Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିଶ୍ଵ ମଞ୍ଚରେ ଶ୍ରୀମଦ୍ ଭଗବଦ୍ ଗୀତା ଓ ନାଟ୍ୟଶାସ୍ତ୍ରକୁ ମିଳିଲା ମାନ୍ୟତା: ଖୁସିବ୍ୟକ୍ତ କଲେ ପିଏମ ମୋଦୀ

ନୂଆଦିଲ୍ଲୀ: ବିଶ୍ଵ ମଞ୍ଚରେ ଭାରତର ସାଂସ୍କୃତିକ ଏବଂ ଦାର୍ଶନିକ ଐତିହ୍ୟ ଏକ ବଡ଼ ମାନ୍ୟତା ହାସଲ କରିଛି। ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ଦ୍ୱାରା ଲିଖିତ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋର ‘ମେମୋରୀ ଅଫ୍ ୱାର୍ଲ୍ଡ ରେଜିଷ୍ଟର’ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଘୋଷଣା ସହିତ ଭାରତର ୧୪ ଅମୂଲ୍ୟ କଳାକୃତି ବର୍ତ୍ତମାନ ଏହି ଅନ୍ତର୍ଜାତୀୟ ତାଲିକାର ଏକ ଅଂଶ ହୋଇପାରିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ସୂଚନା ପ୍ରଦାନ କରି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ଏହାକୁ ଭାରତର ସାଂସ୍କୃତିକ ଚେତନା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଶ୍ରୀ ଶେଖୱାତ ଲେଖିଛନ୍ତି ଯେ “ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ନାଟ୍ୟଶାସ୍ତ୍ର କେବଳ ଶାସ୍ତ୍ର ନୁହେଁ, ବରଂ ଭାରତର ଚିନ୍ତାଧାରା, ଜୀବନ ଦୃଷ୍ଟିକୋଣ ଏବଂ କଳାତ୍ମକ ଅଭିବ୍ୟକ୍ତିର ମୂଳ ସ୍ତମ୍ଭ ଅଟେ। ଏହି ଗ୍ରନ୍ଥଗୁଡ଼ିକ କେବଳ ଭାରତକୁ ନିର୍ଦ୍ଦେଶ ଦେଇନାହିଁ, ବରଂ ବିଶ୍ଵକୁ ମଧ୍ୟ ଆତ୍ମା ​​ଏବଂ ସୌନ୍ଦର୍ଯ୍ୟର ଏକ ନୂତନ ଦର୍ଶନ ଦେଇଛି।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି:

ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ, ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, “ୟୁନେସ୍କୋର ମେମୋରି ଅଫ୍ ୱାର୍ଲ୍ଡ ରେଜିଷ୍ଟରରେ ଗୀତା ଏବଂ ନାଟ୍ୟଶାସ୍ତ୍ରର ଅନ୍ତର୍ଭୁକ୍ତ ହେବା ଆମର ଅନନ୍ତ ଜ୍ଞାନ ଏବଂ ସାଂସ୍କୃତିକ ଗୌରବର ବିଶ୍ୱସ୍ତରୀୟ ସ୍ୱୀକୃତି। ଶତାବ୍ଦୀ ଧରି ଏହି ଲେଖା ମାନବ ଚେତନା ତଥା ସଭ୍ୟତାକୁ ଦିଗ ଦେଇଛି ଏବଂ ଆଜି ମଧ୍ୟ ସେଗୁଡିକର ଶିକ୍ଷା ବିଶ୍ଵକୁ ପ୍ରେରଣା ଯୋଗାଉଛି।”

ଦୁନିଆର ସର୍ବ ପୁରାତନ ଧାର୍ମିକ ଗ୍ରନ୍ଥ:

