Categories
ଆଜିର ଖବର ରାଜ୍ୟ ଖବର

ମୋ କଲେଜ ଅଭିଯାନ: ବାଣପୁରରେ ଛାତ୍ରୀମାନଙ୍କ ଦ୍ଵାରା ସାଇକେଲ ରାଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜାଦି କି ଅମୃତ ମହୋତ୍ସବ ଅବସରରେ ଆଜି ପୂର୍ବାହ୍ନରେ ମୋ କଲେଜ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଏନଏସଏସ, ଏନସିସି,  ରୋଭର୍ସ ଏବଂ ରେଞ୍ଜରର୍ସ ଓ ରେଡକ୍ରସ ୟୁନିଟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସାଇକେଲ ରାଲି ଏବଂ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ସାଇକେଲ ରାଲିଟି ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ମା’ ଭଗବତୀ ମନ୍ଦିର ଦେଇ ସହର ଅତିକ୍ରମ କରି ପଲଟନ ପଡିଆଠାରେ ସମାପ୍ତ ହୋଇଥିଲା।

ସେହିପରି ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ପାର୍ଥସାରଥୀ ସାମନ୍ତରାୟ ଙ୍କ ରଚନା ନିର୍ଦେଶନାରେ ‘ ମୁଁ ପାଇକ କହୁଛି’ ଶୀର୍ଷକରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ନାଟକରେ ଛାତ୍ରୀମାନେ ଭାଗ ନେଇଥିବା ବେଳେ ଖୁବ ଚିତ୍ତାକର୍ଶକ ଢଙ୍ଗରେ ଏହାକୁ ପରିବେଷଣ କରିଥିଲେ। ୧୮୧୭ ମସିହା ବାଣପୁର ପାଇକ ବିଦ୍ରୋହ ଉପରେ ନିର୍ମିତ ହୋଇଥିବା ଉକ୍ତ ନାଟକକୁ ଛାତ୍ରୀମାନେ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଥିଲେ।

ସ୍ୱାଧୀନତା ସଂଗ୍ରାମରେ ବାଣପୁରର ବିଶିଷ୍ଟ ଅବଦାନ ଥିବା ଉକ୍ତ ନାଟକରେ ଦର୍ଶାଯାଇଥିଲା।  ଉକ୍ତ ପଥପ୍ରାନ୍ତ ନାଟକଟି ଗୋଦାବରୀଶ ମହାବିଦ୍ୟାଳୟ କ୍ୟାମ୍ପସ, କୁମାରାଙ୍ଗ ଛକ, ମା’ ଭଗବତୀ ମନ୍ଦିର ସମ୍ମୁଖ, ବାଣପୁର ଥାନା ଏବଂ ପଲଟନ ପଡିଆରେ ଅନୁଷ୍ଠିତ ହୋଇଥିଲା।  ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ସମେତ ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀ ମନ୍ଦିର ଦର୍ଶନ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରସିଦ୍ଧ ମା’ ଭଗବତୀ ପୀଠ ଦର୍ଶନକୁ ଆସିଥିଲେ। ତାଙ୍କ ସାଙ୍ଗରେ ପୂର୍ବତନ ସାଂସଦ ରବି ନାରାୟଣ ପାଣି ମଧ୍ୟ ସାମିଲ ଥିଲେ। ଶ୍ରୀ ମହାପାତ୍ର ମନ୍ଦିରରେ ମା’ଙ୍କ ଦର୍ଶନ ସାରି ବେଢାରେ କିଛି ସମୟ ଅତିବାହିତ କରିବା ସହ ପ୍ରସାଦ ସେବନ କରିଥିଲେ।

ଏହି ସମୟରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ସ୍ଥାନୀୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ସେବାୟତଙ୍କ ସହ ଶ୍ରୀ ମହାପାତ୍ର ମନ୍ଦିରର ଉନ୍ନତି ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ।

ବାଣପୁର ଓକିଲ ସଂଘର ସମ୍ପାଦକ ଜଗନ୍ନାଥ ଭୋଳଙ୍କ ନେତୃତ୍ୱରେ ଏକ ଟିମ ମଧ୍ୟ ଶ୍ରୀ ମହାପାତ୍ରଙ୍କୁ ମନ୍ଦିର ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲା। ତେବେ ବାଣପୁର ଗସ୍ତର ଆଭିମୁଖ୍ୟ ବିଷୟରେ ଗଣମାଧ୍ୟମ ପ୍ରତିନିଧିମାନେ ଶ୍ରୀ ମହାପାତ୍ରଙ୍କୁ ପଚାରିବାରୁ ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଗସ୍ତ ବୋଲି କହିବା ସହ କେବଳ ମା’ ଭଗବତୀଙ୍କ ଦର୍ଶନ ପାଇଁ ଆସିଥିବାର କହିଛନ୍ତି। ତେବେ ରାଜନୈତିକ ପ୍ରଶ୍ନରୁ ସମ୍ପୂର୍ଣ୍ଣ ଦୁରେଇ ରହିଥିଲେ ଶ୍ରୀ ମହାପାତ୍ର।

Categories
ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀ ମନ୍ଦିର ପ୍ରତି ୫-ଟି ସଚିବଙ୍କ ଶୁଭ ଦୃଷ୍ଟି ପଡ଼ିବ କେବେ?

