ଶେଷରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମମିତା ହତ୍ୟା ଘଟଣାରେ କହିଲେ ଏମିତି କଥା

Published: Oct 29, 2021, 9:43 pm IST

ଭୁବନେଶ୍ବର: ବହୁ ଦିନର ନିରବତା ପରେ ଶେଷରେ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏକ ପ୍ରେସ ବିବୃତି ଦେଇ ସେ କହିଛନ୍ତି ଯେ, ମମିତା ଘଟଣାରେ ମୁଁ ବହୁତ ଦୁଃଖିତ। ତାଙ୍କ ପରିବାରକୁ ନ୍ୟାୟ ମିଳୁ ଏହା ମଧ୍ୟ ମୋର ଦାବୀ। ଯେ ଦୋଷୀ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି।

ତେବେ ତାଙ୍କର ଏହି ଘଟଣାରେ ସଂପୃକ୍ତି ନେଇ ସେ କଡା ଜବାବ ଦେଇଛନ୍ତି। ସେ କହିଛନ୍ତିଯେ, ମୋ ବିରୋଧରେ ବିରୋଧୀ ଦଳ ପାଖରେ ଯଦି କିଛି ପ୍ରମାଣ ଅଛି ତେବେ ପୋଲିସକୁ ଦିଅନ୍ତୁ। ମମିତା ହତ୍ୟାକାଣ୍ଡରେ ମୋର କୌଣସି ସଂପର୍କ ନାହିଁ। ଯଦି କେହି ଏହାର ପ୍ରମାଣ ଦେବ ତେବେ ମନ୍ତ୍ରୀ ପଦରୁ ନୁହେଁ ରାଜନୀତିରୁ ମଧ୍ୟ ସନ୍ନାସ ନେବି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିରୋଧୀ ଦଳ ଏବଂ କେତେକ ଗଣମାଧ୍ୟମ ମୋତେ ଏହି ଘଟଣାରେ ସଂପୃକ୍ତି ରହିଛି ବୋଲି କହିଆସୁଛନ୍ତି। ହେଲେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଜଣେ ସ୍ଥାନୀୟ ବିଧାୟକ ଭାବେ ମୁଁ କୌଣସି ଅନୁଷ୍ଠାନରେ ଯୋଗ ଦେବା କଣ ମୋର ଭୁଲ ବୋଲି କହିଛନ୍ତି ଦିବ୍ୟଶଙ୍କର। ଯଦି ଯୋଗ ଦେବା ପରେ ସେଠାରେ କିଛି ଅଘଟଣ ଘଟେ ତେବେ ମୋର ଭୁଲ କେଉଁଠି ରହିଲା ବୋଲି ଦିବ୍ୟଶଙ୍କର ପ୍ରଶ୍ନ କରିଛନ୍ତି।

ଏଥିସହିତ ଦିବ୍ୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ, ମୁଁ ବାୟୁ ସେନାରେ କାମ କରୁଥିଲି। ମୋର ଧର୍ମ ହେଲା ଅନ୍ୟକୁ ସାହାଯ୍ୟ କରିବା। ସେହି ଆଦର୍ଶରେ ମୁଁ ରାଜନୀତିରେ କାର୍ଯ୍ୟ କରୁଛି। ହେଲେ ବିରୋଧୀ ଦଳ ଏବଂ କେତେକ ଗଣମାଧ୍ୟମ ବିନା କୌଣସି ପ୍ରମାଣରେ ମୋତେ ଅପରାଧୀ ସଜାଇ ଦେଲେଣି। ଏହା ଠିକ ନୁହେଁ ବୋଲି ଦିବ୍ୟଶଙ୍କର କହିଛନ୍ତି।

ବର୍ତ୍ତମାନ ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ସଂପୃକ୍ତି ରହିଛିବୋଲି ବିରୋଧୀ ଦାବୀ କରିଆସୁଛନ୍ତି। ତାଙ୍କର ଇସ୍ତଫା ଦାବୀ କରି ବିରୋଧୀଦଳ ସାରା ରାଜ୍ୟରେ ଆନ୍ଦୋଳନ କରିବାରେ ଲାଗିଛନ୍ତି। ହେଲେ ବିରେୋଧୀଙ୍କ ଏହି ବିରୋଧରେ ମନ୍ତ୍ରୀ ଦିବ୍ୟଶଙ୍କର ଦୀର୍ଘଦିନ ଧରି ଚୁପ ରହିବା ପରେ ଏବେ ସେ ସ୍ପଷ୍ଟି କରଣ ଦେଇଛନ୍ତି।

Related posts