ଫିଟ ଇଣ୍ଡିଆ କାର୍ଯ୍ୟକ୍ରମର ପ୍ରଚାର ପ୍ରସାରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ
Tag: ଅପରାଜିତା ଷଡଙ୍ଗୀ
ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଜାତୀୟ ରାଜନୀତିରେ ଶକ୍ତିଶାଳୀ ହେବାରେ ଲାଗିଛନ୍ତି । ପ୍ରଶାସନିକ ସେବାରୁ ରାଜନୀତିରେ ପାଦ ଥାପିଥିବା ଅପରାଜିତା ବିଜେପିର ସାଂସଦ ରହିଥିବା ବେଳେ ଜାତୀୟ ରାଜନୀତିରେ ନିଜର ଦବ୍ଦବା ଜାହିର୍ କରୁଛନ୍ତି । ଗତ ସେପ୍ଟେମ୍ବର 26 ତାରିଖରେ ତାଙ୍କୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଭାବରେ ଘୋଷଣା କରାଯାଇଥିଲା । ଏବେ ତାଙ୍କୁ ନୂତନ ଦାୟିତ୍ବ ଦିଆଯାଇଛି । ଆଜି ତାଙ୍କୁ ତିନି ରାଜ୍ୟର ମିଡିଆ ପ୍ରଭାରୀ ଭାବରେ ଘୋଷଣା କରାଯାଇଛି । ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଗୋଟିଏ ରାଜ୍ୟର ଦାୟିତ୍ୱ ଅପରାଜିତାଙ୍କୁ ପ୍ରଦାନ କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପୁଡୁଚେରୀ ଏବଂ ଓଡିଶାର ମିଡିଆ ପ୍ରଭାରୀ ଭାବରେ ଘୋଷଣା କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଓଡିଶାର ବିଭିନ୍ନ ନେତାଙ୍କୁ ରାଷ୍ଟ୍ରୀୟ ଦାୟିତ୍ୱ ପ୍ରଦାନ କରାଯାଇଛି । ସେପ୍ଟେମ୍ବର 26 ତାରିଖରେ ଅପରାଜିତାଙ୍କ ସମେତ ସମ୍ବିତ ପାତ୍ରଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ଘୋଷଣା କରାଯାଇଥିଲା । ଏହା ବ୍ୟତୀତ ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପ ସଭାପତି ମଧ୍ୟ ଘୋଷଣା କରିଥିଲା ବିଜେପି ।
ଭୁବନେଶ୍ବର, ଆସନ୍ତା ବଜେଟ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। ତେବେ ଏହାକୁ ନେଇ ଓଡିଶାର ରାଜନୀତି ପାଣିପାଗ ମଧ୍ୟ ବେଶ ଗରମ ହୋଇଯାଇଛି। ଏହି ଅଦଳବଦଳ ବେଳେ ଓଡିଶାରେ ଆଉ ଜଣେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। ତେବେ ଓଡିଶାରୁ କିଏ ହେବେ ମନ୍ତ୍ରୀ ସେ ନେଇ ମଧ୍ୟ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ଏଥିରେ କେବଳ ଦୁଇ ଜଣଙ୍କ ନାମ ବର୍ତ୍ତମାନ ଦିଲ୍ଲୀ ଦରବାରରେ ବେଶ୍ ଆଲୋଚନା ଚାଲିଛି।
ବର୍ତ୍ତମାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦୁଇ ଜଣ ମନ୍ତ୍ରୀ ଅଛନ୍ତି। ସେମାନେ ହେଲେ କ୍ୟାବିନେଟରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଷଡଙ୍ଗୀ। ହେଲେ କେନ୍ଦ୍ର ନେତୃତ୍ବ ଅନୁଭବ କରିସାରିଲେଣି ଯେ, ଉଭୟଙ୍କ ନେତୃତ୍ବରେ ଓଡିଶାରେ ଫେଲ ମାରୁଛି। ବିଶେଷ କରି ବାଲେଶ୍ବର ଉପ ନିର୍ବାଚନରେ ହାରିବା କେନ୍ଦ୍ର ବିଜେପି ନେତୃତ୍ବଙ୍କୁ ବହୁ ବ୍ୟଥିତ କରିଦେଇଛି। କାରଣ ବାଲେଶ୍ବରରେ ସମବେଦନା ଭୋଟ ସହିତ ବିଜେଡିର ଦୃଢ ପ୍ରାର୍ଥୀ ନ ଥିଲେ। ଏହାକୁ ନେଇ ସେଠାରେ ବିଜେପି ଜିତିବା ନିଶ୍ଚିତ ଥିଲେ ମଧ୍ୟ ତାହା ହେଲା ନାହିଁ।
ବାଲେଶ୍ବର ଉପନିର୍ବାଚନକୁ ନେଇ କେନ୍ଦ୍ର ନେତୃତ୍ବ ବେଶ୍ ତନାଘନା ମଧ୍ୟ କରିଛନ୍ତି। ସେମାନେ ଅନୁଭବ କରିସାରେଲେଣି ଯେ, ବର୍ତ୍ତମାନ ବିଜେପିର ଯେଉଁମାନେ ମଙ୍ଗୁଆଳ ସାଜିଛନ୍ତି ସେମାନଙ୍କ ଦ୍ବାରା 2024 ନିର୍ବାଚନ ସମ୍ମୁଖୀନ ହେବା ଉଚିତ ହେବ ନାହିଁ। ଏପରିକି ତା ପୂର୍ବରୁ ପଞ୍ଚାୟତ ଏବଂ ନଗରପାଳ ନିର୍ବାଚନ ମଧ୍ୟ ତାଙ୍କ ହାତରେ ଟେକି ହେବ ନାହିଁ। ସେଥିପାଇଁ ଓଡିଶାରେ ବିଜେପି କୁଆଡେ ଏକ ବିକଳ୍ପ ମଙ୍ଗୁଆଳ ତିଆରି କରିବା ପାଇଁ ମନସ୍ଥ କରିଥିବାର କୁହାଯାଉଛି।
ସେଥିପାଇଁ ଦଳ ବର୍ତ୍ତମାନ ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ବାହାର କରି ଆଉ ଜଣେ ନୂଆଙ୍କୁ ନେବେ ବୋଲି ଦିଲ୍ଲୀରେ ଚର୍ଚ୍ଚା ଚାଲିଛି। ହେଲେ ଆଉ କେତେକଙ୍କ ମତରେ ଏହି ଦୁଇ ଜଣଙ୍କ ସହିତ ଆଉ ଜଣଙ୍କୁ ମନ୍ତ୍ରୀ ଭାବେ ମୋଦୀ ନେବେ ବୋଲି କୁଆଡେ ସୂଚନା ମିଳିଛି। ଅର୍ଥାତ ଓଡିଶାରୁ ତିନିଜଣ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବେ। ତେବେ ସେହି ନୂଆ ବ୍ୟକ୍ତି ଜଣଙ୍କ କିଏ ସେ ସେ ନେଇ ଜୋରଦାର ଆଲୋଚନା ଚାଲିଛି। ସେହି ମଧ୍ୟରେ ଦୁଇ ଜଣଙ୍କ ନାମ ଆଗକୁ ଆସୁଛି। ଜଣେ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଆଉ ଜଣେ ହେଲେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ।
