Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ଶିଳ୍ପୀ ପରିବାର ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ମିସନ ଅନ୍ନ ସେବା

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ମିସନ ଅନ୍ନ ସେବାର ଅଂଶ ସ୍ୱରୂପ କୋଭିଡ୍‌-୧୯ ଲକ୍‌ଡାଉନ୍ ସମୟରେ ସାରା ଦେଶରେ ପ୍ରବାସୀ ଶ୍ରମିକ ଓ ଅଭାବୀ ବର୍ଗର ଲୋକମାନଙ୍କୁ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଭୋଜନ ବଣ୍ଟନ ଓ ସହାୟତା ପ୍ରଦାନ କରିଥିବା ରିଲାଏନ୍ସ ଫାଉଣ୍ଡେସନ ଏବେ ଏହି ସହାୟତାକୁ ସଂପ୍ରସାରିତ କରି ଓଡ଼ିଶାର ଶହ ଶହ ହସ୍ତକଳା ଶିଳ୍ପୀ ପରିବାର ତଥା ପ୍ରବାସୀ ଶ୍ରମିକ ପରିବାରଙ୍କୁ ସହାୟତାର ହାତ ବଢାଇଛି। ସ୍ଥାନୀୟ ଏନଜିଓ ସହଯୋଗୀଙ୍କ ସହଯୋଗରେ ଚଳିତ ସପ୍ତାହରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୁରୀ ଜିଲ୍ଲାର ରଘୁରାଜପୁର ଶିଳ୍ପ ଗ୍ରାମର ପଟ୍ଟଚିତ୍ର ଶିଳ୍ପୀ ପରିବାର ସମୂହ, ବାଲେଶ୍ୱରର ବାଲିଆପାଳର ସବାଇ ଘାସ ବା ଗୋଲଡେନ୍ ଗ୍ରାସ ଶିଳ୍ପୀ ପରିବାର ସମୂହଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଣ୍ଟନ କରାଯାଇଛି।

କୋଭିଡ୍‌-୧୯ ଯୋଗୁଁ ସୃଷ୍ଟି ହୋଇଥିବା ବର୍ତମାନର ସ୍ଥିତି ଓ ପର୍ଯ୍ୟଟକଙ୍କ ଚଳପ୍ରଚଳ ଉପରେ ରହିଥିବା କଟକଣା ଯୋଗୁଁ ଅନେକ ମାସ ଧରି ଏହି ଦୁଇ ହସ୍ତକଳା ଓ ହସ୍ତଶିଳ୍ପ କ୍ଲଷ୍ଟରରେ ରହୁଥିବା ଶିଳ୍ପୀ ପରିବାରଗୁଡ଼ିକ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ଏହି ସମୟରେ ସେମାନଙ୍କ ଅତ୍ୟାବଶ୍ୟକ ଆବଶ୍ୟକତାକୁ ପୂରଣ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଉଷୁନା ଚାଉଳ, ଡାଲି, ଖାଇବା ତେଲ, ଚିନି ଇତ୍ୟାଦି ଶୁଖିଲା ଖାଦ୍ୟ ସାମଗ୍ରୀ ରହିଥିବା କିଟ୍ ସବୁକୁ ରଘୁରାଜପୁର ହେରିଟେଜ୍ ଟୁରିଜିମ୍ କମିଟି ଜରିଆରେ ମଙ୍ଗଳବାର ଦିନ ପୁରୀ ଜିଲ୍ଲାର ରଘୁରାଜପୁରରେ ଥିବା ପ୍ରାୟ ୧୬୦ ପଟ୍ଟଚିତ୍ର କାରିଗର ପରିବାରକୁ ପ୍ରଦାନ କରାଯାଇଛି। ସେହିଭଳି ଗୁରୁବାର ଦିନ ବାଲେଶ୍ୱରର ବାଲିଆପାଳ ଅନ୍ତର୍ଗତ ପ୍ରତାପପୁର ଗ୍ରାମର ପ୍ରାୟ ୧୦୦ଟି ସବାଇ ଘାସ ବା ଗୋଲଡେନ୍ ଗ୍ରାସ ଶିଳ୍ପୀ ପରିବାରକୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଏନଜିଓ ସହଯୋଗୀ କଳାଘର ସହଯୋଗରେ ଏହି ସହାୟତା ଯୋଗାଇ ଦିଆଯାଇଛି ।