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ ଭଗବତୀ ମନ୍ଦିର ଓଡ଼ିଶାର ଅନନ୍ୟ ପ୍ରମୁଖ ଶକ୍ତିପିଠ ଅଟେ। କିନ୍ତୁ ଅଦ୍ୟାବଧି ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ମନ୍ଦିର ଉପରେ ପଡୁନି। ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ଏଠି ଶହ ଶହ ଭକ୍ତ ଆସୁଥିଲେ ସୁଦ୍ଧା ଏଠାକାର ସ୍ଥିତି ପୁର୍ବରୁ ଯେମିତି ଏବେବି ସେମିତି। ଗତବର୍ଷ ମନ୍ଦିରକୁ ୨.୫ କୋଟି ଅନୁଦାନ ମିଳିଥିଲେ ସୁଦ୍ଧା ଅଦ୍ୟାବଧି ଉକ୍ତ ଅନୁଦାନର ବିନିଯୋଗ ହୋଇପାରିନାହିଁ।

ଏପରିକି କିଛି ମାସ ତଳେ କେଉଁ ଆବାହନ କାଳରୁ ଥିବା ପତିତପାବନ ମଣ୍ଡପକୁ ମଧ୍ୟ ସୌନ୍ଦର୍ଯ୍ୟକରଣ ନିମନ୍ତେ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଟଙ୍କାଟିଏର ମଧ୍ୟ ଏପର୍ଯ୍ୟନ୍ତ ହୋଇପାରିନାହିଁ। ବର୍ତ୍ତମାନ ଉକ୍ତ ମନ୍ଦିର ବହୁ ସମସ୍ୟା ଦେଇ ଗତିକରୁଥିବା ବେଳେ ପର୍ଯ୍ୟଟକଙ୍କ ନିମନ୍ତେ ମୌଳିକ ସୁବିଧାର ଘୋର ଅଭାବ ଏଠାରେ ଦେଖାଦେଇଛି।

ସରକାରଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ ନିମନ୍ତେ ମନ୍ଦିର ପଛପଟେ ଏକ ଜନସୁବିଧା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲେ ସୁଦ୍ଧା ତାହା ଏବେ ଜଙ୍ଗଲ। ନିୟମିତ ଭାବେ ରାଜ୍ୟ ସରକାରଙ୍କ ୫-ଟି ସଚିବ ରାଜ୍ୟର ବିଭିନ୍ନ ମନ୍ଦିର ବୁଲି ତାହାର ରୂପାନ୍ତିକରଣ ଯୋଜନା ହାତକୁ ନେଉଥିବା ବେଳେ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ପ୍ରତି ଦୃଷ୍ଟି ନଦେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।

ଏଠାକାର ସେବାୟତ ଏବଂ ବୁଦ୍ଧିଜୀବୀ ମାନେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ମା’ ଭଗବତୀ ମନ୍ଦିରର ରୂପାନ୍ତିକରଣ କରି ଏହାକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନସ୍ଥଳିର ରୁପ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ବାଣପୁର ମାଟିରୁ ବହୁ ସୁଯୋଗ୍ୟ ସନ୍ତାନ ରାଜ୍ୟ ତଥା ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବତୀର୍ଣ୍ଣ ହୋଇଥିଲେ ସୁଦ୍ଧା ନିଜ ମାଟିର ଗର୍ବ ଓ ଗୌରବ ତଥା ପରିଚୟ ମା’ ଭଗବତୀ ମନ୍ଦିରର ଉନ୍ନତିପାଇଁ ଚିନ୍ତା ନକରିବା ସାଧାରଣରେ ନାପସନ୍ଦ କରାଯାଇଛି।

