Categories
ଆଜିର ଖବର ଜାତୀୟ ଖବର

ଆରଟିଆଇ ତଥ୍ୟ: ବରିଷ୍ଠ ନାଗରିକଙ୍କଠାରୁ ରିହାତି ପ୍ରତ୍ୟାହାର ଯୋଗୁଁ ଚାରି ବର୍ଷରେ ୫୮୦୦ କୋଟି ରୋଜଗାର

ନୂଆଦିଲ୍ଲୀ: ସୂଚନା ଅଧିକାର (ଆରଟିଆଇ) ଅଧିନିୟମ ଅନୁଯାୟୀ ପଚରାଯାଇଥିବା ପ୍ରଶ୍ନରୁ ଜଣାପଡିଛି ଯେ, ଟ୍ରେନ୍ ଭଡା ବରିଷ୍ଠ ନାଗରିକମାନଙ୍କୁ ଦିଆଯାଇଥିବା ରିହାତି ପ୍ରତ୍ୟାହାର କରିବା ପରେ ଭାରତୀୟ ରେଳବାଇ ବରିଷ୍ଠ ନାଗରିକଙ୍କଠାରୁ ୫୮୦୦ କୋଟିରୁ ଅଧିକ ଆୟ କରିଛି।

ମାର୍ଚ୍ଚ ୨୦ ତାରିଖ ୨୦୨୦ରେ କୋଭିଡ -୧୯ ମହାମାରୀ କାରଣରୁ ଦେଶବ୍ୟାପୀ ଲକ ଡାଉନ ଘୋଷଣା ହେବା ପରେ ରେଳ ମନ୍ତ୍ରଣାଳୟ ବରିଷ୍ଠ ନାଗରିକମାନଙ୍କୁ ଟ୍ରେନ ଭଡା ଉପରେ ଦିଆଯାଇଥିବା ରିହାତି ପ୍ରତ୍ୟାହାର କରିନେଇଥିଲା। ସେହି ସମୟ ପର୍ଯ୍ୟନ୍ତ ରେଳବାଇ ମହିଳା ଯାତ୍ରୀଙ୍କୁ ଟ୍ରେନ୍ ଭଡା ଉପରେ ୫୦ ପ୍ରତିଶତ ଏବଂ ପୁରୁଷ ଏବଂ ଟ୍ରାନ୍ସଜେଣ୍ଡର ବରିଷ୍ଠ ନାଗରିକଙ୍କୁ ୪୦ ପ୍ରତିଶତ ରିହାତି ପ୍ରଦାନ କରୁଥିଲା। ଏହି ରିହାତି ହଟାଇବା ପରେ ବୃଦ୍ଧଙ୍କୁ ଅନ୍ୟ ଯାତ୍ରୀଙ୍କ ପରି ଭଡା ଦେବାକୁ ପଡିବ। ରେଳ ନିୟମ ଅନୁଯାୟୀ, ୬୦ ବର୍ଷରୁ ଅଧିକ ବୟସ୍କ ପୁରୁଷ ଏବଂ ଟ୍ରାନ୍ସଜେଣ୍ଡର ଏବଂ ୫୮ ବର୍ଷରୁ ଅଧିକ ବୟସର ମହିଳାମାନେ ବରିଷ୍ଠ ନାଗରିକ ଭାବରେ ବିବେଚନା କରାଯାଏ। ବୃଦ୍ଧଙ୍କୁ ଦିଆଯାଇଥିବା ଯାତ୍ରୀ ଭଡାରେ ରିହାତି ମିଳିବା ପରେ ପରିସ୍ଥିତି ସମ୍ବନ୍ଧୀୟ ଚିତ୍ର କିଛି ଆରଟିଆଇ ଆବେଦନରୁ ମିଳିଥିବା ଉତ୍ତରରୁ ସ୍ପଷ୍ଟ ହୋଇଛି।

