ଭୁବନେଶ୍ବର : ଜାମସେଦପୁରର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଅକ୍ଷୟ ରାଉତଙ୍କ ଆଜି ପରଲୋକ ହୋଇଛି । ସୋମବାର ସନ୍ଧ୍ୟାରେ ଭୁବନେଶ୍ବରରେ ତାଙ୍କର ପରଲୋକ ହୋଇଛି। କେନ୍ଦ୍ରାପଡାର ବଲୁରିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଅକ୍ଷୟ, 1972ରେ ଏସ୍ସିବି ମେଡିକାଲ କଲେଜରୁ ଡାକ୍ତରୀ ପାଶ୍ କରିଥିଲେ । ସେ ଟାଟାନଗରରେ ଗରିବ ଲୋକଙ୍କୁ କମ୍ ଦେୟରେ ବା ମାଗଣା ଚିକିତ୍ସା କରୁଥିଲେ। ରାଉତଙ୍କ ବଡ ଝିଅ ସୁଜାତା ରାଉତ କାର୍ତ୍ତିକେୟନ୍ ଆଇଏଏସ , ବର୍ତ୍ତମାନ ମିଶନ ଶକ୍ତି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଏହା ସହିତ ସେ ହେଉଛନ୍ତି 5ଟି ସଚିବ ଭି କେ ପାଣ୍ଡିଆନଙ୍କର ଶ୍ବଶୁର।
Tag: Top News
କେଦାର ମିଶ୍ର
କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବା ସମୟରେ ଗୁଜୁରାଟ ଭୂମିକମ୍ପ ର ଉଦାହରଣ ଦେଇ ସେଥିରୁ କେମିତି ପୁଣି ଥରେ ଗୋଟେ ରାଜ୍ୟ କେମିତି ଉପରକୁ ଉଠିଥିଲା, ସେକଥା କହୁଥିଲେ। ସେତେବେଳେ ଆମର ମନେ ପଡ଼ିଲା, ଓଡ଼ିଆ ଭାବରେ ଆମେ ପ୍ରକୃତିର ଯେଉଁ ଭୟାନକ ତାଡ଼ନା ୧୯୯୯ ମହବାତ୍ୟା ସମୟରେ ଦେଖିଥିଲୁ, ତାହାର କଳ୍ପନା ମାତ୍ରେ ଛାତି ଥରି ଉଠିବ। ପୂରା ଉପକୂଳ ଓଡିଶା ମହାବାତ୍ୟା ରେ ମହାଶ୍ମଶାନ ପାଲଟି ଯାଇଥିଲା। ଧ୍ବଂସ ଓ ବିଭୀଷିକା ର ସେ ବାସ୍ତବତା ରୁ ଓଡ଼ିଆ ଜାତି ପୁଣିଥରେ ଠିଆ ହୋଇଛି। ସେ ଲଢ଼େଇ ଆମକୁ ଅନେକ କଥା ଶିଖିବାର ସୁଯୋଗ ଦେଇଥିଲା। ଗତ ୨୦ ବର୍ଷରେ ଓଡ଼ିଶାର ସବୁଠାରୁ ବଡ଼ ଉପଲବ୍ଧି ହେଉଛି, ଆମେ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ଲାଗି ନିଜକୁ ପ୍ରସ୍ତୁତ କରି ପାରିଛୁ।
ବିପର୍ଯ୍ୟୟ ପରିଚାଳନା ରେ ଓଡ଼ିଶାର ସତର୍କତା ଏବଂ ଲୋକଙ୍କ ଜୀବନ ବଞ୍ଚାଇ ପାରିବାର ଦକ୍ଷତା, ଆମ ପାଇଁ ନିଶ୍ଚିତ ଭାବରେ ଏକ ବଡ଼ ଉପଲବ୍ଧି। ତତ୍ପରତା ର ସହିତ ଲୋକଙ୍କୁ ବିପଦ ମୁହଁ ରୁ ସୁରକ୍ଷିତ ରଖି ପାରିବାରେ ଏକ ସଫଳତା, ଆମର ରହିଛି। ତେଣୁ ଆଜି ଯେତେବେଳେ ଆଉ ଏକ ବାତ୍ୟା ଆମ ଆଖି ଆଗରେ ତାଣ୍ଡବ ରଚନା କରୁଛି, ସେତେବେଳେ ତାକୁ ହରାଇ ପାରିବାର ସାହସ ମଧ୍ୟ ଆମ ଭିତରେ ରହିଛି।
ଗତ କୋଡ଼ିଏ ବର୍ଷ ରେ ଆଜିର ବାତ୍ୟା କୁ ମିଶାଇ ଆମେ ଛଅଟି ବାତ୍ୟା ଓ ଛଅଟି ବନ୍ୟା ର ସାମ୍ନା କଲେଣି। ଫାଇଲିନ,ହୁଡ଼ହୁଡ଼, ତିତିଲି, ବୁଲବୁଲ ଓ ଫନୀ ପରେ ଆମେ ଆଜି ଅମ୍ପନର ସାମ୍ନା କରୁଛେ। ବାତ୍ୟା କୁ ନେଇ ଭୟ ତୁଳନାରେ ବାତ୍ୟା ମୁକାବିଲା କରିବାର ଅଦମ୍ୟ ସାହସ ଆଜିର ହେଡ଼ଲାଇନ ହେବା ଉଚିତ। ୧୯୯୯ର ବିଫଳ ଅନୁଭବ ଆମକୁ ଅଧିକ ଶିକ୍ଷା ଦେଇଛି। ଗତ ଛଅଟି ଯାକ ବାତ୍ୟା ରେ ପ୍ରଭାବିତ ଲୋକଙ୍କ ଜୀବନ ସୁରକ୍ଷା କୁ ଓଡ଼ିଶା ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି।
କୌଣସି ବାତ୍ୟାକୁ ବା ପ୍ରାକୃତିକ ବିପର୍ୟୟକୁ ମୁକାବିଲା କରିବାର ଏକ ଦକ୍ଷ ପରିଚାଳନା ବ୍ୟବସ୍ଥା ଗତ କୋଡିଏ ବର୍ଷ ଭିତରେ ଓଡିଶାରେ ସୃଷ୍ଟି କରା ଯାଇଛି। ସେହି ବ୍ୟବସ୍ଥାର ସୁଫଳ ଆମେ ଦେଖୁଛୁ। ଗତ ବର୍ଷ ମଇ ୩ ତାରିଖରେ “ଫନୀ” ବାତ୍ୟାର ତାଣ୍ଡବ ରାଜଧାନୀ ଭୁବନେଶ୍ୱର ଓ ପୁରୀ କୁ ସଂପୂର୍ଣ୍ଣ ଉଜାଡି ଦେଇଥିଲା। ସେହି ଉଜୁଡା ବ୍ୟବସ୍ଥାକୁ ସଜାଡିବାରେ ରାଜ୍ୟ ସରକାର ବେଶୀ ସମୟ ନେଇ ନଥିଲେ। ସେହି ଦୃଷ୍ଟିରୁ ଆଜି “ଅମ୍ପନ” ର ଭୟ ସମୟରେ ଲୋକଙ୍କର ରାଜ୍ୟ ସରକାରଙ୍କ ପ୍ରତି ଅଧିକ ଆସ୍ଥା ରହିବା ସ୍ଵାଭାବିକ।
ଏଥର କିନ୍ତୁ ରାଜ୍ୟ ସରକାରଙ୍କ ପାଖରେ ଦୁଇଟି ସମାନ୍ତରାଳ ବିପଦର ଆହ୍ଵାନ ରହିଛି। ଗୋଟେ ପକ୍ଷରେ କରୋନାକୁ ନେଇ ଲୋକଙ୍କ ମନରେ ପ୍ରବଳ ଛନକା ରହିଛି। କରୋନା ସଂକ୍ରମଣର ଭୟ ଯୋଗୁଁ ଅନେକ ଲୋକ ରାଜ୍ୟ ସରକାରଙ୍କ ବାତ୍ୟା ଆଶ୍ରୟ ସ୍ଥଳୀକୁ ଆସିବାକୁ ଚାହୁଁ ନାହାନ୍ତି। କରୋନା ସଂକ୍ରମଣର ଭୟ ଲୋକଙ୍କ ମାନସିକତାକୁ ଏତେ ବେଶୀ କାବୁ କରି ରଖିଛି ଯେ, ଲୋକେ ବାତ୍ୟା ସମୟରେ ଘରେ ରହିବାକୁ ଚାହୁଁଛନ୍ତି। ଭିଡ ଭିତରେ ସାମାଜିକ ଦୂରତ୍ଵ ରହିବାର ସମ୍ଭାବନା ନଥିବାରୁ ଲୋକେ ଘର ଛାଡିବାକୁ ନାରାଜ। ଏହା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ସମସ୍ୟା ହୁଏତ ସୃଷ୍ଟି କରିପାରେ!
ନିୟମିତ ବାତ୍ୟାର ସାମ୍ନା କରୁଥିବା ଉପକୂଳ ଓଡିଶା ପାଇଁ ଏକ ଚିରସ୍ଥାୟୀ ବାତ୍ୟା ସୁରକ୍ଷା ଯୋଜନାର ଆବଶ୍ୟକତା ସମସ୍ତେ ଅନୁଭବ କରୁଛନ୍ତି। ଅନ୍ତତଃ ଜନଜୀବନକୁ ସ୍ଵାଭାବିକ କରିବା ଲାଗି ବାତ୍ୟା ସମୟରେ ପାନୀୟ ଜଳ, ବିଜୁଳି ଓ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଲାଗି ଏକ ଚିରସ୍ଥାୟୀ ସମାଧାନ ଯୋଜନାର କଥା ଅନେକ ଦିନରୁ କୁହା ଯାଉଛି। ଭୂତଳ କେବଲ ବ୍ୟବସ୍ଥା ଓ ଜରୁରୀକାଳିନ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବିଷୟରେ ରାଜ୍ୟ ସରକାରଙ୍କର ଏକ ମାଷ୍ଟରପ୍ଲାନ ରହିଥିବା କଥା ଆମେ ଶୁଣିଛୁ। ହେଲେ ଏହା ତୁରନ୍ତ କାମ ଆରମ୍ଭ କରିବା ଉଚିତ ହେବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରାକୃତିକ ବିପର୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶାର ସଫଳତାକୁ ଆନ୍ତର୍ଜାତିକ ସଂସ୍ଥା ଓ ଗଣମାଧ୍ୟମ ବହୁତ ପ୍ରଶଂସା କରିଛନ୍ତି। ଏପରିକି କରୋନା ମୁକାବିଲା କ୍ଷେତ୍ରରେ ଓଡିଶାର ସଫଳତା ପଛରେ ପ୍ରାକୃତିକ ଦୁର୍ବିପାକ ମୁକାବିଲାର ଅନୁଭବ ଆମକୁ ସାହାଯ୍ୟ କରିଛି। ଏତେ ସବୁ ଅନୁଭବ କାରଣରୁ ହୁଏତ “ଅମ୍ପନ” ମୁକାବିଲା ଆମ ଲାଗି ଆଦୌ ସମସ୍ୟା ହେବା କଥା ନୁହେଁ। ପୁନଶ୍ଚ ବାତ୍ୟା ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ନଥିବାରୁ ଏଥର ଓଡିଶା ର କ୍ଷୟକ୍ଷତି ସୀମିତ ରହିବାର ଆଶା କରାଯାଏ।
ସବୁ ଆଶଙ୍କା ଭିତରେ ଆମର ଗୋଟେ ଆଶା ଅଛି ଯେ, ରାଜ୍ୟର ବିପର୍ୟୟ ପରିଚାଳନା ଦକ୍ଷତା ଲୋକଙ୍କୁ ସଙ୍କଟରେ ପକାଇବାକୁ ଦେବନାହିଁ।
ଭୁବନେଶ୍ବର, ଆଜି ସକାଳୁ ସକାଳୁ ଉପକୂଳବର୍ତ୍ତି ଜିଲ୍ଲାରେ ‘ଅମ୍ଫାନ’ ର ପ୍ରଭାବ ଅନୁଭୁତ ହେଲାଣି। ଭୁବନେଶ୍ବର ସମେତ ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଚାନ୍ଦବାଲି, ପାରାଦ୍ବୀପ, ପୁରୀ ପ୍ରଭୃତି ସହରରେ ଝିପିଝିପ ବର୍ଷା ହେଉଛି। ଏଥିସହିତ ଧାରାବାହିକ ଭାବେ ହାଲକା ହାଲକା ପବନ ପ୍ରବାହିତ ହେବାରେ ଲାଗିଛି। ସେହିପରି ଭୁବନେଶ୍ବରରେ ବର୍ତ୍ତମାନ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଭୁବନେଶ୍ବରରେ ଆଜି ସକାଳୁ ପାଗ ମେଘୁଆ ରହିଥିଲା। ମଝିରେ ମଝିରେ ଝିପିଝିପି ବର୍ଷା ମଧ୍ୟ ହେଉଛି। ତେବେ ରାଜଧାନୀରେ ବର୍ତ୍ତମାନ ପବନ ପ୍ରଭାବ ଆରମ୍ଭ ହୋଇଯାଇଛି।
ଅମ୍ପାନ୍ ସିଧାସଳଖ ଓଡ଼ିଶାରେ ମାଡ ହେଉନଥିଲେ ବି ଉପକୂଳବର୍ତ୍ତୀ 12ଟି ଜିଲ୍ଲା ଉପରେ ଏହାର ପ୍ରଭାବ ରହିବ । ସବୁଠୁ ଅଧିକ ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ରହିବ । ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ସର୍ବାଧିକ 135 କିଲୋମିଟର ଯାଏ ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ବର୍ତ୍ତମାନ ଅମ୍ଫାନ ଏବେ ପାରାଦୀପଠାରୁ 570 କିମି ଦୂରରେ ରହିଥିବାବେଳ ପଶ୍ଚିମବଙ୍ଗ ଦୀଘାଠାରୁ 720 କିମି ଦୂରରେ ରହିଛି । ଅମ୍ପାନ୍’ ଅତି ଭୀଷଣ ରୂପ ନେଇ ଉତ୍ତର ଉତ୍ତରପୂର୍ବ ଦିଗକୁ ମୁହାଁଇବ ବୋଲି ସୂଚନା ରହିଛି । କାଲି ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡ ଫଲ୍ କରିବ ‘ଅମ୍ପାନ୍’ । ଦୀଘା- ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍ କରିପାରେ ଅମ୍ପାନ୍ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ 165ରୁ 175 କିମି ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।
ଭୁବନେଶ୍ବର, ଏଣିକି ରାଜ୍ୟରେ କୋଭିଡ୍-୧୯ ପରୀକ୍ଷଣ କ୍ଷମତା ଦୈନିକ ୧୫,୦୦୦କୁ ବୃଦ୍ଧି କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ରାଜ୍ୟରେ ବଲାଙ୍ଗୀର, କୋରାପୁଟ ଏବଂ ବାରିପଦା ମେଡିକାଲ୍ କଲେଜ୍ରେ ଖୁବ୍ଶୀଘ୍ର ପରୀକ୍ଷା ଆରମ୍ଭ କରାଯିବ । ଆଜି ପୂର୍ବାହ୍ନରେ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଅନୁଷ୍ଠିତ କୋଭିଡ୍-୧୯ ସଂପର୍କିତ ଉଚ୍ଚକ୍ଷମତା ସଂପନ୍ନ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ମର୍ମରେ ନିଷ୍ପତ୍ତି ନିଆଯାଇଛି ବୋଲି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି। ଏଥିସହିତ ସେ କୋଭିଡ 19 ସଂପର୍କରେ ଯେଉଁସବୁ ତଥ୍ୟ ଦେଇଛନ୍ତି ତାହା ହେଲା..
1- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲ୍ଲା ପ୍ରଶାସନ ସହଯୋଗରେ ଓଡ଼ିଶାରେ ରହିଥିବା ଅନ୍ୟ ରାଜ୍ୟର ୯୨୮୭ ଜଣ ପ୍ରବାସୀ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ୧୩୮୫ ଜଣ, ଛତିଶଗଡ଼ର ୪୩୬ ଜଣ, ଝାଡ଼ଖଣ୍ଡର ୨୪୨୪ ଜଣ, ରାଜସ୍ଥାନର ୬୨୦ ଜଣ, ଉତ୍ତରପ୍ରଦେଶର ୫୩୦ ଜଣ, ମଧ୍ୟପ୍ରେଦଶର ୩୪୦ ଜଣ ଓ ତେଲେଙ୍ଗାନାର ୩୨୨ ଜଣ ଶ୍ରମିକ ଥିଲେ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୯୬ ଜଣ, ବଲାଙ୍ଗୀରରୁ ୯୧୨ ଜଣ, କଟକରୁ ୬୩୬ ଜଣ, କଳାହାଣ୍ଡିରୁ ୫୧୬ ଜଣ, ପୁରୀରୁ ୬୦୯ ଜଣ, ବାଲେଶ୍ୱରରୁ ୪୮୫ ଜଣ, ରାୟଗଡ଼ାରୁ ୪୨୩ ଜଣ ଓ ମାଲକାନଗିରିରୁ ୩୮୪ ଜଣ ଶ୍ରମିକ ସେମାନଙ୍କ ନିଜ ନିଜ ରାଜ୍ୟକୁ ଫେରିଛନ୍ତି । ଏହିସବୁ ଶ୍ରମିକମାନଙ୍କୁ ଯିବାବେଳେ ପାଣିବୋତଲ, ମାସ୍କ ଓ ଖାଦ୍ୟ ସାମଗ୍ରୀ ଇତ୍ୟାଦି ଦିଆଯାଇଛି ।
2-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ କୋଭିଡ୍-୧୯ ମୁକାବିଲା ନିମନ୍ତେ ପ୍ରାୟ ୧୫,୦୦୦ ସଙ୍ଗରୋଧ କେନ୍ଦ୍ର (କ୍ୱାରାଣ୍ଟାଇନ୍ ସେଣ୍ଟର) ପ୍ରସ୍ତୁତ କରାଯାଇଛି । ପ୍ରତି ପଞ୍ଚାୟତରେ ଥିବା ଏହି କେନ୍ଦ୍ରଗୁଡ଼ିକରେ ଅନ୍ତେବାସୀମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମେତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା କରାଯାଇଛି । ଅନ୍ତେବାସୀଙ୍କ ଶାରିରୀକ ଓ ମାନସିକ ସୁସ୍ଥତା ପାଇଁ ନିୟମିତ ଯୋଗାଭ୍ୟାସ ଓ ବ୍ୟାୟାମର ମଧ୍ୟ ଆୟୋଜନ କରାଯାଉଛି ।
3-ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀମାନଙ୍କୁ ରାଜ୍ୟ ସୀମାରେ ପହଞ୍ଚାଇବା ପାଇଁ ବନ୍ଦୋବସ୍ତ କରାଯାଇଛି ।
4-ପୂର୍ବ ଭାରତର ଅଗ୍ରଣୀ ଗବେଷଣା ସଂସ୍ଥା ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇ.ଏଲ୍.ଏସ୍), ଭୁବନେଶ୍ୱର ଦ୍ୱାରା ଏ ପର୍ଯ୍ୟନ୍ତ ଓଡ଼ିଶାରେ ୧୩,୧୨୧ ଟି କୋଭିଡ୍-୧୯ ପରୀକ୍ଷା ହୋଇଛି। ଆଗକୁ ମଧ୍ୟ ଏହି ପରୀକ୍ଷଣ କ୍ଷମତା ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି । କୋଭିଡ୍-୧୯ ସଂପର୍କିତ ବିଭିନ୍ନ ଉଚ୍ଚତର ଗବେଷଣା ପାଇଁ ମଧ୍ୟ ଏଠାରେ ବୈଜ୍ଞାନିକମାନେ କାର୍ଯ୍ୟରତ ଅଛନ୍ତି ।
5-ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୧୧,୪୮୭ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୧,୦୦,୦୩୦ ଜଣ ଫେରିଛନ୍ତି । ସେମାନେ ବସ୍, ଟ୍ରେନ୍ ଓ ଅନ୍ୟ ଯାନବାହନରେ ଆସିଛନ୍ତି ।
6-କୋଭିଡ୍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୮୮୮ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୬,୦୦,୮୫୬ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।
7-ଆଜି ରାଜ୍ୟର ୪୭୩୪ ଗ୍ରାମ ପଞ୍ଚାୟତରେ ୩,୨୧,୧୭୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୩୫,୮୩୨ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।
8-ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୧୩ରୁ ମଇ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୩ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୦ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଂଘନ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୪୮ ଜଣଙ୍କୁ ଗିରଫ କରାଯାଇଛି ।
ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର କରୋନା ସ୍ଥିତି ବଢିବାରେ ଲାଗିଛି, ଏପରି ପରିସ୍ଥିତିରେ ଲକ ଡାଉନ ହଟାଇବା ପରିବର୍ତ୍ତେ ବୃଦ୍ଧି କରାଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଭିଡିଓ କନଫ୍ରେସିଂ ବେଳେ ଏପରି ଦାବୀ କରିଛନ୍ତି 4ଟି ରାଜ୍ୟର ମୁଖ୍ୟମନ୍ତ୍ରୀ। ସେହି ରାଜ୍ୟଗୁଡିକ ହେଲା ପଶ୍ଚିମ ବଂଗ, ପଂଜାବ, ମହାରାଷ୍ଟ୍ର ଏବଂ ତେଲାଙ୍ଗାନା। ବର୍ତ୍ତମାନ ଲକଡାଉନ ଯୋଗୁଁ କରୋନା ଭାଇରସ ବ୍ୟାପିବାରେ ହ୍ରାସ ଘଟିଛି। ଏହି ଲକଡାଉନ ଠିକ କାମ ଦେଉଥିବାରୁ ଏହାକୁ ଆହୁରି ବୃଦ୍ଧି କରାଯାଉ ବୋଲି ଏହି 4 ମୁଖ୍ୟମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ କୋଭିଡ ମୁକାବିଲା ନେଇ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ, ବର୍ତ୍ତମାନ ତାଙ୍କ ରାଜ୍ୟର ସ୍ଥିତି ବହୁ ଖରାପ। ମୁଖ୍ୟତଃ ଗୋଷ୍ଠୀ ସଂକ୍ରାମଣ ହେବାରେ ଲାଗିଛି। ଯଦି ଲକଡାଉନ ନିର୍ଦ୍ଧାରିତ ସମୟରେ ଉଠାଇ ଦିଆଯାଏ ତେବେ ମହାରାଷ୍ଟ୍ର ସ୍ଥିତି ଗମ୍ଭୀର ହେବ ବୋଲି ଠାକରେ କହିଥିଲେ।
ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପେଟନ ଅମରେନ୍ଦ୍ର ସିଂ ମଧ୍ୟ ସେହି ଲକଡାଉନ ବୃଦ୍ଧିକୁ ସମର୍ଥନ କରିଥିଲେ। ପଂଜାବ ମୁଖ୍ୟମନ୍ତ୍ରୀଙ୍କ କହିବା କଥା ହେଲା ବର୍ତ୍ତମାନ ମହାରାଷ୍ଟ୍ରରୁ ବହୁ ଲୋକ ପଂଜାବ ଫେରିବାରେ ଲାଗିଛନ୍ତି। ସେହିମାନେ ବର୍ତ୍ତମାନ ରାଜ୍ୟରେ ଭାଇରସକୁ ବ୍ୟାପିବାରେ ସାହାର୍ଯ୍ୟ କରୁଛନ୍ତି। ତେଣୁ ଲକଡାଉନକୁ ବୃଦ୍ଧି କରିବା ଯଥାର୍ଥ ବୋଲି ସେ କହିଥିଲେ। ପୂର୍ବରୁ ଅମରେନ୍ଦ୍ର କହିଥିଲେ ଯେ, ମହାରାଷ୍ଟ୍ର ସରକାରଙ୍କ ଭୁଲ ଯୋଗୁଁ ପଂଜାବକୁ ଭୋଗୀବାକୁ ପଡୁଛି।
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଲକଡାଉନକୁ ସମର୍ଥନ କରିବା ସହିତ ରେଳ ଚଳାଚଳକୁ ଗରୁତ୍ବ ଦେଇଥିଲେ। ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ରାଜ୍ୟଗୁଡିକର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ ବୋଲି ଦାବୀ କରିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ମଧ୍ୟ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ନୀତି ଆଣନ୍ତୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଆନ୍ଧ୍ର ପ୍ରଦେଶକୁ କୋଭିଡ19 ମୁକାବିଲା କରିବା ପାଇଁ କେନ୍ଦ୍ର 16 ଶହ କୋଟି ଟଙ୍କା ପ୍ରଦାନ କରୁ ବୋଲି ଦାବୀ କହିଥିଲେ।
ବର୍ତ୍ତମାନ ଲକଡାଉନ 3.0 ଆସନ୍ତା ମେ 17 ତାରିଖରେ ଶେଷ ହେଉଛି। ତା ପୂର୍ବରୁ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପଞ୍ଚମ ଆଲୋଚନା।
ମୁମ୍ବାଇ, ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଆଣିବା ପାଇଁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ବନ୍ଦେ ଭାରତ ଏକ୍ସେପ୍ରେସ କାର୍ଯ୍ୟକ୍ରମ। ଏହି କ୍ରମରେ ଆଜି ଲଣ୍ଡନରୁ ଏକ ବିମାନ ଆସି ମୁମ୍ବାଇରେ ପହଁଞ୍ଚିଛି। ଆଜି ସକାଳେ ଲଣ୍ଡନରୁ 329 ଜଣ ଯାତ୍ରୀ ନେଇ ଏହି ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି। ଏୟାର ଇଣ୍ଡିଆ ବିମାନ AI-130 ରେ ଏହି ଯାତ୍ରୀମାନେ ଆସିଛନ୍ତି।
ବିମାନ ବନ୍ଦରରେ କଡା ପରୀକ୍ଷା କରି ସମସ୍ତ ଯାତ୍ରୀଙ୍କୁ ବାହାର କରାଯାଇଛି। ତେବେ ନିୟମ ଅନୁସାରେ ସେମାନେ 14 ଦିନ ପର୍ଯ୍ୟନ୍ତ ଏକାନ୍ତବାସରେ ରହିବେ। ସେଥିପାଇଁ ସରକାରଙ୍କ ତରଫରୁ ବନ୍ଦୋବସ୍ତ କରାଯାଇଛି। ଏହାପରେ ଆଉ ଦୁଇଟି ବିମାନ ବିଦେଶରେ ଫସିଥିବା ଭାରତୀୟମାନଙ୍କୁ ଆଣିବାର ଯୋଜନା ଚାଲିଛି। ଏହି ଦୁଇଟି ସିଙ୍ଗାପୁର ଏବଂ ଫିଲଫାଇନସରୁ ଆସିବ ବୋଲି ଜଣାପଡିଛି।
ଭୁବନେଶ୍ୱର: ବିଜେଡି ନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ରହିଛି । ସେ ଲିଭର କ୍ୟାନସରରେ ପୀଡ଼ିତ ଥିବାବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ସୁବାସ ଚୌହାନ କିଛି ଦିନ ହେଲା ଚିକିତ୍ସାଧିନ ଥିଲେ। ଗତ 5 ତାରିଖ ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତିରୁ ସେ ଆଇସିୟୁରେ ଏବଂ ପରେ ଭେଣ୍ଟିଲେଟରରେ ଥିଲେ। 2019 ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପି ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ପଶ୍ଚିମ ଓଡିଶାରେ ତାଙ୍କର ଭଲ ସଂଗଠନ ଥିବାରୁ ବିଜେଡି ତରଫରୁ ତାଙ୍କୁ ସେହି ଅଞ୍ଚଳ ଦାୟିତ୍ବ ଦେଇଥିଲା। ସେହିପରି ବିଜେପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାରେ ସୁବାସଙ୍କ ଭୂମିକା ମଧ୍ୟ ଗୁରୁତ୍ବ ପୂର୍ଣ୍ଣ ଥିଲା।
ଭୁବନେଶ୍ବର : ରାଜ୍ୟରେ କରୋନା ସଂଖ୍ୟା ବେଶ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ସକାଳୁ ରାଜ୍ୟରେ 58 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି । ଆଜି ଅନୁଗୁଳ ଜିଲ୍ଲାରୁ 13 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା 20କୁ ବୃଦ୍ଧି ହୋଇଛି । ପୁଣି ଗଞ୍ଜାମ ଜିଲ୍ଲାରୁ 29, ବାଲେଶ୍ବରରୁ 15 ଓ ମୟୂରଭଞ୍ଜରୁ ଜଣେ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 118କୁ ବୃଦ୍ଧି ହୋଇଥିବାବେଳେ ବାଲେଶ୍ବର 42କୁ ଓ ମୟୂରଭଞ୍ଜ 8କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ 352ରେ ପହଞ୍ଚିଛି।
ଭୁବନେଶ୍ବର : ରାଜ୍ୟରେ କରୋନା ଯୋଗୁଁ ଆଉ ଜଣଙ୍କ ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବାର ସୂଚନା ରହିଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 352କୁ ଛୁଇଁଛି । ଆଜି ରାଜ୍ୟରେ ଆଉ 58ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ରୋଗୀ 117 ଜଣ ଚିହ୍ନଟ ହୋଇଥିବାବେଳେ ଆଜି ଜଣଙ୍କ ମୃତ୍ୟୁ ହୋଇଛି ।
କେଦାର ମିଶ୍ର
ଆଜି ସକାଳର ସବୁଠୁ ବଡ ଖବର ଥିଲା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଏକ ରେଳ ଧାରଣାରେ ଶୋଇ ପଡିଥିବା ୧୫ ଜଣ ଶ୍ରମିକଙ୍କ ଉପରେ ରେଳଗାଡି ମାଡି ଗଲା। ସେଥିରେ ସେମାନେ ପ୍ରାଣ ହରାଇଛନ୍ତି। ରେଳଗାଡି କୁ ଦୋଷ ଦେଇ ଲାଭ ନାହିଁ। ସେ ତ ଲୁହାରେ ତିଆରି ମେସିନ। ହେଲେ ଏ ଦେଶରେ ଚାଲିଥିବା ସରକାର ବି ଲୁଆରେ ତିଆରି ମେସିନ କି? ମଣିଷମାନେ ଆମ ଦେଶର ସରକାର ଚଳାଉଛନ୍ତି ନା ମେସିନ ମାଧ୍ୟମରେ ଆମର ସରକାର ଚାଲିଛି? ରେଳ ଧାରଣାରେ ଶୋଇ ପଡିଥିବା ଏ ଶ୍ରମିକମାନଙ୍କର ଏକମାତ୍ର ଦୋଷ ହେଉଛି ଏମାନେ ଗରିବ ଓ ନିରକ୍ଷର। ଏମାନେ ଭାବିଲେ ରେଳ ଚାଲୁନି, ତେଣୁ ରେଳ ଧାରଣାରେ ଶୋଇପଡିଲେ।