ବର୍ତ୍ତମାନ ଓଡିଶା ରାଜନୀତିରେ ଅପରାଜିତା ଷଡଙ୍ଗୀ ଏକକ ନେତୃତ୍ବରେ ଏକ ଦୃଢ ସଂଗଠନ ତିଆରି କରିବାରେ ଲାଗିଲେଣି। ସେଥିପାଇଁ ଧର୍ମେନ୍ଦ୍ର କ୍ୟାମ୍ପ ଛାଡି ଅନେକ ନେତା ଅପରାଜିତା କ୍ୟାମ୍ପରେ ପ୍ରବେଶ ମଧ୍ୟ କଲେଣି। କାରଣ ଗତ ଖୋର୍ଦ୍ଧା ବିଜେପି ସଭାପତି ନିଯୁକ୍ତି ନେଇ ଯେପରି ଟକ୍କରା ଟକ୍କରି ଚାଲିଲା ତାହା ଓଡିଶା ରାଜନୀତିରେ ବେଶ ହଟଚମଟ ସୃଷ୍ଟି କରିଛି। ଏଥିରେ ଦିଲ୍ଲୀ ଦରବାରରେ ଅପରାଜିତାଙ୍କ କ୍ଷମତା କେତେ ତାହା ପ୍ରମାଣିତ ହେଲା। ତେଣୁ ଦିଲ୍ଲୀ ଲିଙ୍କରେ ଅପରାଜିତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି ବହୁ ସମ୍ଭାବନା ସୃଷ୍ଟି ହୋଇଛି।
ତେବେ ଅଶ୍ବନୀ ବୈଷ୍ଣବଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ପାଇଁ ଯେଉଁମାନେ କହୁଛନ୍ତି ସେମାନଙ୍କର ଯୁକ୍ତି ମଧ୍ୟ ଠିକ। ଏମାନଙ୍କର ଯୁକ୍ତି ହେଲା ଯେ, ଦୁଇ ଜଣଙ୍କର କଳିରେ ତୃତୀୟ ଜଣଙ୍କର ଲାଭ ନ୍ୟାୟରେ ଅଶ୍ବନୀ ମନ୍ତ୍ରୀ ହୋଇପାରନ୍ତି। ଅପରାଜିତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ ନ କରି ଜଣେ ନିରପେକ୍ଷ ଲୋକଙ୍କୁ ସାମିଲ କଲେ ଭବିଷ୍ୟତରେ କାଦୁଅ ଫିଙ୍ଗା ଖେଳ ହେବ ନାହିଁ। ଅନ୍ୟପକ୍ଷରେ ଅଶ୍ବନୀଙ୍କ ରାଷ୍ଟ୍ରୀୟ ବିଜେପିରେ ଯେପରି ଦବଦବା ରହିଛି ତାହା ଆଉ କାହାର ନାହିଁ। ସେଥିପାଇଁ ଅଶ୍ବନୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ନେଇ ଚର୍ଚ୍ଚା ଯୋର ଧରିଛି।
ଭୁବନେଶ୍ବର, କିଛିଦିନ ତଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବିଧାୟକ ଦଳର ବୈଠକ ଡାକିଥିଲେ। କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ନେତା ଭାବେ ସେ ବିଧାୟକ ଦଳର ବୈଠକ ଡାକିବାରେ କୌଣସି ଅସୁବିଧା ନାହିଁ। ହେଲେ ଅସୁବିଧା ହେଲା ଯେ, ସେ ଯେଉଁ ସମୟରେ ଏହି ବୈଠକ ଆହ୍ବାନ କଲେ। କାରଣ ବିଧାନସଭା ପୂର୍ବରୁ ସବୁ ଦଳ, ଗୃହ ଭିତରେ କଣ ରଣନୀତି ହେବ ସେ ନେଇ ବୈଠକ କରିଥାନ୍ତି। ସାଧାରଣତଃ ଏହି ବୈଠକ ବିଧାନସଭା ପୂର୍ବରୁ କରାଯାଇଥାଏ। ହେଲେ ବିଧାନସଭା ହେବାର ବହୁ ଦିନ ପରେ ଧର୍ମେନ୍ଦ୍ର ଏପରି ବୈଠକ କରିବାର କଣ ଆବଶ୍ୟକତା ଥିଲା। ତାହାକୁ ନେଇ ବର୍ତ୍ତମାନ ସୃଷ୍ଟି ହୋଇଛି ଚର୍ଚ୍ଚା।
ସାଧାରଣରେ ଗୋଟିଏ ଆଲୋଚନା ହେଉଛି ଯେ, ବର୍ତ୍ତମାନ ଦଳ ଭିତରେ ଧର୍ମେନ୍ଦ୍ରଙ୍କ ପତିୟାରା କମିବାରେ ଲାଗିଛି। ସେଥିପାଇଁ ସେ ନିଜର ଶକ୍ତିକୁ ବଜାଇ ରଖିବା ପାଇଁ କୁଆଡେ ଏପରି ଅବେଳାରେ ବିଧାୟକ ଦଳର ବୈଠକ ଡାକିଥିଲେ। ସେହିପରି ଏହି ବୈଠକକୁ ନେଇ ଆଉ ଏକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି। ତାହା ହେଲା ଯେ, ଏହି ବିଧାୟକ ଦଳ ବୈଠକରେ ସବୁ ବିଜେପି ବିଧାୟକଙ୍କ ସହିତ ଧର୍ମେନ୍ଦ୍ର ଏବଂ ରାଜ୍ୟ ସଭାପତି ସମୀର ମହାନ୍ତି ଥିଲେ। ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକାଯାଇ ନ ଥିଲା। ପ୍ରକୃତରେ ତାଙ୍କୁ ଡକା ଯାଇ ନ ଥିଲା କି ସେ ଆସିପାରି ନ ଥିଲେ ତାହା ଭିନ୍ନ କଥା। ହେଲେ ସେହି ବୈଠକରେ ଅପରାଜିତା ଅନୁପସ୍ଥିତ ଥିଲେ। ଯାହାକୁ ନେଇ ରାଜନୈତିକ ମହଲ ଭିନ୍ନ ରଂଗ ଦେବାରେ ଲାଗିଛି।
ନିକଟରେ ଦଳରେ ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କୁ ନେଇ ଯେପରି ନାଟକବାଜୀ ହେଲା ତାହା ବର୍ତ୍ତମାନ ଓଡିଶା ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କାରଣ ଖୋର୍ଦ୍ଧା ଜିଲ୍ଲାର ସଭାପତି ଥିବା ରଶ୍ମୀରଂଜନ ମହାପାତ୍ରଙ୍କୁ ଦଳ ବିରୋଧୀ କାମ ପାଇଁ ସଭାପତି ପଦରୁ ହାଠାତ ହଟାଇ ଦିଆଯାଇ ଯତୀନ ମହାନ୍ତିଙ୍କୁ ନିଯୁକ୍ତ କରାଗଲା। ରାଜନୈତିକ ମହଲରେ ସମସ୍ତେ ଜାଣନ୍ତି ଯତୀନ ମହାନ୍ତି ଧର୍ମେନ୍ଦ୍ରଙ୍କ ଲୋକ ଏବଂ ରଶ୍ମୀରଂଜନ ହେଉଛନ୍ତି ଅପରାଜିତାଙ୍କ ଲୋକ।
ରଶ୍ମୀରଂଜନଙ୍କୁ ଯେତେବଳେ ସଭାପତି କରିବା ପାଇଁ ପ୍ରସ୍ତାବ ଗଲା ସେତେବେଳେ କୁଆଡେ ଧର୍ମେନ୍ଦ୍ର ବିରୋଧ କରିଥିଲେ। ହେଲେ ତାଙ୍କର ବିରୋଧ ସତ୍ବେ ରଶ୍ମୀଙ୍କୁ ସଭାପତି କରିବା ପାଇଁ ଅପରାଜିତା ଅଡି ବସିଥିଲେ ଆଉ ସଫଳ ମଧ୍ୟ ହେଲେ।ସେହି ରାଗରେ କିଛି ମାସ ପରେ ଧର୍ମେନ୍ଦ୍ର ଗୋଟି ଚାଳନା କରି ତାଙ୍କୁ ସଭାପତି ପଦରୁ ବାହାର କରି ଲୋକହସା ମଧ୍ୟ ହେଲେ। କାରଣ ସେ ଯାହାକୁ ସଭାପତି ଭାବେ ନିଯୁକ୍ତ କଲେ ତାଙ୍କୁ ଆଠଦିନ ପରେ ବାହାର କରାଗଲା। ପୁଣି ରଶ୍ମୀରଂଜନ ମହାପାତ୍ରଙ୍କୁ ସଭାପତି ଭାବେ ପୁନଃସ୍ଥାପିତ କରାଗଲା।
ଏହି ଘଟଣା ବାହାରକୁ ଜଣାପଡି ନ ଥିଲେ ମଧ୍ୟ ରାଜ୍ୟ ବିଜେପିରେ ଶକ୍ତିଶାଳୀ ଧର୍ମେନ୍ଦ୍ର ପ୍ରଧାନ ଗୋଷ୍ଠୀଙ୍କ ମୁଣ୍ଡ ଖରାପ କରିଦେଇଛି। ଖୋଦ ଧର୍ମେନ୍ଦ୍ରଙ୍କୁ ମଧ୍ୟ ବଡ ଧକ୍କା ଲାଗିଛି। ମୁଖ୍ୟତଃ ତିନୋଟି କାରଣ ନେଇ ଧର୍ମେନ୍ଦ୍ର ବେଶ୍ ବ୍ୟଥିତ ହୋଇଛନ୍ତି। ପ୍ରଥମରେ ତାଙ୍କ ଦ୍ବାରା ନିଯୁକ୍ତ ସଭାପତିଙ୍କୁ ସେ ସୁରକ୍ଷା ଦେଇପାରିଲେ ନାହିଁ। ଦ୍ବିତୀୟରେ ସେ ଯାହାକୁ ବାହାର କରିଥିଲେ ତାଙ୍କୁ ପୁଣି ନିଯୁକ୍ତି ଦିଆଗଲା।
ଅନ୍ତତଃ ପକ୍ଷେ ଆଉ ନୂଆ ଜଣଙ୍କୁ ସଭାପତି କରାଯାଇ ଥିଲେ ହୁଏତ ଧର୍ମେନ୍ଦ୍ରଙ୍କର ପତିୟାରା ଅକ୍ଷୁର୍ଣ୍ଣ ରହିଥାଆନ୍ତା। ତାହା ମଧ୍ୟ ହୋଇପାରିଲା ନାହିଁ। ତୃତୀୟରେ ଏହି ଘଟଣାଟି ଧର୍ମେନ୍ଦ୍ରଙ୍କର ପତିୟାରା ହ୍ରାସ କଲା ବୋଲି ହାଟରେ ପଡି ଘାଟରେ ଗଡିଲା। ଯାହା ତାଙ୍କୁ ବହୁ ମାତ୍ରାରେ ବ୍ୟତିଥ କରିଦେଇଛି। ଅପରାଜିତ ଦଳରେ ଯୋଗଦେବା ପୂର୍ବରୁ ଏମିତି କେବେ ହୋଇ ନ ଥିଲା।
ଏ ସବୁ ଘଟଣା ଭିତରେ ଧର୍ମେନ୍ଦ୍ର ବର୍ତ୍ତମାନ ନିଜର ପତିୟାରାକୁ ପ୍ରତିଷ୍ଠା କରି ଅପରାଜିତାକୁ କଣଠୋସା କରିବା ପାଇଁ ଏକ ନୂଆ ରଣ କୌଶଳ ଆରମ୍ଭ କରିଛନ୍ତି। ଭିନ୍ନ ପ୍ରସଂଗରେ ବିଜେପି ବିଧାୟକମାନଙ୍କ ବୈଠକ ଡାକି ନିଜର ଭାବମୂର୍ତ୍ତିକୁ ସଜାଡିବାରେ ଲାଗିପଡିଛନ୍ତି। ଏହାପରେ ସେ ବର୍ତ୍ତମାନ ପୁରା ବିଜେପି ନେତାମାନଙ୍କୁ କିପରି ହାତରେ ରଖିବେ ସେ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରିସାରିଲେଣି। କାରଣ ଧର୍ମେନ୍ଦ୍ର ଥରେ ଧକ୍କା ଖାଇଛନ୍ତି ମାନେ ସେ ଭିତରେ ଭିତରେ ଘାଇଲା ବାଘ ପରି ହେବାରେ ଲାଗିଛନ୍ତି ।
ଅନ୍ୟପଟେ ଏସବୁ ଘଟଣା ସଂପର୍କରେ ଅବଗତ ହେବାରେ ଲାଗିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ସେ ମଧ୍ୟ ଦଳ ଭିତରେ ନିଜ ପତିୟାରା ଜାହିର ପାଇଁ ଆରମ୍ଭ କରିଛନ୍ତି ନୂଆ ରଣନୀତି। ତେବେ ବିଜେପିର ଏପରି ଡ୍ରାମାବାଜିକୁ ନେଇ ଗୋଟିଏ ଗୋଷ୍ଠୀ ବେଶ୍ ଉତଫୁଲିତ ଅଛନ୍ତି। ସେହି ଗୋଷ୍ଠୀଟି ହେଲା , ଆମେ ନା ଧର୍ମେନ୍ଦ୍ର, ଆମେ ନା ଅପରାଜିତା।
ଭୁବନେଶ୍ୱର: ଏବେ ଏବେ ସରିଛି ଓଡିଶାର ଉପନିର୍ବାଚନ। ବିଜେପି ହାତରୁ ଖସିଯାଇଛି ଗୋଟିଏ ସିଟ। ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ବିଜେଡିର ହେଲା ବାଜିମାତ। ହେଲେ ନିଜ ହାତରୁ ଖସିଯାଇଥିବା ବାଲେଶ୍ଵର ସଦର ଆସନଟିକୁ ନେଇ ବିଜେପି ମାନସ ମନ୍ଥନ କରିବ କଣ, ଘରେ ଲାଗିଛି ବାଦୀପାଲା। ଏହି ପାଲା ପୁଣି ଆଉ କାହା ମଧ୍ୟରେ ନୁହେଁ, ଖୋଦ୍ ବିଜେପି ଶକ୍ତିକେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ଲାଗିଛି।
ଲୋକ ଭାବୁଥିଲେ ବାଲେଶ୍ଵର ପରାଜୟ ପରେ ରାଜ୍ୟ ବିଜେପି ଆଗାମୀ ଦିନରେ କିଭଳି ନିର୍ବାଚନ ଜିଣିବ, ସେହି ଚିନ୍ତା କରିବ। କଣ ପାଇଁ ବାଲେଶ୍ଵର ସଦର ଆସନ ଖସିଗଲା ତର୍ଜମା ହେବ। କିନ୍ତୁ ଗୋଷ୍ଠୀ କନ୍ଦଳକୁ ନେଇ ବିଜେପି ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ଗତି କରୁଛି। ତେବେ ଏହି ଅଡୁଆର କାରଣ କଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଭୁବନଶ୍ୱର ସଂସଦୀୟ କ୍ଷେତ୍ରରେ ଅପରାଜିତାଙ୍କ ଗୁରୁତ୍ୱ କମାଇବାକୁ ଧର୍ମେନ୍ଦ୍ର ଷଡଯନ୍ତ୍ର କରୁଥିବା ଚର୍ଚ୍ଚା ହେଉଛି। ଯେଉଁଥି ପାଇଁ ଖୁରୁଧା ଜିଲ୍ଲା ବିଜେପି କର୍ମକାର୍ତ୍ତାଙ୍କୁ ଅଦଳ ବଦଳ କରାଯିବାକୁ ନେଇ ବିବାଦ ତେଜୁଥିଲା।
