Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅନନ୍ୟ ଉପାୟରେ ଇତିଶ୍ରୀଙ୍କ କରୋନା ସଚେତନତା

ରଞ୍ଜିତ ପଣ୍ଡା

କୁଜଙ୍ଗ: କରୋନାକୁ ନେଇ ଦେଶବ୍ୟାପୀ ସଙ୍କଟ ଲାଗି ରହିଥିବା ବେଳେ ସମାଜ ପ୍ରତି ନିଜର କର୍ତ୍ତବ୍ୟ,ଦାୟିତ୍ୱବୋଧ ଭୁଲିନାହାନ୍ତି କିଛି ବ୍ୟକ୍ତି। ଏକ ସୁସ୍ଥ ସମାଜ ସମାଜ ଗଠନ ପାଇଁ ଗୁଣ୍ଡୁଚି ମୂଷା ଭଳି ଦୀର୍ଘ 15 ଦିନ ହେବ ପ୍ରୟାସ କରିଛନ୍ତି ଜଣେ ସ୍କାଉଟ୍‌ ଗାଇଡ୍‌ କ୍ୟାପ୍‌ଟେନ୍‌। ଲୋକମାନଙ୍କୁ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା କରିବା ତଥା କୋଭିଡ -19 ର ଭୟାବହତା ବାବଦରେ ଛକ ବଜାର ବୁଲି କରୁଛନ୍ତି ସଚେତନ। ଭାରତୀୟ ସ୍କାଉଟ ଗାଇଡ଼ର ଗାଇଡ଼ କ୍ୟାପଟେନ ପାରାଦ୍ୱୀପର ଇତିଶ୍ରୀ ପୁହାଣ କରୋନା ମହାମାରୀକୁ ହରେଇବା ପାଇଁ ଚଳାଇଛନ୍ତି ପ୍ରୟାସ। ନିଜ ଉଦ୍ୟମରେ ଘରେ ମାସ୍କ ତିଆରି କରି ପାରାଦ୍ୱୀପ ବନ୍ଦର ଅଞ୍ଚଳରେ ପ୍ରତିଦିନ ଲୋକମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରିବା ସହିତ ସେମାନଙ୍କୁ ମାସ୍କ ପିନ୍ଧେଇ କରୋନା ରୋଗ ପ୍ରତି ସଚେତନ କରୁଛନ୍ତି।

ଇତିଶ୍ରୀଙ୍କର ଏହି ପଦକ୍ଷେପ ପାରାଦ୍ବୀପ ଅଞ୍ଚଳରେ ମାନଙ୍କ ପାଇଁ ଉଦାହରଣ ପାଲଟିଛି। ନିଜେ କପଡ଼ାରେ ମାସ୍କ ତିଆରି କରି ଛକ ବଜାର ଗଳି କନ୍ଦି ବୁଲି ଲୋକମାନଙ୍କୁ ମାସ୍କ ପିନ୍ଧେଇ ସଚେତନ କରୁଛନ୍ତି। ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଅଞ୍ଚଳରେ ମାସ୍କର ଅହେତୁକ କଳାବଜାରୀ କାରଣରୁ ଗରିବ ଶ୍ରେଣୀର ଲୋକମାନେ ବଜାରରୁ ମାସ୍କ କିଣି ପାରୁନଥିଲେ। ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟିବାର ନିଷ୍ପତ୍ତି ନେଇ ଇତିଶ୍ରୀ ନିଜେ ଘରେ ମାସ୍କ ତିଆରି କରି ବଣ୍ଟନ କରିବା ଆରମ୍ଭ କରିଥିଲେ।ଇତିଶ୍ରୀ ଦୈନିକ 200 ରୁ ଉର୍ଦ୍ଧ ମାସ୍କ ରାତିରେ ତିଆରି କରି ଦିନ ତମାମ ବିଭିନ୍ନ ଛକ ବଜାରରେ ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ରାସ୍ତାରେ ଯାଉଥିବା ଲୋକ ଏବଂ ବ୍ୟବସାୟୀ ମାନଙ୍କୁ ବଣ୍ଟନ କରୁଛନ୍ତି। ଏପରିକି ନିଜ ହାତରେ ପିନ୍ଧେଇ ଦେଇ କୋଭିଡ-19 ସମ୍ପର୍କରେ ସଚେତନ କରିଚାଲିଛନ୍ତି। କରୋନାର ସମୂଳ ବିନାଶ ନହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲୁ ରଖିବେ ବୋଲି କହିଛନ୍ତି ଇତିଶ୍ରୀ। ଇତିଶ୍ରୀଙ୍କର ଏହି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।