ମଣିଷ କେତେ ଅସହାୟ ହେଲେ ଯାଇ ରେଳ ଧାରଣାରେ ଶୋଇପଡେ? ଗତ ମାର୍ଚ୍ଚ ୨୪ ତାରିଖରୁ ହଜାର ହଜାର ଶ୍ରମିକ ଏମିତି ବାଟ ଚାଲୁଛନ୍ତି। ସେମାନଙ୍କ ପାଇଁ ମା ବାପ କେହି ନାହାନ୍ତି। ରାସ୍ତାରେ ଚାଲି ଚାଲି ଗଲାବେଳେ ସେମାନେ ଖାଇବାକୁ ନ ପାଇ ମରୁଛନ୍ତି। ଅନେକ ଜାଗାରେ ପୋଲିସ ହାତରୁ ମାଡ ଖାଇ ବେହୋଶ ହୋଇ ପଡ଼ୁଛନ୍ତି। ରାସ୍ତାରେ ପୋଲିସ ବାଡଉଥିବାରୁ ଅନେକ ସମୟରେ ସେମାନେ ରେଳଧାରଣା କଡେ କଡେ କିମ୍ବା ଜଙ୍ଗଲ ବାଟ ଦେଇ ଆସୁଛନ୍ତି।
ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶକୁ ଫେରୁଥିବା ଏହି ଶ୍ରମିକମାନେ ଚାଲି ଚାଲି ଏତେ ଥକି ପଡିଥିଲେ ଯେ, ସେମାନେ ରେଳଧାରଣା ଉପରେ ହିଁ ଶୋଇ ପଡିଥିଲେ ଆଉ ସେଠାରେ ମୃତ୍ୟୁ ସେମାନଙ୍କୁ ଉଠେଇ ନେଇଗଲା। ଗତ ୪୫ ଦିନ ହେଲା ଏମିତି ଦୃଶ୍ୟ ସବୁ ଆମେ ପ୍ରତିଦିନ ଦେଖୁଛୁ। ସେମାନଙ୍କୁ ବଞ୍ଚାଇବାକୁ ବା ଆହା ପଦେ କହିବାକୁ କେହି ନାହାନ୍ତି। ବର୍ତ୍ତମାନ ସମୟରେ କରୋନା ଭୂତାଣୁ ଅପେକ୍ଷା ଭୋକର ଭୟ ଓ ଦାରିଦ୍ର୍ୟ ଏ ଦେଶର କୋଟି କୋଟି ଶ୍ରମିକଙ୍କର ମେରୁଦଣ୍ଡ ଭାଙ୍ଗି ସାରିଲାଣି।
ସେମାନେ ଜାଣନ୍ତି ନାହିଁ, ସେମାନଙ୍କର ଭବିଷ୍ୟତ କଣ? ସେମାନେ କେଉଁଠି ରହିବେ? ପ୍ରଧାନମନ୍ତ୍ରୀଙ୍କ କଥା ମାନି ଯେଉଁଠି ଅଛନ୍ତି ସେଠି ରହିଲେ, ନା ଖାଇବାକୁ ମିଳିବ, ନା ଘରମାଲିକ ବାହାରକୁ ଯିବାକୁ ଦେବ। ଏବେ ଦେଖାଯାଉଛି ଅହମଦାବାଦ, ସୁରତ, ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, କୋଲକାତା ଭଳି ସହରରେ ଯେଉଁ ଶ୍ରମିକମାନେ ରହିଥିଲେ, ସେମାନଙ୍କ ମଧ୍ୟରୁ ଅନେକ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇସାରିଛନ୍ତି। ସେମାନେ ରହୁଥିବା ରାଜ୍ୟର ସରକାରମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁନାହାନ୍ତି। ଏବେ ଭାଇରସ ଓ ଭୋକ, ଦୁଇଟି ଭୟଙ୍କର ବନ୍ଧନୀରେ ସେମାନଙ୍କର ଜୀବନ ଅସହାୟ ହୋଇ ପଡିଛି।
ଲକ ଡାଉନର ପ୍ରଥମ ସୋପାନ ବେଳୁ, ଶ୍ରମିକମାନଙ୍କର ସମସ୍ୟା ଯେ ଉଗ୍ର ହେବାକୁ ଯାଉଛି, ସେକଥା ସ୍ପଷ୍ଟ ହୋଇ ସାରିଥିଲା। ଏହାରି ଭିତରେ ଲକ ଡାଉନ ର ଦୁଇଟି ସୋପାନ ଯାଇ ଏବେ ତୃତୀୟ ସୋପାନ ଚାଲୁଛି। ସରକାର କହୁଛନ୍ତି, ଅର୍ଥନୀତିକୁ ଚଳ ଚଞ୍ଚଳ କରିବାକୁ ଏବେ କଳ କାରଖାନା ଖୋଲାଯିବ। ହେଲେ କାରଖାନା ଖୋଲା ହେବା ବେଳକୁ ଅନେକ ଶ୍ରମିକ ଏବେ କରୋନା ଆକ୍ରାନ୍ତ ହୋଇ ସାରିଲେଣି। ଗତ ୪୫ ଦିନ ଭିତରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କଥା ରାଜ୍ୟ ସରକାରମାନେ ଚିନ୍ତା କରିନାହାନ୍ତି।
ଅନିର୍ଦ୍ଦିଷ୍ଟ ଭବିଷ୍ୟତକୁ ଆଖିରେ ରଖି ଲକ୍ଷ ଲକ୍ଷ ଭାରତୀୟ ଶ୍ରମିକ ଆଜି ବାଟ ଚାଲୁଛନ୍ତି ଓ ବାଟରେ ମରୁଛନ୍ତି। ସେମାନଙ୍କର ହିସାବ ସରକାରଙ୍କ ପାଖରେ ନାହିଁ। ଏପଟେ ନିଜ ରାଜ୍ୟକୁ ଫେରିବାକୁ ଚେଷ୍ଟା କଲାବେଳେ, ସେଠି ମଧ୍ୟ ହଜାର ପ୍ରତିବନ୍ଧକ। ଅନ୍ୟ ରାଜ୍ୟରୁ ଆସିବା ସେମାନଙ୍କ ଜରିଆରେ ସଂକ୍ରମଣ ବ୍ୟାପୁଛି ବୋଲି ଗଣମାଧ୍ୟମ ଜରିଆରେ ଏମିତି ପ୍ରଚାର ଚାଲିଛି ଯେ, ସେମାନେ ଏବେ ନିଜ ଘରେ ପହଞ୍ଚିବା ମୁସ୍କିଲ। ଓଡିଶାରେ ସେମାନଙ୍କର ବିକଳ ଅବସ୍ଥା ଆମେ ଦେଖୁଛୁ।
ଗୁଜରାଟରୁ ଫେରୁଥିବା ପାଖାପାଖି ୫୦ ଜଣ ଓଡିଆ ଶ୍ରମିକଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଏବେ ଘୋର ଘୃଣାର ବାତାବରଣ ବଢିଛି। ସେମାନଙ୍କୁ ବିନା ପରୀକ୍ଷାରେ ରାଜ୍ୟକୁ ନ ଆଣିବା ଲାଗି ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ସ୍ଥିତି ଆହୁରି ଜଟିଳ ହୋଇ ପଡିଛି। ହାଇକୋର୍ଟଙ୍କ ଉଦ୍ଦେଶ୍ୟ ହୁଏତ ଭଲ, ହେଲେ ଏହା ପଛରେ ବାସ୍ତବତା କଣ ସେ କଥା ବୋଧହୁଏ ମାନ୍ୟବର ହାଇକୋର୍ଟ ବିଚାର କରିନାହାନ୍ତି।
ଆଜି ପର୍ୟନ୍ତ ସାରା ଦେଶରେ ମାତ୍ର ୧୪ ଲକ୍ଷ କରୋନା ପରୀକ୍ଷା ସମ୍ଭବ ହୋଇଛି। ପୂରା ରାଜ୍ୟରେ ଏ ପର୍ୟନ୍ତ ୫୦,୫୦୦ ପରୀକ୍ଷା ସମ୍ଭବ ହୋଇଛି। ସେଥିରେ ୫-୭ ଲକ୍ଷ ପ୍ରବାସୀ ଓଡିଆ ଶ୍ରମିକଙ୍କର ପରୀକ୍ଷା ସମ୍ଭବ କି? ପୁନଶ୍ଚ କରୋନା ପରୀକ୍ଷା ଅତ୍ୟନ୍ତ ବ୍ୟୟ ତଥା ସମୟ ସାପେକ୍ଷ। ପାଞ୍ଚ ଲକ୍ଷ ଲୋକଙ୍କ ପରୀକ୍ଷା ପାଇଁ ପ୍ରାୟ ୨ ହଜାର କୋଟି ଟଙ୍କା ବ୍ୟୟ ହୋଇପାରେ। ସବୁଠୁ ବଡ ପ୍ରଶ୍ନ ହେଉଛି, ସମସ୍ତଙ୍କର କରୋନା ପରୀକ୍ଷା ଜରୁରୀ କି? କେବଳ କିଛି ନିର୍ଦ୍ଦିଷ୍ଟ ପ୍ରତିଶତ ନମୂନା ପରୀକ୍ଷା କଥା ହୁଏତ ବିଚାରଯୋଗ୍ୟ। ହେଲେ ସମସ୍ତଙ୍କର ପରୀକ୍ଷା ପରେ ଯାଇ ରାଜ୍ୟକୁ ପ୍ରବେଶ ଅନୁମତି ଦେବା, ଏକ ଅବାସ୍ତବ ଚିନ୍ତା।
ସବୁ ଅନୁଷ୍ଠାନ ତଥା କେନ୍ଦ୍ର ଓ ରାଜ୍ୟ ସରକାରମାନେ ଦେଶର ଗରୀବ ଶ୍ରମିକମାନଙ୍କୁ ଫୁଟବଲ ଭଳି ଖେଳି ଚାଲିଛନ୍ତି। ବୋଧେ ଗରିବ ହେବା, ଦେଶର ସବୁଠୁ ବଡ ଅପରାଧ ପାଲଟି ଯାଇଛି। ଲକ ଡାଉନ କରୋନା ଭୂତାଣୁ କୁ ରୋକିବାରେ ସମର୍ଥ ହୋଇନାହିଁ, ହେଲେ ଏହା ଦେଶର ଗରିବ ଶ୍ରମିକ,କୃଷକ ଓ ନିମ୍ନ ମଧ୍ୟବିତ୍ତଙ୍କ ଲାଗି ସବୁଠୁ ବଡ ଅଭିଶାପ ପାଲଟି ଯାଉଛି।
