ଡ୍ରାଇଭର ମହାସଂଘର ଧର୍ମଘଟ ଜାରି: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରର ସୁରକ୍ଷାକୁ ନେଇ ପ୍ରଶାସନ ତତ୍ପର

Published: Mar 16, 2023, 8:55 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲିଠାରୁ ଡ୍ରାଇଭର ମହାସଂଘର ଧର୍ମଘଟ ଜାରି ରହିଥିବା ବେଳେ ରାଜ୍ୟରେ ମାଟ୍ରିକ ପରୀକ୍ଷା ମଧ୍ୟ ଜାରି ରହିଛି। ତେବେ ପରୀକ୍ଷା ପାଇଁ ବିଭିନ୍ନ ହବ ସେଣ୍ଟରରୁ ଯେପରି ପ୍ରଶ୍ନପତ୍ର ଅବାଧରେ ପ୍ରତି ବିଦ୍ୟାଳୟରେ ପହଞ୍ଚିପାରିବ ତାହାକୁ ଗୁରୁତ୍ୱ ଦେଉଛନ୍ତି ସରକାର। ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଏ ନେଇ ନିର୍ଦ୍ଦେଶଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ତହସିଲଦାର ଏବଂ ବିଡିଓ ମାନେ ନିଜ ନିଜ ଅଞ୍ଚଳରେ ଡ୍ରାଇଭର ମହାସଂଘ ଧର୍ମଘଟ ସମୟରେ କିପରି ପ୍ରଶ୍ନପତ୍ର ହବ ସେଣ୍ଟରରୁ ବିଦ୍ୟାଳୟକୁ ଅବାଧରେ ପହଞ୍ଚିବ, ସେ ବନ୍ଦୋବସ୍ତରେ ଲାଗିପଡିଛନ୍ତି। ଆଜି ସକାଳୁ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ସ୍ଥାନୀୟ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ହବ ସେଣ୍ଟରରେ ପହଞ୍ଚିଥିଲେ।

ଏହାପରେ ତହସିଲଦାରଙ୍କ ନେତୃତ୍ୱରେ ଶିକ୍ଷକମାନେ ସମସ୍ତ ପ୍ରଶ୍ନପତ୍ର ନେଇ ବାଣପୁର ବ୍ଲକର ଆଠ ଗୋଟି ବିଦ୍ୟାଳୟକୁ ପହଞ୍ଚାଇଛନ୍ତି। ପ୍ରଶ୍ନପତ୍ର ନେଇ ଯାଉଥିବା ଟିମକୁ ଧର୍ମଘଟ ସମୟରେ ସୁରକ୍ଷା ଦେବା ଦାଇତ୍ୱ ପ୍ରଶାସନର ବୋଲି ତହସିଲଦାର କହିଛନ୍ତି। ଯଦି ରାସ୍ତାରେ କୌଣସି ସ୍ଥାନରେ ଡ୍ରାଇଭର ମହାସଂଘ ଧର୍ମଘଟ ଲାଗି ପ୍ରଶ୍ନପତ୍ର ନେଇ ଯାଉଥିବା ଟିମଙ୍କ ଗାଡ଼ି ବାଧାପ୍ରାପ୍ତ ହୁଏ, ତେବେ ସଙ୍ଗେସଙ୍ଗେ ନିଜ ଗାଡ଼ିଦ୍ୱାରା ଉକ୍ତ ପ୍ରଶ୍ନପତ୍ରକୁ ସମ୍ପୃକ୍ତ ବିଦ୍ୟାଳୟରେ ପହଞ୍ଚାଇବା ନିମନ୍ତେ ସଜାଗ ଥିବା କହିଛନ୍ତି ତହସିଲଦାର ଶ୍ରୀ ବଡ଼ଜେନା।

Related posts