
ସୀତାରାମ ଅଗ୍ରଓ୍ବାଲ
ବାଣପୁର: କ୍ବାରେଣ୍ଟିନ୍ ସେଣ୍ଟରରେ ଅବ୍ୟବସ୍ଥାର ଖବର ସାମ୍ନାକୁ ଆସୁଛି। ଏନେଇ ପ୍ରବାସୀ ମାନେ ଅଭିଯୋଗ କରିବା ସହ ଧାରଣା ମଧ୍ୟ ଦେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ନାଚୁଣୀ କ୍ବାରେଣ୍ଟିନ୍ ସେଣ୍ଟର ଅବ୍ୟବସ୍ଥାକୁ ନେଇ ଏକ ଚର୍ଚ୍ଚାର ଘଟଣା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁସାରେ ନାଚୁଣୀଠାରେ ଥିବା ଏକ କ୍ବାରେଣ୍ଟାଇନ୍ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ନେଇ ପ୍ରବାସୀଙ୍କ ଅଭିଯୋଗ କ୍ରମେ ଜନୈକ ଗଣମାଧ୍ୟମର ସମ୍ପାଦକ ଏନେଇ ସମ୍ପୃକ୍ତ କ୍ବାରେଣ୍ଟାଇନ୍ ସେଣ୍ଟରର ଦାୟିତ୍ବରେ ଥିବା ନୋଡାଲ୍ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସମ୍ପୃକ୍ତ ନୋଡାଲ୍ ଅଫିସର ଜଣକ ଏ ସମ୍ପର୍କରେ ସେ କିଛି କହିପାରିବେ ନାହିଁ, ଏନେଇ ବିଡିଓଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। କ୍ବାରେଣ୍ଟାଇନ୍ ସେଣ୍ଟରର ଦାୟିତ୍ବ ନୋଡାଲ୍ ଅଫିସରଙ୍କ ଅଧୀନରେ ରହୁଥିବାବେଳେ ସେ ନିଜ ଦାୟିତ୍ବକୁ ଅତି ହାଲୁକା ଭାବରେ ଗ୍ରହଣ କରୁଥିବାର ଦେଖାଯାଉଛି। ପରବର୍ତ୍ତୀ ସମୟରେ ଏନେଇ ତାଙ୍କୁ ଅଧିକ ପଚରାଯିବାରୁ ସେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ପ୍ରତି ସଙ୍ଗୀନ ଅଭିଯୋଗ କରିଛନ୍ତି। ଉକ୍ତ ସଂସ୍ଥାର ସମ୍ପାଦକ ଜଣକ ଫୋନ୍ ମାଧ୍ୟମରେ ତାଙ୍କୁ ଦୁର୍ବ୍ୟବହାର କରିବା, ଜାତିକୁ ଆକ୍ଷେପ କରିବା ସହିତ ମାରିବାକୁ ଧମକ ଦେଇଥିବାର ଅଭିଯୋଗ କରିଛନ୍ତି ନୋଡାଲ୍ ଅଫିସର୍।
ଏଠାରେ ପ୍ରଶ୍ନ ଉଠୁଛି ଯେ, କ୍ବାରେଣ୍ଟିନ୍ରେ ପ୍ରବାସୀଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦେବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କାର ଅନୁଦାନ ମଧ୍ୟ ଦିଆଯାଉଛି। କିନ୍ତୁ ସରକାରୀ କର୍ମଚାରୀମାନେ ନିଜକୁ ସର୍ବେସର୍ବା ଭାବି ଏହାର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଯାହା ଫଳରେ ପ୍ରବାସୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ବାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀଙ୍କୁ ସାନିଟାଇଜର୍ ଦିଆଯାଉନଥିବାବେଳେ ପରିଷ୍କାର ପରିଚ୍ଛନ୍ନ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନାହିଁ ବୋଲି ପ୍ରବାସୀମାନେ ଅଭିଯୋଗ କରିଛନ୍ତି। ଏପରିକି କ୍ବାରେଣ୍ଟିନ୍ ସେଣ୍ଟରରେ ଶୌଚାଳୟ ନଥିବାର ପ୍ରବାସୀମାନେ ଅଭିଯୋଗ କରିଛନ୍ତି। ଏପରି ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ ଯଦି କୌଣସି ସରକାରୀ କର୍ମଚାରୀଙ୍କୁ ପଚରାଯାଉଛି, ତେବେ ସେମାନେ ଏହାର ଉତ୍ତର ଦେବା ପରିବର୍ତ୍ତେ ପାଲଟା ଅଭିଯୋଗ କରୁଛନ୍ତି। ସମ୍ପ୍ରତି ରାଜ୍ୟରେ କରୋନା ସ୍ଥିତିକୁ ନେଇ ସରକାର ବେଶ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ସମ୍ପୃକ୍ତ କର୍ମଚାରୀମାନେ ଏପ୍ରକାର ଅବହେଳା ପ୍ରଦର୍ଶନ କରିବା କେତେଦୂର ଯୁକ୍ତିଯୁକ୍ତ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛୁ।