Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ବିରୋଧରେ ବିସ୍ପୋରକ ମନ୍ତବ୍ୟ ଦେଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲା

ବାଲୁଗାଁ : ଆଜି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦେଇଛନ୍ତି ବିସ୍ପୋରକ ମନ୍ତବ୍ୟ। ବାଲୁଗାଁରେ ଥିବା ରଘୁନାଥଙ୍କ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତଙ୍କ ବିରୋଧରେ ଗର୍ଜନ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।

ସାମ୍ବାଦିକ ସମ୍ମିଳନୀରେ ରଘୁନାଥ ସିଧା ପ୍ରଶାନ୍ତ ଜଗଦେବଙ୍କୁ ଏକ ଦୁର୍ନିତି ଗସ୍ତ ବିଧାୟକ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ବିଧାୟକ ପାଞ୍ଚ ପ୍ରତିଶତ ପିସି ନ ନେଲେ କୌଣସି କାମ କାହାକୁ ଦେଉ ନାହାଁନ୍ତି। ତାଙ୍କର ଗତ ଚାରି ବର୍ଷରେ ଚିଲିକା ପୁରା ଦୁର୍ନିତିରେ ବୁଡି ଗଲାଣି। ସେ ଏବଂ ତାଙ୍କ ସହଯୋଗୀମାନେ ଚିଲିକା ନିର୍ବାଚନ ମଣ୍ଡଳୀକୁ ଲୁଟିବାରେ ଲାଗିଛନ୍ତି ବୋଲି କହିଛନ୍ତି।

ସେ ସିଧା ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ନାମ ନେଇଛନ୍ତି। ସେ ତାଙ୍କର ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଛନ୍ତି। ସେହିପରି ମାନସ ପ୍ରଧାନ ମଧ୍ୟ କୋଟିକୋଟି ଟଙ୍କାର କାମ ନେଇଛନ୍ତି। ବିଧାୟକଙ୍କ ସହିତ ସମସ୍ତେ ମିଶି ଚିଲିକା ନିର୍ବାଚନ ମଣ୍ଡଳିକୁ ଲୁଟିବାରେ ଲାଗିଛନ୍ତି। ଏହି ଖବର ନବୀନ ନିବାସରେ ପହଁଚିଛି ବୋଲି ରଘୁନାଥ କହିଛନ୍ତି।

ରଘୁନାଥ ଏହି ସାମ୍ବାଦିକ ସମ୍ମିଳନୀରେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଯଦି ନବୀନ ପଟ୍ଟନାୟକ ଏହି ଦୁର୍ନିତିକୁ ନ ରୋକିବେ ତେବେ ତାହାର ପରିଣାମ ଭୋଗୀବେ। ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳ ଚିଲିକାର ଜିତିବା କଷ୍ଟକର ହୋଇଯିବ ବୋଲି ରଘୁନାଥ କହିଛନ୍ତି। ଏ ନେଇ ସେ ବିଜେଡି ଦଳ ଚିଲିକାର ଦୁର୍ନିତି ଉପରେ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି।

ତେବେ ଏହାକୁ ନେଇ ଚିଲିକା ରାଜନୀତି ନୁହେଁ ରାଜ୍ୟ ରାଜନୀତିରେ ମଧ୍ୟ କମ୍ପନ ସୃଷ୍ଟି ହୋଇଛି। ହଠାତ ରଘୁନାଥଙ୍କ ଜୟ ବିଜେଡି କହି ସାମ୍ବାଦିକ ସମ୍ମିଳନୀ କରିବା ନେଇ ଅନେକ ସନ୍ଦେହ କରିଛନ୍ତି। ତେବେ ଉଭୟ ରଘୁ ସାହୁ ଏବଂ ପ୍ରଶାନ୍ତ ଜଗଦେବଙ୍କ ମଧ୍ୟରେ ବହୁ ଦିନ ଧରି ଛକାପଞ୍ଚା ଚାଲିଛି। ତେବେ ଆଜିର ସାମ୍ବାଦିକ ସମ୍ମିଳନୀ ଉପରେ ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ଅନ୍ୟମାନଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।