ବାଣପୁର ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Published: Nov 9, 2022, 7:42 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆଜି ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଏକ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସମାଜରେ ଏପରି ଅନେକ ଭିନ୍ନକ୍ଷମ ଅଛନ୍ତି, ଯେଉଁମାନେ ସରକାରୀ ସୁଯୋଗ ରୁ ବଞ୍ଚିତ ହେଉଛନ୍ତି। ଆଗକୁ ସେମାନେ କିପରି ସରକାରୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ତରଫରୁ ଦିଆଯାଉଥିବା ସୁବିଧା ସୁଯୋଗର ଲାଭ ପାଇପାରିବେ ଏବଂ ନିଜକୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିବେ ସେହି ଲକ୍ଷ ନେଇ ଉକ୍ତ ଶିବିର ଅନୁଷ୍ଠିତ ହୋଇଥିଲା।

ବାଣପୁର ବ୍ଲକ ଏବଂ ଏନଏସିର ସମୁଦାୟ ୫୩୦ ଜଣ ହିତାଧିକାରୀ ପଞ୍ଜିକରଣ କରିଥିବା ଜଣାଯାଇଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ଦ୍ୱାରା ଶିବିରକୁ ଉଦଘାଟନ କରାଯାଇଥିଲା।

ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ଯଥା ଅସ୍ଥିଶଲ୍ୟ, ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ ହିତାଧିକାରୀମାନଙ୍କ ନିମନ୍ତେ ଖୋର୍ଦ୍ଧାରୁ ଆସିଥିବା ବିଭାଗୀୟ ଡାକ୍ତରମାନଙ୍କ ମାଧ୍ୟମରେ ପରୀକ୍ଷଣ କରାଯାଇଥିଲା। ଯାହାଫଳରେ ବ୍ଲକ ପରିସରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

ବିଧାୟକଙ୍କ ପ୍ରତିନିଧି ମନୋଜ କୁମାର ପ୍ରଧାନ ଓ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ମାନେ ହିତାଧିକାରୀ ମାନଙ୍କୁ ସୁବିଧାରେ ପରୀକ୍ଷଣ କରାଇବାରେ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକୁ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକରିଣୀ ଗିରିବାଳା ନାୟକ ଓ ସଂଯୋଜକ ଅମୂଲ୍ୟ କୁମାର ସୁବୁଦ୍ଧି ତଦାରଖ କରିଥିଲେ।

ସମୁଦାୟ ୩୨୭ଜଣ ହହିତାଧିକାରୀଙ୍କୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ସେମାନଙ୍କର ପ୍ରମାଣପତ୍ର ବଣ୍ଟନ କରିଥିବା ଅତିରିକ୍ତ ବ୍ଲକ ଅଧିକାରୀ ସୀମାଦ୍ରୀ ପାତ୍ର କହିଛନ୍ତି।

Related posts