ଏହାପୂର୍ବରୁ ଭାରତ ପକ୍ଷରୁ ରୁଗବେଦ, ତୱାଙ୍ଗ ଧାର୍ମିକ ଗ୍ରନ୍ଥ ଏବଂ ସନ୍ଥ ତୁକରାମଙ୍କ ଅବିଭକ୍ତ ରଚନା ସମ୍ବନ୍ଧୀୟ ଫାଇଲଗୁଡ଼ିକ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଆହୁରି ମଧ୍ୟ, ବିଶ୍ୱର ସର୍ବ ପୁରାତନ ଧାର୍ମିକ ଗ୍ରନ୍ଥ ବୋଲି ବିବେଚନା କରାଯାଉଥିବା ରୁଗବେଦ ପୂର୍ବରୁ ୟୁନେସ୍କୋର ‘ମେମୋରୀ ଅଫ୍ ୱାର୍ଲ୍ଡ ରେଜିଷ୍ଟର’ ରେ ଅନ୍ତର୍ଭୁକ୍ତ ହୋଇଛି। ୨୦୦୭ ରେ ଏହା ଏହି ଅନ୍ତର୍ଜାତୀୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା, ଯେତେବେଳେ ୟୁନେସ୍କୋ ଏହାକୁ ସ୍ୱୀକୃତି ଦେଇଥିଲା ଏବଂ କହିଥିଲା ଯେ, ରୁଗବେଦ କେବଳ ଧାର୍ମିକ କିମ୍ବା ଆଧ୍ୟାତ୍ମିକ ଗ୍ରନ୍ଥ ନୁହେଁ ବରଂ ଏହା ମାନବ ସଭ୍ୟତାର ପ୍ରାଥମିକ ଚିନ୍ତା, ଭାଷା, ଦର୍ଶନ ଏବଂ ସାଂସ୍କୃତିକ ଗଠନର ଏକ ଅମୂଲ୍ୟ ଦଲିଲ ଅଟେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ (UNESCO) ଦ୍ବାରା ବିଶ୍ବ ସାଂସ୍କୃତିକ ଐତିହ୍ୟ (Intangible Cultural Heritage) ମାନ୍ୟତା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ନାମାଙ୍କନ ପତ୍ର (Nomination Dossier) ପ୍ରସ୍ତୁତି ପ୍ରକ୍ରିୟା ଅନ୍ତିମ ପର୍ଯାୟରେ ପହଞ୍ଚି ଥିବା ବେଳେ ଖୁବଶୀଘ୍ର ଏହାକୁ ଦାଖଲ କରାଯିବ। ନିକଟରେ କିଛିଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ କରିଥିବା ବେଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ। ରଥଯାତ୍ରା ଭଳି ମହାର୍ଘ ବୈଶ୍ବିକ ଯାତ୍ରାର ମହାନତା ଉପଲବ୍ଧି କରି କର୍ତ୍ତୃପକ୍ଷ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଶା ରଖାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ପ୍ରଦାନ କରିଥିଲେ।

ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଭକ୍ତ ଓ ଶ୍ରଦ୍ଧାଳୁ ସୁବିଧାରେ ସୂଚନା ପାଇବା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଡିଜିଟାଲ ଆପ ପ୍ରସ୍ତୁତ କରାଯିବାକୁ ଲକ୍ଷ ରଖାଯାଇଅଛି।ରଥଯାତ୍ରା ସମୟରେ ପ୍ରବଳ ଭକ୍ତଙ୍କ ସମାଗମକୁ ଆଶଙ୍କା ରଖି ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ସ୍ୱତନ୍ତ୍ର ବୈଠକରେ ଏପରି ନିଷ୍ପତି ନିଆଯାଇଅଛି।

ଅନ୍ୟ ପକ୍ଷରେ ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ୍ ଚୁଡାନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି, ଜନଗହଳି ନିୟନ୍ତ୍ରଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଠିକ ରଖିବା ନେଇ ପ୍ରସ୍ତୁତି ଜାରି ରହିଅଛି।

ସେହିପରି ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ଷ୍ଟାଣ୍ଟ ପୋଷ୍ଟ ପ୍ରସ୍ତୁତ ପ୍ରସ୍ତୁତ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ ଏବଂ ପୌରପାଳିକାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ, ବଡ଼ଦାଣ୍ଡ ସମେତ ଏହାକୁ ସଂଯୋଗ କରୁଥିବା ରାସ୍ତାଗୁଡିକର ଆବଶ୍ୟକୀୟ ମରାମତି, ଡ୍ରେନ୍ ସଫେଇ ନେଇ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ରଥଯାତ୍ରା ସମୟରେ ପ୍ରବଳ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଦର୍ଶନ ଓ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଉପରେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯିବାକୁ ଲକ୍ଷ ରଖାଯାଇଅଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଅନlନ୍ୟ ଅସମ୍ପୂର୍ଣ ଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ପୁରୀ ଗଜପତି ମହାରାଜା ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ବେଳେ ସାଧରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା କୁ ଦୃଷ୍ଟି ରେ ରଖି କାର୍ଯ୍ୟ ଶୀଘ୍ର ଶେଷ ନେଇ ପ୍ରସ୍ତାବ ଦିଆଯାଇଅଛି।ବିଶେଷ କରି ଅଭ୍ୟର୍ଥନା କକ୍ଷ ସମେତ ପ୍ରଶାସନିକ ନୂତନ କାର୍ଯ୍ୟାଳୟ, ରଘୁନନ୍ଦନ ଲାଇବ୍ରେରି, ସାଂସ୍କୃତିକ କେନ୍ଦ୍ର ନିର୍ମାଣ ଏବଂ ଜେବିପିସି ରେ ଧ୍ୟାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ସମୀକ୍ଷା ବୈଠକରେ ସ୍ଥିର କରାଯାଇଛି।

