Categories
ଆଞ୍ଚଳିକ

ବେଗୁନିଆପଡ଼ାରେ ବାଇକ୍‌ ଦୁର୍ଘଟଣା : 3 ଆହତ

ପିଣ୍ଟୁ ବିଷୋୟୀ
ବେଗୁନିଆପଡ଼ା : ଆଜି ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସାଙ୍କୁଡା ନିକଟସ୍ଥ ଜଗତେଶ୍ଵର ମନ୍ଦିର ରାସ୍ତାରେ ଅପରାହ୍ନରେ ଏକ ବାଇକ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 3 ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ଗ୍ରାମର 3 ଜଣ ଯୁବକ ଚିତ୍ରସେନ ଜେନା, ସୁନୀଲ ସାହୁ ଓ ତପନ ଜେନା ଏକ ହୀରୋ ସ୍ପ୍ଲେଣ୍ଡର ମଟର ସାଇକେଲରେ ବସି ନିଜ ଗ୍ରାମକୁ ଫେରୁଥିବା ବେଳେ ଉକ୍ତ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଚିତ୍ରସେନ ଜେନାଙ୍କ ହାତ ଭାଙ୍ଗି ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି l ସମସ୍ତଙ୍କୁ ସୁମଣ୍ଡଳ ମେଡିକାଲରେ ଭର୍ତ୍ତି କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଘରକୁ ଆସୁଥିବା ମାଆ ଝିଅଙ୍କ ସମେତ ଚାରି ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶ ସାରା ଲାଗୁ ରହିଛି ଲକ୍ ଡାଉନ୍‌ । ଏହି ଲକ୍‌ ଡାଉନ୍‌ରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ପ୍ରବାସୀ ଶ୍ରମିକମାନେ । ଲକ୍ ଡାଉନ୍‌ ଯୋଗୁଁ ରୋଜଗାର ନ ଥିବାବେଳେ ପେଟ ପାଇଁ ନାନା ହଇରାଣ ହରକତ ହେଉଛନ୍ତି । ଏପରି ସମୟରେ ସେମାନେ ନିଜ ନିଜ ଭିଟାମାଟିକୁ ଫେରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଚାରିଆଡେ ଲକ୍‌ ଡାଉନ୍‌ ଚାଲିଥିବାବେଳେ ଯାତାୟତର ମାଧ୍ୟମ ମଧ୍ୟ ବନ୍ଦ ରହିଛି । ଏପରି ସମୟରେ କିଏ ଚାଲି ଚାଲି ତ କିଏ ଟ୍ରକ୍‌ ପଛରେ କିଏ ସାଇକେଲରେ ନିଜ ଗ୍ରାମକୁ ଫେରୁଛନ୍ତି । ତେବେ ଫେରିବା ସମୟରେ ଅନେକେ ଦୁର୍ଘଟଣାର ଶିକାର ହେଉଛନ୍ତି । ସେହିପରି ଘରକୁ ଫେରୁଥିବା ଚାରି ପ୍ରବାସୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏହି ପ୍ରବାସୀଙ୍କ ମଧ୍ୟରେ ମା-ଝିଅଙ୍କ ସମେତ ଅନ୍ୟ ଦୁଇଜଣ ରହିଛି । ତିନି ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ଚାରି ପ୍ରବାସୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଆଜି ସକାଳେ ହରିୟାଣାର ଅମ୍ବାଲାରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ଉପରେ କାର୍‌ ଚଢାଯାଇଛି । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଶ୍ରମିକମାନେ ହରିୟାଣାରୁ ବିହାର ଅଭିମୁଖେ ଚାଲି ଚାଲି ଯାଉଥିଲେ । କାର୍‌ଟି ଭାରସାମ୍ୟ ହରାଇ ଏହି ପ୍ରବାସୀଙ୍କ ଉପରେ ଚଢିଯାଇଥିଲା । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଫେରାର୍‌ ରହିଛନ୍ତି ।

