଳେ ତାଙ୍କ ବିଶ୍ଵାସଘାତକତା ଉପରେ ମଖମଲ କନା ଢଙ୍କା ହୋଇଥିଲା କି?

ସେହିପରି ମୋଦୀ ତାଙ୍କ ସ୍ତ୍ରୀ ଯଶୋଦାବେନଙ୍କୁ ଅସହାୟ କରି ଛାଡି ଦେଇଛନ୍ତି ବୋଲି ଚନ୍ଦ୍ରବାବୁ ନାଇଡୁ ୨୦୧୪ରେ ଜାଣିନଥିଲେ କି? ବନ୍ଧୁ ହେବା ଓ ବନ୍ଧୁତା ଭାଙ୍ଗିବା ରାଜନୀତିରେ ସାଧାରଣ ଘଟଣା। ତେବେ ବନ୍ଧୁତା ଭାଙ୍ଗିଗଲେ ନିହାତି ନିମ୍ନ ସ୍ତରକୁ ଓହ୍ଲାଇ ଗାଳିଗୁଲଜ କରିବା କୌଣସି ଭଲ ମଣିଷର ଲକ୍ଷଣ ନୁହେଁ। ଏପ୍ରକାର ଘଟଣା ବିହାର ବିଧାନସଭା ନିର୍ବାଚନ ଆଗରୁ ମଧ୍ୟ ଦେଖିବାକୁ ମିଳିଥିଲା। ବିହାର ନିର୍ବାଚନ ପ୍ରଚାର ସମୟରେ ସେତେବେଳେ ବିଜେପିର ବିରୋଧୀଥିବା ନୀତିଶ କୁମାରଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀ ଅତି ନିମ୍ନସ୍ତରର ସମାଲୋଚନା କରିଥିଲେ। ତେବେ ସେଇ ଡିଏନଏ ଖରାପ ଥିବା ନୀତିଶା କୁମାର ଏବେ ମୋଦୀଙ୍କର ପରମ ମିତ୍ର ହୋଇ ବସିଛନ୍ତି। ଲୋକଙ୍କ ଆଗରେ ଶତ୍ରୁତା ର ନାଟକ ଦେଖାଇ ରାଜନୈତିକ ଅଭିସନ୍ଧି ରଖି ଯେତେବେଳେ ରାଜନେତାମାନେ ପୁଣି ପରସ୍ପରକୁ କୋଳାଇ ନିଅନ୍ତି, ସେଠି ସେମାନଙ୍କୁ ତ ଲାଜ ଲାଗେନାହିଁ, କିମ୍ବା ରାଜନେତାଙ୍କ ଭକ୍ତମାନେ ମଧ୍ୟ ଲଜ୍ଜିତ ହୁଅନ୍ତି ନାହିଁ।

ଚନ୍ଦ୍ରବାବୁ ନାଇଡୁଙ୍କ ଶ୍ଵଶୁର ଏନ.ଟି.ରାମାରାଓ(୨୮,ମଇ,୧୯୨୩-୧୮,ଜାନୁଆରୀ,୧୯୯୬) ମରିବାର ୨୩ ବର୍ଷ  ବିତି ଗଲାଣି। ଏନଟିଆର ନିଜର ବୃଦ୍ଧାବସ୍ଥାରେ ଲକ୍ଷ୍ମୀ ପାର୍ବତୀ ନାମ୍ନୀ ଜଣେ ତରୁଣୀଙ୍କୁ ବିବାହ କରିଥିଲେ। ତେଲୁଗୁ ଦେଶମ ପାର୍ଟି ର ନେତୃତ୍ୱ ଓ ଏନଟିଆର ପରିବାର ଏହି ବିବାହକୁ ଗ୍ରହଣ କରିପାରିନଥିଲେ। ଯାହାର ପରିଣତି ସ୍ଵରୂପ ଏନଟିଆରଙ୍କୁ ମୃତ୍ୟୁ ପୂର୍ବରୁ ଅପଦସ୍ତ ହେବାକୁ ପଡିଥିଲା। ଲକ୍ଷ୍ମୀ ପାର୍ବତୀ ଓ ରାଓ ପରିବାର ଭିତରେ ଚାଲିଥିବା ଝଗଡାରୁ ଶେଷରେ ତେଲୁଗୁ ଦେଶମର ନେତୃତ୍ୱ ଚନ୍ଦ୍ରବାବୁ ନାଇଡୁଙ୍କ ହାତକୁ ଆସିଥିଲା। ଏମିତି ଦେଖିଲେ ଏନଟିଆରଙ୍କ ସହିତ କେବଳ ଜୋଇଁ ଚନ୍ଦ୍ରବାବୁ ବିଶ୍ଵାସଘାତକତା କରିନଥିଲେ, ତାଙ୍କର ୮ ପୁଅ ଓ ୪ ଝିଅଙ୍କ ପରିବାର ଏନଟିଆରଙ୍କୁ ଛାଡିଥିଲେ।

ବିଜେପି ସହିତ ଏନଟିଆରଙ୍କ ଉତ୍ତରାଧିକାର ପ୍ରସଙ୍ଗରେ ବହୁ ରୋଚକ ଓ ମଜା ତଥ୍ୟ ବୋଧେ ନରେନ୍ଦ୍ର ମୋଦୀ ଜାଣିନାହାନ୍ତି। ୧୯୯୬ ରେ ଏନଟିଆର ମୃତ୍ୟୁବରଣ କଲାପରେ ତାଙ୍କର ତରୁଣୀ ବିଧବା ପତ୍ନୀ ଲକ୍ଷ୍ମୀ ପାର୍ବତୀ ବିଜେପି ସହାୟତାରେ ନିର୍ବାଚନ ଲଢି ହାରିଥିଲେ। ପରବର୍ତ୍ତୀ ସମୟରେ ବିଜେପି ଲକ୍ଷ୍ମୀ ପାର୍ବତୀଙ୍କୁ ଛାଡି ଚନ୍ଦ୍ରବାବୁ ନାଇଡୁଙ୍କ ସହାୟତାରେ କେନ୍ଦ୍ରରେ ସରକାର ଗଢିଥିଲା। ୧୯୯୬ ରୁ ନିରନ୍ତର ଭାବରେ ଚନ୍ଦ୍ରବାବୁ ବିଜେପିକୁ ସମର୍ଥନ କରି ଆସିଛନ୍ତି। ଆଜି ହଠାତ ତାଙ୍କର ବିଶ୍ଵାସଘାତକତାର କାହାଣୀ ମନେ ପଡିବାର କାରଣ କଣ ହୋଇପାରେ?

ଆମ ରାଜନୀତିରେ ଏଣିକି ନିମ୍ନ ରୁଚି ଓ ଅଶ୍ଳୀଳ ଭାଷାର ଭାଷଣ ଅତି ସାଧାରଣ ଘଟଣା ପାଲଟିଯିବ। ଦେଶର ପ୍ରଧାନମନ୍ତ୍ରୀ ଯଦି ବିରୋଧିଦଳନେତାଙ୍କ ବାପା, ଜେଜେବାପା, ମା, ଶ୍ଵଶୁର ଓ ସପ୍ତପୁରୁଷଙ୍କ କଥା ନିର୍ବାଚନ ସଭାରେ ଉଛାଳିବେ, ବିରୋଧୀ ତାଙ୍କ ସ୍ତ୍ରୀ ସହ ହୋଇଥିବା ବିଶ୍ଵାସଘାତକତା ର କାହାଣୀ ଉଠାଇବେ ନାଇଁ କାହିଁକି?

ଚନ୍ଦ୍ରବାବୁ ନାଇଡୁ ଓ ନରେନ୍ଦ୍ର ମୋଦୀଙ୍କ ଭିତରେ ଗତକାଲିର ବାକ୍ୟ ବିନିମୟକୁ ଆମେ ଆଗାମୀ ନିର୍ବାଚନର ଏକ ଟ୍ରେଲର ଭାବେ ନେଇପାରିବା। ଆଗକୁ ବୋଧହୁଏ ଆହୁରି କଦର୍ଜ୍ୟ ବାକ୍ୟ ସବୁ ଆମକୁ ଶୁଣିବାକୁ ମିଳିପାରେ। ଘୁଷୁରି ଲଢେଇ ଓ ନିର୍ବାଚନ ଲଢେଇର ସ୍ତର ବୋଧେ ଆମ ଦେଶରେ ଏକା କଥା ପାଲଟି ଯାଉଛି।

Categories
ବିଶେଷ ଖବର

ନବୀନ ପଟ୍ଟନାୟକ, ପୋଡା ଟ୍ରାନ୍ସଫର୍ମର, ରିମୋଟ କଣ୍ଟ୍ରୋଲ ନା ଲୋକଙ୍କ ଖୁସିର ନାୟକ!!