ଏଥିସହିତ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗଂଜାମ ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଦୁଇ ଜିଲ୍ଲାକୁ ପ୍ରତ୍ୟାବର୍ତନ କରିଥିବା ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପହଂଚାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଆଗାମୀ କିଛିଦିନ ମଧ୍ୟରେ ସ୍ଥାନୀୟ ଏନଜିଓ ସହଯୋଗୀ ପ୍ରେମ୍ ମାଧ୍ୟମରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗଂଜାମର କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ପାତ୍ରପୁର ଓ ଧରାକୋଟ ବ୍ଲକ୍‌ରେ ପ୍ରାୟ ୧୫୦୦ ପ୍ରବାସୀ ଶ୍ରମିକ ପରିବାରଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯିବା ପାଇଁ ଯୋଜନା ହୋଇଛି। ସେହିଭଳିି, ବଲାଙ୍ଗୀର ଜିଲ୍ଲାକୁ ଫେରିିଥିବା ପ୍ରାୟ ୪୦୦ ପ୍ରବାସୀ ଶ୍ରମିକ ପରିବାରଙ୍କୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବଲାଙ୍ଗୀରର ସ୍ଥାନୀୟ ଭିମପାହାଡ଼ କୃଷକ ପ୍ରଡ୍ୟୁସର କଂପାନି ଲିମିଟେଡ୍ ସହଯୋଗରେ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯିବ।

ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ଯେକୌଣସି ସ୍ଥାନରେ କୌଣସି କର୍ପୋରେଟ୍ ଫାଉଣ୍ଡେସନ ପକ୍ଷରୁ ହାତକୁ ନିଆଯାଇଥିବା ସର୍ବବୃହତ ଭୋଜନ ବଂଟନ ସେବା ମିସନ ଅନ୍ନ ସେବା ଜରିଆରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଲକ୍‌ଡାଉନ୍ ଅବଧିରେ ସାରା ଦେଶରେ ୫ କୋଟିରୁ ଅଧିକ ଭୋଜନ ପ୍ରଦାନ କରାଯାଇଛି। ସାରା ଦେଶରେ ଥିବା ଅଭାବୀ ଲୋକ ଏବଂ ଶ୍ରମିକଙ୍କୁ ମାଗଣା ରନ୍ଧା ଖାଦ୍ୟ ଓ ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯଇଛିି। ଓଡିଶାରେ ଏହି ମିସନ ଅନ୍ନସେବାର ଅଂଶ ସ୍ୱରୂପ, ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଏନଜିଓ ସହଯୋଗୀ ଓଡ଼ିଶା ଗୁଜୁରାଟି ସମାଜ ଓ ହମାରା ବଚ୍ଚପନ ଟ୍ରଷ୍ଟ ସହଯୋଗିତାରେ ଗତ ଏପ୍ରିଲ ଓ ମେ’ ମାସରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ଭଦ୍ରକର ବସ୍ତି ଅଂଚଳ, ବୃଦ୍ଧାଶ୍ରମ ଓ ପ୍ରବାସୀ ଶ୍ରମିକ ଶିବିର ଆଦିରେ ୬୦୦୦ରୁ ଅଧିକ ପରିବାରକୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଂଟନ କରାଯାଇଥିଲା।

ସ୍ଥାନୀୟ ପ୍ରଶାସନର ପରାମର୍ଶ ଅନୁଯାୟୀ ରିକ୍ସା ଚାଳକ, ସହରର ସଫେଇ କର୍ମଚାରୀ, ବୃଦ୍ଧାଶ୍ରମର ଅନ୍ତେବାସୀ, ବସ୍ତିବାସିନ୍ଦା, ପ୍ରବାସୀ ଏବଂ ଦିନ ମଜୁରିଆ, ଘରୋଇ ସହାୟକ/ସହାୟିକା, ଦିବ୍ୟାଙ୍ଗ ବ୍ୟକ୍ତି ଓ ପରିବାରଗୁଡ଼ିକୁ ଏହି ଶୁଖିଲା ଖାଦ୍ୟସାମଗ୍ର କିଟ୍ ବଂଟନ କରାଯାଇଥିଲା । ସେହିଭଳି ଓଡ଼ିଶାର ଖୋର୍ଦ୍ଧା, ଚଣ୍ଡିଖୋଲ, ପାରାଦୀପ, ସମ୍ବଲପୁରର ଅଇଁଠାପାଲୀ, ବରଗଡ଼ର ସୋହେଲା ଓ ଗଂଜାମର ଗିରିଶୋଲାରେ ଥିବା ସମସ୍ତ ଛଅଟି ରିଲାଏନ୍ସ ପେଟ୍ରୋଲ୍ ପମ୍ପ୍ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ଚାଳକମାନଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଂଟନ କରାଯାଇଥିଲା।

