Categories
ଆଜିର ଖବର

ଭିଭିପାଟ୍‌ ଓ ଇଭିଏମ୍‌ ମାମଲାକୁ ନେଇ ଇସିଙ୍କୁ ଭେଟିବେ ୨୧ଟି ବିରୋଧୀ ଦଳର ପ୍ରତିନିଧି

୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ୨ ଦିନ ପୂର୍ବରୁ ଇଭିଏମ ଓ ଭିଭିପାଟ୍‌ ମାମଲାକୁ ନେଇ ପୁଣି ଏକାଠି ହୋଇଛନ୍ତି ବିରୋଧୀ ଦଳ। ଏ ନେଇ ୨୧ଟି ବିରୋଧୀ ଦଳର ପ୍ରତିନିଧି ମଙ୍ଗଳବାର ନିର୍ବାଚନ ଆୟୋଗଙ୍କୁ ଭେଟି ଦାବି ଜଣାଇବେ।  କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, କଂଗ୍ରେସ ନେତା ଅଭିଷେକ ମନୁ ସିଂଙ୍ଘୱୀ ଏବଂ ଅହମଦ ପଟେଲ ପ୍ରମୁଖ ପ୍ରତିନିଧି ଦଳ ସହିତ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ବରିଷ୍ଠ ନେତାମାନଙ୍କୁ ପ୍ରତିନିଧି ଦଳରେ ସାମିଲ କରିବାକୁ ଉଦ୍ୟମ କରାଯାଉଛି ବୋଲି ଜଣେ ନେତା କହିଛନ୍ତି। ନିର୍ବାଚନରେ ସ୍ବଚ୍ଛତା ଆଣିବା ଲାଗି ଏକ ନିର୍ବାଚନ ମଣ୍ଡଳୀର ୫୦ ପ୍ରତିଶତ ଇଭିଏମ ସହିତ ଏହାର ଭିଭିପାଟ ସ୍ଲିପଗୁଡ଼ିକୁ ଗଣନା କରିବା ଦାବିରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ଗତ ରବିବାର ଦିନ ଏକ୍ସିଟ୍‌ ପୋଲ୍‌ରିପୋର୍ଟ ପ୍ରକାଶନ ପରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ହଲଚଲ୍‌ ସୃଷ୍ଟି ହୋଇଛି। ତେବେ ଏହା ଶତପ୍ରତିଶତ ସତ୍ୟ ନୁହେଁ, ଅସଲ ରେଜଲ୍ଟ ତ ମେ ୨୩ ତାରିଖରେ ଜଣାପଡିବ ବୋଲି ବିରୋଧୀ ଦଳ କହିଛନ୍ତି।