ବର୍ତ୍ତମାନର ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଓ ପୁରି ସାଂସଦ ଉଭୟଙ୍କ ଘର ବାଣପୁର ହୋଇଥିଲେ ସୁଦ୍ଧା ମା’ ଭଗବତୀ ମନ୍ଦିରର ଉନ୍ନତି ନିମନ୍ତେ ଉଭୟଙ୍କ ଉଦାସୀନତା ମନୋଭାବ ସାରା ବାଣପୁରବାସୀଙ୍କୁ ଆଘାତ ଦେଇଛି। ତେବେ ଦେଖିବାକୁ ବାକି ରହିଲା କେବେ ମା’ ଭଗବତୀ ମନ୍ଦିରକୁ ୫-ଟି ସଚିବ ପରିଦର୍ଶନକୁ ଆସିବେ ଏବଂ ଏହାର ବିକାଶ ଦାଇତ୍ୱ ନିଜ ହାତକୁ ନେବେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଜିଠୁ ଖୋଲିଲା ମା’ ଭଗବତୀ ମନ୍ଦିର: ଜାଣନ୍ତୁ ଦର୍ଶନ ପାଇଁ କ’ଣ ରହିଛି କଟକଣା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜିଠାରୁ ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ତଥା ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ ଭଗବତୀ ମନ୍ଦିର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। କରୋନା କଟକଣା ତଥା ଗାଇଡଲାଇନ ଅନୁଯାୟୀ ମାଆ ଙ୍କୁ ଦର୍ଶନ କରିବେ ଭକ୍ତ। ଏ ନେଇ ଆଜି ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ ର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବାଣପୁର ତହସିଲଦାର ମନ୍ମଥ ବେହେରା ମନ୍ଦିର ଦର୍ଶନ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି।

ଭକ୍ତଙ୍କ ପାଇଁ ଗାଇଡଲାଇନ ଗୁଡ଼ିକ ହେଲା:-

୧. ଭକ୍ତମାନେ ମନ୍ଦିରରେ ପ୍ରବେଶ ପୂର୍ବରୁ ନିଜ ଶରୀରର ତାପମାତ୍ରା ମାପ କରିବେ
୨. ଭକ୍ତମାନେ ମାକ୍ସ ପରିଧାନ କରିବା ଅନିବାର୍ଯ୍ୟ ଅଟେ
୩. ଭକ୍ତମାନେ ସାନିଟାଇଜର ବ୍ୟବହାର କରିବେ
. ଭକ୍ତମାନେ ପରସ୍ପରଠାରୁ ୬ ଫୁଟ ଦୂରତା ରକ୍ଷା କରିବେ
୫. ୧୦ ବର୍ଷରୁ କମ ପିଲା, ୬୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ପାଇଁ ବାରଣ
୬. ଦର୍ଶନବେଳେ ଭକ୍ତମାନେ ଅର୍ଗଳୀ ଡ଼େଇଁପାରିବେ ନାହିଁ ତଥା ଦେବାଦେବୀଙ୍କୁ ସ୍ପର୍ଶ କରିପାରିବେ ନାହିଁ
୭. ମନ୍ଦିର ଭିତରେ ଭକ୍ତମାନେ କୌଣସି ଜାଗାରେ ଏକାଠି(ଠୁଳ) ହୋଇପାରିବେ ନାହିଁ

ଆଜିଠାରୁ ମନ୍ଦିର ମଧ୍ୟରେ ଏହି ସବୁ ବ୍ୟବସ୍ଥା ପରିଚାଳନା କରିବା ପାଇଁ ଦେବୋଦତ୍ତର କର୍ମଚାରୀ ଏବଂ ସ୍ଥାନୀୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହିବେ ବୋଲି ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଦୀର୍ଘ ୯ ମାସ ଅପେକ୍ଷା ପରେ ବାଣପୁରରେ ଖୋଲିବ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର

ସୀତାରାମ ଅଗ୍ରୱାଲ

ବାଣପୁର: ଦୀର୍ଘ ଦିନର ଅପେକ୍ଷା ପରେ ଜାନୁଆରୀ ୩ ତାରିଖରେ ଖୋଲିବ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର। ବାଣପୁର ତହସିଲଦାର ମନ୍ମଥ ବେହେରା ସୂଚନା ଦେଇଛନ୍ତି।

କରୋନା କଟକଣାକୁ ନଜରରେ ରଖି ଆଜି ଏକ ଆଞ୍ଚଳିକ ଆଲୋଚନା ପାଇଁ ବ୍ଲକ ମିଟିଙ୍ଗ ହଲରେ ପୂଜକ ଓ ମନ୍ଦିର କମିଟିର ସଭ୍ୟ ତଥା ବି. ଡି.ଓ  ଡ.ଶୁଭଶ୍ରୀ ତ୍ରିପାଠୀ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ଏ. ବି.ଡ଼ି. ଓ. ସୀମାଦ୍ରୀ ପାତ୍ର, ବ୍ଲକ ଅଧ୍ୟକ୍ଷା ରଞ୍ଜୀତା ସେଠି, ପୋଲିସ ଏସ. ଆଇ. ବିଜୟ ମଲ୍ଲିକ, ପଂଚାୟତର ସରପଞ୍ଚ, ଅମିନ ଓ ବାଣପୁରର ବୁଦ୍ଧିଯିବି ମାନଙ୍କ ଉପସ୍ଥିତରେ ମନ୍ଦିର ଖୋଲିବା ନେଇ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି ତହସିଲଦାର।

