ଅଭିନେତା ଆୟୁଷ୍ମାନ ଖୁରାନା ଅନୁଭବ ସିହ୍ନାଙ୍କ ଅପ୍କମିଙ୍ଗ୍ ଫିଲ୍ମ ‘ଆର୍ଟିକିଲ୍ ୧୫’ରେ ଜଣେ ପୋଲିସ୍ ଅଫିସର ଭୂମିକାରେ ନଜର ଆସିବେ । ଆୟୁଷ୍ମାନ୍ ପ୍ରଥମ ଥର ପାଇଁ ଏହି ଚରିତ୍ରରେ ନଜର ଆସିବେ । ନିକଟରେ ରିଲିଜ୍ ହୋଇଥିବା ଆୟୁଷ୍ମାନ୍ଙ୍କ ‘ବଧାଇ ହୋ’, ଓ ‘ଅନ୍ଧାଧୁନ୍’ ବେଶ୍ ସଫଳ ରହିଥିଲା । ତେବେ ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତୀତ ଈଶା ତଲ୍ଓ୍ବାର, ମନୋଜ ପାଓ୍ବା, ସଂଜୟ ଗୁପ୍ତା, କୁମୁଦ ମିଶ୍ର, ଏମ୍ ନାସିର୍, ଆଶିଷ୍ ବର୍ମା, ସୁଶୀଲ୍ ପାଣ୍ଡେ, ଶୁଭ୍ରଜ୍ୟୋତି ଭାରତ ଓ ଜସୀନ୍ ଆୟୁବ୍ ପ୍ରମୁଖ ନଜର ଆସିବେ । ନିର୍ମାତା ନିର୍ଦ୍ଦେଶକ ଅନୁଭବ ସିହ୍ନା ପ୍ରତ୍ୟେକ ଫିଲ୍ମରେ କିଛି ଅଲଗା କରି ଦେଖାଇଥା’ନ୍ତି । ଚଳିତ ବର୍ଷ ଆସିଥିବା ତାପସୀ ପନ୍ନୁ ଓ ଋଷି କପୁର୍ଙ୍କ ଅଭିନୀତ ‘ମୁଲ୍କ’ କ୍ରିଟିକ୍ଙ୍କ ସମେତ ଦର୍ଶକଙ୍କ ମଧ୍ୟ ବିଶେଷ ଆକର୍ଷଣ କରିଥିଲା । ତେବେ ‘ଆର୍ଟିକିଲ୍ ୧୫’ ଏକ ଅନୁସନ୍ଧାନମୂଳକ ଡ୍ରାମା ଅଟେ । ବର୍ତ୍ତମାନର ସାମାଜିକ ଓ ରାଜନୈତିକ ପରିସ୍ଥିତିକୁ ପ୍ରସ୍ତୁତ ଏହି ଫିଲ୍ମରେ ଆୟୁଷ୍ମାନଙ୍କ ପରି ଜଣେ କଳାକାର ବେଶ୍ ନିଖୁଣ ଭାବରେ ଏହି ଚରିତ୍ରକୁ ଫୁଟାଇପାରିବେ ବୋଲି ଅନୁଭବ କହିଛନ୍ତି ।
Tag: thesamikhsya
ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିବା କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ଆଜି ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସର ଏହି ବରିଷ୍ଠ ନେତା ପିଏମ ମୋଦୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ତାଙ୍କର ସାହସ ଅଛି ତେବେ ତାଙ୍କ ବିରୋଧରେ ଦେଶଦ୍ରୋହର ମାମଲରୁ ରୁଜୁ କରନ୍ତୁ । ଏହା ସହ ଦିଗବିଜୟ ସିଂହ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଏକ ଭିଡିଓ ଟ୍ୱିଟ କରି କହି ପଚାରିଛନ୍ତି ଯେ ଏହାକୁ ନେଇ ପିଏମ ମୋଦୀ କଣ କହିବେ । ସେ ଟ୍ୱିଟ କରି କହିଛନ୍ତି ଯେ, ତାଙ୍କର ଯେଉଁ ଟ୍ୱିଟକୁ ନେଇ ସବୁ ମନ୍ତ୍ରୀ ମାନେ ଘେରି ପାକିସ୍ତାନ ସମର୍ଥକ କହୁଛନ୍ତି ଏବଂ ଦେଶଦ୍ରୋହ କହୁଛନ୍ତି । ତାହା ସେ ଦିଲ୍ଲୀରୁ ପୋଷ୍ଟ କରିଥିଲି ଯେଉଁଠାରେ ପୁଲିସ ବା ଆଇନ୍ ବ୍ୟବସ୍ଥା କେନ୍ଦ୍ର ସରକାର ଅଧିନରେ ରହିଛି । ଯଦି ସରକାରଙ୍କର ସାହସ ଅଛି ତେବେ ତାଙ୍କ ଉପରେ ମାମଲା ରୁଜୁ କରନ୍ତୁ । ଦିଗବିଜୟ କହିଛନ୍ତି ମୋଦୀ ଜୀ ଏବଂ ତାଙ୍କ ମନ୍ତ୍ରୀମାନେ ତାଙ୍କ ଉପରେ ଅନେକ ଅଭିଯୋଗ କରିବା ସହିତ କିଛି ବିଜେପି ନେତା ତାଙ୍କ ଉପରେ ଦେଶଦ୍ରୋହର ମାମଲା ରୁଜୁ କରିବାକୁ ଚାହୁଁଛନ୍ତି ।
ଭାରତୀୟ ସେନା ଉପରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଆକ୍ରମଣକୁ ଫ୍ରାନ୍ସ, ଭୁଟାନ, ଚୀନ ସମେତ ଆମେରିକା ଆଦି ପଡ଼ୋଶୀ ରାଷ୍ଟ୍ର ତୀବ୍ର ନିନ୍ଦା କରିଥିଲେ। ପାକିସ୍ତାନ ନିଜ ଦେଶରେ ଥିବା ଆତଙ୍କବାଦୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବା ଉଚିତ ବୋଲି ଆମେରିକା କହିଥିଲା। ପାକିସ୍ତାନକୁ ପାଲଟା ଜବାବ ଦେବାକୁ ଯାଇ ଭାରତ ଯେଉଁ ଏୟାର୍ ଷ୍ଟ୍ରାଇକ୍ କରିଥିଲା ତାହାକୁ ମଧ୍ୟ ବିଭିନ୍ନ ଦେଶ ସମର୍ଥନ କରିଥିଲେ। ଏୟାର୍ ଷ୍ଟ୍ରାଇକ୍ ପରେ ପାକିସ୍ତାନର ଭାରତୀୟ ବାୟୁସେନାରେ ଏଫ୍-୧୬ର ପ୍ରବେଶ କରାଇ ଆଉ ଏକ ବିପଦକୁ ଡାକି ଆଣିଛି । ଆମେରିକା ପାକିସ୍ତାନ ବିରୋଧରେ ଏଫ୍-୧୬ ଯୁଦ୍ଧ ବିମାନର ଅପ ବ୍ୟବହାର କରିବା ଅଭିଯୋଗରେ ପ୍ରମାଣ ଖୋଜୁଥିବା ବେଳେ ପାକିସ୍ତାନକୁ ଆମେରିକା ପକ୍ଷରୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ଆମେରିକାକୁ ଯିବା ପାଇଁ ପାକିସ୍ତାନୀମାନଙ୍କ ଭିସା ଅବଧିକୁ କମାଇ ଦେଇଛନ୍ତି ଆମେରିକା ସରକାର। ଆମେରିକାର ଟ୍ରମ୍ପ୍ ପ୍ରଶାସନ ପାକିସ୍ତାନୀଙ୍କ ଭିସା ଅବଧିକୁ ୫ ବର୍ଷ ପରିବର୍ତ୍ତେ ୩ ମାସକୁ ହ୍ରାସ କରି ଦେଇଥିବା ସୂଚନା ରହିଛି।
ସ୍ୱଚ୍ଛ ଭାରତକୁ ନେଇ ଭାରତ ସରକାର ବହୁଳ ପ୍ରଚାର ପ୍ରସାର କରୁଥିବାବେଳେ ଅସଲ ଚିତ୍ର ସାମ୍ନାକୁ ଆସିଛି । ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ଟି ସହର ସ୍ଥାନ ପାଇଛନ୍ତି। ସେହିପରି ବିଶ୍ୱର ୧ ନମ୍ବର ପ୍ରଦୂଷିତ ସହର ଭାବେ ଗୁରୁଗ୍ରାମ ରହିଛି। । ସର୍ବାଧିକ ପ୍ରଦୂଷିତ ସହର ଭାବେ ପ୍ରଥମ ୫ଟି ସ୍ଥାନରେ ପାକିସ୍ତାନର ଫୈସଲାବାଦ ସହ ୪ଟି ଭାରତୀୟ ସହର ରହିଛନ୍ତି। ଗୁରୁଗ୍ରାମ ପ୍ରଥମରେ ଥିବା ବେଳେ ଦ୍ବିତୀୟରେ ଗାଜିଆବାଦ, ତୃତୀୟରେ ପାକିସ୍ତାନର ଫୈସଲାବାଦ, ଚତୁର୍ଥରେ ଫରିଦାବାଦ, ପଞ୍ଚମରେ ଭିୱାଡି, ଷଷ୍ଠରେ ନୋଏଡା, ସପ୍ତମରେ ପାଟନା, ଅଷ୍ଟମରେ ଚୀନ୍ର ହୋଟାନ, ନବମରେ ଲକ୍ଷ୍ନୌ ଓ ଦଶମରେ ପାକିସ୍ତାନର ଲାହୋର ସହର ରହିଛି। ଆଇକ୍ୟୁ ଏୟାର ଭିଜୁଆଲ ଓ ଗ୍ରୀନ୍ ପିସ୍ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ଆମେରିକାର ପୂର୍ବତନ ବିଦେଶ ସଚିବ ହିଲାରୀ କ୍ଲିଣ୍ଟନ ଆସନ୍ତା ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ନ୍ୟୁୟର୍କ ସ୍ଥିତ ଏକ ଟେଲି ସାକ୍ଷାତ୍କାରରେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ସେ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ନୁହଁନ୍ତି । କିନ୍ତୁ ପୂର୍ବ ଭଳି କାମ କରିବେ ଓ ନିଜ ମତ ରଖିବେ । ସେ ୨୦୧୬ ରାଷ୍ଟ୍ରପତି ଦୌଡ଼ରେ ଆଗରେ ରହିଥିଲେ । କିନ୍ତୁ ଡୋନାଲଡ୍ ଟ୍ରମ୍ପ୍ଠାରୁ ପରାସ୍ତ ହୋଇଥିଲେ ।
ଏକାଠି ରୋମାନ୍ସ କରିବେ ସାରା-କାର୍ତ୍ତିକ୍ !
ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ପୁଣି ଚର୍ଚ୍ଚାରେ ରହିଛନ୍ତି । ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଅଭିନୀତ ଫିଲ୍ମ ‘ଲୁକା ଛୁପି’ ବକ୍ସ ଅଫିସ୍ରେ ୧୦କୋଟିରୁ ଅଧିକ ଆୟ କରିସାରିଛି। ପୁଣି ଏକ ଫିଲ୍ମକୁ ନେଇ କାର୍ତ୍ତିକ ଚର୍ଚ୍ଚାରେ ରହିଛନ୍ତି । ନିକଟରେ କାର୍ତ୍ତିକ ଆର୍ଯ୍ୟନ୍ ଓ ସାରା ଅଲ୍ଲୀ ଖାନ୍ଙ୍କୁ ନେଇ ବଲିଉଡ୍ରେ ବେଶ୍ ଚର୍ଚ୍ଚା କରାଯାଇଥିଲା। ସାରା କାର୍ତ୍ତିକ୍ଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ବୋଲି ‘କଫି ଉଇଥ୍ କରନ୍’ ଶୋ’ରେ ବାପା ସୈଫ୍ ଅଲ୍ଲୀ ଖାନ୍ଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ। ତେବେ କାର୍ତ୍ତିକ ଏ ସମ୍ପର୍କରେ କିଛି ମତ ରଖିନଥିଲେ । ସାରାଙ୍କର ଏହି ଇଚ୍ଛା ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି। ସୂଚନା ଅନୁସାରେ ସାରା କାର୍ତ୍ତିକଙ୍କ ସହିତ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ‘ଲଭ୍ ଆଜ୍ କଲ୍’ର ଦ୍ୱିତୀୟ ଭାଗ ବୋଲି ଜଣାପଡ଼ିଛି। ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍, ସାରା ଅଲ୍ଲୀ ଖାନ୍ ଓ ତାଙ୍କ ବାପା ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ଅଭିନୟ କରିବେ। ଏମାନଙ୍କ ବ୍ୟତୀତ ଫିଲ୍ମରେ ରଣଦୀପ ହୁଡ୍ଡା ମଧ୍ୟ ଅଭିନୟ କରିବେ। ଅଭିନେତ୍ରୀ ସାରା ଅଲ୍ଲୀ କେଦାରନାଥ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ସିମ୍ବା ଫିଲ୍ମ ତାଙ୍କର ଦ୍ୱିତୀୟ ଫିଲ୍ମ ଥିଲା। ଏହି ଫିଲ୍ମ ପରେ ତାଙ୍କୁ ବଲିଉଡ୍ରେ ବେଶ୍ ଲୋକପ୍ରିୟତା ମିଳିଛି। କାର୍ତ୍ତିକଙ୍କ ‘ସୋନୁ କେ ଟ୍ବିଟ୍ କେ ସ୍ବିଟି’ ସଫଳ ରହିଥିବାବେଳେ ‘ଲୁକାଛପି’ ମଧ୍ୟ ଦର୍ଶକଙ୍କ ପସନ୍ଦ ହୋଇଛି । କାର୍ତ୍ତିକ ଅନନ୍ୟା ପାଣ୍ଡେ ଓ ଭୂମି ପେଡେନ୍କରଙ୍କ ସହ ‘ପତି ପତ୍ନୀ ଔର ଓ୍ବ’ ରେ ମଧ୍ୟ ନଜର ଆସିବେ । ଅନନ୍ୟାଙ୍କ ସହ କାର୍ତ୍ତିକଙ୍କୁ ଡିନର୍ ଡେଟ୍ରେ ମଧ୍ୟ ଦେଖିବାକୁ ମିଳିଥିଲା । ଦୁହିଁଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।
ନାଗପୁରରେ ଟିମ୍ ଇଣ୍ଡିଆକୁ ବିଜୟ ଭେଟି ଦେଲେ ବିଜୟ ଶଙ୍କର। ଶେଷ ଓଭରରେ ଅଷ୍ଟ୍ରେଲିଆର ଦୁଇଟି ଓ୍ୱିକେଟ ଖସାଇ ବିଜୟ ମୁଣ୍ଡି ମାରିଥିଲେ ଅଲରାଉଣ୍ଡର ବିଜୟ ଶଙ୍କର। ଶେଷ ଓଭରରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୧ ରନ୍ ଦରକାର ଥିବା ବେଳେ ଭାରତକୁ ଆବଶ୍ୟକ ଥିଲା ୨ଟି ଓ୍ୱିକେଟ। ତେବେ ଭ୍ରମଣକାରୀ ଦଳ ୮ ରନ୍ ଦୂରରେ ରହି ଯାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୫୦ ରନ୍ କରିଥିଲା। ଜବାବରେ କଙ୍ଗାରୁ ବାହିନୀ ୨୪୨ରନରେ ଅଲ ଆଉଟ୍ ହୋଇଥିଲା। ଏହାଥିଲା ଭାରତର ଦିନିକିଆରେ ୫୦୦ତମ ବିଜୟ। ଏହି ମ୍ୟାଚରେ ବିରାଟ କୋହଲି ୪୦ତମ ଶତକ ହାସଲ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିବସୀୟ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ଆଜି ପିଏମ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଔପଚାରିକ ଭାବେ ଅହମ୍ମଦାବାଦରେ ଆରମ୍ଭ କରାଯାଇଛି । ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏହି ଯୋଜନା ଘୋଷଣା କରାଯାଇଥିଲା । ଏହି ଯୋଜନାରେ ଶ୍ରମିକଙ୍କୁ ପ୍ରତ୍ୟେକ ମାସରେ ୩୦୦୦ ଟଙ୍କା ପେନସନ ରୂପେ ମିଳିବ। ଏହି ଯୋଜନାକୁ ନେଇ ଅଧିସୂଚନା ପ୍ରଥମରୁ ହିଁ ଜାରି ହୋଇ ସାରିଛି। ଅଧିସୂଚନା ଜାରି ହେବା ପରେ ଫେବୃଆରୀ ୧୫ରେ ଏହି ସ୍କିମ ପାଇଁ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ଯୋଜନାର ଅନ୍ତିମ ରୂପ ଦେବାର ଦାୟିତ୍ଵ ଏଲଆଇସିକୁ ଦିଆଯାଇଛି। ଯୋଜନା ଆଧାରରେ ପଞ୍ଜିକରଣ ପାଇଁ ଏଲଆଇସିର ବଡ଼ ନେଟଓ୍ଵର୍କର ବ୍ୟବହାର କରାଯାଉଛି। କିନ୍ତୁ ପେନସନ ପାଇବା ପାଇଁ କିଛି ସର୍ତ୍ତ ରହିଛି। ସର୍ତ୍ତ ମୁତାବକ, ଲାଭାର୍ଥୀଙ୍କୁ କିଛି ଟଙ୍କା ପ୍ରତ୍ୟେକ ମାସରେ ପ୍ରିମିୟର ରୂପେ ଜମା କରିବାକୁ ପଡ଼ିବ। ଯୋଜନାର ଲାଭ ୧୮ ବର୍ଷରୁ ୪୦ ବର୍ଷର ଶ୍ରମିକଙ୍କୁ ହିଁ ମିଳିବ। ଯଦି କୌଣସି ଲାଭାର୍ଥୀ ୧୮ ବର୍ଷ ବୟସରେ ଏହି ସ୍କିମରେ ଯୋଗ ଦେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ମାସକୁ ପ୍ରିମିୟର ରୂପେ ୫୫ ଟଙ୍କା ଦେବାକୁ ପଡ଼ିବ। ୨୯ ବର୍ଷ ବୟସରେ ଯୋଜନାରେ ସାମିଲ ହେବା ପାଇଁ ୧୦୦ ଟଙ୍କାର ମାସିକ ପ୍ରିମିୟର ଦେବାକୁ ପଡ଼ିବ। ଆଶା କରାଯାଉଛି ଯେ ଏହି ଯୋଜନାର ଲାଭ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୧୦ କୋଟି ଲୋକଙ୍କୁ ମିଳିବ।
ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ସିପିଏମ୍ ସହିତ କଂଗ୍ରେସ ମେଣ୍ଟ କରିବ ବୋଲି ଚର୍ଚ୍ଚା ହେଉଥିଲା। ଏପରିକି ଆସନ ବୁଝାମଣା ନେଇ ମଧ୍ୟ ଆଲୋଚନା ହେଉଥିଲା। ହେଲେ ଏହି ଚର୍ଚ୍ଚାର ଅବସାନ ଘଟିଛି। ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସହ ସିପିଏମ୍ ମେଣ୍ଟ କରିବନି। ବିଜେପି ଓ ବିଜେଡିକୁ ଶାସନ କ୍ଷମତାଠାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ସହ ୨ଟି ଜାଗାରେ ପାରସ୍ପରିକ ବୁଝାମଣା ହେବ ବୋଲି ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ ସ୍ପଷ୍ଟ କରିଛନ୍ତି । ବଣାଇ ବିଧାନସଭା ଆସନରେ ସିପିଏମ୍ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରେ କଂଗ୍ରେସକୁ ସିପିଏମ୍ ସମର୍ଥନ କରିବ । ବିଜେପି, ବିଜେଡି ବିରୋଧରେ ଭୋଟ ହେଉଛି ମୁଖ୍ୟ ଲକ୍ଷ୍ୟ ବୋଲି ସୀତରାମ କହିଛନ୍ତି ।
ଉତ୍ତରପ୍ରଦେଶରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସ୍ପି)ଙ୍କ ମେଣ୍ଟରେ ଆଜି ଆର୍ଏଲ୍ଡି ସାମିଲ ହୋଇଛି। ଆର୍ଏଲ୍ଡି ମେଣ୍ଟରେ ସାମିଲ ହେବା ପରେ ସପା-ବିଏସ୍ପି ମେଣ୍ଟ ପକ୍ଷରୁ ଦଳକୁ ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନରୁ ୩ଟି ମିଳିଛି। ଆଜି ଅଖିଲେଶ ଯାଦବ ଆରଏଲ୍ଡି ନେତା ଜୟନ୍ତ ଚୌଧୁରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । “ଆରଏଲ୍ଡି ଉତ୍ତର ପ୍ରଦେଶର ମଥୁରା, ବାଗପତ ଓ ମୁଜାଫରନଗର ଆସନରେ ପ୍ରାର୍ଥୀ ଦେବ। ତେବେ କଂଗ୍ରେସ ପାଇଁ ୨ଟି ଆସନ(ଆମେଥି ଓ ରାଏବରେଲୀ) ଛାଡ଼ିଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଅଖିଳେଶ । ଉତ୍ତର ପ୍ରଦେଶର ୮୦ଟି ଯାକ ଆସନରେ ବିଜେପିକୁ ହରାଇବା ପାଇଁ ମହାମେଣ୍ଟ ଲଢ଼େଇ କରିବ।”
ସମ୍ପ୍ରତି ବାଲାକୋଟ୍ ଏୟାର୍ ଷ୍ଟ୍ରାଇକ୍ ନେଇ ରାଜନୀତି ବେଶ୍ ସରଗରମ ରହିଛି । ବିରୋଧୀ ସରକାରଙ୍କୁ ଏହି ଆକ୍ରମଣର ପ୍ରମାଣ ମାଗୁଥିବାବେଳେ ସରକାର ଏହାର ଜବାବ ରଖୁଛନ୍ତି । ତେବେ ଏହି ସମୟରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବୟାନ ଦେଇଛନ୍ତି । ପାକିସ୍ତାନର ବାଲାକୋଟ୍ରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ (ଜେଇଏମ୍)ର ଟ୍ରେନିଂ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ଯେଉଁ ଏୟାର ଷ୍ଟ୍ରାଇକ୍ କଲା, ତାହାର ନିର୍ବାଚନ ସହ କୌଣସି ପ୍ରକାରର ସଂପର୍କ ନାହିଁ। ପାକିସ୍ତାନ ମାଟିରେ ଯେଉଁ ଏୟାର ଷ୍ଟ୍ରାଇକ୍ କରାଗଲା, ତାହା ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନ ଥିଲା। ପାକିସ୍ତାନ ମାଟିରେ ଭାରତ ବିରୋଧରେ ଆତଙ୍କବାଦୀ ହାମ୍ଲା ପାଇଁ ଯେଉଁ ଷଡ୍ଯନ୍ତ୍ର ଚାଲିଥିଲା ସେ ସଂପର୍କରେ ଗୁଇନ୍ଦା ସୂଚନା ଆଧାରରେ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ବୋଲି ଆଜି ସ୍ପଷ୍ଟ କରି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟାରେ ଆତଙ୍କବାଦୀ ନିପାତ ହେଲେ ତାକୁ ନେଇ ରାଜନୀତି କରା ନଯାଉ। କାରଣ, ଏହି ଏୟାର ଷ୍ଟ୍ରାଇକ୍ର ନିର୍ବାଚନ ସହ କୌଣସି ପ୍ରକାରର ସଂପର୍କ ନାହିଁ। ସେଥିପାଇଁ ସରକାରୀ ଭାବେ ମୃତକଙ୍କ ସଂଖ୍ୟା ଘୋଷଣା କରିବାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।
ଆଜି ନାଗପୁରଠାରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ବିରାଟ ବାହିନୀ ଅଷ୍ଟ୍ରେଲିଆ ବିରୋଧରେ ୨୫୧ ରନ୍ର ଲକ୍ଷ୍ୟ ରଖିଛି । ଭାରତ ୪୮.୨ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୨୫୦ ରନ୍ କରିଛି । ମହାରାଷ୍ଟ୍ରର ନାଗପୁରସ୍ଥିତ ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଏହି ମ୍ୟାଚ୍ରେ ଅଧିନାୟକ ବିରାଟ ନିଜର ୪୦ ତମ ଶତକ (୧୧୬ ରନ୍, ୧୨୦ ବଲ୍, ୧୦ ଚୌକା) ହାସଲ କରିଛନ୍ତି। ପେଟ କମିନ୍ସ ୪ ଓ୍ଵିକେଟ ନେଇଥିବା ବେଳେ ଆଦାମ ଜାମ୍ପା ୨ଟି ଓ୍ଵିକେଟ ନେଇଥିଲେ। ନାଥନ କଲଟର୍ ନାଇଲ, ଗ୍ଲେନ ମ୍ୟାକ୍ସୱେଲ ଓ ନାଥାନ ଲାୟନଙ୍କୁ ଗୋଟେ ଗୋଟେ ଓ୍ବିକେଟ୍ ନେଇଛନ୍ତି।
କଂଗ୍ରେସ ଓ ଆମ୍ଆଦ୍ମୀ ପାର୍ଟି ମଧ୍ୟରେ ହେବାକୁ ମେଣ୍ଟ ଆଶା ମଉଳି ଗଲା ପରେ ଆମ୍ ଆଦ୍ମୀ ପାର୍ଟି ଅଧ୍ୟକ୍ଷ ଅରବିନ୍ଦ କେଜ୍ରୀଓ୍ବାଲ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ଉପରେ ଆରୋପ ଲଗାଇ କେଜ୍ରୀଓ୍ବାଲ କହିଛନ୍ତି ଯେ, ପରୋକ୍ଷରେ ବିଜେପି ସହ କଂଗ୍ରେସ ମିଶି ଯାଇଛି ଏବଂ ଏହାଦ୍ବାରା ବିଜେପିକୁ ଲୋକସଭା ନିର୍ବାଚନରେ ଲାଭ ମିଳୁଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ – ଯେଉଁ ସମୟରେ ସାରା ଦେଶବାସୀ ମୋଦି-ଶାହାଙ୍କ ଯୋଡ଼ିକୁ ହରାଇବାକୁ ଚାହୁଁଛନ୍ତି, କଂଗ୍ରେସ ବିଜେପି ଭୋଟ୍କୁ ଭାଗ ଭାଗ କରି ବିଜେପିକୁ ସାହାଯ୍ୟ କରୁଛି । ବିଜେପି ଓ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ରହିଛି । ତେବେ ଦିଲ୍ଲୀ କଂଗ୍ରେସ-ବିଜେପିର ମେଣ୍ଟକୁ ଲଢିବାକୁ ପ୍ରସ୍ତୁତ ରହିଛି । ଲୋକ ଏହି ମେଣ୍ଟକୁ ହରାଇଦେବେ । ବିଜେପିକୁ ଶାସନର ହଟାଇବା ପାଇଁ କଂଗ୍ରେସ ସହ ହାତ ମିଳାଇ ଚାହୁଁଥିଲେ ଅରବିନ୍ଦ କେଜ୍ରୀଓ୍ବାଲ । ଏଥିପାଇଁ ଦିଲ୍ଲୀରେ କଂଗ୍ରେସ ଓ ଆପ୍ ସହ ଆସନ ବୁଝାମଣା ନେଇ ଚର୍ଚ୍ଚା ଜୋର୍ ରହିଥିଲା । କିନ୍ତୁ ଆଜି କଂଗ୍ରେସର ଦିଲ୍ଲୀ ଅଧ୍ୟକ୍ଷା ଶୀଲା ଦୀକ୍ଷିତ୍ ଏହି ଗଠବନ୍ଧନରେ ବିରାମ ଲଗାଇ ଦେଇଛନ୍ତି । କିଛିବର୍ଷ ପୂର୍ବେ ଆପ୍ କଂଗ୍ରେସର ଦୃଢ ବିରୋଧ ରହିଥିଲା । ୨୦୧୩ ପୂର୍ବରୁ ଓ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ କଂଗ୍ରେସ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ । ୨୦୧୩ ବିଧାନସଭାରେ ଆମ୍ ଆଦ୍ମୀ ପାର୍ଟି କଂଗ୍ରେସକୁ ହରାଇକୁ ପ୍ରଥମଥର ପାଇଁ ଗୋଟେ ବଡ଼ ଦଳ ରୂପେ ଉଭା ହୋଇଥିଲା ଏହି ନିର୍ବାଚନରେ ଆପ୍ ୨୮ଟି ସିଟ୍ ଜିତିଥିବାବେଳେ କଂଗ୍ରେସ୍ ମାତ୍ର ୮ଟି ସିଟ୍ ପାଇଥିଲା । ମାତ୍ର ୪୭ ଦିନ ସରକାର ଚଳାଇବା ପରେ କେଜ୍ରୀଓ୍ବାଲ ଇସ୍ତଫା ଦେଇଦେଇଥିଲେ । ତା’ପରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ହୋଇଥିଲା । ପୁନର୍ବାର ୨୦୧୫ରେ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି ଐତିହାସିକ ୬୭ ସିଟ୍ ଜିତି ସରକାର ଗଠନ କରିଥିଲା । ଏହି ନିର୍ବାଚନରେ କଂଗ୍ରେସ କୌଣସି ଆସନ ଜିତିନଥିବାବେଳେ ବିଜେପି ମାତ୍ର ତିନୋଟି ସିଟ୍ ପାଇଥିଲା ।
ତାମିଲ୍ ସୁପରଷ୍ଟାର୍ ଅଜିଥ୍ କୁମାରଙ୍କ ନୂଆ ଫିଲ୍ମ ତଥା ପ୍ରଯୋଜକ ବୋନି କପୁର୍ଙ୍କ ଦ୍ବାରା ନିର୍ମିତ ବଲିଉଡ୍ ଫିଲ୍ମ ‘ପିଙ୍କ୍’ର ତାମିଲ୍ ରିମେକର ପୋଷ୍ଟର ରିଲିଜ୍ ହୋଇଛି । ଏହି ଫିଲ୍ମର ଶୀର୍ଷକ ‘ନେରେକୋଣ୍ଡା ପାରାଭି’ ରଖାଯାଇଛି । ଏହି ଫିଲ୍ମରେ ଅଜିଥ୍ କୁମାରଙ୍କ ସହ ଶ୍ରଦ୍ଧା ଶ୍ରୀନାଥ, ଅଭିରାମୀ ଭେଙ୍କେଟଚେଲମ୍ ଏବଂ ଏଣ୍ଡ୍ରିଆ ତୈରାଙ୍ଗ ପ୍ରମୁଖ ଅଭିନୟ କରୁଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଏଚ୍ ଭି ବିନୋଥ । ତେବେ ଏହି ଫିଲ୍ମଟି ଅଫିସିଆଲି ରିମେକ୍ ହୋଇଥିବାବେଳେ କିଛିକାଂଶରେ ଟିକିଏ ଭିନ୍ନତା ଦେଖିବାକୁ ମିଳିବ । ତେବେ ଏହା ହେଉଛି ବୋନି କପୁର୍ଙ୍କ ପ୍ରଥମ ତାମିଲ୍ ପ୍ରଯୋଜିତ ଫିଲ୍ମ । ଏହାକୁ ନେଇ ଜାହ୍ନବୀ କପୁର୍ ନିଜ ଇନ୍ଷ୍ଟାଗ୍ରାମ୍ରେ ଏହି ଫିଲ୍ମର ପୋଷ୍ଟରକୁ ସେୟାର କରିବା ସହ ପାପାଙ୍କର ଏଇଟା ଫାଷ୍ଟ ତାମିଲ୍ ଫିଲ୍ମ ବୋଲି ଟ୍ବିଟ୍ କରିଛନ୍ତି । ପ୍ରଯୋଜକ ବୋନି କପୁର୍ ଅଜିଥ୍ଙ୍କ ସହିତ ‘ଇଂଲିଶ୍ ଭିଲିଂଶ୍’ ଫିଲ୍ମରେ ଏକାଠି କାମ କରିଥିବାବେଳେ ଶ୍ରୀଦେବୀ ଅଜିଥ୍ଙ୍କ ସହ ତାଙ୍କ ଘରୋଇ ପ୍ରଯୋଜନା ସଂସ୍ଥା ଏକ ତାମିଲ୍ ଫିଲ୍ମ କରିବାର ଇଚ୍ଛା ରଖିଥିଲେ । ତେବେ ୨୦୧ରେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ‘ପିଙ୍କ୍’ର ନିର୍ଦ୍ଦେଶନା ଦେଇଥିଲେ ଅନିରୁଦ୍ଧ ରାୟ ଚୌଧୁରୀ । ଏହି ଫିଲ୍ମରେ ତାପସୀ ପନ୍ନୁ, ଅମିତାଭ ବଚ୍ଚନ, କ୍ରିତି କୁଲ୍ହାରୀ ଓ ଏଣ୍ଡ୍ରିଆ ତୈରାଙ୍ଗ, ଅନଙ୍ଗ ବେଦୀ ପ୍ରମୁଖ ଅଭିନୟ କରିଥିଲେ । ଫିଲ୍ମଟି ଜାତୀୟ ପୁରସ୍କାର ପାଇବା ସହିତ ଉଚ୍ଚ ପ୍ରଶଂସିତ ହୋଇଥିଲା । ତାମିଲ୍ ସୁପରଷ୍ଟାର୍ ଅଜିଥ୍ ‘ଅମରକଲମ୍’, ‘ଧୀନା’, ‘ଭିଲେନ୍’, ‘ଭେଦଲମ୍’, ‘ଭିଭିଗମ୍’ ଆଦି ଫିଲ୍ମରେ ଅଭିନୟ କରି ବେଶ୍ ସଫଳତା ପାଇଛନ୍ତି । ଶେଷଥର ପାଇଁ ଶିବ କୁମାର ଜୟକୁମାରଙ୍କ ‘ବିଶ୍ବାସମ୍’ରେ ନଜର ଆସିଥିଲେ ।
ସୁଜିତ୍ଙ୍କ ଆଗାମୀ ଫିଲ୍ମରେ ଭିକି
ବଲିଉଡ୍ ଅଭିନେତା ଭିକି କୌଶଲ୍ଙ୍କ ହାତରେ ଏବେ ଫିଲ୍ମର ଅଫର୍ । ‘ଉରି – ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ପରେ ପରେ ଏହି ଅଭିନେତାଜଣକ ବହୁତ ବ୍ୟସ୍ତ ହୋଇପଡିଛନ୍ତି । ନିକଟରେ ତାଙ୍କୁ ରାକେଶ ଶର୍ମାଙ୍କ ବାୟୋପିକ୍ରେ ଶାହରୁଖ୍ଙ୍କ ବଦଳରେ ନଜର ଆସିବେ ବୋଲି ସୂଚନା ରହିଥିବାବେଳେ କରନ୍ ଜୋହର୍ଙ୍କ ମଲ୍ଟି ଷ୍ଟାର୍ର ଫିଲ୍ମ ତଖତ୍ରେ ମଧ୍ୟ ଏକ ଦମଦାର୍ ରୋଲ୍ରେ ନଜର ଆସିବେ । ଲୋକପ୍ରିୟ ନିର୍ଦ୍ଦେଶକ ସୁଜିତ୍ ସରକାର୍ ତାଙ୍କ ଅପ୍କମିଙ୍ଗ୍ ଫିଲ୍ମରେ ଭିକି କୌଶଲ୍ଙ୍କୁ ନେଉଥିବାର ସୂଚନା ରହିଛି । ତେବେ ଏହି ଫିଲ୍ମଟି ସ୍ବାଧୀନତା ସଂଗ୍ରାମୀ ସର୍ଦ୍ଦାର ଉଧମ ସିଂହଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି । ‘ଗ୍ୟାଙ୍ଗସ୍ ଅଫ୍ ଓ୍ବେସପୁର୍’ରେ ଏକ ଛୋଟ ରୋଲ୍ରେ ନଜର ଆସିଥିବା ଭିକି ପରବର୍ତ୍ତୀ ସମୟରେ ‘ମସାନ୍’ ଫିଲ୍ମରେ ନଜର ଆସିଥିଲେ । ଏହା ପରେ ପରେ ‘ବମ୍ବେ ଭେଲ୍ଭେଟ୍’, ‘ରାଜି’ ଫିଲ୍ମ ପରେ ସେ ‘ଉରି’ ଫିଲ୍ମରେ ବହୁଳ ସଫଳତା ପାଇଥିଲେ ।
ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପିର ଅଧ୍ୟକ୍ଷ ମେହବୁବା ମୁଫତୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏୟାର ଇଣ୍ଡିଆ ଦ୍ୱାରା ଜାରି କରାଯାଇଥିବା ଏଡଭାଇଜରୀ ଉପରେ ଟାର୍ଗେଟ କରିଛନ୍ତି । ଏୟାର ଇଣ୍ଡିଆ ଦ୍ୱାରା କ୍ରିୟୁ ମେମ୍ବର ଏବେ ସବୁ ବିମାନର ଘୋଷଣାର ଶେଷରେ ପୁରା ଜୋଶର ସହ ଜୟ ହିନ୍ଦ କହିବାକୁ ଆଡଭାଇଜରୀ ଜାରୀ କରିବା ପରେ ମେହବୁବା ମୁଫତୀ ଏହା ଉପରେ ଟ୍ୱିଟ କରି ପୁଣି ଥିରେ ବିବାଦୀୟ ହୋଇପଡିଛନ୍ତି । ସେ ଏହି ଟ୍ବିଟ୍ରେ ଲେଖିଛନ୍ତି ଯେ, ମୁଁ ଆଶ୍ଚର୍ଯ୍ୟ ଯେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ରହିଛି, ଏଭଳି ସମୟରେ ସରକାର ଦେଶଭକ୍ତିର ଜୋଶରେ ଆସି ଆକାଶକୁ ବି ଛାଡୁନାହାନ୍ତି ।’ ଏୟାର ଇଣ୍ଡିଆର ଡାଇରେକ୍ଟର ଅପରେସନ ଅମିତାଭ ସିଂହ ଏହି ଆଡ୍ଭାଇଜାରୀ ଜାରି କରିଥିଲେ ।
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମନ୍ ଖୁର୍ଶିଦ୍ ଭାରତର ଏୟାର୍ ଷ୍ଟ୍ରାଇକ୍କୁ ନେଇ ରାଜନୀତି ନ କରିବାକୁ ପରାମର୍ଶ ଦେଇଛନ୍ତି । ଭାରତୀୟ ବାୟୁସେନା ଦ୍ବାରା କରାଯାଇଥିବା ଆତଙ୍କବାଦୀ ବିରୁଦ୍ଧରେ ଏୟାର୍ ଷ୍ଟ୍ରାଇକ୍କୁ ନେଇ ରାଜନୀତି କରିବା ଦ୍ବାରା ସାରା ବିଶ୍ବରେ ଭାରତର ଏକ ନାକାରାତ୍ମକ ଛବି ଦୃଶ୍ୟ ହେଉଛି । ଏହାଦ୍ବାରା ଆମର ଶତ୍ରୁମାନେ ଆମ ଭିତରେ ଏକତା ନଥିବାର ପ୍ରମାଣ ପାଉଛନ୍ତି । ତେବେ ସରକାର ଲୋକ ତଥା ବିରୋଧୀଙ୍କର ପ୍ରଶ୍ନର ସ୍ପଷ୍ଟୀକରଣ ଦେବା ଦରକାର । ଲୋକତନ୍ତ୍ରରେ ସରକାର ଲୋକଙ୍କୁ ଜବାବ ଦେବା ଏବଂ ସନ୍ଦେହ ମୁକ୍ତ କରିବା ଉଚିତ୍ । କିନ୍ତୁ ସରକାର ଏହି ବିବାଦର ସ୍ପଷ୍ଟୀକରଣ ନ ଦେଇ ରାଜନୀତିକ କରିବା ବେଶ୍ ଦୁର୍ଭାଗ୍ୟଜନକ । ସେ କହିଛନ୍ତି ଯେ, କଂଗ୍ରେସ ସଦାସର୍ବଦା ରାଷ୍ଟ୍ର ହିତ ପାଇଁ ବଳିଦାନ ଦେଇଛି । ଦେଶ ପାଇଁ ଏହା ସବୁବେଳେ ଭଲ ହିଁ କରିବ ।
ସମ୍ପ୍ରତି ଫୁଲ୍ଓ୍ବାମା ଆକ୍ରମଣ ଓ ପରବର୍ତ୍ତୀ ଭାରତୀୟ ବାୟୁ ସେନା ଦ୍ବାରା କରାଯାଇଥିବା ଏୟାର୍ଷ୍ଟ୍ରାଇକ୍କୁ ନେଇ ସମ୍ପ୍ରତି ଦେଶରେ ରାଜନୀତି ବେଶ୍ ସରଗରମ । କଂଗ୍ରେସ ଏୟାର୍ ଷ୍ଟ୍ରାଇକକୁ ନେଇ ସରକାରଙ୍କୁ ପ୍ରମାଣ ମାଗୁଥିବାବେଳେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଏକ ଦୁର୍ଘଟଣା କହି ପୁଣି ଏକ ନୂଆ ବିବାଦ ଉଠାଇଛନ୍ତି କଂଗ୍ରେସ ନେତା ଦିଗ୍ବିଜୟ ସିଂ। ଦିଗ୍ବିଜୟ କହିଛନ୍ତି, ବାଲାକୋଟରେ ହୋଇଥିବା ବିମାନ ଆକ୍ରମଣକୁ ନେଇ କିଛି ବିଦେଶୀ ଗଣମାଧ୍ୟମ ସନ୍ଦେହ ପ୍ରକାଶ କରିଥିବା ବେଳେ ଆମ ସରକାରଙ୍କ ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଟୁଇଟ୍ କରି ସେ ଆହୁରି ମଧ୍ୟ କହିଛନ୍ତି, ବାଲାକୋଟ ବିମାନ ଆକ୍ରମଣରେ ୩ଶହ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କେତେଜଣ ଭାଜପା ନେତା କହୁଥିବା ବେଳେ ଅମିତ ଶାହ କହୁଛନ୍ତି ଏଥିରେ ୨୫୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି, ଯୋଗୀ ଆଦିତ୍ୟନାଥ କହୁଛନ୍ତି ୪ଶହ ଆତଙ୍କବାଦୀ ମରିଛନ୍ତି ଆଉ ଏସ୍ଏସ୍ ଆଲୁଓ୍ବାଲିଆ କହିଛନ୍ତି ଏଥିରେ କାହାର ମୃତ୍ୟୁ ହୋଇନାହିଁ। ତେବେ କିଏ ଏଥିରେ ସତ କହୁଛି ଆଉ କିଏ ମିଛ କହୁଛି ବୋଲି ଦିଗ୍ବିଜୟ ପ୍ରଶ୍ନ କରିଛନ୍ତି। ହେଲେ ଏତେ ସବୁ ପରେ ନିଜେ ମୋଦି କାହିଁକି ଚୁପ୍ ରହିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି। ତେଣୁ ପୁଲଓ୍ବାମା ଆକ୍ରମଣ ଏକ ଦୁର୍ଘଟଣା ଥିଲା ବୋଲି ସେ କହିଛନ୍ତି। ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏହି ଏୟାର୍ ଷ୍ଟ୍ରାଇକ୍କୁ ନେଇ ରାଜନୀତି ବାଜି ମାରିବାକୁ ବସିଥିବାର କଂଗ୍ରେସ ଅଭିଯୋଗ କରୁଥିବାବେଳେ ନିଜେ ଏହି ସମ୍ପର୍କିତ ବୟାନ୍ ଦେଇ ବିବାଦରେ ଛନ୍ଦି ହୋଇପଡୁଛି ।
ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ଦଳ ଭିତରେ ଜୋର୍ସୋର୍ରେ ପ୍ରସ୍ତୁତି ଚାଲିଛି । ସତ୍ତାକୁ ଆସିବା ପାଇଁ ପ୍ରାୟ ସମେସ୍ତ ପ୍ରସ୍ତୁତି ଚଳାଇଛନ୍ତି । ଉତ୍ତରପ୍ରଦେଶରେ ଅଖିଳେଶ – ମାୟାବତୀ ଗଠବନ୍ଧନ କରିସାରିବା ପରେ ଦିଲ୍ଲୀରେ ଆପ୍ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର୍ ଚାଲିଥିଲା । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀ ଦଳର ନେତା ମାନଙ୍କ ସହ ଏହି ବିଷୟରେ ଚର୍ଚ୍ଚା କରିଥିଲେ । ଏହି ବୈଠକରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷା ଶୀଲା ଦୀକ୍ଷିତ ସାମିଲ ହୋଇଥିଲେ । କିନ୍ତୁ ଶେଷରେ ଏହି ମେଣ୍ଟକୁ କଂଗ୍ରେସ ମନା କରିଥିବାର ଜଣାପଡିଛି । ଶୀଲା ଦୀକ୍ଷିତ ଏହି ମେଣ୍ଟ ଉପରେ ପୂର୍ଣ୍ଣଚ୍ଛେଦ ପକାଇ କହିଛନ୍ତି ଦିଲ୍ଲୀରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବ । ଆପ୍କୁ ମେଣ୍ଟ ଦରକାର ଥିଲା, କଂଗ୍ରେସକୁ ନୁହେଁ । ତେବେ ଦିଲ୍ଲୀରେ ଆପ୍ – କଂଗ୍ରେସ ମଧ୍ୟରେ ୩-୩ ଆସନ ଲଢିବା ନେଇ ଚର୍ଚ୍ଚା ଚାଲିଥିଲା ।
ଜାରି ହେଲା ‘ସୂର୍ଯ୍ୟବଂଶୀ’ର ଫାଷ୍ଟ ଲୁକ୍
‘ସିଂଘମ୍’, ’ସିମ୍ବା’ ପରେ ପରେ ରୋହିତ୍ ଶେଟ୍ଟି ତାଙ୍କର ଆଗାମୀ ଫିଲ୍ମ ’ସୂର୍ଯ୍ୟବଂଶୀ’ର ଫାଷ୍ଟ ଲୁକ୍ ଜାରି କରିଛନ୍ତି । ଏହି ଫିଲ୍ମର ଫାଷ୍ଟ ଲୁକ୍ ଜାରି କରିବା ସହ ଅକ୍ଷୟ ସହ ଫିଲ୍ମର ଟାଇଟଲ୍ ଥିବା ଏକ ଫଟୋକୁ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋ ସେୟାର୍ ସହ ରୋହିତ ଲେଖିଛନ୍ତି ଯା, ’ବୁଲେଟ୍ ପାଇଁ ବୁଲେଟ୍, ଇଏ ଏକା ନୁହେଁ, ସୂର୍ଯ୍ୟବଂଶୀ ଅକ୍ଷୟ କୁମାର, କରଣ ଜୋହର୍’ । ୨୦୨୦ ଇଦ୍ ଅବସରରେ ଏହି ଫିଲ୍ମଟି ପରଦା ଉପରକୁ ଆସିବ । ଏହି ଫିଲ୍ମର ନିର୍ମାତା କରନ୍ ଜୋହର୍ ଫିଲ୍ମର ଫାଷ୍ଟ ଲୁକ୍କୁ ସେୟାର କରି ଲେଖିଛନ୍ତି ବ୍ଲକବ୍ଲଷ୍ଟର ଡାଇରେକ୍ଟର + ବ୍ଲକବ୍ଲଷ୍ଟର ଆକ୍ଟର + ବ୍ଲକ୍ବ୍ଲଷ୍ଟର ଫ୍ରାଞ୍ଚାଇଜ୍ = ବ୍ଲକବ୍ଲଷ୍ଟର ଇଦ ୨୦୨୦ । ସେହିପରି ଫିଲ୍ମର ଆକ୍ଟର ଅକ୍ଷୟ କୁମାର ଏହି ଫଟୋକୁ ସେୟାର କରି ଲେଖିଛନ୍ତି ‘ବୁଲଟେ ପାଇଁ ବୁଲେଟ, ରୋହିତ୍ ସେଟ୍ଟିଙ୍କ ’ସୂର୍ଯ୍ୟବଂଶୀ’ ପାଇଁ ୨୦୨୦ ଇଦ୍ ପାଇଁ ପ୍ରସ୍ତୁତ ରୁହନ୍ତି, ଆକ୍ସନ, ମସଲା । ଫିଲ୍ମଟି ୨୦୨୦ ଇଦ୍ ଅବସରରେ ରିଲିଜ୍ ହେବ । ତେବେ ଫିଲ୍ମରେ ଅକ୍ଷୟଙ୍କ ବିପକ୍ଷରେ ନାୟିକା କିଏ ହେବ, ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ । ପୂର୍ବରୁ ପୂଜା ହେଗେଡ୍ଙ୍କ ନାମ ଆସିଥିବାବେଳେ ପରବର୍ତ୍ତୀ ସମୟରେ କ୍ୟାଟ୍ରିନାଙ୍କ ନାମ ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଏହି ଫିଲ୍ମର ନାୟିକା ଚୟନ ହୋଇନାହିଁ । ଆସନ୍ତା ୨୧ ତାରିଖରେ ଅକ୍ଷୟ କୁମାରଙ୍କ ’କେଶରୀ’ ରିଲିଜ୍ ହେବାକୁ ରହିଛି । ଏହା ପରେ ଅକ୍ଷୟ କରନ୍ ଜୋହର୍ଙ୍କ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ରେ ନଜର ଆସିବେ । ଏହି ଫିଲ୍ମର ଅକ୍ଷୟଙ୍କ ହିରୋଇନ୍ ସାଜିଛନ୍ତି କରୀନା କପୁର୍ ଖାନ୍ ।
ସମୁଦ୍ର ପଥ ଦେଇ ଭାରତରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଛି ବୋଲି ଭାରତୀୟ ନୌସେନା ମୁଖ୍ୟ ଆଡ୍ମିରାଲ୍ ସୁନୀଲ ଲାନ୍ବା ସତର୍କ କରାଇ ଦେଇଛନ୍ତି। ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି କରାଇ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ଉଦ୍ୟମ କରୁଛି । ଆଡ୍ମିରାଲ୍ ଲାନ୍ବା କହିଛନ୍ତି ଯେ ସମ୍ପ୍ରତି ଇଣ୍ଡୋ-ପେସିଫିକ୍ ଅଞ୍ଚଳ ପ୍ରମୁଖ ଆତଙ୍କ ବିପଦ୍ର ସମ୍ମୁଖୀନ ହେଉଛି। ଗତ କେତେ ବର୍ଷ ହେବ ଇଣ୍ଡୋ-ପେସିଫିକ୍ ଅଞ୍ଚଳ ଆତଙ୍କବାଦର ବୃଦ୍ଧି ପାଇଛି । ଗତ ୧୪ ତାରିଖରେ ଫୁଲ୍ଓ୍ବାମାଠାରେ ଆତଙ୍କବାଦୀଙ୍କ ବର୍ବରତା ଆମେ ଦେଖିଛୁ । ଏହି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ଭାରତୀୟ ଯବାନ୍ ଶହୀଦ୍ ହୋଇଥିଲେ । ଏହି ଘଟଣା ପରେ ଆତଙ୍କବାଦୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନକୁ ସାରା ବିଶ୍ବବ୍ୟାପୀ ନିନ୍ଦା କରାଯାଇଛି ।