ବାଣପୁରର ସୁନୀତା ମାର୍ଥାଙ୍କ ଆଉ ଏକ କୃତିତ୍ବ: ରାଜ୍ୟ ମହିଳା ଭଲିବଲ୍‌ ଦଳରେ ହେଲେ ସାମିଲ୍‌

Published: Dec 26, 2019, 1:47 pm IST

ସମୀକ୍ଷାବ୍ୟୁରୋ

ବାଣପୁର, ୨୬/୧୨: ବାଣପୁରର ସୁନୀତା ମାର୍ଥା ରାଜ୍ୟ ମହିଳା ଭଲିବଲ ଦଳ ପାଇଁ ମନୋନୀତ ହୋଇ ସମଗ୍ର ଅଞ୍ଚଳ ପାଇଁ ଏକ ଗର୍ବର ବିଷୟ ପାଲଟିଛନ୍ତି। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ଅଧୁନା ଭୁବନେଶ୍ବରସ୍ଥିତ ଶାରିରୀକ ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରୀ କରୁଛନ୍ତି ସୁନୀତା। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସାନଅଁଳ ଗ୍ରାମର ସନାତନ ମାର୍ଥା ଓ ବାସନ୍ତୀ ଦେବୀଙ୍କ କନ୍ୟା ହେଉଛନ୍ତି ସୁନୀତା। ସେ ଦୀର୍ଘଦିନ ଧରି ବାଣପୁରରେ ବସବାସ କରୁଛନ୍ତି। ପିଲାଟି ବେଳୁ ଖେଳ ପ୍ରତି ବେଶ୍‌ ରୁଚି ରଖିଥିଲେ ସୁନୀତା।  ବାଣପୁର ମା’ ଭଗବତୀ ରୁରାଲ୍‌ ସ୍ପୋର୍ଟସ୍‌ ଏକାଡେମୀରେ ପ୍ରଶିକ୍ଷଣ ନେବା ସହିତ ପୂର୍ବରୁ କନିଷ୍ଠ ଓ ବିଶ୍ବବିଦ୍ୟାଳୟ ସ୍ତରୀୟ ଖେଳରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଛନ୍ତି। ସୁନୀତା ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିଭୁଧେନ୍ଦୁ ମାନସିଂହଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଉଥିଲେ। ଭୁବନେଶ୍ବର କିଟ୍‌ଠାରେ ଅନୁଷ୍ଠିତ ଚୟନ ଶିବିରରେ ଉଚ୍ଚମାନର କ୍ରୀଡ଼ା ପ୍ରଦର୍ଶନ କରି ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଓଡ଼ିଶା ଦଳ ପାଇଁ ମନୋନୀତ ହୋଇଛନ୍ତି। କିଟ୍‌ଠାରେ ଆୟୋଜିତ ହେବାକୁ ଥିବା ଆନ୍ତଃରାଜ୍ୟ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ତରଫରୁ ଖେଳିବାର ଯୋଗ୍ୟତା ଅର୍ଜନ କରିଛନ୍ତି।

ଏହି ଅବସରରେ ସୁନୀତା ଖେଳ ପ୍ରଶକ୍ଷିକ ବିଭଧେନ୍ଦୁ ମାନସିଂହ ଓ  ଗୋଦାବରୀଶ ମହାବିଦ୍ୟାଳୟର ଅବସରପ୍ରାପ୍ତ ଖେଳ ପ୍ରଶିକ୍ଷକ ବୈରାଗୀ ଚରଣ ବଳ ଓ ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ସମ୍ପାଦକ ଡ. ଗଗନେନ୍ଦୁ ଦାସଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସୁନୀତାଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ ମଧ୍ୟ ବାଣପୁର ସାନହନ୍ତୁଆଡ ଗ୍ରାମର କଳ୍ପଶ୍ରୀ ପ୍ରଧାନ ରାଜ୍ୟ ମହିଳା ଭଲିବଲ୍‌ ଦଳରେ ସ୍ଥାନ ପାଇ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Related posts