କେଦାର ମିଶ୍ର

– ଅମିତ ଶାହା, ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ମତରେ ନବୀନ ପଟ୍ଟନାୟକ ଗୋଟେ ପୋଡା ଟ୍ରାନ୍ସଫର୍ମର ଯାହାଙ୍କୁ ଖାଲି ବଦଳାଇଲେ ଚଳିବ ନାହିଁ, ବରଂ ତାଙ୍କୁ ଓପାଡି ବଂଗୋପ ସାଗରରେ ଫୋପାଡି ଦେବାକୁ ପଡିବ।

– ରାହୁଲ ଗାନ୍ଧୀ, କଂଗ୍ରେସର ଜାତୀୟ ସଭାପତିଙ୍କ କହିବା କଥା ହେଲା, ଚୌକିଦାର ଚୋର ହୈ ଆଉ ନବୀନ ପଟ୍ଟନାୟକଙ୍କ ରିମୋଟ କଣ୍ଟ୍ରୋଲ ଚୌକିଦାର ହାତରେ।

-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମତ ହେଲା, ନବୀନ ପଟ୍ଟନାୟକଙ୍କ ସରକାର ସ୍ଥାଣୁ ଓ ଅପାରଗ।

-ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କଥା ଅନୁସାରେ ଏଠି ଚାଷୀ ହତାଶ, ଯୁବକ ହତାଶ, ମଧ୍ୟବିତ୍ତ ହତାଶ, ସବୁଠି କେବଳ  ହତାଶା ଓ ହତାଶା ।

ହେଲେ ଏ ସବୁ ଅଭିଯୋଗକୁ ବିଲକୁଲ ଅଣଦେଖା କରି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରା ହେଲା, ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି।

ରାଜନୀତିରେ ସଂଳାପ ର ଏ ଯେଉଁ ଯୁଗ ଚାଲିଛି, ୟାକୁ ଦେଖି ଆମର ବଡ ବଡ ନାଟ୍ୟକାରମାନେ ଈର୍ଷା ନିହାତି କରୁଥିବେ। ବେଳେ ବେଳେ ଲାଗୁଛି, ଏ ଡାଇଲଗବାଜିର ମୂଳ ଲକ୍ଷ୍ୟ ରାଜନୀତି ନୁହେଁ, ବରଂ ମନୋରଞ୍ଜନ। ରାଜନୀତିରେ ଲୋକଙ୍କ ସମସ୍ୟାକୁ ଗମ୍ଭୀରତାର ସହିତ ନଉଠାଇ, କେବଳ ଯାତ୍ରା ଡାଇଲଗ ମାଧ୍ୟମରେ ସବୁ ମୌଳିକ ସମସ୍ୟାକୁ ଚାପିଦେବା ଯେମିତି ଏ ସୁଆଙ୍ଗବାଜିର ମୁଖ୍ୟ ଉଦ୍ଦେଶ୍ୟ। ନବୀନ ପଟ୍ଟନାୟକ ଓଡିଶାରେ ୧୯ ବର୍ଷ ହେଲା ଶାସନ କଲେଣି। ସେ ଯେ ଲୋକଙ୍କ ଦ୍ଵାରା ବାରମ୍ବାର ନିର୍ବାଚିତ ହୋଇ ଆସୁଛନ୍ତି ସେଥିରେ କୌଣସି ସନ୍ଦେହ ନାହିଁ। ତେବେ ରାଜନୀତିରେ ଏତେଦିନ କ୍ଷମତାରେ ରହିବାପରେ ଗୋଟେ ଲୋକ ପ୍ରତି ଲୋକଙ୍କ ମନରେ ବିତୃଷ୍ଣା ଆସିବା ସ୍ଵାଭାବିକ। ହେଲେ ସେମିତି ବିରକ୍ତି ଓ ବିତୃଷ୍ଣାର ଭାବନା ନବୀନଙ୍କ ପ୍ରତି ଅଛି କି? ଲୋକ ନବୀନଙ୍କ ପ୍ରତି କ୍ରୁଦ୍ଧ ବା ବିରକ୍ତ ବୋଲି ବିରୋଧୀ ଯାହା କହୁଛନ୍ତି, ତାରି ସମର୍ଥନରେ ସେମିତି କିଛି ପ୍ରମାଣ ମିଳିଛି କି?

ମଜାର କଥା ହେଲା, ନବୀନଙ୍କୁ ଅନ୍ୟମାନେ ଯେତିକି ଗାଳି କରୁଛନ୍ତି, ନବୀନ ସେତିକି ନିର୍ବିକାର ଭାବରେ “ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି” ବୋଲି କହି ଚାଲିଛନ୍ତି। ଏହା ପଛରେ ହୁଏତ ବିରୋଧୀଙ୍କୁ ଛିଗୁଲାଇବାର ଏକ ଉଦ୍ଦେଶ୍ୟ ଥାଇପାରେ! ତେବେ ଲୋକଙ୍କ ଭିତରେ ଏ ସ୍ଲୋଗାନ ଆସ୍ତେ ଆସ୍ତେ ଘର କରିବା ଆରମ୍ଭ କଲାଣି। ଯେ କୌଣସି ନିର୍ବାଚନ ପୂର୍ବରୁ ଗୋଟେ ବଡ ସ୍ଲୋଗାନ ଲୋକଙ୍କ ଭିତରକୁ ପଶେ, ସେ ସ୍ଲୋଗାନ ବ୍ୟାପକ ହୁଏ ଓ ସେଇ ବ୍ୟାପିବାର ମାତ୍ରାରୁ ସଫଳତାର ସଙ୍କେତ ମିଳିଥାଏ। ଯେମିତି ୨୦୧୪ରେ ନରେନ୍ଦ୍ର ମୋଦୀଙ୍କର “:ଅଛେ ଦିନ” ର ସ୍ଲୋଗାନ। ୨୦୧୪ ନିର୍ବାଚନରେ ଏ ସ୍ଲୋଗାନ ଲୋକଙ୍କ ଭିତରେ ଗୋଟେ ପ୍ରକାର ଉତ୍ସାହ ତିଆରି କରିଥିଲା। ସେମିତି ଦିଲ୍ଲୀ ନିର୍ବାଚନରେ- ପାଞ୍ଚ ସାଲ, କେଜ୍ରିୱାଲ ସ୍ଲୋଗାନ। ବିହାର ନିର୍ବାଚନରେ ‘ବିହାରୀ ବନାମ ବାହାରି’ ର ନାରା। ଓଡିଶାରେ ସାଧାରଣ ନିର୍ବାଚନର ଠିକ ଆଗରୁ “ଆପଣମାନେ ଖୁସି ତ” , ସ୍ଲୋଗାନର ରୂପ  ବ୍ୟାପକ ହେବା ଆରମ୍ଭ କରିଛି।

ଗୋଟେ ପୋଡା ଟ୍ରାନ୍ସଫର୍ମର ଅବା ରିମୋଟ କଣ୍ଟ୍ରୋଲ ଭାବରେ ନବୀନଙ୍କୁ ଓଡିଶାର ଲୋକେ ପ୍ରତ୍ୟାଖ୍ୟାନ କରିବା ଭଳି ଏକ ସ୍ଥିତି ସତରେ ଓଡିଶାରେ ଆସି ଯାଇଛି କି? ଯେ କୌଣସି ସାଧାରଣ ଲୋକକୁ ପଚାରିଲେ, ସେ ଏକଥାକୁ ହସି ଉଡାଇଦେବ।ଯଦି ସେମିତି କିଛି ଚମତ୍କାର ନହୁଏ, ତାହେଲ ନବୀନଙ୍କ ପରାଜୟ କସ୍ମିନ କାଳେ ସମ୍ଭବ ନୁହେଁ ବୋଲି ଆଜି ମଧ୍ୟ ସାଧାରଣ ଲୋକଙ୍କ ବିଶ୍ଵାସ। ତେବେ ଏ ପ୍ରକାର ବିଶ୍ବାସକୁ ଆମେ ଅନ୍ଧ ବିଶ୍ଵାସ ବୋଲି ମଧ୍ୟ କହିପାରିବା। କାରଣ ରାଜନୀତିରେ ଚା କପ ଓ ଓଠ ମଧ୍ୟରେ ଦୂରତା, କିଛି କମ ନୁହେଁ। ତେବେ ଲୋକଙ୍କ ପାଖରେ ପହଞ୍ଚିବାକୁ ନକାରାତ୍ମକ ସ୍ଲୋଗାନ ତୁଳନାରେ ସକାରାତ୍ମକ ସ୍ଲୋଗାନ ଗୁଡିକ ଅଧିକ ଗ୍ରହଣୀୟ ହେଉଛି। ଗରୀବି, ଦାଦନ, ଦାନ ମାଝୀ ଭଳି ପ୍ରସଙ୍ଗ ନିର୍ବାଚନ ରାଜନୀତିରେ ପ୍ରାୟ ଆଉ କାମ କରୁନାହିଁ। ଲୋକଙ୍କୁ ଭଲ ପ୍ୟାକେଜ ଦରକାର। ଉଲ୍ଲାସ ଓ ଉତ୍ସବ ଦରକାର। ସେଥିଲାଗି, ‘ଆପଣମାନେ ଖୁସି ତ’ ର କୁହୁକ କାମ ଦେବା ଆରମ୍ଭ କଲାଣି।

ତେବେ ସବୁ କିଛି ଯେ ଖୁସିବାସୀ ରେ ଚାଲିଛି, ତା ବି ସତ ନୁହେଁ। ରାଜ୍ୟର ଅନେକ ସମସ୍ୟା ରହିଛି।  ଅନେକ ଆର୍ଥିକ ଓ ରାଜନୈତିକ ସଙ୍କଟ ଆମ ପାଖରେ ରହିଛି। ହେଲେ ସେସବୁ ଅପେକ୍ଷା ଏକ ସକାରାତ୍ମକ ବିଜ୍ଞାପନ ଲୋକଙ୍କ ଭିତରେ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କଲାଣି। ନବୀନଙ୍କୁ ବିରୋଧୀ ଯେତେ ଆକ୍ରମଣ କରୁଛନ୍ତି, ସେଟା ତାଙ୍କ ଲାଗି ଏକପ୍ରକାର ଆଶୀର୍ବାଦ ପାଲଟି ଯାଉଛି। ଶାହା କହୁଛନ୍ତି, ନବୀନ କଂଗ୍ରେସର ପରୋକ୍ଷ ବସ, ରାହୁଲ କହୁଛନ୍ତି, ନବୀନଙ୍କ ବାସ୍ତବ ପରିଚାଳକ ହେଉଛନ୍ତି, ନରେନ୍ଦ୍ର ମୋଦୀ। ଏସବୁ କଥା ଶୁଣୁଥିବା ସାଧାରଣ ଲୋକ ଭାବୁଛି, ଆରେ, ନବୀନ ତ କାହା କଥା କହୁନାହାନ୍ତି, ତେଣୁ ସେ ଖୁସି, ଆମେ ବି ଖୁସି।

ବିଡମ୍ବନାର କଥା ହେଲା, ପୋଡା ଟ୍ରାନ୍ସଫର୍ମର ଏବେ ଅଧିକ ବେଗବାନ ବିଜୁଳି ଦେଉଛି ଓ ରିମୋଟ କଣ୍ଟ୍ରୋଲ କାହା ହାତରେ ଅଛି, ସେଟା କାହାକୁ ଦେଖା ଯାଉନାହିଁ!

Categories
ବିଶେଷ ଖବର ମତାମତ

ପଶ୍ଚିମ ବଙ୍ଗରେ କିଏ ଜିତିଲା ବଡକଥା ନୁହେଁ, ସବୁଠୁ ବଡ କଥା ହେଉଛି କ୍ଷମତାର ଲଢେଇ ରେ ସଙ୍ଘୀୟ ଗଣତନ୍ତ୍ରର ହତ୍ୟା

କେଦାର ମିଶ୍ର

ସୁପ୍ରିମ କୋର୍ଟ କହିଲେ, କୋଲକାତାର ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଗିରଫ କରି ପାରୀଣ ନାହିଁ, କିନ୍ତୁ ସେ ସିବିଆଇ ତଦନ୍ତରେ ସହଯୋଗ କରିବେ । ବୁଝା ପଡୁନି, ଏଥିରେ ନୂଆ କଥା କଣ ଅଛି। ୯, ମଇ, ୨୦୧୪ ଦିନ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି  ଜଷ୍ଟିସ ଟି॰ଏସ॰ଠାକୁର ଓ ଜଷ୍ଟିସ ସି॰ନାଗାପ୍ପାନ ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେବା ଅବସରରେ ଏକଥା ସ୍ପଷ୍ଟ କରିଦେଇଥିଲେ ଯେ ଓଡିଶା ଓ ପଶ୍ଚିମବଙ୍ଗରେ ହୋଇଥିବା ଚିଟଫଣ୍ଡ ଦୁର୍ନୀତିର ପୋଲିସ ଫାଇଲ ଗୁଡିକ ସିବିଆଇ କୁ ହସ୍ତାନ୍ତରିତ କରାଯିବ। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଫାଇଲ ତୁରନ୍ତ ସିବିଆଇ ହାତକୁ ଆସିଯିବା କଥା। ଇତି ମଧ୍ୟରେ ପାଞ୍ଚ ବର୍ଷ ବିତିଗଲା ପରେ ହଠାତ ସିବିଆଇ କହୁଛି ଯେ ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ଯେଉଁ ତଥ୍ୟ ଦେଇଛି ସେଗୁଡିକ ପୂର୍ଣ୍ଣାଙ୍ଗ ନୁହେଁ। କଣ ଫାଇଲ ପାଢୀ ବୁଝିବାକୁ ଏ ଦେଶର ସବୁଠୁ ବଡ ତଦନ୍ତକାରୀ ସଂସ୍ଥାକୁ ପାଞ୍ଚ ବର୍ଷ ସମୟ ଲାଗେ? ସୁପ୍ରିମ କୋର୍ଟ ତାଙ୍କ ରାୟରେ କେଉଁ ସବୁ କେସର କାଗଜାତ ସିବିଆଇ କୁ ଦିଆଯିବ ସେ କଥା ସ୍ପଷ୍ଟ କରିଛନ୍ତି। ତଥାପି ସିବିଆଇ ଏତେ ବର୍ଷ ଚୁପ ବସିଥିଲା କାହିଁକି ? ଯଦି ତତ୍କାଳୀନ ତଦନ୍ତ ଅଧିକାରୀ ସିବିଆଇ କୁ ସହଯୋଗ କରୁନଥିଲେ, ସେ ବିଷୟ ସିବିଆଇ ସୁପ୍ରିମ କୋର୍ଟରେ ଜଣାଇପାରିଥାନ୍ତା। ତାହା ନକରି ୪୦ ଜଣ ଅଧିକାରୀଙ୍କୁ ନେଇ ଜଣେ ପୋଲିସ କମିଶନରଙ୍କ ଘରକୁ ଯିବାର ରାଜନୈତିକ ଉଦ୍ଦେଶ୍ୟ ବୁଝା ପଡୁ ନାହିଁ କି? ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର ମାସକ ପୂର୍ବରୁ ସିବିଆଇ ର ଏ ପ୍ରକାର ତତ୍ପରତା ପଛରେ ନିର୍ବାଚନୀ ରାଜନୀତିର ଗନ୍ଧ ଆପେ ଆପେ ବାରି ହେଉଛି।

ତେବେ ଏହି ସମଗ୍ର ପ୍ରକରଣରେ ଦିଲ୍ଲୀର ଗଣମାଧ୍ୟମ ମମତା ବାନାର୍ଜୀଙ୍କୁ ଖଳ ନାୟିକା ଭାବରେ ଚିତ୍ରଣ କରିବାର ଅପଚେଷ୍ଟା କରୁଛି। ମମତା ବାନାର୍ଜୀ ଏ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇବା କିଛି କିଛି ଲୋକଙ୍କୁ ବହୁତ ବାଧିଛି। ସେମାନେ ଭାବନ୍ତି ରାଜ୍ୟ ସରକାର ଗୁଡିକ କେନ୍ଦ୍ର ସରକାରର ବଶଂବଦ ହୋଇ ରୁହନ୍ତୁ। ତେବେ ଭାରତର ସମ୍ବିଧାନ ରାଜ୍ୟଗୁଡିକୁ ଢେର ସ୍ୱାୟତ୍ତତା ଦେଇଛି। ଆଇନ ଶୃଙ୍ଖଳା ରାଜ୍ୟ ବିଷୟ ହୋଇଥିବାରୁ ସ୍ଵାଭାବିକ ଭାବରେ ପୋଲିସ ଉପରେ ରାଜ୍ୟ ସରକାର ଗୁଡିକର କର୍ତ୍ତୃତ୍ଵ ରହିଛି। ଦିଲ୍ଲୀ ସରକାର ପାଖରେ ପୋଲିସ କ୍ଷମତା ନଥିବାରୁ ତାଙ୍କୁ ସିବିଆଇ ଯେଉଁପ୍ରକାର ହଟହଟା କରିଛି, ତାହା ଆମର ସଙ୍ଘୀୟ ବ୍ୟବସ୍ଥାରେ ଏକ କଳଙ୍କ  ହୋଇ ରହିବ। ନିଜର ରାଜନୈତିକ ପ୍ରତିଶୋଧପରାୟଣତାକୁ ସିବିଆଇ ମାଧ୍ୟମରେ ଚରିତାର୍ଥ କରିବାକୁ ବର୍ତ୍ତମାନର କେନ୍ଦ୍ର ସରକାର ଯେତେ ଗୁଡିଏ ପଦକ୍ଷେପ ନେଲେଣି ତାର ତାଲିକା ବହୁତ ଲାମ୍ବା ହେବ। ବିରୋଧୀ ନେତାଙ୍କୁ ଜବତ କାରିବା ଲାଗି ସିବିଆଇ କୁ ଅସ୍ତ୍ର ଭାବରେ କେନ୍ଦ୍ର ସରକାର ବ୍ୟବହାର କରୁଥିବାର ଶେଷ ପ୍ରମାଣ ହେଉଛି ପଶ୍ଚିମ ବଙ୍ଗ ଘଟନା।

ଏ କ୍ଷେତ୍ରରେ ସିବିଆଇ ର ତଦନ୍ତ ଯେ ଏକ ସୁଆଙ୍ଗ ତାର ପ୍ରମାଣ ହେଉଛି ସାମ୍ବାଦିକ ସମ୍ମିଳନୀ ଗୁଡିକରେ ମୁକୁଲ ରାୟଙ୍କ ଉପସ୍ଥିତି। ସାରଦା ଚିଟଫଣ୍ଡ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଭାବରେ ସିବିଆଇ ଜାଲରେ ପଡିଥିବା  ମୁକୁଲ ରାୟ ଏବେ ତୁଙ୍ଗ ବିଜେପି ନେତା ଭାବରେ ପ୍ରବଚନ ଦେଉଛନ୍ତି। ସେହିପରି ଆସାମରେ ଚିଟ ଫଣ୍ଡ ମାମଲାର ଅଭିଯୁକ୍ତ ହେମନ୍ତ ବିଶ୍ଵା ଶର୍ମା ଏବେ ଆସାମର ସୁପର ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀରେ ଦୁଇଟି ବଡ ଗଣମାଧ୍ୟମର ପୃଷ୍ଠପୋଷକ। ସବୁଠୁ ମଜା କଥା ହେଉଛି ଯେଉଁ ଟେଲିଭିଜନ କମ୍ପାନୀରେ ଚିଟ ଫଣ୍ଡ କେଳେଙ୍କାରିର ପୁଞ୍ଜି ଲାଗିଛି, ସେ ଟେଲିଭିଜନର ସମ୍ପାଦକ ଏବେ ସିବିଆଇ ର ମୁଖ୍ୟ ପ୍ରଚାରକ ସାଜିଛନ୍ତି।

ଏ ପ୍ରକାର ବିଚିତ୍ର ବିରୋଧାଭାସ ଭିତରେ ସୁପ୍ରିମ କୋର୍ଟ ଯାହା କହିଛନ୍ତି ତାକୁ ନେଇ ଯେଉଁ ରାଜନୀତି ହେଉଛି, ତାହାର ସ୍ଵରୂପ ମଧ୍ୟ ବିଚିତ୍ର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଭୟ ମମତା ବାନାର୍ଜୀ ଓ ବିଜେପି ଏହା ନିଜର ବିଜୟ ବୋଲି କହିଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଏହା ରାଜନୀତିର ବିଜୟ ହୋଇଥିବା ବେଳେ ଆମ ସମ୍ବିଧାନ ନିର୍ଦ୍ଧାରିତ କରିଥିବା ସଙ୍ଘୀୟ  ବ୍ୟବସ୍ଥାର ଏହା ସବୁଠୁ ବଡ ବିପର୍ୟୟ। ସିବିଆଇ କୁ ତଦନ୍ତ ନିର୍ଦ୍ଦେଶ ଦେବାବେଳେ ସୁପ୍ରିମ କୋର୍ଟ କୌଣସି ସମୟସୀମା ନିର୍ଦ୍ଧାରଣ ନକରିବା ଓ ଏଥିଲାଗି ତଦାରଖ କରିବାକୁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନକରିବା ଫଳରେ ଏହାକୁ ନେଇ ରାଜନୀତି ତୀବ୍ରତର ହୋଇଛି। ତେଣୁ ସୁପ୍ରିମ କୋର୍ଟ ଏହି ମାମଲାର ପୁନର୍ବିଚାର କରିବା ଏବେ ଜରୁରୀ ହୋଇ ପଡିଛି।

Categories
ବିଶେଷ ଖବର

ଆପଣମାନେ ଜାଣନ୍ତି, ଆନ୍ନା ହଜାରେ ଅନଶନରେ ବସିଛନ୍ତି?

କେଦାର ମିଶ୍ର 

ସେ ଟୋପି କଥା ଆପଣମାନଙ୍କର ମନେ ଅଛି, ଯେଉଁ ଟୋପିରେ ଲେଖାଥିଲା, ମେ ଭି ଆନ୍ନା। ଆହୁରି କିଛି ଟୋପି ଥିଲା, ଯେଉଁଠି ଲେଖା ହୋଇଥିଲା, ମେରା ନେତା ଚୋର ହୈ। ଆନ୍ନା, ଆନ୍ନା ହଜାରେ, ସାରା ଭାରତରେ ବିଜୁଳିର ଚମକ ଖେଳାଇ ଦେଇଥିବା ଏଇ ୮୨ ବର୍ଷର ବୃଦ୍ଧ ସଂଗ୍ରାମୀ ଗତ ଚାରି ଦିନ ହେଲା ଅନଶନରେ ବସିଛନ୍ତି। ସେ ଖବର ଖାଲି ଖବର କାଗଜର ଗୋଟେ ଛୋଟିଆ କୋଣରେ ଆସୁଛି ଆଉ ଯାଉଛି। କେହି ଚିନ୍ତା କରୁନାହାନ୍ତି, ଆନ୍ନା ହଜାରେଙ୍କର କଣ ହେବ। ମୋଟାମୋଟି କହିବାକୁ ଗଲେ ଭାରତର ରାଜନୀତିରେ ଆନ୍ନା ହଜାରେ ଆଜି ଏକ ଅନାବଶ୍ୟକ ଚରିତ୍ର। ଏକଦା ଦିଲ୍ଲୀର ରାମଳୀଳା ମଇଦାନରେ ତାଙ୍କର ଅନଶନ ସାରା ଦେଶରେ ନିଆଁ ଲଗାଇ ଦେଇଥିଲା। ଦୁର୍ନୀତି ବିରୋଧୀ ଦେବଦୂତ ଭାବରେ ସାରା ଦେଶ ତାଙ୍କ ପଛରେ ଠିଆ ହୋଇଗଲା। ୫ ଏପ୍ରିଲ ୨୦୧୧ ରୁ ୯ ଏପ୍ରିଲ ୨୦୧୧, ଆନ୍ନା ହଜାରେଙ୍କର ଆନ୍ଦୋଳନ ସେତେବେଳେ ସାରା ଦେଶର ଏକ ମାତ୍ର ଚର୍ଚ୍ଚାର ବିଷୟ ଥିଲା। ହଜାର ହଜାର ଲୋକ ସ୍ଵତଃ ରାସ୍ତାକୁ ଓହ୍ଲାଇ ଆସି ଆନ୍ନାଙ୍କୁ ସମର୍ଥନ କରୁଥିଲେ। ଟେଲିଭିଜନ ଚାନେଲ ଗୁଡିକ ରାତି ଦିନ ଏକାକାର କରି ଆନ୍ନା ଓ ତାଙ୍କ ସାଥିମାନଙ୍କ ଅନଶନର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଉଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂ ଓ ତାଙ୍କ ସରକାର ଆନ୍ନାଙ୍କ ଅନଶନକୁ ଦେଖି ଏକପ୍ରକାର ଭୟଭୀତ ହୋଇପଡିଥିଲା।

ଗତ ଆଠ ବର୍ଷ ଭିତରେ କେତେ କଣ ବଦଳି ଯାଇଛି। ସେଇ ସମାନ ଆନ୍ନା ହଜାରେ ଆଜି ଏକୁଟିଆ ନିଜ ଗାଁ ରାଲେଗାଁଓ  ସିଦ୍ଧିରେ ଅନଶନରେ ବସିଛନ୍ତି। ପାଖରେ ଶିଷ୍ୟ ପ୍ରଶିଷ୍ୟ କେହି ନାହାନ୍ତି। ଯେଉଁମାନେ ଆନ୍ନାଙ୍କ ସାଙ୍ଗରେ ବସି ଅନଶନ କରୁଥିଲେ ବା ଦୁର୍ନୀତି ବିରୋଧରେ ବଡ ବଡ ଭାଷଣ ଦେଉଥିଲେ, ସେମାନେ ଏବେ ନିଜେ ଗୋଟେ ଗୋଟେ କ୍ଷମତା କେନ୍ଦ୍ର। କିଏ ମୁଖ୍ୟମନ୍ତ୍ରୀ, କିଏ ରାଜ୍ୟପାଳ, କିଏ କେନ୍ଦ୍ରମନ୍ତ୍ରୀ ହୋଇ ବସିଛନ୍ତି। ଆନ୍ନାଙ୍କୁ ନେଇ ଭାବିବାକୁ କାହା ପାଖରେ ସମୟ ନାହିଁ। ୨୦୧୧ ରେ ମନମୋହନ ସିଂ ସରକାର ଆନ୍ନାଙ୍କୁ ଖାତର କଲେ ବୋଲି, ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଲା। ନରେନ୍ଦ୍ର ମୋଦୀ ସରକାର ସ୍ଵୟଂଭୂ। ତାଙ୍କର କାହାକୁ ଖାତର କରିବାର ନାଇଁ। ତେବେ ଏଥିଲାଗି ଖୋଦ ଆନ୍ନା ହଜାରେ ଇ ଦାୟୀ। ଆନ୍ନା ହଜାରେ ଭାବିଲେ ସରକାର ବଦଳିଗଲେ ଦୁର୍ନୀତି ଚାଲିଗଲା। କିନ୍ତୁ ଦୁର୍ନୀତି ଆମ ସାମାଜିକ ଓ ରାଜନୈତିକ ଜୀବନର ଗୋଟେ ଏମିତି ଅଂଶ ଯାହାକୁ କେବଳ ଲୋକପାଳ ଭଳି ଏକ ଆଇନ ମାଧ୍ୟମରେ ବଦଳାଇ ହେବ ନାହିଁ। ମୋଦୀ ହୁଅନ୍ତୁ ବା ମନମୋହନ, କଂଗ୍ରେସ ହେଉ ବା ବିଜେପି, ରାଜନୈତିକ ଦୁର୍ନୀତି ବିରୋଧରେ ଲଢିବାକୁ ଏମାନେ କେହି ବଦ୍ଧ ପରିକର ନୁହନ୍ତି। ତେଣୁ ଆନ୍ନା ବୃହତ୍ତର ରାଜନୈତିକ ସଂସ୍କାର ପ୍ରସଙ୍ଗ ନ ଉଠାଇ କେବଳ ସରକାର ବଦଳାଇବା ପ୍ରକ୍ରିୟାରେ ନିଜର ଶକ୍ତି ଅପଚୟ କଲେ। ତାହାର ପରିଣତିରେ କଂଗ୍ରେସର ବିପର୍ୟୟ ଘଟିଲା ଓ ୨୦୧୪ ରେ ବିଜେପି ସରକାର ଆସିଲା। ହେଲେ ଏଇ ସରକାର ବଦଳ ପ୍ରସଙ୍ଗ ଆନ୍ନାଙ୍କୁ ସାରା ଜୀବନ ପାଇଁ ଲୋକଙ୍କ ପାଖରେ ଅବିଶ୍ଵସ୍ତ କରିଦେଲା।

ତାଙ୍କୁ ସରକାର କୁ ବଦନାମ କରିବାର ଏକ ଅସ୍ତ୍ର ଭାବରେ ବିଜେପି ଓ ସଂଘ ପରିବାର ବ୍ୟବହାର କରି ସାରିବା ପରେ ଏବେ ଫୋପାଡି ଦେଇଛନ୍ତି। ଗତ ପାଞ୍ଚ ବର୍ଷ ଭିତରେ ଆନ୍ନା ହଜାରେ ଯେତେଥର ଯେଉଁ ପ୍ରସଙ୍ଗ କଥା ଉଠାଇଛନ୍ତି, ତାଙ୍କ କଥା କେହି ଶୁଣିନାହାନ୍ତି। ତାଙ୍କର ପ୍ରଚଣ୍ଡ ଚାପରୁ ଯେଉଁ ଲୋକପାଳ ବିଲ ତିଆରି ହୋଇଥିଲା ତାହା ଆଜି ଏକପ୍ରକାର ଅକାମୀ ହୋଇ ପଡିଛି। ନରେନ୍ଦ୍ର ମୋଦୀ ଲୋକପାଳ ର ନାଁ ବି ଧରୁନାହାନ୍ତି। ସେଥିରେ ଆନ୍ନା ଆଜି ପୁଣିଥରେ ଅନଶନରେ ବସିଛନ୍ତି। ବଡ ବିକଳ ହୋଇ କହୁଛନ୍ତି- ଯଦି ମୋର କିଛି ହୋଇଯାଏ, ତାହେଲେ ସେଥିଲାଗି ପ୍ରଧାନମନ୍ତ୍ରୀ ମୋଦୀ ଦାୟୀ ରହିବେ। ହେଲେ ଆନ୍ନାଙ୍କ କଥା ଶୁଣୁଛି କିଏ? ଦେଶର ଗଣମାଧ୍ୟମ ଏବେ ନିର୍ବାଚନ ମୋଡରେ। କୋଲକାତାର ରାଜରାସ୍ତାରେ ସିବିଆଇ ବନାମ ପଶ୍ଚିମ ବଙ୍ଗ ରାଜ୍ୟ ପୋଲିସର ଯେଉଁ ମହାନାଟକ ଚାଲିଛି, ତାକୁ ଦେଖିବା ଓ ଦେଖାଇବାରେ ବ୍ୟସ୍ତ ଟେଲିଭିଜନ କ୍ୟାମେରା ପାଖରେ ଆନ୍ନାଙ୍କ ପାଇଁ ଆଉ ସମୟ ନାହିଁ।

ଆନ୍ନା ହଜାରେଙ୍କ ଆନ୍ଦୋଳନ ସହିତ ଯେଉଁମାନେ ଛିଡା ହୋଇଥିଲେ ସେମାନେ ଆଜି ହତାଶ ଓ ଶୋଷିତ। ଦୁର୍ନୀତି ବିରୋଧରେ ଲଢିବାକୁ ଯାଇ ସାମ୍ପ୍ରଦାୟିକ ଶକ୍ତିଙ୍କ ହାତରେ ଦେଶର ଭବିଷ୍ୟତ ଟେକି ଦିଆଯିବ ବୋଲି ସେତେବେଳେ କେହି କଲ୍ପନା ମଧ୍ୟ କରିନଥିଲେ। ସଂଘ ପରିବାର ହାତରେ ‘ଇଣ୍ଡିଆ ଏଗେଂଷ୍ଟ କରପସନ‘ ଆଂଦୋଳନର ଭାଗ୍ୟକୁ ଟେକିଦେଇ ଆନ୍ନା ସବୁଦିନ ଅବିଶ୍ଵସ୍ତ ହୋଇସାରିଛନ୍ତି। ତେଣୁ ଆଜି ତାଙ୍କ ପାଖରେ କେହି ନାହାନ୍ତି। ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଲକ୍ଷ ଲକ୍ଷ ଯୁବକଙ୍କ ଭାବ ପ୍ରବଣତା ଓ ରାଜନୀତିରେ ସେମାନେ ଦେଖିଥିବା ସ୍ଵପ୍ନ ଭାଙ୍ଗି ଯାଇଛି। ସେଥିଲାଗି ଆନ୍ନା ଆଜି ଏକୁଟିଆ ଓ ହତାଶ ହୋଇ ବସିଛନ୍ତି। ଆନ୍ନା ହଜାରେଙ୍କ ପ୍ରତି ସବୁ ପ୍ରକାର ସମ୍ମାନ ସତ୍ତ୍ୱେ ଆଜି ତାଙ୍କ କଥା ଉପରେ ଭରସା କରିବା ଭଳି ଲୋକ ଆଉ ପ୍ରାୟ କେହି ନାହାନ୍ତି, ତାହାହିଁ ବିଡମ୍ବନା।

Categories
ବିଶେଷ ଖବର

ଉଖାଡ କେ ଫେକ ଦୋ, କେଉଁ ସଭ୍ୟ ସମାଜର ରାଜନୈତିକ ଭାଷା ଇଏ ?

କେଦାର ମିଶ୍ର

ଭାରତୀୟ ଜନତା ପାର୍ଟିର ଭାଷା ଓ ଭାଷଣରେ ଗୋଟେ ନାଟକୀୟତା ସବୁବେଳେ ରହି ଆସିଛି। ଏପରିକି ବିଜେପିର ତୁଙ୍ଗତମ ଜନନେତା ଅଟଳ ବିହାରୀ ବାଜପାୟୀଙ୍କ ଭାଷଣରେ ବି ନାଟକୀୟତାର ଆଭାସ ରହିଥିଲା। ହେଲେ ବାଜପାୟୀ ନେହେରୁ ସମୟର ରାଜନୀତିରୁ ଶାଳୀନତା ଓ ଭଦ୍ରତାର ଭାଷା ଶିଖିଥିଲେ। ତେଣୁ ତାଙ୍କର କଠୋର ସମାଲୋଚକ ମଧ୍ୟ ବାଜପାୟୀଙ୍କୁ ଶ୍ରଦ୍ଧାର ସହ ଶୁଣୁଥିଲେ। ତେବେ ୨୦୧୪ ପରଠୁ ବିଜେପିର ଯେଉଁ ନୂଆ ଚେହେରା ଉଦୟ ହୋଇଛି, ସେ ଚେହେରାରେ ଶିଷ୍ଟାଚାର ଓ ଶାଳୀନତାର କୌଣସି ଆଭାସ ନାହିଁ। କ୍ଷମତାର ଅହଂକାର ଓ ଏକଛତ୍ରବାଦୀ ମାନସିକତାର ଏ ଭାଷା ଏବେ କେବଳ ଭାରତୀୟ ରାଜନୀତି ନୁହେଁ, ବରଂ ଆମର ପୂରା ସାମାଜିକ ଜୀବନକୁ ଧ୍ଵସ୍ତ ବିଧ୍ଵସ୍ତ କରିବା ଆରମ୍ଭ କଲାଣି। ଏହି କ୍ରମରେ ବିଜେପିର ଜାତୀୟ ସଭାପତି ଅମିତ ଶାହା ଓଡିଶା ଆସି ଯେଉଁ ଭାଷଣ ସବୁ ଦେଉଛନ୍ତି, ତାକୁ ଶୁଣିଲେ ମାନେ ହେଉଛି, ଆମେ ବୋଧ ହୁଏ ଏବେବି ସାମନ୍ତବାଦୀ ମଧ୍ୟଯୁଗରେ ବସବାସ କରୁଛୁ। ଯେମିତି ପୁରୁଣା ସାମନ୍ତବାଦୀ ରାଜାମାନେ ନିଜର ପ୍ରତିଦ୍ଵନ୍ଦ୍ଵୀ ରାଜାକୁ ଓପାଡି ଫୋପାଡି ଦେବାର ସଂକଳ୍ପ ନେଉଥିଲେ, ଏକ ଗାଣତାନ୍ତ୍ରିକ ଦେଶର ଶାସକ ଦଳର ମୁଖିଆ ଠିକ ସେଇ ଭାଷାରେ କଥାବାର୍ତ୍ତା କରୁଛନ୍ତି।

ଅମିତ ଶାହାଙ୍କ ପ୍ରିୟ ବାକ୍ୟ ହେଉଛି- ଉଡିଶା ସରକାରକୋ ଉଖାଡ କେ ଫେକ ଦୋ। ଶାହାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ବିଜେପିର ଚୁଇଁ ଚୁଇଁ ନେତା ବି କହୁଛନ୍ତି- ଏ ସରକାରକୁ ଓପାଡି ବଂଗୋପ ସାଗରରେ ଫୋପାଡିଦେବୁ। ବୋଧ ହୁଏ ଭାରତୀୟ ରାଜନୀତିରେ ଏତେ ନିମ୍ନ ସ୍ତରର ରାଜନୈତିକ ଭାଷା ଆମେ ପ୍ରଥମ ଥର ଲାଗି ଶୁଣୁଛୁ। ରାଜନୀତିରେ ବିରୋଧୀ ଦଳ ରହିବେ ଓ  ସେମାନେ ଶାସକ ଦଳକୁ ବିରୋଧ ମଧ୍ୟ କରିବେ। ତେବେ ଓପାଡି କେହି କାହାକୁ ଫୋପାଡିବାର ମାଲିକ ଏଠି କେହି ନୁହନ୍ତି। ଏ ଦେଶର ଜନତା କାହାକୁ ଓପାଡିବେ, କାହାକୁ ଫୋପାଡିବେ ଓ କାହା ମୁଣ୍ଡରେ ସୁନା କଳସ ଢାଳିବେ, ସେକଥା ସେମାନେ ଭୋଟ ମାଧ୍ୟମରେ ନିର୍ଣ୍ଣୟ କରନ୍ତି। ରାଜନୈତିକ ଦଳମାନେ ଏକଥା ମଧ୍ୟ ମନେ ରଖିବା ଉଚିତ ଯେ ବହୁମତ ପାଇ ଶାସନର ଅଧିକାର ମିଳିଲେ ମଧ୍ୟ ଗଣତନ୍ତ୍ରରେ ଅଳ୍ପମତକୁ ଓପାଡି ଫୋପାଡି ଦେବାର ଅଧିକାର ମିଳିନାହିଁ। କେବଳ ଫାଶିବାଦୀ ମାନସିକତାରେ ବଞ୍ଚୁଥିବା ଲୋକ ଏପ୍ରକାର ଭାଷା ବ୍ୟବହାର କରିବାକୁ ପସନ୍ଦ କରିବ।

ନିର୍ବାଚନ ଏବେ ଆଉ ମାସେ ବାକି। ନିର୍ବାଚନରେ କିଏ ଜିତିବ ହାରିବ ସେକଥା ଲୋକେ ବିଚାର କରିବେ। ହେଲେ ଲୋକମତ ଆଗରେ ନିଜର ଅହଂକାର କୁ ଖୁବ ବଡ କରି ଥୋଇବାର ଭୟଙ୍କର ପରିଣତି ଆମ ସମାଜ ଇ ଭୋଗିବ। ଆମେ ନିର୍ବାଚନକୁ ଏକ ନିୟମିତ ଗଣତାନ୍ତ୍ରିକ ପ୍ରକ୍ରିୟା ବୋଲି ନଭାବୀ, ଏହାକୁ ଯୁଦ୍ଧ ଭାବରେ ବିବେଚନା କରିବୁ। ଏହାର ଅନ୍ତିମ ପରିଣତି ହେବ ଆମର କଷ୍ଟ ଅର୍ଜିତ ସ୍ଵାଧୀନତା ଓ ଗଣତନ୍ତ୍ରର ବିପର୍ୟୟ। ଅମିତ ଶାହା ହୁଏତ ନବୀନ ପଟ୍ଟନାୟକଙ୍କୁ ଉଖାଡି ଫୋପାଡି ଦେବାର ବାହାସ୍ଫୋଟ ମାରୁ ମାରୁ ନିଜେ କଚାଡି ହୋଇ ପଡି ଯାଇପାରନ୍ତି, ଏଇ ସମ୍ଭାବନାକୁ କିଏ ଅସ୍ଵୀକାର କରିବା!!

କ୍ଷମତା ଏମିତି କିଛି ନୁହଁ ଯେ ଆପଣ କାହାକୁ ଓପାଡି ଫୋପାଡି ଦେଇ ପାରିବେ। ଓଡିଶାରେ ନବୀନ ପଟ୍ଟନାୟକ ୧୯ ବର୍ଷ ଶାସନ କଲେଣି, ସେ କଣ କଂଗ୍ରେସ ବା ବିଜେପି କୁ ଓପାଡି ଫୋପାଡି ଦେଇ ପାରିଲେ କି ? ୭୦ ବର୍ଷର ସ୍ଵାଧୀନତା ପରେ ୫୦ ବର୍ଷ ଧରି ନିରଙ୍କୁଶ କ୍ଷମତା ଭୋଗ କରିଥିବା କଂଗ୍ରେସ ଦଳ ଆରଏସଏସ/ଜନସଙ୍ଘ/ବିଜେପିକୁ ଓପାଡି ଫୋପାଡି ପାରିଥିଲା କି? ପଶ୍ଚିମବଙ୍ଗ ଓ କେରଳରେ ଦୀର୍ଘ ବର୍ଷର ବାମପନ୍ଥୀ ଶାସନ ଦକ୍ଷିଣପନ୍ଥୀଙ୍କୁ ଓପାଡି ଫୋପାଡି ପାରିଛି କି? ଗଣତନ୍ତ୍ରର ମୂଳ ଭିତ୍ତି ହେଉଛି, ସବୁ ପ୍ରକାର ବିରୋଧ ସତ୍ତ୍ୱେ ସବୁ ପ୍ରକାର ବିଚାର ଏ ଦେଶରେ ରହିବ।

ପୁରୀରେ ଅମିତ ଶାହାଙ୍କ ଓପାଡି ଫୋପାଡି ଦେବାର ବାହାସ୍ଫୋଟ କୁ ନେଇ କ୍ରୋଧ ତୁଳନାରେ ଦୟା କରିବା ଅଧିକ ଯୁକ୍ତିଯୁକ୍ତ ହେବ । ପାଞ୍ଚ ବର୍ଷ ଧରି ବିଜେଡି ଠାରୁ ସଂସଦ ଭିତରେ ବିଜେଡି ଠାରୁ ସମର୍ଥନ ପ୍ରାର୍ଥନା କରିଥିବା ବିଜେପି ଏବେ ବିଜେଡି କୁ କଂଗ୍ରେସର ବି ଟିମ ବୋଲି କହୁଛି। ଏକଥା କହିଲା ବେଳେ ଅମିତ ଶାହା ଭୁଲି ଯାଉଛନ୍ତି ଯେ ୨୦୦୦-୨୦୦୯, ନଅ ବର୍ଷ ଧରି ବିଜେପି ନବୀନଙ୍କ ଶାସନ ର ଅଂଶୀଦାର ଥିଲା। ସେତେବେଳେ ନବୀନ ବାବୁ ଓଡିଆ କହିପାରନ୍ତି ନାହିଁ ବୋଲି ବିଜେପି ନେତାଏ ଜାଣି ନଥିଲେ କି? ଶାସନରେ ୯ ବର୍ଷ ଓ ଏନଡିଏର ଅଂଶୀଦାର ଭାବରେ ୧୩ ବର୍ଷ କାଳ ନବୀନ ବାବୁ ବିଜେପିକୁ ସହଯୋଗ ଦେଇ ଆସିଛନ୍ତି। ସେକଥା କଣ ଇତିହାସବହିରୁ ଲିଭି ଯାଇଛି?

ନିର୍ବାଚନ ଆସିବ ଓ ଯିବ, ହେଲେ ନିର୍ବାଚନ ଜିତିବା ଲାଗି କି ପ୍ରକାର ଆଚରଣ ରାଜନୈତିକ ଦଳ ଗୁଡିକ କରୁଛନ୍ତି, ତାରି ଉପରେ ଆମର ସାମାଜିକ ଭବିଷ୍ୟତ ନିର୍ମାଣ ହେବ। ରାସ୍ତା ଘାଟର ଟପୋରି କିମ୍ବା ଚାରଣିଆ ଗୁଣ୍ଡା ଭଳି ଭାଷା ବ୍ୟବହାର ଗୋଟେ ଜାତୀୟ ଦଳର ସଭାପତିଙ୍କ ମୁହଁ ରେ ଅତି କଦର୍ୟ ଶୁଭୁଛି, ଏକଥା ଅମିତ ଶାହାଙ୍କୁ କେହି ବୁଝାଇ କହିବା ଉଚିତ ନୁହଁ କି? ଆଶା କରାଯାଉ, ଭାରତର ଜଣ ସାଧାରଣ ତାଙ୍କୁ ଏକଥା ଆଉ ଅଳ୍ପ ଦିନ ଭିତରେ ବୁଝାଇ ଦେବେ।

Categories
ବିଶେଷ ଖବର

ଅସତ୍ୟ ଭାଷଣ ପ୍ରଧାନମନ୍ତ୍ରୀ ପଦର ଗରିମାକୁ ତଳିତଳାନ୍ତ କରୁନାହିଁ କି?

କେଦାର ମିଶ୍ର 

ନରେନ୍ଦ୍ରଭାଇ ଦାମୋଦର ଦାସ ମୋଦୀ ଓରଫ ନରେନ୍ଦ୍ର ମୋଦୀ ଆମ ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିଲା ପରେ ଅନେକ ନୂଆ କଥା ଆମର ରାଜନୀତିରେ ଘଟିଛି। ସତୁରୀ ବର୍ଷର ଗାଣତାନ୍ତ୍ରିକ ରାଜନୀତିରେ ଆମେ ଯାହା ଯାହା ସବୁ କଳ୍ପନା ମଧ୍ୟ କରିନଥିଲୁ, ସେସବୁ ଏବେ ସତକୁ ସତ ଘଟି ଚାଲିଛି! ଭାରତୀୟ ରାଜନୀତିରେ ଘଟୁଥିବା ବହୁ ବିଚିତ୍ର ଓ ଅଭୂତପୂର୍ବ ଘଟନା ଭିତରୁ ଗୋଟିଏ ହେଉଛି, ପ୍ରଧାନମନ୍ତ୍ରୀଙ୍କ ନିଜସ୍ଵ ଭାଷଣ। ଏ ଦେଶର କୌଣସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଭାଷଣ ଦେଉନଥିଲେ। ଏହାର ଅର୍ଥ ଏୟା ନୁହଁ ଯେ ଆମର ବାଗ୍ମୀ ପ୍ରଧାନମନ୍ତ୍ରୀ ନଥିଲେ। ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଥିଲେ ତାଙ୍କ ସମୟର ଅନ୍ୟତମ ଶ୍ରେଷ୍ଠ ବକ୍ତା। ପଣ୍ଡିତଜୀଙ୍କର ବକ୍ତବ୍ୟ ରେ ବୌଦ୍ଧିକତା ଯେତିକି ଥିଲା, ଭାରତର ସାଧାରଣ ଜନତାର ଅନୁଭବ ପ୍ରତି ସମ୍ମାନବୋଧ ମଧ୍ୟ ସେତିକି ଥିଲା। ନେହେରୁଙ୍କ ପରେ ପ୍ରାୟ ସବୁ ପ୍ରଧାନମନ୍ତ୍ରୀ ନିଜ ପଦର ଗରିମା ଅନୁଯାୟୀ ଭାଷଣ ଦେଇଛନ୍ତି। ଲୋକଙ୍କୁ ଉଦବୁଦ୍ଧ କରିଛନ୍ତି। ହେଲେ ମୋଦୀଙ୍କ ଭାଷଣ ନିଆରା। ସେ ଅନ୍ୟ ପ୍ରଧାନମନ୍ତ୍ରୀଙ୍କଠୁ ଅଲଗା କାରଣ ସେ ନିଜ ଭାଷଣରେ କିଛି ବି କହିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଯେ ସତ୍ୟନିଷ୍ଠ ଓ ତଥ୍ୟନିଷ୍ଠ ହେବା ଉଚିତ, ଏକଥା ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଆଉ କେହି ଆଶା କରୁନାହାନ୍ତି।

ମୋଦୀଙ୍କର ବହୁ ଭାଷଣ ରହିଛି, ଯେଉଁଥିରେ ଶହ ଶହ ତଥ୍ୟଗତ ତୃଟି ବାହାର କରିହେବ। ଆମେ ସେସବୁକୁ ନଯାଇ ଏଇ ସପ୍ତାହରେ ସେ ଦେଇଥିବା ଦୁଇଟି ଭାଷଣର ତର୍ଜମା କରିବା। ଗତ ଜାନୁଆରୀ ୩୦ ତାରିଖ, ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ତିଥି। ଗୁଜରାଟର ସୁରତ ରେ ଆୟୋଜିତ ଏକ ସଭାରେ ପ୍ରଧାନମନ୍ତ୍ରୀ କହିଲେ ଯେ “ଆଗରୁ ଏ ଦେଶରେ ମହିଳାଙ୍କ ପ୍ରତି ବଳାତ୍କାର ଓ ଧର୍ଷଣର ଖବର ଆସୁଥିଲା, କିନ୍ତୁ ଏବେ ବଳାତ୍କାରୀଙ୍କୁ ୩ ଦିନ, ୭ ଦିନ କିମ୍ବା ୧୧ ଦିନ ଭିତରେ ଫାଶିରେ ଝୁଲାଇ ଦିଆ ଯାଉଛି।“ ଅଦ୍ଭୁତ କଥା। ଦେଶର ପ୍ରଧାନମନ୍ତ୍ରୀ ଏକଥା କହୁଛନ୍ତି। ୩ ଦିନ ଭିତରେ ଜଣେ ଅପରାଧୀର ବିଚାର ଏକ ଗଣତାନ୍ତ୍ରିକ ଦେଶରେ ସମ୍ଭବ କି? ଆମର ସାମ୍ବିଧାନିକ ବ୍ୟବସ୍ଥାରେ ନ୍ୟାୟ ପାଇଁ ଏକ ସ୍ଵାଭାବିକ ଆଇନଗତ ପ୍ରକ୍ରିୟା ରହିଛି। ତାକୁ ବାଦ ଦେଇ କାହାକୁ ଫାଶିରେ ଝୁଲାଇ ହେବ କି? ତେବେ ଗତ ପାଞ୍ଚ ବର୍ଷ ଭିତରେ ଏ ଦେଶରେ ଯାକୁବ ମେମନକୁ  ବାଦ ଦେଲେ ଆଉ କାହାକୁ ଫାଶିରେ ଝୁଲା ଯାଇନାହିଁ। ତେବେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି ବୋଲି ଆମେ କହିବା କି?

ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ ଧର୍ଷଣ ଭଳି ସଂବେଦନଶୀଳ ପ୍ରସଙ୍ଗରେ ବକ୍ତବ୍ୟ ରଖନ୍ତି, ତାଙ୍କଠୁ ଆମେ ସତ୍ୟ ଓ ତଥ୍ୟର ଅପେକ୍ଷା ରଖୁ। ହେଲେ ନରେନ୍ଦ୍ର ମୋଦୀଙ୍କ ଠାରୁ ସେ ପ୍ରକାର ଅପେକ୍ଷା ବୋଧେ ଦେଶବାସୀଙ୍କର ଆଉ ନାହିଁ।

ଏବେ ଆସିବା ପ୍ରଧାନମନ୍ତ୍ରୀଙ୍କ ଦ୍ଵିତୀୟ ଭାଷଣକୁ। ପଶ୍ଚିମ ବଙ୍ଗରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଲେ “ ଏ ଦେଶରେ ଜଣେ ଚା ବିକାଳି ପ୍ରଧାନମନ୍ତ୍ରୀ ଦେଶରୁ ଦୁର୍ନୀତି ଦୂର କରିଦେଲା ଓ କଳା ଧନ ଫେରାଇ ଆଣିଲା। “ ଏ ଘୋଷଣା ବି ଅଦ୍ଭୁତ। ଭାରତକୁ ଦୁର୍ନୀତିମୁକ୍ତ ଦେଶ ବୋଲି ପ୍ରମାଣପତ୍ର କିଏ ଓ କେମିତି ଦେଇଛି ଆମେ ଜାଣିନୁ। ହେଲେ ମୋଦୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏ ଦେଶରେ ସବୁଠୁ ବଡ ବ୍ୟାଙ୍କ ଘୋଟାଲା ହୋଇଛି। ଆଗରୁ ଯେଉଁମାନେ ଦୁର୍ନୀତି କରୁଥିଲେ ସେମାନେ ବନ୍ଧା ହେଉଥିଲେ। ଆମେ ମନମୋହନ ସିଂଙ୍କ ସମୟରେ ଦେଖିଛୁ, ଦେଶର ବହୁ କ୍ଷମତାଶାଳୀ ନେତା ଓ ମନ୍ତ୍ରୀ ଜେଲ ଯାଇଥିଲେ। ହେଲେ ମୋଦୀଙ୍କ ସମୟରେ ଦୁର୍ନୀତି କରି ଓ ଲୋକଙ୍କ ଟଙ୍କା ଆତ୍ମସାତ କରି ଲୋକ ବିଦେଶରେ ଯାଇ ଅୟସ କରୁଛନ୍ତି। ଯେମିତି କି-

  • ଲଳିତ ମୋଦୀ, ଆଇପିଏଲ ଘୋଟାଲାରେ ସଂପୃକ୍ତ ଏହାଙ୍କର କୌଣସି ଖୋଜ ଖବର ଏବେ ମିଳୁନାହିଁ।
  • ବିଜୟ ମାଲ୍ୟା, ବିଜେପି ସହାୟତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମାଲ୍ୟା ବଡ ଆନନ୍ଦରେ ଦେଶ ଛାଡି ଲଣ୍ଡନ ପଳାଇଲେ। ପନ୍ଦର ହଜାର କୋଟି ଟଙ୍କା ଏ ଦେଶର ପାଣିରେ ପଡିଲା।
  • ମେହୁଲ ଚୋକସି, ୟାଙ୍କୁ ପ୍ରଧାନମନ୍ତ୍ରୀ ସର୍ବ ସାଧାରଣରେ ମେହୁଲ ଭାଇ ବୋଲି ସମ୍ବୋଧନ କରୁଥିଲେ। ଏ ବାବୁ ଏବେ ଆଣ୍ଟିଗୁଆ ରେ ନାଗରିକତ୍ଵ ଗ୍ରହଣ କରି ଆନନ୍ଦରେ ଅଛନ୍ତି।
  • ନୀରବ ମୋଦୀ, ଦେଶର ଟଙ୍କା ଖାଇ ଫେରାର ହେବା ଆଗରୁ ଯେ ପ୍ରଧାନମନ୍ତ୍ରୀଙ୍କ ସହିତ ଦାଭୋସ ରେ ବଢିଆ ଫଟୋ ଉଠାଇଥିଲେ।
  • ଦ୍ବାରିକାଦାସ ସେଠ ଓ ପରିବାର- ଏମାନେ କେବେ ଦେଶର ଟଙ୍କା ଖାଇ ଦେଶ ଛାଡି ଚାଲିଗଲେ, କେହି ତାର ଖବର ପାଇଲେ ନାହିଁ।
  • ଚନ୍ଦା କୋଚର ଓ ପରିବାର, ଆଇସିଆଇସିଆଇ ବ୍ୟାଙ୍କର ମୁଖିଆ ଥିବା ଚନ୍ଦା କୋଚର ଓ ତାଙ୍କ ସ୍ଵାମୀ ବ୍ୟାଙ୍କକୁ ଖୋଳ କରି ଚାଲିଥିବା ବେଳେ ଆଜି ମଧ୍ୟ ଅର୍ଥମନ୍ତ୍ରୀ ଏହାଙ୍କ ରକ୍ଷା କବଚ ହୋଇ ଛିଡା ହୋଇଛନ୍ତି।

ତଥାପି ପ୍ରଧାନମନ୍ତ୍ରୀ ଯଦି କହୁଛନ୍ତି ସେ ଏ ଦେଶରୁ ଭ୍ରଷ୍ଟାଚାର ଦୂର କରିଦେଲେ, ତାହେଲେ ତାର ବିଚାର ଏ ଦେଶର ଜଣ ସାଧାରଣ କରିବେ। କିନ୍ତୁ ପ୍ରଧାନମନ୍ତ୍ରୀ ପଦ ଓ ମର୍ୟାଦା  ଦୃଷ୍ଟିରୁ ସତ୍ୟ ନିଷ୍ଠା ଓ ତଥ୍ୟ ନିଷ୍ଠା ତାଙ୍କ ଭାଷଣର ଆଧାର ହେଉ ବୋଲି ଆମେ ଆଜି ବି ପ୍ରାର୍ଥନା କରୁଛୁ!!

Categories
ବିଶେଷ ଖବର

ସିବିଆଇ ବନାମ ଓଡିଶା ପୋଲିସ; ତଦନ୍ତ ଆଳରେ ରାଜନୀତିର ଡାହିମାଙ୍କୁଡି ଖେଳ

କେଦାର ମିଶ୍ର

ଆଜିକୁ ଚାରି ବର୍ଷ ନଅ ମାସ ତଳୁ ପୂର୍ବ ଭାରତୀୟ ରାଜ୍ୟ ଗୁଡିକରେ ଘଟିଥିବା ଚିଟ ଫଣ୍ଡ  ଦୁର୍ନୀତିର ତଦନ୍ତ କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ କୁ ଦାୟିତ୍ଵ ଦେଇଥିଲେ। ପଶ୍ଚିମ ବଙ୍ଗ, ଓଡିଶା, ତ୍ରିପୁରା, ଆସାମ ଓ ଝାଡଖଣ୍ଡ ରାଜ୍ୟରେ ବ୍ୟାପକ ଭାବେ ଚାଲିଥିବା ବେଆଇନ ଚିଟଫଣ୍ଡ ଘୋଟାଲାର ତଦନ୍ତ ଗତ ପାଞ୍ଚ ବର୍ଷ ହେଲା ଚାଲିଛି ଯେ ଚାଲିଛି। ୨୦୧୪ ସାଧାରଣ ନିର୍ବାଚନରେ ଏହାକୁ ଏକ ବଡ ରାଜନୈତିକ ପ୍ରସଙ୍ଗ ଭାବେ ଉପସ୍ଥାପନ କରାଯାଇଥିଲା। ତେବେ ଏହି ଦୁର୍ନୀତିରେ ସେତେବେଳେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଓ ଓଡିଶାର ବିଜୁ ଜନତା ଦଳ ସରକାର ବିରୋଧରେ ଅଭିଯୋଗ ଉଠିଥିଲେ ମଧ୍ୟ, ସାଧାରଣ ଭୋଟର ଏହି ଉଭୟ ଦଳକୁ ଅବିଶ୍ଵାସ କରିନଥିଲେ। ସିବିଆଇ ତଦନ୍ତ ଆରମ୍ଭ ହେବାପରେ ଏହି ଦୁଇ ଦଳର ବହୁ ସାଂସଦ ଓ ବିଧାୟକ ଗିରଫ ହୋଇଥିଲେ। ତେବେ ଏହି ତଦନ୍ତର ଗତି ଏତେ ଜଟିଳ ଓ ଏଥିରେ ରାଜନୀତିର ପ୍ରଭାବ ଏତେ ତୀବ୍ର ଥିଲା ଯେ ଏହାକୁ ନେଇ କିଛି ଗୋଟାଏ ଆଶାଜନକ ଫଳ ବାହାରିବ ସେ ଆଶା ଆଉ ସାଧାରଣ ଲୋକଙ୍କ ଭିତରେ ନାହିଁ।

