Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମହାପ୍ରଭୃ ସଦବୁଦ୍ଧି ଦିଅନ୍ତୁ: ବୈଜୟନ୍ତ ପଣ୍ଡାଙ୍କୁ ଏମିତି କାହିଁକି କହିଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଆଜି କେନ୍ଦ୍ରାପଡାରେ ଧୂମଧଡାକ ପ୍ରଚାର କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ସେଠାରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ସିଧା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ବୋଲି ଏକ ଗୁଜବ ସୃଷ୍ଟି କରି ରାଜନୀତି କରୁଛନ୍ତି ବୈଜୟନ୍ତ ପଣ୍ଡା। ହେଲେ ରାଜନୀତିରେ ତାହାକୁ କେବେ ଲୋକେ ପସନ୍ଦ କରିବେ ନାହିଁ। ଏପରି ଗୁଜବ ପ୍ରଚାରରୁ ଦୂରେଇ ରହିବା ପାଇଁ ମହାପ୍ରଭୃ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି।

ସେ କହିଛନ୍ତି ଯେ, ଗତଥର କେନ୍ଦ୍ରାପଡାବାସୀ ବୈଜୟନ୍ତଙ୍କୁ ଲକ୍ଷାଧିକ ଭୋଟରେ ପରାସ୍ତ କରିଥିଲେ। ଏଥର ମଧ୍ୟ ତାଙ୍କୁ ତାହାଠାରୁ ଆହୁରି ଅଧିକ ଭୋଟରେ ପରାସ୍ତ କରିବେ ବୋଲି ପାଣ୍ଡିଆନ ଲୋକଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ଯେ, ଶ୍ରୀ ପଣ୍ଡା ଏକଦା ମୁଖ୍ୟମନ୍ତ୍ରୀଙ୍କ ବେଶ ପାଖଲୋକ ଥିଲେ। ଏପରି କ୍ଷେତ୍ରରେ ଆପଣ କିପରି ମୁଖ୍ୟମନ୍ତ୍ରୀଙ୍କ ନାମରେ ଗୁଜବ କରିପାରୁଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ। ଏହାର ଯବାବ କେନ୍ଦ୍ରାପଡାବାସୀ ଦେବେ ବୋଲି ପାଣ୍ଡିଆନ କହିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଟମାଟୋ ମାଡ ପରେ ପାଣ୍ଡିଆନ କହିଲେ.. ମୋତେ ଗୁଳିମାର ପଛେ ମୁଁ ଲୋକଙ୍କ ସେବା କରିବାକୁ ଆସିବି

ଭୁବନେଶ୍ବର: ଆଜି 5ଟି ଅଧ୍ୟକ୍ଷ ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗଂଜାମ ଗସ୍ତ ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତାହା ହେଲା ସେ ସଭାକୁ ଯିବା ବେଳେ ତାଙ୍କ ଉପରକୁ କେହି ଜଣେ ଟମାଟୋ ମାରିଛି।

ବେଳଗୁଣ୍ଠାଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଯିବା ବେଳେ ଏହି ଟମାଟୋ ମାଡ କରାଯାଇଛି। ତେବେ ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମି ସେ ବ୍ୟକ୍ତିଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ତେବେ ସେ ଜଣେ କଂଗ୍ରେସ କର୍ମି ବୋଲି ଜଣାପଡିଛି।

ଏହି ଘଟଣା ପରେ ମଧ୍ୟ ସତସାହସ କରି ସଭା କରିଥିଲେ କାର୍ତ୍ତିକ ପାଣ୍ଡିଆନ। ସେଠାରେ ଉପସ୍ଥିତ ଥିବା ହଜାର ହଜାର ଲୋକଙ୍କୁ ସେ ତାଙ୍କର ଶୈଳୀରେ ସମ୍ବୋଧିତ କରିଥିଲେ। ତେବେ ସେ ସେଠାରେ କହିଥିଲେ ଯେ, ମୋତେ ଟମାଟୋ ମାର, ଚପଲ ମାର, କାଳି ମାର ଏପରିକି ଗୁଳି ମାର ମୁଁ ଡରିବାର ନାହିଁ।

ଏହି କଥା କହିବା ପରେ ସେଠାରେ ଉପସ୍ଥିତ ଲୋକେ ତାଳି ମାରି ପାଣ୍ଡିଆନଙ୍କୁ ସାହାସ ଦେଇଥିଲେ। ପାଣ୍ଡିଆନ କହିଲେ ଯେ, ମୋତେ ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ବୁଝିବାକୁ ପଠାଇଛନ୍ତି। ମୋତେ ଯେତେ ଯିଏ ବିରୋଧ କଲେ ମଧ୍ୟ ମୁଁ ମୋର ଜନସେବା ଜାରୀ ରଖିବି। ଏହାପରେ ସେ ଯେମିତି ସଭା କରିବା କଥା ତାହା କରିଥିଲେ।

ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ପିପିଲିରେ ତାଙ୍କ ଉପରେ କାଳି ଫୋପଡା ଯାଇଥିଲା। ସେଥିରେ ମଧ୍ୟ ସେ ସାଧାରଣ ଲୋକଙ୍କୁ ଭେଟିଥିଲେ। ଏପରିକି ମହିଳାମାନେ ତାଙ୍କ ପଣତ କାନିରେ ତାଙ୍କ ମୁହଁପୋଛି ଦେଇଥିଲେ। ସେତେବେଳେ ମଧ୍ୟ ସେହି ବ୍ୟକ୍ତିଙ୍କୁ ପୋଲିସ ପଚରାଉଚୁରା କରି ଛାଡି ଦେଇଥିଲା।

ବହୁ ପୂର୍ବରୁ ପାଣ୍ଡିଆନଙ୍କ ଏହି ଗସ୍ତକୁ ନେଇ ବିରୋଧୀ ପ୍ରବଳ ବିରୋଧ କରିଆସିଛନ୍ତି। ସେ ଯେତେବେଳେ ଚାକିରୀରେ ଥିଲେ ସେତେବେଳେ ଏହି ବିରୋଧ ତୀବ୍ରତର ହୋଇଥିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେବା ପାଇଁ ବିଜେପି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ। ହେଲେ ପାଣ୍ଡିଆନ ଗସ୍ତକୁ କେହି ରୋକି ପାରିଲେ ନାହିଁ।

ବିଜେପି ଓ କଂଗ୍ରେସ ମିଳିତ ଭାବେ ପାଣ୍ଡିଆନ ଗସ୍ତକୁ ରୋକିବାକୁ ଚେଷ୍ଠା କରି ବିଫଳ ହୋଇଛନ୍ତି। ସେ ପୂର୍ବପରି ସତସାହସ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ବଢାଇବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ପାଣ୍ଡିଆନଙ୍କ ଏହି ଗସ୍ତ ଲୋକଙ୍କ ଉପରେ ବେଶ ପ୍ରଭାବ ପକାଇବାରେ ଲାଗିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ, ଗଂଜାମ କାର୍ଯ୍ୟକ୍ରମ ବେଳେ ଘଟିଲା ଏହି ଅଘଟଣ

ଭୁବନେଶ୍ବର: ଆଜି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଉପରକୁ ଜଣେ ବ୍ୟକ୍ତି ଟମାଟୋ ମାଡ କରିଛି। ଆଜି ପାଣ୍ଡିଆନ ଗଂଜାମ ଜିଲ୍ଲା ବେଲଗୁଣ୍ଠା ଗସ୍ତ ବେଳେ ଏହି ଘଟଣା ଘଟିଛି। ଲୋକଟି ଟମାଟୋ ଫିଙ୍ଗି ପଳାଇଯାଉଥିବା ବେଳେ ସେଠାରେ ଉପସ୍ଥିତ ଲୋକେ ତାକୁ କାବୁ କରିଥିଲେ। ପରେ ପୋଲିସ ତାଙ୍କୁ କବଜା କରିଥିଲା।

ତେବେ ଏହି ଘଟଣା ପରେ ମଧ୍ୟ ପାଣ୍ଡିଆନ ସେହି କାର୍ଯ୍ୟକ୍ରମକୁ ବାତିଲ କରି ନ ଥିଲେ। ସେ ସେଠାରେ ଉପସ୍ଥିତ ଲୋକଙ୍କୁ ଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ମୋ ଉପରକୁ ଟମାଟୋ ଫିଙ୍ଗ, ଚପଲ ଫିଙ୍ଗ, ଗୁଳି ମାର ମୁଁ କେବେ ଅଟକିବି ନାହିଁ। ମୁଁ ଆପଣମାନଙ୍କୁ ଦେଖାକରିବାକୁ ଆସିବି। ସମସ୍ୟା ବୁଝିବାକୁ ଆସିବି।

ତେବେ ଯେଉଁ ବ୍ୟକ୍ତି ଟମାଟୋ ମାରିଛି ସେ କଂଗ୍ରେସର ଜଣେ କର୍ମି ବୋଲି ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁରରେ ଉନ୍ନତିର ବର୍ଷା କରି ସବୁଜ ପତାକା ଉଡାଇଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ସମ୍ବଲପୁରରେ ହେବ ବିଗ ଫାଇଟ। ସେଠାରେ ଲଢେଇ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେଥିପାଇଁ ସେ ସେହି ଅଞ୍ଚଳର ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାରେ ଲାଗିଛନ୍ତି। ଆଜି ବଡି ଭୋରରୁ ସମ୍ବଲପୁର ଗସ୍ତ କରି ସେ ସେହି ଅଞ୍ଚଳରେ ବିକାଶର ବର୍ଷା କରି ବିଜେଡିର ସବୁଜ ପତାକା ଉଡାଇଛନ୍ତି।

ସେ ଆଜି ସକାଳ ୬ ଟା ସମୟରେ ସମ୍ବଲପୁରର ପ୍ରଥମ ମହାନାଦୀ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ମାରାଥନରେ ୪୦୦୦ ରୁ ଅଧିକ ବିଭିନ୍ନ ବର୍ଗ ଲୋକେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି ଯେ ସମ୍ବଲପୁରର ଭଲ କ୍ରୀଡା ସଂସ୍କୃତି ରହିଛି ଏବଂ ଏହି ଜିଲ୍ଲାର ପ୍ରତିଭାମାନଙ୍କର ଆହୁରି ବିକାଶ କରିବା ପାଇଁ ସର୍ବୋତ୍ତମ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୁର୍ଲାସ୍ଥିତ ଇନଡୋର ଷ୍ଟାଡିୟମର ଉଦଘାଟନ କରାଯାଇଛି।

ସମୁଦାୟ ୧୦୦ କୋଟି ଟଙ୍କା ବ୍ୟୟରେ ହକି ଷ୍ଟାଡିୟମ ଏବଂ ଇନଡୋର କ୍ରୀଡା ସୁବିଧା ସମେତ ସମ୍ବଲପୁର ଫୁଟବଲ ଏକାଡେମୀ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏକ ନୂତନ ଫୁଟବଲ ଷ୍ଟାଡିୟମ ନିର୍ମାଣ ଏବଂ ଭିଏସଏସ କ୍ରିକେଟ ଷ୍ଟାଡିୟମକୁ ଆଧୁନିକ ଷ୍ଟାଡିୟମରେ ନବୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଷ୍ଟାଡିୟମଗୁଡିକର ଆନୁମାନିକ ମୂଲ୍ୟ ୩୫୦ କୋଟିରୁ ଅଧିକ ହେବ। ଏହା ଦ୍ବାରା ଜିଲ୍ଲାର କ୍ରୀଡା ବିକାଶ ପାଇଁ ଏକ ପ୍ରମୁଖ ପେଣ୍ଠ ପାଲଟିବ।

କାର୍ତ୍ତିକ ପାଣ୍ଡିଆନ୍ ଭିଏସ୍ଏସ୍ ଷ୍ଟାଡିୟମ୍ ପରିଦର୍ଶନ କରି ଖେଳାଳିଙ୍କ ସହ କଥାବାର୍ତ୍ତା କରିଥିଲେ। ସେ ନିଜେ ଜଣେ କ୍ରୀଡ଼ାବିତ୍ ଥିଲେ ଏବଂ ସ୍ପୋର୍ଟସ୍ ହଷ୍ଟେଲରେ ରହିଥିଲେ। ସେଠାରେ ସେ ଖେଳାଳିଙ୍କ ସହ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଏଥିସହିତ ସେ ଖେଳାଳିଙ୍କ ସହ କ୍ରିକେଟ୍ ମଧ୍ୟ ଖେଳିଥିଲେ। ଖେଳାଳିମାନେ କାର୍ତ୍ତିକ ପାଣ୍ଡିଆନଙ୍କୁ ପଡ଼ିଆରେ ଖେଳୁଥିବା ଦେଖି ଉତ୍ସାହିତ ହୋଇଥିଲେ।

ପରେ କାର୍ତ୍ତିକ ପାଣ୍ଡିଆନ୍ ନିର୍ଦ୍ଦେଶକ ତଥା ବରିଷ୍ଠ ଡାକ୍ତର ଏବଂ କର୍ମଚାରୀଙ୍କ ସହ ବୀର ସୁରେନ୍ଦର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ର ବିକାଶ ବିଷୟରେ ଆଲୋଚନା କରିଥିଲେ। ପ୍ରଥମ ପର‌୍ୟ୍ୟାୟରେ ୭୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହିତ ମା ଏବଂ ଶିଶୁ ସ୍ୱାସ୍ଥ୍ୟ ସେବା (ପେଡିଆଟ୍ରିକ୍ସ) କୁ ପ୍ରାଥମିକତା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

କ୍ରୀଡା କମ୍ପ୍ଲେକ୍ସ ସହିତ ହଷ୍ଟେଲ କ୍ୟାମ୍ପସକୁ ଉନ୍ନତି କରାଯିବ। କର୍ମଚାରୀଙ୍କ ଆବାସକୁ ମଧ୍ୟ ପ୍ରାଥମିକତା ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ। ଏହି ପ୍ରକଳ୍ପ ମୂଲ୍ୟ ୧୦୦୦ କୋଟି ଟଙ୍କା ହେବ ବୋଲି ସେ କହିଥିଲେ। ଜମି ଉପଲବ୍ଧତା ଅନୁଯାୟୀ ବିଭିନ୍ନ ପର୍ଯ୍ୟାୟରେ କ୍ୟାମ୍ପସର ସାମଗ୍ରିକ ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବ ବୋଲି ପାଣ୍ଡିଆନ କହିଛନ୍ତି।

