ବାଣପୁରରେ ପୋଲିସ ଓ ଆରଟିଓ ର ମିଳିତ ଚଢ଼ାଉ, ୯ ଡ଼ିଏଲ ବାତିଲ

Published: May 16, 2022, 8:28 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବେପରୁଆ ଗାଡ଼ିଚାଳନା ବୃଦ୍ଧି ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି। ଯାହାଫଳରେ ଏକାଧିକ ସଡ଼କ ଦୁର୍ଘଟଣା ମଧ୍ୟ ଘଟୁଛି। ଯେଉଁଥିରେ ନିରୀହ ଲୋକଙ୍କ ଜୀବନ ଯାଉଛି। ମଦ୍ୟପାନ କରି ଗାଡ଼ି ଚଳାଇବା ହେଉ କିମ୍ବା ଲାଇସେନ୍ସ ନଥିବା ଅନଭିଜ୍ଞ ଗାଡ଼ିଚାଳକଙ୍କ ଲାଗି ଦୁର୍ଘଟଣା ଘଟୁଥିବା ବେଳେ ପୋଲିସ ତଥା ଆରଟିଓ ପକ୍ଷରୁ କୌଣସି ଚଢ଼ାଉ ହେଉନଥିବାର ଅଭିଯୋଗ ହୋଇଆସୁଥିଲା। ଏପରିକି ପୁର୍ବରୁ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ନେଇ ଖବର ପ୍ରସାରଣ ହେବା ସହ ବିଭାଗୀୟ ଅଧିକାରୀଙ୍କ ଏ ବାବଦରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ତେବେ ଏହାକୁ ଆରଟିଓ ଗୁରୁତର ସହ ନେଇଛି। ଆଜି ବାଣପୁରର ଏକାଧିକ ସ୍ଥାନରେ ଆରଟିଓ ଏବଂ ପୋଲିସର ମିଳିତ ଚେକିଂ ଅନୁଷ୍ଠିତ ହୋଇଥିଲା। ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ଖୋର୍ଦ୍ଧା ମୋଟରଯାନ ନିରୀକ୍ଷକ ଅମିତ ରଣାଙ୍କ ନେତୃତ୍ୱରେ ଉକ୍ତ ଯାଞ୍ଚ ଅଭିଯାନ ଅନୁଷ୍ଠିତ ହୋଇଥିଲା। ବହୁ ଗାଡ଼ି ଚାଳକଙ୍କ କାଗଜପତ୍ର, ଲାଇସେନ୍ସ, ହେଲମେଟ, ପିୟୁସି ଆଦି ଯାଞ୍ଚ କରାଯାଇଥିଲା।

ଉକ୍ତ ଅଭିଯାନ ଅନ୍ତର୍ଗତ ୯ ଜଣ ବାଇକ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ କରାଯାଇଥିବା ବେଳେ ୩୫ ଜଣଙ୍କ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ମୋଟରଯାନ ନିରୀକ୍ଷକ ଶ୍ରୀ ରଣା। ତେବେ ଆଗକୁ ମଧ୍ୟ ଏପରି ଚଢ଼ାଉ ଜାରି ରହିବ ବୋଲି ଉଭୟ ପୋଲିସ ଓ ଆରଟିଓ କହିଛନ୍ତି।

Related posts