Categories
ଆଞ୍ଚଳିକ

ଡଇଁଚା ରାମେଶ୍ବର ବାବା ମନ୍ଦିର ପ୍ରତିଷ୍ଠା ଉତ୍ସବ

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ଥିବା ରାମେଶ୍ବର ମନ୍ଦିର ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ପାଳିତ ହୋଇଯାଇଛି। ଏହି ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ କଳସ ଯାତ୍ରା କରାଯାଇଥିଲା। ପ୍ରଥମ ଦିବସରେ ଗ୍ରାମର ୩୦୦ରୁ ଉର୍ଦ୍ଧ୍ବ ମହିଳା ପୁରଷ ସାମିଲ୍ ହୋଇଥିଲେ। ଦ୍ବିତାୟ ଦିବସରେ ଠାକୁରଙ୍କ ମଣ୍ଡପ ପ୍ରବେଶ ତଥା ପୂଜାର୍ଚ୍ଚନା କରାଯାଇଥିଲା।

ତୃତୀୟ ଦିବସରେ ପ୍ରାଣପ୍ରତିଷ୍ଠା ଉତ୍ସବ ଏବଂ ସ୍ଥିରୀ କରଣ କର୍ମ କରାଯାଇଥିଲା। କର୍ତ୍ତା ଭାବରେ ଗ୍ରାମର ଗୋରଚନ୍ଦ୍ର ପ୍ରଧାନ ଓ ସୀତା ପ୍ରଧାନ କାର୍ଯ୍ୟ ତୁଲାଇଥିଲେ। ହଜାର ହଜାର ରାମେଶ୍ବର ବାବାଙ୍କ ଭକ୍ତ ଯୋଗ ଦେଇଥିଲେ। ପ୍ରତି ଦିନ ନାମ ସଂକୀର୍ତ୍ତନ କରାଯାଇ ଥିଲା।

ଦ୍ବିତୀୟ ଦିବସରେ ସମ୍ବଲପୁର ଦିବ୍ୟାଙ୍ଗ କଳାକାରମାନଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା। ତୃତୀୟ ଦିବସରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ , ରେଢାଖୋଲ ଶାଖା ତରଫରୁ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା।  ଦୀପ କାହିଁକି ଜଳାଇଥାନ୍ତି। ଦୀପ ଜାଳିବା ଦ୍ବାରା କଣ ଉପକାର ମିଳେ ସେ ସଂପର୍କରେ ମଂଜୁ ଭଉଣୀ ବକ୍ତବ୍ୟ ରଖିଥିଲେ।

ଡଇଁଚା ତଥା ଆଖପାଖ ଅଂଚଳ ସମେତ ରେଢାଖୋଲ, କିସିଣ୍ଡା, ନାକଟିଦେଉଳ, ସମ୍ବଲପୁର ଆଦି ଅଂଚଳରୁ ହଜାର ହଜାର ଭକ୍ତ ଯୋଗଦେଇଥିଲେ। ଏହି ପ୍ରତିଷ୍ଠା ଉତ୍ସବକୁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଜେପିର ଗୋଗିନ୍ଦ ଅଗ୍ରଓ୍ବାଲ, ଅବସରପ୍ରାପ୍ତ ପ୍ରଶାସନୀକ ଅଧିକାରୀ ପ୍ରମୋଦ ବେହେରା, ରେଢାଖୋଲ ଵ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଅଧ୍ୟୟନ ଓ ତାଲିମ୍ ଶିବିର

କନ୍ଦର୍ପ ବେହେରା
ରେଢାଖୋଲ: ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଡଇଁଚାରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ରେଡ୍ କ୍ରସ୍ ଅଧ୍ୟୟନ ଓ ତାଲିମ୍ ଶିବିର ଉଦଘାଟନ ହୋଇ ଯାଇଛି। ଏହି ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ରେଡ୍ କ୍ରସ୍ ସୋସାଇଟିର ଅଧ୍ୟକ୍ଷା ମୀନାରାଣୀ ମଣ୍ଡଳ ସଭାପତିତ୍ବ କରିଥିଲେ।

ଶିବିରରେ ନାକଟିଦେଉଳ ବ୍ଲକ୍ ଶିକ୍ଷା ଅଧିକାରୀ ବିଜୟ ପାତ୍ର, ଡିପିଇଓ ସୁଜାତା ପଟ୍ଟନାୟକ, ପୂର୍ବତନ ଶାରୀରିକ ଶିକ୍ଷା ପରିଦର୍ଶକ ଜଗବନ୍ଧୁ ବେହେରା, ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପଣ୍ଡା, କିସିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଏହି କ୍ୟାମ୍ପର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ।

ଏହି ଶିବିରର ପୋଗ୍ରାମ୍ ଅଫିସର ନରେନ୍ଦ୍ର କୁମାର ଦେହୁରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଶ୍ବାମିତ୍ର ଦୀପ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିର ୩ ଦିନ ଧରି ଚାଲିବା ସହ ଶିବିରରେ ୫୦ ଟି ବିଦ୍ୟାଳୟର ୨୦୯ ଜଣ ଛାତ୍ର ଛାତ୍ରୀ ଯୋଗଦେଇଛନ୍ତି। ପ୍ରତି ଦିନ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ହେବା ସହ ନୃତ୍ୟ, ସଂଗୀତ ପରିବେଷଣ କରିବେ ଛାତ୍ର ଛାତ୍ରୀମାନେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୩ ଚୋରକୁ ଧରିଲା ପୋଲିସ୍, ୨ ବାଇକ୍ ଜବତ

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରେଢାଖୋଲ ଥାନା ଡଇଁଚା ନିକଟସ୍ଥ ହିନ୍ତରାଇ ଛକରୁ ଅପରାହ୍ନ ୩ ଟାରେ ଏକ ବାଇକ୍ ଚୋରି ହୋଇ ଯାଇଥିବା ବେଳେ ଚୋରକୁ ପୋଲିସ୍ ଲୁହାପଙ୍କ ନିକଟରୁ ଧରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା ମୁଟୁରୁମୁଣ୍ଡା ଗ୍ରାମର ସୁନୀଲ୍ ତିର୍କି ଡଇଁଚା ନିକଟସ୍ଥ ହିନ୍ତରାଇ ଛକ ଠାରେ ଜନୈକ ନର୍ମାଣଧିନ କୋଠାର ପଥର କାମ କରୁଥିଲେ। ଅପରାହ୍ନ ୩ ଟାରେ କାମ ସାରି ଦେଖିଲା ବେଳକୁ ତାଙ୍କର ବାଇକ୍ ନ ଥିଲା। ସେ ସଙ୍ଗେ ଫୋନ୍ କରି ଜଣାଇବାରୁ ତାଙ୍କ ଗ୍ରାମର କେତେଜଣ ବ୍ୟକ୍ତି ବାଇକ୍‌କୁ ୩ ଜଣ ନେଉଥିବାର ଖବର ପାଇ ଦଉଡାଇଥିଲେ। ଡମିରିକୁଦା ନିକଟରେ ସେମାନଙ୍କୁ ପିଚ୍ଛା କରି ବାଇକକୁ ଅଟକାଇଥିଲେ ଚୋରମାନେ ସେଠାରୁ ବାଇକ୍ ଛାଡି ଫେରାର୍ ହୋଇଯାଇଥିଲେ।

ପୋଲିସ୍ ଖବର ପାଇ ଲୁହାପଙ୍କ ନିକଟରୁ ଚୋରମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଗିରଫ ଚୋରମାନେ ହେଲେ ସମ୍ବଲପୁର ଜଗନ୍ନାଥ କଲୋନୀର ଦେବେନ୍ଦ୍ର ନାଏକ , ଗୋବିନ୍ଦ ପୁହାଣ ,ଏବଂ କାହ୍ନା ନାଏକ ସେମାନଙ୍କ ନାମରେ ପୂର୍ବରୁ ବହୁ ଅପରାଧରେ ଅଇଁଠାପାଲି ଥାନାରେ ଏକାଧୀକ ମାମଲା ରହିଥିବା ପୋଲିସ୍ କହିଛି। ପୋଲିସ୍ ବାଇକ୍ ୨ ଟିକୁ ଜବତ ମଧ୍ୟ କରିଛି। ରେଢାଖୋଲ କେସ୍ ନଂ ୧୪୫ ୧୭/୬ ୟୁ/ଏସ୍ ୩୭୯ /୩୪ ଆଇପିସି ରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ୍।

Categories
ଆଞ୍ଚଳିକ

ଡଇଁଚାରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ସାହେବୀ ୨-୦ ରେ ବିଜୟୀ

କନ୍ଦର୍ପ ବେହେରା

ରେଢାଖୋଲ: ପତିତବାନ ୟୁଥ୍ କ୍ଲବ୍, ଡଇଁଚା ଆନୁକୁଲ୍ୟରେ ମକର ସଂକ୍ରାନ୍ତି ଉପଲକ୍ଷେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରୀ ମନ୍ଦିର ଠାରେ ଥିବା ପଡିଆରେ ଅନୁଷ୍ଠିତ ହୋଇଥଲା। ଏହି ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ଡଇଁଚା, ସାହେବୀ, ବାଟଗାଁ ଓ ଛତ୍ରପୁର ଭଲିବଲ୍ ଟିମ୍ ଭାଗ ନେଇଥିଲେ।