କାର୍ତ୍ତିକ ପାଣ୍ଡିଆନ୍ ଖିଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ବିକାଶ ପାଇଁ ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ। କାର୍ଯ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସେ ମା ସମାଲେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ। ସେ ଭକ୍ତମାନଙ୍କ ସହ ଆଲୋଚନା ସମଲେଇ ପ୍ରକଳ୍ପ ବିଷୟରେ ସେମାନଙ୍କ ମତାମତ ନେଇଥିଲେ। ଭକ୍ତମାନେ ଏହି ପ୍ରକଳ୍ପକୁ ନେଇ ବେଶ ଖୁସି ବୋଲି ପାଣ୍ଡିଆନଙ୍କ ଆଗରେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ଯୁଦ୍ଧରେ ସୋଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା: ୫ ଟି ଅଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ ଯୁଦ୍ଧର ମୁକାବିଲା କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଯାହା ଦ୍ୱାରା କି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଅନେକ ହ୍ରାସ ପାଇଥିଲା ବୋଲି କହିଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍ ।

ମୁଁ ସୋଆକୁ ପ୍ରଥମ ଥର ପାଇଁ ଆସିଥିଲି ଯେତେବେଳେ ସମୟ ଅତ୍ୟନ୍ତ ଜଟିଳ ଥିଲା। କୋଭିଡ-୧୯ ମହାମାରୀର ବିଭୀଷିକା ଆରମ୍ଭ ହୋଇସାରିଥିଲା। କରୋନାର ମୁକାବିଲା କରିବା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ କିଭଳି ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିପାରିବ ସେ ସମ୍ପର୍କରେ ଆଲୋଚନା କରିବାକୁ ମୁଁ ଆସିଥିଲି। ତେବେ ଏଠାରେ ଥିବା ଭିତିଭୂମିକୁ ପରଖିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିବା ପରେ ଏହି ଯୁଦ୍ଧରେ ବିଜୟୀ ହେବା ସମ୍ଭବ ଏହି ଆତ୍ମବିଶ୍ୱାସ ନେଇ ସୋଆ କ୍ୟାମ୍ପସରୁ ବିଦାୟ ନେଇଥିଲି ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସୋଆ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆୟୋଜିତ ଦୁଇ ଦିନିଆ ବିମର୍ଶ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପର୍ବ ରଖାଯାଇଥିଲା । ସୋମବାର ସୋଆରେ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ୍ ଏହା କହିଥିଲେ ।

ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ରାଜ୍ୟ ସରକାରଙ୍କ ସହିତ ହାତ ମିଳାଇ ମହାମାରୀ ସହ ଲଢ଼ିବାରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଭୂମିକା ସମ୍ପର୍କରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ହସ୍ପିଟାଲ୍‌ର ଡାକ୍ତରମାନଙ୍କ ସହ ସେ ଆଲୋଚନା କରିଥିଲେ ।
ସେମାନେ ସମସ୍ତ ପ୍ରକାର ସାହାଯ୍ୟ କରିବା ନିମନ୍ତେ ପ୍ରତିଶୃତି ଦେବା ସହ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ସବୁ ପ୍ରକାର ସମ୍ଭବପର ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରାଇବା ନିମନ୍ତେ ମୋତେ କହିଥିଲେ ବୋଲି ସେ କହିଥିଲେ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଉତ୍କୃଷ୍ଟ ଦଳଗତ କାର୍ଯ୍ୟ ଯୋଗୁଁ ଓଡ଼ିଶାରେ କୋଭିଡର ମୃତ୍ୟୁ ହାର କମ୍ ରହିଥିଲା ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ । ସୋଆ ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ୫ଟି କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇ ରୋଗୀ ସେବା ପ୍ରଦାନ କରାଯାଇଥିଲା । ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସିତ ହେଲେ ନିଶ୍ଚିତ ଭାବେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ପୀଡ଼ିତ ଲୋକଙ୍କ ମନରେ ଏକ ଭରସା ସୃଷ୍ଟି ହୋଇଥିଲା ବୋଲି ସେ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ପ୍ରଶଂସା କରି କହିଥିଲେ । ଏହି ସମୟରେ ପ୍ରତ୍ୟେକ ଜୀବନକୁ ବଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ଥିଲା । ରାଜ୍ୟ ସରକାର ମଧ୍ୟ କୋଭିଡ ପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ ବୋଲି ସେ କହିଥିଲେ ।

ରୋଗୀମାନଙ୍କୁ ଉତମ ସେବା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ବିଦେଶରୁ ସିଧାସଳଖ କିଟ ଓ ଅନ୍ୟାନ୍ୟ ସରଞ୍ଜାମ ଆମଦାନୀ କରାଯାଇଥିଲା ଓ ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, କାର୍ଯ୍ୟରେ ସ୍ୱଚ୍ଛତା ଓ ସମୟାନୁବର୍ତୀତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ବୋଲି ସେ କହିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଖୁବଶୀଘ୍ର ଭତ୍ତା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଦେବେ ଖୁସି ଖବର, ଗଜପତିରେ ଘୋଷଣା କଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡିଶା ଗଠନ ସ୍ୱପ୍ନକୁ ସାକାର କରିବାକୁ ଗଜପତିବାସୀ ସହଯୋଗ କରନ୍ତୁ। ଏହା ଲୋକଙ୍କ ସରକାର। ଲୋକମାନେ ଯାହା ଚାହିଁବେ, ସରକାର ସେୟା କରିବେ। ଅନ୍ୟ କୌଣସି ସରକାରରେ ଏହା ହେବ ନାହିଁ।

ସାତ ମାସରେ କେବଳ ଗଜପତି ଜିଲ୍ଲାକୁ ମିଳିଛି ୨୭୯ କୋଟି ଟଙ୍କା। ଲୋକଙ୍କ ଦରଖାସ୍ତ ଆଧାରରେ ଏହି ଟଙ୍କା ମଂଜୁର କରାଯାଇଛି। ଆଜି କାଶିନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହା କହିବା ସହ ବିକାଶର ହିସାବ ରଖିଛନ୍ତି।

କାଶୀନଗର ନୀଳମଣି ଦୁର୍ଗା ମନ୍ଦିର ପଡ଼ିଆରେ ବିକାଶର ହିସାବ ରଖି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ମେ ୧୦ ତାରିଖରେ ସେ ଆସି ୩୮୦ ଦରଖାସ୍ତ ପାଇଥିଲେ । ଏହା ମଧ୍ୟରୁ ୩୫୦ଟି ଦରଖାସ୍ତ ସମାଧାନ ହୋଇଛି। ଲୋକଙ୍କ ଦରଖାସ୍ତ ଆଧାରରେ ଗୁମ୍ମାରେ ନୂଆ ସରକାରୀ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ଗୁମ୍ମା ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲକୁ ଉନ୍ନିତ କରିବାକୁ ମଂଜୁରୀ ମିଳିଛି । ପାରଳାଖେମୁଣ୍ଡିରେ ଚାରି ଲେନ୍ ବିଶିଷ୍ଟ ବାଇପାସ୍ ରାସ୍ତା ପାଇଁ ୫୦କୋଟି ଟଙ୍କା, ପାରଳାଖେମୁଣ୍ଡି ଏସକେସିଜି କଲେଜର ଉନ୍ନତିକରଣ ପାଇଁ ୨କୋଟି ୨୫ଲକ୍ଷ ଟଙ୍କା, କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜର ଫାଇଭ୍-ଟି ରୂପାନ୍ତରଣ ଲାଗି ୫୦ଲକ୍ଷ ଟଙ୍କା, ଗୁମ୍ମାରେ ଥିବା ତୁମୁଲ ଏସସି ଏସଟି ହାଇସ୍କୁଲ ପାଇଁ ୫୦ଲକ୍ଷ ଟଙ୍କା ମଂଜୁର କରାଯାଇଛି।

ସେହିପରି କୃଷ୍ଣସାଗରର ଉନ୍ନତିକରଣ ପାଇଁ ୩ କୋଟି ୧୦ଲକ୍ଷ, ରାମସାଗର ପାଇଁ ୩କୋଟି ୫୦ ଲକ୍ଷ ଓ ଗଜପତି ସାଗର ଉନ୍ନତିକରଣ ପାଇଁ କୋଟିଏ ୪୦ଲକ୍ଷ ଟଙ୍କା ମଂଜୁର କରାଯାଇଛି । ଗୁମ୍ମାରେ ମଡେଲ୍ ବସଷ୍ଟାଣ୍ଡ କାମ ସରିଛି । ପ୍ରତି ଘରେ ପାଇପ୍ ଯୋଗେ ପିଇବା ପାଣି ପହଞ୍ଚାଇବାକୁ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ରହୁଥିବା ପ୍ରତ୍ୟେକ ଘରକୁ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ଯେଉଁମାନେ ବିଏସକେୱାଇ କାର୍ଡ ପାଇନାହାଁନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ବିଏସକେୱାଇ-ନବୀନ କାର୍ଡ ପ୍ରଦାନ କରିବେ । ଯେଉଁମାନଙ୍କ ପାଖରେ କାର୍ଡ ନାହିଁ ସେମାନେ ନବୀନ କାର୍ଡ ପାଇଁ ଆବେଦନ କରନ୍ତୁ ।

ବିଏସକେୱାଇ ସାରା ଦେଶରେ ଏକ ଅନନ୍ୟ ଯୋଜନା । ଏଭଳି ଯୋଜନା ଅନ୍ୟ କୌଣସି ରାଜ୍ୟରେ ନାହିଁ । ଏହି କାର୍ଡ ଦ୍ୱାରା ଗରିବ ଲୋକମାନେ ବି ଧନୀ ଲୋକଙ୍କ ଭଳି ଦୃଢ ଇଚ୍ଛାଶକ୍ତିର ସହ ବଡ ବଡ ହସ୍ପିଟାଲରେ ଚିକିତ୍ସା କରିପାରୁଛନ୍ତି। ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ଏହାଦ୍ୱାରା ମିଳୁଛି ସୁନିଶ୍ଚିତ ମାଗଣା ସ୍ୱାସ୍ଥ୍ୟସେବା।

ଗ୍ରାମାଞ୍ଚଳ ଲୋକଙ୍କୁ ଆଉ ଜଟିଳ ରୋଗ ପାଇଁ ଜମି ବନ୍ଧା ରଖିବାକୁ ପଡିବନି କି ସୁନା ଗହଣା ବିକିବାକୁ ପଡିବନି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ମନ୍ଦିର, ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସଂପର୍କିତ ଦରଖାସ୍ତ ନେଇ ୧୦ଦିନ ଭିତରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ।

ସ୍ୱଚ୍ଛତାର ସହ ସରକାରୀ ଅନୁଦାନ ଖର୍ଚ୍ଚ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଭଲ କାମ କଲେ ଦ୍ୱିତୀୟ ଓ ତୃତୀୟ କିସ୍ତି ସହାୟତା ବି ମିଳିବ । ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିଛି। ଏହାଦ୍ୱାରା ମହିଳା ଓ ଛାତ୍ରଛାତ୍ରୀମାନେ ୫ଟଙ୍କାରେ ଯାତ୍ରା କରିପାରୁଛନ୍ତି।

ଖୁବଶିଘ୍ର ଭତ୍ତା ସହ ଆଶା, ଅଙ୍ଗନବାଡ଼ି ଦିଦି, ସ୍ୱଚ୍ଛ ସାଥୀଙ୍କ ଦରମା ବୃଦ୍ଧି ନେଇ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ । ଦୁଇ ମାସ ମଧ୍ୟରେ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ଯୋଜନାରେ ମିଳିବ ବ୍ୟାଙ୍କସେବା ସୁବିଧା। ଏହି ସରକାର ଲୋକଙ୍କ ସରକାର। ଭଲ କାମ କରି ନୂଆ ଓଡ଼ିଶା ଗଠନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରକ୍ଷା କରିବାକୁ କାର୍ତ୍ତିକ ପାଣ୍ଡିଆନ ଆହ୍ୱାନ ଦେଇଛନ୍ତି ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଘୋଷଣା ହେବ ନୂଆ ପ୍ୟାକେଜ, ସୂଚନା ଦେଲେ ପାଣ୍ଡିଆନ

ଭୁବନେଶ୍ବର: ଖୁବଶୀଘ୍ର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ନୂଆ ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। କେନ୍ଦୁପତ୍ର ତୋଳାଳିଙ୍କ ଆବେଦନ କ୍ରମେ ସେମାନଙ୍କ ପରିବାର ସଦସ୍ୟଙ୍କ ବିବାହ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ପାଣ୍ଡିଆନ ସୂଚନା ଦେଇଛନ୍ତି। ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିବେ ବୋଲି ପାଣ୍ଡିଆନ କହିଛନ୍ତି।

ସମ୍ବଲପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପଦ୍ମପୁର ଉପନିର୍ବାଚନ ସମୟରେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ପାଇଁ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ପ୍ରତ୍ୟାହାର ପ୍ରସଂଗରେ କେନ୍ଦ୍ରମନ୍ତ୍ରୀଙ୍କ ଉଦାସୀନତା ନେଇ ସମାଲୋଚନା କରିଥିଲେ କାର୍ତ୍ତିକ ପାଣ୍ଡିଆନ।

ଏପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ପାଳନ କରି ନ ଥିବା ବେଳେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉପରୁ ନିଜ ଭାଗର ୮ ପ୍ରତିଶତ ଟିକସ ଛାଡ କରିଛନ୍ତି। ରାଜ୍ୟ ସରକାର ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ କେନ୍ଦ୍ରୁପତ୍ର ତୋଳାଳିଙ୍କୁ ବୋନସ ଦେଉଛି ବୋଲି ସେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ବ୍ୟବସାୟ

ନିର୍ବାଚନରେ କାହିଁକି ନବୀନ ପଟ୍ଟନାୟକ ବାରମ୍ବାର ଜିତୁଛନ୍ତି, ତାହାର ରହସ୍ୟ କହିଲେ ପାଣ୍ଡିଆନ

ଭୁବନେଶ୍ୱର : ପୁଣି ଥରେ ବିରୋଧୀ ନେତାଙ୍କୁ ତେରଛା ବାଣ ମାରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିରୋଧୀ ନେତାମାନଙ୍କ ଅସଲ ଚେହେରାକୁ ମଧ୍ୟ ପଦାରେ ପକାଇ ଦେଇଛନ୍ତି । ସେ କହିଛନ୍ତି, ନିର୍ବାଚନ ଥିବାରୁ ବହୁତ ବଡ ବଡ ନେତା ଆସୁଛନ୍ତି। ବଡ଼ ବଡ଼ ଭାଷଣ ଦେଇ ଆପଣମାନଙ୍କ ସାଙ୍ଗରେ କଥା ହେଇକି ପଳାଉଛନ୍ତି।

ସେମାନେ ନିର୍ବାଚନ ଆସିଲେ ଦେଖା ଦେବେ। ନିର୍ବାଚନ ସରିଗଲେ ଆଉ ଦେଖା ମିଳିବ ନାହିଁ । ସମ୍ବଲପୁର ବରେଇପାଲି ଓ ରେଙ୍ଗାଳି ସାଧାରଣ ସଭାରେ ଯୋଗ ଦେଇ ନିର୍ବାଚନ ସର୍ବସ୍ବ ବିରୋଧୀ ନେତାଙ୍କୁ ଏଭଳି ସମାଲୋଚନା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ।

