ଆଉ ନାହାନ୍ତି ବାଣପୁରର ଖ୍ୟାତନାମା ଡାକ୍ତର ମାଧବ ଚନ୍ଦ୍ର ରଣସିଂହ: ନିଆରା ଢଙ୍ଗରେ କରୁଥିଲେ ରୋଗୀ ସେବା

Published: Jul 17, 2021, 4:16 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁରର ଖ୍ୟାତନାମା ଡାକ୍ତର ମାଧବ ଚନ୍ଦ୍ର ରଣସିଂହଙ୍କ ପରଲୋକ ହୋଇଯାଇଛି। ୭୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି। ୧୯୪୫ ମସିହା ମାର୍ଚ୍ଚ ମାସ ୪ ତାରିଖରେ ଡାକ୍ତର ରଣସିଂହ ଜନ୍ମଗ୍ରହଣ କରିଥିଲେ। ଗତ କିଛି ଦିନ ତଳେ ସେ ତାଙ୍କ ବଡ ଝିଅଙ୍କ ବିହାରସ୍ଥିତ ଘରକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଡାକ୍ତର ରଣସିଂହ ବିହାରରେ ଆଇପିଏସ ଅଧିକାରୀ ଭାବେ କାର୍ଯ୍ୟରତ ବଡ ଝିଅଙ୍କ ଘରେ ସଂପୂର୍ଣ୍ଣ ସୁସ୍ଥ ଥିଲେ। ହେଲେ ଗତକାଲି ଦିନ ୧୨ ଟା ସମୟରେ ହଠାତ ତାଙ୍କର ଦେହାନ୍ତ ହୋଇଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଡାକ୍ତର ରଣସିଂହଙ୍କ ଧର୍ମ ପତ୍ନୀ ପ୍ରଫେସର ଶୁଭକାଂକ୍ଷୀ ଛୋଟ୍ଟରାୟଙ୍କ ଗତ ବର୍ଷ ଅକ୍ଟୋବର ମାସ ୩୦ ତାରିଖରେ ଦେହାନ୍ତ ହୋଇଯାଇଥିଲା। ହେଲେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହେବାର ବର୍ଷେ ପୂରଣ ହେବା ପୂର୍ବରୁ ଡାକ୍ତରଙ୍କ ନିଧନ ହୋଇଯାଇଛି। ସରକାରୀ ଚାକିରିକୁ ପ୍ରତ୍ୟାଖାନ କରିଥିବା ଡାକ୍ତର ରଣସିଂହ ବାଣପୁର ଅଞ୍ଚଳରେ ଲୋକଙ୍କ ସେବା ପାଇଁ ଏକ କ୍ଲିନିକ ଖୋଲିଥିଲେ।

ସେଠାରେ ସେ ନିଆରା ଢଙ୍ଗରେ ରୋଗୀଙ୍କୁ ସେବା କରି ବେଶ ପ୍ରଶଂସା ଲାଭ କରିଥିଲେ। ଜ୍ଵରରେ ପୀଡିତ ରୋଗୀଙ୍କୁ ପଖାଳ ଖାଇବାକୁ ସେ ପରାମର୍ଶ ଦେଉଥିଲେ। ଯାହାଫଳରେ ତାଙ୍କ ପରାମର୍ଶ ମୁତାବକ ରୋଗୀ ପଖାଳ ଖାଇବା ସହ ସୁସ୍ଥ ହେଉଥିବା ମଧ୍ୟ ସେତେବେଳେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା। ତାଙ୍କର ରୋଗୀ ସେବା ଅତ୍ୟନ୍ତ ଉଚ୍ଚକୋଟିର ଥିଲା। ଡାକ୍ତର ରଣସିଂହଙ୍କ ବିୟୋଗରେ ବାଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବର୍ତ୍ତମାନ ବିହାରର ପାଟଣାରେ ବଡ ଜ୍ଵାଇଁ ଏବଂ ବଡ ଝିଅ ତାଙ୍କର ଅନ୍ତିମ ସଂସ୍କାର କରିଥିବା ସୂଚନା ମିଳିଛି।

Related posts