
Tag: ନବୀନ ପଟ୍ଟନାୟକ


ଭୁବନେଶ୍ବର: ନୂଆ ସଂସଦ ଭବନ ଉଦଘାଟନ ନେଇ ବର୍ତ୍ତମାନ ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଏହି ଭବନକୁ ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟନ କରାଯାଉ ବୋଲି ବିରୋଧୀ ଦାବୀ କରୁଛନ୍ତି। ହେଲେ କେନ୍ଦ୍ର ସରକାର ଏହାକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ କରିବା ପାଇଁ ନିଷ୍ପତି କରିଛନ୍ତି। ଫଳରେ ୧୯ଟି ବିରୋଧୀ ଦଳ ଏହି ଉଦଘାଟନ ଉତ୍ସବକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି।
ଏପରି କ୍ଷେତ୍ରରେ ବିଜେଡି କଣ କରିବ ସେ ନେଇ ସମସ୍ତଙ୍କ ନଜର ରହିଛି। କାରଣ ଓଡିଶା ମାଟିର ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏହା ଅପମାନ ବୋଲି ବିରୋଧୀ କହିଆସୁଛନ୍ତି। ସେଥିପାଇଁ ଓଡିଶା ମାଟିର ଦଳ ବିଜେଡି ଓଡିଶା ମାଟିର ଝିଅ ପ୍ରତି ହେଉଥିବା ଅପମାନ ଉପରେ କଣ କରିବ ତାହାକୁ ନେଇ ସମସ୍ତଙ୍କର ଅପେକ୍ଷା।
ଧିରେ ଧିରେ ଏହି ଘଟଣାଟି ଏକ ଭିନ୍ନ ମୋଡ ନେବାରେ ଲାଗିଛି। ଗୋଟିଏ ପଟେ ମୋଦୀ ସରକାରଙ୍କ ନିଷ୍ପତି ଅନ୍ୟପଟେ ଓଡିଶା ମାଟିର ଝିଅକୁ ଅପମାନ। ଏହି ଦୋଛକିରେ ରହିଛି ବିଜୁ ଜନତା ଦଳ। ତେବେ ବିଭିନ୍ନ ଦଳର ନେତା ବିଜେଡି ଏହି ଉତ୍ସବରୁ ଦୂରେଇ ରହିବା ଉଚିତ ବୋଲି କହିଛନ୍ତି। ଟିଏମସି ସାଂସଦ ମହୁଆ ମୋଇତ୍ରା କହିଛନ୍ତି ଯେ, ବିଜେଡି ଏଥିରୁ ଦୂରେଇ ରହିବା ଉଚିତ ହେବ।
ତେବେ ଏକ ବିଶେଷ ସୁତ୍ର ଅନୁସାରେ ବିଜେଡି ଏ ନେଇ କଣ କରିବ ସେ ସଂପର୍କରେ କୌଣସି ନିଷ୍ପତି ଗ୍ରହଣ କରିପାରି ନାହିଁ। ତେବେ ଦଳର ଜଣେ ବରିଷ୍ଠ ନେତାଙ୍କ ଅନୁସାରେ ସେମାନେ ସେହି ଉତ୍ସବକୁ ଯିବେ କି ନାହିଁ ନବୀନ ନିବାସରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ଉଦଘାଟନ ପୂର୍ବଦିନ କେତେକ ସାଂସଦ ନବୀନଙ୍କ ସହିତ ଆଲୋଚନା କରି ନିଷ୍ପତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ୱର: ରାଜଭବନ ଇତିହାସରେ ଆଜି ଥିଲା ଏକ ଗୌରବମୟ କ୍ଷଣ। ଅତୀତରେ ଅନେକ ଐତିହାସିକ ଘଟଣାର ମୁଖ୍ୟକେନ୍ଦ୍ର ଏହି ରାଜଭବନ। ରାଜଭବନ ପରିସରରେ ଏକ ସୁଉଚ୍ଚ ଜାତୀୟ ପତାକାସ୍ତମ୍ଭ ସ୍ଥାପନା ଥିଲା, ଆଉ ଏକ ସ୍ମରଣୀୟା ଘଟଣା ଓ ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଯାଇଛି ଏକ ନୂତନ ପୃଷ୍ଠା ଏବଂ ଭବିଷ୍ୟତ ପୀଢ଼ିକୁ ସ୍ମରଣ କରାଇବ ଏହାର ଗୌରବମୟ ଇତିହାସ।
ସମଗ୍ର ବାତାବରଣ ଥିଲା ନିଆରା ଓ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲା ଅଫୁରନ୍ତ ଆନନ୍ଦ। ଏହିପରି ଏକ ମନୋଜ୍ଞ ପରିବେଶ ମଧ୍ୟରେ ଆଜି ପୂର୍ବାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଗରିମାମୟ ଉପସ୍ଥିତରେ ରାଜଭବନଠାରେ ଏକ ସୁଉଚ୍ଚ ଜାତୀୟ ପତାକାସ୍ତମ୍ଭର ସଂସ୍ଥାପନା ଅନୁଷ୍ଠିତ ହୋଇଯାଇଛି।
ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବଟନ୍ ଦବାଇବା ପରେ ପୋଲିସ୍ ବ୍ୟାଣ୍ଡର ଧୁନ୍ରେ 20′x30′ ଜାତୀୟ ପତାକା ସ୍ତମ୍ଭର ଉଚ୍ଚକୁ ଉଠିଥିଲା ଓ ଏହାର ଉତ୍ତୋଳନ ପରେ ପୋଲିସ୍ ବ୍ୟଣ୍ଡ ଜାତୀୟ ସଂଗୀତ ପରିବେଷଣ କରିଥିଲେ। ଏହାପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପତାକାସ୍ତମ୍ଭ ସ୍ଥାପନାର ଉଦ୍ଘାଟନ ଫଳକକୁ ଉନ୍ମୋଚନ କରିଥିଲେ।
୩୨ମିଟର ଦୀର୍ଘ ସ୍ତମ୍ଭର ଉଭୟ ପାଶ୍ୱର୍ରେ ଥିବା ଫଳକରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଏହି ତ୍ରିରଙ୍ଗା ଧ୍ୱଜା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଅଦ୍ୟମ ସାହସ ଓ ସର୍ବୋଚ୍ଚ ବଳିଦାନର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ବୋଲି ଉଲ୍ଲେଖ ରହିଛି।
ଏହି ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍. ବାଲକ୍ରିଷ୍ଣନ, ମୁଖ୍ୟ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂଶଲ୍, ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ। ଏତଦ୍ବ୍ୟତୀତ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ସେମାନଙ୍କ ପରିବାରର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରୀମେରା — ଏହି ଦୁଇଟି ବ୍ଲକକୁ ନୂତନ ଭାବରେ ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ରାଜ୍ୟ ସରକାର 9 ଟି ନୂତନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ ଲାଇକେର ଓ କିରୀମେରା ବ୍ଲକର ସମସ୍ତ ଗାଁ ଏହି ନୂତନ ITDA ଅଧୀନରେ ରହିବ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ଏହି ଦୁଇଟି ବ୍ଲକରେ ଜନଜାତି ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ଏହି ନୂତନ ପଦବୀ ଗୁଡିକ ହେଲା ଗୋଟିଏ ପ୍ରକଳ୍ପ ପ୍ରଶାସକ ବା project administrator, ଗୋଟିଏ ସ୍ବତନ୍ତ୍ର ଅଧିକାରୀ ବା special officer, ଜଣେ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର , ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର , ଜଣେ ଆକାଉଣ୍ଟାଣ୍ଟ, ଜଣେ ହେଡ କ୍ଲାର୍କ, କନିଷ୍ଠ ଷ୍ଟେନୋ ଗ୍ରାଫର- ୧, ଜଣେ ବରିଷ୍ଠ କ୍ଲର୍କ ଓ ଜଣେ କନିଷ୍ଠ କ୍ଲର୍କ।
ସୂଚନାଯୋଗ୍ୟ ଯେ ଲାଇକରା ଓ କିରୀମେର ବ୍ଲକରେ ମୁଖ୍ୟତଃ ଗଣ୍ଡ, ଭୁଇଆଁ, ଓ କିସାନ୍ ବର୍ଗର ଆଦିବାସୀ ମାନେ ରହୁଥିବା ବେଳେ ମୁଣ୍ଡା, କୋଲ୍ହ, ଓରାଓଁ, ଶବର, ଖରିଆ ଓ ସାରା ବର୍ଗର ଆଦିବାସୀ ମାନେ ମଧ୍ୟ ଅଛନ୍ତି। ଲାଇକେରାରେ ଆଦିବାସୀଙ୍କ ସଂଖ୍ୟା ୫୧.୭୮ ପ୍ରତିଶତ ହୋଇଥିବା ବେଳେ କିରୀମେରାରେ ଏହା ୧୮.୪୬ ପ୍ରତିଶତ।
ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ନବୀନଙ୍କ ଏହା ହେଉଛି ପ୍ରଥମ ଉପହାର।

ଭୁବନେଶ୍ବର: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜଣ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ବାହାର କରିଦେଇଛନ୍ତି। ସେମାନେ ହେଲେ ସମୀର ରଂଜନ ଦାସ ଏବଂ ଶ୍ରୀକାନ୍ତ ସାହୁ। ସେହିପରି ବାଚସ୍ପତି ବିକ୍ରମ ଆରୁଖ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହାପେର ମନ୍ତ୍ରୀ ମଣ୍ଡଳର ଅଦଳ ବଦଳ ହେବ ବୋଲି ବେଶ ଚର୍ଚ୍ଚା ଚାଲିଛି।
ଏହି ପରି ସମୟରେ ପୁଣି ଏକ ବଡ ଖବର ଆସିଛି। ତାହା ହେଲା ନବୀନ ପୁଣି ଆଉ ଦୁଇ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରିବେ। ସେ ନେଇ ପ୍ରସ୍ତୁତି ସରିଛି। ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଉପକୂଳ ଜିଲ୍ଲାର ମନ୍ତ୍ରୀ ଓ ଅନ୍ୟଜଣେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ମନ୍ତ୍ରୀ। ଏମାନେ ନୂଆ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଭୁବନେଶ୍ବର: ଆସନ୍ତାକାଲି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମେୟା। ଏଥିସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଡି କେ ଶିବ କୁମାର ମଧ୍ୟ ଶପଥ ନେବେ। ସେଥିପାଇଁ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ତେବେ ଏହି ଶପଥ ଉତ୍ସବରେ ଯୋଗ ଦେବା ପାଇଁ ବିଭିନ୍ନ ଅଣ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏହି ଉତ୍ସବରେ ଯୋଗଦେବା ପାଇଁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେବେ କି ନାହିଁ ତାହା ଜଣାପଡିନାହିଁ। ହେଲେ ସେ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବରେ ଯୋଗ ଦେବା ପାଇଁ କେବେ ଯାଇ ନାହାଁନ୍ତି।
ଅନ୍ୟପଟେ ସମସ୍ତ ଅଣବିଜେପି ଦଳ ଏକ ମହାମେଣ୍ଟର ପରିକଳ୍ପନା କରୁଥିବାରୁ ନବୀନ ସେଥିରେ ସାମିଲ ହେବେ ନାହିଁ ବୋଲି ମନା କରିଛନ୍ତି। ସେହି ଦୃଷ୍ଟିରୁ ସେ ଏହି ଉତ୍ସବରେ ଯୋଗ ନ ଦେବାର ସମ୍ଭାବନା ରହିଛି।