ମା ଭଗଵତୀଙ୍କ ମନ୍ଦିର ସହ ରଙ୍କନାଥ ଦେବ, ଦକ୍ଷେଶ୍ୱର ମନ୍ଦିର, ମା’ ବିରଜାଈ, ବରବରା ସ୍ଥିତ ମା’ ତାରିଣୀ, ଖିଲାମୁଣ୍ଡା ଓ ବାଣପୁରରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବା ସହ ପ୍ରତ୍ୟେକ୍ଷ ଭାବେ ଅଞ୍ଚଳବାସୀଙ୍କ ସହଯୋଗର କାମନା କରିଥିଲେ ତହସିଲଦାର। ଭକ୍ତଜନଙ୍କ ବହୁଦିନର ପ୍ରତୀକ୍ଷା ଓ ବ୍ୟାକୁଳତା ଭଗବାନ ଶୁଣିପାରିଲେ। ମନ୍ଦିରରେ ଦେବାଦେବୀଙ୍କୁ ଦର୍ଶନ କରିବା ଖବର ଶୁଣି ଅଞ୍ଚଳବାସୀ ମନରେ ଖୁସିର ବାତାବାରଣ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ଧର୍ମାନୁଷ୍ଠାନ ବିକାଶ ଯୋଜନାରୁ ବାଦ୍‌ ପଡିଲା ମା’ ଭଗବତୀ ମନ୍ଦିର, ଏହାକୁ ନେଇ ସାଧାରଣରେ ଅସନ୍ତୋଷ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗତକାଲି ନବୀନ ପଟ୍ଟନାୟକ ରାଜ୍ୟରେ ରହିଥିବା ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ପାଇଁ ୨୩ କୋଟି ଟଙ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ ରାଜ୍ୟର ଦଶଟି ମନ୍ଦିର, ୫ଟି ଗୀର୍ଜା, ୬ଟି ମସଜିଦ୍‌ ଓ ୨ଟି ଗୁରୁଦ୍ବାର ସାମିଲ୍‌ ରହିଛି। ପ୍ରତ୍ୟେକ ଧାର୍ମିକ ସ୍ଥଳକୁ ଏକ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ପରେ ବାଣପୁରରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ଚଳିତ ନବୀନଙ୍କ ପଞ୍ଚମ ପାଳି ସରକାରରେ ରାଜ୍ୟ ସରକାର ମନ୍ଦିର ଓ ପର୍ଯ୍ୟଟନ ଶିଳ୍ପକୁ ବିଶେଷ ଗୁରୁତ୍ବ ଦେଉଥିବାବେଳେ ବାଣପୁରର ପ୍ରସିଦ୍ଧ ଭଗବତୀ ମନ୍ଦିର ବାଦ୍‌ ପଡିଛି। ନିକଟରେ ବାଣପୁରର ଭଗବତୀ ମନ୍ଦିରଠାରେ ବିଧାନସଭା ଏଥିକ୍ସ କମିଟିର ସଭ୍ୟ, ବିଧାୟକ ଓ ପ୍ରଶାସନିକ ଅଧିକାରୀ ଅଚାନକ ଗସ୍ତ କରିଥିଲେ। ଏହି ଗସ୍ତକୁ ନେଇ ଭଗବତୀ ମନ୍ଦିରର ଉନ୍ନତି ନିମନ୍ତେ କିଛି ଘୋଷଣା କରାଯିବା ନେଇ ଆକଳନ କରାଯାଇଥିଲା। କିନ୍ତୁ ଗତକାଲି ଧର୍ମାନୁଷ୍ଠାନ ପାଇଁ ଘୋଷଣା ପରେ ବାଣପୁର ବାଦ୍‌ ପଡିଥିବାରୁ ଏହାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଛି।

ଖୋର୍ଦ୍ଧା ଜିଲ୍ଲାର ବାଣପୁର ସହର ଐତିହ୍ୟ ତଥା ଧାର୍ମିକ ଦୃଷ୍ଟିକୋଣରୁ ବେଶ୍‌ ସମ୍ପନ୍ନ। ଏଠାରେ ଲୋକପ୍ରିୟ ମା’ ଭଗବତୀଙ୍କ ମନ୍ଦିର ବେଶ୍‌ ପ୍ରସିଦ୍ଧ। ଏହି ମନ୍ଦିରର ଉନ୍ନତି ପାଇଁ କିଛି ଘୋଷଣା କରାନଯିବା ବେଶ୍‌ ଆଶ୍ଚର୍ଯ୍ୟଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।