କୋଭିଡ୍‌-୧୯ ବିରୋଧରେ ଦେଶର ଲଢ଼େଇରେ ସାମିଲ ହୋଇ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପିଏମ୍ କେୟାରସ୍ ଫଣ୍ଡ୍‌କୁ ୫୦୦ କୋଟି ଟଙ୍କା ସମେତ ବିଭିନ୍ନ ରିଲିଫ୍ ଫଣ୍ଡ୍‌କୁ ୫୩୫.୩ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ମୁମ୍ବାଇ ମହାନଗର ନିଗମ ସହଯୋଗରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭାରତର ପ୍ରଥମ ୧୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ୍ ସ୍ଥାପନ କରାଯାଇଥିଲା. ଯାହା ପରବର୍ତ୍ତୀ ସମୟରେ ଦୁଇଗୁଣାରୁ ଅଧିକ କ୍ଷମତାକୁ ସଂପ୍ରସାରିତ ହୋଇଛି।

କୋଭିଡ୍‌-୧୯ ରିଲିଫ୍‌ର ଅଂଶ ସ୍ୱରୂପ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକୁ ମାଗଣାରେ ଇନ୍ଧନ ଯୋଗାଇ ଦିଆଯାଇଛି ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ମାସ୍କ ଉତ୍ପାଦନ କ୍ଷମତାକୁ ଦୈନିକ ୧ ଲକ୍ଷ ମାସ୍କ ପର୍ଯ୍ୟନ୍ତ ବୃଦ୍ଧି ସହିତ ଦୈନିକ ହଜାର ହଜାର ପିପିଇ ଉତ୍ପାଦନ କରାଯାଉଛି। ଏହା ବ୍ୟତୀତ କଂପାନିର ଟେଲିକମ୍ ଶାଖା ପକ୍ଷରୁ ପ୍ରାୟ ୪୦ କୋଟି ଲୋକ ଓ ହଜାର ହଜାର ସଂସ୍ଥାଙ୍କୁ ନିରବଚ୍ଛିନ୍ନ ଯୋଗାଯୋଗ ସୁବିଧା ପ୍ରଦାନ କରାଯାଇଥିବା ବେଳେ ରିଲାଏନ୍ସ ରିଟେଲ୍ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ସୁବିଧାରେ ଉପଲବ୍ଧ କରାଯାଇଛି।

Categories
ବିଶେଷ ଖବର

କରୋନା ମୁକାବିଲା ତଥା ନିଜ ରାଜ୍ୟର ଶ୍ରମିକଙ୍କୁ ଫେରାଇ ଆଣିବାରେ ଓଡିଶା ଏକ ଉଦାହରଣ ପ୍ରସ୍ତୁତ କରୁଛି

କେଦାର ମିଶ୍ର

ଆଗରୁ ସବୁ କଥାରେ ଓଡିଶାର ଗରିବୀକୁ ନେଇ ଚର୍ଚ୍ଚା କରୁଥିବା ଆମର ଜାତୀୟ ଗଣମାଧ୍ୟମ ପ୍ରାକୃତିକ ବିପର୍ୟୟ ତଥା କରୋନା ଭଳି ବିଶ୍ଵର ଏକ ଭୟଙ୍କର ସଙ୍କଟକୁ ମୁକାବିଲା କରିବାରେ ଓଡିଶାର ଦକ୍ଷତାକୁ ଦେଖିବା ଉଚିତ। କରୋନା ମୁକାବିଲା ଲାଗି ଯେତେବେଳେ ଭାରତ ସରକାର ଚିନ୍ତା କରିବା ଆରମ୍ଭ କରିନଥିଲେ, ସେତେବେଳେ ଏହାକୁ ଗୁରୁତ୍ଵର ସହିତ ନେବା ଆରମ୍ଭ କରି ବିଦେଶରୁ ଫେରୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ସ୍କ୍ରିନିଙ୍ଗ କରିବା ଆରମ୍ଭ କରିଥିଲେ। ସେମାନଙ୍କର ରହଣି ତଥା ଗତାଗତ ଉପରେ ଓଡିଶା ସରକାର ତୀବ୍ର ନଜର ରଖିବା ଆରମ୍ଭ କରିଥିଲେ। ୧୪ ଦିନିଆ କ୍ଵାରେଣ୍ଟାଇନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ସହିତ ଏହା ଉପରେ କଡା ନଜର ରଖା ଯାଇଥିଲା । ପ୍ରତିଦିନ କରୋନା ଭୂତାଣୁ ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ଓ ଗଣମାଧ୍ୟମରେ ସବୁ ତଥ୍ୟକୁ ତୁରନ୍ତ ପହଞ୍ଚାଇବାର ସବୁ ବ୍ୟବସ୍ଥା କରା ଯାଇଥିଲା। ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ପ୍ରଥମେ ଓଡିଶା ସାମାଜିକ ଦୂରତା ତଥା ଲକ ଡାଉନ ବ୍ୟବସ୍ଥା ଗ୍ରହଣ କରିଥିଲା।

ଓଡିଶା ସରକାରଙ୍କ ଏହି ବ୍ୟବସ୍ଥା ଆରମ୍ଭ ହେବା ବେଳକୁ କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ ଓ ଦିଲ୍ଲୀର ରାଜ୍ୟ ସରକାରମାନେ ମଧ୍ୟ ଏ ପ୍ରକାର ପଦକ୍ଷେପ ନେବା ଆରମ୍ଭ କରିଥିଲେ। ମାର୍ଚ୍ଚ ୧୫ ରୁ ମଇ ୫ ତାରିଖ , ଅର୍ଥାତ ଗତ ୫୦ ଦିନ ଭିତରେ ଭାରତର ଅନ୍ୟାନ୍ୟ ପ୍ରଦେଶରେ କରୋନା ସଂକ୍ରମଣ ଅତି ବ୍ୟାପକ ହୋଇ ଚାଲିଥିବା ବେଳେ ଓଡିଶାରେ ଏହା ଆଜି ମଧ୍ୟ ନିୟନ୍ତ୍ରିତ ସ୍ଥିତିରେ ରହିଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଭଳି ରାଜ୍ୟ  ଏବେ କରୋନା ସଂକ୍ରମଣ ର ବ୍ୟାପକତାକୁ ସାମ୍ନା କରୁଛନ୍ତି। ତେବେ ଆଜି ସୁଦ୍ଧା ଓଡିଶାରେ କରୋନା ସଂକ୍ରମଣ ୧୬୯ଟି  ପୋଜିଟିଭ କେସ ରେ ସୀମିତ ରହିଛି। ସେଥିରୁ ୬୦ ଜଣ ଆରୋଗ୍ୟ ଲାଭ କରି ସାରିଲେଣି। ଏବେ ରାଜ୍ୟରେ ୧୦୮ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।   କରୋନାର ବିଶ୍ଵବ୍ୟାପୀ ସଂକ୍ରମଣର ସ୍ଥିତି କୁ ଦେଖି କେତେବେଳେ ଯେ କଣ ଘଟିବତାହା କହିହେଉ ନାହିଁ। ତେବେ ଏଥି ପାଇଁ ନିଜକୁ ସରକାର ପ୍ରସ୍ତୁତ କରି ସାରିଛନ୍ତି। ଦେଶର ଅନ୍ୟାନ୍ୟ ଆଗୁଆ ରାଜ୍ୟ ତୁଳନାରେ ଓଡିଶା ଏବେ ଏକ ବଡ ଉଦାହରଣ ପ୍ରସ୍ତୁତ କରିଛି। କରୋନା ସଂକ୍ରମିତ ରୋଗୀଙ୍କ ସ୍ବତନ୍ତ୍ର ଚିକିତ୍ସା ଲାଗି ରାଜ୍ୟର ୩୦ଟି ଜିଲ୍ଲାରେ ସ୍ଵତନ୍ତ୍ର ଡାକ୍ତରଖାନା ଖୋଲାଯାଇଛି। ବର୍ତ୍ତମାନ କରୋନା ସଂକ୍ରମଣକୁ ସୀମିତ ରଖିବା ରାଜ୍ୟ ତଥା ଦେଶର ପ୍ରାଥମିକ ଆବଶ୍ୟକତା ରହିଛି। ତେବେ ଆଗାମୀ ଦିନରେ କରୋନା ରୋଗୀଙ୍କ ସଂକ୍ରମଣ ବଢିବାର ସମ୍ଭାବନାକୁ ଆଖିରେ ରଖି ଏ ପ୍ରକାର ପ୍ରସ୍ତୁତି ନିତାନ୍ତ ଆବଶ୍ୟକ ଥିଲା। ଆରମ୍ଭରୁ କରୋନା ପରୀକ୍ଷଣ ଲାଗି ଓଡିଶା ଏକମାତ୍ର କେନ୍ଦ୍ରୀୟ ଲାବୋରେଟରୀ ଉପରେ ନିର୍ଭର କରୁଥିବା ବେଳେ ଏବେ ବୁର୍ଲା, ରାଉରକେଲା, ବ୍ରହ୍ମପୁର, କଟକ ଓ ଭୁବନେଶ୍ବରରେ ପରୀକ୍ଷା ସୁବିଧା ଉପଲବ୍ଧ ହୋଇଛି। ରାଜ୍ୟରେ ଏ ଯାବତ ୪୨ହଜାର ରୁ ଅଧିକ ପରୀକ୍ଷା ହୋଇ ସାରିଛି।