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି।
ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ, ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ୟ୍ୟର ଭିତ୍ତିପ୍ରସ୍ତର ସ୍ଥାପନ, ଓଡିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣ କାର୍ଯ୍ୟ, ସମ୍ବଲପୁର-ଟିଟଲାଗଡ ରେଳ ଲାଇନର ଦୋହରୀକରଣ, ଅନୁଗୁଳ – ସୁକିନ୍ଦା ମଧ୍ୟରେ ନୂତନ ବ୍ରଡ ଗଜ ରେଳ ଲାଇନ; ମନୋହରପୁର – ରାଉରକେଲା – ଝାରସୁଗୁଡା – ଜାମଗା ମଧ୍ୟରେ ସଂଯୋଗ କରୁଥିବା ତୃତୀୟ ରେଳ ଲାଇନ୍ ଏବଂ ବିଛୁପାଲି – ଝାରତରଭା ମଧ୍ୟରେ ଏକ ନୂତନ ବ୍ରଡ-ଗଜ୍ ଲାଇନର ଲୋକାର୍ପଣ ରହିଛି।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଲୋକଙ୍କୁ ଆଜି ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଦାନ କରାଯାଉଛି ଯାହା ଆଧୁନିକ ତଥା ଆକାଂକ୍ଷୀ ଭାରତର ପ୍ରତୀକ ଅଟେ। ଯେତେବେଳେ ବନ୍ଦେ ଭାରତ ଟ୍ରେନ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଥାଏ ସେତେବେଳେ ଭାରତର ଗତି ଏବଂ ପ୍ରଗତି ଦେଖିବାକୁ ମିଳେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଏହି ଗତି ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଯାତ୍ରୀମାନଙ୍କ ପାଇଁ ଯାତ୍ରା କରିବାର ଅଭିଜ୍ଞତା ସହିତ ବିକାଶର ଅର୍ଥକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେବ। କୋଲକାତା ଠାରୁ ପୁରୀକୁ ଦର୍ଶନ ପାଇଁ ହେଉ କିମ୍ବା ଅନ୍ୟ କାର୍ୟ୍ୟରେ ହେଉ, ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଯାତ୍ରା ସମୟ ବର୍ତ୍ତମାନ ସାଢେ ଛଅ ଘଣ୍ଟାକୁ ହ୍ରାସ ପାଇବ, ଯାହାଦ୍ୱାରା ସମୟ ବଞ୍ଚିବ, ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବ ଏବଂ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ଆଣିଦେବ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦୂର ଯାତ୍ରା କରିବାକୁ ଚାହୁଁଥିବା ନାଗରିକଙ୍କ ପାଇଁ ରେଳ ହେଉଛି ପ୍ରଥମ ପସନ୍ଦ ଏବଂ ପ୍ରାଥମିକତା। ଅନ୍ୟାନ୍ୟ ରେଳ ବିକାଶ ପ୍ରକଳ୍ପ ବିଷୟରେ ସେ ଉଲ୍ଲେଖ କରିଛନ୍ତି ଯାହା ମଧ୍ୟରେ ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃର୍ନିମାଣ ଏବଂ ଆଧୁନିକୀକରଣ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥି ସହିତ ରାଜ୍ୟରେ ଅନେକ ରେଳ ଲାଇନର ଦୋହରିକରଣ ଏବଂ ଓଡିଶାରେ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ କାର୍ୟ୍ୟର ଲୋକାର୍ପଣ କରାଯାଇଛି।
ଆଜାଦୀ କା ଅମୃତ କାଳର ଯୁଗ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ଏକତା ଏବଂ ଅଖଣ୍ଡତାକୁ ଦୃଢ କରିବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଦେଶ ଏକଜୁଟ ହୋଇ ରହିଲେ, ଦେଶର ସାମୂହିକ ଦକ୍ଷତା ଶିଖରରେ ପହଞ୍ଚିପାରିବ। ସେ କହିଛନ୍ତି ଯେ ବନ୍ଦେ ଭାରତ ଏକ୍ସପ୍ରେସ ଏଭଳି ବିଶ୍ୱାସର ପ୍ରତିଫଳନ ଯେଉଁଠାରେ ଏହା ଭାରତର ବିକାଶକୁ ଆଗକୁ ବଢାଇବା ସହ ଦେଶ ପାଇଁ “ଏକ ଭାରତ ଶ୍ରେଷ୍ଠ ଭାରତ’ ଆବେଗ ସହ ବିକାଶର ଇଞ୍ଜିନ ପାଲଟିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ରେଳ ସମସ୍ତଙ୍କୁ ଏକ ରଜୁରେ ବାନ୍ଧିଥାଏ ଏବଂ ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ସମାନ ଧାରଣା ଏବଂ ଚିନ୍ତାଧାରା ସହିତ ଆଗକୁ ବଢିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଟ୍ରେନ୍ ପୁରୀ ଏବଂ ହାୱଡା ମଧ୍ୟରେ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସଂଯୋଗକୁ ମଜବୁତ କରିବ। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟରେ ପନ୍ଦରଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରି ଦେଶର ଅର୍ଥନୀତିକୁ ଆଗକୁ ବଢାଉଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଂପ୍ରତିକ ସମୟରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ଏହାର ବିକାଶର ଗତି ବଜାୟ ରଖିଛି। ଏହି ଯାତ୍ରାରେ ପ୍ରତ୍ୟେକ ରାଜ୍ୟର ଅଂଶଗ୍ରହଣକୁ ଶ୍ରୀ ମୋଦୀ ଶ୍ରେୟ ଦେଇଛନ୍ତି ଏବଂ କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟକୁ ନେଇ ଦେଶ ଆଗକୁ ବଢୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସମୟ ତୁଳନାରେ ନୂତନ ଭାରତ ସ୍ୱଦେଶୀ ଭାବରେ ଜ୍ଞାନକୌଶଳ ସୃଷ୍ଟି କରୁଛି ଏବଂ ଏହାକୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ମଧ୍ୟ ନେଉଛି।
ବନ୍ଦେ ଭାରତ ଟ୍ରେନର ସ୍ୱଦେଶୀ ଉତ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମହାମାରୀ ସମୟରେ ଭାରତ ୫ଜି ଏବଂ ଟିକା ଭଳି ଜ୍ଞାନକୌଶଳ ବିକଶିତ କରିଛି। ସେ ଦର୍ଶାଇଛନ୍ତି ଯେ ଏହି ଉଦ୍ଭାବନଗୁଡ଼ିକ କେବଳ ଗୋଟିଏ ରାଜ୍ୟ କିମ୍ବା ସହରରେ ସୀମିତ ରହିଲା ନାହିଁ ବରଂ ସମାନ ଢଙ୍ଗରେ ସାରା ଦେଶରେ ନିଆଗଲା। ସେହିଭଳି ବନ୍ଦେ ଭାରତ ଦେଶର କୋଣ ଅନୁକୋଣକୁ ସ୍ପର୍ଶ କରୁଛି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବକା ସାଥ, ସବକା ବିକାଶର ଏହି ନୀତି ବିକାଶରେ ପଛରେ ପଡିଥିବା ସେହି ରାଜ୍ୟଗୁଡିକ ପାଇଁ ଲାଭଦାୟକ ଅଟେ। ସେ କହିଛନ୍ତି ଯେ ଓଡିଶାରେ ରେଳ ଯୋଜନା ପାଇଁ ବଜେଟ୍ ଯଥେଷ୍ଟ ବୃଦ୍ଧି ପାଇଛି। ସେ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ବାର୍ଷିକ ମାତ୍ର ୨୦ କିଲୋମିଟର ରେଳ ଲାଇନ ପ୍ରତିଷ୍ଠା କରାଯାଇଥିବାବେଳେ ୨୦୨୨-୨୩ ବର୍ଷରେ ମାତ୍ର ଗୋଟିଏ ବର୍ଷରେ ୧୨୦ କିଲୋମିଟର ଲମ୍ବା ଲାଇନ ପ୍ରତିଷ୍ଠା କରାଯାଇଥିଲା।
ସେ କହିଛନ୍ତି ଯେ ଖୋର୍ଦ୍ଧା ବୋଲାଙ୍ଗୀର ଲାଇନ ଏବଂ ହରିଦାସପୁର-ପାରାଦୀପ ଲାଇନ ଭଳି ଦୀର୍ଘ ଦିନରୁ ପଡି ରହିଥିବା ପ୍ରକଳ୍ପ ଶୀଘ୍ର ଶେଷ ହେଉଛି। ପଶ୍ଚିମବଙ୍ଗରେ ସମାନ ସଫଳତା ହାସଲ କରିବା ପାଇଁ ଦ୍ରୁତ ଗତିରେ କାର୍ୟ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଓଡିଶା ଦେଶର ସେହି ରାଜ୍ୟ ମଧ୍ୟରୁ ଅନ୍ୟତମ ଯେଉଁଠାରେ ରେଳ ଲାଇନର ୧୦୦ ପ୍ରତିଶତ ବିଦ୍ୟୁତିକରଣ ହାସଲ କରାଯାଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ଟ୍ରେନ ଗତିର ସାମଗ୍ରିକ ବୃଦ୍ଧି ଘଟିବା ସହିତ ମାଲବାହୀ ଟ୍ରେନ୍ ପାଇଁ ସମୟ ସଞ୍ଚୟ ହୋଇଛି। ସେ ଦର୍ଶାଇଛନ୍ତି ଯେ ଖଣିଜ ସମ୍ପଦ ଭରା ରାଜ୍ୟ ଓଡିଶା ରେଳ ଲାଇନର ବିଦ୍ୟୁତିକରଣ ଦ୍ୱାରା ବହୁ ଲାଭବାନ ହେବ ଯେଉଁଠାରେ ଡିଜେଲ ଇଞ୍ଜିନରୁ ପ୍ରଦୂଷଣ ବହୁ ମାତ୍ରାରେ ହ୍ରାସ ପାଇବ ଏବଂ ରାଜ୍ୟର ଶିଳ୍ପ ବିକାଶରେ ସହାୟକ ହେବ।
ଭିତ୍ତିଭୂମି ର୍ନିମାଣର ଅନ୍ୟ ଏକ ଦିଗ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଛନ୍ତି ଯାହା ବିଷୟରେ ଅଧିକ ଆଲୋଚନା କରାଯାଇ ନାହିଁ। ସେ କହିଛନ୍ତି ଯେ ଭିତ୍ତିଭୂମି କେବଳ ଲୋକଙ୍କ ଜୀବନକୁ ସହଜ କରେ ନାହିଁ ବରଂ ସମାଜକୁ ସଶକ୍ତ କରିଥାଏ। ଯେଉଁଠାରେ ଭିତ୍ତିଭୂମି ଅଭାବ ରହିଛି ସେଠାରେ ଲୋକଙ୍କ ବିକାଶ ପଛରେ ପଡିଛି।
ଯେତେବେଳେ ଭିତ୍ତିଭୂମି ବିକଶିତ ହୁଏ, ସେତେବେଳେ ଲୋକମାନଙ୍କର ଦ୍ରୁତ ବିକାଶ ଏକ ସମୟରେ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକାଶମୂଳକ ପଦକ୍ଷେପକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପିଏମ୍ ସୌଭାଗ୍ୟ ଯୋଜନାର ଉଦାହରଣ ଦେଇଛନ୍ତି ଯେଉଁଠାରେ ସରକାର ୨.୫ କୋଟିରୁ ଅଧିକ ପରିବାରକୁ ମାଗଣାରେ ବିଦ୍ୟୁତ ସଂଯୋଗ ଯୋଗାଇ ଦେଇଛନ୍ତି ଯେଉଁଥିରେ ଓଡିଶାର ପ୍ରାୟ ୨୫ ଲକ୍ଷ ଘର ଏବଂ ପଶ୍ଚିମବଙ୍ଗର ୭.୨୫ ଲକ୍ଷ ଘର ରହିଛି।