ସେହିପରି ଅନ୍ୟ ଏକ ଦୁର୍ଘଟଣା ୟୁପିର ରାୟବରେଲୀଠାରେ ହୋଇଛି । ଏଠାରେ ଜଣେ 25 ବର୍ଷୀୟ ପ୍ରବାସୀ ଶ୍ରମିକଙ୍କ କାର୍‌ ଧକ୍କାରେ ମୃତ୍ୟୁ ହୋଇଛି। ବୁଲନ୍ଦସହରରୁ କିଛି ଲୋକଙ୍କ ସହିତ ଯୁବକ ଜଣକ ସାଇକେଲ ଚଲାଇ ନିଜ ଗ୍ରାମକୁ ଯାଉଥିବାବେଳେ କାର୍‌ଟିର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା । ଡ୍ରାଇଭର୍‌ଟି କାର୍‌ ଉପରେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡିଟି ଯୁବକଙ୍କ ଉପରେ ଚଢି ଯାଇଥିଲା ।

ଅପରପକ୍ଷରେ ଅନ୍ୟ ଏକ ସଡକ ଦୁର୍ଘଟଣାରେ ୟୁପିର ଫତେପୁର ଜିଲ୍ଲାରେ ଏକ ସଡକ ଦୁର୍ଘଟଣାରେ ମା – ଝିଅଙ୍କ ମୃତ୍ୟୁ ଘଟିଛି । ଦୁହେଁ ମହାରାଷ୍ଟ୍ରରୁ ଆସୁଥିବା କିଛି ଶ୍ରମିକଙ୍କ ସହିତ ଉତ୍ତରପ୍ରଦେଶର ଜୌନପୁର ଯାଉଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଆମ୍ବ ଟ୍ରକ୍‌ ଓଲଟିବାରୁ 5 ଶ୍ରମିକଙ୍କ ମୃତ୍ୟୁ, 13 ଗୁରୁତର

ମଧ୍ୟପ୍ରଦେଶ : ଲକ୍‌ ଡାଉନ୍‌ ଯୋଗୁଁ ଶ୍ରମିକମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଥିବାବେଳେ ଘରବାହୁଡା ଜାରି ରଖିଛନ୍ତି ପ୍ରବାସୀ । ତେବେ ଏହି ଘର ବାହୁଡା ସମୟରେ ଦୁର୍ଘଟଣା ଯୋଗୁଁ ମୃତ୍ୟୁମୁଖରେ ପଡୁଥିବାର ଘଟଣା ଏବେ ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶର ନରସିଂହପୁରର ଜିଲ୍ଲାରୁ ଆଜି ବିଳମ୍ବିତ ରାତ୍ରିରେ ଏକ ଟ୍ରକ୍‌ ଓଲଟିଯିବା ଫଳରେ ପାଞ୍ଚଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ 13 ଜଣ ଶ୍ରମିକ ଗୁରୁତର ରୂପେ ଆହତ ହୋଇଛନ୍ତି । ଏହି ସମସ୍ତ ଶ୍ରମିକମାନେ ହାଇଦ୍ରାବାଦରୁ ଏକ ଆମ୍ବ ଟ୍ରକ୍‌ ଯୋଗେ ଉତ୍ତରପ୍ରଦେଶର ଝାନ୍ସୀ ଯାଉଥିବାର ସୂଚନା ରହିଛି ।

ଲକ୍‌ ଡାଉନ୍‌ ଚାଲିଥିବା ସମୟରେ ଯାତାୟତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଦେଶରେ ବିଭିନ୍ନ ସହରରେ ଫସି ରହିଥିବା ଶ୍ରମିକମାନେ ଖାଦ୍ୟ ଓ କାମ ନ ପାଇ ନାନା ହଇରାଣ ହରକତ ହେଉଛନ୍ତି । ଏପରି ସମୟରେ ସେମାନେ ନିଜ ଭିଟାମାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଯାତାୟତ ସମ୍ପର୍ଣ୍ଣ ରୂପେ ବନ୍ଦ ଥିବାରୁ କେହି ଚାଲି ଚାଲି ତ କିଏ ସାଇକେଲ ତ କିଏ ପୁଣି ରେଲଧାରଣା ଯୋଗେ । ଆଉ କେହି କେହି ମାଲ୍‌ ପରିବହନ କରୁଥିବା ଟ୍ରକ୍‌ରେ ଲୁଚିଛପି ନିଜ ଗ୍ରାମକୁ ଯାଉଛନ୍ତି । ଏମିତି ଲୁଚିଛପି ଯିବା ଶ୍ରମିକଙ୍କୁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହେଉଛି ।