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ଦେଖି ଲକ୍ ଡାଉନ୍ର ଅବଧିକୁ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଏହି ଲକ୍ଡାନ୍ 3.0ରେ ସରକାର କିଛି ରିହାତି ପ୍ରଦାନ କରିଛନ୍ତି । କରୋନାର ସ୍ଥିତିକୁ ଦେଖି ଦେଶକୁ ତିନୋଟି ଜୋନ୍ରେ ବିଭକ୍ତ କରାଯାଇଛି । ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଆଦି ଜୋନ୍ରେ ଭାଗ କରାଯାଇ ଏହି ଜୋନ୍ରେ କିଛି କିଛି ରିହାତି ମିଳିଛି। ତେବେ ରେଡ୍ ଜୋନ୍ରେ କୌଣସି ପ୍ରକାରର କଟକଣାରୁ ମୁକ୍ତ କରାଯାଇନାହିଁ । ଗ୍ରୀନ୍ ଓ ଅରେଞ୍ଜ ଜୋନ୍ରେ କିଛି କଟକଣାକୁ ହ୍ରାସ କରାଯାଇଛି ।
ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଶରେ ଥିବା ସମସ୍ତ 733ଟି ଜିଲ୍ଲାକୁ କରୋନାର ସ୍ଥିତିକୁ ଦେଖି ଜୋନ୍ରେ ଭାଗ କରିଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଧାରରେ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ରେ ଆଦି ବଣ୍ଟାଯାଇଛି । ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ପରି ମହାନଗର ସମେତ ଦେଶର 130ଟି ଜିଲ୍ଲା ରେଡ୍ ଜୋନରେ ରହିଛନ୍ତି । ସେହିପରି 319ଟି ଜିଲ୍ଲା ଗ୍ରୀନ୍ ଜୋନ୍ ଓ 284ଟି ଅରେଞ୍ଜ ଜୋନ୍ ରେ ରହିଛି ।
ଦେଶରେ ଯାତାୟତର ସମସ୍ତ ସୁବିଧାକୁ ପୂର୍ବରୁ ବନ୍ଦ ରଖାଯାଇଛି । ଟ୍ରେନ୍ ଓ ବିମାନ ସେବା ଆରମ୍ଭ ହୋଇପାରିବ ନାହିଁ । ସେହିପରି ମେଟ୍ରୋ ସେବାକୁ ମଧ୍ୟ ରଖାଯାଇଛି । ସେହିପରି ମଲ୍, ସିନେମା ହଲ୍ ଆଦି ଖୋଲିବାକୁ ଅନୁମତି ମିଳିନାହିଁ । ବିଶେଷ ଉଦ୍ଦେଶ୍ୟରେ ଆନ୍ତରାଜ୍ୟ ଚଳଚାଳକୁ ଗୃହ ମନ୍ତ୍ରାଳୟ ଦ୍ବାରା ଅନୁମତି ଦିଆଯିବ । ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ କୋଚିସେଣ୍ଟର ସମେତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେହିପରି ଆ ହୋଟେଲ୍, ରେୁଷ୍ଟରାଣ୍ଟ, ସିନେମା ହଲ୍, ଜିମ୍ନାଜିୟମ୍, ସ୍ପୋର୍ଟସ୍ କମ୍ପ୍ଲେକ୍ସ ପ୍ରଭୃତି ବନ୍ଦ ରହିବ ।
ଗର୍ଭବତୀ ମହିଳା, 10 ବର୍ଷରୁ କମ୍ ଶିଶୁ ଓ 65 ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ସମସ୍ତ ଧାର୍ମିକସ୍ଥଳୀ ବନ୍ଦ ରହିବ । କୌଣସି ପ୍ରକାରର ରାଜନୈତିକ, ସାଂସ୍କୃତିକ ତଥା ସାମୁଦାୟିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଜାରି ରହିଛି ।
ଆସନ୍ତୁ ଜାଣିବା କେଉଁ ଜୋନ୍ରେ କ’ଣ ସବୁ କୋହଳ କରାଯାଇଛି
ରେଡ୍ ଜୋନ୍ : ରେଡ୍ ଜୋନ୍ରେ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବାକୁ ଅନୁମତି ଦିଆଯିବା ସହିତ ବାଇକ୍ରେ କେବଳ ଜଣଙ୍କୁ ଅନୁମତି ମିଳିଛି । ସେହିପରି ଏହି ଜୋନ୍ରେ ଥିବା କିଛି ବାଣିଜ୍ୟ ପ୍ରତିଷ୍ଠାନକୁ ଅନୁମତି ମିଳିଛି । ସେଗୁଡିକ ମଧ୍ୟରେ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ, ଆଇଟି ଏବଂ ଆଇଟି ସକ୍ଷମ ସେବା, ଡାଟା ଏବଂ କଲ୍ ସେଣ୍ଟର, କୋଲ୍ଡ ଷ୍ଟୋରେଜ୍ ଏବଂ ଗୋଦାମ ସେବା, ଘରୋଇ ସୁରକ୍ଷା ଏବଂ ସୁବିଧା ପରିଚାଳନା ସେବା ଅନ୍ତର୍ଭୁକ୍ତ ରହିଛି। ସେହିପରି ବେସରକାରୀ ସଂସ୍ଥାମାନେ 33 ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିପାରିବେ। ସାମାଜିକ ଦୂରତ୍ବ ଓ କରୋନା ଗାଇଡଲାଇନ ପାଳନ କରିବାକୁ ଅନିବାର୍ଯ୍ୟ କରାଯାଇଛି । ସେହିପରି ଏହି ଜୋନ୍ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଇ-କମର୍ସ ପ୍ଲାଟଫର୍ମକୁ ଅନୁମତି ଦିଆଯାଇଛି । ବିଜୁଳି, ପାଣି, ସାନିଟେନସନ ଓ ୱେଷ୍ଟମ୍ୟାନେଜମେଣ୍ଟ କାର୍ଯ୍ୟକ୍ଷମ ହେବ । ବ୍ୟାଙ୍କ, ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ଇନ୍ସ୍ୟୁରାନ୍ସ ଓ କ୍ରେଡିଟ୍ କୋପୋରେଟିଭ ସୋସାଇଟି
ସେହିପରି ରେଡ୍ଜୋନ୍ରେ ମନରେଗା କାର୍ଯ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଓ ଇଟାଭାଟି ସମେତ ଗ୍ରାମାଞ୍ଚଳରେ ଶିଳ୍ପ ଏବଂ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି । ସମସ୍ତ ପ୍ରକାରର କୃଷିଭିତ୍ତି କାର୍ଯ୍ୟକୁ ଅନୁମତି ମିଳିବା ସହିତ ମତ୍ସ୍ୟ ଓ ପଶୁ ସମ୍ପଦ କାର୍ଯ୍ୟ ଚାଲୁ ରହିବ ।
ଅରେଞ୍ଜ ଜୋନ: ଏହି ଜୋନ୍ରେ ଟ୍ୟାକ୍ସି ଓ କ୍ୟାବରେ କେବଳ ଜଣେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କରିହେବ। କେବଳ ଅନୁମତି ପ୍ରାପ୍ତ ଲୋକଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବା ଆସିବା କରିବାକୁ ଅନୁମତି ମିଳିବ। ଚାରି ଚକିଆରେ ଡ୍ରାଇଭରଙ୍କୁ ମିଶାଇ ତିନି ଜଣ ଓ ଦୁଇ ଚକିଆରେ ଦୁଇ ଜଣ ଯିବା ଆସିବା କରିପାରିବେ । ସେହିପରି ଇ-କମର୍ସ ସଂସ୍ଥାଗୁଡ଼ିକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭର କରିପାରିବେ। ଏତଦ୍ ବ୍ୟତୀତ ରେଡ ଜୋନରେ ଦିଆଯାଇଥିବା କୋହଳ ନୀତିକୁ ଏଠାରେ ପାଳନ କରାଯିବ।
ଗ୍ରୀନ ଜୋନ : ଏହି ଜୋନ୍ରେ ବସ୍ ଚଳାଚଳ କରିପାରିବ। ହେଲେ ବସ୍ର କ୍ଷମତା ଠାରୁ ପଚାଶ ପ୍ରତିଶତ ଯାତ୍ରୀ ଏହା ମଧ୍ୟରେ ଯିବା ଆସିବା କରିପାରିବେ। ଏଠାରେ ଇ-କମର୍ସ ସଂସ୍ଥାଗୁଡ଼ିକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭରୀ କରିପାରିବେ। ସମସ୍ତ ପ୍ରକାରର ଖାଦ୍ୟ ସାମଗ୍ରୀଗୁଡ଼ିକୁ ହୋମ ଡେଲଭରୀକୁ ଅନୁମତି ମିଳିବ। ସମସ୍ତ ପ୍ରକାରର ଦୋକାନ ଖୋଲି ପାରିବ। ଏଥିପାଇଁ କୌଣସି ବିଶେଷ ପାସ୍ର ଆବଶ୍ୟକତା ପଡ଼ିବ ନାହିଁ। ତେବେ ଆନ୍ତଃରାଜ୍ୟ ଗାଡ଼ି ଚଳାଚଳ କରିପାରିବ ନାହିଁ। ସେହିପରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ, ଅନ୍ୟ ପଡ଼ୋଶୀ ଦେଶ ମଧ୍ୟରେ ଯାନବାହନ ଚଳାଚଳ କରାଇପାରିବେ ନାହିଁ ।
ମୁମ୍ବାଇ : ବଲିଉଡ୍ର ଅନ୍ୟତମ ପ୍ରତିଭାବାନ କଳାକାର ଇର୍ଫାନ୍ ଖାନ୍ଙ୍କ ପରଲୋକ ଘଟିଛି । ବ୍ରେନ୍ କ୍ୟାନ୍ସରରେ ପୀଡିତ ଇର୍ଫାନ୍ ବିଗତ ଦୁଇ ଦିନ ହେବ କୋଲୋନ୍ ସଂକ୍ରମଣ କାରଣରୁ କୋକିଳା ବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜାତୀୟ ଚଳଚିତ୍ର ପୁରସ୍କାର ହାସଲ କରିଥିବା ଇର୍ଫାନଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ହୋଇଥିଲା । ଇର୍ଫାନ୍ଙ୍କ ମୃତ୍ୟୁରେ ବଲିଉଡ୍ରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଅନେକ ବଲିଉଡ୍ ତାରକା ଶୋକ ବ୍ୟକ୍ତ କରିଛନ୍ତି ।
ତିଗ୍ମାଂଶୁ ଧୂଲିଆଙ୍କ ହାସିଲ୍ ଫିଲ୍ମରୁ 2004 ମସିହାରେ ଇର୍ଫାନ୍ ନିଜର ବଲିଉଡ୍ ଯାତ୍ରା ଆରମ୍ଭ କରିଥିଲେ । ପାଖାପାଖି 25ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଥିବା ଇର୍ଫାନ୍ 2013 ମସିହାରେ ପାନ୍ ସିଂ ତୋମାର୍ ପାଇଁ ଜାତୀୟ ପୁରସ୍କାର ହାସଲ କରିଥିଲେ । ଇର୍ଫାନ ଶେଷଥର ପାଇଁ ହୋମି ଅଦଜାନିଆଙ୍କ ଅଙ୍ଗ୍ରେଜୀ ମିଡିୟମ୍ରେ ନଜର ଆସିଥିଲେ । ଗୋଟିଏ ଜାତୀୟ ପୁରସ୍କାର ଏବଂ 4ଟି ଆଇଫା ଆଓ୍ବାର୍ଡ ହାସଲ କରିଥିବା ଇର୍ଫାନ୍ ଏକାଧିକ ହଲିଉଡ୍ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ, ଆଜି ମହାକାଶ ଜଗତରେ ଦେଖା ଯିବ ଏକ ଭିନ୍ନ ଦୃଶ୍ୟ। ତାହା ହେଉଛି ପୃଥିବୀ ନିକଟ ଦେଇ ଆଜି ଅତିକ୍ରମ କରିବ ଏକ ବିରାଟକାୟ ଗ୍ରହାଣୁ। ଯାହାକୁ ସାଧାରଣ ଭାଷାରେ କୁହାଯିବ ‘ମହାକାଶ ପଥର’ ବା ପାହାଡ। ଏହା ଏମିତି ସେମିତ ନୁହେଁ, ପ୍ରାୟ 4 କିଲୋମିଟର ଓସାରର ପଥର ବା ଗ୍ରହାଣୁ। ଏହାର ନାମ ହେଉଛି ଗ୍ରହାଣୁ 52768 1998 OR2। ହେଲେ ଏହା ପୃଥିବୀ ପ୍ରତି କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି ଗବେଷକମାନେ କହିଛନ୍ତି।
ଏହି ବିରାଟକାୟ ଗ୍ରହାଣୁ ଗତ ବୁଧୁବାର ଦିନ ଟେଲିସ୍କୋପରେ ଧରାପଡିଥିଲା। ପ୍ରଥମେ ମହାକାଶ ଗବେଷକମାନେ ଭୟଭିତ ହୋଇପଡିଥିଲେ। ହେଲେ ଏହା ରାଡରକୁ ଆସିବା ପରେ ତାହାର ଗତିବିଧି ଉପରେ ନଜର ରଖାଗଲା। ଏହାପରେ ଜଣାପଡିଲା ଯେ, ଏହି ବିରାଟକାୟ ପଥର ପୃଥିବୀ ନିକଟରେ ଗତି କରିବ ନାହିଁ। ପୃଥିବୀଠାରୁ ପ୍ରାୟ 60 ଲକ୍ଷ କିଲୋମିଟର ଦୂରରେ ଯିବ। ଅର୍ଥାତ ବର୍ତ୍ତମାନ ପୃଥିବୀଠାରୁ ଚନ୍ଦ୍ର ଯେତିକି ଦୂରରେ ରହିଛି ତାହାଠାରୁ 16 ଗୁଣା ଅଧିକ ଦୂରରେ ଏହି ଗ୍ରହାଣୁ ଅତିକ୍ରମ କରିବ। ଯଦି ଏହା ପୃଥିବୀ ନିକଟବର୍ତ୍ତି ହୋଇଥାଆନ୍ତା ତେବେ ଏହା ନିଶ୍ଚିତ ଧ୍ବଂସ ସୃଷ୍ଟି କରିଥାଆନ୍ତା ବୋଲି ଅନୁମାନ କରାଯାଇଥିଲା।
ଭୁବନେଶ୍ବର: ରାଜ୍ୟ ସରକାର କରୋନା ସମୟରେ ସାମ୍ବାଦିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ମୃ୍ତ୍ୟୁ ହେଲେ 15 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ବଡ ଘୋଷଣା କରିଛନ୍ତି। କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ 15 ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ହରିୟାଣା ସରକାର ମଧ୍ୟ ସାମ୍ବାଦିକଙ୍କ ପାଇଁ ବୀମା ରାଶିର ଘୋଷଣା କରିଥିଲେ।
ମୁମ୍ବାଇ : ଆଜି ଆରବିଆଇ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଅର୍ଥନୈତିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ଆରବିଆଇ ପକ୍ଷରୁ 50 ହଜାର କୋଟିର ସ୍ବତନ୍ତ୍ର ଅର୍ଥରାଶି ଘୋଷଣା କରାଯାଇଛି । 50 ହଜାର କୋଟି ଟଙ୍କାର ଏହି ସ୍ବତନ୍ତ୍ର ଫଣ୍ଡ ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ 90 ଦିନ ମଧ୍ୟରେ ସମସ୍ତ ବ୍ୟାଙ୍କରେ ଏହି ଅର୍ଥରାଶି ନିମନ୍ତେ ଆବେଦନ କରିପାରିବେ । ସୋମବାରରୁ ଶୁକ୍ରବାର ଛୁଟିଦିନ ବ୍ୟତିରେକ ଏହି ଅର୍ଥରାଶି ନିମନ୍ତେ ଆବେଦନ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ଘୋଷଣା କରାଯାଇଛି । ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ଫ୍ରାଙ୍କ୍ଲିନ୍ ଟେମ୍ପଲ୍ଟନ୍ ବିଗତ ସପ୍ତାହରେ ନିଜର 6ଟି ଫଣ୍ଡକୁ ବନ୍ଦ କରିବାକୁ ନିଷ୍ପତ୍ତି ନେବା ପରେ ଆରବିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । (ଏଜେନ୍ସି)
