Categories
ବିଶେଷ ଖବର ମତାମତ

ଶ୍ରୀମନ୍ଦିରର ଅରାଜକତା, ରାଜନୀତି ବା ପ୍ରଶାସନ ର ସମସ୍ୟା ନୁହେଁ, ଏହା ମନ୍ଦିର ପରିଚାଳନାରେ ରହିଥିବା ଐତିହାସିକ ଭୁଲର ପ୍ରତିଫଳନ

କେଦାର ମିଶ୍ର

ଦ୍ଵାରଫିଟା ଓ ଦୈନିକ ମଙ୍ଗଳ ଆଳତି ପ୍ରତ୍ୟହ ଊଷାକାଳ ଅର୍ଥାତ ଭୋର ୫ ଘଟିକା ବା ତତ ପୂର୍ବରୁ ହେବାର ନିୟମକେବଳ ଦଶହରା ପର ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ୟନ୍ତ, ଧନୁ ସଙ୍କ୍ରାନ୍ତିଠାରୁ ମକର ସଙ୍କ୍ରାନ୍ତି ପର୍ୟନ୍ତ ଓ ବିଶେଷ ନୀତି ଦିନ ମାନଙ୍କରେ ରାତ୍ର ପ୍ରହରେ ଥାଉଁ ହେବାର ନିୟମ ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁସାରେ ଏହା ହେଉଛି ମଙ୍ଗଳ ଆଳତିର ବିଧାନ। ଯଦି ଜଗନ୍ନାଥ ମନ୍ଦିରର ନୀତିକାନ୍ତି କୁ ଆମ ଧାର୍ମିକ ପରମ୍ପରାର ଅପରିହାର୍ୟ ଅଙ୍ଗ ବୋଲି ଆମେ ଭାବୁଛୁ, ତେବେ କୌଣସି ପରିସ୍ଥିତିରେ ମଧ୍ୟ ଏହି ପରମ୍ପରା ବଦଳିବା ଉଚିତ ନୁହେଁ। କିନ୍ତୁ ଗତକାଲି ଡିସେମ୍ବର ୨୮ ତାରିଖ ଦିନ ପୂରାଦିନ ମନ୍ଦିରର ଦ୍ଵାରଫିଟା କିମ୍ବା ମଙ୍ଗଳ ଆଳତି ହେଲାନାହିଁ। ବେଳେ ବେଳେ ଅପରିହାର୍ୟ କାରଣରୁ ମନ୍ଦିର ନୀତିରେ ବିଳମ୍ବ ଘଟେ, ହେଲେ ଆଜିର ବିଳମ୍ବ ପଛରେ ସେମିତି କିଛି ବିଶେଷ କାରଣ ଥିଲା କି?

କେହିଜଣେ ଭିତରଚ୍ଚୁ  ସେବକଙ୍କ ସହିତ ପୂର୍ବ ଦିନ ମନ୍ଦିର ପୋଲିସର ଧସ୍ତାଧସ୍ତି ହୋଇଥିଲା। ଏହାକୁ ନେଇ ପୋଲିସ ଏବଂ ସେବକ ଉଭୟ ପକ୍ଷ ଥାନାରେ ଏତଲା ଦେଇଛନ୍ତି। କଥାଟି ସେଇଠି ସରିଯିବା କଥା। ମନ୍ଦିର ଭିତରେ ସିସି ଟିଭି କ୍ୟାମେରା ଲାଗିଛି। ସେଥିରୁ ଯିଏ ଦୋଷ କରିଥିବେ ତାଙ୍କୁ ଦଣ୍ଡିତ କରା ଯାଇପାରିବ। ପୋଲିସ ତଦନ୍ତକୁ ଅପେକ୍ଷା ନ କରି ସେବକ ମାନେ ଗୋଟିଏ ଦିନ ଶ୍ରୀମନ୍ଦିରର ସେବା ପୂଜା କୁ ଠପ କରିଦେଲେ। ଏହା କଣ ସେବାୟତ ପରମ୍ପରା?ପୁରୀ ମନ୍ଦିର ସେବାୟତମାନେ ଅନେକ ସମୟରେ ଅଭିଯୋଗ କରି ଆସୁଛନ୍ତି ଯେ, ତାଙ୍କୁ ଗଣମାଧ୍ୟମରେ ଆକାରଣରେ ନିନ୍ଦିତ କରାଯାଉଛି। ତେବେ ଆଜି ମନ୍ଦିରରେ ଯାହା ଘଟିଲା ତାକୁ କେଉଁ ଓଡିଆ ବା ବରଦାସ୍ତ କରିବ?

