ବାଣପୁର ଠାରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ

Published: Mar 2, 2022, 7:03 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଆଜି ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ଚାରି ଦିବସ ବ୍ୟାପି ପ୍ରବଚନ ଓ ୧୦୮ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଅଛି। କରୋନା କଟକଣା ଅନୁପାଳନ କରି କମିଟିର ସଦସ୍ୟ ଏବଂ ସ୍ଥାନୀୟ ଶ୍ରଦ୍ଧାଳୁମାନେ ଶନିବାର ପୂର୍ବାହ୍ନରେ ବଜାର ସାହି ସ୍ଥିତ ରଙ୍କନାଥ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରା ସହ କଳସ ନେଇ ବଜାର ପରିକ୍ରମା କରି ସ୍ଥାନୀୟ ଦକ୍ଷପ୍ରଜାପତି ମନ୍ଦିରଠାରେ ପହଞ୍ଚିଥିଲେ।

ମନ୍ଦିର ପୁଷ୍କରିଣୀରେ ପୂଜାର୍ଚ୍ଚନା କରି ସମସ୍ତ ଶ୍ରଦ୍ଧାଳୁମାନେ କଳସରେ ଜଳ ନେଇ ପୁନଶ୍ଚ ରଙ୍କନାଥ ମନ୍ଦିରରେ ପହଞ୍ଚିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶନିବାର ଠାରୁ ତିନି ଦିନ ଧରି ପ୍ରତ୍ୟେହ ସଂଧ୍ୟାରେ ଶ୍ରୀଜଗନ୍ନାଥ ଳିଳାମୃତ ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରବଚନରେ ପ୍ରବକ୍ତା ଭାବେ ଯୋଗଦେଇଥିଲେ ଶ୍ରୀ ଆଶୀର୍ବାଦଜୀ ମହାରାଜ।

ଅନୁରୂପ ଭାବେ ମହାଶିବରାତ୍ରି ( ମଙ୍ଗଳବାର) ଦିନ ସଂଧ୍ୟାରେ ୧୦୮ ଥର ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ କମିଟି ପକ୍ଷରୁ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ହରିପୁର ମଠ ମହନ୍ତ ଶ୍ରୀ ଶ୍ରୀ ରାମମୋହନ ଦାସଜି ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଜାଗର ପରବର୍ତ୍ତୀ ଦିବସ ଅର୍ଥାତ ବୁଧବାର ଦିନ ବହୁ ଭକ୍ତମାନେ କମିଟି ପକ୍ଷରୁ ଆୟୋଜିତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିର ସମ୍ମୁଖରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା।

ସୂଚନା ଥାଉକି ବାଣପୁର ବଜାର ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଦୀର୍ଘ ୧୫ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ଆୟୋଜିତ କରିଆସୁଅଛି।

Related posts