ଭୁବନେଶ୍ବର : ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ ଘଟିଛି । 83 ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଅନେକ ଓଡିଆ ଚଳଚିତ୍ର, ଧାରାବାହିକ ଏବଂ ନାଟକର ସ୍ରଷ୍ଟା ବିଜୟ ମିଶ୍ର ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଲୋକପ୍ରିୟ ନାଟକ “ତଟ ନିରଞ୍ଜନା” ବିଭିନ୍ନ ଭାଷାରେ ଅନୁବାଦ ହୋଇଛି । ସେହିପରି ସେ ଚଳଚିତ୍ର “ଶ୍ରୀ ଜଗନ୍ନାଥ” ର ଚିତ୍ରନାଟ୍ୟ ମଧ୍ୟ ଲେଖିଛନ୍ତି।
ଏ ଯାବତ ସେ 60 ଟି ନାଟକ, 55ଟି ଚଳଚିତ୍ର ଏବଂ 7ଟି ଧାରାବାହିକ ରଚନା କରି ଏକ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ନାଟକ ଭିତରେ ଯାଦୁକର, ଜଣେ ରାଜା ଥିଲେ, ତଟ ନିରଂଜନା, ଭୋକ, ଫକିରମୋହନଙ୍କ ଶାସ୍ତି ଓ ଛମାଣ ଆଠଗୁଣ୍ଠର ନାଟ୍ୟରୂପାନ୍ତର ପ୍ରଭୃତି ବେଶ ଲୋକପ୍ରିୟ। ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଛନ୍ତି। ଏଥିସହିତ 2018 ମସିହାରେ ବିଜୟ ମିଶ୍ରଙ୍କୁ ରାଜ୍ୟ ଚଳଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ “ଜୟଦେବ ପୁରସ୍କାର” ରେ ମଧ୍ୟ ସମ୍ମାନିତ କରାଯାଇଛି ।
ତାଙ୍କ ବିୟୋଗରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ କରିବା ସହିତ ରାଜ୍ୟ ଚଳଚିତ୍ର ଜଗତ, ନାଟ୍ୟ ଜଗତ ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ବର : ରାଜ୍ୟରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛନ୍ତି। ରାଉରକେଲାରୁ ତିନି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁନ୍ଦରଗଡରୁ ଜଣେ ସୁସ୍ଥ ହୋଇଥିବାବେଳେ ଆଜି ତିନିଜଣ ସେଠାରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡର ନୂଆ ତିନି ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର। ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ 23 ବର୍ଷୀୟ ଯୁବକ, 60 ବର୍ଷୀୟ ବୃଦ୍ଧ ଓ 57 ବର୍ଷୀୟ ମହିଳା ଆକ୍ରାନ୍ତ ରହିଛନ୍ତି। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଦୁଇ ନୂଆ ଆକ୍ରାନ୍ତ। ଅନ୍ୟ ଜଣେ ନୂଆ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଇଛି। ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଉଛି।
ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ଦୁଇ କରୋନା ଆକ୍ରାନ୍ତ। ବାଲେଶ୍ବର ଜିଲ୍ଲାରୁ ଏହି ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ଛୁଇଁଥିବା ବେଳେ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ଏହି ଦୁଇ ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଛି କି ନାହିଁ ତାର ତଦନ୍ତ ସହିତ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ମହିଳା ଏବଂ 36 ବର୍ଷୀୟ ପୁରୁଷ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି।
ନୂଆଦିଲ୍ଲୀ : ବିଗତ 14 ଦିନ ମଧ୍ୟରେ ଦେଶର 78ଟି ଜିଲ୍ଲାରେ ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ବାଲଙ୍କ ପକ୍ଷରୁ ପ୍ରେସ୍ ମିଟ୍ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । ସେହିପରି ଗୁରୁବାର ସୁଦ୍ଧା ସମୁଦାୟ 4257 ରୋଗୀ କରୋନା ମୁକ୍ତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ସମୁଦାୟ ଆକ୍ରାନ୍ତଙ୍କର ପ୍ରାୟ 19.89 ପ୍ରତିଶତ ରୋଗୀ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 21,393ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 681 ଜଣ ମୃତ୍ୟୁବରଣ କରିଛନ୍ତି ଏବଂ 4257 ଜଣ ସୁସ୍ଥ ହୋଇ ସାରିଛନ୍ତି । ମହାରାଷ୍ଟ୍ର ମୃତ୍ୟୁସଂଖ୍ୟାରେ ଆଗୁଆ ରହିଥିବା ବେଳେ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ହଜାର ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 1409 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 388ଜଣ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଏହି ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଛି । 38 ବର୍ଷୀୟ ଏହି ବ୍ୟକ୍ତି ଜଣକର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 31 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବର : ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 31ରେ ପହଞ୍ଚିଛି । ସୁସ୍ଥ ହୋଇଥିବା ଦୁଇ ରୋଗୀ ଭୁବନେଶ୍ବରର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 82ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 31 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।