ବାଲୁଗାଁ: ଦୀପାବଳି ମାନେ କେବଳ ଆଲୋକ ନୁହେଁ, ଏହା ହେଉଛି ଖୁସି ବାଣ୍ଟିବାର ପର୍ବ। ଆଉ ଏହାକୁ ସାର୍ଥକ କରି ଦେଖାଇଛି ବାଲୁଗାଁ ଏବିଭିପି। ବସ୍ତିର କୁନି କୁନି ଶିଶୁଙ୍କ ସହ ମିଶି ଦୀପାବଳି ପାଳନ କରିଛନ୍ତି ଏବିଭିପି କାର୍ଯ୍ୟକର୍ତ୍ତା।
ବାଲୁଗାଁ ମହାବିଦ୍ୟାଳୟ ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଶନିବାର ଦିନ ନିକଟସ୍ଥ ସତ୍ୟଭାମା ନଗର ବସ୍ତିରେ ଏହି ନିଆରା ଦୀପାବଳି ପାଳନ କରାଯାଇଥିଲା।
ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ପୂଜା ଦିହୁଡ଼ିଙ୍କ ନେତୃତ୍ୱରେ ଏବିଭିପି କାର୍ଯ୍ୟକର୍ତ୍ତାମାନେ ବସ୍ତିକୁ ଯାଇ ସେଠାରେ ବସବାସ କରୁଥିବା ଛୋଟ ଛୋଟ ଶିଶୁଙ୍କ ସହ ଭାବ ବିନିମୟ କରିଥିଲେ।
ଏହି ଅବସରରେ ଶିଶୁମାନଙ୍କୁ ପରିବେଶ ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ କରୁନଥିବା ବାଣ, ଚକୋଲେଟ୍ ଏବଂ ବିସ୍କୁଟ୍ ବଣ୍ଟନ କରାଯାଇଥିଲା। କାର୍ଯ୍ୟକର୍ତ୍ତାମାନେ ଶିଶୁମାନଙ୍କ ସହ କିଛି ମୁହୂର୍ତ୍ତ ଅତିବାହିତ କରିବା ସହ ପବିତ୍ର ଦୀପାବଳି ପାଳନର ମହତ୍ତ୍ୱ ବୁଝାଇଥିଲେ।
ଛୋଟ ଛୋଟ ଶିଶୁଙ୍କ ମୁହଁରେ ହସ ଫୁଟାଇଥିବାରୁ ଏବିଭିପିର ଏହି ମହତ୍ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଛାତ୍ର ସଂସଦ ଉପସଭାପତି ଶୁଭଙ୍କର ରାଉତ, ସାଧାରଣ ସମ୍ପାଦକ ରବିନାରାୟଣ ବେହେରା, ବିଜ୍ଞାନ ସମିତି ସମ୍ପାଦକ ପ୍ରୀତି ପାଇକରାୟ, ସହକାରୀ କ୍ରୀଡ଼ା ସମ୍ପାଦକ ଓମ୍ ପ୍ରକାଶ ପ୍ରଧାନ, ଶ୍ରେଣୀ ପ୍ରତିନିଧି ଆଦ୍ୟାଶା ଜେନା, ରୀନା ବେହେରା ଏବଂ ଏବିଭିପି କାର୍ଯ୍ୟକର୍ତ୍ତା ଶେଖର ବେହେରା, ପ୍ରିୟଙ୍କା ଦାଶ, କୃଷ୍ଣଚନ୍ଦ୍ର ବେହେରା, ଶିବୁ ପରିଡ଼ା, ମନୋରଞ୍ଜନ ସାହୁ ଓ ଲିପ୍ସା ରାଉତ ପ୍ରମୁଖ ସାମିଲ ହୋଇଥିଲେ।
ଦୀପାବଳିର ପ୍ରକୃତ ଆଲୋକ ସେତେବେଳେ ହିଁ ସାର୍ଥକ, ଯେତେବେଳେ ତାହା ଅନ୍ୟମାନଙ୍କ ମୁହଁରେ ହସ ଫୁଟାଏ। ଏଭଳି ଖବର ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ।