ସେହିପରି ଉତ୍ତରଦ୍ୱାର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁ ସୁବିଧାରେ ମହାପ୍ରସାଦ ସେବନ ପାଇଁ ସ୍ୱତ୍ରନ୍ତ୍ର ଅନ୍ନକ୍ଷେତ୍ର ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିବା ବେଳେ ଆଗାମୀ ୨୦୨୬ ରଥଯାତ୍ରା ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ନେଇ ବୈଠକରେ ନିଷ୍ପତି ନିଆଯାଇଅଛି।ତେବେ ବୈଠକ ପୂର୍ବରୁ ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଗୁଣ୍ଡିଚା ମନ୍ଦିର ଓ ପ୍ରମୋଦ ଉଦ୍ୟାନ ଆଦି କ୍ଷେତ୍ର ପରିଦର୍ଶନ କରିବା ପରେ ଅଧା ପନ୍ତରିୟା କାର୍ଯ୍ୟ ଗୁଡିକୁ ସଂସ୍କୃତି ଓ ଧାର୍ମିକ ବିଚାର ବିମର୍ସ ଅନୁସାରେ ଶେଷ କରିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଅଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜ ନିର୍ବାଚନ ମଣ୍ଡଳୀ ନିମାପଡା ଓ ଗୋପ ବ୍ଲକରେ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ପ୍ରାୟ ୬ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ବରାଦରେ ଗୋପ ବ୍ଲକ ନାଗପୁର ରୁ ନାୟହାଟ ରାସ୍ତାର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ସହ ତାଂପାଳ ଠାରେ ୬କୋଟି ୩୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନୂତନ ରାସ୍ତାର ମଧ୍ୟ ଶିଳାନ୍ୟାସ କରାଯାଇଅଛି। ସେହିପରି ନାଗପୁର ଠାରେ ମିଶନ ଶକ୍ତିଗୃହର ଶିଳାନ୍ୟାସ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କରିଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ତେବେ ଗ୍ରୀନ କରିଡର ମଧ୍ୟରେ କୋଣାର୍କ ନିମାପଡା ରାସ୍ତାକୁ ଛଅ ଥାକିଆ ରାସ୍ତା ନିର୍ମାଣ ସହ ବର୍ଷା ଦିନ ଆରମ୍ଭ ପୂର୍ବରୁ ସମସ୍ତ ଗ୍ରାମୀଣ ରାସ୍ତାର ମରାମତି କାର୍ଯ୍ୟ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଅଛି। ସୁରକ୍ଷିତ ତଟ ସମୃଦ୍ଧ ଭାରତ ଅଭିଯାନ ବାର୍ତା ନେଇ ସିଆଇଏସଏଫ ପକ୍ଷରୁ ପଶ୍ଚିମବଙ୍ଗ ରୁ ବାହାରି ଥିବା ସାଇକେଲ ଶୋଭାଯାତ୍ରା କୋଣାର୍କ ଓ ପୁରୀ ଅତିକ୍ରମ କରିଥିବା ବେଳେ ସଚେତନତା ର ବାର୍ତା ପ୍ରଦାନ କରିଥିଲେ। କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳ ପକ୍ଷରୁ ଏହି ସଚେତନତା ସାଇକେଲ ଶୋଭାଯାତ୍ରାରେ ୬୦ଜଣ ରହିଥିବା ବେଳେ ଦଳ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା ଜାରି ରଖିଥିବା ଜଣାପଡିଅଛି। ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ଦଳ କୋଣାର୍କ ଓ ପୁରୀ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ସଚେତନତା ସୃଷ୍ଟି କରିଥିବା ବେଳେ ଏହି ସାଇକେଲ ରାଲି ଗୋପାଳପୁର ଦେଇ ଦୀର୍ଘ ୬,୫୫୩ କିଲୋମିଟର ଅତିକ୍ରମ କରି କନ୍ୟାକୁମାରୀ ଠାରେ ଏପ୍ରିଲ ୧ ତାରିଖରେ ପହଂଚିବ।

ଐତିହ ଗ୍ରାମ ରଘୁରାଜପୁର ରେ ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପକୁ ନେଇ ଆଇଆଇଟି ଭୁବନେଶ୍ୱର ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକନୋଲୋଜି ର ମିଳିତ ଉଦ୍ୟମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।କର୍ମଶାଳାରେ କତା କଣ୍ଡେଇ, ଗୋବର କଣ୍ଡେଇ, ତାଳପତ୍ର ଖୋଦେଇ, ପଟ୍ଟଚିତ୍ର, କାଠ ଖୋଦେଇ ଭଳି ପାରମ୍ପରିକ ହସ୍ତକଳାର ନମୁନା ବିକାଶ ସହ ହସ୍ତଶିଳ୍ପ କଳାକାର ମାନଙ୍କୁ ସ୍ୱଭାଲମ୍ଭି କରିବା ଓ ସେମାନଙ୍କର ସାମଗ୍ରୀ ବିକ୍ରି ନେଇ ନୂତନ ପନ୍ଥା ଦିଗରେ କାର୍ଯ୍ୟ କରିବାକୁ ମାର୍ଗ ସମ୍ପର୍କରେ ଅବଗତ କରାଯାଇଥିଲା। କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ଇନଭେଷ୍ଟ ଇଣ୍ଡିଆର ସହାୟତାରେ ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀର ବିକାଶ ପ୍ରକଳ୍ପ ଆଧାରରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଏଥିରେ ଅଂଶଗ୍ରହଣ କରିଥିବା କଳାକାର ମାନେ ବେଶ ଖୁସି ପ୍ରକଟ କରିଥିଲେ।