ସେ କହିଛନ୍ତି ଯେ, “ଅନ୍ୟ ଲୋକଙ୍କ ଭଳି ଆମେ ସେପରି କରୁ ନାହୁଁ। ମୁଖ୍ୟମନ୍ତ୍ରୀ ଆମ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ। ଲୋକଙ୍କର ଅସୁବିଧା ଦୂର କରିବା ପାଇଁ। ଲୋକଙ୍କ ସମସ୍ୟାର ସମାଧାନ କରି ଲୋକଙ୍କ ପାଖକୁ ଯାଇ ହିସାବ ଦେବା ପାଇଁ।

ମୁଖ୍ୟମନ୍ତ୍ରୀ ସବୁବେଳେ କାମରେ ବିଶ୍ବାସ କରନ୍ତି। ଲୋକଙ୍କୁ ସେମାନଙ୍କ ବିକାଶର ହିସାବ ଦେବାରେ ବିଶ୍ବାସ କରନ୍ତି। ସେଥିପାଇଁ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ବାସ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଆଶୀର୍ବାଦ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ମୁହଁରେ ହସ ଦେଖିଲେ ଖୁସୀ ହୁଅନ୍ତି। ଗରୀବ ଲୋକଙ୍କୁ ବଡ ବଡ ସ୍ବପ୍ନ ଦେଖି ସାକାର କରିବା ପାଇଁ ସଶକ୍ତ କରି ଆସୁଛନ୍ତି।

ଦୁଇଦିନ ତଳେ ଖୋର୍ଧା ଓ ନୟାଗଡ ଜିଲ୍ଲା ଗସ୍ତବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବିବୃ୍ତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ ପାଣ୍ଡିଆନ। ସମ୍ବଲପୁରର ଏକ ସଭାରେ କେନ୍ଦ୍ରମନ୍ତ୍ରୀ ବିଏସକେୱାଇକୁ ନିନ୍ଦା କରିବା ସହ ଏହା ଲୋକଙ୍କ ଦରକାର ନାହିଁ ବୋଲି କହିଥିଲେ।

ଜବାବ ଦେଇ ପାଣ୍ଡିଆନ କହିଥିଲେ ଯେ, ଏହି ଯୋଜନା ଯଦି ଏତେ ଖରାପ ତାହେଲେ କେନ୍ଦ୍ରମନ୍ତ୍ରୀଙ୍କ ଦଳ ଆଗାମୀ ନିର୍ବାଚନ ବେଳେ ଯେଉଁ ଇସ୍ତାହାର ପ୍ରକାଶ କରିବ ତାର ପ୍ରଥମ ପଏଣ୍ଟରେ କ୍ଷମତାକୁ ଆସିଲେ ବିଏସକେୱାଇ ବନ୍ଦ କରିବୁ ବୋଲି ଲେଖନ୍ତୁ ବୋଲି କହିଥିଲେ ପାଣ୍ଡିଆନ।

ଗତକାଲି ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦୁଇଟି ଜିଲ୍ଲା ଗସ୍ତ କରିଥିଲେ। ପୂର୍ବାହ୍ଣରେ କଳାହାଣ୍ଡି ଜିଲ୍ଲା ଓ ଅପରାହ୍ଣରେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ସଭାରେ ଯୋଗ ଦେଇଥିଲେ। ପ୍ରତି ସ୍ଥାନରେ ବିକାଶର ହିସାବ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଙ୍ଗନବାଡି ଏବଂ ଆଶା କର୍ମିଙ୍କ ବଢିବ ଦରମା, ନବରଂଗପୁରରେ ପାଣ୍ଡିଆନ ଦେଲେ ସୂଚନା

ନବରଙ୍ଗପୁର: ଆଜି 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନବରଂଗପୁର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହିତ ସେ ଏକ ବିଶାଳ ଜନସମାଜକୁ ସମ୍ବୋଧିତ ମଧ୍ୟ କରିଛନ୍ତି। ଏହି ସମୟରେ ସେ ରାଇଘର ଏକ କାର୍ଯ୍ୟକ୍ରମରେ ଏକ ବଡ ସୂଚନା ଦେଇଛନ୍ତି। ତାହା ହେଲା ଅଙ୍ଗନବାଡି ଏବଂ ଆଶା କର୍ମିଙ୍କର ଦରମା ବଢିବ। ଏପରିକି କମ୍ୟୁନିଣ୍ଟ ସେଣ୍ଟର କର୍ମଚାରୀଙ୍କ ମଧ୍ୟ ଦରମା ବଢିବ।

ସେ ସୂଚନା ଦେଇ କହିଥିଲେ ଯେ, ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣମାନଙ୍କୁ ଏକ ଖୁସିଖବର ଦେବେ। ତାହା ହେଲା ଅଙ୍ଗନବାଡି ଏବଂ ଆଶାକର୍ମିଙ୍କ ଦରମା ବୃଦ୍ଧି। ଆପଣମାନେ କିଛିଦିନ ପରେ ଏହି ଖୁସି ଖବର ଶୁଣିବେ ବୋଲି ପାଣ୍ଡିଆନ କହିଥିଲେ। ଏହି ସୂଚନା ଦେବାପରେ ସେଠାରେ ଥିବା ଜନ ସମାଜ ବେଶ ତାଳିମାରି ଖୁସି ପ୍ରକଟ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳୀକୁ ଆସୁଛନ୍ତି ପାଣ୍ଡିଆନ, ମିଶନ ଶକ୍ତି ମହିଳାଙ୍କ ସହ କରିବେ ଭୋଜନ

ଚିଲିକା( ସୀତାରାମ ଅଗ୍ରୱାଲ): ବେଶ କିଛିଦିନ ନିରବତା ପରେ ଏବେ ଚିଲିକା ରାଜନୀତି ବେଶ ସରଗରମ ହୋଇପଡିଛି। ବିଶେଷ କରି ଚିଲିକା ବିଜେଡି ଶିବିରରେ ଉତ୍ସହ ଭରିଯାଇଥିବାର ପରିଲକ୍ଷିତ ହୋଇଛି। ଏହାର କାରଣ ହେଲା ଆସନ୍ତାକାଲି ବୁଧବାର ଦିନ ଚିଲିକା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ଆସୁଛନ୍ତି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସେ ଆସନ୍ତାକାଲି ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ଗସ୍ତ କରିବେ। ସେ ପ୍ରଥମେ ଭୁବନେଶ୍ବରରୁ ବାହାରି ଖୋର୍ଦ୍ଧା ହାବେଳି ପଡିଆରେ କାର୍ଯ୍ୟକ୍ରମ କରିବେ। ସେଠାରୁ ଗସ୍ତ ଶେଷ କରି ସେ ବାଣପୁର ଆସିବେ। ଏଥିପାଇଁ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ହୋଇଛି। ସେହି ଅନୁସାରେ ସେ ଆସନ୍ତାକାଲି ଦିନ ୧୨ ଟାରରୁ ଖୋର୍ଦ୍ଧାରୁ ବାହାରି ଜାତୀୟ ରାଜପଥରେ ବାଣପୁର ଆସିବେ। ସେଠାରେ ସେ ଦିନ ଗୋଟାଏ ବେଳେ ମା ଭଗବତୀଙ୍କୁ ଦର୍ଶନ କରିବେ। ଏଥିସହିତ ମା ଭଗବତୀ ଉନ୍ନୟନ କାର୍ଯ୍ୟ ତଦାରଖ କରିବେ।

ଏହାପରେ ସେ ଭଗବତୀ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବାଣପୁର ପଲଟନ ପଡିଆକୁ ଆସିବେ। ସେଠାରେ ସେ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ଦୀର୍ଘ ୪୫ ମିନଟ ଧରି ଲୋକଙ୍କ ସହିତ ଆଲୋଚନା ସହ ଭାଷଣ ପ୍ରଦାନ କରିବେ। ଏହି ପଡିଆରେ ପ୍ରାୟ ୧୦ ହଜାର ଲୋକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି।

ପଲଟନ ପଡିଆ କାର୍ଯ୍ୟକ୍ରମ ସାରି ସେ ସେହି ନିକଟରେ ଥିବା ମିଶନ ଶକ୍ତି କେଫ୍ ପରିଦର୍ଶନରେ ଯିବେ। ସେଥିପାଇଁ ମିଶନ ଶକ୍ତି ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସେହିଠାରେ ପାଣ୍ଡିଆନ ମହିଳା ସଦସ୍ୟଙ୍କ ସହିତ ଆଲୋଚନା କରିବେ। ଏହାପରେ ସେ ସେମାନଙ୍କ ସହିତ ମିଶି ମଧ୍ୟାହ୍ନ ଭୋଜନ ମଧ୍ୟ କରିବେ ବୋଲି ଜଣାପଡିଛି। ଏହାପରେ ଦିନ ପ୍ରାୟ ୨ ଟା ୩୦ ମିନିଟରେ ସେ ବାଣପୁରରୁ ନିକଟସ୍ଥ ହେଲିପ୍ୟାଡକୁ ଯାଇ ସେଠାରୁ ରଣପୁର ଗସ୍ତରେ ଯିବେ।

ତେବେ ପାଣ୍ଡିଆନ ଗସ୍ତକୁ ନେଇ ସବୁ ବିଜେଡି ନେତା ଏକାଠି ହୋଇଯାଇଛନ୍ତି। ସେଥିପାଇଁ ବାଣପୁରରେ ରାଜ୍ୟସ୍ତରୀୟ ନେତା ମଧ୍ୟ ଗତକାଲିଠାରୁ ପହଞ୍ଚି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ସେହିପରି ପୋଲିସ ପ୍ରଶାସନ ମଧ୍ୟ ବେଶ ତତ୍ପର ହୋଇ ଉଠିଛି। ପାଣ୍ଡିଆନ ଗସ୍ତ ସମୟରେ ଭିଡ ଏବଂ ପଲଟନ ପଡିଆରେ ଲୋକଙ୍କ ସମାବେଶକୁ ସୁନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସିକିମ ସ୍ୱତ୍ତ୍ୱ ସମସ୍ୟାର ସମାଧାନ, ୨ ଲକ୍ଷ ୫୦ ହଜାର ରୟତ ଓ ଉତ୍ତରାଧିକାରୀ ହେବେ ଉପକୃତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-‘ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଲୋକମାନଙ୍କଠୁ ସିକିମ ସ୍ୱତ୍ତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନିବେଦନ ପତ୍ର ପ୍ରାପ୍ତ ହୋଇଥିଲା।

ଏହି ସବୁ ନିବେଦନ ପତ୍ରକୁ ଅନୁଧ୍ୟାନ କରି ସିକିମ ସ୍ୱତ୍ତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ରାଜସ୍ୱ ଟାସ୍କଫୋର୍ସକୁ ପ୍ରେରଣ କରାଯାଇଥିଲା।

ରାଜସ୍ୱ ଟାସ୍କଫୋର୍ସ ରାଜସ୍ୱ ଆୟୁକ୍ତ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ବିଭାଗର କାର୍ଯ୍ୟରତ ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ଓଡିଶା ଭୂ-ସଂସ୍କାର ଆଇନକୁ ସଂଶୋଧନ କରିବା ନିମନ୍ତେ ସରକାରଙ୍କୁ ପରାମର୍ଶ ଦେଇଥିଲେ।

ଏଠାରେ ସୂଚନାଯୋଗ୍ୟ କି ରାଜ୍ୟରେ ୮୧,୫୨୪ ଗୋଟି ଖାତାରେ ପ୍ରାୟ ଏ ୧,୨୩,୧୧୧ ଡି ଜମି ସିକିମ ଭାବରେ ରେକର୍ଡ ହୋଇଅଛି । ସିକିମ ଭାବରେ ରେକର୍ଡ ହୋଇଥିବା ଜମିକୁ ଦଖଲ କରୁଥିବା ବ୍ୟକ୍ତିମାନଙ୍କୁ ଉପ-ରୟତ କିମ୍ବା ଅଧସ୍ତନ-ରୟତ କୁହାଯାଏ।

ଓଡିଶା ଭୂ-ସଂସ୍କାର ଆଇନ, ୧୯୬୦ ଅନୁସାରେ ସିକିମ ଜମିରେ ରୟତି ଘୋଷଣା ନିମନ୍ତେ ଆବେଦନ କରିବାର ଶେଷ ଅବଧି ୧୯୭୭ ମସିହା ପର୍ଯ୍ୟନ୍ତ ଥିଲା। ସମସ୍ତ ସିକିମ ଚାଷୀ ଏହି ସମୟ ଅବଧି ଭିତରେ ଆବେଦନ କରିପାରି ନଥିଲେ। ତେଣୁ, ସିକିମ ଭାବରେ ରେକର୍ଡ ହୋଇଥିବା ଜମିକୁ ଦଖଲ କରୁଥିବା ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ସେହି ଜମି ଉପରେ ରୟତି ଅଧିକାର ଦେବା ପାଇଁ ଓଡିଶା ଭୂ-ସଂସ୍କାର ଆଇନ, ୧୯୬୦ର ଆବଶ୍ୟକୀୟ ସଂଶୋଧନ ବିଧାନ ସଭା ଦ୍ୱାରା ପାରିତ ହୋଇ ବିଧି ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ହୋଇଛି।

ଯାହା ଫଳରେ ସିକିମ ଜମିକୁ ଚାଷ ଓ ବାସଗୃହ ଭାବେ ବ୍ୟବହାର କରୁଥିଲେ, ସେହି ଜମିରେ ରୟତି ଅଧିକାର ପାଇବା ପାଇଁ ଦୁଇ ବର୍ଷ ମଧ୍ୟରେ ରାଜସ୍ୱ ଅଧିକାରୀଙ୍କ ନିକଟରେ ସମ୍ପୃକ୍ତ ଚାଷୀମାନେ ଆବେଦନ କରିପାରିବେ।

ତହସୀଲଦାର ମଧ୍ୟ ସ୍ୱତଃପୂର୍ତ୍ତ ଭାବେ ସିକିମ ଭାବରେ ରେକର୍ଡ ହୋଇଥିବା ଜମିକୁ ଦଖଲ କରୁଥିବା ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ସେହି ଜମି ଉପରେ ରୟତି ଅଧିକାର ଦେବାପାଇଁ କାର୍ଯ୍ୟ ଆରମ୍ଭ କରିପାରିବେ। ଆବଶ୍ୟକତା ଅନୁସାରେ ସରକାର ଏହି ସମୟ ସୀମାକୁ ବୃଦ୍ଧି କରିପାରନ୍ତି।

ରାଜସ୍ୱ ଅଧିକାରୀ ଆଦେଶନାମା ଜାରି କଲାବେଳେ ଷ୍ଟାଣ୍ଡାର୍ଡ ଏକର ପିଛା ୧୪,୨୦୦ ଟଙ୍କା ହିସାବରେ କ୍ଷତିପୂରଣ ସ୍ଥିର କରିବେ। ଏହି କ୍ଷତିପୂରଣ ଟଙ୍କା ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କର ଉତ୍ତରାଧିକାରୀମାନେ ଏହି ସିକିମ ଜମିର ମୂଳ ରୟତଙ୍କୁ କିମ୍ବା ଉତ୍ତରାଧିକାରୀମାନଙ୍କୁ ପ୍ରଦାନ କରିବେ। ଏହି କ୍ଷତିପୂରଣ ରାଶିର ପରିମାଣ ସରକାର ସମୟାନୁକ୍ରମେ ପରିବର୍ତ୍ତନ କରିପାରନ୍ତି।

ଏହାପରେ ଏହି ସିକିମ ଜମି ଉପରେ ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କର ଉତ୍ତରାଧିକାରୀମାନେ ରୟତ ଭାବରେ ଘୋଷିତ ହେବେ ଏବଂ ଏହି ଜମି ଉପରେ ସେମାନଙ୍କର ବଂଶାନୁକ୍ରମିକ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ପ୍ରାପ୍ତି ହେବ।

ଏହି ସଂଶୋଧନ ଫଳରେ ଓଡ଼ିଶାର ୨୬ଟି ଜିଲ୍ଲାର ପ୍ରାୟ ୨ ଲକ୍ଷ ପଚାଶ ହଜାର ରୟତ ଓ ତାଙ୍କର ଉତ୍ତରାଧିକାରୀମାନେ ଉପକୃତ ହେବେ। ଏ ସମ୍ବନ୍ଧରେ ବିସ୍ତୃତ ନିୟମାବଳୀ ଆଜି ସମସ୍ତ ଜିଲ୍ଲାପାଳ ଓ ରାଜସ୍ୱ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି ଓ ତ୍ୱରିତ ପଦକ୍ଷେପ ନେବା ପାଇଁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କାର୍ତ୍ତିକ ପାଣ୍ଡିଆନଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଜନ ସମୁଦ୍ର, ପୋଲିସ ନାକେଦମ୍

ଭୁବନେଶ୍ବର: ଆଜି 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ନୂଆ ବର୍ଷ ଅଭିନନ୍ଦନ ଜଣାଇବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଆଜି ସକାଳୁ ନବୀନ ନିବାସରେ ଲାଗିଥିଲା ପ୍ରବଳ ଭିଡ। ବିଭିନ୍ନ ବର୍ଗର ଲୋକେ ଆସି ତାଙ୍କୁ ଫୁଲତୋଡା ଦେବା ସହିତ ନୂଆ ବର୍ଷ ଶୁଭେଚ୍ଛା ଜଣାଇଥିଲେ।

ପୂର୍ବରୁ ସେ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ହେବା ପରେ ବିଭିନ୍ନ ସଂଗଠନର ସଦସ୍ୟମାନେ ଆସି ତାଙ୍କୁ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି। ହେଲେ ଆଜି ନୂଆବର୍ଷ ଥିବାରୁ ଏହି ଅଭିନନ୍ଦନ ବା ଶୁଭେଚ୍ଛା ପରିମାଣ ବେଶ ବଢିଯାଇଥିଲା। ନବୀନ ନିବାସରେ ପୋଲସି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାରେ ନାକେଦନ ହୋଇପଡିଥିଲେ।

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭଦ୍ରକରେ ପାଣ୍ଡିଆନ, ଆଖଣ୍ଡଳମଣୀ ମନ୍ଦିର କଲେ ଦର୍ଶନ, ସବୁ ସ୍ଥାନରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ।

ଶ୍ରୀ ପାଣ୍ଡିଆନ ପ୍ରଥମେ ଓଡିଶାର ପ୍ରସିଦ୍ଧ ଶୈବ କ୍ଷେତ୍ର ଆରଡିଠାରେ ବାବା ଆଖଣ୍ଡଳମଣୀଙ୍କୁ ପୂଜାର୍ଚ୍ଚନା ସହ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ତଥା ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ମନ୍ଦିର ପ୍ରକଳ୍ପ ପାଇଁ ୪୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରକଳ୍ପ କାମ ଯଥା ଶୀଘ୍ର ଶେଷକରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏଥି ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପ ଯଥା- ୮୯୩ କୋଟି ଟଙ୍କା ବ୍ୟୟରେ ଚାନ୍ଦବାଲି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ, ୧୦୦ କୋଟି ଟଙ୍କା ବ୍ୟୟରେ ଭଦ୍ରକ ରିଂ ରୋଡ ନିର୍ମାଣ ପ୍ରକଳ୍ପ, ୪୮୦ କୋଟି ଟଙ୍କା ବ୍ୟୟରେ ଆଖୁଆପଦାଠାରେ ସମନ୍ୱିତ ନଦୀଗର୍ଭ ଜଳାଶୟ ପ୍ରକଳ୍ପ, ୧୬୪ କୋଟି ଟଙ୍କା ବ୍ୟୟରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜ ର ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟ ହସପିଟାଲ ନିର୍ମାଣ ରହିଛି।

ସେହିପରି ୪୭ କୋଟି ଟଙ୍କା ବ୍ୟୟରେ ବାସୁଦେବପୁରର ଚୂଡାମଣୀଠାରେ ବନ୍ଦର ନିର୍ମାଣ, ୪୧ କୋଟି ଟଙ୍କା ବ୍ୟୟରେ ପୁରୁଣା ବଜାରଠାରୁ ଗୁଜିଦରତା ଭାୟା ମା’ଭଦ୍ରକାଳୀ ମନ୍ଦିର ରାସ୍ତା ନିର୍ମାଣ ଏବଂ ୨୭ କୋଟି ଟଙ୍କା ବ୍ୟୟରେ ଧାମରା ଜେଟି ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହିସବୁ ପ୍ରକଳ୍ପଗୁଡିକ ମଧ୍ୟ ଯଥା ଶୀଘ୍ର ଶେଷ କରିବା ପାଇଁ ସମ୍ପୃକ୍ତ ପଦାଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଶ୍ରୀ ପାଣ୍ଡିଆନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ୨ଟି ଗୁରୁତ୍ୱପୂର୍ଣ୍ଣ ସେତୁ ଓ ଗୋଟିଏ ରେଳ ଓଭରବ୍ରିଜ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଗୁଡିକ ହେଲା – ଚାନ୍ଦବାଲିର ଧାନକଣିଆଠାରେ ୮୦ କୋଟି ଟଙ୍କା ବ୍ୟୟରେ ସାଳନ୍ଦି ନଦୀ ସେତୁ, ଭଣ୍ଡାରିପୋଖରୀସ୍ଥିତ କେନ୍ଦୁଆପଦାଠାରେ ରେଳ ଓଭରବ୍ରିଜ ନିର୍ମାଣ ଏବଂ ଚାନ୍ଦବାଲି ପଞ୍ଚୁଟିକିରିଠାରେ ମନ୍ତେଇ ନଦୀ ଉପରେ ୫୨ କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ ସେତୁ।

ଏହିସବୁ ପ୍ରକଳ୍ପ କାର୍ଯ୍ୟ ଯଥା ଶୀଘ୍ର ଶେଷକରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ଗତ ଜୁନ୍‌ ୧୨ ତାରିଖରେ ଶ୍ରୀ ପାଣ୍ଡିଆନଙ୍କ ଭଦ୍ରକଗସ୍ତ ସମୟରେ ସ୍ଥାନୀୟ ବାସିନ୍ଦାମାନେ ଏହି ୩ଟି ପ୍ରକଳ୍ପପାଇଁ ଦାବୀ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପଗୁଡିକୁ ମଞ୍ଜୁର ଦେବା ପରେ ଜନଶୁଣାଣି ଭିତ୍ତିରେ ଏହି ୩ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି।

ଉପରୋକ୍ତ ପ୍ରକଳ୍ପଗୁଡିକ ମଧ୍ୟରୁ ଅନେକ ପ୍ରକଳ୍ପ 5T ଅଧ୍ୟକ୍ଷଙ୍କ ଭଦ୍ରକଗସ୍ତ ସମୟରେ ଜନଶୁଣାଣିରେ ମିଳିଥିବା ପ୍ରସ୍ତାବ ଓ ମତାମତ ଭିତ୍ତିରେ ଆସିଥିଲା ଏବଂ ଏସବୁ କାର୍ଯ୍ୟକାରୀ କରାଯାଉଛି। ଶ୍ରୀ ପାଣ୍ଡିଆନ ଆରଡି, ଅସୁରାଳି ଓ ଭଦ୍ରକ ମ୍ୟୁନିସିପାଲିଟି ଅଞ୍ଚଳରେ ସ୍ଥାନୀୟ ଜନସାଧାରଣଙ୍କ ସହ ମିଶି ଆଲୋଚନା କରିବା ସହିତ ସେମାନଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗ ପତ୍ର ଗ୍ରହଣ କରି ସେସବୁର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

5T ଅଧ୍ୟକ୍ଷଙ୍କ କଟକ ଗସ୍ତ: ଚଣ୍ଡୀ ମନ୍ଦିର, ମେଡିକାଲ କଲେଜ, ତାଳଦଣ୍ଡା କେନାଲ ଓ ବିଦ୍ୟାଳୟ ପରିଦର୍ଶନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ସଂଧ୍ୟାରେ କଟକ ଗସ୍ତରେ ଯାଇ ବିଭିନ୍ନ ରୂପାନ୍ତର କାମର ସମୀକ୍ଷା କରିଛନ୍ତି। ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ, ଚଣ୍ଡୀ ମନ୍ଦିର, ତାଳଦଣ୍ଡା କେନାଲ ଓ ରେଭେନ୍‌ସା ବାଳିକା ବିଦ୍ୟାଳୟ ଆଦି ପରିଦର୍ଶନ କରି ଥିଲେ।

କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରି ସେ ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ରୂପାନ୍ତର କାମ ସଂପର୍କରେ ପୂଜକ, ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ 5T ଉପକ୍ରମରେ ମା’ଙ୍କ ମନ୍ଦିରର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଜଳ ନିଷ୍କାସନ, ପାର୍କିଂ ଓ ଅନ୍ୟାନ୍ୟ କାର୍ଯ୍ୟକୁ ଅନୁଧ୍ୟାନ କରି ଶ୍ରୀ ପାଣ୍ଡିଆନ ଏହାକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରିପାରିବେ ଏବଂ ଏକ ଦିବ୍ୟ ଅନୁଭବ ଲାଭ କରିବେ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ।

5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିଦର୍ଶନ କରି ଏହାର ରୂପାନ୍ତର କାମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ୪ଟି କ୍ଲିନିକାଲ ବ୍ଲକ୍‌ ଓ ୧୩ଟି ଆବାସିକ ବ୍ଲକ୍‌ର ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର ସଂପୂର୍ଣ୍ଣ ଭାବେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ଶ୍ରୀ ପାଣ୍ଡିଆନ ଏହାପରେ ରେଭେନ୍‌ସା ବାଳିକା ବିଦ୍ୟାଳୟ ବୁଲି ଦେଖିଥିଲେ, ସେଠାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ଓ ଐତିହ୍ୟ କୋଠାକୁ ସଂରକ୍ଷିତ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ l 5T ଉପକ୍ରମ ରେ ସ୍କୁଲ ର ବିକାଶ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରି ଥିଲେ।

5T ଅଧ୍ୟକ୍ଷତଙ୍କ ଗସ୍ତ ସମୟରେ ପୂର୍ତ୍ତ ବିଭାଗ ପ୍ରମୂଖ ସଚିବ, ଜିଲ୍ଲାପାଳ, ସିଏମସି କମିଶନର, ଡିସିପି, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣିଥରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ, ହିଞ୍ଜିଳିର ସବୁସ୍ଥାନରେ ଦିଆଗଲା ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଆଜି ହିଞ୍ଜିଳି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି। ଏହି ଅବସରରେ ହିଞ୍ଜିଳିବାସୀ ତାଙ୍କୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି।

ଆଜି ଅପରାହ୍ନରେ ଶ୍ରୀ ପାଣ୍ଡିଆନ୍ ସର୍ବ ପ୍ରଥମେ ହିଞ୍ଜିଳିକାଟୁ ଗସ୍ତରେ ଯାଇ ପୋଚିଲିମା ଖମ୍ବେୟା ଦୋରା ଜୁନିୟର ବିଜ୍ଞାନ ମହାବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିପାଇଁ ୧୮୧.୨୩ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ଏହି ରୂପାନ୍ତର ଠିକ୍‌ ସମୟରେ ଶେଷ ହୋଇ ଥିବାରୁ ସେ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ।

ସେହିଠାରୁ ସାରୁ ଛକ ଏବଂ ମକରଝୋଳ ଛକ ଦେଇ ଗସ୍ତ କରିବା ବେଳେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉତ୍ସାହର ସହିତ ସ୍ବାଗତ ଜଣାଇଥିଲେ।

ଶ୍ରୀ ପାଣ୍ଡିଆନ୍ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ୍ ଠାରେ ହିଞ୍ଜିଳିକାଟୁ, ଶେରଗଡ ବ୍ଲକ୍ ଏବଂ ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ ସ୍ଥିତ ମହାବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସେହିଠାରୁ ବିଜୁ ପଟ୍ଟନାୟକ ଛକ ନିକଟରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଖଣ୍ଡରା ଛକ, ବୁରୁପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଛକ, ମାରୁଡି ଛକ, ଗୋବିନ୍ଦପୁର, ପଥରାଭାଜି ଛକ, ସୁନାଥର ଛକ, ଶୋଳଷଳା ଛକ, ତାକରଡା, ଶେରଗଡ ଚାରିଛକ ଠାରେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା, ଲୋକପ୍ରତିନିଧି ଓ ସମର୍ଥକଗଣ ତାଙ୍କର ଏହି ଗସ୍ତକୁ ସ୍ବାଗତ ଜଣାଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଶେରଗଡସ୍ଥିତ ଗ୍ରାମ୍ୟ ଶିଳ୍ପ ପାର୍କ ଠାରେ ମିଶନ୍ ଶକ୍ତି ମା ମାନଙ୍କ ସହିତ ସେମାନଙ୍କ ଜୀବନ ଜୀବିକା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଗ୍ରାମ୍ୟ ଶିଳ୍ପ ପାର୍କର ରଣନୀତି ଓ ବିଭିନ୍ନ ସମସ୍ୟାର ସମାଧାନ କରି ଗ୍ରାମାଞ୍ଚଳରେ ବଜାର ଦ୍ବାରା ପରିଚାଳିତ ଜୀବିକା ସୁଯୋଗ ସମ୍ପର୍କରେ ସେ ଆଲୋଚନା କରିଥିଲେ।

