ମା’ ଭଗବତୀ ମନ୍ଦିର ଦର୍ଶନ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

Published: Jul 21, 2022, 2:59 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରସିଦ୍ଧ ମା’ ଭଗବତୀ ପୀଠ ଦର୍ଶନକୁ ଆସିଥିଲେ। ତାଙ୍କ ସାଙ୍ଗରେ ପୂର୍ବତନ ସାଂସଦ ରବି ନାରାୟଣ ପାଣି ମଧ୍ୟ ସାମିଲ ଥିଲେ। ଶ୍ରୀ ମହାପାତ୍ର ମନ୍ଦିରରେ ମା’ଙ୍କ ଦର୍ଶନ ସାରି ବେଢାରେ କିଛି ସମୟ ଅତିବାହିତ କରିବା ସହ ପ୍ରସାଦ ସେବନ କରିଥିଲେ।

ଏହି ସମୟରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ସ୍ଥାନୀୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ସେବାୟତଙ୍କ ସହ ଶ୍ରୀ ମହାପାତ୍ର ମନ୍ଦିରର ଉନ୍ନତି ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ।

ବାଣପୁର ଓକିଲ ସଂଘର ସମ୍ପାଦକ ଜଗନ୍ନାଥ ଭୋଳଙ୍କ ନେତୃତ୍ୱରେ ଏକ ଟିମ ମଧ୍ୟ ଶ୍ରୀ ମହାପାତ୍ରଙ୍କୁ ମନ୍ଦିର ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲା। ତେବେ ବାଣପୁର ଗସ୍ତର ଆଭିମୁଖ୍ୟ ବିଷୟରେ ଗଣମାଧ୍ୟମ ପ୍ରତିନିଧିମାନେ ଶ୍ରୀ ମହାପାତ୍ରଙ୍କୁ ପଚାରିବାରୁ ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଗସ୍ତ ବୋଲି କହିବା ସହ କେବଳ ମା’ ଭଗବତୀଙ୍କ ଦର୍ଶନ ପାଇଁ ଆସିଥିବାର କହିଛନ୍ତି। ତେବେ ରାଜନୈତିକ ପ୍ରଶ୍ନରୁ ସମ୍ପୂର୍ଣ୍ଣ ଦୁରେଇ ରହିଥିଲେ ଶ୍ରୀ ମହାପାତ୍ର।

Related posts