ପୁରୀର ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଅଛି ତୃତୀୟ ଏନଟିପିସି ଜାତୀୟ ରାଙ୍କିଙ୍ଗ ତୀରନ୍ଦାଜ ପ୍ରତିଯୋଗିତ।ଓଡିଶା ତଥା ପୁରୀରେ ଏଭଳି ପ୍ରତିଯୋଗିତା ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ବେଳେ ଟୁର୍ଣ୍ଣାମେଣ୍ଟ ରେ ଦେଶର ବହୁ ପ୍ରତିଷ୍ଠିତ ତୀରନ୍ଦାଜ ମାନେ ଅଂଶଗ୍ରହଣ କରିଥିଲେ।ତେବେ ସିନିଅର ମହିଳା ବିଭାଗରେ ହରିୟାନର ଭଜନ କୌର ଅଲମ୍ପିଆନ ଦୀପିକା କୁମାରୀଙ୍କୁ ହରାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପୁରୁଷ ବିଭାଗରେ ସର୍ଭିସେସର ବିଧିରଜ ପ୍ରଥମ ସ୍ଥାନ ପାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ମହାପ୍ରଭୁଙ୍କ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର: ମହାପ୍ରଭୁଙ୍କ ରଥଯାତ୍ରାକୁ ୟୁନେସ୍କୋ (UNESCO) ଦ୍ବାରା ବିଶ୍ବ ସାଂସ୍କୃତିକ ଐତିହ୍ୟ (Intangible Cultural Heritage) ମାନ୍ୟତା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ନାମାଙ୍କନ ପତ୍ର (Nomination Dossier) ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବା ବେଳେ ଖୁବଶୀଘ୍ର ଏହା ଦାଖଲ କରାଯିବ।

ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ। ରଥଯାତ୍ରା ଭଳି ମହାର୍ଘ ବୈଶ୍ବିକ ଯାତ୍ରାର ମହାନତା ଉପଲବ୍’ଧି କରି କର୍ତ୍ତୃପକ୍ଷ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରଶାସନ ଆଶା ରଖିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମନ୍ଦିର ମାଳିନୀ ସହରର କାହାଣୀ ଆକର୍ଷଣୀୟ: ୟୁନେସ୍କୋ ତାଲିକାରେ ସ୍ଥାନ ପାଇଛି ଏହାର ନାମ

ଭୁବନେଶ୍ଵର: ଭାରତରେ ଅନେକ ସହର ଅଛି ଯାହା ସେମାନଙ୍କର ବିଶେଷତା ପାଇଁ ଜଣାଶୁଣା। ସେଗୁଡିକୁ କିଛି ନା କିଛି ନାମ ଦିଆଯାଇଛି। ଏହିପରି ଗୋଟିଏ ସହର ଭାରତର ମନ୍ଦିର ସହର ଭାବରେ ଜଣାଶୁଣା। ଏଠାରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ୫୦୦ ରୁ ଅଧିକ ମନ୍ଦିର ଅଛି। ଏହି କାରଣରୁ ଏହାକୁ ମନ୍ଦିର ମାଳିନୀ ସହର କୁହାଯାଏ। ଆମେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ବିଷୟରେ କହୁଛୁ .. ଏଠାରେ ଅନେକ ପ୍ରସିଦ୍ଧ ମନ୍ଦିର ଅଛି। ଏହିପରି ଅନେକ ମନ୍ଦିର ମଧ୍ୟ ଅଛି, ଯାହା ଷଷ୍ଠ ଏବଂ ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା। ଏହା ସହରର ସଂସ୍କୃତି ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରେ।

ମନ୍ଦିର ମାଳିନୀ ସହର ଭୁବନେଶ୍ୱର:

ହଜାର ହଜାର ବର୍ଷର ଐତିହ୍ୟ ଏବଂ ସଂସ୍କୃତିର ଏକ ଏକ ଉଦାହରଣ ହେଉଛି ଭୁବନେଶ୍ୱରର ‘ଏକାମ୍ର କ୍ଷେତ୍ର’ ମନ୍ଦିର। ଏହାର ଅନନ୍ୟ ସ୍ଥାପତ୍ୟ ପାଇଁ ଏହା ଜଣାଶୁଣା। ଏହାର ନାମ ୟୁନେସ୍କୋ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ସହରରେ ଅନେକ ପ୍ରାଚୀନ ମନ୍ଦିର ଅଛି। ଏଠାରେ ଆପଣ ଭାରତର ପ୍ରାଚୀନ ଇତିହାସକୁ ଭଲ ଭାବରେ ବୁଝିପାରିବେ।