ଉଦ୍ୟୋଗୀ ମାନଙ୍କୁ ଶିଳ୍ପ କ୍ଷେତ୍ରରେ ପ୍ରେରଣା, ଚାକିରୀ ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ଅର୍ଥ ନୈତିକ ଉନ୍ନତିର ବିକାଶ ଧାରା କିଭଳି ବୃଦ୍ଧି ହେବ ସେଥି ନିମନ୍ତେ ଉଦ୍ଦିଷ୍ଟ ଗ୍ରାମ୍ୟ ଶିଳ୍ପ ନିମନ୍ତେ ପ୍ରୋତ୍ସାହିତ କରିଥିଲେ। ପୋଷାକ ତିଆରି କରିବା ୟୁନିଟ୍, ବଫେ କପ୍ ପ୍ଲେଟ୍ ପ୍ରସ୍ତୁତ ୟୁନିଟ୍, ଫୁଲଚାଷ, ବିୟୁଟି ପାର୍ଲର, ମକା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ତୈଳ ଉତ୍ପାଦନ ୟୁନିଟ୍, ବେକରି ୟୁନିଟ୍, ଜୋତା ପ୍ରସ୍ତୁତ ୟୁନିଟ୍ ର କାର୍ଯ୍ୟରତ ସଭ୍ୟା ଏବଂ ଏହି କାର୍ଯ୍ୟରେ ଯୋଡି ହେବାକୁ ଯାଉଥିବା ସଭ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ।

ଶେରଗଡ ବ୍ଲକ୍ କାର୍ଯ୍ୟାଳୟ ଠାରେ ଶେରଗଡ ଓ ହିଞ୍ଜିଳିକାଟୁ ବ୍ଲକ୍ ଅଞ୍ଚଳର ହିତାଧିକାରୀ କୃଷକ ମାନଙ୍କ ସହିତ ସେମାନଙ୍କ ଚାଷ ଜମିରେ ଜଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ। ଚାଷୀ ମାନଙ୍କର ବୃହତ୍ତର ସ୍ୱାର୍ଥ ସାଧନ ତଥା ରୋଜଗାର ବୃଦ୍ଧି ଓ କର୍ମ ସଂସ୍ଥାନ ନିମନ୍ତେ ଅନ୍ୟ ରାଜ୍ୟକୁ ପଳାୟନ ରୋକିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତି ଏକର ଜଳସେଚନ ସୁନିଶ୍ଚିତ କରାଇବା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ।

ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧ ବର୍ଷ ମଧ୍ୟରେ ୧୮୬.୪୭ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ଜରିଆରେ ଜଳସେଚିତ ଜମିର ପରିମାଣ ୯୩୧୪ ହେକ୍ଟରରୁ ୧୪୧୭୩ ହେକ୍ଟର ଅର୍ଥାତ୍ ଶତକଡା ୫୯.୫୧ରୁ ୯୦.୫୬ ହେକ୍ଟର କୁ ବୃଦ୍ଧି ନିମନ୍ତେ ୬୬ଟି ପ୍ରକଳ୍ପ ମାଧ୍ୟମରେ ୨୧ଟି ଗ୍ରାମପଞ୍ଚାୟତ ଅଞ୍ଚଳରେ କାର୍ଯ୍ୟକାରୀ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସେଥିମଧ୍ୟରୁ ବୃହତ୍ ଓ ମଧ୍ୟମ ଜଳସେଚନ ମାଧ୍ୟମରେ ୨୬୫୨ ହେକ୍ଟର, ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ଦ୍ବାରା ଭୂତଳ ପାଇପ୍ ଲାଇନ୍ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୩୩ଟି ପ୍ରକଳ୍ପ, ବୃହତ୍ ଉଠା ଜଳସେଚନ ମାଧ୍ୟମରେ ୧୦୦୦ ହେକ୍ଟର ଓ ଉଠା ଜଳସେଚନ ୩୧ଟି ପ୍ରକଳ୍ପ ମାଧ୍ୟମରେ ୬୫୨ ହେକ୍ଟର ଜମିକୁ ଜଳସେଚନର ସୁବିଧା ଦିଆଯିବ। ସମୁଦାୟ ୨୧ଟି ଗ୍ରାମପଞ୍ଚାୟତ ଅଞ୍ଚଳରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାଦ୍ଵାରା ଶେରଗଡ ବ୍ଲକର ପ୍ରାୟ ୧୦ ହଜାର ଚାଷୀ ଉପକୃତ ହୋଇପାରିବେ।

୨ୟ ପର୍ଯ୍ୟାୟରେ ଅବଶିଷ୍ଟ ଜମିକୁ ବିଭିନ୍ନ ଉଠା ଜଳସେଚନ ଯୋଜନା ଦ୍ୱାରା ଜଳସେଚନ କରାଯାଇ ଶତ ପ୍ରତିଶତ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ କରାଯିବ।

ସେହିପରି ହିଞ୍ଜିଳି ପଞ୍ଚାୟତ ସମିତି ଅନ୍ତର୍ଗତ ୧୪୪୭୦ ହେକ୍ଟର ଚାଷୋପଯୋଗୀ ଜମି ମଧ୍ୟରୁ ୧୩,୭୭୯ ହେକ୍ଟର ତଥା ୯୫.୨୨ ଶତକଡା ଅଂଶ ଜମି ବିଭିନ୍ନ ଉତ୍ସ ମାଧ୍ୟମରେ ଜଳ ସେଚିତ ହେଉଅଛି । ଅବଶିଷ୍ଟ ୬୯୧ ହେକ୍ଟର ଚାଷ ଜମି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୬୨୧ ହେକ୍ଟର ଜମିକୁ ବିଭିନ୍ନ ବିଭାଗ ଜରିଆରେ ତଥା ବୃହତ୍ ଓ ମଧ୍ୟମ ଜଳସେଚନ ଯୋଜନା ମାଧ୍ୟମରେ ୨୧୯ ହେକ୍ଟର, କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୧୧୦ ହେକ୍ଟର ଓ ଉଠା ଜଳସେଚନ ମାଧ୍ୟମରେ ୨୯୨ ହେକ୍ଟର ଏହିପରି ମୋଟ ଶତକଡା ୯୯.୫୦ ଭାଗ ଅଂଶରେ ଜଳସେଚନ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଏଥି ନିମନ୍ତେ ୨୦.୪୫ କୋଟି ବ୍ୟୟ କରାଯାଇ ମୋଟ ୧୩ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରେ ୩୭ଟି ପ୍ରକଳ୍ପ ଜରିଆରେ ଲକ୍ଷ୍ୟ ହାସଲ କରାଯିବ। ଏହା ଦ୍ଵାରା ହିଞ୍ଜିଳି ବ୍ଲକର ପ୍ରାୟ ୨୦୦୦ ଚାଷୀ ଉପକୃତ ହେବେ। ଏହି କାର୍ଯ୍ୟ ଯେଭଳି ଉନ୍ନତ ମାନର ହେବ ଏବଂ ନିର୍ଦ୍ଧାରିତ ସମୟରେ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ଉଭୟ ବ୍ଲକ୍‌ରେ ୨୦୭ କୋଟି ଟଙ୍କା ବ୍ୟୟରେ ୧୦୨ଟି ଜଳସେଚନା ପ୍ରକଳ୍ପ କରାଯିବ ବୋଲି ଶ୍ରୀ ପାଣ୍ଡିଆନଙ୍କ ସମୀକ୍ଷାରୁ ଜଣାଯାଇଛି।

ଶେରଗଡ ଠାରୁ ବ୍ରହ୍ମପୁର ଗସ୍ତ ମଧ୍ୟରେ ଅଲାରଗଡ ଛକ, ପିପିଏମ୍ ପୁର ଗ୍ରାମ୍ୟ ଛକ, ରଙ୍ଗୁଣୀ ପାଲି ଗ୍ରାମ୍ୟ ଛକ, ବଡଖଣ୍ଡି ଆବାସ କଲୋନୀ ଛକ, ସମରଝୋଳ କାଳୀ ମନ୍ଦିର ଛକ, କୁକୁଡାଖଣ୍ଡି ଛକ, ଫାଷ୍ଟ ଗେଟ୍ ଛକ, ବିଜୁ ପଟ୍ଟନାୟକ ପାର୍କ ଠାରେ ବିପୁଳ ସ୍ଥାନୀୟ ଜନ ସାଧାରଣ ଓ ଲୋକ ପ୍ରତିନିଧି ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତକୁ ସ୍ବାଗତ ଜଣାଇବା ସହିତ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଶ୍ରୀ ପାଣ୍ଡିଆନ୍ ବ୍ରହ୍ମପୁର ଠାରେ ଅବସ୍ଥିତ ମା’ ବୁଢୀ ଠାକୁରାଣୀ ମନ୍ଦିର ଗସ୍ତ କରିଥିଲେ। ଓଡିଶା ସରକାରଙ୍କ ସ୍ଥାପତ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ମା’ ବୁଢୀ ଠାକୁରାଣୀ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ସକାଶେ ୧୮.୯୧ କୋଟି ବ୍ୟୟରେ ମନ୍ଦିର ରେଖା ଦେଉଳ ଶୈଳୀରେ, ତିନିପାର୍ଶ୍ବ ମନ୍ଦିର ପିଢା ଦେଉଳ ଶୈଳୀରେ ନିର୍ମାଣ ହେବାକୁ ଥିବା କାର୍ଯ୍ୟ ଏବଂ ମୁଖ୍ୟ ଫାଟକର ନିର୍ମାଣ, ପୂଜାରୀ କକ୍ଷ, ଦୋକାନ ଗୃହ, ବହୁବିଧ ଗୃହର ନିର୍ମାଣ ସହିତ ପାରିପାର୍ଶ୍ବିକ ଉନ୍ନତି କିଭଳି କରାଯିବ ତାହା ସମୀକ୍ଷା କରି ଏହି କାର୍ଯ୍ୟ ଯଥାଶୀଘ୍ର ତ୍ବରାନ୍ବୀତ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଏହି ଗସ୍ତ ସମୟରେ ଜିଲ୍ଲାର ବହୁ ଲୋକ ପ୍ରତିନିଧି, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଓ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କ୍ଷମତା ଲୋଭ ନାହିଁ କି ନିର୍ବାଚନରେ ଲଢେଇ କରିବି ନାହିଁ କହି ବିରୋଧୀଙ୍କ ମୁହଁ ବନ୍ଦ କଲେ ପାଣ୍ଡିଆନ

ଭୁବନେଶ୍ୱର: ମୋର କୌଣସି ପଦପଦବୀ ଆଶା ନାହିଁ, ଆଗାମୀ ନିର୍ବାଚନରେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟର ୧୪୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ଅର୍ଥାତ୍‌‌ ମୁଖ୍ୟମନ୍ତ୍ରୀ ସମସ୍ତ ୧୪୭ ଆସନରେ ଠିଆ ହେବେ। ଆଉ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଛରେ ୧୪୭ ନିର୍ବାଚନମଣ୍ଡଳୀରେ ଠିଆ ହେବି ବୋଲି କହିଛନ୍ତି ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସର୍ବଭାରତୀୟ ପ୍ରଶାସନିକ ସେବା ପଦରୁ ସ୍ୱେଚ୍ଛାକୃତ ଅବସର ଓ ବିଜୁ ଜନତା ଦଳରେ ଯୋଗଦାନ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅବସରରେ ଦଳର କର୍ମୀ ଓ କର୍ମକର୍ତ୍ତାଙ୍କ ସମ୍ମୁଖରେ ରଖିଛନ୍ତି ‘୫-ଟି’ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ।

ସେ କହିଛନ୍ତି ଯେ ମୁଁ ଦୁଇଟି ଆଶୀର୍ବାଦ ପାଇଛି। ଗୋଟିଏ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ସେବା ଓ ଅନ୍ୟଟି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି ଓ ତାଙ୍କ ପ୍ରତି ମୁଁ ସମ୍ପୂର୍ଣ୍ଣ ସମର୍ପିତ। ମୁଁ ମୋର ଭବିଷ୍ୟତ ମହାପ୍ରଭୁ ଜଗନ୍ନାଥ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସମର୍ପଣ କରି ଦେଇଛି।

ସର୍ବଭାରତୀୟ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ଅନେକ ମୋ ସମ୍ପର୍କରେ ଅନେକ ଅତ୍ୟଧିକ ଉତ୍ସୁକତା ପ୍ରକାଶ କରିଛନ୍ତି। ମୁଁ ନିର୍ବାଚନ ଲଢ଼ିବି କି ନାହିଁ; ଯଦି ଲଢ଼ିବି କେଉଁଠୁ ଲଢ଼ିବି ତାକୁ ନେଇ ଚର୍ଚ୍ଚା ହେଉଛି। ମୋତେ ମଧ୍ୟ ଅନେକ ଏ ସମ୍ପର୍କରେ ପଚାରିଛନ୍ତି। ଦଳରେ ମୋତେ କି ପଦ ମିଳିବ ତାକୁ ନେଇ ଅନେକ ଆଲୋଚନା ଚାଲିଛି।

କେହିକେହି ମୋତେ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ନିମନ୍ତେ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ମାତ୍ର ଏ ସମ୍ପର୍କରେ ଆପଣ ସମସ୍ତଙ୍କୁ ମୁଁ ଅତ୍ୟନ୍ତ ବିନମ୍ର ଭାବରେ ଗୋଟିଏ ଉତ୍ତର ଦେବି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ କାମ କରିବାକୁ ମୋର ସୌଭାଗ୍ୟ ମନେ କରୁଛି। ଆଗାମୀ ନିର୍ବାଚନରେ ରାଜ୍ୟର ସବୁ ୧୪୭ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ତାଙ୍କ ସହ ଠିଆ ହେବି।

ବିଜୁ ଜନତା ଦଳକୁ ଅଧିକ ସୁଦୃଢ଼ କରି ରାଜ୍ୟର ବିକାଶକୁ ଶୀର୍ଷରେ ପହଞ୍ଚାଇବାକୁ କାର୍ଯ୍ୟ କରିବି। ଏହି ପରିବାରରେ ମୁଁ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କାର୍ଯ୍ୟ କରିବାର ପ୍ରତ୍ୟକ୍ଷ ସୁଯୋଗ ପାଇଛି। ଦଳର ଲକ୍ଷଲକ୍ଷ କର୍ମୀଙ୍କ ପାଇଁ କାମ କରିବାକୁ କେବେ ସୁଯୋଗ ମିଳି ନ ଥିଲା, ଏବେ ତାହା ମୋତେ ମିଳିଛି।