ମିଳିଥିବା ସୂଚନା ଅନୁସାରେ ନରସିଂହପୁର ଜିଲ୍ଲାର ପାଠା ଗ୍ରାମ ନିକଟରେ ଏକ ଟ୍ରକ୍‌ ଭାରସାମ୍ୟ ଓଲଟାଇ ଦୁର୍ଘଟଣାଗସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ 5 ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହିତ 13 ଜଣ ଆହତ ହୋଇଛନ୍ତି । ଏହି ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏହି ଦୁଇ ଶ୍ରମିକଙ୍କୁ ଜବଲପରୁ ସ୍ଥାନାନ୍ତର କରାଯାଇଛି। ଏହି ଟ୍ରକ୍‌ରେ ଥିବା ସମସ୍ତ ଶ୍ରମିକମାନେ ଲୁଚି ଛପି ହାଇଦ୍ରାବାଦରୁ ଉତ୍ତରପ୍ରଦେଶର ଝାନ୍ସୀ ଅଭିମୁଖେ ଯାଉଥିଲେ । ଏହି ଆହତ ଶ୍ରମିକଙ୍କ ମଧ୍ୟରୁ ଜଣକୁ କିଛି ଦିନ ହେବ ଥଣ୍ଡା, କାଶ ରହିଥିଲା । ଏହାପରେ ମୃତକଙ୍କ ସମେତ ସମସ୍ତ ଶ୍ରମିକଙ୍କ କରୋନା ନମୁନା ପରୀକ୍ଷା ହେବାକୁ ଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀଠାରେ ସଡକ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସମୀକ୍ଷା ବ୍ୟୁରୋ

ନାଚୁଣୀ, ୨/୧: ନାଚୁଣୀ ନିକଟସ୍ଥ କହ୍ନେଇପୁର ଛକଠାରେ ଗତକାଲି ଜାତୀୟ ରାଜପଥଠାରେ ଏକ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବାଇକ୍‌ ଓ କାର୍‌ ଉଭୟ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିବାର ସୂଚନା ମିଳିଛି। ତେବେ ଭାରସାମ୍ୟ ହରାଇ ଗାଡ଼ି ଦୁଇଟି ଓଲଟି ପଡ଼ିଥିବାବେଳେ ଏଥିରେ ଥିବା ଯାତ୍ରୀମାନେ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯିବା ପାଇଁ ଭର୍ତ୍ତି କରାଯାଇଥିଲା।

ସୂଚନାରୁ ପ୍ରକାଶ ଯେ,  ଦ୍ରୁତ ଗତିରେ ବାଇକ୍‌ ଚାଳକଜଣକ କାର ସମ୍ମୁଖରେ ଆସି ଯିବାରୁ ହଠାତ୍‌ କାର୍‌ ଜଣକ ଦୁର୍ଘଟଣାକୁ ଏଡାଇବାକୁ ଯାଇ ବ୍ରେକ୍‌ ଦେଇଥିଲେ। ଯାହାଫଳରେ ଉଭୟ ବାଇକ୍‌ ଏବଂ କାର୍‌ ନିକଟସ୍ଥ ରାସ୍ତା ପାର୍ଶ୍ବରେ ପାଣି ଜମିଥିବା ଏକ ବିଲରେ ପଡିଥିଲେ। ଏହି ଦୁର୍ଘଟଣାରେ ଉଭୟ ଗାଡ଼ି ବହୁ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ ଏଥିରେ ଥିବା ଯାତ୍ରୀମାନଙ୍କର ବିଶେଷ କିଛି କ୍ଷତି ହୋଇନାହିଁ। ଘଟଣାସ୍ଥଳରୁ ନାଚୁଣୀ ଫାଣ୍ଡି ପୋଲିସ୍‌ ଗାଡ଼ି ଦୁଇଟିକୁ ଜବତ କରି ଏହି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାଗସ୍ତ ହୋଇଥିବା କାର୍‌ଟି ବ୍ରହ୍ମପୁରର ହୋଇଥିବାବେଳେ ବାଇକ୍‌ଟି ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡିଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