Categories
ଆଜିର ଖବର ରାଜ୍ୟ ଖବର

ଜାତି ଭିତ୍ତିରେ ଜନଗଣନା ପାଇଁ ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ଦାବି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଓଡିଶାର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଜାତି ଭିତ୍ତିରେ ଜନଗଣନା ପାଇଁ ଦାବି କରିଛନ୍ତି । 2021ରେ ଅନୁଷ୍ଠିତ ହେବାକୁ ଥିବା ଜନଗଣନା ଜାତି ଭିତ୍ତିରେ କରିବା ପାଇଁ ସାଂସଦ ଦାବି କରିଛନ୍ତି । 1931ରେ ଶେଷଥର ପାଇଁ ଜାତି ଭିତ୍ତିରେ ଜନଗଣନା କରାଯାଇଥିଲା । 2011ରେ ମଧ୍ୟ ଜାତି ଭିତ୍ତିରେ ଜନଗଣନା କରାଯାଇଥିଲା ମାତ୍ର ପଛୁଆବର୍ଗଙ୍କ ତାଲିକା ପ୍ରକାଶ କରାଯାଇନଥିଲା । 2021ରେ ଜାତି ଭିତ୍ତିକ ଜନଗଣନା କରାଗଲେ ବିଭିନ୍ନ ପଛୁଆବର୍ଗର ଜାତିମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧାର ଲାଭ ଉଠାଇ ପାରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀ ସାରା ଦିଲ୍ଲୀପ ରାୟଙ୍କ ହୋଡିଂ ଲଗିବା ପଛରେ କଣ ରହିଛି ରହସ୍ୟ, ରାଜ୍ୟସଭା ଯିବା ଖୁସିରେ କି ?

ସଂବିତ ତ୍ରିପାଠୀ

ଭୁବନେଶ୍ବର- ବର୍ତ୍ତମାନ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପୂର୍ବତ୍ତନ ବିଧାୟକ ତଥା ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ହୋଡିଂ ଦେଖିବାକୁ ମିଳିଛି। ଯେଉଁଥିରେ ଲେଖା ଅଛି  ICON OF SILENT SUCESS । ଯାହାକୁ ଓଡିଆରେ କୁହାଯାଇ ପାରିବ ନିରବର ସଫଳ ବ୍ୟକ୍ତିତ୍ବ । ତେବେ ଏହା ଦିଲ୍ଲୀପ ରାୟଙ୍କ ଜୟନ୍ତି କମିଟ ତରଫରୁ କରାଯାଇଥିଲେ ମଧ୍ୟ ତା ପଛରେ ଦିଲ୍ଲୀପଙ୍କ ହାତ ରହିଛି ଏଥିରେ ସନ୍ଦେହ ନାହିଁ। ଏହି କମିଟ ତରଫରୁ ଦିଲ୍ଲୀପଙ୍କ ଜନ୍ମଦିନ ପ୍ରତିବର୍ଷ ପାଳନ କରାଯାଏ। ହେଲେ ଚଳିତ ବର୍ଷ ଯେପରି ଧୂମଧାମରେ ପାଳନ କରାଯାଇଛି ସେଥିରୁ କାହିଁକି କେଜାଣି ରାଜନୈତିକ ଗନ୍ଧ ବାରି ହୋଇ ପଡୁଛି। ତାଙ୍କର ଜନ୍ମଦିନ କାର୍ଯ୍ୟକ୍ରମରେ ବଲଉଡ ଅଭିନେତା ଗୋବିନ୍ଦା ଆସିଥିଲେ। ହେଲେ ତାହା ବଡ କଥା ନୁହେଁ। ବଡ କଥା ହେଲା ତାଙ୍କ ଜନ୍ମଦିନରେ ମଞ୍ଚରେ ଏବଂ ଦର୍ଶକ ଭାବେ ବସିଥିଲେ ବହୁ ବିଜେଡି ନେତା ଆଉ ଖୁବ କମ ବିଜେପି ନେତା।

ଦିଲ୍ଲୀପଙ୍କ ହୋଡିଂରେ ଲେଖାଥିବା ସେହି ସ୍ଲୋଗାନ, ନିରବତାର ସଫଳ ବ୍ୟକ୍ତିତ୍ବ କଥାକୁ ତର୍ଯ୍ୟମା କଲେ ଜଣାପଡେ ତାହା ସତକଥା । କାରଣ ଗତ ନିର୍ବାଚନରେ ଦିଲ୍ଲୀପ ବିଜେଡି ତରଫରୁ ପ୍ରାର୍ଥୀ ହେବେ ବୋଲି ବହୁ ଆଶା କରିଥିଲେ। ଏପରିକି ସେ ଏକାକି ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଖା ମଧ୍ୟ କରିଥିଲେ। ହେଲେ କାହିଁକି କେଉଁଠି ତାଙ୍କର ସେ ଯୋଜନା ସଫଳ ହୋଇପାରିଲା ନାହିଁ। ତାଙ୍କର ପରମ ବନ୍ଧୁ ବିଜୟ ମହାପାତ୍ର ବିଜେପି ଛାଡିବା ଏବଂ ପୁଣି ଯୋଗଦେବା ପ୍ରସଂଗକୁ ଦିଲ୍ଲୀପଙ୍କ ହଜମ କରିପାରି ନ ଥିଲେ। ସେଥିପାଇଁ ସମସ୍ତେ ଆଶା କରୁଥିଲେ ଦିଲ୍ଲୀପ ବିଜୟ ହାତ ଛାଡି ବିଜେଡି ହାତ ଧରିବେ। ନିର୍ବାଚନ ସରିଗଲା ସିନା ଦିଲ୍ଲୀପଙ୍କ ଭାଗ୍ୟରେ ସେପରି କିଛି ଉଦୟ ହେଲା ନାହିଁ।

ବର୍ତ୍ତମାନ ଦିଲ୍ଲୀପଙ୍କ ନିକଟତମ ମହଲର ଖବର ଅନୁସାରେ ସେ ବିଜେଡିରେ ମିଶିବା ପାଇଁ ସବୁ ପ୍ରକାରର ଯୋଜନା କରିସାରିଛନ୍ତି। ଏତିସହିତ ବିଜେଡି ମଧ୍ୟ ତାଙ୍କୁ ନେବା ପାଇଁ ରାଜି ହୋଇଯାଇଛି। ନିକଟରେ ଯେଉଁ 4ଟି ରାଜ୍ୟସଭା ପଦ ଖାଲି ରହୁଛି ସେଥିରୁ ଦିଲ୍ଲୀପଙ୍କୁ ଗୋଟିଏ ଦେବା ପାଇଁ କୁଆଡେ ସୁପ୍ରିମୋ ରାଜି । ହେଲେ ତା ପୂର୍ବରୁ ଅର୍ଥାତ ଆସନ୍ତା ଫେବୃୟାରୀରେ ଦିଲ୍ଲୀପ ବିଜେଡିରେ ମିଶିବେ। ଫଳରେ ଦୀର୍ଘଦିନ ଧରି ଦିଲ୍ଲୀପ ଯେପରି ରାଜନୈତିକ କ୍ୟାରିୟରକୁ ନେଇ ଚିନ୍ତା ଗ୍ରସ୍ତ ଥିଲେ ଏବେ ଟିକିଏ ହାଲକା ହୋଇଯାଇଛନ୍ତି। ସେଥିପାଇଁ ଏଥରର ଜନ୍ମ ଦିନଟି ବହୁ ଆଡମ୍ବରରେ ପାଳନ କଲେ ବୋଲି ତାଙ୍କ ସମର୍ଥକମାନେ ସ୍ପଷ୍ଟ କରିଛନ୍ତି। କାରଣ ଏତେ ବଡ ନିର୍ବାଚନ ଗଲା ଏତେ ହୋ ହାଲ୍ଲା ହେଲା ହେଲେ ଦିଲ୍ଲୀପ ପୁରୀ ନିରବ ରହିଗଲେ। ଏପରିକି ଲୋକେ ତାଙ୍କର ନାମକୁ ଭୁଲିବାକୁ ମଧ୍ୟ ଯାଉଥିଲେ। ସେପରି ସ୍ଥିତିରେ ତାଙ୍କର ଜନ୍ମଦିନ ପାଳନ ଆଳରେ ସାରା ଭୁବନେଶ୍ବରରେ ହୋଡିଂ ମାରି ଦିଲ୍ଲୀପ ଏବେବି ସକ୍ରିୟ ଅଛନ୍ତି ବୋଲି ଜଣାଇଦେଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

ପୂର୍ବତନ ରାଜ୍ୟସଭା ସାଂସଦ ଏ ଭି ସ୍ବାମୀଙ୍କ ପରଲୋକ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,31/12 : ପୂର୍ବତନ ରାଜ୍ୟସଭା ସାଂସଦ ଏ ଭି ସ୍ବାମୀଙ୍କର ଆଜି ପରଲୋକ ହୋଇଛି। 91 ବର୍ଷ ବୟସରେ ଖରିଆର ରୋଡ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ସ୍ବାମୀଙ୍କ ମୃତ୍ୟୁ ନେଇ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସ୍ବାମୀ 4 ଏପ୍ରିଲ୍‌ 2012ରୁ 3 ଏପ୍ରିଲ 2018 ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହିଥିଲେ।

Categories
ଆଜିର ଖବର

2003ରେ ନାଗରିକତ୍ବ ସଂଶୋଧନ ବିଲ୍‌ ଦାବି କରିଥିଲେ ମନମୋହନ ସିଂ

ନୂଆଦିଲ୍ଲୀ,19/12 : ଦେଶବ୍ୟାପୀ ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଗୁରୁବାର ଦିନ ଏକ ନୂଆ ତଥ୍ୟ ସମ୍ମୁଖକୁ ଆସିଛି । ଗୁରୁବାର ବିଜେପି 2003 ରାଜ୍ୟସଭାର ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ତତ୍କାଳୀନ ବିରୋଧୀ ଦଳ ନେତା ମନମୋହନ ସିଂ ସଂଖ୍ୟାଲଘୁ ସମ୍ପ୍ରଦାୟ ନିମନ୍ତେ ଏକ ସ୍ବତନ୍ତ୍ର ନାଗରିକତ୍ବ ବିଲ୍‌ର ପ୍ରସ୍ତାବ ଦେଇଥିଲେ । ଏହି ବିଲ୍‌ରେ ମନମୋହନ କେବଳ ବାଂଲାଦେଶ ଏବଂ ପାକିସ୍ତାନକୁ ଅନ୍ତର୍ଭୁକ୍ତ କରିବାର ଦାବି ଉପସ୍ଥାପନ କରିଥିଲେ । ଏହା ସହିତ ବାଚସ୍ପତି ଏବଂ ତତ୍କାଳୀନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ନିକଟରେ ଏହି ବିଲ୍‌କୁ ପାରିତ କରିବାର ଦାବି ଉପସ୍ଥାପନ କରିଥିଲେ । ଏହି ଭିଡିଓ ଜାରି କରିବା ସହିତ କଂଗ୍ରେସର ଦୋମୁହାଁ ନୀତିକୁ ସମାଲୋଚନା କରିଛି ବିଜେପି । (ଏଜେନ୍ସୀ)

Categories
ଆଜିର ଖବର

ଆସନ୍ତାକାଲି ରାଜ୍ୟସଭାରେ ଆଗତ ହେବ ନାଗରିକତ୍ବ ସଂଶୋଧନ ବିଲ୍‌ : ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଆଞ୍ଚଳିକ ଦଳ

ନୂଆଦିଲ୍ଲୀ,10/12 : ଗତକାଲି ଲୋକସଭାରେ ପାରିତ ହେବା ପରେ ଆସନ୍ତା କାଲି ରାଜ୍ୟସଭାରେ ଆଗତ ହେବାକୁ ଯାଉଛି ନାଗରିକତ୍ବ ସଂଶୋଧନ ବିଲ୍‌ । ସଂସଦର ନିମ୍ନ ସଦନରେ ବିରୋଧୀ ଦଳଙ୍କ ହୋହଲ୍ଲା ସତ୍ତ୍ବେ 311-80 ବ୍ୟବଧାନରେ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଏହା କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ । ଲୋକସଭାରେ ବିଜେପିର ବହୁମତ ରହିଥିବା ବେଳେ ରାଜ୍ୟସଭାରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ରାଜ୍ୟସଭାରେ ବିଜେପିର 83 ସାଂସଦ ରହିଛନ୍ତି । ସହଯୋଗୀ ଦଳ ମାନଙ୍କ ମଧ୍ୟରେ ଜେଡିୟୁ(6), ଶିରୋମଣୀ ଅକାଳୀ ଦଳ(1), ଏଲ୍‌ଜେପି(1), ଆରପିଆଇ(1) ନିକଟରେ 9 ଆସନ ରହିଛି । ଏହା ସହିତ 11 ଜଣ ମନୋନୀତ ସାଂସଦଙ୍କ ସମର୍ଥନ ବିଜେପି ନିକଟରେ ରହିଛି । ବିଲ୍‌କୁ ପାରିତ କରିବା ପାଇଁ 120 ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ରହିଥିବା ବେଳେ ଏଆଇଡିଏମକେ, ବିଜେଡି, ଓ୍ବାଇଏସଆର କଂଗ୍ରେସର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । ଅବଶ୍ୟ ଲୋକସଭାରେ ବିଜେଡି ଏବଂ ଓ୍ବାଇଏସ୍‌ଆର କଂଗ୍ରେସ ବିଲ୍‌ ପ୍ରତି ନିଜର ସମର୍ଥନ ଜାହିର କରିଥିଲେ । ଏଆଇଡିଏମ୍‌କେ ନିକଟରେ 11 ସାଂସଦଙ୍କ ସମର୍ଥନ ରହିଥିବାରୁ ଏହି ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । (ଏଜେନ୍ସୀ)

Categories
ଆଜିର ଖବର

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କୁ ଜନତାଙ୍କ ହାତକୁ ଦେବାକୁ ଜୟାଙ୍କ ଦାବି

ହାଇଦ୍ରାବାଦ,2/12:  ହାଇଦ୍ରାବାଦର ମହିଳା ପଶୁ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ସରଗରମ ରହିଛି ସଂସଦ ଭବନ । ଏହି ମାମଲାରେ ରାଜ୍ୟସଭାରେ 2ଜଣ ସାଂସଦ କଡା ଟିପ୍ପଣୀ ରଖିଛନ୍ତି। ଏପରିକି ଏସପି ସାଂସଦ ଜୟା ବଚ୍ଚନ ଦୋଷୀଙ୍କୁ ଲୋକମାନଙ୍କ ହାତରେ ଟେକି ଦେବାକୁ କହିଛନ୍ତି । ରାଜ୍ୟସଭାରେ ଚର୍ଚ୍ଚା ସମୟରେ ଜୟା ବଚ୍ଚନ କହିଛନ୍ତି ଯେ, ବଳାତ୍କାରୀଙ୍କୁ ବାହାରକୁ ଆଣି ଲୋକମାନଙ୍କ ହାତରେ ଦେଇ ଦେବା ଉଚିତ୍। ସେହିପରି ଏଆଇଡିଏମକେର ସାଂସଦ ବିଜିଲା ସତ୍ୟାନନ୍ଦ ଦୋଷୀଙ୍କୁ ଏକ ମାସ ମଧ୍ୟରେ ଫାଶୀ ଦେବାକୁ ଦାବି କରିଛନ୍ତି । ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହାଇଦ୍ରାବାଦ ଘଟଣାକୁ ଅମାନବୀୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ବଳାତ୍କାର ମାମଲାରେ ସମସ୍ତ ଦଳର ସଦସ୍ୟ ଯେତିକି କଠୋର ହେବାକୁ ଚାହୁଁଛନ୍ତି ସରକାର ସେଥିପାଇଁ ପ୍ରସ୍ତୁତ ।(ଏଜେନ୍ସୀ)

Categories
ଆଜିର ଖବର

ଇଲୋକ୍ଟରାଲ ବଣ୍ଡ ପ୍ରତିବାଦରେ ଗୃହତ୍ୟାଗ କଲା କଂଗ୍ରେସ

ଇଲୋକ୍ଟରାଲ ବଣ୍ଡ ଏବଂ ପିଏସ୍‌ୟୁ ଗୁଡିକର ଘରୋଇକରଣକୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ସାଂସଦ । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଉଭୟ ଘଟଣାକୁ ଦୁର୍ନୀତି ବୋଲି ଅଭିହିତ କରି ସାଂସଦ ମାନେ ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ସାଂସଦଙ୍କ ହଙ୍ଗାମା ଫଳରେ ରାଜ୍ୟସଭାକୁ ମଧ୍ୟାନ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିବା ବେଳେ ଲୋକସଭାକୁ 15 ମିନିଟ୍‌ ମୁଲତବୀ ରଖାଯାଇଥିଲା । ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ବରେ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଏହି ନିୟମ ଦ୍ବାରା ସରକାର ଦେଶବାସୀଙ୍କୁ ଲୁଟୁଛନ୍ତି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ ସ୍ବଚ୍ଛ ସରକାର ପରିଚାଳିତ ହେଉଛି । ଏଥିରେ ଦୁର୍ନୀତିର କୌଣସି ଅବକାଶ ନାହିଁ ବୋଲି ଯୋଶୀ ମତବ୍ୟକ୍ତ କରିଥିଲେ ।

Categories
ଆଜିର ଖବର

ସମଗ୍ର ଦେଶରେ ଲାଗୁ ହେବ ଏନ୍‌ଆରସି : ଶାହା

ସମଗ୍ର ଦେଶରେ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି) ନିୟମ ଲାଗୁ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି । ମଙ୍ଗଳବାର ରାଜ୍ୟସଭାରେ ଶାହା ଏହି ମନ୍ତବ୍ୟ ଦେଇଛନ୍ତି । ଦେଶର ପ୍ରତ୍ୟୋକ ନାଗରିକ ଏବଂ ସମସ୍ତ ଧର୍ମର ଲୋକଙ୍କୁ ଏହି ଆଇନ ପରିସରରେ ସାମିଲ କରାଯିବ ବୋଲି ଶାହା କହିଛନ୍ତି । ଏହି ବିଲ୍‌ଟି ନାଗରିକ ସଂଶୋଧନ ବିଲ୍‌ର ପରିବର୍ତ୍ତିତ ରୂପ ବୋଲି ଶାହା କହିଛନ୍ତି । ଦେଶର କୌଣସି ସମ୍ପ୍ରଦାୟର ବ୍ୟକ୍ତି ଏହି ଆଇନ ପାଇଁ ଚିନ୍ତିତ ହେବା ଉଚିତ ନୁହେଁ । ଏହି ବିଲ ପାଇଁ ଦେଶରେ ଅବସ୍ଥାନ କରୁଥିବା ବିଦେଶୀ ନାଗରିକ ଚିନ୍ତିତ ହେବା ଉଚିତ୍‌ ବୋଲି ଶାହା ପ୍ରକାଶ କରିଛନ୍ତି ।

Categories
ଆଜିର ଖବର

ରାଜ୍ୟସଭାରେ ପାସ୍ ହେଲା ଟ୍ରିପିଲ ତଲାକ ବିଲ୍, ସପକ୍ଷରେ 99ଟି ଭୋଟ ଏବଂ ବିପକ୍ଷରେ 84 ଭୋଟ ମିଲିଲା

ଆଜି ରାଜ୍ୟ ସଭାରେ ବହୁ ବିବାଦୀୟ ଟ୍ରିପିଲ୍ ତଲାକ ବିଲ ପାରିତ ହୋଇଛି। ଏହି ବିଲ ପାଶ ହୋଇଥିବା ଭୋଟିଂରେ ସପକ୍ଷରେ 99 ଟି ଭୋଟ ଏବଂ ବିପକ୍ଷରେ 84ଟି ଭୋଟ ମିଳିଥିଲା। ମୁସିଲମ ମହିଳା ବିଲ 2019କୁ ରାଜ୍ୟସଭାରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଗତ କରିଥିଲେ। ଏହାପରେ ଡିଭିଜନ ହୋଇ ଭୋଟ ଗ୍ରହଣ କରାଯାଇଥିଲା। ପୂର୍ବରୁ ଏହି ବିଲ୍ ରାଜ୍ୟସଭାରେ ଗୃହିତ ହୋଇପାରି ନ ଥିଲା। ସେତେବେଳେ ଏହା ସପକ୍ଷରେ ମାତ୍ର 84ଟି ଭୋଟ ମିଳିଥିବା ବେଳେ ବିରୋଧରେ 100 ଖଣ୍ଡ ଭୋଟ ମିଳିଥିଲା। ଫଳରେ ସେତେବେଳେ ବିଲ୍ କୁ ଷ୍ଟାଡିଂ କମିଟକୁ ପଠାଇଦିଆଯାଇଥିଲା। ଏହି ବିଲ୍ ଲୋକସଭାରେ ପୂର୍ବରୁ ପାଶ ହୋଇଯାଇଥିଲା। ଏହି ବିଲ୍ ଆଗତ ହେବା ପରେ ରାଜ୍ୟସଭାର ବିରୋଧୀ ଦଳର ନେତା ଗୁଲାମନବୀ ଆଜାଦ ବିରୋଧ କରିଥିଲେ। ସେ କହିଥିଲେ ଯେ, ବିରୋଧୀ ଦଳ ଏହି ବିଲ୍ ରେ କେତେକ ସଂଶୋଧନ ଆଣିବାକୁ ଚାହୁଁଥିଲେ ହେଲେ ସରକାର ତାହା କରାଇଦେଲେ ନାହିଁ। ସେଥିପାଇଁ କଂଗ୍ରେସ ଏହି ବିଲ୍ କୁ ବିରୋଧ କରିବ ବୋଲି ଘୋଷଣା କରିଥିଲେ। ଏହି ବିଲ୍ କୁ ବିଜେଡି ତରଫରୁ ସମର୍ଥନ ଦିଆଯାଇଥିଲା।

Categories
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବନିର୍ବାଚିତ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର

ସମୀକ୍ଷା ବ୍ୟୁରୋ

ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିଜେଡିର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର। ଉଭୟ ନିର୍ବାଚିତ ହୋଇଥିବାର ପ୍ରମାଣପତ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଥିଲେ। ଖାଲିପଡିଥିବା ତିନୋଟି ଆସନ ମଧ୍ୟରୁ ବିଜେଡି ତରଫରୁ ରାଜ୍ୟସଭା ପାଇଁ ଦୁଇଜଣଙ୍କୁ ପ୍ରାର୍ଥୀ ଦିଆଯାଇଥିଲା। ଆଉ ଏକ ଆସନରେ ବିଜେପି ଦେଇଥିବା ପ୍ରାର୍ଥୀ ଅଶ୍ବନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିଲା। ଏହି ତିନୋଟି ଆସନରେ ବିଜେଡିରୁ ଦୁଇ ଏବଂ ବିଜେପିର ଜଣେ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ପାଇଁ ନିର୍ବାଚିତ ହୋଇଛନ୍ତି। ଅମର ପଟ୍ଟନାୟକ ବିଜେଡି ଆଇଟି ସେଲର ମୁଖ୍ୟ ଥିବା ବେଳେ ସସ୍ମିତ ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ରାଜ୍ୟସଭା ପ୍ରମାଣ ପତ୍ର ପାଇବା ପରେ ଉଭୟ ନୂଆଦିଲ୍ଲୀ ଗସ୍ତ କରି ସେଠାରେ ରାଜ୍ୟସଭାରେ ସେମାନେ ସଦସ୍ୟ ଭାବେ ଶପଥ ନେବେ।

Categories
ଆଜିର ଖବର

ରାଜ୍ୟସଭା ଯିବା ନେଇ ଆଶାୟୀ ଚ୍ୟାଉ ପଟ୍ଟନାୟକ

ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟକନାୟକ ରାଜ୍ୟସଭା ପାଇଁ ତିନି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ପୂର୍ବରୁ ଏହି ଦୌଡରେ ଆଗୁଆ ରହିଥିବା ବିଜେଡିର ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମଧ୍ୟ ରାଜ୍ୟସଭା ଯିବା ନେଇ ଆଶା ରଖିଥିବା ପ୍ରକାଶ କରିଛନ୍ତି। ବ୍ରହ୍ମପୁରରୁ ଲଗାତାର ୫ ଥର ବିଧାୟକ ରହିଥିବା ଚ୍ୟାଉ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ରେସ୍‌ରେ ପ୍ରମୁଖ ଦାବିଦାର ରହିଥିଲେ। ମାତ୍ର ଆଶ୍ଚର୍ଯ୍ୟ ଜନକ ଭାବରେ ନବୀନ ଅଶ୍ବିନୀ ବୈଷ୍ଣବଙ୍କୁ ମନୋନୀତ କରିବା ସହିତ ଚ୍ୟାଉ ପଟ୍ଟନାୟକଙ୍କ ଟିକଟ କାଟି ଦେଇଥିଲେ। ଏହାପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଚ୍ୟାଉ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋତେ ରାଜ୍ୟସଭା ଯିବାର ପ୍ରତିୁଶ୍ରୁତି ଦେଇଥିଲେ ଏବଂ ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି ଚ୍ୟାଉ ପଟ୍ଟନାୟକ। ଏହା ସହିତ ରାଜ୍ୟର ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ମୁଁ ସ୍ବାଗତ କରୁଛି ବୋଲି କହିଛନ୍ତି ଚ୍ୟାଉ ପଟ୍ଟନାୟକ। ୬ ମାସ ମଧ୍ୟରେ ଆଉ ୪ ଆସନ ଖାଲି ହେଉଥିବାରୁ ସୁଯୋଗ ମିଳିବା ନେଇ ଆଶାବାଦୀ ଅଛନ୍ତି ଚ୍ୟାଉ ପଟ୍ଟନାୟକ।

Categories
ବିଶେଷ ଖବର

କିଏ ଏହି ଅଶ୍ବିନୀ ବୈଷ୍ଣବ ଯିଏ ବିଜେଡି ଓ ବିଜେପିକୁ ଗୋଟିଏ ଘାଟର ପାଣି ପିଆଇବାରେ ସମର୍ଥ?

କେଦାର ମିଶ୍ର 
ଅଶ୍ବିନୀ କୁମାର ବୈଷ୍ଣବ, ଏ ନାଁଟି ସହିତ ଓଡିଶା ରାଜନୀତିର କିଛି ବିଶେଷ ସମ୍ପର୍କ ରହିଛି କି? ହଠାତ ୨୧, ଜୁନ ସନ୍ଧ୍ୟା ୬.୧୫ ସମୟରେ ଭାରତୀୟ ଜନତା ପାର୍ଟିର ବୈଧାନିକ ଟୁଇଟରରେ ଘୋଷଣା କରାଗଲା ଯେ ଅଶ୍ବିନୀ କୁମାର ବୈଷ୍ଣବଙ୍କୁ ଦଳ ଓଡିଶାର ରାଜ୍ୟସଭା ଉପ ନିର୍ବାଚନରେ ପ୍ରାର୍ଥୀ ଭାବରେ ମନୋନୀତ କରୁଛି। ତାର ଠିକ ୧୫ ମିନିଟ ପରେ ଓଡିଶା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବିଜେଡ଼ିର ତିନିଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲେ, ଯେଉଁଥିରେ ଶ୍ରୀ ବୈଷ୍ଣବଙ୍କ ନାମ ବିଜେଡି ପ୍ରାର୍ଥୀ ବୋଲି କୁହାଗଲା। ତାର ଅଳ୍ପ ସମୟ ପରେ ମୁଖ୍ୟମନ୍ତ୍ରୀ ପୁଣି ସ୍ପଷ୍ଟୀକରଣ ଦେଲେ ଯେ ଶ୍ରୀ ବୈଷ୍ଣବ ବିଜେପିର ପ୍ରାର୍ଥୀ ଓ ତାଙ୍କୁ ବିଜେଡି ସମର୍ଥନ କରିବ। ଏହି ଘୋଷଣା ଓଡିଶା ରାଜନୀତିରେ ଅନେକ ସମୀକରଣକୁ ହଠାତ ଓଲଟ ପାଲଟ କରିଦେଲା। ବିଜେଡି ଓ ବିଜେପି ପରଷ୍ପରର ଶତ୍ରୁ ତାଲିକାରୁ ଉତ୍ତୁରି ପରମ ମିତ୍ର ପାଲଟିଗଲେ। ମୁଖ୍ୟମନ୍ତ୍ରୀ ନିଜ ଘୋଷଣାରେ କହିଥିଲେ ଯେ, ଅଶ୍ବିନୀ କୁମାର ବୈଷ୍ଣବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ଓଡିଶା ଲାଗି ଭଲ କାମ କରିଛନ୍ତି।
ତେବେ ଅଶ୍ଵିନୀଙ୍କ ପରିଚୟ କଣ କେବଳ ସେତିକି? ତାଙ୍କୁ ସମର୍ଥନ କରିବାକୁ ଦୁଇ ଶତ୍ରୁ ପକ୍ଷ ହଠାତ ହାତ ମିଳାଇବାର କାରଣ କଣ? ସଂଖ୍ୟା ଗଣିତରେ ଓଡିଶାରୁ ବିଜେପିକୁ ଗୋଟିଏ ମଧ୍ୟ ଆସନ ମିଳିବାର ସମ୍ଭାବନା ନଥିବା ବେଳେ ବିଜେଡି ଯାଚି ହୋଇ ବିଜେପିକୁ ଗୋଟେ ଆସନ ଛାଡିଦେଲା କାହିଁକି? ଯଦି ବିଜେଡି ବିଜେପି ଭିତରେ ମେଣ୍ଟ ହେବାର ଥିଲା ତାହେଲେ ବିଜେପି ନିଜର ଜଣେ ରାଜନୈତିକ ନେତାଙ୍କୁ ନବାଛି, ଅଶ୍ବିନୀ ବୈଷ୍ଣବଙ୍କୁ ବାଛିଲା କାହିଁକି? ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ଏ ପ୍ରସଙ୍ଗରେ ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ବିଜେପିରେ ଯୋଗ ଦେବା ପୂର୍ବରୁ ଅଶ୍ବିନୀ ବୈଷ୍ଣବ ବିଜେପିର ରାଜ୍ୟସଭା ଟିକଟ ପାଇଲେ କେମିତି? କିଏ ଏହି ଅଶ୍ବିନୀ ବୈଷ୍ଣବ? କଣ ତାଙ୍କର ପ୍ରଭାବ ଓ ପ୍ରତିଷ୍ଠା? ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକାଠି କରିପାରିବାର କ୍ଷମତା ତାଙ୍କ ପାଖରେ ଆସିଲା କେମିତି?
ସାଧାରଣ ଭାବରେ ଦେଖିଲେ ଅଶ୍ବିନୀ କୁମାର ବୈଷ୍ଣବ ଜଣେ ପୂର୍ବତନ ଆଇଏଏସ ଅଧିକାରୀ ଯିଏ କି କିଛି ଦିନ କଟକ ଜିଲ୍ଲାପାଳ ଭାବରେ କାମ କରିଥିଲେ। ଏହା ସହିତ କେନ୍ଦ୍ରୀୟ ଡେପୁଟେସନ ରେ ଥିବା ସମୟରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅତଳ ବିହାରୀ ବାଜପାୟୀଙ୍କ ସହକାରୀ ସଚିବ ମଧ୍ୟ ଥିଲେ। ତେବେ ତାଙ୍କ ପରିଚୟ କଣ କେବଳ ଏତିକି? ତାଙ୍କ ବିଷୟରେ ଖୋଳତାଡ କଲାବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆସୁଛି, ଯାହା ଓଡିଶାବାସୀ ଜାଣିବା ନିତାନ୍ତ ଜରୁରୀ। ବିଶିଷ୍ଟ ଖଣି ବ୍ୟବସାୟୀ ବି। ପ୍ରଭାକରନଙ୍କ ସହିତ ବୈଷ୍ଣବଙ୍କ ସମ୍ପର୍କ ରହିଛି ନା ନାହିଁ? ଏହାର ଉତ୍ତର ଭାରତ ସରକାରଙ୍କ କର୍ପୋରେଟ ମନ୍ତ୍ରଣାଳୟର ୱେବ ସାଇଟରୁ ଅତି ସହଜରେ ମିଳିଯିବ। ମନ୍ତଣାଳୟର ନିର୍ଦ୍ଦେଶକ ପରିଚିତି ନମ୍ବର ଅନୁଯାୟୀ ଅଶ୍ବିନୀ କୁମାର ବୈଷ୍ଣବଙ୍କ DIN ହେଉଛି ୦୭୩୧୦୦୯୫ ଓ ଏହି ତଥ୍ୟ ଅନୁଯାୟୀ ସେ ତିନୋଟି କମ୍ପାନୀର ନିର୍ଦ୍ଦେଶକ ରହିଛନ୍ତି। ପ୍ରଥମ କମ୍ପାନୀ ତ୍ରିବେଣୀ ପେଲେଟ୍ସ ପ୍ରାଇଭେଟ ଲିମିଟେଡ ର ପଞ୍ଜୀକୃତ ଅଫିସ ପ୍ରଭାକରନଙ୍କ ଯୋଡା ସ୍ଥିତ ତ୍ରିବେଣୀ ଆର୍ଥ ମୋଭର୍ସ ରହିଛି। ୨୦୦ କୋଟିର ପୁଞ୍ଜି ଥିବା ଏହି କମ୍ପାନୀ ମୂଳତଃ ଖଣି ବ୍ୟବସାୟ ସହ ସମ୍ପୃକ୍ତ। ଏହି କମ୍ପାନୀର ସେୟାର ରହିଥିବା ଅନ୍ୟ ଏକ କମ୍ପାନୀ ବ୍ରାହ୍ମଣୀ ରିଭର ପେଲେଟ୍ସ ଲିମିଟେଡ ରେ ମଧ୍ୟ ଅଶ୍ବିନୀ ନିର୍ଦ୍ଦେଶକ ରହିଛନ୍ତି। ବ୍ରାହ୍ମଣୀ ପେଲେଟ୍ସ ଲିଃ ର ଅଫିସ ଭୁବନେଶ୍ବରର ଇପିକଲ ହାଉସ ରେ ରହିଛି। ଅଶ୍ବିନୀ ନିର୍ଦ୍ଦେଶକ ଥିବା ଆଉ ଏକ କମ୍ପାନୀ ହେଉଛି ଆଡଲର ଇଣ୍ଡଷ୍ଟ୍ରିଆଲ ସର୍ଭିସେସ ପ୍ରା.ଲିଃ. । ଏହି କମ୍ପାନୀ ଦିଲ୍ଲୀରେ ନିଜର ଅଫିସ ଥିବା ଦର୍ଶାଇଛି। ଏହି କମ୍ପାନୀରେ ନିର୍ଦ୍ଦେଶକ ଅଛନ୍ତି ସୁନିତା ବୈଷ୍ଣବ, ଅଶ୍ବିନୀ କୁମାର ବୈଷ୍ଣବ ଓ ତାନ୍ୟା ବୈଷ୍ଣବ। ଏମାନଙ୍କର ପାରିବାରିକ ସମ୍ପର୍କ କଣ ସେ କଥା ଅନୁସନ୍ଧାନ ସାପେକ୍ଷ। ଶେଷ କମ୍ପାନୀରେ ନିର୍ଦ୍ଦେଶକ ଥିବା ସୁନିତା ବୈଷ୍ଣବ ଅନ୍ୟ ତିନୋଟି କମ୍ପାନୀରେ ନିର୍ଦ୍ଦେଶକ ରହିଛନ୍ତି।
ଏହି ତଥ୍ୟ ଆଧାରରେ ତ୍ରିବେଣୀ ଆର୍ଥ ମୁଭର୍ସ ସହିତ ଅଶ୍ବିନୀ ବୈଷ୍ଣବଙ୍କ ବ୍ୟାବସାୟିକ ସମ୍ପର୍କ ଅତ୍ୟନ୍ତ ସ୍ପଷ୍ଟ। ନିର୍ବାଚନ ସମୟରେ ବିଜେପି ବିଜେଡିକୁ ତ୍ରିବେଣୀ ଆର୍ଥ ମୁଭର୍ସ ର ସହଯୋଗୀ ବୋଲି କହି କଟୁ ସମାଲୋଚନା କରୁଥିଲା। ତେବେ ଆଜି ହଠାତ ସେଇ କମ୍ପାନୀର ଅନ୍ୟତମ ଘନିଷ୍ଠ ସହଯୋଗୀଙ୍କୁ ଟିକଟ ଦେବା ଓ ତାଙ୍କୁ ଜିତାଇବାକୁ ଖୋଦ ପ୍ରଧାନମନ୍ତ୍ରୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିବା ପଛରେ କି କାରଣ ରହିଛି? ରାଜନୀତିରେ ଖଣି ବେପାରୀ ଓ ଆଇଏଏସ ଅଫିସରଙ୍କ ମଧୁଚନ୍ଦ୍ରିକା ବିଷୟରେ ବହୁ ଗୋପନ କାହାଣୀ ରହିଛି। ଏ କାହାଣୀ ସେ ଭିତରୁ ଅନ୍ୟତମ ନୁହଁ ତ! ଖଣି ମାଫିଆ ବୋଲି ଗୋଟେ ସମୟରେ ବିଜେପି ଯାହାଙ୍କୁ ଗାଳି କରୁଥିଲା ଆଜି ତାଙ୍କୁ ନେଇ ଦୋଳି ଖେଳିବାର କାରଣ, ରାଜ୍ୟ ବିଜେପି ନେତାଏ ସ୍ପଷ୍ଟ କରିବେ କି?
Categories
ବିଶେଷ ଖବର

ପଦାକୁ ଆସିଲା ବିଜେଡି ବିଜେପି ଭିତିରିଆ ସଂପର୍କ, ଓଡିଶାର ଗୋଟିଏ ରାଜ୍ୟସଭା ଆସନ ବିଜେପି ହାତକୁ ଟେକିଦେଲା ବିଜେଡି

ସମୀକ୍ଷା ବ୍ୟୁରୋ

ରାଜନୀତିରେ ଅସମ୍ଭବ ବୋଲି କିଛି ନାହିଁ। ବିଜେଡି ଏହି କଥାକୁ ଅକ୍ଷରେ ଅକ୍ଷରେ କରି ଦେଖାଇ ଦେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ରାଜ୍ୟସଭା ଆସନ ଜାଣିଶୁଣି ବିଜେପି ହାତରେ ଟେକିଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ନବୀନ ନିବାସରେ ନବୀନ ପଟ୍ଟନାୟକ ଓଡିଶାର ଖାଲି ପଡିଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ନାମ ଘୋଷଣା କରିଥିଲେ। ପ୍ରଥମେ ସେ ତିନିଜଣ ନାମ ଘୋଷଣା କରିଥିଲେ। ସେମାନେ ହେଲେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ପୂର୍ବତ୍ତନ ଆଇଏଏସ ଅଫିସର ଅଶ୍ବିନୀ ବୈଷ୍ଣବ। ଏମାନେ ବିଜେଡି ପ୍ରାର୍ଥୀ ବୋଲି କୁହାଗଲା। ଏପରିକି ନବୀନ ଅଶ୍ବିନୀଙ୍କ ସଂପର୍କରେ ସଫେଇ ଦେଇ କହିଲେ ଯେ ସେ ହେଉଛନ୍ତି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ହେଲେ ଏହାପରେ କଥାଟା ବିଗିଡି ଗଲା ଯେତେବେଳେ ଅଶ୍ବିନୀଙ୍କୁ ବିଜେପି ଓଡିଶା ପାଇଁ ତାଙ୍କ ଦଳୀୟ ରାଜ୍ୟସଭା ପ୍ରାର୍ଥୀ ବୋଲି ଟ୍ବିଟ୍ କରି ସ୍ପଷ୍ଟ କଲା। ଏହାପରେ ଅଶ୍ବିନୀ କେଉଁ ଦଳର ପ୍ରାର୍ଥୀ ହେବେ ତାହାକୁ ନେଇ ଦ୍ବନ୍ଦ ସୃଷ୍ଟି ହେଲା।

ନବୀନ ନିବାସରେ ଏପରି ଦ୍ବନ୍ଦ ଉପୁଜିବା ପରେ ନବୀନ ପୁଣି ଥରେ ଗଣମାଧ୍ୟମ ଆଗକୁ ଆସି ସଫେଇ ଦେଇ କହିଲେ ଅଶ୍ବିନୀ ହେଉଛନ୍ତି ବିଜେପି ପ୍ରାର୍ଥୀ। ବିଜେପି ଅଶ୍ବିନୀଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ସହିତ କଥା ହୋଇଥିଲେ। ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରୁ ବୋଲି ଉଭୟ ଅନୁରୋଧ କରିଥିଲେ। ଫଳରେ ବିଜେପି ପ୍ରାର୍ଥୀ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ ଦେବ ବୋଲି ନବୀନ ପୁଣି ଘୋଷଣା କଲେ। ପ୍ରଶ୍ନ ଉଠୁଛି ଯେ, ଯଦି ନବୀନ ମୋଦି ଓ ଶାହଙ୍କ ସହିତ କଥା ହୋଇଥିଲେ ତେବେ ସେ ପ୍ରଥମରୁ କାହିଁକି ଏକଥା ସ୍ପଷ୍ଟ କଲେ ନାହିଁ। ଥରେ ବିଜେଡି ପ୍ରାର୍ଥୀ ବୋଲି ଘୋଷଣା କରିବା ପରେ ପୁଣି ତାହା ପରିବର୍ତ୍ତନ କରି ସେ ବିଜେପି ପ୍ରାର୍ଥୀ ବୋଲି କାହିଁକି କହିଲେ।

ଜଣେ ବରିଷ୍ଠ ନେତାଙ୍କ ଖବର ଅନୁସାରେ ଅଶ୍ବିନୀଙ୍କୁ ନେଇ ବିଜେପି ଓ ବିଜେଡି ଭିତରେ ଏକ ବୁଝମାଣା ହୋଇଥିଲା। କଥା ଥିଲା ଯେ, ବିଜେଡି ତିନି ଜଣଙ୍କ ନାମ ଘୋଷଣା କରିବ। ସେଥିରେ ଦୁଇଜଣ ରହିବେ ଦଳୀୟ ପ୍ରାର୍ଥୀ, ଆଉ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଅଶ୍ବନୀ ବୈଷ୍ଣବଙ୍କ ନାମ ଘୋଷଣା କରାଯିବ। ଘୋଷଣା ପରେ ରାଜ୍ୟ ବିଜେପି ତାଙ୍କୁ ସମର୍ଥନ କରିବ ବୋଲି କହିବ। ହେଲେ କଥାଟା ବିଗିଡିଗଲା। କାରଣ ବିଜେପି ନେତାମାନେ ଚାହୁଁ ନ ଥିଲେ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ତାଙ୍କ ଦଳ ସମର୍ଥନ କରିବ। ତାଙ୍କର ଦାବି ହେଲା ଯେ, ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେଉ। ଫଳରେ ନବୀନ ଥରେ ତାଙ୍କ ଦଳର ପ୍ରାର୍ଥୀ ବୋଲି କହିବା ପରେ ପୁଣି ଥରେ ସେଥିରେ ପରିବର୍ତ୍ତନ କରି ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ସଂଖ୍ୟା ଅନୁସାରେ ଦେଖିଲେ ଖାଲିପଡିଥିବା ତିନୋଟି ରାଜ୍ୟସଭା ଆସନରେ ବିଜେଡି ଜିତିବା ନିଶ୍ଚିତ ଥିଲା। ଏସବୁ ସତ୍ଵେ ଗୋଟିଏ ଆସନ ବିଜେପିକୁ ଟେକିଦେବା ଉଭୟ ଦଳ ଭିତରେ ଥିବା ସୁସଂପର୍କ ପଦାକୁ ଆସିଛି।

ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ବିଜେଡି ବିଜେପିକୁ ସମର୍ଥନ କରିଛି। ତାହା ରାଷ୍ଟ୍ରପତି ନିର୍ବାଚନ ହେଉ କିମ୍ବା ନିକଟରେ ହୋଇଥିବା ଲୋକସଭା ବାଚସ୍ପତି ନିର୍ବାଚନ। ସବୁଥିରେ ବିଜେଡି ଅଯାଚିତ ଭାବେ ବିଜେପିକୁ ସମର୍ଥନ କରିଆସିଛି। ହେଲେ ଏସବୁ ସମର୍ଥନ ଜାତୀୟ ସ୍ତରରେ ଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଉ ନ ଥିଲା। ହେଲେ ବର୍ତ୍ତମାନ ରାଜ୍ୟ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ଜିତିବାକୁ ଥିବା ଗୋଟିଏ ରାଜ୍ୟସଭା ଆସନକୁ ବିଜେପି ହାତରେ ସିଧା ଟେକିଦେବା ପ୍ରମାଣିତ କରିଛି ବିଜେଡି ବିଜେପି ଭିତରେ ଯେଉଁ ଭିତିରିଆ ସଂପର୍କ ରହିଛି ତାହା ସତ। ଏବେ ସେହି ଭିତିରଆ ସଂପର୍କ ପୁରା ବାହାରକୁ ଆସିଯାଇଛି। ହେଲେ ବିଜେଡିର ଯୁକ୍ତି ହେଲା ଯେ, ରାଜ୍ୟର ସ୍ବାର୍ଥ ପାଇଁ ବିଜେଡି ବିଜେପିକୁ ସମର୍ଥନ ଯୋଗାଇ ଦେବ। ପୂର୍ବରୁ ଖୋଦ ବିଜେଡି ସୁପ୍ରିମୋ ଜାତୀୟ ଗଣମାଧ୍ୟମରେ ସ୍ପଷ୍ଟ ଉତ୍ତର ମଧ୍ୟ ରଖିଛନ୍ତି। ତାହା ହେଉଛି ଓଡିଶା ସ୍ବାର୍ଥ ପାଇଁ ବିଜେଡି ସମର୍ଥନ କରିବାରେ କୈଣସି ଅସୁବିଧା ନାହିଁ। ସେହି କଥା ବର୍ତ୍ତମାନ ସତ ବୋଲି ପ୍ରମାଣିତ ହୋଇଛି। ଏହି ଘଟଣା ପରେ ବିଜେଡି ବିଜେପି ମଧ୍ୟରେ ଆହୁରି ଅନେକ କଥା ଆଗକୁ ଘଟିବ ବୋଲି ସମ୍ଭାବନା ସୃଷ୍ଟି ହେଲାଣି।

Categories
ଆଜିର ଖବର

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶିତ

ଓଡ଼ିଶାର ୩ଟି ରାଜ୍ୟସଭା ଆସନର ଉପ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତିନୋଟି ପଦ ପାଇଁ ପୃଥକ ପୃଥକଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ। ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ। ଜୁଲାଇ ୫ ତାରିଖରେ ଉପ ନିର୍ବାଚନ ହେବ। ନିର୍ବାଚନ କମିଶନ ୩ଟି ଆସନ ପାଇଁ ଏକକ ବାଲାଟ୍ ପେପରରେ ଭୋଟ୍ ପରିବର୍ତ୍ତେ ପ୍ରତ୍ୟେକ ପ୍ରାର୍ଥୀଙ୍କ ନିମନ୍ତେ ଭିନ୍ନ ଭିନ୍ନ ବାଲାଟ୍‌ ପେପରରେ ଭୋଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ତିନି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବ ଇସ୍ତଫା ଦେଇଛନ୍ତି। ଖାଲିପଡ଼ିଥିବା ଏହି ତିନି ସାଂସଦ ସ୍ଥାନରେ ଉପ ନିର୍ବାଚନ ହେବ।

Categories
ବିଶେଷ ଖବର

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡିଶା କଂଗ୍ରେସ ବିଧାୟକ ଦଳ ଯଦି ଭାଙ୍ଗିଯାଏ, ବିଶେଷ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ!!

ସମୀକ୍ଷା ବ୍ୟୁରୋ

ଏବେ ଏବେ ଗୋଟେ ଖବର ଉଡିବୁଲୁଛି ଯେ ଓଡିଶା ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ପାଞ୍ଚଜଣ ସଦସ୍ୟ ଅନ୍ୟ ଦଳକୁ ଚାଲି ଯାଇପାରନ୍ତି। ଓଡିଶା ବିଧାନସଭା ନିର୍ବାଚନ ଇତିହାସରେ ୨୦୧୯ ହେଉଛି କଂଗ୍ରେସର ସବୁଠୁ ଖରାପ ପ୍ରଦର୍ଶନ। ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ରାଜ୍ୟର ଶାସନ ସମ୍ଭାଳିଥିବା କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିବା ଓ ୧୪୭ ଟି ଆସନରୁ ୧୦୦ରୁ ଅଧିକ ଆସନରେ କଂଗ୍ରେସ ପ୍ରାର୍ଥୀମାନେ ତୃତୀୟ ସ୍ଥାନରେ ରହିବା କିମ୍ବା ଅମାନତ ହରାଇବା ଭଳି ଅବସ୍ଥା କେବେ ସୃଷ୍ଟି ହୋଇନଥିଲା। ବିଧାନସଭାରେ ମାତ୍ର ୯ ଟି ଆସନରେ କଂଗ୍ରେସ ଜିତିଥିବା ବେଳେ ବର୍ତ୍ତମାନ ସେଥିରୁ ପାଞ୍ଚଜଣ ବିଧାୟକ ବିଜେଡିରେ ମିଶିଯିବାକୁ ଉଦ୍ୟମ କରୁଛନ୍ତି ବୋଲି ଖବର ଆସୁଛି।ବିଧାନସଭାରେ ବିଜେଡ଼ିର ଦୁଇ ତୃତୀୟାଂଶରୁ ଅଧିକ ସଦସ୍ୟ ଅଛନ୍ତି। ତା ସତ୍ତ୍ୱେ ମଧ୍ୟ ରାଜ୍ୟସଭାର ସବୁ ଆସନ ଜିଣିବାକୁ ହେଲେ ବିଜେଡ଼ିକୁ କିଛି କଂଗ୍ରେସ ବିଧାୟକଙ୍କ ସମର୍ଥନ ଲୋଡା। ସେହିପରି ବିଜେପି ମଧ୍ୟ କଂଗ୍ରେସ ବିଧାୟକଙ୍କ ଉପରେ ଆଖି ରଖିଛି। ଯଦି କିଛି କଂଗ୍ରେସ ବିଧାୟକ ବିଜେପିରେ ମିଶିଯାଆନ୍ତି, ତାହେଲେ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ମିଳିଯିବ।

ବର୍ତ୍ତମାନ ବିଜେଡ଼ିର ଚାରିଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ସଦସ୍ୟଥିବା ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ସ୍ଥାନ ପୂରଣ ଲାଗି ଯଥାଶୀଘ୍ର ନିର୍ବାଚନ ହେବାକୁ ଯାଉଛି। ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଜଣ ରାଜ୍ୟସଭା ସଦସ୍ୟଙ୍କୁ ସହଜରେ ନିର୍ବାଚିତ କରିପାରିବ। ଚତୁର୍ଥ ସଦସ୍ୟ ନିର୍ବାଚିତ କରାଇବାକୁ ହେଲେ ବିଜେଡ଼ିକୁ ଆଉ ୮ ଜଣ ବାହାର ସଦସ୍ୟଙ୍କ ସମର୍ଥନ ନିହାତି ଜରୁରୀ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୯ଜଣ, ସିପିଆଇଏମ ଓ ସ୍ଵାଧୀନର ଜଣେ ଲେଖାଏଁ ସଦସ୍ୟ ନିର୍ଣ୍ଣାୟକ ଭୂମିକା ନେବେ। ତେବେ କଂଗ୍ରେସ ବିଧାୟକ ଦଳକୁ ଭାଙ୍ଗି ସବୁଦିନ ଲାଗି ନିଜର ପକ୍ଷ ମଜବୁତ କରିବାକୁ ଏବେ ବିଜେଡି ଓ ବିଜେପି ଉଦ୍ୟମ ଆରମ୍ଭ କରିଛନ୍ତି।

କଂଗ୍ରେସକୁ ବିଭିନ୍ନ ରାଜ୍ୟରେ ଭାଙ୍ଗିବା ଲାଗି ବିଜେପି ତରଫରୁ ଗତ କିଛି ମାସ ହେଲା ଉଦ୍ୟମ ଜାରି ରହିଛି। ଗୋଆ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରେ ଅନେକ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଉଛନ୍ତି। ପଶ୍ଚିମବଙ୍ଗରେ କିଛି ତୃଣମୂଳ ଓ ବାମପନ୍ଥୀ ବିଧାୟକଙ୍କୁ ବିଜେପି ନିଜ ଶିବିରକୁ ଆଣିପାରିଛି। ତେଲେଙ୍ଗାନାରେ ୧୨ ଜଣ କଂଗ୍ରେସ ବିଧାୟକ ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଯୋଗ ଦେଇଛନ୍ତି। ସାରା ଦେଶରେ କଂଗ୍ରେସ ବିଧାୟକଙ୍କ ଦଳ ଡିଆଁ ଚାଲିଥିବା ବେଳେ ଏହାର ପ୍ରଭାବ ଓଡିଶା ଉପରେ ମଧ୍ୟ ପଡିବ। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବାପରେ ଏବେ ଜାତୀୟ ସ୍ତରରେ କଂଗ୍ରେସ ଏକ ପ୍ରକାର ଦିଶାଶୂନ୍ୟ ଅବସ୍ଥାରେ ପହଞ୍ଚିଛି। ଏପରିକି ଦଳ ସରକାର ଥିବା ପଞ୍ଜାବ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାୟକମାନେ ସ୍ଥାନୀୟ ନେତୃତ୍ଵ ବିରୋଧରେ ମେଳି ବାନ୍ଧି ବିଜେପିର ଏଜେଣ୍ଡାକୁ ଆଗକୁ ବଢାଉଛନ୍ତି।

ଓଡିଶାରେ ନବ ନିର୍ବାଚିତ କଂଗ୍ରେସ ବିଧାୟକମାନଙ୍କୁ ବାନ୍ଧି ରଖିବାରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି କେତେଦୂର ସକ୍ଷମ ହେବେ, ତାହା ସମୟ କହିବ। ତେବେ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସ ନିଜ ଛୋଟିଆ ବିଧାୟକ ଦଳକୁ ଯେ ବଞ୍ଚାଇ ପାରିବ ସେ ଭରସା ଆଉ ନାହିଁ। ଉଭୟ ବିଜେଡି ଓ ବିଜେପି ଶିବିରରୁ ଏମାନଙ୍କୁ ନିଜ ପକ୍ଷକୁ ଟାଣିବା ଲାଗି ସୁଚିନ୍ତିତ ରଣନୀତି ରହିଛି। ଟଙ୍କା ଥଳି ସହିତ ପଦବୀର ପ୍ରଲୋଭନ ରହିଛି। କଂଗ୍ରେସ ଭିତରେ ରହି ମାଟି କାମୁଡି ପଡି ରହିବା ଅପେକ୍ଷା ମଉକା ଦେଖି ଚଉକା ମାରିବାକୁ କିଛି କଂଗ୍ରେସ ବିଧାୟକ ଚାହୁଁଛନ୍ତି। କଂଗ୍ରେସରେ ରହିଲେ ନିଜର ରାଜନୈତିକ ଭବିଷ୍ୟତ ଅନ୍ଧାର ବୋଲି ଏବେ ଏକ ସ୍ପଷ୍ଟ ଧାରଣା କଂଗ୍ରେସ ନେତାମାନଙ୍କର ହେଲାଣି। ଗୋଷ୍ଠୀ କନ୍ଦଳ ଓ ଗୋଡ ଟଣାଟଣି ରାଜନୀତି ରୁ କଂଗ୍ରେସକୁ ମୁକ୍ତି ମିଳୁନାହିଁ। କେନ୍ଦ୍ର ଓ ରାଜ୍ୟରେ କ୍ଷମତାଠୁ ଦୀର୍ଘ ବର୍ଷ ଦୂରରେ ରହି କଂଗ୍ରେସର ମନୋବଳ ଭାଙ୍ଗି ଯାଇଛି। କ୍ଷମତା ଲାଗି ଛଟପଟ ଅନେକ କଂଗ୍ରେସ ବିଧାୟକ ଏବେ ଆଉ ଦଳରେ ରହି ନିଜର ଶକ୍ତି ଓ ସାମର୍ଥ୍ୟ ଅପଚୟ କରିବାକୁ ଚାହୁଁନାହାନ୍ତି।

ସେହି ଦୃଷ୍ଟିରୁ ଆସନ୍ତା ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ଦଳରେ ବିଭାଜନ ଲାଗି ଉଦ୍ୟମ ସଫଳ ହେବାର ଢେର ସମ୍ଭାବନା ରହିଛି।

Categories
ଆଜିର ଖବର

କ୍ୟାବିନେଟ୍‌ ଏବଂ ରାଜ୍ୟସଭାରୁ ଇସ୍ତଫା ଦେବେ ବୀରେନ୍ଦ୍ର ସିଂ

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ ରବିବାର କେନ୍ଦ୍ରମନ୍ତ୍ରୀ ପଦ ଏବଂ ରାଜ୍ୟସଭା ସାଂସଦ ପଦରୁ ଅବ୍ୟାହତି ନେବେ ବୋଲି ଘୋଷଣା କରିଛନ୍ତି। ରବିବାର ନିଜ ବାସଭବନରେ ଗଣମାଧ୍ୟମ ଅଧିକାରୀଙ୍କୁ ଏହି ସୂଚନା ଦେଇଛନ୍ତି ଶ୍ରୀ ସିଂ। ସୂଚନାଯୋଗ୍ୟ ଯେ, ଶ୍ରୀ ସିଂଙ୍କ ପୁତ୍ର ବ୍ରିଜେନ୍ଦ୍ର ସିଂଙ୍କୁ ବିଜେପି ପକ୍ଷରୁ ହରିୟାଣାର ହିସାର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ଏ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କୁ ସୂଚନା ଦେଇଥିବା କହିଛନ୍ତି ଶ୍ରୀ ସିଂ। ଇସ୍ତଫା ପ୍ରଦାନ ନେଇ ଶ୍ରୀ ସିଂ କହିଛନ୍ତି, ବିଜେପି କଦାପି ରାଜନୀତିରେ ବଂଶବାଦକୁ ପ୍ରଶୟ ଦେଇନଥାଏ ତେଣୁ ମୋ ପୁଅ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିବାରୁ ମୁଁ ରାଜନୀତିରୁ ସନ୍ନ୍ୟାସ ନେବା ଉଚିତ୍‌। ୨୦୧୪ରେ ଶ୍ରୀ ସିଂ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ପ୍ରଥମେ ସ୍ବଚ୍ଛତା,ଜଳଯୋଗାଣ ଏବଂ ପଞ୍ଚାୟତିରାଜ ବିଭାଗରେ କେନ୍ଦ୍ରମନ୍ତ୍ରୀ ରହିବା ପରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ମଧ୍ୟ ରହିଥିଲେ। ୨୦୧୬ରେ ଶ୍ରୀ ସିଂ ଇସ୍ପାତ ମନ୍ତ୍ରଣାଳୟ ସମ୍ଭାଳିଥିଲେ।