ସହରର ଅନେକ ପ୍ରସିଦ୍ଧ ମନ୍ଦିର:

ଭୁବନେଶ୍ୱରର ଅନେକ ମନ୍ଦିର ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ପ୍ରତିବର୍ଷ ବହୁ ସଂଖ୍ୟାରେ ଭକ୍ତ ଏବଂ ପର୍ଯ୍ୟଟକ ଏଠାକୁ ପରିଦର୍ଶନ କରିବାକୁ ଆସନ୍ତି। ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ମଧ୍ୟ ଏଠାରେ ଅଛି। ବହୁ ସଂଖ୍ୟାରେ ଶିବ ଭକ୍ତ ଭଗବାନ ଶିବଙ୍କୁ ଦର୍ଶନ ପାଇଁ ଏହି ମନ୍ଦିରରେ ପହଞ୍ଚନ୍ତି। ଏଠାକୁ ଆସିବା ପରେ ଆପଣ ନିଜେ ମନ୍ଦିର ପରିସରରେ ମୁକ୍ତେଶ୍ଵର ମନ୍ଦିର, ରାଜରାଣୀ ମନ୍ଦିର ଏବଂ ଅନନ୍ତ ବାସୁଦେବ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ପାଇବେ। ଏଠାକୁ ଆସିବା ପରେ ମନ ବିଶ୍ୱାସରେ ସଂପୂର୍ଣ୍ଣ ବୁଡିଯାଏ ଏବଂ ପ୍ରତ୍ୟେକ ସ୍ଥାନରେ ଭକ୍ତିର ପରିବେଶ ସୃଷ୍ଟି ହୁଏ।

ହିନ୍ଦୁମାନଙ୍କର ବିଶ୍ୱାସର କେନ୍ଦ୍ର:

ଭୁବନେଶ୍ୱରର ଏହି ପ୍ରସିଦ୍ଧ ଅଞ୍ଚଳ ହିନ୍ଦୁମାନଙ୍କ ବିଶ୍ୱାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ବିବେଚନା କରାଯାଏ। ଏହା ମୁଖ୍ୟ ତୀର୍ଥସ୍ଥାନରେ ଆସିଥାଏ। ପ୍ରତିବର୍ଷ ବହୁ ସଂଖ୍ୟାରେ ଭକ୍ତ ଏଠାରେ ପହଞ୍ଚନ୍ତି। ଏଠାରେ ଥିବା ମନ୍ଦିରଗୁଡ଼ିକ ପ୍ରାଚୀନ ଭାରତୀୟ ସ୍ଥାପତ୍ୟର ଉଦାହରଣ। ସେଗୁଡିକର ମଧ୍ୟ ଐତିହାସିକ ଗୁରୁତ୍ୱ ରହିଛି। ଏଠାରେ ଥିବା ମନ୍ଦିରଗୁଡ଼ିକ ଓଡିଶାର ଇତିହାସ ଏବଂ ସାଂସ୍କୃତିକ ପରିଚୟ ବର୍ଣ୍ଣନା କରେ। ସହରର ରୁକୁଣା ରଥ ଯାତ୍ରା ସବୁଠାରୁ ସ୍ୱତନ୍ତ୍ର।

Categories
ଜାତୀୟ ଖବର ବିଶେଷ ଖବର

ଖୁସି ଖବର: ସୁନାମି ସତର୍କତା ପାଇଁ ଓଡ଼ିଶାର ଦୁଇଟି ଗାଁକୁ ମିଳିବ ଆନ୍ତର୍ଜାତିକ ପ୍ରମାଣପତ୍ର, ଜାଣନ୍ତୁ କେଉଁ ଗାଁ

ନୂଆଦିଲ୍ଲୀ, ସୁନାମି ସତର୍କତା ଅବଲମ୍ବନ ଏବଂ ତଦନୁସାରେ ପ୍ରସ୍ତୁତ ରହି ଧନଜୀବନ ହାନିକୁ ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି ଗାଁ ଆସନ୍ତାକାଲି ଆନ୍ତର୍ଜାତିକ ପ୍ରମାଣପତ୍ର ଲାଭ କରିବେ। ଏହି ଦୁଇ ଗାଁ ହେଲା ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଏବଂ ଜଗତସିଂହପୁର ଜିଲାର ନୋଳିଆ ସାହି। ୟୁନେସ୍କୋ, ଭାରତ ମହାସାଗର ସୁନାମି ସତର୍କତା ପରିଚାଳନା କମିଟି ଏବଂ ଏନ୍‌ଡିଆରଏଫ୍‌, ଓସ୍‌ଡମା ଏବଂ ଭାରତୀୟ ଭୂବିଜ୍ଞାନ ବିଭାଗର ମିଳିତ ସୁପାରିସରେ ଏହି ପ୍ରମାଣପତ୍ର ସଂପୃକ୍ତ ଦୁଇ ଗାଁ ପାଇବେ। ଗୋଷ୍ଠୀ ସଚେତନତା କ୍ଷେତ୍ରରେ ଏହି ଦୁଇ ତଟବର୍ତ୍ତୀ ଗାଁର ଲୋକେ ସୁନାମି ସତର୍କତା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି ।

