ବାଣପୁରରୁ ଚାରି ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କଲା ବାଲୁଗାଁ ଅବକାରୀ ବିଭାଗ: ୧୧୩ ଲିଟର ଦେଶୀ ମଦ ସହ ୩ ମଟରସାଇକେଲ ଜବତ

Published: Jul 31, 2020, 11:41 am IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର-ବାଲୁଗାଁରେ ଚୋରା ଦେଶୀ ମଦବେପାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ପୋଲିସ ଏବଂ ଅବକାରୀ ହାତରେ ଧରା ପଡ଼ି ଗିରଫ ହେଲେ ସୁଦ୍ଧା ଏମାନଙ୍କ ଚେତା ପଶୁନି। ଲକ ଡ଼ାଉନରେ ଘରେ ଘରେ ସମସ୍ତେ ନିଜକୁ ବଡ଼ ଦେଶୀ ମଦ ବେପାରୀ ଭାବୁଛନ୍ତି ଏବଂ ଚୋରାରେ ମଦ ବିକ୍ରି କରି ସମାଜକୁ ନଷ୍ଟ କରୁଛନ୍ତି।

ଗତକାଲି ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ମନୋଜ ବାରିକ ଏବଂ ଜିଲ୍ଲା ଭ୍ରାମ୍ୟମାଣ, ଭୁବନେଶ୍ୱର ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ହୃଦୟ ଚନ୍ଦ୍ର ସାମନ୍ତ ନିଜ ଟିମ ସହ କୌଣସି ସୂତ୍ରରୁ ଖବର ପାଇ ଅପରାହ୍ନ ୪ ଘଟିକାରୁ ବାଣପୁର ଥାନା ଅନ୍ତର୍ଗତ ଘଣ୍ଟଶିଳା ପର୍ବତ ହନୁମାନ ମନ୍ଦିର ପାଖ କୁମ୍ଭାର ସାହି ରୋଡ଼ ନିକଟରେ ଛକି ରହିଥିଲେ। ପାଖାପାଖି ସନ୍ଧ୍ୟା  ୬ ଘଟିକାରେ ୪ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୧୩ଲିଟର ଦେଶୀ ମଦ ଏବଂ ୨ ମଟରସାଇକେଲ ଓ ଗୋଟିଏ ସ୍କୁଟି ଜବତ କରିଛନ୍ତି।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ବାଣପୁରର ମନୋଜ ଦାସ ଓ ଭରତ ପ୍ରଧାନ ଏବଂ ବାଲୁଗାଁର ବସନ୍ତ ସ୍ୱାଇଁ ଓ ସୁରଜ ପ୍ରସାଦ ସେଠି। ଅବକାରୀ ଆଇନ ଅନୁଯାୟୀ କେସ  ନମ୍ବର ୩୭/୨୦(ବାଲୁଗାଁ) ଏବଂ କେସ ନମ୍ବର ୧୫/୨୦, ୧୬/୨୦, ୧୭/୨୦ (ଭ୍ରାମ୍ୟମାଣ ଜିଲ୍ଲା, ଭୁବନେଶ୍ୱର) ଅଧିନରେ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଉଭୟ ଅଧିକାରୀ ସୂଚନା ଦେଇଛନ୍ତି।

Related posts