ଡଇଁଚା ଓ ସାହେବୀ ମଧ୍ୟରେ ଫାଇନାଲ୍ ଖେଳ ଅନୁଷ୍ଠିତ ହୋଇଥିଲା। ସାହେବୀ ଭଲିବଲ୍ ଟିମ୍ ୨-୦ ରେ ବିଜୟୀ ହୋଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ର ଖେଳ ଶିକ୍ଷକ ନରେନ୍ଦ୍ର କୁମାର ଦେହୁରୀ, ସମ୍ମାନୀତ ଅତିଥି ଭାବରେ ଲୋକନାଥ ସାହୁ, ଗଣନାଥ ପ୍ରଧାନ ଓ ବିଶୁ ମହାରଣା ଯୋଗଦେଇ ଚମ୍ପିଆନ୍ ସାହେବୀ ଦଳକୁ ଟ୍ରଫି ସହ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ।

ରର୍ନସ୍‌ଅପ୍ ଡଇଁଚା ଭଲିବଲ୍ ଟିମ୍ କୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଖେଳକୁ ରେଫରି ଭାବରେ କରେନ୍ କୁମାର ପ୍ରଧାନ ଓ ଅରୁଣ କୁମାର ପ୍ରଧାନ ଖେଳ ପରିଚାଳନା କରିଥିଲେ। ବିଶୁ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାପୁଜୀ ସରାକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି।

ଏହି କ୍ରୀଡା ଉତ୍ସବକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜିତେନ୍ଦ୍ରୀୟ ପ୍ରଧାନ ଉଦ୍‌ଘାଟନ କରିଥିଲେ। ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ନାକଟିଦେଉଳ ତହସିଲ୍‌ଦାର ଇଂ ସୁକାନ୍ତ କୁମାର ନାଏକ , ସମ୍ମାନୀତ ଅତିଥି ଭାବରେ ଡଇଁଚା ଗ୍ରାମ ପଂଚାୟତର ସରପଂଚ ସୌଦାମିନୀ ପ୍ରଧାନ , ଡଇଁଚା ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରବୀଣ କୁମାର ପ୍ରଧାନ , ମୁଖ୍ୟ ବକ୍ତା ଭାବରେ କିସିଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜିତେନ୍ଦ୍ରୀୟ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

କ୍ରୀଡା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଦିଆଯାଇଥିବା ବେଳେ ଚମ୍ପିଆନ୍ ଛାତ୍ରଛାତ୍ରୀମାନଙ୍କୁ ମେଡାଲ୍ ପ୍ରଦାନ କରାଯାଇଥିଲା। ବାଳକ ବିଭାଗ ବରିଷ୍ଠ ବର୍ଗରେ ହରଜିତ୍ ପ୍ରଧାନ, ବାଳକ ବିଭାଗ କନିଷ୍ଠ ବର୍ଗରେ ଆଲୋକ କୁମାର ପ୍ରଧାନ , ବାଳିକା ବରିଷ୍ଠ ବର୍ଗରେ ଚେମିଲି ବିଶ୍ୱାଳ, ବାଳିକା କନିଷ୍ଠରେ ବବିତା ମାହାର ଚମ୍ପିଆନ୍ ହୋଇଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ରେଣୁକା ସାହୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଖେଳ ଶିକ୍ଷକ କୁମୁଦବନ୍ଧୁ ସାହୁ ଖେଳ ପରିଚାଳନା କରିଥିବା ବେଳେ ଶିକ୍ଷକ ହଳଧର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଶିକ୍ଷକ ମଧୁସୂଦନ ରାଉଳ, ତାପସ କୁମାର ପାଢୀ, ପ୍ରଜ୍ଞାପାରମିତା ସାହୁ, ଦେବଦତ ସାହୁ ଦିଲ୍ଲୀପ କୁମାର ପାଣିଗ୍ରାହୀ, ପବିତ୍ର ମୋହନ ପ୍ରଧାନ ପମୁଖ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯାଗ କରିଥିଲେ। ଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବସୁନ୍ଧରା ଯୋଜନା ଏକ ପ୍ରହସନ!: ଡଇଁଚାରେ ଓଭର୍ ହେଡ୍ ପାଣି ଟାଙ୍କିରୁ ପାଣି ମିଳିବ କେବେ?

କନ୍ଦର୍ପ ବେହେରା
ରେଢ଼ାଖୋଲ: ସରକାର ଗ୍ରାମାଂଚଳରେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇବା ପାଇଁ ଓଭର୍ ହେଡ୍ ପାଣି ଟାଙ୍କି ତିଆରି କରି ସେଥିରୁ ଲୋକମାନଙ୍କୁ ପାଣିଯୋଗାଇବା ପାଇଁ ବସୁନ୍ଧରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଗ୍ରାମ୍ୟଜଳଯୋଗାଣ ବିଭାଗର ଅଧିକାରୀ ମାନଙ୍କର ଉଦାସିନତା ତଥା ମନମୁଖି କାର୍ଯ୍ୟଯୋଗୁଁ ଗ୍ରାମାଂଚଳରେ ଲୋକମାନେ ପାଣି ମୁନ୍ଦାଏ ପାଇବାରୁ ବଂଚିତ ହେଉଛନ୍ତି।