ଗତ ବର୍ଷେ ହେଲା ଅପରାଜିତାଙ୍କ ଅନୁଗତ ରଶ୍ମୀରଂଜନ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଭାବେ ଦାୟିତ୍ୱରେ ଥିଲେ। ହେଲେ ଅଚାନକ ତାଙ୍କ ସ୍ଥାନରେ ଯତୀନ ମହାନ୍ତିଙ୍କୁ ନିଯୁକ୍ତି ଦିଆଗଲା। ରଶ୍ମୀ ମହାପାତ୍ରଙ୍କୁ ଦାୟିତ୍ବରୁ ଅବ୍ୟାହତି ଦିଆଯିବା ଘଟଣାରୁ ହିଁ ଆରମ୍ଭ ହେଲା ବିବାଦ। ତେବେ ଅପରାଜିତାଙ୍କ ଜିଦ୍ ଆଗରେ ଧର୍ମେନ୍ଦ୍ର ହାରି ଯାଇଛନ୍ତି। ଧର୍ମେନ୍ଦ୍ରଙ୍କୁ ଶକ୍ତ ଝଟକା ଦେଇ ରଶ୍ମୀ ରଞ୍ଜନଙ୍କୁ ପୁଣିଥରେ ବିଜେପି ଖୁରୁଧା ଜିଲ୍ଲା ସଭାପତି ଦାୟିତ୍ୱ ମିଳିଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀର କିଛି ନେତା ବି ପଦାରେ ପଡିଯାଇଛନ୍ତି। ତାଙ୍କ ଭିତରେ ଅଛନ୍ତି ଗୋଲକ ମହାପାତ୍ରଙ୍କ ସହିତ ଖୋଦ ରାଜ୍ୟ ସଭାପତି ସମୀର ମହାନ୍ତି।
ତେବେ ପ୍ରଶ୍ନ ଉଠୁଛି ସବୁ ରାଜ୍ୟରେ ବିଜେପି ସଂଗଠନ ସୁଦୃଢ଼ ହେଉଥିଲା ବେଳେ ଓଡ଼ିଶାରେ ବିଜେପି ଆଗକୁ ବଢ଼ିପାରୁନି କାହିଁକି। ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ଯେଉଁ ଢଙ୍ଗରେ ପ୍ରଚାର ଆରମ୍ଭ କରିଥିଲା, ଏଥିରେ ରାଜ୍ୟ ବିଜେପି ବେଶ୍ ଉତଫୁଲିତ ଥିଲା। ହେଲେ ବିଜୁ ଜନତା ଦଳର ପରାକ୍ରମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପ୍ରଭାବ ଆଗରେ ଫିକା ପଡିଲା ବିଜେପି।
ସେହିଭଳି ୨୦୧୯ ରେ ମଧ୍ୟ ଓଡ଼ିଶାରେ ବିଜେପି ବିଶେଷ ସଫଳ ହୋଇପାରିଲାନି। ଦୁଇଥର କେନ୍ଦ୍ରରେ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ରହିଲେଣି, ହେଲେ ଓଡ଼ିଶାରେ ବିଜେପି ବଢ଼ିପାରୁନି। ଏବେ ଆଉ ଜଣେ ଓଡ଼ିଆ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମରେ ରହିଛିନ୍ତି, ସେ ହେଲେ ପ୍ରତାପ ଷଡଙ୍ଗୀ। କିନ୍ତୁ ବିଜେଡିକୁ ଟକ୍କର ଦେବାପରି ସାମର୍ଥ୍ୟ ଏ ପର୍ଯ୍ୟନ୍ତ ବିଜେପି ନିକଟରେ ଥିବା ପରି ଜଣାପଡୁ ନାହିଁ।
ନବୀନଙ୍କ ସୁଶାସନ ଓ ଓଡିଶା ବିକାଶ ଶ୍ରେୟ ନେଲା ଭଳି ରାଜନୈତିକ ଦଳ ରାଜ୍ୟରେ ନାହିଁ। ତେଣୁ ରାଜ୍ୟ ବିଜେପି ଯଦି ଗୋଷ୍ଠୀ କନ୍ଦଳରେ ଲାଗିବ, ତେବେ ଓଡିଶାରେ ପୁଣି ସେଇ ବିଜେଡି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ଚାଲିଥିବ। ସେଥିପାଇ ବର୍ତ୍ତମାନ ରାଜ୍ୟ ବିଜେପି ଏକ ବିଷମ ପରିସ୍ଥିତି ଦେଇ ଗତି କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ବାଲେଶ୍ବର, ବାଲେଶ୍ବର ଉପନିର୍ବାଚନ ପ୍ରଚାର ମଇଦାନରେ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ଭୁବନେଶ୍ବର : ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟ ଖୋଲିଲା । ସିଲ୍ ହେବାର ଆଠ ଦିନ ପରେ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଲା । ପଳାସପଲ୍ଲୀସ୍ଥିତ ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟ ଆଜି ଖୋଲାଯାଇଛି । ସିଲ୍ କରିବାର 8ଦିନ ପରେ ଅଫିସ୍ ଖୋଲିଛି ବିଏମ୍ସି । କୋଭିଡ୍ ଗାଇଡଲାଇନ୍ ଉଲ୍ଳଂଘନ ଅଭିଯୋଗରେ 15 ଦିନ ପାଇଁ ଅଫିସ୍ ସିଲ୍ କରିଥିବା ବିଏମ୍ସି ।ଅପରପକ୍ଷରେ ଅଫିସ୍ ସିଲ୍କୁ ବେଆଇନ କହି ରାଜ୍ୟସରକାରଙ୍କ ଉପରେ ବର୍ଷିଥିଲେ ଅପରାଜିତା।
ସୂଚନାଯୋଗ୍ୟ, ଗତ 10 ତାରିଖର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିଲା । କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ ଜନ୍ମଦିନ ପାଳନ କରିଥିଲେ ସାଂସଦ। ଏନେଇ ସାଂସଦ ଅପରାଜିତାଙ୍କ ନାଁରେ କୋଭିଡ୍ ଯୋଦ୍ଧା ଅଭିଯୋଗ ଆଣିବା ପରେ ବିଏମ୍ସି ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟକୁ ସିଲ୍ କରିଥିଲା ।