ଲକ ଡାଉନ ଆରମ୍ଭ ହେବା ସମୟରେ ଏକ  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଓଡିଶା ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି  ସେହି ସବୁ ରାଜ୍ୟରେ ରହିଥିବା ଓଡିଆ ଲୋକମାନଙ୍କର ଦାୟିତ୍ଵ ନେବାକୁ ଅନୁରୋଧ କରିଥିଲେ। ଏଥିପାଇଁ ସମ୍ପୃକ୍ତ ରାଜ୍ୟ ଗୁଡିକ ଯାହା ଖର୍ଚ୍ଚ କରିବେ, ଓଡିଶା ସରକାର ତାକୁ ଭରଣା କରିବେ ବୋଲି ନବୀନ ବାବୁ  କହିଥିଲେ। ଲକ ଡାଉନର ଦ୍ଵିତୀୟ ପର୍ୟାୟ ସରିବା ପରେ ଏବେ ବାହାରେ ରହିଥିବା ଓଡିଆ ଶ୍ରମିକମାନଙ୍କୁ ଫେରାଇ ଆଣିବାର ଯୋଜନା ଆରମ୍ଭ ହୋଇଛି। ଏ କ୍ଷେତ୍ରରେ ମଧ୍ୟ ଓଡିଶା ଏକ ନୂଆ ଉଦାହରଣ ପ୍ରସ୍ତୁତ କରିଛି।

ଗତ କିଛି ଦିନ ଭିତରେ ଅନ୍ୟାନ୍ୟ ବିରୋଧୀ ଶାସିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତରେ ମୁହାଁମୁହିଁ  ସ୍ଥିତି ଦେଖିବାକୁ ମିଳିଛି। ହେଲେ ଓଡିଶା ଏ କ୍ଷେତ୍ରରେ ରାଜନୈତିକ ବିରୋଧକୁ ପଛରେ ପକାଇ ଓଡିଶା ସରକାର  ଅନେକ ଗୁରୁତ୍ବପୂର୍ଣ ନିଷ୍ପତ୍ତିରେ ଓଡିଶାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ କରୁଛନ୍ତି। ତେଣୁ ରାଜ୍ୟର ପ୍ରମୁଖ ବିରୋଧୀ ଏବେ କୌଣସି ପ୍ରକାର ସମାଲୋଚନା କରିବା ସ୍ଥିତିରେ ନାହିଁ।  ଓଡିଶା ସରକାର ପ୍ରଥମେ  ମଇ-ଜୁନ ମାସ ପର୍ୟନ୍ତ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଏବେ ଏହାର ଦୀର୍ଘସୂତ୍ରୀ ଯୋଜନା ଆରମ୍ଭ କଲେଣି।

ସାରା ଦେଶରେ ଦିନକୁ ଅତି କମରେ  ଲକ୍ଷେ ଲୋକଙ୍କର କରୋନା ପରୀକ୍ଷା ହୋଇପାରିବା ଭଳି ଭିତ୍ତିଭୂମି ତିଆରି ହେବା ଆଜି ସର୍ବ ପ୍ରଥମ ଆବଶ୍ୟକତା। ଆରମ୍ବହରୁ ଏହା ଯେମିତି ଭାରତର ଗ୍ରାମାଞ୍ଚଳକୁ ନ ବ୍ୟାପେ, ତାହା ଦେଖିବା ଲାଗି କେନ୍ଦ୍ର ସରକାର ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଉଚିତ ଥିଲା। ହେଲେ ଏବେ ଓଡିଶା ସମେତ ଦେଶର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବ୍ୟାପକ ହେଲାଣି। ଗ୍ରାମାଞ୍ଚଳରେ ଏହାର ମୁକାବିଲା ଲାଗି ପଂଚାୟତ ସ୍ତରରୁ ଓଡିଶା ସରକାର ଯେଉଁ ପ୍ରସ୍ତୁତି କରିଛନ୍ତି, ତାହା ଆଉ ଏକ ଉଦାହରଣ ସୃଷ୍ଟି କରିଛି। ଆଜି କରୋନା ମୁକାବିଲା କ୍ଷେତ୍ରରେ ଓଡିଶା କୁ ଆଦର୍ଶ ଭାବରେ କେନ୍ଦ୍ର ସରକାର ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି।