ଦୁଇ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ରାଜ୍ୟରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି। ବିଜେପି ପକ୍ଷରୁ ଏହି ରାଲି ନିମନ୍ତେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ ପଶ୍ଚିମ ବଙ୍ଗ ଉପରେ ଅଧିକ ଧ୍ୟାନ ରହିବ ବୋଲି ଜଣାପଡିଛି ।ଏହି ୪ ରାଜ୍ୟରୁ ୨୧୦ ଲୋକସଭା ସଦସ୍ୟ ସଂସଦକୁ ଆସିଥାନ୍ତି। ୟୁପିରୁ ୮୦, ମହାରାଷ୍ଟ୍ରରୁ ୪୮, ପଶ୍ଚିମବଙ୍ଗରୁ ୪୨ ଏବଂ ବିହାରରୁ ୪୦ ସାଂସଦ ଲୋକସଭାକୁ ଆସୁଛନ୍ତି। ଦଳୀୟ ସୂତ୍ର ଅନୁଯାୟୀ ଶ୍ରୀ ମୋଦି ୟୁପିରେ ସର୍ବାଧିକ ୨୦ଟି ରାଲିକୁ ସମ୍ବୋଧିତ କରିବେ। ଏହାପରେ ବିହାର ଏବଂ ପଶ୍ଚିମବଙ୍ଗରେ୧୦ ଟି ଲେଖାଏଁ ରାଲିର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ରରେ ୧୦ରୁ ୧୨ଟି ରାଲିର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ, ମୋଦି ଚଳିତ ଗୁରୁବାର ଠାରୁ ଜମ୍ମୁ କଶ୍ମୀରରୁ ନିଜର ପ୍ରଚାର ଆରମ୍ଭ କରିବେ। ସମାନ ଦିନରେ ଉତ୍ତରାଖଣ୍ଡ ଏବଂ ମିରଟ୍ରେ ମଧ୍ୟ ନିର୍ବାଚନ ପ୍ରଚାରରେ ଭାଗ ନେବେ ମୋଦି। ମିରଟ୍ ରାଲିରେ ମୋଦି ଅନ୍ୟୁନ ୮ଟି ଲୋକସଭା ଆମସନରେ ସମ୍ବୋଧିତ କରିବେ। ଏହାପରେ ଶୁକ୍ରବାର ଦିନ ମୋଦି ଓଡିଶାର କୋରାପୁଟ, ତେଲେଙ୍ଗାନାର ମେହବୁବ ନଗର, ଆନ୍ଧ୍ର ପ୍ରଦେଶର କର୍ଣ୍ଣୁଲ୍ରେ ନିର୍ବାଚନୀ ପ୍ରଚାରରେ ସାମିଲ୍ ହେବେ। ୨୦୧୪ ନିର୍ବାଚନରେ ୟୁପି ଏବଂ ବିହାରର ୧୨୦ ଆସନ ମଧ୍ୟରୁ ଏନ୍ଡିଏ ହାତରେ ୧୦୪ ଆସନ ପଡିଥିଲା ଯାହାକି ଦଳର ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ।
Tag: thesamikhsya
୫୪ ବର୍ଷ ବୟସରେ ଅଭିନେତା ପ୍ରକାଶ ରାଜ
ଭାରତୀୟ ସିନେମା ଜଗତର ଜଣେ ସଫଳ କଳାକାର ହେଉଛନ୍ତି ପ୍ରକାଶ ରାଜ । ଆଜି ୫୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଦକ୍ଷିଣ ଭାରତୀୟ ସିନେମା ସହ ହିନ୍ଦୀ ସିନେମାରେ ମଧ୍ୟ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ପ୍ରକାଶ । ୧୯୬୫ରେ ମାର୍ଚ୍ଚ ୨୬ ତାରିଖରେ ବାଙ୍ଗୋଲୋରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ପ୍ରକାଶ। ପ୍ରକାଶଙ୍କର ପ୍ରକୃତ ନାମ ପ୍ରକାଶ ରାୟ। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ତାମିଲ ନିର୍ଦ୍ଦେଶକ କେ. ବାଲାଚନ୍ଦରଙ୍କ କହିବା ଅନୁସାରେ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। କନ୍ନଡ଼ ଟେଲିଭିଜନରେ କାମ କରିବା ପରେ ସେ ୧୯୯୪ ମସିହାରେ ତାମିଲ୍ ସିନେମା ‘ଡୁଏଟ୍’ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ୧୯୮୮ ମସିହାରେ ମଣି ରତ୍ନମ୍ଙ୍କ ଫିଲ୍ମ ‘ଇରୁଭର୍’ ପାଇଁ ସେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ । ସେହିପରି ୨୦୦୭ ମସିହାରେ ‘କାଂଚିଭରମ୍’ ପାଇଁ ମଧ୍ୟ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । କନ୍ନଡ଼ ଫିଲ୍ମ ‘ପୁଟ୍ଟୁକ୍କାନା ହାଇଓ୍ବେ’ ପାଇଁ ଶ୍ରେଷ୍ଠ ପ୍ରଯୋଜକର ଜାତୀୟ ପୁରସ୍କାର ମଧ୍ୟ ଜିଣିଛନ୍ତି ପ୍ରକାଶ । ଦକ୍ଷିଣ ଭାରତୀୟ ଫିଲ୍ମ ସହିତ ବଲିଉଡ୍ରେ ‘ଓ୍ବାଣ୍ଟେଡ୍’ ‘ସିଂହମ୍’ ଏବଂ ‘ଦବଙ୍ଗ-୨’ରେ ଖଳନାୟକ ଚରିତ୍ରରେ ଅଭିନୟ କରି ଖୁବ୍ ଲୋକପ୍ରିୟ ହୋଇପାରିଛନ୍ତି। ପ୍ରକାଶ ଅଭିନେତ୍ରୀ ଲଳିତା କୁମାରୀଙ୍କୁ ୧୯୯୪ ମସିହାରେ ବିବାହ କରିଥିଲେ। ତାଙ୍କର ୨ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ତେବେ ୨୦୦୯ ମସିହାରେ ସେମାନେ ଅଲଗା ହୋଇଯାଇଛନ୍ତି ।
ବିଜେପି ଦଳରୁ ଇସ୍ତଫା ଦେଲେ ସୁବାସ ଚୌହାନ
ବିଜେପି ନେତା ସୁବାସ ଚୌହାନ ବିଜେପି ଛାଡ଼ିଲେ। ବରଗଡ଼ ଲୋକସଭା ଆସନରୁ ଚଳିତଥର ଟିକେଟ ପାଇବାକୁ ଆଶାୟୀ ରହିଥିଲେ। ଗତ ନିର୍ବାଚନରେ ମଧ୍ୟ ବିଜେପି ତରଫରୁ ବରଗଡ଼ ଲୋକସଭା ତରଫରୁ ପ୍ରାର୍ଥୀ ହୋଇଥିଲେ। ବହୁତ୍ କମ୍ ଭୋଟ୍ରେ ସେ ଗତଥର ନିର୍ବାଚନ ହାରିଥିଲେ। ପୂର୍ବରୁ ଟିକେଟ ନ ପାଇବା ନେଇ ସୋସିଆଲ୍ ମିଡ଼ିଆରେ ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ଇସ୍ତଫା ଦେବା ପରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ଖୋଲାଖୋଲି ସମାଲୋଚନା କରି ବିଜେପିର ଚିନ୍ତାଧାରାରେ ଅସନ୍ତୁଷ୍ଟ ରହିଛନ୍ତି ବୋଲି କହିଛନ୍ତି ସୁବାସ। ତେବେ ଶ୍ରୀ ଚୌହାନଙ୍କ ବଦଳରେ ବରଗଡ଼ରେ ବିଜେପି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରାଇଛି। ତେବେ ସୁବାସ ବିଜେପି ଦଳ ଛାଡ଼ିବା ପରେ ବିଜେଡ଼ିରେ ମିଶିବା ନେଇ ଚର୍ଚ୍ଚା ରହିଛି।
ବିଜେପିରେ ସାମିଲ୍ ହେଲେ ଜୟା ପ୍ରଦା
ସମାଜବାଦୀ ପାର୍ଟି ତରଫରୁ ସାଂସଦ ରହିସାରିଥିବା ଅଭିନେତ୍ରୀ ଜୟା ପ୍ରଦା ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜୟା ପ୍ରଦାଙ୍କୁ ବିଜେପି ରାମପୁର ଲୋକସଭାର ପ୍ରାର୍ଥୀ ଭାବେ ତାଙ୍କୁ ଟିକେଟ ଦେବ। ଏହା ପୂର୍ବରୁ ମଧ୍ୟ ଜୟା ପ୍ରଦା ରାମପୁର ଆସନରୁ ସମାଜବାଦୀ ପାର୍ଟି ତରଫରୁ ୨୦୦୪ରୁ ୨୦୧୪ ଯାଏ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଜୟାପ୍ରଦା ଅଭିନୟରୁ ବିରତି ନେଇ ୧୯୯୪ରେ ଟିଡିପିରେ ଯୋଗଦେଇ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମତ ପାର୍ଥକ୍ୟ ହେବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ। ଟିଡିପିରୁ ବାହାରି ସେ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ। କିନ୍ତୁ ୨୦୧୦ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ବହିଷ୍କାର କରିଥିଲା। ୨୦୧୪ରେ ସେ ଆରଏଲ୍ଡିରେ ଯୋଗଦେଇଥିଲେ। ୨୦୦୪ରୁ ନିର୍ବାଚନ ଜିତି ଆସୁଥିବା ଜୟାପ୍ରଦା କିନ୍ତୁ ୨୦୧୪ରେ ପରାସ୍ତ ହୋଇଥିଲେ। ଚଳିତ ଥର ଲୋକସଭା ନିର୍ବାଚନରେ ଏସପି ତରଫରୁ ରାମପୁର ଲୋକସଭା ଆସନ ପାଇଁ ଆଜମ୍ ଖାନ ପ୍ରାର୍ଥୀ ହୋଇଛନ୍ତି।
ରାହୁଲ୍ଙ୍କର ସର୍ବନିମ୍ନ ନିଶ୍ଚୟ ଆୟର ଘାେଷଣା କରିବା ପରେ ଏହାକୁ ନେଇ ଆରମ୍ଭ ହୋଇ ରାଜନୈତିକ ବାକ୍ବିତଣ୍ଡା। ଏହି ପ୍ରସଙ୍ଗକୁ ନେଇ ଉଭୟ ଉଭୟଙ୍କୁ କଟାକ୍ଷ କରୁଛନ୍ତି। ବିଜେପି ଏମ୍ଆଇଜିକୁ ସମାଲୋଚନା କରିଥିବାବେଳେ କଂଗ୍ରେସ ଆଜି ଏହାର ଜବାବ ଦେଇଛି। ମୋଦି ସରକାର ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କୁ ଗରିବ ବିରୋଧୀ ବାେଲି କହିଛି କଂଗ୍ରେସ। କଂଗ୍ରେସର ସର୍ବନିମ୍ନ ନିଶ୍ଚିତ ଆୟ (ଏମ୍ଆଇଜି) କୁ ସମାଲୋଚନା କରିବା ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ଏହି ମନ୍ତବ୍ୟ ଦେଇଛନ୍ତି। ଏଆଇସିସି ମିଡିଆ ଇନଚାର୍ଜ ରଣଦୀପ ସୁର୍ଜେଓ୍ବାଲା କହିଛନ୍ତି ଯେ, ମୋଦି କିଛି ହାତଗଣତି ବ୍ୟବସାୟୀଙ୍କୁ ୩ ଲକ୍ଷ ୫୦ ହଜାର କୋଟିର ଋଣ ଛାଡ କରି ପାରନ୍ତି ମାତ୍ର ଏକ ଗରିବ ପରିବାରକୁ ୭୨୦୦୦ ଟଙ୍କା ତାଙ୍କୁ କଷ୍ଟ ଦେଇଥାଏ। ନିଜର ପ୍ରଚାର ପ୍ରସାର ପାଇଁ ମୋଦି ୫୦୦୦ କୋଟି ଖର୍ଚ୍ଚ କରୁଛନ୍ତି ମାତ୍ର ଏକ ଗରିବ ପରିବାରକୁ ୭୨୦୦୦ ଟଙ୍କାକୁ କାହିଁକି ବିରୋଧ କରୁଛନ୍ତି ବୋଲି ସୁର୍ଜେଓ୍ବାଲା ପ୍ରଶ୍ନ ଉଠାଇଛନ୍ତି। ଏହି ସବୁ ଘଟଣାରୁ ଏହା ସ୍ପଷ୍ଟ ପ୍ରତୀୟମାନ ଯେ, ଗରିବ ବିରାେଧୀ ମନୋଭାବ ମୋଦି ଏବଂ ବିଜେପିର ଡିଏନ୍ଏରେ ରହିଛି। ଗରିବ ଲୋକଙ୍କ ନିମନ୍ତେ ଆୟର ପନ୍ଥା ଏମ୍ନରେଗା ଯୋଜନାର ବିରାେଧ କରିଥିଲେ ମୋଦି। ଏନ୍ଏସ୍ଏସ୍ଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଦେଶ ୪ କୋଟି ଚାକିରି ହରାଇଛି। ଜିଏସ୍ଟି ଦ୍ବାରା କ୍ଷୁଦ୍ର ବ୍ୟବସାୟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଛି। ଏହି ସମସ୍ତ ଘଟଣା ମୋଦିଙ୍କୁ ବିଜେପି ବିରୋଧୀ ବୋଲି ପ୍ରମାଣିତ କରୁଛି ବୋଲି ଶ୍ରୀ ସୁର୍ଜେଓ୍ବାଲା ପ୍ରକାଶ କରିଥିଲେ। ଏହାପରେ କଂଗ୍ରେସର ଯୋଜନା ସମ୍ପର୍କରେ ସୁର୍ଜେଓ୍ବାଲା କହିଥିଲେ – ଦେଶର ୨୦ ପ୍ରତିଶତ ଅତି ଗରିବ ପରିବାରକୁ ପ୍ରତ୍ୟେକ ବର୍ଷ ୭୨,୦୦୦ଟଙ୍କା ଦିଆଯିବ, ଏହି ଅର୍ଥରାଶି ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ସେ ଏହି ଅବସରରେ ମୋଦିଙ୍କକୁ କଟାକ୍ଷ କରି କହିଛନ୍ତି ଯେ, ମୋଦିଜୀ ଦେଶର ସବୁଠୁ ଧନୀ ଲୋକଙ୍କୁ ପଇସା ଦେଉଛନ୍ତି, ତେଣୁ କଂଗ୍ରେସ ଦେଶର ସବୁଠୁ ଗରିବ ଲୋକଙ୍କୁ ପଇସା ଦେବ। ଏହି ଯୋଜନାରେ ପାଞ୍ଚ କୋଟି ପରିବାର ଅର୍ଥାତ୍ ୨୫ କୋଟି ଲୋକ ଫାଇଦା ପାଇପାରିବେ ବୋଲି ରାହୁଲ୍ କହିଛନ୍ତି। ସ୍ବାଧୀନତାର ୭୦ ବର୍ଷରେ ଗରିବ ଲୋକଙ୍କ ସଂଖ୍ୟା ୭୦ ପ୍ରତିଶତରୁ ୨୨ ପ୍ରତିଶତକୁ ଖସି ଆସିଛି ଏହି ସଂଖ୍ୟାକୁ ଶୂନକୁ ଆଣିବା କଂଗ୍ରେସର ଲକ୍ଷ୍ୟ ବୋଲି ଶ୍ରୀ ସୁର୍ଜେଓ୍ବାଲା ପ୍ରକାଶ କରିଛନ୍ତି।
ନିର୍ବାଚନ ପୂର୍ବରୁ ୧୪୩ କୋଟି ଟଙ୍କା ଜବତ
ନିର୍ବାଚନ ସମୟରେ ବିପୁଳ ପରିମାଣର ଟଙ୍କା କାରବାର ଉପର ରୋକ୍ ଲଗାଯାଇଛି। ସାରା ଦେଶରୁ ୧୪୩ କୋଟି ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଏ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ମାର୍ଚ୍ଚ ୨୫ ତାରିଖ ଯାଏ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ୧୪୩ କୋଟି ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ସହିତ ୮୯ କୋଟି ୬୪ ଲକ୍ଷ ଟଙ୍କାର ମଦ ଓ ୧୩୧ କୋଟି ୭୫ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି। ସେହିପରି ୧୬୨ କୋଟି ୯୩ ଲକ୍ଷ ଟଙ୍କାର ମୂଲ୍ୟ ଧାତୁ ମଧ୍ୟ ଜବତ କରାଯାଇଛି। ସେହିପରି ପ୍ରାୟ ୧୨.୨୦୨ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ପରେ ବିଜପିର ଅନ୍ୟତମ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କୁ ଟିକେଟ ଦେବାକୁ ମନା କରିଛି ବିଜେପି। ଟିକଟ ପ୍ରଦାନ ପାଇଁ ମନା କରାଯିବା ସହିତ ସ୍ବେଚ୍ଛାକୃତ ଭାବରେ ଅବସର ନେବାକୁ କୁହାଯାଇଥିବା ଶ୍ରୀ ଯୋଶୀ ପ୍ରକାଶ କରିଛନ୍ତି। ଯୋଶୀ କହିଛନ୍ତି ଦଳର ସାଧାରଣ ସମ୍ପାଦକ ରାମ ଲାଲ କହିଛନ୍ତି କି ଆପଣ ନିର୍ବାଚନ ନ ଲଢିବା ନେଇ ସ୍ବୟଂ ଘୋଷଣା କରନ୍ତୁ। କାନପୁରର ଭୋଟରଙ୍କ ପାଇଁ ଡକ୍ଟର ଯୋଶୀ ଏହି ମନ୍ତବ୍ୟ ଦେଇଥିବା ବେଳେ ଏହି ଆସନରୁ ଲଢି୨୦୧୪ ରେ ୫୭ ପ୍ରତିଶତ ଭୋଟ ହାସଲ କରିଥିଲେ। ପୂର୍ବରୁ ଉତ୍ତରପ୍ରଦେଶର ଅନ୍ୟତମ ବରିଷ୍ଠ ନେତା କଲରାଜ ମିଶ୍ର ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ । ଶ୍ରୀ ଯୋଶୀଙ୍କୁ ଟିକଟ ନମିଳିବାକୁ ସମର୍ଥନ କରିଛନ୍ତି ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂ। ସେ କହିଛନ୍ତି ଡକ୍ଟର ଯୋଶୀ ଦଳର ପ୍ରତିଷ୍ଠାତା ସଦସ୍ୟ ତେଣୁ ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେ ଦଳର ମାର୍ଗଦର୍ଶକ ମଣ୍ଡକଳୀରେ କାର୍ଯ୍ୟ କରିବା ଉଚିତ୍। ଏହା ସହିତ ଉତ୍ତର ପ୍ରଦେଶ ପାଇଁ ଦଳ ଏହାର ୪୦ ଜଣିଆ ପ୍ରଚାରକ ଦଳ ଘୋଷଣା କରିଥିବା ବେଳେ ଏହି ତାଲିକାରେ ଆଡଭାନୀ, ମନୋହର ଯୋଶୀ, ବରୁଣ ଏବଂ ମାନେକା ଗାନ୍ଧୀଙ୍କ ନାମ ନାହିଁ।
ନିର୍ବାଚନ ପୂର୍ବରୁ ପ୍ରାକ୍ ନିର୍ବାଚନୀ ହିଂସା ଆରମ୍ଭ ହୋଇ ଗଲାଣି। କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଘରୁ ଡାକି ନେଇ ନେତାଙ୍କ ଦୁଇ ହାତ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ଜଣକ ହେଲେ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା। ତାଙ୍କୁ ରାଜନୈତିକ ଆକ୍ରୋଶରୁ ନୃଶଂସ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ରାମଚନ୍ଦ୍ରଙ୍କୁ ତାଙ୍କ ବାସଭବନରୁ ଡାକି ନେଇଥିଲେ। ଏହାପରେ ସଂଘବନ୍ଧ ଭାବେ ଖଣ୍ଡା ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଘଷିପୁରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି। ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଥିବାବେଳେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ୟୁରୋ କପ୍ ୨୦୨୦ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଅନୁଷ୍ଠିତ ହୋଇଛି। ଇଂଲଣ୍ଡ ଏବଂ ଫ୍ରାନ୍ସ କ୍ରମାଗତ ଦ୍ବିତୀୟ ସହଜ ବିଜୟ ହାସଲ କରିଥିବା ବେଳେ ପର୍ତ୍ତୁଗାଲ କ୍ରମାଗତ ଦ୍ବିତୀୟ ଡ୍ର ରଖିଛି। ଇଂଲଣ୍ଡ ଏବଂ ଫ୍ରାନ୍ସ ବ୍ୟତୀତ ତୁର୍କୀ ଏବଂ ୟୁକ୍ରେନ୍ ମଧ୍ୟ ବିଜୟ ହାସଲ କରିଛନ୍ତି। କ୍ରମାଗତ ଦ୍ବିତୀୟ ମ୍ୟାଚ୍ରେ ୫ଟି ଗାେଲ୍ ସ୍କୋର କରିଥିଲା ଇଂଲଣ୍ଡ। ମଣ୍ଟେନିଗ୍ରୋ ବିପକ୍ଷରେ ମାର୍କୋ ଭେସାେଭିକ(୧୭)ଙ୍କ ଗାେଲ ବଳରେ ଇଂଲ ୦-୧ରେ ପଛୁଆ ରହିଥିଲା। ପରେ ଇଂଲଣ୍ଡ ପକ୍ଷରୁ ପ୍ରତି ଆକ୍ରମଣ କରାଯିବା ସହିତ ୫ଟି ଗୋଲ ସ୍କୋର କରାଯାଇଥିଲା। ମାଇକେଲ କିନ୍ (୩୦), ରସ୍ ବର୍କଲେ (୩୯,୫୯), ହ୍ୟାରି କେନ୍(୭୧) ଏବଂ ରହିମ୍ ଷ୍ଟର୍ଲିଂ (୮୧) ତମ ମିନିଟ୍ରେ ଗୋଲ ସ୍କୋର କରି ଦଳକୁ ବିଜୟୀ କରିଥିଲେ। ଫ୍ରାନ୍ସ ମଧ୍ୟ ଆଇସଲ୍ୟାଣ୍ଡକୁ ଶୋଚନୀୟ ଭାବରେ ୪-୦ରେ ପରାସ୍ତ କରିଛି। ଫ୍ରାନ୍ସ ପକ୍ଷରୁ ଓଲିଭର ଜିରୁଡ୍ ନିଜ କ୍ୟାରିୟରର ୩୫ ତମ ଗୋଲ ସ୍କୋର କରିଥିଲେ। ହେଡର ଜରିଆରେ ମ୍ୟାଚ୍ର ୧୨ ତମ ମିନିଟ୍ରେ ସାମୁଏଲ ଉମିଟି ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ଜିରୁଡ୍ ୬୮ ତମ ମିନିଟ୍ରେ ଦ୍ବିତୀୟ ଗୋଲ୍ ସ୍କୋର କରିଥିଲେ। ଏମ୍ବାପେ ଫ୍ରାନ୍ସ ପକ୍ଷରୁ ୭୮ ତମ ମିନିଟ୍ରେ ତୃତୀୟ ଗୋଲ ସ୍କୋର କରିଥିଲେ। ଦଳପକ୍ଷରୁ ଶେଷ ଗୋଲ ସ୍କୋର କରିଥିଲେ ପୂର୍ବତନ ୟୁରୋକପ୍ ଗୋଲ୍ଡେନ୍ ବୁଟ୍ ବିଜତା ଆଣ୍ଟୋନିଓ ଗ୍ରୀଜ୍ମ୍ୟାନ୍। ତୁର୍କୀ ମଧ୍ୟ ମଲ୍ଡୋଭାକୁ ୪-୦ରେ ପରାସ୍ତ କରିଥିଲା। ତୁର୍କୀ ପକ୍ଷରୁ ସେଙ୍କ ଟୋସୁନ୍ ଦୁଇଟି ଗୋଳ୍ ସ୍କୋର କରିଥିବା ବେଳେ ଦୁଇଟି ଆତ୍ମଘାତୀ ଗୋଲ ଦେଇଥଲା ମଲ୍ଡୋଭା।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ରୁଜୁ ହୋଇଥିବା କୋଲ୍ ବ୍ଲକ୍ ଆବଣ୍ଟନ ମାମଲାର ତୁରନ୍ତ ତଦନ୍ତ ଶେଷ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ହୋଇଛି। ଏହାର ତଦନ୍ତଭାର ନେଇଥିବା ସିବିଆଇକୁ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି। କୋଇଲା ଖଣି ଆବଣ୍ଟନ ନେଇ ୨୦୧୪, ମାର୍ଚ୍ଚ ୨୬ରେ ନବୀନ ପଟ୍ଟନାୟକଙ୍କ ନାଁରେ ମାମଲା ପଞ୍ଜିକୃତ ହୋଇଥିଲା। କିନ୍ତୁ ଏ ଯାଏ ମାମଲା ତଦନ୍ତାଧୀନ ରହିଛି। ତେଣୁ ଏହାର ତଦନ୍ତ କରି ତ୍ୱରିତ ଶୁଣାଣୀ କରିବାକୁ ପିଟିସନ୍ରେ ଦର୍ଶାଯାଇଛି। ଅଭିଯୋଗ ମୁତାବକ, ୧୯୯୮ ମସିହାରେ ଏମ୍/ଏସ୍ ସେଣ୍ଟ୍ରାଲ କୋଲିଆରିଜ୍ କୋ. ଲିମିଟେଡ୍କୁ କୋଇଲା ଖଣି ମିଳିଥିଲା। ମହାରାଷ୍ଟ୍ର ତକ୍ଲି-ଜେନା ବେଲୋରା କୋଲ୍ ଫିଲ୍ଡକୁ କମ୍ପାନୀକୁ ଦିଆଯାଇଥିଲା। କିନ୍ତୁ ପଞ୍ଜିକୃତ ହେବା ପୂର୍ବରୁ କମ୍ପାନୀକୁ ଏହି କୋଇଲା ଖଣି ମିଳିଥିଲା ବୋଲି ପରେ ଅଭିଯୋଗ ଆସିଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଥିଲେ। ତେଣୁ ଏହି ମାମଲାରେ ନବୀନଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ଯାହାକୁ ନେଇ ୨୦୧୪ରେ ମାମଲା ଦାୟର ହୋଇଥିଲା।
ଗେଲ ଝଡରେ ଘାଇଲା ରାଜସ୍ଥାନ ରୟାଲ୍ସ
ଚଳିତ ଆଇପିଏଲ୍ର ଚତୁର୍ଥ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୪ ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ୧୮୫ ରନ୍ର ପିଛା କରୁଥିବା ରାଜସ୍ଥାନ ଏକଦା ୧୫୩/୨ ଥିବାବେଳେ ନାଟକୀୟ ବିପର୍ଯ୍ୟୟ ସହ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ୧୭୦ ରନ୍ କରି ପାରିଥିଲା। ମ୍ୟାଚର ଶ୍ରେଷ୍ଠ ଖେଳାଳି କ୍ରିସ୍ ଗେଲ୍ଙ୍କ ଧମାକାଦାର ବ୍ୟାଟିଂ ସହ ବୋଲରଙ୍କ ମିଳିତ ପ୍ରୟାସ ପଞ୍ଜାବକୁ ରୋମାଞ୍ଚକର ବିଜୟ ଉପହାର ଦେଇଥିଲା। ତେବେ ଦ୍ରୁତ ବ୍ୟାଟିଂ କରୁଥିବା ରାଜସ୍ଥାନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ପଞ୍ଜାବ ଅଧିନାୟକ ଆର ଅଶ୍ବିନ ମଙ୍କଡ ଆଉଟ କରିବା ମ୍ୟାଚ୍ର ଅନ୍ୟତମ ବିବାଦୀୟ ଘଟଣା ହୋଇଥିଲା। ନୂଆ ଜର୍ସିରେ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ସୋମବାର ଟସ୍ ଜିତି ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପଞ୍ଜାବ ୪ ରନ୍ରେ ଲୋକେଶ ରାହୁଲଙ୍କୁ ହରାଇବା ପରେ ଗେଲ୍ ଦାୟିତ୍ବବାନ ବ୍ୟାଟିଂ କରି ପାଳି ସଜାଡ଼ିବା ଆରମ୍ଭ କରିଥିଲେ। ମୟଙ୍କ ଅଗ୍ରୱାଲ (୨୨)ଙ୍କ ସହ ମିଶି ଦ୍ବିତୀୟ ୱିକେଟ୍ରେ ମହତ୍ବପୂର୍ଣ୍ଣ ୫୬ ରନ୍ ଯୋଡ଼ିଥିଲେ। ୱିକେଟ୍ ବଞ୍ଚାଇବା ଲକ୍ଷ୍ୟରେ ଦୁର୍ଦ୍ଧର୍ଷ ଗେଲ୍ ପ୍ରଥମ ୨୭ ବଲ୍ରୁ ମାତ୍ର ୨୯ ରନ୍ କରିଥିଲେ। ହେଲେ ପରେ ନିଜ ବିସ୍ଫୋରକ ରୂପ ଦେଖାଇ ଛକା ଚୌକାରୁ ହିଁ ରନ୍ ଅମଳ କରିଥିଲେ। ନିଜ ଶେଷ ୨୦ ବଲ୍ରୁ ଗେଲ୍ ୫୦ ରନ୍ ଅର୍ଜନ କରି ନେଇଥିଲେ। ବେନ୍ ଷ୍ଟୋକ୍ସଙ୍କୁ ଡିପ୍ ମିଡୱିକେଟ୍ ଉପରେ ଛକା ମାରିବା ପ୍ରୟାସରେ ରାହୁଲ ତ୍ରପାଠୀଙ୍କ ହାତରେ ଧରା ପଡ଼ିବା ପୂର୍ବରୁ ସେ ପଞ୍ଜାବ ସ୍କୋରକୁ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଏହା ପରେ ସର୍ଫରାଜ ଖାନ୍ ପଞ୍ଜାବ ପାଳିକୁ ଆଗେଇ ନେଇଥିଲେ। ସେ ମାତ୍ର ୨୯ ବଲ୍ରୁ ୬ ଚୌକା ଏବଂ ଗୋଟିଏ ଛକା ବଳରେ ୪୬ ରନ୍ର ଅପରାଜିତ ପାଳି ଖେଳିଥିଲେ। ତାଙ୍କ ଦ୍ରୁତ ଓ ଉପଯୋଗୀ ପାଳି ପାଇଁ ପଞ୍ଜାବ ନିର୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୪ ରନ୍ କରିଥିଲା। ୧୮୫ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ରାଜସ୍ଥାନ ଭଲ ଆରମ୍ଭ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ (୨୭) ଓ ବଟଲର (୬୯) ପ୍ରଥମ ୱିକେଟ୍ରେ ଦ୍ରୁତ ୭୮ ରନ୍ କରିଥିଲେ। ହେଲେ ରାହାଣେଙ୍କୁ ଅଫ୍ କଟରରେ ବୋଲ୍ଡ କରିବା ସହ ବଟଲରଙ୍କୁ ତ୍ରୟୋଦଶ ଓଭରରେ ବିବାଦୀୟ ଭାବେ ମଙ୍କଡ ଆଉଟ କରି ଅଶ୍ବିନ ପଞ୍ଜାବକୁ ମ୍ୟାଚ୍କୁ ଫେରାଇ ଆଣିଥିଲେ। ବଲ୍ ବିକୃତ ମାମଲାରେ ଏକ ବର୍ଷର ବାସନ୍ଦାଦେଶ ଭୋଗି କୌଣସି ପେସାଦାର ଲିଗ୍କୁ ଫେରିଥିବା ଅଷ୍ଟ୍ରେଲୀୟ ଷ୍ଟିଭେନ ସ୍ମିଥ (୨୦)ଙ୍କୁ ସାମ୍ କୁରାନ ଲୋକେଶ ରାହୁଲଙ୍କ ହାତରେ କ୍ୟାଚ୍ କରାଇବା ମ୍ୟାଚ୍ର ଅନ୍ୟତମ ନିର୍ଣ୍ଣାୟକ ମୋଡ଼ ଥିଲା। ସଞ୍ଜୁ ସାମସନ (୩୦) ଓ ବେନ୍ ଷ୍ଟୋକ୍ସ (୬) ୭ ରନ୍ ଭିତରେ ଆଉଟ୍ ହେବା ପରେ ପଞ୍ଜାବ ବିଜୟ ପକ୍କା ହୋଇ ଯାଇଥିଲା। ରାଜସ୍ଥାନର ଶେଷ ୫ ବ୍ୟାଟ୍ସମ୍ୟାନ୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଏହି ମ୍ୟାଚ୍ରେ ନିଜର ଆଇପିଏଲ୍ କ୍ୟରିୟରର ୪୦୦୦ ରନ୍ ପୂରଣ କରିଥିଲେ କ୍ରିସ୍ ଗେଲ୍। ୭୯ରନ୍ର ଏହି ଇନିଂସରେ ଗେଲ୍ ୮ଚୌକା ଏବଂ ୪ ଛକ୍କା ମାରିଥିଲେ। ମ୍ୟାଚ୍ ପୂର୍ବରୁ ୪୦୦୦ ରନ୍ ପୂରଣ ପାଇଁ ଗେଲ୍ ମାତ୍ର ୬ ରନ୍ ଆବଶ୍ୟକ କରୁଥିଲେ। ଏହା ସହିତ ୪୦୦୦ ରନ୍ ପୂରଣ କରିବାରେ ଗେଲ୍ ଦ୍ରୁତତମ ଖେଳାଳି ପାଲଟିଛନ୍ତି।
ଗାଜା ଉପରେ ଇସ୍ରାଏଲ୍ର ଆକ୍ରମଣ
ଇସ୍ରାଏଲ୍ ଉପରେ ରକେଟ ମାଡ ହେବାର ଏକ ଘଣ୍ଟା ମଧ୍ୟରେ ପ୍ରତିଆକ୍ରମଣ କରିଛି ଇସ୍ରାଏଲ୍। ରକେଟ୍ ମାଡ ନେଇ ହମାସକୁ ଦୋଷ ଦେବା ସହିତ ଇସ୍ରାଏଲ୍ ଗାଜା ଉପରେ ତୁରନ୍ତ ଆକ୍ରମଣ ଆରମ୍ଭ କରିଥିଲା। ଇସ୍ରାଏଲୀ ସାମରିକ ବଳ (ଆଇଡିଏଫ୍) ସୂଚନା ଅନୁଯାୟୀ ଏହି ଆକ୍ରମଣରେ ହମାସ ତରଫରୁ ଇସ୍ରାଏଲୀ ସାମରିକ ମୁଖ୍ୟ କାର୍ଯ୍ୟାଳୟକୁ ଟାର୍ଗେଟ୍ କରାଯାଇଥିଲା। ହମାସ ପକ୍ଷରୁ କରାଯାଇଥିବା ଏହି ଆକ୍ରମଣରେ ୭ ଜଣ ଲୋକ ଆହତ ହୋଇଥିଲେ। ଏହାର ପ୍ରତିବାଦରେ ଏକ ଘଣ୍ଟା ମଧ୍ୟରେ ୧୨ଟି ରକେଟ ମାଡ କରାଯାଇଥିଲା। ଏହି ଆକ୍ରମଣ ସମୟରେ ଆମେରିକାରେ ଥିବା ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଏପରି ଆକ୍ରମଣକୁ ଇସ୍ରାଏଲ କଦାପି ବରଦାସ୍ତ କରିବ ନାହିଁ। ଏହାପରେ ନିଜର ଗସ୍ତକୁ କାଣ୍ଟଛାଣ୍ଟ କରିବା ସହିତ ଟ୍ରମ୍ପକୁ ଭେଟିବା ପରେ ଇସ୍ରାଏଲ୍ ଫେରି ଆସିବା ନେଇ ସୂଚନା ଦେଇଛନ୍ତି ନେତନ୍ୟାହୁ। କୌଣସି ପାଲେଷ୍ଟାଇନ୍ ଆତଙ୍କୀ ସଙ୍ଗଠନ ଏନେଇ ନିଜକୁ ଦାୟୀ କରିନାହାନ୍ତି। ଆସନ୍ତା ୯ ତାରିଖରେ ଇସ୍ରାଏଲ୍ର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।