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ତାଙ୍କ କାର୍ଯ୍ୟାଳୟ ସିଳ୍ କରିବା ବିଏମ୍ସିର ବେଆଇନ ପଦକ୍ଷେପ ବୋଲି କହିଛନ୍ତି ଅପରାଜିତା । ତେବେ ଏଥିପାଇଁ ସେ ବିଏମସିକୁ ଦାୟୀ ନକରି ସରକାରଙ୍କୁ ଦାୟୀ କରିଛନ୍ତି । ଗୃହମନ୍ତ୍ରାଳୟର ଗାଇଡ୍ ଲାଇନ୍ ଉଲ୍ଲଂଘନ କରି ତାଙ୍କଅଫିସ୍ ସିଲ୍ କରାଯାଇଛି । ଅଫିସ ସିଲ ଯୋଗୁଁ ତାଙ୍କର ଆର୍ଥିକ କ୍ଷତି ଘଟିଛି, ସେ ମାନସିକ ନିର୍ଯ୍ୟାତନା ଭୋଗିଛନ୍ତି । ଏନେଇ ସେ କୋର୍ଟ ଯିବା ପାଇଁ ଚିନ୍ତା କରୁଛନ୍ତି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ଅପରାଜିତା କହିଛନ୍ତିଯେ, ତାଙ୍କର ଅଫିସ ସିଲ କରିବା ସଂପୂର୍ଣ୍ଣ ବେଆଇନ । ତାଙ୍କଅଫିସ୍ରେ କେହି କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଆକ୍ରାନ୍ତ ଚିହ୍ନଟ ନ ହେବା ସତ୍ତ୍ବେ ପୂରା ଅଫିସ୍କୁ କିପରି ସିଲ୍ କରାଗଲା ବୋଲି ପ୍ରଶ୍ନପଚାରିଛନ୍ତି ଅପରାଜିତା ।ଏହା ହେଉଛି ସରକାରଙ୍କ ଆକ୍ରୋଶମୂଳକ ପଦକ୍ଷେପ । ଛବି ମଳିନ କରିବାକୁ ସରକାର ଚେଷ୍ଟା ଚଳାଇଛନ୍ତି । କୋଭିଡ଼ ମହାମାରୀ ନେଇ ଯେଉଁ ଗାଇଡ଼ଲାଇନ ରହିଛି ଏହା ତାହାର ଉଲ୍ଳଂଘନ କରୁଛି । ଏନେଇ ସେ ବିଏମସି କମିଶନରଙ୍କୁ ସେ ଚିଠି ଲେଖି ଅବଗତ କରାଇଛନ୍ତି । ମହାରଥୀଙ୍କ ଶେଷଯାତ୍ରାରେ କୋଭିଡ୍ ଲାଇନ୍ର ଉଲ୍ଲଂଘନ ହୋଇଥିଲା କିନ୍ତୁ ସେହି ଘଟଣାରେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ସରକାର ପାତର ଅନ୍ତର ନୀତି ଆପଣାଉଛନ୍ତି, କହିବାର ନୈତିକତା କରାଇଛନ୍ତି ବୋଲି କହିଛନ୍ତି ଅପରାଜିତା । ତେବେ ସେ ଏନେଇ ସେ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ଅପରାଜିତା ।
ଭୁବନେଶ୍ୱର: ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସାଂସଦଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। କମିଶନରେଟ ପୋଲିସ ସହାୟତାରେ କାର୍ଯ୍ୟାଳୟ ସିଲ୍ କରିଛି। କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ ଜନ୍ମଦିନ ପାଳନ କରିଥିଲେ ସାଂସଦ। ଏନେଇ ସାଂସଦ ଅପରାଜିତାଙ୍କ ନାଁରେ କୋଭିଡ୍ ଯୋଦ୍ଧା ଅଭିଯୋଗ ଆଣିଛନ୍ତି । ଜନ୍ମଦିନ ପାର୍ଟିରେ ସମର୍ଥକଙ୍କ ସହ ମାସ୍କ ନପିନ୍ଧି ନାଚ, ଗୀତ ଓ ଗହଳି ଭିତରେ ସାମିଲ ହୋଇଥିଲେ ଅପରାଜିତା ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏନେଇ କୋଭିଡ୍ ଯୋଦ୍ଧା ଲିଖିତ ଭାବେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ମେଡିକାଲ ଷ୍ଟାଫ୍, ସଫେଇ କର୍ମଚାରୀ, ଆଶା କର୍ମୀ ଓ କୋଭିଡ୍ ସଚେତକମାନେ ଫେରାଦ ହୋଇଥିଲେ। ସାଂସଦଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଛି। ସାଂସଦଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଭୁବନେଶ୍ବର, ସାଂସଦ ଅପରାଜିତା ଷଡଙ୍ଗୀ ଆସନ୍ତା ସାତ ତାରିଖରେ ଭୁବନେଶ୍ବର ଆସୁଛନ୍ତି। ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ସେ ଭୁବନେଶ୍ବର ସାଂସଦ, ଘର ଭୁବନେଶ୍ବରରେ ଏଥିରେ ଆସିବାରେ ଅସୁବିଧା କେଉଁଠି ରହିଲା। ତାଙ୍କ ନିର୍ବାଚନ ମଣ୍ଡଳୀକୁ ଆସିବେ ନାହିଁ ତ ଆଉ କେଉଁଠିକି ଆସିବେ। ହେଲେ କଥାଟି ତାହା ନୁହେଁ। ଘଟଣାଟି ହେଉଛି ଯେ, ସେ ଭୁବନେଶ୍ବର ଆସୁଛନ୍ତି ବୋଲି ବିମାନ ବନ୍ଦରରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା କରାଯାଉଛି।
ତେବେ କାହିଁକି, ଅପରାଜିତା କଣ ମନ୍ତ୍ରୀ ପଦ ପାଇଲେ କି ? ତାହା ତ ନୁହେଁ। ହଁ ସେ ରାଷ୍ଟ୍ରୀୟ ପ୍ରବକ୍ତା ହୋଇଛନ୍ତି। ସେଠୁ କଣ ହେଲା। ଏହା ପୂର୍ବରୁ ସମ୍ବିତ ପାତ୍ର ମଧ୍ୟ ପ୍ରବକ୍ତା ଥିଲେ ଏବେ ବି ଅଛନ୍ତି। ଏହା ତ କୌଣସି ସରକାରୀ ପଦବୀ ନୁହେଁ। ଏହା ହେଉଛି ସଂପୂର୍ଣ୍ଣ ଭାରତୀୟ ଜନତା ପାର୍ଟିର ଦଳୀୟ ପଦବୀ। ତେଣୁ ଦଳୀୟ ପଦବୀ ପାଇବା କଣ ଏକ ବଡ କଥା ଯେ ବିମାନ ବନ୍ଦରରୁ ଶୋଭାଯାତ୍ରା ହେବ!
