ବାଣପୁର ଚାଷଙ୍ଗରାରେ ବେଶ ଆନନ୍ଦ ଉତ୍ସାହରେ ପାଳିତ ହେଲା ଦୋଳ ଉତ୍ସବ

Published: Mar 8, 2023, 12:32 pm IST
Dola Utasav

ବାଣପୁର: ଫାଲଗୁନ ମାସ ପୂର୍ଣ୍ଣିମାରେ ଓଡିଶାର ପୁରପଲ୍ଲୀରେ ପାଳିତ ହୋଇଥାଏ ଦୋଳ ଉତ୍ସବ। ସେହିପରି ଏହି ଉତ୍ସବ ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ବେଶ ଧୂମଧାମରେ ପାଳିତ ହୋଇଛି। ଗ୍ରାମର ଠାକୁର ପତିତପାବନଙ୍କ ବିଜେ ପ୍ରତିମା ଏକ ସୁସଜ୍ଜିତ ବିମାନରେ ନିଆଯାଇ ଅଗ୍ନି ପରୀକ୍ଷା ବା ଅଗିଘେରା କରାଯାଇଥିଲା। ଶହ ଶହ ଭକ୍ତଙ୍କ ଗହଣରେ ହରିବୋଲ ହୁଳହୁଳିରେ ଠାକୁରଙ୍କ ଏହି ଅଗ୍ନି ଉତ୍ସବ ପାଳନ କରାଯାଇଥିଲା।

ଏହାପରେ ଠାକୁରଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ଏଥିରେ ପାରଂପାରିକ ନୃତ୍ୟଗୀତରେ ଶହଶହ ଭକ୍ତଙ୍କ ଗହଣରେ ଠାକୁର ଗ୍ରାମ ପରିକ୍ରମା କରିଥିଲେ। ଏହି ସମୟରେ ପରଂପରା ଅନୁସାରେ ଭକ୍ତମାନେ ଫଗୁ ଖେଳ ମଧ୍ୟ କରିଥିଲେ। ଶୋଭାଯାତ୍ରାରେ ଖୋଳ ବାଦ୍ୟ, ସଂକୀର୍ତ୍ତନ, ଘଣ୍ଟ, କାହାଳି, ବାଘ ନାଚ, ବୁଢାବୁଢୀ ନାଚ, ସଖୀ ନାଚ ପ୍ରଭୃତି ପାରଂପାରିକ କଳା ପରିବେଷଣ କରାଯାଇଥିଲା।

ଶୋଭାଯାତ୍ରା ପରେ ଠାକୁରଙ୍କୁ ଦୋଳବେଦୀ ଦୋଳିରେ ବିଜେ କରାଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗ୍ରାମର ଯୁବ କଳାକାରଙ୍କ ଦ୍ବାରା ଦୁଇଦିନ ଧରି ଯାତ୍ରା ପରିବେଷଣ କରାଯାଇଛି। ଦୋଳ ଉତ୍ସବରେ ନାଟକ ‘ଶ୍ରାବଣ ମାସର ଶେଷ ରାତ୍ରୀ’ ପରିବେଷଣ ହୋଇଥିବା ବେଳେ ଆଜି ହୋଲି ଉପଲକ୍ଷେ ‘ଗୁମୁରି ଗୁମୁରି କାହାଣୀ କାନ୍ଦେ’ ମଞ୍ଚସ୍ଥ କରାଯିବ।

Related posts