ଚିଲିକା: ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ମହିଳା ସମାବେଶ, ଯୋଗଦେଲେ ହଜାର ହଜାର କର୍ମୀ

Published: Dec 11, 2022, 8:58 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ମଧ୍ୟାହ୍ନରେ ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ବାଲୁଗାଁ ବିଜେଡି କାର୍ଯ୍ୟାଳୟ ପରିସରରେ ଚିଲିକା ବ୍ଲକ ସ୍ତରୀୟ ମହିଳା କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସମ୍ମିଳନୀରେ ଚିଲିକା ବିଜେଡି ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ପୂର୍ବତନ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠି, କୁମାଣ୍ଡଳ ସରପଞ୍ଚ ସାବିତ୍ରୀ ସୁନ୍ଦରାୟ, ସଙ୍ଗଠିକା ପ୍ରଭାତୀ ସେଠୀ, ବବିତା ସାହୁ, ଶର୍ମିଷ୍ଠା ମହାରଣା, ବରିଷ୍ଠ ବିଜେଡି କର୍ମୀ ରମେଶ ଚନ୍ଦ୍ର ମହାପାତ୍ର, ଅଜୟ ଖୁଣ୍ଟିଆ, ଭବାନୀ ଶଙ୍କର ବଳିଆରସିଂଙ୍କ ସମେତ ହଜାର ହଜାର ମହିଳା କର୍ମୀ ଯୋଗ ଦେଇଥିଲେ।

ସୂଚନା ଥାଉକି ବିଗତ ୧୫ ଦିନ ମଧ୍ୟରେ ଚିଲିକା ନିର୍ବାଚନମଣ୍ଡଳୀରେ ଶ୍ରୀ ସାହୁଙ୍କ ନେତୃତ୍ୱରେ ତିନି ଗୋଟି କର୍ମୀ ସମ୍ମିଳନୀ କରାଯାଇଥିବା ବେଳେ ଆଜି ପୁଣି ବିଶାଳ ମହିଳା ସମାବେଶ କରି ଦଳୀୟ ବିରୋଧୀ ଗୋଷ୍ଠୀ ସମେତ ବିରୋଧୀ ଦଳଙ୍କୁ ଶ୍ରୀ ସାହୁ ଦୃଢ଼ କଡା ଜବାବ ଦେଇଥିବା ଦେଖିବାକୁ ମିଳିଛି। ଗତ ମାସ ୨୩ ତାରିଖରେ ବାଣପୁର ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ, ୩୦ ତାରିଖରେ ଚିଲିକା ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ, ଚଳିତ ମାସ ୪ ତାରିଖରେ ବାଣପୁର ବ୍ଲକ ବିଜେଡି ମହିଳା କର୍ମୀ ସମାବେଶ କରିଥିବା ବେଳେ ଆଜି ଚିଲିକା ବ୍ଲକ ବିଜେଡି ମହିଳା କର୍ମୀ ସମାବେଶ କରି ମହିଳା ସଶକ୍ତିକରଣ, ଗାଁକୁ କାମ ମା’ଙ୍କୁ ସମ୍ମାନ ଏବଂ ଏସଏଚଜି ମହିଳାମାନଙ୍କୁ ସ୍ୱାବଲମ୍ବୀ ଦିଗରେ ରାଜ୍ୟ ସରକାରଙ୍କ ତତ୍ପରତା ନେଇ ବିସ୍ତୃତ ଆଲୋଚନା କରିଥିଲେ।

ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାଧାରଣ ଜନତାଙ୍କ ସହ ଯୋଡି ହୋଇ ରହିବା ସହ ସଙ୍ଗଠନକୁ ସୁଦୃଢ କରିବା ଦିଗରେ ଆପ୍ରାଣ ଚେଷ୍ଟା ଜାରି ରହିବା ନେଇ ଶ୍ରୀ ସାହୁ କହିଥିଲେ। ଆଜିର ମହିଳା ସମାବେଶରେ ହଜାର ହଜାର ମହିଳା କର୍ମୀଙ୍କ ସମାବେଶ ପରିଲକ୍ଷିତ ହୋଇଥିଲା। ଚିଲିକା ବ୍ଲକର ମିଶନ ଶକ୍ତି ଦାୟିତ୍ୱରେ ଥିବା ଅଧିକାରୀମାନେ ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ ଦୁର୍ନୀତିରେ ଲିପ୍ତ ରହି ମହିଳାମାନଙ୍କୁ ଲୁଟୁଥିବା ବେଳେ ପ୍ରଶାସନ ପକ୍ଷରୁ ଏନେଇ ଦୁର୍ନୀତି ଖୋରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସଏଚଜି ମହିଳାମାନେ ଶ୍ରୀ ସାହୁଙ୍କୁ ଅନୁରୋଧ କରିଥିଲେ।

ତେବେ ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଉଗ୍ରରୂପ ନେଉଥିବା ବେଳେ ବିଜେଡ଼ି ସଂଗଠନକୁ ସୁଦୃଢ କରିବା ଉଦ୍ଦେଶ୍ୟ ନେଇ ପୂର୍ବତନ ବିଧାୟକ ଶ୍ରୀ ସାହୁ ଉଦ୍ୟମ ଜାରି ରଖିଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Related posts