ଓଡ଼ିଶା ସମେତ ଭାରତର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରେ ସୁନାମି ସତର୍କତା ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ସେଥିରେ ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫରମେସନ୍ ସର୍ଭିସ ବା ଇନ୍‌କଏସ୍‌ର ନିର୍ଦ୍ଦେଶକ, ଭୂବିଜ୍ଞାନ ମନ୍ତ୍ରଣାଳୟ ପ୍ରତିନିଧି, ଏନ୍‌ଡିଏମ୍‌ର ପ୍ରତିନିଧି, ଓସଡ୍‌ମାର ପ୍ରତିନିଧି, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପ୍ରତିନିଧି, ଆଣ୍ଡାମାନ ଓ ନିକୋବରର ବିଡିଏମ୍ ଆଦି ସଦସ୍ୟ ଅଛନ୍ତି । ଓଡିଶ ରାଜ୍ୟ ବିପଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା) ଏବେ ରାଜ୍ୟର ଦୁଇଟି ଗ୍ରାମରେ ଆଗୁଆ ସୁନାମି ପ୍ରସ୍ତୁତି କାଯ୍ୟକ୍ରମ କାର୍ଯ୍ୟକାରୀ କରିଛି। ଏହି ଗ୍ରାମ ଦୁଇଟି ହେଲା ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଏବଂ ଜଗତସିଂହପୁର ଜିଲାର ନୋଳିଆ ସାହି।

ଏଥିପାଇଁ ଉଦ୍ଦିଷ୍ଟ ଜାତୀୟ ବୋର୍ଡ ସଂପୃକ୍ତ ଦୁଇ ଗ୍ରାମରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡିକୁ ଯାଞ୍ଚ କରିବା ପରେ ଏହାକୁ ଅନୁମୋଦନ କରିଛି । ଏହା ଫଳରେ ଏହି ଦୁଇ ଗ୍ରାମ ଜାତୀୟ ସ୍ତରରେ ସୁନାମି ପ୍ରାକ ସୂଚନା ବ୍ୟବସ୍ଥା ଥିବା ଗ୍ରାମଭାବେ ଜାତୀୟ ସ୍ତରରେ ଚିହ୍ନଟ ହୋଇଛି। ୟୁନେସ୍କୋ ଆଇଓସି ମଧ୍ୟ ଏହି ଦୁଇ ଗାଁର ଅଧିବାସୀ ବା ସଂପ୍ରଦାୟଙ୍କୁ ସୁନାମି ପ୍ରସ୍ତୁତ ସଂପ୍ରଦାୟଭାବେ ମାନ୍ୟତା ପ୍ରଦାନ କରିଛି । ଭାରତ ମହାସାଗର ଅଞ୍ଚଳରେ ସୁନାମି ପ୍ରସ୍ତୁତି କାର‌୍ୟ୍ୟକ୍ରମ କାର‌୍ୟ୍ୟକାରୀ କରିବାରେ ଭାରତ ପ୍ରଥମ ଦେଶ ଏବଂ ଓଡ଼ିଶା ଏ କ୍ଷେତ୍ରରେ ପ୍ରଥମ ରାଜ୍ୟ।

ଭେଙ୍କଟରାୟପୁର ଓ ନୋଳିଆ ସାହି ବାସିନ୍ଦାଙ୍କୁ ୟୁନେସ୍କୋ ପକ୍ଷରୁ ଯେଉଁ ପ୍ରଶଂସା ସାର୍ଟିଫିକେଟ ପ୍ରଦାନ କରାଯିବ ତାହା ଭର୍ଚୁଆଲ ବ୍ୟବସ୍ଥାରେ ପରିଚାଳିତ ହେବ। ଏହାକୁ ଇନ୍‌କଏସ୍ ଏବଂ ଆଇଓଟିଆଇସି ମିଳିତଭାବେ ଆସନ୍ତାକାଲି ଆୟୋଜନ କରିବେ । ଏହି କାର୍ଯ୍ୟକ୍ରମରେ ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡଃ ଏମ୍ ରାଜୀବନ୍ ମୁଖ୍ୟ ଅତିଥିଭାବେ ଏବଂ ଜାତୀୟ ବିପଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ସଚିବ ଶ୍ରୀ ଜି.ଭି.ଭି ଶର୍ମା ସମ୍ମାନିତ ଅଥିତିଭାବେ ଯୋଗଦେବେ।