ମଧ୍ୟପ୍ରଦେଶର ବାସିନ୍ଦା ଚନ୍ଦ୍ରଶେଖର ଗୌଡ ବିଭିନ୍ନ ସମୟରେ ଆରଟିଆଇ ଅଧିନିୟମ ଅନୁଯାୟୀ ଆବେଦନ କରିଛନ୍ତି ଏବଂ ସୂଚନା ପାଇଛନ୍ତି ଯେ, ମାର୍ଚ୍ଚ ୨୦ ତାରିଖ ୨୦୨୦ ରୁ ଜାନୁୟାରୀ ୩୧ ତାରିଖ ୨୦୨୪ ପର୍ଯ୍ୟନ୍ତ ରେଳବାଇ ଏହି କ୍ଷେତ୍ରରେ ୫୮୭୫ କୋଟିରୁ ଅଧିକ ଆୟ କରିଛି। ଗୌଡ କହିଛନ୍ତି ଯେ, “ମୁଁ ଆରଟିଆଇ ଅଧିନିୟମ ଅନୁଯାୟୀ ତିନୋଟି ଆବେଦନ କରିଥିଲି। ପ୍ରଥମ ଆବେଦନପତ୍ରରେ ରେଳବାଇ ମୋତେ ମାର୍ଚ୍ଚ ୨୦ ତାରିଖ ୨୦୨୦ରୁ ମାର୍ଚ୍ଚ ୩୧ ତାରିଖ ୨୦୨୨ ପର୍ଯ୍ୟନ୍ତ ଅତିରିକ୍ତ ରାଜସ୍ୱ ତଥ୍ୟ ପ୍ରଦାନ କରିଥିଲା। ଦ୍ୱିତୀୟ ଆବେଦନପତ୍ରରେ ରେଳବାଇ ମୋତେ ଏପ୍ରିଲ ୧ ତାରିଖ ୨୦୨୨ରୁ ମାର୍ଚ୍ଚ ୩୧ ତାରିଖ ୨୦୨୩ ପର୍ଯ୍ୟନ୍ତ ଅତିରିକ୍ତ ରାଜସ୍ୱ ତଥ୍ୟ ପ୍ରଦାନ କରିଥିଲା। ସେହିଭଳି ଫେବୃଆରୀ ୨୦୨୪ ରେ ଦାଖଲ ହୋଇଥିବା ତୃତୀୟ ଆବେଦନରୁ ମୁଁ ଏପ୍ରିଲ୍ ୧ ତାରିଖ ୨୦୨୩ରୁ ଜାନୁୟାରୀ ୩୧ ତାରିଖ ୨୦୨୪ ପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳିଥିଲା।”

RTI ଦେଇଥିବା ତଥ୍ୟଗୁଡିକୁ ସାର୍ବଜନୀନ କରି ସେ କହିଛନ୍ତି ଯେ, “ରେଳବାଇ ବର୍ଷ ଏବଂ ଲିଙ୍ଗ ଆଧାରରେ ତଥ୍ୟ ଦେଇଛି। ଏଗୁଡିକର ସାହାଯ୍ୟରେ ଆମେମାର୍ଚ୍ଚ ୨୦ ତାରିଖ ୨୦୨୦ରୁ ଜାନୁୟାରୀ ୩୧ ତାରିଖ ୨୦୨୪ ପର୍ଯ୍ୟନ୍ତ ରେଳ ସଂଗ୍ରହ କରିଥିବା ଅତିରିକ୍ତ ରାଜସ୍ୱକୁ ସହଜରେ ଆକଳନ କରିପାରିବା” ଏହି ନକଲଗୁଡିକ ଦର୍ଶାଉଛି ଯେ, ଚାରି ବର୍ଷ ମଧ୍ୟରେ ପ୍ରାୟ ୧୩ କୋଟି ପୁରୁଷ, ୯ କୋଟି ମହିଳା ଏବଂ ୩୩,୭୦୦ ଟ୍ରାନ୍ସଜେଣ୍ଡର ବରିଷ୍ଠ ନାଗରିକ ଟ୍ରେନ୍ ଯାତ୍ରା କରିଥିଲେ ଏବଂ ମୋଟ ୧୩,୨୮୭ କୋଟି ଟଙ୍କା ଆୟ କରିଥିଲେ।