ଏବେ ସରକାର ଓ ଲୋକଙ୍କ ସେବାରେ ଯେଉଁ ରୂପାନ୍ତରୀକରଣ ଆସିଛି ତାହା ସୁଉଚ୍ଚ ହେବାର ପ୍ରତିଶ୍ରୁତି ଦେଉଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ବଦଳିବ କି ଭୋଗରାଇ ନିର୍ବାଚନ ମଣ୍ଡଳୀର ଚିତ୍ର ? ପୁଅଙ୍କ ସହିତ ପାଣ୍ଡିଆନଙ୍କୁ ଭେଟିଲେ ଅନନ୍ତ ଦାସ

ଭୁବନେଶ୍ବର: ବର୍ତ୍ତମାନ ଯେଉଁ ବିଧାୟକମାନେ ଆଉ ନିର୍ବାଚନ ଲଢିବେ ନାହିଁ ସେମାନେ ବର୍ତ୍ତମାନ ତାଙ୍କ ପୁଅଙ୍କୁ ଆଗକୁ ଆଣିବାରେ ଲାଗିଛନ୍ତି। ନିକଟରେ ଭୋଗରାଇ ବିଧାୟକ ଅନନ୍ତ ଦାସ ତାଙ୍କ ପୁଅଙ୍କୁ ଧରି କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ଭୋଗରାଇରେ ବେଶ ଚର୍ଚ୍ଚା ଚାଲିଛି।

ଗତ କିଛି ଦିନ ତଳେ ନବୀନ ନିବାସରେ ବିଧାୟକ ଅନନ୍ତ ଦାସ ତାଙ୍କ ଉଚ୍ଚଶିକ୍ଷତ ପୁଅ ଇଂଜିନିୟର ଅଭିଜିତ ଦାସଙ୍କୁ ସାଥୀରେ ନେଇ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଏକ ଫଟୋ ମଧ୍ୟ ପ୍ରକାଶ ପାଇଛି। ସେହି ଫଟୋକୁ ନେଇ ଭୋଗରାଇରେ ବର୍ତ୍ତମାନ ଚର୍ଚ୍ଚା। ଏଥର ଅନନ୍ତ ଦାସଙ୍କ ପୁଅ ଟିକେଟ ପାଇବେ ବୋଲି ଆଲୋଚନା ଚାଲିଛି।

ତେବେ ଏହାକୁ ନେଇ ଅନ୍ୟ ଅଶାୟୀ ହତାସ ହୋଇଥିବାର ପରିଲକ୍ଷିତ ହୋଇଛି। ଅନନ୍ତ ଦାସଙ୍କର ବୟସ ହୋଇଯାଇଥିବାରୁ ସେ ଆଉ ଛିଡା ହେବା ପରିସ୍ଥିତିରେ ନାହାଁନ୍ତି। ଫଳରେ ସେହି ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଏହି ଆଶାୟୀଙ୍କ ମଧ୍ୟରେ ରହିଛନ୍ତି ଗୌତମ ବୁଦ୍ଧ ଦାସ। ଗୌତମ ବର୍ତ୍ତମାନ ବିଜେଡିର ମିଡିଆ ସେଲରେ ସେ ଅଛନ୍ତି। ସେ ସାମ୍ବାଦିକତା ଛାଡି ବିଜେଡିରେ ଯୋଗ ଦେଇ ଦଳିୟ କାର୍ଯ୍ୟ ବୁଝାବୁଝି କରୁଛନ୍ତି। ତେଣୁ ସେ କୁଆଡେ ଭୋଗରାଇର ବିଧାୟକ ପ୍ରାର୍ଥୀ ହେବା ପାଇଁ ବଡ ଦାବୀଦାର ବୋଲି କୁହାଯାଉଛି।

ସେହିପରି ସମାଜସେବି ବିଭୂତେନ୍ଦୁ ପାତ୍ର, ଏମସରେ ଡାକ୍ତର ଥିବା ସରୋଜ କୁମରା ଦାସମଜୁମଦାର, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ନିବେଦିତା ମହାନ୍ତି ପ୍ରମୁଖ ବହୁ ବ୍ୟକ୍ତି ବିଜେଡି ଟିକେଟ ଆଶାୟୀ ରହିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଦଳ ତରଫରୁ ସେପରି କିଛି ସବୁଜ ସଙ୍କେତ କାହାକୁ ହେଲେ ପ୍ରଦାନ କରାଯାଇ ନାହିଁ।

ତେବେ ଏସବୁ ତାଲିକା ଭିତରେ ବିଧାୟକ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସଙ୍କ ନାମ ଅଧିକ ଚର୍ଚ୍ଚା ଚାଲିଛି। କାରଣ ସେ ହେଉଛନ୍ତି ବିଦେଶରୁ ପାଠପଢି ଆସିଥିବା ଉଚ୍ଚଶିକ୍ଷିତ ବ୍ୟକ୍ତି। ଏଥିସହିତ ସେ ଗତ କିଛି ମାସ ଧରି ସେ ବାପାଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ନିଜକୁ ପରିଚିତ କରାଇଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ବିଭିନ୍ନ ପ୍ରାର୍ଥୀଙ୍କୁ ନେଇ ଭୋଗରାଇ ଚଳଚଞ୍ଚଳ ହୋଇ ଉଠିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସରିଲା ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ, ରୋକି ପାରିଲା ନାହିଁ ବିରୋଧୀ ଦଳର ମିଳିତ ତାକତ୍

ଭୁବନେଶ୍ବର: ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5T ସଚିବ ଭି କେ ପାଣ୍ଡିଆନ ତାଙ୍କର ଜିଲ୍ଲା ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତକାଳରେ ସେ ଓଡିଶାର 147 ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିସାରିଛନ୍ତି। ଏହି ଗସ୍ତରେ ସାରା ଓଡିଶାବାସୀଙ୍କୁ ସେ ନବୀନ ସରକାରଙ୍କର ସଫଳତାର ସ୍ବାଦ ବାଣ୍ଟି ଦେଇଛନ୍ତି। ଯାହା ନିର୍ବାଚନ ପୂର୍ବରୁ ବିଜେଡି ସରକାର ପାଇଁ ଏକ ବଡ ବରଦାନ ସଦୃଶ୍ୟ ହୋଇପାରିଛି। ନବୀନ ସରକାର ଲୋକଙ୍କ ସହିତ ଅଛନ୍ତି ବୋଲି ତାହାର ପ୍ରମାଣ କରି ଦେଖାଇ ଦେଲେ ଭିକେ ପାଣ୍ଡିଆନ।

ପାଣ୍ଡିଆନ ଯେପରି ମାରଥନ ଜିଲ୍ଲା ଗସ୍ତ କଲେ ସେପରି ନବୀନ ପଟ୍ଟନାୟକ କରିଥାଆନ୍ତେ କି ନାହିଁ ତାହା ଭିନ୍ନ କଥା। ହେଲେ ତାଙ୍କର ପ୍ରତିନିଧି ଭାବେ ସେ ସବୁକୁ କରି ଦେଖାଇ ଦେଲେ ଭି କେ ପାଣ୍ଡିଆନ। ତାଙ୍କ ଗସ୍ତ ବେଳେ ସବୁଠାରୁ ବଡ କଥା ହେଲା ସେ କେବେ କେଉଁଠି ମୁଖ୍ୟମନ୍ତ୍ରୀଙ୍କ ନାମ ନେବାକୁ ଭୁଲି ନାହାଁନ୍ତି। ସବୁ ସ୍ଥାନରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପଠାଇଛନ୍ତି ବୋଲି କହି ଆସିଛନ୍ତି। ଆପଣଙ୍କ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ବୋଲି ବାରମ୍ବାର ଉଚ୍ଚାରଣ କରିଛନ୍ତି।

ଶେଷରେ ପରିସ୍ଥିତି ଏପରି ହୋଇଥିଲା ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ସଭାରେ ନିଜକୁ ପ୍ରମାଣିତ କରିବାକୁ ପଡିଥିଲା। କାରଣ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଥିବା ନେଇ ବିରୋଧୀଙ୍କ ସନ୍ଦେହ ସୃଷ୍ଟି ହେଲା। ଶେଷରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ଲୋକଙ୍କ ଆଗରେ ଅଡିଓ ଭିଡିଓ ପ୍ରମାଣ ଦେବାକୁ ପଡିଥିଲା। ଏପରିକି ସେ ସିଧା ଲୋକଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଲାଇଭ ଭିଡିଓ ମାଧ୍ୟମରେ ମଧ୍ୟ କଥା କରାଇବାକୁ ପଡିଥିଲା। ଏପରି କରିବା ପରେ ବିରୋଧୀଙ୍କ ମୁହଁ ଆପେ ବନ୍ଦ ହୋଇଯାଇଥିଲା।

ଅନ୍ୟପଟେ ତାଙ୍କୁ କାହିଁକି ଲୋକମାନେ ଫୁଲ ବୃଷ୍ଟି କରୁଛନ୍ତ ଏବଂ ସ୍ବାଗତ କରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ତାହାକୁ ମଧ୍ୟ ପାଣ୍ଡିଆନଙ୍କୁ ସାମନା କରିବାକୁ ପଡିଥିଲା। ଏହାକୁ ବିରୋଧ କରି ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ। କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୋଟିସ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଆସିଲା। କାର୍ଯ୍ୟାନୁଷ୍ଠାନ ହେଉ କି ନାହିଁ , ହେଲେ ଏହି ଚିଠି ପରେ ପାଣ୍ଡିଆନଙ୍କ ଗସ୍ତ ଏଥର ବନ୍ଦ ହୋଇଯିବ ବୋଲି ବିରୋଧୀ ଭାବି ନେଲେ।

ହେଲେ ଆଶ୍ଚର୍ଯ୍ୟର କଥା ଏହି ଚିଠି ପରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ଆହୁରି ବଢିଯାଇଥିଲା। ପୂର୍ବରୁ ସେ ଦୁଇ ତିନୋଟି ସ୍ଥାନ ଗସ୍ତ କରୁଥିଲେ, ହେଲେ ଏହି ଚିଠି ପରେ ସେ ଗୋଟିଏ ଗୋଟିଏ ଜିଲ୍ଲାର ଚାରି ପାଞ୍ଚୋଟି ସ୍ଥାନରେ ସଭା କଲେ। ଏହାପରେ ବିରୋଧୀଙ୍କ ରାଗ ଆହୁରି ପଞ୍ଚମକୁ ଉଠି ଯାଇଥିଲା। ସେମାନେ ତାଙ୍କ ଗସ୍ତ ସମୟରେ କଳାପତାକା ଦେଖାଇ ବିରୋଧ କଲେ, ସଭା ଭଣ୍ଡୁର କରିବାକୁ ପ୍ରଚେଷ୍ଠା ମଧ୍ୟ କରିଥିଲେ। ହେଲେ ସେଥିରେ ମଧ୍ୟ ପାଣ୍ଡିଆନଙ୍କ ଗସ୍ତରେ ରୋକ ଲାଗି ପାରି ନ ଥିଲା।

ସବୁ କ୍ଷେତ୍ରରେ ବିରୋଧୀ ବିଫଳ ହେବା ପରେ ତାଙ୍କ ମୁହଁକୁ କାଳି ଫୋପାଡିବା ପରି ଅବସ୍ଥା ମଧ୍ୟ କଲେ। ଏପରି କରି ବିରୋଧୀ ଭାବି ନେଲେ ଯେ, ଏବେ ପାଣ୍ଡିଆନ ଗସ୍ତ କାର୍ଯ୍ୟକ୍ରମ ବନ୍ଦ ହୋଇଯିବ। କିନ୍ତୁ ଫଳ ହେଲା ଓଲଟା,ସେହି କାଳି ବୋଳା ଦେହରେ ସେ ଲୋକଙ୍କୁ ଭେଟିଲେ। ମହିଳାମାନେ କାନ୍ଦିକାନ୍ଦି ତାଙ୍କ ପଣତ କାନିରେ ପାଣ୍ଡିଆନଙ୍କ ମୁହଁରୁ କଳା ପୋଛି ଦେଲେ। ସାଧାରଣ ଜନତା ପାଣ୍ଡିଆନଙ୍କୁ ନେଇ ଏପରି ଭାବ ବିହ୍ବୋଳ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଫଳରେ ପାଣ୍ଡିଆନଙ୍କ ଉପରକୁ ଢଳା ଯାଇଥିବା କାଳିରେ ବିରୋଧୀଙ୍କ ମୁହଁ କଳା ପଡି ଯାଇଥିଲା।

କହିବାକୁ ଗଲେ ପାଣ୍ଡିଆନ ରାଜନୀତି କରି ନ ଥିଲେ ମଧ୍ୟ ରାଜନୈତିକ ଦଳକୁ କିପରି ସାବାଡ କରାଯାଇପାରିବ ତାହାର ତରିକା ବେଶ ଭଲଭାବେ ଜାଣିଛନ୍ତି। ନଚେତ ଏତେ ଶକ୍ତିଶାଳୀ ବିରୋଧୀଙ୍କୁ ଚକମା ଦେଇ ସେ ସଫଳତାର ସହ ଏହି ଗସ୍ତ ଶେଷ କରିପାରି ନ ଥାଆନ୍ତେ। ପାଣ୍ଡିଆନ ଯେତେବେଳେ ପ୍ରଥମେ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସେତେବେଳୁ ସେ ଜାଣି ସାରିଥିଲେ ଯେ, ବିରୋଧୀ ଦଳ କଣ କରିବେ, ଆଉ ତାହାକୁ କିପରି ମୁକାବିଲା କରାଯାଇପାରିବ।

ବିରୋଧୀ ଏହିପରି ବାରମ୍ବାର ବିରୋଧ କରିବା ସତ୍ବେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମରେ କେହି ବିରାମ ଲଗାଇପାରିଲେ ନାହିଁ। ଲୋକଙ୍କୁ ଭେଟିବାରେ ପାଣ୍ଡିଆନଙ୍କୁ କୌଣସି ତାକତ ଦୂରେଇ ପାରିଲା ନାହିଁ। ଫଳରେ ବିରୋଧୀ ଦଳରେ ପୁରା ହତାସ ଭାବ ପରିଲକ୍ଷିତ ହେବାରେ ଲାଗିଛି। ଏବେ ସେମାନେ ସବୁ କିଛି ଛାଡିଦେଇ ପାଣ୍ଡିଆନ ଗସ୍ତ ବେଳେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ହେଲିକାପ୍ଟର ଭଡା କେତେ ତାହାର ହିସାବ କରିବାରେ ଲାଗିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଞ୍ଚଲିଙ୍ଗେଶ୍ବର ମନ୍ଦିରର ହେବ ରୂପାନ୍ତର, ପାଣ୍ଡିୟାନଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି

ଭୁବନେଶ୍ବର: ବାଲେଶ୍ବରର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ଉନ୍ନତିକରଣ, ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯିବ। ୫-ଟି ଉପକ୍ରମରେ ସମଗ୍ର ପୀଠର ହେବ ରୂପାନ୍ତର। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଜୁନ୍ ମାସ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବାଲେଶ୍ବର ଗସ୍ତ କରି ପଞ୍ଚଲିଙ୍ଗେଶ୍ବର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ସେବାୟତ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ପରେ ଏହାର ରୂପାନ୍ତର ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମନ୍ଦିରର ରୂପାନ୍ତର ପାଇଁ ହୋଇଥିବା ମାଷ୍ଟରପ୍ଲାନ ଅନୁଯାୟୀ ସଂପୂର୍ଣ୍ଣ ପ୍ରକଳ୍ପକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇ ବିକଶିତ କରାଯିବ। ଏହି ୪ଟି ଜୋନ୍‌ ହେଲା – ବଡମ୍ବା ମନ୍ଦିର, ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳ, ସପିଂ କମ୍ପ୍ଲେକ୍‌ସ ଓ ପାର୍କ ଏବଂ ପାନ୍ଥଶାଳା ଅଞ୍ଚଳ।

ଜୋନ୍‌-୧ ବଡମ୍ବା ମନ୍ଦିରରେ ଭକ୍ତ ମାନଙ୍କ ପାଇଁ ଅଧିକ ସୁବିଧା କରାଯାଇ ପଥର ପାହାଚ, ବେଞ୍ଚ, ୱାଚ ଟାୱାର, ବସିବା ସ୍ଥାନ, ଗ୍ରନାଇଟର ଚଲାପଥ ଆଦି ବିକଶିତ କରାଯିବ।

ଜୋନ୍‌-୨ରେ ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳର ବିକାଶ ହେବ। ପୁରା ମନ୍ଦିରର ବେସ ଏରିଆର ପୁନର୍ବିକାଶ ସହିତ ଗୁମ୍ଫା ଓ ଯଜ୍ଞ ମଣ୍ଡପକୁ ପ୍ରବେଶ ପଥ ନିର୍ମାଣ କରାଯିବ। ପୂଜାର୍ଚ୍ଚନା ସ୍ଥାନର ପରିବର୍ଦ୍ଧନ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ। ଏହାଛଡା ଅତିରିକ୍ତ ଶୌଚାଳୟ ଓ ଚେଞ୍ଜିଂ ରୁମ ମଧ୍ୟ ନିର୍ମାଣ କରାଯିବ।

ଜୋନ୍‌-୩ ରେ ସପିଂ କମ୍ପ୍ଲେକ୍‌ସ ନିର୍ମାଣ କରାଯିବ ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ପାର୍କ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ।

ଜୋନ୍‌-୪ ପାନ୍ଥଶାଳା ଅଞ୍ଚଳରେ ଗାଡିମଟର ପାର୍କିଂ ତଥା ପିକ୍‌ନିକ୍‌ ପାଇଁ ପିଣ୍ଡିର ବ୍ୟବସ୍ଥା ମଧ୍ୟ କରାଯିବ। ଏଠାରେ ଫୁଡକୋର୍ଟ, ଜଳକ୍ରୀଡା ଓ ପିଲାମାନଙ୍କ ଖେଳ ପାଇଁ ସୁବିଧା କରାଯିବ।

ପଞ୍ଚଲିଙ୍ଗେଶ୍ବର ମନ୍ଦିର ରାଜ୍ୟର ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ। ଜଙ୍ଗଲ, ପାହାଡ, ଜଳପ୍ରପାତ ଆଦିର ମନୋରମ ପରିବେଶ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରି ଗଢିତୋଳିଛି। ପ୍ରତିଦିନ ବିଭିନ୍ନ ସ୍ଥାନରୁ ଶହ ଶହ ପର୍ଯ୍ୟଟକ ଏ ପୀଠକୁ ଆସି ଆଧ୍ୟାତ୍ମିକ ତଥା ମାନସିକ ଶାନ୍ତି ଲାଭ କରିଥାନ୍ତି। ଏ ପୀଠର ବିକାଶ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ଭଦ୍ରକ ଗସ୍ତର ୨ ଦିନ, ୬ ମାସରେ ଜିଲ୍ଲାର ସବୁ କଲେଜ ହେବ ରୂପାନ୍ତର

ଭଦ୍ରକ: ମୁଖ୍ୟମନ୍ତ୍ରୀ ଶ୍ରୀୟୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭଦ୍ରକ ଗସ୍ତରେ ଥିବା ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର‌୍ୟ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପର ସମୀକ୍ଷା କରିଛନ୍ତି।

ଆଜି ପ୍ରଥମେ ଚାନ୍ଦବାଲି ବ୍ଲକ କୁ ଗସ୍ତକରି ବାଁଶଡାଠାରେ ମନ୍ତେଇ ନଦୀ ଉପରେ ନବ ନିର୍ମିତ ମନ୍ତେଇ ପୋଲ ପରିଦର୍ଶନ କରିବା ସହିତ ନିର୍ମାଣାଧିନ ସଂଯୋଗୀକରଣ ରାସ୍ତା କାମ ଶୀଘ୍ର ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଚାନ୍ଦବାଲିରେ ନୂତନଭାବେ ଉଦ୍ଘାଟିତ ହୋଇଥିବା ମିଶନ କାଫେ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ଏହା ରାଜ୍ୟର ସର୍ବଶ୍ରେଷ୍ଠ ମିଶନ ଶକ୍ତି କାଫେ ବୋଲି ପ୍ରକାଶ କରିଥିଲେ।

ଜନସାଧାରଣ ଓ ବିଭିନ୍ନ ସଂଗଠନ ର ଦାବି, ଅଭିଯୋଗ, ସମସ୍ୟା ଶୁଣିବା ଓ ଆଲୋଚନାପାଇଁ କାଳୀ ପଡିଆରେ ପହଞ୍ଚି ଶ୍ରୀ ପାଣ୍ଡିଆନ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ନୂଆ ବର୍ଷ ପୂର୍ବରୁ ଶେଷ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। କୌଣସି ପ୍ରକଳ୍ପପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ। ଅନୁମୋଦନ ଅପେକ୍ଷାରେ ଥିବା ପ୍ରଦତ୍ତ ସମସ୍ତ ପ୍ରକଳ୍ପକୁ ମଞ୍ଜୁର କରାଯିବବୋଲି କହିଥିଲେ।

ତିନିତର ଘାଟ ବ୍ରିଜର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଚାନ୍ଦବାଲିବାସୀଙ୍କ ବହୁଦିନର ଆଶା ମନ୍ତେଇ ବ୍ରିଜ ନିର୍ମାଣ ଯୋଗୁଁ ଚାନ୍ଦବାଲିରୁ ଧାମରା ଗମନାଗମନରେ ୪ ଘଣ୍ଟା ସମୟ ବଦଳରେ ମାତ୍ର ୪୫ ମିନିଟ୍ ସମୟ ଲାଗିବା କଥା ପ୍ରକାଶ କରିଥିଲେ।

ଚାନ୍ଦବାଲି, ଧାମନଗର, ତିହିଡି ଓ ବାସୁଦେବପୁର ଚାରିଟି ବ୍ଲକର ୯୨ ଗ୍ରାମ ପଞ୍ଚାୟତର ଲବଣାକ୍ତ ଅଞ୍ଚଳରେ ଥିବା ୫୨୬ ଗ୍ରାମର ଘରକୁ ଘର ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣ ପାଇଁ ନିର୍ମିତ ମେଗା ପାଇପ ୱାଟର ସପ୍ଲାଇ ପ୍ରକଳ୍ପ ପରିଦର୍ଶନ କରି ସହରାଞ୍ଚଳପାଇଁ ମଧ୍ୟ ଏହିଭଳି ପ୍ରକଳ୍ପ ନିର୍ମାଣ କରାଯାଇ ଘରକୁ ଘର ଜଳ ଯୋଗାଇ ଦିଆଯିବାପାଇଁ ପଦକ୍ଷେପ ନିଆଯିବବୋଲି ପ୍ରକାଶ କରିଥିଲେ।

ଚାନ୍ଦବାଲିରୁ ଯାଇ ବାସୁଦେବପୁର ଯାଦବ ପଡିଆରେ ପହଞ୍ଚି ଶ୍ରୀ ପାଣ୍ଡିଆନ ସାଢେ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେଉଥିବା ବି-ଟାଇପ ମଡେଲ ବସ ସ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ବିଷୟରେ ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କଲେ।

ଆମ ହସ୍ପିଟାଲ ଯୋଜନାରେ ବାସୁଦେବପୁର ସି.ଏଚ.ସି ର ରୂପାନ୍ତରଣ କାର‌୍ୟ୍ୟ ସମୀକ୍ଷା କରି ନିର୍ମାଣାଧୀନ ସମସ୍ତ କାର‌୍ୟ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାପାଇଁ କହିଥିଲେ। ଡାକ୍ତରଖାନାର ୱାର୍ଡ ବୁଲି ରୋଗୀ, ଡାକ୍ତର ଓ ନର୍ସମାନଙ୍କସହ ମତ ବିନିମୟ କରିଥିଲେ।

ବି.ସି.ସି.ୟୁ.ବି.ବି ହାଇ ସ୍କୁଲ ପଡିଆ, ମନ୍ଦାରୀରେ ପହଞ୍ଚି ଶ୍ରୀ ପାଣ୍ଡିଆନ ତୃତୀୟ ଦଫାର ହାଇ ସ୍କୁଲ ରୂପାନ୍ତରିକରଣ କାର‌୍ୟ୍ୟକ୍ରମ ସମ୍ବନ୍ଧରେ ସମୀକ୍ଷା କରିଥିଲେ । ୫-ଟି ଉପକ୍ରମରେ ଶିକ୍ଷାର ଉନ୍ନତ୍ତି, ସ୍ମାର୍ଟ ଶ୍ରେଣୀ ଗୃହ, ପାଠାଗାର, ଖେଳପଡିଆ, ଶୌଚାଶଳୟ ଆଦିର ପ୍ରଭାବ ବିଷୟରେ ପିଲାଙ୍କସହ ମତ ବିନିମୟ କରିଥିଲେ।

ପରେ ପରେ ବାସୁଦେବପୁର ଗସ୍ତର ଅନ୍ତିମ କାର‌୍ୟ୍ୟକ୍ରମ ରକ୍ତତୀର୍ଥ ଇରମରେ ପହଞ୍ଚି ଶହୀଦ ସୃତି ସ୍ତମ୍ଭ ଓ ଶହୀଦ ସୃତି ପୀଠରେ ପୁଷ୍ପ ଗୁଚ୍ଛ ପ୍ରଦାନକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସୃତି ପୀଠର ଉନ୍ନତି କାମ ସମୀକ୍ଷା କରିଥିଲେ। ଇରମକୁ ଓଡିଶାର ଅଗ୍ରଗଣ୍ୟ ସହିଦ ପୀଠ କରିବାପାଇଁ ଭିତ୍ତିଭୂମିର ବିକାଶ କରାଯିବାନେଇ ଘୋଷଣା କରିଥିଲେ।

ବାସୁଦେବପୁରରୁ ଧାମନଗର ବ୍ଲକକୁ ଗସ୍ତରେ ଯାଇ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ। ନିର୍ଦ୍ଧାରିତ ସମୟରେ କାର‌୍ୟ୍ୟ ଶେଷ କରିବା ଓ ଗୁଣାତ୍ମକମାନରେ କାର‌୍ୟ୍ୟ କରିବାକୁ ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ତାପରେ ଧାମନଗର ସି.ଏଚ.ସି କୁ ଯାଇ ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିକରଣ କାର‌୍ୟ୍ୟ ସମୀକ୍ଷା କରିଥିଲେ।

ପରେ ପରେ ନିର୍ମାଣଧିନ ସମନ୍ୱିତ ଭିତ୍ତିଭୂମି ପ୍ରତିଷ୍ଠାନ (ଆଇ.ଆଇ.ସି) ପରିଦର୍ଶନକରି କାର‌୍ୟ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ସେଠାରେ ଜନସାଧାରଣ ଓ ସଂଗଠନମାନଙ୍କଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଠା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମପୀଠର ଉଚ୍ଚକୋଟିର ରୂପାନ୍ତରିକରଣ କରାଯିବାନେଇ ମଧ୍ୟ ଘୋଷଣା କରିଥିଲେ।

ପୂର୍ବଦିନ ଜୁନ୍ ୧୧ ତାରିଖରେ ଶ୍ରୀ ପାଣ୍ଡିଆନ କେନ୍ଦୁଝର ଗସ୍ତ ଶେଷ କରି ଭଦ୍ରକରେ ପହଞ୍ଚି ଥିଲେ। ସେଠାରେ ସେ ଷ୍ଟାଡିୟମ ର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଷ୍ଟାଡିୟମର ଉନ୍ନତି ପାଇଁ ଥିବା ଯୋଜନା ବିଷୟ ଗୁଡିକୁ ୫ଞ ସଚିବ ଙ୍କୁ ଜିଲ୍ଲାପାଳ ଅବଗତ କରାଇବା ପରେ ଶ୍ରୀ ପାଣ୍ଡିଆନ ଭଲ କ୍ରିକେଟ ଗ୍ରାଉଣ୍ଡ ପାଇଁ ଫ୍ଲଡ ଲାଇଟ ର ସୁବିଧା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ବ୍ୟାଡମିଣ୍ଟନ , ଭଲିବଲ , ବାସ୍କେଟବଲ ଖେଳ ପାଇଁ ଲୋକେ ଦାବି କରିବାରୁ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ସବୁ ସୁବିଧା କରାଯିବ ବୋଲି ପ୍ରକାଶ କରିଥିଲେ।

ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଜିଲ୍ଲା ର ବିଭିନ୍ନ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ ଆସିଥିବା ଦୁଇ ହଜାର ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଙ୍କ ସହ ମତ ବିନିମୟ କରିଥିଲେ। ୫ଞ ଉପକ୍ରମ ରେ ବିଦ୍ୟାଳୟ ମାନଙ୍କ ରୂପାନ୍ତରଣ ଭଳି ଆଗାମୀ ଦିନ ରେ ମହାବିଦ୍ୟାଳୟ ମାନଙ୍କ ର ରୂପାନ୍ତରକରଣ ରେ ସ୍ମାର୍ଟ କ୍ଳାସ , ଇ-ଲାଇବ୍ରେରୀ ,ଶୌଚାଳୟ ଇତ୍ୟାଦି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଞ୍ଜୁର କାରିଥିବାର ବୋଲି ଘୋଷଣା କରିଥିଲେ।