ସେମିତି ଏକ ଗାଁ ରହିଛି ଯାହାକି ପାଣି ଟାଙ୍କି ଥାଇବି ଲୋକମାନେ ମୁନ୍ଦାଏ ପାଣି ପାଇବାରୁ ବଂଚିତ ହେଉଛନ୍ତି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ସରକାରଙ୍କ ବସୁନ୍ଧରା ଯୋଜନାରେ ନିକଟସ୍ଥ ହାଟପଦା ଠାରେ ଏକ ଓଭର୍ ହେଡ଼୍ ଟାଙ୍କି ବିଗତ ୪ ବର୍ଷ ହେଲା ତିଆରି ହୋଇରହିଛି। ୪ ବର୍ଷ ହେଲା ଟାଙ୍କିକୁ ପାଣି ଉଠା ଯାଇ ଲୋକମାନଙ୍କ ପାଖରେ ପହଂଚି ପାରିଲା ନାହିଁ।

ବିଶ୍ବସ୍ତ ସୂତ୍ରରୁ ଖବର ହସ୍ତଗତ ହୋଇଛି ଯେ, ଓଭର ହେଡ଼୍ ଟାଙ୍କିକୁ ପାଣି ଉଠାଗଲେ ଟାଙ୍କିଟି ଭୁଶୁଡ଼ି ଯିବାର ସଂଭାବନା ଥିବାରୁ ବିଭାଗର ସମ୍ପୃକ୍ତ ଜେ.ଇ ପାଣି ଚଢ଼ାଉ ନାହାନ୍ତି। ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଏହି ଓଭର ହେଡ ଟାଙ୍କି ସରକାରଙ୍କ ବସୁନ୍ଧରା ଯୋଜନାରେ ତିଆରି ହୋଇଛି।

ଡଇଁଚା ଗ୍ରାମର ତାଟକା ପଶି, ଉପରସାହି, ପଧାନସାହି ଆଦିରେ ଆବଶ୍ୟକ କୂପ ନ ଥିବାରୁ ଲୋକମାନେ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି। ମୋଟର ସରୁ ପାଇପ୍ ସାହାଯ୍ୟରେ ଯାହା ବି ପାଣି ଆସୁଚି ଅଧ ବାଟରେ କେତେ ଜଣ ବ୍ୟକ୍ତି ଟୁଲୁ ମୋଟର ଲଗାଇ ପାଣି ଟାଣି ନେଉଥିବାର ଅଭିଯୋଗ ହେଉଛି। ମାତ୍ର ୪ରୁ ୫ ଘର ପାଣି ପାଉଛନ୍ତି। ବାକି ଲୋକ ପାଣି ଚୋରି ହେଉଥିବାରୁ ପାଇପାରୁ ନାହାନ୍ତି।

କେତେଜଣ ଗ୍ରାହକ ମନଇଛା ବଡ ବଡ ହୋଲ୍ କରି ପାଇପ୍ ସଂଯୋଗ କରି ପାଣି ନେଉଥିବାରୁ ସବୁ ଆଡ଼େ ପାଣି ପହଂଚି ପାରୁନାହିଁ। ଏପରିକି କୂପରେ ପାଇପ୍ ଦ୍ବାରା ପାଣି ପକାଯାଉଛି। ଏ ପାଣି ଚୋରୀ ସଂପର୍କରେ ବିଭାଗୀୟ ଅଧିକାରୀ କିଛି ମୋଟା ଅଙ୍କର ଫାଇଦା ପାଇ ନିରବ ଦ୍ରଷ୍ଟା ସାଜିଛନ୍ତି। ଶିଘ୍ର ଏହାର ସମାଧାନ କରି ଲୋକଙ୍କୁ ପାଣି ଯୋଗାଇଦେବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Categories
ଆଞ୍ଚଳିକ

ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ର ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ବ୍ଲକ୍ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱବରେ ଅନୁଷ୍ଠିତ ସଭାରେ ନାକଟିଦେଉଳ ପଂଚାୟତ ସମିତିର ଅଧ୍ୟକ୍ଷା ସ୍ୱରୁପାରାଣୀ ସାହୁ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବରେ ଡଇଁଚା ସରପଂଚ ସୌଦାମିନୀ ପ୍ରଧାନ, ଡଇଁଚା ସମିତି ସଭ୍ୟ ପ୍ରବୀଣ କୁମାର ପ୍ରଧାନ, ଗୋଷ୍ଠି ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର, ଡଇଁଚା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ଓ ମୁଖ୍ୟବକ୍ତା ଭାବରେ ନାକଟିଦେଉଳ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଅମୂଲ୍ୟରତ୍ନ ମହନ୍ତ ଯୋଗ ଦେଇ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ତଥା ବିଜ୍ଞାନ ମେଳା ଦ୍ୱାରା ପିଲାମାନେ କଣ ସବୁ ଜ୍ଞାନ ଅର୍ଜନ କରିପାରିବେ ସେ ସଂପର୍କରେ ମତବ୍ୟକ୍ତ କରିଥିଲେ।