ଗୌଡ କହିଛନ୍ତି ଯେ, ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ଏବଂ ପୁରୁଷ ଏବଂ ଟ୍ରାନ୍ସଜେଣ୍ଡର ବରିଷ୍ଠ ନାଗରିକ ଯାତ୍ରୀଙ୍କ ପାଇଁ ୪୦ ପ୍ରତିଶତ ରିହାତି ହିସାବ କଲେ ଏହି ପରିମାଣ ୫,୮୭୫ କୋଟିରୁ ଅଧିକ ହେବ। ମହାମାରୀର ସମାପ୍ତି ପରେ ବରିଷ୍ଠ ନାଗରିକଙ୍କୁ ଟ୍ରେନ୍ ଭଡା ରିହାତିର ପୁନରୁଦ୍ଧାର ସହ ଜଡିତ ପ୍ରଶ୍ନ ଉଭୟ ସଂସଦ ଗୃହ ସମେତ ବିଭିନ୍ନ ପ୍ଲାଟଫର୍ମରେ ଉଠିଛି।

ତେବେ ଏହାର କୌଣସି ପ୍ରତ୍ୟକ୍ଷ ଉତ୍ତର ନ ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ପ୍ରତ୍ୟେକ ରେଳ ଯାତ୍ରୀଙ୍କୁ ଟ୍ରେନ୍ ଭଡା ଉପରେ ଭାରତୀୟ ରେଳ ୫୫ ପ୍ରତିଶତ ରିହାତି ପ୍ରଦାନ କରୁଛି। ଜାନୁଆରୀ ୨୦୨୪ ରେ ଶ୍ରୀ ବୈଷ୍ଣବ ଏକ ପ୍ରେସ ବିବୃତ୍ତିରେ କହିଥିଲେ ଯେ, ‘ଯଦି ଗନ୍ତବ୍ୟ ସ୍ଥଳ ପାଇଁ ଟ୍ରେନ ଟିକେଟର ମୂଲ୍ୟ ୧୦୦ ଟଙ୍କା, ତେବେ ରେଳବାଇ ଯାତ୍ରୀଙ୍କଠାରୁ ମାତ୍ର ୪୫ ଟଙ୍କା ଆଦାୟ କରୁଛି। ଏହିପରି ଭାବରେ ଏହା ଯାତ୍ରା ସମୟରେ ୫୫ ଟଙ୍କା ରିହାତି ପ୍ରଦାନ କରୁଛି। ”

ଏହି ବିଷୟରେ ଗୌଡ କହିଛନ୍ତି ଯେ, କୌଣସି ନୂତନ ଅଫର ଦେବା ପରିବର୍ତ୍ତେ ବର୍ତ୍ତମାନର ସରକାର କେବଳ ରିହାତି ପ୍ରତ୍ୟାହାର କରି ନେଇଛନ୍ତି, ତେଣୁ ଏହା ଦର୍ଶାଉଛି ଯେ କୋଭିଡ -୧୯ ପୂର୍ବରୁ ଟ୍ରେନ ଟିକେଟ କ୍ରୟ ଉପରେ ୫୫ ଟଙ୍କାରୁ ଅଧିକ ରିହାତି ଦିଆଯାଉଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ରଥ

ଭୁବନେଶ୍ବର: ଆଜି ସୂଚନା କମିଶନର ଭାବେ ଶପଥ ନେଇଛନ୍ତି ବରିଷ୍ଠ ଆଇନିଜୀବୀ ଜଗନ୍ନାଥ ରଥ। ତାଙ୍କୁ ରାଜ୍ୟପାଳ ରଘୁବର ଦାସ ସୂଚନା କମିଶନର ଭାବେ ଶପଥ ପାଠ କରାଇଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂ ତାଙ୍କର ନିଯୁକ୍ତି ସଂପର୍କରେ ଅବଗତ କରାଇଥିଲେ। ଏହାପରେ ରାଜ୍ୟପାଳ ଶପଥପାଠ କରାଇଥିଲେ।

ଆଇନଜୀବୀ ଭାବେ ଜଗନ୍ନାଥଙ୍କର ରହିଛି ୨୫ବର୍ଷର ଅଭିଜ୍ଞତା। ଜଗନ୍ନାଥ ହେଉଛନ୍ତି ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପୁଅ। ସେ ରାଜସ୍ୱ ପର୍ଷଦର ଆଇନ ପରାମର୍ଶଦାତା ଭାବେ ଏବେ କାମ କରୁଛନ୍ତି। ଏଥିସହିତ ସେ ଶ୍ରୀମନ୍ଦିରର ଅବୈତନିକ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସିଷ୍ଟମରୁ ୫୦୦ ଟଙ୍କା ନୋଟ୍ ଗାଏବ!: ଜାଣନ୍ତୁ ଏହା ଉପରେ କ’ଣ ଉତ୍ତର ରଖିଲା ଆରବିଆଇ