ନିତାନ୍ତ ବ୍ୟକ୍ତିଗତ କାରଣରୁ ମନ୍ଦିରର ଦ୍ଵାରଫିଟା ଓ ମଙ୍ଗଳ ଆଳତି କୁ ୧୨ ଘଣ୍ଟା ବିଳମ୍ବିତ କରିବା, କେବଳ ପରମ୍ପରା ବିରୋଧୀ ନୁହେଁ, ଏହା ଏକ ଅପରାଧ। ମନ୍ଦିର ସେବାୟତ ନିଜକୁ ଭଗବାନଙ୍କଠାରୁ ମଧ୍ୟ ବଡ ବୋଲି ଭାବୁଛନ୍ତି। ସେମାନଙ୍କର ଆଚାର, ବ୍ୟବହାର ଓ କଥାବାର୍ତ୍ତା ଅନେକ ସମୟରେ ଅପରାଧୀଙ୍କ ସ୍ତରକୁ ଖସି ଆସୁଛି। ଯାହା ଫଳରେ ଓଡିଶାର ସାଧାରଣ ଜନତାଙ୍କ ଆକ୍ଷିରେ ପୁରୀ ସେବାୟତ ଏକ ପ୍ରକାର ଖଳ ନାୟକ ଭୂମିକାନେଇ ସାରିଲେଣି।

ପ୍ରତ୍ୟେକଟି ବିଭ୍ରାଟ ପରେ ମନ୍ଦିର ପରିଚାଳନା ସୁରୁଖୁରୁରେ ଚାଲିବ ବୋଲି କହୁଥିବା ସେବାୟତ ମାନେ ଛୋଟ ଛୋଟ କଥାକୁ ନେଇ ମାରିବା ମରିବା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି। ମନ୍ଦିର ଭିତରେ ଏକ ପ୍ରକାର ଅରାଜକତା ଚାଲିଛି। ସୁପ୍ରିମ କୋର୍ଟ ଓ ସରକାରଙ୍କ ନିର୍ଦ୍ଦେଶକୁ କାହାର ଖାତିର ନାଇଁ। ଗଣମାଧ୍ୟମ ଏଥିରେ ରୋଚକ କାହାଣୀ ତିଆରି କରୁଛି। ଧାର୍ମିକ ଭାବାବେଗକୁ ଅରାଜକତାରେ ରୂପାନ୍ତରିତ କରିବା ଲାଗି ସବୁ ପ୍ରକାର ଉଦ୍ୟମ ଚାଲିଛି। ତେବେ ଏଥିରେ କୌଣସି ରାଜନୈତିକ ଦଳ ବା ସରକାରର କ୍ଷତି ହେଉନାହିଁ। ଯାହା କ୍ଷତି ହେଉଛି, ତାହା କେବଳ ଆମ ଓଡିଶାର ଅସ୍ମିତାର। ଆମର ଆଧ୍ୟାତ୍ମିକତାର ମୂଳ ପୀଠଟି କେବଳ ବିଶୃଙ୍ଖଳା ଓ ଅରାଜକତାର ପ୍ରାଣକେନ୍ଦ୍ର ବୋଲି ଏକ ବାର୍ତ୍ତା ବିଶ୍ଵବାସୀଙ୍କ ପାଖକୁ ଯାଉଛି।

