Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ର ଶୁଭାରମ୍ଭ, ମାସେ ଧରି ସବୁ ଗାଁରେ ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଲୋକ କଳାକାର ମାନଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା ଓ ସଂଚାର (IEC) କାର୍ଯ୍ୟକ୍ରମ। ଲୋକମାନେ ପାଇବେ ବିକାଶର ବାର୍ତ୍ତା, ରୂପାନ୍ତରିତ ଓଡିଶାର ବାର୍ତ୍ତା ।

ଏହାଦ୍ବାରା ଜନସାଧାରଣ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଜାଣିବା ସହିତ ସରକାରଙ୍କ କାର୍ଯ୍ୟକ୍ରମରେ, ବିକାଶ କାର୍ଯ୍ୟକ୍ରମରେ ସହଭାଗୀ ହୋଇପାରିବେ ।

ଏହି ଅଭିଯାନରେ ଏକ ମାସ ଧରି ରାଜ୍ୟର ସବୁ ଗାଁ, ୫୧୧୬୮ଟି ଗାଁରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସାରା ରାଜ୍ୟରେ ୨୨ ହଜାର ଲୋକ କଳାକାର ଦଳ ପଞ୍ଜୀକୃତ ହୋଇଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଲୋକ କଳାକାର ମାନଙ୍କର ଖୁବ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆମର ଲୋକ କଳାକାର ମାନେ ବହୁତ ଭଲ କାମ କରୁଛନ୍ତି। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବାର୍ତ୍ତା ଆପଣ ମାନେ ଲୋକଙ୍କୁ ଦେଉଛନ୍ତି। ଏହାଦ୍ଵାରା ଆମର ଲୋକକଳାର ଆଦର ବଢୁଛି ଏବଂ ଆମ କଳାକାରମାନେ ମଧ୍ୟ ରୋଜଗାର ପାଉଛନ୍ତି।

ରାଜ୍ୟର ଲକ୍ଷ ଲକ୍ଷ ଲୋକ ଙ୍କୁ ଆପଣମାନେ ସଶକ୍ତ କରୁଛନ୍ତି ବୋଲି ମତ ଦେବା ସହିତ ସେ କହିଥିଲେ ଯେ ମୋ ସରକାର କଳା ଓ କଳାକାରଙ୍କ ଉନ୍ନତି ପାଇଁ ସଂକଳ୍ପବଦ୍ଧ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଆମ କଳା ଓ କଳାକାର ମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର 2010 ରୁ କଳାକାର ସଂଘ ଗଠନ କରିଛି। ଏହି ଉପକ୍ରମ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିଲା ବୋଲି ସୂଚନା ଦେଇ ସେ କହିଲେ ଯେ ଏବେ ଏହା ସବୁ ଜିଲ୍ଲା ଓ ସବୁ ବ୍ଲକରେ କାର୍ଯ୍ୟକାରୀ ହୋଇପାରିଛି।

ଆମ ରାଜ୍ୟର କଳାକାର ସଂଘ ସାରା ବିଶ୍ଵରେ ଅନନ୍ୟ ବୋଲି ମତ ଦେଇ ସେ କହିଥିଲେ ଯେ ଆପଣ ମାନଙ୍କ ସହଯୋଗରେ ଆଜି ଏହି ସଂଘ ଆଗକୁ ବଢୁଛି।

ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ କଳାକାର ସାମିଲ ହେଉଥିବା ଜାଣି ସେ ଖୁସି ପ୍ରକାଶ କରିବା ସହିତ କହିଥିଲେ ଯେ ମିଶନ ଶକ୍ତି ପରି ସବୁ କଳାକାର ସଂଘକୁ ଆହୁରି ମଜବୁତ କରାଯିବ। ସାରା ରାଜ୍ୟରେ ଦୁଇ ଲକ୍ଷରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଥିଲେ।

ଏଥିପାଇଁ ସମସ୍ତ ଲୋକ କଳାକାର ମାନଙ୍କୁ ସେ ଶୁଭକାମନା ଜଣାଇଥିଲେ।

କଳାକାର ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାକାର ମାନେ ମୋର ପରିବାରର ସଦସ୍ୟ ଭଳି। ଆପଣମାନେ ଭଲ କାମ ଜାରି ରଖନ୍ତୁ, ମୁଁ ଓ ରାଜ୍ୟ ସରକାର ସବୁବେଳେ ସହଯୋଗ ଯୋଗାଇ ଦେବୁ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର କହିଲେ ଯେ ଓଡିଶା ହେଉଛି ପାରମ୍ପାରିକ କଳାର ଗନ୍ତାଘର। ରାଜ୍ୟ ସରକାର କଳାକାରମାନଙ୍କ କଲ୍ୟାଣ ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଦ୍ୱାରା କଳାକାରମାନେ ମଧ୍ୟ ଆର୍ଥିକ ସ୍ତରରେ ଉପକୃତ ହେଉଛନ୍ତି।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରି କହିଲେ ଯେ ମୁଖ୍ୟମନ୍ତ୍ରୀ ଦୁଇଟି ବିଷୟ ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ପ୍ରଥମ କଥା ହେଲା କଳାକାରମାନଙ୍କ ସମ୍ମାନ। ସେମାନଙ୍କୁ ସମ୍ମାନ ଦେଇ ଜିଲ୍ଲା ପ୍ରଶାସନ ସେମାନଙ୍କ ସମସ୍ତ ଦେୟ ତୁରନ୍ତ ପ୍ରଦାନ କରିବା ଉଚିତ୍। ଦ୍ୱତୀୟ କଥା ହେଉଛି ମିଶନ ଶକ୍ତି ଯେପରି ସୁଦୃଢ ହୋଇଛି କଳାକାରମାନଙ୍କ ସଂଘ ଗୁଡିକ ମଧ୍ୟ ସେହିପରି ସୁଦୃଢ ହେବା ଆବଶ୍ୟକ। ଏଥିପାଇଁ ଜିଲ୍ଲାପାଳ, ବିଡିଓ ଓ ସଂପୂର୍ଣ୍ଣ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି ଗଞ୍ଜାମ ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପ-ସଭାପତି ଶ୍ରୀ ସନ୍ତୋଷ କୁମାର ପାଢୀ ଏବଂ ସୁନ୍ଦରଗଡ ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପ-ସଭାପତି ଶ୍ରୀ ଫକୀର ବାଡ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଜି ଆମେ କାମ ପାଉଛୁ, ରୋଜଗାର ପାଉଛୁ ଓ ସମ୍ମାନ ମଧ୍ୟ ପାଉଛୁ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆମେ ଏକ ସ୍ବତନ୍ତ୍ର ପରିଚୟ ପାଇଛୁ। ମୁଖ୍ୟମନ୍ତ୍ରୀଙ୍କୁ ଆମେ କୃତଜ୍ଞତା ଜଣାଉଛୁ।

ସ୍ବାଗତ ଭାଷଣ ଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ କହିଲେ ଯେ ଏହା ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ୨୦୦୯-୧୦ ବର୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୂଖୀ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ଏକ mega IEC campaign ।

ଏଥିରେ ୧୦ ବିଭାଗର ୧୫ଟି ଯୋଜନାର ପ୍ରଚାର ପ୍ରସାର କରାଯିବ। ଏହା ମାଧ୍ୟମରେ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ଲୋକଙ୍କ ପାଖରେ ସହଜରେ ଓ ସୁବିଧାରେ ପହଞ୍ଚି ପାରୁଛି। ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ ଲୋକକଳାର କଳାକାର ମାନେ ସେମାନଙ୍କ କଳା ଚାତୁରୀ ମାଧ୍ୟମରେ ବିଭିନ୍ନ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ।

ପାରମ୍ପରିକ ଦଣ୍ଡ ନାଚ, ରାସ, କରମା ସାନି ପାଲା, ଦାସକାଠିଆ, ସଂକୀର୍ତ୍ତନ, ଛଉ ନୃତ୍ୟ, ଘୋଡ଼ା ନାଚ, ମୋଗଲ ତାମସା, ପ୍ରହଲ୍ଲାଦ ନାଟକ, ସୁଆଙ୍ଗ, ରାମଲୀଳା, ଖଞ୍ଜଣୀ ଭଜନ, କେନ୍ଦରା ଗୀତ, ଚକୁଳିଆ ପଣ୍ଡା, ଭାରତଲୀଳା, ସମ୍ବଲପୁରୀ ନୃତ୍ୟ, ଘୁମୁରା ନୃତ୍ୟ, ଢାପ ନୃତ୍ୟ, ବଣ୍ଡା, କୋୟା, ସାନ୍ତାଳୀ, ପରଜା, ଢେମସା ଆଦି ବିଭିନ୍ନ ପ୍ରକାରର ଲୋକଗୀତ, ଲୋକ, ଲୋକନୃତ୍ୟ ଓ ଲୋକ ନାଟକରେ କଳାକାରମାନେ ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ସରକାରଙ୍କ ଲୋକହିତକର ଉନ୍ନୟନ ମୂଳକ ଯୋଜନା ଗୁଡିକୁ ପ୍ରଚାର ପ୍ରସାର କରି ଜନସାଧାରଣ ମାନଙ୍କୁ ସଚେତନତା କରିବା ଏହି ଅଭିଯାନର ମୂଳଲକ୍ଷ୍ୟ । ଏହି ମନୋରଞ୍ଜନ ମାଧ୍ୟମରେ କଳାକାର ମାନେ ତଥ୍ୟଭିତ୍ତିକ ଉପସ୍ଥାପନ କରିବେ ।

ଏଥିପାଇଁ ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ସରକାର କଳାକାର ମାନଙ୍କୁ ଜିଲ୍ଲା ଓ ବ୍ଲକ ସ୍ତରରେ ତାଲିମ ପ୍ରଦାନ କରିଛନ୍ତି ।

ଲୋକକଳା ମାଧ୍ୟମରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଗଲେ ଏହାର ପ୍ରଭାବ ଅଧିକ ରହିବ। କଳାକାରମାନେ ବିଭିନ୍ନ ବିଭାଗର ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ନିଜକୁ ସାମିଲ କରି ପାରିଶ୍ରମିକ ଭିତ୍ତିରେ ଆର୍ଥିକ ଭାବେ ଲାଭାନ୍ଵିତ ହୋଇପାରିବେ। କଳାକାର ବଞ୍ଚିବା ସହ ଏହି ପାରମ୍ପରିକ ଲୋକକଳା ନୂତନ ପିଢିକୁ ସଂପ୍ରସାରିତ ହୋଇପାରିବ।

ଏଥିନିମନ୍ତେ କଳାକାରମାନେ ସେମାନଙ୍କ ଖୁସିବ୍ୟକ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

କଳାକାର ମାନଙ୍କ ନିମନ୍ତେ ଏହି ସଂଘ ପ୍ରତିଷ୍ଠା କରିବାରେ ଓଡିଶା ହେଉଛି ଦେଶରେ ପ୍ରଥମ। ପ୍ରତି ଜିଲ୍ଲାରେ ଲୋକକଳା ଗ୍ରାମର ସ୍ଥାପନା କରାଯାଇଛି ଓ ପ୍ରତିବର୍ଷ ଲୋକକଳା ଦିବସ ପାଳନ କରାଯାଉଛି। ବର୍ତ୍ତମାନ ରାଜ୍ୟର ୫୦ ହଜାର କଳାକାରମାନଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପ୍ରଦାନ କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ବ୍ଲକ୍‌ ଓ ଜିଲ୍ଲା ଲୋକକଳା ସଂସ୍କୃତି ସଂଘକୁ ଉଦବୋଧନ ଦେଲେ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ।ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-‘ଟି’ ତଥା ‘ ଆମ ଓଡିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ବ୍ଲକ୍‌ ଓ ଜିଲ୍ଲା ଲୋକକଳା ସଂସ୍କୃତି ସଂଘ ପ୍ରତିନିଧିମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ସେ ଏହା କହିଛନ୍ତି।

ସଂସ୍କୃତିକୁ ଗତିଶୀଳ କରିବା ନିମନ୍ତେ ଲୋକକଳା ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ।ଲୋକକଳା ବଞ୍ଚିବାକୁ ହେଲେ କଳାକାରମାନଙ୍କ ଉନ୍ନତି ହେବା ଉଚିତ ବୋଲି ଶ୍ରୀ ପାଣ୍ଡିଆନ୍‌ କହିଥିଲେ। ଏଥି ନିମନ୍ତେ ସରକାର ଆସନ୍ତା ୩ରୁ ୪ ମାସ ମଧ୍ୟରେ କଳାକାରମାନଙ୍କୁ ଖୁସି ଖବର ଦେବେ ବୋଲି ସେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଣେ କଳାପ୍ରେମୀ ହୋଇଥିବାରୁ କଳାକାରମାନଙ୍କ ଉନ୍ନତି ନିମନ୍ତେ ସେ ସର୍ବଦା ଗୁରୁତ୍ୱାରୋପ କରୁଥିବା କହିଥିଲେ।

ମିଶନ ଶକ୍ତି ଯେପରି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି ଅନୁରୂପ ଢାଞ୍ଚାରେ କଳାକାର ସଂଘକୁ ସଶକ୍ତ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ସେ କହିଥିଲେ। ସମସ୍ତ ସଂଘକୁ ୫-‘ଟି’ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବା ସହ ବ୍ଲକ୍‌ ଏବଂ ଜିଲ୍ଲାସ୍ତରୀୟ ସଂଘ କାର୍ଯ୍ୟାଳୟ ଖୋଲାଯିବ। ଓଡ଼ିଶାକୁ ଆଗେଇ ନେବା ସହ ସଶକ୍ତ ରାଜ୍ୟରେ ପରିଣତ କରିବା ନିମନ୍ତେ ସେ ଆହ୍ୱାନ ଦେଇଥିଲେ । ନବୀନ ଓଡ଼ିଶା ଗଠନ ନିମନ୍ତେ କଳାକାରମାନଙ୍କ ଗୁରୁ ଭୂମିକା ଥିବା ସେ କହିଥିଲେ।

ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଥିବାବେଳେ ଏକ ଅଭିଜ୍ଞତାକୁ ଭିତ୍ତି କରି ଶ୍ରୀ ପାଣ୍ଡିଆନ୍‌ କହିଲେ ଯେ ପନ୍ଦର ବର୍ଷ ତଳେ ଗଞ୍ଜାମ ଜିଲ୍ଲାରେ ଏଡସ୍‌ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଥିଲା। ଏଥି ନିମନ୍ତେ ଲୋକକଳାର ଭୂମିକା ପ୍ରଶଂସନୀୟ ଥିଲା ଓ ଦୁଇବର୍ଷ ମଧ୍ୟରେ ଏହାର ସୁଫଳ ମିଳିଥିଲା ବୋଲି ସେ କହିଥିଲେ। ଲୋକକଳାର ପ୍ରଭାବୀ ସଚେତନତା ସରକାରଙ୍କ ବିଭିନ୍ନ ଯୋଜନାର ରୂପରେଖକୁ ତୃଣମୂଳ ସ୍ତରରେ ପହଞ୍ଚାଇ ପାରିବ ବୋଲି ସେ ଉଲ୍ଲେଖ କରିଥିଲେ।

ଆଜିର ସମ୍ମିଳନୀରେ ଅଭିଜ୍ଞତାସଂପନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି ନିମନ୍ତେ କଳାକାରମାନଙ୍କୁ ପରାମର୍ଶ ଦିଆଯିବା ସହ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ, ମିଶନ ଶକ୍ତି ଯୁଗ୍ମ ଶାସନ ସଚିବ ଶ୍ରୀ ବିନୋଦ ଜେନା, ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଅତସୀ ଦାସ, ସୁବୋଧ ଆଚାର୍ଯ୍ୟ, ଉପନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ, ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନର ପରାମର୍ଶଦାତା ଶ୍ରୀ କୃଷ୍ଣଚନ୍ଦ୍ର ନିଶାଙ୍କ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଲୋକକଳା ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନେଶ୍ବର: ଲୋକକଳା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ଥାନୀୟ ଭଞ୍ଜକଳା ମଣ୍ତପରେ ଆୟୋଜିତ ରାଜ୍ୟସ୍ତରୀୟ ସଂସାଧନ ସଭ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି।

ଉକ୍ତ ଉଦଯାପନୀ ଉତ୍ସବରେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ ଲୋକକଳାର ବିଷୟବସ୍ତୁ ଅତ୍ୟନ୍ତ ହୃଦୟସ୍ପର୍ଶୀ। ପାରମ୍ପରିକ ନାଚ ଓ ଗୀତର ପ୍ରାସଙ୍ଗିକତା ଏବେ ମଧ୍ୟ ସୁସ୍ପଷ୍ଟ। ଏହା ମାଧ୍ୟମରେ ସଚେତନତା ସୃଷ୍ଟି ସକାରତ୍ମକ ପ୍ରଭାବ ପକାଇବ ବୋଲି ସେ ଉଲ୍ଲେଖ କରିଥିଲେ।

ସେହିଭଳି ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଲୋକକଳାର ପରମ୍ପରାକୁ ବଜାୟ ରଖିବାକୁ ସମସ୍ତଙ୍କ ଉଦ୍ୟମର ଆବଶ୍ୟକତା ଥିବା କହିଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖରୁ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଲା, ଦାସକାଠିଆ, ଘୋଡାନାଚ ଏବଂ ସଂପୃକ୍ତ ଜିଲ୍ଲାର ଲୋକପ୍ରିୟ ଲୋକକଳା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏଠାରୁ ପ୍ରଶିକ୍ଷଣ ନେଇ କଳାକାର ମାନେ ସଂପୃକ୍ତ ଜିଲ୍ଲାର ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିବେ। ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ମାନେ ବ୍ଲକ ସ୍ତରରେ ତାଲିମ ପ୍ରଦାନ କରିବେ। ଉକ୍ତ ପ୍ରଶିକ୍ଷଣ ନେଇଥିବା ସଂସାଧନ ସଭ୍ୟ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯିବ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ।

ଆଜିର କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଉପ ସଭାପତି ମନ୍ମଥ ଶତପଥି, ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ନିଶଙ୍କ ଉପସ୍ଥିତ ଥିବାବେଳେ ଉପନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଲୋକକଳାକାରଙ୍କ ପାଇଁ ଖୁସି ଖବର, ବିଭିନ୍ନ ସରକାରୀ ଯୋଜନାର ପ୍ରସାର ପାଇଁ ହେବେ ସାମିଲ

ଭୁବନେଶ୍ବର: ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ। ୫-ଟି ଉପକ୍ରମରେ ସରକାରଙ୍କ ପକ୍ଷରୁ ଜାରି ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରିବା ଏବଂ କୌଣସି ଯୋଜନାରୁ ଯେପରି ଯୋଗ୍ୟବ୍ୟକ୍ତି ବାଦ ନପଡନ୍ତି ଏ ସଂପର୍କରେ ଲୋକକଳା ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଲା, ଦାସକାଠିଆ, ଘୋଡାନାଚ ଏବଂ ସଂପୃକ୍ତ ଜିଲ୍ଲାର ଲୋକପ୍ରିୟ ଲୋକକଳା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏ ସଂପର୍କରେ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ ମିଳିତ ଉପସ୍ଥିତିରେ ଭର୍ଚ୍ୟୁଆଲ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସମସ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀମାନେ ଯୋଗ ଦେଇଥିଲେ।

ସେହିଭଳି ଗତକାଲି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଛି।ଏଥିରେ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ଉଭୟ ବିଭାଗର ନିର୍ଦ୍ଦେଶକ ଏବଂ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଛି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯିବ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାପୂର୍ବରୁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ କଳା ମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ। ଏଥିରେ ବ୍ଲକ ଓ ଜିଲ୍ଲା କଳା ସାଂସ୍କୃତିକ ସଂଘକୁ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ନିକଟରେ ଲୋକକଳା କଳାକାର ମାନଙ୍କ ପରିବେଷଣ ଜନିତ ପାରିଶ୍ରମିକ ରାଜ୍ୟ ସରକାର ବୃଦ୍ଧି କରିଥିବାରୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଲୋକକଳା କଳାକାରଙ୍କ ପାରିଶ୍ରମିକରେ ହେଲା ଉଲେଖନୀୟ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । ୨୦୦୯ ମସିହାରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାରମାନଙ୍କ ସଂଘ ଗଠନ କରାଯାଇଛି।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ବାରା ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରୋତ୍ସାହନ ଦିଆଯାଉଛି।

କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାର ମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଯେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଲୋକକଳା ଜରିଆରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ତଥା ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଚାର ପ୍ରସାର କରାଯାଇଥାଏ।

ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ଲୋକକଳା ପାଇଁ ଗୋଟିଏ ଦିନରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ କରିବା ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା କରାଯାଇଛି । ଦଳର ମୁଖ୍ୟଙ୍କୁ ଦିନକୁ ୧୦୦୦ ଟଙ୍କା ଓ ଅନ୍ୟ ସଦସ୍ୟ ମାନଙ୍କୁ ୮୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହାସହିତ, କଳାକାର ମାନଙ୍କ ଗମନାଗମନ ଓ ଖାଦ୍ୟ ପାଇଁ ଜଣ ପିଛା ଦୈନିକ ୩୦୦ ଟଙ୍କା ଲେଖାଏ ଦିଆଯିବ।

ଏହି ନୂତନ ପାରିଶ୍ରମିକ ଅନୁଯାୟୀ ଦାସକାଠିଆ ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୨୦୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ଏକ ଦୁଇ ଜଣିଆ ଦଳକୁ ଏକକାଳୀନ ୨୪୦୦ ଟଙ୍କା ପ୍ରଦାନ କରାଯିବ।

ସେହିପରି ପାଲା ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ଏବେ ଏକ ୬ ଜଣିଆ ଦଳକୁ ଏକକାଳୀନ ୬୮୦୦ ଟଙ୍କା ଦିଆଯିବ।

ଘୋଡାନାଚ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ୮ ଜଣିଆ ଘୋଡାନାଚ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ।

ସେହିପରି ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୪୦୦ ଟଙ୍କା ଦିଆଯାଉଥିଲା। ଏବେ ଏକ ୮ ଜଣିଆ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ।

ଲୋକକଳାର ସୁରକ୍ଷା ତଥା କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏହି ପଦକ୍ଷେପ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ ହୋଇଛି। ମାନ୍ୟବର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଏହାକୁ ଉଦଘାଟନ କରିବା ସହ ଲୋକକଳାର ପରମ୍ପରା ଏବେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି ବୋଲି କହିଥିଲେ।

ଓଡିଶାର ଭାଷା,ସାହିତ୍ୟ ସଂସ୍କୃତି ଓ ପରମ୍ପରା ସହ ରାଜ୍ୟର ଲୋକକଳା ଓତଃପ୍ରୋତ ଭାବେ ଜଡିତ। ଏହାର ଲୋକପ୍ରିୟତା ବଜାୟ ରଖିବାର ସମୟ ଆସିଛି। ସେହିଭଳି ଗଣପର୍ବ ରଜ ମଧ୍ୟ ମୌଳିକତା ହରେଇ ନଥିବା ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା କହିଲେ ଯେ ଆଧୁନିକତାର ଚାକଚକ୍ୟରେ ଲୋକକଳା ଏହାର ମୌଳିକତା ଅକ୍ଷୁର୍ଣ୍ଣ ରଖିବାରେ ସଫଳ ହୋଇଛି। ଲୋକକଳାର ସୁରକ୍ଷା ଓ ଏହାକୁ ଲୋକାଭିମୁଖୀ କରିବା ପାଇଁ ଭବିଷ୍ୟତ ପିଢି ପ୍ରୟାସୀ ହେବା ଆବଶ୍ୟକତା ରହିଛି।

କଳାକାର ମାନଙ୍କ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରାମାଞ୍ଚଳ ଓ ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରରେ ଲୋକକଳା ଦିବସ ପାଳନ ନିମନ୍ତେ ପ୍ରୋତ୍ସାହିତ କରିବାରେ ସଂସ୍କୃତି ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ।

ସେହିଭଳି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ବିଭାଗର ବିଭିନ୍ନ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ। କଳାକାର ମାନଙ୍କ ସ୍ବାର୍ଥ ରକ୍ଷାକରିବା ନିମନ୍ତେ ବିଭାଗ କାର୍ଯ୍ୟ କରୁଥିବା ସେ ମତବ୍ୟକ୍ତ କରିଥିଲେ। ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି ନିଜର ମତାମତ ପ୍ରଦାନ କରିଥିଲେ। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଲୁପ୍ତପ୍ରାୟ ଲୋକକଳାକୁ ପୁନଃ ଉଜ୍ବୀବିତ କରିବା ସହ ସଂପୃକ୍ତ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୧୯ ମସିହାରୁ ଆଜିର ଦିନକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛି।

ସଂସ୍କୃତି ଭବନ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ରଜ ଉପଲକ୍ଷେ ବିଭିନ୍ନ ପାରମ୍ପରିକ ଓଡିଆ ଖାଦ୍ୟ ସାମଗ୍ରୀ ଓ ବିଭିନ୍ନ ହସ୍ତତନ୍ତ ସାମଗ୍ରୀ ଗ୍ରାହକ ମାନଙ୍କ ନିମନ୍ତେ ଉପଲବ୍ଧ ରହିଛି।

କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରର ଲହରୀ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ୟ, କଟକର ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ଦ୍ବାରା ଘୋଡାନାଚ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଭାଗୀୟ ବରିଷ୍ଠ ଅଧିକାରୀ, ପ୍ରମୁଖ ଅଧିକାରୀ, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ। ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।