ସେଠା ରୁ ଯାଇ ଗେଲପୁର ନିକଟ ରେ ନୂତନ ଭାବେ କାର‌୍ୟ୍ୟକାରୀ ହେବାକୁଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ର ସମ୍ପୂର୍ଣ ହୋଇ ଆସୁଥିବା ନିର୍ମାଣ କାର‌୍ୟ ର ସମୀକ୍ଷା କରିବା ସହିତ ମାତୃ -ଶିଶୁ ଯତ୍ନ ଡାକ୍ତରଖାନା ନିକଟ ରେ ଆରମ୍ଭ ହୋଇଥିବା ଚିକିତ୍ସା ବ୍ୟବସ୍ତା ସମ୍ବନ୍ଧ ରେ ପଚାରି ବୁଝିଥିଲେ। ରୋଗୀ ଓ ଡାକ୍ତର ମାନଙ୍କ ସହ ମତ ବିନିମୟ କରିଥିଲେ। ଡାକ୍ତରଖାନା ର ମିରମାନ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଜନସମାବେଶରେ ଯୋଗଦେଇ ବିଭିନ୍ନ ସଂଗଠନ ଓ ଜନସାଧାରଣଙ୍କଠାରୁ ଅଭିଯୋଗ ଗ୍ରହଣ କରିଥିଲେ।

ଧାମରା ବନ୍ଦର ଭଦ୍ରକ ପାଇଁ ସବୁଠୁ ବଡ ଅଦଦାନ ଏବଂ ଧାମରାଠାରେ ଶିଳ୍ପ ପ୍ରାର୍କ, ଧାମନଗର ଛକଠାରେ ଟେକ୍ସଟାଇଲ ପ୍ରକଳ୍ପପାଇଁ ପ୍ରତିଷ୍ଠା ଚାଲିଛି। ତାହା ଦିନେ କେବଳ ଭଦ୍ରକ ନୁହେଁ ସାରା ରାଜ୍ୟ ଅର୍ଥନୀତିପାଇଁ ପ୍ରଭାବ ହେବବୋଲି ପ୍ରକାଶ କରିଥିଲେ। ଆନନ୍ଦପୁର ବ୍ୟାରେଜ ପାଇଁ ଅକ୍ଟେବର ସୁଦ୍ଧା ସାଳନ୍ଦୀରେ ଅଧିକ ପାଣି ଆସିବ। ନାଜର ନାଳ ପାଇଁ ଅତିଶିଘ୍ର କାର୍ଯ୍ୟ ଆରମ୍ଭ ହେବାନେଇ ମଧ୍ୟ ସୁଚନା ଦେଇଥିଲେ।

ପ୍ରଥମ ଦିନ ର ଗସ୍ତ ର ଶେଷ କାର‌୍ୟକ୍ରମ ମା ଭଦ୍ରକାଳୀ ମନ୍ଦିର କୁ ଗସ୍ତ କରି ମା ଙ୍କୁ ଦର୍ଶନ କରିବା ସହିତ ପୂଜା ଅର୍ଚନା କରିଥିଲେ। ମନ୍ଦିର ର ସୌନ୍ଦରଜିକରଣ ପାଇଁ ନିଆ ଯାଇଥିବା ଓ ନିଆ ଯିବାକୁ ଥିବା ପଦକ୍ଷେପ ସମ୍ବନ୍ଧ ରେ ସମୀକ୍ଷା କରିଥିଲେ।

ମନ୍ଦିର ଫେଜ -୧ କାମ ସମାପ୍ତ ହୋଇଥିବା ରୁ ଖୁସି ବ୍ୟକ୍ତ କରିଥିଲେ। ଏବଂ ଫେଜ-୨ ପାଇଁ ସବିଶେଷ ପ୍ରକଳ୍ପ ରିପୋର୍ଟ ତିଆରି କରି ଅବିଳମ୍ବେ ପଠାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ମା ଭଦ୍ରକାଳୀ ମନ୍ଦିର କୁ ଭଦ୍ରକ ସହର ରୁ ଯିବା ପାଇଁ ଉପଯୁକ୍ତ ମାର୍ଗକୁ ଜିଲ୍ଲାପାଳ ଚିହ୍ନଟ କରି ସୁପାରିଶ କଲେ ସେହି ରାସ୍ତା ର ଉନ୍ନତିକରଣ ପାଇଁ ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୫ଟି ସଚିବଙ୍କୁ ଦେଖିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ, ଗସ୍ତ ବେଳେ କଲେ ପୁଷ୍ପ ବୃଷ୍ଟି

କେନ୍ଦୁଝର: ୫ଟି ସଚିବ ଭି କେ ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତ ଅବସରରେ ସେ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଲୋକଙ୍କ ମଧ୍ୟରେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଆଗ୍ରହ ଥିବା ପରିଲକ୍ଷିତ ହୋଇଛି। ସେ ଯେଉଁସ୍ଥାନକୁ ଗସ୍ତରେ ଯାଉଛନ୍ତି ସେଠାରେ ଲୋକେ ପୁଷ୍ଟ ବୃଷ୍ଟି କରି ସ୍ବାଗତ କରୁଛନ୍ତି। ଗୋଟିଏ ଲକ୍ଷ୍ୟ ତାଙ୍କ ଅଞ୍ଚଳର ଉନ୍ନୟନ କାର୍ଯ୍ୟ କିପରି ହେବ।

ଆଜି ପାଣ୍ଡିଆନ ବଡ଼ବିଲ ଯାଇ ସେଠାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ସେ ଏନଆରସି(ପୁଷ୍ଟିକର ପୁନର୍ବାସ କେନ୍ଦ୍ର) ଏବଂ ଡାଇଲିସିସ୍ ସେଣ୍ଟରରେ ଚାଲିଥିବା କାର୍ଯ୍ୟଗୁଡ଼ିକର ତଦାରଖ କରିଥିଲେ।

ଏହି ସୁବିଧା ଓଡିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ରୋଗୀମାନଙ୍କର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେଉଥିବା ଜାଣି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ଏନଆରସି ଓ ଡାଇଲିସିସ୍ ସେଣ୍ଟରରେ ଉପଲବ୍ଧ ହେଉଥିବା ସୁବିଧା ବିଷୟରେ ରୋଗୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ମତାମତକୁ ଶୁଣିଥିଲେ। ଏସବୁ ସୁବିଧାଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ଆହୁରି ବଢ଼ାଇବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହାଦ୍ୱାରା ସାଧାରଣ ଜନତା ଏହାର ଅଧିକ ଲାଭ ପାଇପାରିବେ।

ଏହାପରେ, ୫ଟି ସଚିବ ଯୋଡ଼ା ବ୍ଲକର ସେରେଣ୍ଡା ପରିଦର୍ଶନ କରି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଏବଂ ଆଦିବାସୀ ବିକାଶ ସମିତିର ଛାତ୍ରଛାତ୍ରୀମାନଙ୍କୁ ଭେଟିଥିଲେ। ଆଦିବାସୀ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସମିତିର ପ୍ରଶଂସନୀୟ ପ୍ରୟାସ ଦେଖି ସେ ଖୁସିବ୍ୟକ୍ତ କରିଛନ୍ତି। ଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ ସେ ଘୋଷଣା କରିଛନ୍ତି ଯେ ଏଣିକି ଆଦିବାସୀ ବିକାଶ ସମିତିର 900 ଛାତ୍ରଛାତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ। ଏନେଇ ଆବଶ୍ୟକୀୟ କାର୍ଯ୍ୟ ପାଇଁ ବିସ୍ତୃତ ମୂଲ୍ୟାଙ୍କନ କରିବାକୁ ୫ଟି ସଚିବ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ, ସେ ଯୋଡ଼ା ଫ୍ଲାଇଓଭର ସ୍ଥଳୀରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। କାର୍ଯ୍ୟ ନିର୍ଦ୍ଧାରିତ ସମୟକୁ ଆଖିରେ ରଖି ଅଗ୍ରଗତି କରୁଛି ଏବଂ ଡିସେମ୍ବର 2023 ସୁଦ୍ଧା ଶେଷ ହେବବୋଲି ଉପସ୍ଥିତ ଓବିସିସି ଅଧିକାରୀମାନେ 5ଟି ସଚିବଙ୍କୁ ଅବଗତ କରିଥିଲେ।

ସେଠାରୁ ୫ଟି ସଚିବ ଯୋଡ଼ାଠାରେ ଥିବା ଜରାଶ୍ରମକୁ ପରିଦର୍ଶନରେ ଯାଇଥିଲେ। ଯେଉଁଠାରେ ବର୍ତ୍ତମାନ ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ 50 ଜଣ ଅନ୍ତେବାସୀ ରହୁଛନ୍ତି। ସମସ୍ତଙ୍କ ଠାରୁ ୫ଟି ସଚିବ ସେମାନଙ୍କର ଅଭିଜ୍ଞତା ଏବଂ ମିଳୁଥିବା ସୁବିଧା ସମ୍ପର୍କରେ ପଚାରିବୁଝିଥିଲେ।

ଏହାପରେ ସେ ଅନ୍ତେବାସୀଙ୍କ ମଧ୍ୟାନ୍ନ ଭୋଜନରେ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ନାଗରିକଙ୍କୁ ଯତ୍ନର ଅଧିକ ଆବଶ୍ୟକତା ପଡ଼ୁଥିବାରୁ ସୁବିଧାର ସମ୍ପ୍ରସାରଣ ଏବଂ ଅଧିକ ଅନ୍ତେବାସୀଙ୍କ ରହଣୀ ଲାଗି ବ୍ୟବସ୍ଥା କରିବା ସମ୍ବଦ୍ଧରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ୫ଟି ସଚିବ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ୫ଟି ସଚିବ କାନପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ସେଠାରେ ପ୍ରକଳ୍ପର ଅଗ୍ରଗତିର ଆକଳନ ସାଙ୍ଗକୁ ଜାତୀୟ ରାଜପଥ ସହ ଜଡ଼ିତ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟସୀମା ପାଳନପୂର୍ବକ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟ ସାରିବା ଉପରେ ଗୁରୁତ୍ୱ ଦେବାପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ସେ ନିକଟସ୍ଥ ଗ୍ରାମର ଗ୍ରାମବାସୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ସେଠାରୁ କେନ୍ଦୁଝର ସହର ସ୍ଥିତ ଓଏସଏମଇ କମ୍ପ୍ଲେକ୍ସକୁ ଯାଇ ସେଠାରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିବା ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସମ୍ବୋଧିତ କରିଥିଲେ ୫ଟି ସଚିବ।

ସରକାରଙ୍କଠାରୁ ମିଳୁଥିବା ସହାୟତା ଉପରେ ସେ ସକ୍ରିୟ ଭାବେ ସେମାନଙ୍କଠାରୁ ମତାମତ ଲୋଡ଼ିଥିଲେ ଏବଂ ମିଶନ ଶକ୍ତି ପାଇଁ ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ ରହିଛି ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। ଏହାପରେ ସେ ଧରଣୀଧର ବିଶ୍ୱବିଦ୍ୟାଳୟ ନିକଟରେ ସ୍ଥାନୀୟ ବାସିନ୍ଦା, ବିଭିନ୍ନ ସଙ୍ଗଠନର ସଦସ୍ୟଙ୍କୁ ଭେଟି ସେମାନଙ୍କ ଅଭିଯୋଗକୁ ଶୁଣିଥିଲେ। ସରକାରୀ ବ୍ୟବସ୍ଥା ମୁତାବକ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ, ୫ଟି ସଚିବ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ‘ମିଶନ୍ ଶକ୍ତି’ କାଫେ ପରିଦର୍ଶନ କରିଥିଲେ। ସେ ଠାରେ ସେ କାଫେର ପରିଚାଳନା ସଦସ୍ୟମାନେ କିଭଳି ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହୋଇପାରିଛନ୍ତି ସେନେଇ ପଚାରିବୁଝିଥିଲେ. ଉନ୍ନତମାନର ଖାଦ୍ୟ ବିତରଣ ଉଦ୍ୟମ ଜାରି ରଖିବାକୁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ। ସେଠାରୁ ସେ କେନ୍ଦୁଝର ଅଡିଟୋରୀୟମ ଯାଇ ସେଠାରେ ପ୍ରାୟ ଏକ ହଜାର ଉପସ୍ଥିତ ଥିବା ଛାତ୍ର ଓ ଶିକ୍ଷକଙ୍କୁ ସମ୍ବୋଧିତ କରିଥିଲେ।

ଶିକ୍ଷାର ମାନ ବୃଦ୍ଧି ଏବଂ ଆନୁସଙ୍ଗୀକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଉପରେ ସେ ଆଲୋଚନା କରି କହିଥିଲେ ସମସ୍ତ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ନାତକ କଲେଜଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମଞ୍ଜୁର ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ବିକାଶ ହେବ ବୋଲି ସେ କହିଛନ୍ତି। ଏଥିରେ ସେ ସମସ୍ତଙ୍କ ର ସହଯୋଗ ପାଇଁ ୫ଟି ସଚିବ ଅନୁରୋଧ କରିଛନ୍ତି।

ସେଠାରୁ ୫ଟି ସଚିବ ସ୍ଥାନୀୟ ହ୍ୟାଣ୍ଡବଲ୍ ଷ୍ଟାଡିୟମ ପରିଦର୍ଶନରେ ଯାଇ ସେଠାରେ ତାଲିମ୍ ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଏବଂ ଉତ୍ସର୍ଗୀକୃତତାକୁ ଦେଖି ସେ ଖୁସିବ୍ୟକ୍ତ କରିଥିଲେ। ସେ ମୋଟ ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ଏବଂ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କର ଅଂଶଗ୍ରହଣ ବିଷୟରେ ପଚାରି ବୁଝିଥିଲେ। ଏହାସହ ଷ୍ଟାଡିୟମରେ ଉପସ୍ଥିତ ହ୍ୟାଣ୍ଡବଲ୍ ଖେଳାଳିଙ୍କ ସହ ସେ ମଧ୍ୟ କଥାବାର୍ତ୍ତା କରିଥିଲେ।

ପରେ, ୫ଟି ସଚିବ ବଳଦେବଜୀଉ ମନ୍ଦିର ପରିଦର୍ଶନରେ ଯାଇ ସେଠାରେ ପୂଜାର୍ଚନା କରିଥିଲେ। ଏହା ପରେ ସେ ମନ୍ଦିର ଏବଂ ପରିସରର ନବୀକରଣ ସମ୍ପର୍କରେ ମନ୍ଦିର କମିଟି ସଦସ୍ୟ ଏବଂ ପୁରୋହିତମାନଙ୍କ ସହ ଆଲୋଚନା କରିଥିଲେ। ଏହା ବ୍ୟତୀତ ସେ ବଡ଼ଦାଣ୍ଡରେ ଚାଲିଥିବା ବିକାଶ କାର୍ଯ୍ୟ ଏବଂ ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ସେଠାରୁ ୫ଟି ସଚିବ ହାଡ଼ବନ୍ଧ ଜଳାଶୟ ପରିଦର୍ଶନରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରୀଡା ସଚିବ ଶ୍ରୀ ଭିନିଲ କ୍ରିଷ୍ଣା ଓ କେଉଁଝର ଜିଲ୍ଲାପାଳ ଉପସ୍ଥିତ ଥିଲେ