ରାଜନୀତି ବା ଗୋଷ୍ଠୀ ବିବାଦ ସୃଷ୍ଟି କରିବାକୁ ପୁରୀ ମନ୍ଦିର ଏକ ସହଜ ମାଧ୍ୟମ ବୋଲି ସମସ୍ତେ ଭାବି ନେଇଛନ୍ତି। ବୋଧେ ପୃଥିବୀର ଅନ୍ୟ କୌଣସି ଧର୍ମକ୍ଷେତ୍ରକୁ ନେଇ ଏତେ ପ୍ରକାର ରାଜନୀତି ବା ଏତେ ରକମର ନାଟକବାଜି ହେଉନଥିବ। କାରଣ ଥାଉ ବା ନଥାଉ, ମନ୍ଦିରରେ ନୀତି କାନ୍ତି ବନ୍ଦ କରିବାର ଅଧିକାର କାହାର ନାହିଁ। ଶ୍ରୀଜଗନ୍ନାଥଙ୍କୁ ଚଳନ୍ତି ବିଗ୍ରହ ବୋଲି ଆମେ ମନେକରୁ। ତାଙ୍କର ସେବାପୂଜାରେ ଏ ପ୍ରକାର ବିଭ୍ରାଟ ପାଇଁ, ଆଉ କାହାକୁ ନୁହଁ, କେବଳ ସେବାୟତମାନଙ୍କୁ ହିଁ ଉତ୍ତର ଦେବାକୁ ପଡିବ। ଜିଲ୍ଲାପାଳ ବା ପ୍ରଶାସକ ମନ୍ଦିର ପୂଜା କରିବାକୁ ଯିବେନାହିଁ।

ଦ୍ଵାରଫିଟା ଓ ମଙ୍ଗଳ ଆଳତି ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ସ୍ଵତ୍ତ୍ଵଲିପି ଅନୁସାରେଯେଉଁ ମାନେ ଏଥିଲାଗି ଅଧିକୃତ ସେମାନେ ଆଜିର ବିଭ୍ରାଟ ପାଇଁ ଅଭିଯୁକ୍ତ ହେବା ନିହାତି ଜରୁରୀ। ଝଗଡା ହେଉ କି ଅସନ୍ତୋଷ, ଏମିତି କୌଣସି କାରଣ ନାହିଁ, ଯାହାକୁ ନେଇ ମନ୍ଦିରର ନୀତିକାନ୍ତିକୁ ବନ୍ଦ କରିହେବ। ଏହି ଅପରାଧ ଲାଗି ଦାୟୀ ସବୁ ସେବାୟତଙ୍କୁ ସେବା ନିବୃତ୍ତ କରିବା ନିହାତି ଜରୁରୀ। ସେବାୟତ ମାନେ ମନ୍ଦିର ପ୍ରଶାସନକୁ ନିଜ ଇଛାର ତାସଘର ବନାଇପାରିବେ ନାହିଁ।

Categories
ବିଶେଷ ଖବର

ଶ୍ରୀ ମନ୍ଦିର ସଂସ୍କାର ; ସମ୍ଭାବନା ଓ ଆଶଙ୍କା

କେଦାର ମିଶ୍ର

ଇତିମଧ୍ୟରେ ମାନ୍ୟବର ସୁପ୍ରିମ କୋର୍ଟ ଜଗନ୍ନାଥ ମନ୍ଦିର ପରିଚାଳନା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ଲାଗି ଏକ ସାମାଜିକ ଓ ବୈଧାନିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ସେଇ ସମୟରେ ତାକୁ ମୂଳରୁ ମାରିବାର ପ୍ରକ୍ରିୟା ବିଭିନ୍ନ ସ୍ତରରେ ଆରମ୍ଭ ହୋଇଯାଇଛିସେଥିଲାଗି ପୁରୀ ବନ୍ଦ, ହିଂସାକାଣ୍ଡ, ରାଜନୈତିକ ଷଡଯନ୍ତ୍ର ଇତ୍ୟାଦି ଚାଲିଛି।

  ଶହ ଶହ ବର୍ଷ ଧରି ମନ୍ଦିର ପରିଚାଳନାରେ ବିଶୃଙ୍ଖଳା ଓ ଅରାଜକତା ଆମ ଇତିହାସର ଅଂଶ ପାଲଟି ଯାଇଛି। ଜଗନ୍ନାଥ ମନ୍ଦିର ପରିଚାଳନାରେ  ଅରାଜକତା ଆମ ଲାଗି ସେଇ ପୁରୁଣା ଘା’ ଯାହାକୁ ଆମେ ସମୟକ୍ରମେ ନିଜ ଶରୀରର ଏକ ଅଂଶ ବୋଲି ଗ୍ରହଣ କରିନେଇଛୁ। ସେଇ ଘା’ ପ୍ରତି ଆମର ଅଧିକାର ପ୍ରବଣତା ଏତେ ଅଧିକ ଯେ ତାର ଚିକିତ୍ସା କଥା ଭାବିଲେ ଇ ଆମେ ଉତ୍ତେଜିତ ହୋଇପଡୁଛୁ। ସେ ଘା’ ଓ ତାର ଯନ୍ତ୍ରଣାର ପ୍ରେମରେ ଆମର ଧର୍ମ ଓ ପରମ୍ପରା ଉଭା ହୋଇଛି ବୋଲି ଆମେ ଧରି ନେଇଛୁ

ପ୍ରଥମକରି ୧୯୫୨ ମସିହାରେ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ବରେ ଶ୍ରୀମନ୍ଦିର ଆଇନ ପ୍ରଣୀତ ହେଲା ଓ ଏହାର ଉଦ୍ଦେଶ୍ୟ ରେ ସ୍ପଷ୍ଟ କୁହାଯାଇଥିଲା ଯେ ଏଇ ଆଇନର ଲକ୍ଷ୍ୟ ହେଉଛି ମନ୍ଦିରକୁ କୁପରିଚାଳନାରୁ ରକ୍ଷା କରିବା(to felicitate proper administration of the Puri Shri Jagannath temple preventing mismanagement thereof) ୧୯୫୨ ପରେ ୧୯୫୫ରେ ଏହି ଆଇନକୁ ସମ୍ପ୍ରସାରିତ କରାଗଲାତେବେ ଏଇ ସଂସ୍କାରକୁ ବିରୋଧ କରି ସେତେବେଳେ ମନ୍ଦିର ପରିଚାଳନାର ମୁଖ୍ୟ ଥିବା ଗଜପତି ରାମଚନ୍ଦ୍ର ଦେବ ଓଡିଶା ହାଇ କୋର୍ଟ ରେ ଏକ ମାମଲା ଦାୟର କାଲେକୋର୍ଟ ରେ ନିଜର ପକ୍ଷ ରଖି ଗଜପତି କହିଥିଲେ ଯେ ପୁରୀ ମନ୍ଦିର ହେଉଛି ଗଜପତି ପରିବାରର ବ୍ୟକ୍ତିଗତ ସମ୍ପତ୍ତି । ସେଇ ଯୁକ୍ତିର ସମର୍ଥନରେ ଆଉ ଜେନ ସେବାୟତଙ୍କ ତରଫରୁ ଭିନ୍ନ ଏକ ମତ ରଖାଯାଇଥିଲାଜନୈକ ସେବାୟତ ସେତେବେଳେ ଯୁକ୍ତି କରିଥିଲେ ଯେ ଜଗନ୍ନାଥ ଧର୍ମ ହିନ୍ଦୁ ଧର୍ମର ଅଂଶ ନୁହେଁ ଓ ଏହା ଏକ ଭିନ୍ନ ଓ ସ୍ଵତନ୍ତ୍ର ଧର୍ମ ( separate religious denomination)ଜଗନ୍ନାଥ ଧର୍ମ ସନାତନ ହିନ୍ଦୁଧର୍ମର ଆଚାର ଓ ବ୍ୟବହାରଠାରୁ ଅଲଗା ବୋଲି ସେଇ ଶୁଣାଣୀ ବେଳେ କୁହାଯାଇଥିଲାତେବେ କୋର୍ଟ ସେଇ ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଥିଲେ। (AIR1959 Ori 5)

ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଆଣିବା ଲାଗି ଯେତେବେଳେ ବି ପ୍ରୟାସ ହୋଇଛି ତାକୁ ବିରୋଧ କରାଯାଇଛିତେଣୁ ଆଜି ମାନ୍ୟବର ସୁପ୍ରିମ କୋର୍ଟ ଯେଉଁ ସଂସ୍କାର ର ସଙ୍କେତ ଦେଇଛନ୍ତି ତା ବିରୋଧରେ ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ତତ୍ପର ହୋଇ ଉଠିଲେଣିଗତ ଜୁଲାଇ ୫ ତାରିଖରେ ସୁପ୍ରିମ କୋର୍ଟ ତାଙ୍କର ଏକ ମଧ୍ୟବର୍ତ୍ତୀ ଆଦେଶରେ ଯେଉଁ କିଛି ପ୍ରସ୍ତାବ ଦେଇଛନ୍ତି ସେଥିରେ ରହିଛି- ୧ ସେବାୟତ ବ୍ୟବସ୍ଥାରେ ବଂଶାନୁକ୍ରମିକ ନିୟମର ପରିବର୍ତ୍ତନ, ୨ଅନ୍ନଦାନ ଓ ଆଟିକା ବ୍ୟବସ୍ଥାରେ ଦକ୍ଷିଣା ବ୍ୟବସ୍ଥାର ଉଚ୍ଛେଦ ୩ ରୋଷଘର ଓ ଚୁଲି ର ସରକାରୀକରଣ ୪ ଧାଡି ଦର୍ଶନ ବ୍ୟବସ୍ଥା ଇତ୍ୟାଦିତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଜଗନ୍ନାଥ ମନ୍ଦିରର ଦୁଆର ସବୁ ଧର୍ମ ଓ ବିଶ୍ବାସର ଲୋକଙ୍କ ଲାଗି ଉନ୍ମୁକ୍ତ ରଖିବାର ପ୍ରସ୍ତାବ ବିଷୟରେ ବିଚାର କରିବାକୁ ସୁପ୍ରିମ କୋର୍ଟ କହିଛନ୍ତି। ଏହି ପରାମର୍ଶ ପଛରେ ମାନ୍ୟବର ବିଚାରପତି ଦୁଇଟି ଅତ୍ୟନ୍ତ ଅକାଟ୍ୟ ଯୁକ୍ତି ରଖିଛନ୍ତି। ଭାଗବତ ଗୀତାର ଆଧାରରେ ସବୁ ମତ ଓ ବିଶ୍ବାସର ବ୍ୟକ୍ତି ମୋତେ ପୂଜା କରିବାର ଅଧିକାର ପାଇଛନ୍ତି ବୋଲି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି। ସେହିପରି ସୁପ୍ରିମ କୋର୍ଟଙ୍କ ଏକ ରାୟରେ ହିନ୍ଦୁ ଧର୍ମ କୌଣସି ନିର୍ଦ୍ଦିଷ୍ଟ ମତ, ପନ୍ଥ, ଗୁରୁ ଓ ଶାସ୍ତ୍ରରେ ବିଶ୍ଵାସ କରୁନଥିବା ଧର୍ମ ନୁହେଁ, ବରଂ ଏହା ସନାତନ ମାନବୀୟ ମୂଲ୍ୟବୋଧର ଧର୍ମ ବୋଲି ବ୍ୟାଖ୍ୟା କରାଯାଇଛି। ସେଇ ଆଧାରରେ ସବୁ ମଣିଷ ମନ୍ଦିର ପ୍ରବେଶର ଅଧିକାର ପାଇବାକୁ ଯୋଗ୍ୟ ହେବା ଉଚିତ ନୁହଁ କି?

ମନ୍ଦିର ସଂସ୍କାରର ସବୁ ବିତର୍କ ଏବେ ବଂଶାନୁକ୍ରମିକ ସେବା ଓ ଅଣ ହିନ୍ଦୁଙ୍କ ମନ୍ଦିର ପ୍ରସଙ୍ଗରେ ଅଟକି ଯାଇଛି। ଏପରିକି ଗଜପତି (ଯିଏ ସ୍ଵୟଂ ବଂଶାନୁକ୍ରମେ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ) ଅଣହିନ୍ଦୁଙ୍କ ମନ୍ଦିର ପ୍ରବେଶ ପ୍ରତି ସମର୍ଥନ ଦେଇନାହାନ୍ତି। ତାଙ୍କ ମତରେ ପୁରୀ ଶଙ୍କାରାଚାର୍ୟ ଏହାର ଏକମାତ୍ରନିର୍ଣ୍ଣାୟକ, ଯାହାକି ଇତିହାସ ବା ଶାସ୍ତ୍ର ସମର୍ଥିତ ନୁହେଁ। ୧୮୭୦ ମସିହାରେ ହଣ୍ଟର ସାହେବ ଲେଖିଥିବା “ଏ ଷ୍ଟାଷ୍ଟିଷ୍ଟିକାଲ ଏକାଉଣ୍ଟ ଅଫ ବେଙ୍ଗଲ” ରେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ “ପୁରୀ ଜଗନ୍ନାଥ ମନ୍ଦିର ଯାହା ଗୋଟେ ସମୟରେ ସବୁ ଧର୍ମ, ବିଶ୍ବାସ, ଜାତି ଓ ଶ୍ରେଣୀରଲୋକଙ୍କୁ ଆଶ୍ରୟ ଦେଉଥିଲା ଆଜି ତାହା ତଳ ଜାତିର ଲୋକଙ୍କ ପାଇଁ ଦୁଆର ବନ୍ଦ କରିଦେଇଛି। “ ହଣ୍ଟର ମନ୍ଦିର ଭିତରେ ପ୍ରବେଶ ଅଧିକାର ନଥିବା ହିନ୍ଦୁ ଓ ଅଣହିନ୍ଦୁ ମାନଙ୍କର ଏକ ତାଲିକା ଦେଇଛନ୍ତି। ମୁସଲମାନ, ଖ୍ରୀଷ୍ଟିୟାନ, ଆଦିବାସୀ ଓ ଅନ୍ୟାନ୍ୟ ୨୧ ଟି ଦଳିତ ଜାତିର ଲୋକଙ୍କୁ ମନ୍ଦିର ପ୍ରବେଶର ଅଧିକାରରୁ ବଞ୍ଚିତ କରାଯାଉଥିଲା। ଆଜି ଦଳିତ ଓ ଆଦିବାସୀଙ୍କୁ ମନ୍ଦିର ପ୍ରବେଶ ଅଧିକାର ମିଳିଛି। ଏଥିଲାଗି ଏ ଦେଶର ଗଣତାନ୍ତ୍ରିକ ସମାଜ ବ୍ୟବସ୍ଥା ଦାୟୀ। ସେ ଅଧିକାର କେହି ରାଜା, ସାଧୁ ବା ସେବାୟତ ଦେଇନାହାନ୍ତି। ସୁପ୍ରିମ କୋର୍ଟ ଶଙ୍କାରାଚାର୍ୟଙ୍କ ମତ ମାନିବାକୁ ବାଧ୍ୟ ବୋଲି ବଡ ଉଦ୍ଭଟ ଯୁକ୍ତି କରାଯାଉଛି।

ସେହିପରି ବଂଶାନୁକ୍ରମିକ ସେବା ବ୍ୟବସ୍ଥା ଉଚ୍ଛେଦ ପ୍ରଥମେ ଗଜପତି, ରାଜଗୁରୁ, ପୁରୋହିତ, ମୁଦିରସ୍ତ, ଦେଉଳ କରଣ ଇତ୍ୟାଦି ବଡ ବଡିଆଙ୍କ ପାଖରୁ ଆରମ୍ଭ ହେବା ଦରକାର। ଯେତେବେଳେ ଗୋଟେ ପ୍ରଥା ମଣିଷ ବିରୋଧୀ ଓ ଶୋଷଣକାରୀ ହୁଏ ସେତେବେଲେ ସେ ପରମ୍ପରାର ସଂସ୍କାର ଆବଶ୍ୟକ ନିହାତି ଜରୁରୀ। ସଂସ୍କାର ଓ ପରମ୍ପରା ଗୋଟେ ବନ୍ଧନୀ ରେ ରହିପାରିବେ ନାହିଁ।  ମନ୍ଦିର ପରିଚାଳନାରେ ବୃହତ୍ତର ସଂସ୍କାର ଆଣିବାକୁ ହେଲେ ଆଇନଗତ ଦିଗ ଓ ସାମାଜିକ ଆବଶ୍ୟକତା କୁ ଆଧାର ଭାବେ ଗ୍ରହଣ କରିବାକୁ ପଡିବ। ତାହା ନକରି ଆମେ ଯଦି ପରମ୍ପରାର ବାଟ ବାଛିବା, ତାହେଲେ ସଂସ୍କାର କେବେବି ଆସିବ ନାହିଁ