ଚିଲିକା: ଆରଏସ୍ଏସ୍ ଏବଂ ଦି ବ୍ଲଡ଼ ଡୋନର୍ସ ଓଡିଶା ପକ୍ଷରୁ ସୋରଣ ଗ୍ରାମରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Published: Jun 20, 2021, 7:15 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆରଏସ୍ଏସ୍)ଏବଂ ‘ଦି ବ୍ଲଡ଼ ଡୋନର୍ସ ଓଡିଶା’ ର ମିଳିତ ଆନୁକୂଲ୍ୟରେ ୰ସ୍ବର୍ଗତ ଶ୍ରୀମତୀ ସାବିତ୍ରୀ ଦେବୀଙ୍କ ସ୍ମୃତିରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଶିବିରକୁ ଖୋର୍ଦ୍ଧା ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତର ସୌରଭ ରାୟ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟିତ କରିଥିଲେ। କରୋନା ମହାମାରୀ ସମୟରେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚେଇବା ସହ ଏହି ମହାମାରୀ ଠାରୁ ବିଜୟ ଲାଭ କରିବା ପାଇଁ ବ୍ଲଡ଼ ବ୍ୟାଙ୍କର ମୂଖ୍ୟ ଲାବୋରେଟୋରି ଟେକ୍ନିସିଆନ ଅରୁଣ ସାହୁ ଜନସମାଜକୁ ଆହ୍ଵାନ କରିଥିଲେ।

ସେଇଭଳି ଭାବେ ସାରା ଦେଶ ଉକ୍ତ ଘଡିସନ୍ଧି ମୁହୂର୍ତ୍ତରେ ଜୀବନ ମରଣର ଦୋଛକିରେ ଲଢେଇ କରୁଥିବାବେଳେ ଉକ୍ତ ରକ୍ତଦାନ ଶିବିର ଆୟୋଜନ କରିବା ନିଶ୍ଚିତ ଭାବେ ଫଳପ୍ରଦ ହୋଇପାରିବ ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଖୋର୍ଦ୍ଧା ଜିଲ୍ଲା ସେବା ପ୍ରମୂଖ ସୁକାନ୍ତ ବେହେରା ମତବ୍ୟକ୍ତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମର ଅନ୍ୟତମ ସହଯୋଗୀ ‘ଦି ବ୍ଲଡ଼ ଡୋନର୍ସ ଓଡ଼ିଶା’ ର ରାଜ୍ୟ ସଭାପତି ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର କରୋନା ମହାମାରୀ ସମୟରେ ସମସ୍ତ ଯୁବ ସମାଜ ରକ୍ତଦାନ କରିବାକୁ ଆଗେଇ ଆସନ୍ତୁ ବୋଲି ଅନୁରୋଧ କରିଥିଲେ। ତେବେ ଉକ୍ତ ଶିବିରରେ ମୋଟ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏଭଳି ପରିସ୍ଥିତିରେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ ଦ୍ଵାରା ବହୁ ଅମୂଲ୍ୟ ଜୀବନ ବଞ୍ଚିବା ସହ ଅଞ୍ଚଳବାସୀଙ୍କ ଏପରି ମହାନ୍ କାର୍ଯ୍ୟକୁ ବେଶ ପ୍ରଶଂସା କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ନକୁଳ ବେହେରା, ସନ୍ତୋଷ ସାହୁ, ତପନ ସାହୁ,ଶୁଶାନ୍ତ ବେହେରା, ସୁଧାଂଶୁ ବେହେରା, ରଞ୍ଜିତ କୁମାର ସାହୁ, ଦୀପକ କୁମାର ବେହେରା ଏବଂ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଟା ଏଣ୍ଟ୍ରି ଅପରେଟର ଅମିତା ନାୟକ ପ୍ରମୁଖ ସହଯୋଗ କରିଥିଲେ।

Related posts