Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶିଶୁ ଦିବସରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି

ଭୁବନେଶ୍ବର: ଆଜି ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ନୂତନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା କାର୍ଯ୍ୟକ୍ରମ ଗୁଡିକ ହେଲା:-

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ:

ରାଜ୍ୟର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଅଧୀନରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ କରାଯିବ। ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା, ସେହିଭଳି ଏହି ବିଦ୍ୟାଳୟ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିବ।

ଏଥିରେ ବିଶେଷ କରି ପିଲାମାନଙ୍କର ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୁରୁତ୍ୱ ଆରୋପ କରାଯିବ। ଏହା ଦ୍ୱାରା ପିଲାମାନେ ଉଚ୍ଚତର ଶ୍ରେଣୀରେ ସହଜରେ ଶିକ୍ଷା ଗ୍ରହଣ କରି ପାରିବେ। ଉନ୍ନତ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଓ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ପିଲାମାନଙ୍କର ମୌଳିକ ଜ୍ଞାନ ଓ ବୌଦ୍ଧିକ ବିକାଶକୁ ସୁଦୃଢ କରିବା ଦିଗରେ ପଦକ୍ଷେପ ନିଆଯିବ।

ଏହି ଯୋଜନାରେ ନୂଆ କ୍ଲାସ ରୁମ୍, ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଟଏଲଟର ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ସବୁଜ ପରିବେଶ, ଡିଜିଟାଲ ଲାଇବ୍ରେରୀ ଓ ଲାଙ୍ଗୁଏଜ୍ ଲ୍ୟାବ୍, ଖେଳ ପଡିଆ, ଡାଇନିଙ୍ଗ ହଲ୍, କମ୍ପ୍ୟୁଟର, ସ୍ମାର୍ଟ ବୋର୍ଡ ଆଦିର ବ୍ୟବସ୍ଥା କରାଯିବ। ଏହା ସହିତ କ୍ରୀଡା, ଶାରୀରିକ ବ୍ୟାୟମ ଏବଂ ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପର ମଧ୍ୟ ଗୁରୁତ୍ୱ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଯେତେବେଳେ ବିରୋଧୀ ଦଳରେ ଥିଲେ, ସେତେବେଳେ ପ୍ରାଥମିକ ବିଦ୍ୟାଲୟରେ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେତେବେଳର ସରକାର କିଛି ପଦକ୍ଷେପ ନେଇନଥିଲେ।

ଐତିହ୍ୟ ବିଦ୍ୟାଳୟ :

ରାଜ୍ୟର ପୁରାତନ ବିଦ୍ୟାଳୟର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ରାଜ୍ୟର ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ବିଦ୍ୟାଳୟ କିମ୍ବା ଜିଲ୍ଲାର ସର୍ବ ପୁରାତନ ବିଦ୍ୟାଳୟ ଗୁଡିକର ବିକାଶ କରାଯିବ। ଏହାର ଐତିହ୍ୟ ଓ ଐତିହାସିକ ଗୌରବର ପୁନଃପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ। ସମୁଦାୟ 51ଟି ଐତିହ୍ୟ ବିଦ୍ୟାଳୟର ବିକାଶ କରାଯିବ।

ଓଡିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲ ଅନ୍ତେବାସୀଙ୍କ ମାସିକ ଖର୍ଚ୍ଚ ରାଜ୍ୟ ସରକାରଙ୍କ ଦ୍ବାରା ବହନ:

୩୧୪ ଟି ଓଡିଶା ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ୧୭୩ ଟି ଆଦର୍ଶ ବିଦ୍ୟାଳୟରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଯୋଜନା ଅଧୀନରେ ବାଳିକା ହଷ୍ଟେଲ ନିମନ୍ତେ କେନ୍ଦ୍ର ସରକାରଙ୍କ ଠାରୁ ଅନୁମୋଦନ ମିଳିସାରିଛି। ଯେଉଁଥିରେ ସମସ୍ତ ଛାତ୍ରୀଙ୍କ ନିମନ୍ତେ ମାଗଣା ରହିବା ଏବଂ ଖାଇବାର ବ୍ୟବସ୍ଥା ରହିଛି।

ବାକି ୧୪୧ ଟି ବାଳିକା ହଷ୍ଟେଲ ଏବଂ ୩୧୪ ଟି ବାଳକ ହଷ୍ଟେଲ କାର୍ଯ୍ୟକ୍ଷମ କରିବା ନିମନ୍ତେ ସରକାରଙ୍କ ତରଫରୁ ସମସ୍ତ ପଦକ୍ଷେପ ନିଆଯାଉଛି। ମୋଟ ୪୫୫ଟି ହଷ୍ଟେଲରେ ଅନ୍ତେବାସୀ ମାନଙ୍କଠାରୁ ମାସିକ 2000 ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚ ଆଦାୟ ନିମନ୍ତେ ପୂର୍ବରୁ ମାର୍ଗଦର୍ଶିକା ଜାରି ହୋଇଥିଲା। କିନ୍ତୁ ଅଭିଭାବକ ମାନଙ୍କର ଅନୁରୋଧ ରକ୍ଷାକରି ମାସିକ ଖର୍ଚ୍ଚ ସରକାର ବହନ କରିବେ ବୋଲି ନିଷ୍ପତ୍ତି ନିଆଗଲା।

ଏଥି ପାଇଁ ଛାତ୍ରଛାତ୍ରୀମାନଙ୍କୁ କୌଣସି ଖର୍ଚ୍ଚ ଦେବାପାଇଁ ପଡ଼ିବନାହିଁ। ଏହା ଅଧୀନରେ ସମସ୍ତ ଅନ୍ତେବାସୀ ସମ୍ପୂର୍ଣ୍ଣ ମାଗଣାରେ ହଷ୍ଟେଲ ସୁବିଧା ପାଇବେ। ସମସ୍ତ ହଷ୍ଟେଲକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ମୂଳଖର୍ଚ୍ଚ 63.70 କୋଟିକୁ ବାଦ୍ ଦେଇ ସରକାର ବାର୍ଷିକ 187.15 କୋଟି ଟଙ୍କା ବହନ କରିବେ।

ମଧ୍ୟାହ୍ନ ଭୋଜନ ମୂଲ୍ୟରେ ପ୍ରତି ବିଦ୍ୟାର୍ଥୀ ପ୍ରତି ୧ ଟଙ୍କା ବୃଦ୍ଧି ଘୋଷଣା:

ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନଙ୍କୁ ପୌଷ୍ଟିକ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦେବା, ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀମାନଙ୍କ ଉପସ୍ଥାନ ବୃଦ୍ଧି କରିବା, ସ୍କୁଲ ବାହାରେ ଥିବା ପିଲାମାନଙ୍କୁ ବିଦ୍ୟାଳୟ ପରିସରଭୁକ୍ତ କରିବା, ପିଲାମାନଙ୍କ କୁପୋଷଣ ଓ ପୁଷ୍ଟିହୀନତା ଦୂର କରିବା ପାଇଁ ପ୍ରାଧନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ (ପି.ଏମ୍‌.ପୋଷଣ) ଯୋଜନା କାର୍ଯ୍ୟକାରୀ ହେଉଛି।

ରାଜ୍ୟର ୫୦ ହଜାରରୁ ଉର୍ଦ୍ଧ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ହାରାହାରୀ ୪୩ ଲକ୍ଷ ଛାତ୍ରଛାତ୍ରୀ ଏହି ମଧ୍ୟାହ୍ନ ଭୋଜନ ଯୋଜନାରେ ଉପକୃତ ହେଉଛନ୍ତି। ବର୍ତ୍ତମାନ ଏହି ଯୋଜନାରେ ସରକାର ପ୍ରତ୍ୟେକ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ଟ ୫.୯୦ ଓ ଉଚ୍ଚପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ଟ୮.୮୨ ଦୈନିକ ପଡି ମୂଲ୍ୟର ଖର୍ଚ୍ଚ ଧାର୍ଯ୍ୟ କରିଛନ୍ତି। ବର୍ତ୍ତମାନର ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଦୈନିକ ପଡି ମୂଲ୍ୟ ଉପରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ୧ଟଙ୍କା ଲେଖାଏଁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଦ୍ୟାର୍ଥୀଙ୍କ ଭିତରେ ଅପାର ସମ୍ଭାବନା ଏବଂ ପ୍ରତିଭା ରହିଛି। ସେମାନେ ନିଜ ଭିତର ଲୁକ୍କାୟିତ ଗୁଣାବଳୀ ଏବଂ ଦକ୍ଷତାକୁ ଚିହ୍ନଟ କରନ୍ତୁ । ନୂଆ ନୂଆ ଚିନ୍ତା କରିବା ସହିତ ବଡ଼ ସ୍ୱପ୍ନ ଦେଖିବା ପାଇଁ କେବେ ବି ଦ୍ୱିଧା ପ୍ରକାଶ କରନ୍ତୁ ନାହିଁ । କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ସେମାନେ ପ୍ରତ୍ୟେକ ଲକ୍ଷ୍ୟକୁ ହାସଲ କରିପାରିବେ ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶ ନିର୍ମାଣରେ ବିଦ୍ୟାର୍ଥୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ସୁରଭି ଏକ ସୁନ୍ଦର ଏବଂ ନିଆରା ମଞ୍ଚ, ଯାହା ମାଧ୍ୟମରେ ସେମାନଙ୍କୁ କଳା, ପ୍ରତିଭା ଏବଂ ସୃଜନଶୀଳତା ଉପସ୍ଥାପନ କରିବାର ସୁଯୋଗ ମିଳୁଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାରଙ୍କର ପ୍ରୟାସ ପିଲାମାନଙ୍କର ଶିକ୍ଷାଗତ, ସାମାଜିକ ଏବଂ ମାନସିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆମେ ପିଲାମାନଙ୍କୁ ଏପରି ସଶକ୍ତ କରିବୁ ଯେ ସେମାନେ କେବଳ ନିଜ ପାଇଁ ନୁହେଁ ନିଜ ଗାଁ, ରାଜ୍ୟ ଏବଂ ଦେଶ ପାଇଁ ମଧ୍ୟ ଗୌରବ ଆଣିବେ। ଆମ ଓଡିଶା ବିକଶିତ ହେବ। ଯସଶ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପରିକଳ୍ପନା ବିକଶିତ ଭାରତ ଗଠନ ଦିଗରେ ବିକଶିତ ଓଡିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ‘ପି.ଏମ୍. ପୋଷଣ’ ନିର୍ଦ୍ଦେଶାବଳୀ ଏବଂ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡିଶା’ ନାମକ ଏକ କଫି ଟେବଲ ପୁସ୍ତକର ଉନ୍ମୋଚନ କରିଥିଲେ। ଏହା ସହିତ ଐତିହ୍ୟ ବିଦ୍ୟାଳୟର ଲୋଗୋ ଏବଂ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଲୋଗୋ ମଧ୍ୟ ଉନ୍ମୋଚନ କରିଥିଲେ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାର ବିକାଶ ହେଉଛି । ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ଏହାକୁ ଉପଯୋଗ କରି ପିଲାମାନେ ନିଜର ଭବିଷ୍ୟତ ଗଢନ୍ତୁ।

ସେ କହିଥିଲେ ଯେ, ପିଲାମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେବଳ ସରକାର ଉଦ୍ୟମ କଲେ ହେବ ନାହିଁ, ଏଥିରେ ସମସ୍ତଙ୍କର ଯୋଗଦାନ କରିବାର ଆବଶ୍ୟକତା ରହିଛି। ସେ କହିଥିଲେ ଯେ, ସଂଘର୍ଷ ମାଧ୍ୟମରେ ଯେଉଁ ସଫଳତା ଆସେ, ତାହା ଆନନ୍ଦଦାୟକ ଓ ଚିରସ୍ଥାୟୀ। ତେଣୁ ପିଲାମାନେ ସଂଘର୍ଷ କରିବା ପାଇଁ ଆଗ୍ରହୀ ହେବା ଉଚିତ୍ ବୋଲି ସେ କହିଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ତୃଣମୂଳ ସ୍ତରରେ ପିଲାମାନଙ୍କ ସୃଜନଶୀଳ ପ୍ରତିଭାର ଯେତେ ଉନ୍ନତି ହେବ, ଉଚ୍ଚଶିକ୍ଷା କ୍ଷେତ୍ରରେ ଶିକ୍ଷାଲାଭ କରିବା ସେତେ ସହଜ ହେବ। ସୁରଭି କାର୍ଯ୍ୟକ୍ରମରେ ପିଲାମାନଙ୍କର ଯେଉଁ ପ୍ରତିଭା ଦେଖିବାକୁ ମିଳୁଛି, ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ସେ କହିଥିଲେ।

ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆଜି ଏଠାରେ ଉପସ୍ଥିତ ରହି, ୨୦୩୬ ପାଇଁ ବିକଶିତ ଓଡିଶା ଗଠନର ଯେଉଁ ଲକ୍ଷ୍ୟ ରହିଛି, ତା’ର ଚାରା ରୋପଣ କରୁଛନ୍ତି। ଆଜିର ପିଲାମାନେ ସମୃଦ୍ଧ ଓଡିଶାର ନେତୃତ୍ୱ ନେବେ । ପିଲାମାନେ ଆମର ସମୃଦ୍ଧ ଇତିହାସ ଓ ଐତିହ୍ୟ ଜାଣିବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ୩୦ ଜିଲ୍ଲାର ୨୦୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୌଣସି ପରିସ୍ଥିତିରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବନ୍ଦ ହେବ ନାହିଁ

ଭୁବନେଶ୍ଵର: କୌଣସି ପରିସ୍ଥିତିରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବନ୍ଦ ହେବ ନାହିଁ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର। ଶନିବାର ଭୁବନେଶ୍ବରଠାରେ ସମସ୍ତ ଜିଲ୍ଲାରେ ପୁଷ୍ଟିକର, ନିରାପତ୍ତା ମଧ୍ୟାହ୍ନ ଭୋଜନ ପରିଚାଳନା ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଭାସୀ ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ନିରାପଦ ଓ ସ୍ବଚ୍ଛ ମଧ୍ୟାହ୍ନ ଭୋଜନକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।

ସେ ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ପିଏମ୍ ପୋଷଣ ରାଜ୍ୟ ସଂଯୋଜନ ଅଧିକାରୀ ରଘୁରାମ ଆର ଆୟାର ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଜିଲ୍ଲାଗୁଡ଼ିକୁ ମଧ୍ୟାହ୍ନ ଭୋଜନ ପାଇଁ ପିଏମ୍ ପୋଷଣ ଅଧୀନରେ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଛି।

ମଧ୍ୟାହ୍ନ ଭୋଜନରେ ପୋଷଣୀୟ ଚାଉଳ ଓ ଉନ୍ନତ ମାନର ଖାଦ୍ୟ ସାମଗ୍ରୀ ବ୍ୟବହାର କରିବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରତିଟି ଶିଶୁର ଅଧିକାର। ଏହା କିଭଳି ନିରାପଦ, ସ୍ବଚ୍ଛ ଓ ସୁରକ୍ଷିତ ହେବା ସହ ବିନା କୌଣସି ସମସ୍ୟାରେ ପ୍ରତିଦିନ ଛାତ୍ରଛାତ୍ରୀଙ୍କୁ ମିଳିବ, ସେ ସଂପର୍କରେ ସମସ୍ତେ ସମ୍ବେଦନଶୀଳ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ପିଏମ୍ ପୋଷଣ ଅନ୍ତର୍ଗତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ମଧ୍ୟାହ୍ନ ଭୋଜନ ଖାଇ ଅନେକ ପିଲା ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ବ୍ଳକ ଆଠଗଡ଼ ପାଟଣା ଗୌଡ଼ ସାହି ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ବହୁ ପିଲା ଅସୁସ୍ଥ ହୋଇଛନ୍ତି। କିଛି ପିଲା ଆସ୍କା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ୫ ଜଣ ପିଲା ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ସ୍କୁଲ ପ୍ରଧାନ ଶିକ୍ଷକ ଏହି ଭଳି ସମସ୍ୟାର କାରଣ କିଛି କହିନାହାନ୍ତି। କିନ୍ତୁ ସେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ ସେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। କିନ୍ତୁ କୌଣସି ପଦେକ୍ଷପ ର ପ୍ରମାଣ ନାହିଁ। ଅନ୍ୟ ପକ୍ଷରେ ଏହି ଭଳି ଗୁରୁତର ପରିସ୍ଥିତିରେ କୌଣସି ଜିଲ୍ଲା ଅଧିକାରୀଙ୍କର ଦେଖା ଦର୍ଶନ ନାହିଁ।

ଏହି ଘଟଣାକୁ ନେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ ଅଭିଭାବକ ଓ ଅଞ୍ଚଳ ବାସିନ୍ଦାଙ୍କ ତରଫରୁ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଅଣ୍ଡା ଦର ୮ ଟଙ୍କା, ତେଲ ଓ ଡାଲି ଦର କମୁନି, ମଧ୍ୟାହ୍ନ ଭୋଜନ ଯୋଗାଣରେ ପୃଷ୍ଟି ଆସିବ କେଉଁଠୁ?

ବେଗୁନିଆପଡ଼ା: (ଟୁକୁନା ପ୍ରଧାନ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନର ପାଇଁ ସରକାର ବ୍ୟବସ୍ଥା କରିଥିବା ବେଳେ କେବଳ ଚାଉଳ ଯୋଗାଇ ଅନ୍ୟ ସବୁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ବିଦ୍ୟାଳୟକୁ ଦାୟିତ୍ଵ ଦିଆଯାଇଛି। ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମୁଣ୍ଡ ପିଛା ୫.୯୦ ଟଙ୍କା ଆସୁଥିବା ବେଳେ ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଈଁ ୮.୮୧ ଟଙ୍କା ଆସୁଛି। ବର୍ତ୍ତମାନ ସ୍ଥିତିରେ ଅଣ୍ଡା ପ୍ରତି ୮ ଟଙ୍କା ଦର ଥିବା ବେଳେ ସରକାର ଦେଉଛନ୍ତି ୫ ଟଙ୍କା। ତା ସହିତ ସେହିଦିନ ତରକାରୀ କରି ଦେବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଅଛି। ସେପଟେ ଡାଲି ଓ ତେଲ ଦର ଅଧିକା ଥିବା ବେଳେ ରସୁଣ ଦର ୨୫୦ ଟଙ୍କା ଓ ଅଦା ଦର ୧୫୦ଟଙ୍କା ରହିଛି। ଯାହାକୁ ନେଇ ବିଦ୍ୟାଳୟରେ ଶିକ୍ଷକ ହୁଅନ୍ତୁ କିମ୍ବା ଏସ ଏଚ ଜି ପରିଚାଳନା ପାଇଁ ଚିନ୍ତାରେ ଅଛନ୍ତି।

ବେଗୁନିଆପଡ଼ା ବ୍ଲକରେ ୧୪୦ ରୁ ଅଧିକା ବିଦ୍ୟାଳୟ ଥିବା ବେଳେ ଏହି ପ୍ରକାର ଅବ୍ୟବସ୍ଥାରେ ସମସ୍ତେ ସନ୍ତୁଳିତ। ପିଲାଙ୍କୁ ପୃଷ୍ଟିସାର ଦେବା ପାଇଁ ଶିକ୍ଷକ ଚେଷ୍ଟା କରୁଥିବା ବେଳେ ଖର୍ଚ୍ଚ ଅଧିକା ଯୋଗୁଁ ସେ ଅନ୍ୟ କିଛି ପନ୍ଥା ପାଇପାରୁ ନାହାନ୍ତି। ସେପଟେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଆଗରୁ ଅର୍ଥ ବରାଦ ନକରି ୩ ମାସ ପରେ ଅର୍ଥ ଆସୁଥିବା ଯୋଗୁଁ ଏହା ପରିଚାଳନା ପାଈଁ ଉଦ୍ଧାର କରି ୩ ମାସ ପରେ ବକେୟା ପରିଶୋଧ କରୁଛନ୍ତି। ଏଣୁ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଦେବା ପାଇଁ ଅଧିକା ଅର୍ଥ ବରାଦ କରିବା ସହ ନିୟମିତ ଭାବେ ଅର୍ଥ ବରାଦ କରି ଦର ବୃଦ୍ଧିକୁ ଆଖି ଆଗରେ ରଖି ସରକାର ପିଲାଙ୍କ ମୁଣ୍ଡ ପିଛା ଦର ବୃଦ୍ଧି କରିବା ଆବଶ୍ୟକ ହୋଇପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟକର ମଧ୍ୟାହ୍ନ ଭୋଜନ ପ୍ରଦାନ ପାଇଁ ପାଚିକାଙ୍କୁ ଦିଆଗଲା ପ୍ରଶିକ୍ଷଣ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ମିଶନଶକ୍ତି ଭବନ ପରିସରରେ ସୋମବାର ଦିନ ଏକ ଦୁଇଦିନିଆ କର୍ମଶାଳା ଆୟୋଜିତ କରାଯାଇଅଛି ।

ଭାରତ ସରକାରଙ୍କ ପିଏମ୍‌-ପୋଷଣ, ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ ସଂଗଠନ ଏବଂ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପୋଷଣଯୁକ୍ତ ମଧ୍ୟାହ୍ନ ଭୋଜନ ଯୋଗାଇବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

୧୬ ଜିଲ୍ଲାର ପାଚିକା ତଥା ସହାୟିକା ମାଷ୍ଟର ଟ୍ରେନରମାନଙ୍କର ପ୍ରଶିକ୍ଷଣ ୪ ପର୍ଯ୍ୟାୟରେ ଶେଷ ହୋଇସାରିଛି । ଆଜିର ଏହି ପର୍ଯ୍ୟାୟକୁ ମିଶାଇ ୧୯ ଜିଲ୍ଲାର ପ୍ରଶିକ୍ଷଣ ଶେଷ ହେବ । ଏହି ଅବସରରେ ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନର୍‌ମାନେ (ପାଚିକା ତଥା ସହାୟିକା) ଅଂଶ ଗ୍ରହଣ କରି ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ପରିବେଶରେ କିଭଳି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯିବ ସେ ନେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

ରାଜ୍ୟ ନୋଡାଲ ଅଫିସର ଶ୍ରୀ ରଘୁରାମ ଆର ଆୟାର ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଷୟବସ୍ତୁ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ସମ୍ବିତ କୁମାର ନାୟକ, ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ, ସମସ୍ତ ପାଚିକା ତଥା ସହାୟିକାମାନେ ସ୍କୁଲ ପିଲାମାନଙ୍କୁ ନିଜର ଛୁଆ ଭାବି ଖାଦ୍ୟ ରାନ୍ଧନ୍ତୁ ଓ ପରଷନ୍ତୁ ବୋଲି ଅନୁରୋଧ କରିଥିଲେ ।

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ରାଜ୍ୟ ମୁଖ୍ୟ ଶ୍ରୀ ହିମାଂଶୁ ବଳ କହିଲେ ଯେ ପାଚିକା ତଥା ସହାୟିକାମାନେ ତାଙ୍କ କାର୍ଯ୍ୟ ଦ୍ୱାରା ନିଜ ଅଞ୍ଚଳର ଭବିଷ୍ୟତଙ୍କୁ ତିଆରି କରୁଛନ୍ତି ତେଣୁ ଏହାକୁ ଏକ ଗୁରୁଦାୟିତ୍ୱ ରୂପେ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶ୍ରୀମତୀ ସସ୍ମିତା ପଟ୍ଟନାୟକ, ଉପ-ନିର୍ଦ୍ଦେଶକ ଶ୍ରୀଯୁକ୍ତ ଯୋଗେନ୍ଦ୍ର ମାଝୀ, ବିତ୍ତ ଅଧିକାରୀ ଶ୍ରୀଯୁକ୍ତ ଜୟକୃଷ୍ଣ ପାତ୍ର ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ସମୟରେ ପରିଷ୍କାର ପରିଚ୍ଛନ୍ନ ରହିବା, ଉତ୍ତମ ଗୁଣବତ୍ତାଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା, ଉକିୃଷ୍ଟ ମାନର ସାମଗ୍ରୀ ବ୍ୟବହାର କରିବା, ପୁଷ୍ଟିକର ଚାଉଳ ରୋଷେଇ ପ୍ରଣାଳୀ, ଆବର୍ଜନା ପରିଚାଳନା, fosafmdm ଆପ୍ଲିକେସନ୍‌ର ବ୍ୟବହାର ଇତ୍ୟାଦି ଉପରେ ପ୍ରଶିକ୍ଷଣ ଦିଆଗଲା।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ସ୍କୁଲମାନଙ୍କରେ ମଧ୍ୟାହ୍ନ ଭୋଜନରେ ପୁଷ୍ଟି ଉଦ୍ୟାନ (ରୋଷେଇ ବଗିଚା)ର ଉପଯୋଗିତା ଉପରେ ଆଲୋଚନା କରାଯିବ । ପାଚିକା ତଥା ସହାୟିକାମାନଙ୍କର ତାଲିମ କାର୍ଯ୍ୟକ୍ରମର ମୂଲ୍ୟାଙ୍କନ ତଥା ମତାମତ ଗ୍ରହଣ କରାଯାଇ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯିବ । ପରିଶେଷରେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସଦସ୍ୟମାନଙ୍କୁ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ଏବଂ ଫୁଲନଖରାସ୍ଥିତ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ଟ୍ରଷ୍ଟର କେନ୍ଦ୍ରୀୟ ରୋଷେଇଶାଳା (ସେଣ୍ଟ୍ରାଲାଇଜଡ୍‌ କିଚେନ୍‌) କୁ ପରିଦର୍ଶନରେ ନିଆଯିବ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଣ ପାଇଁ ଚିଠି ଲେଖିଲେ ମନ୍ତ୍ରୀ ସମୀର ରଂଜନ ଦାସ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ବିଜେଡି ବନାମ ବିଜେପି ମଧ୍ୟରେ ଚାଲିଛି ଗରମାଗରମ ଲଢେଇ। ବିଭିନ୍ନ ପ୍ରସଂଗରେ ଉଭୟ ପରସ୍ପର ମଧ୍ୟରେ କାଦୁଅ ପିଙ୍ଗାଫିଙ୍ଗି ହେବାରେ ଲାଗିଛନ୍ତି। ଏପରି କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଚିଠି ଲେଖିଛନ୍ତି ଓଡିଶା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ। ତେବେ ଏହା କୌଣସି ରାଜନୈତିକ ଚିଠି ଯୁଦ୍ଧ ନୁହେଁ, ବରଂ ଶିକ୍ଷା ବିଭାଗ ନେଇ ଏହି ଚିଠି ଲେଖାଯାଇଛି।

ସମୀର ରଂଜନ ଧର୍ମେନ୍ଦ୍ରଙ୍କୁ ଅବଗତ କରାଇଛନ୍ତି ଯେ, ଯଥା ଶିଘ୍ର ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନ ଅର୍ଥର ବକେୟା ପଇଠ କର। ବହୁ ମାସ ଧରି ଏହି ପଇସା ବାକି ପଡି ରହିଛି। ଫଳରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିବାରେ ଅସୁବିଧା ହେଉଛି। ସମୀର ରଂଜନ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ଅନେକ ସ୍କୁଲ ଶିକ୍ଷକମାନେ ନିଜ ଦରମା ପଇସାରୁ ଖର୍ଚ୍ଚ କରି ମଧ୍ୟାହ୍ନ ଭୋଜନ ଦେଉଛନ୍ତି।

ଏହି ଚିଠିରେ ସମୀର ରଂଜନ କହିଛନ୍ତି ଯେ, ରାଜ୍ୟରେ ଯେଉଁ ମଧ୍ୟାହ୍ନ ଭୋଜନ ଯୋଜନା ଲାଗୁ ହୋଇଛି ଏହା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ପୋଷଣ କାଯ୍ୟକ୍ରମର ଅନ୍ତର୍ଗତ। ଏଥିରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଦେଉଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ଭରଣା କରୁଛନ୍ତି। ହେଲେ କେନ୍ଦ୍ର ସରକାରଙ୍କ ଯେଉଁ ଭାଗ ତାହା ପଇଠ କରିବାରେ ବିଳମ୍ବ ହେଉଛି। ଯାହାଦ୍ବାରା ଏହି ଯୋଜନାକୁ କାଯ୍ୟକାରୀ କରିବାରେ ସମସ୍ୟା ହେଉଛି ବୋଲି ସମୀର ଲେଖିଛନ୍ତି।

ଏ ନେଇ ଏକ ହିସାବ ମଧ୍ୟ ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଚିଠିରେ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଏହି ଯୋଜନାରେ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ୧୦୪୯ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଯୋଜନା ହୋଇଛି। ସେହି ଅନୁସାରେ କେନ୍ଦ୍ର ସରକାରଙ୍କ ଭାଗ ୫୯୬ କୋଟି ଟଙ୍କା ଥିବା ବେଳେ ରାଜ୍ୟ ସରକାରଙ୍କ ଭାଗ ରହିଛି ୪୫୩ କୋଟି ଟଙ୍କା। ହେଲେ କେନ୍ଦ୍ର ସରକାର ପ୍ରଥମ କିସ୍ତିରେ କେବଳ ୨୮୮ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ବର୍ତ୍ତମାନ ଦୀର୍ଘମାସ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ଶିକ୍ଷା ବଳକା ଅର୍ଥ ପ୍ରଦାନ କରୁ ନାହାଁନ୍ତି। ଫଳରେ ଏହି ଯୋଜନା କାଯ୍ୟକାରୀ କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଛି ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ଲେଖିଛନ୍ତି। ତେବେ ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କିମ୍ବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସରୁ କୌଣସି ସୂଚନା ଦିଆଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ସଂସଦ ଭବନରେ ମଧ୍ୟାହ୍ନ ଭୋଜନ କଲେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତୃବର୍ଗ: ଦିଆଗଲା ମିଲେଟରେ ପ୍ରସ୍ତୁତ ବ୍ୟଞ୍ଜନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ନେତାମାନଙ୍କ ସହିତ ସଂସଦ ଭବନ ପରିସରରେ ମଧ୍ୟାହ୍ନ ଭୋଜନ କରିଛନ୍ତି। ଭୋଜନରେ ସମସ୍ତଙ୍କୁ ମିଲେଟ୍‌ (ମୋଟା ଶସ୍ୟ)ରେ ପ୍ରସ୍ତୁତ ବ୍ୟଞ୍ଜନ ଦିଆଯାଇଥିଲା। ଭାରତ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରିବାକୁ ଯାଉଥିବାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆମେ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରିବାକୁ ଯାଉଥିବାରୁ, ସଂସଦ ଭବନରେ ସୁସ୍ବାଦୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା, ଏଥିରେ ମିଲେଟ୍‌ରେ ପ୍ରସ୍ତୁତ ବ୍ୟଞ୍ଜନ ଅର୍ପଣ କରାଯାଇଥିଲା। ଦଳମତ ନିର୍ବିଶେଷରେ ଏଥିରେ ସମସ୍ତେ ସାମିଲ ହେବା ଖୁସିର ବିଷୟ।’’

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଯଦି ଆପଣ ମଧ୍ୟ ପ୍ରତିଦିନ ବିଳମ୍ବରେ ମଧ୍ୟାହ୍ନ ଭୋଜନ କରନ୍ତି, ତେବେ ହୋଇପାରେ ଏହି ସମସ୍ୟା

ସ୍ୱାସ୍ଥ୍ୟ ଟିପ୍ସ: ସୁସ୍ଥ ରହିବା ପାଇଁ କେବଳ ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ ନୁହେଁ, ଠିକ୍ ସମୟରେ ଖାଇବା ମଧ୍ୟ ଆବଶ୍ୟକ। ଆଜିକାଲି ପ୍ରାୟତଃ ଦେଖାଯାଏ ଯେ, ଲୋକଙ୍କ ଖାଦ୍ୟ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। ଲୋକମାନେ କାର୍ଯ୍ୟରେ ଏତେ ବ୍ୟସ୍ତ ରୁହନ୍ତି ଯେ, ସେମାନେ ମଧ୍ୟାହ୍ନ ଭୋଜନ ଖାଆନ୍ତି ନାହିଁ। କିମ୍ବା ଯେତେବେଳେ ସେମାନେ ବହୁତ ଭୋକିଲା ଅନୁଭବ କରନ୍ତି, ସେତେବେଳେ ସେମାନେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ସେମାନଙ୍କ ପେଟରେ ଦୟା କରିବା ପରେ ମଧ୍ୟାହ୍ନ ଭୋଜନ କରନ୍ତି, କିନ୍ତୁ ଏହି ପଦ୍ଧତି ଆଦୌ ଠିକ୍ ନୁହେଁ। ଖାଦ୍ୟ ଯେତେ ସୁସ୍ଥ ହେଉନା କାହିଁକି, ଯଦି ଆପଣ ଏହାକୁ ୩-୪ ରେ ଖାଆନ୍ତି, ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ ନାହିଁ, କିନ୍ତୁ ଏହା କେବଳ କ୍ଷତି ପହଞ୍ଚାଇବ। ମଧ୍ୟାହ୍ନ ଭୋଜନ ଖାଇବାରେ ବିଳମ୍ବ ଅନେକ ସମସ୍ୟା ସୃଷ୍ଟି କରିପାରେ। ଆଜି ଆମେ ଆପଣଙ୍କୁ ଏହି ସମସ୍ୟାଗୁଡ଼ିକ ବିଷୟରେ କହୁଛୁ।

ଖାଦ୍ୟ ସଠିକ୍ ଭାବରେ ହଜମ ହୁଏ ନାହିଁ:

ଯେତେବେଳେ ଆପଣ ମଧ୍ୟାହ୍ନ ଭୋଜନ ବିଳମ୍ବରେ ଖାଆନ୍ତି, ଆପଣଙ୍କ ହଜମ ପ୍ରକ୍ରିୟା ଠିକ୍ ଭାବରେ କାମ କରେ ନାହିଁ। ଆୟୁର୍ବେଦ ଅନୁଯାୟୀ ଜଣେ ବ୍ୟକ୍ତି ମଧ୍ୟାହ୍ନ ଭୋଜନ ୧୨ ରୁ ୨ ମଧ୍ୟରେ ଖାଇବା ଉଚିତ୍। ଏହି ସମୟରେ, ଆପଣଙ୍କ ଶରୀରରେ ପିତ୍ତ ପ୍ରବଳ ହୋଇଥାଏ, ଯାହା ଖାଦ୍ୟ ହଜମ କରିବାରେ ବହୁତ ସାହାଯ୍ୟ କରିଥାଏ। ଏପରି ପରିସ୍ଥିତିରେ, ଯଦି ବିଳମ୍ବରେ ମଧ୍ୟାହ୍ନ ଭୋଜନ କରନ୍ତି, ଏଥିରୁ ଶକ୍ତି ପାଇବା ପରିବର୍ତ୍ତେ ଚର୍ବି ଖାଦ୍ୟରେ ପରିଣତ ହୁଏ।

ଅନେକ ସମସ୍ୟା ଅଛି:

ଯେତେବେଳେ ବିଳମ୍ବିତ ମଧ୍ୟାହ୍ନ ଭୋଜନ ହୁଏ, ଏହା ପେଟକୁ ପୂର୍ଣ୍ଣ ରଖେ। ଏହି କାରଣରୁ ମଧ୍ୟ ବିଳମ୍ବରେ ରାତ୍ରି ଭୋଜନ କରାଯାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଶୋଇବା ପୂର୍ବରୁ ଖାଆନ୍ତି, ତେବେ ଆପଣ ପେଟରେ ଜଳନ, ଗ୍ୟାସ୍, ଅନିଦ୍ରା ଏବଂ ଫୁଲିବା ଭଳି ସମସ୍ୟା ଆରମ୍ଭ କରନ୍ତି।

ମେଟାବୋଲିଜିମ୍:

ବିଳମ୍ବିତ ମଧ୍ୟାହ୍ନ ଭୋଜନ କରିବା ବ୍ୟକ୍ତିର ମେଟାବୋଲିଜିମ୍ କୁ ମନ୍ଥର କରିଥାଏ। ଯଦି ଆପଣ ଜଳଖିଆ ଖାଇବା ପରେ ସିଧାସଳଖ ମଧ୍ୟାହ୍ନ ଭୋଜନ କରନ୍ତି ଏବଂ ଠିକ୍ ସମୟରେ ତାହା କରନ୍ତି ନାହିଁ, ତେବେ ମେଟାବୋଲିଜିମ୍ ଧୀରେ ଧୀରେ ମନ୍ଥର ହେବାକୁ ଲାଗେ। ଏହା ଦ୍ରୁତ ଓଜନ ବଢାଇଥାଏ।

ମୁଣ୍ଡବିନ୍ଧା କିମ୍ବା ବିରକ୍ତିକରତା:

ଯଦି ଆପଣ ଠିକ୍ ସମୟରେ ଖାଦ୍ୟ ଗ୍ରହଣ ନକରନ୍ତି, ତେବେ ଆପଣ ମୁଣ୍ଡବିନ୍ଧା କିମ୍ବା ବିରକ୍ତିକର ହୋଇପାରନ୍ତି। ଠିକ୍ ସମୟରେ ମଧ୍ୟାହ୍ନ ଭୋଜନ ନକରିବା ହେତୁ, ଆପଣ କାମରେ ଧ୍ୟାନ ଦେବାରେ ଅସୁବିଧା ହୁଏ ଏବଂ କାମ କରିବା ଭଳି ଅନୁଭବ ମଧ୍ୟ କରନ୍ତି ନାହିଁ।

ଶକ୍ତିର ଅଭାବ:

ଖାଦ୍ୟ ଆମ ଶରୀର ପାଇଁ ଶକ୍ତିର ମୁଖ୍ୟ ଉତ୍ସ, କିନ୍ତୁ ଯେତେବେଳେ ଆପଣ ମଧ୍ୟାହ୍ନ ଭୋଜନ ବିଳମ୍ବରେ ଖାଆନ୍ତି, ଏହା ଆପଣଙ୍କ ଶରୀରରେ ପର୍ଯ୍ୟାପ୍ତ ଶକ୍ତି ସୃଷ୍ଟି କରେ ନାହିଁ। ଏହି କାରଣରୁ ଆପଣ ନିଜକୁ ବହୁତ ଥକ୍କା ଅନୁଭବ କରନ୍ତି।

ଟିପ୍ପଣୀ: ଉତ୍ତମ ସ୍ୱାସ୍ଥ୍ୟ ପାଇଁ, ଠିକ୍ ସମୟରେ ମଧ୍ୟାହ୍ନ ଭୋଜନ କରନ୍ତୁ। କାର୍ଯ୍ୟ ହେତୁ ଆପଣଙ୍କ ସ୍ୱାସ୍ଥ୍ୟ ସହିତ ସାଲିସ୍ କରନ୍ତୁ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଏଣିକି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାଗଣା ଜଳଖିଆ,ରାଜ୍ୟ ସରକାର କଲେ ଘୋଷଣା

ନୂଆଦିଲ୍ଲୀ : କେବଳ ମଧ୍ୟାହ୍ନ ଭୋଜନ ନୁହେଁ। ଏଥିସହିତ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସକାଳ ଜଳଖିଆ ମଧ୍ୟ ମାଗଣାରେ ପ୍ରଦାନ କରାଯିବ। ଏହି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ଆଜି ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ, ଏ ନେଇ ଗତକାଲି ଏକ ବଡ ନିଷ୍ପତି କରାଯାଇଛି। ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ପରେ ମୁଁ ଏହି ଫାଇଲରେ ଦସ୍ତଖତ କରିଛି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା କେବଳ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣତଃ ପିଲାମାନେ ସ୍କୁଲ ଶିଘ୍ର ଆସିବା ପାଇଁ ସେମାନେ ଘରେ ସକାଳ ଜଳଖିଆ ଖାଇ ପାରନ୍ତି ନାହିଁ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମାନସିକ ତଥା ଶାରୀରିକ କ୍ଷେତ୍ରରେ ଅଭିବୃଦ୍ଧି ହୋଇପାରେ ନାହିଁ। ସେଥିପାଇଁ ତାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ପିଲାମାନଙ୍କୁ ମନେ ପକାଇ ଦେଲେ ଯେ, ଏକଦା ତାମିଲନାଡୁ ରାଜ୍ୟ ହିଁ ପ୍ରଥମେ ସ୍କୁଲରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଥିଲା। ମାଗଣାରେ ପିଲାମାନଙ୍କୁ ପାଠ ସହିତ ଖାଇବାକୁ ମଧ୍ୟ ଦେବାରେ ଆମ ରାଜ୍ୟ ପ୍ରଥମ ଥିଲା। ଏହାପରେ ସାରା ଦେଶରେ ଏହାକୁ ଲାଗୁ କରାଗଲା। ସେହିପରି ଏହି ସକାଳ ଜଳଖିଆ ମଧ୍ୟ ସାରା ଦେଶ ପାଇଁ ଏକ ଉଦାହରଣ ପାଲଟିବ ବୋଲି ଷ୍ଟାଲିନ କହିଛନ୍ତି।

Categories
ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ଓଜନ ହ୍ରାସ ପାଇଁ ପରିବର୍ତ୍ତନ କରନ୍ତୁ ଖାଇବା ସମୟ, ଜାଣନ୍ତୁ କେତେବେଳେ ଖାଇବେ ମଧ୍ୟାହ୍ନ ଏବଂ ରାତ୍ରୀ ଭୋଜନ

ନୂଆଦିଲ୍ଲୀ: ଦୀର୍ଘ ସମୟ ପର୍ଯ୍ୟନ୍ତ ଫିଟ୍ ଏବଂ ସୁସ୍ଥ ରହିବାକୁ ହେଲେ ଆପଣଙ୍କୁ ଖାଦ୍ୟ ସହିତ ସମୟର ଯତ୍ନ ନେବା ଆବଶ୍ୟକ। ଜୀବନର ପ୍ରତ୍ୟେକ ଜିନିଷର ଏକ ନିୟମ ଅଛି, ଯଦି ଆପଣ ସେମାନଙ୍କ ନିୟମ ସହିତ ଖେଳନ୍ତି, ତେବେ ଆପଣଙ୍କୁ ଭୟଙ୍କର ପରିଣାମର ସାମ୍ନା କରିବାକୁ ପଡିବ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣ ଯାହା ଖାଉଛନ୍ତି ଏବଂ ପିଉଛନ୍ତି ତାହା ଉପରେ ମଧ୍ୟ ଭଲ ସ୍ୱାସ୍ଥ୍ୟ ନିର୍ଭର କରେ। ଓଜନ ହ୍ରାସ ପାଇଁ, ଆପଣଙ୍କର ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନର ସମୟ ମଧ୍ୟ ସ୍ଥିର କରିବା ଉଚିତ୍। ଏହା ଆପଣଙ୍କ ଫିଟନେସ ଉପରେ ବହୁତ ପ୍ରଭାବ ପକାଇଥାଏ। ଯଦି ଆପଣ ସମୟ ପାଇଲେ ଖାଦ୍ୟ ଖାଆନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ। ଯଦି ଆପଣ ମେଦବହୁଳତା ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଆପଣଙ୍କୁ ଡାଏଟ୍ ଏବଂ ସମୟ ନିର୍ଘଣ୍ଟ ସହିତ କାମ କରିବାକୁ ପଡିବ। ଆପଣ କିଛି ଦିନ ମଧ୍ୟରେ ପାର୍ଥକ୍ୟ ଦେଖିବା ଆରମ୍ଭ କରିବେ।

ଶୋଇବା ଏବଂ ଖାଇବା ମଧ୍ୟରେ ୩ ଘଣ୍ଟା ପାର୍ଥକ୍ୟ:

ପୁଷ୍ଟିକର ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟ ଖାଇବା ପରେ, ଯେପର୍ଯ୍ୟନ୍ତ ଆପଣଙ୍କ ଶରୀର ସକ୍ରିୟ ରହିଥାଏ, ଶରୀର କ୍ୟାଲୋରୀ ଜାଳେ। ଜଳୁଥିବା କ୍ୟାଲୋରୀଗୁଡ଼ିକ ଚର୍ବି ପରି ଗଚ୍ଛିତ ହୁଏ। ଶୋଇବା ପୂର୍ବରୁ ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ଶର୍କରା ଏବଂ ଇନସୁଲିନ୍ ବୃଦ୍ଧି ପାଇଥାଏ। ଏହା ଆପଣଙ୍କୁ ଶୋଇବାରେ ଅସୁବିଧା ଦେଇପାରେ। ସେଥିପାଇଁ କୁହାଯାଏ ଯେ, ମଧ୍ୟାହ୍ନ ଭୋଜନ ଏବଂ ଜଳଖିଆ ଅପେକ୍ଷା ଆପଣଙ୍କର ରାତ୍ରିଭୋଜନ ହାଲୁକା ହେବା ଉଚିତ୍। ଶୋଇବାର ପ୍ରାୟ ୩ ଘଣ୍ଟା ପୂର୍ବରୁ ଆପଣଙ୍କର ରାତ୍ରୀ ଭୋଜନ କରିବା ଉଚିତ୍। ବିଳମ୍ବିତ ରାତ୍ରି ଭୋଜନ ଯୋଗୁଁ ଓଜନ ବୃଦ୍ଧି ହୁଏ।

କଣ କୁହନ୍ତି ବିଶେଷଜ୍ଞ:

ଅନେକ ଗବେଷଣାରେ ଏହା ପ୍ରକାଶ ପାଇଛି ଯେ, ଆପଣଙ୍କ ଶରୀର ଶୋଇବା ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଆପଣ ରାତ୍ରିଭୋଜନ ଶେଷ କରିବା ଉଚିତ୍। ଶରୀର ମେଲାଟୋନିନ୍ ଛାଡିବା ପୂର୍ବରୁ ଆପଣଙ୍କର ରାତ୍ରି ଭୋଜନ ଶେଷ କରିବା ଉଚିତ୍। ଯେତେବେଳେ ଅନ୍ଧାର ହୋଇଯାଏ, ଶରୀର ମେଲାଟୋନିନ୍ ମୁକ୍ତ କରିବା ଆରମ୍ଭ କରେ, ଯାହା ମେଟାବୋଲିଜିମ୍ ସହିତ ମଧ୍ୟ ଜଡିତ। ଯେତେବେଳେ ଆପଣଙ୍କର ମସ୍ତିଷ୍କ ଶୋଇବାକୁ ପ୍ରସ୍ତୁତ ହୋଇଥାଏ, ସେତେବେଳେ ଖାଦ୍ୟ ଚର୍ବିରେ ପରିଣତ ହୁଏ। ଏହା ମେଦବହୁଳତାର ଆଶଙ୍କା ବଢାଇଥାଏ।

ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ରାତ୍ରୀ ଭୋଜନ କରନ୍ତୁ:

ଓଜନ ହ୍ରାସ କରିବା ପାଇଁ ଆପଣଙ୍କର ରାତ୍ରୀ ଭୋଜନ ଶୀଘ୍ର କରିବା ଉଚିତ୍। ଯଦି ଆପଣ ଫିଟ୍ ରହିବାକୁ ଚାହାଁନ୍ତି, ତେବେ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଆପଣଙ୍କର ଖାଦ୍ୟ ଖାଆନ୍ତୁ। ଏହା ହଜମ ପ୍ରକ୍ରିୟାରେ ଭଲ ହେବ ଏବଂ ଆପଣଙ୍କ ଖାଦ୍ୟ ସହଜରେ ହଜମ ହେବ। ଶୀଘ୍ର ରାତ୍ରି ଭୋଜନ କରିବା ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ବିଳମ୍ବରେ ରାତ୍ରି ଭୋଜନ କରନ୍ତି, ତେବେ ଖାଦ୍ୟ ଅନ୍ତନଳୀରେ ରହିଥାଏ, ଯାହା ଆପଣଙ୍କର ହଜମକୁ ପ୍ରଭାବିତ କରିଥାଏ। ଶୀଘ୍ର ରାତ୍ରି ଭୋଜନ କରିବା ଦ୍ଵାରା ଖାଦ୍ୟକୁ ଚର୍ବି ଆକାରରେ ଗଚ୍ଛିତ କରେ ନାହିଁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମଧ୍ୟାହ୍ନ ଭୋଜନରେ ସାମିଲ ହେବ ମହୁ ଓ ଛତୁ, ଜାଣନ୍ତୁ କାରଣ କଣ

ଭୁବନେଶ୍ବର, ଏଣିକି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଛତୁ ଏ ମହୁ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସରକାର ରାଜ୍ୟଗୁଡିକର ପରାମର୍ଶ ମାଗିଛନ୍ତି। ଗବେଷଣାରୁ ଜଣାପଡିଛି ଯେ, ମହୁ ଓ ଛତୁ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇବାରେ ସାହାର୍ଯ୍ୟ କରିଥାଏ। ବର୍ତ୍ତମାନ କୋଭିଡ19 ସମୟରେ ଏହା ଛାତ୍ରଛାତ୍ରୀଙ୍କ ପାଇଁ ନିହାତି ଅବଶ୍ୟକ। ସେଥାପଇଁ ଛାତ୍ରାଛାତ୍ରୀଙ୍କୁ ଏହା ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ମଧ୍ୟାହ୍ନ ଭୋଜନ ସହ ଏହାକୁ ଆଇସିଡିଏସ ବା ସମନ୍ବିତ ଶିଶୁ ବିକାଶ ଯୋଜନାରେ ମଧ୍ୟ ସାମିଲ କରାଯିବ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ ଏହି ପ୍ରସ୍ତାବ ଦେଇଥିବା ବେଳେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। କେତେକ ରାଜ୍ୟ ମଧ୍ୟ ଏହାକୁ ସମର୍ଥନ କରୁଥିବାର ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର

କୋଭିଡ19 ସ୍ଥିତିକୁ ଦେଖି ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପରିମାଣ ବୃଦ୍ଧି କଲେ କେନ୍ଦ୍ର ସରକାର,ଖରାଛୁଟି ମଧ୍ୟ ସାମିଲ

ନୂଆଦିଲ୍ଲୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଆଜି ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀ ଏବଂ ସଚିବ ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ-19 ସ୍ଥିତିକୁ ଆଖି ଆଗରେ ରଖି ମଧ୍ୟାହ୍ନ ଭୋଜନ ଯୋଜନାକୁ ସୁଚାରୁ ରୂପେ ଚଳାଇବା ଲାଗି ରୋଷେଇ ଖର୍ଚ୍ଚରେ ବାର୍ଷିକ କେନ୍ଦ୍ରୀୟ ଆବଣ୍ଟନ ପରିମାଣ ବୃଦ୍ଧି କରିବାକୁ ମନ୍ତ୍ରୀ ଘୋଷଣା କରିଥିଲେ।

ଏହି ଯୋଜନାରେ କେନ୍ଦ୍ରୀୟ ଆବଣ୍ଟନ ପରିମାଣକୁ ପୂର୍ବର 7,300 କୋଟି ଟଙ୍କାରୁ 8,100 କୋଟି ଟଙ୍କାକୁ ବୃଦ୍ଧି କରି ଦିଆଯାଇଛି। ଅର୍ଥାତ ଏଥିରେ 10.99 % ବୃଦ୍ଧି ହୋଇଥିବା ମନ୍ତ୍ରୀ ଘୋଷଣା କରିଥିଲେ। ଏହି ଖର୍ଚ୍ଚରେ ଡାଲି, ପରିବା, ତେଲ, ମସଲା ଓ ଇନ୍ଧନ ଆଦି ସାମିଲ ରହିଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଆଖି ଆଗରେ ରଖି ଲକଡାଉନ ସମୟରେ ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କୁ ରାସନ ଯୋଗାଇ ଦିଆଯାଇଛି। ଯାହାଫଳରେ ସେମାନେ ଯଥେଷ୍ଟ ପୁଷ୍ଟିକର ଖାଦ୍ୟ ପାଇପାରିବେ। ଏହି ଅବସରରେ ମନ୍ତ୍ରୀ ଏକ ବଡ଼ ଘୋଷଣା କରିଥିଲେ। ଖରାଛୁଟି ସମୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ଏଥିପାଇଁ ଅତିରିକ୍ତ 1600 କୋଟି ଟଙ୍କା ଖର୍ଚ୍ଚ କରାଯିବ। ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମ ତ୍ରୈମାସ ପାଇଁ 2500 କୋଟି ଟଙ୍କାର ଅସ୍ଥାୟୀ ଅନୁଦାନ ବ୍ୟବସ୍ଥା କରାଯାଇଛି।

ଶ୍ରୀ ପୋଖରିୟାଲ ଆହୁରି ସୂଚନା ଦେଇଥିଲେ ଯେ ସମଗ୍ର ଶିକ୍ଷା ଯୋଜନା ଅଧୀନରେ ସର୍ତ୍ତାବଳୀକୁ କୋହଳ କରାଯାଇଛି। ଭାରତ ସରକାର ପୂର୍ବ ବର୍ଷର ବଳକା ଅର୍ଥ ଖର୍ଚ୍ଚ କରିବାକୁ ରାଜ୍ୟ ସରକାରମାନଙ୍କୁ ଅନୁମତି ଦେଇଛନ୍ତି, ଯାହାର ପରିମାଣ ପାଖାପାଖି 6200 କୋଟି ଟଙ୍କା ହେବ। ଏହାଛଡ଼ା ପ୍ରଥମେ ତ୍ରୈମାସରେ ଅସ୍ଥାୟୀ ଭାବେ 4450 କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି।

ଏହି ଅବସରରେ ରାଜ୍ୟଗୁଡ଼ିକୁ ଅନୁରୋଧ କରି ମନ୍ତ୍ରୀ କହିଥିଲେ ଯେ ସେମାନେ ସମଗ୍ର ଶିକ୍ଷା ଅଭିଯାନ ଅନ୍ତର୍ଗତ ଜାରି ହୋଇଥିବା ଅର୍ଥକୁ ତୁରନ୍ତ ରାଜ୍ୟ କାର୍ଯ୍ୟାନ୍ବୟନ ସମିତିକୁ ହସ୍ତାନ୍ତର କରି ଦିଅନ୍ତୁ। ଯାହାଫଳରେ ଏହି ଅର୍ଥ ସଠିକ ଭାବେ ବିନିଯୋଗ ହୋଇପାରିବ ଏବଂ ପରବର୍ତ୍ତୀ କିସ୍ତି ଜାରି ନିମନ୍ତେ ମାର୍ଗ ପ୍ରଶସ୍ତ ହୋଇପାରିବ।

ବୈଠକରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ କୋଭିଡ-19 କାରଣରୁ ଦେଖାଦେଇଥିବା ପରିସ୍ଥିତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିନ୍ତୁ ଛାତ୍ରଛାତ୍ରୀଙ୍କ ନିରାପତ୍ତା ଏବଂ ଶିକ୍ଷାଗତ ବିକାଶ ସୁନିଶ୍ଚିତ କରିବା ଲାଗି ନୂଆ ନୂଆ ଅଭିଜ୍ଞତା କରିବା ସହିତ ଆମକୁ ଚତୁରତାର ସହିତ ଏହି ପରିସ୍ଥିତିକୁ ଏକ ସୁଯୋଗରେ ପରିଣତ କରିବାକୁ ହେବ।

ସେ ଆହୁରି କହିଥିଲେ ଯେ, କୋଭିଡ-19 ବିରୋଧରେ ଭାରତର ଲଢ଼େଇ ଜନସାଧାରଣଙ୍କ ଦ୍ବାରା ପରିଚାଳିତ, ଏହା ଆମ ପ୍ରଧାନମନ୍ତ୍ରୀ  ତାଙ୍କର ‘ମନ କୀ ବାତ’ କାର୍ଯ୍ୟକ୍ରମରେ କହିସାରିଛନ୍ତି। ବ୍ୟବସାୟ, କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ, ସ୍ବାସ୍ଥ୍ୟସେବା ଆଦି ପ୍ରତ୍ୟେକ କ୍ଷେତ୍ରରେ କରୋନା ଭୂତାଣୁ ସଂକ୍ରମଣ କାରଣରୁ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସମସ୍ତେ ଏହି ପରିବର୍ତ୍ତନକୁ ଗ୍ରହଣ ମଧ୍ୟ କହିଛନ୍ତି। ସମସ୍ତେ ମିଶି ମହାମାରୀର ମୁକାବିଲା କରିପାରିବା ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ଶ୍ରୀ ପୋଖରିୟାଲ କହିଥିଲେ ଯେ ଦେଶର 33 କୋଟି ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣରେ ଯେପରି କୌଣସି ଅସୁବିଧା ନଭୋଗନ୍ତି ସେଥିପ୍ରତି ଆମେ ସମ୍ପୂର୍ଣ୍ଣ ଭାବେ ପ୍ରୟାସ କରିବା ଉଚିତ। ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଦୀକ୍ଷା, ସ୍ବୟମ, ସ୍ବୟମପ୍ରଭା, ବିଦ୍ୟାଦାନ 2.0, ଇ-ପାଠଶାଳା, ଦୂରଦର୍ଶନର ଶିକ୍ଷା ଟିଭି ଚ୍ୟାନେଲ, ଡିଶଟିଭି, ଟାଟା ସ୍କାଏ, ଜିଓ, ଏୟାରଟେଲ ଡିଟିଏଚ ଆଦି ଜରିଆରେ ଅନଲାଇନ ଏବଂ ଇ-ଶିକ୍ଷାଦାନକୁ ସୁଦୃଢ଼ କରାଯାଇଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏସବୁ ପଦକ୍ଷେପ ବ୍ୟତୀତ, ଏନସିଇଆରଟି ପକ୍ଷରୁ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ଜାରି କରାଯାଇଛି । ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକ ଏହାକୁ ଗ୍ରହଣ କରିପାରିବେ। ବିଦ୍ୟାଳୟ ଖୋଲିବା ସମ୍ପର୍କରେ ଆମକୁ ନିରାପତ୍ତା ଗାଇଡଲାଇନ ପାଳନ କରିବାକୁ ହେବ।

ଏହି ବୈଠକ କାଳରେ ମନ୍ତ୍ରୀ ସୂଚନା ଦେଇଥିଲେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଲକଡାଉନ କଟକଣାରୁ ବହି ଦୋକାନକୁ ବାଦ ଦେବା ନିମନ୍ତେ ଗୃହ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି। ଯାହାଫଳରେ ଛାତ୍ରଛାତ୍ରୀଙ୍କୁ ପଢ଼ିବା ପାଇଁ ଆବଶ୍ୟକ ପାଠ୍ୟପୁସ୍ତକ ମିଳିପାରିବ।

ସେହିପରି ମଞ୍ଜୁରିପ୍ରାପ୍ତ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ନିର୍ମାଣ ଲାଗି ଆବଶ୍ୟକ ଜମି ଯୋଗାଇ ଦେବାକୁ କେନ୍ଦ୍ର ମନ୍ତ୍ରୀ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ। ଏହାଦ୍ବାରା ସମ୍ପୃକ୍ତ ରାଜ୍ୟର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଅନୁରୂପ ଭାବେ ବୋର୍ଡ ପରୀକ୍ଷା ଖାତା ଦେଖା ଆରମ୍ଭ କରିବା ଓ ସିବିଏସଇ ଖାତା ଦେଖା ପାଇଁ ସୁବିଧା ପ୍ରଦାନ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ମନ୍ତ୍ରୀ ଅନୁରୋଧ କରିଥିଲେ।

ଶ୍ରୀ ପୋଖରିୟାଲ ରାଜ୍ୟ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସମସ୍ତ ସମସ୍ୟା ଓ ପରାମର୍ଶ ଶୁଣିଥିଲେ। ରାଜ୍ୟଗୁଡ଼ିକ ମଧ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଉଥିବା ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଥିଲେ। ସେହିପରି ଶିକ୍ଷା କ୍ଷେତ୍ରରେ ରାଜ୍ୟଗୁଡ଼ିକ ନେଇଥିବା ପଦକ୍ଷେପ ନିମନ୍ତେ ଶ୍ରୀ ପୋଖରିୟାଲ ଧନ୍ୟବାଦ ଜଣାଇବା ସହିତ ମନ୍ତ୍ରଣାଳୟ ପକ୍ଷରୁ ଯଥାସମ୍ଭବ ସହାୟତା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।

ଏହି କନଫରେନ୍ସରେ 22ଟି ରାଜ୍ୟର ଶିକ୍ଷାମନ୍ତ୍ରୀ ଏବଂ 14ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଶିକ୍ଷା ସଚିବମାନେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ ଅନୀତା କରଓ୍ବାଲଙ୍କ ସମତେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ। ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଉପସ୍ଥିତ ଥିଲେ ।