ଏହି ଦୁଇଜଣ ଓଡ଼ିଶାର ଏହି ଦୁଇ ଗାଁକୁ ପ୍ରଶଂସାପତ୍ର ଓ ସାର୍ଟିଫିକେଟ ପ୍ରଦାନ କରିବେ । ଏହାଛଡା ଏହି କାଯ୍ୟକ୍ରମରେ ୟୁନେସ୍କୋ-ଆଇଓସି ଅଧିକାରୀ ଡଃ ଶ୍ରୀନିବାସ କୁମାର ଟୁମଳା, ଭାରତ ମହାସାଗର ସୁନାମି ସୂଚନା କେନ୍ଦ୍ରର ମୁଖ୍ୟ ଏ.ଏମ୍‌. କୋଡିଜାଟ୍‌, ଇଣ୍ଡୋନେସିଆର ପ୍ରଫେସର ବିଶେଷଜ୍ଞ ଡୁଇକୋରିଟା କର୍ଣ୍ଣାବତୀ, ଓଡିଶା ସରକାରଙ୍କ ଓସ୍‌ଡମାର ପରିଚାଳନା ନିର୍ଦେଶକ ତଥା ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଭେଙ୍କଟରାୟପୁର ଏବଂ ନୋଳିଆ ସାହିର ଅଧିକାରୀ ଉପସ୍ଥିତ ରହି ସାର୍ଟିଫିକେଟ ଗ୍ରହଣ କରିବେ।

ସୁନାମି ସଂପର୍କରେ ଲୋକଙ୍କୁ ଯଥେଷ୍ଟ ପୂର୍ବରୁ ନିର୍ଭୁଲ ସୂଚନା ମିଳିଲେ ସେମାନେ ନିରାପଦ ସ୍ଥାନକୁ ଯାଇପାରିବେ ଏବଂ ଧନଜୀବନ ହାନି ଯଥେଷ୍ଟ ହ୍ରାସ ପାଇପାରିବ। ଏଥିପାଇଁ ବୈଜ୍ଞାନିକ ଏବଂ ଜରୁରୀକାଳୀନ ପରିଚାଳନା ଅଧିକାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ଇତିମଧ୍ୟରେ ଆଗୁଆ ସୁନାମି ସୂଚନା ପ୍ରଦାନ ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ନୂଆ ନୂଆ ସେନ୍‌ସର, ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଆଗୁଆ ଲୋକଙ୍କୁ ଖବର ପ୍ରଦାନ କରିବା ପାଇଁ ନୂଆ ଯୋଗାଯୋଗ ବ୍ୟବସ୍ଥା ଉପଯୋଗ କରାଯାଉଛି ।

ଏସବୁ ସତ୍ତ୍ୱେ ଅସଲରେ ସତର୍କ ସୂଚନା ପାଇବା ପରେ ଲୋକେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ କ୍ଷୟକ୍ଷତି କେତେ ନିୟନ୍ତ୍ରିତ ହେଉଛି ତାହା ବେଶୀ ଗୁରୁତ୍ୱପୂର୍ଣ୍ଣ । କାରଣ ଆଗୁଆ ସୂଚନା ପାଇ ମଧ୍ୟ ଲୋକେ ଯଦି ନିରାପଦ ସ୍ଥାନକୁ ଯିବାକୁ ବିଳମ୍ବ କରିବେ ତେବେ ଧନଜୀବନ ହାନିକୁ କମାଇବା ସହଜ ହେବନାହିଁ । ସୁନାମିରୁ ବର୍ତ୍ତିବା ବିପଜ୍ଜନକ ଅଞ୍ଚଳରେ ବ୍ୟକ୍ତିର ଦକ୍ଷତା ଉପରେ ନିର୍ଭର କରେ । ସତର୍କ ସୂଚନାକୁ ଗୁରୁତ୍ୱ ଦେଇ ତୁରନ୍ତ ସ୍ଥାନ ଛାଡିବାର ନିଷ୍ପତ୍ତି ହିଁ ତାକୁ ବଞ୍ଚାଇଥାଏ ।

ସୁନାମି ରେଡି ବା ସୁନାମି ପ୍ରସ୍ତୁତି ଏକ ଗୋଷ୍ଠୀଭିତ୍ତିକ ପ୍ରଦର୍ଶନାତ୍ମକ କାର୍ଯ୍ୟକ୍ରମ ଯାହା ୟୁନେସ୍କୋର ଆନ୍ତଃ ସରକାରୀ ଓସେନଗ୍ରାଫିକ କମିଶନ (ଆଇଓସି) ଦ୍ୱାରା କାର‌୍ୟ୍ୟକାରୀ ହେଉଛି । ଜନସାଧାରଣ, ବିଭିନ୍ନ ଗୋଷ୍ଠୀର ମୁଖିଆ, ଜାତୀୟ ଓ ସ୍ଥାନୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥା ଆଦିର ମିଳିତ ସହଯୋଗରେ ସୁନାମି ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ । ଏଥିରେ ବିଶେଷକରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁନାମି ମୁକାବିଲା ଓ ପ୍ରସ୍ତୁତି ବଢାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ କଣ କରାଯିବା ଉଚିତ ଏବଂ କି କି ଉପାୟ ଗ୍ରହଣ କରିବା ବାଞ୍ଛାନୀୟ ସେ ବିଷୟରେ ଲୋକଙ୍କୁ ତାଲିମ ଦିଆଯାଉଛି । ମୁଖ୍ୟ ଉଦ୍ଦେଶ୍ୟ ହେଲା ସୁନାମିରେ ଜୀବନହାନିକୁ ରୋକିବା ଏବଂ କ୍ଷୟକ୍ଷତିକୁ ଯଥାସମ୍ଭବ ହ୍ରାସ କରିବା ।

ଭାରତୀୟ ସୁନାମି ଆଗୁଆ ସତର୍କତା ସୂଚନା କେନ୍ଦ୍ର ଭାରତ ପାଇଁ ନୋଡାଲ ଏଜେନ୍ସିଭାବେ କାର‌୍ୟ୍ୟ କରୁଛି । ୟୁନେସ୍କୋର ସୁନାମି ନିୟନ୍ତ୍ରଣ ସଂସ୍ଥା ଏଥିପାଇଁ ଆବଶ୍ୟକ ପରାମର୍ଶ ଓ ସହାୟତା ଯୋଗାଉଛି । ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫରମେସନ୍ ସର୍ଭିସ ବା ଇନ୍‌କଏସ୍ ସଂସ୍ଥା ଭାରତରେ ଆଗୁଆ ସୁନାମି ସୂଚନା ପ୍ରଦାନ କାଯ୍ୟ ନିର୍ବାହ କରୁଛି। ଭାରତ ମହାସାଗର କୂଳରେ ଅବସ୍ଥିତ ୨୫ଟି ଦେଶକୁ ମଧ୍ୟ ଇନ୍‌କଏସ୍ ସୁନାମି ସେବା ଓ ସତର୍କତା ତଥ୍ୟ ଯୋଗାଉଛି।

ଏହି ସଂସ୍ଥା ଦ୍ୱାରା ସୁନାମି ସମୟରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର ତାଲିମ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରଶିକ୍ଷଣ କାର‌୍ୟ୍ୟ ରାଜ୍ୟ ଓ ଜିଲା ସ୍ତରରେ କରାଯାଉଛି । ତଟବର୍ତ୍ତୀ ଅଞ୍ଚଳର ଦୁର୍ବିପାକ ପରିଚାଳନା ଅଧିକାରୀମାନେ ଏସବୁ କାମରେ ସମନ୍ୱୟ ରକ୍ଷା କରୁଛନ୍ତି । ସେଥିପାଇଁ ନିୟମିତ ବ୍ୟବଧାନରେ ମକ୍ ଏକ୍ସରସାଇଜ ଓ ଅନ୍ୟାନ୍ୟ କାର‌୍ୟ୍ୟକ୍ରମ କରାଯାଉଛି।

ଏଥିପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଜାତୀୟ ବିପର‌୍ୟ୍ୟୟ ପରିଚାଳନା ପ୍ରାଧିକରଣ ଓ ରାଜ୍ୟ ବିପର‌୍ୟ୍ୟୟ ପରିଚାଳନା ସଂସ୍ଥାଗୁଡିକ ସାହାଯ୍ୟ ସହଯୋଗ କରୁଛନ୍ତି। ୨୦୧୮ ସେପ୍ଟେମ୍ବରେ ଭାରତରେ ଏକ ଜାତୀୟ ସ୍ତରୀୟ ସୁନାମି ମକ୍ ଏକ୍ସରସାଇଜ କରାଯାଇଥିଲା। ୨୦୧୭ ନଭେମ୍ବରରେ ମଧ୍ୟ ଅନୁରୂପ ଏକ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଏସବୁର ଉଦ୍ଦେଶ୍ୟ ହେଲା ଲୋକଙ୍କୁ ସତର୍କ କରାଇବା, ଧନଜୀବନ ବଞ୍ଚାଇବା ଓ ଆବଶ୍ୟକ ପରାମର୍ଶ ଦେବା । ଭୂବିଜ୍ଞାନ ମନ୍ତ୍ରଣାଳୟ ମଧ୍ୟ ଏ କ୍ଷେତ୍ରରେ ଆବଶ୍ୟକ ସାହାଯ୍ୟ ଯୋଗାଉଛି।