ନାକଟିଦେଉଳ ବ୍ଲକ୍ ର କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ୧୨୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସିନିୟର ବିଭାଗରେ ୨୦ ଟି ,ଜୁନିୟର ବିଭାଗରେ ୫୨ ଟି ଏବଂ ସବ୍ ଜୁନିୟର ବିଭାଗରେ ୫୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ବିଜ୍ଞାନ ମେଳାରେ କୃତି କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରଦର୍ଶିତ ଶ୍ରେଷ୍ଠପ୍ରୋଜେକ୍ଟକୁ ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲା। ସହକାରୀ ଶିକ୍ଷକ ଘନଶ୍ୟାମ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମା’ ଭୁବନେଶ୍ୱରୀ ବନ ସୁରକ୍ଷା ସମିତିକୁ ବିଜୁ ପଟ୍ଟନାୟକ ପୁରସ୍କାର ୨୦୨୧ ପ୍ରଦାନ

କନ୍ଦର୍ପ ବେହେରା 
ରେଢାଖୋଲ: ଜଙ୍ଗଲ ସୁରକ୍ଷା ଦିଗରେ ତଥା ପଶୁ ପକ୍ଷୀମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବନବିଭାଗ ଶ୍ରେଷ୍ଠ ବନସୁରକ୍ଷା ସମିତି ମାନଙ୍କୁ ପୁରସ୍କାର ପ୍ରଦାନ କରୁଛନ୍ତି। ଜଙ୍ଗଲ ସୁରକ୍ଷା ତଥା ପଶୁମାନଙ୍କର ସୁରକ୍ଷା ପାଇଁ ରେଢାଖୋଲ ବନଖଣ୍ଡର ଡଇଁଚା ଗ୍ରାମରେ ଥିବା ମା’ ଭୁବନେଶ୍ୱରୀ ବନସୁରକ୍ଷା ସମିତି ୨ ବର୍ଷ ହେଲା କାମ କରିଆସୁଛି। ରାଜ୍ୟ ସରକାର ଏଥିପାଇଁ ଡଇଁଚାର ମା’ ଭୂବନେଶ୍ୱରୀ ବନସୁରକ୍ଷା ସମିତିକୁ “ବିଜୁପଟ୍ଟନାୟକ ପୁରସ୍କାର ୨୦୨୧” ପ୍ରଦାନ କରିଛନ୍ତି।

ସମ୍ବଲପୁର ସ୍ଥିତ ଡିଅରପାର୍କ ଠାରେ ଥିବା ବନବିଭାଗର କାର୍ଯ୍ୟାଳୟରେ ନଗଦ ଅର୍ଥ ସହ ସାର୍ଟିଫିକେଟ ସିସିଏଫ୍ ଚିତରଞନ ମିଶ୍ର ଏବଂ ପଦାଧିକାରୀମ଼ାନଙ୍କ ଗହଣରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମା’ ଭୁବନେଶ୍ୱରୀ ବନସୁରକ୍ଷା ସମିତିର ସଭାପତି ସନ୍ତୋଷ କୁମାର ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

କନ୍ଦର୍ପ ବେହେରା
ରେଢାଖୋଲ: ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଣ୍ଡଳ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂପର୍କରେ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିଥିଲେ। ବିଦ୍ୟାଳୟରେ ଅଭାବ ଥିବା ଶିକ୍ଷକ ତଥା ଅନ୍ୟାନ୍ୟ ପଦବୀ ଓ ଶ୍ରେଣୀ ପ୍ରକୋଷ୍ଠ ସଂପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ସୂଚନା ଦେଇଥିଲେ। ଶିକ୍ଷକମାନେ ଅନଲାଇନ୍‌ରେ ପିଲାମାନଙ୍କୁ ପାଠପଢାଇବା ଉପରେ ଗୁରୁତ୍ୱ ଦେବା ସହ ଅଧିକ ବିଦ୍ୟାର୍ଥୀ କିପରି ଭାଗ ନେଇ ପାରିବେ ସେ ଉପରେ ଗୁରୁତ୍ୱ ଦେଇଥିଲେ।

ବିଦ୍ୟାଳୟରେ ଚାଲି ଥିବା କୋଠା ଓ ଅନ୍ୟାନ୍ୟ ନିର୍ମାଣ କାମର ପରିଦର୍ଶନ କରିଥିଲେ। ବିଦ୍ୟାଳୟ ପରିଦର୍ଶନ ଅବସରରେ ବିଦ୍ୟାଳୟ ପରିସରରେ ଶିକ୍ଷା ଅଧିକାରୀ ଚନ୍ଦନ ଗଛ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା କର୍ମଚାରୀ ଯୋଗଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଡେପୁଟେସରେ ଶିକ୍ଷକ ଓ କିରାଣୀ: ଡଇଁଚା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡି

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଶିକ୍ଷା ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୈାଣସି ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିବ ନାହିଁ ବୋଲି ଡିଣ୍ଡିମ ମଧ୍ୟ ପିଟୁଛନ୍ତି। ଉନ୍ନତ ମାନର ଶିକ୍ଷା ପାଇଁ ଶିକ୍ଷକମାନଙ୍କୁ ଉନ୍ନତ ମାନର ତାଲିମ ମଧ୍ୟ ଦିଆଯାଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଶିକ୍ଷାର ମାନ ଦିନକୁ ଦିନ ବଦଳି ଯାଉଛି। କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ପିଅନ ଓ କିରାଣୀ ଅଭାବ ପରିଲକ୍ଷିତ ହେଉଛି। ସରକାର ଏଥିପ୍ରତି ଟିକିଏ ବି ଧ୍ୟାନ ଦେଉ ନାହାନ୍ତି ବୋଲି ଅଭିଯୋଗ ମଧ୍ୟ ହେଉଛି।

ସେମିତି ଏକ ବିଦ୍ୟାଳୟ ରହିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ଥିବା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ। ଦିନକୁ ଦିନ ଶିକ୍ଷକ ପଦବୀ ଖାଲି ପଡିବାରେ ଲାଗିଛି। ସରକାର ମଡେଲ ସ୍କୁଲ ଭାବରେ ଘୋଷଣା ମଧ୍ୟ କରିସାରିଛନ୍ତି। ପ୍ରଶାସନୀକ ଅଧିକାରୀମାନେ ଗସ୍ତ ପରେ ଗସ୍ତ ଏଇ ବିଦ୍ୟାଳୟକୁ କରୁଛନ୍ତି। ହେଲେ ଶିକ୍ଷକ ଅଛନ୍ତି ନା ନାହିଁ ସେ ଉପରେ ଧ୍ୟାନ ନାହିଁ। ଖାଲି ଘର, ଖେଳ ପଡିଆ ଆଦିକୁ ଗୁରୁତ୍ୱର ସହ ନେଇ ଅଧିକାରୀ ମାନେ ତୋଫାନୀ ଗସ୍ତ କରୁଛନ୍ତି।

ପ୍ରଶାସନୀକ ଅଧିକାରୀମାନେ କାହିଁକି ଏଇ ବିଦ୍ୟାଳୟକୁ ବିଷ ଚକ୍ଷୁରେ ଦେଖୁଛନ୍ତି ତାହା ଏଠାକାର ଅଭିଭାବକମାନେ ଜାଣି ପାରୁ ନାହାନ୍ତି। ରାତା ରାତି ବଦଳି ପାଲା, ଡେପୁଟେସନ୍ ପାଲା ଏଠି ଚାଲେ।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ଏସ୍ ବି ପି –ଏ -୩୭୪ ନ୪୪୩୩ (ତା ୨୫/୩/୨୦୨୧ ) ଓ ବ୍ଲକ୍ ଶିକ୍ଷା ଅଧିକାରୀ ନାକଟିଦେଉଳଙ୍କ ପତ୍ର ସଂଖ୍ୟା ୬୯୭/୦୭/୦୪/୨୦୨୧ ଅନୁଯାୟୀ ଗତ ୮ ଅପ୍ରେଲ ୨୦୨୧ ରେ ଶିକ୍ଷୟତ୍ରୀ ସଂଧ୍ୟାରାଣୀ ବିଶିଙ୍କୁ ଶିକ୍ଷା ବିଭାଗର ଅଧିକାରୀମାନେ ଏଠାରୁ ରେଢାଖୋଲ ବ୍ଲକ୍ ବାରବାଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଇଦେଇଛନ୍ତି। ବାରବାଙ୍କର ଏହି ବିଦ୍ୟାଳରେ ୮ ଜଣ ଶିକ୍ଷକ ଥିବା ବେଳେ ଡଇଁଚା ନୋଡାଲ ଉଚ୍ଚ ବିଦ୍ୟାଳୟରୁ କାହିଁକି ଜଣେ ଶିକ୍ଷୟତ୍ରୀକୁ ଡେପୁଟେସନରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ ପଠାଇଲେ ତାହା ସନ୍ଦେହ ହେଉଛି।

ଡଇଁଚା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ବାପୁଜୀ ଉଚ୍ଚ ବିଦ୍ୟାଳୟ କେବେଠୁ ମିଶ୍ରଣ ହେଲାଣି। ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ୪ ଜଣ ଶିକ୍ଷକ ନିଯୁକ୍ତି ଦେଇଥିଲେ। ଗତ ବର୍ଷ ୨ ଜଣ ଶିକ୍ଷକ ଥିଲେ। ହେଲେ ଆଉ ଜଣେ ଶିକ୍ଷୟତ୍ରୀକୁ ଅନ୍ୟତ୍ର ଡେପୁଟେସରେ ପଠାଇ ଦେବା ଯୋଗୁଁ ବର୍ତ୍ତମାନ ନେଟ୍ ମାଧ୍ୟମରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ସରକାର ଏବେ ଇଂଟରନେନ୍ ମାଧ୍ୟମରେ ପାଠ ପଢା ପାଇଁ ପ୍ରତି ବିଦ୍ୟାଳକୁ ଚିଠି ମଧ୍ୟ କରିଛନ୍ତି। ହେଲେ ଡଇଁଚା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଅନ୍ ଲାଇନ୍ ପାଠ ପଢାରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି।

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାପୁଜୀ ଉଚ୍ଚ ବିଦ୍ୟାଳୟରେ ମିଶିଯିବା ଦିନଠୁ ଶିକ୍ଷକ ମରୁଡି ରହିଛି। ପ୍ରଶାସନୀକ ଅଧିକାରୀମାନେ ମନ ଇଚ୍ଛା କିଛି ଟଙ୍କା ପାଇ ଡେପୁଟେସରେ ପଠାଉଥିବା ଅଭିଯୋଗ ହେଉଛି। ଏପରିକି ନେତାମାନଙ୍କୁ ହାତ କରି ଶିକ୍ଷକ ମାନେ ବଦଳୀ ପାଲା କରୁଛନ୍ତି। ଡଇଁଚା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରତି ପ୍ରଶାସନୀକ ଅଧିକାରୀମାନେ ଏତେ ହିନମନ୍ୟତା କାହିଁକି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ଅଭିଭାବକଙ୍କ ମହଲରେ।

ସୂଚନା ଯୋଗ୍ୟ ଯେ, ଏଠାରେ କିରାଣୀ ଭାବରେ କାମ କରୁଥିବା ମଦନ ମୋହନ ପ୍ରଧାନଙ୍କୁ ମଧ୍ୟ ଶିକ୍ଷା ବିଭାଗର ଅଧିକାରୀମାନେ ୨୦୧୭ ମସିହା ମାର୍ଚ୍ଚ ମାସରୁ ନାକଟିଦେଉଳ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡେପୁଟେସନରେ ପଠାଇଛନ୍ତି। ଏଠାରେ ହାଇସ୍କୁଲର ସମସ୍ତ ଅଫିସ୍ କାମ କିରାଣୀ କରିବା ପରିବର୍ତ୍ତେ ଶିକ୍ଷକମାନେ ନିୟୋଜିତ ହେଉଛନ୍ତି। ଯା ଫଳରେ ଶିକ୍ଷକ ମାନେ ପାଠ ପଢାରେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ହିନ୍ଦି ଆମର ରାଷ୍ଟ୍ରଭାଷା ହୋଇଥିବା ବେଳେ ଆଗରୁ ଏଠାରେ ଜଣେ ହିନ୍ଦିି ଶିକ୍ଷକ ଥାଇ ହିନ୍ଦି ପାଠ ପଢାଉ ଥିଲେ। ହେଲେ ଏଠାରେ ବହୁ ବର୍ଷ ହେଲା ହିନ୍ଦି ଶିକ୍ଷା ଦାନରେ ମଧ୍ୟ ବାଧା ପ୍ରାପ୍ତ ହୋଇଛି। ଯା ଫଳରେ ହିନ୍ଦି ପାଠ ପଢିବାରେ ପିଲାମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଶିକ୍ଷୟତ୍ରୀ ସଂଧ୍ୟାରାଣୀ ବିଶିକୁ ଶିଘ୍ର ଫେରାଇ ଆଣିବା କିମ୍ବା ତାଙ୍କ ବଦଳରେ ଆଉ ଜଣେ ଶିକ୍ଷକକୁ ଶିଘ୍ର ନିଯୁକ୍ତି ଦେବାକୁ ଅଭିଭାବକ ମାନେ ଦାବୀ କରିଛନ୍ତି।

ଆଗାମୀ ଦିନରେ ଶିକ୍ଷକ ଅଭାବକୁ ପୂରଣ ନ କଲେ ମୋ ସ୍କୁଲ ଅଭିଯାନ, ଏସ୍‌ଏମ୍‌ଡିସି ଓ ଏସ୍‌ଏମ୍‌ସିର ସମସ୍ତ ସଭ୍ୟ ସଭ୍ୟା ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବନସଂରକ୍ଷଣ ସମିତି ଜଗୁଥିବା ସଂରକ୍ଷିତ ଜଙ୍ଗଲକୁ ନେଇ ଡଇଁଚା ଓ ହିନ୍ତରାଇ ଗ୍ରାମ ମଧ୍ୟରେ ବିବାଦ