ସିବିଆଇ ଭିନ୍ନ ଭିନ୍ନ ସମୟରେ ବହୁ ରାଜନେତା ଓ ପୋଲିସ ଅଧିକାରୀଙ୍କୁ ଏଥିପାଇଁ ନୋଟିସ କରିଛି। ଏ ପ୍ରସଙ୍ଗରେ ରାଜନେତାମାନଙ୍କୁ ସମୟ ଓ ସୁଯୋଗ ଦେଖି ଡକାଯାଉଛି ଓ ସେମାନଙ୍କୁ ଖସିଯିବାର ସୁଯୋଗ ସୃଷ୍ଟି କରାଯାଉଛି। ୨୦୧୪ ରୁ ଆଜି ଭିତରେ ଓଡିଶାର ତିନୋଟି ଯାକ ପ୍ରମୁଖ ଦଳର ନେତାଙ୍କୁ ସିବିଆଇ ଏହି ମାମଲାରେ ନୋଟିସ କରିଛି କିମ୍ବା ଗିରଫ କରିଛି। ତେବେ ନୋଟିସ ଓ ଗିରଫଦାରୀ ମାମଲାରେ ସିବିଆଇର ବାସ୍ତବ କାର୍ୟାନୁଷ୍ଠାନ ଅପେକ୍ଷା ଏହାକୁ ନେଇ ରାଜନୈତିକ ସୁଆଙ୍ଗ ରଚନା ଅଧିକ ଚର୍ଚ୍ଚା ରେ ରହିଛି। ଆଜି ଇଚ୍ଛା ହେଲା ତ ଏଇ ନେତାଙ୍କୁ ଡାକ, କାଲୀ ତାକୁ ବାନ୍ଧ, ପହର ଦିନ ତାଙ୍କୁ ଛାଡିଦିଅ,  ଏମିତି ବିଚିତ୍ର ଡାହିମାଙ୍କୁଡି ଖେଳ ସିବିଆଇ ଖେଳିଚାଲିଛି। ତେବେ ଇତି ମଧ୍ୟରେ ୨୦୧୪ ପୂର୍ବରୁ ସିବିଆଇ ତଦନ୍ତ କରିଥିବା ୨ଜି ଘୋଟାଲାର ଅଭିଯୁକ୍ତମାନେ ଅଦାଲତ ଦ୍ଵାରା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ସାରିଲେଣି। ଚିଟ ଫଣ୍ଡ ଘୋଟାଲାରେ ଅଭିଯୁକ୍ତ ହୋଇ ଗିରଫ ହୋଇଥିବା ଜଣେ ବି ରାଜନେତାଙ୍କ ବିରୋଧରେ ସିବିଆଇ ଉପଯୁକ୍ତ ତଥ୍ୟ ପ୍ରମାଣ ରଖି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିପାରିନାହିଁ। ଓଲଟି ଏହାକୁ ନେଇ କେନ୍ଦ୍ର ସରକାର ଓ ଶାସକ ବିଜେପି ନିକୃଷ୍ଟ ରାଜନୈତିକ ଖେଳ ଖେଳୁଛନ୍ତି।

ଚିଟଫଣ୍ଡ ଅଭିଯୁକ୍ତ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ରାୟ ବିଜେପିରେ ଯୋଗଦେବା ପରେ ତାଙ୍କ ଉପରେ ଆଉ କୌଣସି କାର୍ୟାନୁଷ୍ଠାନ  ଗ୍ରହଣ କରାଯାଉନାହିଁ। ଆସାମ ରେ ସାରଦା ଓ ରୋଜ ଭ୍ୟାଲି ଚିଟ ଫଣ୍ଡ ଦୁର୍ନୀତିରେ ଖୋଲାଖୋଲି ସାମିଲ ଥିବା ଜଣେ ପୂର୍ବତନ କଂଗ୍ରେସର ମନ୍ତ୍ରୀ ବିଜେପିକୁ ଆସି ଏବେ ଉତ୍ତରପୂର୍ବ ରାଜ୍ୟରେ ବିଜେପିର ବଡ ନେତା ହୋଇ ବୁଲୁଛନ୍ତି।  ଓଡିଶାରେ ବିଜେଡ଼ିର ସାଂସଦ ରାମଚନ୍ଦ୍ର ହାଂସାଦା, ବିଧାୟକ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ମଲ୍ଲିକ, ବିଜେପିର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି ପ୍ରମୁଖ ଗିରଫ ହୋଇ ଜାମିନରେ ଅଛନ୍ତି। ଆହୁରି ଗୁଡାଏ ନେତାଙ୍କୁ କେବଳ ଡାକି ପଚରା ଉଚୁରା କରାଯାଇଛି। ନେତାଙ୍କୁ ଡାକି ପଚରା ଉଚୁରା କରିବାର ରାଜନୈତିକ ନାଟକବାଜି କୁ ସିବିଆଇ ସର୍ବାଧିକ ଗୁରୁତ୍ଵ ଦେଲାପରି ମନେହେଉଛି।

ଏହି ତଦନ୍ତର ପାଞ୍ଚ ବର୍ଷ ପରେ ମଧ୍ୟ ସିବିଆଇ ସେଇ ସମାନ ନାଟକ କରି ଚାଲିଛି। ଏବେ ହଠାତ ନିର୍ବାଚନ ପୂର୍ବରୁ ବିଜେଡ଼ିର ଦୁଇଜଣ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ ପଠାଇଛି। ଏହାର ପ୍ରତି ଜବାବରେ ଓଡିଶା ପୋଲିସ ବିଜେପିର ଦୁଇ ଜଣ ନେତାଙ୍କୁ ଏକ ହତ୍ୟାକାଣ୍ଡ ଅଭିଯୋଗରେ ନୋଟିସ ପଠାଇଛି। ନିର୍ବାଚନ ପୂର୍ବରୁ ଉଭୟ ବିଜେପି ଓ ବିଜେଡ଼ିର ଏ ନୋଟିସ ପଠା ନାଟକରେ ସିବିଆଇ ତଥା ପୋଲିସ ଯେ ମୋହରା ଭାବେ ବ୍ୟବହୃତ ହେଉଛି, ଏଥିରେ ସନ୍ଦେହର କୌଣସି କାରଣ ନାହିଁ। ଗୋଟେ ଘଟନା ଘଟିବାର ସାତ ବର୍ଷପରେ ଅଭିଯୁକ୍ତଙ୍କୁ ଡାକି ତାଙ୍କଠୁ ପ୍ରମାଣ ଖୋଜିବା ତଦନ୍ତ ନା ନିର୍ବୋଧତା ତାର ଉତ୍ତର ଅବଶ୍ୟ ସିବିଆଇ ଦେବନାହିଁ।  ଲୋକ କିନ୍ତୁ ଜାଣନ୍ତି ସିବିଆଇ କଣ ଓ କାହାଲାଗି ଏ  ନାଟକ ଚାଲିଛି। ସେହିପରି ପ୍ରାୟ ବର୍ଷେ ତଳେ ବ୍ରହ୍ମପୁରର ଏକ ଭୟଙ୍କର ହତ୍ୟାକାଣ୍ଡର ଆସାମୀଙ୍କୁ ଦୁଇଜଣ ବିଜେପି ନେତା ଶରଣ ଦେଇଥିବାର ପ୍ରମାଣ ମିଳିଥିଲା। ସେତେବେଳେ ସେଥିରୁ ଜଣେ ନେତାଙ୍କୁ ଡାକି ପୋଲିସ ପଚରା ଉଚୁରା କରି ଛାଡିଦେଇଥିଲେ। ଏବେ ହଠାତ ପୁଣି ସେ ମାମଲା ଉଠିବାର କାରଣ, ସିବିଆଇ କୁ ଜବାବ ଦେବାର ଏହା ଏକ ମାଧ୍ୟମ ନୁହଁ ତ!!

ଚିଟ ଫଣ୍ଡ ମାମଲା ହେଉ କି ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ, ଏହାର ତଦନ୍ତ କରିବାକୁ ଯାଇ ସିବିଆଇ ତଥା ପୋଲିସ ରାଜନୈତିକ ପ୍ରତିଶୋଧ ର ମାଧ୍ୟମ ସାଜିବା ଅତ୍ୟନ୍ତ ଦୁଃଖର ବିଷୟ। ସିବିଆଇ ପାଞ୍ଚ ବର୍ଷ ଧଋ ଆଖି ବୁଜି ଶୋଇବା ପରେ ଏବେ ନୋଟିସ ପଠାଇବାର କୌଣସି ଅର୍ଥ ଇ ନାହିଁ। ସେହିପରି ଓଡିଶା ପୋଲିସ ବର୍ଷେତଳେ ଯେଉଁ ନେତାଙ୍କୁ ଡାକି ଛାଡି ଦେଇଥିଲା, ତାଙ୍କୁ ଡାକି ପୁଣି କି ତଥ୍ୟ ପାଇବ, ସେ  ମଧ୍ୟ ଏକ ପ୍ରଶ୍ନବାଚୀ। ତେବେ ନିର୍ବାଚନ ପୂର୍ବରୁ ମଇଦାନରେ ଭଲ ଡାଇଲଗ ମାରିବାକୁ ଏ ଘଟନା କିଛି ଟା ସୁଯୋଗ ଅବଶ୍ୟ ସୃଷ୍ଟି କରିଛି!!