ଆଜି କଂଗ୍ରେସର ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷିତ ହୋଇଛି। ଏହି ତାଲିକାର ଶୀର୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରହିଥିବାବେଳେ ରାହୁଲ୍ଙ୍କ ପଛକୁ ମନମୋହନ ସିଂହ ଓ ପ୍ରିୟଙ୍କା ଗାନ୍ଧି ରହିଛନ୍ତି। ସେହିପରି ଏହି ତାଲିକାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ୍ ପାଇଲଟ୍, ନବଜୋତ ସିଂହ ସିଦ୍ଧୁ, ଖୁସ୍ବୁ, ନଗ୍ମା, ମହମ୍ମଦ ଆଝାରୁଦ୍ଦିନ ରହିଛନ୍ତି। ଓଡ଼ିଶାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଭକ୍ତ ଦାସ, ଚିରଞ୍ଜିବି ବିଶ୍ବାଳ, ପ୍ରଦୀପ ମାଝୀ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁ୍ଖଙ୍କ ନାମ ରହିଛି।
ଉତ୍ତରପ୍ରଦେଶରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ସରକାରୀ ଚାକିରିଆର ମାନ୍ୟତା ଦେବା ନେଇ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସମଗ୍ର ରାଜ୍ୟରେ ସରକାରଙ୍କ ବିରୋଧରେ ଅଙ୍ଗନଓ୍ବାଡି କର୍ମୀଙ୍କ ମଧ୍ୟରେ ବିରାେଧାଭାସ ରହିଥିବା ବେଳେ ଏହି କର୍ମୀଙ୍କୁ ମାନ୍ୟତା ଦେବାର ଏହା ପ୍ରକୃଷ୍ଟ ସମୟ ବୋଲି ପ୍ରିୟଙ୍କା କହିଛନ୍ତି। ଅଙ୍ଗନଓ୍ବାଡ଼ି ସମାଜର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଥିଲେ ମଧ୍ୟ ସର୍ବଦା ଅବହେଳିତ ଅବସ୍ଥାରେ ରହିଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା। ନିର୍ବାଚନକୁ ମାତ୍ର ଅଳ୍ପ କିଛି ଦିନ ବାକିଥିବାରୁ ପ୍ରିୟଙ୍କାଙ୍କ ଏହି ଘୋଷଣା ସମଗ୍ର ଦେଶରେ କଂଗ୍ରେସର ମହିଳା ଭୋଟ ବ୍ୟାଙ୍କକୁ ଆକର୍ଷିତ କରିବାରେ ସକ୍ଷମ ହେବ ବୋଲି ଅନୁମାନ ଲଗାଯାଇଛି। ଏଆଇସିସିର ସାଧାରଣ ସମ୍ପାଦକ ଭାବରେ ଉତ୍ତର ପ୍ରଦେଶ ଦାୟିତ୍ବରେ ରହିଥିବା ପ୍ରିୟଙ୍କା ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ସରକାରୀ ଚାକିରିଆର ମାନ୍ୟତାକୁ ସମର୍ଥନ ଜଣାଇବା ସହିତ ରବିବାର ହାେଇଥିବା ଲାଠିଚାର୍ଜକୁ କଡା ସମାଲୋଚନା କରିଛନ୍ତି। ଅଙ୍ଗନଓ୍ବାଡ଼ିକୁ ସରକାରୀ ଚାକିରିଆର ମାନ୍ୟତା ବଦଳରେ ଆନ୍ଦୋଳନ କରିବାରୁ ଲାଠିଚାର୍ଜ କରାଯାଉଛି, ମୋ ଭଉଣୀ ମାନଙ୍କ ଲଢେଇ ମୋର ମଧ୍ୟ ଲଢେଇ ଅଟେ ବୋଲି ନିଜ ସୋସିଆଲ ମିଡିଆ ସାଇଟ୍ରେ କହିଛନ୍ତି ପ୍ରିୟଙ୍କା। ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନ୍ୟ ଏକ ଟ୍ବିଟ୍ ଜରିଆରେ ସମାଲୋଚନା କରିଛନ୍ତି ପ୍ରିୟଙ୍କା। ଗର୍ଭାବସ୍ଥାରେ ମହିଳାଙ୍କ ଯତ୍ନ ନେଉଥିବା ଏହି କର୍ମୀଙ୍କ ବେତନ ମାତ୍ର ୬୦୦ ଟଙ୍କା ରହିଥିବା ବେଳେ ଏହା ବୃଦ୍ଧି କରିବାରେ କୌଣସିବି ପଦକ୍ଷେପ ନେଇନାହାନ୍ତି। ରାଜ୍ୟର ଆଶା କର୍ମୀମାନେ ଆଦିତ୍ୟନାଥଙ୍କ ନିକଟରୁ ଉତ୍ତର ଆଶା କରୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।
ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି। ସୁବାସ ଚୌହାନ ଗତଥର ବିଜେପି ଟିକେଟ୍ରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ମଧ୍ୟ ବିପୁଳ ଜନସମର୍ଥନ ପାଇଥିଲେ। କିନ୍ତୁ ଦଳ ଏଥର ଟିକେଟ୍ କାଟିଦେବା ପରେ ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି। କିନ୍ତୁ ସଂଗଠନରେ ରହି ଲୋକଙ୍କ ସେବା କରିବେ ବୋଲି ସେ କହିଛନ୍ତି। ତେବେ ବିଜେପୁରରୁ ଲଢିବାକୁ ସୁବାସ ଚୌହାନଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ଏହି ଆସନରୁ ଲଢିବାକୁ ମନା କରିଛନ୍ତି। ଚଳିତ ଥର ବିଜେପୁରର ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି। ତେଣୁ ଏହି ଆସନରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲଢିବାକୁ ସେ କହିଛନ୍ତି।
ଚଳିତ ସାଧାରଣ ନିର୍ବାଚନରେ ମେଣ୍ଟ ରାଜନୀତି ଜୋର୍ ଧରିଛି। ଉତ୍ତରପ୍ରଦେଶରେ ବିଏସ୍ପି-ଏସ୍ପି ମେଣ୍ଟ କରିଥିବାବେଳେ ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ଓ କଂଗ୍ରେସ ମେଣ୍ଟ ହେବା ନେଇ ଚର୍ଚ୍ଚା ବହୁଦିନରୁ ଲାଗି ରହିଛି । ତେବେ ଏହାକୁ ନେଇ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ଆସିବ ବୋଲି ସୂଚନା ରହିଛି। ଏ ସମ୍ପର୍କରେ ଶେଷ ନିଷ୍ପତ୍ତି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ନେବେ। ଆଜି ଦିଲ୍ଲୀରେ ରାହୁଲ କଂଗ୍ରେସର ୪ କାର୍ଯ୍ୟକାରୀ ସଭାପତିଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ବୈଠକରେ ଆପ୍ ସହିତ ମେଣ୍ଟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। କଂଗ୍ରେସର ଏହି କାର୍ଯ୍ୟକାରୀ ସଭାପତି ଦଳରେ ହାରୁନ୍ ୟୁସୁଫ, ରାଜେଶ ଲିଲୋଥିଆ, ଧୀରେନ୍ଦ୍ର ଯାଦବ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ସାମିଲ ଥିଲେ। ଦିଲ୍ଲୀରେ ୭ ଲୋକସଭା ଆସନରେ ଉଭୟ ଦଳ ବୁଝାମଣା କରିବା ନେଇ ଆଲୋଚନା ହେଉଥିଲେ ମଧ୍ୟ ଉଭୟ ଦଳର ନେତା ମାନେ ବାରମ୍ବାର ଏହାକୁ ଖଣ୍ଡନ କରି ଚାଲିଛନ୍ତି। କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଆପ୍ ସହିତ ମେଣ୍ଟ ନକରିବା ନିମନ୍ତେ ଅନୁରୋଧ କରି ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ।
ରାଜ୍ୟ ସରକାରଙ୍କ କୃଷି ଓ କୃଷକମାନଙ୍କ ପାଇଁ ‘କାଳିଆ ଯୋଜନା’ର ଟଙ୍କାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବା ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ଏହାକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେପି ବିଜେଡ଼ିକୁ ଟାର୍ଗେଟ କରୁଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମ୍ମିଳନୀରେ ବିଜେପି ଚାପଗ୍ରସ୍ତ ହୋଇ ‘କାଳିଆ’ ସହାୟତାକୁ ବିରୋଧ କରୁଛି। ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ପିଏମ୍ କିଷାନର ଯଥେଷ୍ଟ ଆଗରୁ କାଳିଆ ଯୋଜନା ଆସିଛି ବୋଲି କହିଛନ୍ତି ସସ୍ମିତ। ବିଜେପି ଏବେ ଚାଷୀ ମାରଣ ନୀତିକୁ ଆପଣାଇଛି। ବିଜେପିର ଚାପରେ ସିଇଓ କାଳିଆ ଟଙ୍କାକୁ ଅଟକାଉଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରୁଛି। ତେବେ ନିର୍ବାଚନ ପୂର୍ବରୁ ପ୍ରଶାସନିକ ସ୍ତରରେ ଏନେଇ ଅନୁମତି ନିଆଯାଇଥିବା ସତ୍ତ୍ବେ କାଳିଆ ଟଙ୍କାକୁ ଅବରୋଧ କରାଯିବାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ସସ୍ମିତ ପାତ୍ର। ପିଏମ୍ କିଷାନ ଯୋଜନାକୁ ଅନୁମତି ମିଳୁଥିବାବେଳେ କାଳିଆକୁ ଅନୁମତି ନ ମିଳିବାକୁ ନେଇ ଇସିଙ୍କ ଦ୍ବାରସ୍ଥ ହେବେ ବୋଲି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।
‘ଚୌକିଦାର’କୁ ନେଇ ଜାତୀୟ ରାଜନୀତି ଏବେ ବେଶ୍ ସରଗରମ୍। କଂଗ୍ରେସ ‘ଚୌକିଦାର ଚୋର୍ ହୈ’ ନାରା ଲଗାଉଥିବାବେଳେ ଏହି ନାରାକୁ ବିଜେପି ତା’ର ନିର୍ବାଚନୀ ଆୟୁଧ କରିଛି। ‘ମେ ଭି ଚୌକିଦାର’ର ଅଭିଯାନ ଆରମ୍ଭ କରି ନିର୍ବାଚନ ପ୍ରଚାର କରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ପ୍ରାୟ ସମସ୍ତେ ବରିଷ୍ଠ ଟୁଇଟର୍ ଆକାଉଣ୍ଟରେ ନିଜ ନାମ ଆଗରୁ ଚୌକିଦାରକୁ ଯୋଡ଼ିଛନ୍ତି। ତେବେ ଏହି ଚୌକିଦାରକୁ ନିଜ ନାମରେ ଯୋଡ଼ିବା ପ୍ରସଙ୍ଗରେ ବୟାନ ଦେଇ ସୁବ୍ରମଣ୍ୟମ୍ ସ୍ବାମୀ ପୁଣି ଥରେ ବିବାଦରେ ପଶିଛନ୍ତି। ନିକଟରେ ସେ ସାକ୍ଷାତକାରରେ ଏହି ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ସେ ଜଣେ ବ୍ରାହ୍ମଣ। ସେ କଦାପି ଚୌକିଦାର ହୋଇପାରିବେ ନାହିଁ। ସେ କେବଳ ଆଦେଶ ଦେବେ, ଚୌକିଦାରମାନେ ତାକୁ ପାଳନ କରିବେ। ଏହି ସାକ୍ଷାତକାରଟି ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ସ୍ବାମୀଙ୍କ ଜାତିବାଦ ଚିନ୍ତାଧାରା ପାଇଁ ତାଙ୍କୁ ଓ ଦଳକୁ ସମାଲୋଚନା କରାଯାଇଛି। ଡିଏମ୍କେର ମୁଖପାତ୍ର ମନୁରାଜ ଏସ୍ . ସୁବ୍ରମଣଞମ୍ ସ୍ବାମୀଙ୍କୁ ସମାଲୋଚନା କରି ସ୍ବାମୀଙ୍କ ମନ୍ତବ୍ୟ ଲଜ୍ଜାଜନକ ବୋଲଇ କହିଛନ୍ତି।
କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ବିଶ୍ବକପ୍ ଏବଂ ଆସେସ୍ ସିରିଜ୍ ନିମନ୍ତେ ଦୁଇ ବୋଲିଂ କୋଚ୍ ନିଯୁକ୍ତ କରାଯାଇଛି। ଆଡାମ୍ ଗ୍ରିଫିଥ୍ ଏବଂ ଟ୍ରୟ କୁଲିଙ୍କୁ ସହକାରୀ କୋଚ୍ ଭାବରେ ଦଳରେ ସାମିଲ କରାଯାଇଥିବା ଜଣାପଡିଛି। ଆସନ୍ତା ମେ ୩୦ରୁ ଇଂଲଣ୍ଡ ଏବଂ ଓ୍ବେଲ୍ସରେ ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଛି। ଏହି ଘୋଷଣା କରିଛନ୍ତି ସିଏର ଅନ୍ତରୀଣ କାର୍ଯ୍ୟକାରୀ ଜେନରାଲ ମ୍ୟାନଜର ବେଲିଣ୍ଡା କ୍ଲାର୍କ। ସୋମବାର ଏହି ଦୁଇ କୋଚ୍ଙ୍କ ନିଯୁକ୍ତି ପକ୍କା ହୋଇଥିବା ସୂଚନା ଦେଇଛନ୍ତି କ୍ଲାର୍କ। ଉଲ୍ଲେଖଯୋଗ୍ୟ ଯେ, ଇଂଲଣ୍ଡର ୨୦୨୫ ଆସେସ୍ ବିଜୟ ସମୟରେ ଟ୍ରୟ କୁଲି ଦଳର ସହକାରୀ କୋଚ୍ ରହିଥିଲେ। ଉଭୟ ଖେଳାଳିଙ୍କ ଚୁକ୍ତି ଆସନ୍ତା ଆସେସ ସିରିଜ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସିଏ ପକ୍ଷରୁ କୁହାଯାଇଛି।
ଛପାକ୍ର ଫାଷ୍ଟଲୁକ୍ ପୋଷ୍ଟର
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ଅଭିନୀତ ଚଳଚିତ୍ର ‘ଛପାକ୍’ର ଫାଷ୍ଟଲୁକ୍ ପୋଷ୍ଟର ରିଲିଜ ହୋଇଛି। ଏହି ଚଳଚିତ୍ରରେ ଦୀପିକା ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ନଜର ଆସିବେ। ମେଘନା ଗୁଲଜାର ଏହି ଚଳଚିତ୍ରର ନିର୍ଦ୍ଦଶନା ଦେଉଥିବା ବେଳେ ପ୍ରଯୋଜକ ଭାବରେ ପଦାର୍ପଣ କରୁଛନ୍ତି ଦୀପିକା। ଫାଷ୍ଟଲୁକ୍ ପୋଷ୍ଟରକୁ ଦୀପିକା ନିଜର ସୋସିଆଲ ମିଡିଆ ସାଇଟ୍ରେ ସେୟାର କରିଛନ୍ତି। ଫଟୋ ସହିତ ଦୀପିକା ଲେଖିଛନ୍ତି ଏହି ଚରିତ୍ରଟି ସଦାସର୍ବଦା ମୋ ସହିତ ରହିବ। ୧୦ ଜାନୁୟାରୀ ୨୦୨୦ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମଟି ଅଜୟ ଦେବଗନଙ୍କ ତାନାଜୀ ସହିତ ରିଲିଜ୍ ହେବ ବୋଲି ଜଣାପଡିଛି। ବିବାହ ପରେ ଏହା ଦୀପିକାଙ୍କ ପ୍ରଥମ ଫିଲ୍ମ ହୋଇଥବାରୁ ଫ୍ୟାନ୍ ମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ ରାଜିର ସଫଳତା ପରେ ମେଘନା ପ୍ରଥମ ଥର ପାଇଁ ଦୀପିକାଙ୍କ ସହିତ କାମ କରୁଥିବାରୁ ଏହାକୁ ନେଇ ମଧ୍ୟ ଚଳଚିତ୍ରପ୍ରେମୀ ଅଧିକ ଉତ୍ସାହ ଦେଖାଇଛନ୍ତି। ଦୀପିକାଙ୍କ ଫାଷ୍ଟଲୁକ୍କୁ ବଲିଉଡ୍ ଅଭିନେତା ବରୁଣ ଧଓ୍ବନ୍, ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡେଜ୍ ଏବଂ ଗଜରାଜ ରାଓ ପ୍ରଶଂସା କରିଛନ୍ତି।
ଅତ୍ୟଧିକ ଓଜନ ଉତ୍ତୋଳନ କରିପାରୁଥିବା ୧୫ଟି ଚିନୁକ୍ ହେଲିକପ୍ଟର୍ରୁ ପ୍ରଥମ ଚାରିଟିକୁ ସୋମବାର ଦିନ ଚଣ୍ଡିଗଡ଼ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି। ବାୟୁସେନା ମୁଖ୍ୟ ମାର୍ସାଲ୍ ବିଏସ୍ ଧନୋଆ ଏହି ହେଲିକପ୍ଟର୍ଗୁଡ଼ିକୁ ବାୟୁସେନାରେ ସାମିଲ କରାଯାଇଛନ୍ତି। ସମୁଦ୍ର ପତ୍ତନ ଠାରୁ ବହୁ ଉଚ୍ଚତାରେ ଅବସ୍ଥିତ ସ୍ଥାନଗୁଡ଼ିକରେ ସୈନିକ ଏବଂ ଯନ୍ତ୍ରପାତି ପରିବହନ ନିମନ୍ତେ ଏହି ବିମାନ ବ୍ୟବହାର କରାଯିବ। ୧୫ ଚିନୁକ ହେଲିକପ୍ଟର୍ ସକାଶେ ଭାରତ ସେପ୍ଟେମ୍ବର ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକା ସହ ୧. ୫ ବିଲିୟନ୍ ଡଲାର୍ ରାଜିନାମା ସ୍ୱାକ୍ଷର କରିଥିଲା। ଗତ ମାସରେ ସେଥିରୁ ପ୍ରଥମ ୪ଟ ହେଲିକପ୍ଟର୍ ଯୁକ୍ତରାଷ୍ଟ୍ର ଆମେରିକାରୁ ଆସି ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚି ଥିଲା। ସେଠାରୁ ସେସବୁକୁ ଚଣ୍ଡିଗଡ଼ ନିଆଯାଇଥିଲା। ଏହି ହେଲିକପ୍ଟର୍ ବ୍ୟବହାର କରିବାରେ ଭାରତ ହେଉଛି ବିଶ୍ୱର ୧୯ତମ ଦେଶ। ୨୩, ୦୦୦ କିଲୋଗ୍ରାମ୍ ଓଜନ ଉଠାଇ ଏହା ଘଣ୍ଟାପ୍ରତି ସର୍ବାଧିକ ୩୦୨ କିଲୋମିଟର୍ ବେଗରେ ଗତି କରିବ। ଏହାଛଡ଼ା ଚିନୁକ ହେଲିକପ୍ଟର୍କୁ ସାମରିକ ଅଭିଯାନ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜନ କରାଯାଇ ପାରିବ।