ଚିଲିକାର ପୂର୍ବତନ ବିଧାୟକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଜାଗାବାଡ଼ି ବିବାଦ ମାମଲା: ହୋଇପାରିଲାନି ମାପ

Published: Sep 2, 2022, 10:19 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ ଏବଂ ୧୦ ନଂ ୱାର୍ଡ ରାମପୁର ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜାଗାବାଡ଼ି ବିବାଦ ଲାଗିରହିଛି। ଏନେଇ ଶ୍ରୀ ସାହୁଙ୍କ ବିରୋଧରେ ବାଲୁଗାଁ ଏନଏସି କାର୍ଯ୍ୟାଳୟରେ ରାମପୁର ଗ୍ରାମର ଶତାଧିକ ବାସିନ୍ଦା ଜୁଲାଇ ୨୦ ତାରିଖରେ ଅଭିଯୋଗ କରିଥିଲେ। ଯାହାକି ଅଭିଯୋଗ ମୁତାବକ ରାମପୁର ଗ୍ରାମ ଦେଇ ଯାଇଥିବା ସରକାରୀ ନାଳ ପାର୍ଶ୍ୱରେ ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ କାର୍ଯ୍ୟାଳୟ ଓ ଭଡ଼ା ଦେଇଥିବା ଗୋଦାମ ଗୃହ ଅବସ୍ଥିତ ହୋଇଥିବା ବେଳେ ଶ୍ରୀ ସାହୁ ଉକ୍ତ ନାଳକୁ ଜବରଦଖଲ କରି ଏକ ପ୍ରାଚୀର ନିର୍ମାଣ କରାଇଛନ୍ତି। ଯାହା ଦ୍ଵାରା ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ ହେବାଯୋଗୁଁ ୱାର୍ଡବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଥିସହିତ ୱାର୍ଡର ସରକାରୀ କଂକ୍ରିଟ ରୋଡ଼କୁ ଭାଙ୍ଗି ବେଆଇନ ଭାବେ ନିଜ କାର୍ଯ୍ୟାଳୟ ଓ ଗୋଦାମ ପାଇଁ ସ୍ଲାଇଡିଙ୍ଗ ଗେଟ ନିର୍ମାଣ କରୁଥିବାର ଅଭିଯୋଗ ମଧ୍ୟ ହୋଇଥିଲା।

ଅପରପକ୍ଷେ ଏ ନେଇ ପୂର୍ବତନ ବିଧାୟକ ଶ୍ରୀ ସାହୁ ଏହାକୁ ଖଣ୍ଡନ କରିବାସହ ସମସ୍ତ କାର୍ଯ୍ୟ ଆଇନ ଅନୁଯାୟୀ ହୋଇଛି ଏବଂ କୌଣସି ସରକାରୀ ଯାଗା ଜବରଦଖଲ ହୋଇନଥିବାର କହିଥିଲେ। ଯାହାଫଳରେ ବାଦ ବିବାଦ ଯୋଗୁଁ ଉଭୟ ପକ୍ଷଙ୍କ ସହମତି କ୍ରମେ ଆଜି ଡିମାର୍କେସନ ନୋଟିସ ଅନୁଯାଇ ଜାଗା ଚିହ୍ନଟ ପାଇଁ ଧାର୍ଯ୍ୟ କରାଯାଇଥିଲା।

ଉକ୍ତ ଡିମାର୍କେସନ ପାଇଁ ଚିଲିକା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ରାଜସ୍ବ ନିରୀକ୍ଷକ ନିକୁଞ୍ଜ ପ୍ରଧାନ ଏବଂ ତହସିଲ, ରାଜସ୍ୱ ଓ ଏନଏସି ଅମିନ ଆଦି ଉପସ୍ଥିତ ରହି ମାପଚୁପ କରିଥିଲେ।

ମାତ୍ର ଉକ୍ତ ଜାଗା ମଧ୍ୟରେ ଅତ୍ୟଧିକ ପାଣି ଥିବାରୁ ଏହାକୁ ସ୍ଥଗିତ କରାଯାଇ ଆସନ୍ତା ନଭେମ୍ବର ମାସରେ ମାପ ଚୁପ ହେବା ନେଇ ତହସିଲଦାର ଶ୍ରୀ ପଣ୍ଡା କହିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଘଟଣା ସ୍ଥଳରେ ବାଲୁଗାଁ ଏସଡିପିଓ, ଆଇଆଇସି ଙ୍କ ସମେତ ଦେଢ଼ ପ୍ଲାଟୁନ ଫୋର୍ସ ଉପସ୍ଥିତ ଥିଲେ।

Related posts