କନ୍ଦର୍ପ ବେହେରା
ରେଢାଖୋଲ: ବନ ସଂରକ୍ଷଣ ସମିତି ରଖିଥବା ଜଙ୍ଗଲକୁ ନେଇ ଡଇଁଚା ଓ ହିନ୍ତରାଇ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଡଇଁଚା ଗ୍ରାମବାସୀ ଡିଏଫ୍‌ଓଙ୍କ ଠାରେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ଡଇଁଚା ଗ୍ରାମରେ ଗତ ଅପ୍ରେଲ ମାସ ଠାରୁ ଏକ ବନ ସଂରକ୍ଷଣ ସମିତି ଗଠନ କରାଯାଇ ନିକଟସ୍ଥ ବଡଝରଣ ସଂରକ୍ଷିତ ଜଙ୍ଗଲକୁ ଜଗି ଆସୁଛନ୍ତି। ଅନୁଗୋଳ ଅଂଚଳରୁ ଆସି ଡଇଁଚା ଗ୍ରାମ ନିକଟରେ ବସତି ସ୍ଥାପନ କରି ରହିଥିବା ହିନ୍ତରାଇ ଗ୍ରାମବାସୀ ସେ ଜଙ୍ଗଲକୁ ଡଇଁଚା ଗ୍ରାମବାସୀ ରଖିଥିବାରୁ ଆମ୍ଭ ଗ୍ରାମବାସୀ ଅସୁବିଧା ପାଉଛୁ ବୋଲି ଡିଏଫ୍‌ଓଙ୍କ ଠାରେ ମଧ୍ୟ ଅଭିଯୋଗ କରିଥିଲେ। ହିନ୍ତରାଇ ଗ୍ରାମବାସୀର କେତେଜଣ ବ୍ୟକ୍ତି ପ୍ରତିବର୍ଷ ସେଇ ଜଙ୍ଗଲକୁ କାଟି ବାହାର ଜିଲ୍ଲାକୁ ବେପାର କରିଆସୁଥିଲେ। ଡଇଁଚା ବନ ସଂରକ୍ଷଣ ସମିତି ଜଙ୍ଗଲକୁ ପ୍ରତ୍ୟେକ ଦିନ ଜଗି ଆସୁଥିବାରୁ ସେମାନେ ସେଇ ଜଙ୍ଗଲରୁ କାଠ ଆଣି ନ ପାରିବାରୁ ବର୍ତ୍ତମାନ ଡଇଁଚା ବନ ସଂରକ୍ଷଣ ସମିତି ବିରୁଦ୍ଧରେ ଆଭିଯୋଗ କରୁଛନ୍ତି।

ଡଇଁଚା ଗ୍ରାମ ରାଜାରାଜୁଡା ଅମଳର ଗ୍ରାମ ହୋଇଥିବା ବେଳେ ହିନ୍ତରାଇ ଗ୍ରାମବାସୀ ଅନୁଗୋଳ ଜିଲ୍ଲାରୁ ଆସି ଆମ ଜଙ୍ଗଲ ବୋଲି ଦାବୀ କରୁଛନ୍ତି। ଡଇଁଚା ଗ୍ରାମବାସୀ ଏହା ଆମ ଜଙ୍ଗଲ ବୋଲି ଦାବୀ କରିବା ସହ ବନ ସଂରକ୍ଷଣ ସମିତି ଗଠନ କରିଛନ୍ତି। ଏହାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ବିବାଦ ଦେଖା ଦେଇଥିବା ଡଇଁଚା ବନସଂରକ୍ଷଣ ସମିତି ରେଢାଖୋଲ ଡିଏଫଓ ଙ୍କ ଠାରେ ଅଭିଯୋଗ କରିବା ସହ ହିନ୍ତରାଇ ଗ୍ରାମର ଜନୈକ ବ୍ୟକ୍ତି ଡଇଁଚା ଗ୍ରାମବାସୀ ମାନଙ୍କୁ ମିଡିଆ ସାମ୍ନାରେ ଅପପ୍ରଚାର କରୁଥିବା ଡଇଁଚା ଗ୍ରାମବାସୀ ରେଢାଖୋଲ ଥାନାରେ ଅଭିଯୋଗ କରିବା ସହ ରେଢାଖୋଲ ଡିଏଫ୍‌ଓଙ୍କ ଠାରେ ଅଭିଯୋଗ କରିଛନ୍ତି।

ଜଙ୍ଗଲ ବିଭାଗ କୌଣସି ସହଯୋଗ ନ କଲେ ଡଇଁଚା ଗ୍ରାମବାସୀ ରଖିଥିବା ବନସଂରକ୍ଷଣ ସମିତିର ସମସ୍ତ ସଭ୍ୟ ସ୍ୱେଚ୍ଛାକୃତ ଭାବରେ ସେଇ ଜଙ୍ଗଲକୁ ସୁରକ୍ଷା ଦିଗରେ ଲାଗିବେ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଏ ସଂପର୍କରେ ରେଢାଖୋଲ ଡିଏଫ୍‌ଙ୍କ ଠାରେ ଡଇଁଚା ବନସଂରକ୍ଷଣ ସମିତିର ସମସ୍ତ ସଭ୍ୟ ଲିଖିତାକାରରେ ଜଣାଇଛନ୍ତି।