ଆମେ ଅପରାଜିତାଙ୍କ ଜଣେ ପାଖ ଲୋକଙ୍କୁ ପଚାରିଲୁ। ଭାଇ ମ୍ୟାଡମ କେବେ ଆସୁଛନ୍ତି। ସା’ରେ ମ୍ୟାଡମ ସାତ ତାରିଖରେ ଆସୁଛନ୍ତି। ଆମେ ଏକ ବଡ ଶୋଭାଯାତ୍ରାର ପ୍ରସ୍ତୁତ କରୁଛୁ। ସେଥିପାଇଁ ଟିକିଏ ବ୍ୟସ୍ତ ଅଛୁ। ଆମେ ପଚାରିଲୁ କାହିଁକି, ଏପରି ଶୋଭଯାତ୍ରା କରିବାର ମାନେ କଣ। ଆପଣ କଣ ବୁଝିପାରୁ ନାହିଁନ୍ତି। ସେମାନେ ମନ୍ତ୍ରୀ ହୋଇ ଆସିଲେ ଡିଣ୍ଡିମ ପିଟୁଛନ୍ତି। ଆମେ କାହିଁକି କରିବୁନି।
ଘଟଣାଟି ହେଲା ସେଇୟା। ସେମାନେ ଅର୍ଥଟା ଆମେ ବୁଝିଗଲୁ, ତେଣୁ ପ୍ରଶ୍ନ ପଚାରିଲୁ ନାହିଁ। ତେଣୁ ନିଶ୍ଚିତ ହେଲୁ ଯେ ବିମାନ ବନ୍ଦରରେ ସେମାନେ ଯେଉଁ ଢୋଲ ଢାଉଁ ଢାଉଁ କରି ପିଟିବେ ତାହା ଆଉ ଜଣଙ୍କ ହୃଦୟ ଯେପରି ଠକଠକ ହୋଇ ଫାଟି ପଡିବ। ତାହା ହିଁ କରିବାର ଉଦ୍ଦେଶ୍ୟ। ଭିତର କଥା ହେଲା ଅପରାଜିତାଙ୍କୁ କୌଣସି ଦଳୀୟ ପଦବୀ ଦିଆ ନ ଯାଉ ତାହା ଚେଷ୍ଠା କରାଯାଇ ଥିଲା। ହେଲେ ତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଯେତେବେଳେ ଏହି ପଦବୀଟି ମିଳିଛି ତାଠାରୁ ବଡ କଣ ହୋଇପାରେ। କେନ୍ଦ୍ରମନ୍ତ୍ରୀ ପଦଠାରୁ ଏହା ବେଶ୍ ବଡ ତାଙ୍କ ପାଇଁ।
ସେଥିପାଇଁ ଟିମ୍ ଅପରାଜିତା ପୁରା ଦମରେ ଲାଗିପଡିଛନ୍ତି କିପରି ତାଙ୍କ ଆସିବାଟା ସାରା ଓଡିଶାରେ ପ୍ରଭାବ ପକାଇବ। ସେଥିପାଇଁ ବଡ ନେତାଙ୍କ ପରି ସେ ଶୋଭାଯାତ୍ରାରେ ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଲିଙ୍ଗରାଜ ମନ୍ଦିର ଆସିବେ। ସେଠାରେ ସେ ପ୍ରଭୁ ଲିଙ୍ଗରାଜଙ୍କୁ ମୁଣ୍ଡିଆଟିଏ ମାରିବେ। ଏହାପରେ ସେ ପୁରୀ ଯିବେ, ସେଠାରେ ମଧ୍ୟ ମନ୍ଦିର ସମ୍ମୁଖରେ ଜଗନ୍ନାଥଙ୍କୁ ପ୍ରଣାମ କରିବେ। ଏହାକୁ ଟେଲିଭିଜନ ଏବଂ ସୋସିଆଲ ମିଡିଆରେ ଯେପରି ଜୋରସୋରରେ ପ୍ରଚାର ପ୍ରସାର କରାଯିବ ତାହାର ମଧ୍ୟ ବନ୍ଦୋବସ୍ତ ଚାଲିଛି।
ଏହି ପ୍ରସ୍ତୁତି ଭିତରେ ଆମେ ଦେଖିଲୁ ଏକ ଆଶ୍ଚର୍ଯ୍ୟ। ତାହା ହେଲା ତାଙ୍କର ଯେଉଁ ପୋଷ୍ଟର ବ୍ୟାନର ତିଆରି ଚାଲିଛି ସେଥିରେ ଓଡିଶାର କୌଣସି ନେତାଙ୍କ ଫଟୋ ନାହିଁ। କେବଳ ଅପରାଜିତାଙ୍କ ସହିତ ପ୍ରଧାନମନ୍ତୀ, ଅମିତ ସାହା ଏବଂ ଜେ.ପି ନଡ୍ଡାଙ୍କ ଫଟୋ ରହିଛି। ଏହି ଫୋଟରୁ ଯେଉଁମାନେ ବୁଝିବା କଥା ବୁଝିପାରିବେ। ଆମେ ମୁଣ୍ଡ ଖେଳାଇବା ଆବଶ୍ୟକ ନାହିଁ।
ସେଥିପାଇଁ ଆମେ ପୂର୍ବରୁ ଏହି ସମୀକ୍ଷାର ଏକ ସମୀକ୍ଷାରେ କହିଥୁଲୁ ଯେ, ‘ଡେଣା ମେଲାଇଲେ ସାଂସଦ ଅପରାଜିତା ଷଡଙ୍ଗୀ’।
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ପଦାଧିକାରୀଙ୍କ ନୂତନ ଟିମ୍ ଘୋଷଣା କରିଛି। ଦଳର ସଭାପତି ଜଗତ ପ୍ରକାଶ ନଡ୍ଡା କିଛି ସମୟ ପୂର୍ବେ ଏହାର ଘୋଷଣା କରିଛନ୍ତି। ଏଥର ବିଜେପିର ନୂତନ ଟିମ୍ରେ ସମସ୍ତ ରାଜ୍ୟର ଯୁବକ ଓ ମହିଳାଙ୍କୁ ସୁଯୋଗ ଦିଆଯାଇଛି।
ନଡ୍ଡାଙ୍କ ଟିମ୍ରେ 12 ଉପସଭାପତି, 8 ସାଧାରଣ ସଂପାଦକ, 13ରାଷ୍ଟ୍ରୀୟ ସଂପାଦକ ରହିଛନ୍ତି। ନଡ୍ଡାଙ୍କ ଟିମ୍ରେ ଚାରି ଓଡିଆଙ୍କୁ ସ୍ଥାନ ମିଳିଛି। ଘୋଷିତ 23 ଜଣିଆ ରାଷ୍ଟ୍ରୀୟ ପ୍ରବକ୍ତା ଓଡିଶାର ସମ୍ବିତ ପାତ୍ର ପୂର୍ବଭଳି ନିଜ ଦାୟିତ୍ଵରେ ଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତ ଷଡଙ୍ଗୀଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ମଧ୍ୟରେ ସ୍ଥାନ ମିଳିଛି। ଘୋଷିତ 13 ରାଷ୍ଟ୍ରୀୟ ସଂପାଦକ ମଧ୍ୟରେ ଓଡିଶାର ମୟୂରଭଞ୍ଜ ସାଂସଦ ବିଶେଶ୍ଵର ଟୁଡୁ ରହିଛନ୍ତି। ସେହିପରି ବୈଜୟନ୍ତ ପଣ୍ଡା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ।
ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ, ରଘୁବର ଦାସ, ମୁକୁଲ ରାୟ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀ ବେନ୍ ସିୟାଲ୍, ଡିକେ ଅରୁଣା, ଏମ୍. ଚୌବା ଏଓ, ଅବଦୁଲ୍ଲା କୁଟ୍ଟିଙ୍କୁ ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି । ଭୂପେନ୍ଦ୍ର ଯାଦବ, ଅରୁଣ ସିଂହ, କୈଳାସ ବିଜୟବର୍ଗୀୟ, ଦୁଷ୍ୟନ୍ତ ଗୌତମ, ଡି. ପୁରନ୍ଦେଶ୍ଵରୀ, ସିଟି ରବି, ତରୁଣ ଚୁଗ, ଦିଲ୍ଲୀପ ସାଇକିଆଙ୍କୁ ସାଧାରଣ ସଂପାଦକ ଦାୟିତ୍ଵ ଦିଆଯାଇଛି। ବିଏଲ ସନ୍ତୋଷଙ୍କୁ ଗୁରୁତ୍ଵପୂର୍ଣ୍ନ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି। ବି ସତିଶ, ସୌଦାନ ସିଂହ, ଶିବ ପ୍ରକାଶଙ୍କୁ ସହ ସଂଗଠନ ମହାମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି।
ସେହିପରି ରାଜେଶ ଅଗ୍ରଓ୍ବାଲଙ୍କୁ କୋଷାଧ୍ୟକ୍ଷ ଦାୟିତ୍ବ ମିଳିଥିବାବେଳେ ସୁଧୀର ଗୁପ୍ତାଙ୍କୁ ସହ କୋଷାଧ୍ୟକ୍ଷ ଦାୟିତ୍ବ ମିଳିଛି ।
ସେହିପରି ସମ୍ବିତ ପାତ୍ର ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ପଦ ବଜାୟ ରଖିଥିବାବେଳେ 23 ଜଣ ପ୍ରବକ୍ତାଙ୍କ ଭିତରେ ସ୍ଥାନ ପାଇଛନ୍ତି ଅପରାଜିତା ଷଡଙ୍ଗୀ । ଅନିଲ୍ ବଲ୍ଲୁନି, ସାହାନାଓ୍ବାଜ୍ ହୁସେନ୍, ରାଜୀବ ପ୍ରତାପ ରୁଡ୍ଡୀ ରହିଛନ୍ତି ।
କର୍ଣ୍ଣାଟକର ତେଜସ୍ବୀ ସୂର୍ଯ୍ୟା ହେଲେ ବିଜେପି ଯୁବମୋର୍ଚ୍ଚା ଅଧ୍ୟକ୍ଷ । କେ. ଲକ୍ଷଣ ଓବିସି ମୋର୍ଚ୍ଚ ଅଧ୍ୟକ୍ଷ ହୋଇଥିବାବେଳେ ରାଜକୁମାର ଚାହରଙ୍କୁ କୃଷକ ମୋର୍ଚ୍ଚା ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ଲାଲ୍ ସିଂ ଆର୍ଯ୍ୟଙ୍କୁ ଏସ୍ସି ମୋର୍ଚ୍ଚା ଅଧ୍ୟକ୍ଷ, ସମୀର ଓରାଓଁଙ୍କୁ ଜନଜାତି ମୋର୍ଚ୍ଚା ଅଧ୍ୟକ୍ଷ ଦାୟିତ୍ବ ମିଳିଥିବାବେଳେ ଜମାଲ ସିଦ୍ଧିକି ହେଲେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଅଧ୍ୟକ୍ଷ ।
ଭୁବନେଶ୍ବର : ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଫାଇନ୍ ଦେଇଛନ୍ତି । କୋଭିଡ୍ ନିୟମ ଭଙ୍ଗ ପାଇଁ ଫାଇନ ଦେଇଛନ୍ତି ସାଂସଦ ଅପରାଜିତା । ସ୍ବେଚ୍ଛାକୃତ ଫାଇନ୍ ଦେବା ନେଇ ଟ୍ବିଟ୍ରେ ଜଣାଇଛନ୍ତି ଅପରାଜିତା ଷଡଙ୍ଗୀ । ଲୋକଙ୍କ ଆବେଗକୁ ସମ୍ମାନ ଜଣାଇବା ସହ ଏହା ଭଲ ଲକ୍ଷଣ ବୋଲି କହିଲେ । କାଲି ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ ଅପରାଜିତା । ସେଠାରେ କିଛି ବିଜେପି ନେତା, କର୍ମୀ ଏକାଠି ହୋଇଥିଲେ । ଏକାଧିକ ଲୋକ ଏକାଠି ହେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ସୂଚନାଯୋଗ୍ୟ, ଭୁବନେଶ୍ବର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେଇଥିଲେ । ମାତ୍ର ତୁଙ୍ଗ ନେତୃବୃନ୍ଦଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏହି ଅବସରରେ ଜଗନ୍ନାଥ ପ୍ରଧାନଙ୍କ ଘରେ ଅପରାଜିତାଙ୍କ ସମେତ ଅନ୍ୟ ତୁଙ୍ଗ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହିଥିଲେ ।
ଭୁବନେଶ୍ବର, ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଯାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ନିକଟରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ସାଂସଦ ନୋମିନ୍ ଋଷଭ ନନ୍ଦଙ୍କୁ ବହିସ୍କାର କରି ଅନୁ ଚୌଧୁରୀଙ୍କୁ ନିଯୁକ୍ତି ଦେଲେ। ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରୁ ସାଂସଦ ନୋମିନ ପଦବୀର ଇସ୍ତଫା ଦେଇଛନ୍ତି ବିଜେପିର ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ। ଅପରାଜିତା ସାଂସଦ ଭାବେ ନିର୍ବାଚିତ ହେବା ପରେ ଜୟଦେବ ନିର୍ବାଚନ ମଣ୍ଡଳୀର ତାଙ୍କର ନୋମିନ୍ ଭାବେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ମାତ୍ର 8 ମାସ ପରେ ହଠାତ୍ ସାଂସଦଙ୍କ ନୋମିନ ପଦବୀରୁ ଇସ୍ତଫା ଦେଲେ ପୂର୍ଣ୍ଣଚନ୍ଦ୍ର। ଏ ସଂପର୍କରେ ପୂର୍ଣ୍ଣଚନ୍ଦ୍ର କୌଣସି ବିବୃତି ଦେଇ ନ ଥିଲେ ମଧ୍ୟ ଏକ ଲମ୍ବା ଇସ୍ତଫା ପତ୍ର ଅପରାଜିତାଙ୍କ ପାଖକୁ ପଠାଇ ଦେଇଛନ୍ତି ।
ଘଟଣାରୁ ଜଣାପଡିଛି ଯେ, ଅପରାଜିତା କୁଆଡେ ପୁରୁଣା ନେତାମାନଙ୍କୁ ପସନ୍ଦ କରୁ ନାହାଁନ୍ତି। ଥରେ ସେ ପୂର୍ଣ୍ଣଚନ୍ଦ୍ରଙ୍କୁ ଡାକି ପରୋକ୍ଷରେ ବର୍ତ୍ତମାନ ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଭଲ ଲୋକଙ୍କୁ ନେବାକୁ ପରୀକ୍ଷା କରୁଛି ବୋଲି କହିଲେ। ଏହି କଥାଟି କୁଆଡେ ପୂର୍ଣ୍ଣଚନ୍ଦ୍ରଙ୍କୁ ଭଲ ଲାଗିଲା ନାହିଁ। ସେ ନିଜେ ତାଙ୍କର ନୋମିନ ଭାବେ କାମ କରୁଛନ୍ତି ପୁଣି ଜଣେ ଭଲ ଲୋକର କଣ ଆବଶ୍ୟକ ପଡିଲା ବୋଲି ପୂର୍ଣ୍ଣଚନ୍ଦ୍ର ଅପରାଜିତାଙ୍କୁ ଅବଗତ କରାଇଥିଲେ। ହେଲେ ଅପରାଜିତାଙ୍କ ଏପରି କହିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଭଲ ଲାଗି ନ ଥିଲା। ସେ ଘରକୁ ଆସି ଏକ ଲମ୍ବା ଇସ୍ତଫା ପତ୍ର ଲେଖି ଅପରାଜିତାଙ୍କ ପାଖକୁ ପଠାଦେଲେ।
ପୂର୍ଣ୍ଣଚନ୍ଦ୍ର ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମ୍ୟାଡମ ମୁଁ ରାଜନୀତିକୁ ଆସିବା ପୂର୍ବରୁ ପ୍ରଫେସର ଭାବେ କାମ କରୁଥିଲି। ସେହି ସମୟରେ ମୁଁ ନିଜେ ଅନେକ ପରୀକ୍ଷା ପରିଚାଳନା କରିଛି। ତେଣୁ ପରୀକ୍ଷା ପରିଚାଳନା କରୁଥିବା ଲୋକ ଆଉ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ। ତଥାପି ଜୀବନ ସାରା ପରୀକ୍ଷା ଦିଆଯାଏ। ଆପଣ ପରୀକ୍ଷା କରନ୍ତୁ, ହେଲେ ତା ପୂର୍ବରୁ ଆପଣଙ୍କ ନୋମିନ ପଦରୁ ମୋତେ ଅବ୍ୟାହିତ ଦିଅନ୍ତୁ। ଏହି ଚିଠି ବର୍ତ୍ତମାନ ବିଜେପିର ଗୋଟିଏ ଗୋଷ୍ଠୀ ନେତାଙ୍କ ମଧ୍ୟରେ ବେଶ୍ ଆଲୋଚନାର ବିଷୟ ପାଲଟିଛି।
ପୂର୍ବରୁ ଅପରାଜିତା, ବେଗୁନିଆ ନିର୍ବାଚନ ମଣ୍ଡଳୀର ନୋମିନ୍ ପଦବୀରୁ ଋଷଭ ନନ୍ଦଙ୍କୁ ବହିସ୍କାର କରି ତାଙ୍କ ସ୍ଥାନରେ ଚଳଚିତ୍ର ଅଭିନେତ୍ରୀ ଅନୁ ଚୈଧୁରୀଙ୍କୁ ନିଯୁକ୍ତି ଦେଇଥିଲେ। ଏ ସଂପର୍କରେ ଋଷଭଙ୍କୁ କୈଣସି କୈଫତ ମଧ୍ୟ ମଗା ଯାଇ ନ ଥିଲା। ହେଲେ ଭିତିରିଆ ଖବର ଅନୁସାରେ ଋଷଭଙ୍କ ଏକ ଭଏସ ମେସେଜ ତାଙ୍କ ବହିସ୍କାର ପାଇଁ କାରଣ ହେଲା ବୋଲି କୁହାଯାଉଛି। ସେହି ଭଏସ ମେସେଜରେ ଋଷଭ କୁଆଡେ ତାଙ୍କ ମିଟିଂରେ ବୋମା ଫୁଟାଅ ବୋଲି କହିଥିଲେ। ସେଥିରେ ସେ କାହା ମିଟିଂ ବୋଲି ନାମ ନେଇ ନ ଥିଲେ ମଧ୍ୟ ତାହା ଅପରାଜିତାଙ୍କ ମିଟିଂ ବୋଲି ଅନେକ ଗ୍ରହଣ କରଥିଲେ। ଏହି ଖବର ଅପରାଜିତାଙ୍କ ପାଖକୁ ଆସିବା ପରେ ସେ କୁଆଡେ ତାଙ୍କୁ ତୁରନ୍ତ ବହିସ୍କାର କରି ଅନୁଙ୍କୁ ନିଯୁକ୍ତି ଦେଇଦେଲେ।
ଦିନକୁ ଦିନ ଅପରାଜିତାଙ୍କ ଏପରି କଡା ଶାସନକୁ ନେଇ ଅନେକ ବିଜେପି ନେତା ବିତସ୍ପୃହ ହୋଇପଡିଲେଣି ବୋଲି ଜଣାପଡିଛି। ତାଙ୍କର ଏହି ମନମୁଖୀ ନିଷ୍ପତି ଯୋଗୁଁ ଆଜି ପର୍ଯ୍ୟନ୍ତ ଦଳର ଭୁବନେଶ୍ବର ଜିଲ୍ଲା ସଭାପତି ଭାବେ କାହାକୁ ନିଯୁକ୍ତି ଦିଆଯାଇ ପାରୁ ନାହିଁ। ସେହିପରି ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀର ସଭାପତି ନେଇ ଅପରାଜିତା ଅଡି ବସିବାରୁ ତାଙ୍କ ଅନୁସାରେ ସେଠାରେ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଭୁବନେଶ୍ବର ପାଇଁ ଅଙ୍କ ଛିଣ୍ଡି ନ ଥିବାରୁ ଏ ପର୍ଯ୍ୟନ୍ତ କାହାକୁ ସଭାପତି ଭାବେ ନିଯୁକ୍ତି ଦିଆଯାଇ ପାରୁ ନାହିଁ।
ସାଂସଦ ହେବାର ମାତ୍ର ବର୍ଷଟିଏ ବିତି ନାହିଁ, ହେଲେ ଅପରାଜିତାଙ୍କ ଏପରି ଆକ୍ସନ ମୋଡ୍ ରେ କାମ କରିବାକୁ ନେଇ ବହୁ ବେଜିପି ନେତା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ହେଲେ ଅପରାଜିତା ସିଧା କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଯୋଗାଯୋଗରେ ଥିବାରୁ ତାଙ୍କ ବିରୋଧରେ ଦଳର ପାୱାର ଫୁଲ ଗୋଷ୍ଠୀ ମଧ୍ୟ କରିଛି କରିପାରୁ ନାହିଁନ୍ତି। ଫଳରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଥିବା ବିଜେପିର ପୁରୁଣା ନେତାମାନେ ଅପରାଜିତାଙ୍କଠାରୁ ଦୂରେଇବାକୁ ବସିଲେଣି।
ସୁରତକୁ ବିମାନ ଚଳାଚଳ କରିଥିବାରୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସୁରତ ପ୍ରବାସୀ ଓଡିଆ ସମାଜ ତରଫରୁ ଦିଆଯାଇଛି ସମ୍ବର୍ଦ୍ଧନା। ଅପରାଜିତାଙ୍କ ଉଦ୍ୟମରେ ଭୁବନେଶ୍ବରରୁ ସୁରତକୁ ବିମାନ ସେବା ଆରମ୍ଭ ହୋଇପାରିଛି।