ଦେଶର ବିମାନ ବନ୍ଦର ସଂଖ୍ୟା ଆଜି ୭୫ ରୁ ୧୫୦ କୁ ବୃଦ୍ଧି ପାଇଥିବା ସୂଚନା ଦେଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଥିବା ବିଭିନ୍ନ ଫଟୋଗ୍ରାଫ ଏବଂ ଭିଡିଓ ପ୍ରତି ଧ୍ୟାନ ଦେଇଥିଲେ ଯେଉଁଠାରେ ଦେଶର ସାଧାରଣ ନାଗରିକମାନେ ସେମାନଙ୍କର ବିମାନ ଯାତ୍ରାର ଅଭିଜ୍ଞତା ସେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭିତ୍ତିଭୂମି କ୍ଷେତ୍ରରେ ଭାରତର ସଫଳତା ଆଜି ଅଧ୍ୟୟନର ବିଷୟ । ସେ କହିଛନ୍ତି ଯେ ଯେତେବେଳେ ଭିତ୍ତିଭୂମି ପାଇଁ ୧୦ ଲକ୍ଷ କୋଟି ଆବଣ୍ଟନ କରାଯାଏ, ତାହା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରେ ଏବଂ ରେଳପଥ ଓ ରାଜପଥ ସଂଯୋଗ, ଯାତାୟତରେ ସୁଗମତା ଏବଂ କୃଷକମାନଙ୍କୁ ନୂତନ ବଜାର, ପର୍ୟ୍ୟଟକଙ୍କ ପାଇଁ ନୂତନ ଆକର୍ଷଣ ଏବଂ ସେମାନଙ୍କ ପସନ୍ଦ କଲେଜ ସହିତ ଛାତ୍ରମାନଙ୍କୁ ସଂଯୋଗ ମଧ୍ୟ କରିଥାଏ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ “ଜନ ସେବା ହିଁ ପ୍ରଭୁ ସେବା” ର ଆବେଗ ସହିତ ଗତି କରୁଛି – ଲୋକଙ୍କ ସେବା ହେଉଛି ଈଶ୍ୱରଙ୍କ ସେବା। ସେ ଜଗନ୍ନାଥ ପରି ମନ୍ଦିର ଏବଂ ପୁରୀ ପରି ତୀର୍ଥସ୍ଥାନ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ ପ୍ରସାଦ ଶତାବ୍ଦୀ ଧରି ବଣ୍ଟନ କରାଯାଇଆସୁଛି ଏବଂ ହଜାର ହଜାର ଗରିବ ଲୋକଙ୍କୁ ଖାଇବାକୁ ଦିଆଯାଉଛି।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇବା ଏବଂ ଆୟୁଷ୍ମାନ କାର୍ଡ, ଉଜ୍ଜ୍ୱଳା, ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନା ରହିଛି। ଆଜି ଗରିବମାନେ ସେହି ସମସ୍ତ ମୌଳିକ ସୁବିଧା ପାଇଛନ୍ତି ଯେଉଁଥିପାଇଁ ସେମାନଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥିଲା।
ଭାରତର ଦ୍ରୁତ ବିକାଶ ପାଇଁ ରାଜ୍ୟଗୁଡିକର ସନ୍ତୁଳିତ ବିକାଶ ମଧ୍ୟ ସମାନ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ବଳ ଅଭାବ ହେତୁ ବିକାଶ ଦୌଡ଼ରେ କୌଣସି ରାଜ୍ୟ ପଛରେ ପଡ଼ିବ ନାହିଁ।
ସେଥିପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି, ୧୫ ତମ ଅର୍ଥ କମିଶନ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ପାଇଁ ଅଧିକ ବଜେଟ୍ ସୁପାରିଶ କରିଥିଲେ। ଓଡ଼ିଶା ବିପୁଳ ପ୍ରାକୃତିକ ସମ୍ପଦର ଆଶୀର୍ବାଦ ପ୍ରାପ୍ତ ହୋଇଛି କିନ୍ତୁ ତ୍ରୁଟିପୂର୍ଣ୍ଣ ନୀତି ହେତୁ ନିଜ ସମ୍ବଳରୁ ବଞ୍ଚିତ ହୋଇଛି। ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଖଣିଜ ସମ୍ପଦକୁ ଦୃଷ୍ଟିରେ ରଖି ସରକାର ଖଣି ନୀତିରେ ସଂସ୍କାର ଆଣିଛନ୍ତି ଯାହା ଦ୍ୱାରା ସମସ୍ତ ରାଜସ୍ୱ ଯଥେଷ୍ଟ ବୃଦ୍ଧି ପାଇଛି ।
ଜିଏସଟି ଲାଗୁ ହେବା ପରେ ଖଣିଜ ସମ୍ପଦ ଥିବା ରାଜ୍ୟଗୁଡିକର ଟିକସ ଆୟ ମଧ୍ୟ ବୃଦ୍ଧି ପାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ରାଜ୍ୟର ବିକାଶ ତଥା ଗ୍ରାମରେ ଗରିବ ଲୋକଙ୍କ ସେବା ପାଇଁ ଏହି ସମ୍ବଳ ବ୍ୟବହାର କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶା କିଭଳି ପ୍ରାକୃତିକ ବିପର୍ୟ୍ୟୟକୁ ସଫଳତାର ସହ ମୁକାବିଲା କରିପାରିବ ସେଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିପର୍ୟ୍ୟୟ ପରିଚାଳନା ତଥା ଏନଡିଆରଏଫ ପାଇଁ ସରକାର ରାଜ୍ୟକୁ ୮ ହଜାର କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି।
ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଓଡିଶା, ପଶ୍ଚିମବଙ୍ଗ ଏବଂ ସମଗ୍ର ଦେଶରେ ବିକାଶର ଗତି ବୃଦ୍ଧି ପାଇବ ଏବଂ ଆମେ ଏକ ରାଷ୍ଟ୍ର ଭାବରେ ନୂତନ ତଥା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବୁ। ଏହି ଉତ୍ସବରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ ଜୀବନ ରକ୍ଷାକାରୀ (Advanced Life Support) ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରତ୍ୟେକ ବ୍ଲକକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୩ ମାର୍ଚ୍ଚ ୫ ରେ ରାଜ୍ୟରେ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୬୨୪ଟି ଆମ୍ବୁଲାନ୍ସ ସାରା ରାଜ୍ୟରେ ୩୦ଟି ଜିଲ୍ଲାର ଲୋକଙ୍କୁ ମାଗଣା ସେବା ଯୋଗାଇ ଦେଇ ଆସୁଅଛି । ଏହି ୬୨୪ଟି ଆମ୍ବୁଲାନ୍ସ ମଧ୍ୟରୁ ୫୧୨ଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଓ ୧୧୨ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ । ଏହା ସହିତ ୬ଟି ବୋଟ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି ।
ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଆହୁରି ଉନ୍ନତି ଆଣିବା ପାଇଁ ୯୨ଟି ନୂଆ ଜରୁରୀକାଳୀନ ଆମ୍ବୁଲାନ୍ସ ପର୍ଯ୍ୟାୟକ୍ରମେ ଯୋଗାଇଦେବାପାଇଁ ବ୍ୟବସ୍ଥା ହୋଇଥିବାବେଳେ ସେଥିମଧ୍ୟରୁ ୨୪ଟି ନୂଆ ଆମ୍ବୁଲାନ୍ସ କିଣାଯାଇ ସାରିଛି । ଏଥି ପାଇଁ ୯.୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ଏହାଛଡା ୨୯୯ଟି ମୌଳିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସକୁ ରୂପାନ୍ତରିତ କରାଯାଇ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ରେ ପରିଣତ (BLS converted to ALS) କରାଯାଇ ଆଜିଠାରୁ କାର୍ଯ୍ୟକାରୀ କରାଗଲା । ଏହି ଉନ୍ନତିକରଣ ପରେ ରାଜ୍ୟରେ ମୋଟ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସଂଖ୍ୟା ୪୧୧ ରେ ପହଞ୍ଚିଲା। ଏହି ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ମୋଟ ୫୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ଦ୍ୱାରା ପ୍ରତ୍ୟେକ ବ୍ଲକରେ ସର୍ବନିମ୍ନ ଗୋଟିଏ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇପାରିବ ।
ଏହା ବ୍ୟତିତ ଗର୍ଭବତୀ ମା ଓ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ଆଣିବା ନିମନ୍ତେ ୫୦୦ଟି ଜନନୀ ଏକ୍ସପ୍ରେସ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୮ଲକ୍ଷ ରୁ ଉର୍ଦ୍ଧ୍ୱ ଲୋକ ବିଭିନ୍ନ ଆମ୍ବୁଲାନ୍ସ ସେବା ଦ୍ୱାରା ଉପକୃତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ , ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ୍ ,ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଭୁବନେଶ୍ବର: ଭୁବନେଶ୍ବରରେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅବସରରେ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଭୁବନେଶ୍ବରସ୍ଥିତ କଳା ଭୂମି ପରିସରରେ ଆୟୋଜିତ ଏହି ପ୍ରଦର୍ଶନୀର ଉଦଘାଟନୀ ସମାରୋହରେ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଡୋନର ମନ୍ତ୍ରୀ ଜି. କିଷନ ରେଡ୍ଡୀ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉପସ୍ଥିତ ଥିଲେ।
ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ବିତୀୟ ବୈଠକର ଅଂଶବିଶେଷ ସ୍ବରୂପ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀ ଭୁବନେଶ୍ବରସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ – କଳାଭୂମି ପରିସରରେ ଆୟୋଜନ କରାଯାଉଛି। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ବାରା ଗ୍ରହଣ କରାଯାଇଥିବା ଦ୍ବିତୀୟ ପ୍ରାଥମିକତା – “ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ” ବିଷୟବସ୍ତୁକୁ ଆଧାର କରି ଏହି ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଆସନ୍ତାକାଲି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ।
ଜି-୨୦ ସଦସ୍ୟ ରାଷ୍ଟ୍ର, ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ପ୍ରଦର୍ଶନୀ ବୁଲି ଦେଖିଥିଲେ ଏବଂ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଶିଳ୍ପୀମାନଙ୍କ ସହିତ ମତ ବିନିମୟ କରିଥିଲେ। ସେମାନେ ମଧ୍ୟ କାରିଗରମାନଙ୍କ ଠାରୁ ବିଭିନ୍ନ ହସ୍ତକଳାର ତିଆରି ପଦ୍ଧତିର ପ୍ରତ୍ୟକ୍ଷ ଭାବେ ଦେଖିବା ଓ ଅନୁଭୂତି ହାସଲ କରିଥିଲେ।

ଭୁବନେଶ୍ୱର: ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଲିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି। ଏହି ନୂତନ ଜିଲ୍ଲା ଗୁଡିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଓ ସମ୍ବଲପୁର।
ଏହାଦ୍ବାରା ଜନଜାତି କଳା, ସଂସ୍କୃତି ଓ ସାହିତ୍ୟର ସଂରକ୍ଷଣ ପାଇଁ ୨୦୧୭-୧୮ରୁ ଗଠିତ ହୋଇଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ରୁ ୨୩କୁ ବୃଦ୍ଧି ପାଇଛି। ଆଜି ସ୍ଥାନୀୟ ଇଉନିଟ ୧ ସ୍ଥିତ ଆଦିବାସୀ ପଡିଆ ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ପୂର୍ବରୁ ୯ଟି ଜିଲ୍ଲାର ୧୧୭ଟି ବ୍ଲକରେ କାର୍ଯ୍ୟକାରୀ ହେଉଥିଲା। ଏଥିରେ ୬୪ ଲକ୍ଷ ଲୋକ ସାମିଲ ହୋଇଛନ୍ତି।ଏବେ ଏହା ୨୩ଟି ଜିଲ୍ଲାର ୧୭୨ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୨୩ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି କାର୍ଯ୍ୟକ୍ରମରେ ଅଶି ଲକ୍ଷ ରୁ ଅଧିକ ଜନଜାତି ଲୋକ ସାମିଲ ହୋଇ ନିଜ କଳା ଓ ସଂସ୍କୃତିର ବିକାଶ ପାଇଁ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତି ସହିତ ଜନଜାତି ସଂସ୍କୃତିର ଗଭୀର ସମ୍ପର୍କ ଅଛି। ଏଥିରେ ପ୍ରକୃତି ଓ ପରିବେଶର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରକୃତିର ପୂଜା ଓ ଭାଇଚାରା ଆଦିବାସୀ ସଂସ୍କୃତିର ମୁଖ୍ୟ ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବିକାଶର ପରିଭାଷାରେ କଳା ଓ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି। ରାଜନୀତି ଠାରୁ ଆରମ୍ଭ କରି ସାହିତ୍ୟ, ସଂସ୍କୃତି, ଭାଷା, ରାଜନୀତି ସବୁ କ୍ଷେତ୍ରରେ ଜନଜାତି ବର୍ଗର ଲୋକଙ୍କ ଅବଦାନ ରହିଛି। ଓଡ଼ିଶାର ସଂସ୍କୃତିକୁ ସେମାନେ ଗୌରବମୟ କରିଛନ୍ତି। ମୁଁ ସେମାନଙ୍କ ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନୂଆ ପରିଷଦ ଗଠନ ଦ୍ଵାରା ସବୁ ଛୋଟ ଛୋଟ ବର୍ଗର ଜନଜାତି ଗୋଷ୍ଠୀ ସେମାନଙ୍କ କଳା ଓ ଐତିହ୍ୟ ର ସୁରକ୍ଷା ପାଇଁ ମଧ୍ଯ ନିଜର ଗୁରୁତ୍ଵ ପୁର୍ଣ୍ଣ ଅବଦାନ ରଖି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜନଜାତି କଳା ଓ ସଂସ୍କୃତି ପ୍ରତି ଲୋକଙ୍କ ଆଗ୍ରହ ରହିଛି ବୋଲି ପ୍ରକାଶ କରି ମୁଖ୍ୟ ମନ୍ତ୍ରୀ କହିଲେ ଯେ ଭୁବନେଶ୍ଵର ର ଜନଜାତି ସଂଗ୍ରହାଳୟ ଏବେ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଆକର୍ଷଣ ହୋଇଛି।
ଜନଯାତି ସଂସ୍କୃତି, ଜୀବନ ପ୍ରତି ସେମାନଙ୍କ ଦୃଷ୍ଟିଭଙ୍ଗୀ, ପ୍ରକୃତିର ସଂରକ୍ଷଣ ଓ ସେମାନଙ୍କ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ଅଧିକ ଗବେଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ ୨୦୧୭ରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ଦ୍ଵାରା ଜନଜାତି ବର୍ଗର ଅନନ୍ୟ ସଂସ୍କୃତିର ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ପଦକ୍ଷେପ ନେଇଥିଲା। ଏଥିରେ ଜନଜାତି ଲୋକଙ୍କ ପବିତ୍ର ବୃକ୍ଷ ର ସଂରକ୍ଷଣ, ସଂସ୍କୃତି କ୍ଲବ୍ ଗଠନ, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ, ଆଦି ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ବର୍ତମାନ ସୁଦ୍ଧା, ଏହି କାର୍ଯ୍ୟକ୍ରମରେ ୬୦ ହଜାରରୁ ଅଧକ ପ୍ରକଳ୍ପର କର୍ଯ୍ୟାନ୍ୱୟନ ହୋଇ ସାରିଛି।
୪୫୯୯ ଚିହ୍ନିତ ପବିତ୍ର ବୃକ୍ଷ ମଧ୍ୟରୁ ୪୪୯୬ ଟି ବୃକ୍ଷର ସଂରକ୍ଷଣ କରାଯାଇସାରିଛି। ୧୫୯୨ଟି କ୍ଲବ୍ ଗଠନ କରାଯାଇଛି। ୨୧ ଟି ଭାଷାରେ ଜନଜାତି ଦ୍ବୀଭାଷା ଅଭିଧାନ ଓ ତ୍ରିଭାଷୀ ଦକ୍ଷତା ମଡ୍ୟୁଲ୍ ପ୍ରସ୍ତୁତ କରାଯାଇ ୩୦ ଟି ଜିଲ୍ଲାରେ ବଣ୍ଟନ କରାଯାଇଛି।
ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଲେ ଯେ ଆଦିବାସୀ ମାନଂକ ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀ ମାନଂକ ପାଇଁ ବିକାଶର ଏକ ନୂଆ ଧାରା ସୃଷ୍ଟି କରିବ ବୋଲି ସେ କହିଥିଲେ।
ସ୍ବତନ୍ତ୍ର ଉନ୍ନୟନ ପରିଷଦ ର ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ କହିଲେ ଯେ ଜନଜାତି ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଭବିଷ୍ୟତ ପୀଢ଼ି ପାଇଁ ସ୍ମରଣୀୟ ହୋଇ ରହିବ। ଏହି ପରିଷଦ ସବୁ ଆଦିବାସୀ ଗୋଷ୍ଠୀ ମଧ୍ୟରେ ସମ୍ପର୍କର ସେତୁ ହୋଇ ରହିବ।
ମୁଖ୍ୟ ମନ୍ତ୍ରୀ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଂପର୍କରେ ଏକ କଫି ଟେବୁଲ ବୁକ୍ ଉନ୍ମୋଚନ କରିଥଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା, ଉନ୍ନୟନ କମିଶନର ଶ୍ରୀମତି ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି କେ ପଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଅତିଥି ମାନଙ୍କୁ ସ୍ବାଗତ କରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋସନ୍ ସାହୁ ଆଦିବାସୀ ସଂସ୍କୃତିର ଅନନ୍ୟ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ୨୦୧୭-୧୮ରୁ ଗଠନ କରାଯାଇଛି।
ଆଦିବାସୀ ମାନଂକ ସଂସ୍କୃତିର ସୁରକ୍ଷା ପାଇଁ ଅନ୍ୟ କୌଣସି ରାଜ୍ୟ ବା ଦେଶରେ ଏଭଳି ପଦକ୍ଷେପର ନଜିର ନାହିଁ ବୋଲି ସେ କହିଥିଲେ।

ଭୁବନେଶ୍ବର: ଆଜି ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି। ଏହି ଅଭିଭାଷଣରେ ସେ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ବିଜେପି ଦଳର ନାମ ନ ନେଇ ନ ଥିଲେ ମଧ୍ୟ ତାଙ୍କର ସମାଲୋଚନା ବିଜେପି ପାଇଁ ଥିଲା ତାହା ସ୍ପଷ୍ଟ ହୋଇଛି।
ସେ ପୁଣି ଥରେ ସେହି ମହିଳାଙ୍କ କଥାକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ବିରୋଧୀ ଦଳ ମହିଳାମାନଙ୍କୁ ଯେପରି ଅସମ୍ମାନ କରୁଛନ୍ତି ତାହା ହେଉଛି ଏକ ଡେଞ୍ଜରିୟସ ଟ୍ରେନଣ୍ଡ। ସେଥିପାଇଁ ସେମାନଙ୍କୁ ଲୋକମାନେ ପ୍ରତ୍ୟାଖାନ କରିଦେଇଛନ୍ତି ବୋଲି ନବୀନ ଅଭିଭାଷଣରେ କହିଛନ୍ତି। ସେ କର୍ମିମାନଙ୍କୁ ତଥା ଝାରସୁଗୁଡାବାସୀଙ୍କୁ ଯେଉଁ ଅଭିଭାଷଣ ପ୍ରଦାନ କରିଛନ୍ତି ତାହା ହେଲା।
ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର ଓ ଜୁହାର, ଝାରସୁଗୁଡ଼ା ଉପନିର୍ବାଚନରେ, ବିଜୁ ଜନତା ଦଳର ବିପୁଳ ବିଜୟ ପାଇଁ ଆପଣମାନଙ୍କୁ ମୋର ଅଭିନନ୍ଦନ। ଏ ବିଜୟ ଝାରସୁଗୁଡ଼ା ବାସୀଙ୍କର ବିଜୟ, ମହିଳାଶକ୍ତିର ବିଜୟ, ଏଥିପାଇଁ ଝାରସୁଗୁଡ଼ା ବାସୀଙ୍କ ନିକଟରେ ମୁଁ ଋଣୀ
ବିଜୁ ଜନତା ଦଳ ଋଣୀ।
ଆମ ଦଳର, ଲକ୍ଷ ଲକ୍ଷ, କର୍ମୀ ଭାଇ ଓ ଭଉଣୀଙ୍କୁ, ଏ ବିଜୟ ପାଇଁ ମୁଁ, ଧନ୍ୟବାଦ ଜଣାଉଛି।
ଏ ଖରା, ଗରମରେ, ସେମାନଙ୍କ ପରିଶ୍ରମ ଓ ତ୍ୟାଗକୁ, ସମ୍ମାନ ଜଣାଉଛି। ମୁଁ, ଆଜି କଥା ଦେଉଛି, ଝାରସୁଗୁଡ଼ା ଅଞ୍ଚଳର, ଉନ୍ନତି ପାଇଁ ବିଜୁ ଜନତା ଦଳ, ତାର ଉଦ୍ୟମକୁ, ଆହୁରି ଯୋରଦାର କରିବ। ଝାରସୁଗୁଡ଼ା ପାଇଁ, ନବ ବାବୁ ଆରମ୍ଭ କରିଥିବା, ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ।
ପଦ୍ମପୁର ଉପ ନିର୍ବାଚନ ବେଳେ, ବିରୋଧି ଦଳ ଆମର ମା ମାନଙ୍କୁ, ଅସମ୍ମାନ କରିଥିଲେ। ପଦ୍ମପୁରରେ, ଆମର ମହିଳା ପ୍ରାର୍ଥୀଙ୍କୁ, ଖରାପ ଭାଷାରେ, ଗାଳି କରୁଥିଲେ। ପଦ୍ମପୁର ହେଉ ବା ଝାରସୁଗୁଡ଼ା, ସବୁଠାରେ ସେମାନେ ବାପାଙ୍କୁ ହରେଇଥିବା ଝିଅ ମାନଙ୍କୁ ଗାଳି କରିଛନ୍ତି। ପ୍ରତ୍ୟେକ ଉପ ନିର୍ବାଚନ ରେ ସେମାନେ ମିଶନ ଶକ୍ତିର ନେତ୍ରୀ,ତଥା ତୃଣମୂଳ ସ୍ତରରେ କାମ କରୁଥିବା, ମାଆ ମାନଙ୍କୁ ସବୁବେଳେ ସମାଲୋଚନା କରି ଆସୁଛନ୍ତି। ଇତିହାସ ସାକ୍ଷୀ ।
ଓଡ଼ିଶାବାସୀ କେବେବି ମା ମାନଙ୍କ ପ୍ରତି ଏଭଳି ଅସମ୍ମାନ କୁ ବରଦାସ୍ତ କରିନାହାନ୍ତି।
ଆମର ଝିଅ ମାନେ ଆମର ଗର୍ବ। ବିଜୁ ଜନତା ଦଳ ସବୁବେଳେ, ସାଧାରଣ ଜୀବନରେ ମା ମାନଙ୍କ ଯୋଗଦାନକୁ ଉତ୍ସାହିତ କରିଆସିଛି । ସେମାନଙ୍କ ଅଧିକାର ପାଇଁ ଦୃଢ଼ ଭାବରେ ସେମାନଙ୍କ କଥା କହିବା ପାଇଁ ମିଶନ ଶକ୍ତି ପରି ମଞ୍ଚ ଯୋଗାଇ ଦେଇଛି।
ହାଣ୍ଡିଶାଳ ଚାରି କାନ୍ଥରୁ ସେମାନଙ୍କୁ ବାହାରକୁ ଆଣି, ମିଶନ ଶକ୍ତି ସେମାନଙ୍କୁ ସଶକ୍ତ କରିଛି। ମିଶନ ଶକ୍ତି ଏହି ଆଦର୍ଶକୁ ସୁବେବେଳେ ବିଶ୍ବାସ। ବିରୋଧି ଦଳ, ସବୁବେଳେ ମା ମାନଙ୍କ ସଶକ୍ତୀକରଣ କୁ ବିରୋଧ କରି ଆସୁଛି। This is a dangerous trend. ଓଡିଶାବାସୀ ଏଭଳି ବ୍ୟବହାରକୁ ସବୁବେଳେ ନାପସନ୍ଦ କରି ଆସିଛନ୍ତି। ପ୍ରତ୍ୟାଖାନ କରିଛନ୍ତି।
ଆସନ୍ତୁ ଆମେ ସମସ୍ତେ ମିଳିମିଶି ଓଡିଶାର ଉନ୍ନତି ପାଇଁ ଆମ ଗଣତାନ୍ତ୍ରିକ ମୂଲ୍ୟ ପାଇଁ ଆମ ସାଂସ୍କୃତିକ ସଂହତି ଓ ମା ମାନଙ୍କ ସମ୍ମାନ, ମା ମାନଙ୍କ ଅଧିକାର ସୁରକ୍ଷା ପାଇଁ, କାମ କରି ଚାଲିବା । ଧନ୍ୟବାଦ,ବନ୍ଦେ ଉତ୍କଳ ଜନନୀ।

ଭୁବନେଶ୍ବର: ଆଜି ବିପୁଳ ଭୋଟରେ ବିଜୟଲାଭ କରି ଝାରସୁଗୁଡା ଆସନ ଦଖଲ କରିଛନ୍ତି ଦୀପାଳି ଦାସ। ତାଙ୍କର ଏହି ବିଜୟରେ ସେଠାରେ ବିଜେଡି ଉତ୍ସବ ମନାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୀପାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଫୋନ ଯୋଗେ ଦୀପାଳି ସହିତ ନବୀନ କଥା ହୋଇ ତାଙ୍କୁ ଏହି ଅଭିନନ୍ଦନ ଜଣାଇଛନ୍ତି।
ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ହୋଇଛି। ଦୀପାଳି ଦାସ ୪୮ହଜାର ୨୩୭ ଭୋଟରେ ବିଜୟୀ ହୋଇଛନ୍ତି। ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି। କାରଣ ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ। ଦୀପାଳି ଦାସ ୧,୦୭,୦୦୩ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮,୩୮୪, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଛି ମାତ୍ର ୪,୪୭୩ ଖଣ୍ଡ ଭୋଟ।

ଭୁବନେଶ୍ବର: ରାଜ୍ୟମନ୍ତ୍ରୀ ମଣ୍ଡଳରୁ ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ବର୍ତ୍ତମାନ କିଏ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଏଥର ନବୀନ ନୂଆ ମନ୍ତ୍ରୀ ମଣ୍ଡଳରେ ଗଂଜାମ ଜିଲ୍ଲାକୁ ବେଶୀ ପ୍ରାଧ୍ୟାନ୍ୟ ଦେବା ସହିତ ଯୁବ ବିଧାୟକଙ୍କୁ ସାମିଲି କରିବେ ବୋଲି ଆଶା କରାଯାଉଛି।
ତେବେ ସବୁଠାରୁ ଯାହାଙ୍କ ନାମ ବେଶୀ ଚର୍ଚ୍ଚା ହେଉଛି ସେ ହେଲେ ଦୀପାଳି ଦାସ। ଶନିବାର ଦିନ ଦୀପାଳି ଦାସ ଜିତିବା ପରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ। ସେଥିପାଇଁ ନବୀନ ସେହି ଉପନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ଏପରି ଇସ୍ତଫା କରାଇଛନ୍ତି ବୋଲି କୁହାଯାଉଛି। ଦୀପାଳି ଜିତିବା ପ୍ରାୟ ନିଶ୍ଚିତ ଥିବାରୁ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ।
ସ୍ବର୍ଗତ ନବଦାସଙ୍କ ଝିଅ ଦୀପାଳି ଦାସ ଯେପରି ଜୋଶରେ ଝାରସୁଗୁଡାରେ ପ୍ରଚାର କଲେ ସେଥିରେ ଦଳ କାହିଁକି ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁସି ଅଛନ୍ତି। ଏଥିସହିତ ତାଙ୍କ ବାପାଙ୍କ ହତ୍ୟାକାଣ୍ଡ ନେଇ ବିରୋଧୀ ଦଳ ଯେପରି କାଦୁଅ ଫିଙ୍ଗିଲେ ସେଥିରେ ବିଜେଡି ସେମାନଙ୍କୁ ପାନେ ଦେବା ପାଇଁ ଛକି ବସିଛି। ସେଥିପାଇଁ ଦୀପାଳି ଜିତିବା ମାତ୍ରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରାଯିବ।
ସେହିପରି ମନ୍ତ୍ରୀ ସମୀର ଦାସ ଏବଂ ଶ୍ରୀକାନ୍ତ ସାହୁ ଇସ୍ତଫା ପରେ ବର୍ତ୍ତମାନ ପୁରୀ ଏବଂ ଗଂଜାମ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇପଡିଛି। ନବୀନ ଏହି ଦୁଇ ଜିଲ୍ଲାରୁ କାହାକୁ ମନ୍ତ୍ରୀ କରିବେ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେହି ପରିପ୍ରେକ୍ଷୀରେ ଗଂଜାମର ଲତିକା ପ୍ରଧାନ ଏବଂ ବିକ୍ରମ ଆରୁଖଙ୍କୁ ମନ୍ତ୍ରୀ କରାଯିବ ବୋଲି ଅନୁମାନ କରାଯାଇଛି। ସେହିପରି ପୁରୀ ଜିଲ୍ଲାରୁ ରୁଦ୍ର ମହାରଥୀଙ୍କୁ ମନ୍ତ୍ରୀ କରାଯିବ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ଏହି ତାଲିକାରେ ଆଉ କେତେଜଣଙ୍କ ନାମ ମଧ୍ୟ ବେଶ ଚର୍ଚ୍ଚାର ପରିସରକୁ ଆସୁଛି। ସେମାନେ ହେଲେ ନିକଟରେ ପଦ୍ମପୁର ଉପନିର୍ବାଚନରେ ଜିତିଥିବା ବର୍ଷା ସିଂ ବରିହାଙ୍କ ନାମ ମଧ୍ୟ ରହିଛି। ସେହିପରି ବ୍ରହ୍ମପୁରର ବିକ୍ରମ ପଣ୍ଡାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଯଦି ଲତିକାକୁ ମନ୍ତ୍ରୀ କରା ନ ଯାଏ ତେବେ ବିକ୍ରମଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ।

ଭୁବନେଶ୍ଵର: ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଉଦ୍ୟମ ରତ। ଓଡିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ ଆଣିଛନ୍ତି କାୟାକଳ୍ପ। ଗତକାଲି ବିଜୁ ଏକ୍ସପ୍ରେସ ୱେ-୨ ର ନିର୍ମାଣ ପାଇଁ ପାହାଡ କାଟି ଟନେଲ ଜରିଆରେ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହାକି ଦକ୍ଷିଣ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏବେ ଗଞ୍ଜାମ ଓ ଗଜପତିରେ ପାଣି ଯୋଗାଇବା ପାଇଁ ପାହାଡ ଖୋଳି ଟନେଲ ତିଆରି କରି ଛେଳିଗଡ ଜଳସେଚନ ପ୍ରକଳ୍ପ ପାଇଁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍ ନିର୍ଦ୍ଦେଶ ରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ତୁରନ୍ତ କାମ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ।
ଶ୍ରୀ ପାଣ୍ଡିଆନ ଆଜି ତାଙ୍କର ଗଜପତି ଗସ୍ତର ଦ୍ବିତୀୟ ଦିନରେ ଛେଳିଗଡ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଅଧିକାରୀ ମାଆଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେ ଟନେଲ କାର୍ଯ୍ୟ ପରିଦର୍ଶନ କରିଥିଲେ। ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଶ୍ରୀ ପାଣ୍ଡିଆନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଛେଳିଗଡ ଜଳସେଚନ ପ୍ରକଳ୍ପ ଗଜପତି ଜଲ୍ଲାର ଆର. ଉଦୟଗିରି ବ୍ଲକ୍ସ୍ଥିତ ଛେଳିଗଡ ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ୯୩୬.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ୧୨୮୦ ମିଟର ଦୀର୍ଘ ଏକ ଲମ୍ବା ଟନେଲ ଖୋଳାଯାଇଛି। ଏହାଦ୍ବାରା ଗଞ୍ଜାମ ଜିଲ୍ଲାକୁ ପାଣି ଯାଇପାରିବ। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାପରେ ଏଥିରେ ୫୨୦୧ ହେକ୍ଟର ମିଟର ପାଣି ସଂରକ୍ଷିତ କରି ରଖାଯାଇପାରିବ ଏବଂ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଓ ଗଜପତିର ୫୦୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ। ଏହାଦ୍ବାରା ବ୍ରହ୍ମପୁର ସହରକୁ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯିବ। ବ୍ରହ୍ମପୁର ସହରକୁ ପ୍ରତି ସେକେଣ୍ଡରେ ଏକ କ୍ୟୁବିକ୍ ମିଟର ପାଣି ମିଳିପାରିବ। ଏହାସହିତ ଗଜପତି ଜିଲ୍ଲାର ଶିଆଳି ଲଟି, କନକତା ଓ ଡେକିଲି ଆଦି ୩ଟି ସ୍ଥାନରେ ମିନି ହାଇଡେଲ ପ୍ରକଳ୍ପ ଜରିଆରେ ୩୬ ମେଗାୱାଟ ବିଦ୍ୟୁତ ମଧ୍ୟ ଉତ୍ପାଦନ କରାଯାଇପାରିବ।
ଏଥିରେ ୧୫ଟି ଗାଁର କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ୭ଟି ପୁନର୍ବାସ ଓ ଥଇଥାନ କଲୋନୀ କରାଯିବ ଏବଂ ୩ଟି ଥଇଥାନ କଲୋନୀର କାର୍ଯ୍ୟ ସଂପୂର୍ଣ୍ଣ ହେବା ସହିତ ଏଠାରେ ଲୋକମାନେ ରହିବା ଆରମ୍ଭ କଲେଣି। ବାକି ୪ଟିର ନିର୍ମାଣ କାର୍ଯ୍ୟ ଚାଲିଛି। ଏହାକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବାକୁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ। ୨୦୨୫-୨୬ ସୁଦ୍ଧା ଏହା ପ୍ରକଳ୍ପ ସଂପୂର୍ଣ୍ଣ ହେବ।
ଏହାପରେ ଶ୍ରୀ ପାଣ୍ଡିଆନ ଗୁମ୍ମାରେ ନିର୍ମାଣାଧୀନ ଏକ ବସଷ୍ଟାଣ୍ଡର କାର୍ଯ୍ୟ ଦେଖିଥିଲେ ଏବଂ ଏହାର କାର୍ଯ୍ୟର ମାନକୁ ଉଚ୍ଚକୋଟୀର କରିବା ପାଇଁ ପରାମର୍ଶ ଦେଇଥିଲେ। ସେଠାରେ ଉପସ୍ଥିତ ମିଶନ ଶକ୍ତି ମହିଳା ମାନଙ୍କ ରୁପାନ୍ତରିତ ଆଲୋଚନା କରି ସେମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ। ଏହାପରେ ଗୁମ୍ମାରେ ଏକ ରୂପାନ୍ତରିତ ହାଇସ୍କୁଲକୁ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ। ସ୍କୁଲରେ ନିର୍ମିତ ହୋଇଥିବା ନୂତନ ଆସେଟ୍ ଗୁଡିକୁ ନିଜର ସଂପତ୍ତି ପରି ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେବା ସହିତ ଭଲ ପାଠ ପଢି ଓଡିଶାର ସୁନାମ କରିବାକୁ ପିଲାଙ୍କୁ ଉତ୍ସାହିତ କରିଥିଲେ।
ଏହାପରେ ସେ ପ୍ରସ୍ତାବିତ ପାରଳାଖେମୁଣ୍ଡି ବାଇପାସ୍ ରୋଡ ଅଞ୍ଚଳକୁ ଯାଇଥିଲେ ଏବଂ ଏହାର କାମ ଯେପରି ଶୀଘ୍ର ଆରମ୍ଭ ହେବ, ସେଥିପାଇଁ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ବାଇପାସ୍ ପାଇଁ ଚାଳିଶ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ପରେ ସେଠାରେ ନିର୍ମାଣାଧୀନ ଏକ ନୂତନ ଟାଉନ ହଲ୍କୁ ମଧ୍ୟ ବୁଲି ଦେଖିଥିଲେ। ଟାଉନ ହଲ୍ କାମ ଶେଷ କରିବା ପାଈଁ ଦେଢ଼ କୋଟି ଟଙ୍କା ଯୋଗାଇଦିଆ ଯିବ ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ।
ଗଜପତି ଜିଲ୍ଲା କଳା ଓ ସଂସ୍କୃତିର ଭୂମି। ତେଣୁ ପାରଳାଖେମୁଣ୍ଡିରେ ପାଞ୍ଚ କୋଟି ଟଙ୍କା ବ୍ୟୟରେ ଏକ ସୁଦୃଶ୍ୟ ସଂସ୍କୃତି ଭବନ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି ବୋଲି ୫ଟି ସଚିବ ପ୍ରକାଶ କରିଥିଲେ।
ଶେଷରେ ମଧ୍ୟାହ୍ନରେ ରାମସାଗର ଓ କୃଷ୍ଣସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଜଳସେଚିତ ଅଞ୍ଚଳର ଚାଷୀ ମାନଙ୍କୁ ସହିତ ଆଲୋଚନା କରି ସେମାନଙ୍କ ପାଇଁ ଅଧିକ ସୁବିଧା କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।
ରାମ ସାଗରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ୧୫ ଦିନ ଭିତରେ DPR ପ୍ରସ୍ତୁତ କରିବା ପାଇଁ ୫-ଟି ସଚିବ ପରାମର୍ଶ ଦେଇଥିଲେ। ସେହିପରି ଗୋସାଣୀ ନୂଆଗାଁ ବ୍ଲକର କୃଷ୍ନ ସାଗର ପୁନରୁଦ୍ଧାର ୧୫ କୋଟି ଟଙ୍କା ରେ କରାଯିବ। ଏହାଦ୍ୱାରା ୨ ହଜାର ହେକ୍ଟର ଜମି ପାଣି ପାଇପାରିବ। ଏହି ଯୋଜନା ପାଇଁ ୧୫ ଦିନ ଭିତରେ DPR କରିବାକୁ ୫-ଟି ସଚିବ ପରାମର୍ଶ ଦେଇଥିଲେ।

ଭୁବନେଶ୍ବର: ଆଜିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଓ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ଏହି ସମୟରେ ଓଡ଼ିଶା ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି କେନ୍ଦ୍ର ପାଖରେ ଦୋହରାଇବେ ବୋଲି ସୂଚନା ମିଳିଛି।
ତାଙ୍କର ଦିଲ୍ଲୀ ଗସ୍ତ କାଳରେ ସେ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।ଏହି ସମୟରେ ସେ ଓଡିଶାକୁ କେନ୍ଦ୍ରୀୟ ଅନୁଦାନର ବକେୟା ପ୍ରଦାନ ନେଇ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ପ୍ରତ୍ୟାବର୍ତ୍ତନ କରିବେ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ଆଜି ଦୁଇ ଦିନିଆ ଗସ୍ତରେ ଗଜପତି ଜିଲ୍ଲା ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି। ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ ର ନିର୍ମାଣ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ବିଜୁ ଏକ୍ସପ୍ରେସ ୱେ -୧ ର ନିର୍ମାଣ କାମ ସଫଳତାର ସହ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟ ସରକାର ଏବେ ବିଜୁ ଏକ୍ସପ୍ରେସ ୱେ-୨ ର କାମ ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ ଦୃଷ୍ଟିରୁ ଏହା ଖୁବ୍ ଗରୁତ୍ୱ ବହନ କରେ। ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଜୟପୁର ସହ ଯୋଡିବ ଏବଂ ଏହି ପ୍ରକଳ୍ପର ପାଇଁ ପ୍ରାୟ ୭୦୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂଆ ପ୍ରକଳ୍ପ (Green Field Project) । ଏହା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ- ଏହି ୪ଟି ଜିଲ୍ଲାର ୧୫ଟି ବ୍ଲକ ଦେଇ ନିର୍ମିତ ହେବ। ଗଞ୍ଜାମରେ ୪୩ କି.ମି., ଗଜପତିରେ ୪୭ କି.ମି., ରାୟଗଡାରେ ୧୫୮ କି.ମି. ଓ କୋରାପୁଟରେ ୫୭ କି.ମି. ରାସ୍ତା ତିଆରି କରାଯିବ। ଏହା ଦ୍ୱାରା ବ୍ରହ୍ମପୁରରୁ ଜୟପୁରକୁ ଗସ୍ତ ସମୟ ୮ ଘଣ୍ଟାରୁ ୫ ଘଣ୍ଟାକୁ କମିଯିବ। ବ୍ରହ୍ମପୁରରୁ ମୋହନା ମାତ୍ର ୪୫ ମିନିଟ୍ ଲାଗିବ ଏବଂ ରାୟଗଡାରୁ ମୋହନା ମାତ୍ର ଦେଢ ଘଣ୍ଟା ଲାଗିବ ଯାହାକି ବର୍ତ୍ତମାନ ପ୍ରାୟ ୪ ଘଣ୍ଟା ଲାଗୁଛି। ଏହି ସଡକରେ ରାଜ୍ୟରେ ପ୍ରଥମ ଥର ପାଇଁ ପାହାଡ ଖୋଳା ଯାଇ ରାସ୍ତା ନିର୍ମାଣ କରାଯିବ ଯାହାଦ୍ୱାରା କି ସଡକର ଦୈର୍ଘ୍ୟ ପ୍ରାୟ ୨୫ ରୁ ୩୦ କି.ମି. କମିଯିବ ଏବଂ ଯିବାଆସିବା ସମୟ ମଧ୍ୟ ୨ ଘଣ୍ଟା କମ ରହିବ। ଏହା ଦ୍ୱାରା ଦକ୍ଷିଣ ଓଡିଶାରେ ଏକ ନୂଆ ଇକୋନୋମିକ୍ କରିଡର ସୃଷ୍ଟି ହୋଇପାରିବ ଏହି କାମ ତିନି ବର୍ଷ ମଧ୍ୟରେ ଶେଷ ହେବ ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ।
ଶ୍ରା ପାଣ୍ଡିଆନ୍ ଏହା ପରେ ଜିରାଙ୍ଗର ବୁଦ୍ଧ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ଜିରାଙ୍ଗ କଲେଜ୍ର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜିରାଙ୍ଗ କଲେଜ୍ରେ ୬ ମାସ ମଧ୍ୟରେ ଡିସେମ୍ବର ସୁଦ୍ଧା ସ୍ମାର୍ଟ କ୍ଲାସ ଆରମ୍ଭ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ। ପିଲାମାନଙ୍କ ସହ ଆଲୋଚନା କରି ସେ ନିଜ କଲେଜ୍ର ଉନ୍ନତି ପାଇଁ କାମ କରିବାକୁ ପିଲାଙ୍କୁ ପରାମର୍ଶ ଦେଇଥିଲେ। ଭଲ ପାଠ ପଢି ଓଡିଶାର ବିକାଶରେ ଯୋଗଦାନ ରଖିବାକୁ କହିଥିଲେ।
ଏହା ସହିତ ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ମଧ୍ୟ ଶୁଣିଥିଲେ। ଜିଲ୍ଲାସ୍ତରରେ ଯାହା ସମ୍ଭବ ତାକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେବା ସହିତ ଅନ୍ୟ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ପଠାଇବାକୁ ପରାମର୍ଶ ଦେଇଥିଲେ।

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ଆଜି ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି ମାଗଣାରେ ଯୋଗାଇ ଦେବେ।
ଜଗନ୍ନାଥ ଧାମ ପୁରୀକୁ ଆସୁଥିବା ବିହାରର ଲୋକମାନଙ୍କ ରହଣି ସୁବିଧା ପାଇଁ ବିହାର ସରକାର ବିହାର ଭବନ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହି ଘୋଷଣା ପାଇଁ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।
ଶ୍ରୀ ନୀତିଶ କୁମାର ଆଜି ମଧ୍ୟାହ୍ନରେ ସିଧା ବିମାନ ବନ୍ଦରକୁ ଆସି ନବୀନ ନିବାସରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ।
ତେବେ ରାଜନୈତିକ ସଂପର୍କରେ କଣ ଆଲୋଚନା ହେଲା ବୋଲି ସାମ୍ବାଦିକମାନେ ପଚାରିବା ପରେ ଏ ନେଇ ଉଭୟ ଏଡାଇ ଯାଇଥିଲେ। ନବୀନ କହିଥିଲେ ଯେ, ଆମେ ଦୁହେଁ ପୁରୁଣା ବନ୍ଧୁ। ଏକାଠି କେନ୍ଦ୍ରରେ ମନ୍ତ୍ରୀ ରହିଥିଲୁ। ମେଣ୍ଟ ସଂପର୍କରେ କୌଣସି ଆଲୋଚନା ହୋଇ ନାହିଁ ବୋଲି ନବୀନ ପଟ୍ଟନାୟକ କହିଥିଲେ।
ଅନ୍ୟପକ୍ଷରେ ନୀତିଶ କୁମାର ମଧ୍ୟ ଏହି ମେଣ୍ଟ ପ୍ରସଂଗକୁ ଏଡାଇ ଯାଇଥିଲେ। ସେ କହିଥିଲେ ଯେ, ମୁଁ ମୋର ପୁରୁଣା ବନ୍ଧୁଙ୍କୁ ଭେଟିବାକୁ ଆସିଥିଲି। ତାଙ୍କର ପିତା ବିଜୁ ପଟ୍ଟନାୟକଙ୍କର ମୁଁ ନିକଟତର ଥିଲି। ନବୀନବାବୁ ମୋର ପୁରୁଣା ବନ୍ଧୁ। ତାଙ୍କ ସହିତ ବହୁ ବର୍ଷ ଧରି ଦେଖା ହୋଇ ନ ଥିଲି। ସେଥିପାଇଁ ଆସିଥିଲି ବୋଲି ନୀତିଶ କହିଥିଲେ।
ନୀତିଶ କୁମାର ବିଜେପି ବିରୋଧରେ ଏକ ମହାମେଣ୍ଟ କରିବା ପାଇଁ ମହାଅଭିଜାନ ଆରମ୍ଭ କରିଛନ୍ତି। ସେଥିରେ ସେ ବହୁ ବିଜେପି ବିରୋଧୀ ନେତାଙ୍କୁ ସାକ୍ଷାତ କରିଛନ୍ତି।

ଭୁବନେଶ୍ବର: ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୁବନେଶ୍ବର ଆସିବେ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଏକାଠି ମଧ୍ୟାହ୍ନ ଭୋଜନ କରିବେ। ଏ ନେଇ ନବୀନ ନିବାସ ତରଫରୁ ପ୍ରସ୍ତୁତି କରାଯାଇଛି। ଏହାପରେ ସେ ସଂଧ୍ୟାରେ ବିହାର ଫେରିଯିବେ।
ନୀତିଶଙ୍କ ଏହି ଦିନିକିଆ ଗସ୍ତରେ ସେ କେବଳ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଏହା ବ୍ୟତିତ ତାଙ୍କର ଅନ୍ୟ କୌଣସି କାର୍ଯ୍ୟକ୍ରମ ନାହିଁ। ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ସେ ଦିନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚି ସିଧା ନବୀନ ନିବାସ ଆସିବେ। ନବୀନ ନିବାସରେ ନବୀନଙ୍କ ସହିତ ସାକ୍ଷାତ କରି ମଧ୍ୟାହ୍ନ ଭୋଜନ ସାରି ଅପରାହ୍ନରେ ଫେରିଯିବେ।

ଭୁବନେଶ୍ଵର: ଆଜି ଥିଲା ତୃତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣର ଶେଷ ଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟରେ ଖୁସି ପ୍ରକାଶ କରି ଏଥିରେ ଭଲ କାମ କରୁଥିବା ଜିଲ୍ଲା ମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ସ୍କୁଲ ରୂପାନ୍ତରରେ ଭଲ କାମ କରିଥିବା ଜିଲ୍ଲା ମାନଙ୍କ ପାଇଁ
ପ୍ରଥମ ପୁରସ୍କାର ୩ କୋଟି ଟଙ୍କା, ଦ୍ବିତୀୟ ପୁରସ୍କାର ୨ କୋଟି ଟଙ୍କା ଓ ତୃତୀୟ ପୁରସ୍କାର ଭାବେ ୧ କୋଟି ଟଙ୍କା ଦିଆଯିବ ବୋଲି ସେ କହିଥିଲେ। ଏଥିପାଇଁ ରାଜ୍ୟସ୍ତରରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସେ କହିଥିଲେ। ସେହିପରି ଏ କ୍ଷେତ୍ରରେ ଭଲ କାମ କରିଥିବା ବ୍ଲକ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦଶଟି ବ୍ଲକକୁ ପଚାଶ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଭାବରେ ଦିଆଯିବ।
ଏହି ପୁରସ୍କାରର ବିସ୍ତୃତ ବିବରଣୀ ଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ, ରାଜ୍ୟରେ ଶିକ୍ଷା ଉପରେ ଯେତେ ଅଧିକ ପ୍ରତିଯୋଗୀତା ହେବ, ଶିକ୍ଷାର ଗୁଣାତ୍ମକମାନ ସେତେ ବୃଦ୍ଧି ପାଇବ। ଚାଲନ୍ତୁ ଶିକ୍ଷାକୁ ଆମେ ଏକ ମହୋତ୍ସବ ଭାବେ ପାଳିବା। ପ୍ରତିଯୋଗୀତା ମନୋଭାବ ନେଇ ଶିକ୍ଷାର ଉତ୍କର୍ଷ ଲାଭ କରିବା। ସେ କହିଥିଲେ ଯେ କେବଳ ଜିଲ୍ଲା ନୁହେଁ, ବ୍ଲକ୍ ନୂହେଁ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ, ପଞ୍ଚାୟତ ପ୍ରତିନିଧି ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ଶ୍ରୀ ପାଣ୍ଡିଆନ କରିଥିଲେ।
ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏଥିରେ କଟକ ଜିଲ୍ଲାର ୯୮ଟି ହାଇସ୍କୁଲ, କଳାହାଣ୍ଡି ଜିଲ୍ଲାର ୧୧୫ଟି, ମାଲକାନଗିରି ଜିଲ୍ଲାର ୪୯ଟି ଏବଂ ଯାଜପୁର ଜିଲ୍ଲାର ୭୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା। ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଥିଲା। ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି। ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି। କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି। ତେଣୁ ସ୍କୁଲ ରୂପାନ୍ତର ହେଉଛି, ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ। ଆଜି ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ବିଧାୟକଗଣ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ୫-ଟି ହେଉଛି ଟେକ୍ନୋଲୋଜି, ଟିମ୍ୱାର୍କ, ଟ୍ରାନସ୍ପରେନ୍ସି ବା ସ୍ବଚ୍ଛତା ଏବଂ ଟାଇମ ବା ସମୟ। ଏସବୁର ପ୍ରୟୋଗରେ ଟ୍ରାନ୍ସଫରମେସନ ବା ରୂପାନ୍ତର ଆସିଥାଏ।
ମୁଖ୍ୟମନ୍ତ୍ରୀ କହିଲେ ଯେ, ଟେକ୍ନୋଲୋଜିର ପ୍ରୟୋଗରେ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ବିକାଶ କରାଯାଇଛି। ସେହିପରି ଏହି ରୂପାନ୍ତର କାମକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କରାଯାଇଛି, ଯାହା ଟିମ୍ୱାର୍କର ପ୍ରତୀକ। ସମୟକୁ ଗୁରୁତ୍ବ ଦିଆଯାଇ ସମସ୍ତ କାମ ମଧ୍ୟ ଠିକ୍ ସମୟରେ ଶେଷ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସବୁ କାମରେ ପ୍ରତି ସ୍ତରରେ ସ୍ବଚ୍ଛତା ବା ଟ୍ରାନ୍ସପରେନ୍ସି ରକ୍ଷା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରାଯାଇ କାମ କରାଯାଉଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚ ସଂପର୍କରେ ସମସ୍ତେ ସବୁ ବିଷୟରେ ଜାଣନ୍ତି। ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି। ଏସବୁ ଦ୍ବାରା ଆସିଛି ରୂପାନ୍ତର। ଯାହାକୁ ଆମେ ସବୁ ଦେଖିପାରୁଛୁ ଓ ଅନୁଭବ କରିପାରୁଛୁ।
ଏହି ଅବସରରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଡି ହୋଇଥିବା ସ୍କୁଲ ଗୁଡିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ ସଂପର୍କରେ ବୁଝାଇ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ। ଜୀବନର ସବୁ କ୍ଷେତ୍ରକୁ ଟେକ୍ନୋଲୋଜି ପ୍ରଭାବିତ କରୁଛି। ତେଣୁ ପିଲାମାନେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ। ଏହାଦ୍ବାରା ସେମାନେ ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଆଗରେ ରହିପାରିବେ।
ସେହିପରି ସମୟ ଉପରେ ଗୁରୁତ୍ବ ଦେବକୁ ପରାମର୍ଶ ଦେଇ ସେ କହିଲେ ଯେ ସମୟର ଗୁରୁତ୍ବ ସଂପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ପିଲାମାନେ ସମୟର ଉପଯୋଗ ଠିକ୍ ଭାବରେ କରିପାରିଲେ, ସବୁକ୍ଷେତ୍ରରେ ନିଶ୍ଚୟ ଆଗରେ ରହିବେ। ନିଜ ନିଜ ଜୀବନରେ ୫-ଟିର ଉପଯୋଗ ପାଇଁ ପିଲାଙ୍କୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା ସେମାନେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ। ଦ୍ବିତୀୟ ବିଷୟଟି ହେଉଛି ଟିମ୍ୱାର୍କ । ପିଲାମାନେ ମିଳିମିଶି କାମ କଲେ, ସଫଳତାର ସମ୍ଭାବନା ବଢିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍ୱାର୍କ ଅତି ଜରୁରୀ ବୋଲି ସେ କହିଥିଲେ। ସେହିପରି ଜୀବନରେ ସାଧୁତା (Transparency ) ହେଉଛି ଏକ ଜରୁରୀ ଆବଶ୍ୟକତା। ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ସେମାନଙ୍କ ଜୀବନରେ ଆସିବ ରୂପାନ୍ତର ବା ସଫଳତା।
ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା। ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଜି ଶେଷ ଦିନରେ ସୁଦୂର ମାଲକାନଗିରିଠାରୁ ଆରମ୍ଭ କରି କଳାହାଣ୍ଡି, କଟକ ଓ ଯାଜପୁର ଆଦି ଜିଲ୍ଲାରେ ଆଜି ପିଲାମାନଙ୍କ ମଧ୍ୟରେ ଥିଲା ଅଶେଷ ଉତ୍ସାହ। ମାଲକାନଗିରିର ଛାତ୍ରୀ ସୁପ୍ରିୟା ରାୟ କହିଥିଲେ ଯେ ଆମ ଯେତେବେଳେ ସରକାରୀ ସ୍କୁଲରେ ପାଠ ପଢିଲୁ, ଆମେ ଭାବୁଥିଲୁ ଯେ ବଡ ବଡ ସହର ଭଳି ଆମ ସ୍କୁଲରେ କଣ ଆଧୁନିକ ସୁବିଧା ସୁଯୋଗ ମିଳିପାରିବ ? କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ସ୍ବପ୍ନରୁ ବାହାରେ ଥିବା ସୁବିଧା ସୁଯୋଗ ଆମକୁ ଦେଇଛନ୍ତି । ଆମ କମ୍ପୁଟର ଓ ଇଣ୍ଟରନେଟ୍ରେ ପାଠ ପଢୁଛୁ । ଆଧୁନିକ ପାଠାଗାର ଓ ଲାବୋରେଟୋରୀର ସୁବିଧା ପାଇଛୁ । ତେଣୁ ଆମ ସ୍ବପ୍ନ ମଧ୍ୟ ଆହୁରି ବଡ ହେଉଛି। ମୁଖ୍ୟମନ୍ତ୍ରୀ ଆମ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଛନ୍ତି । ଆମେ ଏ ସୁବିଧାର ସୁଯୋଗ ନେବୁ ଓ ଭବିଷ୍ୟତରେ ବଡ ହୋଇ ମୁଖ୍ୟମନ୍ତ୍ରୀଙ୍କ ନବୀନ ଓଡିଶାର ସ୍ବପ୍ନ ପୂରଣ କରିବୁ । ବଡ ହେଲେ ସୁପ୍ରିୟା ଜଣେ ଡାକ୍ତର ହେବେ ବୋଲି ଆଶା ରଖିଛନ୍ତି । ସେହିପରି କଟକର ଜୟଶ୍ରୀ ପଣ୍ଡା ଜଣେ ଆଇ.ଏ.ଏସ ଅଫିସର ଓ ଯାଜପୁରର ବିଶ୍ବଜିତ ବେହେରା ଜଣେ ଆଇ.ପି.ଏସ୍ ହେବେ ବୋଲି ଆଶା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇଥିଲେ ।
କଳାହାଣ୍ଡିର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ଭବିଷ୍ୟତରେ ପାଇଲଟ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଶତାଦ୍ଦୀର ଶ୍ରେଷ୍ଠ ପାଇଲଟ ବିଜୁ ବାବୁଙ୍କ ସଂପର୍କରେ ପ୍ରକାଶିତ ଏକ ପୁସ୍ତକ ତାଙ୍କୁ ଉପହାର ଦିଆଯିବ ବୋଲି ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ କଟକ ଜିଲ୍ଲାରେ କୃଷି ଓ ପଶୁବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଳାହାଣ୍ଡିରେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଂକର ମିଶ୍ର, ମାଲକାନଗିରିରେ ଜିଲ୍ଲା ପରିଷଦ ସଭାପତି ଶାମାରୀ ଟାଙ୍ଗଲୁ ଓ ଯାଜପୁରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରମୁଖ ସେମାନଙ୍କ ମତାମତ ରଖି କହିଥିଲେ ଯେ ଆଜି ସ୍କୁଲ ରୂପାନ୍ତର ଦ୍ବାରା ଆଜି ପିଲାମାନଙ୍କ ସ୍ବପ୍ନରେ ଡେଣା ଲାଗିଛି। ଶିକ୍ଷା ହିଁ ସବୁ ସମସ୍ୟାର ସମାଧାନ। ତେଣୁ ମୁଖ୍ୟମନ୍ତ୍ରୀ ଆଜି ଶିକ୍ଷା ଜରିଆରେ ଓଡିଶାର ରୂପାନ୍ତର ପାଇଁ ଦୃଢ ପଦକ୍ଷେପ ନେଇଛନ୍ତି ବୋଲି ସେମାନେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ବଥୀ ଏସ୍ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ପି.କେ. ଜେନା, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର: ମଣିପୁରରେ ସୃଷ୍ଟି ହୋଇଥିବା ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତିରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତ୍ୱରିତ ଉଦ୍ଧାର କରି ଓଡିଶା ଫେରାଇ ଅଣାଯାଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ନିରବ। ଛାତ୍ରଛାତ୍ରୀଙ୍କ ଉଦ୍ଧାର ତ ଦୂରରକଥା ରାଜନୈତିକ ବାଧ୍ୟବାଧକତା ପାଇଁ ସେ ଏ ସଂକ୍ରାନ୍ତରେ ମୁହଁ ଖୋଲୁନଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୫୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୩,୦୦୦ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଯାନବାହନ, ଘର, ବିଦ୍ୟାଳୟ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ନିଆଁ ଲଗାଯାଇଥିବାବେଳେ ଦଙ୍ଗାକାରୀଙ୍କୁ ଦେଖିଲା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତି ଏଭଳି ହୋଇଛି ଯେ ସେଠାରେ ସେନା ମୁତୟନ ହୋଇଥିବାବେଳେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି।
ଓଡିଆ ଛାତ୍ରଛାତ୍ରୀମାନେ ମଣିପୁରରେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି। ମଣିପୁରର ଏହି ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଓଡିଶାର ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ଭୟ କରି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନୁରୋଧ କରିଥିଲେ ଯେ ସେମାନେ ଓଡ଼ିଶାକୁ ଫେରିବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତୁରନ୍ତ ଏହି ଛାତ୍ରଛାତ୍ରୀମାନଙ୍କୁ ଓଡିଶାକୁ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଗଲା।
ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା ଯିଏ କି ସ୍ୱତନ୍ତ୍ର ବିମାନ ପଠାଯାଇଥିଲା ଏବଂ ଯୁଦ୍ଧ କ୍ଷେତ୍ର ୟୁକ୍ରେନରୁ ଛାତ୍ରମାନଙ୍କୁ ଓଡିଶାକୁ ଫେରାଇ ଆଣିଥିଲା। କୋଭିଡ ସମୟରେ, ଓଡିଶା ପ୍ରଥମ ରାଜ୍ୟ ଭାବରେ ବିମାନ ପଠାଇଥିଲା ଏବଂ ଜାମ୍ମୁ କାଶ୍ମୀର ସମେତ ଦେଶର ଉତ୍ତର ପୂର୍ବର ଅନ୍ୟ ରାଜ୍ୟରୁ ଓଡିଆ ଛାତ୍ରଛାତ୍ରୀମାନଙ୍କୁ ଓଡିଶାକୁ ଫେରାଇ ଆଣିଥିଲା।
ଯେତେବେଳେ ବି ଓଡିଆ ବିଶେଷକରି ଛାତ୍ରଛାତ୍ରୀ ମାନେ ରାଜ୍ୟ ବାହାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ତ୍ୱରିତ ପଦକ୍ଷେପ ନିଅନ୍ତି ଯେ ସେମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପ୍ରତି ଯତ୍ନ ନିଆଯାଏ ଏବଂ ସେମାନଙ୍କୁ ନିରାପଦରେ ଓଡିଶାକୁ ଫେରାଇ ଅଣାଯାଏ।
ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବାକୁ ବିଜେଡି ବିଶ୍ୱାସ କରେ ନାହିଁ ଏବଂ ବିଜେପି ଭଳି ଅଭ୍ୟାସଗତ ଭାବେ ଅତି ନିମ୍ନ ସ୍ତରକୁ ଯାଏ ନାହିଁ । ତଥାପି, ଆମେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶାର ବିଜେପି ନେତାମାନଙ୍କୁ ପଚାରିବାକୁ ଚାହୁଁ ଯେ ଏହି ଓଡିଆ ଛାତ୍ରଛାତ୍ରୀମାନେ ସାହାଯ୍ୟ ମାଗୁଥିବାବେଳେ ସେମାନେ କେଉଁଠି ଥିଲେ ?
ଦେଖାଯାଇଛି ଯେ ମଣିପୁର ପ୍ରସଙ୍ଗରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚୁପ୍ ରହିଛନ୍ତି। କାରଣ ଏହା ଏକ ବିଜେପି ଶାସିତ ରାଜ୍ୟ ଏବଂ ସେଠାକୁ ଯାଇ ଓଡିଆ ଛାତଛାତ୍ରୀମାନଙ୍କୁ ସାହାଯ୍ୟ କରିବା ତାଙ୍କ ପାଇଁ ରାଜନୈତିକ ଦୃଷ୍ଟିରୁ ସହଜ ନୁହେଁ। ଏଥିରୁ ସ୍ପଷ୍ଟ ଯେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଅପେକ୍ଷା ତାଙ୍କ ପାଇଁ ରାଜନୀତି ଅଧିକ ଗୁରୁତ୍ୱପୂର୍ଣ୍ଣ।
ସେ ଏବଂ ଓଡିଶା ବିଜେପିରେ ଥିବା ତାଙ୍କର କିଛି ସହକର୍ମୀ ଆଇନହୀନ ବୋଲି କହି ଓଡିଆଙ୍କୁ ଅପମାନିତ କରିବା ଏବଂ ବଦନାମ କରିବାର ସୁଯୋଗକୁ ହାତଛଡା କରନ୍ତି ନାହିଁ । ଏବେ ମଣିପୁରର ପରିସ୍ଥିତି ଦେଖିବା ପରେ ସେ ଅତି କମରେ ଆଇନହୀନ ବୋଲି କହିଥିବାରୁ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ।
ଏଥିରୁ ଆହୁରି ମଧ୍ୟ ସ୍ପଷ୍ଟ ଯେ ଓଡ଼ିଶାର ସ୍ୱାର୍ଥ ଅପେକ୍ଷା ତାଙ୍କ ପାଇଁ ରାଜନୈତିକ ସୁବିଧାବାଦ ଅଧିକ ଗୁରୁତ୍ୱପୂର୍ଣ୍ଣ। ଆମେ ଓଡିଶା ବିଜେପିର ଅନ୍ୟ ନେତାମାନଙ୍କୁ ଅନୁରୋଧ କରୁଛୁ ଯେ ଧର୍ମେନ୍ଦ୍ର ପ୍ରଧାନ ଏବଂ କିଛି ଓଡିଶା ବିଜେପି ନେତା ଯେଭଳି ଓଡିଶାର ଲୋକଙ୍କୁ ବଦନାମ କରିବାରେ ସମର୍ଥନ କରୁଛନ୍ତି, ଏଥିପାଇଁ ସେମାନେ ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ସୁଶ୍ରୀ ସାହୁ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ଓମ୍ ପ୍ରକାଶ ସାହୁ ଉପସ୍ଥିତ ଥିଲେ।

ଭୁବନେଶ୍ବର: ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ଦଶ ଜଣ ଓଡିଆ ଛାତ୍ରଛାତ୍ରୀମାନେ ଆଜି ସୁରକ୍ଷିତ ଭାବରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ପରିବାର ପକ୍ଷରୁ ଜାତିଗତ ହିଂସାରେ କ୍ଷତିଗ୍ରସ୍ତ ମଣିପୁରରେ ପାଠ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଓଡିଶା ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଗତ କାଲି ରାତିରେ ସେମାନଙ୍କୁ କୋଲକାତା ଅଣାଯାଇଥିଲା।
ଆଜି ପୂର୍ବାହ୍ନରେ ସେମାନେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ବିମାନବନ୍ଦରରେ ଓଡିଶା ପରିବାର ପକ୍ଷ୍ୟରୁ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରାଯାଇଥିଲା।
ପରେ ସେମାନେ ନବୀନ ନିବାସ ଯାଇ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସୁରକ୍ଷିତ ଭାବରେ ସେମାନଙ୍କୁ ଭୁବନେଶ୍ବର ଫେରାଇଆଣି ଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସେମାନଙ୍କ ପାଠ ପଢା ବିଷୟରେ ପଚାରି ବୁଝିବା ସହ ଖୂବ୍ ଶୀଘ୍ର ମଣିପୁରରେ ସ୍ୱାଭାବିକ ଅବସ୍ଥା ଫେରି ଆସିବ ବୋଲି ଆଶା ବ୍ୟକ୍ତ କରିଥିଲେ। ପିଲାମାନଙ୍କୁ ହକି ଜର୍ସି ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ଵାଗତ କରିଥିଲେ।