ବାଲୁଗାଁ: ମେଧାବୀ ଛାତ୍ରୀ ଦେବସ୍ମିନୀ ଜାଲିଙ୍କୁ ସମ୍ବର୍ଦ୍ଧନା

Published: May 13, 2023, 1:46 pm IST

 ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ ତଥା ସାୟୋନାରା କାର୍ଯ୍ୟକ୍ରମରେ ଦର୍ଶନ ବିଭାଗର ମେଧାବୀ ଛାତ୍ରୀ ଦେବସ୍ମିନୀ ଜାଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣାଙ୍କ ସଂଯୋଜନା ଓ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ ମୁଖ୍ୟ ଅତିଥି ଓ ଅଧ୍ୟାପକ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୈକ୍ଷିକ ଜୀବନରେ ନିଷ୍ଠା, ଅଧ୍ୟବସାୟ ଓ ପ୍ରତିବଦ୍ଧତା ମାଧ୍ୟମରେ ସବୁ ସଫଳତାକୁ ହାସଲ କରାଯାଇପାରେ ବୋଲି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଦର୍ଶନ ବିଭାଗର ପ୍ରାକ୍ତନ ଛାତ୍ରୀ ତଥା ସ୍ଥାନୀୟ ଛେଡ଼ାପଦର ଗ୍ରାମର ଜୟଦେବ ଜାଲିଙ୍କ କନ୍ୟା ସୁଶ୍ରୀ ଦେବସ୍ମିନୀ ଜାଲି ଉତ୍କଳ ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ଚଳିତ ବର୍ଷ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ପ୍ରଫେସର ଯୋଗ୍ୟତା ପରୀକ୍ଷା (ସେଟ ), ସର୍ବ ଭାରତୀୟ ଆସିଷ୍ଟାଣ୍ଟ ଯୋଗ୍ୟତା ପରୀକ୍ଷା (ୟୁଜିସି ନେଟ) ପରୀକ୍ଷାରେ କୃତିତ୍ୱ ଅର୍ଜନ କରିବା ସହ ସର୍ବ ଭାରତୀୟ ଉଚ୍ଚତ୍ତର ଗବେଷଣା ପରୀକ୍ଷା (ଗେଟ )ରେ କୃତିତ୍ୱ ଅର୍ଜନ କରି ବାଲୁଗାଁ ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଗାରିମା ଵୃଦ୍ଧି କରିଥିବାରୁ ଦର୍ଶନ ବିଭାଗ ପକ୍ଷରୁ ତାଙ୍କୁ ଉପଢୌଙ୍କନ, ପ୍ରଶସ୍ତି ପତ୍ର ସମେତ ପାଞ୍ଚ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଅତିଥିମାନେ ପ୍ରଦାନ କରିଥିଲେ।

ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ତାଙ୍କ ଶୈକ୍ଷିକ ପ୍ରକ୍ରିୟାକୁ ଅନୁପ୍ରାଣିତ କରିବା ସହ ପରବର୍ତ୍ତୀ ପିଢିଙ୍କୁ ଉତ୍ସାହିତ କରିବ ବୋଲି ଦେବସ୍ମିନୀ ବକ୍ତବ୍ୟ ଦେଇଥିଲେ।

ପ୍ରକାଶ ଥାଉକି ଏକ ସାଙ୍ଗରେ ସେଟ, ନେଟ ଓ ଗେଟ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିବାରେ ଦେବସ୍ମିନୀ ଜାଲି ବାଲୁଗାଁ ମହାବିଦ୍ୟାଳୟ ଓ ବାଲୁଗାଁ ଅଂଚଳରେ ପ୍ରଥମ ଛାତ୍ରୀ। ଏହି ଅବସରରେ ମେଧାବୀ ଛାତ୍ରୀ ଅର୍ଚ୍ଚିତା ଜେନା, ଅଙ୍କିତା ବାରିକି ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଅନୁଷ୍ଠାନିକ ଧନ୍ୟବାଦ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବର୍ଷା ବିଷୋୟୀ ପରିଚାଳନା କରିଥିଲେ।

Related posts