Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ ହୋଇଛି। ମାନ୍ୟବର ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ କୁମାର ପଣ୍ତା ଏହି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଲୋକକଳାର ମହାନ ପରମ୍ପରା ଓ ଇତିହାସ ସଂପର୍କରେ ଆଲୋକପାତ କରିଥିଲେ।

ସମୟକ୍ରମେ ସମାଜର ରୁଚି ବଦଳିବା ସହ ମନୋରଞ୍ଜନର ମାଧ୍ୟମ ଭିନ୍ନ ରୂପ ନେଇଛି। ମାତ୍ର ଲୋକକଳା ଏହାର ମହାନ ପରମ୍ପରା ବଜାୟ ରଖି ଏବେ ମଧ୍ୟ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଏହାର ସୁରକ୍ଷା ନିମନ୍ତେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି ମନ୍ତ୍ରୀ ଶ୍ରୀ ପଣ୍ତା ମତବ୍ୟକ୍ତ କରିଥିଲେ। ସେହିଭଳି କୃଷିଭିତ୍ତିକ ଗଣପର୍ବ ରଜ ମଧ୍ୟ ପାରସ୍ପରିକ ସ୍ନେହ, ପ୍ରେମ ଓ ସୌହାର୍ଦ୍ଦ୍ୟ ରକ୍ଷା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭେଇଥିବା ସେ କହିଥିଲେ।

ଏହି ଅବସରରେ ଯୋଗଦେଇ ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ ଲୋକକଳାକୁ ଲୋକପ୍ରିୟ କରିବା ନିମନ୍ତେ ସମସ୍ତଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଓଡିଶାର ମହାନ ପରମ୍ପରା, ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ବିଭିନ୍ନ ପର୍ବପର୍ବାଣି ପାଳନର ଭୂମିକା ଉପରେ ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, କର୍ପୋରେଟର ପ୍ରିତିନନ୍ଦା ରାଉତରାୟ, ଓଡିଶା ସଂଗୀତ ନାଟକ ଏକାଡେମୀ ଉପ ସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଲୋକକଳାର ସୁରକ୍ଷା ଓ ରଜ ପର୍ବ ପାଳନର ମହାନ ପରମ୍ପରା ସଂପର୍କରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉପଲକ୍ଷେ ବିଭାବରୀ ଫ୍ୟାଶନ ପକ୍ଷରୁ ଓଡିଆଣୀ ବେଶଭୂଷା ଉପରେ ସୁନ୍ଦର ପ୍ରଦର୍ଶନ କରାଯାଇଥିଲା।

ଲୁପ୍ତପ୍ରାୟ ଲୋକକଳାକୁ ପୁନଃ ଉଜ୍ବୀବିତ କରିବା ସହ ସଂପୃକ୍ତ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୧୯ ମସିହାରୁ ଆଜିର ଦିନକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛି।

କାର୍ଯ୍ୟକ୍ରମ ଶେଷରେ ସୋନପୁରର ଶାଶ୍ବତ ତ୍ରିପାଠୀ ଓ ସାଥି ମାନଙ୍କ ଦ୍ବାରା ସମ୍ବଲପୁରୀ ଲୋକନୃତ୍ୟ ଓ ଦିଗପହଣ୍ତିର ଶ୍ରୀ ବୃନ୍ଦାବନ ଜେନା ଓ ସାଥି ମାନଙ୍କ ପକ୍ଷରୁ ପ୍ରହଲ୍ଲାଦ ନାଟକ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଭାଗୀୟ ବରିଷ୍ଠ ଅଧିକାରୀ, ପ୍ରମୁଖ ଅଧିକାରୀ, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଓ ଲୋକ ସଂପର୍କ ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଜ ସଂକ୍ରାନ୍ତିର ଉପହାର, ସୁନ୍ଦର ପ୍ୟାକେଟରେ ଅଛି ଭଳିକି ଭଳି ପିଠା, ଜାଣନ୍ତୁ କେଉଁଠି ମିଳିବ

ଭୁବନେଶ୍ବର: ବର୍ତ୍ତମାନ ଉପହାର ଦେବା ଏକ ଫ୍ୟାସନରେ ପରିଣତ ହୋଇଛି। ବିଭିନ୍ନ ପର୍ବପର୍ବାଣୀରେ ଏହି ଉପହାର ଦିଆଯାଏ। ହେଲେ ସେଥିରେ କେବଳ ଡ୍ରାଏ ଫୁଡ କିମ୍ବା ମିଠା ପ୍ୟାକେଟ ପ୍ରଦାନ କରାଯାଏ। ହେଲେ ଏବେ ପିଠାକୁ ମଧ୍ୟ ଆପଣ ଉପହାର ଦେଇପାରିବେ। କାରଣ ତାହାକୁ ସେହିପରି ପ୍ୟାକେଜିଂ କରାଯାଇଛି।

ବାଉଁଶ କାଠିରେ ତିଆରି ଉପହାର ପେଡିରେ ପିଠା ରଖାଯାଇ ହଳଦିଆ ଜରିରେ ପ୍ୟାକେଟ କରାଯାଇଛି। ଫଳରେ ଯାହାକୁ ଦେବେ ଏକ ସମ୍ମାନ ଜନକ ପରିସ୍ଥିତି ସୃଷ୍ଟି ହେଉଛି। ଏହି ପ୍ୟାକେଟରେ ପୋଡପିଠା, ଆରିଶା ପିଠା, ନଡିଆପିଠା, କାକରା ପ୍ରଭୃତି ପିଠା ରଖାଯାଇଛି। ଏହି ପରି ଅତ୍ୟାଧୁନିକ ପିଠା ପ୍ୟାକେଟ ପାନ୍ଥନିବାସରେ ଆୟୋଜିତ ରଜ ଉତ୍ସବରେ ମିଳୁଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ରଜରେ କଣ ପାଇଁ ପୋଡପିଠା ଖାଇଥାନ୍ତି, କିଛି ରହିଛି କି କାରଣ ?

ଭୁବନେଶ୍ବର: ରଜ ନାମଟି ଉଚ୍ଚାରଣ କରିବା ମାତ୍ରେ ଆଖି ଆଗକୁ ଝଲସି ଆସି ପୋଡପିଠା ଆଉ ତାହାର ବାସ୍ନା। କାରଣ ଏହି ପୋଡପିଠା କେବଳ ରଜରେ ହିଁ କରାଯାଇଥାଏ। ପୋଡପିଠା ଆଉ ପାନଖିଆ ହେଉଛି ରଜର ଏକ ସ୍ବତନ୍ତ୍ର ପରଂପରା।

ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ରଜ ସମୟରେ କଣ ପାଇଁ ପୋଡପିଠା କରାଯାଏ। ଏହି ସମୟରେ କଣ ପାଇଁ ସମସ୍ତେ ପୋଡପିଠା ଖାଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏହାର ଉତ୍ତର ଜାଣିବାକୁ ହେଲେ ଓଡିଶାର ମହାନ ପ୍ରାଚୀନ ସଂସ୍କୃତି ଏବଂ ଆୟୁର୍ବେଦ ଶାସ୍ତ୍ରକୁ ଯିବାକୁ ପଡିବ।

ଓଡିଆ ଖାଦ୍ୟ ପ୍ରଣାଳୀରେ ପୋଡପିଠା ହେଉଛି ଏକ ଗରିଷ୍ଠ ବା ଗୁରୁ ଖାଦ୍ୟ ବୋଲି ଗ୍ରହଣ କରାଯାଇଛି। କାରଣ ଏହା ଚାଉଳ ଚୁନାର ଯନ୍ତା କରାଯାଇ ପିଠା ପ୍ରସ୍ତୁତ କରାଯାଇଥାଏ। ଏହି ନିଆଁରେ ବହୁ ସମୟ ଧରି ଘାଣ୍ଟିବାକୁ ପଡିଥାଏ। ଏହି ପିଠାକୁ ହାଣ୍ଡିରେ କିମ୍ବା ହଣ୍ଡାରେ ରଖି ଯନ୍ତିବା ଭାରୀ କଷ୍ଟ ଦାୟକ କାମ। ଏହାପରେ ପୁଣି ତାକୁ ଗୋଟିଏ ରାତି ନିଆଁରେ ପୋଡା ଯାଇଥାଏ। ଏଥିରେ ଗୁଡ ନଡିଆ ସହିତ କାଜୁ ପ୍ରଭୃତି ଜିନିଷ ପକାଯାଇଥାଏ।

ତେବେ ଏହି ଗରିଷ୍ଠ ଖାଦ୍ୟ ରଜ ସମୟରେ ଖାଇବାର କାରଣ ରହିଛି। ତାହା ହେଲା ରଜ ସମୟରେ ପ୍ରାୟତଃ ବର୍ଷାର ଆଗମନ ହୋଇଥାଏ। ତା ପୂର୍ବରୁ ଧରାପୃଷ୍ଠ ଖରାରେ ସିଝି ଗରମ ରହିଥାଏ। ସିଝା ମାଟି ଉପରେ ବର୍ଷା ପଡିଲେ ପ୍ରକୃତିରେ ଏକ ଭିନ୍ନ ପ୍ରକାରର ପରିବେଷ ସୃଷ୍ଟି ହୋଇଥାଏ। ଠିକ୍ ଏହି ସମୟରେ ମଣିଷର ହଜମ ଶକ୍ତି ବୃଦ୍ଧି ପାଇଥାଏ। ତାହାକୁ ମୁକିବିଲା କରିବା ପାଇଁ ପୋଡପିଠା ପରି ଗରିଷ୍ଠ ଖାଦ୍ୟକୁ ଆମର ପୂର୍ବପୁରୁଷମାନେ ବ୍ୟବହାର କରି ଆସୁଛନ୍ତି।

ଏହି ସମୟରେ ଜଗତର ନାଥ ଜଗନ୍ନାଥ ମଧ୍ୟ ପୋଡପିଠା ପରି ଗରିଷ୍ଠ ଖାଦ୍ୟକୁ ଗ୍ରହଣ କରିଥାନ୍ତି। ଆଷାଢ ମାସରେ ହେଉଥିବା ରଥଯାତ୍ରା ସମୟରେ ପୋଡପିଠା ଭୋଗ ଲାଗି କରିବା ପ୍ରଥା ରହିଛି। ଯେତେବେଳେ ତିନିଠାକରୁ ଗୁଣ୍ଡିଚା ଘରୁ ମନ୍ଦିରକୁ ଫେରନ୍ତି ସେତେବେଳେ ମାଉସୀମା ମନ୍ଦିରରେ ପୋଡପିଠା ଭୋଗ ପରଂପରା ରହିଛି। ତେଣୁ ବର୍ଷାର ଆଗମନରେ ପ୍ରଭୃ ମଧ୍ୟ ଏହି ଗରିଷ୍ଠ ଖାଦ୍ୟ ଗ୍ରହଣ କରିଥାନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ ହୋଇଛି। ମାନ୍ୟବର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଏହାକୁ ଉଦଘାଟନ କରିବା ସହ ଲୋକକଳାର ପରମ୍ପରା ଏବେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି ବୋଲି କହିଥିଲେ।

ଓଡିଶାର ଭାଷା,ସାହିତ୍ୟ ସଂସ୍କୃତି ଓ ପରମ୍ପରା ସହ ରାଜ୍ୟର ଲୋକକଳା ଓତଃପ୍ରୋତ ଭାବେ ଜଡିତ। ଏହାର ଲୋକପ୍ରିୟତା ବଜାୟ ରଖିବାର ସମୟ ଆସିଛି। ସେହିଭଳି ଗଣପର୍ବ ରଜ ମଧ୍ୟ ମୌଳିକତା ହରେଇ ନଥିବା ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା କହିଲେ ଯେ ଆଧୁନିକତାର ଚାକଚକ୍ୟରେ ଲୋକକଳା ଏହାର ମୌଳିକତା ଅକ୍ଷୁର୍ଣ୍ଣ ରଖିବାରେ ସଫଳ ହୋଇଛି। ଲୋକକଳାର ସୁରକ୍ଷା ଓ ଏହାକୁ ଲୋକାଭିମୁଖୀ କରିବା ପାଇଁ ଭବିଷ୍ୟତ ପିଢି ପ୍ରୟାସୀ ହେବା ଆବଶ୍ୟକତା ରହିଛି।

କଳାକାର ମାନଙ୍କ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରାମାଞ୍ଚଳ ଓ ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରରେ ଲୋକକଳା ଦିବସ ପାଳନ ନିମନ୍ତେ ପ୍ରୋତ୍ସାହିତ କରିବାରେ ସଂସ୍କୃତି ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ।

ସେହିଭଳି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ବିଭାଗର ବିଭିନ୍ନ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ। କଳାକାର ମାନଙ୍କ ସ୍ବାର୍ଥ ରକ୍ଷାକରିବା ନିମନ୍ତେ ବିଭାଗ କାର୍ଯ୍ୟ କରୁଥିବା ସେ ମତବ୍ୟକ୍ତ କରିଥିଲେ। ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି ନିଜର ମତାମତ ପ୍ରଦାନ କରିଥିଲେ। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଲୁପ୍ତପ୍ରାୟ ଲୋକକଳାକୁ ପୁନଃ ଉଜ୍ବୀବିତ କରିବା ସହ ସଂପୃକ୍ତ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୧୯ ମସିହାରୁ ଆଜିର ଦିନକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛି।

ସଂସ୍କୃତି ଭବନ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ରଜ ଉପଲକ୍ଷେ ବିଭିନ୍ନ ପାରମ୍ପରିକ ଓଡିଆ ଖାଦ୍ୟ ସାମଗ୍ରୀ ଓ ବିଭିନ୍ନ ହସ୍ତତନ୍ତ ସାମଗ୍ରୀ ଗ୍ରାହକ ମାନଙ୍କ ନିମନ୍ତେ ଉପଲବ୍ଧ ରହିଛି।

କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରର ଲହରୀ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ୟ, କଟକର ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ଦ୍ବାରା ଘୋଡାନାଚ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଭାଗୀୟ ବରିଷ୍ଠ ଅଧିକାରୀ, ପ୍ରମୁଖ ଅଧିକାରୀ, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ। ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।