Categories
ଆଜିର ଖବର ରାଜ୍ୟ ଖବର

ଭୁଲ୍ ଚିଠା ପ୍ରସ୍ତୁତି ଫଳରେ ଟଙ୍କା ଫେରିଯିବା ଆଶଙ୍କା: ନାକଟିଦେଉଳ ବ୍ଲକ୍‌ରେ ନିର୍ମାଣ ଶ୍ରମିକ ସହାୟତା ପାଇବାରୁ ବଂଚିତ

କନ୍ଦର୍ପ ବେହେରା
ରେଢାଖୋଲ: ସରକାର କରୋନା ମହାମାରୀରେ  ପ୍ରଭାବିତ ଲୋକମାନଙ୍କୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରୁଛନ୍ତି। ହେଲେ ଲୋକମାନଙ୍କ ପାଖରେ ଏହି ଯୋଜନା ଠିକ୍ ଭାବରେ ପହଂଚି ପାରୁ ନଥିବା ଅଭିଯୋଗ ହେଉଛି। ପ୍ରକାଶଯେ, ସରକାର ନିର୍ମାଣ ଶ୍ରମିକ ମାନଙ୍କ ପାଇଁ କରୋନା ସହାୟତା ବାବଦରେ ପ୍ରତ୍ୟେକ ଶ୍ରମିକ ମାନଙ୍କ ପାଇଁ ୧୫୦୦ ଟଙ୍କାର ଆର୍ଥିକ ସହଯୋଗ ରାଜ୍ୟରେ ପ୍ରଦାନ କରୁଛନ୍ତି। ହେଲେ ନିର୍ମାଣ ଶ୍ରମିକ ମାନଙ୍କର ନାମ , ଗ୍ରାମ , ପଂଚାୟତ, ବ୍ଲକ୍ ନାମ ଆଦି ସଂପୃକ୍ତ ବିଭାଗ ଭୁଲ ଭାବରେ ପଂଚାୟତକୁ ପଠାଇଥିବାରୁ ନିର୍ମାଣ ଶ୍ରମିକ ମାନେ ଏ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ନାକ୍ଟିଦେଉଳ ବ୍ଲକର ନିର୍ମାଣ ଶ୍ରମିକ ମାନଙ୍କର ନାମ ଓ ପଂଚାୟତର ନାମ ରେଢାଖୋଲ ବ୍ଲକର ଅନ୍ୟ ପଂଚାୟତ ମାନଙ୍କରେ ଥିବାରୁ ଟଙ୍କା ବଂଟନ କରୁଥିବା ପଂଚାୟତ ଅଧିକାରୀମାନେ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ନାକ୍ଟିଦେଉଳ ବ୍ଲକ୍‌ର ୧୪ ଟି ପଂଚାୟତରେ ଥିବା ନିର୍ମାଣ ଶ୍ରମିକ ମାନଙ୍କର ନାମ , ରେଢାଖୋଲ ବ୍ଲକର କୌଣସି ଏକ ପଂଚାୟତରେ ରହିଯାଇଥିବାରୁ ଏହି ସୁବିଧା ସୁଯୋଗ ନିର୍ମାଣ ଶ୍ରମିକ ପାଇବାରୁ ବଂଚିତ ହେଉଛନ୍ତି। ଏ ସଂପର୍କରେ ସମ୍ବଲପୁର ଶ୍ରମ ଅଧିକାରୀ ସୁମିତ୍ରା ମାଝୀଙ୍କୁ ପଚାରିବାରୁ ସେ ଏ ସଂପର୍କରେ ପ୍ରଥମେ ଜାଣିଲେ। ଯାହା ବି ଭୁଲ୍ ଭଟକା ହୋଇଛି ସଂପୃକ୍ତ ବ୍ଲକର ବିଡିଓ ସବିଶେଷ ତଥ୍ୟ ଦେଲେ ଏହାର ସମାଧନ ହୋଇପାରିବ । ମାତ୍ର ନାକ୍ଟିଦେଉଳ ବିଡିଓଙ୍କ ପକ୍ଷରୁ ଏ ସମ୍ବନ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।

ଅର୍ଥ ବଣ୍ଟନ ହୋଇ ନପାରିଲେ ତାହା ଜିଲ୍ଲା ମୁଖ୍ୟାଳୟକୁ ଫେରାଇ ଦିଆଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି। ଏଭଳି ଭୁଲଭଟକା ସଂପୃକ୍ତ ଶ୍ରମ ବିଭାଗ କରିଥିଲେ ମଧ୍ୟ ମାନିବାକୁ ନାରାଜ। ଭୁବନେଶ୍ୱରରୁ ଯାହା ନିର୍ଦ୍ଦେଶ ଆସିବ ଆମେ ତାହା କରିବୁ ବୋଲି ଶ୍ରମ ଅଧିକାରୀ ପ୍ରକାଶ କରିିଛନ୍ତି। ସରକାର ନିର୍ମାଣ ଶ୍ରମିକ ମାନଙ୍କର ପାସ୍ ବହିରେ ଅର୍ଥରାଶି ପଠାଇଥିଲେ ଏଭଳି ତ୍ରୁଟି ହୋଇ ନ ଥାନ୍ତା ବୋଲି ଶ୍ରମିକ ମାନେ ପ୍ରକାଶ କରିଛନ୍ତି। ଯଦି ଏହାର ସମାଧାନ କରାଯାଇ ଶ୍ରମିକ ମାନଙ୍କୁ ସହଯୋଗ ପ୍ରଦାନ କରା ନ ଯାଏ ଆଗାମୀ ଦିନରେ ନାକଟିଦେଉଳ ବ୍ଲକର ନିର୍ମାଣ ଶ୍ରମିକ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ନିର୍ମାଣ ଶ୍ରମିକ ମାନଙ୍କର ପରିଚୟ ପତ୍ରରେ କୌଣସି ପ୍ରକାର ତ୍ରୁଟି ନଥିବା ବେଳେ ସହଯୋଗ ରାଶି ପାଇବାକୁ ଥିବା ଶ୍ରମିକ ମାନଙ୍କର ଗାଁ, ପଂଚାୟତ, ବ୍ଲକ୍ ଠିକଣା କିପରି ଭୁଲ୍ ହୋଇଯାଇଛି ତାହା ଶ୍ରମ ବିଭାଗ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ନିର୍ମାଣ ଶ୍ରମିକମାନେ ଦାବି କରିଛନ୍ତି।