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରରୁ ୫୦୦ ଟଙ୍କା ନୋଟ୍ ଅଦୃଶ୍ୟ ହେବାର ଖବରକୁ ଅସ୍ୱୀକାର କରିଛି ଏବଂ ଏହା ଉପରେ ସ୍ପଷ୍ଟୀକରଣ ଜାରି କରିଛି। ଗତକାଲି ଆରବିଆଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କହିଛି ଯେ, ଏହାର ସିଷ୍ଟମରୁ ୮୮,୦୩୨.୫ କୋଟି ଟଙ୍କା ନିଖୋଜ ହେବାର ଖବର ଭୁଲ। RTI ରୁ ପ୍ରାପ୍ତ ତଥ୍ୟର ଭୁଲ ବ୍ୟାଖ୍ୟା ହେତୁ ଏହା ଘଟିଛି। ଆରବିଆଇ କହିଛି ଯେ, ଦେଶର ତିନୋଟି ପ୍ରିଣ୍ଟିଂ ପ୍ରେସରୁ ୫୦୦ ଟଙ୍କିଆ ନୋଟ ବିଷୟରେ ଆରଟିଆଇ ଅଧୀନରେ ଦିଆଯାଇଥିବା ସୂଚନାକୁ ଭୁଲ ବ୍ୟାଖ୍ୟା କରାଯାଇଛି।

ଗତକାଲି ଅନେକ ଗଣମାଧ୍ୟମରେ ରିପୋର୍ଟ କରାଯାଇଥିଲା ଯେ, ମନୋରଂଜନ ରୟ ରାଇଟ୍ ଟୁ ଇନଫର୍ମେସନ୍ ଯଥା ଆରଟିଆଇ ଅଧୀନରେ କିଛି ପ୍ରଶ୍ନ ପଚାରିଥିଲେ ଏବଂ ଏହାର ଉତ୍ତରରେ କୁହାଯାଇଥିଲା ଯେ, ନୂତନ ଡିଜାଇନ୍ ର ୫୦୦ ଟଙ୍କାର ଲକ୍ଷ ଲକ୍ଷ ନୋଟ୍ ଗାଏବ ହୋଇଯାଇଛି, ଏହାର ମୂଲ୍ୟ ୮୮,୦୩୨.୫ କୋଟି ଟଙ୍କା। ମିଳିଥିବା ସୂଚନା ଅନୁଯାୟୀ, ଦେଶର ତିନୋଟି ପ୍ରିଣ୍ଟିଂ ପ୍ରେସ୍ ମିଳିତ ଭାବେ ନୂତନ ଡିଜାଇନ୍ ସହିତ ୫୦୦ ଟଙ୍କାର ୮୮୧୦.୬୫ କୋଟି ନୋଟ୍ ଛାପି ଥିଲେ, କିନ୍ତୁ ରିଜର୍ଭ ବ୍ୟାଙ୍କ ଏଥିରୁ ମାତ୍ର ୭୨୬ କୋଟି ନୋଟ୍ ପାଇଥିଲା। ମୋଟ ଉପରେ ୫୦୦ ର ୧୭୬୦.୬୫ କୋଟି ନୋଟ୍ ଗାଏବ ହୋଇଯାଇଛି, ଯାହାର ମୂଲ୍ୟ ୮୮,୦୩୨.୫ କୋଟି ଟଙ୍କା।

ଆରବିଆଇ କ’ଣ କହିଲା?:

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର ପ୍ରେସ ବିଜ୍ଞପ୍ତିରେ ଏବଂ ଟ୍ୱିଟରରେ ପୋଷ୍ଟରେ କହିଛି ଯେ, ଆରବିଆଇ ସୂଚନା ପାଇଛି ଯେ ବିଭିନ୍ନ ମିଡିଆ ରିପୋର୍ଟରେ ସିଷ୍ଟମରୁ ୫୦୦ ଟଙ୍କିଆ ନୋଟ୍ ଅଦୃଶ୍ୟ ହେବାର ଖବର ଭୁଲ। ପ୍ରିଣ୍ଟିଂ ପ୍ରେସରୁ ମିଳିଥିବା ସୂଚନାକୁ ଭୁଲ ବୁଝାମଣା କରାଯାଇଛି ଏବଂ ଏହା ଜାଣିବା ଜରୁରୀ ଯେ ପ୍ରିଣ୍ଟିଂ ପ୍ରେସରେ ଯାହା କିଛି ନୋଟ୍ ପ୍ରିଣ୍ଟ୍ ହୋଇଛି ତାହା ସମ୍ପୂର୍ଣ୍ଣ ସୁରକ୍ଷିତ। ଏହି ବ୍ୟାଙ୍କ ନୋଟଗୁଡିକର ଉତ୍ପାଦନ, ସଂରକ୍ଷଣ ଏବଂ ବିତରଣକୁ ଆରବିଆଇ ଦ୍ୱାରା ସମ୍ପୂର୍ଣ୍ଣ ପ୍ରୋଟୋକଲ୍ ସହିତ ତଦାରଖ କରାଯାଏ ଏବଂ ଏଥିପାଇଁ ଏକ ମଜବୁତ ବ୍ୟବସ୍ଥା ଅଛି।

ଆରବିଆଇ ଦ୍ଵାରା ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ବ୍ୟାଙ୍କର ମୁଖ୍ୟ ଜେନେରାଲ ମ୍ୟାନେଜର ଯୋଗେଶ୍ୱର ଦୟାଲଙ୍କ ଦ୍ଵାରା ଏହା ଲେଖାଯାଇଛି ଯେ, ଏହିପରି କୌଣସି ସୂଚନା ପାଇଁ ସମସ୍ତେ କେବଳ ଆରବିଆଇ ଦ୍ୱାରା ପ୍ରକାଶିତ ସୂଚନା ଉପରେ ନିର୍ଭର କରିବା ଉଚିତ।

Categories
ଆଞ୍ଚଳିକ

ମହାକାଳପଡ଼ା ବ୍ଲକ ସମୁଖରେ ଗଣଧାରଣାରେ ସୂଚନା ଅଧିକାର କର୍ମୀ

ଗୁରୁପଦ ବେରା
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ପରିସରରେ ସୂଚନା ଅଧିକାର କର୍ମୀ ଗଣଧାରଣାରେ ବସିଛନ୍ତି । କରୋନା ମହାମାରୀ ସମୟରେ ରାସନ ସାମଗ୍ରୀ ହେରଫେର ଅଭିଯୋଗରେ ଏହି ଗଣଧାରଣା କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କ ମୁଣ୍ଡ ପିଛା ୫ କିଲୋ ଚାଉଳ ଓ କାର୍ଡ ପିଛା ୩ କିଲୋ ଡାଲି ଦେବାର ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଅନେକ ଡିଲର ଏହି ନିର୍ଦ୍ଦେଶକୁ ଖୋଲା ଉଲ୍ଲଂଘନ କରୁଛନ୍ତି ।

କିଛି ଡିଲର କେବଳ ଚାଉଳ ଦେଇ ଖସିଯିବାକୁ ବସିଥିବା ବେଳେ ଅନେକ ସ୍ଥାନରେ ଚାଉଳ ଗଣ୍ଡିଏ ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚି ନାହିଁ । ଏଭଳି ଅନିୟମିତତାର ପ୍ରତିବାଦରେ ତଥା ସାଧାରଣ ଲୋକଙ୍କମ ହକ୍‌ ସେମାନଙ୍କ ନିକଟରେ ପହଞ୍ଚାଇବା ଦାବିରେ ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଗଣଧାରଣାରେ ବସିଛନ୍ତି ଏକାଧିକ ସୂଚନାଧିକାର କର୍ମୀ ।

Categories
ଆଞ୍ଚଳିକ

ଜଗତସିଂହପୁର ଠାରେ ସୂଚନା ଅଧିକାର ଆଇନ୍ ଅଭିଯାନ କର୍ମଶାଳା

ରମେଶ ମହାନ୍ତି
ଜଗତସିଂହପୁର : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ ଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ସୂଚନା ଅଧିକାର ଆଇନ ସଂପର୍କୀୟ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇ ଯାଇଛି। ଏହି କର୍ମଶାଳାରେ ଜିଲ୍ଲାର ଜନ ସୂଚନା ଅଧିକାରୀ, ଉପ ଜନ ସୂଚନା ଅଧିକାରୀ ଏବଂ ପ୍ରଥମ ଅପିଲ ଅଧିକାରୀ ଏବଂ ପଂଚାୟତ ପ୍ରତିନିଧି ମାନେ ଯୋଗଦେଇଥିଲେ। ଏହି କର୍ମଶାଳାକୁ ଉଦ୍ ଘାଟନ କରିଥିଲେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସୂଚନା ଅଧିକାର ଅଧି ନିୟମ ଓ ୫ଟି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମଗ୍ର ଓଡିଶାରେ ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ କାର୍ଯ୍ୟକାରୀ ହୋଇଛି ବୋଲି ଜିଲ୍ଲାପାଳ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଜିଲ୍ଲାରେ ୩୨ଟି ବିଭାଗରେ ଇ-ଅଫିସ ବ୍ୟବହାର ହେଉଛି । ସ୍ୱଛତା ହେଉଛି ବଡ ପଦକ୍ଷେପ। ଏପ୍ରିଲ ପରେ ଜିଲ୍ଲାର ପ୍ରତ୍ୟେକ ଆର୍‌.ଆଇ. ଅଫିସ ଓ ପଂଚାୟତ ଅଫିସରେ ଇ-ଅଫିସ କାର୍ଯ୍ୟକାରୀ ହେବ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଓସ୍କ ଲାଗିବ ଏବଂ କେଉଁ କାର୍ଯ୍ୟାଳୟରେ କେଉଁ ସୂଚନା ଦରକାର, ତାହା ୫ ମିନିଟରେ ସର୍ବସାଧାରଣଙ୍କୁ ମିଳି ପାରିବ। ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପ୍ରଶାସନ ଅଧିକ ସ୍ୱଛ ଓ ଉତରଦାୟୀ ହୋଇ ପାରିବ। ଇ-ଅଫିସ ସୂଚନା ଅଧିକାର ଆଇନକୁ ଅଧିକ ନିରାପଦ ଓ ଦୃଢ କରିପାରିବ। ଜିଲ୍ଲାରେ ମେଡିକାଲ ଓ ତହସିଲ କାର୍ଯ୍ୟାଳୟରୁ ମୋ ସରକାର କାର୍ଯ୍ୟକ୍ରମରେ କାର୍ଯ୍ୟ ଦକ୍ଷତା ଉପରେ ଭଲ ଅଭିମତ ଆସିଛି। ରାଜ୍ୟ ସରକାର ଦୁର୍ନୀତିକୁ ଜିରୋ ଟଲରାନ୍‌ସ ଭାବେ ଗ୍ରହଣ କରିଛନ୍ତି। ସୂଚନା ଅଧିକାର ଆଇନ୍ ଲାଗୁଦ୍ୱାରା କୋର୍ଟରେ ଜନସ୍ୱାର୍ଥ ମାମଲା ହ୍ରାସ ପାଇଛି। ଜିଲ୍ଲାରେ ସମସ୍ତ ଯୁଗ୍ମ ଜନ ଅଭିଯୋଗ ଗୁଡିକ ଡିଜିଟାଇଜେସନ୍ କରାଯାଇଛି।

ଏହି କର୍ମଶାଳାରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ କହିଲେ ସୂଚନା ଅଧିକାର ଆଇନ୍ ଦ୍ୱାରା ସ୍ୱଛତା ବଢିବ। ପୂର୍ବରୁ ନାଲିଫିତା ତଳେ ତଥ୍ୟ ଲୁକ୍କାୟିତ ଭାବେ ରହି ଯାଉଥିଲା। ତଥ୍ୟ ଯେତେ ଲୁଚିବ ଦୁର୍ନୀତି ସେତେ ବଢିବ। ରାଜ୍ୟ ସରକାର ୫-ଟି ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଆର୍‌.ଟି.ଆଇ ଓ ୫-ଟିର ଉଦ୍ଦେଶ୍ୟ ହେଉଛି ସ୍ୱଛତା ରକ୍ଷାକରିବା। ଲୁମିନସ୍ ଇନ୍‌ଫୋଓ୍ବେଜ୍ ରିସୋର୍ସ ପର୍ସନ ହର୍ଷବର୍ଦ୍ଧନ ପରିଛା ଯୋଗଦେଇ ସ୍ୱେଛାକୃତ ସୂଚନା ପ୍ରଦାନ ଏବଂ ଅନ୍ ଲାଇନ୍ ମାଧ୍ୟମରେ ସୂଚନା ଆବେଦନ ପତ୍ର ଗ୍ରହଣ କରିବା ଏବଂ ସୂଚନା ପ୍ରଦାନ କରିବା ପ୍ରଣାଳୀ ବିଷୟରେ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ।

 

ଅନ୍ତଦୃଷ୍ଟି ସ୍ୱେଛାସେବୀ ସଂଗଠନର ସଂଯୋଜନାରେ ସଂଗଠନର ନିର୍ଦ୍ଦେଶକ ଗୋପାଳ କୃଷ ମିଶ୍ର ଜନ ସୂଚନା ଅଧିକାରୀ, ଉପ ଜନ ସୂଚନା ଅଧିକାରୀ ଏବଂ ପ୍ରଥମ ଅପିଲ ଅଧିକାରୀଙ୍କର ପ୍ରଶାସନିକ ବ୍ୟବସ୍ଥା,ସୂଚନା ଆବେଦନ ପତ୍ର ଗ୍ରହଣ ଓ ସୂଚନା ପ୍ରଦାନ ବିଷୟରେ ଅବଗତ କରାଇଥିଲେ। ଆର୍‌.ଟି.ଆଇ ରିସୋର୍ସ ପର୍ସନ ଧୀରେନ୍ଦ୍ର ନାଥ ଆଚାର୍ଯ୍ୟ ଯୋଗଦେଇ ସୂଚନା ଅଧିକାର ଆଇନ୍ ଅଧିନରେ ଆସୁଥିବା କାର୍ଯ୍ୟାଳୟ ଓ ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ଉପରେ ଆଲୋକପାତ କରିଥିଲେ। ଉପ-ଜିଲ୍ଲାପାଳ ମାନସ ରଂଜନ ଭୋଇ ଯୋଗଦେଇ ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି କର୍ମଶାଲାରେ ଜିଲ୍ଲା ପରିଷଦ ଉପ ସଭାପତି ଲିଙ୍ଗରାଜ ସ୍ୱାଇଁ, ଉପ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟସଭ୍ୟା,ସମସ୍ତ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ ଓ ସୂଚନା ଅଧିକାର ଆଇନ କର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

ସୂଚନା ଅଧିକାରୀ କର୍ମୀ ହତ୍ୟା ମାମଲା : 5 ଅଭିଯୁକ୍ତ ଗିରଫ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,29/12 : ବାଲିଗୁଡା ଥାନା ପାତ୍ର ସାହିରେ ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ୍‌ 5 ଜଣଙ୍କୁ ଗିରଫ କରିଛି । ଗିରଫ 5 ଜଣଙ୍କ ମଧ୍ୟରେ ଦୁଇ ଜଣ ସୁପାରି କିଲର୍‌ ରହିଥିବା ଜଣାପଡିଛି । ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, 3ଟି ଗୁଳି ଏବଂ 6ଟି ମୋବାଇଲ ଜବତ କରିଛି । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର 10 ତାରିଖରେ 2 ଜଣ ଦୁର୍ବୃତ୍ତ ଅଭିମନ୍ୟୁଙ୍କୁ ଘରୁ ଡାକି ନେଇ ଗୁଳି ମାରି ହତ୍ୟା କରିଥିଲେ ।

Categories
ଆଜିର ଖବର

ସୂଚନା ଅଧିକାରୀ କର୍ମୀଙ୍କୁ ଗୁଳି କରି ହତ୍ୟା

ସମୀକ୍ଷା ବ୍ୟୁରୋ, ବାଲିଗୁଡା,10/12 : ବାଲିଗୁଡାରେ ଜନୈକ ସୂଚନା ଅଧିକାରୀ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବାଲିଗୁଡା ପାତ୍ରସାହିର ଏହି ସୂଚନା ଅଧିକାରୀ କର୍ମୀ ଜଣକ ନିଜ ଘର ସମ୍ମୁଖରେ ଛିଡା ହୋଇଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ବାଇକ୍‌ରେ ଆସି 2 ଜଣ ଦୁର୍ବୁର୍ତ୍ତ ତାଙ୍କ ଉପରକୁ ଗୁଳିମାଡ କରିଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ବାଲିଗୁଡା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି ।