ଘର ପୋଡ଼ି ଘଟଣାରେ ଦୀର୍ଘ ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

Published: Dec 17, 2022, 11:17 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଦୀର୍ଘ ମାସ ପରେ ଘର ପୋଡ଼ି ଅଭିଯୋଗରେ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଣପୁର ପୋଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ବାଣପୁର ଥାନା କଉଡିଆ ସାହିର ବିଭୁତି ସାହୁ।

ସୂଚନା ମୁତାବକ ଚଳିତ ବର୍ଷ ଜୁଲାଇ ୨୭ ତାରିଖ ଦିନ କଉଡିଆ ସାହିର ବିଭୁତି ସାହୁ ଏବଂ ପତ୍ନୀ ଦମୟନ୍ତୀ ସାହୁଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ବିଭୁତି କ୍ରୋଧରେ ନିଜ ପତ୍ନୀଙ୍କ ଲୁଗାପଟାରେ ନିଆଁ ଲଗାଇଦେଇଥିଲେ। ଫଳରେ ଚାହୁଁ ଚାହୁଁ ନିଆଁ ଘରେ ବ୍ୟାପି ଯାଇଥିଲା। ଏହା ଦେଖି ସ୍ତ୍ରୀ ଦମୟନ୍ତୀ ତୁରନ୍ତ ଗମ୍ଭାରୀମୁଣ୍ଡା ବିଟ ହାଉସ ଯାଇ ସ୍ୱାମୀ ବିରୋଧରେ ଏତଲା ଦେଇଥିବା ବେଳେ ବାଣପୁର ପୋଲିସ କେସ ନମ୍ବର ୨୯୨/୨୨ ରେ ମାମଲା ରୁଜୁ କରିଥିଲା, କିନ୍ତୁ ବିଭୁତି ଫେରାର ହୋଇଯାଇଥିଲେ।

ସେବେଠାରୁ ପୋଲିସ ବିଭୁତିଙ୍କ ତଲାସ ଜାରି ରଖିଥିବା ବେଳେ ଗତକାଲି ବିଭୁତି ନିଜ ଗ୍ରାମକୁ ଆସିଥିବା ଖବର ପାଇଁ ବାଣପୁର ଆଇଆଇସି ଜୟ ପ୍ରକାଶ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଗିରଫ କରାଯାଇଛି।

Related posts