ବାଣପୁର: ଚିଲିକା ବିଧାୟକ ପାଣ୍ଠି କାର୍ଯ୍ୟାଦେଶ ପାଇବା ଦାବିରେ ଧାରଣାରେ ବସିଲେ ଏକାଧିକ କାର୍ଯ୍ୟଗ୍ରାହୀ

Published: Mar 13, 2024, 3:59 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ପାଣ୍ଠିର କାର୍ଯ୍ୟାଦେଶ ପାଇବା ଦାବିରେ ଧାରଣାରେ ଦୀର୍ଘ ସମୟ ଧରି ବସି ରହିଥିଲେ ଏକାଧିକ କାର୍ଯ୍ୟଗ୍ରାହୀ। ତେବେ ବ୍ଲକ ଅଧ୍ୟକ୍ଷଙ୍କ ହସ୍ତକ୍ଷେପକ୍ରମେ ଉକ୍ତ ଧାରଣ ସ୍ଥଗିତ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ଦୀର୍ଘ ୬ ମାସ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପାଣ୍ଠିରୁ ଏକାଧିକ କାର୍ଯ୍ୟାଗ୍ରାହୀଙ୍କୁ ବ୍ଲକ ଓ ଏନଏସି ର ବିଭିନ୍ନ କାର୍ଯ୍ୟ କରିବା ପାଇଁ ଅନୁମୋଦନ ପତ୍ର ଦେଇଥିବା ବେଳେ ଅଦ୍ୟାବଧି ସେମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇନାହିଁ। ସେହି ପ୍ରତିବାଦରେ ଆଜି ବାଣପୁର ବ୍ଲକ ଓ ଏନଏସି ର ଏକାଧିକ କାର୍ଯ୍ୟାଗ୍ରାହୀ ମାନେ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ନାରାବାଜି କରିଥିଲେ। ଏ ନେଇ ପୁର୍ବରୁ ସେମାନେ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ ଧାରଣା ଦେଇଛନ୍ତି ବୋଲି କହିଥିଲେ। ପାଖାପାଖି ୪୪ ରୁ ଉର୍ଦ୍ଧ୍ଵ କାର୍ଯ୍ୟାଦେଶ ସ୍ଥଗିତ ଥିବା କାର୍ଯ୍ୟାଗ୍ରାହୀ ମାନେ କହିଛନ୍ତି।

ତେବେ ବିଡ଼ିଓ ଅନୁପସ୍ଥିତ ଥିବା ବେଳେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଉକ୍ତ ମାମଲାରେ ହସ୍ତକ୍ଷେପ କରିବା ସହ ବିଡ଼ିଓଙ୍କ ସହ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଥିଲେ।  ତେବେ କୌଣସି କାଗଜପତ୍ର ତ୍ରୁଟି ଲାଗି କାର୍ଯ୍ୟାଦେଶ ବଣ୍ଟନ କରାଯାଇପାରିନାହିଁ ଏବଂ ଆସନ୍ତାକାଲି ତାହା ବଣ୍ଟନ କରାଯିବ ବୋଲି ବିଡିଓ ବ୍ଲକ ଅଧ୍ୟକ୍ଷ ଙ୍କୁ କହିଥିବାର ଶ୍ରୀ ରଣସିଂହ ସୂଚନା ଦେଇଛନ୍ତି।

ତେବେ ଏ ନେଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଯୋଗାଯୋଗ କରାଯାଇବାରୁ ଏହା ବ୍ଲକ ପ୍ରଶାସନର ଅସମ୍ବିଧାନିକ କାର୍ଯ୍ୟ ବୋଲି କହିଛନ୍ତି। ସାମ୍ବିଧାନିକ ପଦ୍ଧତି ଅନୁଯାୟୀ ବିଧାୟକଙ୍କ ପାଣ୍ଠି ବିଧାୟକ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ କାର୍ଯ୍ୟାଗ୍ରାହୀଙ୍କୁ କାର୍ଯ୍ୟ ନିମନ୍ତେ ଅନୁଦାନ ପ୍ରଦାନ କରିବେ ଏବଂ ପ୍ରଶାସନ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା କଥା। ତେବେ ଜାଣିଶୁଣି ବିଧାୟକଙ୍କୁ ହଇରାଣ କରାଯାଉଛି ବୋଲି କହିଥିଲେ ବିଧାୟକ ଶ୍ରୀ ଜଗଦ୍ଦେବ।

ଯଦି ଯଥାଶୀଘ୍ର କାର୍ଯ୍ୟାଗ୍ରାହୀମାନଙ୍କୁ କାର୍ଯ୍ୟାଦେଶ ବ୍ଲକ ପ୍ରଶାସନ ପ୍ରଦାନ ନକରେ ତେବେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟରୁ ବ୍ଲକ ପର୍ଯ୍ୟନ୍ତ ଆନ୍ଦୋଳନ ଆରମ୍ଭ ହେବ ଏବଂ ତାହାର ପରିଣାମ ଭୟାବହ ହେବ ବୋଲି ବିଧାୟକ କହିଛନ୍ତି।

Related posts